Unknown

 

 

 

 

 

 

 

 

 

 

ପ୍ରଖ୍ୟାତ ହାସ୍ୟାଭିନେତା ‘ଟିମା’ଙ୍କ ଆତ୍ମକଥା

କଳାକାରର କାହାଣୀ

ଦୀନବନ୍ଧୁ ଦାସ

 

ସ୍ମୃତିର ଟିମବାବୁ

 

ଓଡ଼ିଶାର ସ୍ଵନାମଧନ୍ୟ ହାସ୍ୟ ଅଭିନେତା ଟିମବାବୁ ଥିଲେ ମୋର ସହକର୍ମୀ ଏବଂ ଅନ୍ତରଙ୍ଗ ବନ୍ଧୁ । କେତେ ଅଭୁଲା ବିଦଗ୍ଧ ସ୍ମୃତି ଯେ ତାଙ୍କ ସହିତ ବିଜଡ଼ିତ, ତାହା କହିଲେ ସରିବ ନାହିଁ । ତାଙ୍କ ହସ ହସ ମୁହଁ, କଣ୍ଠରୁ ଝରିପଡ଼ୁଥ‌ିବା ସଂଗୀତର ଧାରା ଏବେ ବି ମନେପଡ଼ିଲେ ଦେହରେ ପୁଲକ ଜାତ ହୁଏ ।

 

ଅନେକ ହାସ୍ୟ ଅଭିନେତା ନିଜେ କାନ୍ଦି ଅନ୍ୟକୁ ହସାନ୍ତି । ସମଗ୍ର ମଣିଷ ସମାଜର ମଙ୍ଗଳ କାମନା କରନ୍ତି । ଟିମବାବୁ ଠିକ୍‌ ସେମିତି ଜଣେ ମଣିଷ । ସେ ଯେ କାନ୍ଦନ୍ତି ନାହିଁ–ଦୁଃଖ ତାଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦିଏ ନାହିଁ–ତାହା ନୁହେଁ, ଯଦି ଏମିତି କିଛି ଦୁଃଖ ଆସେ–ତେବେ ସେ ଦୁଃଖକୁ ହାତ ପିଠିରେ ପୋଛି ହସନ୍ତି । ମୁଁ ଦେଖିଛି ତାଙ୍କ ହସ ରଙ୍ଗମଞ୍ଚରେ, ଆକାଶବାଣୀର ଷ୍ଟୁଡ଼ିଓରେ ମଙ୍ଗୁଳି ଭୂମିକାରେ । ଯଦି କେହି ‘ଭୁଲାମନ’ ନାଟିକାରେ ତାଙ୍କ ହସ ଦେଖିଥ‌ିବେ, ତେବେ ଅନୁଭବ କରିଥିବେ ସେ କେତେ ସଫଳ ଅଭିନେତା ।

 

ଟିମା କହିଲେ ପରଦା ଦୋହଲି ଉଠେ, ଏପରିକି ଚଳଚ୍ଚିତ୍ର ଜଗତରେ ମଧ୍ୟ ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ ତାଙ୍କ ଅଭିନୟ ଜୀବନ ମଧ୍ୟରେ । ଠିକ୍‌ ମନେଅଛି, ଯେଉଁଦିନ ସେ ଆକାଶବାଣୀରୁ ଅବସର ଗ୍ରହଣ କଲେ, ତା ପୂର୍ବଦିନ ମୁଁ ଏବଂ କେତେଜଣ ବନ୍ଧୁ ତାଙ୍କୁ ନେଇଯାଇଥିଲୁ ପୁରୀ ସମୁଦ୍ର ବାଲି ଉପରକୁ, ସେଇଠି ବାଲି ଉପରେ ବସିଲା ବିଦାୟ ସମ୍ବର୍ଦ୍ଧନା ସଭା I ଆମ ପ୍ରଶଂସା ଏବଂ ଭାବ ବିଦଗ୍ଧ ଭାଷଣ ଶୁଣି ଆଖିରୁ ଠକ୍‌ ଠକ୍‌ ଲୁହ ଖସାଇ ପକାଇଲେ ସେ । କହିଲେ: ବ୍ରଜବାବୁ–ଯିବା ପରେ ମନେ ପଡ଼ିବି ତ ? ସେଇ କଥାପଦକ । ମନେ ହେଉଛି–ସବୁଦିନ ଛବି ହୋଇ ସେ ରହିଗଲେ ମନ ଭିତରେ, ସେମିତି ସ୍ମୃତିର ସାମଗ୍ରୀ ହୋଇ ରହିବେ ଟିମବାବୁ (ଦୀନବନ୍ଧୁ ଦାସ) ମଶାଣିପଦା ପର୍ଯ୍ୟନ୍ତ ।

 

୧୪ ଅଗଷ୍ଟ ୧୯୯୮

–ବ୍ରଜମୋହନ ମହାନ୍ତି

☆☆☆

 

ସେ ଥିଲେ ଏକ ସ୍ଵାଭିମାନୀ କଳାକାର

 

ଛାତ୍ର ଜୀବନରୁ ମୁଁ ଜଣେ ସୌଖୀନ କଳାକାର ଥିଲି । ସେହି ସୂତ୍ରରେ ସ୍କୁଲ ଜୀବନରୁ ଥିଏଟର ଦେଖିବା, ଯାତ୍ରା ଦେଖିବା ମୋର ଗୋଟିଏ ସଉକ ଥିଲା ।

 

ସ୍କୁଲ ଜୀବନରୁ ଆମେ ଯେଉଁ ମଞ୍ଚ କଳାକାରମାନଙ୍କର ବାରମ୍ବାର ନାମ ଶୁଣୁଥିଲୁ, ସେମାନେ ହେଲେ ଦୁର୍ଲ୍ଲଭ ବାବୁ, ବାବି ବାବୁ, ପୀର ବାବୁ, ଟିମ ବାବୁ, ପାଣ୍ଡେ ବାବୁଙ୍କ ନାଁ ।

 

ମୁଁ ବିଶେଷ ଭାବରେ ହାସ୍ୟରସାତ୍ମକ ଭୂମିକାରେ ଅଭିନୟ କରିବାକୁ ଭଲ ପାଉଥିବାରୁ, ପାଣ୍ଡେ ବାବୁ ଓ ଟିମ ବାବୁଙ୍କ ଅଭିନୀତ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ରେ ହେଉଥିବା ନାଟକଗୁଡ଼ିକ ଦେଖି ଯିବାକୁ ଖୁବ୍‌ ଭଲ ପାଉଥିଲି ।

 

ବେଳେ ବେଳେ ଆମେ ସୌଖୀନ କଳାକାରମାନେ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ ରଙ୍ଗମଞ୍ଚ ଭଡ଼ାରେ ନେଇ ନାଟକ କରୁଥିଲୁ । ସେତିକିବେଳେ ଟିମ ବାବୁଙ୍କ ସହିତ ଅନେକ ସମୟରେ ଦେଖା ହେଉଥିଲା । ମାତ୍ର ବ୍ୟକ୍ତିଗତ ଭାବେ ତାଙ୍କ ସହିତ କଥାବାର୍ତ୍ତା, ଆଳାପ ଆଲୋଚନା କରିବାର ସାହସ ନଥିଲା । କାରଣ ସେତେବେଳେ ଏଇ ମଞ୍ଚ କଳାକାରମାନଙ୍କର ଆମେ ଯଥେଷ୍ଟ ସମ୍ମାନ କରୁଥିଲୁ ।

 

୧୯୫୮ ମସିହାରେ ମୁଁ ଯେତେବେଳେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁ ବିଭାଗର ପରିଚାଳକ ଭାବେ ଯୋଗ ଦେଲି, ଟିମ ବାବୁଙ୍କୁ ନିତି ଦେଖିବାର, ମିଶିବାର ସୁଯୋଗ ମିଳିଲା ।

ଟିମ ବାବୁ ସେତେବେଳକୁ ‘ଗାଁ ଗହଳି’ ବିଭାଗର ମଙ୍ଗୁଳି ଭୂମିକାରେ, ପାଣ୍ଡେ ବାବୁଙ୍କ ସହିତ ମଉସା–ମଙ୍ଗୁଳିଙ୍କ କଥୋପକଥନ ମାଧ୍ୟମରେ ଓଡ଼ିଶାର ଗ୍ରାମାଞ୍ଚଳର ଶ୍ରୋତାମାନଙ୍କୁ କୃଷି ଓ ଦେଶ ଦୁନିଆଁର ହାଲଚାଲ ଶୁଣାଇ ସହସ୍ର ସହସ୍ର ଶ୍ରୋତାଙ୍କୁ କେବଳ ମୁଗ୍ଧ କରୁ ନଥାନ୍ତି, ଏ ଦୁଇ ଚରିତ୍ରଙ୍କୁ ବ୍ୟକ୍ତିଗତଭାବେ ଦର୍ଶନ କରିବାକୁ ଗ୍ରାମାଞ୍ଚଳର ବହୁ ଶ୍ରୋତା ନିତି ଭିଡ଼ ଜମାଉ ଥାଆନ୍ତି କଟକ ଆକାଶବାଣୀ କେନ୍ଦ୍ରରେ । ସେତେବେଳେ କଟକ ଆକାଶବାଣୀ କେନ୍ଦ୍ର ଥାଏ, ବକ୍ସିବଜାରସ୍ଥିତ ମଧୁପୁର ହାଉସଠାରେ ।

ତାଙ୍କର ଶ୍ରୋତାମାନଙ୍କୁ ଆକୃଷ୍ଟ କରିବାର ଏକମାତ୍ର କଳା ଥିଲା, ଗ୍ରାମବାସୀଙ୍କର କଥୋପକଥନର ଶୈଳୀ । ଆଜି ଉଭୟ ପାଣ୍ଡେ ବାବୁ ଓ ଟିମ ବାବୁ ସ୍ୱର୍ଗବାସୀ । ହେଲେ ଆକାଶବାଣୀ କଟକ କେନ୍ଦ୍ରର ‘ଗାଁ ଗହଳି’ ବିଭାଗରେ ସେ ଯେଉଁ ସ୍ଵରର ସ୍ଵାକ୍ଷର ରଖି ଯାଇଛନ୍ତି, ତାହା ଏବେ ବି ସେଦିନର ଶ୍ରୋତାଙ୍କର ସ୍ମରଣୀୟ ହୋଇ ରହିଛି ଓ ସେ ପ୍ରକାର କଳାକାରଙ୍କ ସ୍ଥାନ ଏ ପର୍ଯ୍ୟନ୍ତ ଅପୂରଣୀୟ ହୋଇ ରହିଛି ।

ଟିମବାବୁଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା ରାସପାର୍ଟିରୁ । ସେ ବାଲ୍ୟକାଳରୁ ରାସପାର୍ଟିରେ ଶ୍ରୀକୃଷ୍ଣଙ୍କ ସଖା ମଧୁମଙ୍ଗଳ ଭୂମିକାରେ ଅଭିନୟ କରି ହାସ୍ୟରସ ପରିବେଷଣ କରି ଆସୁଥ‌ିବାରୁ ଅଭିନୟ ଜଗତରେ ସେ ଜଣେ ସିଦ୍ଧ ହାସ୍ୟରସ ଅଭିନେତା ଭାବରେ ପରବର୍ତ୍ତୀ କାଳରେ ସୁନାମ ଅର୍ଜନ କରିଥିଲେ । ସେ କହୁଥିଲେ କାଳୀବାବୁଙ୍କ ରାସପାର୍ଟିରେ ଓ ପରବର୍ତ୍ତୀ କାଳରେ ତାଙ୍କର ‘ଓଡ଼ିଶା ଥିଏଟର୍ସ’ରେ ସେ ଅଭିନୟ କରି ଆସୁଥିଲେ । ସେ ସମୟରେ ଅତି ଅଳ୍ପ ଦରମାରେ କଳାକାରମାନଙ୍କୁ ବହୁ କଷ୍ଟ ସ୍ଵୀକାର କରି ପ୍ରତିଦିନ ଅଭିନୟର ରିହିୟର୍‌ସାଲ୍‌ କରି ଅଭିନୟ ଶିକ୍ଷା କରିବାକୁ ପଡ଼ୁଥିଲା, ଏପରିକି ଏଥିପାଇଁ କଠିଣ ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡ଼ୁଥିଲା । ପରେ ସେ ଅନ୍ନପୂର୍ଣ୍ଣା ‘ବି’ ଗ୍ରୁପ୍‌ରେ ଯୋଗ ଦେଇ ୰କୃଷ୍ଣଚନ୍ଦ୍ର ପାଣ୍ଡେଙ୍କ ଯୋଡ଼ି ବନିଗଲେ ।

ମୁଁ ଆକାଶବାଣୀରେ ଯୋଗ ଦେବାର ବହୁ ପୂର୍ବରୁ ସେ ଆକାଶବାଣୀର ‘ଗାଁ ଗହଳି’ କାର୍ଯ୍ୟକ୍ରମରେ ସାମୟିକ କଳାକାର ଭାବେ ପାଣ୍ଡେବାବୁଙ୍କ ସହିତ କାର୍ଯ୍ୟକ୍ରମ ଉପସ୍ଥାପନା କରୁ କରୁ ଆକାଶବାଣୀର ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ସେତେବେଳକୁ ଦୂରଦର୍ଶନ ଜନ୍ମଲାଭ କରି ନଥିବାରୁ ଆକାଶବାଣୀ ବା ରେଡ଼ିଓ ଥିଲା ଏ ଦେଶର ଶ୍ରୋତାମାନଙ୍କର ମନୋରଞ୍ଜନ ଓ ବିଭିନ୍ନ ବିଷୟରେ ସୂଚନାର ଏକମାତ୍ର ମାଧ୍ୟମ ।

ଟିମବାବୁ କେବଳ ଆକାଶବାଣୀର ଜଣେ କଳାକାର ନୁହେଁ, ମଞ୍ଚଶିଳ୍ପୀ ଓ ଚଳଚ୍ଚିତ୍ର ଶିଳ୍ପୀ ଭାବରେ ମଧ୍ୟ ବହୁ ପୁରସ୍କାର, ସମ୍ମାନର ଅଧିକାରୀ ଥିଲେ । ସେ ଓଡ଼ିଶା ସଂଗୀତ ନାଟକ ଆକାଡେମୀ ଦ୍ଵାରା ସମ୍ମାନିତ ହୋଇଥିଲେ । ଏହା ବ୍ୟତୀତ ଓଡ଼ିଶାର ପୁରପଲ୍ଲୀର ବହୁ ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । କେବଳ ଜଣେ କଳାକାର ଭାବରେ ସେ ନିଜର ସମସ୍ତ ସୁବିଧା ପାଇଁ ଯେତେ ବ୍ୟଗ୍ର ନ ଥିଲେ, କଳାକାରମାନଙ୍କର କିପରି ସାମଗ୍ରିକ ଭାବେ ଉନ୍ନତି ହେବ–ସେ ଦିଗରେ ସଂଗ୍ରାମ କରିବା ପାଇଁ ଜଣେ ସଂଗ୍ରାମୀ କଳାକାର ଭାବରେ ବହୁ ସଭାସମିତିରେ ଯୋଗ ଦେଇ ନ୍ୟାୟ ହାସଲ ପାଇଁ ଆଗେଇ ଆସିଥିଲେ ।

 

୧୯୬୩ ମସିହାରେ ଆକାଶବାଣୀ କଳାକାରମାନଙ୍କର ଚାକିରି ସର୍ତ୍ତାବଳୀର ପରିବର୍ତ୍ତନ ପାଇଁ ସର୍ବଭାରତୀୟ ସ୍ତରରେ ଯେତେବେଳେ ଆକାଶବାଣୀ କଳାକାର ସଂଘ ଗଠନ କରାଗଲା, ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

 

ଆଜି ମୋର ମନେପଡ଼ୁଛି ୧୯୭୩ ମସିହାର ଗୋଟିଏ ସ୍ମରଣୀୟ ଘଟଣା ।

 

ମୁଁ ସେତେବେଳେ କଟକ ଆକାଶବାଣୀ କଳାକାର ସଂଘର ସଂପାଦକ ଥାଏ । ତତ୍କାଳୀନ କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଏ.ଆର୍‌. ସିନ୍ଧେ, ଆମର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଅନ୍ୟାୟ ଭାବେ ମୋତେ ସମ୍ବଲପୁର ଆକାଶବାଣୀକୁ ବଦଳି କରିବାର ଆଦେଶ ଦେଲେ ।

 

ଏହାର ପ୍ରତିବାଦରେ ସଂଘ ପକ୍ଷରୁ କେନ୍ଦ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରାଗଲା । ଟିମବାବୁ ଏହାର ତୀବ୍ର ବିରୋଧ କରିଥିଲେ । ସେଥ‌ିପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆକାଶବାଣୀ ଫାଟକ ନିକଟରେ ଧାରଣା ଦେବାର ସ୍ଥିର ହେଲା, ସର୍ବପ୍ରଥମେ ଟିମବାବୁ ଆଗେଇ ଆସିଲେ ତାଙ୍କର ଚାକିରିକୁ ଖାତିର ନ କରି । ଧାରଣା ହେଲା । ଟିମ ବାବୁଙ୍କ ସହ ସେଦିନ ଧାରଣାରେ ବସିଥିଲେ ହେମନ୍ତ ଦାସ, ଗୋପା ଦାସ, ଦାଶରଥି ଦାସ, ୰ ବୀଣା ଦେବୀ, ବୀଣାପାଣି ମହାନ୍ତି ଓ ଶ୍ରୀମତୀ ନୀହାର ନାୟକ । ଧାରଣାର ପ୍ରଭାବ ଦିଲ୍ଲୀର ମହାନିର୍ଦ୍ଦେଶାଳୟରେ ପଡ଼ିଲା, ସେଦିନ ତାରବାର୍ତ୍ତା ଯୋଗେ କଟକ ଆକାଶବାଣୀର ନିର୍ଦ୍ଦେଶକଙ୍କର ବଦଳି ଆଦେଶ ଆସିଲା । ପ୍ରଥମେ ନିର୍ଦ୍ଦେଶକ ବଳଦି ହେଲା ପରେ, ମୁଁ ଅଳ୍ପ କିଛିଦିନ ସମ୍ବଲପୁର ଯାଇ ପୁଣି କଟକ କେନ୍ଦ୍ରକୁ ଫେରି ଆସିଲି ।

 

କଳାକାରମାନଙ୍କ ପ୍ରତି ଅନ୍ୟାୟ ସେ କେବେ ସହ୍ୟ କରି ପାରୁ ନଥିଲେ । ସେ ଥିଲେ ଜଣେ ସ୍ଵାଭିମାନୀ କଳାକାର । ବିଶେଷଭାବେ ସେ କଳାକାର ଜୀବନରେ ମଧ୍ୟ ବହୁ କାବ୍ୟ, କବିତା, ନାଟକ ଲେଖିଛନ୍ତି । ସେଗୁଡ଼ିକ ପାଣ୍ଡୁଲିପି ଭାବରେ ଥିବାର ଅନେକ ଥର ମୁଁ ଦେଖିବାର ସୁଯୋଗ ପାଇଛି ।

 

ଏହା ବ୍ୟତୀତ ସେ ଥିଲେ ଜଣେ ସ୍ଵଦେଶପ୍ରେମୀ । ଜୀବନର ଶେଷ ପର୍ଯ୍ୟନ୍ତ ସେ ଅଧିକାଂଶ ସମୟରେ ଖଦଡ଼ ପୋଷାକ ବ୍ୟବହାର କରିବାର ମଧ୍ୟ ଦେଖିଛି ।

 

ଆମର ଅନେକ କଳାକାର ବନ୍ଧୁ, ଅମଲାତନ୍ତ୍ରରେ ଚାକିରି ଭୟରେ ଅନ୍ୟାୟକୁ ମୁଣ୍ଡ ପାତି ସହି ଉଚ୍ଚ ଆସନ ପାଇଁ ଆଶାୟୀ ହୋଇ ନିଜର ସହଯୋଗୀ କଳାକାରମାନଙ୍କୁ ବିପଦକୁ ଠେଲି ନିଜର ଆସନକୁ ଦୃଢ଼ କରି ଲାଭ ଉଠାଇ ଥିବାର ପନ୍ଥା ଧରୁଥ‌ିବା ବେଳେ, ଟିମବାବୁ କେବେହେଲେ ନିଜର ସ୍ଵାଭିମାନକୁ ବଳି ଦେଇ ବଡ଼ ହେବାର ପନ୍ଥା ଅବଲମ୍ବନ କରି ନାହାନ୍ତି । ସେଥିପାଇଁ ତାଙ୍କୁ ବହୁ ପ୍ରଲୋଭନ ଦେଖାଇ ଆକାଶବାଣୀ କଳାକାର ସଂଘରୁ ଅଲଗା ହେବା ପାଇଁ କର୍ତ୍ତୃପକ୍ଷ ଚେଷ୍ଟା କରିଛନ୍ତି ।

 

ମାତ୍ର କଳା ଓ କଳାକାରମାନଙ୍କର ସମ୍ମାନ ରକ୍ଷା ପାଇଁ ସେ ନିଜ ସ୍ଵାର୍ଥଠାରୁ ସବୁବେଳେ କଳାକାରମାନଙ୍କର ସ୍ଵାର୍ଥକୁ ଅଧିକ ପ୍ରାଧାନ୍ୟ ଦେଉଥିଲେ । ତାଙ୍କର ଅବସର ପରେ ସେ ଯେତେବେଳେ କଟକ ଆସୁଥିଲେ, ଆମ ଘରେ କିଛି ସମୟ ପାଦ ଦେଇ, ମୋ ସହିତ ଆଳାପ ଆଲୋଚନା କରି ଫେରୁଥିଲେ ।

 

ଏହିପରି ଜଣେ କଳାପ୍ରେମୀ, ଓଡ଼ିଆ ସ୍ଵାଭିମାନର ପ୍ରତୀକ ୰ ଦୀନବନ୍ଧୁ ଦାସ (ଟିମବାବୁ)ଙ୍କ ରଚିତ ପୁସ୍ତକର ପ୍ରଥମଭାଗ ତାଙ୍କର ଅବର୍ତ୍ତମାନରେ ତାଙ୍କର ସୁଯୋଗ୍ୟ ପୁତ୍ର ଶ୍ରୀମାନ୍‌ ଆଖଣ୍ଡଳମଣି ଦାସ, କାହାଣୀ ପ୍ରକାଶନୀଙ୍କ ସହଯୋଗରେ ଆଜି ତାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ପ୍ରକାଶ କରିବାକୁ ଯାଉଛନ୍ତି । ଏହି ପୁସ୍ତକ ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଆଗାମୀ କାଳର କଳା ଓ କଳାକାରମାନଙ୍କ ବିଷୟରେ ବହୁ ତଥ୍ୟ ଯେ ବାଢ଼ିବ, ଏଥିରେ ସନ୍ଦେହ ନାହିଁ ।

 

କବି, କଳାକାର, ନୃତ୍ୟ–ସଂଗୀତ ଶିଳ୍ପୀ ୰ ଦୀନବନ୍ଧୁ ଦାସଙ୍କର ଏହି କୃତି ପାଇଁ ସେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ସେଗୁଡ଼ିକୁ ତାଙ୍କ ଅବସର ଜୀବନରେ ରୂପ ଦେଇଥିଲେ, ଆଜି ତାହା ଗ୍ରନ୍ଥ ଆକାରରେ ପ୍ରକାଶ ପାଇ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଏହି ଅମର ଶିଳ୍ପୀଙ୍କର ସ୍ଵର୍ଗତଃ ଆତ୍ମା ଯେ ଅପାର ଆନନ୍ଦ ଲାଭ କରୁଥ‌ିବ, ଏଥ‌ିରେ ସନ୍ଦେହ ନାହିଁ ।

 

ସେଇଥିପାଇଁ ଭାରତୀୟ ସଂସ୍କୃତିରେ ବିଶ୍ଵାସ କରାଯାଏ, ଶ୍ରାଦ୍ଧ ଦିବସରେ ଆମେ ଆମର ପିତୃପୁରୁଷମାନେ ଶ୍ରଦ୍ଧା କରୁଥିବା ଦ୍ରବ୍ୟକୁ ତାଙ୍କ ଉଦ୍ଦେଶ୍ୟରେ ବାଢ଼ି ତାଙ୍କୁ ଶ୍ରଦ୍ଧା ନିବେଦନ କଲେ ସେମାନେ ତୃପ୍ତି ଲାଭ କରନ୍ତି ।

 

ଆଜିର ଏହି ଶୁଭ ଦିବସରେ ତାଙ୍କର ଆତ୍ମଚରିତ ଗ୍ରନ୍ଥ ‘କଳାକାରର କାହାଣୀ’ର ପ୍ରକାଶନ, ତାଙ୍କର ସ୍ଵର୍ଗତ ଆତ୍ମା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଜୟ ଜଗନ୍ନାଥ ।

 

୧୪ ଅଗଷ୍ଟ ୧୯୯୮

–ନଦୀୟା ବିହାରୀ ମହାନ୍ତି

 

(ବଡ଼ଭାଇ)

 

ପୂର୍ବତନ ଶିଶୁ କାର୍ଯ୍ୟକ୍ରମ ପ୍ରଯୋଜକ

 

ଆକାଶବାଣୀ କଟକ

☆☆☆

 

ଓଁ

 

ଆଜି ଅଠର ତାରିଖ, ଏପ୍ରିଲ ୧୯୭୬ ମସିହା । ଆଜିକି ଚଉବନ ବର୍ଷ ତଳର ଅଭୁଲା କଥାଗୁଡ଼ିକୁ ମନେ ପକେଇ ବସିଲେ, ଗୋଟି ଗୋଟି ହୋଇ କେତେ କଥା ମନରେ ଉଁକି ମାରେ ।

 

ଯେତେବେଳେ ମୁଁ ମୋର ମା’ଙ୍କର ଗର୍ଭ ଛାଡ଼ି, ଏଇ ଧୂଳି ଧରଣୀର ଷଠୀଘରେ ମଥା କଚାଡ଼ିଲି ସେତେବେଳର ସେ ମଧୁର ଅନୁଭୂତି ମୋର କଅଁଳ ମନକୁ ଛୁଇଁ ନଥିଲା । ମାତ୍ର କେଇଟି ବର୍ଷ ପରେ ଟିକିଟିକି ପାଦ ଦୁଇଟିରେ ଆସିଲା ଶକ୍ତି, ଚାଲିବାର ସାହସ, ଆଖିରେ ଲାଗିଲା କୁହୁକ, ସବୁଥିରେ ଯେମିତି ରଙ୍ଗବୋଳା; ଗାଁ ଦାଣ୍ଡ, ଗାଁ ପୋଖରୀ, ଗାଁ ତୋଟା, ଗାଁ ଯୋଡ଼, ଗାଁ ମଶାଣି, ଆକାଶ, ପାଣି, ପବନ ସବୁ ଯେମିତି ସୁନ୍ଦର, ଅତି ସୁନ୍ଦର ।

 

ଛୋଟ ଛୋଟ ହାତରେ କିଛି ଗୋଟାଏ ଜିନିଷ ଧରିଲେ ମନରେ ଆନନ୍ଦ ଆସିଲା, କାନରେ ଲାଗିଲା ନୂଆ ନୂଆ ସ୍ଵର, କଥା; ଶବ୍ଦ । ମାଆ, ବାପା, ଭାଇ, ଅପା ଡାକି ଶିଖିଲି; ମନେ ହେଲା–ଏସବୁ ଯେମିତି ଆଗରୁ ମୁଁ ଜାଣିଥିଲି, ଦେଖିଥିଲି, ଶୁଣିଥିଲି ।

 

ମିଛିମିଛିକା ବାଲିଘର ତୋଳା ହେଲା । ସଢ଼େଇ ଚୁଲିରେ ଡାଲି ବସିଲା, ଭାତ ହେଲା, ଭଜା ହେଲା, ଶାଗ ହେଲା, ବରକନ୍ୟା, ବନ୍ଧୁବେଭାର, କୁଣିଆମଇତ୍ର, ଦିଆ, ନିଆ, ଯିବା, ଆସିବା, ଗହଳ, ଚହଳ, ଟିଣଡ଼ବାର ଢୋଲ, ନଡ଼ିଆ ପତ୍ରର ପେଁକାଳି ବାଜିଲା । ବାଣୁଆ ବାଣ ଫୁଟାଇଲା, ଶଙ୍ଖୁଆର ଶଙ୍ଖ ସାଙ୍ଗରେ ହୁଳୁହୁଳି ଆଉ ପୁରୋହିତଙ୍କ ମନ୍ତ୍ରପାଠ ଚାଲିଲା ।

 

ବଡ଼ ମଜା । ଢିଙ୍କିଚାଳିଆରେ, କେବେ ଛଣଗଦାରେ, କେବେ ପୁଣି ତାଡ଼ନା ଭୟରେ ପୁରୁଣା ଭଙ୍ଗା ଓଦର ଭିତରେ କନା ଟାଣି ଚାଲିଲା ଚଉଠିରାତି । ବର କନ୍ୟା ପାଖକୁ ଲାଗିଯାଏ । କନ୍ୟା ବର ପାଖକୁ ଲାଗିଆସେ । ବର ହସେ, ହସେ, କନିଆଁ ହସେ । କେବଳ ହସ । ଓଦର ଉପରୁ ଚାହିଁଥାନ୍ତି ନକଲି ଶାଶୁ, ଶ୍ଵଶୁର, ବାପା, ଭାଇ । କନ୍ୟାକୁ ଲାଜ ମାଡ଼େ, ବରକୁ ତାଗିଦ କରେ । ବର ବିଚରା କାହାକୁ କିଛି ନ କହି, କନ୍ୟା ନାକର ସିଙ୍ଘାଣିକୁ ନିଜ ପେଟରେ ପୋଛି ଦେଇ, ଆଖି ବୁଜି ଗାଲେଇ ଶୋଇପଡ଼େ ।

 

ଦିନର ଆଲୁଅ ଲିଭିଯାଏ, ଆସେ ସଞ୍ଜ । ଅନ୍ଧାର ରାତି, ଦାଣ୍ଡ ପିଣ୍ଢାରେ ବସି ନିଜର ସାଙ୍ଗସାଥୀଙ୍କୁ ଦେଖାଏ–ଚିରିଗୁଣୀ ନିଆଁ । ଦୂରରେ, ଖୁବ୍‌ ଦୂରରେ । ଜଳିଉଠି ସାଙ୍ଗେସାଙ୍ଗେ ଲିଭିଯାଏ ସେ । ଚାରିଆଡ଼େ ଜୁଳୁଜୁଳିଆ ପୋକ ଆଖି ମିଟିକା ମାରନ୍ତି । ଡର ମାଡ଼େ । ଭୟରେ ସାଙ୍ଗସାଥୀ ସବୁ ପାଖକୁ ପାଖକୁ ଜାକିଜୁକି ହୋଇ ବସିପଡ଼ୁ ।

 

ଗାଁର ନିଙ୍ଗିବୋଉ ମା, ସୁନ୍ଦରୀବୋଉ ମା, ଅଲିଆଦାଦି, ନଇଖିଣିଆ ଦାଦି, ଭଜିଆ ଦାଦି, ବଙ୍କାଦାଦି, ଭୋଇ ସାହିର ମାଗୁଣି ମା, ଦାସିଆ, ନିଜ ନିଜ ଭିତରେ କେତେ କେତେ କଥାବାର୍ତ୍ତା କରନ୍ତି । କିଏ କାହାଣୀ କୁହେ, କିଏ ଗପ କୁହେ, କିଏ ପୁଣି ତାଙ୍କର ଅଙ୍ଗେ ଲିଭେଇବା କଥା କୁହନ୍ତି । କାହାକୁ ଭୂତ ଓଗାଳିଥିଲା, କିଏ ରାତି ଅଧରେ ଏକୁଟିଆ ମାଛ ମାରିବାକୁ ଯାଇ ଅପୂଜା ଭେଟିଥିଲା, କଳା ମାଟି ତୋଟା, ଜଗେଇ ଜେନା ତୋଟା, ସରାଟ ମନ୍ତରୀ ମୁହଁ, ଦିନ ଦି’ପହରେ ବି ଏକୁଟିଆ ବାଟୋଇ ପାଇଁ ଥିଲେ ଗୋଟିଏ ଗୋଟିଏ ପ୍ରେତପୁରୀ । ମଶାଣିଚଣ୍ଡୀ ଘୁଷୁରି ବେଶରେ ଘୁଡ଼ୁଘୁଡ଼ୁ ଡାକି କେତେ ଥର ଗୋଡ଼େଇଚି ।

 

ନରମ ଛାତିଟାରେ ଚାଉଁକରି କଣ ଗୋଟାଏ ପଶିଗଲା ପରି ଜଣାପଡ଼େ । ସାଙ୍ଗପିଲାଙ୍କ ପାଖରୁ ଥିରିକରି ଉଠିଯାଇ ମା’ଙ୍କ (ବୋଉ) କୋଳରେ ଲେସି ହୋଇଯାଏ । ମା’ଙ୍କର ପଣତକାନିରେ ମୁଁହ ଲୁଚାଇ ଭୟରେ ଛାନିଆଁ ହୋଇପଡ଼େ ମୁଁ । ନିଦ ହୋଇଯାଏ ।

 

ରାତିର ଶେଷ ପହରିକିଆ ଡାକ ଛାଡ଼ନ୍ତି । ଗୋହିରି ମୁଣ୍ଡର ବାଉଁଶବୁଦାରୁ ଡାହୁକ, କୁମ୍ଭାଟୁଆ ଆଉ କେତେ ଚଢ଼େଇ ବୋବାଳି ପକାନ୍ତି । ବୋଉ ମୋର ରାତିର ଚାଇଁପଖାଳ, କୋଉଦିନ ଲୁଣ ଟିକିଏ, କୋଉଦିନ ବଡ଼ିଟାଏ ଆଣି, ମତେ ନିଦରୁ ଉଠେଇ, କୋଳରେ ବସାଇ ଖୁଆଇ ଦିଅନ୍ତି । ତୋରାଣି ଟୋପାକ ପିଆଇ ନଦେଇ ଛାଡ଼ନ୍ତି ନାଇଁ ସେ ।

 

ପୁଣି ହୁଏ ସକାଳ । ବାରିପଟେ ଖୁଡ଼ୀଙ୍କ ଆମ୍ବଗଛରେ କୋଇଲି ତାନ ଧରେ । ଡାମରାକାଉଟା ଉଡ଼ିଆସି ବସେ ଆମ ଗୁହାଳ ପିଢ଼ା ଉପରେ । ଦାଣ୍ଡରୁ ଶୁଭେ ସାଙ୍ଗପିଲାଙ୍କର ପାଟି । ସେଇ ବାଲିମାଟି, ସେଇ ସଢ଼େଇ, ଭଙ୍ଗାଟିଣ, ସେଇ ଗାଁ ଦାଣ୍ଡ, ସେଇ ବୋହୂ ବୋହୂକା ଖେଳ । କାଲି ଯାହା ଦେଖୁଥିଲି, ଆଜି ବି ସେଇୟାକୁ ଦେଖେ–ହେଲେ କାଲିର ସକାଳଠୁ ଆଜିର ସକାଳ ଟିକିଏ କେମିତି ନୂଆନୂଆ ଲାଗେ ।

 

ଏମିତି ସକାଳ, ସଞ୍ଜ, ସଞ୍ଜ, ସକାଳ–ଆସିଲା ଆଉ ଚାଲିଗଲା । ଗୋଡ଼ ଦୁଇଟା ଯେମିତି ଟିକିଏ ଟାଣ ହେଇଉଠିଲା । ଆଖି ଚାହିଲା ଆଉ କଣ ଦେଖିବାକୁ । ମନ ଚାହିଲା ଉଡ଼ିବାକୁ । ହାତ ଚାହିଲା ଛୋଟ ଜିନିଷ ଗୁଡ଼ି ଆଉ ଟିକିଏ ବଡ଼ ଜିନିଷ ଧରିବାକୁ । ପିଣ୍ଢା ଉପରୁ ତଳକୁ ଡେଇଁବା, ତଳ ପାହାଚରୁ ଉପର ପାହାଚକୁ ଉଠିବା, ମେଣ୍ଢାଛୁଆ, ଛେଳିଛୁଆକୁ ଦେଖିଲେ ଗୋଡ଼େଇବା–ମନରେ ଭରିଉଠିଲା ସାହସ ।

 

ଘର ଛାଡ଼ି ଛୁଟିଲି ବାଘୁଆ ଦଣ୍ଡା, ଯୋଉଠି ଗୋରୁ ଗାଈଙ୍କର ମଡ଼ା ପଡ଼େ । ଯୋଉଠି କଇଥ ଗଛରୁ ପାଚିଲା କଇଥ ଝଡ଼େ । ପୁଣି ଛୁଟିଲି ବାଙ୍କଗାଡ଼ିଆ ମୁଁହ, ଯୋଉଠି ସରାଟ ଧାନ ଚକର ସବୁ ପାଣି ବୋହି ଆସି ମିଶିଯାଏ ଯୋଡ଼ ସାଙ୍ଗରେ । ଘାଇ ମୁହଁରେ ଉଜାଣି ଉଠନ୍ତି ଟିକି ଟିକି ମୀନ, ମହୁରାଳୀ । ପାଣି ଭିତରେ ସେମାନଙ୍କର ଖେଳ ଦେଖିବାକୁ ବଡ଼ ଭଲ ଲାଗେ । ଏ’ପାଖେ ଅଁଳା ପଡ଼ିଆ ପୁରୁଣା ବରଗଛ, ଯୋଉଠୁ ବେଳେବେଳେ କ୍ଷେତମୋହନ ଦାଦି ବନ୍ଧୁକ ମାରି ଗେଣ୍ଡାଳିଆ ଶିକାର କରନ୍ତି । ସେ’ପାଖେ ଜୟି ଦାସଙ୍କ ଆମ୍ବତୋଟା, କିଆଭେଡ଼ । ତାଳୁଆ ଆମ୍ବ ତାଳପରି ବଡ଼ ହୁଏ । ପାଣିକି ଲାଗି ବେକେ ଉଞ୍ଚର ଗାଇ ଚିରା । କଳାଗଣ୍ଠିଆ ପାଣି ଉପରେ ଫୁଟେ ଧଳାଧଳା ପାଣିଶିଉଳୀ ଫୁଲ । ବଗ ଚାହିଁଥାଏ ମାଛକୁ । କେତେ ସୁନ୍ଦର ସେସବୁ ଥାନ । କେତେ ମନମତାଣିଆ ମୋର ଗାଁ ମାଟି ।

 

ଦଲ୍‌କାଏ ପବନ ଆସି ଆମ୍ବ ଆଉ ପୋଲାଙ୍ଗ ଗଛକୁ ଦୋହଲେଇ ଦିଏ, ଦୁମ୍‌କରି ତଳେ ପଡ଼େ ଆମ୍ବ । ଧାଇଁ ଯାଏ ମୁଁ । ଠିକ୍‌ ସେତିକିବେଳେ, ଆଉ ଗୋଟିଏ ପିଲା କୋଉଠୁ ଝପ୍‌ଟିଆସି, ପିଠିରେ ମୋର ଗୋଟାଏ ବ୍ରହ୍ମଚାପୁଡ଼ା ବସେଇ ଦେଇ, ଝାମ୍ପିମାରି ନେଇଯାଏ ଆମ୍ବ । କାନ୍ଦି କାନ୍ଦି ଘରକୁ ଫେରେ ମୁଁ ।

 

ପିଠିଟା ସିନା ପୋଡ଼େ–ହେଲେ ସେଇ ଯୋଉ ତାଳୁଆ ଆମ୍ବ ତା’ର ନିଶାଟା, ମୋର ମୁଣ୍ଡରେ ପଶି ଏମିତି ଯନ୍ତ୍ରଣା ବଢ଼ାଏ ଯେ ମନରେ ଭାବେ, ପିଲାଟା ଆମ୍ବଟାକୁ ଦେଇ ଆଉ ଚାପୁଡ଼ାଏ ମାରିଥିଲେ ଭଲ ହେଇଥା’ନ୍ତା ।

 

ଗୋଡ଼ ଅଟକିଯାଏ, କାନ୍ଦ ବନ୍ଦ ହୋଇଯାଏ, ଆମ୍ବ ଲୋଭ ଛାଡ଼ିଯାଇ ଆଉ ଗୋଟାଏ ନୂଆ ଭାବନା ମନରେ ଉଁକି ମାରେ । ବାଟ ପାଖରେ, ଅଳ୍ପ ଦୂରରେ ଗଡ଼ା ବନ୍ଧେଇ, କାଶିଜେଜେ ବସେଇଛନ୍ତି ଦାନ୍ତିଆ । ଛଟ୍‌କରି ଗୋଟାଏ କେରାଣ୍ଡି ଡେଇଁପଇଲା ଦାନ୍ତିଆ ଉପରକୁ । ଟପ୍‌କରି ଲାଳ ଟୋପାଏ ଖସିପଡ଼ିଲା ହାତରେ ମୋର । ଏଣିକି ତେଣିକି ଚାହିଁଲି । କେହି ନାହାନ୍ତି । ଗଡ଼ିଲି ଗଡ଼ାକୁ ।

 

ପାଣି ବେଶି ନ ହେଲେବି କାଦୁଅ ପେଣ୍ଡାଏ । ପାଦ ଚିପିଚିପି, ଧୀରେ ଧୀରେ ଦାନ୍ତିଆ ଭିତରେ ହାତ ପୁରେଇଲି । ମାଛ କାହିଁ ? ଖାଲି କୁଜି ଗେଣ୍ଡା । ସଟ୍‌କରି ଲମ୍ବା ତୋଡ଼ୀଟାଏ ହାତମୁଠାରୁ ଖସିଗଲା । ପୁଣି ଥରେ ହାତ ବୁଲେଇଲି । ଏ କ’ଣ ? ଇଲୋ ବୋଉଲୋ ମରିଗଲି ।

 

ଶକତ କାଳିଆ କଙ୍କଡ଼ା । ତାର ବୁଢ଼ାଗୋଡ଼ରେ ମୋର ଛୋଟିଆ ବିଶିଆଙ୍ଗୁଠିକୁ ଚାପି ଧରିଲା । ଖାଲି ସେତିକି ନୁହେଁ, କୋଉଠି ଥିଲେ କାଶିଜେଜେ, ମୋ ପଛରୁ, ତାଙ୍କ ଗୋଦର ଗୋଡ଼ ଉଠେଇ, ମାଇଲେ ଦି' ଗୋଇଠା, ମୁଁହ ମାଡ଼ି ପଡ଼ିଗଲି ମୁଁ । ପାଟି, ନାକ, ଆଖିରେ କାଦୁଅ ପଶିଗଲା । ଆଉ କାନ୍ଦିପାରିଲି ନାହିଁ । ଜେଜେ, ମୋର ଡେଣାକୁ ଧରି ଶୂନ୍ୟରେ ଶୂନ୍ୟରେ ମୋତେ ଟେକି ନେଇ କଚାଡ଼ି ଦେଲେ ବାଟ ମଝିରେ ।

 

ସେଦିନର ସେଇ କଅଁଳ ଜୀବନର ନରମ–ଅନୁଭୂତି କଥା ଏକା କାଶିଜେଜେଙ୍କ ଛଡ଼ା ଆଉ କେହି ଜାଣିନଥିଲେ । ଘଟଣାଟି ଯେତେ ଛୋଟ ହେଲେ ବି ମୋ ପାଇଁ ଥିଲା ଏକ ବଡ଼ ଦୁର୍ଘଟଣା I

 

ଏ କଥା ବୋଉ (ମା’)ଙ୍କୁ କହିନଥିଲି । କାରଣ ମୁଁ ଆଗରୁ ଜାଣିଥିଲି ଯେ କେବେ କେମିତି ବାହାରେ ସାଙ୍ଗସାଥୀ ମେଳରେ କଳିଗୋଳ କରି ବୋଉଙ୍କ ପାଖରେ କାନ୍ଦି ଜଣେଇଲେ ଫଳ ହୁଏ ଓଲ୍‌ଟା । ଦାଣ୍ଡ ପିଲାଙ୍କର ଦୋଷ ନ ବାରି, ବୋଉ ଦୋଷ ଦିଅନ୍ତି ନିଜ ପିଲାଟିର । ଗାଲରେ ଚାପୁଡ଼ା ବସେ । ପିଠିରେ ବସେ ବିଧା ।

ଏ କଥାର ପ୍ରମାଣ ପାଇଥିଲି ସେଦିନ । ରାତି ପାହି ପାହି ଆସୁଥାଏ, ସବୁଦିନ ଭଳି ପାହାନ୍ତି ପଖାଳ ଖାଇ, ମାଟିରେ ଗଡ଼ୁଥାଏ ମୁଁ । କାହିଁକି କେଜାଣି, ଚଢ଼େଇ ଗୁଡ଼ାକ ସେଦିନ, ବାରିଗାଡ଼ିଆ ଚାକୁଣ୍ଡା ଗଛତଳରେ ଚେଁ ଚାଁ କେଁ କାଁ ବୋବେଇ ବୋବେଇ କାନ ଅତଡ଼ା ପକଉଥା’ନ୍ତି । କାନରେ ବାଜିଲା ସତିଆ ଭୋଇର ପାଟୁଆଗୀତ । ଚାନ୍ଦିସାହିର ସତିଆ ଭୋଇ ।

ସେ ଗୀତ–ସତେ ଯେମିତି ମୁଁ ଆଗରୁ ଶୁଣିନଥିଲି । ମନେ ହେଲା–ରାତିକ ଭିତରେ ମୋର ଗୋଡ଼ହାତ ଚାରିଟାକୁ କିଏ ଯେମିତି ଆହୁରି ବଢ଼େଇ ଦେଇଛି । କାନକୁ ଯାହା ଆଗରୁ ଅଳ୍ପ ଅଳ୍ପ ଶୁଭୁଥିଲା ଆଜି ତାହା ଆହୁରି ବେଶିକରି ଶୁଭୁଛି । ଉଠି ଠିଆ ହେଲି; ନିଦରେ କେତେବେଳେ ମୂତି ପକେଇଚି, ମୂତରେ ଘରର ମାଟିସବୁ ଫଉଲିଯାଇ ପିଠିରେ ମୋର ବକଳା ଲାଗିଥାଏ । ହାତରେ ସରୁ ରୂପାଖଡ଼ୁ, ଅଣ୍ଟାରେ ନାଲିଫୁଲିଆ ଲଗା କରଧୁନି । ସତିଆର ପାଟୁଆ ଗୀତ ସତେ ଅବା ମୋତେ ତା’ ପାଖକୁ ଟାଣିନେଲାପରି ଜଣାପଡ଼ିଲା । ଚାଲିଲି । ଖୁଡ଼ୀଙ୍କ ଘରୁ ବାହାରି ବାଟଘର–ଦାଣ୍ଡ ପିଣ୍ଢା–ଦାଣ୍ଡ–ବଙ୍କାଭାଇ ଙ୍କ ଘର–ରାଧୁଆ ଭାଇଙ୍କ ଘର–ତାପର ଗୋହିରୀ ମୁଣ୍ଡ ।

ନୂଆ ବାଟରେ ନୂଆ ପାଦ ଚାଲିଲା । ବାଟ ଦୁଇପାଖରେ କଅଁଳିଆ ଦୁବଘାସ । ଗୋରୁଖୁରା ଲାଗି, ମଣିଷପାଦ ବାଜି କିଏ ଶୁଖିଯାଇଛି, ପୁଣି କିଏ କଅଁଳ ଶାଖା ମେଲି ଲଟେଇ ଯାଇଛି ମନଖୁସିରେ ।

 

ବାଙ୍କ ମୁହାଁଣି–ବାଁ ପଟକୁ ନୂଆ ଗାଡ଼ିଆ, ତା’ଉପରେ ଧାନ ବିଲକୁ ଲାଗି ବଡ଼ ଓଉଗଛ-। ଏ ପଟେ ଦାଣ୍ଡଗାଡ଼ିଆ । ଆଉ ଟିକିଏ ଦୂରେଇ ଗଲେ ଦେଖାଯାଏ କୁଞ୍ଜବିହାରୀଙ୍କ ଦେଉଳ ଚୂଳ । ଡାହାଣ ପଟକୁ ଗଲେ ଦେଖାଯାଏ ବାଘୁଆ ଦଣ୍ଡା, କଇଥଖାଇ । ଖୁବ ଭୟ ଭୟ ଦେଉଳିଆ ଶିଜୁ-। ବର୍ଷାଦିନେ ଧଳାଧଳା କେତେ ଫୁଲ ଫୁଟେ । ସେଇ ଫୁଲରେ ବଟୁଆ ତିଆରି କରି ମୋତେ ମୋର ସାଙ୍ଗପିଲା କେତେ ଥର ଦେଇଚି । କୁଞ୍ଜବିହାରୀଙ୍କ ଦେଉଳକୁ ଲାଗି ମସ୍ତବଡ଼ ମାଳତୀ ଲଟା । ସେଇ ଲଟାରେ ଦୋଳି ଖେଳିବାକୁ ବାଉରିଆ, ଗୋଲିଆ, ଧୋବା, ନାରେଣିଆ କେତେ ଫୁସଲେଇଛନ୍ତି । ବୋଉଙ୍କ ଡରରେ ଆସିନଥିଲି ମୁଁ I

 

ମାଳତୀ ଲତା ପାଖକୁ ଡେଙ୍ଗା କଦମ୍ବ ଗଛଟା–ରାତିରେ ଭୂତ ଭଳି ଦିଶେ । ଦଣ୍ଡାର ଦୁଇ ପାଖରେ କିଆ ଭେଡ଼ । ମଝିରେ ମଝିରେ କଣ୍ଟେଇ କୋଳି ବୁଦା । ମାଟିରେ କେତେ ଜାତିର ବଣୁଆ ଘାସ ଆଉ ଲାଜକୁଳି ଲତା । ଛୁଇଁଦେଲେ ମଉଳିଯାଏ ସେ, ନାଲି ନାଲି ଫୁଲ ତାର ଠିକ୍‌ କଦମ୍ବ ଫୁଲ ପରି ।

 

କୁଞ୍ଜବିହାରୀଙ୍କ ଦେଉଳ ବେଢ଼ାରେ ବାମ୍ଫି, ଏଇ ବାମ୍ଫିପାଣି ଗାଁରେ ଡାକ । ଭାରି ମିଠା-। ମୋ’ଜୀବନରେ–ଶିରା ପ୍ରଶିରାରେ ଯୋଉ ରକ୍ତର ସୁଅ ଛୁଟେ, ମୋ’ ଦେହର ଅଙ୍ଗ ପ୍ରତିଅଙ୍ଗରେ ଯୋଉ ମାଂସପେଶୀ ଗଢ଼ିଉଠେ, ସେସବୁର ବୃଦ୍ଧି ପାଇଁ ଏଇ ପାଣିଟୋପାକ ସତେ ଖୁବ୍‌ ସାହାଯ୍ୟ କରିଛି ।

 

ଦେଉଳର ମୁଁହାମୁଁହି, ଗାଁ ଜମିଦାରଙ୍କର ଦୁଇଟା ବଡ଼ ବଡ଼ ପକ୍କା ଚାନ୍ଦିନି (ଏକରକମ ମଣ୍ଡପ) । ସେଇ–ଚାନ୍ଦିନି ତଳକୁ ଛୋଟ ପଡ଼ିଆ । କୋଉ କାଳର ପୁରୁଣା ବଡ଼ ବାଦାମ ଗଛଟା । ୟାର ଛୋଟ ବଡ଼ ପତର ଗାଁର ପିଲା, ବୁଢ଼ା, ଗରିବ, ବଡ଼ଲୋକ ସବୁରି କାମରେ ଲାଗେ । ୟାର ଶାଖାପ୍ରଶାଖା ବଢ଼ିଉଠି ପଡ଼ିଆକୁ ପ୍ରାୟ ଅଧାଅଧି ଛାଇ କରି ରଖେ । ଦାଣ୍ଡଗାଡ଼ିଆ ପଟକୁ ତୁଠ ଉପରକୁ ତୁଳସୀ ଚଉରା ।

 

ସେଇ ଚାନ୍ଦିନି ତଳେ, ଅଧା ଖରା ଅଧା ଛାଇରେ ଚାଲିଛି ପାଟୁଆ ଗୀତ ।

 

କି’ ଗୀତ ସେ, କ’ଣ ତା’ର ଅର୍ଥ, କୋଉ ଭାବରେ ସେ ଗୀତ ଲେଖା ହେଇଛି ? କିଏ ଲେଖିଛି, କାହିଁକି ବା ଲେଖିଛି ? କୋଉ ସ୍ଵରରେ, ସେ ସ୍ଵର କୋଉଠୁ ଆସିଛି, କିଏ ଶିଖେଇଛି ସେ ସ୍ଵର ସତିଆକୁ ?

 

ଟିକି ମଥାରେ ମୋର ଏସବୁ କଥା ପଶିପାରେ ନା, ଖାଲି ଅନେଇଁ ରହେ । ଶୁଣିଯାଏ ସେ ଗୀତ । ଗୋଡ଼ ଅଟକିଯାଏ, ଭୋକ, ଶୋଷ ପାସୋରି ପକାଏ ।

 

ସତିଆ ଗୀତ ଗାଇ ଗାଇ ନାଚିଯାଏ, ପାଳିଆ ପାଳି ଧରନ୍ତି । ଗୋଡ଼ରେ ବଳା, ହାତରେ ଭଉଁରି ଲଗା ଖଡ଼ୁ, ଅଣ୍ଟାରେ ଅଣ୍ଟାସୂତା, ରଙ୍ଗଲୁଗା ଆଉ ଜାମା । ମୁଣ୍ଡରେ ନେଳୀ ହଳଦିଆ ଟୋପି । ସତିଆର କଳା ମଚମଚ ଦିହକୁ–ଏ ପୋଷାକ ସବୁ ଭଲ ମାନେ । ଏକା... ମୁଁ ନୁହେଁ, ଅନେକ ଲୋକ, ରୁଣ୍ଡ ହୋଇଛନ୍ତି ଦେଖିବାକୁ ।

 

କଅଁଳ ଗାଧୁଆ ବେଳକୁ ଗୀତ–ନାଚ ବନ୍ଦ ହେଲା । ଜମିଦାରଙ୍କ ଘରୁ ମିଳିଲା ନୂଆଲୁଗା, ନୂଆଶାଢ଼ି, ପାଟୁଆ ବିଦା ହେଲେ ।

 

ମୋତେ ଘେରିଗଲେ ମୋର ସାଙ୍ଗସାଥୀ ।

 

କାହା ଅଣ୍ଟିରେ ଅଣ୍ଟିଏ ଜନ୍ଦାଖାଇ ଫଳ, କାହା ହାତରେ ଗୋଛାଏ ଖଡ଼ିକା । ସେଇ ପଡ଼ିଆରେ ବସିପଡ଼ି ଚାଲିଲା ରଥ ତିଆରି । ତିନି ରଥ । ବଳଭଦ୍ର, ଜଗନ୍ନାଥ, ଓ ସୁଭଦ୍ରା । ରଥ ଟଣାହେବ, ରଥଦଉଡ଼ି କାହିଁ ? କିଏ ଗୋଟେଇ ଆଣିଲା ଶୁଖିଲା କଦଳି ପଟୁକା । ବନ୍ଧାହେଲା ରଥ । ପାଟିରେ ବାଜା ବାଜିଲା, ହାତରେ ଘଣ୍ଟା ବାଜିଲା....ଗଡ଼ିଲା ରଥ ।

 

ତିନିଟାଯାକ ରଥ ପଡ଼ି ଉଠି, ଗଡ଼ିଗଡ଼ି ଆସି ପହଞ୍ଚିଲା ନୂଆ ଗାଡ଼ିଆ ଉପରେ । ଯୋଉଠି ଦାଣ୍ଡ ଗାଡ଼ିଆ ଆଉ ନୂଆ ଗାଡ଼ିଆ ଦି’ଟା ଯାକ ଏକାଠି ମିଶିଗଲା ପରି ହେଇଛି । ଦାଣ୍ଡ ଗାଡ଼ିଆ ପଟେ ସେଇଠି ବଢ଼ିଉଠିଛି ଗୋଟାଏ ଝାମ୍ପୁରା କିଆବୁଦା କିଆବୁଦା ପାଖକୁ, ଭୋଇସାହିଆଙ୍କ ଗାଧୁଆ ତୁଠ । ପାଣି ଟିକିଏ ଶୁଖିଯାଇଥାଏ ।

 

ଇଏ କ'ଣ ହେଲା ? ମୁଁ ପେଁ....... ପେଁ...... ପେଁ......ରାମ୍ପ....... ରାମ୍ପ........,ଡୁମ୍‌ ଡିଡାମ୍‌ ଡିଡାମ୍‌...... ଡୁମ୍‌ ଡିଡାମ୍‌...... ବାଜା ବଜେଇ ଆଗେ ଆଗେ ଚାଲିଥାଏ । ପଛପଟୁ ମୋର ତିନି ଚାରିଟା ପିଲା–ମାଙ୍କଡ଼ କୁଦିଲାପରି, ମାଇଲେ କୁଦା ।

 

ଝପାଝପ୍‌ ପଡ଼ିଲେ ପାଣିରେ । ରଥ–ଫଥ ଏଣେ ଚିତ୍‌ପଟାଙ୍ଗ୍‌ । ମୋତେ ବି–କିଏ ଗୋଟାଏ ଭିଡ଼ିନେଇଗଲା ପାଣିକି । ସେ କି’ ଆନନ୍ଦ ? କିଏ ଠିଆ ପହଁରା, କିଏ ଚିତ୍‌ ପହଁରା, ଡର ନାହିଁ–ଆଶଙ୍କା ନାହିଁ । ଦାଣ୍ଡ ଗାଡ଼ିଆପାଣି ହେଲା ଦି’ଭାଗ । ପଙ୍କ ଉଠିଲା । ପାଣି ହେଲା ଗୋଳିଆ ।

 

ଏଇ ଦାଣ୍ଡ ଗାଡ଼ିଆ ପାଣିରେ ଗାଁ ଲୋକଙ୍କ ସବୁ ଆଶା ମେଣ୍ଟେ; ଧାନ ଉଷୁଁଆ, ଭାତରନ୍ଧା, ଗାଧୁଆପାଧୁଆ, ଏମିତିକି ଖରାଦିନେ ଗାଈ, ବଳଦ ବି ଗାଧେଇ ଥା’ନ୍ତି । ଯୋଡ଼ର ମୁଁହ ଆସି ୟା ସାଙ୍ଗରେ ମିଶିଯାଇଛି–ବର୍ଷାଦିନେ ସବୁ ଯେମିତି ଗୋଟାଏ ହୋଇଯାଏ । ବାହାରୁ ଅଜାତିଆ ମାଛ ଆସି ବସା ବାନ୍ଧନ୍ତି । ବାଳିଆ, ଚିତ୍ତଳର ଖଣି ଏ । କାହାର ଭୋଜିଭାତ, କାହାର ଶୁଦ୍ଧିଭାତ ପାଇଁ ଆଇଁଷ ଝୋଳର କାମ ଚଳାଏ ଆମର ୟେ ଗାଡ଼ିଆ । କେବେ ଶେଉଳଟାଏ, କେବେ ବାଳିଆଟାଏ, କେବେ ଫଳିଟାଏ–ଯେତେବେଳେ ଯାହା ହେଲେ ବି ମିଳିଛି–କାହାରିକି ଖାଲି ହାତରେ ଫେରେଇଦେଇନି ଆମର ଏଇ ଦାଣ୍ଡଗାଡ଼ିଆ ।

 

ୟା’ରି କୂଳରେ ଉଠେ ମଦରଙ୍ଗା, ସୁନୁସୁନିଆ ଶାଗ । ୟା’ରି ଗୋଳିଆ ପାଣି ଭିତରୁ, ନିଶ ବାହାର କରି ଖେଳେ ମାଇ ମଞ୍ଜିଆ ଛଟା ଚିଙ୍ଗୁଡ଼ି । ରାତି ଅଧରେ କାହା ଘରକୁ କୁଣିଆ ଆସିଲେ, ୟା’ରି ପାଣିରେ ପଡ଼େ କାନିଖିଅ । ଗାଁ ଗୋଟାକର ଛୁତିକିଆ, ମୃତିକିଆ ପ୍ରତ୍ୟକ କାମରେ ଲୋଡ଼ାହୁଏ ଏଇ ଗଡ଼ିଆର ପବିତ୍ର ପାଣି ମୁନ୍ଦାକ । ବୋଉ ମୋର ସବୁଦିନ ୟା’ରି ପାଣିରେ ମୋତେ ଗାଧେଇ ଦେଇ, ପୋଛିପାଛି ଦେଇ, ଠିଆ କରିଦିଏ ତୁଠ ପଥର ଉପରେ ।

 

ଗାଁ ଭାଇମାନେ, ସେ ସୁଖୀ ହୁଅନ୍ତୁ ବା ଦୁଃଖୀ ହୁଅନ୍ତୁ–ଏଇ ପାଣିରେ ପାଦ ଦେଲେ ତାଙ୍କର ସବୁ ପାପ, ସବୁ ଅସନା ଯେମିତି ଆଖି ପିଛୁଳାକେ ଧୋଇହୋଇ ଚାଲିଯାଏ । ଯେ’ ଯୁଆଡ଼େ ଯାଆନ୍ତୁ ପଛେ ଲୁହାକୁ ଚୁମ୍ବକ ଟାଣିଲା ପରି, ଟାଣିହୋଇ ଆସନ୍ତି ୟା’ରି ଶୀତଳ ଜଳ ପାଖକୁ ।

 

ବୁଡ଼ ପରେ ବୁଡ଼, ଆହୁରି ବୁଡ଼ । ଆଖିଗୁଡ଼ାକ ନାଲି ପଡ଼ିଲାଣି, ଦିହ ହାତ କେନ୍ଦା ପଡ଼ିଲାଣି । ହେଲେ, ପାଣିରୁ ଉଠିବାକୁ ମନ ହଉନାହିଁ; ଠିକ୍‌ ଭାବରେ ଅନ୍ୟ ପିଲାଙ୍କ ପରି ପହଁରା ନ ଜାଣିଥିଲେ ବି, ମୁଁ ମୋର ହାତ ଗୋଡ଼ ପାଣିରେ ପିଟି ଛାତିଏ ପାଣିରେ ଡୁବ ମାରିଲି ।

 

ହଠାତ୍‌ ଅନୁଭବ କଲି, କାହାର ଗୋଟାଏ କର୍କଶିଆ ହାତ, ପାଣି ଭିତରୁ ମୋର ବେକ ମୁଣ୍ଡାକୁ ଧରି ଶୂନ୍ୟକୁ ଟେକି ଧରିଲା । ଆଖି ଖୋସି ହୋଇଗଲା । ଶୁଣିଲି କାହାର ଦାନ୍ତରଡ଼ି ଗର୍ଜନ ।

 

ଦୁମ୍‌କରି ତିନିହାତ ଦୂରରେ ଶୁଖିଲା ମାଟି ଉପରେ ହାତଗୋଡ଼ ମେଲେଇ ପଡ଼ିଲି ମୁଁ । କେଁ କରି କାନ୍ଦି ଉଠି ପଛକୁ ଫେରି ଅନେଇଲି–ରାଧୁଆ ଭାଇ ।

 

ବାଲି ମାଟି ସାଲୁ ସାଲୁ ହୋଇ ଏକ ମୁଁହା ହୋଇ ଧାଇଁଲି ବୋଉ ପାଖକୁ । ଲୁହ, ସିଙ୍ଘାଣି ଏକାକାର କରି କହିଲି ବୋଉଙ୍କୁ ।

 

ବୋଉ ମୋର ଅବସ୍ଥା ଦେଖି ରାଗରେ ଗର ଗର ହୋଇ ବାରିକୁ ଚାଲିଗଲେ, ଭାବିଲି–ମୋ ପଟିଆ ହୋଇ କାଳେ ରାଧୁଆ ଭାଇଙ୍କୁ ଗାଳିଦେବେ ବୋଉ । କିନ୍ତୁ–ଫଳ ହେଲା ଓଲଟା । ଫେରିଆସିଲେ ବୋଉ ହାତରେ ଗୋଟାଏ ତିନ୍ତୁଳି ଛାଟ ଧରି । ପାଦଠାରୁ ବେକଯାଏ ପିଟିଗଲେ ସେ ମୋତେ ।

 

ଦିହସାରା ନୋଳା ଫାଟିଗଲା । ବିକଳରେ ପଳେଇଯାଇ ଦାଣ୍ଡପିଣ୍ଡାରେ ମାଟିରେ ଗଡ଼ିଗଲି ।

ଏ କ’ଣ ହେଲା ? କାନ୍ଦ ମୋର ବନ୍ଦ୍‌ ହେଇଗଲା, ଶୁଣିଲି ଭିତରଘରୁ (ରୋଷେଇ ଘର) ବୋଉଙ୍କର ବାହୁନା । କିଛି ବୁଝିପାରିଲି ନାହିଁ । ମୁଁ ସିନା ମାଡ଼ ଖାଇଲି, ମୁଁ କାନ୍ଦିବି; ହେଲେ ବୋଉ କାନ୍ଦିଲେ କାହିଁକି ?

ଉଠି ଠିଆ ହେଲି, ଧୀରେ ଧୀରେ ବୋଉଙ୍କ ପାଖକୁ ଗଲି । ପେଟ ଭିତରଟା ଆଉଣ୍ଡି ଦେଲା । ବୋଉଙ୍କ ପାଟିରେ ହାତଦେଇ କାନ୍ଦ ବନ୍ଦ କଲି । ଅପା କୋଉଠି ଥିଲା ଦଉଡ଼ି ଆସିଲା, ବୋଉ ଖାଲି ‘ବୁଲା ଫକିର’ କହିକହି ବେଶି ଜୋରରେ ବାହୁନିବାକୁ ଲାଗିଲା । ଅପା କାନ୍ଦିଲା, ମୁଁ କାନ୍ଦିଲି, ଟିକି ମୁଣ୍ଡରେ ମୋର କିଛି ପଶୁନଥାଏ ।

ଅନେକ ବେଳ ହୋଇଯାଇଥିଲା । ଚୁଲି ଲାଗିନଥିଲା । ଭିତର ଘର ଦୁଆର ମୁହଁରେ ବାଉଁସିଆରେ ଅନାବନା ଶାଗ ଆଣି ଧୋଇ ରଖୁଥିଲେ ବୋଉ । କୁଲା ପକେଇ ପନିକି ଆଣି ଅପା ତାକୁ କାଟିବସିଲା ।

କେଁ କିନା କାନ୍ଦନ୍ତି ଖେଁ କିନା ହସନ୍ତି ।

କାନ୍ଦ ବନ୍ଦ ହେଲା । ଅପାକୁ ପାଟିକରି ବୋଉ ଚୁଲି ଲଗେଇଲେ; ଚାଉଳ ନାହିଁ । ରାତିର ବାସିପଖାଳ ପାଇଁ ଶାଗ ଖରଡ଼ା ହେଲା ।

ହାଃ....... କେତେ ମିଠା ! ଧାପେ ତେଲ, କୁଲାଏ ରସୁଣ ପକେଇ ବୋଉ ଶାଗ ଖରଡ଼ିଲେ ସାଇପଡ଼ିଶାକୁ ବାସନା ଛୁଟିଯାଏ । ସବୁରି ଆଶା ସେଇ ଶାଗ ଟିକକୁ । ବିନା ମସଲାରେ ବୋଉ ପାଣିସନ୍ତୁଳା ବଘାରି ଦେଲେ, କି ମହକ । ଆଖୁବଡ଼ି, ମଞ୍ଜିବଡ଼ି, ଆମ୍ବର ଗୋଟା ଆଚାର, ଆମ୍ବସଢ଼ା, ମୁଗବଡ଼ି, ଚିତଉପିଠା, ନାନାମାନ (ଛଣାମଣ୍ଡା) ପାଇଁ ବୋଉଙ୍କ ହାତର ବାହାଦୁରି ସବୁଆଡ଼େ ପଡ଼େ । ଚଉଧୁରୀ ସାହି, ଖଣ୍ଡିଆ ଚଣାଦୂଟ୍ଟା, ସବୁଠୁ ଆସେ ଡାକରା । କାହାର ବାହାଘର କାହାର ପୁଆଣିଘର, ସବୁଠୁ ।

 

ଦିନ ଗଡ଼ି ଚାଲିଥାଏ........

 

ସେଦିନ ରାତିଅଧରେ ହଠାତ୍‌ ମୁଁ ଚମକି ଉଠିଲି । ଦେଖୁଲି–ଅପା ମୋର ମୁଣ୍ଡକୁ ହାତରେ ଟେକିଦଉଚି । କାନରେ ପଡ଼ିଲା ଅଣ୍ଡିରା ବିଲୁଆ ଡାକ, ଦିହ ଶିତେଇ ଉଠିଲା ।

 

ସେ ସମୟରେ ଗାଁ ଗଣ୍ଡାରେ ରାତିରେ କେବେ ଯଦି ପେଚାଟାଏ ଅବା ଅଣ୍ଡିରା ବିଲୁଆଟାଏ ଡାକ ପକେଇଦେଲା ତ ସେ’ ହେଲା ଖୁବ୍‌ ଗୋଟାଏ ଅଶୁଭ ଲକ୍ଷଣ । ଶୋଇବା ଅବସ୍ଥାରେ କୌଣସି ଛୋଟ ପିଲା ଥିଲେ ବଡ଼ମଣିଷ ସାଙ୍ଗେସାଙ୍ଗେ ତାର ମୁଣ୍ଡ ଟେକିଦିଅନ୍ତି ।

 

ଶୁଣିଲି ପାଖ ବାବାଙ୍କ ଘରୁ ପୁଣି ସେଇ ବୋଉଙ୍କର ବାହୁନା, ସେଇ ବୁଲାଫକିରି କଥା-। କିଏ ସେହି ବୁଲା ଫକିର ? କାହିଁକି ବୋଉ ମୋର ଥରକୁଥର ସେହି ବୁଲା ଫକିର ନାଁ ଧରି ଏମିତି ବେଳେବେଳେ ବାହୁନି ବସନ୍ତି ? ଅପାକୁ ପଚାରେ, କିଛି କହେ ନାହିଁ ସେ ଖାଲି ଆଖିରୁ ତାର ଲୁହ ଗଡ଼ାଏ, ପଳାଏ ବୋଉଙ୍କୁ ତୁନି କରିବାକୁ ।

 

ଖୁଡ଼ୀଙ୍କ ଘରେ ଛିଣ୍ଡା ହେଁସ, ତା’ପରେ କୋଉ କାଳର କୋତରା ଯଥାପକା କନ୍ଥା ଉପରେ ଶୋଇରହି ମୁଁ ଅନେଇ ରହେ ଅପାର ଫେରିଲା ବାଟକୁ; ନିଦ ଲାଗେ ନାହିଁ, ଖୁବ୍‌ ଡରଲାଗେ ।

 

ଘର ବୋଇଲେ ଆମର ଦୁଇବଖରା । ବାପାଙ୍କ ଘର ଆଉ ଭିତର ଘର, ଯୋଉଠି ବଡ଼ବଡ଼ୁଆ ରୁହନ୍ତି, ରନ୍ଧାବଢ଼ା ହୁଏ । ଏପଟକୁ ଖୁଡ଼ୀଙ୍କ ଘର, ଗୁହାଳ ଘର, ବାଟଘର କହିଲେ ମୋର ଛୋଟ ହାତରେ ତିନିହାତ ଚଉଡ଼ା ହବ । ବାରି ବାଟଘର ନଥିଲା–ଗୁହାଳଘରେ ବାରିକୁ ବାଟ ଥିଲା । ସେଇ ବାଟଦେଇ ଯିବା ଆସିବା ଚାଲୁଥିଲା । ମୋର ହେତୁ ଆସିଲାବେଳକୁ ଦାଦା, ଖୁଡ଼ୀ ବାଟ କାଟିଥିଲେ । ଥିଲା କେବଳ ମୋରି ସାଙ୍ଗର ଗୋଟିଏ ପୁଅ । ଟୁନିଆ ଭାଇ, ସେ’ ମୋ’ଠୁ ଆଠଦିନ ବଡ଼ । ଦୁହେଁ ଆମେ, ବୋଉଙ୍କଠୁ କ୍ଷୀର ଖାଇ ବଢ଼ୁଥିଲୁ । ଦାଦା, ଖୁଡ଼ୀ ନଥିବାରୁ ତାଙ୍କ ଘରେ ବି ଆମେମାନେ ଚଳିବାକୁ ଟିକିଏ ସୁବିଧା ହଉଥିଲା । ଚାରିପଟେ ପାଚେରୀ ।

 

ଅପା ବୋଉଙ୍କୁ ଶୁଆଇ ଦେଇ ଫେରିଆସିଲା ମୋ ପାଖକୁ । ମୋତେ କୋଳକୁ ନେଇ କେତେ କଥା କହିଗଲା । ଆମ ଘର ବିଷୟରେ ଆଗରୁ ମୁଁ ଯାହା ଜାଣି ନଥିଲି ସେସବୁ କଥା ମୋ ଆଗରେ ଅପା ଗୋଟି ଗୋଟି କରି ବୁଝେଇ ବସିଲା ।

 

ଅପାଠୁ ସବୁକଥା ଶୁଣିଲି ।

 

କାହିଁକି ସବୁବେଳେ ଆମମାନଙ୍କ ପାଇଁ ବୋଉ କାମରେ ଧନ୍ଦି ହୁଅନ୍ତି, କାହିଁକି ବେଳେବେଳେ ଏକୁଟିଆ ଘର କଣରେ ବସି, ବୁଲାଫକିର ନାଁ ଧରି ଆଖିରୁ ଲୁହ ନିଗାଡ଼ି ବାହୁନି ବସନ୍ତି; କାହାନ୍ତି ବାପା ? କାହାନ୍ତି ବଡ଼ଭାଇ ? କାହାନ୍ତି ମଝିଆଭାଇ ?

 

ସେତେବେଳେ ବାପାଙ୍କର ଆମେ ପାଞ୍ଚୋଟି ପୁଅ ଝିଅ । ସେଥିରୁ ବଡ଼ ଅପା’କୁ ମୁଁ ଦେଖୁ ନାହିଁ । ଅନେକ ଆଗରୁ ସେ ବାହୁଡ଼ି ଯାଇଥିଲା । ବାକି ଥିଲୁ ଆମେ, ବଡ଼ଭାଇ (ଜଗବନ୍ଧୁ ଦାସ), ମଝିଆଭାଇ (ନେତ୍ରବନ୍ଧୁ ଦାସ), ଅପା (ଗୋଲାପ ମଞ୍ଜରୀ), ଶେଷରେ.... ମୁଁ (ଦୀନବନ୍ଧୁ ଦାସ) ।

 

ଛୋଟ ବଡ଼ ଛ’ଟି ପେଟକୁ ଆହାର ଦବାକୁ କିନ୍ତୁ ସମ୍ବଳ ନଥିଲା । ଧାନ ଜମି ସାମାନ୍ୟ କେତେ ଗୁଣ୍ଠ । ସେଥିରୁ ଯେତିକି ଧାନ ମିଳେ ସେତକ କେଇଟି ଦିନରେ ଶେଷ ହୋଇଯାଏ । ପୁଣି ଅନେଇ ରହିବାକୁ ପଡ଼େ ବରଷଟିଏ ।

 

ବାପା କିନ୍ତୁ କିଛି ହାନିଲାଭ ଘରର ବୁଝୁନଥିଲେ । କୋଉଠି ଅଷ୍ଟପ୍ରହରୀ, କୋଉ ଗାଁରେ ୨୪ ପ୍ରହରୀ, କୋଉଠିକି କୋଉ ସାଧୁ ଆସିଲେ, କାହାର ଭାଗବତ ସପ୍ତାହ ବଢ଼ିଲା, ସେ ଯେତେ ଦୂର ହେଉନା କାହିଁକି, ବାପା ସିଠିକି ନିଶ୍ଚେ ଯିବେ; ବର୍ଷା, ଖରା, ଝଡ଼ି, ବଢ଼ି ଯାହା ହେଲେ ବି କେହି ତାଙ୍କୁ ଅଟକାଇ ପାରିବେ ନାହିଁ । ଚାରିଦିନ ଘରେ ରହିଲେ ଦଶଦିନ ବାହାରେ କଟେଇଦିଅନ୍ତି ।

 

ବୋଉଙ୍କ ଉପରେ ପଡ଼େ ଘରର ସବୁ ଜଞ୍ଜାଳ । କ’ଣ କରିବେ ସେ ? କାହାକୁ ବା କହିବେ ? ପାଣି ତୋରାଣି ଟିକିଏ ପିଲାଙ୍କ ମୁହଁରେ ଦବାକୁ କେତେ ଦିଅଁ ଦେବତା ଡାକନ୍ତି । ବାର ଓଷା ବ୍ରତ, ସବୁ ହୁଏ ଆମରି ଘରେ । ଯେତେ ଅଭାବ ହେଲେ ବି ମାଣବସାକୁ ପିଠାଟାଏ, ରଜକୁ ମୁଢ଼ି, ପୋଡ଼ପିଠା ଖଣ୍ଡେ ପାଇଁ ଆମରି ଦାଣ୍ଡଦୁଆର ମୁହଁରେ ଗରିବଗୁରୁବାଙ୍କର ଭିଡ଼ ହୁଏ ।

 

ଯାହାକୁ ଯେତିକି ଦବାର କଥା, ବୋଉ ମୋର ତା’ ପାଇଁ ସେତିକି ସାଇତି ରଖିଥାନ୍ତି । ସଭିଙ୍କର ମୁହଁରେ ବୋଉଙ୍କର ପ୍ରଶଂସା । ଏଇ ଗୁଣ ପାଇଁ ବୋଉଙ୍କୁ ଗାଁଟା ଯାକର ଜାତି ଅଜାତି ସମସ୍ତେ ସୁଖ ପାଆନ୍ତି । କିଏ ଶାଗ କେରାଏ, କିଏ ମାଛ ଦି’ଟା କୋଳଥ ପୁଞ୍ଜାଏ ଯାହାକୁ ଯାହା ମିଳିଲା ଦେଇଯାଏ ସେ ।

 

କେତେବେଳେ କୋଳଥ ଯାଉ, କେବେ ବା ମାଣ୍ଡିଆ ଯାଉ, ଭାତବେଳେ ଭାତ, ଚଳିଯାଉ ଆମେ । ଉପାସ ରହିଲେ ବି, କାହାଘରେ ଯାଇ ନାକେଇ ବସିବାଟାକୁ ବୋଉ କେବେ ପସନ୍ଦ କରନ୍ତି ନାହିଁ । ଅତି ଅସମ୍ଭାଳ ହେଲେ ଭାଙ୍ଗିପଡ଼ନ୍ତି, ନିଜର ଅଭାବକୁ ପର ପାଖରେ ନ ଜଣେଇ, କବାଟ ଆଉଜେଇ ଘର କଣରେ ବସି ବୁଲାଫକୀର ନାଁରେ ଲୁହ ଢାଳନ୍ତି । ଘରର ଅବସ୍ଥାକୁ ବୁଝି ବଡ଼ଭାଇ ଗାଁ ଛାଡ଼ି ଅନ୍ୟ ଗାଁରେ କୋଉଠି ଚାକିରି କରନ୍ତି, ମଝିଆ ଭାଇ ବି ଆଉ କୋଉଠି କାମ କରନ୍ତି ।

 

ଏଇସବୁ କଥା ଅପାଠାରୁ ଶୁଣୁ ଶୁଣୁ ପାହାନ୍ତା ହେଲେ ବୋଉ ମୋତେ ଉଠେଇ, ସବୁଦିନ ଭଳି ଖୁଆନ୍ତି ପାହାନ୍ତିପଖାଳ । ଅଝଟ ହେଲେ କାଖରେ କାଖେଇ କେତେ କାହାଣୀ କହନ୍ତି । କେତେ ବାଘ, ଗଧିଆ ଗପ, ଭୂତ, ବେତାଳ ଗପ କହି କହି ଆମର ସେଇ ଛୋଟ ଅଗଣାଟିରେ, ଭୁଲେଇ ଭୁଲେଇ ଖୁଆଇପକାନ୍ତି ସବୁତକ ଭାତ ।

 

ସେଦିନ ଠିକ୍‌ ସକାଳୁ ସକାଳୁ ବାପା ଆସି ପହଞ୍ଚିଲେ ଘରେ । ହାତରେ ଗୋଟିଏ କୁଡ଼ୁଆରେ ଆଣିଥିଲେ ଖଣ୍ଡଗିରିର ବିଖ୍ୟାତ ଖଣ୍ଡକ୍ଷୀରି; ଅପା ତାକୁ ଭିତର ଘରେ ରଖୁରଖୁ ମୁଁ ଦଉଡ଼ି ଯାଇ ସେଥିରୁ ଟିକିଏ ଚାଖିଦେଲି । କି ମିଠା, କି ବାସନା ! ଛୁରୀରେ କାଟିଦେଲେ କାଟିହେଇଯିବ ସେ କ୍ଷୀରି ।

 

ଗୋରା ତକତକ ଚେହେରା, ମୁଁଣ୍ଡରେ ଛୋଟ ଛୋଟ ଦରପାଚିଲା ବାଳ, ବେକରେ ଲାଗିଥାଏ ଗୋଟାଏ ଗୋଟିକିଆ ବଡ଼ ତୁଳସୀ ମାଳ । ରାତିରୁ ଚାଲି ଚାଲି ଆସିଛନ୍ତି ଖଣ୍ଡଗିରିରୁ ବାପା, ପାଦରୁ ଆଣ୍ଠୁ ଯାଏ ନାଲି ସଡ଼କ ଧୂଳିର ଦାଗ । ଗାଲରେ ଅଧାକଞ୍ଚା, ଅଧାପାଚିଲା ଦାଢ଼ି । ହସ ହସ ମୁହଁ । ସେ ମୁହଁ ଦେଖିଲେ ସବୁ ଦୁଃଖ ଯେମିତି ଦଣ୍ଡକରେ ଉଭେଇଯାଏ ।

 

ବୋଉ ବାପାଙ୍କୁ ଦେଖି ଭିତର ଘରେ ଖୁବ୍‌ ଜୋରରେ ବାହୁନା ପକେଇଲା । ସେଇ ପୁରୁଣା ବାହୁନା । ବୋଉଙ୍କର କାନ୍ଦ ଦେଖି ଅପା ମଧ୍ୟ କାନ୍ଦି ଉଠିଲା । କାନ୍ଦ, ଖାଲି କାନ୍ଦ, ମୋ’ ଆଖି ବି ଛଳ ଛଳ ହେଇଗଲା ।

 

ବାପା ମୋତେ ବାଳକ ବାଳକ କହି ଉଠେଇ ନେଲେ କାଖକୁ । ସ୍ନେହରେ ମୁଣ୍ଡ ମୋର ଆଉଁଷି ଦେଲେ ହାତରେ, ଦାଣ୍ଡକୁ ବାହାରିଗଲେ । ଦେଖା ହେଲା ବଙ୍କାଭାଇଙ୍କ ସାଙ୍ଗରେ, ବାପା ଆରମ୍ଭ କଲେ ଖଣ୍ଡଗିରିର ସାଧୁସନ୍ଥଙ୍କ କଥା ।

 

ଅପା ବାପାଙ୍କୁ ଡାକି ତେଲ ଦେଲା ଗାଧେଇ ଯିବାକୁ । ବୋଉ ଭାତ ବସେଇଲେ ।

 

ବାପାଙ୍କୁ ଦେଖି ଗୋଡ଼ ମୋର ତଳେ ଲାଗୁନଥାଏ । କାଖରୁ ତଳକୁ ଡେଇଁପଡ଼ି ଧାଇଁଲି ଗୋଲିଆ ପାଖକୁ, ଆସିଲା ନାରଣ, ଆସିଲା ବାଉରିଆ, ଧୋବା, ବୀଢ଼ୀ, ନେତ, ଖେତ, ଗଲ୍‌ହୀ । ଚାଲିଲା ଖେଳ । ଛୁଟିଲୁ ଜୟୀ ଦାସ ତୋଟାରୁ କଳାମାଟି ତୋଟା, ପାଚିଲା ଆମ୍ବର ନିଶାରେ ପଡ଼ି ଆମେ ସେଦିନ କେଜାଣି କେତେ ବାଟ ଖେଦିଲୁ, ତାର ହିସାବ ନାହିଁ । କଳାମାଟି ତୋଟାର ଝୁମ୍ପୁରି ଗଛରୁ କିଏ ତୋଳିଲା ଝୁମ୍ପୁରି ।

 

ଆମ୍ବ ଫାମ୍ବ କିଛି ନାହିଁ, କୋଉଠୁ କେହି ଗୋଟାଏ ସୁକୁଟା କୋଇଲି ପାରୁଡ଼ା ଆମ୍ବ ପାଇଲେ, ଚାଲେ କଳିଗୋଳ । ଯାହାର ବଳ ବେଶିହୁଏ, ଶେଷରେ ତା’ରି ହୁଏ ସେଇ ସେନ୍ତେରା ଆମ୍ବଟା । ତା’ପରେ ଚାଲୁ ‘ବାହାବର’, ଯୋଉଠି ସବୁବର୍ଷ ଆମ ଗାଁର ଭଗତମେଲଣ ହୁଏ । ଖୁବ୍‌ ଝଙ୍କାଳିଆ ବର, ଓସ୍ତ ଏକାଠି ଲଗାଲଗି ହୋଇ କାହିଁ କେତେ କାଳରୁ ବଢ଼ିଉଠିଛି । ମୋଟା ମୋଟା ଡାଳ ତାର ଲାଗିଛି ମାଟିକି ।

 

ସେଇ ବାହାବର ଡାଳରେ, ଖେଳୁ ଡାଳମାଙ୍କୁଡ଼ି ଖେଳ, ତା’ରି ମୂଳରେ ଚାଲେ ବାଘ–ଛେଳି ଖେଳ । ସେଇ ବାହାବର ତଳେ ଠିଆ ହେଲେ ଦେଖାଯାଏ ପଁପାଲଗହିରା, ଫକିରପଡ଼ା, ବୁଣା ମଶାଣି ।

 

ପୁଣି ମୁହାଉଁ ବଳଭଦ୍ରପୁର, ବାଟରେ ପଡ଼େ ନେତ୍ରାଭୋଇ ଘର, ଆମର ପ୍ରୀତିବନ୍ଧୁ । ଟିକିଏ ତା’ ଆଗକୁ ପଡ଼େ ପକ୍ଷୀଖମାରିଙ୍କ ଘର । ଚଣାହଟ୍ଟା ଗ୍ରାମର ବିଖ୍ୟାତ ଜମିଦାର ଉପେନ୍ଦ୍ର ପଟ୍ଟନାୟକଙ୍କ ଖମାରୀ ସେ । ଟିକିଏ ଆଗକୁ ଗଲେ ଆଦର୍ଶ ପରିବାର କାଲ କମାରଙ୍କ ଘର । ଥିଲା ଥୋଇଲା ଘର ତାଙ୍କର ।

 

ମାଟିଘର ହେଲେ ବି ଭଲ ଚଳଣି । ପିତ୍ତଳ ହଣ୍ଡାରେ ଭାତ ବସେ । ଘର ଆଗରେ ବଡ଼ ଶାଳଘର । ସେଇ ଶାଳଭାଟିରେ ପାଖ ଆଖର ଲଙ୍ଗଳଫାଳ, ଦାଆ, କଟୁରୀ, ଶଗଡ଼ ନାଲ ପଜାଯାଏ । ବଡ଼ ଧାର୍ମିକ ମଣିଷ ସେ । ଦେବତା ବ୍ରାହ୍ମଣରେ ଭକ୍ତି ତାଙ୍କର ।

 

ପୁଅ, ନାତି, ଅଣନାତିରେ ଘର ସବୁବେଳେ ଗହଳି, ଚହଳି । ବଳଭଦ୍ରପୁର ଗାଁ ମୁଣ୍ଡରେ ଠିଆ ହେଇ ଅନେଇଲେ ଦୂରରୁ ଆଖିରେ ପଡ଼େ–ଗାରିଡ଼ି ପାଞ୍ଚଣ, ବିଶ୍ଵନାଥପୁର, ବାଲିପାଟଣା, ଯୋଉଠି ଆମ ଅଞ୍ଚଳର ପୁରୁଣା ଡାକଘର, ଥାନା, ଆଉ ସେଇ ବାଲିପାଟଣା ହାଟ ହେଲା ଆମର ସେ ମୁଲକର ପ୍ରତି ଗ୍ରାମବାସୀଙ୍କର ଜୀବନ ନାଟିକା । ସାତ ଦିନରେ ଦୁଇଥର ସେ ହାଟ ବସେ ।

 

କୋଉ ଗାଁରେ କିଛି ଗୋଟାଏ ଘଟଣା ବା ଦୁର୍ଘଟଣା ଘଟିଲେ, ଥାନା ମୁନ୍‌ସି ଘୋଡ଼ାରେ ଚଢ଼ି ଧୋବଲା ଧୂଳିଆ ସଡ଼କ ଉପରେ ଧୂଳି ଉଡ଼ାନ୍ତି । ସେଇ ସଡ଼କର ଦୁଇ ପାଖରେ ବଡ଼ବଡ଼ କିଆଭେଡ଼ ଆଉ ମଝିରେ ମଝିରେ ଆମ୍ବ ବର ଓ ଓସ୍ତ ଗଛ । ଏଇ ସଡ଼କ, ଭୁବନେଶ୍ଵରରୁ ବାହାରି ବାଳକାଟିଠାରେ ଦୟା, ଭାର୍ଗବୀ ନଈକୁ ଡେଇଁ, ବୁଦ୍ଧିପଡ଼ା, ମଧୁବନ ତୋଟା ଓ ଅଠାନ୍ତର ଦେଇ ମିଶିଛି ବନମାଳୀପୁରରେ । ଏଇ ସଡ଼କରେ ମୁଁ ଦେଖିଥିଲି–ପ୍ରଥମ ଶୂନୁଗାଡ଼ି (ସାଇକେଲ) ।

 

ଗାରିଡ଼ିପାଞ୍ଚଣ ଗଡ଼ାରୁ ଗଡ଼ିଲେ ଚାରି ପାଞ୍ଚଟା ଭାରୁଆ । ଆମେ ସେଇ ବଳଭଦ୍ରପୁର ଗୋହିରୀ ମୁଣ୍ଡରେ ଠିଆହୋଇ ଦେଖୁଥାଉ । ଧୀରେ ଧୀରେ ପାଖେଇ ଆସିଲେ ଭାରୁଆ । ବଡ଼ ବଡ଼ ବାକ୍ସ, ଟ୍ରଙ୍କ ଖୋଳ, ଢୋଲକି, ଆହୁରି କେତେକଣ । ବାହୁଙ୍ଗି ଓଜନରେ ମଟ୍‌ମଟ୍ ଡାକ ଛାଡ଼ୁଥାଏ ।

 

ଗୋଲିଆ ପାଟିକରି ଉଠିଲା : ‘ଯାତ୍ରାବାଲା’ !

 

ଠିକ୍‌ କଥା । ଅପା କହୁଥିଲା, ଆମ ଗାଁରେ ଯାତ୍ରା ହବ । ବଢ଼ିଆ ମଜା । ଆମେ ପିଲାମାନେ ନିଜ ନିଜ ମୁଁହକୁ ଥରକ ପାଇଁ ଅନେଇ ଦେଇ, ଫୁଟ୍‌କି ମାରି ଦଉଡ଼ିଗଲୁ ଘରକୁ । ପଛରେ ଯାତ୍ରୀବାଲାଙ୍କ ଭାରୁଆ ଆଉ ଆଗେ ଆଗେ ଆମେ ପିଲାସବୁ । ଭାରି ଖୁସି ଲାଗୁଥାଏ । ଟିକିଏ ଦୂରକୁ ଧାଇଁଯାଇ ପୁଣି ପଛକୁ ଫେରି ଚାହିଁରହୁ, ଠିଆ ହୋଇ ଅପେକ୍ଷା କରୁ ଭାରୁଆଙ୍କୁ ।

 

ଆମର ଆନନ୍ଦ ଦେଖି ଭାରୁଆ ପଚାରିଲେ–‘ଚଣାହଟ୍ଟା ଚୌଧୁରୀଙ୍କ ଘର କେତେ ବାଟ’ ?

ଆଗଚଲା ହେଇ ଉତ୍ତର ଦେଲି ମୁଁ, ‘ଆମ ସାଙ୍ଗରେ ଆସ ।’

ଭାରୁଆ ନିଃଶ୍ଵାସ ମାରିଲେ । ସମସ୍ତେ ସାଙ୍ଗ ହେଇ ଚାଲିଲୁ ଆମ ଗାଁକୁ । କେତେ ବାଟରୁ ସେମାନେ ଆସୁଥିଲେ । ଆମେମାନେ ଜାଣିନଥିଲୁ । ମୁଣ୍ଡ ଉପରେ ଖରା ସେତେବେଳକୁ ଟାଇଁଟାଇଁ ମାରୁଥାଏ, ଭାରୁଆଗୁଡ଼ାକ ପୂରାପୂରି ଝାଳରେ ଗାଧେଇ ପଡ଼ିଥାନ୍ତି ।

ଆମରି ଘରବାଟ ଦେଇ ଯିବାକୁ ହୁଏ, ଚଣାହଟ୍ଟାର ବିଖ୍ୟାତ ସେଇ ଚୌଧୁରୀ ପରିବାରଙ୍କ ଘରକୁ ।

ଭାରୁଆଙ୍କୁ ବାଟ ଦେଖେଇଦେଇ, ଆମେମାନେ ଯେଝା ଘରକୁ ଗଲୁ । ଭୋକ ଥିଲେ ବି ଖାଇବାକୁ ମନହଉନଥାଏ । କେମିତି ରାତି ହବ, କେମିତି ବାଜା ବାଜିବ–ଏଇକଥା, ଏଇଚିନ୍ତା, ମନ ଭିତରେ ମୋର ମହୁ ବୋଳିଦେଲା ପରି ଲାଗିଲା । କି’ମିଠା, କି’ମଧୁର ପାଟିରେ ଟୋପାଏ ମହୁ ପଡ଼ିଲେ, ତାକୁ ଯେମିତି ଢୋକିବାକୁ ମନ ବଳେନାହିଁ ! ସବୁବେଳ ପାଇଁ, ସବୁଦିନ ପାଇଁ ସେଇ ମହୁ ଟୋପାଟିର ମଧୁରତା ଲାଗିରହିବାକୁ ଇଚ୍ଛା ହୁଏ ସେମିତି, ଯାତ୍ରାବାଲାଙ୍କୁ ଦେଖି ଯାତ୍ରା ଦେଖିବାର ଆଶା–ବାସନା ମୋତେ ଉଚ୍ଛନ୍ନ କରିପକେଇଲା ।

ବାପାଙ୍କର ପୂଜା ସରିଯାଇଥାଏ । କୋଥଳୀ ପୂଜା । ସେ ପୂଜା ଆରମ୍ଭ ହେଲେ, ସରିବାକୁ ଅନେକ ସମୟ ଲାଗେ । ବସ୍ତାନି ଭିତରେ ଭାଗବତ, ଆହୁରି କେତେ କଣ ବହି, ଗଙ୍ଗାମୂର୍ତ୍ତିକା, ତିଳକ, ବ୍ୟାସାସନ, ପୋଡ଼ାମାଟିର ଜଗନ୍ନାଥ ମୂର୍ତ୍ତି ।

 

ବସ୍ତାନୀ ଖୋଲା ହୁଏ । ସବୁ ପୂଜା ଜିନିଷ ଚାରିପାଖେ ସଜଡ଼ା ହୋଇ ଥୁଆ ହୁଏ । ବାପାଙ୍କର ଗାଧେଇ ଆସିବା ବାଟରେ, ଗାଁର ଯୋଉ ବାଳକ ବାଳିକା ଭେଟ ହୁଅନ୍ତି, ସେମାନଙ୍କୁ କାଖେଇ, କୋଳେଇ ଅଣାହେଇଥାଏ, ସେଇ ବାଳକ ବାଳିକା ବାପାଙ୍କୁ ଘେରି ବସନ୍ତି ।

 

ସବୁ ପିଲାଙ୍କୁ ବାପା ବାଳକ, ବାଳିକା ସମ୍ବୋଧନ କରନ୍ତି । ଓଦା ଗାମୁଛାରେ ସବୁରି ମୁହଁ ପୋଛା ହୁଏ, ଦିହର ଧୂଳିବାଲି ସଫା ହୁଏ । ସେ’ ପୂଜା ଦେଖିବାକୁ ଗାଁର କେହିକେହି ବୁଢ଼ୀ, ଦରବୁଢ଼ୀ ବାପାଙ୍କ ଦୁଆର ମୁହଁରେ ରୁଣ୍ଡ ହୁଅନ୍ତି ।

 

କୋଥଳୀ ପୂଜା ଆରମ୍ଭ ହୁଏ, ତିଳକ ଘୋରା ହୁଏ । ବାପା ନିଜେ ଲଗାନ୍ତି ଏବଂ ସବୁ ପିଲାଙ୍କ ମୁଣ୍ଡରେ ଛାତିରେ ତିଳକ ଲାଗେ । ଭୋଗ ପାଇଁ ଯାହା ଯୋଉ ଦିନ ମିଳିଲା । ଗୁଡ଼, ଉଖୁଡ଼ା, ନବାତ ।

 

ସବୁ ପୂଜାପୂଜି ସରିଆସିଲେ ଆରମ୍ଭ ହୁଏ ଭାଗବତ ପାଠ । ଗଲା ଦିନରୁ ଯୋଉ ଅଧ୍ୟାୟ ବାକିଥାଏ, ଠିକ୍‌ ସେଇ ପୃଷ୍ଠାରେ ଚିହ୍ନ ଦିଆଯାଇଥାଏ ମୟୂର ଚନ୍ଦ୍ରିକା । ପ୍ରଥମେ ନିଜ ମୁଣ୍ଡରେ ଛୁଆଁଇ ତା’ପରେ ଛୁଏଇଁ ଦିଆଯାଏ ପିଲାମାନଙ୍କ ମୁଣ୍ଡରେ । ଭୋଗ ଖାଇ ପିଲାଏ ଫେରିଯା’ନ୍ତି ନିଜ ନିଜ ଘରକୁ ।

 

ଖରାରେ ବୁଲୁଥିଲି ବୋଲି, ଅପା ରାଗିଯାଇ ମୋର କାନ ମୋଡ଼ିଦେଲା । ଭାତ ଆଣି ମତେ ତାଟିଆରେ ଖୁଆଇଦେଲା । ଶୁଖୁଆ ଭଜା, ଆଉ ଫାଳ କୋଳଥ ଡାଲିରେ ଆମ୍ବୁଲ ପକେଇ ବୋଉ ତାକୁ ରସୁଣରେ ବଘାରି ଦେଇଥିଲେ । କି ସୁଆଦ, ପାଟିରୁ ଛାଡ଼ିବ ନାଇଁ !

 

ଗୁଣ୍ଡାଏ ଦି ଗୁଣ୍ଡା ଖାଇଛି କି ନାହିଁ ବାଉରିଆ ଡାକ ପକେଇଲା ରାଧାଗୋବିନ୍ଦଙ୍କ ପାଖରେ କୀର୍ତ୍ତନ ହବ, ଗୋବିନ୍ଦପୁରିଆ କୀର୍ତ୍ତନ କରିବେ । ରାଣୀହାଟିଆ କୀର୍ତ୍ତନ । ଖୋଳବାଜିବ, ଝାଞ୍ଜ ବାଜିବ । ମନ ପୂରିଗଲା, ପେଟ ପୂରିଗଲା । ଭାତ ତାଟିଆ ପାଖରୁ ଉଠିପଇଲି । ଅପା ମୋର ହାତକୁ ଭିଡ଼ିଧରି ମୁହଁ ଧୋଇଦେଲା ।

 

ଘରୁ ବାହାରି ଚାଲିଲୁ ରାଧାଗୋବିନ୍ଦଙ୍କ ପାଖକୁ । ଗୋହିରୀ ମୁଣ୍ଡରୁ ଡାହାଣ ପଟକୁ ଗଲେ ଆଗ ପଡ଼ନ୍ତି ବାଉରୀସାହିର ମଙ୍ଗଳା । କାଠରେ ତିଆରି ଛୋଟ ନିଶୁଣୀ ପରି ଦେଖିବାକୁ ମାଟିର ବେଦୀ, ତିନିପାଖରେ ଅଧାକାନ୍ଥି, ପାଖରେ ମାଟିକଳସ, ମାଟିଘୋଡ଼ା ପୁଣି ପୁରୁଣା ଯୋଡ଼ି ବେଣୀ, ନାଲି କରିଆ ଗୁଡ଼ିଆ ହେଇ ହଳଦୀ ଚୂଆ ବୋଳା ହେଇ କଳା ମଚମଚ ଦେଖାଯାଉଚି, ମଙ୍ଗଳାଙ୍କ ଦିହସାରା ସିନ୍ଦୁର । ମନ୍ଦାରମାଳ ।

 

ଆଉ ଟିକିଏ ଆଗକୁ, ‘କାଙ୍ଗାବୁଢ଼ା’ ଘର ଦାଣ୍ଡଘରେ ଗୋଟିଏ ପାଖରେ ତନ୍ତ ଓ ଗୋଟାଏ ପାଖରେ ଛୋଟ ଦୋକାନ ଖଣ୍ଡିଏ ଗୋଟିଏ–ପଇସା ପକେଇଦେଲେ ପାହୁଲାକର ପାନ, ପାହୁଲାକର ଗୁଆ, ପାହୁଲାକର ଧୂଆଁପତର ଉପରେ ଚୁଆ ଟୋପାଏ ପକେଇଦେଇ ଟେକିଦିଏ ସେ । ପଇସା–ବଦଳରେ ଧାନ, କୋଳଥ, ମୁଗ ନେଇ ସଉଦା ଦିଏ ସେ ।

 

ଟଙ୍କାକ ଷୋଳଅଣା, ଅଣାକ ଚାରିପଇସା, ପଇସାକ ଦୁଇ ଅଧଲା, ତିନି ପାହୁଲା । ଗୋଟାଏ ଅଣୀ ପାଇଲେ କାଙ୍ଗାବୁଢ଼ା କେତେ ରକମ ସଉଦା ଦିଏ, ଅଣୀକୁ ନେଇ କାନରେ ଖୋସିଦିଏ ।

 

ଠିକ୍‌ କାଙ୍ଗାବୁଢ଼ା ଘର ପାଖରେ, ଅନ୍ଧୁଣୀ ମାଗୁଣୀ ମା’ଘର, କେହି ନଥିଲେ ତା’ର । ବୟସ ଅନେକ ହବ, ବୁଢ଼ୀ ହେଇଥିଲେ ବି ୟା’ରି ତା’ରି ବୋଲହାକ ଅଣ୍ଡାଳି ଅଣ୍ଡାଳି କରେ ସେ । କାହା ପାଖରୁ ଭାତ ଗଣ୍ଡାଏ, କାହା ପାଖରୁ ତରକାରି ଟିକିଏ ପାଇ ଖୁସିରେ ଚଳିଯାଏ ସେ ।

 

ପିଲାଟି ବେଳରୁ ମୁଁ ଟିକିଏ ଆଇଁଷଲୋଭୀ ହେଇଥ‌ିବାରୁ, ବୋଉ ମୋର ଏଇ ଅନ୍ଧୁଣୀ ମାଗୁଣୀ ମା’କୁ କେତେବେଳେ ଚୁଙ୍ଗୁଡ଼ିଟାଏ ଅବା କେତେବେଳେ କେରାଣ୍ଡିଟାଏ ଦେଇଯିବାକୁ ବରାଦ କରିଥା’ନ୍ତି ।

 

କେବଳ ମୋ’ ବୋଉଙ୍କ ଅନୁରୋଧ ନୁହେଁ । ଏମିତି ଅନେକ ଲୋକଙ୍କର ଅନୁରୋଧକୁ ମାଗୁଣୀ ମା’, ହସିହସି ପାଳନ କରେ । ଆଉ ସେଇଥିପାଇଁ ଅନ୍ଧୁଣୀ ମାଗୁଣୀ ମା, ଦାଣ୍ଡଗାଡ଼ିଆ, ନୂଆ ଗାଡ଼ିଆ, ଯୋଡ଼, ସବୁଠି ଅଣ୍ଟାଏ ପାଣିରେ ପଶି ପଙ୍କରେ ମୀନ ଅଣ୍ଡାଳେ, ପାଏ ମଧ୍ୟ ।

 

ତା’ପର...... ବାଁ ହାତ ମୋଡ଼ ବୁଲିଲେ ପଡ଼େ ବୁଣା ସାହିର ଆଖଡ଼ା ଘର, ଆଗରେ ଚଉରା । ସେଇ ଆଖଡ଼ା ଘରେ, କାନ୍ଥରେ ବାଉଁଶ କିଳା ମରାଯାଇ କେତୋଟି ମୃଦଙ୍ଗ ରହିଥାଏ । ସଞ୍ଜ ହେଲେ ସେଇଠି ପିଲା ବୁଢ଼ା ରୁଣ୍ଡ ହୁଅନ୍ତି । କିଏ ମୃଦଙ୍ଗ ଶିଖେ, କିଏ କୀର୍ତ୍ତନ ଶିଖେ । ବୁଣା ସାହିର ବୁଦ୍ଧିଆ ବୁଣା ଏସବୁ କାମ ପାଇଁ ବଡ଼ ପାରିବାର ।

 

ଗଉଡ଼ସାହି ଟପିଲେ ରାଧାଗୋବିନ୍ଦଙ୍କ ବଡ଼ ପଥର ପାହାଚ । ଦେଉଳ ନୁହେଁ । ମଉଡ଼ ମରାଘର । ପାଖକୁ ରୋଷଘର । ରାଧାଗୋବିନ୍ଦଙ୍କ କାଠ ବିମାନ, ସବୁବର୍ଷ ପଞ୍ଚୁଦୋଳକୁ ବାହାରେ-। ଆଠଜଣ ଗଉଡ଼ କାନ୍ଧେଇଲେ ବି ସହଜରେ ଥକିପଡ଼ନ୍ତି ।

 

କଳା ମଚମଚ ମୁଗୁନି ପଥରରେ ଗଢ଼ା, ଗୋବିନ୍ଦଙ୍କ ତ୍ରିଭଙ୍ଗୀ ଠାଣୀ । ହାତରେ ବଂଶୀ-। ପାଦରେ ନୂପୁର । ସେ ରୂପ ଦେଖିଲେ କାହିଁକି କେଜାଣି ଆଖି ଛଳଛଳ ହୁଏ । ରାଧାଗୋବିନ୍ଦଙ୍କ ବଗଡ଼ା ଚାଉଳର ପ୍ରସାଦ, ଜୀବନରେ ଯେ ଥରକ ପାଇଁ ଖାଇଚି ଭୁଲି ପାରି ନାହିଁ ସେ ।

 

ବୋଉଙ୍କର ପ୍ରାୟ ଯେତେ ବ୍ରତ, ଏକାଦଶୀ ଦିଆଯାଏ । ପ୍ରସାଦ ଆସେ । ପରଶୁ ଭାଇନା, ବଳି ଭାଇନା ପଠେଇଦିଅନ୍ତି ଆମ ଘରକୁ । ବଡ଼ ଆଶା ସେ ପ୍ରସାଦରେ ମୋର ।

 

ଦେଖିଲୁ, ରାଧାଗୋବିନ୍ଦଙ୍କ ବାଘମୁହଁ ସାମନାରେ ହେଁସ ପଡ଼ିଛି । ଆଉ ତା’ଉପରେ ବସିଛନ୍ତି ଗୋବିନ୍ଦପୁରିଆ ରାଣୀହାଟ କୀର୍ତ୍ତନ ମଣ୍ଡଳୀ । ଚାରିପାଖରେ ପାଳିଆ ଓ ଗାୟକ ଦଳ । ଘେରି ଯାଇଛନ୍ତି ଗାୟକଙ୍କୁ । ଚାରିଦଳ ଝାଞ୍ଜ, ଚାରିଖଣ୍ଡ ଖୋଳ, ମାନ ଉଠେଇ କମ୍ପମାନ କରୁଛି ସେ ଖଣ୍ଡମଣ୍ଡଳକୁ ।

 

କୀର୍ତ୍ତନର ତାଳେ ତାଳେ, ମନ ମୋର ଯେମିତି ନାଚିବାକୁ ଆରମ୍ଭ କଲା । କ’ଣ ସେ ବାଦ୍ୟ, କ’ଣ ସେ ଗୀତ, କ’ଣ ଯେ ମାଦକ ଥିଲା ସେ ଗୀତ–ବାଦ୍ୟରେ, ମୁଁ କିଛି ନବୁଝି ସବୁ ଯେମିତି ବୁଝିଲା ଭଳି ଅନେଇଁ ରହିଲି ।

 

କେତେଲୋକ ଯେ ସେଠି ଜମା ହେଇଥିଲେ ଗଣି ହେବ ନାହିଁ । ସବୁରି ମୁହଁରେ କୀର୍ତ୍ତନର ତାରିଫ୍‌; ଠାକୁର ଘର ପଛକୁ ଖଣ୍ଡିଆ ଚଣାହଟ୍ଟା ସାହି ଝିଅ, ବୋହୂମାନେ ଆଗକୁ ନ ଆସି ଠାକୁରଙ୍କ ପଛ ବାରଣ୍ଡାରୁ ଖୁସିରେ ଉଁକି ମାରୁଥା’ନ୍ତି । କେତେ ଖୁସି, କେତେ ଆଉ, କେତେ ନୂଆବୋଉ (ଭାଉଜ), କେତେ ଅପା ଆଜି କୀର୍ତ୍ତନ ପାଇଁ ପାଗଳିନୀ,–କାହା ପାଦରେ ନୂପୁର, ମଲ୍ଲ, ପାହୁଡ଼ ଝୁମ୍‌ଝୁମ୍‌ । କାହା ହାତରେ ସୁବର୍ଣ୍ଣବାହୀ (ପାଣିକାଚ) ରୁଣୁଝୁଣୁ । କାହା ମଥାରେ ଚାଖଣ୍ଡେ ଲମ୍ବର ଓଢ଼ଣା । କିଏ ପୁଣି ମଥାରେ ରୂପା ପାନିଆ ଖୋସି ଚାରିପାଖରେ ବେଣୀ ଗୁଡ଼େଇ ମଝିରେ ମଝିରେ ବାଙ୍କ ଓ ଡିମ୍ବକଣ୍ଟା ମାରି ଗଲାସି ଭିଡ଼ିଛି ।

 

ରାଧାଗୋବିନ୍ଦଙ୍କ ଆଗ ବାଘମୁହଁରେ ବସିଛନ୍ତି ମୁଖିଆ ମାମଲତ୍‌କାରମାନେ ।

 

ବଇଷମ ଜେଜେ, ପରି ଜେଜେ, ବରି ଜେଜେ, ଘନ ଜେଜେ, ଅଛବ ଜେଜେ, ସହଦେବ ଦାଦି, ବୈକୁଣ୍ଡ ଦାଦି, ଜଗନ୍ନା ଭାଇ, ଯାଦବ ଭାଇ, ଆହୁରି କେତେ ।

 

ଖଣ୍ଡିଆ ଚଣାହଟ୍ଟା ସାହିର ଏଇମାନେ ହେଲେ ସବୁକିଛି । ଚୌଧୁରୀ ସାହିଆଙ୍କ ପରି, ଏମାନେ ସେତେ ଧନଶାଳୀ ନହେଲେ ବି ଧର୍ମପରାୟଣ, ବିଚାରବନ୍ତ । ଗରିବକୁ ଗରିବ କହି ଏମାନେ କେବେ ତାତ୍ସଲ୍ୟ କରନ୍ତି ନାହିଁ । ବରଂ ନିଜର କରନ୍ତି । ଗରିବ ମନରେ ସାହସ ଦିଅନ୍ତି । ନିତିଦିନିଆ ଚଳଣୀରେ ଟିକିଏ ସୁଦ୍ଧା ଏମାନଙ୍କର ବଡ଼ଲୋକି ନଥାଏ ।

 

କୀର୍ତ୍ତନ ବେଳକୁ ବେଳ ଜମି ଉଠିଲା । ଗଉଡ଼ ସାହିର ପିଲା, ଭୋଇ ସାହିର ପିଲା, ମାହାନ୍ତି ସାହିର ପିଲା ହାତ ଟେକି ପାଟିକରି ନାଚିଉଠିଲେ । ରାଧାଗୋବିନ୍ଦଙ୍କ ଦୋଳବେଦୀ ଉପରେ ଲୋକଭିଡ଼ । ବସିବାକୁ ଜାଗାନାହିଁ । ସମସ୍ତେ ଯେମିତି ଗୋଟିଏ ପରିବାରର, ଗୋଟିଏ ଘରର ମଣିଷ ଏମାନେ ।

 

ଖଣ୍ଡିଆ ଚଣାହଟ୍ଟା ସାହିର ଦାଣ୍ଡେ ଦାଣ୍ଡେ ଗଲେ, ବୁଣା ମଶାଣୀକୁ ବାଁ ପଟେ ରଖି ଆଗେଇଯିବାକୁ ପଡ଼େ ପଁପାଲ ଗାଁ’କୁ ।

 

ରାଧାଗୋବିନ୍ଦଙ୍କ ପଥର ପାହାଚ ଉପରେ ଠିଆ ହେଇ ଚାହିଁଲେ ଦେଖାଯାଏ ବଡ଼ ପୋଖରୀ ହୁଡ଼ା, କୁଳିନ୍ତିରା ଗୋବିନ୍ଦପୁର ଗାଁ, ଦରଡ଼ା ଗାଁ । ସେଇ ଦରଡ଼ା ଗାଁରୁ ସୁନେଇ ମା’ ଧୋବଣୀ ଆସେ ଆମ ଗାଁରୁ ମହଳ ଲୁଗା ନବାକୁ; ଭଲରେ, ମନ୍ଦରେ ସବୁଥିରେ ଖୋଜାହୁଏ ସୁନେଇ ମା’କୁ, ସଜ କାଚେ ସେ । କେବେ କାହାର ବାସୀ ଲୁଗା ଦର୍କାର ହେଲେ ବୋଦଖଣ୍ଡି ଧୋବାକୁ ନେହୁରା ହବାକୁ ପଡ଼େ ।

 

ଠାକୁରଙ୍କ ମୁହଁସିଧା ପଡ଼େ ଠାକୁର ଗାଡ଼ିଆ । ସେଇ ଗାଡ଼ିଆ ଉପର ଦେଇ ସରୁ ଛୋଟ ହୁଡ଼ାଟିଏ ଲମ୍ବିଯାଇଛି ବାଘୁଆଦଣ୍ଡା ପର୍ଯ୍ୟନ୍ତ । ଦୁଇ ପାଖରେ ଧାନକ୍ଷେତ ।

 

କୀର୍ତ୍ତନ ସରିଆସିଲା ବେଳକୁ ହେଲାଣି ମୁହଁ ସଞ୍ଜ । ଆରମ୍ଭ ହେଲା ଠାକୁରଙ୍କ ଆରତୀ-। ଠିଆ ହେଲେ ସମସ୍ତେ । ବାଜିଲା ଘଣ୍ଟ, ଘଣ୍ଟା ।

 

ମୂଷାଦାଦି, ନଖୀଭାଇ ଲୋକଙ୍କ ଭିତରେ କୋଉଠି ଥିଲେ, କୀର୍ତ୍ତନିଆଙ୍କଠୁଁ ଖୋଳ, ଝାଞ୍ଜ ନେଇ ଘଣ୍ଟ, ଘଣ୍ଟାର ଛନ୍ଦ ସାଙ୍ଗେ ଛନ୍ଦ ମିଶେଇ, ବାଦ୍ୟ–ଆରମ୍ଭ କଲେ । ଖଣ୍ଡି ବାଦ୍ୟ ସେ । ନୂଆ ଶିଖାଳୀ, ଦୁଇଜଣଙ୍କର ଗୀତ, ବାଦ୍ୟରେ ବଡ଼ ସରାଗ । ଏଇମାନେ ହିଁ ବୁଣା ସାହିର ଆଖଡ଼ାଘରେ, ସଞ୍ଜହେଲେ ପାଞ୍ଚଜଣଙ୍କୁ ଏକାଠି କରନ୍ତି । ଡିବିରି ଜାଳି ପିଲାଙ୍କ କୋଳରେ ଖୋଳ ଦେଇ ଉକୁଟ ଡାକନ୍ତି ।

 

ଖିନ୍ଦଳ ଖିନ୍ଦଳ ଖିନ୍ଦଳ ଖିଟା

ଧିନ୍ଦଳ ଧିନ୍ଦଳ ଧିନ୍ଦଳ ଧୀଟା

 

ଆରତୀ ସରିଲା । କଥା ପଡ଼ିଲା । ସେଇ ଗୋଟିଏ କଥା । ଗୋଟିଏ ଅଭାବ । ଗାଁରେ କୀର୍ତ୍ତନ ମଣ୍ଡଳୀ ଗଢ଼ା ହେବ, ନଦିଆ କୀର୍ତ୍ତନ । ଯୋଉଠି ଯେତେ ଦୂର ହେଲେ ବି ଲୋକ ଯାଇ ଆଣିବେ ଭଲ ମାଷ୍ଟ୍ର । ଏମିତି କୀର୍ତ୍ତନ ମଣ୍ଡଳୀ ଗଢ଼ା ହେବ ଯାହାର ସମସରିସା ହେବାକୁ ସେ ଖଣ୍ଡମଣ୍ଡଳରେ କେହି ନଥ‌ିବେ ।

 

ରାତି ହେଇଗଲା । ନଖୀଭାଇ, ମୂଷାଦାଦି ମୋତେ ଓ ବାଉରିଆକୁ ସାଙ୍ଗରେ ଧରି ଘରକୁ ଫେରିଲେ । ଘରେ ପହଞ୍ଚି ଦେଖିଲି, ରନ୍ଧା, ବଢ଼ା କାମ ଶେଷ । ବାପା ଖାଇ ଶୋଇଲେଣି । ଅପା ମୋତେ ଦେଖି ପାଟିକରି ଉଠିଲା, କହିଲା ଚଞ୍ଚଳ ଖାଇଦେ, ରାତି ଦୁଇଘଡ଼ିରେ ଯାତ୍ରା ଆରମ୍ଭ ହବ ।

 

ୟା ଭିତରେ, ଯାତ୍ରାବାଲାଙ୍କ ପାଇଁ ରୋଷେଇବାସର ବ୍ୟବସ୍ଥା ଆମ ଗୁହାଳ ଘରେ କରାଯାଇଥାଏ । ଆକାଶରେ ଧଳାଜହ୍ନ ବାବୁରୀ ବାଳ ରଖି ସୁନ୍ଦର ସୁନ୍ଦର କଳା, ଗୋରା ଛୋଟ ଛୋଟ ପିଲା ଆମର ଦାଣ୍ଡ ପିଣ୍ଢାରେ ଗଡୁଥା’ନ୍ତି । ମୁହଁରେ ତାଙ୍କର ଗୁଣୁ ଗୁଣୁ ଗୀତ, କେତେ କେତେ ଖୁସି ଗପ, ମୋର ମନରେ, ଆଖିରେ ସତେ ଯେମିତି ରଙ୍ଗ ବୋଳି ଦଉଥାଏ । ମୋର ସାଙ୍ଗସାଥୀ ସବୁ କିଏ ଛିଣ୍ଡା ହେଁସଖଣ୍ଡେ, କିଏ ସପ ଖଣ୍ଡିଏ, କିଏ ଛଣ ଦି’ବିଡ଼ା ଧରି ଛୁଟିଚାଲିଥା’ନ୍ତି ଚୌଧୁରୀ ସାହିର ଦାଣ୍ଡକୁ, ଆଗରୁ ବାପା, ଭାଇଙ୍କର ସ୍ଥାନ ରଖିବାକୁ ।

 

ଅପା ମୋତେ ପେଟେ ଭାତ ଖୁଆଇଦେଇ ବୋଉଙ୍କ ପାଇଁ ପାନ ଭାଙ୍ଗି ବସିଲା । ମୋର ଗୋଡ଼ ଆଉ ଘରେ ପଡ଼ୁନଥାଏ, କେତେବେଳେ ଯାତ୍ରାବାଲା ବେଶ ହେବେ । ଯାତ୍ରା ଆରମ୍ଭ ହବ, କେବଳ ଏଇ ଚିନ୍ତା ମନକୁ ଅଥୟ କରୁଥାଏ ।

 

ଯାତ୍ରାବାଲା ରାତିରେ ଭାତ ଖାଆନ୍ତି ନାହିଁ । ଗୁହାଳ ଘରେ ତାଙ୍କର ଡାଲମା ବସିଥାଏ ଗୋଟାଏ ଧାନ ଉସୁଆଁ ନଉତିରେ । ଫୁଟୁଥାଏ ଡାଲମା, ବୋଉ ମୋର ସେମାନଙ୍କ ପାଇଁ ସବୁରକମର ସାହାଯ୍ୟ କରିଦଉଥିଲେ । ପରିବା କାଟିବା, ଡାଲିରେ ପାଣି ଦବା, ଜିରା ମରିଚି ଭାଜିଦବା ସବୁଠୁ ସବୁକାମ । କହିଛି ତ, ପରକୁ ଆପଣାର କରିବାରେ, ବୋଉ ମୋର ଆମ ଗାଁରେ ଥିଲେ ଏକୁଟିଆ ।

 

ମୁଁ, କେତେବେଳେ ଯାତ୍ରା ପିଲାଙ୍କ ପାଖରେ, କେତେବେଳେ ବୋଉଙ୍କ ପାଖରେ ଅବା କେତେବେଳେ ଯାତ୍ରାବାଲା ରହୁଥ‌ିବା ଗୁହାଳଘରେ, ମୁହଁ ମାରିଦଉଥାଏ । ସେମାନେ ଯେମିତି ଆମର ଅତି ନିଜର ପରି ଲାଗୁଥାନ୍ତି ।

 

ଏତିକିବେଳେ, ଚୌଧୁରୀ ସାହିର ଭଗବାନ ଦାଦି ଦି’ଜଣ ଲୋକଙ୍କ ହାତରେ ଦୁଇଟା ବଡ଼ ବଡ଼ ଡାଲାରେ ଚୂଡ଼ାଭଜା, ହୁଡ଼ୁମ୍ବ, ନଡ଼ିଆ କୋରା, ଗୁଆଘିଅ, ନବାତ ଆଣି ପହଞ୍ଚିଗଲେ । ସେ’ ସବୁ ବୋଉଙ୍କ ଜିମା ଦିଆଗଲା । ଆଉ ଭଗବାନ ଦାଦି ଯିବା ଆଗରୁ କହିଗଲେ ଚଞ୍ଚଳ ଖିଆପିଆ ସାରି ବେଶଘରକୁ ଯିବାକୁ ।

 

ଚାଲିଲା, ଡକାହକା, ପତରଧୁଆ । ମୁଁ କି ଆଉ ସମ୍ଭାଳିପାରେ ? କାହାକୁ ନ ଡାକି ଚୁପ୍‌ କରି ଗୋଟାଏ ଡିଆଁ ମାରିଲି ଚୌଧୁରୀ ସାହିକି । ପାଦ ତ ଚାଲିଲା ନାହିଁ, କିଏ ଯେମିତି ମୋତେ ଟେକିଧରି ଦାଣ୍ଡ ଗାଡ଼ିଆ ଏପଟୁ ନେଇ ସେପଟେ ଥୋଇଦେଲା ।

 

ସେଇ ଚାନ୍ଦିନି ତଳେ ଚାରିଟା ବଡ଼ ବଡ଼ ଖୁଣ୍ଟ ପୋତା ହେଇ, ବିରାଟ ଚାନ୍ଦୁଆ ଟଣା ହେଇଥାଏ । ଦୁଇଟା ଚାନ୍ଦିନିରୁ ଗୋଟାଏ ହେଲା ସାନସାହି ଅର୍ଥାତ୍‌ ମଥୁରାନନ୍ଦ ପଟ୍ଟନାୟକ, ଶ୍ୟାମାନନ୍ଦ ପଟ୍ଟନାୟକଙ୍କର ଏବଂ ଅନ୍ୟଟି ମଝିସାହି ଅର୍ଥାତ୍ ଉପେନ୍ଦ୍ର ପଟ୍ଟନାୟକ, ରାମ ପଟ୍ଟନାୟକ ଓ ଲକ୍ଷ୍ମୀଧର ପଟ୍ଟନାୟକଙ୍କର । କୃଷ୍ଣମୋହନ ପଟ୍ଟନାୟକ, ପ୍ୟାରୀମୋହନ ପଟ୍ଟନାୟକଙ୍କ ତାପର ବଡ଼ଙ୍କ ସାହିରେ ଚାନ୍ଦିନି ନାହିଁ । କେବଳ ଉଚ୍ଚା ପଥର ବାରଣ୍ଡା । ପୁରୁଣା ଢଙ୍ଗରେ ପଥର କାନ୍ଥଦିଆ ଜାତିଆ କାଠପଟାରେ କଣ୍ଟା ମରାଯାଇ ନଡ଼ାରେ ଛାଉଣି ଲମ୍ବାଘର, ଦାଣ୍ଡ ଗାଡ଼ିଆ ତୁଠ ପାଖକରୁ ଆରମ୍ଭ ହେଇ କେଉଟ ସାହି ପାଖରେ ମିଶିଛି । ପ୍ରତ୍ୟେକ ପଥର ଖୁଣ୍ଟି ମୁଣ୍ଡରେ, ଯୋଡ଼ ସ୍ଥାନରେ, ପଟା ଦେହରେ ବିଭିନ୍ନ ଫୁଲ ଓ ଲତା କଟାଯାଇ, ମଗର ମୁହଁ ବାହାରିଛି ।

 

ସବୁ ସାହିର ଦାଣ୍ଡଘର ଖୁବ୍‌ ପ୍ରଶସ୍ତ । ଏବଂ ଗୋଟିଏ ଗୋଟିଏ ସାହି ଭିତରକୁ ଯିବାକୁ ହେଲେ ସେଇ ଦାଣ୍ଡଘର ଦେଇ ଯିବାକୁ ପଡ଼େ । ଚଉଡ଼ା ଚଉଡ଼ା ଚଉକାଠ ଉପରେ ଜାଉଁଳି ଶୁଆ ଖୋଳାଯାଇ ଖଇର କାଠର ଶାକରପଟା, ଲୁହା ଗୋବମରା ପ୍ରକାଣ୍ଡ ପ୍ରକାଣ୍ଡ ମୋଟା କବାଟ । ଗୋଟିଏ ସାହିର ଗୋଟିଏ ଦୁଆରମୁହଁ ଦେଇ ଭିତରକୁ ଗଲେ ଆଖିରେ ପଡ଼େ ଅନେକ ଘର ଏବଂ ଅନେକ ଦୁଆରମୁଁହ ଆଉ ଅନେକଗୁଡ଼ିଏ ଜୀବନରେ ଆନନ୍ଦମୟ କୋଳାହଳ ।

 

ସେସବୁ କୋଳାହଳ, ଉଚ୍ଛୃଙ୍ଖଳ ନୁହେଁ, ଅତି ଶୃଙ୍ଖଳିତ ସଭ୍ୟ ମନୁଷ୍ୟର ମାର୍ଜିତ କୋଳାହଳ । ହସିବାରେ, ବସିବାରେ, ଚାଲିବାରେ, ଠିଆହେବାରେ, ମୋଟାମୋଟି ସବୁଥିରେ ଯେମିତି କଳାର ପୂର୍ଣ୍ଣପ୍ରକାଶ ।

 

ପ୍ରତିଟି ସାହିରେ ସୁଖସମୃଦ୍ଧିର ଜୀବନ୍ତ ପ୍ରତିମୂର୍ତ୍ତି । ଅଭାବ ନାହିଁ, ଅଭିଯୋଗ ନାହିଁ, ବିଷ୍ଣୁଙ୍କ ପାଟରାଣୀ ମା’ କମଳା, ସତେଅବା ଚିରଦିନ ପାଇଁ, ଏଇଠି ଆସି ତାଙ୍କର ଆସ୍ଥାନ ଜମେଇ ଦେଇ ଅଛନ୍ତି ।

 

କେବଳ ମା’ ଲକ୍ଷ୍ମୀ ନୁହନ୍ତି, ମା’ ସରସ୍ଵତୀ ମଧ୍ୟ ଏଠାରେ ବିରାଜିତ । ଏଇ ଚୌଧୁରୀ ସାହିର ପ୍ରତ୍ୟେକ ପୁଅ, ପ୍ରତ୍ୟେକ ଝିଅ, ଗୋଟିଏ ଗୋଟିଏ ରାଗ–ରାଗିଣୀ ପରି । କଥାରେ ଏମାନଙ୍କର ଛନ୍ଦ, ଚଲାବୁଲାରେ ଏମାନଙ୍କର ଠାଣି ଭୁଲିବାର ନୁହେଁ, କେହି ପାସୋରି ପାରିବେ ନାହିଁ ।

 

ଏଇ ସାହିରେ, ଗୋଟିଏ ପଟରେ ଫୁଲ ଫୁଟିଲେ ଅନ୍ୟ ପଟରେ ଉଁକିମାରେ ନୂଆ କଢ଼ି-। ଗୋଟିଏ ପଟରେ ଜରାଗ୍ରସ୍ତ ବୃଦ୍ଧଙ୍କର ଖୁଁ ଖୁଁ କାଶ ଶୁଭିଲେ ଅନ୍ୟ ପଟରୁ ଶୁଭେ ସଦ୍ୟଜାତ ଶିଶୁର କୁଆଁ କୁଆଁ ଶବ୍ଦ । ଗୋଟିଏ ପଟରୁ ଛ’ଖଣ୍ଡ କାଠ ଲୋଡ଼ାହେଲେ ଆର ପଟରୁ ସଜଡ଼ା ଚାଲେ ପୁଆଣୀସଜ ।

 

ଚଣାହଟ୍ଟା (ତକାଠ ଦେଶର ଜଗନ୍ନାଥ କମୋଦରୀ)ର ବିଖ୍ୟାତ ଚୌଧୁରୀ ସାହି । ୟା’ରି ପଛରେ ରହିଛି ବେତ, ଭଇଁଚ, ଜାମୁ, ଆମ୍ବ, ଅଁଳା, ବର, ଓସ୍ତର ଏକ ନିଘଞ୍ଚ ବନର କ୍ଷୁଦ୍ର ସଂସ୍କରଣ ଅଁଳା ପଡ଼ିଆ । କୋଳରେ ତାର ବାରୀ ଗାଡ଼ିଆ, ଯୋଉଥିରେ ନିତି ନିତି ଫୁଟେ ନାଲି କଇଁଫୁଲ । ଯାହାର କାଚପରି ନୀଳ ଚକ୍‌ଚକ୍‌ ପାଣିରେ ଟପଟପ ପଡ଼େ ବର ଡାଳରୁ ପାକଳ ବରଫଳ ପାଖଗଛ ଡାହିରୁ ଉଡ଼ିଆସି । ଗଙ୍ଗେଇ ଚଢ଼େଇ ପାଣିରେ ଡୁବମାରି, ତାର ମୂନିଆ ଥଣ୍ଟରେ, ଟାଣିନିଏ ଟିକି ମାଛଟିଏ । ତୁଠରେ ପାଟିକରି ଉଠେ ପିଲାଟିଏ–

 

‘‘ଗଙ୍ଗେଇ ମୋ ପାଇଁ ବୁଡ୍‌

ମୁଁ ଦେବି ଛେନା ଗୁଡ୍‌ !’’

 

ସକାଳ ହେଲେ, ବାରିଗାଡ଼ିଆ ଶିଉଳୀମଖା ତୁଠରେ ରୁଣ୍ଡ ହୁଅନ୍ତି ବୋହୂ, ଭୂଆଷୁଣୀ ଆଉ ଛୋଟବଡ଼ ଅନେକ ଝିଅ । ପାଣି ଉପରେ ନାଚି ନାଚି ଯାଏ ସେମାନଙ୍କର ପ୍ରତିବିମ୍ବ । ଦେହରେ କୋଟିଏ କଇଁଫୁଲର ରଙ୍ଗଶୋଭା, ଯେମିତି ଗୋଟିଏ ଗୋଟିଏ ସ୍ଥଳକଇଁ । ଏମାନଙ୍କୁ ଦେଖ‌ିଲେ, ପରୀ ରାଇଜର ପରୀରାଣୀଙ୍କ କଥା ମନେ ପଡ଼େ । ବଳିଲା ବଳିଲା ଦେହ, ଟଣା ଟଣା ଆଖି, ଧନୁପରି କଳାକଳା ଭୁରୁ ମଝିରେ ଲମ୍ବାନାକ–ଯୋଉଠି ଯାହା ଯେମିତି ମାପରେ ରହିବାର କଥା, ତାକୁ ଠିକ୍‌ ସେତିକି ମାପରେ ରଖିବାକୁ, ବିଧାତା–ଗୋଟିଏ ଛାଞ୍ଚରେ ପକେଇ ଗଢ଼ିଛି ଏମାନଙ୍କୁ ।

 

ଏଇମାନଙ୍କ ସାଙ୍ଗରେ ଅପା ମୋର ବଉଳ, ଅଭଡ଼ା, ମଲ୍ଲୀକଢ଼ୀ, ଅଶୋକା ବସିଛି । ଖୁଦୁରୁକୁଣୀ, କୁଆଁର ପୂନେଇଁ, ରଜ ପାଳିବାକୁ ବୋଉଙ୍କୁ ନକହି ବାରିବାଟେ ଲୁଚି ପଳେଇଆସିଛି । କିଏ ବଡ଼, କିଏ ସାନ ହେଲେ ମଧ୍ୟ ସଭିଏଁ ଗୋଟିଏ ଦେହପରି ପରସ୍ପର ସହିତ ମିଶିଯାଇଛନ୍ତି ।

 

ମଥୁରୀଦାଦିଙ୍କ ସୁନ୍ଦରୀ ଆମ୍ବଗଛ ମୂଳେ ବଣଭୋଜି ହୁଏ । ପତଅପା, ବିଦୁଅପା, ଛୋଟୀଅପା, ମାଳୀଅପା, ଆଶାଅପା, ଟୁନୀଅପା, ନୀରଅପା, ଆହୁରି ଅନେକ ଝିଅ ଭାଗ ନିଅନ୍ତି ସେଇ ଖେଳଘରରେ ।

 

ମୋର ଧ୍ୟାନ ଭାଙ୍ଗିଗଲା । କିଏ ଗୋଟାଏ ମୋର ପିଠିରେ ଦାଉଁକରି ବିଧା ବସେଇ ଦେଲା, ଚମକିପଡ଼ି ଚାହିଁଲି ପାଖରେ ‘ନାରଣ’ ଠିଆହେଇ ହସୁଛି । ଇସ୍‌, କେତେଲୋକ, ଦାଣ୍ଡରେ ଆଉ ସ୍ଥାନ ନାହିଁ । ତେବେ ବି ପିମ୍ପୁଡ଼ି ଧାରପରି ଚାରିଆଡ଼ୁ ଲୋକ ଛୁଟିଛନ୍ତି । ବେଶଘର ହେଇଥାଏ କୃଷ୍ଣମୋହନ ଦାଦିଙ୍କ ନୂଆଘର । ସେଠି ବି ଲୋକଭିଡ଼ ।

ଚାନ୍ଦୁଆ ତଳେ ଗୋଟାଏ କଣକୁ ଖୁଣ୍ଟ (ଛୋଟ) ପୋତାଯାଇ, ଲଙ୍ଗଳ ଦଉଡ଼ି ଘେରେଇ, ବାଜାବାଲାଙ୍କୁ ବସିବାକୁ ଜାଗା ହେଇଥାଏ । ବାଜୁଥାଏ ଗିନି, ମର୍ଦ୍ଦଳ । ପାଖରେ ଥୁଆହେଇଥାଏ ହାରମୋନିୟମ୍‌, କର୍ଣ୍ଣେଟ୍‌, କ୍ଲାରିଓନେଟ୍‌, ଢୋଲ୍‌କି ଖେଳ, ଡୁବି–ତବଲା । କେବଳ ସଭାକୁ ଜମେଇବା ପାଇଁ ବାଜୁଥାଏ ମର୍ଦ୍ଦଳ ଆଉ ଗିନି । ସେତେବେଳେ ରାତି ହେଲେ ସବୁରି ଘରେ ଜଳୁଥୁଲା ଡିବି । ଆଉ ଥିଲା–ଥୋଇଲା ଘରେ ଅକାଳେ ସକାଳେ କେବେ ଯଦି କୁଣିଆ, ମଇତ୍ର ଘରକୁ ଆସିଯାଉଥିଲେ ତା’ହେଲେ ଜଳୁଥିଲା ଲଣ୍ଠନ୍‌ । ଗନ୍ଧତେଲ (କିରାସିନି)ର ବଡ଼ ଅଭାବ । ପାଣିଏ ଗନ୍ଧିତେଲ ପାଇଁ ଲୋକ ଛୁଟୁଥିଲେ କାହିଁ କେତେ ବାଟ–ବାଲିପାଟଣା ହାଟ, ବନମାଳୀପୁର ହାଟ ଓ ବାଳକାଟି ।

ଡେ’ଲାଇଟ, ପଞ୍ଚୁଲାଇଟ ଗାଁକୁ ଆସିନଥାଏ । ଆସିଥାଇପାରେ କିନ୍ତୁ ସେପର୍ଯ୍ୟନ୍ତ ଦେଖୁନଥାଏ ମୁଁ । ବଡ଼ ବଡ଼ ମେଳା–ମଉଚ୍ଛବ, ଦୋଳ–ମେଳନ, ନାଟ–ତାମସା ସବୁ କାମ ହଉଥିଲା ମଶାଲ ଆଲୁଅରେ ।

ଦୁଇଜଣ ମଶାଲ ଲଗେଇ, ସେଥ‌ିରେ ପୋଲାଙ୍ଗ ତେଲ ଢାଳି, ଠିଆହେଇ ଅପେକ୍ଷା କରିଥାନ୍ତି ସଖୀପିଲାଙ୍କ ଆସିବା ବାଟକୁ । ଚାନ୍ଦିନି ଉପରେ ଜାଲିବାଡ଼, ବୋହୂଭୁଆଷୁଣୀଙ୍କ ବସିବାପାଇଁ । ଗୋଟିଏ ପାଖରେ ଚୌକି, ଆରାମଚୌକି, ବେଞ୍ଚରେ ଯୋଗୀଜେଜେ, ଉପେନ୍ଦ୍ର ବଡ଼ାପା ଲକ୍ଷ୍ମୀଧର ବଡ଼ାପା, ମଥୁରୀଦାଦି, ରାମ ବଡ଼ପା, କୃଷ୍ଣମୋହନଦାଦି କାଳିଆଭାଇ, ଗେଣ୍ଡୁଭାଇ, ଉମାଭାଇ, ବୁଢ଼ାଭାଇ, ମହୀଭାଇ, ଭୋଇଭାଇ, ବେଙ୍ଗଭାଇ, ମୂଷାଭାଇ, କୁନାଭାଇ, ବାବାଜୀଭାଇ ବସିଗଲେଣି । ଯୋଗୀଜେଜେ ତାଙ୍କ ପାଖରେ ଥୁଆହେଇଥ‌ିବା ଗୁଡ଼ାଖୁ ହୁକା ନଳକୁ ମୁହଁରେ ଟାଣି ଘୁଡ଼ୁ ଘୁଡ଼ୁ ଶବ୍ଦକରି ଧୂଆଁ ଛାଡ଼ୁଥା’ନ୍ତି । ଧୂଆଁର ମିଠାବାସନା ସଭାର ଚାରିଆଡ଼େ ଖେଳି ଯାଉଥାଏ ।

କର୍ଣ୍ଣେଟ୍‌ ବାଜି ଉଠିଲା ଏବଂ ତା’ ସାଙ୍ଗରେ ଢୋଲ୍‌କି ଓ ଆଉ କେତେ ବାଦ୍ୟ । ଆସିଲେ ସଖୀପିଲା, ମୁହଁକୁ ମଶାଲ ଦେଖେଇ ବାଟ କଢ଼େଇ ଆଣିଲେ ମଶାଲିଆ । ହଳଦୀମଖା ମୁଁହ ଉପରେ କଣ ସବୁ ଚକ୍‌ଚକ୍‌ କରୁଥାଏ । ଗୋଡ଼ରେ ଘୁଙ୍ଗୁର, ହାତରେ, ବେକରେ, ବାହାରେ ସୁନେଲି ଡାକମାଳୀ । ଗଳାରେ ଝୁଲୁଛି ଶୋଲରେ ତିଆରି ଧଳା, ବାଇଗେଣି, ହଳଦିଆ ରଙ୍ଗର ଫୁଲମାଳ ।

ନାଚ ଆରମ୍ଭ ହେଲା । କି ସୁନ୍ଦର ସେ ନାଚ ! କେତେବେଳେ ଯୋଡ଼ି ଯୋଡ଼ି ହେଇ, କେତେବେଳେ ହାତକୁ ହାତ ଛନ୍ଦାଛନ୍ଦି ହେଇ ଗୀତ ବାଦ୍ୟର ତାଳ ସାଙ୍ଗରେ ଘୁରିଯାଉଥାନ୍ତି ସଖୀ ପିଲାମାନେ ।

ମୂଷାଦାଦି ମୋତେ ନେଇ ପାଖରେ ବସେଇଲେ । ମନ ମୋର କୋଉଥିରେ ନଥାଏ । ଇଚ୍ଛା ହଉଥାଏ ସେଇ ସଖୀପିଲାଙ୍କ ସାଙ୍ଗରେ ନାଚିଯିବାକୁ ।

ଏବେ ବି ମନେପଡ଼େ ସେଇ ଅପାସୋରା ପଦ ।

ଆହା କିବା ଶୋଭାରେ.......

ବସନ୍ତରେ ସଭାରେ.......ଫୁଟିଫୁଲ......

ମହକିଲେ ହସାଇ ଧରା....... ।

ସଖୀ ପିଲା ନାଚିନାଚି ହାତ ଧରାଧରି ହେଇ ଚାଲିଗଲେ । ଦେଖା ଦେଲେ ନଟ–ନଟୀ (ଶିବ–ପାର୍ବତୀ),–ପାର୍ବତୀଙ୍କ ମଥାରେ ମୁକୁଟ, କପାଳରେ ମକରିଚିତା, ଗେରୁଆ ଶାଢ଼ି, ହାତରେ ରୁଦ୍ରାକ୍ଷମାଳି ଆଉ ଶିବଙ୍କ ମୁଣ୍ଡରେ ନାଲିରଙ୍ଗର ଜଟା, ହାତରେ ତ୍ରିଶୂଳ, କମଣ୍ଡଳୁ ଓ ଦିହରେ ଲମ୍ବା ଗେରୁଆ ଆଲ୍‌ଖାଲା । ତା’ପରେ ବାଜିଲା ପୁଣି ସେଇ କର୍ଣ୍ଣେଟ୍‌ ଆଉ ଢୋଲ୍‌କି । ଆସିଲେ ରାଜା ଆଉ ରାଣୀ, ସାଙ୍ଗରେ ଦାସୀ–ଆରମ୍ଭ କଲେ ବଚନିକା ।

ଶିବ, ଶିବ ବନ୍ଦନା ଗାଇଲେ । ପାର୍ବତୀ, ପାର୍ବତୀ ବନ୍ଦନା ଗାଇଲେ । ଉଭୟେ ଆରମ୍ଭ କରାଯାଉଥିବା ସୁଆଙ୍ଗ ବିଷୟରେ ସୂଚନା ଦେଇ, ସଭାର ଚାରିପଟକୁ ବୁଲି ବୁଲି, ହାତ ଯୋଡ଼ି ପ୍ରଣାମ କରି ସଭାରୁ ମେଲାଣି ନେଲେ ।

ସମସ୍ତେ ଚାହିଁ ରହିଥାନ୍ତି, କାହାରି ଆଖିରେ ଯେମିତି ପଲକ ପଡ଼ୁନଥାଏ । ହରିଶ୍ଚନ୍ଦ୍ରଙ୍କ ବିଷୟ । ପୁରାଣ କଥା, କିଏ ବା ନଜାଣେ ? ହେଲେ, ଆଗରୁ କାନରେ ଶୁଣିଥିବା କଥା ଏବେ ଆଖିରେ ତାକୁ ଦେଖିବା କଥା–ଆକାଶପାତାଳ ତଫାତ୍‌ । ଦେଖେଣାହାରୀଏ, ଏଇ କାରଣରୁ ଯେ’ ଯୋଉଠି ଯେମିତି ଅବସ୍ଥାରେ ବସିଥାନ୍ତି ସେ’ ଠିକ୍‌ ସେମିତି ଅବସ୍ଥାରେ ଅନେଇ ରହିଥାନ୍ତି ଅଭିନୟର ଗତି ଓ ଚରିତ୍ରକୁ ।

ନାଟ ଦେଖୁ ଦେଖୁ ମନରେ କେତେ କଥା ଭାବିପକାଏ, ଆମ ଗାଁଟା ସତେ କ’ଣ, ହରିଶ୍ଚନ୍ଦ୍ର ରାଜାଙ୍କ ଉଆସ ? ଆମେ ସମସ୍ତେ କ’ଣ ତାହେଲେ ସେଇ ରାଜାଙ୍କ ପରିବାରର ଲୋକ-? ସେଇ ଶୈବ୍ୟା, ସେଇ ରୋହିତାଶ୍ଵ ସେମାନେ କ’ଣ ତାହେଲେ ଆମର ନିଜର ଆଉ ଅତି ଆପଣାର ? ଯାତ୍ରାର ପ୍ରତ୍ୟେକଟି ଚରିତ୍ର ଆଖି ଆଗରେ ଆସି, ଯାହା କୁହନ୍ତି, ଯାହା କରନ୍ତି ସେ ସବୁ ଯେମିତି ଆମରି କଥା, ଆମରି ଚଳଣି । ସେଇଥିଲାଗି ଆମେମାନେ ସେମାନଙ୍କ ସୁଖରେ ସୁଖୀ, ଦୁଃଖରେ ଦୁଃଖି ହେଇପଡ଼ି ନୀରବ, ନିଶ୍ଚଳ ଭାବେ ବସିପଡ଼ି ଚାହିଁଥାଉ କ’ଣ ଘଟୁଛି ଓ ଆଉ କ’ଣ ଘଟିବ । ସେ ସବୁ ଘଟଣା ଯେମିତି ଆମରି ଜୀବନର ଘଟଣା ।

ସୁଆଙ୍ଗ ମଝିରେ ବାହାରିଲା ଦୁଆରୀ । ଅଦ୍ଭୁତ ରୂପ ତାର । ହାତରେ ତିନିବାଙ୍କିଆ କଣ୍ଟାବାଉଁଶ ବାଡ଼ି, ମୁଣ୍ଡରେ ବେଣ୍ଟି । ଦିହରେ ନାଲିଜାମା, ଅଣ୍ଟାରେ ବଡ଼ ବଡ଼ ଘାଗୁଡ଼ି, ମୁଁହରେ ହଳଦୀ ସିନ୍ଦୁରର ଛାପ ।

ଦୁଆରୀ ପାଇଁ ସ୍ଵତନ୍ତ୍ର ଧରଣର ବାଜା ବାଜେ ଏବଂ ସେଇ ବାଜା ସାଙ୍ଗରେ ଦୁଆରୀ ନାଚ କରେ, ଗୀତ ବୋଲେ । ବାଜା ସାଙ୍ଗରେ ଗୁଡ଼ାଏ ଢିଙ୍କିକୁଟା ନାଚ ନାଚିବା ପରେ ଦୁଆରୀ ଧଇଁସଇଁ ହେଇ ଆରମ୍ଭ କଲା ଗୀତ । ମଜାଦାର ଗୀତ–

ବିରାଡ଼ି କି’ ନକଲା ଲୋ–

ଧାନ ମାଣକର ଚୁଙ୍ଗୁଡ଼ି ଶୁଖୁଆ

ଟାଉ କରି ଗିଳି ଦେଲା

ବିରାଡ଼ି କି’ ନକଲା ଲୋ ।

ବିରାଡ଼ିକି ମାରିବି ବୋଲି

ଆଣିଥିଲି ଠେଙ୍ଗା........

ଭାଡ଼ି ତଳେ ପଶି ରାଣ୍ଡର ବିରାଡ଼ି.........

ହୋଇଗଲା ଡେଙ୍ଗା

ବିରାଡ଼ି କି ନକଲା ଲୋ....... ।

 

ଦୁଆରୀ ଗୀତ ଆରମ୍ଭ କରି ପଦ ଶେଷ କଲେ, ପାଳିଆ ସେଇ ପଦକୁ ଦୋହରାନ୍ତି । ବାଜାବାଲାଙ୍କ ପାଖରେ ଯୋଡ଼ିଏ ଛୋଟ ପିଲା ମୁହଁରେ ହଳଦୀ, ଆଖିରେ କଳା ଲଗେଇ ସରୁ ଗଳାରେ ପାଳି ଧରନ୍ତି । ସେଇ ପାଳି ସାଙ୍ଗେ ଚାଲେ ନାଚ । ବେଙ୍ଗ ଡେଇଁଲା ଭଳି ଦୁଆରୀ କୁଦା ମାରି ନାଚେ ।

 

ପିଲା, ବୁଢ଼ା ହସିହସି ଗଡ଼ିଗଲେ । ଖାଲି ତାଳି ଉପରେ ତାଳି । ସମସ୍ତଙ୍କ ମନକୁ ଏ ଗୀତ, ନାଚ ବେଶ୍‌ ପାଇଯାଉଥାଏ । ମୋ ପାଖରେ ମୂଷାଦାଦି, ବେଙ୍ଗ ଭାଇ ବସି ଖୁବ୍‌ ପ୍ରଶଂସା କରୁଥାନ୍ତି ଯାତ୍ରାବାଲାଙ୍କର ।

 

ହସ, କାନ୍ଦ ଭିତର ଦେଇ, ଯାତ୍ରା ଭାଙ୍ଗିଲା ସକାଳର ସୂର୍ଯ୍ୟ ଉଇଁଲାବେଳକୁ । ଏତେ ଲୋକ, ଆଖି ପିଛୁଳାକେ କିଏ କୁଆଡ଼େ ଗଲେ । ସବୁ ଶୁନ୍‌ଶାନ୍‌ । ରାତି ଅନିଦ୍ରାରେ ଆଖିପତା ମାଡ଼ିପଡ଼ୁଥାଏ । ଘୁମେଇ ପଡ଼ିଲି ସେଇଠି–ସେଇ ମଝିସାହି ଚାନ୍ଦିନି ଉପରେ ।

 

କି ସୁନ୍ଦର ସ୍ଵପ୍ନ ସେ......ନିଦରେ ବି ଦେଖାଦେଲେ ସେଇ ରାଜା, ରାଣୀ, ଦୁଆରୀ–ଭାନୁମତୀ ଖେଳ ଭଳି ଗୋଟିକ ପରେ ଗୋଟିଏ ଦେଖାଦେଇ ପୁଣି କୁଆଡ଼େ ଉଭାନ୍‌ ହେଇଯାନ୍ତି । ଦୁଆରୀ ହସେ, ଦେଖେଣାହାରୀ ହସନ୍ତି । ପୁଣି ଚାଲେ ନାଚ ଆଉ ସେଇ ଗୀତ–

 

‘‘ବିରାଡ଼ି କି’ ନକଲା ଲୋ........ !’’

 

ନିଦରେ ହସିଉଠିଲି ମୁଁ । ଘୁମ ଭାଙ୍ଗିଗଲା, ଦେଖିଲି ପାଖରେ ନବଦାଦି ଠିଆ ହେଇ ମତେ ଡାକୁଛନ୍ତି । ଖରା ଚାନ୍ଦିନି ଉପରେ ପଡ଼ି ଟାଇଁ ଟାଇଁ ମାରୁଥାଏ । କୋତରା କରିଆ ଖଣ୍ଡିକରେ ଦେହକୁ ଝାଡ଼ିଦେଇ ଉଠି ଠିଆ ହେଲି, ଚାଲିଲି ଘରକୁ, ମନେପଡ଼ିଗଲା ସେଇ ଗୀତ ପଦକ ‘‘ଧାନ ମାଣକର ଚୁଙ୍ଗୁଡ଼ି ଶୁଖୁଆ.........’’

 

ଘରେ ବାହାରେ ଆମର ଆଉ ଠାବ ନଥାଏ । ସବୁ ଆଡ଼େ ଯାତ୍ରାପିଲା ମାଳମାଳ । ରାତିରେ ଯାତ୍ରା ଦେଖି ଭୋଇସାହିର, ବ୍ରାହ୍ମଣସାହିର ଟିକିଟିକି ପିଲା, ଝିଲା ଭିଡ଼ ଜମେଇଥାନ୍ତି, ଆମର ଦାଣ୍ଡଦୁଆରେ ଆଉ ବାରିଦୁଆରେ । ବାପା ତାଙ୍କ ଘରେ ଆରମ୍ଭ କରିଥାନ୍ତି କୁନିକୁନି ବାଳକବାଳିକାଙ୍କୁ ନେଇ କୋଥଳୀ ପୂଜା, ଗାଉଥାନ୍ତି ଗୀତପଦେ–

 

‘‘ଶୁଖା, ଖଡ଼ଖଡ଼ ମିଛ ମାୟାରେ ପଡ଼ି ହୁଅ–

ନଡ଼ବଡ଼ ନଡ଼ବଡ଼......... ।’’

 

ଅପା ମୋତେ ଦେଖିଲା । କାଳେ ପାଟି କରିବ ଏଇ ଡରରେ, ଅପାକୁ ଦେଖି ବାପାଙ୍କ ଗଳାରେ ଗଳା ମିଳେଇ ଆରମ୍ଭ କରିଦେଲି ପୂର୍ବରାତିର ଯାତ୍ରା ଦୁଆରୀର ସେଇ ଗୀତ ପଦକ–

 

‘‘ଧାନ ମାଣକର ଚୁଙ୍ଗୁଡ଼ି ଶୁଖୁଆ

ଟାଉକରି ଗିଳିଦେଲା–ବିରାଡ଼ି

କି’ ନକଲା ଲୋ......’’

 

ଅଣ୍ଟାରେ ହାତ ଦେଇ ନାଚିଗଲି ମୁଁ । ବାପାଙ୍କ ଗୀତ ବନ୍ଦ ହେଇଗଲା । ଅପା ହସିଉଠି ମୋତେ କାଖେଇ ପକେଇଲା, ପିଲାମାନେ ତାଳିମାରି ହସିଉଠିଲେ । ପାଖରେ ଠିଆ ହେଇଥିଲା, ତିନ୍ତୁଳିମୂଳ ବାଞ୍ଚାଭୋଇର ଭଉଣୀ ହାଡ଼ୀ । ମୁହଁରେ ଲୁଗା ଦେଇ ହସି ପକେଇଲା । ତାକୁ ଦେଖି ପିଲାଗୁଡ଼ାକ ଚିଡ଼େଇବାକୁ ପାଟିକରି ଢଗ ପକେଇଲେ–

 

‘‘ହାଡ଼ୀ, ଠେକିରେ ପୁଞ୍ଜାଏ ପାଡ଼ି,

ନାରଦାରେ ଘର ଛାଡ଼ି ।’’

 

ହାଡ଼ୀ, କୋଉ ଅଶୁଭ ମୁହୂର୍ତ୍ତରେ ବାପଘର ଛାଡ଼ି ବୋହୂ ହେଇ ଯାଇଥିଲା ନାରଦା ଗାଁକୁ; ତା’ର ଆଶା ଥିଲା ଅନ୍ୟମାନଙ୍କ ପରି ସ୍ଵାମୀ ସୁଖରେ ସୁଖୀ, ସ୍ଵାମୀ ଦୁଃଖରେ ଦୁଃଖୀ ହେଇ ଆରମ୍ଭ କରିବ, ଗେଣ୍ଡା, କୋଚିଆର ସଂସାର । କିନ୍ତୁ ବିଧାତା ସହିଲେ ନାହିଁ । ବାଉରୀ ଘରର ଅଭାବ ଅସୁବିଧାକୁ ସମ୍ଭାଳି ନପାରି ବିକଳରେ ପଳେଇ ଆସିଲା ବାପଘରକୁ । ବଡ଼ ହୀନିମାନୀ ସେ, ବୋଝ ଉପରେ ଲଳିତା ବିଡ଼ା ପରି ହାଡ଼ୀକି ଚିଡ଼େଇ ମାରନ୍ତି ଛୁଆଗୁଡ଼ାକ ।

 

ରାଗମିଶା ଲାଜରେ ହାଡ଼ୀ ଆଉ ଠିଆ ହେଇନପାରି ପଳେଇଗଲା ସେଠୁ; ବେଳେବେଳେ ବୋଉଙ୍କର ବୋଲହାକ କରେ ସେ, ପର ଉପକାରୀ ।

 

ଏମିତି ଏମିତି ଖାଲ, ଢିପ, ଶଗଡ଼ ଗୁଳାରେ ଶଗଡ଼ ଗଡ଼ିଲା ପରି ଗଡ଼ି ଚାଲିଥାଏ ମୋର ଜୀବନ–ଚକ । ୟା’ ଭିତରେ ଆମ ବାରିଗାଡ଼ିଆ ବାଉଁଶବୁଦା, କେତେଥର ପର ଝଡ଼ା ଦେଇ ପୁଣି କଅଁଳି ଉଠିଛି । ଦାଣ୍ଡ ଗାଡ଼ିଆ ଗାଧୁଆ ତୁଠରେ, ଗିଲବୁଦାରେ କେତେଥର ଫୁଲ ଫୁଟି କଷି ଧରିଛି ।

 

ନଖିଭାଇ, ମୂଷାଦାଦି, ଉମାଭାଇଙ୍କ ଆଶା ପୂର୍ଣ୍ଣ ହେଇଛି । ଗାଁରେ ଗଢ଼ାଯାଇଛି କୀର୍ତ୍ତନ ମଣ୍ଡଳୀ ନଦିଆ କୀର୍ତ୍ତନ । ଜଗତ୍‌ସିଂପୁର ପୁନଙ୍ଗ ଗାଁର ମଧୁ ଗୋସେଁଇ, ଗୌର ଗୋସେଁଇ ଆମର ମାଷ୍ଟ୍ର ।

 

ରାତିରାତି ଧରି କୀର୍ତ୍ତନ ଶିଖୁ । ଓଡ଼ିଆ, ବଙ୍ଗଳା ଗୀତ । ଗାୟକ ମୁଁ, ଆଗ ଗାଏ ଏବଂ ପାଳି ଧରନ୍ତି ସାଧୁଆ, ଗୋଲିଆ, ନାରଣ, ବାଉରିଆ, ଧୋବା ଓ ବୁଦ୍ଧିଆ ବୁଣା । ସାଙ୍ଗରେ ନଦିଆ ଖୋଳ ବଜାନ୍ତି ନଖିଭାଇ ଓ ମୂଷାଦାଦି ଆଉ ଅନ୍ୟମାନେ ବଜାନ୍ତି ଗିନି ।

 

‘‘ଓ’ ମନ୍‌ ରସନା... ହରୀନାମ୍‌ ମନେ ପଡ଼େନା...

ଭାବେ ଆତ୍ମା, ଯାଓ୍ୟା ବୃଥ୍ୟହଲୋ...

ତାଓକି ତୁମୀ ଜାନନ ।o।

(ଓ’ ମନ୍‌) ପ୍ରଥମ୍‌ କାଲେ ମାୟେର୍‌ ଗର୍ଭେତେ ଛିଲେ

ଜଠ୍‌ର ଯନ୍ତ୍ରନା କଭୁ ବୁଝ୍‌ତେ ପେରେଛିଲେ ?

ଏଖନ୍‌ ଟେରିକେଟେ, ଘଡ଼ି ଏଣ୍ଟ...

କର୍‌ତେ ଚାଓ ବାବୁୟାନା ।୧।

ଓ’ମନ୍‌ ରସନା.... ।’’

 

କେତେ ସୁନ୍ଦର ଭାବ ସେ ଗୀତର, ଭାବରେ ବୁଡ଼ିଯାଏ ମୁଁ । ବୁଝିପାରେନା କଣ ମୋର ହଉଚି । ଆଖିରୁ ଗଡ଼ିପଡ଼େ ଲୁହ । ନିଜେ କାନ୍ଦି, ଦର୍ଶକମାନଙ୍କୁ କନ୍ଦେଇ ପକାଏ ମୁଁ ।

 

ଆମ ଗାଁର ଦୂର, ନିକଟ ଗାଁମାନଙ୍କରୁ ନିମନ୍ତ୍ରଣ ଆସେ ଆମର କୀର୍ତ୍ତନ ମଣ୍ଡଳୀକୁ । ତା’ ସାଙ୍ଗେ ସାଙ୍ଗେ ବିଭିନ୍ନ ଦୋଳ ମେଲଣକୁ, ଆମ ଗାଁ ଠାକୁର ରାଧା ଗୋବିନ୍ଦଙ୍କ ସାଙ୍ଗେ ଯାଉ କୀର୍ତ୍ତନ କରିବାକୁ । ସମସ୍ତଙ୍କ ମୁଁହରେ ପ୍ରଶଂସା ଓ ଧନ୍ୟଧନ୍ୟ ।

 

କୀର୍ତ୍ତନ ମଣ୍ଡଳୀ ତ ସବୁ ସ୍ଥାନରେ ସୁନାମ ଅର୍ଜନ କରେ; ତା’ଛଡ଼ା ବ୍ୟକ୍ତିଗତ ଭାବେ ପ୍ରଶଂସା ମିଳେ ମୋତେ ବେଶି, ଗୌରାଙ୍ଗ ବେଶରେ ସଜେଇ ଦିଆଯାଏ ମୋତେ । ହାତରେ ସୁନାଖଡ଼ୁ, ଗଳାରେ ମାଳି, କୁଞ୍ଚ କରି ପିନ୍ଧେଇ ଦିଆଯାଏ ଚମ୍ପାଫୁଲିଆ ପାଟଯୋଡ଼ । ଗୋରା ମୁହଁରେ ପୁଚ୍‌କା ପୁଚ୍‌କା ଗାଲ, କପାଳରେ ହରିମନ୍ଦିର ଚିତା କାଟି ଛାଡ଼ିଦିଆଯାଏ କୀର୍ତ୍ତନ ଗାଇବାକୁ ମତେ । ସଭାରେ ଅଭିନୟ କରିଥାଏ ମୁଁ–

 

‘‘ଧିକ୍‌ ଧିକ୍‌ ଆମୀ ଦୁରାଚାର ରେ.........

କରିଲୁ ଅସତ୍‍ ସଙ୍ଗ–ସକଲି ହଇଲ ଭଙ୍ଗ

ନା ଭଜିଲୁ କେନ ଅବତାର ରେ....... ।’’

 

ସେଦିନ କଷଟି ଗ୍ରାମରୁ ନିମନ୍ତ୍ରଣ ଆସିଥାଏ କୀର୍ତ୍ତନ ମଣ୍ଡଳୀକୁ । ଅଷ୍ଟପ୍ରହରୀରେ ଯୋଗ ଦେବାକୁ ହେବ । ବଡ଼ ଧୁମ୍‌ଧାମ୍‌ରେ ଚାଲିଲା ଆମର ଅଭ୍ୟାସ । ସକାଳୁ ଲୋକ ଚାଲିଲେ ଗିରିଙ୍ଗ ଗ୍ରାମକୁ ଖୋଳ କିରଣ କରିବାକୁ । ଆମେ ଆମର ନିଜ ନିଜର ଲୁଗା, କୁରୁତା ସଫା କରିବାରେ ଲାଗିପଡ଼ିଲୁ । ମୁହଁରେ ଗୀତ, ଚାଲିରେ ଠାଣୀ, ମନ ଖାଲି ଉଡ଼ୁଥାଏ ।

 

ଅନେକ ବାଟ ଚାଲିକରି ଯିବାକୁ ହେବ । ରାତିଘଡ଼ିକେ ଅଧିବେଶନ ଆରମ୍ଭ । ଗହୀରି ବିଲ ଅମଡ଼ା ବାଟରେ ପଶି, ପହଞ୍ଚିଲୁ କଷଟି ଗ୍ରାମରେ । ବହୁ ଲୋକଙ୍କ ପାଇଁ ଖିଆପିଆର ବ୍ୟବସ୍ଥା । ପର୍ବତପ୍ରମାଣ ପଦ୍ମପତ୍ର । ଧାଡ଼ି ଧାଡ଼ି ନାଲିଘରେ ବିଭିନ୍ନ କୀର୍ତ୍ତନ ମଣ୍ଡଳୀଙ୍କ ବିଶ୍ରାମ ସ୍ଥାନ । ରୋଷଘରେ ବଡ଼ ବଡ଼ ପିତ୍ତଳ ହଣ୍ଡାରେ ଅରୁଆ ଅନ୍ନ, ଡାଲି, ଶାକର, ତରକାରୀ ଏକା ଖନ୍ଦାରେ ବସି ଫୁଟୁଥାଏ ଟକ୍‌ମକ୍‌ ।

 

ଅଧିବେଶନ ଆରମ୍ଭ ହେଲା । ଆମେମାନେ ଗୋଡ଼, ହାତ ଧୋଇକରି ଯୋଗ ଦେଲୁ ନାମ କୀର୍ତ୍ତନରେ । ପାଳିକରି ବିଭିନ୍ନ ସମ୍ପ୍ରଦାୟଙ୍କୁ ଜଣେଇ ଦିଆଯାଇଥାଏ ଯେଝା ଯାହାର ନିର୍ଦ୍ଦିଷ୍ଟ ସମୟରେ ଆସି ନାମ କୀର୍ତ୍ତନ କରିବାକୁ । ସ୍ଥିର କରାଯାଇଥାଏ ମହାମନ୍ତ୍ର ।

 

‘‘ହରେ କୃଷ୍ଣ ହରେ କୃଷ୍ଣ

କୃଷ୍ଣ କୃଷ୍ଣ ହରେ ହରେ

ହରେ ରାମ ହରେ ରାମ

ରାମ ରାମ ହରେ ହରେ !’’

 

ଏଇ ସୁମଧୁର ମହାମନ୍ତ୍ରକୁ କିଏ କେତେ ରକମର, କେତେ ମଧୁର ସ୍ଵରରେ ଛଳ ରଖି, ତାଳ–ଲୟ ସହ ପରିବେଷଣ କରିପାରିବ, ପୁଣି ଅବିରାମ ଗତିରେ–ସେଇଟା ହେବ ବିଚାରର ବିଷୟ । ଏଇଥିରୁ ହିଁ ଭିନ୍ନଭିନ୍ନ ମଣ୍ଡଳୀର ମାନ ନିରୂପଣ କରାଯିବ ।

 

ଶେଷରେ ଆମରି ଗାଁ କୀର୍ତ୍ତନ ମଣ୍ଡଳୀ ସରସ ହେଲା । ମୋର ମଧୁର କଣ୍ଠରେ ସୁଲଳିତ ମହାମନ୍ତ୍ରକୁ ଆହୁରି ସୁନ୍ଦର, ସରସ କଲା ମୂଷାଦାଦିଙ୍କ ମୃଦଙ୍ଗବାଦ୍ୟ । ସେଦିନର ସେଇ ପ୍ରଶଂସା ଯେ କେବଳ ଏକା ମୋର ଥିଲା ତା’ନୁହେଁ, ସେ ବାହାଦୁରି ମୂଳରେ ଥିଲା ଆମ ଗ୍ରାମବାସୀଙ୍କର ଉତ୍ସାହ ଏବଂ ମୋର ପ୍ରଥମ ଗୁରୁଦେବ ଶ୍ରୀ ଗୌର ଗୋସ୍ଵାମୀ ଓ ଶ୍ରୀ ମଧୁ ଗୋସ୍ଵାମୀଙ୍କ ସଯତ୍ନ ଶିକ୍ଷା ଦେବାର ପ୍ରଣାଳୀ ।

 

ତାପର.......ତାପର କୀର୍ତ୍ତନ......ହରିହାଟ,

‘‘ଆରେ ଆରେ ବଂଶୀ ବଟରେ

ଯମୁନା ପୁଲିନ କେଶୀ ଘାଟରେ....... ।’’

 

ପରସ୍ପର ଭିତରେ ଚାଲିଲା ଆନନ୍ଦ–ଉଲ୍ଲାସରେ କୋଳାକୋଳି, ଉଦ୍ଦଣ୍ଡର ତାଳେ ତାଳେ ସମସ୍ତେ ବାହୁ ତୋଳି, ଢଳି ଢଳି ଆରମ୍ଭ କଲେ ନୃତ୍ୟ । ଦଧିଭାଣ୍ଡ ଭଙ୍ଗାଗଲା ପରେ ହେଲା ଦଳାଚକଟା ।

 

ରାତିରେ ଉତ୍ସବ ଶେଷରେ ଭୋଜନ । ଅରୁଆଅନ୍ନ, ଖଟାମିଠା, ହରଡ଼ଡାଲି, ତରକାରି, କ୍ଷୀରୀ, ଖଟା–ପେଟଫଟା ଖାଦ୍ୟ ।

 

ପରିଶ୍ରମ ପରେ ପେଟପୂରା ଖାଦ୍ୟ ଖାଇଁ, ସେଇ ନାଲି ଘରେ ଶୋଇପଡ଼ିଲୁ ଆମେ । ଆଉ କି ସମ୍ଭଳା ପଡ଼େ । ଅଧ ରାତିରେ ପେଟ ଘାଣ୍ଟି ପକେଇଲା । ନିଦରୁ ଉଠି ଦେଖିଲି ସବୁଆଡ଼େ ଅନ୍ଧାର, ଶୂନଶାନ୍‌ । ଅଚିହ୍ନା ଜାଗାରେ କାହାକୁ ଡାକିବାକୁ ଡର ମାଡ଼ୁଥାଏ । ଯହୁଁ ଯହୁଁ ପେଟର ବେଗ ବଢ଼ୁଥାଏ, ତହୁଁ ତହୁଁ ମନଟା ନିର୍ଭୟ ହେଇ ଉଠୁଥାଏ ।

 

ଆଉ ନୁହେଁ, ଏଥର ସିଦ୍ଧାନ୍ତରେ ପହଞ୍ଚିଗଲି ମୁଁ । ଯୋଉଠି ଶୋଇଥିଲି, ଠିକ୍‌ ସେଇଠି ମୋର ମଥା ଉପରକୁ, ଅନ୍ଧାରୁଆ କଣକୁ ଦେଖୁ ବଡ଼ ସନ୍ତର୍ପଣରେ ତ୍ୟାଗ କଲି ଅଦର୍କାରୀ ବସ୍ତୁଗୁଡ଼ିକୁ । ଓଃ–କି’ଶାନ୍ତି ! ମୁଣ୍ଡରୁ ମୋର ଯେମିତି କିଏ ଭାରି ବୋଝ ଉଠେଇ ନେଲା । ଆନନ୍ଦରେ ନିଃଶ୍ୱାସ ମାରିଲି ମୁଁ । ପରେ ପରେ ଦେହଟା କାହିଁକି ଶୀତେଇ ଉଠିଲା । ଝାଳ ବହିଲା-। ଭୟର ମାତ୍ରାଟା ଦୁଇଗୁଣ ବଢ଼ିଗଲା । କ’ଣ କଲି ମୁଁ ? କେହି ଦେଖିଲା କି ?

 

ଶୋଇ ପଡ଼ିଲି, ଏବଂ ତା’ପୂର୍ବରୁ ସେଇ ଉପେକ୍ଷିତ ବସ୍ତୁଗୁଡ଼ିକ ଉପରେ ଦେହର ଜାମା ଖଣ୍ଡିକ ଘୋଡ଼େଇଦେଲି ।

 

ସିନ୍ଦୁରା ଫାଟୁଫାଟୁ ଗହଳି ଚହଳିରେ ଉଠିପଡ଼ିଲି ମୁଁ । ସମସ୍ତେ ନିଜ ନିଜର ଜିନିଷପତ୍ର ସଜାଡ଼ିବାରେ ବ୍ୟସ୍ତ । କାହା ଉପରେ କେହି ଧ୍ୟାନ ଦବାକୁ ବେଳ ନାହିଁ । ଡକାହକା ହେଇ ବାହାରି ପଡ଼ିଲୁ ଗାଁ’କୁ । କାଳେ କେହି କିଛି ଜିନିଷପତ୍ର ଛାଡ଼ି ଆସିଥିବ ଭାବି ଉମାଭାଇ, ଆମର ରହିବା ସ୍ଥାନକୁ ଅଣ୍ଡାଳୁ ଅଣ୍ଡାଳୁ, ଦେଖ‌ିଲେ ମୋର ଜାମା ଖଣ୍ଡିକ । ଉଠେଇ ଆଣୁ ଆଣୁ ପାଇଲେ ମୋର ଅକୀର୍ତ୍ତିର ସନ୍ଧାନ । ଫେରିଲୁ ଗାଁ’କୁ ।

 

ହସରେ, ହସରେ କେତେବେଳେ ବାଟ କଟିଗଲା କେହି ଜାଣିପାରିଲୁ ନାହିଁ ।

 

ତରୋବୋଇ, ଢିଅସାହି–କୁଳିନ୍ତରା ଗ୍ରାମ ବାଟ ଦେଇ ଆସି ପହଞ୍ଚିଗଲୁ ସଙ୍କଟ ତାରିଣୀ’ଙ୍କ ପାଖେ–ଆମର ସେ ଅଞ୍ଚଳର ପ୍ରତିଷ୍ଠିତା ଦେବୀପୀଠ–ବାଗିଲ, ଗୋବିନ୍ଦପୁର, କୁଳିନ୍ତିରା, ସରାଟ, ଚଣାହଟ୍ଟା ଗ୍ରାମମାନଙ୍କର କେନ୍ଦ୍ରସ୍ଥଳରେ ଆସ୍ଥାନ ତାଙ୍କର । ଆଶ୍ୱିନ ମାସରେ ଷୋଳପୂଜା ବସେ । ବିଭିନ୍ନ ଭକ୍ତ ମାନସିକ ରଖି ଜନ୍ତାଳ ବସାନ୍ତି, ଆମିଷ ଭୋଗ । ବିଶେଷ କରି ଏଇସବୁ ଜନ୍ତାଳର ଖବର, ବାପା ମୋର ବେଶି ରଖନ୍ତି । କାରଣ ଯେକୌଣସି ଲୋକର, ଯେତେବେଳେ, ଯୋଉଦିନ ସେ ଜନ୍ତାଳ ହଉନା କାହିଁକି ବାପା ସେଥିରେ ନିମନ୍ତ୍ରିତ ଅତିଥି ଥାଆନ୍ତି-

 

ଆମେସବୁ ପିଲାତକ ଆଗେ ଆଗେ ଡିଆଁମାରି ଚାଲିଥାଉ । ଆଗ ପଡ଼ିଲା ମେଳନ ପଡ଼ିଆ । କେତେ ଆପଣାର ସେ ମେଳନ ପଡ଼ିଆ । ଆମ୍ବ, ଜାମୁ, ଚାକୁଣ୍ଡା, ପଣସ, ବର, ଓସ୍ତର ଗହଳି ତୋଟା ସେ । ଏଇ ତୋଟା ଛାଇରେ କେତେ ବାଟଚଲା; ବାଟୋଇ ବସିପଡ଼ି ଥକ୍କା ମାରନ୍ତି, ଝାଳ ମାରନ୍ତି, ଗାଈ ଜଗୁଆଳ ଟୋକାମାନେ ଗୋଠ ଛାଡ଼ିଦେଇ ବେସୁରା ବଇଁଶୀ ଫୁଙ୍କନ୍ତି, ନଉଡ଼ି ଖେଳନ୍ତି ।

 

ଏଇ ମେଳନ ପଡ଼ିଆରେ ପଥର ଖୁଣ୍ଟିପୋତା ଆସ୍ଥାନରେ ଠାକୁରଙ୍କ ବିମାନ ବସେ । ଚାଲେ ଦୋଳଯାତ୍ରା–ଚଣା, ଖଜା, ବିରିବରାର ପସରା ମେଲେଇ ‘ଅଲିଆବାଦି’, ‘ନଇଖଣିଆ ଦାଦି’ ଛାଣିନିଅନ୍ତି ପଇସା ।

 

ରାଧାଗୋବିନ୍ଦଙ୍କ ବିମାନ ଆଗରେ ଆମର ନଦିଆ କୀର୍ତ୍ତନ ଆରମ୍ଭ ହୁଏ । ଲୋକଭିଡ଼ରେ ପାଦ ପକେଇବାକୁ ସ୍ଥାନ ନଥାଏ । ଭାବ ଗଦ୍‌ ଗଦ୍‌ କଣ୍ଠରେ ଗୀତ ଆରମ୍ଭ କରେ ମୁଁ–

 

‘‘ହେ’ମା ହେ’ମା କହି ଗୁରୁଣ୍ଡି ଆସଇ

ଗୁରୁଣ୍ଡୁ ଗୋପାଳ ମୋର ।

କର ଭରା ଦେଇ ଠାବେ ଠାବେ ରହି

କରଇ କେତେ ହୁନ୍ଦର

କାହ୍ନୁ ମୋର କେତେ ହୁନ୍ଦର ଜାଣେ

ପ୍ରେମେ ବଶ କରେ ଶୈଶବ ପ୍ରାଣେ ।’’।୦।

 

ଆଜି ବି ମୋର ମନେପଡ଼େ । କି’ ଉନ୍ମାଦ ସେ ? ମେଳନ ଗୋଟାକର ଲୋକ, ପାଗଳ ପରି, ଧସିହେଇ ଆସନ୍ତି ଆମରି ମଣ୍ଡଳି ନିକଟକୁ । ପ୍ରତ୍ୟେକଙ୍କ ଆଖିରେ ଲୁହ । ମନରେ ବ୍ୟାକୁଳତା, ସମସ୍ତେ ଯେମିତି ତାଙ୍କର ହଜିଲା ଧନକୁ ଫେରିପାଇଛନ୍ତି ଆଜି ଏତେ ଦିନକେ ।

 

ମେଳନ ପଡ଼ିଆ ତୋଟା ଭିତର ଦେଇ, ଛୋଟ ସରୁ ବାଟଟି ମିଶିଛି ଯାଇ ସରାଟ ଗାଁ’ସହିତ । ବାଁ’ହାତି ମୋଡ଼ ବୁଲିଲେ ଆଗ ପଡ଼େ ମୋର କୋଷ୍ଠି ଗଣନାକାରୀ ‘ନୀତା’ ନାହାକ ଘର । ଆମ ପରିବାରର ସମସ୍ତଙ୍କ ଜାତକ ଏଇ ନାହାକ ତିଆରି କରନ୍ତି, ଗ୍ରହର ଗତିବିଧି ଜାଣିବାପାଇଁ ଭଲରେ ମନ୍ଦରେ ଡକରା ପଡ଼େ । ଖଡ଼ି ପକେଇ ଅଙ୍କ ଗଣନା କରି, ଶୁଣେଇ ଦିଅନ୍ତି କୋଷ୍ଠିର ଭବିଷ୍ୟତ କଥା ।

 

ଡାହାଣ ପଟକୁ ପଡ଼େ ଚଣାହଟ୍ଟା ମାଇନର ସ୍କୁଲ । ଖୁବ୍‌ ପୁରୁଣା ସ୍କୁଲ ସେ । ଗାଁ’ ପିଲାଏ ପଖାଳ ପାଣି ଖାଇ ଏଇ ସ୍କୁଲରେ ଯଥାକଥା କରି ମଧ୍ୟଇଂରାଜି ପାଠ୍ୟକ୍ରମକୁ ଶେଷ କରନ୍ତି । ପାଖରେ ବଡ଼ ଆମ୍ବ ତୋଟା । ଖେଳଛୁଟିରେ ସ୍କୁଲ ପିଲାଏ ସେଇ ତୋଟା ଛାଇରେ ବୋହୂଚୋରୀ, କିତି କିତି ଖେଳ ରାହା ଧରି ତୋଟା ଗୋଟାକ ଖେଦିଯାଆନ୍ତି ।

 

ସ୍କୁଲ ଘର ଆଗକୁ ଖୁବ୍‌ ଡେଙ୍ଗା ବରଗଛଟା, କାହିଁ କେତେ ଦିନରୁ ତାର ଓହଳ ମେଲେଇ ଅନ୍ଧାର ରାତିରେ ଆକାଶ ଛୁଆଁ ବ୍ରହ୍ମରାକ୍ଷସ ଭଳି ଦେଖାଯାଏ ।

 

ବରଗଛକୁ ଟିକିଏ ଛାଡ଼ି ସରାଟ ଗାଁ’ମୁଣ୍ଡରେ କେଇଟି ନୁଆଣିଆ ‘ଭୋଇ’ ଚାଳିଆ, ଚାଳିଆ ଆଗ ସାମ୍ନାରେ ପାଉଁଶିଆ ରଙ୍ଗର ଧୂଳି ସହିତ ଗେଣ୍ଢା, କଙ୍କଡ଼ା ଖୋଳର ସୂକ୍ଷ୍ମ ଭଗ୍ନାଂଶ ମିଶି ସୂର୍ଯ୍ୟକିରଣ ଲାଗି ଚିକିମିକି କରେ ।

 

ଆମ ଗାଁ’ରେ ଏଇ ଭୋଇ (ବାଉରୀ)ମାନଙ୍କର ସଂଖ୍ୟା କିଛି କମ୍‌ ନୁହେଁ । ସବର୍ଣ୍ଣ ବୋଲି ମଣିଷ ତିଆରି ଛାପା ଯୋଉମାନଙ୍କ ଦେହରେ ବାଜିଛି, ସେମାନଙ୍କ ତୁଳନାରେ ଭୋଇମାନଙ୍କର ସଂଖ୍ୟା ପ୍ରାୟ ଅଧ‌ିକ ହବ । ସମ୍ବଳହୀନ ଶ୍ରମିକ ଗୋଷ୍ଠୀ ଏମାନେ । ପେଟର ଯନ୍ତ୍ରଣାକୁ ସହି ନପାରି ମାଇପେ, ମିଣିପେ, ଛୁଆ, ବୁଢ଼ା ଖଟିବା ପାଇଁ କେହି ବାଦ୍‌ ଯାଆନ୍ତି ନାହିଁ । ଗହୀର ବିଲରେ ଖରା ବର୍ଷାରେ, ଏମାନେ ଖାଉନ୍ଦ ବିଲରେ, ପାଣି କାଦୁଅରେ ଆଣ୍ଠେଇ ପଡ଼ି ଶ୍ରମ ଦିଅନ୍ତି ।

 

କିନ୍ତୁ ଏମାନଙ୍କ ଭିତରେ କଳା ଯେମିତି ଆତ୍ମଗୋପନ କରି ରହିଛି । ପାଟୁଆ ନାଚଗୀତ, ଘୁମୁରାଗଜତ–ସବୁଥିରେ କଳା । ଏମାନଙ୍କର ଗୋରା, କାଳିଆ, ଧୁଷରା ଧୁଷରା ନୁଖୁରା ମୁଣ୍ଡିଆ ପିଲାଗୁଡ଼ିକ, ବାଲି, ମାଟି ବୋଳିହୋଇ ଖୁବ୍‌ ସୁନ୍ଦର ଦେଖାଯା’ନ୍ତି ମୋତେ । ବଡ଼ ସରଳ ପ୍ରକୃତିର ଲୋକଗୁଡ଼ିକ ।

 

ଭୋଇ ବାହାଘର, ଖୁବ୍‌ ମଜାଦାର । ଘୁମୁରା ବାଦ୍ୟର ତାଳ ସାଙ୍ଗେ ପାଦ ଉଠେ । ଆଗକୁ ପଛକୁ ଡେଇଁ ଡେଇଁ ଅଣ୍ଟାରେ ହାତ ଛନ୍ଦାଛନ୍ଦି ହେଇ ନାଚ ହୁଏ । ସବର୍ଣ୍ଣମାନେ ତାଙ୍କୁ ଛୁଇଁଲେ ଛୁଆଁ ହୁଅନ୍ତି, ଲୁଗା ଧୁଅନ୍ତି ।

 

ମୋଡ଼ ବୁଲାଣି ନାହାକ ଘର ପାଖରେ, ଭାବନା ମୋର ଭାଙ୍ଗିଗଲା । ଆମେ ଚାଲୁଚାଲୁ ଅଟକି ଗଲୁ । ଦେଖାହେଲା ଆମର କୋଠିଆ, ନଇଖଣିଆ ଭୋଇ ପୁଅ ବୁଦ୍ଧିଆ ସାଙ୍ଗରେ ।

 

X X X

 

ଆମ ଘରକୁ ଆସିଛି ନୂଆ ଅତିଥି । ଜନ୍ମ ନେଇଛି ମୋର ଛୋଟ ଭଉଣୀ ମନୀ (ସୂର୍ଯ୍ୟମଣୀ ଦାସ) । ଆମେ ଥିଲୁ ଚାରି, ହେଲେ ଏବେ ହେଲୁ ପାଞ୍ଚ । ମନଟା ଦବିଗଲା, ଗର୍ଭରେ ରହି ବୋଉଙ୍କୁ ଯନ୍ତ୍ରଣା ଦେଇଛୁ–ଏବେ କୋଠାରେ ରହି ଆମେ ପାଞ୍ଚଜଣ ସେ ଯନ୍ତ୍ରଣାକୁ ଆହୁରି ବଢ଼େଇ ଦେଲୁ । ପୁଣି ମନରେ ଆସିଲା, ଆମକୁ ତ ବୋଉ ନିଜର ଜଞ୍ଜାଳରେ ବୁଡ଼ି, ଗଇଁଣ୍ଠା ମଣ୍ଡ ଖୁଆଇ ଚଲେଇ ଶିଖାଇଲା, ବକଟେ ଛୁଆ (ମନୀ)କୁ କ’ଣ ବଞ୍ଚେଇ ପାରିବ ନାହିଁ ?

 

X X X

 

ଆଉ ଚାଲିବାକୁ ଇଚ୍ଛା ହେଲାନି । ମଠସାହି ମୁଣ୍ଡରୁ ମାଇଲି ଦଉଡ଼ । କୀର୍ତ୍ତନ ଦଳଙ୍କୁ ପଛରେ ପକେଇ, ଧାଇଁଲି ଘରକୁ ।

 

କେଉଟ ସାହି ପାଖରେ ମଠସାହିର ବାବାଜୀ ମା, ହାରୀ ମା ଓ ଆଉ କେତେଜଣ ମାଇପେ ମତେ ବାଟରୁ ଓଗାଳି ପକେଇ, ଗେଲକରି, ଦେହମୁଣ୍ଡ ଆଉଁଷି ଦେଇ ଗୀତଗାଇ ନାଚିବାକୁ କହିଲେ । ହସିଦେଲି, ପିଲାଳିଆ ମନ ମୋର ଛୋଟ ଭଉଣୀର ଜନ୍ମହେବା କଥା ପାସୋରି ପକେଇଛି । ସେଇ କିଆଭେଡ଼ ପାଖ ଧୂଳିଆ ସଡ଼କ ଉପରେ ଆରମ୍ଭ କରିଦେଲି ନାଚ–

 

ଧାନ ମାଣକର ଚୁଙ୍ଗୁଡ଼ି ଶୁଖୁଆ

ଟାଉ କରି ଗିଳିଦେଲା ବିରାଡ଼ି...

 

କେଉଟ ସାହିର ଲୋକ, ଭୋଇ ସାହିର ଲୋକ ମୋର ଚାରିକର ଯାକ ଜମା ହେଇଗଲେ, ଖରା ସେତେବେଳକୁ ବେଶ୍‌ ଟାଣ ହେଲାଣି ।

 

ବାବାଜୀ ମା’ ଧାଇଁଯାଇ ତାର କଅଁଳ ଛନଛନ ଖଡ଼ାଶାଗ ପଟାଳିରୁ ଦୁଇବୁଦା ଖଡ଼ା ଆଣି ମତେ ଧରେଇଦେଲା । କିଏ ଚୁଡ଼ାଗଣ୍ଡାଏ, କିଏ ହୁଡ଼ୁମ୍ବଗଣ୍ଡାଏ ମୋର ପେଣ୍ଟ ପକେଟରେ ପୂରେଇଦେଲା ।

 

ଗଲା ରାତିରେ କଷଟୀ ଗାଁ’ରେ ଯୋଉ ଆବର୍ଜନାକୁ ନାଲି ଘରେ ତ୍ୟାଗକରି ଆସିଥିଲି, ସେପର୍ଯ୍ୟନ୍ତ ତାର ଚିହ୍ନସୁଦ୍ଧା ଛପି ନଥିଲା । ସେ’ ଯାଏଁ ବି ଦେହକୁ ପାଣି ଛୁଇଁ ନଥିଲା, ତା’ରି ଉପରେ ଗଳେଇ ପକେଇଥିଲି ପେଣ୍ଟ ଖଣ୍ଡିକୁ ।

 

ଦୁଇ କାଖରେ ଦୁଇବୁଦା ଖଡ଼ାଗଛକୁ ଜାକି, ଗୋହିରୀ ମୁଣ୍ଡ ପାରିହେଇ, ମୂଷାଦାଦିଙ୍କ ଗୁହାଳ, ଦାଣ୍ଡ ଦେଇ ଚାଲିଲି ଘରକୁ ।

 

ଘରେ ପହଞ୍ଚି ଦେଖିଲି, ଟିକି ମଣିଣା ଖଣ୍ଡିକରେ କନା ଗୁଡ଼େଇ ହେଇ ଶୋଇଛି କଅଁଳ ଶିଶୁଟିଏ । ନାଲି ଟୁକୁଟୁକୁ ମୂଷାଛୁଆ ପରି ଆଖିବୁଜି ଘୁମେଇ ପଡ଼ିଛି ସେ । ଅପା ଓ ବୋଉ ଘରେ; କିନ୍ତୁ ବାପା ନାହାନ୍ତି, ସେ କେତେବେଳେ ଆମ ଆଗରୁ କୋଉ ବାଟେ କଷଟୀ ଗାଁ’ର ଅଷ୍ଟପ୍ରହରୀ ୟକି ଯାଇଛନ୍ତି । ...କାହିଁ ଆମ ଆଖିରେ ପଡ଼ିନାହାନ୍ତି ? ଏ ଯାଏ ବି ଫେରି ନାହାନ୍ତି ଘରକୁ ।

 

ସେଇଦିନ ସଞ୍ଜବୁଡ଼ି ଘନିଏ ରାତି ବେଳକୁ, ଆମରି ଭାଗବତ ଘରେ ଆରମ୍ଭ ହେଲା କୀର୍ତ୍ତନ । କେତେ ଲୋକ ରୁଣ୍ଡ ହେଲେ । ସମସ୍ତେ ପ୍ରଶଂସା କଲେ, କଷଟୀ ଗାଁ’ରେ ଆମ କୀର୍ତ୍ତନ ମଣ୍ଡଳୀର ସଫଳତା ନେଇ । ସାଧୁ ମାଷ୍ଟ୍ର, ଗୌର ମାଷ୍ଟ୍ରେ ମଣ୍ଡଳୀକୁ ଆଉଟିକିଏ ସଜାଡ଼ି ଦେଲେ, ନୂଆ ନୂଆ ଗୀତ ଶିଖେଇଲେ ।

ନିମାପଡ଼ା ରାସକୁ ଗଲୁ; ଦରଡ଼ା, ପମ୍ପାଲ, ଅଠାନ୍ତର, ବାଳକାଟୀ, ବଳଙ୍ଗା ମେଳନ–ଯୋଉଠିକି ଯାଇଛୁ, ପାଇଛୁ ଅନାବିଳ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ।

କଳା ପ୍ରତି ମୁଁ ଯେ ସେଇ ଶିଶୁ ଅବସ୍ଥାରୁ ଦିନକୁ ଦିନ ଆକୃଷ୍ଟ ହେଉଥିଲି, ସେ କଥା ମୁଁ ସେତେବେଳେ ସମ୍ପୂର୍ଣ୍ଣ ବୁଝି ନ ପାରୁଥିଲେ ବି କିଛିଟା ଅନ୍ତତଃ ମନକୁ ମୋର ଛୁଇଁ ପାରୁଥିଲା । କଳା ନିକଟରୁ ପାଦେ ପାଦେ ଆଗେଇଯିବାକୁ ମୋର ଗାଁ’ର ପରିବେଶ ମୋତେ ସାହାଯ୍ୟ କରୁଥିଲା ଏବଂ ମୋ’ଉପରେ ବେଶି ପ୍ରଭାବ ପକାଉ ଥିଲା ଗାଁ’ରେ ବାଉଁଶରାଣୀ ଖେଳ, ସଖୀନାଟ, ଯାତ୍ରା କୀର୍ତ୍ତନ, ପାଟୁଆନାଚ, ପାଲା ଇତ୍ୟାଦି ।

ବେଳେବେଳେ ଖେଳ ସାଙ୍ଗସାଥୀଙ୍କ ମେଳରେ ତୋଟାରେ, ତୁଠରେ, ନିଛାଟିଆ ବାଉଁଶ ବୁଦାମୂଳେ ସେଇସବୁ ଦେଖୁଥ‌ିବା, ଶୁଣିଥିବା ଯାତ୍ରା, ସୁଆଙ୍ଗର ଅଭିନୟକୁ ମନେ ପକେଇ ଅନୁକରଣ କରେ । କେତେବେଳେ ବାଉଁଶ କଣିର ଖଣ୍ଡା, କେତେବେଳେ ଦେଉଳିଆ ଶିଜୁ ଫୁଲର ରାଜମୁକୁଟ, ପୁଣି କେବେ ଦୁଆରୀର ଅଣ୍ଟାବଙ୍କା ଚାଲି–ସେ ସବୁ ଯେମିତି ମୋର କଳାକାର ଜୀବନର ଅୟମାରମ୍ଭରେ କଳାର ଉଚ୍ଚତମ ଦୁର୍ଗ ଗଢ଼ିବାକୁ ମୂଳଦୁଆ ପାଇଁ କଞ୍ଚାମାଲର ଭୂମିକା ନେଉଥିଲା ।

କେବଳ କଳା କ୍ଷେତ୍ରରେ ନୁହେଁ, ପିଲାଟି ବେଳରୁ ଧର୍ମ କ୍ଷେତ୍ରରେ ମଧ୍ୟ ମୋର ଅଜାଣତରେ ମୁଁ ଭାଗ ନେଉଥିଲି ଏବଂ ସେଥିଲାଗି ଉତ୍ସାହ ଦଉଥିଲେ ମୋର ଗର୍ଭଧାରିଣୀ ବୋଉ-

କାର୍ତ୍ତିକ ମାସରେ ହବିଷ କରନ୍ତି ବୋଉ । ରାଧାଗୋବିନ୍ଦଙ୍କ ମଙ୍ଗଳ ଆରତି ଦର୍ଶନ ପାଇଁ, ବିଛଣା ଛାଡ଼ନ୍ତି ରାତି ତିନିଟାରୁ । ମୋତେ ବି ଉଠାନ୍ତି, ଶୀତ ସକାଳର କାଲୁଆ ପବନରେ ଦେହ ଥରୁଥିଲେ ବି ବୋଉଙ୍କ ତାଡ଼ନା ଭୟରେ ବୁଡ଼ ପକାଉ, ଦାଣ୍ଡ–ଗାଡ଼ିଆ ଥଣ୍ଡା ପାଣିରେ ।

ଡାକ ଦିଅନ୍ତି ଆଉବୋଉ, ଜୟୀବୋଉ ବଡ଼ମା, ରମୁବୋଉ ବଡ଼ମା, ବୋଉଙ୍କ ଅଭଡ଼ା (ମୋତୀ ମାଉସୀ)–ଏମାନେ ଚାଲନ୍ତି ରାଧାଗୋବିନ୍ଦ ଠାକୁରଙ୍କ ପାଖକୁ । ପଛରେ ଲାଙ୍ଗୁଡ଼ ଚାଲେ ମୁଁ, ଘଣ୍ଟ ବାଜେ, ଘଣ୍ଟା ବାଜେ ।

ନଖିଭାଇ କିମ୍ବା ମୂଷାଦାଦି ଖୋଳ ବଜାନ୍ତି ଏବଂ କୀର୍ତ୍ତନ ମଣ୍ଡଳୀ ଆରମ୍ଭ କରନ୍ତି ପ୍ରଭାତୀ କୀର୍ତ୍ତନ । କି ମଧୁର ସେ ପଦଟି, ଆଜିବି ମୋର ମନେ ପଡ଼େ ।

‘‘ନିଶି ପାହିଲାଣି ଉଠ ଉଠ ନୀଳ ହାତୀ

ଉଠ ମୁଖ ଧୁଅ ତେଜ ପଲଙ୍କ ସୁପାତି....... ।’’

 

ମୁଁ ଗିନି ବଜାଏ । ଉଦାଣ୍ଡ ଉଠେ, ବୋଉ ଓ ଆଉବୋଉ ଏବଂ ଅନ୍ୟମାନେ ମୁଗ୍ଧ ନୟନରେ ଚାହିଁରୁହନ୍ତି ଆମମାନଙ୍କର ଭାବାବେଗକୁ । କି ସୁନ୍ଦର ସେ ପରିବେଶ । ଆଖିରୁ ଛୁଟିଚାଲେ ଧାରାଶ୍ରାବଣ । ବାଧା, ବନ୍ଧନ ନମାନି କୂଳ ଲଂଘିଯାଏ ସେ I

 

ମନେହୁଏ ପଥର ଦେବତା ଯେମିତି ମଣିଷ ପାଲଟି ଆମକୁ ଡାକୁଛି ତା’ ସାଙ୍ଗରେ ମିଶିଯିବା ପାଇଁ, ଏକ ହେଇଯିବା ପାଇଁ । ଆଖିରେ ମୋର ଚିକ୍କଣ କଳା ମୁଗୁନି ପଥରରେ ତିଆରି ସେଇ ଗୋବିନ୍ଦ ମୂର୍ତ୍ତି, ସତେ ଯେମିତି କଳା ମଚମଚ ମଣିଷ ପିଲାଟିପରି ଦେଖାଯାଏ । ଇଚ୍ଛା ହୁଏ ଧାଇଁଯାଇ ତାକୁ କୋଳେଇ ପକେଇବାକୁ ।

 

ସେତେବେଳେ ଦେବତା, ମଣିଷ, ଧର୍ମ, ଅଧର୍ମ, ପାପ, ପୁଣ୍ୟ, ବିଚାର, ଆଚାର କିଛି ମୁଁ ଜାଣିନଥିଲି, କିଛି ମୁଁ ବୁଝି ନଥିଲି । ତଥାପି ବେଳେବେଳେ ମନରେ ଅନୁଭବ କରୁଥିଲି କାହାର ଇଙ୍ଗିତ, ପ୍ରେରଣା । ଯେକୌଣସିଠାରେ ଦେବତା ଦର୍ଶନ ବେଳେ ଓ ତାଙ୍କର ନାମ କୀର୍ତ୍ତନ ବେଳେ ଦୁଇ ଆଖି ମୋର ଲୁହରେ ଛଳ ଛଳ ହେଇ ଯାଉଥିଲା । ଏଇଭଳି ଭାବ ଯେ ମୋ ମନକୁ କାହିଁକି ତୁହାକୁ ତୁହା ଆସୁଥିଲା ସେକଥା ମୁଁ ବୁଝେଇପାରିବି ନାହିଁ ।

 

ସେଇ ପିଲାଟି ବେଳରେ ମୁଁ ଭାବୁଥିଲି, ମୋର ସମସ୍ତେ ଏବଂ ମୁଁ ସମସ୍ତଙ୍କର । କିନ୍ତୁ ଭୟ କରୁଥିଲି ସମସ୍ତଙ୍କୁ । ପିଲା ହଉ ବଡ଼ ହଉ କେହି ଯେବେ ମୋ ଉପରେ ରାଗି ଯାଉଥିଲା ତ ମୋର ତାଙ୍କ ପ୍ରତି ପ୍ରତିହିଂସା ପରିବର୍ତ୍ତେ, ମନରେ ଉଠୁଥିଲା କୋହ, କାନ୍ଦି କାନ୍ଦି ତଳକୁ ମୁଁହ ପୋତି ଠିଆ ହୋଇ ରହୁଥିଲି ।

 

ଏମିତିକି, ସାଙ୍ଗସାଥୀ ମେଳରେ, କଳି ଗୋଳ ଲାଗିଲେ, ମାଡ଼ ଦବା ବଦଳରେ, ମାଡ଼ ଖାଉଥିଲି ବେଶି । ବୟସ ଓ ମନ ମୋର ଆଗେଇଥିଲେ ବି ଗେଡ଼ା ଦେହଟା ମୋର ଚଞ୍ଚଳ ଚଞ୍ଚଳ ଆଗେଇ ପାରୁନଥିଲା ।

 

କିନ୍ତୁ କଥାରେ କେହି ପାରୁନଥିଲେ ମୋତେ । ମାପିଚୁପି ଯେମିତି ଯେତିକି କହିବାର କଥା, ସେତିକି କେବଳ କହୁଥିଲି ମୁଁ । କଥା ଯଦି ବଙ୍କେଇ ଅନ୍ୟ ଆଡ଼କୁ ଗତି କରୁଥୁଲା ତ ମୁଁ ଖସୁଥିଲି ଅନ୍ୟଆଡ଼େ । ଏକେ ତ ଗରିବ ଘରର ପିଲା ମୁଁ, ତା’ପରେ ଦୁର୍ବଳ ଦେହ–ନିଜକୁ ସବୁବେଳେ ଛୋଟ ମନେକରି ପ୍ରତ୍ୟେକଙ୍କୁ ଭୟ କରୁଥିଲି ଓ ଜଗି ଚଳୁଥିଲି ମୁଁ ।

 

ଅଝଟିଆ ନଥିଲି; କିନ୍ତୁ ଥିଲି ବଡ଼ ଅଭିମାନୀ । ଅନେକ ସମୟରେ ମୋତେ ନିଜର ଘରେ କୁହନ୍ତୁ ବା ବାହାରେ କୁହନ୍ତୁ, ଭୁଲ ବୁଝୁଥିଲେ । ଉଦାହରଣ ଦଉଛି ।

 

କେବେ ଯଦି କୋଉଠି କାଦୁଅ ଚିପି ଧରି ଆଣୁଥିଲି ଗୋଟାଏ ଅଧେ ଗଡ଼ିଶା କିମ୍ବା ଶେଉଳ ଖାଡ଼ିଆଟାଏ ସେତକ ତରକାରୀ ଅବା ଭଜା ହେଲେ, ବୋଉ ମୋତେ ଦଉଥିଲେ ବେଶିଭାଗ । କିନ୍ତୁ ମନ ମୋର ମାନୁନଥିଲା । ଆସୁଥିଲା ଦୁଃଖ, ଅନ୍ୟମାନଙ୍କୁ ବେଶି ନ ଦେଇ ବୋଉ ମୋତେ କାହିଁକି ବେଶି ଦେଲେ ।

 

ନିଜ ଉପାର୍ଜନକୁ ଅନ୍ୟକୁ ଦେବାରେ ଯେଉଁ ଆନନ୍ଦ ଓ ଗର୍ବ ମିଳିବାର କଥା ସେଥିରୁ ମୋତେ ବଞ୍ଚିତ କରିବା ହେତୁ ମନମାରି ବସେ, କାନ୍ଦେ ମୁଁ । ଭାଇ, ବୋଉ, ଅପା ଭୁଲ ବୁଝି ମୋ ଉପରେ ଚିଡ଼ିଉଠନ୍ତି, କୁହନ୍ତି ନିଜ ଜିନିଷକୁ, ନିଜେ ସବୁ ପାଇବାକୁ ଖଣ୍ଡିଗଣିଆ ସ୍ଵଭାବ ଧରୁଛି ।

 

ଅଭିମାନ ମୋର ଦୁଇଗୁଣ ବଢ଼ିଥାଏ । କିନ୍ତୁ ମନକଥା ମନରେ ସରେ, ପରମୁହୂର୍ତ୍ତରେ ସବୁକଥା ଭୁଲି ୟା’ ଦୁଆରେ ନାଚ କରେ, ତା’ ଦୁଆରେ ଗୀତ ଗାଏ । କିଏ ଚୁଙ୍ଗୁଡ଼ି ଶୁଖୁଆ ଦୁଇଟା କାନିରେ ବାନ୍ଧିଦେଲେ, କିଏ ସାରୁ ଦି’ବୁଦା ହାତରେ ଧରେଇଦିଏ ।

 

ପ୍ରକୃତରେ ସତକଥା କହିବାକୁ ଗଲେ, ଯେବେଠୁ ମୋ ମୁହଁରେ ଠାକୁର କଥାଦେଲେ, କଳାକୁ ଅନୁକରଣ କରିବାର କ୍ଷମତା ଦେଲେ ସେବେଠୁ କିଛି ଅଂଶରେ ମୁଁ ମୋର ନିଜ ପେଟକୁ ପୋଷିବାର ଅନେକଟା ବାଟ ପାଇଲି ।

 

ସେଇ ଶିଶୁ ଅବସ୍ଥାରୁ, ଅଳ୍ପ ଅଳ୍ପ ଭାବେ ମୁଁ ବୁଝିପାରୁଥିଲି ଯେ ନିଜ ଗୋଡ଼ରେ ନିଜେ ଠିଆ ହେବା ମଣିଷପଣିଆର ଅସଲ ମାପକାଠି । କାରଣ ପ୍ରତିଦିନ ସକାଳ ହେଲେ ମୁଁ ଦେଖୁଥିଲି ମୋଠାରୁ ଯୋଉମାନେ ଅତି ତଳ ସ୍ତରରେ ଚଳୁଥିଲେ ସେଇ ଅଛୁଆଁ ବାଉରି ପରିବାରର ସାନସାନ ପିଲାଗୁଡ଼ିକ ଘରର ଜାଳେଣୀ ସଂଗ୍ରହ କରୁଥିଲେ ଅଥବା ଏଣେତେଣେ ଖରାବରଷାରେ ବୁଲି କୋଉଠୁ ପିତାଶାଗ, କଳମଶାଗ ସାଉଁଟୁଥିଲେ ।

 

ଆଉ ମଧ୍ୟ ବୁଝୁଥିଲି ଯେ ଏ ଦୁନିଆରେ ସମସ୍ତେ ସମସ୍ତଙ୍କର ହେଲେ ବି କେହି କାହାର ନୁହନ୍ତି । ଆମକୁ ଆମର ବାପା, ଜନ୍ମ ଦେବାକୁ ଯେମିତି ନିଜର ବଡ଼ କର୍ତ୍ତବ୍ୟ ବୋଲି ମନେ କରନ୍ତି ସେମିତି ଆମକୁ ଆମର ବୋଉଙ୍କ କୋଳରେ ଛାଡ଼ିଦେଇ ନିର୍ବିକାର ଚିତ୍ତରେ ହରିନାମର ମୁକ୍ତି ସ୍ରୋତରେ ଭାସି ଯା’ନ୍ତି କେବେ ପୁରୀ ତ କେବେ ଗୋପ, ମଥୁରା ।

 

ମନକୁ ଆସେ ଆମେ ସଭିଏଁ ହାଟୁଆ । ହାଟ ଫେରନ୍ତି ଗଛ ଛାଇରେ ଦଣ୍ଡେ ଘଡ଼ିଏ ବିଶ୍ରାମ ନେଇ ପୁଣି ଯେଝା ବାଟରେ ବାଟକାଟି ଚାଲିଯିବୁ ଅଲଗା ଅଲଗା ହୋଇ । ଅବଶ୍ୟ ଏସବୁ ଗୁଢ଼ଦର୍ଶନ ମତେ ମିଳୁଥିଲା କେତେଗୁଡ଼ିଏ ଗୀତରୁ ।

 

‘‘ବେଳତ ଗଲାଣି, ମଠ ମଠ କାହିଁକି ?

ଦୂରଦେଶ ପାଞ୍ଜିପଟା ଖଞ୍ଜା ହେଲାଣି

ଏ ହାଟର ବିକା କିଣା ସବୁ ସରି ଗଲାଣି

ସେ ହାଟର ପସରା ମୁଁ ସଜ କଲାଣି

ବେଳ ତ ଗଲାଣି....... ।’’

 

କୁହନ୍ତୁ ତ, ଗୀତଟିର କେଡ଼େ ସୁନ୍ଦର ଅର୍ଥ ? ଏପାରିର ହାଟ ସଉଦା ସରିଲେ ପୁଣି ସେପାରିର ହାଟ ମାଲିକକୁ ତାର ହିସାବ ବୁଝେଇବାକୁ ପଡ଼ିବ ଯେ । କଡ଼ା, ଗଣ୍ଡା ସବୁର ହିସାବ ନବ ସେ । କୌଣସି ଫାଙ୍କି ସେ ହାଟର ମାଲିକ ପାଖରେ ପଟିବ ନାହିଁ । ତା’ ନିକଟରେ ସମସ୍ତେ ସମାନ । ଆମ ଆଖିରେ ଯେ ଛୁଆଁ, ଅଛୁଆଁ, ଧନୀ, ଗରିବ, ତା’ ଆଖିରେ ସେ ଭେଦଭାବ ନାହିଁ । ଗୋଟିଏ ନାଉର ମଞ୍ଜି । କେବଳ ଭଲ ମନ୍ଦର କର୍ମ ନେଇ ବିଚାର କରେ ସେ ।

 

ବେଳେବେଳେ ଆହୁରି ଦେଖେ ମୁଁ ମୋର ‘ଆଉବୋଉ’ (ବଡ଼ ମା’) ଯେ’କି ସବୁବେଳେ ଚିତା, ଚୈତନ୍ୟରେ ବ୍ୟସ୍ତ ରହୁଥିଲେ । ଗୌଡ଼ୀୟ ସଂପ୍ରଦାୟର ଭକ୍ତ ସେ; ଦେବତା, ବ୍ରାହ୍ମଣ ପ୍ରତି ତାଙ୍କର ଥିଲା ନାହିଁନଥିବା ଭକ୍ତି । ବୋଉ, ତାଙ୍କର ସମ୍ପର୍କୀୟା ଜା’ । ବୋଉଙ୍କୁ ମୋର ଖୁବ୍‌ ଦେଖିପାରୁଥିଲେ ସେ । କୌଣସି ପୂଜାପର୍ବରେ ଦର୍କାର ହେଲେ ଡାକୁଥିଲେ ବୋଉଙ୍କୁ । ଏବଂ ବୋଉ ମଧ୍ୟ ତାଙ୍କର ଦୁଃଖର ଦୁନିଆକୁ ପଛରେ ପକେଇଦେଇ ବଡ଼ ଜା’ଙ୍କର ହୁକୁମ ମାନିବାକୁ କୁଣ୍ଠାବୋଧ କରୁନଥିଲେ । ‘ଆଉବୋଉ’ଙ୍କ ଘରେ ମୋର ଦାଦିଙ୍କ ପୁଅ ଟୁନିଆ ଭାଇ ପାଠ ପଢ଼ୁଥିଲେ । ପଢ଼ଉଥିଲେ ବ୍ରାହ୍ମଣ ସାହିର ଜଗବନ୍ଧୁ ମାଷ୍ଟ୍ରେ ।

 

ମଝିରେ ମଝିରେ ଟୁନିଆ ଭାଇଙ୍କ ସାଙ୍ଗରେ ମୁଁ ମଧ୍ୟ ଯାଉଥିଲି । କିନ୍ତୁ ପାଠ ପଢ଼ିବାକୁ ନୁହେଁ–ଦେଖିବାକୁ ‘ଆଉବୋଉ’ଙ୍କର ଆଡ଼ମ୍ବରପୂର୍ଣ୍ଣ ଗୁରୁପୂଜା । ସେ ପୂଜାରେ ଥିଲା ନିଷ୍ଠା ଏବଂ ଆନ୍ତରିକତା କି’ ଆକୁଳତା, କି’ ବ୍ୟାକୁଳତା ସହ ‘ଆଉବୋଉ’ ଗୁରୁପୂଜାରେ ମଜ୍ଜିଯାଉଥିଲେ ! ସେ ଦୃଶ୍ୟ ଯେ ନିଜ ଆଖିରେ ନ ଦେଖିଛି ତାକୁ କଥାରେ ବୁଝେଇବା କଷ୍ଟକର ବ୍ୟାପାର ।

 

ଧୂପ, ଦୀପ, ନୈବେଦ୍ୟ ଦେଇ ବନ୍ଦାପନା କରାଯାଏ ଗୁରୁଙ୍କୁ । ବିଭିନ୍ନ ଫୁଲର ଗନ୍ଧ ସହିତ ନଡ଼ିଆ କୋରା, ଗୁଆଘିଅ, ପାକଳ ଚମ୍ପା କଦଳୀ, କନ୍ଦର ଗନ୍ଧ ମିଶି ସେ ସ୍ଥାନକୁ ଏକ ଦେବ ଆସ୍ଥାନରେ ପରିଣତ କରୁଥିଲା । ତେଣେ ଜଗୁମାଷ୍ଟ୍ରଙ୍କ ବେତ ମାଡ଼ ଖାଇ ସୁଦ୍ଧା ଟୁନିଆଭାଇଙ୍କର ଟୋପାଏ ହେଲେ ବି ଭକ୍ତି ମା’ ସରସ୍ଵତୀଙ୍କ ପ୍ରତି ଆସୁନଥିଲା ।

 

‘ଆଉବାପା’ ଅନେକ ଆଗରୁ ବାଟ କାଟିଥିଲେ । ଧନ ଓ ମାନର ସେ ଥିଲେ ଉପଯୁକ୍ତ ଅଧିକାରୀ, ପୁଅ ନଥିଲେ ତାଙ୍କର । କେବଳ ଗୋଟିଏ ଝିଅ । ଭାଗ୍ୟବତୀ ସେ । ଶେଷରେ ପ୍ରସିଦ୍ଧ ମାଜିଷ୍ଟ୍ରେଟ୍‌ ଶ୍ରୀଯୁକ୍ତ ବାଳମୁକୁନ୍ଦ କାନୁନ୍‌ଗୋଙ୍କ ଏକମାତ୍ର ଭାଗ୍ୟବାନ ଯୋଗ୍ୟପୁଅ ଶ୍ରୀ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ସହିତ ଝିଅର ବିବାହ ଦେଇଥିଲେ । ‘ଦେଇ’ ମୋର ସେ, ସମସ୍ତେ ବାଳୀଅପା ବୋଲି ଡାକନ୍ତି ତାଙ୍କୁ ।

 

ମୋର ହେତୁ ପାଇଲାବେଳକୁ ଦେଇ (ଅପା)ଙ୍କର ବିବାହ କାମ ସରିଥିଲା । ପୁତ୍ର ସନ୍ତାନ ନଥ‌ିବାରୁ ଆଉବୋଉ ନିଜର କୁଟୁମ୍ବରୁ ପୁଅକରି ଆଣିଥିଲେ କୁନା ଭାଇଙ୍କୁ ।

 

ୟା ଭିତରେ ଟୁନିଆ ଭାଇଙ୍କର ପାଠପଢ଼ା ଦେଖି ବୋଉ ମୋର ସ୍ଥିର କରେ ମୋତେ ଗୋବିନ୍ଦପୁର ମାଟିବଂଶ ଅବଧାନଙ୍କ ଚାହାଳୀରେ ବସେଇ ପାଠ ପଢ଼େଇବାକୁ । ଅବଧାନଙ୍କ ଘର କୁଳନ୍ତିରା ଗ୍ରାମରେ । ପ୍ରସିଦ୍ଧ କୀର୍ତ୍ତନ ଗାୟକ ସେ । ଅବଧାନେ କେତେଗୁଡ଼ିଏ ପିଲାଙ୍କୁ ନେଇ ଗ୍ରାମର ଭାଗବତ ଟୁଙ୍ଗୀରେ ଆରମ୍ଭ କରିଥାନ୍ତି ଚାହାଳୀ ।

 

ସେଇ ଚାଟଶାଳୀରେ ମୋର ପ୍ରଥମକରି ବିଦ୍ୟାରମ୍ଭ ହେଲା ଅତି ନିରାଡ଼ମ୍ବରେ । ବ୍ରହ୍ମା, ବିଷ୍ଣୁ, ମହେଶ୍ଵର । ତା’ପରେ ଅ, ଆ, କ, ଖ ଇତ୍ୟାଦି ଇତ୍ୟାଦି ।

 

ଚାଟ ତାଲିକାରେ ସିନା ନାଁଟା ମୋର ଚଢ଼ିଲା । ହେଲେ ଅବଧାନଙ୍କ ନିଷ୍ଠୁର ବେତ୍ରାଘାତ, ମନରେ ମୋର ଆଶଙ୍କା ସୃଷ୍ଟି କରୁଥାଏ । ଆଖି ଆଗରେ ଅନ୍ୟାନ୍ୟ ଚାଟଙ୍କର ମଢ଼ୁଆଶାଙ୍କୁଳି, ଏକଗୋଡ଼ିକିଆ ଶାସ୍ତି ଦେଖି ଛାତି ଭିତରେ କଲିଜା ଥରି ଉଠେ । ଚାଟଶାଳୀରେ ନିୟମ ଥାଏ ଯୋଉ ଚାଟ, ପାଠଶାଳାରେ ସକାଳୁ ଆଗ ପହଞ୍ଚିବ ସେ ପାଇବ ଶୂନ (ପ୍ରଥମ ସ୍ଥାନ)-। ତା’ପରେ, କ୍ରମଭାବରେ ଯାହାର ଯେତିକି ଉଛୁର ହେବ ସେ’ ଏକ, ଦୁଇ ଭାବେ ଚାଟଶାଳୀରେ ଛାତ୍ର ସଂଖ୍ୟା ତୁଳନାରେ ସେତିକି ବେତ ମାଡ଼ ଖାଇବ । ଟିକିଟିକି କଅଁଳିଆ ପାପୁଲିଗୁଡ଼ାକୁ ଅବଧାନଙ୍କ ଜାଉଁଳୀ ବେତ ରକ୍ତମୁଖା ହେଇ ଗ୍ରାସି ପକାଏ ।

 

ପାଠ ପ୍ରତି ମୋର ସେତେବେଳେ ଏତେ ଟିକିଏ ହେଲେ ମମତା ନଥିଲେ ବି ମାଡ଼ ଭୟରେ କେମିତି ବିଦ୍ୟାଳୟରେ ପ୍ରଥମେ ପହଞ୍ଚି ଶୂନ ପାଇବି ସେଥିଲାଗି ଚେଷ୍ଟା କରୁଥିଲି । ଆଉ ମଧ୍ୟ ଚାଟଶାଳୀରେ ପାଉଥିଲି ନୂଆ ନୂଆ ସାଙ୍ଗସାଥୀଙ୍କର ସ୍ନେହ–ଶ୍ରଦ୍ଧା ପୁଣି କୀର୍ତ୍ତନପ୍ରେମୀ ଅବଧାନଙ୍କର ସୁମଧୁର ଗାୟନ ଭଙ୍ଗୀର ଆକର୍ଷଣ ।

 

ଗୋବିନ୍ଦପୁର ଗାଁ ଚାଟଶାଳୀକୁ କେବଳ ଏକା ମୁଁ ଯାଉନଥିଲି । ମୋ ସାଙ୍ଗରେ ଯାଉଥିଲେ ମୋର ଖେଳ ସାଥୀ ଗୋଲିଆ, ବାଉରିଆ ଧୋବା । ବାଘୁଆଦଣ୍ଡା ଡେଇଁଲେ ଗୋବିନ୍ଦପୁର । ଅଳ୍ପବାଟ ।

 

ରାତିରେ କୀର୍ତ୍ତନ, ଦିନରେ ପାଠ । ଗୋଟାଏ ଗାତରେ ପଡ଼ିଗଲି ମୁଁ । ବେଶ୍‌ ଭଲ ଲାଗିଲା । ଆଉ ଖରାପ ଲାଗିଲା ନାହିଁ । ଅଭ୍ୟାସରେ ପଡ଼ିଗଲି । ଅବଧାନଙ୍କ ବେତ ମାଡ଼, କୀର୍ତ୍ତନ ମାଷ୍ଟ୍ରଙ୍କ କାନମୋଡ଼ା ପରି ଲାଗିଲା । ଆସେ ବସନ୍ତ ପଞ୍ଚମୀ–ଶ୍ରୀପଞ୍ଚମୀ, ବାଗ୍‌ଦେବୀ ମା’ ସରସ୍ଵତୀଙ୍କ ପୂଜାଦିନ । ଶୀତ କାକର ନମାନି ଆମେ ପିଲାସବୁ ପାହାନ୍ତା ପହରରୁ ପାରିଶୁଆ ଛାଡ଼ି, ଧାଇଁବୁଲୁ ବଣବୁଦା, ଯୋଡ଼, ଗଡ଼ିଆ । କୋଉଠୁ କଇଁଫୁଲ, କୋଉଠୁ କନିଅର ଫୁଲ, କୋଉଠୁ ବା ଚମ୍ପା, କାଠଚମ୍ପା ତୋଳିଆଣି ଗଦାକରୁ ଚାହାଳି ଘରେ ।

 

ସମସ୍ତେ ଗାଧେଇପଡ଼ି ନୂଆଲୁଗା ପିନ୍ଧି, ନଡ଼ିଆକୁ ଖଡ଼ି ସିନ୍ଦୁରରେ ଚିତ୍ର କରି ଘରକୁ ଘର ବୁଲି ଆଦାୟ କରୁ ପଇସା, ନଡ଼ିଆ । ମୁହଁରେ ବୋଲୁ ସେଇ ଗୀତ ପଦକ:–

 

‘‘ବନ୍ଦଇ ହରି ଦେବ ମୁରାରୀ

ଲକ୍ଷ୍ମୀ ଦେବୀଙ୍କର କାନ୍ତ

ଅଭୟ ବର ଦ୍ୟନ୍ତୁ ତୁମ୍ଭର

ହେ ପ୍ରଭୋ ବଡ଼ ଅନନ୍ତ.... ।’’

 

ଅବଧାନେ ନୂଆଲୁଗା ପିନ୍ଧି ଦେବୀଙ୍କର ପୂଜା କରନ୍ତି । ଆମେ ସବୁ ପୁଷ୍ପାଞ୍ଜଳି ଦେଇ ନଡ଼ିଆ ବାଡ଼ାଇ ଏବଂ ଶେଷରେ ଗୁରୁଙ୍କୁ ମୁଣ୍ଡିଆ ମାରି ଦକ୍ଷିଣା ଦଉ ।

 

ଦିନଗୁଡ଼ିକ ମୋର ଏମିତି ଏମିତି କଟିଯାଉଥାଏ । ଚାହାଳି ଘରେ ବେଳେବେଳେ ବଡ଼ ଚାଟ ଆମମାନଙ୍କୁ କେଶବ କୋଇଲି, ଗୋପୀଭାଷା, ମଥୁରାମଙ୍ଗଳ ବୋଲେଇ ଶିଖାନ୍ତି । ବଡ଼ ଚାଟ ଆଗ ବୋଲନ୍ତି । ଆମେମାନେ ପଛରେ ପାଳି ଧରୁ । ତାଳପତ୍ର ପୋଥିରୁ ବଡ଼ ଚାଟ ପଦ୍ୟଗୁଡ଼ିକ ବୋଲନ୍ତି ।

 

‘‘କୋଇଲି ଲୋ କେଶବ ଯେ ମଥୁରାକୁ ଗଲା

କାହା ବୋଲେ ଗଲା ପୁତ୍ର ବାହୁଡ଼ି ନ’ଇଲା

ଲୋ କୋଇଲି... ।’’

 

ପୁଣି–

 

‘‘କୃଷ୍ଣ କଥା ଭାଳି ଗୋପୀ ସକଳ

ଗୁଣ ସୁମରି ହୁଅନ୍ତି ବିକଳ

କାହୁଁ ଦାରୁଣ ଅକ୍ରୂର ଅଇଲା

କଂସ ଆଜ୍ଞା ମାନି ଗୋପେ କହିଲା..... ।’’

 

ପୁଣି–

 

‘‘ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନିଭାଇ

ଅକ୍ରୂର ଆସିଛି ତାଙ୍କୁ ଧରିନେବା ପାଇଁ

ରାଜା ପରଜା ସହିତେ

ସଜ ହୋଇଥାଅ କାଲି ଚଳିବା ପ୍ରଭାତେ ।’’

 

ଆଜି କିନ୍ତୁ ନିଜକୁ ଆଶ୍ଚର୍ଯ୍ୟ ଲାଗେ ସେତେବେଳର ସେଇ ଶିକ୍ଷାପଦ୍ଧତି କଥା ଭାବି ବସିଲେ, ଛୋଟ ପିଲାଙ୍କୁ ଜ୍ଞାନ ଦବାପାଇଁ ଖୁବ୍‌ ସହଜ ସରଳ ପନ୍ଥା ଅନୁସରଣ କରାଯାଉଥିଲା । ଶିଶୁ ଅବସ୍ଥାରୁ ପିଲା ଯେମିତି ତାର ସାହିତ୍ୟ, ସଂସ୍କୃତି, ଭାଷା ଓ ନିଜର ଧର୍ମ ବିଷୟରେ ଧାରଣା କରିପାରିବ ସେଥିଲାଗି ବିଭିନ୍ନ ପୁରୁଣା କବିଙ୍କର ସୁଶ୍ରାବ୍ୟ, ସୁମଧୁର, ଛନ୍ଦଭରା ପଦ୍ୟସବୁକୁ ପଠନ, ଲିଖନ ପାଇଁ ସୁଯୋଗ ଦିଆଯାଇଥିଲା । କେବଳ ଭାଷା, ସାହିତ୍ୟ ନୁହେଁ, ଅଙ୍କ ଉପରେ ମଧ୍ୟ ଅଧିକ ଗୁରୁତ୍ଵ ଦିଆଯାଉଥିଲା । ପଣିକିଆ, କଡ଼ାଗଣ୍ଡା, ପାହିଅଣା, ଗୁଣ୍ଠବିଶ୍ଵା ଏସବୁ ଚାଟଶାଳୀ ଅଙ୍କପାଠର ଗୋଟିଏ ଗୋଟିଏ ସୁଦୃଢ଼ ଦୁର୍ଗଭଳି । ଆଜି ମୁଁ ବୁଝିପାରୁଛି ଯେ ସେତେବେଳର ସେଇ ଚାଟଶାଳୀ ପାଠ୍ୟକ୍ରମକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାର ସୁଯୋଗ ନ ପାଇଥିଲେ ମଧ୍ୟ ଯୋଉ ଟିକକ ଆଲୋକ ସେଥିରୁ ପାଇଥିଲି, ସେଇ ଆଲୋକ ମୋର ପରବର୍ତ୍ତୀ ଜୀବନକୁ ବେଶ୍‌ ଆଲୋକିତ କରିପାରିଥିଲା ।

 

ହଠାତ୍‌ ଦିନେ ଆମ ଗାଁରେ ଚହଳ ପଡ଼ିଗଲା, ବିଖ୍ୟାତ ବାଳକୃଷ୍ଣ ମହାନ୍ତି ତାଙ୍କ ଦଳଙ୍କୁ ନେଇ ଆସୁଛନ୍ତି ନାଟ କରିବାକୁ । ଚାନ୍ଦିନୀ ତଳେ ନାଟ ହବ । ଅନେକ ଦିନ ପରେ ।

 

ସିଲଟ, ପୋଥିବସ୍ତାନି କଥା ମନରୁ ଉଭେଇଗଲା ମୋର । ମନ ଖୁସିରେ କୋଉଠି ନାଟବାଲା, ଗାଁ’କୁ ଆସିଲେ କି ନାହିଁ, କେତେ ବାଟରେ ହେଲେଣି ଇତ୍ୟାଦି ଅନୁସନ୍ଧାନରେ ଲାଗିପଡ଼ିଲି । କିନ୍ତୁ ମନ ଆଶା ମନରେ ମରିଗଲା । ମୋର ହାବଭାବକୁ ଲକ୍ଷ୍ୟ କରି ବୋଉ ପାଟିକରି ଉଠିଲେ ପୋଥିବସ୍ତାନି ଧରି ଚାହାଳି ଯିବାକୁ I କ’ଣ କରିବି ? ଜୋକ ମୁହଁରେ ଲୁଣ ଲାଗିଲା ପରି ବଡ଼ ଅନିଚ୍ଛାରେ ଭାଡ଼ିତଳୁ ବସ୍ତାନି ଆଣି ଚାଲିଲି ଗୋବିନ୍ଦପୁର ।

 

ଦରପାକଳ ଧାନ, ବିଲରେ ଠିଆହୋଇ, ପବନରେ ଦୋହଲୁଥାଏ । ସୁଲୁସୁଲିଆ ବାଆରେ ନାଚୁଥାଏ କଣ୍ଟେଇ କୋଳି ଡାହିରେ କଳା, ନାଲି କଣ୍ଟେଇ କୋଳି ସବୁ । ଚୌଧୁରି ସାହିର ମଝିମେଲାରୁ କୃଷ୍ଣମୋହନ ଦାଦି ହାର୍‌ମୋନିୟମ୍‌ ବଜେଇ ଗାଉଥାନ୍ତି ତାଙ୍କର ନିଜ ଲେଖା ପ୍ରିୟ ଗୀତଟି,

 

‘ପତର ଠେଲି, ପାଖୁଡ଼ା ମେଲି

ନବ ମଲ୍ଲୀ ତୁ କାହାକୁ ଚାହୁଁ ।’

 

ଖୁବ୍‌ ସୁନ୍ଦର ଗୀତ । ଭଲ ଗାଆନ୍ତି କୃଷ୍ଣମୋହନ ଦାଦି । କିନ୍ତୁ ଅଳସୁଆ ମଣିଷ । ଦାଣ୍ଡଗାଡ଼ିଆରେ ଗାଧେଇଲା ବେଳେ, ତାଙ୍କରି ସାଙ୍ଗର ଲୋକ ଯେ ଯୁଆଡ଼େ ଯିବେ ଅଥଚ ଦାଦି ପାଣିରୁ ନ ଉଠନ୍ତି । କୃଷ୍ଣମୋହନ ଦାଦିଙ୍କର ସ୍ତ୍ରୀ ଅର୍ଥାତ ଖୁଡ଼ୀ ବଡ଼ ସ୍ନେହୀ ଲୋକ । ସବୁବେଳେ ହସହସ ମୁହଁ । ଦୁଃଖି, ରଙ୍କୀର ପେଟ ଚିହ୍ନି ଜାଣନ୍ତି । ପୁଅ ନଥିଲେ, କେବଳ ଛ’ ଝିଅ, ଶେଷରେ କିନ୍ତୁ ଖୁଡ଼ୀ ପୁଅ ଜନ୍ମଦେଇ ତା’ର ମୁହଁ ଦେଖି ଦୁନିଆ ଛାଡ଼ିଥିଲେ । ନିଷ୍ଠୁର ବିଧାତା ତା’ବି ସହିଲେ ନାହିଁ । ଖୁଡ଼ୀଙ୍କର ଯିବାର କିଛି ସମୟ ପରେ ପୁଅ ମଧ୍ୟ ଚାଲିଗଲା ।

 

ଠିକ୍‌ କୁଞ୍ଜବିହାରୀଙ୍କ ଦେଉଳ ପାଖରେ କୃଷ୍ଣମୋହନ ଦାଦିଙ୍କ ଗୀତ ମୋର କାନରେ ପଶି ପାଦ ଦୁଇଟାକୁ ଯେମିତି ଅଚଳ କରିଦେଲା । କୁଆଡ଼େ ଯିବି ? ଚାଟଶାଳୀକୁ ଯିବି ନା ଗୀତ ଶୁଣିବାକୁ ଯିବି ?

 

ଚାଉଁକରି ଦିହରେ ନିଆଁ ଚରିଗଲା । ଆଖିରୁ ସତେ ଅବା ଜୁଳୁଜୁଳିଆ ପୋକ ବାହାରିଗଲା ପରି ଲାଗିଲା । ବାଘୁଆ ଦଣ୍ଡା ଇଟାଭାଟି ଉହାଡ଼ରୁ ବାହାରି ଗଡ଼ିଲେ ମଥୁରାଦାଦି । ପାଗଳ ଅବସ୍ଥା, ବେଳେବେଳେ ଏମିତି ପାଗଳ ହୁଅନ୍ତି ସେ । ଛାନିଆଁ ହେଇଗଲି । ଆଖି ପିଛୁଳାକେ କିଆ ଭେଡ଼ବାଟ ଦେଇ ଧାଇଁଲି ଧାନ କିଆରୀ ଭିତରକୁ । ବାସ୍‌, ଛାତିଏ ଉଞ୍ଚଧାନ ଗଛ-। ହିଡ଼ ଉପରେ ବସିପଡ଼ିଲି ମୁଁ ।

 

ସେଇଭଳି ଅବସ୍ଥାରେ ହିଡ଼ ଉପରେ କେତେ ସମୟ ବସିଥିଲି, ଆଜି ଠିକ୍‌ ମନେ ନାହିଁ-। ଏ କ’ଣ ? କିଏ ଆସିଲା କି ? ଧାନଗଛ ଭିତରେ ଥାଇ ମୋତେ ବାହାର ଦୁନିଆ କିଛି କିଛି ଦେଖା ଯାଉନଥାଏ । ଅଧା ପାଚିଲା ଧାନଗଛ ଠାଏ ଠାଏ ଦୁଇପଟୁ ହିଡ଼ ଉପରେ ଭାଙ୍ଗି ପଡ଼ିଥାଏ-। ତାକୁ ଆଡ଼େଇ କିଏ ଯେମିତି ମୋ ଆଡ଼ିକି ଆସିଲାପରି ଜଣାଗଲା ମୋତେ । ଉଠି ଠିଆ ହେଇଗଲି । ବୋଉଲୋ...... ମାଇଲି ଡିଆଁ...... ଚାଟଶାଳୀ ଆଡ଼େ ।

 

ଅବଧାନେ ଚାଟଶାଳୀରେ ନଥାନ୍ତି । ସୁନା ପିଲାଟି ପରି ବସ୍ତାନି ଖୋଲି ବସିପଡ଼ିଲି ଅନ୍ୟ ଚାଟଙ୍କ ସାଙ୍ଗରେ । ମୂଳ ପାଠତକ ମଡ଼େଇ ନେଇ, ଚଉଦକ ପଣିକିଆକୁ ଲେଖିବସିଲି । ଅନାଗତ ପ୍ରହାର ଭୟରେ ଆଖିକୁ ଆଉ ପଣିକିଆ ସଂଖ୍ୟାଗୁଡ଼ାକ ଭଲ ଭାବରେ ଦେଖାଯାଉନଥାଏ ।

 

ବେଶି ବିଳମ୍ବ ହେଇନାହିଁ । ବୋଉ ମୋର ପଛେ ପଛେ ପହଁଞ୍ଚିଗଲେ ଚାହାଳୀରେ । ଅବଧାନ ବି କୋଉଠି ଥିଲେ ଆସି ପହଞ୍ଚିଲେ । ହେଲା ବୋଉଙ୍କର ଅଭିଯୋଗ । ତା’ପରେ କିଛି କଥାବାର୍ତ୍ତା ନକରି ଅବଧାନେ ଶ୍ରୀହସ୍ତରେ ବେତ୍ର ଧାରଣ କରି ସଟାକ୍‌..... ସଟାକ୍..... ଶବ୍ଦରେ ମୋର କ୍ଷୁଦ୍ର ଗଣ୍ଡି ଉପରେ ତାଙ୍କର ମନମାଫିକ୍‌ ଟାଣିଦେଇ ଗଲେ କେତେଗୁଡ଼ିଏ ତ୍ରିଛକୀ, ଚଉଛକୀ ମଡର୍ଣ୍ଣ ଆର୍ଟର ରେଖା ବିଶେଷ ।

 

ଆଜି ପଞ୍ଚାବନ ବର୍ଷ ବୟସରେ ମଧ୍ୟ ଅତୀତର ସେଇ ମାଟିବଂଶ ଅବଧାନଙ୍କ ସ୍ମୃତିଟିକକ ସେମିତି ଅଲିଭା ଅବସ୍ଥାରେ ରହିଯାଇଛି ମୋର ଖାଇବି ଗୋଡ଼ର ବଳାଗଣ୍ଠି ଉପରେ ।

 

ପ୍ରହାର ମଝିରେ ବୋଉ କେତେବେଳେ ଚାଲିଯାଇଥିଲେ ଜାଣିପାରି ନାହିଁ । ଚାହାଳୀ ଛୁଟିପରେ ଘରକୁ ଫେରିଲି, ଚାଲିବାପାଇଁ ଦେହରେ ଶକ୍ତି ନଥାଏ । ତଥାପି ନାଟଦଳକୁ ଦେଖୁବାକୁ ମନବଳ ବଢ଼ିଉଠୁଥାଏ । ଘରେ ପାଠ ବସ୍ତାନିକୁ ଫୋପାଡ଼ି ଦେଇ ଧାଇଁଲି ଚୌଧୁରୀ ସାହି ଦାଣ୍ଡକୁ-। ମୋ ଆଗରୁ ଅନେକ ପିଲା ରୁଣ୍ଡ ହେଇଥିଲେ ସେଠି ।

 

ସେମିତି ବାବୁରୀବାଳ ରଖିଥ‌ିବା ଛୋଟ ବଡ଼ ପିଲାଗୁଡ଼ିଏ । ଖୁବ୍‌ ବଡ଼ଦଳ, ଅନେକ ଜିନିଷପତ୍ର ତାଙ୍କର; ୟା’ ଆଗରୁ ଆମ ଗାଁ’କୁ ଯୋଉ ନାଟ ବା ସୁଆଙ୍ଗ ଦଳ ଆସିଥିଲେ ତାଙ୍କ ପାଇଁ ଥିଲା ଭାରୁଆ ବ୍ୟବସ୍ଥା, ହେଲେ ଏମାନଙ୍କ ପାଇଁ ଶଗଡ଼ ।

 

ବାଳକୃଷ୍ଣ ମହାନ୍ତିଙ୍କ ନାଟଦଳର ପ୍ରତ୍ୟେକଟି ପାଟିୟରକୁ ଦେଖ‌ିଲେ ମନେ ହଉଥିଲା ସତେ ଯେମିତି ଏମାନେ ଅନ୍ୟ ନାଟଦଳଙ୍କଠାରୁ ଟିକିଏ ସ୍ଵତନ୍ତ୍ର ଏବଂ ମାର୍ଜିତ ରୁଚିପୂର୍ଣ୍ଣ । ଗାଁ’ ପରିମଳ ଧୋବା ତୁଠରୁ ଦିଶିଲା ଭଳି ସେମାନଙ୍କର ରଙ୍ଗ, ଢଙ୍ଗ, ଚାଲି, ଚଳନ ଦେଖି ସମସ୍ତେ ଖୁସି ହେଇଗଲେ । ଶୁଣିଲୁ, ଆଜି ହବ ‘‘ଶୁଶୀଳ ମାଳତୀ’’ ନାଟ ।

 

ଏମାନଙ୍କ ଗାଧୁଆବେଳ ଭୋଗ ପାଇଁ ବରାଦ ହେଲା ଲକ୍ଷ୍ମୀଧର ବଡ଼ବାପାଙ୍କ ବଗିଚା ପୋଖରୀର ମାଛ, ସକାଳ ବାଳ ଧୂପପାଇଁ ପୁରି, ବୁଟ–ଆଳୁ ତରକାରୀ ଆଉ ସନ୍ଧ୍ୟା ଧୂପ ପାଇଁ ଆଉ ଟିକିଏ କଡ଼ା ବ୍ୟବସ୍ଥା । ପୁରି, ସୁଜିର ମହନଭୋଗ ଓ ତରକାରୀ ।

 

କିଏ ପଚାରେ ? ଚଣାହଟ୍ଟା ମଉଜାର ବିଖ୍ୟାତ ଜମିଦାରଙ୍କ ନିକଟରେ ଏଇ ସାମାନ୍ୟ ବ୍ୟବସ୍ଥା ତ କିଛି ନୁହେଁ । ଟଙ୍କାକୁ ଅଠରସେର ଚାଉଳ, ସୁଜିସେର ଦୁଇଅଣା, ସୋରିଷ ତେଲ ଅଠର ପଇସା, ଗୁଆଘିଅ ସେର ବାରଅଣା; ନଥିଲାବାଲାର ବାହା–ପୁଆଣିରେ ସିନା ଅର୍ଥ ଅଭାବରୁ ଲଟାହରଡ଼ ଡାଲି ଟୋପାଏ କଷ୍ଟକର, କିନ୍ତୁ ଥିଲାବାଲାଙ୍କ ପକ୍ଷରେ କଷ୍ଟ କ’ଣ ?

 

ନାଟବାଲାଙ୍କ ପାଇଁ ଏଇଭଳି ବ୍ୟବସ୍ଥାପତ୍ର ଦେଖି, ଶୁଣି ଖୁସିହେଇ ଘରକୁ ଫେରିଲି । ଗୋଡ଼ରେ ଆଘାତ ପାଇ ଛୋଟଉ ଥାଏ ମୁଁ ।

 

ବାପା ଦୁଇଦିନ ହେଲା କୁଆଡ଼େ ଯାଇଥିଲେ ଫେରି ଆସିଥାନ୍ତି ଘରକୁ । ନଇଁପଡ଼ି ତାଙ୍କ ଶୋଇଲା ଘର କବାଟ ଛିଦ୍ରରେ ଖୋସୁଥାନ୍ତି ଧାନ । ପାଖରେ ଠିଆ ହେଇଥାଏ ମୋର ଛୋଟ ଭଉଣୀ ‘ମନୀ’ ।

 

ବାପାଙ୍କର ଅନ୍ୟାନ୍ୟ ଭଲଗୁଣ ଭିତରେ ଗୋଟିଏ ବଡ଼ ଗୁଣ ଥୁଲା ଯୋଉଠିକି, ଯେତେ ଦୂରକୁ ସେ ଯାଆନ୍ତୁ ନା କାହିଁକି ଆଖିରେ ଧାନଟିଏ କୋଉଠି ପଡ଼ିଥ‌ିବାର ଦେଖିଲେ ଆଉ ତାକୁ ନଛାଡ଼ନ୍ତି । ସେଇ ସ୍ଥାନରୁ ସେ’ ଧାନଟିକୁ କାଗଜରେ ଗୁଡ଼େଇ ଅଣ୍ଟାରେ ଖୋସି ହେଉ କିମ୍ବା କାନିରେ ବାନ୍ଧିଦେଇ ଘରକୁ ଆଣନ୍ତି ଏବଂ ତାଙ୍କ ନିଜ ଶୋଇବା ଘର କବାଟରେ ଖୋସିଦିଅନ୍ତି ।

 

ଆମର ଛୋଟ ସଂସାରଟିର ଅଭାବ ଅନାଟନ ଯେ କେତେ ଉତ୍କଟ ସେକଥା, ବାପାଙ୍କର ଏଇ ଶତଛିଦ୍ର କବାଟଟି ଦେଖିଲେ ଯେ’ କେହି ଲୋକ ସହଜରେ ଅନୁମାନ କରିପାରୁଥିଲେ ଏବଂ ସେଇ ଛିଦ୍ରଗୁଡ଼ିକ ପୂର୍ଣ୍ଣ କରୁଥିଲେ ବାପା ନିଜର ଯାତ୍ରା ପଥରୁ ସାଉଁଟି ଆଣୁଥ‌ିବା ତାଙ୍କର ଅମୂଲ୍ୟନିଧି ଗୋଟିଏ ଗୋଟିଏ ଧାନ କଣିକାରେ ।

 

ମୋତେ ଦେଖି ବାପା ଆନନ୍ଦରେ ବାଳକ ବୋଲି ସମ୍ବୋଧନ କରି ଚିତ୍କାର କରି ଉଠିଲେ । କାଖେଇ ପକେଇଲେ, ବୁଝିପାରିଲେ ମୋର ଅବସ୍ଥା କଥା । ଗୋଡ଼ରେ ସେ ପର୍ଯ୍ୟନ୍ତ ବି ତଟକା ରକ୍ତର ଲାଲ ରଙ୍ଗ ।

 

ହସହସ ମୁହଁ ହଠାତ୍‌ ଯେମିତି ଗମ୍ଭୀର ହୋଇ ଉଠିଲା, ଆଖିରେ ଦେଖାଦେଲା ଲୁହ । ଏ କ’ଣ ? ବାପା କାନ୍ଦନ୍ତି ? କେବେ ତ ଦେଖିନାହିଁ ବାପା କାନ୍ଦିବାର ? ଆଜି ହଠାତ୍ କାନ୍ଦିଲେ କାହିଁକି ? ବାପାଙ୍କ କାନ୍ଧରେ ମୁଣ୍ଡରଖି ମୁଁ ବି କାହିଁକି କେଜାଣି କଇଁକଇଁ ହେଇ କାନ୍ଦି ଉଠିଲି ।

 

ମୋ’ କାନ୍ଦିବା ଦେଖି ଅଜ୍ଞାନ ଶିଶୁ ‘ମନୀ’ (ସୂର୍ଯ୍ୟମଣି କ’ଣ ଭାବିଲା କେଜାଣି ମେଁ କରି ରଡ଼ି ଛାଡ଼ିଲା) ଆଉ ତା’ ସାଙ୍ଗେ ସାଙ୍ଗେ ଶୁଣିବାକୁ ପାଇଲି ଭିତରଘରୁ (ରୋଷେଇ ଘର) ଅପା, ବୋଉଙ୍କର ସୁଁ ସୁଁ ଶବ୍ଦ ।

 

ଟିକକ ପରେ ସବୁକାନ୍ଦ ମଉଳିଗଲା । ସମସ୍ତେ ନୀରବ । କାହାରି ମୁହଁରେ କଥା ନାହିଁ-। ହେଲେ କୋଉଥିପାଇଁ ଏତେ କାନ୍ଦର ସ୍ରୋତ ଛୁଟିଲା ପୁଣି କାହାର ଇଙ୍ଗିତରେ ସେଇ ଉଛୁଳା ଲୁହର ବନ୍ୟା ଛୁଟି ଯାଉଯାଉ ଅଟକିଗଲା, ଏକଥା ମୁଁ ମୋର ଟିକି ମଥାଟାରେ ଭାବିପାରିଲି ନାହିଁ-

 

ବାର୍ଦ୍ଧକ୍ୟର ପ୍ରଥମ ପାହାଚରେ ପାଦଦେଇ ଆଜି ମୁଁ ଭାବୁଛି ଅତୀତର ସେଇ ପିତୃସ୍ନେହର ଅପାସୋରା ସ୍ମୃତି–ସମ୍ବଳିତ ଦିନଗୁଡ଼ିକ କଥା । ବାପା ଥିଲେ ପାଞ୍ଚୋଟି ସନ୍ତାନର ପିତା, ମୁଁ ମଧ୍ୟ ଆଜି ଚାରୋଟି ସନ୍ତାନର ପିତା । ବାପା ଥିଲେ ଜୀବନ ସାରା ସମ୍ବଳହୀନ; ମୁଁ କିନ୍ତୁ ଦିନ ମଜୁରିଆ, ବାପା ଥିଲେ ସେଇ ପରମପିତାଙ୍କର ଗୁଣ କୀର୍ତ୍ତନକାରୀ ଭାଟ ଆଉ ମୁଁ ହେଲି ଏଇ ଅନିତ୍ୟ ଦୁନିଆର କ୍ଷଣସ୍ଥାୟୀ ସରକାରଙ୍କ ଏକ ମିଥ୍ୟା ପ୍ରଚାରକାରୀ ଭାଟ । କଟକି ସେର ଘିଅର ମୂଲ୍ୟ ସେତେବେଳେ ବାରଅଣା ଥିଲେ ମଧ୍ୟ ବାପା ଟୋପାଏ ଘିଅ ପାଉନଥିଲେ । ଏବଂ ମୁଁ ସେମିତି ଆଜି କିଲେ ଚାଉଳକୁ ତିନିଟଙ୍କା ଗଣି ଓ ସାତ ଜଣିଆ ପରିବାରକୁ ପ୍ରାଣ ବିନିମୟରେ ମଥାରେ ବହନ କରି, କିଲୋ ଚାଳିଶ ଟଙ୍କା ମୂଲ୍ୟର ଘିଅ ବିନ୍ଦୁଏ ପାଇବାକୁ ଅସମର୍ଥ ।

 

ବାପା ସେତେବେଳେ ଯେମିତି, ଶସ୍ତାଯୁଗରେ ତାଙ୍କର ପାଞ୍ଚୋଟି ସନ୍ତାନର ଲଜ୍ଜା ନିବାରଣ ପାଇଁ କିଛି କରିପାରୁନଥିଲେ, ଆଜି ମୁଁ ବି ସେମିତି ମୋର ସାତ ଜଣିଆ ପରିବାରର ସାମାନ୍ୟତମ ଚାହିଦା ପୂରଣ ପାଇଁ ଅଯୋଗ୍ୟ ।

 

କେବଳ ମୋର ଆଉ ବାପାଙ୍କ ଭିତରେ ତଫାତ୍‌ ଥିଲା ଏତିକି ଯେ, ବାପାଙ୍କର ଚିନ୍ତା ଥିଲା ଏକମୁଖୀ ଭଗବତ୍‌ ଚିନ୍ତା; ସଂସାର ଭିତରେ ଥାଇ ମଧ୍ୟ ସେ କୌଣସି ସାଂସାରିକ କାର୍ଯ୍ୟରେ ଲିପ୍ତ ହେଇପାରୁନଥିଲେ । ସବୁ ଯେମିତି ତାଙ୍କର ଅଜାଣତରେ ଘଟିଯାଉଥିଲା । ତାଙ୍କ ଦୃଷ୍ଟିରେ ଥିଲା ବିଶ୍ଵବ୍ରହ୍ମାଣ୍ଡ ଗୋଟିଏ ପରିବାର, ଆଉ ସେଇ ପରିବାରର ଚାଳକ ସେଇ ଅନନ୍ତ ଅନାଦି ପୁରୁଷ । ଆମେ ସମସ୍ତେ ତାଙ୍କର ପୁଅ, ଝିଅ; ବାପା–ସେ’ ଥିଲେ ସମସ୍ତଙ୍କର ଏବଂ ସମସ୍ତେ ଥିଲେ ବାପାଙ୍କର ।

 

ଏଇ କାରଣରୁ ସେ ନିଜ ପରିବାରର ଲୋକଙ୍କୁ ଆଉ ସ୍ଵତନ୍ତ୍ରଭାବେ ଦେଖୁ ନଥିଲେ । କିନ୍ତୁ ମୋର ଚିନ୍ତା ଥିଲା ବହୁମୁଖୀ ଏବଂ ସ୍ଵାର୍ଥଜଡ଼ିତ । ଅବଶ୍ୟ ଅନ୍ୟ କାହାର ସ୍ଵାର୍ଥର ବାଧା ପଡ଼ିଲା ଭଳି କୌଣସି କାମ କରିବାକୁ ମୁଁ କେବେ ପସନ୍ଦ କରେ ନାହିଁ ।

 

ନିଜେ କେମିତି ଦୁନିଆରେ ବଡ଼ ମଣିଷ ହେବି, କେଉଁ ଉପାୟରେ ଭଲ ମଣିଷ ହେବି, ମୋର ପିଲାମାନେ କେମିତି ବଡ଼ ହେବେ, ମୋର ନାଁ ରଖିବେ, ସେଇକଥା ଚିନ୍ତା କରୁଥିଲି ।

 

ଏଇ ଟିକିଏ ସମୟ ପୂର୍ବରୁ ପରିବାରରେ ଯୋଉ ସାମାନ୍ୟ ବିଷାଦର ଛାୟା ଘୋଟିଯାଇଥିଲା, ଆଖି ପଲକରେ ତାହା ଉଭେଇଗଲା । ବାପାଙ୍କ ମୁହଁରେ ଫୁଟି ଉଠିଲା ପୁଣି ସେଇ ପୂର୍ବ ପ୍ରସନ୍ନତା ।

 

ଅପା ମୋତେ କାଖେଇ ନେଇ ବାରିରୁ ବଣ ତୁଳସୀ ଗଛର କ୍ଷୀର ମୋର ବେତ ମାଡ଼ରେ ଖଣ୍ଡିଆ ହେଇଥ‌ିବା ସ୍ଥାନମାନଙ୍କରେ ଲଗେଇଦେଲା ।

 

‘ମନୀ’କୁ ସାଙ୍ଗରେ ଧରି ଖେଳରେ ମାତିଗଲି,–କଙ୍କି ଲାଞ୍ଜରେ ସୂତା ବାନ୍ଧି ଉଡ଼େଇଲି; ସଢ଼େଇରେ ପାଣି ପୂରେଇ, ସେଥିରେ ଧଳା ସିଜୁ କ୍ଷୀର ଦେଇ, କୁଟାକୁ ଗଣ୍ଠି ପକେଇ, ସେଥିରେ ବୁଡ଼େଇ, ଉପରକୁ ଟେକି ତାକୁ ପବନରେ ଫୁଙ୍କିଲି, ପାଣି ଫୋଟକା ପରି ସୁନ୍ଦର ସୁନ୍ଦର ଗୋଲ ଗୋଲ ଧଳା ଫୋଟକା ଉଡ଼ି ଉଡ଼ି ଉପରକୁ ଉଠିଗଲା, ‘ମନୀ’ ତା’ର ଟିକି ହାତରେ ତାଳି ବଜେଇ ହସି ଉଠିଲା ।

 

ଠିକ୍‌ ମାଛି ଅନ୍ଧାର ହଉ ନ ହଉଣୁ ଚାଲିଲା ନାଟ ଦେଖାପାଇଁ ଉଦ୍‌ଯୋଗପର୍ବ । କାହା ଘରେ ବେତ ଭାତ, କାହା ଘରେ ସଜପଖାଳ, କାହା ଘରେ ବା କୋଳଥ ଯାଉ ଲାଗିଲା ଧୁମ୍‌ଧାମ୍‌ । କେମିତି ଚଞ୍ଚଳ ଚଞ୍ଚଳ କାମ ସରିବ ଏକଥାକୁ ଆଖି ଆଗରେ ରଖି, ଗାଁ’ର ଲୋକେ ବ୍ୟସ୍ତ ହେଇପଡ଼ିଲେ ।

Unknown

 

ସେତେବେଳେ ଗାଁ’ ଗଣ୍ଡାମାନଙ୍କରେ ଯାତ୍ରା ସୁଆଙ୍ଗ ଦେଖିବାର ଯୋଉ ନିଶା, ଆଜି କାଲିର ମଦ, ଗଞ୍ଜେଇ ନିଶାଠାରୁ ତାହା ଖୁବ୍‌ ପ୍ରବଳ ଥିଲା । କାରଣ ଆମର ସେ ଅଞ୍ଚଳରେ ବିଶେଷକରି ଅଧିକାଂଶ ଗ୍ରାମରେ ତ୍ରିନାଥମେଳାକୁ ଗଞ୍ଜେଇ ଲୋଡ଼ା ହେଲେ ଲୋକେ କୋଶେ–ଦୁଇକୋଶ ବାଟ ଦଉଡି଼ ବନମାଳୀପୁର, କାହିଁ ଅଠାନ୍ତର, ବାଳକାଟୀ, ବାଲିପାଟଣା ଅବକାରୀ ....କୁ ଛୁଟୁଥିଲେ ।

 

ମଦ ନାଁ ଆମେ ଶୁଣୁନଥିଲୁ, ଦେଖିବା ତ ଦୂରର କଥା । କେହି କେହି ଶ୍ଵାସ ରୋଗୀ କରାଟରେ ଅଫିମ ଲୁଚେଇ ରଖୁଥିଲେ ଚାରିଆଡ଼େ ଧରପଗଡ଼ ।

 

ଆମେମାନେ ସବୁ ଶୁଣିବାକୁ ପାଉଥିଲୁ କେତେ ନୂଆ ନୂଆ ଖବର । ଭାରତୀୟ ଆକାଶରେ ଉଠିଥାଏ ଦେଶ–ବିପ୍ଳବର ଖଣ୍ଡିଆଭୂତ ଝଡ଼ । ସେଇ ରାଜନୈତିକ ଘୂର୍ଣ୍ଣିବାତ୍ୟାର ଆବାହକ ଥିଲେ ପୂଜ୍ୟ ମହାତ୍ମା ଗାନ୍ଧି । ଅବକାରୀ ଦୋକାନ ଆଗରେ ପିକେଟ । ପୁଲିସର ଦମନଲୀଳା ଲୋକଙ୍କ ମନରେ ଆଣିଥାଏ ଗୋଟାଏ ଗୋଟାଏ ଭୟ ଆଉ ଆଶଙ୍କା । କୋଉଠି କେମିତି ଲୁଚେଇ ଛପେଇ ବସୁଥିଲା ସଭା ।

 

ପ୍ରବଳ ପ୍ରତାପୀ ବ୍ରିଟିଶ ସରକାର, ଟିକିଏ ଟିକିଏ କଥାକୁ ଆଳ କରି ଧରୁଥାନ୍ତି ଲାଠି ଆଉ ବନ୍ଧୁକ । ଦେଶର ବଡ଼ ବଡ଼ ଗୁଣୀ ମଣିଷ ଧରାହେଇ ଯାଉଥାନ୍ତି ଜେଲ । ନିଜର ଜୀବନ ପଛେ ଯାଉ; କିନ୍ତୁ ଦେଶକୁ ପରାଧୀନତାର ନାଗଫାଶରୁ ମୁକ୍ତ କରିବାକୁ ହେବ ।

 

କିନ୍ତୁ କ’ଣ ହେବ ? ଘର ଢିଙ୍କି କୁମ୍ଭୀର ଭଳି ଆମରି ଦେଶର କେତେକ ଲୋକ, ଆମରି ଭଗାରୀ ହେଇ, ଗୋରା ସରକାରକୁ ଆପଣାର ଘରର ଛିଦ୍ର ବତେଇ ଦଉଥାନ୍ତି । ପୁଣି ଥୋକେ ପୁଅଝିଅ, ଗୋରା ସରକାରର ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରି ନିଜଘରେ ନିଜେ ହେଉଥାନ୍ତି ବନ୍ଦୀ । ଗାନ୍ଧି ମହାତ୍ମା କି ଜୟ..... ଭାରତ ମାତା କି ଜୟ..... ଏହି ବଜ୍ରନିର୍ଘୋଷ ଧ୍ଵନୀରେ ଭାରତର ଗଗନ, ପବନ ପ୍ରତିଧ୍ଵନିତ ହେଉଥାଏ ।

 

ଦେଶରେ ଏଇଭଳି ପରିସ୍ଥିତିର ଅନେକ ଆଗରୁ ଘଟିଥାଏ ପଞ୍ଜାବର ସେଇ ଐତିହାସିକ, ନିର୍ମମ ଜାଲିଆନାବାଗ୍‌ ହତ୍ୟାକାଣ୍ଡ । ଦେଶବାସୀଙ୍କ ହୃଦୟ ଭିତରେ ଜଳୁଥାଏ ପ୍ରତିହିଂସାର ନିଆଁ ।

 

ଓଡ଼ିଶାର ରାଜଧାନୀ କଟକ ସହରଠାରୁ ଆମ ଗାଁ ଅନେକ ଦୂର ହେଇଥିଲେ ମଧ୍ୟ ତୁଣ୍ଡବାଇଦ ସହସ୍ର କୋଶ ଭଳି ଏସବୁ ଖବର ଏ କାନରୁ ସେ କାନ ଦେଇ ଆମ ପାଖରେ ପହଞ୍ଚୁଥିଲା । ଆଉ ମଧ୍ୟ ସୂତ୍ରଧର ଭାବରେ ଆମ ଗାଁ ଚୌଧୁରୀ ସାହି ଓ ଗାରିଡ଼ିପାଞ୍ଚଣ ଗାଁ’ ଏ ଦିଗରେ ଅନେକଟା ସାହାଯ୍ୟ କରୁଥିଲା । କାହିଁକି ନା ଗାରିଡ଼ିପାଞ୍ଚଣ ଗାଁ’ର ବିଖ୍ୟାତ ସେନାପତି ସାହେବ ଥିଲେ ପ୍ରଥମ ଓଡିଆ ।.C.S. ଅଫିସର ଓ ଚୌଧୁରୀ ସାହିର ଉପେନ୍ଦ୍ର ବଡ଼ାପା ଏବଂ ଆଉ ଅନ୍ୟାନ୍ୟ କେତେ ଓଡ଼ିଶାର ଅନେକ ସ୍ଥାନରେ ଥିଲେ ଖୁବ୍‌ ବଡ଼ ଚାକିରିଆ ।

 

ମହାତ୍ମାଜୀ କାରାଗାରରେ ଥିଲେ ବନ୍ଦୀ । ଆମେ ଛୋଟ ଛୋଟ ପିଲାସବୁ । ତାଙ୍କଠାରୁ ଶହଶହ ମାଇଲି ଦୂରରେ ଥାଇ ମଧ୍ୟ ଏବଂ ତାଙ୍କୁ ନ ଚିହ୍ନିଥିଲେ ବି ମନ ଆମର ତାଙ୍କ ବିଷୟରେ ଅନେକ କଥା ଶୁଣି ଗୋଳେଇ ଘାଣ୍ଟି ହଉଥିଲା । ଗାନ୍ଧିଜୀଙ୍କୁ ଆମେ ଆଖ‌ିରେ ନଦେଖିଲେ ବି ସେ ଯେମିତି ଆମ ପରିବାରର ମଣିଷ ଭଳି ଲାଗୁଥିଲେ ।

 

ସେତିକିବେଳେ ଆମେମାନେ ଖଣ୍ଡିଏ ଛୋଟ କନାରେ ଖଣ୍ଡେ ଖଡ଼ିକା ପୂରେଇ ଗୁଡ଼େଇ ଦେଇ କହୁଥିଲୁ, ଗାନ୍ଧିଜୀ ବନ୍ଦୀ ହେଲେ ଏବଂ ଖଡ଼ିକା ଓ କନାକୁ ହାତରେ ବଳିଦେଇ ତାକୁ ଖୋଲିଦେଲା ବେଳକୁ ଖଡ଼ିକା ଖଣ୍ଡିକ ଉପରକୁ ଚାଲିଆସୁଥିଲା । ସେତେବେଳେ ଆମେ ଚିତ୍କାର କରି କହୁଥୁଲୁ–ମହାତ୍ମାଜୀ ମୁକ୍ତ ହେଲେ ।

 

ତା’ର ଅର୍ଥ ଗାନ୍ଧିଜୀଙ୍କୁ ବିଦେଶୀ ସର୍କାର ଯେତେ ବନ୍ଦୀ କଲେ ମଧ୍ୟ ମୁକ୍ତ କରିବାକୁ ବାଧ୍ୟ ହଉଥିଲେ । ଜନତାର ଚାପରେ ବ୍ରିଟିଶ ସର୍କାର ପ୍ରମାଦ ଗଣୁଥିଲେ ।

 

ରାତି ହବା ସାଙ୍ଗେ ସାଙ୍ଗେ ଚୌଧୁରୀଙ୍କର ଚାନ୍ଦିନୀ ଆଗରେ ଚାହୁଁଚାହୁଁ ଲୋକ ଭିଡ଼ ବଢ଼ିଉଠିଲା । ଏମିତିକି ଲୋକଗୁଡ଼ାକ ଯାତ୍ରା ଦେଖ‌ିବାକୁ କିଏ ଗଛ ଡାଳରେ, କିଏ ଗୁହାଳ ଘର ପିଢ଼ା ଉପରେ ବସିବାକୁ ଭୁଲିଲେ ନାହିଁ ।

 

ଆରମ୍ଭ ହେଲା ବିଖ୍ୟାତ ବାଳକୃଷ୍ଣ ମହାନ୍ତିଙ୍କ ମନମୁଗ୍ଧକର ସୁଶୀଳ–ମାଳତୀ ନାଟ, ମଶାଲିଆ ମଶାଲ ଧରି ପ୍ରତ୍ୟେକ ଅଭିନୟକାରୀ ଅଭିନେତା ମୁହଁକୁ ଦେଖେଇଲେ ଆଲୋକ ।

 

ମତେ, ବସି ଦେଖିବାକୁ ସ୍ଥାନ ଦିଆଗଲା ଚାନ୍ଦିନୀ ଉପରେ । କେବଳ ଏଇ ଯାତ୍ରା ଦେଖିବାକୁ ନୁହେଁ, ଏଥ‌ିପୂର୍ବରୁ ଯେତେସବୁ ନାଟ, ଚଇତିଘୋଡ଼ା, ଘୁମୁରାନାଟ, ମୁଣ୍ଡପୋତା କେଳାନାଟ, ପାଟୁଆନାଚ, ପାଲା, ଥିଏଟର, ସଖୀନାଟ, ବାଉଁଶରାଣୀ ପ୍ରଦର୍ଶନ କରାଯାଇଛି ପ୍ରତ୍ୟେକ ଅନୁଷ୍ଠାନକୁ ଦେଖିବାକୁ ଆଦର ଯତ୍ନସହ ସୁଯୋଗ ମୋତେ ଦିଆଯାଏ । କାରଣ ଅନୁକରଣ କରିବାରେ ମୁଁ ଥୁଲି ଅତିପଟୁ । ଯାହାସବୁ ଥରେ ମୁଁ ଦେଖୁଥିଲି ତାକୁ ପର ମୁହୂର୍ତ୍ତରେ ବେଶ୍‌ ନକଲ କରିପାରୁଥିଲି ।

 

କି ସୁନ୍ଦର ସେ ସୁଶୀଳ ମାଳତୀ ନାଟ, ବଡ଼ ଭଲ ଲାଗୁଥାଏ । ସଙ୍ଗୀତବହୁଳ ନାଟ ସେ-। ସେଥ‌ିରେ ପଦେପଦେ କଥା ସହ ଗୀତ ଥାଏ ବେଶି । କଥା ବା ବଚନିକାର ଅର୍ଥ ଯାହା, ଗୀତର ମଧ୍ୟ ଅର୍ଥ ସେଇଆ ପ୍ରକାଶ କରାଯାଏ । ତେବେ, ବେଳେବେଳେ ଅଭିନୟ ବିଷୟବସ୍ତୁକୁ ଆଗେଇ ନେବାପାଇଁ ନୂଆନୂଆ ଚରିତ୍ର ମୁହଁରେ ନୂଆନୂଆ କଥା ପଦେ ପଦେ ଆସେ ।

 

ସେ’ ସମୟରେ ନାଟଦଳ ଭିତରେ ଗୋପାଳ ଦାସ ଦଳ, ଯଶୁ ଓଝା ଦଳ, ରାମଚନ୍ଦ୍ର ସ୍ଵାଇଁଙ୍କ ଦଳ, ବୈଷ୍ଣବ ପାଣିଙ୍କ ଦଳ ଏବଂ ବାଳକୃଷ୍ଣ ମହାନ୍ତିଙ୍କ ଦଳ ପ୍ରାୟ ଓଡ଼ିଶାର ଗାଁ’ଗଣ୍ଡାମାନଙ୍କରେ ଯାତ୍ରାଭିନୟ କରୁଥିଲେ ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ପାଉଥିଲି । ଆଉ ସେ’ ସମସ୍ତଙ୍କଠାରୁ ଗଣକବି ବୈଷ୍ଣବ ପାଣିଙ୍କ ନାଟଦଳ ଓ ବାଳକୃଷ୍ଣ ମହାନ୍ତିଙ୍କ ନାଟଦଳ ଥିଲେ ସବୁଠାରୁ ସରସ ।

 

ସବୁ ନାଟଦଳଙ୍କ ଅଭିନୟ ମୁଁ ଦେଖିବାର ସୁଯୋଗ ପାଇନଥିଲେ ବି କେତେକ ଯାତ୍ରାରେ ରାଜା ଆଖିରେ ନୀଳ ଚଷମା ବ୍ୟବହାର କରୁଥିଲା ଏବଂ ଅଭିନେତାମାନେ ମୁଁହରେ ପାଉଡ଼ର ପରିବର୍ତ୍ତେ ହଳଦି ବୋଳି ହଉଥିଲେ । ପ୍ରାୟ ଅଧିକାଂଶ ନାଟରେ ଦୁଆରୀ, ମୁଦୁସୁଲୀ, ନଟ, ନଟୀ, ନାରଦ, ନିୟତି ମୁଖ୍ୟ ସ୍ଥାନ ଗ୍ରହଣ କରୁଥିଲେ । ଦଳରେ ଯୋଉମାନେ ଭଲ ଅଭିନେତା କେବଳ ସେଇମାନଙ୍କୁ ବାଛି ବାଛି ଏଇସବୁ ଭୂମିକାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଉଥିଲା ।

 

ଏଇସବୁ ଚରିତ୍ରମାନଙ୍କ ମୁହଁରେ ଯୋଉଭଳି ଭାଷା ଦିଆଯାଉଥିଲା । ସବୁ ଭାଷା ବେଳେବେଳେ ଅଶ୍ରାବ୍ୟ ହେଲେ ହେଁ ହାସ୍ୟରସ ସୃଷ୍ଟି କରିବାରେ ସାହାଯ୍ୟ କରୁଥିଲା । ନାରଦ ତାଙ୍କର ବଚନିକାରେ ଅଧା ଓଡ଼ିଆ, ଅଧା ହିନ୍ଦୀ ମିଶେଇ ଏକ ବିଚିତ୍ର ଶବ୍ଦମାନ ଉଚ୍ଚାରଣ କରୁଥିଲେ । ଦୁଆରୀର ବେଶଭୂଷା ଥିଲା ଅଦ୍‌ଭୂତ ।

 

ପ୍ରତ୍ୟେକ ଯାତ୍ରାର ମଝିରେ ମଝିରେ ହଉଥିଲା ଫାର୍ସ (ପ୍ରହସନ) ଏବଂ ଗୋଟି ପିଲାର ନାଚ (ସିଙ୍ଗ୍‌ଲ ଡାନ୍ସ)–ସେଥିରେ ମୁଦ୍ରା ନଥିଲା କି ଭଙ୍ଗୀ ନଥିଲା, ଥିଲା କେବଳ କେତେ ପ୍ରକାର ଦାନ ଚାଳନା ଆଉ ବେତାଳିଆ ହାତ, ମୁଣ୍ଡ ହଲା । ସବୁ ଖାପ୍‌ ଛଡ଼ା ।

 

ଏସବୁ ଅବସ୍ଥା ଯେ ବାଳକୃଷ୍ଣ ମହାନ୍ତି ଅବା ବୈଷ୍ଣବ ପାଣିଙ୍କ ଯାତ୍ରାଦଳରେ ନଥିଲା ତା’ ନୁହେଁ । କିନ୍ତୁ ଓଡ଼ିଶାର ଏଇ ଦୁଇଟି ଦଳ ସେତେବେଳେ ମୋ’ ଜାଣତରେ ଖୁବ୍‌ ପ୍ରସିଦ୍ଧ ଥିଲେ ।

 

ସୁଶୀଳ ମାଳତୀ ନାଟକ ସେଦିନ ଏତେ ଭଲ ଲାଗିଲା ସମସ୍ତଙ୍କୁ କଥାରେ କହିହବ ନାହିଁ । ଯାତ୍ରାଟି ଆରମ୍ଭ ହେଲାବେଳୁ ଦେଖେଣାହାରୀ, ସାପ ପଦ୍ମତୋଳା ଶୁଣିଲା ଭଳି, ଧୀରସ୍ଥିର ଭାବେ ବସି ପାଟିତୁଣ୍ଡ ନକରି ଶୁଣୁଥିଲେ । କାହାରି ଆଖିରେ ସତେ ଅବା ପଲକ ପଡ଼ୁନଥିଲା ।

 

ଧରମ ଦେବତା (ସୂର୍ଯ୍ୟ) ଧୀରେ ଧୀରେ ମୁଣ୍ଡ ଉପରକୁ ଉଠି ଆସୁଥାନ୍ତି । ଚାନ୍ଦୁଆ ଉପରେ ଖରା ପଡ଼ିପଡ଼ି ଆସୁଥାଏ । ଯାତ୍ରାର ଶେଷ ବାଦ୍ୟ ବାଜିଉଠିଲା । ଲୋକମାନେ ପାଟିତୁଣ୍ଡ କରି ଠିଆହେଇଗଲେ । ଯେମିତି ବେହୋସ ହେଇପଡ଼ିଥିଲେ ସମସ୍ତେ । ହୋସକୁ ଆସିଗଲେ ।

 

ପ୍ରକୃତରେ ଅଭିନୟର ଆକର୍ଷଣ ଶକ୍ତି କେତେ ପ୍ରଖର ଆଜି ମୁଁ ବୁଝିପାରୁଛି । ଦୀର୍ଘ ସମୟ ଧରି ଦର୍ଶକମାନଙ୍କୁ ଗୋଟିଏ ସ୍ଥାନରେ ଅଥର୍ବ ଭଳି ବନ୍ଦୀ କରିରଖିବା କମ୍‌ କଥା ନୁହେଁ । ଏହା କେବଳ ସମ୍ଭବ ହୁଏ ସେଇଠି, ଯୋଉଠି ଅଭିନୟରେ ପ୍ରତ୍ୟେକ ଅଭିନେତା । ନିଜର ବାସ୍ତବ ଜୀବନରୁ ବିଚ୍ଛିନ୍ନ ହୋଇ ନାଟକର ସ୍ଵଚରିତ୍ରରେ ମଜ୍ଜି ନିଖୁଣ ଅଭିନୟ ପ୍ରଦର୍ଶନ କରିଛି ।

 

ପ୍ରଶଂସାଠାରୁ ମଣିଷର ମହାବ୍ୟାଧି ଆଉ କିଛି ନାହିଁ । ଏବଂ ତାହା ଏତେ ସଂକ୍ରାମକ ଯେ ବାୟୁମଣ୍ଡଳରେ ମିଶି ଶବ୍ଦଗତିଠାରୁ କିବା ଆଲୋକଗତିଠାରୁ ଆହୁରି ଦ୍ରୁତଗାମୀ ହେଇପଡ଼ି ଚାହୁଁଚାହୁଁ ବହୁ ଯୋଜନର ଅନ୍ୟ ମଣିଷଙ୍କୁ ସଂକେତ ଦିଏ ।

 

ପ୍ରଶଂସା ମଣିଷକୁ ସର୍ବନାଶ ପଥକୁ ଟାଣିନିଏ । ଅବଶ୍ୟ ଏ ଦୁନିଆରେ ଏମିତି ଲୋକ ଅଛନ୍ତି ଯୋଉମାନେ କି ଶତ ପ୍ରଶଂସାରେ ବି ଅବିଚଳିତ ରହି ତାଙ୍କର କର୍ମ ପଥରେ ଆଗେଇ ଚାଲନ୍ତି, ଆଉ ପୁଣି ଅନେକ ଅଛନ୍ତି ଯୋଉମାନେ କି ସାମାନ୍ୟତମ ବାହାବାରେ ଫୁଲି ଉଠି ଫୁଲକଷିରୁ ଝଡ଼ିପଡ଼ି ବିଲୟ ଭଜନ୍ତି ।

 

ବାଳକୃଷ୍ଣ ମହାନ୍ତିଙ୍କର ସୁଶୀଳ ମାଳତୀ ନାଟକ (ଗୀତାଭିନୟ)ର ସଫଳତା ଏତେ ଦୂର ବଢ଼ିଗଲା ଯେ ଗୋଟିଏ ଦିନରେ କାହିଁ କେତେ ଗ୍ରାମକୁ ତାର ଯଶମାନ ବ୍ୟାପିଯାଇଥିଲା । ଏଥିରେ ଯାତ୍ରାବାଲା ଯେତେ ମାତ୍ରାରେ ଗର୍ବ ଅନୁଭବ କରୁନଥିଲେ ତା’ଠାରୁ ବେଶି ଅନୁଭବ କରୁଥିଲେ ଚୌଧୁରୀ ସାହିର ପ୍ରତିଟି ପିଲା ବୁଢ଼ା ।

 

ହବାର କଥା । କଳାପ୍ରିୟ ଓଡ଼ିଆ ଜାତି, ଯୁଗ ଯୁଗ ଧରି ତା’ର କଳାକାର ଗୋଷ୍ଠୀକୁ ଆଦର ସମ୍ମାନ ଦେଇଆସିଛି ଏବଂ ଦେଉଥ‌ିବ । କେବଳ ଆଦର ସମ୍ମାନ ନୁହେଁ, କଳାର ପୃଷ୍ଠପୋଷକତା ପାଇଁ ସେକାଳର ରାଜା, ଜମିଦାରମାନେ ମୁଖ୍ୟତଃ ପ୍ରଧାନ ଭୂମିକା ଗ୍ରହଣ କରୁଥିଲେ ।

 

ଆମ ଗାଁକୁ ଯୋଉସବୁ ଯାତ୍ରା ଏବଂ ପାଲା ଦଳ ଆସୁଥିଲେ ସେମାନଙ୍କର ଧାରଣା ଥିଲା ଯେ ଯଦି ସେମାନେ ‘ଚଣାହାଟ୍ଟ’ ଗ୍ରାମରୁ ଉତ୍ତୀର୍ଣ୍ଣ ହେଇପାରିବେ ତେବେ ତାଙ୍କର ଆଉ କୌଣସି ଗ୍ରାମକୁ ଭୟ ନାହିଁ । କାରଣ କଳାକୁ ଚିହ୍ନିବାରେ ମୋ’ ଗାଁ’ରେ ଥିଲେ ଉପଯୁକ୍ତ ଚିହ୍ନରାଦଳ ।

 

ମୋ’ ଗାଁ’ର ଥିଲେ ପ୍ରସିଦ୍ଧ ମହିମାମଣ୍ଡିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର, ଯାହାଙ୍କର ବିଭୂତି ବଳରେ ବହୁ ଅଜ୍ଞାନୀଙ୍କର ଅଜ୍ଞାନତା ଦୂର ହୋଇ ମିଳୁଥିଲା ଜ୍ଞାନାଲୋକର ସନ୍ଧାନ; ସେଥିଲାଗି ସବୁ ନବାଗତ କଳାନୁଷ୍ଠାନ ଶ୍ରୀ ନୀଳକଣ୍ଠେଶ୍ଵରଙ୍କ ନିକଟରେ ଉପସ୍ଥିତ ହୋଇ ଜଣାଉଥିଲେ ନିଜର ବିନମ୍ର ପ୍ରାର୍ଥନା । ଆଉ ସେମାନଙ୍କ ଭିତରେ ବାଳକୃଷ୍ଣ ମହାନ୍ତି ଥିଲେ ଅନ୍ୟତମ ପ୍ରାର୍ଥୀ ।

 

ପରଦିନ ଅଭିନୟ ହେଲା ମହାନ୍ତି କବିଙ୍କର ପୁରୁଣା ନାଟକ ଅମର–ବିଳାସ । କ’ଣ ଦେଖିବେ ଲୋକଙ୍କର ଆଗ୍ରହ । ବସିବାକୁ ସ୍ଥାନ ମିଳିଲା ନାହିଁ । ଚାରିଆଡ଼େ ଲୋକ ଗହଳି । ଯାତ୍ରା ଦେଖିବାକୁ ପ୍ରାୟ ପ୍ରତ୍ୟେକ ପରିବାରରେ ବନ୍ଧୁବାନ୍ଧବ । କିଏ କାହା ଘରକୁ ପାନ ଦି’କଡ଼ା, ସାରୁ ବିଶାଏ, କଦଳୀ ଫେଣାଏ ଆଣି ମଣ୍ଡନ କଲେ ଆଳିଆ ଲେଖାରେ ବାଳିଆ ବନ୍ଧୁଙ୍କ ପୁର ।

 

ଯାତ୍ରାପିଲାଙ୍କୁ ଦେଖ‌ିଲେ ମନେ ହଉଥିଲା ସତେ ସେମାନେ ଯେମିତି ତେତ୍ରିଶ କୋଟି ଦେବାଦେବୀଙ୍କର ଗୋଟିଏ ଗୋଟିଏ ଚଳନ୍ତି ପ୍ରତିମା । ସମସ୍ତେ ଚାହୁଥିଲେ ସେମାନଙ୍କ ସାଙ୍ଗରେ ବସିବାକୁ, ବୁଲିବାକୁ ।

 

କିଏ ନିଜ ଘରକୁ ଡାକିନେଇ ଦଉଥିଲା ପଖାଳ ଶୁଖୁଆ ଭଜା ଅବା ପୁଣି କିଏ ଦଉଥିଲା ଖେଚେଡ଼ି ଭାତ । ଗାଁର ବୋହୂ ଭୂଆଷୁଣୀମାନେ କବାଟ ଫାଙ୍କେ ଫାଙ୍କେ ଉଣ୍ଡୁଥିଲେ ସେମାନଙ୍କ ଗତିବିଧ‌ିକୁ । ସମସ୍ତେ ଚାହୁଥିଲେ ସେମାନଙ୍କର ସାନ୍ନିଧ୍ୟ । ସମସ୍ତେ ଖୋଜୁଥିଲେ ସେଇ ଯାତ୍ରାପିଲାଙ୍କ ସହିତ ମିଳନ । ସେ ମିଳନ ଯେମିତି ପ୍ରକୃତି ଓ ପୁରୁଷର ମିଳନ, ଜୀବ ଓ ପରା ଦୁହିଁଙ୍କର ମିଳନ ।

 

ପ୍ରତିପତ୍ତିଶାଳୀ ସ୍ୱନାମଧନ୍ୟ ବୟଃଜ୍ୟେଷ୍ଠ ମହାମାନ୍ୟ ଚୌଧୁରୀମାନେ ଚାନ୍ଦିନି ଉପରେ ନିଜ ନିଜର ଜାଗାରେ ବସିଲେ ମହାନ୍ତି କବିଙ୍କର ‘ଅମର ବିଳାସ’ ଅଭିନୟକୁ ଉପଭୋଗ କରିବାକୁ, ଚାରିଆଡ଼େ ଜନସମୁଦ୍ର । ଯେ ଯୋଉଠି ଉଚ୍ଚ ସ୍ଥାନ ଟିକିଏ ପାଇଲା ଦେଖିବାକୁ ସେ ସେଠି ତା’ର ଆସ୍ଥାନ ମେଲେଇ ବସିଲା ।

 

ଜଳିଲା ମଶାଲ, ବାଜିଲା ଗିନି ଆଉ ମର୍ଦ୍ଦଳ । ନର୍ତ୍ତକୀମାନଙ୍କର ନୃତ୍ୟ ପରେ ଆରମ୍ଭ ହେଲା ବିଷୟବସ୍ତୁ । ଆରମ୍ଭରୁ ଅଭିନୟର ଗତି ବେଶ୍‌ ସ୍ଵାଭାବିକ ଭାବରେ ଆଗେଇ ଚାଲିଲା ।

 

ଅଭିନୟ ତ ନୁହେଁ, ସତେ ଯେମିତି ଜୀବନର ବାସ୍ତବ ଘଟଣା ଘଟିଯାଉଛି ଆଖି ଆଗରେ । ଦର୍ଶକମାନଙ୍କ ମନରେ ଦ୍ଵନ୍ଦ୍ୱ–ନିଜ ନିଜ ଜୀବନର ଘଟଣାବଳୀକୁ, ଅମର–ବିଳାସର ପ୍ରତ୍ୟେକଟି ଚରିତ୍ରର ଘଟଣାବଳୀ ସହିତ ତୁଳନା କରିନଉଛନ୍ତି ।

 

‘‘ଛଳନା ମୟୀ ସାବତ ମା’ର ଚକ୍ରାନ୍ତ, ପ୍ରଣୟ ପିପାସୀ ପିତାର ନିଷ୍ଠୁର ଆଦେଶ, ଘାତକର ପ୍ରଭୁଭକ୍ତି, ଭାଇ ପ୍ରତି ଭାଇର କର୍ତ୍ତବ୍ୟ’’–ଏ କ’ଣ ନିଜ ନିଜ ଦୁନିଆର ପ୍ରତିଛବି ?

 

ଯୁକ୍ତିଯୁକ୍ତ ସମସ୍ୟା ଓ ତାର ସମାଧାନ ନେଇ ଅଭିନୟ ଆଗେଇ ଚାଲିଥାଏ । ହଠାତ୍‌ ଏ କ’ଣ ହେଲା ? ଅମରକୁ ହତ୍ୟାକରି ଯେତେବେଳେ ଘାତକ ଆସି ରାଜାଙ୍କୁ ରକ୍ତ ଦେଖେଇଲେ, ଠିକ୍‌ ସେତିକିବେଳେ ଚାନ୍ଦିନୀ ଉପରେ ହୁକା ଟାଣୁ ଟାଣୁ ଯୋଗୀଜେଜେ କହି ଉଠିଲେ–‘‘ଅମରକୁ ମାରିଦେଲେ ?’’

 

ବାସ୍‌, ସବୁ ଶେଷ । ଦଣ୍ଡକରେ ଯୋଗୀଜେଜେ ଟଳିପଡ଼ିଲେ ବିରାଟ ଏକ ତକିଆ ଉପରେ । ଅଭିନୟରେ ଅମର ପ୍ରକୃତପକ୍ଷେ ଜୀବନ ଦେଇନଥିଲେ ମଧ୍ୟ ସରଳପ୍ରାଣ, ସତ୍ୟନିଷ୍ଠ ଯୋଗେନ୍ଦ୍ର ପଟ୍ଟନାୟକ, ଅମରର ମୃତ୍ୟୁ ଖବରରେ ମ୍ରିୟମାଣ ହେଇ, ଦୁନିଆର ମାୟାବନ୍ଧନକୁ କାଟିଦେଇ ଚିରଦିନ ପାଇଁ ମହାନିଦ୍ରାରେ ବୁଡ଼ିଗଲେ । ପଲକ ପଡ଼ୁ ନ ପଡ଼ୁଣୁ ଶହ ଶହ ଦେଖେଣାହାରୀଙ୍କର କେତେ ଆନନ୍ଦ, କେତେ ଉତ୍ସାହ ପାଣି ଫୋଟକା ପରି ପାଣିରେ ମିଳେଇଗଲା ।

 

ସମସ୍ତଙ୍କ ଆଖିରେ ଲୁହ । ସେ ଲୁହ ଅମର–ବିଳାସର ଅମରର ଅକାଳ ମୃତ୍ୟୁରେ କି ଚଣାହାଟ୍ଟର ବିଖ୍ୟାତ ଜମିଦାର ଯୋଗେନ୍ଦ୍ର ପଟ୍ଟନାୟକଙ୍କ ଅକାଳ ମୃତ୍ୟୁରେ, ଏକଥା କେହି କିଛି ବୁଝିପାରିଲେ ନାହିଁ । ଦୀର୍ଘନିଃଶ୍ଵାସ ପକେଇ ଆପଣା ଆପଣା ଗାଁ’କୁ ବାହୁଡ଼ିଲେ ।

 

ଅମର ବିଳାସ ଅଧାରୁ ବନ୍ଦ ହେଲା । ପୂର୍ଣ୍ଣ ସଫଳତା ପାଇ ମଧ୍ୟ ବାଳକୃଷ୍ଣ ମହାନ୍ତି ସେଦିନ ରାତି ପାହିବା କ୍ଷଣି ଚଣାହାଟ୍ଟରୁ ଭଙ୍ଗା ମନ ନେଇ ଫେରିଲେ ପଳାଶୋଳ । ପଛରେ ତାଙ୍କର କେହି କେହି ଅପବାଦ ଦେଲେ, ‘‘ମଣିଷ ମରା ଯାତ୍ରାଦଳ’’।

 

ଆଜି ବି ମୋର ମନେପଡ଼ୁଛି । ଯେତେବେଳେ ଯୋଗୀଜେଜେଙ୍କ ଶବ ସଂସ୍କାର କରି ମାଲଭାଇମାନେ ଫେରୁଥାନ୍ତି ବଡ଼ ପୋଖରୀ ମଶାଣି ବୁଡ଼ାରୁ, ଠିକ୍‌ ସେଇ ସମୟରେ ଆଖିରେ ଆଖିଏ ଲୁହ ଭରି ମହାନ୍ତି କବିଙ୍କର ଯାତ୍ରାଦଳ ବିଦାକି ନେଇ ଶଗଡ଼ରେ ବସି ବାହୁଡ଼ୁଥାନ୍ତି ନିଜ ଗାଁ ପଳାଶୋଳକୁ ।

 

ଆମ ଗାଁ ଆଉ ଅନ୍ୟାନ୍ୟ ଗାଁର ଯେତେଲୋକ ନାଟ ଦେଖିବାକୁ ଆସିଥିଲେ ସମସ୍ତଙ୍କ ମନରେ ଲାଗିଥିଲା ଦାରୁଣ ଆଘାତ । କିନ୍ତୁ ମୋ ମନର ଆଘାତ ଥିଲା ଟିକିଏ ଅଲଗା ଧରଣର । ଯୋଗୀଜେଜେଙ୍କ ମୃତ୍ୟୁ ଘଟଣା ବାଳକୃଷ୍ଣ ମହାନ୍ତିଙ୍କର ଯାତ୍ରା ଉପରେ କି ପ୍ରଭାବ ପକେଇଥିଲା ଏବଂ ସେଇ ଯାତ୍ରାବାଲାଙ୍କ ନିଖୁଣ ଅଭିନୟ ଦ୍ଵାରା ଆମ ଗାଁ ବାଲାଙ୍କ ମନରେ କୋଉ ଧରଣର ପ୍ରତିକ୍ରିୟା ସୃଷ୍ଟି କରିଥିଲା ସେକଥା ସେତେବେଳେ ମୁଁ ବୁଝିବାକୁ ସକ୍ଷମ ହୋଇନଥିଲି । ଲୋକ ମଲେ କ’ଣ ହୁଏ ? ଭଗ୍ନମନୋରଥ କାହାକୁ କୁହନ୍ତି, ନିନ୍ଦା, ପ୍ରଶଂସା କ’ଣ–ଏସବୁକୁ ଚିନ୍ତା କରିବାକୁ ମଥାରେ ମୋର ସେତେବେଳେ ମସଲା ନଥିଲା ।

 

ମୁଁ ଖାଲି ଭାବୁଥିଲି–ନାଟ ବନ୍ଦ ହେଲା, ବାଜା ଆଉ ବାଜିବ ନାହିଁ, ଗୀତ ଆଉ ଶୁଣିବି ନାଇଁ, ଚାହାଳି ଯିବି, ପାଠ ପଢ଼ିବି, ପାଠ ହବ ନାଇଁ, ମାଡ଼ ଖାଇବି ।

 

ରାତି ନ ପାହୁଣୁ ସେଇ ପାହାନ୍ତି ପଖାଳ, ସେଇ ବହିବସ୍ତାନି, ସେଇ ପୁରୁଣା ସାଙ୍ଗ, ସେଇ ଚାହାଳୀ ଆଉ ସେଇ ପାଠ–ବଡ଼ ଏକ ଘାଇୟା । ସତେ ଯେମିତି ଗୋଟାଏ ଗୋଟାଏ ଘାଟି-। ସେଇ ସବୁ ଘାଟିରୁ ଉତ୍ତୀର୍ଣ୍ଣ ହେବା କାଠିକର ପାଠ ।

 

ଅବଶ୍ୟ ଏଇସବୁ ଘାଟି ପାରି ହେବାପାଇଁ, ସେଇ ପିଲାଟି ଦିନରୁ ବୁଦ୍ଧି ଖଟେଇବାକୁ ପଡ଼ୁଥିଲା । ‘କେଳୁଣୀ’ ନାନୀର ଶ୍ଵଶୁର ଘର, ‘ନିଙ୍ଗି’ ଅପାର ଶ୍ଵଶୁର ଘର, କେବେ ପୁଣି କାହା କାହା ସାଙ୍ଗରେ ତ୍ରିବେଣୀ ସ୍ନାହାନ ଯାତ୍ରାକୁ ଦେଖୁବାକୁ ଯାଇ ଗୋଟାଏ ଗୋଟାଏ ଲମ୍ବା ଲମ୍ବା ବିଶ୍ରାମ ପାଇଯାଉଥିଲି । ସବୁଦିନପାଇଁ ନହେଲେ ମଧ୍ୟ କିଛିଦିନ ପାଇଁ ବସ୍ତାନୀର ଡୋର ଫିଟୁନଥିଲା ।

 

ଯେତେବେଳେ ସେଇ ବିଶ୍ରାମ ଶେଷକରି ଘରକୁ ଫେରୁଥିଲି ଭାଗ୍ୟଦୋଷରୁ ମାଟିବଂଶ ଅବଧାନ, ନିମ ମହାନ୍ତି ମୋ ଉପରେ ବାକିଥିବା ପ୍ରହାରଗୁଡ଼ାକ ହିସାବ କରି ପିଠିରେ, ହାତରେ, ଗୋଡ଼ରେ ଅତି ନିର୍ମମ ଭାବରେ ସୁଝେଇ ଦଉଥିଲେ ।

 

ହଁ, କହିବାକୁ ଭୁଲିଯାଇଛି । ୟା’ ଭିତରେ ଆମ ପରିବାରର ଅବସ୍ଥା ଟିକିଏ ପରିବର୍ତ୍ତନ ହେଇଥାଏ । ସବୁବେଳର ସେଇ କୋଳଥ ଡାଲି ସ୍ଥାନରେ ଏବେ କେବେ କେମିତି ମୁଗଡ଼ାଲି ଅବା ମଝିରେ ମଝିରେ ହରଡ଼ ଡାଲି ହଉଥାଏ । ଯାହା ଆମ୍ଭ ଗାଁ’ରେ ସାତ ସପନ, ସେଇ ବଡ଼ ବଡ଼ ନଇନ୍‌ତାଲ୍‌ ଆଳୁ ମଧ୍ୟ ବେଳେବେଳେ ଭରତା ହୁଏ । ଅବଶ୍ୟ ଚୌଧୁରୀ ସାହିରେ ଏଭଳି ଦୁଷ୍ପ୍ରାପ୍ୟ ପରିବା, ସବୁଦିନେ ସମସ୍ତଙ୍କ ଘରେ କଟା ହେଉଥିବାର ମୁଁ ଦେଖୁଛି ।

 

ଆମ ଘରେ ପ୍ରଥମେ ଯୋଉଦିନ ମୁଁ ପୋଟଳ ଦେଖିଲି ସେଦିନ ଭାବିଥିଲି ତା’ କଇଞ୍ଚି କାକୁଡ଼ି ବୋଲି । କିନ୍ତୁ ପରେ ମୋର ସେ ଧାରଣା ଦୂର ହୋଇଥିଲା ।

 

ନିତିଦିନ ରାତିରେ ସଜପଖାଳ, ଶାଗ ଖରଡ଼ା ଖାଉଥ‌ିବା ପରିବାରରେ ଏସବୁ ମୂଲ୍ୟବାନ ଡାଲି ଓ ପରିବା ଦେଖାଦେବାର ପ୍ରଧାନ କାରଣ ଥିଲା, ମୋର ବଡ଼ ଭାଇ ସେତେବେଳକୁ ଚାକିରି ପାଇଁ ବାରଆଡ଼େ ବୁଲି ବୁଲି ଶେଷରେ ପୁରୀରେ ଖଣ୍ଡିଏ ଅଠର ପଇସିଆ ସମ୍ବଳରେ ଦୋକାନ କରି, ତାକୁ ଧୀରେ ଧୀରେ ବଢ଼େଇ ସେଇ ଦୋକାନରେ ଡାଲି, ତେଲ, ଚାଉଳ, ହାଣ୍ଡି, କାଠ ରଖି ମୋଟାମୋଟି ଭାବରେ ଏକ ମଧ୍ୟମଧରଣର ତେଜରାତି ଦୋକାନରେ ପରିଣତ କରିଥାନ୍ତି ।

 

ଯୋଉ କାନ୍‌ପୁରୀ ହରଡ଼ ଡାଲି, ଆମ ଗାଁ’ରେ ଅବା ଆମ ଘରେ ଅତି ମୂଲ୍ୟବାନ୍‌, ସେଇ ହରଡ଼ ପୁରୀରେ ସେର ପ୍ରତି ଟ ୦୮ ଅବା ଟ ୦୯ ପଇସାରେ ବିକ୍ରି ହେଉଥାଏ ।

 

ସେ’ଦିନ ଥିଲା ବଉଳ ଅମାବାସ୍ୟା । ଶୀତ ସକାଳ । ଚାହାଳୀକି ପାଠ ପଢ଼ିଯିବି ବୋଲି ବୋଉ ମତେ ଖୁଡ଼ୀଙ୍କ ଘରେ ଛୋଟ ବେଲାରେ ଗଣ୍ଡିଏ ପଖାଳ ଆଉ ରାତିରୁ ଥ‌ିବା ବଡ଼ ଶୁଖୁଆ ଭଜା ଖାଇବାକୁ ଦେଲେ ।

 

ମୁଁ ଖାଇ ବସିଲି, ଦାଣ୍ଡରେ ଚାହାଳୀସାଥୀମାନେ ମୋତେ ଅପେକ୍ଷା କରି ଠିଆ ହେଇଥାନ୍ତି । ବାପାଙ୍କ ଘରେ ବାପାଙ୍କ ଦେହ ଭଲନଥାଏ । ଶୋଇଥାନ୍ତି, ହଠାତ୍‌ ବାପା ଉଠି ଆସିଲେ ଦୁଆରକୁ । ତରଳଝାଡ଼ା ହେଇଗଲା । ବାପା ବସିପଡ଼ିଲେ ଅଗଣା ମଝିରେ । ବୋଉ ଭିତର ଘରେ ଥିଲେ, ବାପାଙ୍କର ଏ ଅବସ୍ଥା ଦେଖି ଧାଇଁ ଆସିଲେ । ଧୀରେ ହାତଧରି ଉଠେଇନେଲେ ଶୋଇବାକୁ ।

 

କାହିଁକି କେଜାଣି ପାଟିକି ମୋର ଭାତ ଗଲା ନାହିଁ । କଷ୍ଟେମଷ୍ଟେ ତୋରାଣି ଟିକିଏ ପିଇ ଦେଇ ବସ୍ତାନି ଧରି ବାହାରିଗଲି ଚାହାଳୀକି ।

 

କେତେବେଳେ ହେଲେ ତ ପାଠରେ ମନ ରହୁନଥିଲା ମୋର । ସେଦିନ ବି ପାଠରେ ଆଉ ମନ ପଶିଲା ନାହିଁ । କେମିତି ଛୁଟି ମିଳିବ, ଘରକୁ ଆସିବି କେବଳ ଏଇଚିନ୍ତା ମୁଣ୍ଡକୁ ଘାରୁଥାଏ ।

 

ଠାକୁର ମୋ ଡାକକୁ ଶୁଣିଲେ । ଚାହାଳୀ ଛୁଟି ହେଲା । ସବୁରି ଆଗରେ ଡିଆଁଟାଏ ମାରିଦେଇ ଧପାଲିଲି ଗୋବିନ୍ଦପୁର ଗହୀରି ବିଲରେ ଆମ ଗାଁକୁ । ମଥାରେ ଯେମିତି କିଏ ଛୁଞ୍ଚି ଫୋଡ଼ି ଦଉଥାଏ । ପହଞ୍ଚିଲି ଘରେ । ଆମ ଘରେ ସେତେବେଳକୁ ଯାତରା ଗୋଟାକର ଲୋକଭିଡ଼ । ଯାହା ମୁହଁକୁ ଚାହିଁଲି ତା’ ମୁହଁ ଶୁଖିଲା I ଆଖିରେ ଲୁହ ।

 

ବାପାଙ୍କ ପାଖରେ ବସିଥିଲେ ବୋଉ, ଅପା ଆଉ ମୋର ଟିକି ଭଉଣୀ ‘ମନୀ’ । ସକାଳେ ଯୋଉ ଅବସ୍ଥାରେ ବାପାଙ୍କୁ ଦେଖି ଯାଇଥିଲି ତା’ଠାରୁ ବର୍ତ୍ତମାନର ଅବସ୍ଥା ଖୁବ୍‌ ଖରାପ । କାହା ମୁହଁରୁ ଶୁଣାଗଲା, ‘‘ଦାସେ ଆଉ ଠାକିବେ ନାହିଁ ।’’ ଏସବୁ କଥା ଶୁଣି, ପରିସ୍ଥିତିକୁ ଲକ୍ଷ୍ୟକରି ପେଟ ଭିତରେ କିଏ ଯେମିତି ରାମ୍ପୁଡ଼ି ବିଦାରି ଦେଲାପରି ମୋତେ ଜଣାପଡ଼ୁଥାଏ ।

 

ଶେଷରେ ଯାହା’ ହବାର କଥା ସେଇୟା ହେଇଗଲା–ଅମାବାସ୍ୟା ରାତିରେ ଦୁଇଘଡ଼ି ବେଳକୁ ଆମମାନଙ୍କ ହାତରୁ ଟୋପିଏ ଟୋପିଏ ମହାପ୍ରସାଦ ପାଣି ପାଇ ବାପା ମୋର ସେଇ ଘନ ଅନ୍ଧାର ଭିତରେ କୁଆଡ଼େ ହଜିଗଲେ ।

 

ବୋଉଙ୍କର ବୁକୁଫଟା ବାହୁନା, ଅପାର ଆର୍ତ୍ତନାଦ, ଆମ ଦୁଇ ଭାଇଭଉଣୀଙ୍କର ଆକୁଳ ପ୍ରାର୍ଥନାକୁ ବାପା ଆଉ ଶୁଣିବାକୁ ନଥିଲେ । ମନେ ହଉଥିଲା ସେଇ କାଳରାତିର କଳା ଅନ୍ଧାର ଭିତରେ କେବଳ ଆମେ ଚାରୋଟି ମା’, ପୁଅ, ଝିଅ ଛଡ଼ା ଆଉ ଯେମିତି ଏଡ଼େ ଦୁନିଆଟାରେ କେହି ନଥିଲେ ।

 

ଗାଁ’ଭାଇ ଯେଝା ଘରେ ରହିଲେ । ଶବ ପଡ଼ିରହିଲା । ସବୁ ଗାଁ’ରେ ଯେମିତି ଏଇସବୁ କାମରେ ଗାଁ’ଭାଇ ଅଳସ ସାଧନ୍ତି ଠିକ୍‌ ସେମିତି ବାପାଙ୍କ ଶବ ଉଠେଇବାକୁ ଭାଇମାନେ ଅଡ଼ି ବସିଲେ ।

 

ରାତି ପାହିଲା, ଶବ ଉଠିଲା । ମଣିଷର ଶେଷ ସମ୍ବଳ ଛ’ଖଣ୍ଡି ବାଉଁଶ ଘେନି ବୁଲାଫକୀର ହାଡ଼ୁ ଦାସେ ମାଟି ଘଟନେଇ ଚାଲିଲେ ବୁଣା ମଶାଣିକୁ ଦାହ ହେବାକୁ । ଶବ ବାହକ ଭିତରୁ କିଏ ଜଣେ କହିଉଠିଲା–‘‘ଦାସେ, ଆଜି ବାଳକାଟିରେ ଅଷ୍ଟପ୍ରହରୀ–ଯିବନାହିଁ କି ?’’

 

ଉତ୍ତର ମିଳିଲା ନାହିଁ । କେବଳ ନୀରବତା ଭେଦକରି ଦୁନିଆର ସେଇ ଚିରାଚରିତ କଥା ପଦକ କାନରେ ବାଜିଲା ‘‘ରାମ ନାମ ସତ୍ୟ ହେ ।’’

 

ଘରେ ସେତେବେଳକୁ ବଡ଼ ଭାଇ କିମ୍ବା ମଝିଆ ଭାଇ କେହି ନଥିଲେ । ଥିଲେ ପୁରୀରେ ଦୋକାନରେ ।

 

ମୁଁ ଦେଲି ବାପାଙ୍କ ମୁହଁରେ ମୁଖାଗ୍ନି । ଅଗ୍ନି ତାଙ୍କର ଦହନଗୁଣ ନେଇ ଚାହୁଁଚାହୁଁ ଗୋଟିଏ ନିଷ୍ଠାପର ଚେତନଶୀଳ ଧର୍ମାନ୍ଧ ମହାମାନବର ମର ଶରୀରକୁ ଭସ୍ମରେ ପରିଣତ କରିଦେଲେ ।

 

ଶବ ଚାରିକଡ଼େ ପ୍ରଦକ୍ଷିଣ କରି ଏକମୁହାଁ ହେଇ ଘରକୁ ଫେରିଲାବେଳେ ମନରେ ଥରକୁ ଥର ଆଘାତ କଲା ବାପାଙ୍କର ସେଇ ତୁହାକୁ ତୁହା ଆବୃତ୍ତି କରିଥିବା ଭଜନ ଧାଡ଼ିକ ।

 

‘‘ଶୁଖା ଖଡ଼ଖଡ଼ । ମିଛ ମାୟାରେ

ପଡ଼ି ହୁଅ ନଡ଼ବଡ଼ ନଡ଼ବଡ଼...... ।’’

 

ସମୟ କାହାକୁ କେବେ ଅପେକ୍ଷା କରେନାହିଁ ଏବଂ ମୋ ପରିବାରକୁ ମଧ୍ୟ କରିନଥିଲା-। ବସ୍ତ୍ର ଅଭାବରୁ ସୁତ୍ରରେ କାମ ଚଳେଇଲା ଭଳି ଭାଇ ମୋର ପୁରୀରୁ ଫେରି ବାପାଙ୍କର କ୍ରିୟାକର୍ମ ଶେଷକଲେ ।

 

ଦଶାହ ଦିନ ଯେତେବେଳେ ବାପାଙ୍କ ଶୋଇବା ଘର ପରିଷ୍କାର କରାଗଲା । ସେତେବେଳେ ଦେଖାଗଲା ଯେ ଫାଟପୂର୍ଣ୍ଣ କବାଟରୁ ଟୁକରାକାଗଜରେ ଗୁଡ଼େଇ ରଖାଯାଇଥିବା ଗୋଟିଏ ଗୋଟିଏ ଧାନ ମିଶି ହେଲା ପାଆକିଆ ବେତ ମାଣରେ ଚାରି ପାଆ । ଆଶ୍ଚର୍ଯ୍ୟ ହେଲେ ସମସ୍ତେ ।

 

ଆଗରୁ କହିଛି ଯେ ବାପା ମୋର ଯୋଉଠିକି ଯାଉଥିଲେ ସେ ବାଟରେ ଯେତୋଟି ଧାନ ତାଙ୍କର ଆଖିରେ ପଡ଼ୁଥିଲା ତାଙ୍କୁ ଆଣି କାଗଜରେ ଗୁଡ଼େଇ, ଶତଛିଦ୍ର କବାଟର ଛିଦ୍ର ବନ୍ଦ କରୁଥିଲେ ।

 

ବାପା ଥିଲେ ଅତ୍ୟନ୍ତ ଧର୍ମଭୀରୁ । ଧାନଟିଏ କୋଉଠି ଅଯତ୍ନରେ ବାଟରେ ଘାଟରେ ପଡ଼ିଥିବାର ଦେଖ‌ିଲେ ଛାତି ତାଙ୍କର ସହେ ନାହିଁ । କାରଣ ଧାନଟିକୁ ବାପା ଲକ୍ଷ୍ମୀ ବୋଲି ଭାବୁଥିଲେ । ଏଣୁ ଅତି ଆଦରଯତ୍ନରେ ତାକୁ ଘରକୁ ଆଣି ଦାରିଦ୍ର୍ୟ ରୂପକ ଛିଦ୍ରଗୁଡ଼ିକୁ ଢାଙ୍କିଦବାକୁ ଚେଷ୍ଟା କରୁଥିଲେ ।

 

ମୋର ଏ ଅନୁମାନ ଅନେକାଂଶରେ ସତ୍ୟ ବୋଲି ଏବେ ଅନୁଭବ କରୁଛି । ହୁଏତ ବାପାଙ୍କର ଯଦି ସେହି ଉଦ୍ଦେଶ୍ୟ ଥିଲା ତେବେ ତାହା ସଫଳ ହୋଇଚି ବୋଲି ମୋର ବିଶ୍ଵାସ ।

 

ସେହିଦିନଠାରୁ ଅର୍ଥାତ୍‌ ବାପାଙ୍କର ମୃତ୍ୟୁ ପରେ ପରେ ଆମ ପରିବାରର ଅବସ୍ଥା ଟିକିଏ ଭଲ ଆଡ଼କୁ ଗତି କଲା । ପୁରୀରେ ବଡ଼ଭାଇଙ୍କର ଦୋକାନ କ୍ରମେ କ୍ରମେ ବଡ଼ ହେବାକୁ ଲାଗିଲା ।

 

କିନ୍ତୁ ବୋଉଙ୍କର ଦାୟିତ୍ଵ ଆହୁରି ଅଧ‌ିକ ବଢ଼ିଲା । ଘରେ ବଡ଼ ଭାଇ ଏବଂ ଅପାର ବିବାହ ବୟସ ହେଇଯାଇଥିଲେ ବି ସେପର୍ଯ୍ୟନ୍ତ ସେସବୁ ଦିଗରେ କିଛି କାମ କରିବାକୁ କେହି ମୁରବୀ ନଥିଲେ ଓ ଘରେ ପଇସା ବି ନଥିଲା ।

 

ଭାଇ ପ୍ରସ୍ତାବ ବାଢ଼ିଲେ, ସମସ୍ତଙ୍କୁ ବିଶେଷକରି ବୋଉ ଆଉ ଅପାକୁ ଘରେ ଛାଡ଼ି ଅନ୍ୟମାନଙ୍କୁ ପୁରୀକୁ ନେଇଯିବାକୁ ।

 

କଥାଟା କାନରେ ପଡ଼ିବାବେଳଠୁ ମନଟା ମୋର ଖୁବ ବିକଳ ହେଇଉଠିଲା । ଏଣେ ପୁରୀ ସହରକୁ ଯିବାକୁ ଇଚ୍ଛା ତେଣେ ଗାଁ ମାଟି, ଗାଁ ତୋଟା, ରଜ ବାଗୁଡ଼ି ଖେଳ, କୁଆଁର ପୂନେଇଁର ପାଳଭୂତ ଖେଳ, ବଢ଼ି ପାଣିରେ ହାଣ୍ଡି ଭେଳାରେ ବୁଲିବା ମଜା ଆଉ ଗାଁ । ମେଲଣ ଛାଡ଼ିବାକୁ ଅନିଚ୍ଛା ।

 

ସବୁଠୁ ବଡ଼ ଆକର୍ଷଣ ଥିଲା ମୋର ଗାଁ କୀର୍ତ୍ତନ ମଣ୍ଡଳୀ । ସେଇ ମଣ୍ଡଳୀ ଦେଇଛି ମୋ ମୁଁହରେ ଭାଷା, ମନରେ ଦେଇଛି ଭାବ, ଆଖିରେ ଦେଇଛି ନିଶା । ମୋର ବାପା, ବୋଉଙ୍କ ଆସନଠୁ ଏଇ କୀର୍ତ୍ତନ ମଣ୍ଡଳୀର ଆସନ ଯେ ମୋ ନିକଟରେ ଅତି ଉଚ୍ଚରେ ।

 

କେମିତି ଛାଡ଼ିଯିବି ଏସବୁ ?

 

ସେଦିନ ଆମ ଗାଁ’ ମାଇପେ ସ୍କୁଲରେ ରାତିରେ ଶିକ୍ଷକ, ଛାତ୍ରମାନେ ମିଶି କୋଣାର୍କ ନାଟକ କଲେ । ମଞ୍ଚ ହେଲା ତିନି ହାତର ଚଉଡ଼ା ସ୍କୁଲ ବାରଣ୍ଡା, ସିନ୍‌ ହେଲା ବିଛଣା ଚାଦର । ଦର୍ଶକ ଥିଲୁ ଆମେ କେତେଗୁଡ଼ାଏ ଧୂଳି ଧୂସରିଆ ପିଲା ଏବଂ ସରାଟ ଓ ସେଇ ପାଖଆଖର କେତେ ଜଣ ବୁଢ଼ା, ଟୋକା । ଲଣ୍ଠନ୍‌ ଆଲୁଅରେ ଭଲ ଦେଖା ନଗଲେ ମଧ୍ୟ ବାରିହେଇ ପଡ଼ୁଥାଏ-। ଗୋଟାଏ ଉଚ୍ଚା ଟେବୁଲ ହେଇଥାଏ କୋଣାର୍କ ମନ୍ଦିର । ତା’ ଉପରେ ଧରମା ସ୍କୁଲ ଘଣ୍ଟା ପିଟା ହାତୁଡ଼ି ଧରି ବସି ଠକ୍‌ଠକ୍‌ କରୁଥାଏ । ପାଖରେ ବସିଥାନ୍ତି କେତେଜଣ ସାଥୀ ଶିଳ୍ପୀ ।

 

ଆରମ୍ଭ ହେଲା ବଚନିକା । ଶିଳ୍ପୀଙ୍କ ଭିତରୁ ଜଣେ ଶିଳ୍ପୀ ମଝିରେ ମଝିରେ ନବଜ କରି ବେଲି ଦେଖେଇ ମଜାମଜା କଥା ବା ବଚନିକା କହୁଥାଏ । ଆମେ ସବୁ ଦର୍ଶକ ହସି ହସି ଗଡ଼ିଯାଉଥାଉ । ଥିଏଟର ତ ଆଗରୁ କେବେ ଦେଖିନଥିଲୁ, ତେଣୁ ଯାତ୍ରାଠାରୁ ଏହା କେମିତି ଟିକିଏ ଅଲଗା ଜଣା ପଡ଼ୁଥାଏ । କିନ୍ତୁ ପୋଷାକପତ୍ର କିଛି ନଥାଏ । ନିଜ ପିନ୍ଧାଲୁଗା ସବୁ ପିନ୍ଧି ଅଭିନୟ କରାଯାଉଥାଏ ।

 

ବଚନିକା (ସଂଳାପ) କହିଲାବେଳେ, ଚାଦର ପଛ ପଟେ ଜଣେ କିଏ ଚୋରୀ ଲାଇଟ୍‌ ଧରି ଗୋଟାଏ ଖାତାରୁ କହି କହି ଦଉଥାଏ । ଏବଂ ସେଇକଥା ଶୁଣି ଅଭିନେତା ହାତ ମୁହଁ ହଲେଇ ଆମ ଦର୍ଶକମାନଙ୍କୁ ଶୁଣାଉଥାଏ ।

 

ମୋ ନିକଟରେ କିନ୍ତୁ ଅଭିନୟଠାରୁ ସେଇ ଚୋରୀ ଲାଇଟ୍‌ଟା ବଡ଼ କୌତୂହଳ ସୃଷ୍ଟି କରୁଥାଏ । ବେଳେବେଳେ ଲିଭିଯାଉଥାଏ ଓ ପୁଣି ଜଳି ଉଠୁଥାଏ । ମୁଁ କେବଳ ସେଇ ଆଶ୍ଚର୍ଯ୍ୟକର ବ୍ୟାପାରରେ ମୁଗ୍‍ଧ ହୋଇ ନିଜକୁ ଧନ୍ୟ ମନେ କରୁଥାଏ ।

 

ଚୋରୀ ଲାଇଟ୍‌ ବା ଟର୍ଚ୍ଚ ମୋ ଦେଖିବାରେ ସେଇ ଥିଲା ପ୍ରଥମ । ଆଗରୁ ମୁଁ କେବେ ମଧ୍ୟ ଦେଖିନଥିଲି ।

 

କୋଣାର୍କ ମନ୍ଦିର ତ ସେତେବେଳକୁ ମୁଁ ଦେଖିନଥିଲି, ତା’ ବିଷୟରେ ମୋର ଧାରଣା ବା କାହିଁକି ରୁହନ୍ତା ? ଯାହାହେଉ ସେଦିନ ସ୍କୁଲ ଛାତ୍ରମାନଙ୍କର ଅଭିନୟ ଦେଖି ଯାହା ବା ଟିକିଏ ବୁଝିଲି ମନେ ହେଲା ସତେ ଯେମିତି ପରୀ ରାଇଜର କାହାଣୀଟିଏ ସେ ।

 

ଏବେ ମଧ୍ୟ ସେଇ ବଚନିକା ପଦକ ମନେପଡ଼ୁଛି,–‘‘ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ ?’’

 

ସତକୁ ସତ ବାରଶହ ବଢ଼େଇଙ୍କର ହେଲା ବିଜୟ । ଆଉ ଶିଳ୍ପୀ ଶିରୋମଣୀ ବିଶୁ ମହାରଣାର ଏକମାତ୍ର ଅଲିଅଳ ୧୨ ବର୍ଷର ପୁତ୍ର ଧରମାର ହେଲା ପରାଜୟ । ସହସ୍ର ଗ୍ଳାନିନେଇ ସେ କଲା ଆତ୍ମହତ୍ୟା । କୋଣାର୍କର ଦଧିନଉତି ଉପରୁ ଲମ୍ଫଦେଇ ମହା ସମୁଦ୍ରରେ ଉତ୍ତାଳ ତରଙ୍ଗମାଳା ଭିତରେ ନିଜକୁ ହଜେଇଦେଲା ସେ ।

 

ନିଷ୍ଠୁର ବିଧାତାର ଇଙ୍ଗିତରେ ମହିମାମଣ୍ଡିତ ଓଡ଼ିଆ ଶିଳ୍ପୀ ଯୁଗଯୁଗ ପାଇଁ ହେଲା ଅଭିଶାପର ଶିକାର, ଅଭିଶପ୍ତ ଓଡ଼ିଆଶିଳ୍ପୀ ।

 

କିନ୍ତୁ ଏ କ’ଣ ହେଲା ? ସବୁ ଯେମିତି ଶୂନଶାନ୍‌ । ଧରମା କୋଣାର୍କ ମନ୍ଦିର ରୂପୀ ଟେବୁଲ୍‌ରୁ ଡେଇଁପଡ଼ିବା ମାତ୍ରେ ଅଭିନେତା ଓ ଦର୍ଶକ ଉଭୟେ ଚିତ୍କାର କରି ଉଠିଲେ । ତା’ପରେ କିଛି ସମୟ ପାଇଁ ସମସ୍ତେ ନୀରବ ହେଇଗଲେ । ଆଉ ସେଇ ନୀରବତାକୁ ଭଙ୍ଗକରି ଦୂରରୁ ଶୁଭିଲା ଏକ ଗଣଚିତ୍କାର । ‘‘ଧାଇଁପଡ଼ ହୋ..... ଘର ପୋଡ଼ିଗଲା....ଘର ପୋଡ଼ିଗଲା ।’’

 

କେହି କିଛି ପ୍ରଥମେ ବୁଝିପାରିଲେ ନାହିଁ । ଗଣଚିତ୍କାର ଆହୁରି ପ୍ରବଳ ହେଲା । କେଉଟ ସାହିରୁ ଲୋକ ଛୁଟିଆସି ଡାକ ମାରିଲା–ଖଣ୍ଡିଆ ଚଣାହାଟ ସାହିରେ ନିଆଁ ଲାଗିଛି ।

 

ସମସ୍ତେ ଧାଇଁଲେ ବାଟ ଅବାଟ ନମାନି । ପଛରେ ପଡ଼ି ରହିଲା ସ୍କୁଲ ଓ ତାର ନକଲି ରଙ୍ଗମଞ୍ଚ । ହାତରେ ଗରା, ମାଠିଆ ଧରି ସରାଟ ସାହିର ଲୋକେ ଖାଲ, ବିଲ ନମାନି ପାଗଳ ପରି ଛୁଟିଲେ ।

 

ଆମେ ଯେତେଗୁଡ଼ିଏ ପିଲା ସେଠି ଦେଖେଣାହାରୀ ସାଜି କୋଣାର୍କ ଥିଏଟର ଦେଖୁଥିଲୁ ସମସ୍ତେ ହେଲୁ ଛାନିଆଁ । ବଡ଼ ମଣିଷଙ୍କର ଏ ଅବସ୍ଥା ଦେଖି ଠିଆରେ ଠିଆରେ ଆମ ନିମ୍ନଅଙ୍ଗରୁ ଝର ଛୁଟିଲା ।

 

ଆଗରୁ କହିଛି ଯେ ମୁଁ ଥିଲି ଦେଖିବାକୁ ଗେଡ଼ା । ବାମନ ନୁହେଁ, ଏବଂ ମନର ବିକାଶ କ୍ଷିପ୍ରଗତିରେ ବଢ଼ୁଥିଲାବେଳେ ଶାରୀରିକ ବିକାଶ ମନ୍ଥର ଗତିରେ ଘଟୁଥିଲା । ତେବେ ମୁଁହ ଉପରେ ଗାଲ ଦୁଇଟା ଯେମିତି ଅସ୍ଵାଭାବିକ ସେମିତି ଦେହ ଉପରେ ପେଟଟା ମୋର ବଡ଼ ଅସ୍ଵାଭାବିକ ଥିଲା ।

 

ସେତେବେଳକୁ ବିଦେଶୀ ପ୍ରଭାବ ଆମ ଗାଁ’ରେ ବେଶ୍‌ ଚକା ଆସନ ଜମେଇ ସାରିଥାଏ । ପାଟରା ମନୋହରି ଦୋକାନରେ, ତନ୍ତିବୁଣା ପଖାଳ କରିଆ ମେଳରେ, ବେଳେବେଳେ ସ୍ଵଦେଶୀ ଜିନିଷ ସାଙ୍ଗକୁ ଖଣ୍ଡେ ଅଧେ ନୂଆ ଧରଣର ଚକ୍‌ଚକିଆ କାଗଜଫୁଲ ପରି ବିଦେଶୀ ଦରବ ଗହକି ଆଖିରେ କିମିଆଁ ଆଣିଥାଏ ।

 

ନିପଟ ମଫସଲୀ ନିର୍ବୋଧ ଗହକି ନିଜର ଦେଶୀୟ ଦରବ ପ୍ରତି ଆକୃଷ୍ଟ ହେଉଥିଲେ । ବେପାରୀ ଏଇ ସୁଯୋଗ ପାଇ ସରଳପ୍ରାଣୀ ଗହକିକୁ ଠକିବାକୁ ସୁବିଧା ପାଉଥିଲେ ।

 

ସେଦିନ କୋଣାର୍କ ନାଟକ ଦେଖିବାକୁ ଯାଇ ମୁଁ ପିନ୍ଧିଥିଲି ଖଣ୍ଡିଏ ପେଣ୍ଟ । ଯାହାକୁ ଆମେ ସେତେବେଳେ କହୁଥିଲୁ ଗାଣ୍ଡିମୁଣା । କାରଣ ଏତେ ବଡ଼ ବିଦେଶୀ ଶବ୍ଦଟା ଆମ ମୁହଁରେ ପଶୁନଥିଲା ଏବଂ ମନକୁ ଆସୁନଥିଲା । ଏଇ ଗାଣ୍ଡିମୁଣା ଖଣ୍ଡକ ବଡ଼ଭାଇ ମୋ ପାଇଁ ପୁରୀ ସହରରୁ ଆଣିଥିଲେ । ଅବଶ୍ୟ ସେଇ ପ୍ୟାଣ୍ଟ ବା ଗାଣ୍ଡିମୁଣା ଯେ ମୋ’ ମାନର ଥିଲା ଏକଥା ପୂରାପୂରି ସତ । କାହିଁକି ନା ଟିଙ୍କପରି ଫୁଲି ଉଠିଥିବା ମୋର ପୃଥୁଳ ପେଟକୁ ମୋଟେ ପାଉନଥିଲା । ସେଥିଲାଗି ଅପା ମୋର ଖଣ୍ଡେ ସୂତାକୁ ବୋତାମରେ ବାନ୍ଧି ଦେଇ ପ୍ୟାଣ୍ଟ କଣାରେ ପୂରେଇ ଟାଣି ବାନ୍ଧିଦେଇଥିଲା ।

 

ଗୋଡ଼ରେ ଗଳୁନଥିଲେ ମଧ୍ୟ ଟାଣି ଓଟାରି ଖୁବ୍‌ ଜବରଦସ୍ତିରେ ତାକୁ ଗଳେଇ ପିନ୍ଧିଥିଲି ମୁଁ । ମୋର ମନରେ ଥିଲା କିନ୍ତୁ ଭୟାନକ ଆତ୍ମସନ୍ତୋଷ । ରଙ୍ଗ ଥିଲା ତାର କଳା । ଆଉ କେହି ମୋର ସେ ଶୋଭା ଦେଖୁ ବା ନ ଦେଖୁ ମୁଁ କିନ୍ତୁ ବରାବର ନିଜର ସେଇ ପରିଧାନକୁ ଦେଖୁଥିଲି ଆଉ ତୃପ୍ତି ପାଉଥିଲି ।

 

ନିମ୍ନାଙ୍ଗରୁ ଝରପାଣି ଝରି ସେ ଖଣ୍ଡିକୁ ପୂରାପୂରି ତିନ୍ତେଇଦେଲା । କାନ୍ଦି ବୋବେଇ ଧାଇଁଲି ଘରକୁ । ଭୟରେ ଦେହ ଥରୁଥାଏ । ବୋଉଙ୍କଠାରୁ ଶୁଣିଥିଲି–ଘୋଡ଼ା ଚଢ଼ାରୁ ସମ୍ପତ୍ତି ନାହିଁ, ଘର ପୋଡ଼ିଠୁ ବିପତ୍ତି ନାହିଁ ।

 

ଦାଣ୍ଡ ଗାଡ଼ିଆ ପାଖରେ ପହଞ୍ଚି ଦେଖିଲି ଆକାଶ ତମାମ୍‌ ଖାଲି ନାଲିଆ ହେଇଯାଇଛି । ଚାରିଆଡ଼େ ଧୂଆଁରେ ବାଟ ଦିଶୁନଥାଏ । ବାଣ ଫୁଟିଲା ପରି ବାଉଁଶ ଫୁଟୁଥାଏ । ତା’ ସାଙ୍ଗରେ ଖାଲି ପାଟି–କେବଳ ହୋ, ହୋ, ଧାଇଁଆସ, ପୋଡ଼ିଗଲା । ସାହିକୁ ସାହି, ଗାଁକୁ ଗାଁ ଘର ଖାଲି କରି ଲୋକେ ଛୁଟିଥାନ୍ତି ନିଆଁ ଲିଭେଇବାକୁ ।

 

କେଇ ଘଣ୍ଟା ଭିତରେ ଏତେବଡ଼ ଲୋକ ବସତିଟା ଅଗ୍ନିଦେବଙ୍କର ପ୍ରଚଣ୍ଡ ଆକ୍ରମଣରେ ପାଉଁଶ ଗଦାରେ ପରିଣତ ହେଇଗଲା ।

 

ଯାହା କହନ୍ତି, ଧ୍ଵଂସସ୍ତୂପରୁ ସୃଷ୍ଟି ମୁଣ୍ଡ ଟେକିଲା ଭଳି ସେଇ ଘରପୋଡ଼ିରୁ ଏକ ଦେବ ଶିଶୁ ଜନ୍ମହେଇ ତାର କୁଆଁ କୁଆଁ ରାବରେ ସମସ୍ତଙ୍କୁ ଚେତେଇ ଦେଇ ଜଣେଇ ଦେଲା ଯେ ମହାପ୍ରଳୟର ଅନ୍ତରାଳରେ ହିଁ ରହିଛି ଜୀବନର ସତ୍ତା ।

 

ସେଇ ସୁକୁମାର ଶିଶୁଟି ଏବେ ମଧ୍ୟ, ଅତୀତର ସେଇ ଦାରୁଣ ବିପର୍ଯ୍ୟୟର ସ୍ମୃତି ବହନ କରି, ବଞ୍ଚି ରହିଛି ତାର ତେଲ ଲୁଣର ସଂସାର ବାନ୍ଧି । କେହି କେହି ତାକୁ ଆଜିବି ଡାକନ୍ତି ‘‘ଘରପୋଡ଼ିଆ’’।

 

ଛାଡ଼ନ୍ତୁ । ଏଥର ମୋ’ କଥା ।

 

ଏଇ ମୋର ଗାଁ’ ଭୂଇଁ, ସାଥୀ ସାଙ୍ଗ, ପାଣିପବନ ସବୁ ଯେମିତି ମୋ ପାଖରୁ ଟିକିଏ ଦୂରେଇ ଦୂରେଇ ଯାଉଥାଏ । ହେଲେ ମମତାର ଅଠା କିନ୍ତୁ ଅଧିକ ମାତ୍ରାରେ ମୋ’ମନ ଓ ମୋ’ ଜନ୍ମଭୂମି ପରସ୍ପରକୁ ଖୁବ୍‌ ନିବିଡ଼ ଭାବରେ ଟାଣି ଧରିଥାଏ । ସହଜରେ ସେ ଅଠା ଛାଡ଼ିବାର ନୁହେଁ, ସହଜରେ ସେ ବନ୍ଧନ ଫିଟିବାର ନୁହେଁ ।

 

କେମିତି ବା ତାହା ସମ୍ଭବ ହୁଅନ୍ତା ? ଯୋଉ ମାଟିକୁ ମୁଁ ମାଟି ବୋଲି ନ ଭାବି ଭାବୁଥିଲି ମାଆର କାନି ପଣତ, ଯୋଉ ପାଣିକୁ ମୁଁ ପାଣି ବୋଲି ତା ମଣୁଥିଲି ମାଆର କ୍ଷୀର, ଶିଶୁ ମୁଁ ହଠାତ୍‌ ଏତେବଡ଼ ସ୍ନେହର ଡୋରକୁ କେମିତିବା ଏତେ ଚଞ୍ଚଳ ଛିଣ୍ଡେଇ ଦବାକୁ ମନ ବଳାନ୍ତି ?

 

କିନ୍ତୁ ଯୋଉଦିନଠୁ ଭାଇଙ୍କ ମୁଁହରୁ ଶୁଣିବାକୁ ପାଇଲି ଯେ ମୋର ଆସ୍ଥାନ ଖୁବ୍‌ ଶୀଘ୍ର ଗାଁ ମାଟିରୁ ଉଠି ପୁରୀ ସହରକୁ ଯିବ ବୋଲି, ଠିକ୍‌ ସେହିଦିନଠାରୁ ମୋ ମନ ଭିତରେ କିଏ ଯେମିତି କୋଉଠି କ’ଣ ଆଘାତ କରିବାକୁ ଲାଗିଲା ।

 

ଘରେ, ବାହାରେ, ଖେଳରେ କୁଦରେ ଅତି ଆପଣାର ମଣିଷଗୁଡ଼ା ନିହାତି ପର ପରି ଜଣାପଡ଼ିଲା । ସମସ୍ତେ ଯେମିତି ଚକ୍ରାନ୍ତ କରି ମତେ ତାଙ୍କମାନଙ୍କ ପାଖରୁ ବିଚ୍ଛିନ୍ନ କରିଦେବାକୁ ଚାହାନ୍ତି, ଏଇ ଚିନ୍ତା ମନକୁ ଘାରିଲା ।

 

ଉପାୟ ନଥିଲା । ଅଭିଯୋଗ ବା ପ୍ରତିବାଦ କାହା ନିକଟରେ କରିବାକୁ ବେଳ ବି ନଥିଲା । କାହିଁକି ନା ମଣିଷ ଯେ ଅବସ୍ଥାର ଦାସ । ପରିସ୍ଥିତି ହିଁ ମଣିଷର ସମସ୍ତ କଳ୍ପନାକୁ ଏପଟ ସେପଟ କରିଦେଇଥାଏ ।

 

ଅବଶ୍ୟ ମୋର ପୁରୀ ଯିବାଟା ଆମ ପରିବାର ପକ୍ଷରେ ଥିଲା ଅନୁକୂଳ । ବାପା ବଞ୍ଚିଥିଲାବେଳେ ସିନା କିଛି ସେ ଆମକଥା ବୁଝୁନଥିଲେ, ବୋଉ ମୋର ସବୁକଥା ବୁଝୁଥିଲେ । ତେବେ ବର୍ତ୍ତମାନ ବାପାଙ୍କ ଅନ୍ତେ ଆମମାନଙ୍କର ସମସ୍ତ ଦାୟିତ୍ୱ ବୋଉଙ୍କ ଭଙ୍ଗା ମନରେ କାଳେ ଅଧିକ ଚାପ ପକେଇବ ଏଇକଥାକୁ ଭୟ କରି ବଡ଼ଭାଇ ମୋତେ ପୁରୀ ନେଇଯିବାକୁ ଠିକ୍‌ କରୁଥିଲେ । ସେ ଯାହା ହେଉ, ଗୋଟାଏ ଦିଗରୁ ଅନ୍ତତଃ ମୁଁ ରକ୍ଷା ପାଇଯିବି ଭାବି ମନରେ ମୋର ଟିକିଏ ଶାନ୍ତି ଆସୁଥାଏ । ସେଇଟା ହେଲା ପାଠପଢ଼ାରୁ ତ୍ରାହି ।

 

ଏତିକିବେଳେ ଆମ ପରିବାରରେ ଆଉ ଏକ ସମସ୍ୟା ଆସି ମୁଣ୍ଡ ଟେକିଲା । ଅପାର ବିବାହ ପ୍ରସ୍ତାବ । କେମିତି ତାକୁ ହାତକୁ ଦି’ହାତ କରିଦେଲେ ବୋଉଙ୍କ ଉପରୁ ଅନେକ ଚାପା କମିଯିବ । ଯୋଗକୁ କେଇଦିନ ଭିତରେ କୁରୁଞ୍ଜିପୁର ଗାଁ’ର ହଂସନାଥ ଭାଇଙ୍କ ବିଷୟରେ ପ୍ରସ୍ତାବ ନେଇ ଓଡ଼ଖଣ୍ଡ ଗାଁ’ର ବୁଦ୍ଧି ମଉସା ଆସି ଖବର ଦେଲେ ଭାଇଙ୍କୁ । କିନ୍ତୁ ବର୍ଷ ନ ପୂରିଲେ ଅର୍ଥାତ୍‌ ବାପାଙ୍କର ବର୍ଷିକିଆ ନଗଲେ ବିଭାଘର ହେଇ ପାରିବ ନାହିଁ ।

 

ଓଡ଼ଖଣ୍ଡ ମଉସା ଫେରିଗଲେ ତାଙ୍କ ଗାଁ’କୁ I କଥା ହେଲା ଭାଇ ବର୍ତ୍ତମାନ ପୁରୀ ଚାଲିଯିବେ, ତା’ପରେ ଆଉ କିଛିଦିନ ପରେ ମୋତେ ଆସି ସାଙ୍ଗରେ ନେଇଯିବେ । ବର୍ତ୍ତମାନ ପାଇଁ ମୁଁ ଆଉ କିଛିଦିନ ରହିବି ଗାଁ’ରେ ।

 

ପୁଣି ସେଇ ପୁନରାବୃତ୍ତି । ଖଡ଼ା ବଡ଼ି ଥୋଡ଼ ଏବଂ ଥୋଡ଼ ବଡ଼ି ଖଡ଼ା । ଏଇ ରୀତିରେ ଚାଲିଲା ମୋର ପୁରୁଣା ଜୀବନଚକ୍ର । ଲାହାକୁ ଚୁମ୍ବକ ପଥର ଟାଣିଲା ପରି ମୋତେ ଟାଣିଲେ ଗୋବିନ୍ଦପୁର ଚାହାଳୀକୁ ଅବଧାନ ନିତେଇ ମହାନ୍ତି ।

 

ଖରା, ବର୍ଷା, ଶୀତର ଗୁରୁ ରଙ୍ଗର କସ୍ତା ପାଲଟି ମୋର ଗର୍ଭଧାରିଣୀ ଚଣାହାଟ ପଲ୍ଲୀ–ମା’ ଆଉ କିଛିଦିନ ପାଇଁ ତାର ବାତ୍ସଲ୍ୟ ସ୍ନେହରେ ମୋତେ ବାନ୍ଧିରଖିଲା ।

 

ସବୁଜ ତୋଟାମାଳ, ବିସ୍ତୀର୍ଣ୍ଣ କଣ୍ଟକିତ କିଆଭେଡ଼, ଲାଲ ଆଉ ନୀଳ, ଧଳା କଇଁପୂର୍ଣ୍ଣ ଯୋଡ଼ ଗାଡ଼ିଆ, ମୋ’ ଆଖିରେ ଆହୁରି ଯେମିତି ଅତି ବହଳର ମାୟାଜାଲ ଘେରେଇ ଦେଲା ।

 

ବଢ଼ି ପାଣିରେ ହାଣ୍ଡିଭେଳା ଭସେଇ, ଗାଁ ଭଉଣୀମାନଙ୍କ ପାଇଁ ଖୁଦୁରୁକୁଣୀ ଓଷାରେ ଫୁଲଆଶାରେ ଏ ଗାଁ ସେ ଗାଁ ବୁଲି ମତେଇ ହଜେଇ ଦେଲି ମୋର ଶିଶୁ ଜୀବନକୁ । ପୁଅ ମହଲଠାରୁ ଝିଅ ମହଲରେ ମୋର ଆଦର ଥାଏ ଖୁବ୍‌ ବେଶି । ମୁଁ ମଧ୍ୟ ଗୋଟାଏ ଝିଅଠାରୁ କିଛି ଟିକିଏ ବରାଦ ପାଇଲେ ତାକୁ କେମିତି ଚଞ୍ଚଳ ମୁଣ୍ଡ ଲଗେଇବି ସେଥ‌ିପାଇଁ କାମରେ ଲାଗିପଡ଼େ ।

 

ଯାହା ହଉ ପୁରୁଣା ଗୁଳାରେ ଶଗଡ଼ ଚକ ଯେମିତି ଭଲ ଗଡ଼ିଚାଲେ ସେମିତି ମୁଁ ପୁରୀ ଯିବା କଥାଟାକୁ ପାସୋରି ପକେଇ ଗଡ଼ି ଚାଲିଲି ମୋର ପୁରୁଣା ଅଭ୍ୟାସରେ ।

 

କିଛି ଦିନପରେ ଦେଖିଲି ଆଉ ଗୋଟିଏ ନୂଆ କଥା । ‘ନିନୀଅପାଙ୍କ ବାହାଘର–ରାମ ବଡ଼ା’ପାଙ୍କ ଝିଅ ନିନୀଅପାଙ୍କ ବାହାଘର । କଟକୀ ବର । ଶୁଣିଲି ବଡ଼ ଜାକଜମକରେ କଟକରୁ ଆସିବ ରୋଷଣି ।

 

ସତକୁ ସତ ସେଦିନ ଗାଁ’ଟାଯାକ ଲୋକ ଧାଁ ଧପଡ଼ କରି ରୁଣ୍ଡହେଲେ ଯାଇ ସ୍କୁଲପାଖ ଉଚ୍ଚ ବରଗଛ ମୂଳେ । ସମସ୍ତଙ୍କର ଦୃଷ୍ଟି ସରାଟ ଗାଁ’ମୁଣ୍ଡର ସେଇ ମନ୍ତୁରୀ ମୁହଁ ଦେଇ ବାଲିପାଟଣା ଛକ ଆଡ଼କୁ । ସେଇ ଧଳା ସଡ଼କ ଦେଇ ଆସିବ କଟକରୁ ମଟର ଗାଡ଼ି, ଆଉ ରୋଷଣି ।

 

ମଟର ଦେଖା ମୋର ପ୍ରଥମ । ସବୁ ପିଲାମାନଙ୍କ ସାଙ୍ଗରେ ସେଦିନ ସନ୍ଧ୍ୟାରୁ ଠିଆ ହେଇ ରହିଲି ଯେ ଭୋକ ଶୋଷ କଥା ପାସୋରି ପକେଇଥିଲି । ଏକା ମୁଁ ନୁହେଁ, ଗ୍ରାମର ଆବାଳବୃଦ୍ଧବନିତା । ରାତି ଘଡ଼ିଏ ହେଲା । ତଥାପି ରୋଷଣି, ବାଣ, ବାଜା, ମଟର କାହାରି ଦେଖାନାହିଁ ।

 

କେବଳ ମଣିଷ ମଣିଷ ଭିତରେ ଠେଲାପେଲା, ଜଣେ ଅନ୍ୟ ଜଣଙ୍କର ଗୋଡ଼ ମାଡ଼ୁଛି ତ କାହା ପିଠିରେ କାହାର ନାକର ନିଶ୍ଵାସ ଘନଘନ ପଡ଼ୁଛି ।

 

ବାଲିପାଟଣା ଧଳା ସଡ଼କରେ ହାଟୁଆ କେହି ନିଆଁଅଟା ଅବା ଲଣ୍ଠନ୍‌ଟାଏ ଧରି ଚାଲିଗଲେ ପିଲାଗୁଡ଼ାକ ଚିତ୍କାର କରୁଥିଲେ–‘‘ହେଇ ମଟର ଆଇଲା ।’’

 

ସମସ୍ତଙ୍କ ମନ ଖାଲି ବ୍ୟସ୍ତ ଆଉ ଚଞ୍ଚଳ, ପ୍ରତ୍ୟେକେ ଭାବୁଛନ୍ତି ଏ ରୋଷଣି ଯେମିତି ତାଙ୍କର ପୁଅ, ଝିଅର ବାହାଘର ରୋଷଣି ।

 

ଚୌଧୁରୀ ସାହିର ବିଲେଇ ଛୁଆ ଆଜି ଖୁବ୍‌ ତତ୍‌ପର । ଲୋକବାକ, ଗୁମାସ୍ତା, ଖମାରେଇ, ଟହଲିଆଁ କାହାକୁ ଫୁରସତ୍‌ ନାହିଁ । ଧାଁ ଧପଡ଼୍‌, ଗଲା ଗଲା, ଆଇଲା–ଏ ଶବ୍ଦରେ କାନ ଫାଟିପଡ଼ୁଥାଏ । ସାଙ୍ଗକୁ ଦାଉ ସାଧୁଥାନ୍ତି ବୁଲା କୁକୁର ଦଳ ।

 

ଏତିକିବେଳେ ଜଗେଇ ଜେନା ତୋଟା ମୋଡ଼ରୁ ଏକାସାଙ୍ଗରେ ଗୁଡ଼ାଏ ଆଲୁଅ ଧପ୍‌କରି ଜଳିଉଠିଲା । ଶୁଭିଲା ବାଜା । ଗୋଟାଏ ମସ୍ତବଡ଼ ହାବେଳୀ ନିଆଁଗୁଲ ବିଞ୍ଚିବିଞ୍ଚି ସୁ’ କରି ଗର୍ଜନଟାଏ ଛାଡ଼ିଦେଇ ଆକାଶକୁ ଉଠିଗଲା ।

 

ପିଲାଏ ତାଳିମାରି ନାଚିଉଠିଲେ । ଏକାସାଙ୍ଗରେ ଏତେ ମଟର, ଧାଡ଼ି ଧାଡ଼ି ଆଲୁଅ ଝାଡ଼ । ମଝିରେ ମଝିରେ ଆଲୁଅ–କୁଞ୍ଜ ଭିତରେ କି’ ସୁନ୍ଦର ରାଧାକୃଷ୍ଣଙ୍କ ଯୁଗଳ ଛବି । ଧୀରେଧୀରେ ଆଗେଇ ଆସୁଥାଏ ଆମ ଗାଁ ଆଡ଼କୁ ।

 

ମୁଁ କ'ଣ, ସ୍ଵର୍ଗରେ ଇନ୍ଦ୍ରସଭା ଦେଖୁଛି ?

 

ଚୌଧୁରୀ ସାହିର ପୁଅ, ଝିଅ କେତେ ରଙ୍ଗର ଲୁଗାପଟା ପିନ୍ଧି ପ୍ରଜାପତି ପରି ଉଡ଼ୁଥାନ୍ତି-। କ୍ରମେ କ୍ରମେ ବର–ଶୋଭାଯାତ୍ରା ଆଗେଇ ଆସିବା ଦେଖି ଆମେ ଧୂଳିଆ ପିଲାଗୁଡ଼ାକ ଧାଇଁଲୁ ଆଗେ ଆଗେ ଚୌଧୁରୀ ସାହିକୁ ।

 

କେଉଟ ସାହି ଡେଇଁଲେ ମୂଷା ଦାଦିଙ୍କ ଗୁହାଳ ଘର । ରୋଷଣି ସେଇଠି ହେଇଛି କି ନାହିଁ, ବାଣନିଆଁ ପଡ଼ି ହେଲା ଲଙ୍କାପୋଡ଼ି । ଚାହୁଁ ଚାହୁଁ ଧୂ’ ଧୂ’ ହେଇ ଜଳିଲା ଗୁହାଳଘର ।

 

ଯାହା ହେଉ, ନିଆଁ ଲିଭେଇବାକୁ ଲୋକ ସେତେବେଳେ ଅଭାବ ନଥିଲେ ।

 

କଟକରୁ ଆସିଥାଏ ବର । ଏତେବଡ଼ ସଲଟୀ–ୟା ଆଗରୁ ବୋଧେ ଆମ ଗାଁ’କୁ ଆଉ କେହି ଆଣିନଥିଲେ । ଅବଶ୍ୟ ମୋ ଦେଖିବାରେ । ନାଲି, ନେଳୀ ମଟରଗୁଡ଼ାକ ଦେଖିବାକୁ ଯୋଉ ଲୋକ ଭିଡ଼ ! ଆଜି ସେକଥା ଭାବି ବସିଲେ ଖୁବ୍‌ ହସ ମାଡ଼େ ।

 

ସେଦିନ ଶୋଭା କେତେ ଯେ ରାତି ହୋଇଥିଲା ସେକଥା ଆଜି ପୂରାପୂରି ମନେ ନଥିଲେ ମଧ୍ୟ କିଛିଟା ମନେ ରହିଛି ।

 

କିଏ ବାହା ହଉଛି ? କାହାର ବାହାଘର ? କିଏ କାନ୍ଦୁଛି ଯିବାକୁ, କିଏ ହସୁଛି ନବାକୁ ।

 

ମୋର କିନ୍ତୁ ସବୁଠୁ ସେଦିନ ବେଶି ଆନନ୍ଦ ଆସିଥିଲା କେତେଗୁଡ଼ିଏ ନୂଆ ଜିନିଷ ଦେଖିବାକୁ ପାଇଥିଲି ବୋଲି ।

 

ସକାଳ ହେଲା । ହଠାତ୍‌ ଦେଖିଲି ବଡ଼ଭାଇଙ୍କୁ । କାଲି ରାତିରେ କେତେବେଳେ ଭାଇ ପୁରୀରୁ ଆସିଛନ୍ତି ସେକଥା ମୁଁ ଜାଣିପାରି ନାହିଁ । ଭାଇ ବୋଉଙ୍କୁ କହିଲେ, ‘କାଳିଆ’କୁ (ମୋତେ) ଏଇଥର ପୁରୀ ନେଇଯିବି ।

 

କଥାଟା ଶୁଣିଲାବେଳୁ ମନଟା ମୋର ଏକାବେଳେ ଭାଙ୍ଗିପଡ଼ିଲା । କାରଣ, ସବୁଥର ଭଳି ଏଥର ଯେ ମୋର ପୁରୀ ଯିବାଟା ନିଶ୍ଚିତ ସେକଥା ଭାଇଙ୍କୁ ଏଥର ଦେଖି ମୁଁ ମନେ ମନେ ଠିକ୍‌ ଠଉରେଇ ନେଇଥାଏ ।

 

ବୋଉ କହିଲେ, ‘‘ସାଙ୍ଗରେ ମଙ୍ଗଳ ରାତି, ବୁଧ ପାହାନ୍ତି ଯେଣେ ଇଚ୍ଛା ତେଣେ ଯାଆନ୍ତି, ଭଲକଥା । ମୁଁ (ସେ) ମଙ୍ଗଳବାର ରାତିରୁ ବୁଢ଼ା ଚକୁଳି କରିଦେବି, ତୁମେ ଦୁଇଭାଇ ବୁଧବାର ପାହାନ୍ତାରୁ ପୁରୀକୁ ଅନୁକୂଳ କରିବ ।’’

 

ଦୁଇ ଆଖିରେ ଆଖିଏ ଲୁହଭରି, ଭାଇ ଓ ବୋଉଙ୍କ ଆଦେଶ ପାଳନ ଲାଗି ନିଜେ ନିଜକୁ ପ୍ରସ୍ତୁତ କଲି । ମୋର ଖେଳସାଥୀ, ମାଟିଘୋଡ଼ା, କୁଲେଇ, ଭଙ୍ଗା ସଢ଼େଇ, ବାଇଦ ଟିଣଡ଼ବା ସମସ୍ତେ ମୋତେ ଯେମିତି ହାତଠାରି ଡାକିଲେ, ଥଟ୍ଟାକଲେ । ଭାଗବତ ଘରୁ ଶୁଭିଲା ମୋରି ଗଳାର ମୁଇଁ ଗାଇଥ‌ିବା ଗୀତ ପଦକ......... ।

 

‘‘ବେଳତ ହେଲାଣି ମଠ ମଠ କାହିଁକି

ଦୂର ଦେଶ ପାଞ୍ଜପଟ୍ଟା...... ।’’

 

ଆସିଲା ମଙ୍ଗଳବାର ସଞ୍ଜଘଡ଼ି । ବୁଢ଼ା ଚକୁଳିର ଆୟୋଜନ । ଦରିଦ୍ର ପରିବାରରେ ଅଦଳବଦଳ ନୀତିଟା ବେଶି ଚାଲେ । ବୋଉ, ଭାତରନ୍ଧା ଚାଉଳ ଦୁଇମାଣ (ଦୁଇପା’) ବଦଳ ଦେଇ ସୁନ୍ଦରୀ ବୋଉ ମା’ ଘରୁ ଆଣିଲେ ବିରି । କୋଳଥ ବଦଳରେ ନଖୀଭାଇ ଦେଲେ ପୁରୁଣା ନଡ଼ିଆ, ବାସ୍‌ । ରାତ୍ରିର ଖାଦ୍ୟପର୍ବ ପାଇଁ ସେମିତି ବଡ଼ ସମ୍ବଳ ନଥିଲେ ମଧ୍ୟ ବୋଉଙ୍କୁ ସେଇଟା ବଳେଇଲା ନାହିଁ । ଖୁଡ଼ୀଙ୍କ ଆମ୍ବଗଛ ମୂଳେ ବଢ଼ିଥିଲା କଅଁଳ ଛନଛନ ଗୋଟାଏ ପାଣିକଖାରୁ ଗଛ । ସ୍ଥିର ହେଲା ସଜପଖାଳ ସାଙ୍ଗକୁ ସୋରିଷ ଦିଆ ପାଣିକଖାରୁ ପତ୍ରଭଜା । ବାଉରି ସାହିର ନିତିଦିନିଆ ଗେଣ୍ଡା, ପିତାଶାଗ ଭଜାଠାରୁ ଏ କ’ଣ କମ୍‌ ମଜାଦାର ?

 

ଆମର ସର୍ବମୋଟ ବଖୁରିଏ ଘର ବୋଲି ଲୋକସଂଖ୍ୟା ତୁଳନାରେ ଚଳପ୍ରଚଳ ପାଇଁ ଅସୁବିଧାରେ ପଡ଼ୁଥିଲୁ । ଏଥିଲାଗି ଦାଦି, ଖୁଡ଼ୀଙ୍କର କାଳ ହେଇଯାଇଥିବାରୁ ଆମେ ସବୁ ନିଜର ଜନନୀଙ୍କର ବଡ଼ ଜା’ଙ୍କୁ ଆଉବୋଉ ବୋଲି ଡାକୁ ।

 

ସବୁଦିନ ପରି ମୋର ମା’ (ବୋଉ) ଖାଇବା ପୂର୍ବରୁ ପାରିସୁଆ ପାରିଦେଇଥାନ୍ତି । ପାରିସୁଆ ବୋଇଲେ–ହଁସୁଲୀ, ତୁଳୀତଳ୍ପ ନୁହେଁ । ଆମ ଗାଉଁଲି କଥାରେ ମୁନ୍ଦୁରା ବା ହେଁସ । ଅର୍ଥାତ୍‌ ଧାନ ଶୁଖେଇବା ପାଇଁ ଗାଁରେ ପ୍ରତି ପରିବାରରେ ଖଣ୍ଡେ ଖଣ୍ଡେ ସେଥିରୁ ଥାଏ । ଆମର ତ ଶୁଖେଇବାକୁ ଧାନ ନ ଥିଲା । କାଳେ କେତେବେଳେ ଗଣ୍ଡାଏ ଅଧେ ଧାନ ମିଳିଯିବ, ସେଥ‌ିପାଇଁ ରଖାଯାଇଥିଲା ସେ । ତେବେ ଯାହାହେଉ, ଆମ ଦରିଦ୍ର ପରିବାରର ସେଇ ହେଁସ ଖଣ୍ଡିକ ଥିଲା ତୁଳୀତଳ୍ପଠାରୁ ଅତି ମୂଲ୍ୟବାନ । ଶୀତ ଦିନେ କାଠୁଆ ଶୀତରେ ଫାଳେ ବିଛଣା କରି ଆର ଫାଳକ କମ୍ବଳ କରି ଜାକିଜୁକି ହୋଇ ଉପରେ ଘୋଡ଼େଇ ଶୋଇ ପଡ଼ୁଥିଲୁ ।

 

ମୋର ଗୋଟାଏ କଦର୍ଯ୍ୟ ଅଭ୍ୟାସ ଥିଲା । ନିଦରେ ସ୍ଵପ୍ନଦେଖି ବିଛଣାରେ ମୁତି ପକାଏ । କିନ୍ତୁ ମୂତ ହେଇଯିବା ପରେ କାଲୁଆ ଲାଗିଲେ ଉଠି ପଡ଼ି ଅନ୍ୟ ଭାଇଭଉଣୀମାନଙ୍କ ଭିତରେ ଗଳିପଶି ଶୋଇପଡ଼େ । କେବଳ ଏତିକି ନୁହେଁ । ଆଗରୁ ମୁଁ ଆପଣମାନଙ୍କୁ କହିଛି ଯେ–ପ୍ରତ୍ୟେକ ଦିନ ଆମକୁ ଭଲଖାଦ୍ୟ ପେଟପୂରା ମିଳୁ ନ ଥିଲା । କେତେବେଳେ ଗଣ୍ଡେ ମିଳିଗଲେ ଖାଇବାରେ ସଂଯମ ମୁଁ ମୋଟେ ରଖିପାରୁ ନ ଥିଲି । ଅବଶ୍ୟ ପିଲା ବୟସ । ଏଣୁ ରାତିଅଧରେ ବିଛଣାରେ ମଳତ୍ୟାଗ କରିବା, ପୁଣି ଅଧିକାଂଶ ସମୟରେ ନାଳ, ରକ୍ତ ଝାଡ଼ା ମୋତେ ଲାଗିରହିଥିଲା ।

 

ସଜପଖାଳ, ପାଣିକଖାରୁ ପତର ଭଜା ବେଶ୍‌ ଭଲ କରି ପେଟ ପୂରେଇ ଖାଇନେଇ ହେଁସ ଘୋଡ଼ିହେଇ ଶୋଇପଡ଼ିଲି । ନିଦ ଆଖିରେ ଆସିଲା ନାଇଁ । ବୋଉଙ୍କ କଥା ମନେପଡ଼ିଲା ।

 

ମଙ୍ଗଳ ରାତି, ବୁଧ ପାହାନ୍ତି

ଯେଣେ ଇଚ୍ଛା ତେଣେ ଯାଆନ୍ତି ।

 

କେତେବେଳେ ନିଦ ଆସିଯାଇଥିଲା ଜାଣିପାରି ନ ଥିଲି । ଖୁବ୍‌ ପାହାନ୍ତାରୁ ଆଖ୍‌ମେଲି ଦେଖିଲି, ସମ୍ଭବତଃ ସେଦିନ ରାତିରେ ବୋଉ ଶୋଇ ନ ଥିଲେ । ଭିତର ଘରେ (ରୋଷେଇ ଘର) ଆମ ଅନୁକୂଳ ପାଇଁ ବୁଢ଼ାଚକୁଳି ତିଆରି କରୁଥିଲେ ।

 

ଏତେ ଦୁଃଖରେ ମଧ୍ୟ, ଏତେ ଅଭାବରେ ମଧ୍ୟ ପିଲାଙ୍କ ଯାତ୍ରାନୁକୂଳ ପାଇଁ କାହାଠୁ ନଡ଼ିଆ, କାହାଠୁ ଚାଉଳ ମାଗିଆଣି ବୁଢ଼ାଚକୁଳି ପ୍ରସ୍ତୁତ କରନ୍ତି–ବୋଉ । ଗୋଟିଏ ଗୋଟିଏ ଚକୁଳି, ସେତେବେଳେ ଅଧସେର ଓଜନରୁ କମ୍‌ ହଉ ନ ଥିଲା । ନଡ଼ିଆ ପାତି ପଡ଼ି ଅଳ୍ପଅଳ୍ପ ଘଷିଜାଳରେ ପିଠାପ୍ରତି ଏକ ଛଟାଙ୍କି ସୋରିଷ ତେଲ ଦିଆଯାଇ, ଲୁହା କରେଇରେ ଶୋଧୁଅ (ଅତା) ଅଜାଡ଼ି, ଘଣ୍ଟାଏ ସମୟ ବସୁଥିଲା ।

 

କି ସୁଆଦ ସେ ବୁଢ଼ାଚକୁଳିର ! ଚଉଠେ ଖାଇଲେ ପେଟରେ ଗୋଟାଏ ହୁଏ । ଖାଲି ପାଣି ଟାଣେ ।

 

ଖଣ୍ଡେ ସଫାକନାରେ ବୋଉ ମୋର ବୁଢ଼ାଚକୁଳି ବାନ୍ଧୁ ବାନ୍ଧୁ ଭାଇଙ୍କୁ ଡାକ ପକେଇଲେ-

 

ଭାଇ ସେତେବେଳକୁ ନିଜର ନିତ୍ୟକର୍ମ ସାରି ଅନୁକୂଳ ପାଇଁ ପ୍ରସ୍ତୁତ ହେଉଥିଲେ । ମୋର ସାନ ଭଉଣୀ ଭିତରଘରେ ବୋଉଙ୍କ ପାଖରେ ନହରପହର ହଉଥିଲା । ଅପା–ଘର ଓଳେଇ ପାଣି ସିଞ୍ଚୁଥୁଲା । ଗୋଟିଏ ଥାଳିରେ ଆମେ ଦୁଇଭାଇ, ସାନ ଭଉଣୀ ମନି ଖାଇବସିଲୁ ଗରମ ଭାତ ଆଉ ମୁଗ, ବାଇଗଣ ଡାଲ୍‌ମା । ରାତି ଅନିଦ୍ରା ହେଇ ବୋଉ ମୋର ଏତକ ରାନ୍ଧିଥିଲେ ତାଙ୍କର ପିଲାଙ୍କ ପାଇଁ । ବଡ଼ ତୃପ୍ତି । ବଡ଼ ସ୍ଵାଦ । ଦୁନିଆରେ କୋଉ ସନ୍ତାନ ତା’ର ସ୍ନେହମୟୀ ଜନନୀଙ୍କର ଏପରି ମମତାଭରା ସେବାର ପ୍ରତିଦାନ ଦେଇପାରିଛି ?

 

ଦାଣ୍ଡ ଦୁଆର ମୁହଁରେ ପୂର୍ଣ୍ଣକୁମ୍ଭ ଦେଖି, ମା’ ମଙ୍ଗଳାଙ୍କୁ ମୁଣ୍ଡିଆଟିଏ ମାରି ଆମେ ଦୁଇଭାଇ ଅନୁକୂଳ ଆରମ୍ଭ କଲୁ । ସାଙ୍ଗରେ ଆମର ରାଧୁ ଭାଇ ଯାଉଥାନ୍ତି ପୁରୀ ବୁଲିବାକୁ ।

 

ଅପା ଓ ବୋଉଙ୍କ ଆଖୁ ଲୁହ । ତାଙ୍କ ଦେଖାଦେଖି ଭେଁ କରି କାନ୍ଦି ଉଠିଲା ସାନ ଭଉଣୀ ମନି । ମୁଁ କି ଆଉ ସମ୍ଭଳା ପଡ଼େ । ଟପ୍‌ ଟାପ୍ କରି ଦୁଇ ଟୋପା ଲୁହ ମୋ ଆଖିରୁ ବି ଗଳିପଡ଼ିଲା ।

 

ସାତ ଆଠ ବର୍ଷର ପିଲା ମୁଁ । ୧୯୧୯ ମସିହାରେ ଜନ୍ମ ମୋର । ଜନ୍ମ ଜାତକ ମୋର ଯେ ଥିଲା, କିନ୍ତୁ ସେଖଣ୍ଡିକ ମୁଁ ନିଜେ ଅଳିଆ କାଗଜ ଚିରିବାକୁ ଯାଇ ଟିକି ଟିକି କରି ଚିରି ପକେଇଥିଲି ।

 

ଠିକ୍‌ ଦଣ୍ଡ, ଲିତା, ମାସ ମନେ ନ ଥିଲେ ମଧ୍ୟ ବୋଉଙ୍କଠାରୁ ଶୁଣିଥିଲି–ମୋର ଜନ୍ମହେବା ବର୍ଷକ ପରେ ଆମ ପୁରୀ ଜିଲ୍ଲାରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ଖାଦ୍ୟ ନ ପାଇ ଅନେକ ଲୋକ ମରିଥିଲେ । ନଦୀ ବଢ଼ିରେ, ବନ୍ଧଭାଙ୍ଗି ବନ୍ୟାରେ ସବୁ ଫସଲ ଧୋଇ ନେଇଯାଇଥିଲା । ଆମ ଗାଁ ଚଣାହାଟ୍ଟ ପାଖରେ ଅଠାନ୍ତର ଘାଇ ଭାଙ୍ଗି କୁଶଭଦ୍ରା ନଦୀ ଯୋଉ ପ୍ରଳୟ ଘଟେଇଥିଲା ତାହାର ସ୍ମୃତିସ୍ୱରୂପ ଆଜି ବି ଗୋଟାଏ ଗୋଟାଏ ବାଲିର ପାହାଡ଼ ମୁଣ୍ଡ ଟେକି ଠିଆହେଇଛି । ଶୁଣିଛି ସେତେବେଳେ ପୁରୀ ଜିଲ୍ଲାରେ ଏଇସବୁ ବିପଦବେଳେ ଗରିବ ଜନସାଧାରଣଙ୍କ ପାଖରେ ସାହାଯ୍ୟ ଦବାକୁ ଠିଆ ହଉଥିଲେ ଦରିଦ୍ରର ବନ୍ଧୁ ଗୋପବନ୍ଧୁ ଦାସ ।

 

ଶତ ଶତ ଦରିଦ୍ର ଓଡ଼ିଆଙ୍କର ଜୀବନ ସଂଗ୍ରାମ ଦେଖି ଆଖିରୁ ତାଙ୍କର ଲୁହର ବନ୍ୟା ଛୁଟିଯାଏ । ସତକଥା କହିବାକୁ ଗଲେ ଆଜି ମୁଁ ଅନୁଭବ କରୁଛି ଯେ ଯଦି ଆମ ଓଡ଼ିଶାରେ, ଓଡ଼ିଆର ପିତୃପ୍ରତିମ ମଧୁସୂଦନ ଦାସ, ଓଡ଼ିଆ ଜାତିର ସେବକ ଗୋପବନ୍ଧୁ ଦାସ ଜନ୍ମଗ୍ରହଣ କରିନଥାନ୍ତେ ତା’ହେଲେ ଉତ୍ତର–ଦକ୍ଷିଣର ଗଙ୍ଗା, ଗୋଦାବରୀ ନଦୀ ମହାନଦୀ ସହିତ ମିଶି ଏକ ମହାସମୁଦ୍ରରେ ପରିଣତ ହୋଇଥାନ୍ତା ଏବଂ ଓଡ଼ିଆର ମହାନ୍‌ ସଂସ୍କୃତି, ମହାନ ଚିନ୍ତାଧାରା, କଳା, ସାହିତ୍ୟ ସେଇ ଜଳରାଶିର ଅତଳଗର୍ଭରେ ଲୀନ ହୋଇଥାନ୍ତା ।

 

ଚାଲୁଥିଲୁ ଆମେ ତିନି ଜଣ । ଠିକ୍‌ ଯେମିତି ତ୍ରିନାଥ ଗୋସେଁଇ । ପଛରେ ପଡ଼ୁଥିଲା ମୋର ଜନ୍ମମାଟି । କେତେ ସ୍ନେହ, ମମତା ବୋଳା ସେ ମାଟି । ତା’ରି କୋଳରେ, ତା’ରି ପାଣି ପବନ ମୋ’ ଦେହରେ ଅସ୍ଥି, ମେଦ, ମାଂସ, ମଜ୍ଜା, ରକ୍ତ ଉପରେ ଚର୍ମ ଢାଙ୍କି ଧୂଳିଆ ଗାଁ’ ଦାଣ୍ଡରେ ଚଲେଇ ଶିଖେଇଚି । ଭଉଣୀମାନଙ୍କ ଖୁଦୁରୁକୁଣୀ ଓଷାଲାଗି, ଗାଁ’କୁ ଗାଁ ଚମକେଇ, ନେଇଛି ଫୁଲ ତୋଳିବାକୁ । କୁଆଁର ପୂନେଇଁରେ ପାଳଭୂତ ସଜେଇ ନଚେଇଛି । ରଜଦୋଳିରେ ଝୁଲେଇଛି । କେତେ ଆପଣାର, କେତେ ନିଜର ସେ ମାଟି ।

 

ଆମ ଗାଁରୁ ଭୁବନେଶ୍ଵର ଗଲେ ରେଳରେ ବସି ପୁରୀ ବାଟ ଯିବୁ । ପୂରା ପାଞ୍ଚ କୋଶ ବାଟ । ଆମ ଗାଁ କଳାମାଟି ତୋଟାବାଟେ, ଫକିରପଡ଼ା ଗାଁ ଦେଇ ଗହୀର ବିଲ ଚଲାବାଟରେ ଗଲେ ବୋଦଖଣ୍ଡି ଗାଁ ପାଖେ ବାଳକାଟୀ ଧଳା ସଡ଼କ ଧରିଲେ ପାଞ୍ଚକୋଶରୁ କମ୍‌ ପଡ଼େ ।

 

ବାଳକାଟୀଠାରେ ଦୟା–ଭାର୍ଗବୀ ନଦୀ ପାର୍‌ ହେଲେ ପଡ଼େ ଓଡ଼ିଶାର ବିଖ୍ୟାତ୍‌ ସରଦେଇପୁର ଗାଁ । ପ୍ରାୟ ପ୍ରତ୍ୟେକ ବର୍ଷ ବନ୍ୟା ଫଳରେ ଗାଁଟିର କିଛି କିଛି ଅଂଶ ଧୋଇ ହେଇଯାଏ, ବିଲୁପ୍ତ ପ୍ରାୟ । ନଦୀ ବନ୍ଧତଳକୁ କେତେଗୁଡ଼ିଏ ବଡ଼ବଡ଼ ଆମ୍ବଗଛ ।

 

ବଢ଼ିପାଣିରେ ଯେତେବେଳେ ଦୟା–ଭାର୍ଗବୀ ନଦୀବନ୍ଧ ଟଳମଟଳ ହଉଥାଏ ସେଇସବୁ ବିପଦପୂର୍ଣ୍ଣ ମୁହୂର୍ତ୍ତରେ ମଧ୍ୟ ଭୁବନେଶ୍ୱରରୁ ଫେରୁଥିବା ଆମଆଡ଼ର ପୂଝାରୀଙ୍କୁ ଡଙ୍ଗାରେ ବୋଝେଇ କରି ନାଉରିଆ ହରିବୋଲ ପକେଇ ସେଇ ସରଦେଇପୁର ଘାଟ ନାଆମେଲେ ।

 

ମୋ ମତରେ–ସମ୍ଭବତଃ–ଏ ସେହି ଇତିହାସ ପ୍ରସିଦ୍ଧ ସରଦେଇପୁର, ଯୋଉଠି ଶ୍ରୀଜଗନ୍ନାଥଙ୍କ ଚରଣ ସେବିକା, ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ନୀଳଶୈଳ ଗ୍ରନ୍ଥର ନାରୀ ଚରିତ୍ର ଓଡ଼ିଆଣୀ ମହୀୟସୀ ସରଦେଇଙ୍କ ଜନ୍ମ ।

 

ସରଦେଇପୁର ଗାଁରୁ ଭୁବନେଶ୍ଵର ପର୍ଯ୍ୟନ୍ତ ଅଳ୍ପବାଟ ପଡ଼େ ନାଲିସଡ଼କ ଜଗନ୍ନାଥ ସଡ଼କ ବାଳକାଟୀ ନଈବନ୍ଧ ପାଖରେ ଛିଡ଼ିଯାଇ ପୁଣି ଆରମ୍ଭ ହେଇଛି ଉତ୍ତର ଛକ ନିକଟରୁ । ପୁରୀ ଯାତ୍ରୀ ଏଇ ସଡ଼କ ଦେଇ ଶ୍ରୀକ୍ଷେତ୍ରକୁ ପାଦରେ ଚାଲିଚାଲି ଯାଆନ୍ତି ଗାଡ଼ି ମଟର ନ ଥିଲା । କେହି କେମିତି ଥିଲାବାଲା ଖଣ୍ଡେ ଅଧେ ବଳଦ ଶଗଡ଼ର ଆଶ୍ରୟ ନଉଥିଲେ ।

 

କଅଁଳ ଗାଧୁଆବେଳ ଗଡ଼ି ଯାଇଥାଏ । ମୁଣ୍ଡଉପରେ ଖରା ଟିକିଏ ଟାଇଁଟାଇଁ ଲାଗୁଥାଏ । ଗଙ୍ଗୁଆ କୂଳରେ ଛାଇ ଥାନ ଦେଖି ତିନିହେଁ ବସିପଡ଼ିଲୁ । ପାଖରେ ପାଣି ପାଇ ବୁଢ଼ାଚକୁଳି ସେବାରେ ମନଦେଲୁ । ଆମର ଡାହାଣ ପଟେ ଶିଶୁପାଳ ଗଡ଼, ବାଁ ପଟେ ଧଉଳି ପାହାଡ଼ ଓ ପାଦଦେଶରେ କୌଶଲ୍ୟାଗଙ୍ଗ । ଭାଇ ହାତ ଦେଖେଇ ଚିହ୍ନେଇ ଦେଲେ ।

 

ଗଙ୍ଗୁଆ, ନଈ ନୁହେଁ କି ନାଳ ନୁହେଁ । ଛୋଟିଆ ଜଳଧାରଟିଏ । ଭୁବନେଶ୍ଵରର ପଥୁରିଆ ଟାଙ୍ଗର ଛାତିରୁ, ବର୍ଷା ପାଣିକୁ ନିଗାଡ଼ି ଆଣି, ଶୋଷି ନେଇ, ନିଜର ପେଟ ଫୁଲେଇ ଦିଏ-। ବେଳେବେଳେ ଗଙ୍ଗୁଆ, ଦୟା, ଭାର୍ଗବୀ ଏକାଠି ମିଶିଲା ପରି ଦେଖାଯାନ୍ତି । ବର୍ଷାଦିନେ ଗଙ୍ଗୁଆରେ ଡଙ୍ଗା ପଡ଼େ । ତାର ପ୍ରଖର ସ୍ରୋତରେ ଅନେକ ଜୀବନ ଧ୍ଵଂସ ପାଇଛି । କିନ୍ତୁ ତାର ପାଖଆଖ ମାଟିକୁ କରିଛି ଶସ୍ୟଶ୍ୟାମଳ ।

 

ମା’ଭୂଆଷୁଣୀଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆଟିଏ ମାରି ଉଠିଲୁ ଯିବାକୁ । ଦିନ ଦ୍ଵିପ୍ରହରରେ ପ୍ରବଳ ଖଣ୍ଟର ଭୟ । ଲିଙ୍ଗରାଜ ମନ୍ଦିର ପାଖରୁ ରେଳ ଷ୍ଟେସନ ଯିବାବାଟରେ ନିଘଞ୍ଚ ପଣସ, କୋଚିଲା, ଶାଳ, ବିଭିନ୍ନ କଣ୍ଟାଗୁଳ୍ମର ବଣ । ଧୂଳିଆ ନାଲି ମାଟିର ସଡ଼କ । ସେତେବେଳକୁ ରିକ୍ସା ନ ଥିଲା କି ଅନ୍ୟ କୌଣସି ଯାତ୍ରୀବାହୀ ଗାଡ଼ି ନଥିଲା । ଲୋକେ ଖାଲି ପାଦରେ ଚାଲିଚାଲି ଯାଉଥିଲେ । ତେବେ ବେଳେବେଳେ ଖଣ୍ଡେ ଅଧେ ମଣିଷ ହାତଟଣା ଶଗଡ଼ ଗାଡ଼ିରେ ଯାତ୍ରୀ ବୋଝେଇ କରି ପୁରୁଣା ଭୁବନେଶ୍ଵର ମନ୍ଦିର ପାଖରୁ ଦୁଇଜଣ ଗାଈଆଳ ଶଗଡ଼କୁ ଟାଣି ଓଟାରି ନଉଥିଲେ ।

 

ସେଇ ବାଟରେ ରେଳ ଷ୍ଟେସନକୁ ଗଲାବେଳେ ଡାହାଣ ପଟକୁ ପଡ଼ୁଥିଲା ବିରାଟ ରାମକୃଷ୍ଣ ମିଶନ ମଠ । ମଝିରେ ମଝିରେ ପଡ଼ୁଥିଲା ଗୋଟାକେତେ ଭଙ୍ଗା, ଅଧଭଙ୍ଗା ଶିବ ମନ୍ଦିର-। ବଡ଼ ନିଛାଟିଆ, ବଡ଼ ଶୁନ୍‌ଶାନ୍‌ ସେ ରାସ୍ତା । ଚାରିଆଡ଼କୁ ଚାହିଁଲେ ଖାଁ ଖାଁ ଲାଗୁଥିଲା-। ସୁବିଧା ସୁଯୋଗ ଉଣ୍ଡି ସେଇ ଘଞ୍ଚ ବଣ ଭିତରୁ ଉଁକି ମାରି ଦଳଦଳ ହେଇ ବାହାରୁଥିଲେ ବାଟମାରଣା ନାଲିପଗଡ଼ିଆ ଖଣ୍ଟ ।

 

ଦୂର ବିଦେଶରୁ, କଲିକତା କି ଆସାମରୁ ଯୋଉ କେତେକ ଦରିଦ୍ର ଓଡ଼ିଆ କିଛି ପୁଞ୍ଜିପାଣ୍ଠି ଧରି ନିଜର ଜନ୍ମମାଟିକୁ ଫେରୁଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ପ୍ରାୟ ଏଇ ସ୍ଥାନରେ ହିଁ ତାଙ୍କର କଷ୍ଟ ଉପାର୍ଜିତ ଧନକୁ ଖଣ୍ଟଙ୍କ ହାତରେ ସମର୍ପିଦେଇ ବିକଳାଙ୍ଗ ହୋଇ ଫେରୁଥିଲେ ଘରକୁ । ବ୍ରିଟିଶ ସାମ୍ରାଜ୍ୟ–ହାରି ଗୁହାରି ଶୁଣିବାକୁ କେହି ନ ଥିଲେ । ଏଥିପାଇଁ ଉପାୟ ନ ଥିଲା । ବାଟ ବି ନଥିଲା । କାରଣ–ଆମ ଅଞ୍ଚଳ ପାଇଁ ଦେଶ ବିଦେଶ ଯିବାକୁ–ଆସିବାକୁ ଭୁବନେଶ୍ୱର ଷ୍ଟେସନ ଥିଲା ପ୍ରଧାନ ଷ୍ଟେସନ ।

 

ବଡ଼ଭାଇ ମୋତେ ପଇସାକର ପ୍ରସିଦ୍ଧ କୋରା–ଖଇ କିଣି ଦେଲେ ଖାଇବାକୁ। ସେ ସମୟରେ ମଧ୍ୟ ବଇଆ ଗୁଡ଼ିଆ ହାତ ତିଆରି କୋରା ଓ ଖଇ ଖୁବ୍‌ ଲୋକପ୍ରିୟ । ଲିଙ୍ଗରାଜଙ୍କ ମନ୍ଦିର ଆଗରେ କେଇଟି ଦୋକାନ ।

 

ଚାଲିଲୁ ଆମେ । ପବିତ୍ର ବିନ୍ଦୁସାଗର ପୁଷ୍କରିଣୀର ଜଳକୁ ମଥାରେ ସିଞ୍ଚି ନିଜକୁ ଧନ୍ୟ ମନେକଲୁ । ପୁଷ୍କରିଣୀର ଚାରିପଟେ ପଥର ପାହାଚ । କିନ୍ତୁ ସ୍ଥାନେ ସ୍ଥାନେ ମିଳ ଆଉ ମୂତର ଗନ୍ଧରେ ନାକ ଫାଟି ପଡ଼ୁଥାଏ । ପାହାଚ ଉପରେ ଜାଗାଏ ଜାଗାଏ କୁଢ଼କୁଢ଼ ଦାନ୍ତଘଷା ଦାନ୍ତକାଠିର ଜିଭଛେଲା ।

 

ରାଧୁଆଭାଇ ଓ ମୋ’ଭାଇଙ୍କ ଭିତରେ କଥା ପଡ଼ିଲା ଯେ ଏଇସବୁ ତୀର୍ଥ ସ୍ଥାନକୁ ଲୋକେ ଏମିତି ଅପରିଷ୍କାର କରନ୍ତି କାହିଁକି ? ସମ୍ଭବତଃ, ମଣିଷ ନିଜ କାମରେ ନିଜେ ଯେତିକି ସଚେତନ ବୋଲି ଆତ୍ମସନ୍ତୋଷ ଲାଭ କରେ, ତାହା ଠିକ୍‌ ନୁହଁ । କାରଣ ପରମୁହୂର୍ତ୍ତରେ ତାର ଅଲକ୍ଷରେ ସେ ଯୋଉ ଭୁଲ୍‌ କରିବସେ, ସେ ଅପରାଧର କ୍ଷମା ନାହିଁ ।

 

ଅଳ୍ପ ସମୟ ପରେ ଯାଇ ପହଞ୍ଚିଗଲୁ ରେଳବାଇ ମୂଷାଫିରଖାନାରେ । ବେଙ୍ଗଲ–ନାଗପୁର ରେଳବାଇର ଭୁବନେଶ୍ଵର ଷ୍ଟେସନ । ଲୁହାବାଡ଼ ଘେରା ମୂଷାଫିରଖାନା ଅର୍ଥାତ୍‌ ରେଳଯାତ୍ରୀଙ୍କ ବିଶ୍ରାମ କରିବା ଘର ।

 

ମଶା, ମାଛିଙ୍କ ପ୍ରବଳ ଭିଡ଼ରେ ଗାଈ, ବୁଲାଷଣ୍ଢ, ନିବଳୁଆ ମାଇକୁତୀ ଓ ମଣିଷ ମିଶି ସହଯୋଗ କରୁଥାନ୍ତି । ଜନ୍ଦା ଓ ପିମ୍ପୁଡ଼ିର ଧାର, ପଶୁ ଓ ମଣିଷର ମୂତର ଧାର । କୋଉଠି–ମୁଢ଼ି, ଉଖୁଡ଼ା ଚର୍ବଣ । କୋଉଠି–ଚୁଡ଼ା କଦଳୀ ଚକଟା । ଅତି ବିଚିତ୍ର ସେଇ ମୂଷାଫିରଖାନା ।

 

ଆଖି ଯେତେଦୂର ଏବଂ ଯୋଉଠିକୁ ଦେଖିଲେ ବି ଅସନା ଓ ଅପରିଷ୍କାର । ଦିନରେ ମଧ୍ୟ କେମିତି କେମିତି ଅନ୍ଧାରୁଆ ଲାଗେ ସେ ମୂଷାଫିରଖାନା । ଯାତ୍ରୀମାନେ ଯୋଉଠି ଖାଉଥାନ୍ତି ଠିକ୍‌ ସେଇଠି ଛେପ, ଖଙ୍କାର ପକଉଥାନ୍ତି ।

 

ଆମେ ବସିଲୁ ଗୋଟିଏ କୋଣକୁ । କାନ୍ଥକୁ ଲାଗି ସିମେଣ୍ଟର ବେଞ୍ଚ । ଟିଣର କାନ୍ଥ ଓ ଟିଣର ଛାତ । ମୂଷାଫିର୍‌ଖାନାକୁ ଲାଗି ଗୋଟାଏ ବଡ଼ ଜଳଖିଆ ଦୋକାନ । ଗରମ ବରା ଛଣା ହଉଥାଏ ।

 

ଭାଇ ମୋତେ ଦୁଇଟା ଅଧଲା (ଏକ ପଇସା) ଦେଇ କହିଲେ ଦୋକାନରୁ ବରାଖାଇ ଆସିବାକୁ । ଅଚିହ୍ନା ଥାନ କେମିତି ମାଡ଼ିମାଡ଼ି ପଡୁଥାଏ । ଗଲି । ଦୋକାନୀକୁ ଅଧଲା ଦୁଇଟି ଦେଇ ବରା ମାଗିଲି ।

 

ବଡ଼ ବଡ଼ ଚାରିଟା ବରା, ପତର ଠୋଲାରେ ଠୋଲାଏ ବିଲାତିଆଳୁ ବୁଟ ତରକାରି । କି ବାସନା । ସେଥିରୁ ଯୋଡ଼ିଏ ବରା ଖାଇଛି କି ନାହିଁ, ଆସିଲା ରେଳ ତା’ର ସିଟି ବଜେଇ ଗର୍ଜନ କରି ଯେମିତି ପ୍ରଚଣ୍ଡ ବେଗରେ ମାଡ଼ି ଆସିଲା, ଭୟରେ ତାଳୁରୁ ତଳିପା ପର୍ଯ୍ୟନ୍ତ ମୋର ଥରିବାକୁ ଆରମ୍ଭ କଲା । ହାତରୁ ବରା ତରକାରୀ ଖସି ପଡ଼ିଲା ତଳେ । ଅତରଛରେ ବୋଉଙ୍କ କଥା ମନେ ପଡ଼ିବାରୁ କାନ୍ଦି ଉଠିଲି ।

 

ରାଧୁଆ ଭାଇ ଉଠିଆସି ମୋତେ ପାଖକୁ ନେଇଗଲେ । ତୁନି କରିଦେଲେ ।

 

ପୁରୀ ଯାତ୍ରୀ ବେଶି ନ ଥିଲେ । ତଥାପି ୨୦/୨୫ ଜଣରୁ କମ୍‌ ନୁହେଁ । ଭାଇ ଟିକଟ କାଟିଲେ । ବସିଲୁ ଯାଇ ଡବାରେ । ଡବା ତ ନୁହଁ, ଗୋଟାଏ ଗୋଟାଏ ଘରପରି ।

 

ସେଇ ଥିଲା ମୋର ପ୍ରଥମ ରେଳ ଦର୍ଶନ । ଆଗରୁ ଶଗଡ଼, ମଟର, ସାଇକେଲ ଦେଖୁଥିଲି; କିନ୍ତୁ ଏବେ ଯୋଉ ରେଳଗାଡ଼ି ଦେଖିଲି ସେଥିରେ ମୋର ମୁଣ୍ଡ ଗଣ୍ଡଗୋଳ ହୋଇଗଲା । ଏତେ ବଡ଼ ଗାଡ଼ି ଥାଏ ? ମୁଁ ନିଜକୁ ନିଜେ ମନେ ମନେ ଘନଘନ ପଚାରିଲି ।

ଅଳ୍ପ ସମୟପରେ ଷ୍ଟେସନର ଘଣ୍ଟି ବାଜି ଉଠିଲା ଏବଂ ରେଳଇଞ୍ଜିନ୍‌ ହୁଇସିଲ୍‌ ଦେଇ ବଡ଼ବଡ଼ ଲମ୍ବା ଡବାଗୁଡ଼ାକୁ ଟାଣିବାକୁ ଲାଗିଲା । ମୁଣ୍ଡଟା ଟିକିଏ ବୁଲେଇ ଦେଲାଭଳି ଲାଗୁଥାଏ । କେବେ ତ ଶଗଡ଼ ଛଡ଼ା ଅନ୍ୟ କୌଣସି ଯାନରେ ବସି ଯାତ୍ରା କରି ନ ଥିଲି, ତେଣୁ ଟିକିଏ କେମିତି କେମିତି ଲାଗୁଥାଏ । ଠିକ୍‌ ଯେମିତି ମନେ ହଉଥାଏ–ବନମାଳୀପୁର ତିରିବିଣୀ ବୁଡ଼ ଯାତ୍ରାରେ କଳଘୋଡ଼ାରେ ବୁଲିଲା ପରି ।

ପୁରୀକୁ ଯିବା ବାଟରେ ପ୍ରତ୍ୟେକ ରେଳ ଷ୍ଟେସନରେ ଗାଡ଼ି ରହି ରହି ଯାଉଥାଏ ।

ମୋ ପାଇଁ ଯେ ରେଳ ଟିକଟ କଟା ହେଇ ନ ଥିଲା ସେକଥା ମୁଁ ଜାଣିନଥିଲି । ହଠାତ୍‌ ଗୋଟାଏ ଷ୍ଟେସନରେ ଜଣେ କଳାକୋଟ ପିନ୍ଧା ବାବୁ ଆମରି ଡବାରେ ଉଠି ଟିକଟ ସବୁରି ପରୀକ୍ଷା କଲେ । ଦେଖାଗଲା ମୋରି ଟିକଟ ନାହିଁ ।

ମୋର ଭାଇ, ରାଧୁଆ ଭାଇ ଓ ସେ ବାବୁଙ୍କ ଭିତରେ ଚାଲିଲା ବଚସା । ଶେଷରେ ବାବୁଟି ଖୁବ୍‌ ରାଗରେ ମୋର ଡେଣାକୁ ଧରି ଠିଆ କରିଦେଲେ ବୟସ ଜାଣିବା ପାଇଁ । ମୁଣ୍ଡ ଉପରେ ମାଲ୍‌ପତ୍ର ରଖାଯାଉଥ‌ିବା ବେଞ୍ଚଟା ତାଳୁରେ ମୋର ଜୋର ଆଘାତ କଲା । ଯାହା ହେଉ, ମୋର ବିକଳ ଦେଖି ବାବୁ ଜଣଙ୍କ କଥାକୁ ଆଉ ନ ମାଜି ସେ ଡବାରୁ ବିଦାୟ ନେଲେ ଓ ମୁଁ ବସିପଡ଼ି ଆଖି ଛଳଛଳ କରି ମଥା ଆଉଁଷିବାରେ ଲାଗିଲି ।

ଠିକ୍‌ ମାଛି ଅନ୍ଧାର ବେଳକୁ ଗାଡ଼ି ଲାଗିଲା ପୁରୀ ଷ୍ଟେସନରେ । ସମୁଦ୍ରର ଲହଡ଼ି ଶବ୍ଦ ସାଙ୍ଗରେ ଝାଉଁଗଛର ସାଇଁସାଇଁ ଶବ୍ଦ ମନ ଭିତରେ ଭୟସଞ୍ଚାର କରୁଥାଏ । ସେତେ ଅବା ଅନେକଗୁଡ଼ାଏ ଅହିରାଜ ଏକାଠି ଗର୍ଜନ ଛାଡ଼ୁଛନ୍ତି ।

ଚିତ୍ରକାର ସାହି ଦେଇ ଏଙ୍ଗଲ୍‌ ବେଙ୍ଗଲ ସ୍କୁଲ ରାସ୍ତାବାଟେ ଯାଇ ପହଞ୍ଚିଲୁ ଦୋଳମଣ୍ଡପ ସାହି ଜନାରି ଗଛପାଖେ ।

ଚିତ୍ରକାର ସାହିର ଚାରି ଛକି ଉପରେ ଠିଆହେଲେ ଡାହାଣପଟକୁ ପଡ଼େ କୁଣ୍ଢେଇ ବେଣ୍ଟ ସାହି । ବାମପଟକୁ ପଡ଼େ ଦୋଳମଣ୍ଡପ ସାହି ଏବଂ ସାମ୍ନାରେ ଜନାରି ଗଛ ନିକଟରୁ ସୁଆର ସାହିକୁ ବାଟ ଓ ପଛରେ ଚିତ୍ରକାର ସାହି ।

ଦୋଳମଣ୍ଡପ ସାହି ପଟକୁ ଦଶ ବାର ଫୁଟ ଦୂରରେ ବଡ଼ଭାଇଙ୍କ ଦୋକାନ । ତେଜରାତି ଦୋକାନ । ଡାଲି ଚାଉଳରୁ ଆରମ୍ଭ କରି ଗୁଆ, ଗୁଣ୍ଡି, ହାଣ୍ଡି, କାଠ ପର୍ଯ୍ୟନ୍ତ ପ୍ରତ୍ୟେକ ଦରବ ଭରପୁର୍‌ । ଅବଶ୍ୟ ଟଙ୍କା ପଇସା ସମ୍ବଳରେ ଏଇ ଦୋକାନ ଯେତେବେଳେ ଭାଇ ଆରମ୍ଭ କରିଥିଲେ ସେତେବେଳେ କେବଳ ଖିଲିପାନ, ବିଡ଼ି, ସିଗାରେଟ ଛଡ଼ା ଅନ୍ୟ କିଛି ନ ଥିଲା । ବର୍ତ୍ତମାନ କିନ୍ତୁ ବିଭିନ୍ନ ସାମଗ୍ରୀ ଧରି ଦୋକାନଟି ତାର କଳେବର ବଢ଼େଇ ପାରିଛି । ସକାଳରୁ ରାତି ୧୨ଟା ପର୍ଯ୍ୟନ୍ତ ଗହଳି, ଭିଡ଼ । ଭଲ ବିକ୍ରି ହଉଥାଏ ।

ଆମକୁ ଦେଖି ସାନ ଭାଇ (ମଝିଆଭାଇ) ଦୋକାନ ଚୌକି ଉପରୁ ଉଠି ଆସିଲେ । ସଞ୍ଜବତୀ ଦିଆ ସରିଥିଲା । ଦୋକାନ ଘରକୁ ଲାଗି ଆଉ ବଖରାଏ ଘର । ସମସ୍ତେ ବସିଲୁ ସେଇଠି ।

 

ବାଟ ଚାଲି, ଏତେବାଟ ରେଳରେ ଆସି ଥକିପଡ଼ିଥିଲି ମୁଁ । ବସୁ ବସୁ ସେଇ ମାଟିଉପରେ କେତେବେଳେ ଯେ ଘୁମେଇ ପଡ଼ିଥିଲି, ଜାଣେ ନା । ସାନଭାଇଙ୍କ ଡାକରେ ନିଦ ଭାଙ୍ଗିଗଲା । ଦେଖିଲି, ଅଧରାତି । ରାସ୍ତାରେ କେହି କୁଆଡ଼େ ନ ଥାନ୍ତି । ଚାରିଆଡ଼ ଶୂନ୍‌ଶାନ୍‌ । ବଡ଼ଭାଇ ଗୋଟିଏ ହାତରେ ଘିଅଦୀପ ଓ ଗୋଟିଏ ହାତରେ ଅବଖୁରା (ଛୋଟ ପାଣିଢ଼ାଳ) ଧରି ଜନାରି ଗଛ ମୂଳରେ ଥ‌ିବା ଠାକୁରାଣୀଙ୍କ ପାଖକୁ ଯାଉଛନ୍ତି ।

 

ପ୍ରତିଦିନ ରାତିରେ ଦୋକାନ ବନ୍ଦ କରିବା ପୂର୍ବରୁ ବଡ଼ଭାଇ ଠାକୁରାଣୀଙ୍କୁ ଘିଅଦୀପ ଦେଇ ମୁଣ୍ଡିଆ ମାରି ତାପରେ ଖିଆପିଆ କରନ୍ତି ।

 

ସେତେବେଳ ପର୍ଯ୍ୟନ୍ତ କ’ଣ ଖାଇବୁ, କିଏ ରାନ୍ଧୁଛି ମୁଁ କିଛି ଜାଣି ନ ଥାଏ । ରାଧୁଆ ଭାଇ ମଧ୍ୟ ଟିକିଏ ଢୁଳେଇ ପଡ଼ିଥିଲେ । ଉଠି ବସିଲେ ସେ ।

 

–କିରେ,–କ’ଣ ରୋଷେଇ କଲ ? ଖାଇବା କ’ଣ ?

 

–ପୁରୀରେ କୌଣସି ବିଦେଶୀଙ୍କର ତ ରାତିରେ ଚୁଲି ଜଳେ ନା । ଆଉ ଖାଇବା କ’ଣ-?

 

–ତେବେ.....

 

–‘ଖାଡ଼ାଖାଡ଼ା ଉପବାସ ।’ ରହସ୍ୟକରି କହିଲେ ଭାଇ ।

 

ସେମାନଙ୍କ କଥାଭାଷାରୁ ମୁଁ କିଛି ବୁଝିପାରୁ ନ ଥାଏ । ଖାଲି ପେଟଟା ଘୁ ଘୁ ଡାକ ପକେଇଲା । କେବଳ ଦୁଇଜଣଙ୍କ କଥାରୁ ଏତିକି ବୁଝିଲି ଯେ, ରାଧୁଆଭାଇ ଆମର ଭିଣେଇ ସମ୍ପର୍କ ହେଇଥିବାରୁ ଶଳା-ଭିଣେଇଙ୍କ ଭିତରେ ଅଳ୍ପ ମଧୁର ଟାପରା ଚାଲିଛି ।

 

ପାଖରେ ଥୁଆ ହେଲା–ଅଭଡ଼ା, ଡାଲି, ବେସର, ମହୁର । ସୁଗନ୍ଧରେ ମନ ଆମର ପୂରିଗଲା ।

 

ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ଏଇ କୈବଲ୍ୟରୁ କଣିକାଏ ଆଶାରେ, କାହିଁ ଦୂର ଦୂରାନ୍ତରୁ, ଦଣ୍ଡବତୀ ଯାତ୍ରୀ ଧାଇଁ ଆସନ୍ତି ନିଜର ଜୀବନକୁ ଧନ୍ୟ କରିବାପାଇଁ । ମର ଦୁନିଆରୁ ମୁକ୍ତି ପାଇବାପାଇଁ ।

 

–‘‘କେତେବେଳେ ଆସିଲା–କିଏ ଆଣିଲା ?’’

 

–‘‘ପୁରୀର ପ୍ରତ୍ୟେକ ମଠମାନଙ୍କରେ ଦୁଃଖୀ, ରଙ୍କୀମାନଙ୍କ ସୁବିଧାପାଇଁ ଅଳ୍ପମୂଲ୍ୟର ଖାଣ୍ଡି ବିକ୍ରି ହୁଏ । ଆଗରୁ ବରାଦ କରିଥିଲେ, ତୁମ ଜିନିଷ ତୁମରି ପାଇଁ ଠିକ୍‌ ସେମିତି ଗଚ୍ଛିତ ହୋଇ ଥୁଆ ହୋଇଥାଏ । ନିକଟରେ ନେଉଳି ଦାସ ମଠରେ ମୁଁ ଆଗରୁ ବରାଦ କରିଥିଲି ।’’

 

ରାଧୁଆ ଭାଇଙ୍କ ପ୍ରଶ୍ନର ଉତ୍ତରଦେଲେ ଭାଇ । ଅଭଡ଼ା କୁଡ଼ୁଆକୁ ମଝିରେ ରଖି ଆମେ ଚାରିଜଣଯାକ ଘେରି ବସିଲୁ । ଆରମ୍ଭ ହେଲା ପଙ୍ଗତପର୍ବ ।

 

ଥାଳି, ଗିନା ମୋଟାମୋଟି କଥାରେ । ଖାଦ୍ୟ ଲାଗି କୌଣସି ଉପକରଣ ଲୋଡ଼ାହୁଏ ନାହିଁ ଏଥିରେ । କେବଳ ଭଙ୍ଗା କୁଡ଼ୁଆର ଅଂଶବିଶେଷ ହେଲେ କାମ ଚଳିଯାଏ । ଆଦିମ ଯୁଗର ଆଦିମ ସଭ୍ୟତା, ଆଜି ଏଇ ନୀଳାଚଳଧାମରେ ହିଁ ପ୍ରକୃତରେ କୁଟିଳତାପୂର୍ଣ୍ଣ ଆଧୁନିକ ସଭ୍ୟତାକୁ ଉପହାସ କରେ । ମହାପ୍ରସାଦ ସେବନ ବେଳେ ମଣିଷ ଭୁଲିଯାଏ ପର ଆପଣା ଭେଦଭାବକୁ । ଶତ ଶତ ମନାନ୍ତର, ମତାନ୍ତର, ହିଂସା, ଆକ୍ରୋଶ, କ୍ରୋଧ ଦଣ୍ଡକରେ ମନରୁ ତାର ଧୋଇ ହେଇଯାଇ ସୃଷ୍ଟି କରେ ପବିତ୍ର ଭ୍ରାତୃଭାବ ।

 

ସହରି ସକାଳ, ଗାଉଁଲି ସକାଳଠାରୁ ଟିକିଏ ଅଲଗା ଧରଣର । ରାତି ପାହିଲେ ସମସ୍ତେ ହୁଅନ୍ତି କର୍ମମୁଖର । ବିଭିନ୍ନ ଫେରୀବାଲାଙ୍କର ବିଭିନ୍ନ ଧରଣର ଡାକ,–କାହାର ଝୁମ୍‌କା ବାଦ୍ୟ, କାହାର ଘଣ୍ଟିବାଦ୍ୟ, କାହାର ଠେଲାଗାଡ଼ି, କାହା ମଥାରେ ଆବୃତ୍ତ ପସରା । ଏମାନେ ଗଳିକନ୍ଦିରେ ଏତେ ପରିଚିତ ଯେ ଏମାନଙ୍କ ମୁଖଦର୍ଶନ ନ କରି ମଧ୍ୟ ଖରିଦ୍‌ଦାର ଘରକୋଣରେ ଥାଇ ମଧ୍ୟ ସେଇ ସ୍ଥାନରୁ କହିଦବ–କିଏ କ’ଣ ଆଣିଲା ।

 

ସହରି ସକାଳର ଆଉ ଗୋଟିଏ ଗୁରୁତ୍ଵପୂର୍ଣ ଭୂମିକା ହେଲା–ତୁମର କୌଣସି ଜିନିଷ ଦର୍କାର ଥାଉ ବା ନ ଥାଉ ତୁମ ଦୁଆର ମୁଁହରେ ଆସି ପହଁଞ୍ଚିଯିବ । ସେଇଭଳି–ସହରି ସକାଳକୁ ଅନ୍ୟ ଦୃଷ୍ଟିକୋଣରୁ ବିଚାର କଲେ ଜାଣିପାରିବେ ଯେ ବିଶେଷକରି ପ୍ରଧାନ ତୀର୍ଥ ସହରମାନଙ୍କରେ ବିଭିନ୍ନ ସ୍ଥାନରୁ ଯୋଉସବୁ ଯାତ୍ରୀମାନେ ଆସନ୍ତି ସେମାନଙ୍କ ପାଇଁ ଖୁବ୍‌ ଅନୁକୂଳ-। କାରଣ ପ୍ରତ୍ୟେକ ମ୍ୟୁନିସପାଲ ଅଞ୍ଚଳରେ ପାଞ୍ଚଆଇନ୍‌ ଅପରାଧ ଏକ ବଡ଼ ଅପରାଧ ବୋଲି ଧରାଯାଏ । ଏଣୁ ଆଖିରୁ ଭଲଭାବେ ନିଦ ଛାଡ଼ୁ ବା ନ ଛାଡ଼ୁ ଉଠିପଡ଼ି ଏଣିକି ତେଣିକି ଥରେ ମାତ୍ର ଚାହିଁଦେଲେ ଯେ ଯୋଉଁଠି ପାରିଲା ବସିପଡ଼ି ଉଦର ତାଡ଼ନାରୁ ରକ୍ଷା ପାଆନ୍ତି । ଆମେ ବି ସେଇଭଳି ଆମର ପ୍ରାତଃ କର୍ମକୁ ସତର୍କତାର ସହ ସମାପନ କଲୁ ।

 

ତା’ପରଦିନ ବଢ଼ିଲା ଏବଂ ତା’ ସାଙ୍ଗେ ସାଙ୍ଗେ ମୋର ଆଖୁ ବି ବଢ଼ିଲା । ଧଳା, ହଳଦିଆ, ଆକାଶିଆ କେତେ ଏକମହଲା ଦୋ’ମହଲା କୋଠାଘର, ପ୍ରତିଛକରେ ବତୀଖୁଣ୍ଟ, ଯାହାଙ୍କୁ ଦେଖିଲି ସେମାନଙ୍କ ଭିତରୁ ଅଧିକାଂଶଙ୍କ ଦୁଇ ଭୁରୁ ମଝିରେ ଆଡ଼ ଭାବରେ ମହାବୀରଙ୍କ ସିନ୍ଦୂରଗାର । ପୁରୀବାସୀଙ୍କର ସେଇ ସିନ୍ଦୂରଗାରଟା ଅତି ନିଜସ୍ଵ ସଂକେତ । ସମସ୍ତେ ପ୍ରାୟ ଗାମୁଛାପ୍ରିୟ ।

 

କଥା କଥାକେ ‘ବେହିପୋ’ ସମ୍ବୋଧନ । ଅର୍ଥାତ୍‌–ବିହି ଯେ ବିଧାତା ତାଙ୍କର ପୁଅ । ‘ବିହିପୋ’ ରୁ ବେହିପୋ, ମନଲାଖି ସମ୍ବୋଧନ ।

 

ଭାଇଙ୍କ ଆଶ୍ରାରେ ରାଧୁଆଭାଇ ନୂଆକରି ପୁରୀ ଆସିଥାନ୍ତି ବୁଲିବାକୁ; ତେଣୁ ନିତ୍ୟକର୍ମ ସାରି ବଡ଼ଭାଇ ସାନଭାଇଙ୍କୁ ସବୁ ବରାଦ କରିଦେଇ ଆମକୁ ସାଙ୍ଗରେ ଧରି ବାହାରିଲେ ବଡ଼ ଦେଉଳକୁ । ଦୋଳମଣ୍ଡପ ସାହି ବାଟେ ଜହ୍ନିଖାଇ ଠାକୁରାଣୀଙ୍କୁ ବାଁପଟେ ରଖି ଆମେ ସିଧା ବାହାରିଲୁ ଯାଇ ସିଂହଦ୍ଵାରର ମୁହାଁମୁହିଁ ବଡ଼ଦାଣ୍ଡରେ । ଅରୁଣସ୍ତମ୍ଭର ବିଶାଳତା ଏବଂ ଶ୍ରୀମନ୍ଦିରର ମେଘନାଦ ପାଚେରି ଦେଖି କାହିଁକି କେଜାଣି ଆଖିରେ ମୋର ଲୁହ ଛଳଛଳ ହେଲା । କେଉଁ ପରମପୁରୁଷଙ୍କ ସାନ୍ନିଧ୍ୟ ମୁଁ ଲାଭ କରିବାକୁ ଯାଉଛି ? କିଏ ସେ ? କିପରି ସେ ? କାଠ ନା ପଥର-?

 

ନୀଳଚକ୍ରରେ ଉଡ଼ୁଛି ପତିତପାବନ ବାନା । ପବନର ତାଳେ ତାଳେ, ନାଚି ନାଚି, ଠାରି ଠାରି ଡାକୁଛି–ଆସ । ଆସ ମୋର ପ୍ରିୟ ଭକ୍ତ । ଆଶ୍ରୟ ନିଅ ମୋର ବିପୁଳ ବାହୁଛାୟାତଳେ । ମନରୁ ପୋଛିଦିଅ ସହସ୍ର ଗ୍ଳାନି । ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଜଗତର ପ୍ରତ୍ୟେକ ଜୀବ ନିର୍ଭୟରେ, ନିଃସଙ୍କୋଚରେ ଆସ ମୋର ରତ୍ନବେଦୀ ନିକଟକୁ, ଯେଉଁଠି ମୋର ସ୍ପର୍ଶ ପାଇ ଲଭିବ ମୁକ୍ତି, ନିର୍ବାଣ ।

 

‘‘ଥକା ମନ ଚାଲ ଯିବା–ଚକାନୟନ ଦେଖିବା

ଶଙ୍ଖ ନାଭି ମଣ୍ଡଳରେ–ବେନି ନେତ୍ର ପଖାଳିବା’’

 

ଭାବପ୍ରବଣ ଦୃଷ୍ଟିହୀନ ଭକ୍ତ ଜଣେ । ଖଞ୍ଜଣୀ ବାଦନ କରି ଗାଇ ଉଠିଲେ ଆବେଗ ଭରା କଣ୍ଠରେ । ଏଇ ସେହି ବଡ଼ଦାଣ୍ଡ । ଯାହାର ଧୂଳିକଣାରେ ମିଶି ରହିଛି କୋଟିକୋଟି ମହାମାନବଙ୍କର ଚରଣରେଣୁ । ଯୋଉ ଧୂଳିକୁ ମଥାରେ ବୋଳି ଦୁନିଆର ନାସ୍ତିକଗଣ ହୁଅନ୍ତି ଆସ୍ତିକ ।

 

ଆମର ବାମପଟେ ବିକ୍ଷାତ ଏମାରମଠ ଓ ଡାହାଣପଟେ ସୁଦୀର୍ଘ ବଡ଼ଦାଣ୍ଡ ଆଉ ଲକ୍ଷେ ରାଜାର ମଉଡ଼ମଣି ଗଜପତିଙ୍କ ଶ୍ରୀନଅର ।

 

ବର୍ଷର ସବୁ ସମୟରେ ବଡ଼ଦାଣ୍ଡରେ ଲୋକଭିଡ଼ । ଅସଂଖ୍ୟ ଉଠା ଦୋକାନରେ ଭରପୂର । କେବଳ ରଥଯାତ୍ରା ସମୟରେ ଦୋକାନଗୁଡ଼ିକ ମଝିଦାଣ୍ଡରୁ ପଛକୁ ହଟି ଯାଆନ୍ତି, ତା’ ନ ହେଲେ ଅନ୍ୟ ଯାନିଯାତ୍ରାରେ ବଡ଼ଦାଣ୍ଡକୁ ସ୍ଥାନେସ୍ଥାନେ ଖୁବ୍‌ ସଙ୍କୀର୍ଣ୍ଣ କରିପକାନ୍ତି ସେଇ ଦୋକାନଗୁଡ଼ିକ ।

 

ମୋର ବଡ଼ଭାଇ ଆମ ଦୁଇଜଣଙ୍କୁ ଗୋଟିଗୋଟି କରି ସବୁକଥା ବୁଝେଇ ଦଉଥାନ୍ତି ।

 

ଲକ୍ଷ୍ମୀବଜାର, ରାଜାଙ୍କ କଚେରି, ଟାଉନ ଥାନା, ମାଉସୀମା ଘର, ପଟିଆ ରାଣୀ ଦେଉଳ, ବଡ଼ଶଙ୍ଖ, ଶରଧାବାଲି ଗୁଣ୍ଡିଚା ଘର, ନରେନ୍ଦ୍ର ପୋଖରୀ ଏମିତି କେତେକେତେ ଦେଖିବାର ସ୍ଥାନ ।

 

ସିଂହଦ୍ଵାରକୁ ସମୁଦ୍ର ଗର୍ଜନ ଶୁଭେ ନାହିଁ । ଅନୁଭବ କଲୁ ମଧ୍ୟ । ପ୍ରବାଦ ରହିଛି ଯେ ଠାକୁର ଠାକୁରାଣୀଙ୍କ ବିବାଦ ଯୋଗୁଁ ସୁଗୁଣସମ୍ପନ୍ନ ଅଲିଅଳି କନ୍ୟାଙ୍କର ଅନୁରୋଧ–କ୍ରମେ ପିତା ବରୁଣଙ୍କର ଏପରି କଠୋର ପ୍ରତିଶ୍ରୁତି ।

 

ଅରୁଣସ୍ତମ୍ଭ ନିକଟରେ ଗୋଟିଏ ଗୋଟିଏ ମୁଣ୍ଡିଆ ମାରି ପ୍ରବେଶ କଲୁ ମନ୍ଦିର ଭିତରେ-। ପ୍ରଥମେ ପତିତପାବନ, ତା’ପରେ ବାଇଶି ପାହାଚ । ଯୋଉ ଯାତ୍ରୀମାନେ ଦେବଦର୍ଶନ ଲାଗି ମନ୍ଦିର ଭିତରକୁ ଆସନ୍ତି ସେମାନେ କିଛି ସମୟପାଇଁ ଏଇ ବାଇଶି ପାହାଚରେ ବସିଯାଆନ୍ତି-

 

ଏଇ ବାଇଶି ପାହାଚ ସେ–ଯାହା ଉପରେ ଥରେ ଗଡ଼ିଯିବାକୁ ଆମେ ଆମର ପୂର୍ବପୁରୁଷଙ୍କ ଅମର ଆତ୍ମାଙ୍କୁ ମହାଳୟାର ଅମାବାସ୍ୟା ନିଶିରେ, ଶୁଦ୍ଧପୂତ ଚିତ୍ତରେ, କାଉଁରିଆ ଜାଳି ଘିଅଦୀପ ସହ ଆହ୍ଵାନ କରୁ ।

 

କ୍ଷଣକ ପାଇଁ ବସିପଡ଼ି ଉଠି ଚାଲିଲୁ ବେଢ଼ା ଭିତରକୁ–ଖାଇବାହାତ ପଟେ ଆନନ୍ଦବଜାର ଓ ଡେବିରିହାତ ପଟେ ବଡ଼ ଠାକୁରଙ୍କ ରୋଷ ଘର, କଳ୍ପବଟ, ଭଣ୍ଡଗଣେଷ; ମୁକ୍ତିମଣ୍ଡପ ମୁହଁ ସାମ୍ନାରେ ବିରାଟ ଭୋଗମଣ୍ଡପ । ନାଲି ପଥର ଦିହରେ ସୂକ୍ଷ୍ମ କାରୁକାର୍ଯ୍ୟ ।

 

ଆଗେଇଲୁ, ବାମପଟକୁ । ଏ କ’ଣ ? କାହାର ଏକ ବିକଟ ଚିତ୍କାରରେ ଚମକିପଡ଼ିଲି ମୁଁ । ପାଦ ଛାଏଁ ଛାଏଁ ଅଟକିଗଲା । ରାଧୁଆ ଭାଇଙ୍କୁ ଭାଇ ପଛରୁ ଟାଣି ଧରିଲେ । ପହିଲି ଧୂପ ପାଇଁ ଭୋଗ ବୁହା ଚାଲିଥାଏ । ଭୋଗମଣ୍ଡପରୁ ରୋଷେଇଘର ପର୍ଯ୍ୟନ୍ତ ଯୋଉ ଲମ୍ବା ଗମ୍‌ହା ବାଟଟି ପଡ଼ିଛି ସେଇବାଟ ଦେଇ ଶିକା ଓ ବାହୁଙ୍ଗିରେ ଭୋଗ କୁଡ଼ୁଆ ବୁହା ଚାଲିଥାଏ । ପ୍ରତ୍ୟେକ ଭାରୁଆ ମୁହଁରେ ତୁଣ୍ଡୀ (ମୁହଁରେ କରିଆ ଗୁଡ଼େଇ) ବାନ୍ଧି ଝାଳ ଦେହରେ ଧପାଲି ଚାଲୁଥାନ୍ତି ।

 

ଟିକିଏ ସମୟ ପାଇଁ ଅଟକିଗଲୁ ସେଇଠି । ସେମିତି ଠିଆ ଠିଆ ।

 

ଭୋଗବୁହା ସରିଆସିଲା, ଚାଲିଲୁ ଆମେ ଆଗକୁ । ସମ୍ମୁଖରେ ଚୈତନ୍ୟମୂର୍ତ୍ତି, ଗୋପୀନାଥ ମୂର୍ତ୍ତିଙ୍କୁ ଦର୍ଶନ କରି ଆଗେଇଲୁ କଳ୍ପବଟ ମୂଳରେ ଥ‌ିବା ଭଣ୍ଡଗଣେଶଙ୍କ ନିକଟକୁ । ତା’ପର ଦକ୍ଷିଣଦ୍ଵାର, କୋଇଲି ବୈକୁଣ୍ଠ, ମୁକ୍ତିମଣ୍ଡପ, ଶଙ୍ଖନାଭିମଣ୍ଡଳ, ଭୂଷଣ୍ଡକାକ, ବିମଳାଙ୍କ ମନ୍ଦିର ବାଟଦେଇ ପଶ୍ଚିମଦ୍ଵାର ଦେଖି ପହଞ୍ଚିଲୁ ଲକ୍ଷ୍ମୀଠାକୁରାଣୀଙ୍କ ଦେଉଳରେ ।

 

ଶଙ୍ଖ ମଲମଲ ପଥରରେ ତିଆରି ଚଟାଣ । ସବୁ ଯାତ୍ରୀ ଘଡ଼ିଏ ବସନ୍ତି ସେଇଠି । ଆମେ ମଧ୍ୟ ବସିଲୁ । ଆଖି ଆଗରେ ଦେଖାଯାଉଥାଏ ଉତ୍ତରଦ୍ଵାର ଏବଂ ଆନନ୍ଦବଜାରକୁ ଯିବା ପଥଟି ।

 

ବେଳ ହେଇଯାଇଥିଲା । କଅଁଳ ଗାଧୁଆବେଳରୁ ଟିକିଏ ବେଶି । ମୁଣ୍ଡ ଉପର ଖରା ଅଳ୍ପ ଅଳ୍ପ ଟାଣଧରି ଆସୁଥାଏ । ବଡ଼ଭାଇ, କ’ଣ ଭାବିଲେ କେଜାଣି ହଠାତ୍‌ ଠିଆ ହେଇଯାଇ, ଆମକୁ ବସିବାକୁ କହି–ଧାଇଁଲେ ଆନନ୍ଦ ବଜାର ଆଡ଼କୁ ।

 

କ’ଣ କିଛି ଘଟିଲା–ମନେ ମନେ ଭାବୁଛି ମୁଁ । ଫେରିଆସିଲେ ଭାଇ । ସେଇ ଉତ୍ତରପଟଦେଇ ପଶିଲୁ ଆମେ ବଡ଼ ଦେଉଳର ଜଗମୋହନ ମେଲାରେ । ଭୋଗ ସେଇ ସାଙ୍ଗେସାଙ୍ଗେ ଉଠିସାରିଥାଏ । ଗରୁଡ଼ ଖୁମ୍ବପାଖରେ ଖୁବ୍‌ ଲୋକଗହଳି । ମାଇପେ, ମିଣିପେ ସମସ୍ତଙ୍କ ଯୋଡ଼ହାତରେ ଜଳନ୍ତା ଦୀପ । ପ୍ରତ୍ୟେକ ପ୍ରାୟ ଗମ୍ଭୀର ଭାବାବେଶ । ନୀରବ ନିଶ୍ଚଳ ହୋଇ ନିଜ ନିଜ ସ୍ଥାନରେ ଆକୁଳ ନୟନରେ ଚାହିଁ ରହିଥାନ୍ତି ସେଇ ଦୁଃଖ ଶୋକ ଭୁଲା କଳାଶ୍ରୀମୁଖକୁ, ତନ୍ମୟ ହୋଇ ପ୍ରତ୍ୟେକ ନିଜେ ନିଜର ଗୁହାରୀ ଜଣାଉଥାନ୍ତି,–ଆରାଧ୍ୟ ଦେବତା କଳାମୁହାଁ ଠାକୁରଙ୍କୁ ।

 

ଗରୁଡ଼ଙ୍କ ପାଖରେ ଦୀପ ଜଳେଇ, ଭାଇ ଆମକୁ ଆଗକୁ କଢ଼େଇନେଲେ । ଠିକ୍‌ ଚନ୍ଦନ ଅର୍ଗଳି ପାଖକୁ । ସେବକମାନେ ବଡ଼ବଡ଼ ପିତଳ ପରାତରେ (ବଡ଼ଥାଳି) ଛଡ଼ା ତୁଳସୀର ପାଦୁକ ଧରି ଠିଆ ହେଇଥାନ୍ତି । ଭକ୍ତମାନେ ଯାହାର ଯାହା ଶକ୍ତି ପଇସା, ଅଣି, ଦୋଅଣି, ସୁକି, ଅଧୁଲି, ଟଙ୍କା ଥାଳିରେ ପକେଇ ପାଦୁକ ପାଉଥାନ୍ତି ।

 

କି ସୁନ୍ଦର ସେ ଜଗମୋହନ ଘର ! ମଝି ଛାତରେ ଝୁଲୁଛି ଏକ ବିରାଟ କାଚର ଝାଡ଼ । ନାନା ରଙ୍ଗରେ ରଞ୍ଜିତ ଜଗମୋହନର କାନ୍ଥ ଓ ପ୍ରଧାନ ଖୁମ୍ବଗୁଡ଼ିକ । କୋଉଠି ଦଶ ଅବତାର, କୋଉଠି ନବଗୁଞ୍ଜର ରୂପ, କୋଉଠି କାଞ୍ଚିଅଭିଯାନ ବେଳର ଧଳା, କଳା ଘୋଡ଼ାରେ, ବଡ଼ଠାକୁର ଓ ସାନଠାକୁର । ପୁଣି କୋଉଠି ମୁକୁଳିତ ପୁଷ୍ପ ସମ୍ପଦ ଭାରରେ ଅବନତା ଲତିକା । କୋଉଠି ଘନବନାନୀରେ ନବବସନ୍ତର କାଉଁରୀସ୍ପର୍ଶ । ଭିନ୍ନଭିନ୍ନ ପଶୁ, ପକ୍ଷୀରେ ଚିତ୍ରିତ ସେଇ ଜଗମୋହନର ପ୍ରତ୍ୟେକଟି ସ୍ଥାନ ।

 

ବୁଲିବୁଲି ଆଖିପୂରେଇ ଦେଖିନଉଥାଏ ମୁଁ ମନ୍ଦିର ଭିତରର ସେଇ ଶୋଭା ବିଭବକୁ । ହଠାତ୍‌ ଦୁଇଟି ମୂର୍ତ୍ତି ଦେଖି ଚମକି ପଡ଼ିଲି । ପଚାରି ବୁଝିଲି, ଭୀମ ଓ ଦୁଃଶାସନଙ୍କ ମୂର୍ତ୍ତି । ଠାକୁରଙ୍କ ଝୁଲଣ ଯାତ୍ରାରେ, ଝୁଲଣ ମଣ୍ଡପର ଦୁଇପାଖରେ ଏଇ ଦୁଇଟି ମୂର୍ତ୍ତି ରହି ଶୋଭାବର୍ଦ୍ଧନ କରନ୍ତି ।

 

–ଏଥର ଯିବା ?

 

–ହଁ ଯିବା । ଉଛୁର ହେଲାଣି ।

 

–ବାକି ଯାହା ରହିଲା ଆଉ ଦିନେ ?

 

–ସୁବିଧା ଦେଖି ଭଲକରି ଆଉ ଦିନେ ଦେଖିବା ।

 

‘‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’

 

ଘର ବାହୁଡ଼ା ମନ ଆମର ବାହୁଡ଼ିଲା ଘରକୁ । ସତେ ଯେମିତି ଅତିନିକଟ ଆପଣାର ପ୍ରିୟଜନଙ୍କୁ କୋଉଠି ହଜେଇ ଦେଇଆସିଲୁ, ପଛରେ ସେଇ ଦେଉଳ ଭିତରେ । ମନଟା ଭିତରେ ଭିତରେ ଖାଲି ଘାଣ୍ଟି ଚକଟି ହେଲା ।

 

ଯୋଉବାଟରେ ଜଗମୋହନ ଭିତରକୁ ପ୍ରବେଶ କରିଥିଲୁ ଆମେ, ଠିକ୍‌ ସେଇ ବାଟରେ ପ୍ରସ୍ଥାନ କଲୁ । ଡାହାଣ ପଟ ବାଇଶିପାହାଚଆଡ଼େ ନ ମୁହାଁଇ–ମୁହାଁଇଲୁ ଆନନ୍ଦ ବଜାର ଭିତରକୁ-। ସଦ୍ୟ ମହାପ୍ରସାଦର ସୁଗନ୍ଧ । କିଣିବା ଲୋକଙ୍କଠୁଁ ଚାଖିବା ଲୋକଙ୍କ ଭିଡ଼ ବେଶି । ଶୁଆର ଭାଇନାମାନଙ୍କର ଦେବାରେ କିନ୍ତୁ କାର୍ପଣ୍ୟ ନ ଥାଏ । ଦୁଃଖୀରଙ୍କୀ ଚାଖିଚାଖି ନିଜର ଚାଖଣ୍ଡେ ଉଦରକୁ ପୂର୍ଣ୍ଣ କରି ସନ୍ତୋଷରେ ଫେରିଯାଆନ୍ତି ନିଜର ଆଶ୍ରୟସ୍ଥଳୀକୁ । ଛପନଭୋଗ ଆଉ ଛତ୍ରିଶ ବ୍ୟଞ୍ଜନର ଯୋଉ ଭଣ୍ଡାର, ସେ’ କ’ଣ କେବେ ସରେ ? ଦେବାରେ ହିଁ ସେଠି ଆନନ୍ଦ ଥାଏ, ନେବାରେ ନୁହେଁ । ଶୁଣାଯାଏ ପୁରୀରେ ଧର୍ମଶାଳା ବାରଣ୍ଡାରେ ଶୋଇ, ଆନନ୍ଦ ବଜାରର ଅଭଡ଼ା ଚାଖି ଅନେକ ଜୀବନ ନିଜର ଜୀବନଯାତ୍ରା ପଥକୁ ହସି ହସି ସଙ୍କୁଚିତ କରିପକାନ୍ତି ।

 

ବାୟାର କି ଯାଏ ?

 

ବାଆ କଲେ ବସା ଦୋହଲୁଥାଏ ।

 

ସ୍ନାନ ମଣ୍ଡପ ଉପରେ ଭାଇଙ୍କର ଜଣେ ବନ୍ଧୁ କେହି ଟ ୪୬ କୁ ଦେଇଗଲେ ଘିଅ ଖେଚେଡ଼ି । ଥିଲା ପୁଣି ଶାଗଭଜା, କଦଳୀ ଭଜା ଓ କଞ୍ଚାଲଙ୍କା, ଲୁଣ । ଅଳ୍ପ ନୁହଁ, ବେଶ୍‌ ପରିପୂର୍ଣ୍ଣ ଭୋଜନ । ତିନିଜଣଙ୍କର ପୂର୍ଣ୍ଣଗ୍ରାସ ।

 

ଖେଚୁଡ଼ି ବୋଇଲେ ସରୁଅରୁଆ ଚାଉଳରେ ପଡ଼ିଥ‌ିବା ଗୋଟାବିରି ଆଉ କଟା ଅଦା, ତା’ପୁଣି ଗୁଆଘିଅରେ ପଚପଚ । ଆଶ୍ଚର୍ଯ୍ୟ ଲାଗୁଛି ? ଆଶ୍ଚର୍ଯ୍ୟ ହେବାର କାରଣ ନ ଥିଲା ।

 

ଗୁଆଘିଅ–ଟ ୦.୪୦ ସେର

 

ବଡ଼ ହରଡ଼–ଟ ୦.୯୬ ସେର

 

ଅଟା (ଗାଈ ମାର୍କା)–ଟ ୦.୦୯ ସେର

 

ସୋରିଷ ତେଲ–ଟ ୦.୧୬ ସେର

 

ଭଜା ମୁଗ–ଟ ୦.୦୯ ସେର

 

ଗୋଟା ମୁଗ–ଟ ୦.୦୬ ସେର, ଇତ୍ୟାଦି ଇତ୍ୟାଦି ।

 

ଶାନ୍ତିରେ ନିଶ୍ଵାସ ମାରି ଫେରିଲୁ ବସାକୁ । ସାନଭାଇ ସେତେବେଳକୁ ରାତିର ବଳକା ଅଭଡ଼ା ପଖାଳରେ ଉଦର ଥଣ୍ଡାକରି ସାରିଥାନ୍ତି । ଚିନ୍ତା ଦକ କିଛି ନାହିଁ ।

 

ତା’ପରେ ?

 

ତା’ପରେ ସେଇ ପୁରୁଣା କଥା । ଥୋଡ୍‌ ବଡ଼ି ଖଡ଼ା ଓ ଖଡ଼ା ବଡ଼ି ଥୋଡ୍‌ । ଗାଁ ପରିବେଶ ଛାଡ଼ି, ସହର ପରିବେଶରେ ପୁଣି ନୂଆ କରି ମୋର ଜୀବନଯାତ୍ରା ଆରମ୍ଭ ହେଲା । ଏଠାରେ କୀର୍ତ୍ତନ ମଣ୍ଡଳି ନ ଥିଲା, ନ ଥିଲା ‘ମାଟିବଂଶ ଅବଧାନ ନିତେଇ ମହାନ୍ତିଙ୍କର ମଢ଼ୁଆ ଶାଙ୍କୁଳୀର ଭୟ । ମୁକ୍ତ, ନିର୍ଭୟ ।

 

ଯୋଉ କେଇଦିନ ରାଧୁଆଭାଇ ଆମ ବସାରେ ରହିଲେ ତାଙ୍କୁ ସାଙ୍ଗରେ ଧରି, ୟାକୁତାକୁ ବାଟ ପଚାରି ଆଜି ନରେନ୍ଦ୍ର ପୋଖରୀ, କାଲି ଗୁଣ୍ଡିଚା ଘର, ସ୍ଵର୍ଗଦ୍ଵାର, ଶ୍ୱେତଗଙ୍ଗା, ଭାଇ–ବୋହୂ ଦେଢ଼ଶୁର କୂଅ, ଜଗନ୍ନାଥ ବଲ୍ଲଭ, ରାମଚଣ୍ଡୀ, ତୋଟା ଗୋପୀନାଥ, ମଠ, ମାଙ୍କଡ଼ବହୁଳ ଏଇ ପୁରୁଷୋତ୍ତମ କ୍ଷେତ୍ରକୁ ଭଲଭାବରେ ନିଠେଇ ଦେଖିନେଲି ।

 

କିଛିଦିନ ଚାଲିଗଲା । କେବେଠୁଁ ରାଧୁଆଭାଇ ଗ୍ରାମକୁ ଫେରିଗଲେଣି । ବସାରେ ଆମେ ତିନି ଭାଇ । ସକାଳେ ଭାତ ଆଉ ଡାଲମା, ରାତିରେ ନେଉଳି ଦାସ ମଠର ଅଭଡ଼ାଖାଣ୍ଡି । ମୋର ଅନୁମାନ, ମୋର ଅନ୍ନସଂସ୍ଥା ପାଇଁ ସମ୍ଭବତଃ ଭାଇ ଗୋପନରେ ମୋ ବିଷୟରେ ଏକ ପ୍ରଶଂସାର ପ୍ରଚାର ଚଳେଇଥା’ନ୍ତି । ଅବଶ୍ୟ ଉଚ୍ଚମହଲରେ । କାରଣ ମୋର ଶିଶୁ ଅବସ୍ଥାରୁ ଭାଇ ଭଲକରି ବୁଝିଥିଲେ ଯେ ଭବିଷ୍ୟତରେ ମୁଁ ଜଣେ ଉଚ୍ଚକୋଟୀର ନ ହେଲେ ବି କଳାର ଏକ ସାଧାରଣ ପୂଜାରୀ ହେବି ।

 

ଆସିଲା ସେ ମାହେନ୍ଦ୍ରବେଳା ।

 

ପୁରୀରେ କୁଣ୍ଢେଇବେଣ୍ଟ ସାହିର ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ରାସ, ସେତେବେଳେ ଓଡ଼ିଶାରେ ଖୁବ୍‌ ପ୍ରସିଦ୍ଧି ଲାଭ କରିଥାଏ ।

 

ସେଇ ରାସଦଳରେ ମୋତେ ରଖିବାକୁ, ଭାଇ ଉଦ୍ୟମ କଲେ । ଏ ବିଷୟରେ ଦଳର ସତ୍ତ୍ଵାଧିକାରୀ ଶ୍ରୀ ମୋହନ ଗୋସ୍ଵାମୀଙ୍କ ସହିତ କଥାବାର୍ତ୍ତା କରି, କୁଣ୍ଢେଇବେଣ୍ଟ ସାହିସ୍ଥ ଶ୍ରୀ ଗୋସ୍ଵାମୀଙ୍କ ନିଜ ବାସଭବନରେ ମୋତେ ଛାଡ଼ିଦେଇ ଆସିଲେ ।

 

ରାସ୍ତାପଟକୁ ଘର ଓ ଭିତରପଟକୁ ନୂଆ ଦୋତାଲା କୋଠା । ଚାଳ ଓ କୋଠାଘର ମଝିରେ ଅଳ୍ପସ୍ଥାନରେ ସୁନ୍ଦର ଛୋଟ ଗୋପୀନାଥଙ୍କ ମନ୍ଦିର ।

 

ଗୋସ୍ଵାମୀଜୀଙ୍କ ଚେହେରା ମନ୍ଦ ନୁହଁ । ବେଶ୍‌ ପୃଥୁଳ ଗୌରବର୍ଣ୍ଣ, ଲଣ୍ଡିତମୁଣ୍ଡ, କଣ୍ଠରେ ତୁଳସୀମାଳି, ନାକ ଉପରୁ କପାଳ ପର୍ଯ୍ୟନ୍ତ ଗୌଡ଼ୀୟ ତିଳକ ଚିତା, କାନ୍ଧରେ ପଇତା । ସୁଦୀର୍ଘ ଉଦର ଉପରେ ଖଣ୍ଡେ ଓଦା ଛୋଟ ଗାମୁଛା ପକେଇ ଆରାମ୍‌ ଚୌକି ଦେହରେ ନିଜର ସମସ୍ତ ଶରୀରକୁ ଆଶ୍ରୟଦେଇ ବିଶ୍ରାମ କରୁଥାନ୍ତି ।

 

ପାଦତଳେ, ଗମ୍ଭାରି କାଠରେ ତିଆରି ଶିଙ୍ଗ ଓ ହାତୀଦାନ୍ତ ଚୂନଲଗା ଚିକ୍କଣ କଠାଉ । ପାଖରେ ଖେଳୁଥାନ୍ତି ପୁଅ ଓ ଝିଅ । ପୁଅ ନାଁ ‘ଗୋରା’ । ଝିଅ ନାଁ ମନେ ନାହିଁ (ଦୁଃଖିତ) ।

 

ପ୍ରଭୁ ଶ୍ରୀ ନିତ୍ୟାନନ୍ଦଙ୍କ ବଂଶଧର ଏମାନେ । ଏଣୁ ୟାଙ୍କର ବେଶ, ପୋଷାକ, ଆଚାର ବିଚାର ଦେଖିଲେ ମନେ ହଉଥାଏ ଖୁବ୍‌ ମାର୍ଜିତ ଓ ରୁଚିପୂର୍ଣ୍ଣ ପରି ।

 

ରାସଦଳ କେବଳ ବର୍ଷାଦିନକୁ ବାଦଦେଇ ପ୍ରାୟ ଅଧିକାଂଶ ସମୟରେ ବାହାରକୁ ଯାଏ ଅଭିନୟ କରିବାକୁ । ଓଡ଼ିଶାର ଅଠର ଗଡ଼ଜାତ ଓ ଛତିଶ ଜମିଦାରୀ ମାହାଲମାନଙ୍କରେ ଗୋସ୍ଵାମୀଙ୍କର ରାସଦଳର ଖୁବ୍‌ ସମ୍ମାନ ଏବଂ ଖୁବ୍‌ ଆଦର ।

ସେଥର ରାସଦଳଙ୍କୁ ଗଞ୍ଜାମ ବ୍ରହ୍ମପୁରରେ ଛାଡ଼ିଦେଇ ଗୋସେଁଇ ମାହାପୁର (ସମସ୍ତେ ତାଙ୍କୁ ଏଇ ସମ୍ବୋଧନ କରନ୍ତି) ଘରକୁ ଆସିଲେ ଦୁଇଦିନ ପାଇଁ ପିଲାଙ୍କୁ ଦେଖି ଯିବାକୁ । ଅର୍ଥ ଉପାର୍ଜନ ତ ଭଲ ହଉଥାଏ । ୟା ବାଦ ରାଜାରାଜୁଡ଼ାଙ୍କ ଡକରା ପାଇଲେ ଗୋସେଁଇ ମହାପୁରଙ୍କର କଚେ ପୁଅ ବାର ।

ଭାଇ ମୋତେ ଗୋସଇଁଙ୍କ ଜିମାକରିଦେଇ ଦୋକାନକୁ ଫେରିଗଲେ । ମୁଁ ରହିଲି ଏକା-। ପାଖରେ ମୋ’ରି ଭଳି ପିଲାଦୁଇଟି ଖେଳୁଥିବାରୁ ମନରେ ଟିକିଏ ଦମ୍ଭ ଥାଏ । ତଥାପି ଗୋସେଁଇ ମହାପୁରଙ୍କ ଆଡ଼ମ୍ବରପୂର୍ଣ୍ଣ ପରିବାର ନିକଟରେ ମୁଁ ଯେ କେତେ ନିମ୍ନ ଓ ହୀନ ଥିଲି ସେକଥା ଆଜି ବି ମନରେ ମୋର ଦୁଃଖ ସୃଷ୍ଟି କରେ ।

ହାତରେ ମୋର ଖଣ୍ଡେ କରିଆ, ଖଣ୍ଡେ ଜାମା ଓ ପେଣ୍ଟ ଆଉ ଦେହରେ ମଧ୍ୟ ଥିଲା ଖଣ୍ଡେ ପେଣ୍ଟ୍‌ ଓ ଜାମା । ବାସ୍‌ । ସେଇ ସମ୍ବଳ ନେଇ ମୁଁ ମୋର କଞ୍ଚାବୟସରେ ନିଜର ଘର, ନିଜର ଆତ୍ମୀୟସ୍ଵଜନଙ୍କୁ ଛାଡ଼ି ପେଟ ପୋଷିବା ସାଙ୍ଗେ ସାଙ୍ଗେ କଳାକାର ହେବାର ଏକ ଉଚ୍ଚ ଆକାଙ୍‍କ୍ଷା ନେଇ ପରପାଖରେ ଗୋଡ଼ ଭାଙ୍ଗି ଠିଆ ହେଇଥିଲି ।

ଯୋଗ୍ୟତା ଭିତରେ ମୋର ବୋଲି ଯାହା ଥିଲା ସେ ହେଲା ପଣିକିଆ ଓ କଡ଼ାଗଣ୍ଡା, କେଶବ କୋଇଲୀ, ଗୋପୀଭାଷା ଅଧ୍ୟୟନ, ଏବଂ କୀର୍ତ୍ତନ ଗାଇବାପାଇଁ ସୁଲଳିତ କଣ୍ଠ । ଆଉ ଶିକ୍ଷା କରିବାପାଇଁ ଆନ୍ତରିକତା ଏବଂ ଅପୂର୍ବ ଉତ୍ସାହ ।

ବାଜିଲା ଘଣ୍ଟା, ଘଣ୍ଟା । ପୂଜାରୀ ଗୋପୀନାଥଙ୍କୁ ପ୍ରସାଦ ଭୋଗକରି ତାଳି ମାରିଲେ । ଘର ଠାକୁରଙ୍କ ପାଖରେ ଯାହା ଭୋଗହୁଏ ସେଇଥ‌ିରେ ହିଁ ଗୋସେଇଁଙ୍କ ପରିବାରର ସମସ୍ତେ ଚଳନ୍ତି । ହୁଏତ ଭିତିରି ବ୍ୟବସ୍ଥା କିଛି ଥାଇପାରେ; କିନ୍ତୁ ବାହାର ଲୋକ ଜାଣନ୍ତି ଗୋସେଇଁ ପୂରାପୂରି ନିରାମିଷାଶୀ । ବଡ଼ ଆକାରର ନ ହେଲେ ମଧ୍ୟ, ଗୋସେଇଁ ମାହାପୁରଙ୍କ ଘରଟି ଯେ ଗୋଟିଏ ଛୋଟକାଟିଆ ମଠ, ଏକଥା ସମସ୍ତେ ସ୍ଵୀକାର କରିବେ ।

ପ୍ରଥମେ ମାହାପୁରଙ୍କ ପ୍ରସାଦ ସେବନ, ତା’ପରେ ପଡ଼ିଲା ଆମର ପାଳି । ଯେଉଁଠି କାକୁସ୍ତ ଭାବରେ କରଯୋଡ଼ି ଠିଆ ହେଇଥିଲି, ଠିକ୍‌ ସେଇ ସ୍ଥାନରେ ବାରଣ୍ଡା ଉପରେ ଖଲିପତର ପଡ଼ିଲା । ମୁଁ ଟହଲିଆ, ପୂଜାରୀ ତିନିହେଁ ବସିଲୁ ଜଠର ଜ୍ଵାଳାର ଉପଶମ ପାଇଁ ।

–‘‘ଖାଇନେଇ, ଶୋଇପଡ଼,–ରାତି ଗାଡ଼ିରେ ଯିବା ବରହମ୍‌ପୁର ।’’

ଶୟନ କକ୍ଷରୁ, ମାହାପୁର ମୋ ପ୍ରତି ଏତକ ଆଦେଶପୂର୍ଣ୍ଣ ସ୍ଵଳ୍ପବାକ୍ୟ ନିକ୍ଷେପ କରି ନୀରବ ହେଲେ ।

ଦାଣ୍ଡପଟ ଚାଳଘରେ ଜଣେ ମହାରଣା ପୁଅ ଝରକା ଚଉକାଠ ତିଆରି କରୁଥାଏ । ଚାରିଆଡ଼ କରତଗୁଣ୍ଡ, ଆବର୍ଜନାପୂର୍ଣ୍ଣ । ଯାହା ହେଉ, ଗୋଟିଏ କଣକୁ ପଟାଗୁଡ଼ିଏ ଥୁଆ ହୋଇଥିଲା, ତା’ରି ଉପରେ ମୁଁ ମୋର ବୁଜୁଳିଟି ମୁଣ୍ଡତଳେ ଦେଇ ଗଡ଼ିପଡ଼ିଲି ।

ସନ୍ଧ୍ୟା ହେବାକୁ କିଛି ସମୟ ବାକିଥିଲା । ଟହଲିଆ ମତେ ଉଠେଇଦେଇ କହିଲା–ଚାଲ, ବଳଗଣ୍ଡି ସାହିକୁ ଯିବା, ଗୋସେଁଇ ମହାପୁର ଆଉ ମା, ପିଲାଏ ସମସ୍ତେ ସେଠିକି ଗଲେଣି-। ଆଜି ସେଇଠି ଖିଆପିଆ । ମୁଁ ତାକୁ ପଚାରିଲି, ‘‘ବରହମ୍‍ପୁର ଯିବୁ କେତେବେଳେ ?’’ ‘‘ରାତି ବାରଟାରେ ।’’

 

‘‘ଆଉ ଏଠି ପୁଣି କିଏ ?’’

 

‘‘ମୁଁ ଆଉ ଭାଇନା । ତୋତେ ବଳଗଣ୍ଡି ସାହିରେ ଛାଡ଼ିଦେଇ ଫେରିଆସିବି । ଆସିଲେ ଏଠାରେ ଠାକୁରଙ୍କ ଆରତୀ ଧନ୍ଦା’’–କହିଲା ଟହଲିଆ ।

 

ଉଛୁର ନ କରି ମୋର ପୁଟୁଳିଟି କାଖରେ ଜାକି ଚାଲିଲି ବଳଗଣ୍ଡି ସାହି ସେହି ଟହଲିଆ ସାଙ୍ଗରେ ।

 

ମସ୍ତବଡ଼ ଅଗଣା । ସେତେବେଳ ପୁରୀ ସହରରେ ବିଜୁଳିବତୀ ଲାଗିନଥିଲା । ବିଶେଷ ଉତ୍ସବ ଓ ମେଳାମାନଙ୍କରେ ଜଳୁଥିଲା ପଞ୍ଚୁଲାଇଟି, ଡେ ଲାଇଟି । ଆଉ ଛୋଟକାଟିଆ ଅନୁଷ୍ଠାନ ମାନଙ୍କରେ କେହି କେମିତି ଗୋଟାଏ କେବେ ପେଟ୍ରୋମାକ୍ସ (ଲନଣ୍ଠନ୍‍ପରି) ଜାଳୁଥିଲେ । ବେଶ୍‌ ତୋଫା ଆଲୁଅ । ସାଇଁସାଇଁ ଗର୍ଜନ ଛାଡ଼େ ।

 

ପୁରୀରେ ବିଜୁଳିବତୀ ଯେ ବିଲକୁଲ୍‌ ନ ଥିଲା ତା’ ନୁହେଁ । ଯୋଉମାନେ ଖୁବ୍‌ ଧନୀ ପଇସାବାଲା, କେବଳ ସେଇମାନେ ହିଁ ନିଜର ବ୍ୟକ୍ତିଗତ ସୁବିଧା ପାଇଁ ଘରେ ଡାଇନାମୋ ବସେଇଥିଲେ । ରାଜାଙ୍କ ନଅର, ଏମାର ମଠ, ଦୋଳମଣ୍ଡପ ସାହିରେ ଜଣେ ବଙ୍ଗାଳି ଭଦ୍ରଲୋକଙ୍କ ଘର–ଏଇଭଳି ଅଳ୍ପ କେତୋଟି ସ୍ଥାନରେ ବିଜୁଳିବତୀ ଜଳିବାର ଦେଖିଛି ।

 

ଏ କ’ଣ ? କ’ଣ ଦେଖୁଛି ମୁଁ ? ମହାମାନ୍ୟ ଗୋସେଇଁମାନଙ୍କ ମହଲରେ ଆଦ୍ୟ ଅବତାର ପ୍ରତି ବିନମ୍ର ସଶ୍ରଦ୍ଧା ଓ ଆଜୀବନ ନିରାମିଷାଶୀ ସମ୍ମୁଖରେ ଆମିଷର ପ୍ରାଚୁର୍ଯ୍ୟ ?

 

ଜିଭ ମୋର ଜକେଇ ଉଠିଲା । ମନ୍ଦ ନୁହେଁ । ସକାଳେ ଅରୁଆ ଅନ୍ନ ଖାଇ, ପାଟିଟା ମୋର କାହିଁକି କେଜାଣି ବଡ଼ ଉଦାସିଆ ଅନୁଭବ କରୁଥିଲା । ବ୍ରତ ଉଝେଇବା ବେଳ ପାଖେଇ ଆସିଲାଣି । ଗୋସେଇଁମାନଙ୍କ ଗହଣରେ ବସି ଗରମ ଲୁଚି ସାଙ୍ଗକୁ ଗରମ ମାଛ ଭଜା, କାହାରିକୁ ନ ଚାହିଁ ବେଶ୍‌ କିଛି ଚାପିଦେଇଗଲି ମୁଁ ।

 

ଖିଆପିଆ ସାଙ୍ଗକୁ ଗାଉଣା ବାଜଣାର ଆସର ମଧ୍ୟ ଜମିଉଠିଥାଏ । ପଟାଳିଆ ରଙ୍ଗର ଏକ ସତରଞ୍ଜି ଉପରେ ଖୋଳ କରତାଳିର ତାଳେ ତାଳେ ହାରମୋନିୟମ୍‌ର ମଧୁର ବାଦନ ମନକୁ ଯେତିକି ଉଚ୍ଚାଟିଆ କରେ ସେତିକି ମଧ୍ୟ ମତୁଆଲା କରେ ।

 

ପ୍ରଭୁପାଦ ମୋହନ ଗୋସ୍ଵାମୀଙ୍କ ଗୀତ ସେ ସମୟରେ ଏତେ ଲୋକପ୍ରିୟ ଥିଲା ଯେ ଠିକ୍‌ ଯେମିତି ଅପାଳକ ରାଜ୍ୟରେ ବିଜୁଳି ଲକ୍ଷେ ଟଙ୍କାପରି ମନେ ହଉଥିଲା । ଗୀତ ଶୁଣି ଶ୍ରୋତାମାନେ ତାଙ୍କୁ ଯେତିକି ପ୍ରଶଂସା କରୁଥିଲେ ତା’ଠାରୁ ଶତଗୁଣରେ ନିଜକୁ ଧନ୍ୟ ମନେ କରୁଥିଲେ ଗୋସେଇଁ ମହାପୁରୁଙ୍କ ଦର୍ଶନ ଲଭି ।

 

ବାସ୍ତବରେ କିନ୍ତୁ ଗଳାରେ ତାଙ୍କର ମଧୁରତା ନ ଥିଲା । ନା ଥିଲା ଲାଳିତ୍ୟ । ଥିଲା କେବଳ କର୍କଶଭରା ଭେକ ଶବ୍ଦ । ବିକୃତ ସ୍ଵରରେ ସେ ପଦଧରିଥିଲେ :–

 

‘‘ଘନ କାଳିଆ ବରଜଧୂଳିଆ

ବନମାଳିଆ............’’

କେଶିଧୃତ୍ତି ଟାଳିଆ ନୀପ ମୂଳିଆ ଶିରୀତୋଳିଆ–

ବରଜ ଧୂଳିଆ ........ ବନମାଳିଆ....’’

 

ବାରଟା ବାଜିବା ପୂର୍ବରୁ ଆସର ମଉଳିଲା, ଗୋସେଇଁ ମହାପୁରୁ ମୋତେ ସାଙ୍ଗରେ ଧରି, ବଳଗଣ୍ଡି ସାହିସ୍ଥ ବନ୍ଧୁଙ୍କ ଘରୁ ବାହୁଡ଼ିଲେ ନିଜର କୁଣ୍ଢେଇବେଣ୍ଟ ସାହି ।

 

ଆରମ୍ଭ ହେଲା ଯାତ୍ରାର ଉଦ୍‌ଯୋଗ ପର୍ବ । ଟହଲିଆ ଟୋକାଟା ମୋ’ଠାରୁ ଥିଲା ବୟସରେ ଯଥେଷ୍ଟ ବଡ଼ । ଖୁବ୍‌ ଚାଇଁ । ଆଖ୍‌ ପିଛୁଳାକେ ମହାପୁରୁଙ୍କ ଆଦେଶକୁ କାର୍ଯ୍ୟରେ ପରିଣତ କରୁଥାଏ । ଲୁଗାପଟା ବାକ୍ସପତ୍ର ସଜାଡ଼ିଦେଲା । ଦାଣ୍ଡରୁ ଡାକି ଆଣିଲା ଗୋଟାଏ ହାତଟଣା ଶଗଡ଼ଗାଡ଼ି । ସେଇଥିରେ ବସି ଆମେ ବାହାରିଲୁ ରେଳ ଷ୍ଟେସନ୍‌କୁ ।

 

ଏଇଟା ହେଲା ମୋର ଦ୍ଵିତୀୟ ରେଳଯାତ୍ରା । ଟିକଟ କଟାହେଲା । ବସିଲୁ ଡବାରେ । ଆଜିକାଲି ପରି ପୁରୀ ରେଳ ଷ୍ଟେସନ୍‌ ସେତେ ଉନ୍ନତ ନ ଥିଲା । ଚାରିପାଖରେ ଲଙ୍କାଆମ୍ବ ଓ ଝାଉଁଗଛରେ ସ୍ଥାନଟି ଅତ୍ୟନ୍ତ ଅନ୍ଧାରୁଆ। ରେଳବାଇ ବିଭାଗର କର୍ମଚାରୀମାନଙ୍କ ପାଇଁ କୋଉଠି କେମିତି ବିକ୍ଷିପ୍ତଭାବେ ଗୋଟାକେତେ ଘର (କ୍ଵାର୍ଟର)କୁ ଛାଡ଼ିଦେଲେ ଅନ୍ୟ ସବୁଆଡ଼େ ଖାଲି ଛୋଟବଡ଼ ବାଲିର କୁଦ ଏବଂ ତା’ ଉପରେ ଅସଂଖ୍ୟ ଅଗରା, ସପ୍ତଫେଣିର କଣ୍ଟକିତ ଗୁଳ୍ମ । ବିଶେଷକରି ରାତିଯାତ୍ରାକାରୀଙ୍କ ପାଇଁ ସେ ସ୍ଥାନ ଏକ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ।

 

ଆଲୋକ ବ୍ୟବସ୍ଥା ଅତି ନଗଣ୍ୟ । ଗୋଟିକେତେ ବତୀଖୁଣ୍ଟରୁ ଯୋଉ ଆଲୋକ ବାହାରୁଥାଏ ତାହା ଅନ୍ଧକାରର ଏତେ ବ୍ୟାପକତା ଭିତରେ ନିଜର ଅସ୍ତିତ୍ୱ ଜାହିର କରିବା ଖୁବ୍‌ କଷ୍ଟକର ।

 

ଭାରତର ପ୍ରଧାନ ଚାରିଧାମ ଭିତରେ ଜଗନ୍ନାଥ ଧାମ ଯେ ସର୍ବଶ୍ରେଷ୍ଠ ଏକଥା ପ୍ରତ୍ୟେକ ଧର୍ମପ୍ରାଣ ବ୍ୟକ୍ତି ମୁକ୍ତ କଣ୍ଠରେ ସ୍ଵୀକାର କରିବେ ଏବଂ ରେଳବାଇ କମ୍ପାନୀ ଏଇ ଶ୍ରୀକ୍ଷେତ୍ରଧାମରୁ ଯେତେ ପରିମାଣର ଆୟ କରୁଥିଲେ ତାର କିଛି ଅଂଶ ଏ ଅଞ୍ଚଳରେ ଖର୍ଚ୍ଚ କରିବାକୁ ମଧ୍ୟ କୁଣ୍ଠାବୋଧ କରୁଥିଲେ । ତୃତୀୟ ଶ୍ରେଣୀ ଯାତ୍ରୀ କମ୍ପାନୀ ଅର୍ଥଭଣ୍ଡାରକୁ ବେଶୀ ଅର୍ଥ ଦେଉଥିଲେ ବି ସେମାନଙ୍କ ଲାଗି ଉଚ୍ଚ କର୍ମକର୍ତ୍ତାଗଣ ସମ୍ପୂର୍ଣ୍ଣ ଉଦାସୀନ ରହୁଥିଲେ !

 

ଓଡ଼ିଆ ତ ସବୁକାଳରେ, ସବୁ ଯୁଗରେ ଉପେକ୍ଷିତ, ଅବହେଳିତ, କହିବେ କାହାକୁ ? ଶୁଣିବ କିଏ ?

 

ଗାଡ଼ି ଛାଡ଼ିଲା । ଇଞ୍ଜିନ୍‌ର ପ୍ରଥମ ଝିଙ୍କାରେ ବସିବା ସ୍ଥାନରୁ ଗଡ଼ିପଡ଼ିଲି ମୁଁ । ବେଞ୍ଚ୍‌ପଟାରେ ମୁଣ୍ଡ ମୋର ବାଡ଼େଇ ହେଇଯାଇଥିଲେ ବି ଏଣିକି ତେଣିକି ଅନେଇ ପୁଣି ଉଠିବସିଲି ।

 

କୁଆଡ଼େ ଯାଉଛି ମୁଁ ? କେତେଦୂର ଯାଉଛି ? ବ୍ରହ୍ମପୁର କେତେ ବାଟ ? ଅପା, ସାନଭଉଣୀ କାହିଁକେତେ ପଛରେ ରହିଲେ ? ପୁରୀରେ ଦୁଇଭାଇ କ’ଣ କରୁଥ‌ିବେ ? ସାତ ଆଠ ବର୍ଷ ବୟସର ଶିଶୁକୁ ଅଭାବ–ଅନାଟନପୂର୍ଣ୍ଣ ସଂସାରରୁ ଠେଲିଦେଇ ଏମାନେ ଯେ କେମିତି ନିଶ୍ଚିନ୍ତ ରହିଲେ–ଏସବୁ କଥା ଗୋଟି ଗୋଟି ହେଇ ଏକାଠି ମିଶିଯାଇ ମୋ ମନ ଭିତରେ ଗୋଟାଏ ଖଣ୍ଡିଆଭୂତ ସୃଷ୍ଟିକଲେ ।

 

ସାମାନ୍ୟ ପେଟଚାଖଣ୍ଡର ଜ୍ଵାଳା ଯେ କେତେ ଭୟଙ୍କର ! କେତେ ଅସହ୍ୟ ! ସେ ଗୂଢ଼ତତ୍ତ୍ଵକୁ ବୁଝିବା ଭଳି କ୍ଷମତା ମୋର ସେତେବେଳେ ଆସିନଥିଲା । କ୍ଷୁଧା ଓ ଅନାହାର ଆଜି ମୋତେ ଏତେଦୂରକୁ ଉଠେଇ ପକେଇ ଦେଇଛି । ଯହୁଁ ଯହୁଁ ରେଳଗାଡ଼ିର ବେଗଟା ବଢ଼ି ବଢ଼ି ଉଠୁଥାଏ, ତହୁଁ ତହୁଁ ମୋର ଦେହ ଓ ମନକୁ ଆମ ପରିବାରର ମାଧ୍ୟାକର୍ଷଣ ଶକ୍ତିଟା ଟାଣିଧରୁଥାଏ-

 

ଜଟଣୀ ଷ୍ଟେସନ୍‌ରେ ଗାଡ଼ି ବଦଳି ହେଲା । ରେଳବାଇ କୁଲି ଆମ ଜିନିଷପତ୍ର ମାନ୍ଦ୍ରାଜ ଗାଡ଼ିରେ ଉଠେଇଦେଲା । ତା’ର କିଛି ସମୟପରେ ବଗିରେ ବେଞ୍ଚ ଉପରେ ଘୁମେଇପଡ଼ିଲି ମୁଁ ।

 

ଜାଣେନା ରାତି କେତେବେଳେ କୋଉ ଷ୍ଟେସନ୍‌ରେ ପାହିଥିଲା । ଗୋସେଁଇ ମହାପୁରୁ ମୋତେ ଯେତେବେଳେ ଉଠେଇଦେଲେ ଦେଖିଲି ଗାଡ଼ିଟା ଠିଆ ହେଇଛି । ଖରା ବେଶ୍‌ ପାକଳ ହେଇଗଲାଣି, ନାଲି ଜାମା ପିନ୍ଧା କୁଲି କେଇଜଣ ଆମ ଡବାରେ ପଶି ଯାତ୍ରୀମାନଙ୍କର ମାଲ୍‌ପତ୍ର ମୁଣ୍ଡରେ ଲଦି ପ୍ଲାଟ୍‌ଫର୍ମକୁ ବାହାରୁଛନ୍ତି ।

 

ଆମ ଜିନିଷପତ୍ର ମଧ୍ୟ ଗୋଟିଏ କୁଲି ମଥାରେ ଧରି ପ୍ଲାଟ୍‌ଫର୍ମ ବାହାରେ ଗୋଟିଏ ଝଟ୍‌କାବାଲା ଜିମାରେ ଦେଇଦେଲା । ତାର ପାଉଣା ପଇସା ତୁଟେଇଦେଇ ଗୋସେଁଇ ମାହାପୁରର ମୋତେ ସାଙ୍ଗରେ ନେଇ ବସିଲେ ଝଟ୍‌କାରେ ।

 

ବ୍ରହ୍ମପୁର ଷ୍ଟେସନ୍‌ରେ ଝଟ୍‌କାର ଭିଡ଼ ଖୁବ୍‌ବେଶୀ । ଯାତ୍ରୀ ପାଇବାପାଇଁ ସେମାନେ ପରସ୍ପର ଭିତରେ ତୁମୁଳ କାଣ୍ଡ ସୃଷ୍ଟି କରନ୍ତି । ତାଙ୍କର ଭାଷା ବୁଝିବା ମୋର ସାଧ୍ୟାତୀତ ଥିଲେ ମଧ୍ୟ ଭାବଭଙ୍ଗୀରୁ ଦେଖି ଯାହା ମୁଁ ବୁଝୁଥିଲି ତାହା ଅତ୍ୟନ୍ତ ହିଂସା ଓ ଆକ୍ରୋଶମୂଳ ପରି ମନେ ହେଉଥିଲା । ଯାତ୍ରୀମାନେ ସେଇସବୁ ପରିସ୍ଥିତିକୁ ଉପେକ୍ଷାକରି ନିଜର ସମ୍ମାନକୁ ବଞ୍ଚେଇ କିଏ କୁଆଡ଼େ ବାଟକାଟି ଯାଉଥିଲେ । ଅନେକ ଚତୁର ଝଟ୍‌କା ବାଲା ସେଇସବୁ ଆଗତ ଭୟକରି ରେଳବାଇର କେତେକ କୁଲିଙ୍କ ସଙ୍ଗରେ ମିତ୍ରତା ବନ୍ଧନରେ ଆବଦ୍ଧ ରହୁଥିଲେ ଆପଣାର ବ୍ୟବସାୟକୁ ସୁଗମ କରିବାପାଇଁ ।

 

ଗୋସେଁଇ ମାହାପୁରଙ୍କ ନିର୍ଦ୍ଦେଶ ପାଇ ଝଟ୍‌କା ଗାଡ଼ି ଗଡ଼ି ଚାଲିଥାଏ ଆଗକୁ ଆଗକୁ । ଘୋଡ଼ାଟା ଖୁବ୍‌ ସୁସ୍ଥସବଳ ଏବଂ ଅଳ୍ପ ବୟସର । ବ୍ରହ୍ମପୁରର ଭୂତସାହି । ଅଧିକାଂଶ ଘରଗୁଡ଼ିକ ନୁଆଣିଆ । ଟାଇଲିଛପର । ସେଇଥିରୁ ଗୋଟିଏ ଘରେ ରାସଦଳ ରହିଥାନ୍ତି । ପ୍ରାୟ ପ୍ରତ୍ୟେକ ଘର ସମ୍ମୁଖରେ ରାସ୍ତାଉପରେ ଗୋବର ପାଣିରେ ଲିପାଯାଇ ଧଳା ମୁରୁଜର ଛକି କଟାଯାଇଥାଏ-। ଦ୍ଵାର ବନ୍ଧ ଚଉକାଠରେ ହଳଦୀ ଓ ସିନ୍ଦୂରଗାର ।

 

ବୋହୂ, ଭୂଆସୁଣୀଙ୍କ ମଥାରେ ପାଣିଭରା ବଡ଼ବଡ଼ ପିତଳ ଗରା ଓ ହାତରେ ପିତଳ ବାଲ୍‍ଟି । ସୁନା ଭଳି ଚକ୍‌ଚକ୍‌ ଆମ ଅଞ୍ଚଳ ପରି ଗଞ୍ଜାମର ଝିଅ–ବୋହୂମାନେ ସେତେ ପରିଶ୍ରମକାତରା ନଥିଲା ପରି ଜଣାଯାଉଥିଲେ । ଆଖିରେ କଜ୍ଜ୍ୱଳ, ନାକରେ ଦକ୍ଷିଣିଦଣ୍ଡି ଓ ନାକପୁଡ଼ାରେ ନାକଚଣା ।

 

ଝଟ୍‌କାରୁ ଓହ୍ଲେଇଲୁ । ଘର ବାରଣ୍ଡାରେ କେତେକ ପିଲା ଓ ଯୁବକ ଠିଆ ହେଇ ମହାପୁରଙ୍କ ଆଗମନକୁ ସ୍ଵାଗତ କରିବାପାଇଁ ଅପେକ୍ଷା କରିଥିଲେ । ସମସ୍ତଙ୍କ ମୁଣ୍ଡରେ ଚୁଟି ଆଉ କପାଳରେ ହରି ମନ୍ଦିର ଚିତା ଓ ଗଳାରେ ସରୁ ତୁଳସୀ ମାଳି । ସାଙ୍ଗେ ସାଙ୍ଗେ ବାରଣ୍ଡା ତଳକୁ ଧାଇଁ ଆସି ଗୋସେଁଇ ମହାପୁରଙ୍କ ପାଦତଳେ ଲମ୍ବହେଇ ମୁଣ୍ଡିଆ ମାରି ଶୋଇପଡ଼ିଲେ । ଆବାକାବା ହୋଇ ମୁଁ ଅନେଇ ରହିଥିଲି–ସେମାନଙ୍କ ଏତାଦୃଶ ଢଙ୍ଗକୁ ।

 

ଗୋସେଇଁ ମହାପୁରଙ୍କର ଯୋଉମାନେ ଅତିପ୍ରିୟ, କେବଳ ସେଇମାନଙ୍କୁ ପ୍ରେମ ଗଦଗଦ ହୋଇ ଖୁବ୍‌ ସ୍ନେହରେ କୋଳେଇ ନଉଥାନ୍ତି ମହାପୁର । ଅନ୍ୟମାନେ ଦିହରୁ ବାଲି, ଧୂଳି ଝାଡ଼ି ଘର ଭିତରକୁ ପ୍ରବେଶ କରୁଥାନ୍ତି । ଏଇଭଳି କିଛି ସମୟ ଚାଲିଲା ପରେ ମୋତେ ଗଣିଭାଇନାଙ୍କୁ ଡକେଇ, ତାଙ୍କରି ମାରଫତରେ ଛାଡ଼ି ଦିଆଗଲା । କାଳ ବିଳମ୍ବ ନ କରି ମୋର ଭେକ ପରିବର୍ତ୍ତନ ଲାଗି ରାସଦଳର ପ୍ରାୟ ସମସ୍ତେ ଏକାଠି ହେଇ ଉତ୍ସାହର ଏକ ଶ୍ରୋତ ଛୁଟେଇଦେଲେ ।

 

ଭଣ୍ଡାରି ଡାକିଆଣି ମୁଣ୍ଡକୁ ଲଣ୍ଡା କରିଦିଆଗଲା । ତୁଳସୀ ମାଳି, ତିଳକ ଧାରଣ କରି ମୁଁ ମଧ୍ୟ ଆଖି ପିଛୁଳାକେ ପାଲଟିଗଲି ଏକ ଖାଣ୍ଟି ବାବାଜୀ ଛୁଆ । ଶିଶୁ ଜୀବନରେ ମୋର ଯାହା କିଛି ପାତକ ଥିଲା ସେ ସବୁଗୁଡ଼ିକ ଧୋଇଯାଇ ମୁହୂର୍ତ୍ତକ ଭିତରେ ହେଇଗଲା ଶୁଦ୍ଧସୁବର୍ଣ୍ଣ । ସମସ୍ତଙ୍କ ସହିତ କଣ୍ଠକୁ କଣ୍ଠରେ ମିଳେଇ ଗାଇଲି ।

 

‘‘ରାଧେ ରାଧେ ଗୋବିନ୍ଦ ବୋଲ ଜୟ...’’

 

ରାସ ଦଳରେ ନିତାଇ–ଗୌରଙ୍କ ଛବି ପୂଜା ପାଉଥାନ୍ତି । ଠାକୁରଙ୍କ ଘରଟି ଥାଏ ଅଲଗା । ପ୍ରତିଦିନ ସମସ୍ତେ ନିୟମିତ ଭାବେ ନିତ୍ୟକର୍ମ ସାରି ତାଙ୍କରି ପାଖରେ ମୁଣ୍ଡିଆ ମାରନ୍ତି । ବ୍ରାହ୍ମଣ ଭାଇନା ପୂଜା କରନ୍ତି । ଅଭିନୟ ଯୋଉଦିନ ନ ଥାଏ ସେଦିନ ସନ୍ଧ୍ୟା ଆରତୀରେ ଘଣ୍ଟାଘଣ୍ଟା ଧରି ଚାଲେ କୀର୍ତ୍ତନ । ନଚେତ୍‌ ସ୍ୱଳ୍ପ ସମୟ ଭିତରେ ସନ୍ଧ୍ୟା ପ୍ରାର୍ଥନା ସମାପନ ହେଇଥାଏ ।

 

ସେଦିନ ଅଭିନୟ ହେବାର ଥିଲା ‘‘ବାଲ୍ୟ ଲୀଳା’’। ଖୁବ୍‌ ଆଡ଼ମ୍ବର ସହକାରେ ବ୍ୟାଣ୍ଡପାର୍ଟି ଜରିଆରେ ସହରର ଗଳିକନ୍ଦିରେ ଝଟ୍‌କା ଗାଡ଼ିକୁ ନାଲି, ନେଳିର ରଙ୍ଗିନ୍‌ କାଗଜରେ ସଜେଇ ପ୍ରଚାର କରାଯାଉଥାଏ ।

 

ସେତେବେଳର କଳାପ୍ରେମୀ ସାଉକାର ବିଖ୍ୟାତ ସାରଥୀ ସାହୁଙ୍କ ରଙ୍ଗମଞ୍ଚ ଥିଲା ବ୍ରହ୍ମପୁର ସହରର ଏକମାତ୍ର ଅଭିନୟ–ମଞ୍ଚ–ଝାଟିମାଟିର କାନ୍ଥ ଦିଆ, ଅନେକଗୁଡ଼ିଏ ଟିଣ ଫାଟକଥିବା ଏକ ବିରାଟ ଟିଣ ଘର । ଦର୍ଶକମାନଙ୍କର ବସିବାପାଇଁ ମଧ୍ୟ ବହୁ ପରିମାଣର ଟିଣ ଚୌକିର ବ୍ୟବସ୍ଥା ଥିଲା ।

 

ସାଧାରଣତଃ ମୋହନ ଗୋସ୍ଵାମୀଙ୍କ ରାସଦଳରେ ପିଲାମାନଙ୍କୁ ସକାଳେ କେବେ କେମିତି ଖେଚୁଡ଼ି ଡାଲମା ଏବଂ ଦିନ ଗୋଟାଏ, ଦୁଇଟା ବେଳକୁ ଅରୁଆ ଅନ୍ନ, ଡାଲି, ତରକାରି, ଭଜା, ଶାଗ ଓ ଖଟା ଆଦି ଖାଇବାକୁ ଦିଆଯାଉଥିଲା । ପୂଜାରୀ ରୋଷେଇ । ଏସମସ୍ତ ଠାକୁରଙ୍କ ନିକଟରେ ଭୋଗ କରାଯାଇ ଦଳର ପ୍ରତ୍ୟେକଙ୍କୁ ଏକାଠି ବସେଇ ପରିବେଷଣ କରାଯାଉଥିଲା ।

 

ଉପରବେଳା ଅର୍ଥାତ୍‌ ଦିନ ୪ଟାରେ କିଛି ପ୍ରାୟ ଦିଆଯାଉନଥିଲା, କାରଣ ଅଭିନୟ ପ୍ରଦର୍ଶନ ପୂର୍ବରୁ କେବେ ପୁରି, ମିଠା, ତରକାରି ନଚେତ୍‌ ରୁଟି, ଡାଲମା ଖାଇବାକୁ ଦେଇ, ପେଣ୍ଟିଙ୍ଗ୍‌ (ମେକାପ୍‌) ହେବାକୁ ଗୋସେଇଁ ମହାପୁର ବ୍ୟବସ୍ଥା କରୁଥିଲେ ।

 

ସୁସ୍ଵାଦୁ, ରୁଚିକର ଖାଦ୍ୟ । ଖାଇବାରେ ମନା ନାହିଁ, ମାତ୍ର ଖାଇବା ପୂର୍ବର ରାତିରେ ଛୋଟଛୋଟ ପିଲାଙ୍କର ପେଟରେ ଟିପମାରି ବଜାଯାଏ । ଯାହାର ପେଟ ଟିକିଏ ଭାରି ଭାରି ଶୁଭେ, ବାସ୍ । ସରିଲା । ତା’ର ଖାଦ୍ୟ ସେଦିନ ରାତିରେ ପୂରାପୂରି ବନ୍ଦ ।

 

ସଞ୍ଜ ବୁଡ଼ିବାକୁ କିଛି ସମୟ ବାକିଥାଏ, ଗଣିଭାଇନା (ଗଣି ରଥ) ପିଲାମାନଙ୍କୁ ନିଜନିଜ ଲୁଗାପଟା ପିନ୍ଧି ବାହାରିବାକୁ କହିଲେ ।

 

ସବୁ ପିଲାତକ ଏକାଠି ହେଲୁ । ବଡ଼ପିଲାଏ ଆଗରେ ଓ ସାନସାନ ପିଲା ପଛରେ, ରହିଲୁ । ଏକ ସାଙ୍ଗରେ ବାଜି ଉଠିଲା–ଖୋଳ, କରତାଳ । ଏକ ସ୍ଵରରେ ଗାଇ ଉଠିଲୁ–‘‘ରାଧେ ରାଧେ ଗୋବିନ୍ଦ ବୋଲ ଜୟ ।’’ଆଗରେ ଯୋଉ ପିଲାମାନେ ଥିଲେ, ସେମାନଙ୍କ ଭିତରୁ ଜଣଙ୍କ ହାତରେ ଥିଲେ ନିତାଇ–ଗୌରଙ୍କ ଫଟୋ ଏବଂ ଅନ୍ୟ ଜଣଙ୍କ ହାତରେ ଥିଲେ ଛୋଟ ଅଭଡ଼ା କୁଡ଼ୁଆରେ ତୁଳସୀଦେବୀ (ତୁଳସୀବୃକ୍ଷ) ।

 

କେବଳ ମୋହନ ଗୋସ୍ଵାମୀଙ୍କ ରାସଦଳ ନୁହନ୍ତି, ଏଥିପୂର୍ବରୁ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଗୋବିନ୍ଦ ସୁରଦେଓଙ୍କ ରାସମଣ୍ଡଳୀରେ ମଧ୍ୟ ଠିକ୍‌ ଅନୁରୂପ ବ୍ୟବସ୍ଥାମାନ ପ୍ରଚଳନ ଥିଲା । ରାସମଣ୍ଡଳୀ, ରଙ୍ଗମଞ୍ଚଠାରୁ ଯେ’ ଯେତେ ଦୂରରେ ରହନ୍ତୁ ନା କାହିଁକି, ଅଭିନୟର ବହୁ ପୂର୍ବରୁ ଠିକ୍ ଏହି ରୀତିରେ ନାମ କୀର୍ତ୍ତନକରି ଚାଲିଚାଲି ଯାଉଥିଲେ ନାଟ୍ୟସ୍ଥଳୀ ରଙ୍ଗମଞ୍ଚକୁ ।

 

ଏହା ଏକ ପ୍ରଚାରର ଧାରା ମଧ୍ୟ । ସ୍ଥାନୀୟ ଲୋକମାନେ ନାମ ସଂକୀର୍ତ୍ତନକାରୀ ଦଳଙ୍କ ଦର୍ଶନରେ ଜାଣିପାରୁଥିଲେ ଯେ ଏଠାକୁ କୋଉ ରାସଦଳ ଆସିଛନ୍ତି ଏବଂ କୋଉ ଅଭିନୟ ଏଠାରେ ପରିବେଷଣ କରିବେ ।

 

ଗୋସ୍ଵାମୀଙ୍କ ରାସ ମଣ୍ଡଳୀରେ, ମୁଁ ମାତ୍ର ଦିନକର ଶିଶୁ ହେଇଥିଲେ ମଧ୍ୟ ନାମ ସଂକୀର୍ତ୍ତନକୁ ଠିକ୍‌ ତାଳମାନ, ଲୟରେ ବୋଲିବା ମୋ ପକ୍ଷରେ କିଛି କଷ୍ଟକର ବ୍ୟାପାର ନ ଥିଲା । ମଣ୍ଡଳୀରେ ମୁଁ ଦିନକର ଶିଶୁ ହେଇଥାଇପାରେ, କିନ୍ତୁ ନାମକୀର୍ତ୍ତନ କରି ତନ୍ମୟ ହେଇଯିବାରେ ସେତେବେଳକୁ ମୁଁ ଖୁବ୍‌ ବୟସ୍କ ହେଇସାରିଥିଲି ।

 

ବ୍ରହ୍ମପୁର ସହର ଭିତରେ ଆମେ ନାମ ଗାଇ ଗାଇ ଚାଲିଥାଉ । ଦୁଇ ପାଖରେ ଆମର ଭିନ୍ନ ଭିନ୍ନ ଧରଣର ଲୋକ ଠିଆହେଇ ଦେଖୁଥାଆନ୍ତି ।

 

ପ୍ରାୟ ବେଶି ଭାଗର ଲୋକ ମଥାରେ ବେଣି, ହାତରେ ସୁନାଖଡ଼ୁ, କାନରେ ସୁନା ଲବଙ୍ଗ, କପାଳରେ ଗୋରଚିନା ଲମ୍ବା କଲି ମାରିବା ଦେଖିଲି । ପରିଧାନରେ ପୁରୁଷମାନେ ଫତେଇ, ଚଉଡ଼ାଧଡ଼ିର ଧଳା ଲୁଗାର ଫାଲ୍‌ଟା ଓ କାନ୍ଧରେ ଭଙ୍ଗକରା ଗଙ୍ଗା ଯମୁନା ନୀଳ ନାଲି ରଙ୍ଗର ଧଡ଼ିଥ‌ିବା ଚଦର । କେହି କେହି ଛୋଟ ଲୁଗାକୁ ଫାଳେ କଛା ଝୁଲେଇ ପିନ୍ଧିଥାନ୍ତି ।

 

କିନ୍ତୁ ଦକ୍ଷିଣରେ ସ୍ତ୍ରୀଲୋକମାନେ ପ୍ରାୟ ଅଠର ହାତରେ ଶାଢ଼ିକୁ କଛାମାରି ପିନ୍ଧନ୍ତି । ମଥାରେ ସିନ୍ଦୂର, ବଦନରେ ବିଭିନ୍ନ ରଙ୍ଗର କୁଙ୍କୁମ ।

 

ରଙ୍ଗମଞ୍ଚରେ ପହଞ୍ଚି ଦେଖିଲି, ଅପୂର୍ବ ସାଜସଜ୍ଜା । ଯୋଉ ସ୍ଥାନରେ ଅଭିନୟ କରାଯିବ ସେ ସ୍ଥାନଟି ଅତି ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ । ଦର୍ଶକମାନଙ୍କ ସାମ୍ନା ସାମ୍ନି ଟଣାଯାଇଛି ପ୍ରଧାନ ପରଦା (ଡ୍ରପ୍‌); ସେଥିରେ ରାଧା–କୃଷ୍ଣଙ୍କ ଯୁଗଳମୂର୍ତ୍ତି ଅଙ୍କିତ । ପଛରେ ତା’ର ଦେବଦାରୁ ଡାଳପତ୍ରରେ, ଋତୁକାଳୀନ ରଙ୍ଗବେରଙ୍ଗର ଫୁଲ ଖଞ୍ଜାଯାଇ ରଚନା କରାଯାଇଛି କୁଞ୍ଜ ।

 

ପ୍ରେକ୍ଷାଳୟର ପ୍ରଧାନ ଫାଟକ ପାଖରେ ଟିକଟ ଘର ଓ ଚାରିପାଖରେ ବାଜୁଥାଏ ବ୍ୟାଣ୍ଡବାଦ୍ୟ ।

 

ଆଗରୁ ପ୍ରଚାରପତ୍ର ଜରିଆରେ ଦର୍ଶକମାନଙ୍କୁ ଅଭିନୟ ପ୍ରଦର୍ଶନର ସମୟ ଦିଆଯାଇଥାଏ ସନ୍ଧ୍ୟା ଘ୭.୩୦ମି. । ଟିକଟ କାଟି ନିଜର ସୁବିଧାସ୍ଥାନ ଦଖଲ କରିବାକୁ ଲୋକଙ୍କର ଟିକଟ ଘର ନିକଟରେ ବେଶ୍‌ ଗହଳି ଜମିଉଠିଥାଏ । ଦର୍ଶନୀର ମୂଲ୍ୟ ଥାଏ–

 

ପ୍ରଥମ ଶ୍ରେଣୀ–ଟ ୧ ଚୌକି

 

ଦ୍ୱିତୀୟ ଶ୍ରେଣୀ–ଟ ୦.୦୪ ବେଞ୍ଚ

 

ତୃତୀୟ ଶ୍ରେଣୀ–ଟ ୦.୦୧ ଅଖା

 

କ୍ରମେ କ୍ରମେ ଅଭିନୟର ସମୟ ପାଖେଇ ଆସିଲା । ଦର୍ଶକମାନଙ୍କର ସୁଅ ଛୁଟିଥାଏ । ଗଞ୍ଜାମ ଜନସାଧାରଣଙ୍କର ରାସ ଅଭିନୟ ଦେଖୁବାକୁ ଯେ ଏତେ ଆଗ୍ରହ ତାହା ମୋର କଳ୍ପନାର ବାହାରେ ଥିଲା । ଯୋଉମାନେ ଆସନ ପାଇଲେ ସେମାନେ ତ ଆସନରେ ବସିଲେ । ତା’ଛଡ଼ା ଆସନ ସବୁ ପୂର୍ଣ୍ଣ ହେଇଯିବାପରେ ବି ଲୋକ ଧାଇଁଥାନ୍ତି ଠିଆରେ ଠିଆରେ ଟିକିଏ ଦେଖିନବାକୁ ।

 

ବାସ୍ତବିକ୍‌ ଯୁଗ ଯୁଗ ଧରି କଳାପ୍ରେମୀ ଗଞ୍ଜାମବାସୀ ତାଙ୍କର ଦୁଃଖସୁଖ ଜଞ୍ଜାଳ ଭରା ସଂସାରରେ କଳାକୁ ଯେ ସର୍ବଶ୍ରେଷ୍ଠ ସମ୍ମାନ ଦେଖେଇ ଆସିଛନ୍ତି ଏକଥା ଲୋକ ମୁଖରେ ବେଶ୍‌ ଜଣାଶୁଣା ।

 

ବେଶ ଘରର କାମ ସମ୍ପୂର୍ଣ୍ଣ ହବାପରେ, ଘଣ୍ଟି ବାଜି ଉଠିଲା । ଘଣ୍ଟି ବାଦନ ସଂକେତ ଜରିଆରେ ଦର୍ଶକମାନଙ୍କୁ ଜଣେଇ ଦିଆଯାଏ ଯେ ଆଉ ଅଳ୍ପ ସମୟପରେ ଅଭିନୟ ଆରମ୍ଭ ହେବ-। ଅର୍ଥାତ୍, ଅଭିନୟ ପୂର୍ବରୁ କିଛିକିଛି ସମୟ ବ୍ୟବଧାନରେ ଏହିପରି ତିନିଥର ଘଣ୍ଟି ବାଜେ । ପ୍ରଥମ ଘଣ୍ଟି ବାଜିବାଠାରୁ ତୃତୀୟ ଘଣ୍ଟି ବାଜିବା ପର୍ଯ୍ୟନ୍ତ ବିଭିନ୍ନ ବାଦ୍ୟ ବାଜେ । ଯନ୍ତ୍ର ସଙ୍ଗୀତ । ଏଥିରେ ବ୍ୟବହାର କରାଯାଏ ଖୋଳ, ଗିନି, ହାର୍‌ମୋନିୟମ୍‌, ବଂଶୀ, ସିତାର, ଏସ୍ରାଜ, ଡୁବିତବଲା ।

 

ମୋହନ ଗୋସ୍ଵାମୀ ନିଜେ ହାର୍‌ମୋନିୟମ୍ ବଜଉଥାନ୍ତି । ଟେବୁଲ୍ ହାର୍‌ମୋନିୟମ୍‌ । ଗୋଡ଼ରେ ତାର ବେଲ୍‌ (ପବନ) ଦେବାକୁ ପଡ଼େ ।

 

ଅଭିନୟ ଆରମ୍ଭ ହେଲା ଏବଂ ତା’ ଆଗରୁ ଗୋସେଇଁ ମହାପୁର ମୁଖ୍ୟ ପରଦା ସାମ୍ନାରେ ଠିଆହେଇ ନିଜର ପୃଥୁଳ ଉଦରରେ ହାତ ବୁଲେଇ ଆରମ୍ଭ କଲେ ଭାଷଣ । ଖୁବ୍‌ ରସରସିଆ ଭାଷଣ ସେ । ଦର୍ଶକମାନଙ୍କୁ ଟେକାଟେକି କରି, ବନେଇ ଚୁନେଇ କହିବାରେ ସେତେବେଳର ରାସମଣ୍ଡଳୀର ଗୋସ୍ଵାମୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରାୟ ନ ଥିଲେ କହିଲେ ଚଳେ-। ଗୋସ୍ଵାମୀଙ୍କର ଆଡ଼ମ୍ବରପୂର୍ଣ୍ଣ କଥା ଶୁଣିବାକୁ କେତେକ ଦର୍ଶକ ସ୍ଵେଚ୍ଛାକୃତଭାବେ ପ୍ରେକ୍ଷାଳୟକୁ ଟାଣି ହେଇ ଆସୁଥିଲେ । କେବଳ ଏତିକି ନୁହେଁ । ଅଭିନୟ ପୂର୍ବରୁ ଦର୍ଶକମାନଙ୍କୁ ରଙ୍ଗରଙ୍ଗିଆ କଥା କହି ସେଇ ପ୍ରେକ୍ଷାଳୟ ଭିତରେ ଥାଳି (ଦାନପାତ୍ର) ବୁଲଉଥିଲେ । ଏ ବ୍ୟବସ୍ଥା ଥିଲା ତାଙ୍କର ଏକ ସ୍ୱତନ୍ତ୍ର ରୋଜଗାରର ପନ୍ଥା ।

 

କି ସୁନ୍ଦର ଅଭିନୟ ! ସେଦିନର ସେଇ ଅଭିନୟ ଦର୍ଶନରେ ମୁଗ୍ଧ ହେଲି ମୁଁ । ବାଲ୍ୟକୃଷ୍ଣଙ୍କୁ ଗୋପବାଳକମାନଙ୍କ ମେଳରେ ଦେଖୁ, ମନେପଡ଼ିଲେ ମୋର ଗ୍ରାମର ରାଧା–ଗୋବିନ୍ଦ । ସେ ଥିଲେ ଚିକ୍‌କଣ କଳା ମୁଗୁନି ପଥରର ମୂର୍ତ୍ତି ଏବଂ ଏ ହେଲେ ନୀଳରଙ୍ଗ ମଖା ଏକ ଜୀବନ୍ତ ଚପଳ ବାଳକ I

 

ବାଲ୍ୟକୃଷ୍ଣ ଭୂମିକାରେ ଅଭିନୟ କରୁଥିଲା ‘କୁଞ୍ଜ’ । ମଧୁମାଙ୍ଗଳ ଭୂମିକାରେ–‘ନରୋତ୍ତମ’ । ରାଧା ‘ଭୂମିକାରେ–‘ଗଉରାଭାଇ’ । ଲଳିତା–‘ଗୋବିନ୍ଦ’, ବିଶାଖା–‘ପଦାମାତା’ । ବଡ଼କୃଷ୍ଣ–‘ଗୋବର୍ଦ୍ଧନ ଭାଇ’ । କଂସ ଭୂମିକାରେ ‘ଗଣି ଭାଇନା’ । ଯଶୋଦା–‘ରାଜନ୍ତି ହାମ୍‌’ । ନନ୍ଦରାଜା–‘କଣ୍ଠ ଭାଇନା’ ।

 

ଅଭିନୟ ଯେ ଏତେ ଜୀବନ୍ତ ହେଇପାରେ ସେକଥା ମୁଁ ସେଦିନ, ସେଇ ଗୋସ୍ଵାମୀଙ୍କର ବାଲ୍ୟଲୀଳା ରାସ ଦେଖି, ବେଶି ଭାବରେ ନ ହେଲେ ବି କିଛି ଭାବରେ ଅନ୍ତତଃ ଉପଲବ୍ଧି କରିପାରିଲି ।

 

ମଞ୍ଚ ଉପରକୁ ପ୍ରବେଶ କରିବାମାତ୍ରେ ପ୍ରତ୍ୟେକ ଚରିତ୍ର, ନିଜର ସ୍ୱତନ୍ତ୍ରତା ବଜାୟ ରଖି, ସହଶିଳ୍ପୀଙ୍କ ସଙ୍ଗେ ଅଭିନୟର ବୁଝାମଣା ରଖି, କଥାରେ ଛନ୍ଦ ଓ ଲୟ ରଖି ନିଜ ନିଜକୁ ଦର୍ଶକଙ୍କ ଆଖିର ଏକ ଏକ ସାର୍ଥକ ଚରିତ୍ର ବୋଲି ପ୍ରମାଣିତ କରିପାରୁଥିଲେ ।

 

ପ୍ରକୃତରେ–ପ୍ରତ୍ୟେକ କଳାକାର ତାଙ୍କର କଳା ପରିବେଷଣ ପାଇଁ ଯେଉଁ ସୂକ୍ଷ୍ମଧାରା ପ୍ରୟୋଜନ ଅନ୍ତତଃ ସେ ବିଷୟରେ ସମ୍ପୂର୍ଣ୍ଣ ଧାରଣା ନ ଥିଲେ, ଅଭିନୟରେ ସାଫଲ୍ୟ ଆଣିବା କଦାପି ସମ୍ଭବ ନୁହେଁ ।

 

ଯୋଉ ଅଭିନେତା, ଯୋଉ ବହିରେ, ଯୋଉଭଳି ଚରିତ୍ର ଗ୍ରହଣ କରୁନା କାହିଁକି ସେଥ‌ିରେ ସେ ନିଜକୁ ହଜେଇଦବାକୁ ହବ । ମଞ୍ଚ ଉପରେ ଠିଆହେଇ ତାକୁ ଭୁଲିଯିବାକୁ ହେବ ତାର ଅତୀତକୁ । ସେ କିଏ, କୋଉଠୁ ଆସିଛି, କ’ଣ ତା’ର କାମନା ଏସବୁ କଥାକୁ ପୂରାପୂରି ପୋଛିଦବାକୁ ହବ ମନରୁ । ଏତିକି କେବଳ ନୁହଁ, ଅଭିନୀତ ହେଉଥ‌ିବା ବହିଟିର ମୂଳରୁ ଚୂଳ ପର୍ଯ୍ୟନ୍ତ ଗତି କଲାବେଳେ ସେଇ ବହିର ସମସ୍ତ କୁଶିଲବପଣତାକୁ ଧ୍ୟାନରେ ରଖି ସେଇ ଗତି ସହିତ ନିଜର ଗତିକୁ ମେଳ ଖୁଆଇ ଖୁବ୍‌ ସତର୍କ ରହି ଅଭିନୟ କରିବାକୁ ପଡ଼ିବ ।

 

କୌଣସି ଅଭିନେତା ଦର୍ଶକଙ୍କୁ ନିଜର ଅଭିନୟରେ ଠକିବାର ମନୋଭାବ ପୋଷଣ କରିବା କସ୍ମିନ୍‌କାଳେ ଉଚିତ୍‌ ନୁହେଁ । ତା’ ଦ୍ଵାରା ନିଜକୁ ନିଜେ ଠକିବା ହିଁ ସାର ହୁଏ । କାରଣ ଦର୍ଶକ ବିଭିନ୍ନ ରୁଚିର ହୋଇଥିଲେ ହେଁ ଦୃଷ୍ଟିଭଙ୍ଗୀ କିନ୍ତୁ ପ୍ରତ୍ୟେକଙ୍କର ପ୍ରାୟ ସମାନ । ଯେତେ ଚତୁର ଓ ସଫଳ ଅଭିନେତା ହୁଅନ୍ତୁ ପଛକେ ଦର୍ଶକ ଆଖିକୁ ଫାଙ୍କିଦେଇ କିଛି ଗୋଟାଏ କାମ କରିପକେଇବା ସେତେ ସହଜ ନୁହେଁ ଏବଂ ଥରକପାଇଁ ଯଦି ଅଭିନେତାର ଅଭିନୟରେ କୌଣସି ଦୁର୍ବଳତା ଦର୍ଶକ ଦୃଷ୍ଟିକୁ ଆସେ ତେବେ ସେଥ‌ିପାଇଁ ଦର୍ଶକ ମନରେ ଯୋଉ କୁପ୍ରଭାବ ପଡ଼େ ତାହା କେବେହେଲେ ଲିଭିଯିବାର ନୁହେଁ । ଏଇଟା ଅନ୍ତତଃ ମୋର ବ୍ୟକ୍ତିଗତ ଧାରଣା ।

 

ଜଣେ ସଫଳ ଅଭିନେତା କେବଳ ସେଇ, ଯେ’କି ଏକ ବାସ୍ତବ ପରିବେଶରୁ ବିଚ୍ଛିନ୍ନ ହୋଇ ମଧ୍ୟ ରଙ୍ଗମଞ୍ଚର ସେଇ କୃତ୍ରିମ ପରିବେଶକୁ ବାସ୍ତବତାର ରୂପ ଦେଇପାରେ । ଦର୍ଶକ ମଣ୍ଡଳୀ ଉପଲବ୍ଧି କରନ୍ତୁ ତାହା ଅଭିନୟ ନୁହେଁ, ଜୀବନର ତାହା ସତ୍ୟ ଘଟଣା ।

 

ଗୋସ୍ଵାମୀଙ୍କର ସେଦିନର ସେଇ ବାଲ୍ୟଲୀଳା ଅଭିନୟରେ କୌଣସି ତ୍ରୁଟି ଯେ ନ ଥିଲା ତାହା କୁହାଯାଇ ନ ପାରେ । କିନ୍ତୁ ଦୋଷତ୍ରୁଟି ବାଛିବାର ଶକ୍ତି ସେତେବେଳେ ମୋ ଆଖିକୁ ଆସିନଥିଲା । ଏଣୁ ସେସବୁ ଅଭିନୟ ମୋ ଦୃଷ୍ଟିରେ ଥିଲା ସୁନ୍ଦର ଓ ମନୋରମ ।

 

ସ୍ଥାନ, କାଳ, ପରିବେଶ ସୃଷ୍ଟିଲାଗି ବିଭିନ୍ନ କନା ପରଦାରେ ଚିତ୍ର କରାଯାଇ ରଙ୍ଗମଞ୍ଚରେ ଟଣାଯାଇଥିଲା ଏବଂ ସେଇସବୁ ପରଦାକୁ ଭିନ୍ନ ଭିନ୍ନ ନାମରେ ନାମିତ କରାଯାଇଥିଲା ଯଥା–ଗ୍ରାମପଥ, ବନପଥ, ରାଜପଥ, ଅଳିନ୍ଦ ଦରବାର, ଆଶ୍ରମ କୁଟୀର, ଜଙ୍ଗଲ, ଉଦ୍ୟାନ ଇତ୍ୟାଦି ଇତ୍ୟାଦି ।

 

ସେସମୟରେ ସାଧାରଣତଃ ଯେଉଁସବୁ ରାସବହି ଅଭିନୀତ ହେଉଥିଲା ସେସବୁ ପ୍ରାୟ ଥିଲା ପାଞ୍ଚଅଙ୍କ ବିଶିଷ୍ଟ । ଗୋଟିଏ ଗୋଟିଏ ଅଙ୍କରେ ପାଞ୍ଚଟି, ସାତଟି କରି ଦୃଶ୍ୟ ରହୁଥିଲା । ଅଧିକାଂଶ ଅଭିନୟ ସନ୍ଧ୍ୟା ସାତଟା ଓ ସାଢ଼େ ସାତଟାରେ ଆରମ୍ଭ ହୋଇ ଭାଙ୍ଗୁଥିଲା ରାତି ବାରଟା, ଗୋଟାକରେ । କୋଉଠି କେମିତି ବିଳମ୍ବରେ ଆରମ୍ଭ ହେଇ ଶେଷ ହବାକୁ ସକାଳ ହଉଥିଲା ।

 

ଅଭିନୟରେ ଅଂଶଗ୍ରହଣ କରୁଥିଲେ ପୁଅ ପିଲାମାନେ । ସେଇ ପୁଅମାନେ ହିଁ ବିଭିନ୍ନ ନାରୀ ଚରିତ୍ରମାନ ଗ୍ରହଣ କରୁଥିଲେ । କାରଣ ସେ ସମୟରେ ଅଭିନୟ ତ ଦୂରର କଥା, ଆମ ଓଡ଼ିଆ ପରିବାରର କୌଣସି ଝିଅ, ବୋହୂ ଦାଣ୍ଡକୁ ବାହାରିବାରେ ସଙ୍କୋଚ ଅନୁଭବ କରୁଥିଲେ । ବିଦ୍ୟାଳୟମାନଙ୍କରେ ମଧ୍ୟ ଛାତ୍ରୀ ଯୋଗଦେବାକୁ କୁଣ୍ଠାବୋଧ କରୁଥିଲେ ।

 

ଯାହାହେଉ, ଅଭିନୟ କ୍ଷେତ୍ରରେ ଏଭଳି ପରିସ୍ଥିତିରେ ପୁରୁଷ ଯେ ସଫଳତାର ସହ ନାରୀ ଚରିତ୍ର ଅଭିନୟ କରିବାର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଥିଲା ଏକଥାକୁ ମୁକ୍ତକଣ୍ଠରେ ନିଶ୍ଚିତଭାବେ ସ୍ଵୀକାର କରିବେ ସେସମୟର ଦର୍ଶକବୃନ୍ଦ ।

 

ଯୋଉ ଦର୍ଶକ, ସେ ଯୁଗର ସେଇ ପୁରୁଷକୁ ସ୍ତ୍ରୀ ଚରିତ୍ରରେ ଅଭିନୟ କରିଥିବାର ଦେଖିଛି ସେ ନିଶ୍ଚୟ ଆଜିର ମଞ୍ଚରେ ଜଣେ ଅଭିନେତ୍ରୀଙ୍କ ଅଭିନୟ ଦର୍ଶନରେ ନାକଟେକିବେ ।

 

ରାତି ପ୍ରାୟ ଗୋଟାଏ କିମ୍ବା ଦୁଇଟା । ବାଲ୍ୟଲୀଳା ଶେଷ ହେଲା ଓ ଆମେ ଅର୍ଥାତ୍‌ ଅଭିନେତାମାନେ ନଡ଼ିଆ ତେଲରେ ପାଉଡ଼ର ଛଡ଼େଇ, ଦଳବଦ୍ଧ ହୋଇ ବାହାରିଲୁ ଭୂତସାହିର ବସାକୁ । ଖଲିପତ୍ର ପଡ଼ିଲା । ଖାଦ୍ୟ–ରୁଟି ଓ ଡାଲ୍‌ମା । ପୁଣି ସେଇ ପୁନରାବୃତ୍ତି । ଖାଇବା ପୂର୍ବରୁ ଛୋଟ ଛୋଟ ପିଲାଙ୍କର ପେଟରେ ଟିପମାରି ପରୀକ୍ଷା ଚାଲିଲା ଯେ ପ୍ରକୃତରେ ତାର ଖାଦ୍ୟ ଦର୍କାର କି ନା । ତାଲିକାରେ ମୁଁ ମଧ୍ୟ ଥିଲି । ପେଟ ଭିତରେ ଭୋକରେ କରଡ଼ି ଜଳୁଥିଲେ ବି ବାୟୁଦୋଷରୁ ପେଟଟା ଗାଉନ୍ଦା ଶୁଭି ମୋର ଭଗାରି ହେଲା । ପୂଜାରୀ ଭାଇନା ମୋତେ ଏକ କ୍ଷୁଦ୍ର ତଣ୍ଟିଆମାରି ଠେଲିଦେଇ କହିଲେ–‘‘ଯାଃ ଶୋଇପଡ଼’’।

 

ଉପାୟ କ’ଣ ? କାହାକୁ କହିବି ? ଅନ୍ୟର ଖଲିପତ୍ରରେ ବଢ଼ାହେଇଥିବା ଗରମ ରୁଟି, ଡାଲମାକୁ ଚାହିଁ, ଗୋଟାଏ ଲମ୍ବା ଦୀର୍ଘନିଶ୍ଵାସ ଛାଡ଼ି, ଘର ଭିତରେ ପଡ଼ିଥିବା ସତରଞ୍ଜି ଉପରେ ମୁହଁମାଡ଼ି ଶୋଇପଡ଼ିଲି ମୁଁ । ଭୋକେ ଓଡ଼ିଆ ନିଦଯାଏ । ଖାଣ୍ଟି ଓଡ଼ିଆ ମୁଁ । ତେଣୁ ପଡ଼ୁ ପଡ଼ୁ ନିଦ୍ରାଦେବୀ ମାଡ଼ି ବସିଲେ ମୋତେ ।

 

ତା’ପରଦିନ । ସକାଳ ହେଇଛି କି ନାହିଁ କାହାର ଦାରୁଣ ପ୍ରହାର ଆଘାତରେ ଚାଉଁକରି ସୁଖନିଦ୍ରା ମୋର ଭାଙ୍ଗିଗଲା । ବୋଉଲୋ ବୋଲି ଏକ ଚିତ୍କାର କରି ଉଠି ବସିଲି ମୁଁ । ପ୍ରହାର ଉପରେ ପ୍ରହାର । ମୁହୂର୍ତ୍ତକ ପାଇଁ ବିରତି ସେଥ‌ିରେ ନ ଥିଲା । ପ୍ରହାର ପାଇଁ ଉପକରଣ ଥିଲା ଗୋଟାଏ ଓଦା ଗାମୁଛା ଏବଂ ସେଇଟା ଦଉଡ଼ି ପରି ବଳାଯାଇଥିଲା I କଅଁଳ ଶିଶୁ ଚମଡ଼ା ମୋର, କେତେ ବା ସହିପାରିବ ? ସାଙ୍ଗେ ସାଙ୍ଗେ ଦେହସାରା ଲାଲରଙ୍ଗର ଦାଗ ପଡ଼ିଗଲା ।

 

ସେ ପ୍ରହାର ଯେ ମାଟିବଂଶ ଅବଧାନଙ୍କ ଜାଉଁଳି ବେତ ଆଘାତଠାରୁ ତୀବ୍ର ଓ ପ୍ରଖର ଥିଲା ତାହା ଆଜି ମୋ ମନରେ ଆସିଲେ ଭୟରେ ଲୋମ ଟାଙ୍କୁରି ଉଠେ । ମୁଁ ବିକଳରେ ଘରସାରା ଗଡ଼ିଯାଉଥାଏ ଆଉ ଗୋସେଇଁ ମହାପୁର ପିଟିଯାଉଥାନ୍ତି ।

 

ଘରେ ସେତେବେଳକୁ ଘରେଲୋକ ଭର୍ତ୍ତି ହେଇ ସାରିଥିଲେ । କିଛି ସମୟ ପରେ ଗୋସେଇଁଙ୍କ କ୍ରୋଧ ଶାନ୍ତ ହେଲା ଓ ଶେଷରେ ସେଇ ପିଟଣା ଗାମୁଛାଟାକୁ ମୋ ଉପରକୁ ଫିଙ୍ଗିଦେଇ ଅନ୍ୟଘରକୁ ଚାଲିଗଲେ ।

 

ପାଣି ଭିତରେ ପଡ଼ିଥିଲେ ଶୀତ କରେନା, ନିଆଁ ମଝିରେ ରହି କାମ କରୁଥିଲେ ତାତି କାଟେନା । ସେଇଭଳି ମାଡ଼ ଖାଉଥ‌ିବାବେଳେ ମାଡ଼ର ଯନ୍ତ୍ରଣା କେତେ କଷ୍ଟଦାୟକ ସେକଥା ବୁଝିହୁଏନା । ଗୋସେଇଁ ମହାପୁର ଚାଲିଯିବା ପରେ ମୋର ସର୍ବାଙ୍ଗ ଜଳି ଉଠିଲା । ନିଜର ଅବସ୍ଥା ପ୍ରତି ଦୃଷ୍ଟି ଫେରେଇଲି । ଆପଣାର ଅପରାଧକୁ ଲକ୍ଷ୍ୟ କରି ଲଜ୍ଜା ଘୃଣାରେ ଅନୁତାପ କରି କଇଁକଇଁ ହେଇ କାନ୍ଦି ଉଠିଲି ।

 

ଅପରାଧ ଥିଲା ଖୁବ୍‌ ଗୁରୁତର । ଶୋଇବା ବିଛଣାରେ ମୂତ୍ର ତ୍ୟାଗ ।

 

ତା’ପରେ ?

 

ତା’ପରେ ସେଇଭଳି ଭାବରେ ମୋର ଜୀବନଚକ୍ର ଗୋସେଇଁଙ୍କ ରାସଦଳରେ ଏକ ଦୁଃଖମୟ ପରିସ୍ଥିତି ଭିତର ଦେଇ ଗଡ଼ିଚାଲିଥାଏ । ରାତି ଆସିଲେ ଦୁନିଆର ସବୁଯାକ ଭୟ ଯେମିତି ମୋର ମନ ଭିତରେ ବସା ବାନ୍ଧନ୍ତି । କାଳେ ବିଛଣାରେ ପୁଣି ପରିସ୍ରା ହେଇଯିବ, ଏଇ ଡରରେ ଅନେକ ରାତିରେ ଭଲ ନିଦ ମଧ୍ୟ ହୁଏ ନାହିଁ ।

 

କିନ୍ତୁ–କିଛି ଫଳ ହେଲା ନାହିଁ । ବିଛଣାରେ ନିଦ ଲାଗିଲେ ହିଁ ଝର ଛୁଟିଲା । ଆଉ କାଳ ବିଳମ୍ବ ନ କରି ଗୋସେଇଁ ମହାପୁର ଆରମ୍ଭ କଲେ ତାଙ୍କର ପ୍ରହାର ପର୍ବ । ରାସଦଳର ଅଭିନୟ ଦେଖି ଏବଂ ସାଙ୍ଗସାଥୀମାନଙ୍କର ସ୍ନେହମମତା ବନ୍ଧନରେ ବାନ୍ଧିହେଇ ମନ ମୋର ରାସଦଳ ପ୍ରତି ଯେତିକି ଯେତିକି ମାତ୍ରାରେ ଟାଣିହେଇ ଯାଉଥିଲା ଠିକ୍‌ ସେତିକି ମାତ୍ରାରେ ସେ ବନ୍ଧନକୁ ଛିନ୍ନ କରୁଥିଲା–ମୋର ଅପକର୍ମର ଭାବୀ ବିପଦସବୁ ।

 

ଦଳରେ ଛୋଟ, ବଡ଼, ଯେତେ ଲୋକ ଥିଲେ ପ୍ରାୟ କାହାରି ମୁହଁକୁ ଟିକିଏ ସିଧା ହେଇ ଚାହିଁବାର ସାହସ ମୋର ଯେମିତି ନ ଥିଲା କହିଲେ ଚଳେ ।

 

ବ୍ରହ୍ମପୁରରୁ ରସଲକୁଣ୍ଡା ଓ ରସଲକୁଣ୍ଡାରୁ ସିଧା ଗଲୁ ପାରଳାଖେମୁଣ୍ଡି ମହାରାଜାଙ୍କ ଡକରା ପାଇ । ଉଆସରେ ରାସ ଅଭିନୟ ପାଇଁ ମହାରାଜାଙ୍କ ତରଫରୁ ସବୁ ରକମର ବ୍ୟବସ୍ଥା କରାଯାଇଥାଏ । ରାସଦଳଙ୍କ ରହିବାଲାଗି ଅତିଥିଭବନର ବନ୍ଦୋବସ୍ତ । ରୁଚିପୂର୍ଣ୍ଣ ଘରଦ୍ୱାର ଦେଖି ମନଭିତରେ କୁହୁଳୁଥିବା ଦୁଃଖ ମୋର ଅନେକ ପରିମାଣରେ ଲାଘବ ହେଇଗଲା । ପ୍ରତ୍ୟେକ ଅଭିନେତାଙ୍କ ଗୋଡ଼ ଆନନ୍ଦରେ ତଳେ ଲାଗୁ ନ ଥାଏ । ସେଠାରେ ଆମେ ପାଦ ଦଉ ନ ଦଉଣୁ କ୍ଷୀରୀ, ପୁରିରେ ଭାସିଲୁ ।

 

ବସ୍ତା ବସ୍ତା ସରୁ ବାସନା ଅରୁଆଚାଉଳ, ଡାଲି, ଖାଇବା ଘିଅଟିଣ, ଚିନି, ମିଠେଇ, ବିଭିନ୍ନ ପରିବା ବୋଝେଇ ଶଗଡ଼ ବୁହାଚାଲିଥାଏ ଆମମାନଙ୍କ ରହିବା ସ୍ଥାନକୁ । ଗୋସ୍ଵାମୀଙ୍କ ରାସମଣ୍ଡଳୀରେ ଆମେ ଯେତିକି ଲୋକ ଥିଲୁ ସେ ତୁଳନାରେ ଏସବୁ ଖାଦ୍ୟ ଜିନିଷ ଯେ ଅତ୍ୟଧିକ ଥିଲା ତାହା ନ ଦେଖିଲା ଲୋକ କେବେହେଲେ ବିଶ୍ଵାସ କରିବ ନାହିଁ ।

 

ଏସବୁ ଦୃଶ୍ୟ ଥିଲା ମୋ ନିକଟରେ ସମ୍ପୂର୍ଣ୍ଣ ନୂତନ, ମୋର କଳ୍ପନାର ବହୁ ଉର୍ଦ୍ଧରେ ।

Unknown

 

ଶୁଣୁଥିଲି, ପାରଳା ମହାରାଜା ଯେମିତି ଥିଲେ ରସିକ, ଭାବୁକ, କଳାପ୍ରେମୀ, ସେମିତି ଥିଲେ ମଧ୍ୟ ଜଣେ ଜାତୀୟତାବାଦୀ ନେତା । ପାରଳାଖେମୁଣ୍ଡିରେ ଅଧିକାଂଶ ଲୋକ ତେଲ୍‌ଗୁଭାଷାକୁ ପସନ୍ଦ କରୁଥିଲେ ମଧ୍ୟ ପାରଳା ଯେ ପ୍ରକୃତରେ ଓଡ଼ିଶାର, ଏକଥାକୁ କେନ୍ଦ୍ରକରି ମହାରାଜାଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଓଡ଼ିଆମାନେ ସଙ୍ଗଠିତ ଉଦ୍ୟମ ଚଳେଇଥିଲେ ।

 

ରାଜପ୍ରାସାଦ ଦେଖିବାକୁ ବେଶ୍‌ କଳାପୂର୍ଣ୍ଣ ପରି ଲାଗେ । ଦୁଇପାଖର ଦୁଇଟି ସିଂହମୂର୍ତ୍ତି ବଡ଼ ଜୀବନ୍ତ । ଅବଶ୍ୟ ରାଜବାଟୀ ଆଗରେ କିଛି ପ୍ରଶସ୍ତ ସ୍ଥାନ ଥିଲେ ଆଉ ଟିକିଏ ମାନୁଥାନ୍ତା !

 

ମହାରାଜା ଡକେଇ ପଠେଇଲେ ଗୋସେଇଁ ମହାପୁରଙ୍କୁ । ଆଉ ସେ ନିମନ୍ତ୍ରଣ ଆଣିଥିଲେ ସ୍ଵୟଂ ଦେବାନବାହାଦୂର ନିଜେ । ଗୋସ୍ଵାମୀଙ୍କଠାରେ କି ମୋହନମନ୍ତ୍ର ଥିଲା ମୁଁ ତାହା ଜାଣେନା; ମାତ୍ର ଏତେ ସମ୍ମାନ, ଏତେ ଆଦର, ଭକ୍ତି କୌଣସି ଦେବତାଙ୍କୁ ମିଳେ କି ନା ସନ୍ଦେହ ।

 

ମୋହନ ଗୋସ୍ଵାମୀଙ୍କୁ ସେତେବେଳେ, ସେ ସମୟରେ ଜନସାଧାରଣ ଯେ କେବଳ ପୂଜା କରୁଥିଲେ, ଭକ୍ତି କରୁଥିଲେ ତା’ ନୁହେଁ, ନିଜର ସ୍ଵାର୍ଥ ସାଧନ ପାଇଁ କେହି କେହି ଅପମାନ ଦେବାକୁ, ହଇରାଣ କରିବାକୁ ବି ଆଗେଇ ଆସୁଥିଲେ ।

 

ଆପଣମାନଙ୍କୁ ରସଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର) କଥା କହିବାକୁ ଭୁଲି ଯାଇଛି । ରଙ୍ଗମଞ୍ଚ ଥିଲା ଗୋଟିଏ ଲମ୍ବା ଚାଳଘର । ମାନଭଞ୍ଜନ ଅଭିନୟ ହେବାକୁ ସମୟ କିଛି ବାକିଥିଲା-। ଖୁବ୍‌ ଦର୍ଶକ ଭିଡ଼ I କେତେଗୁଡ଼ିଏ ଲୋକଙ୍କ ସହିତ ଆମ ଦଳର କେତେକ ମୁଖିଆ କ’ଣ ଟିକିଏ କଥାରେ ଉଚ୍ଚବାଚ ହେଲେ । ବାସ୍‌ । ଆଉ କି ସମ୍ଭଳା ପଡ଼େ ? ଅବସ୍ଥା ଗୁରୁତର ହେଲା । ପ୍ରଧାନ ଗେଟ୍‌ରେ ଯୋଉ ଡେ–ଲାଇଟି ଜଳୁଥିଲା ତାକୁ କିଏ ଲିଭେଇଦେଲା । ଚାଲିଲା ଢେଲା ପଥର ମାଡ଼ । ସାଇଁ–ସାଇଁ, ଦୁମ୍–ଦୁମ୍ ।

 

ସେ ଯୁଗ କହନ୍ତୁ ଅବା ଏ ଯୁଗ କହନ୍ତୁ ସବୁ ଯୁଗରେ ଅସାମାଜିକ ଦଳେ ରାଉଡ଼ି (ଗୁଣ୍ଡା) ସମାଜରେ ଦଳବଦ୍ଧ ହୋଇ ନିରୀହ ଜନତାର ସର୍ବନାଶ କରିଥାନ୍ତି । ଏଥ‌ିରେ ବା ନୂତନତ୍ଵ କ'ଣ ଅଛି ? ରସଲକୁଣ୍ଡାର ସେଇ ରାଉଡ଼ି ଦଳଙ୍କର ନିର୍ମମ ଆଘାତ ହିଁ ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କର ହୃଦୟରେ ଏକ ଗଭୀର ରେଖାପାତ କରିଥିଲା, ଯାହାକୁ କି ଭୁଲି ନ ପାରି ପରବର୍ତ୍ତୀ କାଳରେ ଗୋସେଇଁ ବିଭିନ୍ନ ଭାଷଣରେ ପ୍ରକାଶ କରୁଥିଲେ ।

 

‘‘ଯାଇଥିଲି ରସଲକୁଣ୍ଡା

ପଥର ପଡ଼ିଲା ମୁଣ୍ଡାକୁ ମୁଣ୍ଡା’’

 

ନୈସର୍ଗିକ ଶୋଭା ସଂପଦରେ ପରିପୂର୍ଣ୍ଣ ଗଞ୍ଜାମ ରାଣୀଙ୍କର ଏଇ କେତୋଟି ମୁଖ୍ୟସ୍ଥାନ ଗୋସେଇଁଙ୍କ କୃପାରୁ ଭ୍ରମଣ କରି ଯେତିକି ଅନୁଭୂତି ଅର୍ଜନ କରି ନ ଥିଲି, ତା’ ଠାରୁ ବହୁଗୁଣରେ ଅର୍ଜନ କରିଥିଲି–ଚାରି, ଚୁପୁଲି, ଚଲାରୁ ।

 

‘‘ଚାରି, ଚୁପୁଲି, ଚଲା–ଏସବୁ ନ ନେଲେ

ଦକ୍ଷିଣ ଗଲେ ଯେ ମଲା’’

 

ଏପର୍ଯ୍ୟନ୍ତ ବି ଅଭିନୟ କ୍ଷେତ୍ରରେ ମୋର ଖଡ଼ିଛୁଆଁ ଅନୁକୂଳ ହେଇନଥିଲା । ଯାହା ଆଖିରେ ଦେଖୁଥିଲି ଶୁଣୁଥିଲି ସେସବୁକୁ ମନେ ମନେ ମନ ଭିତରେ ଦୋହରଉଥିଲି । ଅଭ୍ୟାସ କରୁଥିଲି । ଅଭିନୟ ଶିକ୍ଷାରେ ପ୍ରଧାନ ପ୍ରତିବନ୍ଧକ ଥିଲି ମୁଁ ନିଜେ । ବାରମ୍ବାର ବିଛଣାରେ ପରିସ୍ରା କରିବା ଯୋଗୁଁ ଗୋସେଇଁ ମହାପୁର ମୋ ଉପରେ ଏତେଦୂର ରାଗିଯାଇଥିଲେ ଯେ ମୋର ସ୍ଥିତି ସମ୍ପର୍କରେ ତାଙ୍କର ଧାରଣାକୁ ସେ ଏକାବେଳେକେ ପାସୋରି ପକେଇଥିଲେ ।

 

ପାରଳାଖେମୁଣ୍ଡି ରହଣି ସମୟରେ, ବାର୍ତ୍ତା ଆସିଲା କେନ୍ଦୁଝରଗଡ଼ ଦେବାନ ସାହେବଙ୍କ ନିକଟରୁ । ଅଭିନୟ ପାଇଁ ସାତରାତି ବରାଦ । ତା’ପର ସତକୁ ସତ କେଇଟି ଦିନପରେ ଆମର ଡେରା ଉଠିଲା କେନ୍ଦୁଝରଗଡ଼କୁ । ବିଦାୟ ସମୟରେ ପାରଳା ମହାରାଜାଙ୍କ ଉଆସରୁ ଆସିଲା ଗୋସେଇଁ ମହାପୁରଙ୍କ ପାଇଁ ନଗଦ ଟଙ୍କା ଓ ଦାମିକା ବ୍ରହ୍ମପୁରୀ ପାଟ ।

 

ପାରଳାଖେମୁଣ୍ଡିରୁ ଛୋଟରେଳ (ମିଟର ଗେଜ୍‌)ରେ ବସି ନଉପଡ଼ା ଆସି ସେଠାରୁ ବଡ଼ରେଳ (ବ୍ରଡ୍‌ ଗେଜ୍‌) ଯୋଗେ ସିଧା ଟିକଟ କଟାହେଲା ଡୋଲିପୁର ରେଳ ଷ୍ଟେସନ୍‌କୁ ।

 

ଆଜି ଯାହାକୁ ଯାଜପୁର ରୋଡ଼୍‌ ବା କେନ୍ଦୁଝର ରୋଡ୍‌ ବୋଲି କୁହାଯାଉଛି ତାହା ସେତେବେଳେ ଡୋଲିପୁର ନାମରେ ପରିଚିତ ଥିଲା ।

 

କେନ୍ଦୁଝର ରାଜା ସାହେବଙ୍କ ଆଦେଶ ଥିଲା ସେଇ ରେଳ ଷ୍ଟେସନ୍‌ ନିକଟରୁ ଗାଡ଼ି ପଠେଇ ଆମକୁ ଗଡ଼କୁ ନେଇଯିବେ । ସେଇୟା ହେଲା ।

 

କେନ୍ଦୁଝରଗଡ଼ । ବେଶ୍‌ ଯୋଜନାବଦ୍ଧ ଭାବେ ତିଆରି । ଠିକ୍‌ ଯେମିତି ନକ୍ସା କାଟିଲା ପରି ଗଢ଼ା । ପାରଳାଖେମୁଣ୍ଡି ଭଳି ଏତେ ଜକାଜକା ଘର ଓ ଗଳିକନ୍ଦି ନ ଥିଲା ସେଠାରେ । ନିର୍ମଳ ପ୍ରଶସ୍ତ ରାସ୍ତା । ଏକମଛ ଛଡ଼ା ଛଡ଼ା । ଇଟା, ଖପରୁଲିର ରୁଚିପୂର୍ଣ୍ଣ ଅମଲାଘର, ଅଳିଆ, କଚଡ଼ା ଟିକିଏ ସୁଦ୍ଧା ଆଖିରେ ପଡ଼ୁନଥିଲା ।

 

ଗାଁ ପରିମଳ ଧୋବା ତୁଠରୁ ଦିଶେ,

ପୁତ୍ର ପରିମଳ ବୁଢ଼ାକାଳେ ଯେବେ ପୋଷେ ।

 

ଠିକ୍‌ ସେହିଭଳି କେନ୍ଦୁଝର ରାଜାସାହେବଙ୍କର ରୁଚିପୂର୍ଣ୍ଣ ମନୋଭାବର ପରିଚୟ ଦିଏ ସେଇ କେଉଁଝର ଗଡ଼ । ଗଡ଼ରେ ପହଞ୍ଚି ଯେକୌଣସି ବେରସିକ, ଗଡ଼ର ନିର୍ମାଣ ପରିପାଟୀ ଦେଖିଲେ ଅକ୍ଳେଶରେ ବୁଝିପାରିବ ଯେ ସ୍ଥାନୀୟ ମହାରାଜା ପ୍ରକୃତରେ ଜଣେ କଳା ଓ ସୌନ୍ଦର୍ଯ୍ୟର ପୃଷ୍ଠପୋଷକ ।

 

କେଉଁଝରଗଡ଼ର ପ୍ରଧାନ ଓ ସର୍ବଶ୍ରେଷ୍ଠ ରଙ୍ଗାଳୟ ଥିଲା ବିଶାଳ ଓ ବିଖ୍ୟାତ୍‌ ଟାଉନ୍‌ ହଲ । ଏକ ଦରବାର ହଲ୍‌ ପରି ବିଭିନ୍ନ ଆସବାବପତ୍ରରେ ସଜ୍ଜିତ ଥିଲା ଏହା । ଗଡ଼ର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଏହିଠାରେ ହିଁ ଉଦ୍‌ଘାଟନ ଏବଂ ଉଦ୍‌ଯାପନ ହେଉଥିଲା । ଏଇ ଟାଉନ୍‌ହଲ୍‌ ରଜାସାହେବ୍‌ଙ୍କର ପୂରାପୂରି ବ୍ୟକ୍ତିଗତ ରଙ୍ଗମଞ୍ଚ ଥିଲା କହିଲେ ଚଳେ ।

 

ରଙ୍ଗମଞ୍ଚ ପାଇଁ ସ୍ଵତନ୍ତ୍ର ଭାବରେ ବହୁ ଅର୍ଥ ବ୍ୟୟ କରାଯାଉଥିଲା ରାଜକୋଷରୁ । ମୂଲ୍ୟବାନ ପୋଷାକ, ବାଦ୍ୟଯନ୍ତ୍ର, ପର୍‍ଚୂଳା (ଫଲ୍ସ ହେୟାର୍‌) କଲିକତା ବଜାରରୁ ଖର୍ଦ୍ଦିହେଇ ଆସି ବଡ଼ବଡ଼ କାଠ ଆଲମିରାରେ ଗଚ୍ଛିତ କରି ରଖାଯାଇଥିଲା । ଏସବୁର ଦେଖାଶୁଣା ଲାଗି ବେତନଭୋଗୀ କର୍ମଚାରୀ ମଧ୍ୟ ନିଯୁକ୍ତି ପାଉଥିଲେ ।

 

ନିର୍ଦ୍ଦିଷ୍ଟ ଦିନରେ ଏବଂ ନିର୍ଦ୍ଦିଷ୍ଟ ସମୟରେ ଅଭିନୟ ଆରମ୍ଭ ହେଲା ସେଠାରେ । କହିବାକୁ ଭୁଲିଯାଇଚି ଯେ ସେତେବେଳେ ରାଜାରାଜୁଡ଼ାମାନଙ୍କର ଗଡ଼ରେ ଯୋଉସବୁ ବରାଦି ଅଭିନୟ କରଯାଉଥିଲା ତାହା ପ୍ରାୟ ରାଜା–ମହାରାଜାଙ୍କ ସମୟାନୁସାରେ ଆରମ୍ଭ ହଉଥିଲା ଓ ଅଭିନୟ ମଝିରେ ସେମାନେ ମଣୋହି ନିମନ୍ତେ ପ୍ରାସାଦକୁ ଚାଲିଯାଉଥିଲେ ।

 

ହତଭାଗ୍ୟ ଦର୍ଶକ ମଣ୍ଡଳୀ ଅଭିନୟ ରସ ଆସ୍ଵାଦନରୁ ବଞ୍ଚିତ ରହି ଚାହିଁ ରହୁଥିଲେ ଛାମୁଁଙ୍କର ବାହୁଡ଼ାପଥକୁ । ଶ୍ରୀଛାମୁଁଙ୍କର ଫେରିବାର କୌଣସି ନିର୍ଘଣ୍ଟ ନ ଥିଲା ।

 

ଏଣେ ବିଚରା ରାସଦଳର ଛୋଟ ଛୋଟ ବାଳକ ଅଭିନେତାଗଣ ଅଧା ଅଭିନୟ କରି, ସେମିତି ବେଶହୋଇ, ମୁହଁରେ ପାଉଡ଼ର ଲଗେଇ, ହାଇମାରି, ନିଦୁଆ ଆଖରେ, ବସି ରହୁଥିଲେ ବାକି ଥ‌ିବା ଅଭିନୟ ପ୍ରଦର୍ଶନ ଲାଗି । ସେଇ ମର୍ମାନ୍ତକ ଅନୁଭୂତି କଥା ଭୁକ୍ତଭୋଗୀ ବିନା କହିବ କିଏ ? ଅଙ୍ଗେ ଲିଭେଇ ନ ଥିଲେ ବୁଝିବ ବା କିଏ ??

 

କେନ୍ଦୁଝର ଗଡ଼ରେ ଲାଗ୍‌ଲାଗ୍‌ ଚାଲିଲା ରାସ ଅଭିନୟ । ଲୋକଙ୍କ ମୁଖରୁ ପ୍ରଶଂସା ଆସିବା ସଙ୍ଗେ ସଙ୍ଗେ ରାଜବାଟୀରୁ ଆସିଲା ପ୍ରଚୁର ରସଦ୍‌ ।

 

ରାସଦଳର ପ୍ରତ୍ୟେକଙ୍କ ପାଇଁ ସେସବୁ ଦିନଗୁଡ଼ିକ ସୁଖମୟ ଥିଲେ ହେଁ ମୋ ପାଇଁ ହେଲେ କିନ୍ତୁ ବଡ଼ ଦୁଃଖମୟ । ବେଙ୍ଗ ପେଟରେ ଘିଅ ହଜମ୍‌ ହେଲା ନାହିଁ । ଧରିଲା ନାଳ, ରକ୍ତ ଝାଡ଼ା l ଅନବରତ ପେଟ ମୋର ରକ୍ତଖିଆ ଟିଙ୍କପରି ଫୁଲି ଉଠିଲା । ଗୋସେଇଁ ମହାପୁରଙ୍କର କୋପଦୃଷ୍ଟିଟା ମୋ ଉପରେ ଆହୁରି ଘନୀଭୂତ ହେଇ ପଡ଼ିଲା ।

 

ନାଳ, ରକ୍ତ ଝାଡ଼ାର ଯୋଉ ବେଗ, ସେଇ ବେଗର ତାଡ଼ନାରେ ସ୍ଥାନ ଅସ୍ଥାନ ଭୁଲିଗଲି ମୁଁ ।

 

ଚାଲିଲା ପ୍ରହାର, ହାତରେ ଏବଂ ଭାତରେ । ଦିନ ବେଳା ମାଡ଼, ଗାଳି ଆଉ ରାତିରେ ଖାଇବାବେଳ ହେଲେ ପେଟରେ ଟିପମାରି ଖାଦ୍ୟନିଷେଧ । ସେ ପରିସ୍ଥିତି ମୋର ନରମ ମନଟାକୁ ବିବ୍ରତ କରିଦେଲା । ବସିଲେ, ଉଠିଲେ କୋହ ଉଠିଲା । ମନେ ମନେ ସବୁବେଳେ ଭାବିବସିଲି ଭାଇ ମୋତେ କାହିଁକି ଏଠାରେ ଛାଡ଼ିଲେ ? ଗାଁର ପାଣି, ପବନ, ତୋଟା, ବିଲ ସମସ୍ତେ ଯେମିତି ତାଙ୍କ ପାଖକୁ ମୋତେ ଠାରି ଡାକିଲେ ।

 

ଦିନେ ଥରେ ଗୋସେଇଁ ମହାପୁର କହିଲେ–‘‘ଏଇଟା ଖାଲି ଅନ୍ନଧ୍ଵଂସ କରୁଛି, ପୁରୀରେ ୟାକୁ ଛାଡ଼ିଦେଇ ଆସ ।’’

 

ବାସ୍‌ । ଆଖି ପିଛୁଳାକେ ସବୁ ବନ୍ଧନ ଛିଡ଼ିଗଲା । ସବୁ ମାୟା ମମତା ତୁଟିଗଲା । କୁଆଡ଼େ ଗଲା ସେ ଅଭିନୟ ନିଶା, ଗୋଟିଏ ଲୋକସାଙ୍ଗରେ ମୋତେ ପଠେଇ ଦିଆଗଲା ପୁରୀ-

 

ଏହା ୧୯୨୫ ମସିହା କଥା । ୧୯୧୯ରେ ମୋର ଜନ୍ମ ଅର୍ଥାତ୍‌ ସେତେବେଳକୁ ବୟସ ମୋର ଥିଲା ସାତବର୍ଷ ।

 

ଓଡ଼ିଶାର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା । ବଡ଼ ବଡ଼ ହାକିମ ଥିଲେ ବିଲାତ ସରକାରଙ୍କ ପ୍ରତିନିଧି ଏବଂ ତାଙ୍କ ତଳକୁ ଯୋଉମାନେ ରହିଥିଲେ ସେମାନେ ସମସ୍ତେ ପ୍ରାୟ ଅଣଓଡ଼ିଆ । ବିଶେଷକରି ବଙ୍ଗୀୟ କର୍ମଚାରୀଙ୍କ ଆଧିପତ୍ୟ ଥିଲା ଖୁବ୍‌ ବେଶି ।

 

ବଡ଼ ଦୁଃଖର କଥା ଯେ ଓଡ଼ିଆମାନଙ୍କର ସରଳତାର ସୁଯୋଗ ନେଇ ବିଦେଶୀ ବିଲାତି ସରକାର, ପ୍ରାକୃତିକ ବିପର୍ଯ୍ୟୟଗ୍ରସ୍ତ ଓଡ଼ିଶାର ଯାହାବା କ୍ଷତି ନ କରୁଥିଲେ ତା’ଠାରୁ ବେଶି ପରିମାଣର କ୍ଷତି କରୁଥିଲେ ଏଇସବୁ ବଙ୍ଗବାସୀ ବନ୍ଧୁମାନେ । ମଜାର କଥା ଏଇ ଯେ ବଙ୍ଗୀୟମାନଙ୍କର ସେଇସବୁ ଓଡ଼ିଆ ବିରୋଧୀ କାର୍ଯ୍ୟକଳାପରେ ବେଶିମାତ୍ରାରେ ସହଯୋଗ କରୁଥିଲେ ଓଡ଼ିଶାର ଦାନାଖାଇ ଓଡ଼ିଶାର ପାଣି, ପବନରେ ବଢ଼ିଥିବା କେତେକ ମୁଷ୍ଟିମେୟ ‘କେରା’ ଦଳ ।

 

ଓଡ଼ିଶାର ଭାଷା, ସଂସ୍କୃତି, ସାହିତ୍ୟ, କଳା କିପରି ଲୋପ୍‌ ପାଇଯିବ ସେଥ‌ିନେଇ ବଙ୍ଗୀୟ ଭାଇମାନେ ଖୁବ୍‌ ଗୋଟାଏ ଷଡ଼ଯନ୍ତ୍ରର ଜାଲ ମେଲେଇ ଦେଇ ଖୁସି ହଉଥିଲେ ।

 

ସେତେବେଳେ ସେଇସବୁ ବଙ୍ଗୀୟ ଦାଦା ଓ ତାଙ୍କ ସହିତ ଆମ ଓଡ଼ିଶାର ‘କେରୁ’ ଦାଦାମାନେ ମିଳିମିଶି କୋଉଠି କେମିତି ସୌଖୀନ ଭାବରେ ଅଭିନୟ କରୁଥିଲେ । ନାଟକଗୁଡ଼ିକ ବଙ୍ଗଳାରୁ ଅନୁବାଦ ହେଉଥିଲା । ଏସବୁ ଅଭିନୟର ପ୍ରଧାନ ଉଦ୍ଦେଶ୍ୟ ଥିଲା–ଜନସାଧାରଣ ବୁଝନ୍ତୁ ଯେ ବାସ୍ତବରେ ଓଡ଼ିଶାରେ କଳା ବୋଲି କିଛି ନାହିଁ, ଯାହାସବୁ ଦର୍ଶକ ଦେଖୁଛନ୍ତି ତାହାସବୁ ବଙ୍ଗଳାର ଅବଦାନ ।

 

ଓଡ଼ିଆ କିନ୍ତୁ ନିଜଘରେ ପରର ଆସ୍ଫାଳନକୁ ବରଦାସ୍ତ କରିଯିବାର ଅଭ୍ୟାସ କରିନେଇଥିଲେ । ୟାର ଯେ ବଡ଼ କାରଣ ନ ଥିଲା ତା’ ନୁହେଁ । ଓଡ଼ିଆ ଅନ୍ୟ ଜାତି ନିକଟରେ ନମ୍ରତା ଓ ଭଦ୍ରତା ପ୍ରଦର୍ଶନ କଲେ ମଧ୍ୟ ନିଜ ଜାତିର ଗୋଡ଼ଟାଣିବା ନୀତିରେ ଅତି ଧୁରନ୍ଧର ।

 

ମୋର ନିଜର ଅନୁଭୂତିରୁ ମୁଁ ଭଲକରି ଜାଣେ ଯେ ଓଡ଼ିଆଙ୍କ ଭିତରେ ଦଳାଚକଟା ଯୋଗୁଁ ଅନ୍ୟ ଜାତିର ଲୋକେ ଓଡ଼ିଶାରେ ମଜା ମାରୁଥିଲେ । ଆଉ ମଧ୍ୟ ଏକଥା ବି ଜାଣେ ଯେ ଆମର ବ୍ରାହ୍ମଣ–କରଣ ଭିତରେ ଟଣା ଓଟରା, କରଣ–ଖଣ୍ଡାୟତ ଭିତରେ ମନମାଳିନ୍ୟ ମୂଳରେ ଥିଲେ ଦୋଷୀ କରଣ ଗୋଷ୍ଠୀ ।

 

ଜଣେ କରଣ ଗୋଟାଏ ବି ଜାତିର ପଦ ଲେହନ କରିବାକୁ ସୁଖ ପାଏ, ଅଥଚ ଅନ୍ୟଗୋଷ୍ଠୀର ଜଣେ ଓଡ଼ିଆକୁ ଘୃଣା ଓ ସମାଲୋଚନା କରି ଦଶହାତ ଦୂରରେ ବସାଏ । ସେଇ କରଣ କହିଛି......

 

‘‘ଅଶ୍ଵପୃଷ୍ଠେ, ଗଜାରୂଢ଼େ ଅଥବା ନର ବାହନେ,

ତଥାପି ଜାତି ମାହାତ୍ମ୍ୟ ନଚଷା ସଜ୍ଜନାୟତେ ।’’

 

ସ୍ଥାୟୀ ରଙ୍ଗମଞ୍ଚ ହିସାବରେ ସେ ସମୟରେ ଓଡ଼ିଶାରେ କଟକର ବାସନ୍ତ ରଙ୍ଗମଞ୍ଚ, ବ୍ରହ୍ମପୁରରେ ସାରଥୀ ସାହୁଙ୍କ ରଙ୍ଗମଞ୍ଚ, ନୀଳଗିରି ରାଜାଙ୍କ ରଙ୍ଗମଞ୍ଚ, କେନ୍ଦୁଝର ରାଜାସାହେବଙ୍କ ଟାଉନ୍‌ହଲ୍‌ ରଙ୍ଗମଞ୍ଚ, ପୁରୀର ଜଗନ୍ନାଥ କ୍ଲବ୍‌ ରଙ୍ଗମଞ୍ଚ ଏବଂ ପୁରୀର ଶ୍ରୀ ଲୋକନାଥଙ୍କ ନିକଟରେ ପ୍ରଖ୍ୟାତ ଶ୍ରୀ ହଜୁରୀ ରଙ୍ଗମଞ୍ଚ ଥିଲା ।

 

ଏ ରଙ୍ଗାଳୟମାନଙ୍କରେ କେବେ କେମିତି ଯୋଉସବୁ ନାଟକ ଅଭିନୟ କରାଯାଉଥିଲା, ତାହା କେବଳ ବଙ୍ଗଳା ନୁହେଁ, ତେଲ୍‌ଗୁ, ଓଡ଼ିଆ ଓ ଅନ୍ୟ ଭାଷାରୁ ଅନୁବାଦ ବହି ଅଭିନୀତ ହେଉଥିଲା । ସାମାଜିକ ବହିକୁ ଛାଡ଼ିଦେଲେ ଅନ୍ୟ ଯୋଉ ସବୁ ବହି ନାଟକ ଆକାରରେ ଅଭିନୟ କରାଯାଉଥିଲା ସେଥିରୁ ଅଧିକାଂଶ ନାଟକ ହେଲା ଐତିହାସିକ ଓ ପୌରାଣିକ । ତା’ଛଡ଼ା ରାସ ମଣ୍ଡଳୀମାନଙ୍କରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ଲୀଳାସବୁ ଅଭିନୀତ ହେଉଥିଲା । ବିଶେଷକରି ଓଡ଼ିଶାର ରାସ ଅଭିନୟ ଯେ ଖୁବ୍‌ ଉଚ୍ଚକୋଟିର ଥିଲା ସେଥିରେ ସନ୍ଦେହ କରିବାର କୌଣସି ଅବକାଶ ନାହିଁ ।

ଆଜିକାଲିର ନାଟ୍ୟାଭିନୟଠାରୁ ସେକାଳର ଅଭିନୟ କୌଶଳ ମୋ ମତରେ ନିଶ୍ଚିତଭାବେ ଥିଲା ମାର୍ଜିତ, ପୁଣି ଆଜିର ଆଧୁନିକ ମଞ୍ଚରେ ଯେପରି ଭାବରେ ଜବରଦସ୍ତ କରି ଯୋଉ ଟେକ୍‌ନିକ୍‌କୁ ପ୍ରବେଶ କରେଇ ଦିଆଯାଉଛି ତାହା ସମ୍ଭବତଃ ଅଭିନୟର ଦୁର୍ବଳତାକୁ ଢାଙ୍କିବାପାଇଁ । ତା’ ନ ହେଲେ ଆଉ କ’ଣ ?

 

ଯଦି ଜଣେ ଦକ୍ଷ ଅଭିନେତା ତାର ବଳିଷ୍ଠ ଅଭିନୟକୁ ଜୀବନ୍ତ କରି ପ୍ରକାଶ କରିପାରିଲା ତେବେ ସେ କ୍ଷେତ୍ରରେ ଏତେ ଟେକନିକ୍‌ କ’ଣ ବା ଦରକାର ? ତେବେ ଅଭିନୟରେ ଅଳ୍ପ କିଛି ଟେକ୍‌ନିକ୍‌ ଯେ ରହିବ ନାହିଁ ତାହା ଅସ୍ଵୀକାର କରୁ ନାହିଁ । ଆଉ ମଧ୍ୟ ସେ କାଳର ରଙ୍ଗାଳୟରେ ପୂରାପୂରି ଟେକ୍‌ନିକ୍‌ ଯେ ଦିଆଯାଉ ନ ଥିଲା ସେକଥା ନୁହେଁ ।

 

ପରିବେଶକୁ ଚାହିଁ ସେତେବେଳେ କୋଉଠି ଦର୍କାର ଥିଲେ ପକ୍ଷୀ ଉଡ଼େଇବା, ସୂର୍ଯ୍ୟାସ୍ତ, ସୂର୍ଯ୍ୟୋଦୟ, ଚନ୍ଦ୍ରୋଦୟ, ଆଶ୍ରମର ଯଜ୍ଞକୁଣ୍ଡ, ଯମୁନା ନଦୀର ତରଙ୍ଗ, ବଜ୍ର ବିଜୁଳି ମାରିବା, ବିଭିନ୍ନ ପକ୍ଷୀ କାକଳି ଏସବୁ ଖୁବ୍‌ ସଫଳତାର ସହ ଡେ–ଲାଇଟି ମାଧ୍ୟମରେ କରାଯାଉଥିଲା–ବିଜୁଳିବତି ନଥାଇ ମଧ୍ୟ ।

 

ମୋର କହିବାର କଥା–ମଞ୍ଚ, ମଞ୍ଚହୋଇ ରହୁ, ଚଳଚ୍ଚିତ୍ର ଚଳଚ୍ଚିତ୍ର ହୋଇ ରହୁ, ଯାତ୍ରା ବା ଅପେରା ଅପେରା ହୋଇ ରହୁ । ପ୍ରତ୍ୟେକ କଳା ଅନୁଷ୍ଠାନର ନିଜ ନିଜର ମୌଳିକତା ରହିବା ଦର୍କାର ।

 

ଆମର ଅତି ନିଜସ୍ଵ ଗୋଟିପୁଅ ନାଚରେ ଯଦି ଶସ୍ତା ସିନେମା (ଚଳଚ୍ଚିତ୍ର) ସଂଗୀତ ବୋଲାଯାଏ ତା’ ହେଲେ ତାର ସ୍ଵତନ୍ତ୍ରତା ରହିବ କୋଉଠି ? ଦର୍ଶକ ଚାହିଁଲେ ମଧ୍ୟ ତାହା କରିବା ଅନୁଚିତ୍‌ । କାରଣ ତା’ଦ୍ଵାରା କଳାର ଅବମାନନା କରାଯାଏ । କହନ୍ତୁ ତ, ପାଣିସନ୍ତୁଳାର ସ୍ଵାଦ, ବେଷର ମହୁରରେ ଥାଏ କି ? ଯେ ଯାହା ସେ ତାହା । ବିଭିନ୍ନ ରୁଚିର ଦର୍ଶକ ବିଭିନ୍ନ କଳାକୁ ଆଦର କରନ୍ତି ଏବଂ ସେଥ‌ିପାଇଁ ଆମେ ଅନୁଷ୍ଠାନରେ ନାନାଧରଣର କଳା ପରିବେଷଣ ପାଇଁ ବ୍ୟବସ୍ଥା ରଖୁ । ଯାହାର ଯାହା ଦର୍କାର ସେ ତାହା ଗ୍ରହଣ କରୁ ବୋଲି ଆମେ ଗୋଟିଏ ନିର୍ଦ୍ଦିଷ୍ଟ କଳାକୁ ବିକୃତ କରି, ବିକଳାଙ୍ଗ କରି ପରିବେଷଣ କଲେ କୌଣସି ଜଣେ ଦର୍ଶକର ସୁଦ୍ଧା ମନ କିଣିପାରିବୁ ନାହିଁ ।

 

ସ୍ଥଳ ବିଶେଷରେ ଅଯଥା ଚାହିଦା ଯୋଗୁଁ ଆମର ଅନେକ ନିଜସ୍ଵ କଳା ଧୀରେ ଧୀରେ ବିକଳାଙ୍ଗ ହୋଇ ବିଲୁପ୍ତପ୍ରାୟ । ଆମର ଦର୍ଶକମାନେ ଏକଥାକୁ ଭଲଭାବେ ଉପଲବ୍ଧି କରନ୍ତୁ ଯେ ରସଗୋଲା ସ୍ଵାଦରେ ବରା ପକୋଡ଼ିର ସ୍ଵାଦ ଲୋଡ଼ିବା ବିଡ଼ମ୍ବନା । ମୁଦି ଦୋକାନରେ କାଠ ଉପକରଣ ଖୋଜିବା ହାସ୍ୟାସ୍ପଦ । ଯୋଉଠି ଯୋଉ

ଜିନିଷ ମିଳିପାରିବ ସେଇଠି ସେଇ ଜିନିଷ ପାଇବାର ଆଶା ରଖିବା ଉଚିତ୍‌ । ୟା ଦ୍ଵାରା ଭିନ୍ନ ଭିନ୍ନ କଳା ତା’ର ନିଜସ୍ଵ ବଜାୟ ରଖିବାରେ ସମର୍ଥ ହେବ ଓ ନିଜକୁ ମାର୍ଜିତ କରିପାରିବ ।

 

ଯୋଉ ଦର୍ଶକମାନେ ରଙ୍ଗମଞ୍ଚକୁ ଭଲ ପାଆନ୍ତି ସେମାନେ ମଞ୍ଚକଳାର ଭଲ ମନ୍ଦ ପ୍ରତି ସଚେତନ ରୁହନ୍ତୁ ଓ ଯୋଉମାନେ ଚଳଚ୍ଚିତ୍ର, ଯାତ୍ରା କଳାକୁ ଆଦର କରନ୍ତି ସେମାନେ ସେଇସବୁ କଳାରେ କ’ଣ ରହିଛି, କ’ଣ ରହିବ, ସେ ବିଷୟରେ ମଥା ଖେଳାନ୍ତୁ ।

 

ଅବଶ୍ୟ ଅନେକ ଦର୍ଶକ ଅଛନ୍ତି ଯୋଉମାନେ କି ପ୍ରତ୍ୟେକ କଳାକୁ ଆଦର କରନ୍ତି ଏବଂ ସେଇସବୁ କଳାର ନିଜନିଜ ପରିସର ଭିତରେ ରହି ତାକୁ ତାର ନିଜସ୍ଵ ଦୃଷ୍ଟିକୋଣରୁ ବିଚାର କରନ୍ତି । ଏମାନଙ୍କ କଥା ଅଲଗା ।

 

ଛାଡ଼ନ୍ତୁ ସେକଥା । ଏବେ ମୁଁ ମୋର ଅଧା ରହିଥ‌ିବା ଘଟଣାଗୁଡ଼ିକ କୁହେ ।

 

ମୋହନ ଗୋସ୍ଵାମୀଙ୍କ ରାସଦଳରୁ ତଡ଼ାଖାଇ ଆସି ପହଞ୍ଚିଲି ପୁରୀରେ । ମୋହନ ଗୋସେଇଁଙ୍କ ଘରେ ଗୋଟିଏ ଦିନ ରହିବାପରେ ହଠାତ୍‌ ଲୁଚିକରି ପଳେଇଆସିଲି ଆମ ଦୋକାନକୁ ।

 

ବଡ଼ ଭାଇ ଦୋକାନରେ ନ ଥିଲେ । ଗାଁକୁ ଯାଇଥିଲେ । ସାନଭାଇଙ୍କ ପାଖରେ ରହିଲି-। କାହିଁକି ମୋତେ ଗୋସେଇଁ ତାଙ୍କ ଦଳରୁ ବାହାର କଲେ ଏକଥା କିଛି କହିଲି ନାହିଁ ଭାଇଙ୍କୁ-। ବଡ଼ ଭାଇ ଗାଁରୁ ଫେରି ଟିକିଏ ବିରକ୍ତ ହେଲେ । ଚାଲିଲା କିଛିଦିନ ।

 

ଏତିକିବେଳେ ହଠାତ୍‌ ଦିନେ ରାମଚଣ୍ଡୀ ସାହିରେ ଥ‌ିବା ଜଗନ୍ନାଥ କ୍ଲବ୍‌ରେ ‘ବିଲ୍ଵମଙ୍ଗଳ’ ନାଟକ ହେବାର ଉଦ୍‌ଯୋଗ ହେଲା । ସେଥ‌ିରେ ଛୋଟ କୃଷ୍ଣ ଭୂମିକାରେ ଭାଗନେବା ପାଇଁ ମୋ ଉପରେ ଆଖିପଡ଼ିଲା ଜଗନ୍ନାଥ କ୍ଲବ୍‌ର କର୍ମକର୍ତ୍ତାମାନଙ୍କର ।

 

ରାମଚଣ୍ଡୀ ଗଳିକୁ ଯିବାପାଇଁ, କୁଣ୍ଢେଇବେଣ୍ଟ ସାହି ଛକ ନିକଟରୁ ଟିକିଏ ବାଟଗଲେ ଆଗରେ ବାଁ ପଟକୁ ପଡ଼େ ମୁକ୍ତାର ଗୁଣନିଧି ଧଳଙ୍କ ଘର । ଡମ୍‌ପଡ଼ା ଗଡ଼ର ବିଖ୍ୟାତ ଧଳ ପରିବାରର ସେ ଥିଲେ ମୁଖ୍ୟ । ବଡ଼ ନାଟ୍ୟରସିକ । ଆମ ଗାଁ ପାଖରେ ବଳଭଦ୍ରପୁର ଗାଁରେ ଥ‌ିବା କାଲ କମ୍ଭାରଙ୍କ ପରିବାର ଭଳି ଗୁଣନିଧି ବାବୁଙ୍କ ପରିବାର ଅତି ବିରାଟ । ୟାଙ୍କ ପରିବାରର ଲୋକସଂଖ୍ୟା ପ୍ରାୟ ଚାଳିଶ ଉପରେ । ପାଞ୍ଚ, ସାତ ଗୌଣିଆ ପିତଳ ହଣ୍ଡାରେ ଭାତ ବସେ ।

 

ଆଶ୍ଚର୍ଯ୍ୟ କଥା, ଏତେ ବଡ଼ ପରିବାରର ସତେ ଯେମିତି ଦୁଇଟି ହାତ ଓ ଗୋଟିଏ ମୁହଁ କାମ କରେ । କିଛି ଟିକିଏ ବିଶୃଙ୍ଖଳା ବା ଗଣ୍ଡଗୋଳ ସେ ପରିବାରରେ କେବେ କେହି ଦେଖି ନ ଥ‌ିବେ ।

 

ଗୁଣବାବୁଙ୍କ ପରିବାରରେ ଗୋଟାଏ ଭଲ ବ୍ୟବସ୍ଥା ଥିଲା ଯେ କୌଣସି ସ୍ତ୍ରୀ ଲୋକ ଯଦି କୌଣସି ସ୍ତ୍ରୀ ଲୋକ ସହିତ କଳିଗୋଳ ଆରମ୍ଭ କରୁଥିଲା ତା’ହେଲେ ତାକୁ ଗୋଟିଏ ଅଲଗାଘରେ ବନ୍ଦ କରାଯାଇ ତାଲା ଦିଆଯାଉଥିଲା । ସେଇ ଘରେ ସେ (ଅପରାଧୀ) ନିଜର ଦୋଷ ସ୍ଵୀକାର ନ କଲା ପର୍ଯ୍ୟନ୍ତ ଛାଡ଼ିଦିଆ ଯାଉ ନ ଥିଲା । ସମସ୍ତଙ୍କ ପାଇଁ ଏହାଥିଲା ସମାନ ବିଚାର ।

 

ଗୁଣବାବୁ ମୋର ବଡ଼ଭାଇଙ୍କ ବୟସଠାରୁ ଅଳ୍ପ ବଡ଼ ଥିଲେ । ତାଙ୍କରି ହାତରେ ସେଦିନ ଖବର ଆସିଲା ଯେ ମୁଁ–ଜଗନ୍ନାଥ କ୍ଲବ୍‌ ଅଭିନୟରେ ଯୋଗ ଦେବି । ସେଥ‌ିପାଇଁ ଭାଇଙ୍କ ଅନୁମତି ଲୋଡ଼ାଯାଇଥିଲା ।

 

ଅନୁମତି ମିଳିଲା ଏବଂ ମୁଁ ବିଲ୍ଵମଙ୍ଗଳ ନାଟକରେ ଅଭିନୟ ଶିକ୍ଷା ପାଇଁ ଗଲି ।

 

ନାଟକରେ ଯୋଉମାନଙ୍କ ସମ୍ପର୍କରେ ମୁଁ ପ୍ରଥମ କରି ଆସିଥିଲି ସେମାନଙ୍କ ଭିତରେ ଥିଲେ–ଶିଶିର ଘୋଷ, କୃଷ୍ଣ ମୁଖାର୍ଜି, ମହୀଧର ମହାନ୍ତି, ମୁକୁନ୍ଦ ଚରଣ ମହାନ୍ତି, ଛୋଟା ମକୁ, ମଧୁ ମିଶ୍ର, କବିରାଜ ରାଧରମଣ ଏମିତି ଅନେକ ।

 

ଏମାନଙ୍କ ଭିତରେ ଶିଶିର ବାବୁ ଥିଲେ ଅତି ଉତ୍‌କୃଷ୍ଟ ଧରଣର ଅଭିନେତା ଓ କୃଷ୍ଣ ମୁଖାର୍ଜି ଥିଲେ ଭଲ ସିନ୍‌ ପେଣ୍ଟର୍‌ । ଅଭିନୟ କ୍ଷେତ୍ରରେ ମଧ୍ୟ କୃଷ୍ଣ ମୁଖାର୍ଜିଙ୍କର ସୁନାମ ଥିଲା ଓ ଅଧିକାଂଶ ନାଟକରେ ନାରୀ ଭୂମିକାରେ ଅଭିନୟ କରି ପୁରୀ ସହରରେ ବେଶ୍‌ ସେତେବେଳେ ପ୍ରତିଷ୍ଠିତ ହେଇପାରିଥିଲେ ସେ ।

 

କିଛିଦିନ ବିଲ୍ଵମଙ୍ଗଳ ଅଭିନୟ ଅଭ୍ୟାସ ପରେ ଆସିଲା ସେହି ଶୁଭ ମୁହୂର୍ତ୍ତ । ମୋ ପରୀକ୍ଷାର ବେଳ । ଅଭିନୟ କଳା ଯେ କ’ଣ, ତାହା କେତେଦୂର ବାସ୍ତବଧର୍ମୀ ହେବା ଉଚିତ୍‌, ଅଭିନେତାର ସଜ୍ଞା କ’ଣ ଏବଂ ଅଭିନେତା ଓ ଦର୍ଶକଙ୍କ ଭିତରେ କି ସମ୍ପର୍କ ରହିବା ଉଚିତ, ଜଣେ ଦକ୍ଷ ଅଭିନେତା ହେବାକୁ ହେଲେ କେଉଁ କେଉଁ ଗୁଣସବୁ ଅର୍ଜନ କରିବାକୁ ପଡ଼ିବ–ଏସବୁ ବିଷୟରେ ମୋର ମୋଟେ ଧ୍ୟାନଧାରଣା ସେତେବେଳକୁ ଆସିନଥିଲା ।

 

ପ୍ରଥମ ପାହାଚରେ ପାଦଦେଇ ଆଭ୍ୟନ୍ତର ପରିସ୍ଥିତି ଜାଣିବା ଯାହା, ମୋ ପକ୍ଷରେ ରଙ୍ଗମଞ୍ଚ ଉପରେ ଧାରଣା କରିବା ସେତେବେଳେ ଠିକ୍‌ ସେଇୟା ଥିଲା ।

 

ମୋର ସୌଭାଗ୍ୟ ବଳରୁ ସେଦିନ ଦର୍ଶକ ହିସାବରେ ଆସିଥିଲେ ପୁରୀର ବହୁ ମାନ୍ୟଗଣ୍ୟ ଶିକ୍ଷିତ ଭଦ୍ରବ୍ୟକ୍ତି । ସେମାନେ ସମସ୍ତେ ମୋର ପରିଚିତ ନ ଥିଲେ ମଧ୍ୟ ଅନେକ ଥିଲେ ଜଣାଶୁଣା । ସେମାନଙ୍କ ଭିତରେ ଏମାର ମଠର ମହନ୍ତ ମହାରାଜା ଶ୍ରୀ ଗଦାଧର ରାମାନୁଜ, ଶ୍ରୀ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଏବଂ ଆମ ସମସ୍ତଙ୍କର ଖୁବ୍‌ ଆପଣାର ମୁରାରୀ ଭାଇନା ।

 

ମୁରାରୀ ଭାଇନା–ଦୀନ, ଦୁଃଖି, ଧନୀ, ମାନୀ ସମସ୍ତଙ୍କର ସେ ଅତି ନିଜର ମୁରାରୀ ଭାଇନା । ସେ ଥିଲେ ମୁଖ୍ୟ ଗାୟକ । ସବୁବେଳେ ହସହସ ମୁହଁ ତାଙ୍କର ଯେ ଥରକପାଇଁ ଆଖ୍ୟାରେ ଦେଖୁଛି ସେ ତାଙ୍କର ହୋଇଛି ଖୁବ୍‌ ନିକଟର, ଖୁବ୍‌ ଆତ୍ମୀୟ ।

 

ଓଡ଼ିଶାରେ ସେକାଳରେ ମହାମାରୀ, ମଡ଼କ, ବନ୍ୟା, ଅନାଟନ ଯୁଗ ଗୋଟିଏ ପରେ ଗୋଟିଏ ଲାଗି ରହିଥିଲା କହିଲେ ଚଳେ । ପୁରୀରେ ଗୁଣ୍ଡିଚାକୁ ଯେତେ ତୀର୍ଥଯାତ୍ରୀ ଛୁଟିଆସୁଥିଲେ ସେମାନଙ୍କ ଭିତରୁ ଅଧିକାଂଶଙ୍କର ଜୀବନଦୀପ ଚିରଦିନ ପାଇଁ ଏଇ ପୂଣ୍ୟତୀର୍ଥ ଶ୍ରୀକ୍ଷେତ୍ରରେ ହିଁ ଲିଭିଯାଉଥିଲା ।

 

ପୁରୀର ସ୍ଵର୍ଗଦ୍ଵାର, କଟକିବେଣ୍ଟ, ବଳିଆ ପଣ୍ଡା ଅଞ୍ଚଳସବୁ ମଣିଷ ମଢ଼ାରେ ଭରପୂର ହଉଥିଲା । ଲୋକେ ମୁର୍ଦ୍ଦାରକୁ ପୋତିବା ବା ପୋଡ଼ିବା ପାଇଁ ବେଳ ପାଉ ନ ଥିଲେ । ବିଲୁଆ, କୁକୁର ମଢ଼ର ଛିନ୍ନଅଙ୍ଗକୁ ବୋହିନେଇ ଏଠି ସେଠି ଫିଙ୍ଗୁଥିଲେ । ଏତେ ବଡ଼ ଯାତ୍ରୀବହୁଳ ପୁରୀ ସହରଟା ଯେମିତି ଗୋଟାଏ ପ୍ରେତପୁରୀରେ ପରିଣତ ହଉଥିଲା ।

 

ଏସବୁ ପ୍ରତ୍ୟେକ କାମ ପାଇଁ, ପ୍ରତ୍ୟେକ ସ୍ଥାନରେ ଯୋଉସବୁ ଜନହିତକର ଅନୁଷ୍ଠାନମାନ ମୁଣ୍ଡଟେକୁଥିଲା ଏବଂ ଯେତେସବୁ ସ୍ଵେଚ୍ଛାସେବୀ ଆଗେଇ ଆସୁଥିଲେ ସେମାନଙ୍କ ଭିତରେ ମୁରାରୀ ଭାଇନା ଥିଲେ ସବୁଠାରୁ ଆଗୁଆ ।

 

ଡଉଲ ଡାଉଲ ଦିହଟି, ପୃଥୁଳ ଉଦର ଉପରେ ଝୁଲୁଥିଲା ଶୁଭ୍ର ଉପବୀତ । ହାତରେ ଖଦଡ଼ ଝୁଲୀ, କାନ୍ଧରେ ଖଣ୍ଡେ ଛୋଟ ଖଦଡ଼ ଚାଦର । ଶୀତ, କାକର, ଖରା, ବର୍ଷା କିଛି ନ ମାନି ସେ କାମରେ ଲାଗିଯାଉଥିଲେ ।

 

ସାହି, ସାହିରେ ସ୍ୱେଚ୍ଛାସେବକ ଦଳ ଗଢ଼ିବାରେ, ସ୍ଥାନେ ସ୍ଥାନେ ତମ୍ବୁ ପକେଇ ଆହତ ରୋଗୀର ଶୁଶ୍ରୂଷା କରିବାରେ ମୁରାରୀ ଭାଇନାଙ୍କୁ ବିଶ୍ରାମ ନ ଥିଲା । ଧନୀମାନଙ୍କଠାରୁ ନେହୁରା ହେଇ ଯୋଉ ସ୍ଵଳ୍ପ ସାହାଯ୍ୟ ଆଦାୟ କରୁଥିଲେ, ସେଥ‌ିରେ ତାଙ୍କର ଶ୍ରମ ମିଶେଇ ସେବା କାର୍ଯ୍ୟକୁ ଆଗେଇ ନଉଥିଲେ । ତାଙ୍କ ମନରେ ନ ଥିଲା ଜାତି ଅଜାତିର ସଂକୀର୍ଣ୍ଣତା ମନୋଭାବ । ସେ ଥିଲେ ସମସ୍ତଙ୍କର ଏବଂ ସମସ୍ତେ ଥିଲେ ତାଙ୍କର ।

 

ବ୍ୟକ୍ତିବିଶେଷ ତାଙ୍କୁ ଭୁଲିଯାଇପାରନ୍ତି; କିନ୍ତୁ ଇତିହାସ ତାଙ୍କୁ ଭୁଲିପାରେ କି ? ସେଭଳି ପରୋପକାରୀ କାହାନ୍ତି ଏ ସମାଜରେ ? ସେତେବେଳେ ସମାଜରେ କେହି ତାଙ୍କ ମୁଣ୍ଡରେ ପଗଡ଼ି ବାନ୍ଧି ନାହିଁ ବା କେହି ତାଙ୍କୁ ମାନପତ୍ର ଦେଇ ନାହିଁ । ସେ ଥିଲେ ସେବାର ଏକ ଜୀବନ୍ତ ପ୍ରତିମୂର୍ତ୍ତି । ପ୍ରକୃତରେ ଓଡ଼ିଶା ପ୍ରତି ବିଶେଷକରି ପୁରୀଧାମ ପ୍ରତି ମୁରାରୀ ଭାଇନା (ତ୍ରିପାଠୀ)ଙ୍କର ଅବଦାନ ଅବିସ୍ମରଣୀୟ ।

 

ରାମଚଣ୍ଡୀ ସାହିର ରମଚଣ୍ଡୀ ଠାକୁରାଣୀଙ୍କ ମନ୍ଦିର ଦେହକୁ ଲାଗି ଜଗନ୍ନାଥ କ୍ଲବ୍‌ ରଙ୍ଗମଞ୍ଚ । ମଞ୍ଚ ଆଗକୁ ଖୋଳାଯାଇଥାଏ ଲମ୍ବା–ଚଉଡ଼ାର ଗାତ (ପିଟ୍‌) । ସେଇ ଗାତ ବା ଖାତରେ ପଡ଼ିଥାଏ ଉଚ୍ଚଶ୍ରେଣୀର ଦର୍ଶକମାନଙ୍କ ପାଇଁ କେତେକ ଚୌକି, ବେଞ୍ଚ୍‌ ଏବଂ ସେଇ ପିଟ୍‌ ପଛକୁ ଅଳ୍ପ ମୂଲ୍ୟ ଦେବା ଦର୍ଶକମାନଙ୍କ ଲାଗି ପଡ଼ିଥାଏ ଅଖା ଅବା ସତରଞ୍ଜି ଆସନ ।

 

ମୁଗ୍ଧ ଦର୍ଶକ ମଣ୍ଡଳୀ ଅଭିନୟକୁ ମନ ଓ ଧ୍ୟାନ ଦେଇ ଉପଭୋଗ କରୁଥାନ୍ତି । ପ୍ରତ୍ୟେକେ ସ୍ଥିର, ନିଶ୍ଚଳ; ନାଟକ ତାର ସ୍ଵଚ୍ଛନ୍ଦ ଗତିରେ ଆଗଉଥାଏ । ଛଦ୍ମବେଶୀ ଶ୍ରୀକୃଷ୍ଣ ସାଜି, ଠିକ୍‌ ଯେମିତି ଯୋଉଭଳି ଭାବରେ ଶିକ୍ଷା ଦିଆଯାଇଥିଲା ଠିକ୍‌ ସେମିତି ସେଇ ଭଳି ଭାବରେ ଦର୍ଶକମାନଙ୍କ ଆଗରେ କରିଯାଉଥାଏ । ରଙ୍ଗମଞ୍ଚରେ ପ୍ରଥମ କରି ଠିଆ ହେଇଥିଲେ ବି ମୋତେ ଯେମିତି ଜଣା ଯାଉଥିଲା ସେଠାରେ ମୁଁ ଓ ମୋର ଭକ୍ତ ବିଲ୍ଵମଙ୍ଗଳ ଛଡ଼ା ଆଉ କେହି ନ ଥିଲେ ।

 

ଅଭିନୟର ସେଇ ପ୍ରଥମ ଅନୁଭୂତି, ଜୀବନର ସେଇ ରୋମାଞ୍ଚକର ପରିସ୍ଥିତି ବିଷୟରେ କ'ଣ ବୁଝେଇବି ଆପଣମାନଙ୍କୁ ? କେବଳ ଏତିକି କହିପାରେ, ମୁଁ ସେଇ ବିଲ୍ଵମଙ୍ଗଳ ନାଟକରେ ଅଭିନୟ କଲାବେଳେ ଦର୍ଶକମାନଙ୍କୁ, ସେଠାକାର ବାହ୍ୟ ପରିବେଶକୁ ଭୁଲି ତ ଯାଇଥିଲି ତା’ ସହିତ ପାସୋରି ପକେଇଥିଲି ଆପଣାକୁ ଆଉ ଆପଣାର ସ୍ଥିତିକୁ ।

 

ମୋ କଣ୍ଠର ସେଦିନର ସେଇ ବିଲ୍ଵମଙ୍ଗଳ ନାଟକର ଭାବଭରା ଗୀତଟି ଶୁଣିଥ‌ିବା ଦର୍ଶକ ବା ଶ୍ରୋତା ଆଜି ହୁଏତ ଥାଇପାରନ୍ତି; କିନ୍ତୁ ସେମାନଙ୍କ ସ୍ମୃତିପଟରେ ତାହା ଥିବ କି ନା କହିବା କଷ୍ଟକର ।

 

‘‘ମୋତେ ଯେ’ ଭାବେ ଯେ ଡାକେ ସଂସାରେ,

ମୁଁ ତ ସେଇଭାବେ ତାକୁ ଦିଏ ଦରଶନ ।

ମନ ଘେନି ତା’ର ରୂପ ଧରେ

ମୋତେ ଯେ’ ଭାବେ ଯେ ଡାକେ ସଂସାରେ

ପ୍ରୀତିରେ ଥାଏ ମୁଁ ବନ୍ଧା

ପ୍ରୀତି ଲାଗି ସବୁ ଅଧା

ପ୍ରୀତି ଲାଗି ଗୋଲକ ଛାଡ଼ି ମୁଁ

ଧରାଧାମେ ଅବତରେ ॥

ମୋତେ ଯେ’ ଭାବେ ଯେ ଡାକେ ସଂସାରେ ।’’

 

ଗୀତଟି ଶେଷ ହେବା ସାଙ୍ଗେ ସାଙ୍ଗେ ଦର୍ଶକଗଣଙ୍କ ଘନଘନ କରତାଳିରେ ଧ୍ୟାନଭଙ୍ଗ ହେଲି । ସେତେବେଳକୁ ମୁଁ ଅନ୍ତରାଳକୁ ଚାଲିଯାଇଥିଲି ।

 

ଦର୍ଶକମାନଙ୍କର ସେଇ ଯେ କରତାଳି ତାହା ମୋ ଅଭିନୟ କରିବାର ସଫଳତା ଲାଗି ହେଲା ନାଁ ବିଫଳତା ଲାଗି ହେଲା ସେକଥା ପ୍ରଥମେ ବୁଝି ପାରି ନଥିଲି । ଆଶଙ୍କାରେ ମନଟା ମୋର ଦବିଯାଇଥିଲା । ପର ମୁହୂର୍ତ୍ତରେ ଯେତେବେଳେ ଅନ୍ୟ ଦୃଶ୍ୟରେ ରଙ୍ଗମଞ୍ଚକୁ ପ୍ରବେଶ କଲି ସେତେବେଳେ ଯାଇ ବୁଝିଲି ଯେ, ପ୍ରକୃତରେ ସେଇ କରତାଳି ଥିଲା ଅଭିନୟର ସମର୍ଥନସୂଚକ ସଂକେତ ।

 

ମୋର ଏକଥା କହିବାର ଅର୍ଥ ୟା ନୁହେଁ ଯେ ମୁଁ ସେତେବେଳକୁ ଜଣେ ଖୁବ୍‌ ପୋଖତ କଳାକାର ପାଲଟିଯାଇଥିଲି ।

 

ଅତ୍ୟନ୍ତ ଶିଶୁ ଅବସ୍ଥାରେ ଅଭିନୟ କରୁଥିଲି । କ’ଣ କଲେ ଦର୍ଶକ ବେଶି ପସନ୍ଦ କରିବେ, କ’ଣ ନ କଲେ ଦର୍ଶକ ବିମୁଖ ହେବେ, ଏ ସବୁ ଭାବନା–ଅଣୁ ମାତ୍ରାରେ ମୋ ମନକୁ ସ୍ପର୍ଶ କରିନଥିଲା । ରଙ୍ଗମଞ୍ଚରେ ଯେମିତି ଯାହା କରିବାକୁ ମୋତେ ଶିକ୍ଷା ଦିଆ ଯାଇଥିଲା, ଠିକ୍‌ ସେମିତି କରି ଯାଇଥିଲି ।

 

କିନ୍ତୁ ହଁ, । ଏକଥା ସତ ଯେ, ଯୋଉ ଛଦ୍ମବେଶୀ ଶ୍ରୀକୃଷ୍ଣ ଭୂମିକାରେ ମୁଁ ଅଭିନୟ କରୁଥିଲି, ସେଥିରେ ନିଜକୁ ସମ୍ପୂର୍ଣ୍ଣ ରୂପରେ ବୁଡ଼େଇ ଦେଇଥିଲି । ସମ୍ଭବତଃ ଏଇ କାରଣରୁ ଦର୍ଶକମଣ୍ଡଳୀ ମୋ ଅଭିନୟ ଭିତରେ ଏତେଟା ମଜି ଯାଇଥିଲେ ।

 

ଅଭିନୟ ଶେଷ ହେଇଥିଲା ଏକ ଆବେଗପୂର୍ଣ୍ଣ ଗାମ୍ଭୀର୍ଯ୍ୟ ପରିବେଶ ଭିତରେ । ଯବନିକା ପତନ ପରେ ମୋତେ ମୋର ଅଭିନୟ ଶିକ୍ଷକଗଣ ସ୍ନେହ, ଆଦରରେ ଶୂନ୍ୟକୁ ଟେକିଧରି ଆର୍ଶୀବାଦ କରିଥିଲେ ।

 

ବିଲ୍ଵମଙ୍ଗଳ ନାଟକରେ ମୁଁ ଯେଉଁ ଅଭିନୟ କରିଥିଲି ଏବଂ ସେଥ‌ିରେ ଯେଉଁ କ୍ଷୁଦ୍ର ସଫଳତା ମୁଁ ହାସଲ କରିଥିଲି ସେଥ‌ିପାଇଁ ଜଗନ୍ନାଥ କ୍ଲବର ପ୍ରତ୍ୟେକ ସଭ୍ୟଙ୍କ ନିକଟରେ ମୁଁ ଋଣୀ-। କାରଣ ମୋର ସେଇ ପ୍ରାଥମିକ ନାଟ୍ୟାଭିନୟ ଲାଗି କୌଣସି ବ୍ୟକ୍ତିବିଶେଷ ନୁହନ୍ତି, ପ୍ରାୟ ପ୍ରତ୍ୟେକ ଥିଲେ ମୋର ଶିକ୍ଷାଗୁରୁ ।

 

କୋଉଠି ହସିବି, କୋଉଠି କାନ୍ଦିବି, କିପରି ଅଭିମାନ କରିବି, କିପରି ଚାଲିବି, କେମିତି ଚଳେଇ କହିବି, କେମିତି ଚଳେଇ କହିବି ଯାହା ମନକୁ ଯାହା ଆସୁଥିଲା ସେ ତାହା ମୋତେ ବୁଝେଇ, ବତେଇଦଉଥିଲା । ଆଉ ସେ ସମସ୍ତଙ୍କର କଥାକୁ ହଜମ କରି ଯେତିକି ପାରୁଥିଲି କରିଯାଇଥିଲି ।

 

ନିମନ୍ତ୍ରିତ ଅତିଥି ଯୋଉମାନେ ଥିଲେ, ନାଟକର ସଫଳତା ବିଷୟରେ ନିଜନିଜର ମନ୍ତବ୍ୟ ପ୍ରକାଶ କରି ଘରକୁ ଫେରିଲେ । ମୁଁ ଫେରିଲି ଆମ ବସାକୁ ।

 

ତା’ପରଦିନ ମୋହନ ଗୋସ୍ଵାମୀ ଲୋକ ପଠେଇଲେ ଭାଇଙ୍କ ପାଖକୁ–ପୁଣି ମୋତେ ଫେରେଇ ନବାପାଇଁ ତାଙ୍କ ରାସଦଳକୁ । କିନ୍ତୁ ତାହା ସମ୍ଭବ ହେଲାନାହିଁ । ମୋର ଅନିଚ୍ଛା ହେଲା ତାର କାରଣ; କାଳେ ଭାଇ ତାଙ୍କର ଇଚ୍ଛାପ୍ରକାଶ କରନ୍ତି ଏଇ ଭୟରେ ଗୋସ୍ଵାମୀଙ୍କ କଥାକୁ ମନେ ପକେଇ କାନ୍ଦି ପକେଇଲି ।

 

ଏଇ ଘଟଣାର କିଛିଦିନ ପରେ ବାପାଙ୍କ ଶ୍ରାଦ୍ଧ, ବଡ଼ ଭଉଣୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେଇଗଲା । ଆମର ସେଇ ଚିର ଅଭାବଗ୍ରସ୍ତ, ଅବହେଳିତ ପରିବାରର ସମସ୍ତ ଆଶା ଭରସାର କେନ୍ଦ୍ରବିନ୍ଦୁ ଥିଲା ଭାଇଙ୍କର ସେଇ ଦୋକାନ ଖଣ୍ଡିକ । ତା’ରି କକ୍ଷପଥରେ ଆମେ ସବୁ ଗ୍ରହ, ଉପଗ୍ରହ ପରି କରୁଥିଲୁ ପରିକ୍ରମା । ସେଇ କେନ୍ଦ୍ରବିନ୍ଦୁ ଦୋକାନଟିର ମାଧ୍ୟାକର୍ଷଣ ଶକ୍ତି ବଳରେ ଆମେ ପ୍ରତ୍ୟେକ ଟାଣିହୋଇ ରହୁଥିଲୁ ତା’ରି ଆଡ଼କୁ ।

 

ପରିବାରର ସାତଟି ଲୋକଙ୍କର ସମସ୍ତ ଚାହିଦାକୁ ସମ୍ପୂର୍ଣ୍ଣ ଭାବରେ ନ ହେଲେ ମଧ୍ୟ କିଛି ଅଂଶରେ ପୂରଣ କରିବାର କ୍ଷମତା ଥିଲା ସେଇ ଦୋକନଟିର । କ’ଣ ନ ଥିଲା ସେଥ‌ିରେ, କ’ଣ ଥିଲା ସେଥ‌ିରେ ତାର ଟିକିନିଖି ହିସାବ ରଖିଥିଲେ ସ୍ଥାନୀୟ ଗରାଖ ଈଶ୍ଵର । ଏଣୁ କେତେବେଳେ କାହାର ହାଣ୍ଡି, କାହାର କାଠ, କାହାର ତେଲ, ଲୁଣ, କାଗଜ, ପେନ୍‌ସିଲ୍‌ ଦର୍କାର ପଡ଼ୁଥିଲା ତ ନେଇ ଯାଉଥିଲେ ଅଳ୍ପ ମୂଲ୍ୟରେ ବେଶି ଓଜନର ସଉଦା ।

 

ବେଳେବେଳେ ସେଇ ଦୋକାନ ଖଣ୍ଡିକୁ କେନ୍ଦ୍ରକରି ଦୁଇଭାଇଙ୍କ ଭିତରେ ସୃଷ୍ଟି ହଉଥିଲା ଲଙ୍କାକାଣ୍ଡ । ବଡ଼ଭାଇ ଦୋକନର ଜିନିଷପତ୍ର ଯୋଗାଡ଼ କରୁଥିଲେ ଓ ମଝିଆ ଭାଇ ଦୋକନରେ ବସି ବିକ୍ରିବଟା କରୁଥିଲେ । ବ୍ୟବସାୟରେ ଯେ କେତେ ସାଧୁତା, ସଚ୍ଚୋଟତା ଓ ନିଷ୍ଠାପରତା ଦର୍କାର ସେକଥା ବଡ଼ଭାଇଙ୍କୁ ବେଶ୍‌ ଜଣାଥିଲା । କିନ୍ତୁ ମଝିଆ ଭାଇ ଥିଲେ ଖର୍ଚ୍ଚ କରିବାରେ ମୁକ୍ତହସ୍ତ । ଗୁଡ଼ି ଉଡ଼େଇବା, ପୁରୀର ସାହିଯାତ୍ରାରେ ଭାଗ ନେବା ଓ ଜାଗାଘରର ଟୋକାଙ୍କ ସାଙ୍ଗରେ ମାତି ପଇସା ଉଡ଼େଇବାରେ ଥିଲେ ଧୁରନ୍ଧର । ବଡ଼ଭାଇଙ୍କ ଅନୁପସ୍ଥିତିରେ ପଇସା ଚୋରେଇ ନେଇ ବାଲିରେ ପୋତି ତା’ ଉପରେ ମୂତିଦେଇ, ଚିହ୍ନ ରଖିଦେଇ ଆସୁଥିଲେ ।

 

ତଥାପି ଲାଭ ହଉଥିଲା ପ୍ରଚୁର । ଲକ୍ଷ୍ମୀ ଦୋକାନରେ ଚୋରୀ ହାତ ଲାଗିଲେ ଶିରୀ ତୁଟିଯାଏ ବୋଲି ବଡ଼ଭାଇ ମଝିଆ ଭାଇଙ୍କୁ ଆକଟ କରୁଥିଲେ । ଅନେକ ସମୟରେ ମଝିଆଁ ଭାଇଙ୍କୁ ସେଥିଲାଗି ମାଡ଼ ଗାଳି ସହିବାକୁ ପଡ଼ୁଥିଲା । ହେଲେ କୁକୁର ଲାଙ୍ଗୁଡ଼ ପରି ମଝିଆଁ ଭାଇ ଥିଲେ ସବୁଦିନ ପାଇଁ ବଙ୍କା ।

 

ପୁରୀରେ କେତେକ ମାସ କଟେଇବା ପରେ, ସେଠାକାର ପର୍ବପର୍ବାଣି ବିଷୟରେ ଅନେକ ଧାରଣା ହେଲା ମୋର–ରଥଯାତ୍ରା, ଚନ୍ଦନଯାତ୍ରା, ଗୋସାଣୀଯାତ୍ରା, ଝୁଲଣଯାତ୍ରା । ଏସବୁ ପର୍ବ ଭିତରେ ରଥ ପର୍ବ ହେଲା ସବୁଠାରୁ ବଡ଼ ପର୍ବ । ଏଥିପାଇଁ ଭାରତର ବିଭିନ୍ନ ସ୍ଥାନରୁ ଶହ ଶହ ଯାତ୍ରୀ ଧାଇଁ ଆସନ୍ତି ପୁରୀ ଧାମକୁ। କେବଳ ଏଇ ରଥଯାତ୍ରାରେ ହିଁ ନୀଳାଚଳନାଥ ଶ୍ରୀଜଗନ୍ନାଥ ଦେଉଳ ବାହାରକୁ ଆସି ଭକ୍ତଗଣଙ୍କୁ ନିଜର ଅତି ଆପଣାର କରିନିଅନ୍ତି । ଏଇ କାରଣରୁ, ଅନ୍ୟାନ୍ୟ ପର୍ବଠାରୁ ଏହା ସର୍ବଶ୍ରେଷ୍ଠ ଓ ସର୍ବଜନବିଦିତ ।

 

ବାକି ଯୋଉ ପର୍ବଗୁଡ଼ିକ ପୁରୀରେ ପାଳନ କରାଯାଏ, ସେଥିରେ ବେଶି ମାତ୍ରାରେ ଯୋଗ ଦିଅନ୍ତି ଆଖପାଖ ଅଞ୍ଚଳର ପଞ୍ଚୁକୋଶି ଯାତ୍ରୀ । ଗହଳ, ଚହଳରେ ସହର କମ୍ପିଉଠେ । ବଡ଼ଦାଣ୍ଡ ହୋଇଯାଏ ଚିତ୍ରକାରର ବିଭିନ୍ନ ରଙ୍ଗରେ ରଞ୍ଜିତ ଏକ ଚିତ୍ରପଟ୍ଟ ।

 

ସବୁକାଳ ପାଇଁ, ସବୁଯୁଗ ପାଇଁ ଏବଂ ସବୁସମୟ ପାଇଁ ପୁରୁଷୋତ୍ତମ କ୍ଷେତ୍ର ଯେ ପୃଥ‌ିବୀରେ ଏକ ବିରାଟ ସାଂସ୍କୃତିକ ଅନୁଷ୍ଠାନ, ଏଥ‌ିରେ ସମସ୍ତେ ପ୍ରାୟ ଏକମତ ହେବେ । ବଡ଼ ଦେଉଳ ଓ ବଡ଼ ଠାକୁରଙ୍କୁ କେନ୍ଦ୍ରକରି ପ୍ରତିଦିନ କିଛି ନା କିଛି ଯାନିଯାତ୍ରା ଲାଗି ରହିଥାଏ । ମୋର ମନେହୁଏ ଆମ ନୀଳାଚଳଧାମ ପରି ଭାରତର ଅନ୍ୟାନ୍ୟ ତିନିଧାମରେ ସମ୍ଭବତଃ ଏତେ ଉତ୍ସବ ଏତେ ଜାକ୍‌ମକ୍‌ରେ ପାଳିତ ହେଉନଥିବ ।

 

ପୁରୀର ଜାଗାଘର, ସେ ସମୟରେ ଖୁବ୍‌ ଲୋକପ୍ରିୟ ଥିଲା । ଏହା ଏକ ଆଖଡ଼ା ଘର ଥିଲେ ହେଁ ଜାଗାଘର ନାମରେ ଅତି ପରିଚିତ । ଏଇ ଜାଗାଘର ପ୍ରାୟ ଅଧିକାଂଶ ସାହିରେ ପ୍ରତିଷ୍ଠିତ । ଛୋଟ ନୁହଁ, ବେଶ୍‌ ବଡ଼ ଆକାରର । ପ୍ରତିଟି ଜାଗାଘର ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ନେଇ ଗଠିତ ଏବଂ ସାହି ଲୋକଙ୍କ ଉଦ୍ୟମ ଓ ଶ୍ରମଦାନରେ ଏହା ଗଢ଼ି ଉଠିଛି । ଏଥ‌ିରେ ରହିଥାଏ ଏକ କ୍ଷୁଦ୍ର ପୁଷ୍କରିଣୀ, କୁସ୍ତି କସରତ ଲାଗି ଏକ ଫୁଲ୍‌କା, ଆଉ ଭାଙ୍ଗ ଓ ପେସ୍ତାବାଦାମ ବାଟିବାପାଇଁ ମୁଗୁନି ପଥରର ଏକ ଛୋଟ ଶିଳ ।

 

ବିଭିନ୍ନ ବୃକ୍ଷଲତାରେ ପରିପୂର୍ଣ୍ଣ ସେଇସବୁ ଜାଗାଘରଗୁଡ଼ିକ ଅତ୍ୟନ୍ତ ଶୀତଳ ଓ ଶାନ୍ତିଦାୟକ । ପୁରୀରେ ବଡ଼ ଧରଣର ଯାତ୍ରୀ ଭିଡ଼ ନ ଥିଲେ ଏଇ ଜାଗାଘରଗୁଡ଼ିକ ଗୋଟିଏ ଗୋଟିଏ କବି–କୁଟୀର ଭଳି ପ୍ରତୀୟମାନ ହୁଏ ।

 

ଜାଗାଘରଗୁଡ଼ିକ କେତେଗୁଡ଼ିଏ କାରଣ ନେଇ ପ୍ରତିଷ୍ଠା ଲାଭ କରୁଥିଲା । ସେଥିରୁ ମୁଖ୍ୟ କାରଣ କେଇଟି ହେଲା–ଯେଉଁମାନେ ପୁରୀର ସ୍ଥାୟୀ ବାସିନ୍ଦା ସେମାନେ ଅଧିକାଂଶ ହେଲେ ପଣ୍ଡା, ପଢ଼ିହାରୀ, ଖୁଣ୍ଟିଆ, ସିଂହାରୀ, ମହାପାତ୍ର ଆଦି ଶ୍ରୀ ଜଗନ୍ନାଥଙ୍କ ସେବାକାରୀ ଦଳ । ଏବଂ ଏମାନେ ଶ୍ରୀମନ୍ଦିରରେ କଠିନ ଶ୍ରମଦାନ କରି ଶ୍ରୀଜୀଉଙ୍କ ସେବାକାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥାନ୍ତି ଓ ଏହି କଠିନ ଶ୍ରମପାଇଁ ଶାରୀରିକ ଦକ୍ଷତା ଥ‌ିବା ଆବଶ୍ୟକ । ଏଣୁ ପ୍ରତିଦିନ ବ୍ୟାୟାମ ନ କଲେ ଭାରି କାମକୁ ଉଠେଇବା କଷ୍ଟକର ହୁଅନ୍ତା ।

 

ଆଉ ଗୋଟିଏ କାରଣ ହେଲା–ପ୍ରଧାନ ତୀର୍ଥକ୍ଷେତ୍ର ଶ୍ରୀକ୍ଷେତ୍ରରେ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଯାତ୍ରୀ ଆସି ଠାକୁରଙ୍କ ଦର୍ଶନ ଆଶାରେ ଜମା ହୁଅନ୍ତି । ସେମାନଙ୍କ ରହିବା ସକାଶେ ଧର୍ମଶାଳା ବା ଏତେ ଥିଲା କୋଉଠି ? ଯାହା ବା ଥିଲା ତାହା ଅତି ନଗଣ୍ୟ; ତେଣୁ ଏଇ ଜାଗାଘରଗୁଡ଼ିକ ସେମାନଙ୍କ ଲାଗି ଥିଲା ଆଶ୍ରୟସ୍ଥଳୀ, ବଡ଼ବଡ଼ ସେବାୟତମାନଙ୍କର ଯାତ୍ରୀ ଗୁମାସ୍ତାମାନେ ଭାରତର ବିଭିନ୍ନ ପ୍ରଦେଶକୁ ଯାଇ ଯାତ୍ରୀ ସଂଗ୍ରହ କରୁଥିଲେ ଏବଂ ଯୋଉ ସେବାକାରୀଙ୍କର ତାଲିକାଖାତାରେ ଯାତ୍ରୀଙ୍କର ବଂଶ ପରମ୍ପରାକ୍ରମେ ନାମ ଦେଖାଯାଉଥିଲା, ସେ’ ଯାତ୍ରୀ ସେଇ ସେବାୟତଙ୍କର ବୋଲି ପ୍ରମାଣିତ ହେଉଥିଲେ । ଶେଷରେ ସେଇ ସେବାୟତଙ୍କ ଜାଗାଘରେ ଯାତ୍ରୀଗୁମାସ୍ତା ଯାତ୍ରୀଙ୍କୁ ଛାଡ଼ୁଥିଲେ ।

 

ଅନ୍ୟ ଗୋଟିଏ କାରଣ ହେଲା–ପୁରୀରେ ଯୋଉସବୁ ସାହିଯାତ ବା ଆଖଡ଼ା ବାହାରେ ସେଥ‌ିରେ ମୁଖ୍ୟ ହେଲା ନାଗାନାଚ । ସାଧାରଣତଃ ଏଇସବୁ ନାଗାନାଚ ପାଇଁ ଯାହା ପ୍ରସ୍ତୁତିକରଣ ଦର୍କାର ତାହା ସବୁ ପ୍ରାୟ ସେଇ ଜାଗାଘରମାନଙ୍କରେ ହିଁ କରାଯାଏ । ୟା ଛଡ଼ା ବାଡ଼ିଖେଳ, ମଲ୍ଲଯୁଦ୍ଧ ଆଦିର ସମସ୍ତ ଅଭ୍ୟାସ ସେଇ ଜାଗାଘର ପରିସର ମଧ୍ୟରେ ହିଁ କରାଯାଏ । ଭିନ୍ନ ଭିନ୍ନ ଓଜନର ମଲ୍ଲଯୋଦ୍ଧା ସୃଷ୍ଟି କରିବାରେ ସେଇ ଜାଗାଘରଗୁଡ଼ିକର ଅବଦାନ ଥିଲା ବହୁତ ଉଚ୍ଚରେ । ଭାରତୀୟ ମଲ୍ଲଯୋଦ୍ଧାମାନଙ୍କର ସମକକ୍ଷ ହେବାଲାଗି ଆମ ଓଡିଶା ତରଫରୁ ଅଧିକାଂଶ ସମୟରେ ପୁରୀ ନେଉଥିଲା ତାର ନେତୃତ୍ୱ ।

 

ପୁରୀର ମାଙ୍କଡ଼, ମାତା, ମଠ, ମହନ୍ତ, ମାହାରୀ, ମଶା, ମୂଷାମାନଙ୍କ ପ୍ରଭାବ ଥିଲା ଖୁବ୍ ବେଶି । ସନ୍ଧ୍ୟା ହେଲେ କାନପାଖେ ମଶାଦଳ ଗୁଞ୍ଜରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମୂଷାମାନେ ମଣିଷର ଚୁଟିକାଟି ନେଉଥିଲେ । ଦେବଦାସୀ ବେଶରେ ମାହାରୀମାନେ ଶ୍ରୀଜୀଉଙ୍କ ଜଗମୋହନ ନିକଟରେ ଓଡ଼ିଶୀନୃତ୍ୟ ପରିବେଷଣ କରି ଦେବ, ମାନବ ମାନସ ମୋହୁଥ‌ିବାବେଳେ, ସର୍କସର ତାଲିମ୍‌ପ୍ରାପ୍ତ ପଶୁ ଭଳି ପାତିମାଙ୍କଡ଼ ହତଭାଗା ଯାତ୍ରୀର ପାଣିଢ଼ାଳ, ପାଇଖାନା ଦୁଆର ମୁହଁରୁ ଉଠେଇ ନେଇ ଚାଳ ଉପରେ ରଖି ଲାଞ୍ଚ ନ ପାଇଲେ ଛାଡ଼ୁ ନ ଥିଲେ । ଆଉ ଆପଣ ପୁରୀର ଯୋଉ କୋଣକୁ ଯାଆନ୍ତୁ ନା କାହିଁକି ସବୁଠି ଆଖିରେ ପଡ଼ିବ ମଠ ଓ ଦେଖିବେ ମହନ୍ତ କିମ୍ବା ମାତା-

 

ସବୁଠାରୁ ଆକର୍ଷଣୀୟ ସ୍ଥାନ ହେଲା ପୁରୀର ସମୁଦ୍ର ବେଳାଭୂମି । ସେଇ ବିସ୍ତୀର୍ଣ୍ଣ ବାଲୁକାମୟ ସାଗର ବେଳାରେ କ୍ଷୁଦ୍ରକାୟ ମର୍କଟମାନଙ୍କର ପ୍ରଖର ଗତି ଦେଖ‌ିଲେ ମନରେ ଯେତିକି ଆନନ୍ଦ ଆସୁଥିଲା, ତା’ଠାରୁ ଶତଗୁଣରେ ଦୁଃଖ ଜାତ ହେଉଥିଲା ବିଜାତି ବଙ୍ଗବାସୀଙ୍କର ସାରିସାରି ସୁଦୃଶ୍ୟ ଅଟ୍ଟାଳିକା ଦର୍ଶନରେ ।

 

ଭାରତର ପ୍ରତ୍ୟେକ ଦର୍ଶନୀୟ ସ୍ଥାନମାନଙ୍କରେ ଏମାନେ ତାଙ୍କର ଚକ୍ରାନ୍ତବଳରେ ଆସନ ଜମେଇ ବସିଛନ୍ତି । ଦ୍ଵିଧା ନାହିଁ । ସଙ୍କୋଚ ନାହିଁ । ନିର୍ବିକାର ଚିତ୍ତରେ ଏମାନେ ଅନ୍ୟର ସୁଖ, ସୁବିଧା ଲୁଣ୍ଠନ କରି ଗୌରବ ଅର୍ଜନ କରିପାରନ୍ତି ।

 

ଏସବୁ କ୍ଷେତ୍ରରେ ଓଡିଆ କେବଳ ନୀରବଦ୍ରଷ୍ଟା । ନିଜ ଘରେ, ନିଜ ସ୍ଥାନରେ ସେ ପଳାୟନପନ୍ଥୀ ।

 

ଏକଥା କହି ମୁଁ ଯେ ବଙ୍ଗ ଜନନୀଙ୍କର ବିରୁଦ୍ଧାଚରଣ କରୁଛି, ତା ନୁହେଁ । ବଙ୍ଗ ଭାଷାକୁ ମୁଁ ପ୍ରତ୍ୟେକ ଭାଷାଠାରୁ ଭିନ୍ନ ଆଖିରେ ଦେଖେ । ବଙ୍ଗ ସାହିତ୍ୟକୁ ମୁଁ ଅନ୍ୟାନ୍ୟ ସାହିତ୍ୟଠାରୁ ମାର୍ଜିତ ମନେକରେ । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଯଥାର୍ଥରେ ବିଶ୍ଵକବି । ମାତ୍ର କବିଗୁରୁ ନୁହନ୍ତି ସେ । ଯୋଉମାନେ ତାଙ୍କୁ କବିଗୁରୁ ବୋଲି ଆଖ୍ୟା ଦେଇଛନ୍ତି ତାହା ଭ୍ରମାତ୍ମକ ।

 

ବିଶ୍ୱକବିଙ୍କର ଅମର ଲେଖନୀ ରକ୍ତକରବୀ, ସଞ୍ଚୟନ କବିତା ଗୁଚ୍ଛ, ଗୀତାଞ୍ଜଳିର ପ୍ରତିପାଦରେ ପୂରି ରହିଛି ଅକାଟ୍ୟ ଜୀବନଦର୍ଶନ । ବିଶ୍ଵକବିଙ୍କର କାବ୍ୟ ଓ କବିତାରେ ଅପୂର୍ବ ଶବ୍ଦବିନ୍ୟାସ ଦେଖିଲେ ପାଠକର ଛାଏଁ ଛାଏଁ ମଥା ନଇଁଯାଏ । ସେଇଭଳି ସାହିତ୍ୟ ସାରଥୀ ଶ୍ରୀ ଶରତଚନ୍ଦ୍ରଙ୍କର ଉପନ୍ୟାସରେ ବିଚିତ୍ରଧରଣର ଚରିତ୍ର ସୃଷ୍ଟି ବାସ୍ତବିକ୍‌ ଅତ୍ୟନ୍ତ ଅନବଦ୍ୟ । କଥା ସାହିତ୍ୟରେ ଉଚ୍ଚକୋଟିର ସଫଳତା କେବଳ ଶରତବାବୁ ହିଁ ହାସଲ କରିପାରିଛନ୍ତି । ତାଙ୍କର ଯେତେଗୁଡ଼ିଏ ଉପନ୍ୟାସ ପ୍ରକାଶ ପାଇଛି ସେ ସମସ୍ତ ପ୍ରାୟ ପାଠ କରିଛି ମୁଁ ।

 

ସେ ଯାହାହେଉ, ମୁଁ ବଙ୍ଗ ବିରୋଧୀ ନୁହେଁ । ହିନ୍ଦୀ, ତେଲ୍‌ଗୁ, ପଞ୍ଜାବୀ, ଭାରତର ପ୍ରତ୍ୟେକ ଜାତି, ପ୍ରତ୍ୟେକ ଭାଷାକୁ ସମ୍ମାନ ଦେଇଛି ଏବଂ ଦଉଛି । ବିଶେଷକରି ଭାଷାର ମଧୁରତା, ଲାଳିତ୍ୟ ଦୃଷ୍ଟିରୁ ବଙ୍ଗଳା ଭାଷା ଦ୍ଵାରା ମୁଁ ଯେ ଅଧ‌ିକ ମାତ୍ରାରେ ପ୍ରଭାବିତ ଏଇଟା ଅତି ସତ କଥା । କିନ୍ତୁ ମୋର ନିଜର ମାତୃଭାଷା ପ୍ରତି ମୁଁ ସମ୍ପୂର୍ଣ୍ଣ ସଚେତନ ।

 

ଓଡ଼ିଆ ଜାତି ତାର ସାହିତ୍ୟରେ, ତା’ର କଳାରେ, ତା’ର ସଂସ୍କୃତିରେ କୋଉଠି କୋଉ ଜାତିଉପରେ ହସ୍ତକ୍ଷେପ କରିଥିବାର ଜଣା ନାହିଁ । ମାତ୍ର ଅନ୍ୟମାନଙ୍କର ଓଡ଼ିଆ ବା ଓଡ଼ିଶା ଉପରେ ହସ୍ତକ୍ଷେପ କରିଥିବାର ବହୁ ଦୃଷ୍ଟାନ୍ତ ରହିଚି ।

 

ଅନ୍ୟ ପ୍ରଦେଶରେ ଓଡ଼ିଆଙ୍କ ସଂଖ୍ୟା କେତେ ? ଓଡ଼ିଶାରେ ଅନ୍ୟମାନଙ୍କ ସଂଖ୍ୟା କେତେ ? କାହିଁକି ? ବଙ୍ଗଳା କୋଉ ଉର୍ବର ମସ୍ତିଷ୍କରୁ ବାହାରିଛି ?

 

ଓଡ଼େରା ମାନୁଷ୍‌ ନୟ–

ବାଙ୍ଗାଲ୍‌ରା ଜନ୍ତୁ ।

ଲ୍ୟାଞ୍ଜ୍‌ ନେଇ, ଲାଫ୍‌ ଦିଏ–

ଗାଛେ ଉଠେ କିନ୍ତୁ ।

X X X

ଓଡ଼ିଆ କପଟି–ତେଲେଙ୍ଗି ଚୋର୍‌

ମାର୍, ମରାଠି ସୁଧ୍ ଖୋର୍‌

X X X

ଓଡ଼ିଆ ସେ ଦାତା ନେହିଁ

ବିନା ମାଡ଼୍‍ ସେ ଦେତା ନେହିଁ । (ହିନ୍ଦୀ)

 

କହନ୍ତୁ ତ ! ଓଡ଼ିଆଙ୍କପାଇଁ ଏହା କ’ଣ କମ୍ ଦୁର୍ଭାଗ୍ୟଜନକ ଆକ୍ଷେପ ? ସମୟ ଦେଖି ଅନେକଥର ସେଇ ସମୁଦ୍ର ବେଳାଭୂମିରେ–ବଳିଆ ପଣ୍ଡାରୁ ସୁନାର ଗୌରାଙ୍ଗ ପର୍ଯ୍ୟନ୍ତ ଏକା ଏକା ଚାଲିଛି ଓ ମଝିରେ ମଝିରେ ଥକା ମାରି ବସିଯାଇଛି । ଗୋଟିଏ ବାଟ ଦେଇ ସମୁଦ୍ର କୂଳକୁ ଗଲେ ଫେରେ କିନ୍ତୁ ଅନ୍ୟ ବାଟ ଦେଇ । ଉଦ୍ଦେଶ୍ୟ, ନୂଆସ୍ଥାନ ଦେଖିବା ସଙ୍ଗେ ସଙ୍ଗେ ନୂଆ ନୂଆ ଅନୁଭୂତି ଅର୍ଜନ କରିବା ।

 

ସେପର୍ଯ୍ୟନ୍ତ ବି ମୋର ଜୀବନଚକ୍ର ଗଡ଼ୁଥିଲା ବେତାଳିଆ ଲକ୍ଷ୍ୟହୀନ ପଥରେ । କୋଉଠି ଖାଲ, କୋଉଠି ଢିପ, କେହି ଜଣେ ହେଲେ ସେତେବେଳେ ମୋର ଗତିକୁ ନିୟନ୍ତ୍ରଣ କରିବାକୁ ନ ଥିଲେ । ଭାଇମାନେ ପରିବାରର ଅନ୍ନଚିନ୍ତାରେ ବ୍ୟସ୍ତ ।

 

ହଠାତ୍‌ ମୋଡ଼ି ପରିବର୍ତ୍ତନ ହେଲା । ମୋର ସେଇ ଜୀବନଚକ୍ର ଗଡ଼ିବା ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଗୁଳା ଫିଟିଗଲା ।

 

କୁଣ୍ଢେଇବେଣ୍ଟ ସାହିର ଶ୍ରୀ ଗୋପ ଗୋସେଇଁ, ସୁଆର ସାହିର ଶ୍ରୀ ବାବାଜି ମହାପାତ୍ର ଉଭୟ ମିଶି ଆରମ୍ଭ କଲେ ଏକ ନୂଆ ରାସମଣ୍ଡଳୀ । ଏଥିରେ ଶିକ୍ଷାଗୁରୁ ହିସାବରେ ଶ୍ରୀ କାଳୀଚରଣ ପଟ୍ଟନାୟକ ଯୋଗଦେଲେ । ରାସମଣ୍ଡଳୀର ଶୁଭ ଦିଆଗଲା ଶ୍ରୀ ଗୋପାଳ ଗୋସେଇଁଙ୍କ ନିଜ ଘରେ । ଏଥ‌ିପାଇଁ ଯେ କେତେକ ପିଲା ଦର୍କାର । ପିଲାଙ୍କ ସନ୍ଧାନ ବିଭିନ୍ନ ସ୍ଥାନରେ ନିଆଗଲା । ପ୍ରଥମେ ଦୃଷ୍ଟିକୁ ଆସିଲି ମୁଁ । ଏବଂ ମୋତେ ହିଁ ଅନୁକୂଳ ଇଟା କରି, ମୂଳଦୁଆ ପକେଇବାର ଉଦ୍ୟମ ଚାଲିଲା ।

 

ଧୀରେ ଧୀରେ ଅଳ୍ପ କେଇଟି ଦିନରେ ପିଲାଗୁଡ଼ିଏ ଯୋଗାଡ଼ ହେଇଗଲେ । ପୁରୀ, କଟକ, ଗଞ୍ଜାମ ଏଇ ତିନୋଟି ଜିଲ୍ଲାର ଦଶ, ପନ୍ଦରଟି ଛୁଆଙ୍କୁ ଘେନି ଆରମ୍ଭ ହେଲା ଗଳା ସଧା ଓ ତା’ ପଛକୁ ଗୋଡ଼ ସଧା । ଭୋର ଚାରିଟାରୁ ଉଠି ହାର୍‌ମୋନିୟମ୍‌ ସ୍ଵର ସହିତ ସ୍ଵର ମିଳେଇ ସା, ରେ, ଗା, ମା, ପା, ଧା, ନି କହି ଗଳା ସାଧୁ ଓ ଘଣ୍ଟାକ ପରେ ନିଜର ନିତ୍ୟକର୍ମ ଶେଷକରି ପ୍ରତ୍ୟେକ ପିଲା ଗୋଡ଼ରେ ଘୁଙ୍ଗୁର ବାନ୍ଧି ଖୋଳ କିମ୍ବା ଡୁବି ତବଲା ତାଳ ସାଙ୍ଗରେ ପାଦ ପକେଇ ନାଚ ଶିଖୁ ।

 

ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକ ଯଦିଚ ଏଇ ନୂଆ ରାସମଣ୍ଡଳୀରେ ଶିକ୍ଷକ ହିସାବରେ ଯୋଗ ଦେଇଥିଲେ; କିନ୍ତୁ ତାଙ୍କର ମୁଖ୍ୟ କାମଥିଲା, ରାଧାକୃଷ୍ଣକୁ କେନ୍ଦ୍ରକରି ବିଭିନ୍ନ ବିଷୟବସ୍ତୁ କଳ୍ପନାକରି ଭିନ୍ନ ଭିନ୍ନ ନାଟକ ଲେଖିବା । ଏଇ କାରଣରୁ ପିଲାମାନଙ୍କୁ ନାଚ, ଗୀତ ଶିଖେଇବା ଲାଗି ରହିଥିଲେ ଗିରଳ ଗ୍ରାମର ଜଗବନ୍ଧୁ ମାଷ୍ଟ୍ରେ ।

 

ଠିକ୍‌ ମୋହନ ଗୋସ୍ଵାମୀଙ୍କ ରାସଦଳ ଢାଞ୍ଚାରେ ଗଢ଼ାଯାଇଥିଲା ଆମର ସେଇ ନୂତନ ଅନୁଷ୍ଠାନଟି । ପିଲାଙ୍କ କଣ୍ଠରେ ତୁଳସୀ ମାଳି, କପାଳରେ ତିଳକ, କେହି ଲୁଙ୍ଗି ପିନ୍ଧିବେ ନାହିଁ । କେହି ଦାଣ୍ଡ ବା ବଜାରକୁ ଏକୁଟିଆ ଯାଇପାରିବେ ନାହିଁ । ଠାକୁରଙ୍କ ପାଖରେ ଭୋଗ ଲାଗିସାରିଲେ ସେଇ ପ୍ରସାଦକୁ ସମସ୍ତେ ମିଶି ଏକାଠି ବସି ଭୋଜନ କରିବେ ଓ ଭୋଜନ ପୂର୍ବରୁ ଏକାଠି ମିଳିତ କଣ୍ଠରେ ଗାଇବେ–

 

‘‘ଭଜମନ ରାଧେ ଶ୍ରୀ ମଦନ ଗୋପାଳ

ଭଜ ଶ୍ରୀଚୈତନ୍ୟ ନିତ୍ୟାନନ୍ଦ–

ଅଦୈତ ଦୟାଲ ।’’

 

ଏ ବ୍ୟବସ୍ଥାର ମହତ ଉଦ୍ଦେଶ୍ୟ ଥିଲା–ଆମେ ଯେତେବେଳେ ଯୋଉ ଖାଦ୍ୟ ଗ୍ରହଣ କରୁଥିଲୁ ତାକୁ ଈଶ୍ଵରଙ୍କୁ ସମର୍ପଣ କରି ଗ୍ରହଣ କରୁଥିଲୁ । ଖାଦ୍ୟରେ ପିଆଜ, ରସୁଣ, ପଡ଼ୁନଥିଲା-I ଆମିଷ ତ ଦୂରର କଥା ।

 

ଗଳା ସାଧିବା ଓ ନାଚ ଶିଖିବା କାମ କିଛିଦିନ ଅଭ୍ୟାସ କରିବାପରେ କାଳୀ ବାବୁଙ୍କ ଲେଖା ଖଣ୍ଡିଏ ରାସ ବହି ଆସିଲା–ବନ ବିହାର । ଆମ ରାସମଣ୍ଡଳୀର ସେ ଥିଲା ପ୍ରଥମ ବହି । ସନ୍ଧ୍ୟା ଗଡ଼ିଯିବା ପରେ ସମସ୍ତେ ଏକାଠି ବସି, କାହାକୁ କୋଉ ଭୂମିକା ଦିଆଯିବ ସେଥିଲାଗି ଚାଲିଲା ଚର୍ଚ୍ଚା । ଶେଷରେ ସିଦ୍ଧାନ୍ତ ହେଲା ।

 

ଶ୍ରୀରାଧା–ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ

 

ଶ୍ରୀକୃଷ୍ଣ–ଶ୍ରୀ ଗୋବିନ୍ଦଚନ୍ଦ୍ର ପଣ୍ଡା

 

ଲଳିତା–ଶ୍ରୀ ଯମୁନା ଦାଶ

 

ବିଶାଖା–ଶ୍ରୀ ଆର୍ତ୍ତତ୍ରାଣ ମହାରଣା

 

ବୃନ୍ଦା–ଶ୍ରୀ ହରିହର ପଣ୍ଡା

 

ଜଟିଳା–ଶ୍ରୀ ଦୁର୍ଲ୍ଲଭ ଚନ୍ଦ୍ର ସିଂ

 

ମଧୁମଙ୍ଗଳ–ଶ୍ରୀ ଦୀନବନ୍ଧୁ ଦାସ

 

କୁଟୀଳା–ଶ୍ରୀ ବାଉରିବନ୍ଧୁ ସାହୁ

 

ଚନ୍ଦ୍ରଶେଣା–ଶ୍ରୀ ଜଗବନ୍ଧୁ ରଣା (ମାଷ୍ଟ୍ରେ)

 

ସୁବଳ–ଶ୍ରୀ ବାଞ୍ଛାନିଧି ସାହୁ

 

ଚନ୍ଦ୍ରାବଳି–ଶ୍ରୀ ବିମ୍ବାଧର ସ୍ଵାଇଁ

 

ପଦ୍ମା–ଶ୍ରୀ ନାଥ ପ୍ରଧାନ

 

ପ୍ରଥମରୁ ହିଁ ଆମ ରାସମଣ୍ଡଳୀରେ, ଅଭିନୟ ବେଳେ ପ୍ରମ୍ପଟିଙ୍ଗ୍‌ ବ୍ୟବସ୍ଥାର ବିରୋଧ କରାଯାଇଥିଲା । ଏଣୁ ପ୍ରତ୍ୟେକ ଯେପରି ନିଜ ନିଜର ସଂଳାପକୁ ମୁଖସ୍ଥ କରିବେ ସେଥିଲାଗି ଲେଖି ଦିଆଗଲା ।

 

କୋଉ କାମ କେତେବେଳେ କରିବାକୁ ହେବ ତା’ଲାଗି ଗୋଟିଏ ଧରାବନ୍ଧା କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିବାକୁ ପଡ଼ିଲା ।

 

ଭୋର ଚାରିଟାରେ–ଗଳା ସାଧିବା

 

ଭୋର ପାଞ୍ଚଟାରେ–ସଂଳାପ ମୁଖସ୍ଥ

 

ସକାଳ ଛ’ଟାରେ–ନିତ୍ୟକର୍ମ

 

ସକାଳ ସାତଟାରେ–ନାଚ ଶିକ୍ଷା

 

ଅଳ୍ପ ସମୟ ପାଇଁ ବିଶ୍ରାମ ଏବଂ ସାମନ୍ୟ ଜଳଖିଆ । କୋଉଦିନ ଚୁଡ଼ାଭଜା, ଉଖୁଡ଼ା, କେବେ କେମିତି ଗରମ ଖେଚୁଡ଼ି ଅବା ବୁଟ ସିଝା ।

 

ଗାଧୁଆ ଶେଷକରି ପ୍ରତିଦିନ ଦଶଟା ସମୟକୁ ଆରମ୍ଭ ହୁଏ ‘ବନ ବିହାର’ ଅଭିନୟ ଅଭ୍ୟାସ । ସତରଞ୍ଜି ଉପରେ ଆଗରେ ବସନ୍ତି ଜଗୁ ମାଷ୍ଟ୍ରେ ଓ ବଡ଼ ମାଷ୍ଟ୍ରେ (କାଳୀ ବାବୁ)–କିଏ କେମିତି ଅଭିନୟ କରିବ, କିଏ କୋଉ ଦିଗରୁ ଆସିବେ, କିଏ କୋଉ ଦିଗକୁ ଯିବେ, ବତେଇ ଦେଉଥାନ୍ତି । ସଂଳାପର ଶୁଦ୍ଧ ଉଚ୍ଚାରଣ ଏବଂ ତାହା କହିଲାବେଳେ ଯେପରି ବାଚନିକ ଭଙ୍ଗୀ ଠିକ୍‌ ରୁହେ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଉଥିଲା । ବିଭିନ୍ନ ଚରିତ୍ର ମୁହଁରେ ବିଭିନ୍ନ ମାନର ସଂଳାପ ଦେଇ ଉଚ୍ଚାରଣ ବେଳେ କୋଉ ଶବ୍ଦ ଉପରେ ଅଧିକ ଜୋର୍‌ ଦବାକୁ ହବ ସେକଥା ବୁଝେଇ ଦିଆଯାଇ ଥରକେ ଠିକ୍‌ ନ ହେଲେ ଦଶଥର ବତେଇଦବାକୁ ପଡ଼ୁଥିଲା ।

 

ଏଇସବୁ ଛୁଞ୍ଚି–ମାଛି ପରୀକ୍ଷା ଭିତରେ ଜଣାଯାଉଥିଲା ଶିଳ୍ପୀର ପ୍ରତିଭା ରହିଛି କି ନାହିଁ ଏବଂ ତାହା ଉଚ୍ଚକୋଟୀର କି ନୁହେଁ ।

 

ଏଥ‌ିପୂର୍ବରୁ ମୁଁ କେବଳ ଅଭିନୟର ଉପରଭାଗ ଦେଖି ଆସିଥିଲି । ଅଭିନୟ କରିବା ଯେ ଏକ କଷ୍ଟକର ବ୍ୟାପାର ତାହା ମୋର ମନକୁ ଛୁଇଁ ନ ଥିଲା । ଅଭିନେତା ହବାକୁ ହେଲେ କେତେ କଠୋର ପରୀକ୍ଷା ଭିତରେ ଆଗେଇବାକୁ ପଡ଼ିବ ସେ ଭାବନା ଭାବିବାକୁ ଶକ୍ତି ନ ଥିଲା ।

 

ଅଭିନୟ ଅଭ୍ୟାସ (ରିହାରସାଲ୍‌) ଶେଷ ହେଉଥିଲା ଦିନ ବାରଟା ବେଳକୁ । ତା’ପରେ ଆରମ୍ଭ ହଉଥିଲା ପଂକ୍ତି ଭୋଜନ । ଅରୁଆ ଅନ୍ନ, ଡାଲି, ତରକାରି ଯେତେବେଳେ ଯାହା ମିଳିଲା ଓ ଖାଇ ସାରିବାପରେ କିଛି ସମୟ ପାଇଁ ବିଶ୍ରାମ ଦେଇ ସଂଳାପ (ଡାଇଲଗ୍) ମୁଖସ୍ଥ କରିବାକୁ ଉଠେଇ ଦେଉଥିଲେ ।

 

ଦିନ ଚାରିଟା ବେଳକୁ ଜଗୁମାଷ୍ଟ୍ରେ ହାତରେ ବେତ ଧରି ଗୋଟିଏ ସମାଧି ଘରେ (ଭକ୍ତ ସମାଧିଘରେ ଆମ ରାସମଣ୍ଡଳୀର ଅନ୍ୟତମ ମାଲିକ ଶ୍ରୀ ଗୋପାଳ ଗୋସେଇଁଙ୍କର ପୂର୍ବପୁରୁଷମାନଙ୍କର କେତେଗୁଡ଼ିଏ ସମାଧି ଥିଲା) ଆମମାନଙ୍କ ଭିତରୁ ଜଣଜଣଙ୍କୁ ଡକେଇ ସଂଳାପଗୁଡ଼ିକ କାହାର କେତେ ମନେ ରହିଛି ତାହା ପରୀକ୍ଷା କରୁଥିଲେ । ଯଦିଚ କାହାର ମୁଖସ୍ଥ ଦେବାରେ ଭୁଲ ହେଇଯାଉଥିଲା, ତା’ ଉପରେ ଚାଲୁଥିଲା ଅକଥନୀୟ ବେତ୍ରାଘାତ ।

 

ଆମ ରାସମଣ୍ଡଳୀରେ ପ୍ରାୟ ପ୍ରତ୍ୟେକ ନାଟକରେ ମଧୁମଙ୍ଗଳ ଭୂମିକା ଅନ୍ୟାନ୍ୟ ଭୂମିକାଠାରୁ ଥିଲା ଶ୍ରେଷ୍ଠ ଓ ମୁଖ୍ୟ । ସେ ଚରିତ୍ରରେ କେବଳ ହାସ୍ୟରସ ପରିବେଷଣ କରିବାର ସୁଯୋଗ ନ ଥିଲା, ଥିଲା ସେଥ‌ିରେ ତାରୁଣ୍ୟ ଓ କାରୁଣ୍ୟ ରସର ସୂକ୍ଷ୍ମ ପରଖ ।

 

ଗୋଟିଏ ଗୋଟିଏ ବହିରେ ପ୍ରତ୍ୟେକ ଚରିତ୍ର ମୁହଁରେ ଯେତିକି ଯେତିକି ସଂଳାପ (ଡାଇଲଗ୍‌) ରହୁଥିଲା ସେ ସମସ୍ତ ସଂଳାପ ମିଶିଲେ ଯେତିକି ହେବ ତା’ର ଅଧାରୁ ବେଶି ଭାଗ ରହୁଥିଲା ଏକା ‘ମଧୁମଙ୍ଗଳ’ର । ଆପଣମାନେ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ ଦିନ, ରାତିର ଚବିଶ ଘଣ୍ଟା ଭିତରେ ଗୋଟିଏ ଗୋଟିଏ ବହିର ବଚନିକାକୁ ସମ୍ପୂର୍ଣ୍ଣ ଝଡ଼ା ମୁଖସ୍ଥ ଦେଇଦଉଥିଲି ଏବଂ ସେଥିରୁ ଯଦି ଗୋଟାଏ ଅଧେ ଧାଡ଼ି ବା ଶବ୍ଦ ଭୁଲିଯାଉଥିଲି ତା’ ଫଳରେ ଦିହରେ ବସୁଥିଲା ବେତ ପ୍ରହାର ।

 

ସେ ଯୋଉ ପ୍ରହାର ବସୁଥିଲା ତାହା କେବେ କେହି ମନରୁ ପାସୋରି ପାରିବ ନାହିଁ ଏବଂ ମୁଁ ମଧ୍ୟ ଆଜି ତାକୁ ପାସୋରି ପାରିନାହିଁ । ପିଲାମାନେ ତାଙ୍କର ବାପ, ମା’ଙ୍କୁ ସ୍ମରଣ କରି କାନ୍ଦି କାନ୍ଦି ଗଡ଼ିଯାଉଥିଲେ ଓ ଜଗୁମାଷ୍ଟ୍ରେ ଛାଟ ଉପରେ ଛାଟ ବସେଇ ଆଗେଇଯାଉଥିଲେ । ବେତ ଖଣ୍ଡିକ ସମ୍ପୂର୍ଣ୍ଣରୂପେ ଭାଙ୍ଗିବାପରେ ଯାଇ ମାଡ଼ ବନ୍ଦ ହଉଥିଲା ।

 

ଅବଶ୍ୟ ମାଟିବଂଶ ଅବଧାନଙ୍କ ବେତମାଡ଼ ସହିଛି ମୁଁ; କିନ୍ତୁ ଜଗୁମାଷ୍ଟ୍ରଙ୍କ ବେତମାଡ଼ ଥିଲା ଖୁବ୍‌ ଉତ୍କଟ ଓ ଯନ୍ତ୍ରଣାଦାୟକ । ରକ୍ଷା ହେଇଛି ଯେ ଶ୍ରୀ ଗୋପାଳ ଗୋସେଇଁଙ୍କ ପୂର୍ବପୁରୁଷଙ୍କ ସମାଧି ନିକଟରେ ଆମମାନଙ୍କର ସମାଧି ହେଇପାରିନାହିଁ ।

 

ତା’ପରେ–ସେଇସବୁ ମୁଖସ୍ଥ ଦିଆ, ହାଲ୍ଲାଗୁଲ୍ଲା, କାନ୍ଦ ବୋବାଳି ପରେ ପରେ ସନ୍ଧ୍ୟା ନଇଁଆସେ । ଠାକୁରଙ୍କ ପୂଜାରୀ ଡାକ ଛାଡ଼ନ୍ତି ଆରତୀ କୀର୍ତ୍ତନରେ ଯୋଗଦେବା ପାଇଁ ।

 

ଦିଅଁଙ୍କ ଆଗରେ ଆମେ ସମସ୍ତେ ସମବେତ ହେଉ । କିଏ ଛୋଟେଇ, କିଏ ବଙ୍କେଇ, ବିକଳରେ ଖୋଳ ଓ କୁବୁଜି ବଜେଇ ଭୟମିଶା କଣ୍ଠରେ ଆରମ୍ଭ କରୁ–

 

‘‘ଭଲି ଗୋରା ଚାନ୍ଦର ଆରତୀ ବାଣୀ

ବାଜିତ ସଂକୀର୍ତ୍ତନ ସୁମଧୁର ଧ୍ଵନୀ

ଶଙ୍ଖ ବାଜେ, ଘଣ୍ଟା ବାଜେ,

ବାଜେ କରତାଳ

ମଧୁର ମିଦ୍ରଙ୍ଗବାଜେ

ଶୁଣିବେ ରସାଳ ।’’

 

ବେଳେବେଳେ ଆମେମାନେ ଏଇ ସମୟରେ ପୁରୀ ବାଲିସାହିର ପ୍ରସିଦ୍ଧ ତୋଟା ଗୋପୀନାଥଙ୍କ ନିକଟକୁ ଯାଉଥିଲୁ । ସ୍ଥାନଟି ବଡ଼ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ । ସମୁଦ୍ରକୂଳ, ସ୍ଥାନେସ୍ଥାନେ ପାହାଡ଼ପରି ବାଲିର କୁଦ । ପୋଲାଙ୍ଗ, ଆମ୍ବ, ଝାଉଁ ଓ ପଣସ ଗଛର ବିରାଟ ତୋଟା ସେ ଅଞ୍ଚଳକୁ କରିଥାଏ ଛାୟାଯୁକ୍ତ, ଶ୍ୟାମଳ ସୁନ୍ଦର ।

 

ଶ୍ରୀଯୁକ୍ତ ଗୋପାଳ ଗୋସ୍ଵାମୀ ମଧ୍ୟ ଶ୍ରୀ ମୋହନସୁନ୍ଦର ଦେବ ଗୋସ୍ଵାମୀଙ୍କ ଭଳି ପ୍ରଭୁପାଦ ଶ୍ରୀ ନିତ୍ୟାନନ୍ଦ ଦେବଙ୍କର ବଂଶଧର ଥିଲେ । ଏଣୁ ଶ୍ରୀ ଗୋପାଳ ଗୋସ୍ଵାମୀଙ୍କ ନିଜ ଘରେ ବି ଘରୋଇ ମନ୍ଦିରରେ ଶ୍ରୀକୃଷ୍ଣମୂର୍ତ୍ତି ପୂଜା ପାଉଥିଲେ ।

 

ମନ୍ଦିର ସାମ୍ନାରେ ଛୋଟ ମଉଡ଼ମରା ମଣ୍ଡପଟିଏ । ସେଇ ମଣ୍ଡପରେ ଆମର ହୁଏ ଆରତୀ କୀର୍ତ୍ତନ, ପଂକ୍ତିଭୋଜନ ଓ ଅନେକ କିଛି କାମ ଓ ସେଇ ମଣ୍ଡପ ପାଖକୁ ଲାଗି ଖୁବ୍‌ ବିରାଟ ଏକ ଧାରେ କୋଠି । ସେଇ କୋଠି ପାଖରେ ହୁଏ ସବୁଦିନିଆ ନାଟ୍ୟାଭ୍ୟାସ ।

 

ସଞ୍ଜ ଗଡ଼ିଯିବା ପରେ ଆସନ୍ତି ଆମର ପ୍ରଧାନ ମାଷ୍ଟ୍ର ଶ୍ରୀ କାଳୀଚରଣ ପଟ୍ଟନାୟକ । ମଝିରୁ ସୁନ୍ଥା କାଟି ବାଳ କୁଣ୍ଡାନ୍ତି, ବେଶିବାଳ ନ ଥିଲେ ବି ସେଗୁଡ଼ିକ ବେଶ୍‌ ସଂଜତ୍‌ । ନାକ ତଳେ ଛୋଟନିଶ । କାନ୍ଧରେ ଧଳା ସରୁ ଚାଦର ଆଉ ଧୋବ ଫରଫର ପଞ୍ଜାବି ସାଙ୍ଗକୁ କୁଞ୍ଚକରା ଧୋତି, ହାତରେ ବାଡ଼ି, ଆଖୁରେ ସୁନା ରଙ୍ଗର ଚଷମା ବେଶ୍‌ ମାନେ ତାଙ୍କୁ ।

 

ତାଙ୍କୁ ଦେଖିଲେ ଆମ ପିଲାଗୁଡ଼ାକ ଯେତିକି ଭୟ କରୁଥିଲେ ସେତିକି ଭକ୍ତି କରୁଥିଲେ ମଧ୍ୟ । ପିଲାଙ୍କର ସେଇ ଦାରୁଣ ପରିସ୍ଥିତି ଦେଖି ସେ ସାଙ୍ଗେ ସାଙ୍ଗେ ଜଗୁମାଷ୍ଟ୍ରଙ୍କ ଉପରେ ଅଗ୍ନିଶର୍ମା ହେଇଯାଉଥିଲେ ଓ ବଜାରରୁ ଅମୃତାଞ୍ଜନ କିଣିଆଣି ଆମ ଦେହରେ ମାଲିସ୍‌ କରିବାକୁ ବରାଦ କରୁଥିଲେ ।

 

ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ, ସୁଖାନି ଚ । ଏଇଭଳି ରୀତିରେ ଧରାବନ୍ଧା ଭାବେ ଆମର ତଥା ମୋର ଜୀବନଚକ୍ର ଗଡ଼ି ଚାଲିଥାଏ । ଦିନରେ ପ୍ରାଣମୂର୍ଚ୍ଛା ପ୍ରହାର ଏବଂ ରାତି ହେଲେ ଅମୃତାଞ୍ଜନ ମାଲିସ୍‌ । ବାସ୍‌ ।

 

ଅତି କଠିନ ସେ ସାଧନା । ଭୟ ଯେତିକି ଆଶଙ୍କା ମଧ୍ୟ ତା’ଠାରୁ ଅତି ବେଶି । ହେଲେ ଆମେ କିନ୍ତୁ ସେଇ ପିଚ୍ଛିଳ ବନ୍ଧୁର ପଥରେ ଆଗପଛକୁ ବିଚାର ନ କରି ଅନେକ ଗୁଡ଼ିଏ ଭାଗ୍ୟକୁ ଗୋଟିଏ ସୂତାଖିଅରେ ବାନ୍ଧିପକେଇ ପଡ଼ି ଉଠି ଆଗେଇ ଚାଲିଥାଉ । ଅତୀତ ଯାହାର ନାହିଁ ଭବିଷ୍ୟତ ବା ତାହାର ଆସିବ କୋଉଠୁ ?

 

ଏଣେ ଧୀରେଧୀରେ ରାସମଣ୍ଡଳୀର କଳେବର ବଢ଼ି ଚାଲିଥାଏ । ପ୍ରତିଦିନ ଜଣେ ଅଧେଙ୍କର ନୂଆନୂଆ ମୁହଁ ଦର୍ଶନର ସୁଯୋଗ ମିଳୁଥାଏ । ମାଲିକ ଦୁଇଜଣ ଶ୍ରୀ ଗୋପାଳ ଗୋସ୍ଵାମୀ, ଶ୍ରୀ ବାବାଜି ମହାପାତ୍ର ତାଙ୍କର ସମସ୍ତ ଶକ୍ତିଦେଇ ମଣ୍ଡଳୀ କିପରି ସୁଦୃଢ଼ ହେବ, ମାର୍ଜିତ ରୁଚିର ହେବ ତା’ପାଇଁ ଚେଷ୍ଟା ଚଳେଇଥାନ୍ତି ।

 

କିଛିଦିନ କଠୋର ଅଭ୍ୟାସ ପରେ ସମସ୍ତେ ଏକାଠି ବସି ସ୍ଥିର କଲେ ଯେ ନିଜର ଆତ୍ମବିଶ୍ଵାସ ଲାଗି, ପରୀକ୍ଷାସ୍ଵରୂପ ବନବିହାର ନାଟକଟି ଆମର ସେଇ ହତାଭିତରେ ପ୍ରଦର୍ଶନ କରାଯାଇ ପୁରୀର କେତେକ ବିଶିଷ୍ଟ ଭଦ୍ରଲୋକଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ମତାମତ ଲୋଡ଼ିବାକୁ ।

 

ସେଇୟା ହେଲା । ପାଞ୍ଜି ଦେଖି ଶୁଭଦିନ ଠିକ୍‌ କରାଯାଇ ‘ବନବିହାର’ ମଞ୍ଚସ୍ଥ ହେଲା ।

 

ଆମେ ରହୁଥ‌ିବା ଶ୍ରୀ ଗୋପାଳ ଗୋସେଇଁଙ୍କ ଘରର ଛୋଟ ଅଗଣାଟିରେ ବାଉଁଶ ମଞ୍ଚା ତିଆରି କରାଯାଇ ବିଭିନ୍ନ ପରଦା ଟଣାହେଲା ଓ ଅଳ୍ପ କେତେକ ଦର୍ଶକମାନଙ୍କ ଆଗରେ ଆମେମାନେ ଟିକିଟିକି ପିଲା ସବୁ ସେଇ ରଙ୍ଗମଞ୍ଚରେ ଅଭିନୟ ଆରମ୍ଭ କଲୁ ।

 

କ’ଣ କହିବି ସେ ସଫଳତା ବିଷୟରେ ? ନିଜ ଢୋଲ ନିଜେ ପିଟି ତାକୁ ପ୍ରଶଂସା କରିବା ମୋ ପକ୍ଷରେ ସମ୍ଭବ ନୁହଁ । ସେଦିନର ସେଇ ଦର୍ଶକ ହିସାବରେ ଯୋଉମାନେ ଉପସ୍ଥିତ ଥିଲେ ସେମାନେ ତ ନିଶ୍ଚିତ ରୂପରେ ଅନୁମୋଦନ କରିଥିଲେ । ତା’ଛଡ଼ା ଆମ ସମସ୍ତଙ୍କ ପ୍ରଚେଷ୍ଟାରେ ବନବିହାର ନାଟକ ଯୋଉ ସ୍ଵତନ୍ତ୍ର ରୂପ ନେଇଥିଲା ଦେଖେଣାହାରୀଙ୍କ ଆଖିରେ, ତାହାକୁ ଅନ୍ୟମାନେ ଯେତେଟା ଅନୁଭବ କରନ୍ତୁ ନା କାହିଁକି ଆମର ଅନ୍ତତଃ କିଛିଟା ଉପଲବ୍ଧି କରିବାର କ୍ଷମତା ଆସିଥିଲା ।

 

ଯୋଉ ଅଭିନେତା ତାର ନିଜର କଳାକୁ ଚିହ୍ନି ପାରିବାରେ ଅସମର୍ଥ ସେ’ବା ଅନ୍ୟକୁ ସେଇ କଳା ଚିହ୍ନେଇବାରେ ସମର୍ଥ ହେବ କିପରି ? ଅଭିନୟ ପ୍ରଦର୍ଶନ ବେଳେ ଯୋଉ କଳାକାର ଯେତିକି ପରିମାଣରେ ନିଜର କଳାପ୍ରତି ଆକୃଷ୍ଟ ହେଇପାରେ, ନିଶ୍ଚୟ ସେ ଯେ ଦର୍ଶକମାନଙ୍କୁ ସେତିକି ପରିମାଣର କଳାପ୍ରତି ଆକୃଷ୍ଟ କରିପାରିବ ଏହା ମୋର ଅଭିଜ୍ଞତାରୁ ମୁଁ ବୁଝିପାରିଅଛି ।

 

ରାସମଣ୍ଡଳୀର ନିୟମ ଥିଲା–ଅଭିନୟ ପୂର୍ବରୁ ପ୍ରଥମେ ଗୁରୁ–ବନ୍ଦନା ବୋଲାଯିବ ଓ ନାଟକରେ ଯୋଉମାନେ ଅଂଶଗ୍ରହଣ କରିବେ, ସେମାନେ ପ୍ରତ୍ୟେକେ ହାତଯୋଡ଼ି ଠିଆହେବେ, ବୃନ୍ଦାବତୀଙ୍କୁ (ତୁଳସୀବୃକ୍ଷ) ମଝିରେ ରଖି ଗାଇବେ–

 

‘‘ଅଜ୍ଞାନ ତିମିରେ ଚକ୍ଷୁ ଅନ୍ଧକାର ଥିଲା

ଜ୍ଞାନାଞ୍ଜନ ଦେଇ ଯେହୁ ପ୍ରକାଶ କରିଲା ।

ଏବଂ ଭୂତ ଶ୍ରୀଗୁରୁ ଚରଣ ତଳେ ଧ୍ୟାୟୀ

ଭକ୍ତି ଭରେ ସଦା ପୁନଃ ପୁନଃ ପ୍ରଣମଇ ହେ ।’’

 

ଅବା

 

‘‘ଭବସାଗର ତାରଣ କାରଣ ହେ

ଚିରବନ୍ଦନ ହୃଦ ତଟ ଚନ୍ଦନ ହେ ।

ଶରଣାଗତ କିଙ୍କର ଦୀନ ଜନେ ।

ଗୁରୁଦେବ ଦୟାକର ଶୁଦ୍ଧମନେ ।’’

 

ଅଭିନୟ ଆରମ୍ଭରୁ ଏଇସବୁ ବନ୍ଦନା ବୋଲାଯାଇ ମୁଖ୍ୟପରଦା ବା (ଡ୍ରପ୍‌) ଉଠୁଥିଲା ।

 

ବନବିହାର ନାଟକର ପରୀକ୍ଷାମୂଳକ ରଜନୀ ପ୍ରଦର୍ଶନ ପରେ କର୍ମକର୍ତ୍ତାମାନଙ୍କର ଦୃଢ଼ ବିଶ୍ଵାସ ଆସିଲା ଯେ ଅଭିନୟ ଓ ତାର ଅନ୍ୟାନ୍ୟ ଦିଗପ୍ରତି ଅଧିକ ଦୃଷ୍ଟି ଦେଲେ, ବ୍ୟବସାୟିକ ଭିଭିରେ ଏହା ଖୁବ୍‌ (ରାସମଣ୍ଡଳୀ) ଲାଭ ଦେବ ନିଶ୍ଚୟ ।

 

କ୍ରମେ କ୍ରମେ ସମସ୍ତଙ୍କର ଆଗ୍ରହ ରାସମଣ୍ଡଳୀ ଉପରେ ବଢ଼ିବାକୁ ଲାଗିଲା । ପୁରୀର ବିଭିନ୍ନ ମଠ ଓ ବ୍ୟକ୍ତିବିଶେଷ କିଛି କିଛି ସ୍ୱେଚ୍ଛାକୃତ ସାହାଯ୍ୟ ମଧ୍ୟ ଦେଲେ । ଖାଇବାରେ ଅଭାବ ନ ଥିଲା । କାମରେ ବିଶ୍ରାମ ନ ଥିଲା । ଆମେସବୁ ଦୁଇଗୁଣ ଉତ୍ସାହରେ ନାଚ ଶିଖିବା, ଗଳା ସାଧିବା, ବଚନିକା ମୁଖସ୍ଥ କରିବା, ଅଭିନୟ ଅଭ୍ୟାସ କରିବା କାମରେ ଲାଗିପଡ଼ିଲୁ । ସେତେବେଳର ସେଇ ମାନସିକ ଓ ଶାରୀରିକ ପରିଶ୍ରମର ଯେଉଁ ସୁପ୍ରଭାବ ଆମ ଉପରେ ପଡ଼ିଥିଲା ତାହା ସେତେବେଳ ଅପେକ୍ଷା ପରବର୍ତ୍ତୀ କାଳରେ ଆମର ଖୁବ୍‌ ଉପକାର କରିଥିଲା ।

 

ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ଆଉ ଖଣ୍ଡିଏ ବହି ଆସିଲା–‘କୌତୁକ ଚିନ୍ତାମଣି’ । ବନବିହାର ନାଟକରେ ଯୋଉମାନେ ଯୋଉ ଭୂମିକା ନେଇଥିଲେ ଉକ୍ତ ‘କୌତୁକ ଚିନ୍ତାମଣି’ରେ ମଧ୍ୟ ଠିକ୍‌ ସେଇ ସେଇ ପିଲାମାନେ ସେଇ ଭୂମିକା ନେଲେ । ଚାଲିଲା–ଗୀତ ଶିକ୍ଷା, ସଂଳାପ ଶିକ୍ଷା ।

 

ଆମ ରାସମଣ୍ଡଳୀର ନାମକରଣ କରାଯାଇଥିଲା ‘ଶ୍ରୀ ଶ୍ରୀ ରାଧାରମଣ ରାସ ଉତ୍ସବ ।’

 

ଆଗରୁ ଅବଶ୍ୟ ମୋହନ ଗୋସ୍ଵାମୀଙ୍କ ବିଭିନ୍ନ ରାସ ବହିର ଅଭିନୟ ଦେଖିଥିଲି, ଯଥା–କଂସବଧ, ବାଲ୍ୟଲୀଳା, କଳଙ୍କ ଭଞ୍ଜନ, ମାନଭଞ୍ଜନ ଇତ୍ୟାଦି ଇତ୍ୟାଦି । କିନ୍ତୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ରାସ ବହି ଥିଲା ଗୋସ୍ଵାମୀଙ୍କ ଅଭିନୀତ ବହିଠାରୁ ସ୍ୱତନ୍ତ୍ର ଧରଣର, ସ୍ୱତନ୍ତ୍ର ମାନର-। ଚରିତ୍ରଗୁଡ଼ିକ ସମାନ ନାମର ଥିଲେ ମଧ୍ୟ ସେସବୁ ଚରିତ୍ର ଚିତ୍ରଣରେ କାଳୀବାବୁ ଥିଲେ ସିଦ୍ଧହସ୍ତ-। ବିଷୟବସ୍ତୁ ଭିତରେ ବିଭିନ୍ନ ପରିସ୍ଥିତିରେ ସେଇସବୁ ପୁରୁଣା ଚରିତ୍ରଗୁଡ଼ିକୁ ଏଭଳିଭାବରେ ନେଉଥିଲେ ଓ ଆଣୁଥିଲେ ଯାହାକୁ କି ଦର୍ଶକ ଦେଖିବା ଆଗରୁ ଜାଣିପାରୁ ନ ଥିଲେ ।

 

ଯୋଉ ଚରିତ୍ର ମୁହଁରେ ଯେମିତି କଥା ବା ଭାଷା ରହିବା ଉଚିତ୍‌ କାଳୀବାବୁ ଠିକ୍‌ ସେଇସବୁ ଚରିତ୍ର ପାଇଁ ସେମିତି ଲେଖୁଥିଲେ । ଅର୍ଥାତ୍‌ ଶ୍ରୀରାଧାଙ୍କ ମୁହଁରେ ଯୋଉଭଳି କଥା ହେଲେ ସେ ଚରିତ୍ରର ବଂଶ–ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ, ଠିକ୍‌ ସେଇଭଳି ଭାଷା ତାଙ୍କୁ ଦିଆଯାଉଥିଲା-I ସେମିତି ଜଣେ ପରିଚାରିକା ମୁହଁରେ ମଧ୍ୟ ଯୋଉ ଓଜନର ସଂଳାପ ରହିଲେ ଠିକ୍‌ ଚରିତ୍ରମୁଖ ଭାଷା ହେବ ସେଥିପ୍ରତି ଗୁରୁତ୍ଵ ଦଉଥିଲେ ସେ ।

 

ବନବିହାର, କୌତୁକ ଚିନ୍ତାମଣି ନାଟକ ଥିଲା ସଂଗୀତବହୁଳ । ସେସବୁ ସଂଗୀତ ଭିତରୁ କାଳୀବାବୁଙ୍କ ନିଜଲେଖା କେତେଗୋଟିକୁ ଛାଡ଼ିଦେଲେ ବାକି ସବୁ ଥିଲା ପ୍ରାଚୀନ କବିଙ୍କର-। ସେଇ ସୁମଧୁର ସଙ୍ଗୀତଗୁଡ଼ିକ ଏମିତି ଭାବରେ ଖଞ୍ଜି ଦିଆଯାଉଥିଲା ଯାହାଦ୍ଵାରା ନାଟକଟି ହୋଇଉଠୁଥିଲା ସର୍ବାଙ୍ଗସୁନ୍ଦର ।

 

ଏହା ପ୍ରାୟ ୧୯୨୬ ମସିହା କଥା । ଏତେବେଳକୁ ଆମର ପ୍ରାଚୀନ ସଙ୍ଗୀତ, ସାହିତ୍ୟ ଯେ ଲୋକଲୋଚନକୁ ବିଶେଷ ପରିମାଣରେ ଆସିନଥିଲା ତା’ ନୁହେଁ । ତଥାପି ନାଟକ ମାଧ୍ୟମରେ ସେଇସବୁ ଓଡ଼ିଆ ଅମର କବିଙ୍କର ବହୁ ମୂଲ୍ୟବାନ ଓଡ଼ିଶୀ ସଂଗୀତ ଆଦୃତ କରିବା ଦିଗରେ ବହୁ ଓଡ଼ିଆଙ୍କର ଧାରଣା ବଡ଼ ସୀମିତ ଥିଲା କହିଲେ ଚଳେ । ଆମର ପାଲା ଓ ଗୋଟିପୁଅ ନାଚ ଅବଶ୍ୟ ସେ ସମୟକୁ ବେଶ୍‌ ଖ୍ୟାତି ଅର୍ଜନ କରିସାରିଥିଲେ । ଗୋଟିପୁଅ ନାଚ ଥିଲା ଖାଣ୍ଟି ଓଡ଼ିଶୀ-। ଗୋଟିପୁଅ ନାଚଦଳ ପ୍ରାୟ ବେଶି ଭାଗ ପୁରୀ ଜିଲ୍ଲାର ଗିରଳଗ୍ରାମ, ଭିଙ୍ଗାରପୁର, ଚନ୍ଦନପୁର, ଦରଡ଼ାଗ୍ରାମରେ ଉଚ୍ଚକୋଟିର ଥିଲେ । ଏଇ ଦଳସବୁ ପୁରୀର ପ୍ରସିଦ୍ଧ ଝୁଲଣ ଯାତ୍ରାରେ ବିଭିନ୍ନ ମଠମହନ୍ତଙ୍କ ଆମନ୍ତ୍ରଣକ୍ରମେ ଭାଗନବାକୁ ଆସୁଥିଲେ ଓ ପାଲା ପ୍ରାୟ ଓଡ଼ିଶାର ସର୍ବତ୍ର ଅନୁଷ୍ଠିତ ହେଉଥିଲା ।

 

ଗୋଟିପୁଅ ନାଚରେ ବାଦ୍ୟ ଯାହା ବ୍ୟବହାର ହେଉଥିଲା ସେସବୁ ହେଲା–ବେହେଲା, ମର୍ଦ୍ଦଳ ଓ ମନ୍ଦିରା । ମର୍ଦ୍ଦଳର ଉକୁଟ ସହିତ ଗୋଟିପୁଅର ଛନ୍ଦଭରା ନୃତ୍ୟ ଯେ ନିଜ ଆଖ‌ିରେ ନ ଦେଖିଛି ସେ ହୁଏତ ବୁଝିପାରିବ ନାହିଁ ବାସ୍ତବିକ ସେ ନୃତ୍ୟ କେତେ କଷ୍ଟକର ।

 

ଯୋଉମାନେ ଗୋଟିପୁଅ ନାଚିବାକୁ ବଛା ଯାଉଥିଲେ ସେମାନେ ଅତି ପିଲାବେଳୁ ବଛା ଯାଇଥିଲେ, କାରଣ ଦେହର ଅସ୍ଥି ନରମ ଥ‌ିବା ଅବସ୍ଥାରେ ନାଚଶିକ୍ଷା ପାଇଁ ସୁବିଧା ହୁଏ । ନାଚର ପ୍ରାଥମିକ ଅବସ୍ଥାରେ ଯେ ନାଚିବ ତାକୁ ବିଭିନ୍ନ ମୁଦ୍ରାର ତାଲିମ୍‌ ଦିଆଯାଏ ଓ ସେ ପିଲା ମୁଦ୍ରାସବୁକୁ ଯେପରି ଠିକ୍‌ ପରିସ୍ଫୁଟ କରିପାରିବ ସେଥିଲାଗି ତାର ହାତ, ଗୋଡ଼, ପାଦ, ବେକ, ଅଣ୍ଟାରେ ସୋରିଷତେଲ ମାଲିସ୍‌ କରି ବିଭିନ୍ନ ବନ୍ଧ ଶିକ୍ଷା ଦିଆଯାଏ ।

 

ଗୋଟିପୁଅ ତାର ବନ୍ଧ ଜରିଆରେ ଦର୍ଶକ ରସିକମାନଙ୍କଠାରୁ ସେତେବେଳେ ଅଣି, ଦୋ’ଣି, ସୁଉକି, ଅଧୁଲୀ ସବୁ ଆଦାୟ କରୁଥିଲେ ଏବଂ ଗୋଟିପୁଅ ନାଚ ଦଳର ଶିକ୍ଷକମାନଙ୍କ ପାଇଁ ଏହା ଥିଲା ଏକ ଉତ୍ତମ ଉପାର୍ଜନର ମାଧ୍ୟମ । ଗୋଟିପୁଅମାନେ ଯୋଉସବୁ ସଂଗୀତ ଗାଇ ଓ ତା’ର ଭାବକୁ ମୁଖ ଏବଂ ହସ୍ତମୁଦ୍ରା ଦ୍ଵାରା ଜନସାଧାରଣଙ୍କ ମନରେ ସେଇ ସଙ୍ଗୀତସବୁକୁ ବୋଧଗମ୍ୟ କରିପାରୁଥିଲେ ସେ ସଙ୍ଗୀତର ରଚୟିତା ଥିଲେ–କବିସମ୍ରାଟ, କବିସୂର୍ଯ୍ୟ, ଗୋପାଳକୃଷ୍ଣ, ଗୌରହରି ପରିଚ୍ଛା, ଦୀନକୃଷ୍ଣ, ଅଭିମନ୍ୟୁ, ଯଦୁମଣି, ବେଣୁଧର, ଭକ୍ତଚରଣଭଳି କବିମାନେ ।

 

ଶ୍ରୀଯୁକ୍ତ ପଟ୍ଟନାୟକ, ଅନ୍ୟାନ୍ୟ ରାସରଚୟିତାଙ୍କ ମଧ୍ୟରେ ଥିଲେ ସ୍ଵତନ୍ତ୍ର ଶୈଳୀର ରଚୟିତା ଏବଂ ରାସ ବହିର ପ୍ରାଚୀନ କବିଙ୍କର ପ୍ରାଚୀନ ସଙ୍ଗୀତ ବହୁଳ ଭାବରେ ଗ୍ରହଣ କରିବାରେ ଥିଲେ ଅଗ୍ରଣୀ ।

 

ଏହିଭଳି ଭାବରେ କିଛିଦିନ ଚାଲିଯିବା ପରେ ‘କୌତୁକ ଚିନ୍ତାମଣି’ ନାଟକର ଶିକ୍ଷା ସମାପ୍ତ ହେଲା ଓ ତା’ ପଛକୁ ଆରମ୍ଭ ହେଲା, ‘ବିଦ୍ୟାବଳୀ’ ନାଟକ । ରାସମଣ୍ଡଳୀର କର୍ତ୍ତୃପକ୍ଷଙ୍କର ଉଦ୍ଦେଶ୍ୟ ଥିଲା–ଏକାଦିକ୍ରମେ ଅନେକଗୁଡ଼ିଏ ନାଟକକୁ ଆୟତ କରିସାରିବାପରେ ଦଳକୁ ଜନସାଧାରଣଙ୍କ ସମ୍ମୁଖକୁ ଅଣାଯିବା ଦର୍କାର ।

 

ଶ୍ରୀଯୁକ୍ତ ପଟ୍ଟନାୟକ ମଧ୍ୟ ମାଲିକମାନଙ୍କ କଥାରେ ରାଜିହୋଇ ଆମମାନଙ୍କର ତାଲିମ୍‌ରେ ଯେପରି ଖଇଚା ନ ରୁହେ ତା’ଲାଗି ରାତି, ଦିନ ରିହାର୍‌ସାଲ କରାଉଥିଲେ ।

 

ଯୋଉ ପୁରୁଣା କବିଙ୍କର ସଙ୍ଗୀତ ଆମେ ବୋଲୁଥିଲୁ ବା ଶିକ୍ଷା କରୁଥିଲୁ, ସେସବୁ ସଙ୍ଗୀତର ଭାବାର୍ଥ ଆମକୁ ବୁଝେଇଦବାକୁ ଆମେମାନେ ହାତଯୋଡ଼ି ବେଳେବେଳେ କାଳୀବାବୁଙ୍କ ନିକଟରେ ପ୍ରାର୍ଥନା କରୁଥିଲୁ । ଫଳରେ, ସୁବିଧା ଦେଖି ଆମକୁ ସେ ବୁଝେଇ ଦଉଥିଲେ ଓ ବୁଝି ସାରିବାପରେ ଯଦି କେବେ ଭୁଲିଯାଉଥିଲୁ ତ ତା’ ବଦଳରେ ବଢ଼ୁଥିଲା ତିକ୍ତତା ।

 

ଯୋଉ ପିଲାଟି ଭୁଲିଯାଉଥିଲା ସେ ବିଚରା ଅପରାଧୀଟି ଭଳି ଠିଆ ହେଉଥିଲା ଏବଂ ସେ ପିଲା ସହିତ କୌଣସି ପିଲା କଥା ନ କହିବାକୁ କାଳୀବାବୁ ବାରଣ କରୁଥିଲେ ଏବଂ ଯଦି ସେ ପିଲାଟି ଦୋଷ ସ୍ୱୀକାର କରି, ତାଙ୍କର (କାଳୀବାବୁ) ପାଦଧରି ମୁଣ୍ଡିଆ ମାରୁଥିଲା ତ ତା’ର ମୁଣ୍ଡ ଉପରେ ବସୁଥିଲା ଗୋଇଠା ମାଡ଼ ।

 

ଏହା ମୋର ଅଙ୍ଗେ ଲିଭେଇବା କଥା । ଭୁଲିବି କେମିତି କହନ୍ତୁ ? ତାଲିମ୍‌ କାଳରେ କାଳୀବାବୁ ଯହୁଁ ଯହୁଁ କଠୋର ଆଚରଣ ଆମମାନଙ୍କ ଉପରେ ଗ୍ରହଣ କରୁଥାନ୍ତି ତହୁଁ ତହୁଁ ତାଲିମ୍‌ ନେବାକୁ ଆମମାନଙ୍କର ମଧ୍ୟ ଜିଦ୍‌ ବଢ଼ୁଥାଏ ।

 

ଆଉ ଗୋଟିଏ ବିଶେଷ ଗୁଣ କାଳୀବାବୁଙ୍କର ଥିଲା ତାହା ହେଲା, ଡାଇଲଗ୍‌ର ମଡୁଲେସନ୍‌ ଶିକ୍ଷା ଦେଲାବେଳେ ଆଜି ଯେମିତି କହିବାକୁ କହିଛନ୍ତି କାଲିକି କିନ୍ତୁ ସେମିତି ନ କହି ଅନ୍ୟ ଧରଣର କହିବାକୁ କୁହନ୍ତି । ଏହାଦ୍ଵାରା ଆମର ଅବଶ୍ୟ ଗ୍ରହଣ କରିବାରେ ଟିକିଏ କଷ୍ଟ ହୁଏ ତଥାପି ଜ୍ଞାନ ବଢ଼ିବା ଦିଗରେ ତାହା ଆମକୁ ଅନେକଟା ସାହାଯ୍ୟ କରେ ।

 

ମଞ୍ଚ ଉପରେ ଅଭିନେତାର ଚଳପ୍ରଚଳ ପାଇଁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଏ । କୌଣସି ମାପକାଠିକୁ ପ୍ରଶ୍ରୟ ଦିଆଯାଏ ନାହିଁ । କେବଳ ବୁଝେଇ ଦିଆଯାଏ ଯେ ଏଭଳି ଭାବରେ, ଚରିତ୍ରଗୁଡ଼ିକ ଆସିବା, ଯିବା, ବସିବା, ଉଠିବା ବା ଠିଆ ହେବା ଅଭିନୟ ସବୁ କରିବେ, ସେସବୁ ଯେପରି ପ୍ରାକୃତିକ ଧାରାରେ ହେବା ଉଚିତ୍‌ ଏବଂ ଚରିତ୍ର ଉପରେ ଦର୍ଶକମାନଙ୍କର ଯେପରି ଦୃଷ୍ଟି ପଡ଼ିପାରୁଥିବ, ଏକଥାକୁ ଧ୍ୟାନରେ ରଖି ଅଭିନେତା ମଞ୍ଚ ଉପରେ ନିଜର ସ୍ଥିତିକୁ ସ୍ଥିର କରିବା ଉଚିତ ।

 

ଗୋଟିଏ ଦୃଶ୍ୟରେ ଧରନ୍ତୁ ଦୁଇଜଣ ଶିଳ୍ପୀ ବା ତା’ଠାରୁ ବେଶି ସଂଖ୍ୟାରେ ଶିଳ୍ପୀ ଅଭିନୟ କରୁଛନ୍ତି, ସେମାନେ ତାଙ୍କର ପରସ୍ପର ଭିତରେ ଦୃଶ୍ୟଟି ଶେଷ ହେବା ପର୍ଯ୍ୟନ୍ତ ବୁଝାମଣା ରଖି ଅଭିନୟ ପ୍ରଦର୍ଶନ କରିବା ଦର୍କାର । ଗୋଟିଏ ଚରିତ୍ର ଅନ୍ୟ ଗୋଟିଏ ଚରିତ୍ର ପ୍ରତି ସଚେତନ ରହିବା ଶିଳ୍ପୀର ଧର୍ମ ହେବା ଦର୍କାର । କେହି କାହାକୁ ଯେପରି ଗୌଣ ଚରିତ୍ର ମନେକରି ଅଭିନୟ ବେଳେ ତା’ପ୍ରତି ଅବହେଳା ପ୍ରଦର୍ଶନ ନ କରନ୍ତି ଏ କଥା ଅନ୍ତତଃ ପ୍ରତ୍ୟେକ ଅଭିନେତା ମନେରଖିବେ ।

 

କିନ୍ତୁ, ହଁ ସମସ୍ତଙ୍କର ଅଭିନୟବେଳେ ପ୍ରତିଯୋଗିତା ମନୋଭାବ ରହିବା ଭଲ । ତା’ ଦ୍ଵାରା ସବୁ କଳାକାରଙ୍କ ସହଯୋଗରେ ନାଟକ ହୁଏ ପ୍ରାଣବନ୍ତ ।

 

ସଙ୍ଗୀତ ଭଳି ଅଭିନୟରେ ଯେ ତାଳ, ଲୟ ଓ ସ୍ଵର ପ୍ରତି ଦୃଷ୍ଟି ଦେବାକୁ ପଡ଼େ ଏକଥାକୁ ଭୁଲିଗଲେ ଚଳିବ ନାହିଁ । ଜଣେ ଶିଳ୍ପୀ ତାଙ୍କ ବଚନିକାକୁ କେତେ ଉଚ୍ଚରେ ପ୍ରକାଶ କରୁଛନ୍ତି ଓ ତାଙ୍କର ସହଶିଳ୍ପୀ କେତେ ଉଚ୍ଚରେ ସଂଳାପକୁ ଉଚ୍ଚାରଣ କରିବେ, ସେ ସ୍ଵରଜ୍ଞାନ ତାଙ୍କର ଥ‌ିବା ଦର୍କାର । ୟାର ଅଭାବରେ ମଧ୍ୟ ସଙ୍ଗୀତ ଭଳି ଡାଇଲଗ୍‌ର ହୁଏ ସ୍ଵରଭଙ୍ଗ । ସେମିତି ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ କଥୋପକଥନ ବେଳେ କୋଉ କଥାକୁ ସାଙ୍ଗେସାଙ୍ଗେ କହିବା ଭଲ ଓ କୋଉ କଥାକୁ ରହି ରହି କହିବା ଯୁକ୍ତିଯୁକ୍ତ ଏ ବିଷୟରେ ଧାରଣା ରହିଲେ କଥାରେ ଲୟ ବା ତାଳ ଭଙ୍ଗ ହେବାର ଆଶଙ୍କା ନ ଥାଏ । ଏସବୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଯାହାଙ୍କର ଆସିଛି ସେ ହୁଅନ୍ତି ଜଣେ ଜଣେ ସଫଳ ଅଭିନେତା ।

 

ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କଥା ହେଲା–ଦର୍ଶକ ଓ ଅଭିନେତା, ଅଭିନେତ୍ରୀଙ୍କ ଭିତରେ ସମ୍ପର୍କ ପ୍ରତିଷ୍ଠା । ଆପଣ ଅଭିନୟ ବିଷୟରେ ଯେତେ କିଛି ଜାଣିଥାନ୍ତୁ ନା କାହିଁକି ଯଦି ଦର୍ଶକଙ୍କୁ ଆପଣ ନିଜର କରି ନ ପାରିଲେ ତେବେ ବାରବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯିବ । ଦର୍ଶକଙ୍କୁ ନିଜର କରିବା ବା ନିଜ ଉପରକୁ ଦର୍ଶକମାନଙ୍କର ଦୃଷ୍ଟି ଆକର୍ଷଣ କରିବାପାଇଁ ଦୁଇଟି ସୁନ୍ଦର ଆଖି ଥ‌ିବା ତ ଦର୍କାର ତା’ ସଙ୍ଗେ ସଙ୍ଗେ ସେଇ ଦୁଇଟି ଆଖିରେ ସହସ୍ର ଆଖିକି ବନ୍ଦୀ କରିବାର ସୂକ୍ଷ୍ମ କୌଶଳ ମଧ୍ୟ ଅଭିନେତାଙ୍କୁ ଜଣାଥିବା ଦର୍କାର ।

 

ଅଭିନୟ ଲାଗି, ଆଖି ଯେ ଅଭିନେତାକୁ ସେ ଦିଗରେ କେତେ ସାହାଯ୍ୟ କରେ ସେକଥା କ’ଣ ଆମେ ଭୁଲିଯାଇପାରିବା ? ଭାବପ୍ରକାଶ ଦିଗରେ ଆଖି ହିଁ ହେଲା ପ୍ରଧାନ ମାଧ୍ୟମ-। ଆଖି ଥାଇ ବି ଜଣେ ଅଭିନେତା ଅନ୍ଧ ଅଭିନୟରେ ସଫଳତା ହାସଲ କରିପାରେ, ମାତ୍ର ଜଣେ ଅନ୍ଧ କଦାପି ସଫଳ ଅଭିନେତା ହେଇପାରେନା ।

 

ପ୍ରାୟ ପ୍ରତ୍ୟେକ ଦର୍ଶକ ଜଣେ କୁଶଳୀ କଳାକାରଙ୍କ ଅଭିନୟରେ ଏତେ ମାତ୍ରାରେ ଆକୃଷ୍ଟ ହୋଇପଡ଼ନ୍ତି ଯେ ଦର୍ଶକ ଗ୍ୟାଲେରିରେ ସେମାନେ ନିଜକୁ ମଧ୍ୟ ପାସୋରି ପକାନ୍ତି । ଅଭିନେତା–ତାଙ୍କୁ କେମିତି ଚାହିଁବେ, କେମିତି ଚାହିଁ କଥା କହିବେ, ଗୀତ ବୋଲିବେ, ହସିବେ ଏଇ ଲାଳସାର ବଶବର୍ତ୍ତୀ ହୋଇପଡ଼ନ୍ତି ଏବଂ ମଝିରେ ମଝିରେ ଘନ ଘନ କରତାଳି ଦେଇ, ଚିତ୍କାର କରି ଅଭିନେତାଙ୍କୁ ଜଣେଇ ଦିଅନ୍ତି ନିଜର ସମର୍ଥନ କଥା ଓ ଆପଣାର ସ୍ଥିତି ବିଷୟରେ ।

 

ଏତିକିରେ ଯଦି ଅଭିନେତା ତାଙ୍କର ଏକାଗ୍ରତାରୁ ଓହରିଆସି ସେଇସବୁ ନିର୍ଦ୍ଦିଷ୍ଟ ପ୍ରଶଂସାକାରୀ ଦର୍ଶକମାନଙ୍କ ପ୍ରତି ସମର୍ଥନ ଜଣାନ୍ତି ବା ନିଜର ଦୃଷ୍ଟି କେବଳ ସେଇମାନଙ୍କ ଉପରେ ନିବଦ୍ଧ କରନ୍ତି, ତେବେ ସବୁ କୌଶଳ ତାଙ୍କର ପଣ୍ଡ ହେଇଯିବ ଅର୍ଥାତ୍‌ ଅଭିନେତା ଅଳ୍ପ କେତେକ ଦର୍ଶକଙ୍କର ଆଦର ଲାଭକରି ଅନ୍ୟ ସମସ୍ତ ଦର୍ଶକମାନଙ୍କର ସ୍ନେହ ଓ ଶ୍ରଦ୍ଧାରୁ ବଞ୍ଚିତ ହେବେ ।

 

ଏଣୁ ଅଭିନୟ ବେଳେ ଅଭିନେତା ତାଙ୍କର ଆଖି ଦୁଇଟିକୁ ଏଭଳି ଭାବରେ ପରିଚାଳିତ କରିବେ ଅବା ଦର୍ଶକମାନଙ୍କ ଉପରେ ଆବଦ୍ଧ ରଖିବେ, ଯାହାଫଳରେ ପ୍ରତ୍ୟେକ ଦର୍ଶକ ବ୍ୟକ୍ତିଗତ ଭାବେ ଭାବିବେ, ଅଭିନେତା ମୋତେ ଚାହିଁଛନ୍ତି । ଫଳରେ ତାଙ୍କର ସମସ୍ତ ସ୍ନେହ ଶ୍ରଦ୍ଧା ଦେଇ ଶିଳ୍ପୀଙ୍କର ଯଶଃକୀର୍ତ୍ତନ କରିବେ । ଏବଂ ସବୁଦିନ ପାଇଁ ଅଭିନେତା ଦର୍ଶକଙ୍କର ପ୍ରୀତିଭାଜନ ହେଇପାରିବେ ।

 

ଏଇକଥା ଉପରେ ଗୋଟିଏ ଉଦାହରଣ ଦେଲେ ଆପଣମାନେ ସହଜରେ ବୁଝିପାରିବେ ।

 

ଅନେକ ଛବି ବା ପ୍ରତିଛବି ଆପଣମାନେ ଦେଖିଥିବେ । ସବୁ ଛବି ସମାନ ଧରଣର ନୁହେଁ କି ଜଣେ ଶିଳ୍ପୀଙ୍କ ହାତର ନୁହେଁ । ବିଭିନ୍ନ ଶିଳ୍ପୀ ବିଭିନ୍ନ ଛବି ତିଆରି କରିଥାନ୍ତି । କିନ୍ତୁ ଦେଖିବେ ଜଣେ ଜଣେ ଶିଳ୍ପୀ କୌଣସି ନାରୀର ଛବି ଅବା ପୁରୁଷର ଛବି ତିଆରି କଲାବେଳେ ମୁଖମଣ୍ଡଳରେ ଆଖିର କଳାଡୋଳା ଏଭଳି ସ୍ଥାନରେ ବସେଇ ଦିଅନ୍ତି ଯାହାକୁ କି ଯୋଉଦିଗରୁ ଆପଣ ଚାହିଁଲେ ମଧ୍ୟ ଠିକ୍‌ ଆପଣଙ୍କ ଉପରେ ଛବିର ଦୃଷ୍ଟି ପଡ଼ୁଥ‌ିବାର ଲକ୍ଷ୍ୟ କରିପାରିବେ ।

 

ସେହିଭଳି, ଦର୍ଶକଙ୍କ ଉପରେ ଅଭିନେତା ତାଙ୍କର ଦୃଷ୍ଟିକୁ ଏଭଳି ଭାବରେ ରଖିବେ ଯେମିତିକି ରଙ୍ଗାଳୟର ଭିନ୍ନଭିନ୍ନ ସ୍ଥାନରେ ବସିଥିବା ଭିନ୍ନଭିନ୍ନ ଦର୍ଶକଙ୍କର ଆଖିକୁ ଅଭିନେତା ତାଙ୍କର ନିଜର ଦୁଇଟି ଆଖିରେ ବାନ୍ଧିରଖିବାର ସୁବିଧା ହାସଲ କରିପାରିବେ ।

 

ମୋଟାମୋଟି କଥା ହେଲା, ଆପଣ ଯୋଉ ଅଭିନୟରେ ଯେଭଳି ଭୂମିକା ଗ୍ରହଣ କରନ୍ତୁ ନା କାହିଁକି ସେସବୁକୁ ନିଜ ହୃଦୟରେ ଭଲଭାବରେ ବୁଝି କରନ୍ତୁ । ଯୋଉ ଗୀତଟି ଗାଇବେ ତା’ର ଭାବ ଜାଣିବା ଦର୍କାର । ଯୋଉ ସଂଳାପ ପଦକ କହିବେ ତାର ଅର୍ଥ ବୁଝିବା ଦର୍କାର । କଥା ବା ସଙ୍ଗୀତର ମର୍ମ ବୁଝିଲେ ଅଭିନୟରେ ଭାବପ୍ରକାଶ କରିବାକୁ ଖୁବ୍‌ ସହଜ ଓ ସୁବିଧା ହୁଏ ।

 

ଏସବୁ ବାଦ୍‌ ଅଭିନେତାଙ୍କୁ ତାଙ୍କର ସ୍ଥାନ, କାଳ, ପାତ୍ର ଉପରେ ଧ୍ୟାନ ଦେବାକୁ ହେଇଥାଏ । ଯଥା–ଭାଇ ଓ ଭଉଣୀ ଭୂମିକାରେ ଅଭିନୟ କଲାବେଳେ ଯେପରି ପବିତ୍ର ଭାବଧାରା ମନରେ ପୋଷଣ କରିବାକୁ ହେବ ସେମିତି ଦୁଇ ବନ୍ଧୁର ଅଭିନୟ ବେଳେ ଅନ୍ତରଖୋଲା କଥାବାର୍ତ୍ତା ଓ ସ୍ଵାଧୀନ ଭାବରେ ଚଲାବୁଲା ମଧ୍ୟ କରିବା ଦର୍କାର । ମୁନିବ ଓ ଚାକର ଅଭିନୟ ବେଳେ କିନ୍ତୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

 

ଅଭିନେତା ହେବାକୁ ହେଲେ ପ୍ରଥମେ କେତେଗୁଡ଼ିଏ ଗୁଣର ଅଧିକାରୀ ହେବାକୁ ହେବ-

 

ସତ୍ୟଭାଷୀ, ଶିଷ୍ଟତା ରକ୍ଷା, ଧୈର୍ଯ୍ୟଶୀଳ, ନମ୍ର, ଭଦ୍ର, ଅଭିନୟରେ ଏକାଗ୍ରତା, ଅଭିନୟ ଉପରେ ଆଗ୍ରହ, କଳାପ୍ରତି ନିଷ୍ଠାଭାବ, ସଂଯମତା, ସଂଯତ ଆଚରଣ, ଦୟା ଓ କ୍ଷମାର ଅଧିକାରୀ, ସ୍ଵାର୍ଥତ୍ୟାଗ, ନିଜର ସାହିତ୍ୟ ଓ ସଂସ୍କୃତି ବିଷୟରେ ଧ୍ୟାନ ଧାରଣା ଏବଂ ସର୍ବୋପରି ଦର୍ଶକମାନଙ୍କଠାରୁ ଦୂରେଇ ରହିବା ।

 

ମୁଁ ଲକ୍ଷ୍ୟ କରିଛି, ଅନେକ ଅଭିନେତା ତାଙ୍କର ନିଜର କାର୍ଯ୍ୟକଳାପ ଯୋଗୁଁ ନିଜକୁ ଦର୍ଶକମାନଙ୍କ ଆଖିରେ ଅତି କ୍ଷୁଦ୍ର ବୋଲି ପ୍ରମାଣିତ କରିପକାନ୍ତି । ସେଇସବୁ ଶ୍ରେଣୀର ଅଭିନେତା ରଙ୍ଗମଞ୍ଚକୁ ଏକ କ୍ଷୁଦ୍ର ପରିସର ମନେକରି କ'ଣ ସେମାନେ କୁହନ୍ତି ଓ କ’ଣ କରନ୍ତି ସେକଥା ମୋଟେ ମନରେ ଆଣନ୍ତି ନାହିଁ, କେତେକ ନିର୍ଦ୍ଦିଷ୍ଟ ଦର୍ଶକଙ୍କ ପାଇଁ ଯେମିତି ଅଭିନୟ କରନ୍ତି ଓ ଅଭିନୟ ଶେଷ ହେବା ସଙ୍ଗେ ସଙ୍ଗେ ପାଉଡ଼ର (ମେକାପ୍‌) ନ ଛଡ଼େଇ ଦର୍ଶକ ଆସନରେ ସେଇ ସ୍ୱତନ୍ତ୍ରଧରଣର ଦର୍ଶକମାନଙ୍କ ସାଙ୍ଗରେ ନିଜର ବାହାଦୁରୀ ବିଷୟରେ ଆଲୋଚନା ଚଳେଇ ଦିଅନ୍ତି-

 

ଆଉ କେତେକ ଅଭିନେତା, ଯେକୌଣସି ନାଟକରେ ଛୋଟଧରଣର ଭୂମିକା ନେବାକୁ ପସନ୍ଦ କରନ୍ତି ନାହିଁ । ତାଙ୍କର ସମ୍ମାନ ପ୍ରତି କାଳେ, ଆଞ୍ଚ ଆସିବ ଏଥିପାଇଁ ମୂଳରୁ ମନା କରିଦିଅନ୍ତି ।

 

କୁହନ୍ତୁ ତ, ଛୋଟରୁ ସିନା ଆମେ ବଡ଼ ହେବାକୁ ଆଶା କରିବା ?

 

ମୋ ଅନୁଭୂତିରୁ ମୁଁ ଯେତିକି ବୁଝିଛି ସେଥ‌ିରୁ ବେଶ୍‌ ଭଲକରି କହିପାରେ ଯେ ଛୋଟ ଚରିତ୍ରରେ ହିଁ ଅଭିନୟର ପ୍ରାଥମିକ ଶିକ୍ଷାଲାଗି ଖୋରାକ୍‌ ଥାଏ ଓ ଜଣେ କୁଶଳୀ କଳାକାର ଯୋଗୁଁ ସେଇସବୁ କ୍ଷୁଦ୍ର ଚରିତ୍ର ନାଟକରେ ବେଳେବେଳେ ମୁଖ୍ୟ ଚରିତ୍ରକୁ ମଧ୍ୟ ଗୌଣ କରିପକାଏ । ନାଟକର ଏଇସବୁ ଗୂଢ଼ତତ୍ତ୍ୱ ମଧ୍ୟ ଆମମାନଙ୍କ ଶିଶୁମଥାରେ ସେତେବେଳେ ପୂରେଇ ଦିଆଯାଉଥିଲା ।

 

ପୁଣି ଆମ ରାସମଣ୍ଡଳୀ ହାତକୁ ଆସିଲା ‘ନବାନୁରାଗ ନାଟକ’, ପ୍ରୀତି ସୁଧାକର ନାଟକ-। ପରବର୍ତ୍ତୀ ସମୟରେ ପ୍ରୀତିସୁଧାକର ନାଟକଟିର ନାମକରଣ ପରିବର୍ତ୍ତନ କରାଯାଇ ‘ଚତୁର କହ୍ନା’ ରଖାଯାଇଥିଲା ।

 

ଶ୍ରୀ ରାଧାରମଣ ରାସମଣ୍ଡଳୀର ଲକ୍ଷ୍ୟସ୍ଥଳ ଅନେକଦୂର ଥିଲେ ମଧ୍ୟ ନିଜର ଆୟୂଷ ଭିତରୁ କେତେଗୁଡ଼ିଏ ଦିନ ଓ ମାସ ପଛକୁ ପକେଇ ଦେଇଥାଏ । ମଝିରେ ମଝିରେ ୟା ଭିତରେ ଜଗନ୍ନାଥ କ୍ଲବ୍‌କୁ ଭଡ଼ାନେଇ ସେଥ‌ିରେ କେଇଟି ନାଟକ ମଞ୍ଚସ୍ଥ କରି ସ୍ଵଳ୍ପ ପରିମାଣର ଅର୍ଥ ବି ଉପାର୍ଜନ କରିସାରିଥାଏ ।

 

ହଠାତ୍‌ ଢେଙ୍କାନାଳ ଗଡ଼ରୁ ରାଜାସାହେବଙ୍କ ନିମନ୍ତ୍ରଣ ଆସିଲା ପଟ୍ଟାୟତ ସାହେବଙ୍କ ବିବାହ ଉପଲକ୍ଷେ, ଉଆସରେ ପାଞ୍ଚରାତି ନାଟକ ପରିବେଷଣ କରିବାକୁ ।

 

ଏ ବାର୍ତ୍ତାରେ ମଣ୍ଡଳୀର କର୍ମକର୍ତ୍ତାମାନେ ଯେତେଟା ଖୁସିହେଲେ ନାହିଁ ସେମାନଙ୍କଠାରୁ ବେଶି ଖୁସି ହେଲୁ ଆମେ ପିଲାମାନେ । ରାଜାଙ୍କ ବାହାଘର, ଖାଇବା, ପିଇବା, ନବା, ଦବା, ବାଜା, ବାଣ, ରୋଷଣି ଦେଖି ଆଖି ଝଲସିଯିବ ।

 

ସାବୁନ୍‌ ଆସିଲା–ନିଜ ନିଜ ଲୁଗାଜାମା ସବୁ ନିଜ ହାତରେ କାଚି ପକେଇଲୁ । ନିଜର ବୋଲି କାହାର ଟ୍ରଙ୍କ୍‌, ସୁଟକେଶ୍‌ କିଛି ନ ଥିଲା । ପ୍ରତ୍ୟେକଙ୍କ ଲୁଗାପଟାକୁ ଗୋଟିଏ ଗୋଟିଏ ମୁଣିରେ ପୂରେଇ ସମସ୍ତଙ୍କ ମୁଣିକୁ ଗୋଟାଏ ବଡ଼ ଅଖାରେ ଭରି ଅଖାମୁହଁକୁ ସିଲେଇ କରିପକେଇଲୁ ।

 

ବଡ଼ ବଡ଼ମାନେ କାଠ ଢାବଲରେ ପରଦା, ବେଶପୋଷାକ, ସଙ୍ଗୀତଯନ୍ତ୍ର ଆଦିକୁ ରଖି ବନ୍ଧାବନ୍ଧି କରିପକେଇଲେ । କି ଉନ୍ମାଦ ? କାହାରି ଗୋଡ଼ ତଳେ ଲାଗୁ ନ ଥାଏ ।

 

ବଗି ଗାଡ଼ିରେ ଜିନିଷପତ୍ର ଲଦାହେଇ ଏବଂ ଆମେ ସମସ୍ତେ ପୁରୀ ରେଳ ଷ୍ଟେସନରୁ ତାଳଚେର ଗାଡ଼ିରେ ଢେଙ୍କାନାଳ ଅଭିମୁଖେ ଯାତ୍ରାକଲୁ । ସାଙ୍ଗରେ ଆମର ଗଲେ ଅନୁଷ୍ଠାନର ସତ୍ତ୍ୱାଧିକାରୀ ଶ୍ରୀ ବାବାଜୀ ମହାପାତ୍ର ।

 

ଓଡ଼ିଶାର ଅଠରଗଡ଼ଜାତ ଭିତରୁ ଢେଙ୍କାନାଳ ହେଲା ଅନ୍ୟତମ । ଏଇସବୁ ଗଡ଼ଜାତର ଜନସାଧାରଣ ଯେ ଅତ୍ୟନ୍ତ ମେଳାପି ଏବଂ ନିରୀହ, ସେମାନଙ୍କୁ ଦେଖିଲେ ଓ ସେମାନଙ୍କ ସହିତ ମିଳାମିଶା କଲେ ବେଶ୍‌ ବୁଝିହୁଏ । କିନ୍ତୁ ଅତ୍ୟାଚାର ଆଉ ଶୋଷଣ ଚାପରେ ସେମାନେ ଯେ ସବୁ ସମୟରେ ଅତି ଭୟାଳୁ ଏହା ନିରାଟ ସତକଥା ।

 

ଗଡ଼ଜାତମାନଙ୍କରେ, ପ୍ରାୟ କେତେକଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଗୋଟିଏ ପରିବାରର ଲୋକପରି ଦେଖାଯାନ୍ତି । ମୁଣ୍ଡର ବାଳଗୁଡ଼ିକ କହରା ରଙ୍ଗ, ଦେହରେ ଏକାପ୍ରକାରର ନାଲିମାଟି କଷର ଲୁଗା, ଗାମୁଛା । ବଡ଼ ପରିଶ୍ରମପ୍ରିୟ । ହାଡ଼ଭଙ୍ଗା ଶ୍ରମ ବଦଳରେ ଏମାନେ ଯାହା ଉପାର୍ଜନ କରନ୍ତି ସମ୍ଭବତଃ ତାହା ପେଟକୁ ଅଣ୍ଟିଲେ, ପିଠିକୁ ଅଣ୍ଟେ ନାହିଁ ।

 

ବ୍ରିଟିଶ ସରକାରଙ୍କର ବାହୁଛାୟା ତଳେ ଯୋଉ ରାଜା ମହାରାଜା ମହା ମହା ଦୁର୍ଗ, ପାହାଡ଼ ଜଙ୍ଗଲ ଭରା ଏଇସବୁ ଗଡ଼ଜାତମାନଙ୍କରେ ଚେର ବିସ୍ତାର କରି, ଭୀଷ୍ମ ଅଟଳ ପ୍ରତିଜ୍ଞା ପରି, ଶାଖାମେଲି ଅନନ୍ତକାଳ ପାଇଁ ରାଜିନାମା ସନନ୍ଦପତ୍ରରେ ସ୍ଵାକ୍ଷର କରିଥିଲେ, ସେଇସବୁ ବଡ଼ବଡ଼ ବୃକ୍ଷ ଛାଇରେ ଏଇସବୁ କ୍ଷୁଦ୍ର ସୁକୁମାର ଗଛଲତାଗୁଡ଼ିକ ଉଧେଇ ପାରନ୍ତେ କେମିତି ? ମନ ଭିତରେ ଏମାନଙ୍କର ତରଙ୍ଗାୟିତ ଆଶା ବୈତରଣୀ, କିନ୍ତୁ ବାହାରେ ପ୍ରବଳ ପରାକ୍ରମୀ ଅତ୍ୟାଚାରୀର ନିଷ୍ଠୁର କଷାଘାତ । ବଞ୍ଚିବେ କେମିତି ? ଯିବେ ବା କୁଆଡ଼େ ? ? ଅଧା ମଉଳା ଜୀବନ କୁସୁମକୁ, ଏମାନେ ସେଇ ରୌଦ୍ର ତାପର ଉତ୍ତପ୍ତ ପଥୁରିଆ ବାୟୁ ମଣ୍ଡଳରେ ସମ୍ପୂର୍ଣ୍ଣଭାବେ ଝଡ଼େଇପକାନ୍ତି ।

 

ଗଛର ଛାଇ–ମଣିଷର ହାଇ, ଉଭୟ ବିପଦପୂର୍ଣ୍ଣ । ଢେଙ୍କାନାଳ ରେଳ ଷ୍ଟେସନ୍‌ ପାଖକୁ ରାଜାଙ୍କର ମଟରଗାଡ଼ି ଆସିଥିଲା ଆମକୁ ନେଇଯିବାକୁ । ରେଳରୁ ଓହ୍ଲେଇ ମଟରଗାଡ଼ିରେ ବସିଲୁ ଏବଂ ସିଧାସଳଖ ଚାଲିଲୁ ଜାଉଁଳି ମଠକୁ । ସେଇ ମଠରେ ଆମ ରାସମଣ୍ଡଳୀର ଡେରା ପଡ଼ିବାର ବ୍ୟବସ୍ଥା ହେଇଥିଲା ।

 

ଉକ୍ତ ଜାଉଁଳି ମଠଟି ଖୁବ ପ୍ରାକୃତିକ ପରିବେଶ ଭିତରେ ଅବସ୍ଥିତ । ନିକଟରେ ଦୁଇଟି ବିରାଟ ପଦ୍ମପୋଖରୀ । ଚାରିପଟରେ ନୀଳବର୍ଣ୍ଣର ପର୍ବତଶ୍ରେଣୀ, ସତରେ ମନମତାଣିଆ ସ୍ଥାନଟି ସେ । ମଠର ଦୁଇପଟେ ଦୁଇଟି ବଡ଼ବଡ଼ ପୋଖରୀ ଥିବାରୁ ଏହାର ନାମକରଣ କରାଯାଇଛି ଜାଉଁଳି ପୋଖରୀ ମଠ । ଆମମାନଙ୍କର ଖାଇବା ପାଇଁ ମଠରେ ବରାଦ ହେଇସାରିଥାଏ । ଏକେତ ରାସଦଳରେ ପିଆଜ, ରସୁଣ ଚଳୁନଥିଲା, ଏଣୁ ଠାକୁରଙ୍କ ପ୍ରସାଦ ବ୍ୟବସ୍ଥା ଆମ ପାଇଁ ଥିଲା ଉତ୍ତମ ଏବଂ ରୁଚିପୂର୍ଣ୍ଣ ଖାଦ୍ୟପେୟ । ବିଳମ୍ବ ନ କରି ମଣ୍ଡଳୀର କର୍ତ୍ତାଙ୍କ ନିର୍ଦ୍ଦେଶରେ, ପତର ପଡ଼ିଲା । ସଦ୍ୟ ତୋଳାଯାଇଥିବା ଜାଉଁଳି ପଦ୍ମପୋଖରୀର କଅଁଳ ଛନଛନ ପଦ୍ମପତ୍ରରେ ଲାଗିଲା ଅରୁଆ ଅନ୍ନ । ପୂଜାରୀ ମହାଶୟ, ଡାଲି ଡଙ୍କିରେ ଅନ୍ନ ମଝିକୁ ଦାବିଦେଇ ପରିବେଷଣ କଲେ ଡାଲିପାଣି । ତାହା ତଳକୁ ବୋହିଗଲେ ମଧ୍ୟ ବାକି ଯାହା ଅନ୍ନ ଉପରେ ଲାଗି ରହିଲା, ତାହା ଏକ କୌତୂହଳପ୍ରଦ ଅବସ୍ଥା ସୃଷ୍ଟି କଲା ।

 

ଏକ କ୍ଷୁଦ୍ର ଉଷ୍ମ ପ୍ରସ୍ରବଣ କି ? ଉଷ୍ମ ପ୍ରସ୍ରବଣର ଜଳ ଯେପରି ଟକ୍‌ମକ୍‌ ଫୁଟି ବୁଦ୍‌ବୁଦ୍‌ ସୃଷ୍ଟିକରେ ସେହିପରି ପଦ୍ମପତ୍ରର ଚ୍ଛିନ୍ନ ନାଡ଼ରେ ଡାଲିପାଣିଲାଗି ସେହିଭଳି ବୁଦ୍‌ବୁଦ୍‌ ଜାତ କଲା ।

 

ନୂଆ ଜୀବନକୁ ନୂଆ ସ୍ଥାନ, ନୂଆ ପରିବେଶ ଓ ନୂଆ କଥା ସବୁ ଦେଖି ଦୁନିଆଟା ସତେ ଯେମିତି ମୋତେ ଖୁବ୍‌ ନୂଆ ନୂଆ ଭଳି ଲାଗୁଥାଏ । ଦୀର୍ଘଦିନର ସାଧନାପରେ ଆମେ ବାହାରକୁ ବାହାରିଥାଉ, ଏଣୁ ଆମ ପିଲାମାନଙ୍କ ମନରେ ଅପୂର୍ବ ଉତ୍ସାହ ଖେଳିଯାଇଥାଏ ।

 

ପୁରୀରେ ଅବଶ୍ୟ ପେଷାଦାର ଅଭିନୟ ହିସାବରେ ଆମେମାନେ ଜଗନ୍ନାଥ କ୍ଲବ୍‌ରେ କେତେକ ରଜନୀ ଅଭିନୟ ପ୍ରଦର୍ଶନ କରିଥିଲୁ; କିନ୍ତୁ ରାଜାରାଜୁଡ଼ାଙ୍କ ନିକଟରେ ଅଭିନୟ ଦେଖେଇବା ଏହା ଥିଲା ଆମର ସର୍ବପ୍ରଥମ । ଆଗରୁ ତ କହିଛି ଯେ ସେ ଯୁଗରେ କଳାକୁ ଚିହ୍ନିବାରେ ଏବଂ ତାର ଯଥାଶକ୍ତି ପୃଷ୍ଠପୋଷକତା କରିବାରେ ରାଜା, ମହାରାଜାମାନେ ଥିଲେ ଅତି ଆଗୁଆ । ଏଇମାନଙ୍କ ବଦାନ୍ୟତା ଯୋଗୁ କଳା କଳାକାରର କିଛି କିଛି ମୂଲ୍ୟ ନିରୂପଣ କରାଯାଉଥିଲା । ତେଣୁ ସେଇମାନଙ୍କ ନିକଟରେ କଳାକୁ ନିଖୁଣ ଭାବରେ ଉପସ୍ଥାପନ କରିବାକୁ ମନରେ ଆଗ୍ରହ ଯେତିକି ମାତ୍ରାରେ ରହିଥିଲା ତା’ଠାରୁ ଭୟର ମାତ୍ରା ଥିଲା ଅତି ଅଧିକ ।

 

ସେଦିନ ବିଶ୍ରାମ ନେଇ ପରଦିନ ସନ୍ଧ୍ୟାରେ ସେଇ ଜାଉଁଳି ମଠ ମଣ୍ଡପ ଉପରେ ଥାଇ ଦେଖିଲୁ ଢେଙ୍କାନାଳ ପଟ୍ଟାୟତଙ୍କ ବିବାହ ଶୋଭାଯାତ୍ରା । ବିରାଟ ଜନସମୁଦ୍ର ଭିତରେ କଲିକତାରୁ ଆସିଥ‌ିବା ବିଭିନ୍ନ ବାଦ୍ୟକାର ଦଳର ବାଦ୍ୟନାଦରେ ଯେପରି ବେପଥୁ ସୃଷ୍ଟି ହେଉଥାଏ । ତା’ ସାଙ୍ଗକୁ ପୁଣି କେତେ ଜାତିର ବାଣ ଫୁଟାଯାଇ ସହସ୍ର ସହସ୍ର ଦର୍ଶକମାନଙ୍କ ଆଖିରେ ଏକ ଏକ ଇନ୍ଦ୍ରଧନୁ ଉତ୍ପତ୍ତି କରୁଥାଏ ।

 

ସାଥିସାଙ୍ଗମାନଙ୍କ ମେଳରେ ଠିଆହେଇ ମୁଁ ମନେ ମନେ ଭାବୁଥାଏ–ଏସବୁ ଦୃଶ୍ୟ ସତେ ଯେମିତି ମୋର ଜୀବନକୁ ଧନ୍ୟ କରିଛି । ସାର୍ଥକ କରିଛି । ମୁଁ କିଏ ? ଏତେବଡ଼ ବିଶାଳ ପୃଥ‌ିବୀ ଭିତରେ କେଉଁଠି ବା ମୋର ସ୍ଥିତି ? ଓଡ଼ିଶାର କେଉଁ ଅଖ୍ୟାତ ପଲ୍ଲୀର ଏକ ଅବହେଳିତ ଉପେକ୍ଷିତ ଦରିଦ୍ର ପରିବାରର ଗୋଟାଏ ଭଙ୍ଗାଦଦରା ଚାଳଘରେ ଜନ୍ମ ମୋର । ଏସବୁ ବାଣ, ରୋଷଣି, ଜାକ୍‌ଜମକ ଦେଖିବାର ସୌଭାଗ୍ୟ ମୋର ଆସନ୍ତା କିପରି ? ଅତି ବେଶି ହେଲେ ଆଗରୁ ଗୋଟାଏ ଅଧେ ବାହାଘରେ, ଅବା ଗାଁ ମେଳନ ପର୍ବରେ କେଇଟା ହାବେଳି ଓ ଗଛବାଣ ଫୁଟିବାର ଦେଖିଥିଲି । କିନ୍ତୁ ଏ ରାଜାରାଜୁଡ଼ା ବାହାଘରେ ଯେଭଳି ଭାବରେ ବାଣ ଫୁଟେ, ତାହା ପ୍ରକୃତରେ ଖୁବ୍‌ ଚିତ୍ତାକର୍ଷକ ।

 

ଅଭିନୟ, ରାଜାଙ୍କ ଉଆସରେ ଯୋଉ ଛୋଟ ରଙ୍ଗମଞ୍ଚ ସେତେବେଳେ ଥିଲା, ସେଇଥିରେ ହେବାର ରାଜା ସାହେବଙ୍କର ବରାଦ ଥିଲା । ଆଗରୁ ଆମର ଲୋକ ଯାଇ ମଞ୍ଚ ବନ୍ଧାବନ୍ଧି କାମ କରିସାରିଥିଲେ । କେବଳ, ଆମେ ସବୁ ଅପେକ୍ଷା କରି ବସିଥିଲୁ କେତେବେଳେ ଛାମୁଙ୍କର ଆଦେଶ ଆସିବ ।

 

ଜାଣନ୍ତି ତ, ସେ ସମୟରେ ଗଡ଼ଜାତମାନଙ୍କରେ ରାଜା–ମହାରାଜାମାନଙ୍କର କ୍ଷମତା କିପରି ଥିଲା ? ସାମାନ୍ୟତମ ଅପରାଧରେ ବି କୈଫିୟତ୍ ତଲବ୍ କରା ନ ଯାଇଚବିଶ ଘଣ୍ଟା ଭିତରେ ଶାସିତ ଅଞ୍ଚଳର ବାହାରକୁ ନିକାଲି ଦିଆଯାଉଥିଲା । ଆଉ ଯୋଉଠି ସେମାନେ ସଦୟ ରହୁଥିଲେ ସେଠାରେ କାମ ନ ନେଇ ମଧ୍ୟ ଅମାପ ପରିମାଣର ପାରିତୋଷିକ ଦେଇ ସସମ୍ମାନେ ଶିଳ୍ପୀଙ୍କୁ ବିଦା କରୁଥିଲେ ।

 

ଆପଣମାନେ ଆଗରୁ ଜାଣିଛନ୍ତି ଯେ ଆମର ଶ୍ରୀ ରାଧାରମଣ ରାସଉତ୍ସବର ପ୍ରଧାନ ଶିକ୍ଷକ ଥିଲେ ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକ । ଆମ ରାସ ଅନୁଷ୍ଠାନ ପୂର୍ବରୁ ସେ ନିଜେ ଗୋଟିଏ ରାସଦଳ ଗଢ଼ିଥିଲେ ଏବଂ ତାହା ଦୀର୍ଘଦିନ ତିଷ୍ଠି ନପାରି ଅଳ୍ପଦିନରେ ଭାଙ୍ଗିଯାଇଥିଲା ଓ ପରେ ପରେ ମୟୂରଭଞ୍ଜ ମହାରାଜାଙ୍କ ପାଖରେ କିଛିବର୍ଷ ରହି ସେଇ ସୁଯୋଗରେ ସେ ପ୍ରାୟ ଓଡ଼ଣା ଗଡ଼ଜାତର ଅନେକ ରାଜାରାଜୁଡ଼ାଙ୍କ ସହିତ ପରିଚିତ ଥିଲେ । ଏଣୁ ଢେଙ୍କାନାଳ ରାଜନଅରରୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଘନଘନ ଡାକରା ଆସୁଥିଲା ।

 

କେବଳ ଏଇ ସୁବିଧା ଦୃଷ୍ଟିରୁ ଆମେମାନେ ରାସଦଳର ପ୍ରାୟ ସମସ୍ତେ ଟିକିଏ ନିର୍ଭୟରେ ଥାଉ । କାଳେ କିଛି ଗୋଟାଏ ଅସୁବିଧା ଘଟିଗଲେ କାଳୀବାବୁ ତାକୁ ଚଳେଇ ନେବେ, ଏଇ ଭରସା ଆମର ଥାଏ ।

 

ରାଜବାଟୀରୁ ଖୁବ୍‌ ଶୀଘ୍ର ଖବର ଆସି ପହଞ୍ଚିଲା ରାତି ଆଠଟାରେ ଅଭିନୟ ଲାଗି ପ୍ରସ୍ତୁତ ରହିବାକୁ ।

 

ଆଖିର ପଲକ ନ ପଡ଼ୁଣୁ, ନିଜ ନିଜ ଭିତରେ ଡକାହକା ହୋଇ, ମୁହଁ ହାତ ଧୁଆଧୋଇ କରି ଏକାଠି ମିଶି ବାହାରିପଡ଼ିଲୁ ରାଜନଅର ଅଭିମୁଖେ । ସେଇ ପୁନରାବୃତ୍ତି–‘‘ରାଧେ ରାଧେ ଗୋବିନ୍ଦ ବୋଲ ଜୟ ।’’

 

ଢେଙ୍କାନାଳ ରାଜାଙ୍କ ଉଆସ, ପାହାଡ଼ର ଅଧାକୁ ଲାଗିଥାଏ । ସିଂହଦୁଆର ମୁହଁରେ ବନ୍ଧୁକଧାରୀ ପୁଲିସ୍‌ ଜଗୁଆଳି । ଭିତରକୁ ପଶିବାକୁ ହେଲେ ଅନୁମତିପତ୍ର ଦର୍କାର । ଏ ଅବସ୍ଥା ଦେଖି କଅଁଳିଆ ଛାତି ଭିତରଟା ଆମର ପଡ଼ୁଥାଏ ଉଠୁଥାଏ । ସାଙ୍ଗେ ସାଙ୍ଗେ ମୁହଁର ହରିନାମ ବନ୍ଦ ହେଇଗଲା । ଆମମାନଙ୍କର ଅବସ୍ଥା ଦେଖି ହେଉ ଅବା ଆଗରୁ ସେମିତି କିଛି ନିର୍ଦ୍ଦେଶ ମିଳିଥାଉ, ବିଚରା ଜଗୁଆଳ ତାଲା ଫିଟେଇ ବଡ଼ ବଡ଼ ଲୁହାକବାଟ ମେଲା କରିଦେଲା । ଆମେମାନେ ବିଳମ୍ବ ନ କରି ନଅର ଭିତରକୁ ଧଡ଼ପଡ଼ ହେଇ ପଶିଗଲୁ ।

 

ଆଖି ଆମର ଚଞ୍ଚଳ ହୋଇଉଠିଲା, କି ସୁନ୍ଦର ସାଜସଜ୍ଜା ! ସତେ ଯେପରି କୁବେରପୁରୀର ସମସ୍ତ ସମ୍ପଦର ପ୍ରାଚୁର୍ଯ୍ୟ ରାଜପ୍ରାସାଦର ପ୍ରତିଟି ସ୍ଥାନରେ ବିଦ୍ୟମାନ । ଗୃହର କାନ୍ଥ, ଚଟାଣ, ଛାତ ସବୁଠାରେ ଶୋଭାଶିରୀ । ମାର୍ବଲପଥର ଚଟାଣରେ ନରମ ମୂଲ୍ୟବାନ୍‌ ଗାଲିଚା, ରଙ୍ଗିନ୍‌ କାନ୍ଥରେ ବିଭିନ୍ନ ତୈଳଚିତ୍ର, ଛାତତଳେ କମନୀୟ ପିପିଲି ଚାନ୍ଦୁଆ । ମଝିରେ ଝୁଲୁଥାଏ–ଗୋଟାଏ ଗୋଟାଏ ବିରାଟ କାଚର ଝାଡ଼ । ରୁଚିପୂର୍ଣ୍ଣ ଆସବାବ ଏବଂ ଗାଲିଚା ଉପରେ ପଡ଼ିଥାଏ ଭିନ୍ନ ଭିନ୍ନ ଆକୃତିର ସୁନା ଓ ରୂପାର ଆସନ, ଯୋଉଥିରେ ବସନ୍ତି ରାଜା ମହାରାଜାମାନେ ।

 

ବିଜୁଳିବତୀର ଆଲୋକରେ ପ୍ରତ୍ୟେକ ସ୍ଥାନ ଆଲୋକିତ, ସବୁ ସୁନ୍ଦର । ସବୁ ଅନୁପମ-। ବାଛିବାକୁ କିଛି ନାହିଁ । ଯୋଉଁଠିକି ଯୋଉ ଜିନିଷ ସାଜିବ ଠିକ୍‌ ସେଇ ଜିନିଷ ସେଇଠାରେ ଏମିତି ଭାବରେ ରଖାଯାଇଥିଲା, ତାକୁ ଖୁଣିବାକୁ କେହି ନ ଥିଲେ । ମନେ ହେଉଥିଲା ସେସବୁ ବିଳାସପୂର୍ଣ୍ଣ ସାମଗ୍ରୀ, ଢେଙ୍କାନାଳର ନିରୀହ ସହସ୍ର ସହସ୍ର ପ୍ରଜାଙ୍କର ଲୁହ, ଲହୁର ଏକ ଏକ ଜୀବନ୍ତ ପ୍ରତିମୂର୍ତ୍ତି ।

 

ଦରବାର କକ୍ଷର ଗୋଟିଏ ପଟକୁ ସୁନ୍ଦର ଛୋଟ ରଙ୍ଗମଞ୍ଚଟିଏ, ଯୋଉଥିରେ ଆମର ଅଭିନୟ ଲାଗି ଦିନରୁ ଆମର ଲୋକଯାଇ ପରଦାଗୁଡ଼ିକ ବାନ୍ଧି ଦେଇ ଆସିଥିଲେ ।

 

ନଅର ଭିତରେ ପାଦ ଦଉ ନ ଦଉଣୁ ଖନ୍ଦାଶାଳାରୁ ପୁରି, ଲଡ଼ୁ, ତରକାରି ଜଳଖିଆ ଆସି ପହଞ୍ଚିଗଲା । ଭୂରିଭୋଜନ । ଲୋଭରେ ପଡ଼ି ଏତେ ବେଶି ଖାଇଦେଲୁ, ଆଉ ଯେମିତି କାମ କରିବାକୁ ମନ ବଳୁ ନ ଥିଲା । କାରଣ–ମୋହନ ଗୋସ୍ଵାମୀଙ୍କ ରାସଦଳପରି ଏଠାରେ ଆମର ପେଟରେ ଟିପ ମାରିବାକୁ କେହି ନ ଥିଲେ ।

 

ଶ୍ରୀ ପଟ୍ଟନାୟକ (କାଳୀବାବୁ) ସବୁ ସମୟରେ ପ୍ରାୟ ରାଜାଙ୍କ ଡକରା ପାଇ ରାଜାଙ୍କ ପାଖ ଛାଡ଼ୁ ନ ଥିଲେ । ସତ୍ତ୍ୱାଧିକାରୀ ଶ୍ରୀ ବାବାଜୀ ମହାପାତ୍ର ଆମ ସାଙ୍ଗେ ସାଙ୍ଗେ ଥିଲେ, କିନ୍ତୁ ସେ ଏସବୁ ବିଷୟରେ କିଛି ବୁଝୁ ନ ଥିଲେ । ଖୁବ୍‌ ଅମାୟିକ ଲୋକ ସେ । ପୃଥୁଳ ଶରୀର, ଡେଙ୍ଗା ଯେମିତି ଚଉଡ଼ା ବି ସେମିତି । ମଥାରେ ବେଣି, କପାଳରେ ପୂର୍ଣ୍ଣଚନ୍ଦ୍ର ପରି ଶୁଭ୍ର ଚନ୍ଦନଚିତା, କାନ୍ଧରେ ଉପବୀତ ଅତି ନିର୍ମଳ । ଶ୍ରୀ ଜଗନ୍ନାଥଙ୍କ ସେବକ ବୋଲି ନମ୍ରତା ତାଙ୍କଠାରେ ଯେତିକି ଥିଲା, ଭଦ୍ରତା ଥିଲା ତା’ଠାରୁ ଆହୁରି ବେଶି ।

 

ଖାଇ ପିଇ ବସିଛୁ, ବାବୁ (କାଳୀବାବୁ) ଆସି କହିଲେ ଚଞ୍ଚଳ ବେଶ ହେବାକୁ । ଜଗୁମାଷ୍ଟ୍ରେ ଆମମାନଙ୍କୁ ବେଶ କରିବାରେ ଲାଗିପଡ଼ିଲେ । ପେଟର ବୋଝ ବଳେଇ ପଡ଼ିଥିବାରୁ ଆଖିପତା ଖାଲି ମାଡ଼ି ମାଡ଼ି ପଡ଼ୁଥାଏ, ତଥାପି ଘଣ୍ଟାକ ଭିତରେ ବେଶଭୂଷା କାମ ଶେଷ ହେଇଗଲା ।

 

କିନ୍ତୁ ରାଜା ସାହେବଙ୍କର ଦେଖା ଦର୍ଶନ କାହିଁ ? ମଞ୍ଚ ଆଗରେ କେବଳ ଗୁଡ଼ିଏ ସୁନା ଓ ରୂପାର ଚୌକି ଛଡ଼ା କେହି ଜଣେ ସୁଦ୍ଧା ସେଠାରେ ନ ଥିଲେ । ରଙ୍ଗ ବୋଳି ହେଇ, ବେଶ ହେଇ ପୁଣି ଅନେଇ ବସିଲୁ ଛାମୁଙ୍କ ଅପେକ୍ଷାରେ ।

 

ଉତ୍‌କଣ୍ଠାର ସୀମା ନ ଥାଏ । ଆମ ଭିତରୁ କେତେକ ପିଲା ବେଶ୍‌ ଲମ୍ବ ହେଇ ଘୁଙ୍ଗୁଡ଼ି ମାରିବାରେ ବ୍ୟସ୍ତ । ହଠାତ୍‌ ଜଗୁମାଷ୍ଟ୍ରେ କେମିତି ଖବର ପାଇ, ଦୁମ୍‌ଦାମ୍‌ କରି ଗୋଟାକେତେ ବିଧା, ଗୋଇଠା ନିଦେଇ ଯାଇଥିବା ପିଲାଙ୍କ ଉପରେ ବସେଇଦେଲେ । ଯୋଉ ପିଲା କାନ୍ଦିବାକୁ ଆରମ୍ଭ କଲା ତା’ଉପରେ ବାଜିଲା ଅଧିକ ଦୁଇ ବିଧା । ସବୁ ଚୁପ୍‌ ।

 

ଜଗୁମାଷ୍ଟ୍ରେ । ଅତିମାତ୍ରାରେ ଭଦ୍ରଲୋକ ସେ । ଗୋରା ତକ୍‌ ତକ୍‌ ଚେହେରା । ସ୍ଵାସ୍ଥ୍ୟବାନ୍‌ । ମୁଣ୍ଡର ବାଳଗୁଡ଼ିକ ଚିକ୍କଣ କଳା ଓ କୁଞ୍ଚୁକୁଞ୍ଚିଆ । ମଣିଷକୁ ମଣିଷ ଆଖିରେ ଦେଖନ୍ତି-। ଅଭିନୟ ଶିକ୍ଷା ଦେବାରେ ଯେମିତି ପଟୁ, ଭୁଲ ଦେଖି ମାଡ଼ ଦେବାରେ, ସେମିତି କଟୁ ।

 

ରାଜା ଆସିଲେ ଏବଂ ଆରମ୍ଭ ହେଲା ଆମର ବନବିହାର ରାହାସ । ଖୁବ୍‌ ସରଗରମରେ ଅଭିନୟ ଆଗେଇ ଚାଲିଥାଏ । ସମସ୍ତେ ପ୍ରାୟ ନିର୍ଭୁଲ ଅଭିନୟ କରୁଥାନ୍ତି, କାରଣ ପ୍ରତ୍ୟେକଙ୍କ ମନରେ ଆଶଂକା ଥାଏ ଯେ ଯଦି ଆଜିର ଏଇ ନାଟକ କୌଣସି ଦିଗରୁ ବଦନାମ ଆଣେ ତେବେ ରାଜାରାଜୁଡ଼ାମାନଙ୍କର ଆମ ପ୍ରତି ଆଦର ଓ ସମ୍ମାନ ଆମେ ନିଶ୍ଚୟ ହରେଇବସିବୁ-। କେବଳ ସେତିକି ନୁହେଁ, ଜଣଙ୍କ ଦୁଆରକୁ ଆସି ଅନ୍ୟ ଦଶଜଣଙ୍କ ଦୁଆର ଆମ ପାଇଁ ଚିରଦିନ ବନ୍ଦ ହେଇଯିବ ।

 

ଏକଥା କହିବାର ଅର୍ଥ ହେଲା, ସାଧାରଣତଃ ଗୋଟିଏ ଗୋଟିଏ ରାଜାଙ୍କର କୌଣସି ଗୋଟିଏ ବଡ଼ ଧରଣର ଉତ୍ସବ ପାଳନ କରାଗଲେ ସେ ଉତ୍ସବକୁ ବିଭିନ୍ନ ଗଡ଼ରୁ ରାଜା, ମହାରାଜାମାନେ ନିମନ୍ତ୍ରିତ ହେଇ ଆସନ୍ତି । ସେଦିନ ମଧ୍ୟ ବହୁ ରାଜ୍ୟର ମାନ୍ୟଗଣ୍ୟ ରାଜାମାନେ ଆସିଥିଲେ । କାଳେ ସେମାନେ ଆମର ନାଟକ ଦେଖି ସନ୍ତୁଷ୍ଟ ହୋଇ ତାଙ୍କ ରାଜ୍ୟକୁ ଆମକୁ ନିମନ୍ତ୍ରଣ କରିବେ ଏଇ ଆଶା ଘେନି ଆମେମାନେ ନିଜନିଜର ଚରିତ୍ରଗୁଡ଼ିକ ଯେମିତି ଜୀବନ୍ତ ହେବ, ପ୍ରାକୃତିକ ହେବ ତା’ପାଇଁ ଚେଷ୍ଟା ଚଳେଇଥାଉ !

 

ଦେୱାନ୍‌ ବହାଦୁର ଖବର ପଠେଇଲେ, କାଳୀବାବୁଙ୍କ ପାଖକୁ, ଅଭିନୟ ବନ୍ଦ କରିବାକୁ-

 

ପ୍ରଥମେ ତ କେହି କିଛି ବୁଝିପାରିଲୁ ନାହିଁ । କାହିଁକି ଆଦେଶ ? କ'ଣ ଆମର ତ୍ରୁଟି ହେଲା ? ତା’ପର ଘଟଣାଟା ବୁଝାପଡ଼ିଲା ଯେ ଛାମୁମାନେ ମଣୋହି (ଭୋଜନ) ଲାଗି ଗଲେଣି, ଆସିଲେ ପୁଣି ଅଧାରୁ ନାଟକଟି ହେବ ।

 

ବାସ୍ତବିକ ଏଭଳି ବ୍ୟବସ୍ଥା ଦେଖିଲେ ବଡ଼ ହସ ଲାଗେ । କିନ୍ତୁ କ’ଣ ହବ ? ରାଜା–ମହାରାଜାମାନଙ୍କର କଳାକୁ ଉପଭୋଗ କରିବାର ଢଙ୍ଗ ଥିଲା ଏଇୟା । କଳାକୁ ସମ୍ମାନ ଦଉଥିଲେ, ଆଦର କରୁଥିଲେ, କଳାକୁ ଯଥାଶକ୍ତି ମୂଲ୍ୟ ଦେଇ ଉତ୍ସାହିତ କରୁଥିଲେ; ମାତ୍ର ଉପଭୋଗ କଲାବେଳେ କଳାର ସମ୍ପୂର୍ଣ୍ଣତା ପର୍ଯ୍ୟନ୍ତ ଅପେକ୍ଷା ନ କରି ଅଧାରୁ ହିଁ ରସଭଙ୍ଗ କରି ଉଠିଯାଉଥିଲେ । ତା’ ଦ୍ଵାରା କଳାକୁ ଯେ ସେମାନେ ତୁଚ୍ଛ ମନେ କରୁଥିଲେ, ଅବଜ୍ଞା କରୁଥିଲେ ତା’ନୁହେଁ । ହୁଏତ ସେମାନେ ବୁଝିପାରୁନଥିଲେ ଯେ ଏମିତି କରିବା ଦ୍ଵାରା ବିଶେଷକରି ଅଭିନୟ କ୍ଷେତ୍ରରେ ତାର ଗତି ଉପରେ ଦାରୁଣ ଆଘାତ ଲାଗେ ।

 

କଳାକାରର ଭାବପ୍ରବଣତା ଉପରେ ହିଁ ତାର କଳା ପରିବେଷଣର ମାନ ଊଣା, ଅଧିକ ହୋଇଥାଏ । ଅଭିନୟ ଚାଲିଥିବାବେଳେ କିଛି କାରଣବଶତଃ ଯେବେ ସେଥ‌ିରେ ବାଧା ପହଞ୍ଚେ ତେବେ ତାର ସମସ୍ତ ସୌନ୍ଦର୍ଯ୍ୟ ନଷ୍ଟ ହେଇଯାଏ । ଆଉ ଯେତେ ଉଦ୍ୟମ କଲେ ମଧ୍ୟ ସେଇ ସ୍ତରକୁ ଅଭିନୟ ଅଣାଯାଇ ପାରେନା । ମୋ ମତରେ ପ୍ରାୟ ସମସ୍ତେ ଏକମତ ହେବେ ।

 

ଏଣୁ, କଳାକାରର ଭାବପ୍ରବଣତା ଉପରେ ରାଜାରାଜୁଡ଼ା କେବେହେଲେ ଗୁରୁତ୍ଵ ଦେଉନଥିଲେ ।

 

ତା’ ଛଡ଼ା ଗୋଟିଏ ନାଟକକୁ ସର୍ବାଙ୍ଗସୁନ୍ଦର କରିବା ଲାଗି କେବଳ ଯେ ଅଭିନୟ ଉପରେ ନଜର ଦବାକୁ ପଡ଼େ ତା ନୁହେଁ–ନାଟକର ପ୍ରତିଟି ବିଷୟ ଉପରେ ଆଖି ରଖିବାକୁ ହେବ-। ନାଟକରେ ଯାହା ଦର୍କାର ତାହା ଠିକ୍‌ ଦର୍କାର ବେଳକୁ ଆସିବା ଉଚିତ୍‌ । ଧରନ୍ତୁ–ଅଭିନୟ ବେଳେ ଗୋଟିଏ ଚରିତ୍ରର ଖଣ୍ଡିଏ ପୁରୁଣା ପହଁରା ଦର୍କାର, ସେ ସ୍ଥାନରେ ଯଦି ନୂଆ ପହଁରା ଅଭିନେତା ଗ୍ରହଣ କରେ ଏବଂ ତାକୁ ଦିଆଯାଏ ତା’ହେଲେ ସବୁ ଗଣ୍ଡଗୋଳ । କାରଣ ସ୍ଥଳ ବିଶେଷରେ ନୂଆଠାରୁ ପୁରୁଣାର ମୂଲ୍ୟ ବହୁତ୍‌ ବେଶି । ଲେଖକ କାହିଁକି ଯେ ସେ ସ୍ଥାନରେ ପୁରୁଣା ପହଁରା ରଖିଛନ୍ତି ସେକଥାକୁ ଚିନ୍ତା କରିବାକୁ ହେବ । ମୋଟାମୋଟି ଭାବରେ କହିବାକୁ ଗଲେ ଗୋଟିଏ ନାଟକକୁ ସବୁ ଦିଗରୁ ସର୍ବାଙ୍ଗ ସୁନ୍ଦର କରିବାକୁ ହେଲେ ତାର ପ୍ରତ୍ୟେକଟି ଉପକରଣ, କୋଉ ଦୃଶ୍ୟରେ କୋଉ ଆଲୋକ ଏବଂ କେତେ ଆଲୋକ, ଦିନ ଦୃଶ୍ୟରେ କୋଉ ଆଲୋକ, ରାତି ଦୃଶ୍ୟରେ କୋଉ ଆଲୋକ ବ୍ୟବହାର କରିବାକୁ ପଡ଼ିବ ଓ ବିଭିନ୍ନ ପରିବେଶ କେମିତି ରହିବା ଉଚିତ୍‌ ଏବଂ ତାହା ଠିକ୍‌ ସେମିତି ସେହିପରି ରହିଛି କି ନାହିଁ–ଏଇ ସବୁକୁ ଦେଖିବାକୁ ହେବ ।

 

ଏ ସମସ୍ତ କାମଗୁଡ଼ିକ ରଙ୍ଗମଞ୍ଚରେ ଠିକ୍‌ ଠିକ୍‌ ଭାବେ ହେଉଥିବ ଏବଂ ୟା ସହିତ ସୁନିପୁଣ ଅଭିନେତାର ସଫଳ ଅଭିନୟ ମିଶୁଥିବ, ତେବେ ଯାଇ ନାଟକଟି ସର୍ବାଙ୍ଗ ସୁନ୍ଦର ହେଇପାରେ । କେତେଗୁଡ଼ିଏ ଜିନିଷର ଏକତ୍ର ସମାବେଶରେ ହିଁ ନାଟକ ତା’ର ରୂପ ଗ୍ରହଣ କରିଥାଏ । ସେଥିରୁ ଗୋଟିକର ଊଣା ହେଲେ ନାଟକ ବିକଳାଙ୍ଗ ହୁଏ ।

 

ଫୁଟବଲ୍‌ ଖେଳ ସହିତ ନାଟକକୁ ତୁଳନା କରାଯାଇପାରେ । ଏଇ ଖେଳରେ ଦଳଗତ ବୁଝାମଣା ନ ରହିଲେ ଯେମିତି ଜିଣିବା କଷ୍ଟକର ସେମିତି ନାଟକଟିରେ ପ୍ରତ୍ୟେକ ବସ୍ତୁର ମେଳ ନ ହେଲେ ଏବଂ ଅଭିନେତାଙ୍କର ପରସ୍ପର ଭିତରେ ସହଯୋଗ ନ ଥିଲେ ନାଟକ ନିଶ୍ଚୟ ବେତାଳ ଧରେ ।

 

ମୁଁ ଏକଥା କହିବାଦ୍ଵାରା କେହି ପାଠକ ତାଙ୍କ ମନରେ ନ ଭାବନ୍ତୁ ଯେ ମୁଁ କାହାକୁ ସମାଲୋଚନା କରୁଛି, ଅବା କାହାକୁ ଅଭିନୟ ବିଷୟରେ ଶିକ୍ଷା ଦେଉଛି । କେବଳ ମୁଁ ମୋର ଅଭିନେତା ଜୀବନର କେତୋଟି ଅନୁଭୂତି ବିଷୟ କହୁଛି ମାତ୍ର ।

 

ହଁ, କ’ଣ କହୁଥିଲି ? ସେଦିନ, ଢେଙ୍କାନାଳ ଉଆସରେ ମହାରାଜା ଓ ଅନ୍ୟାନ୍ୟ ରାଜାମାନେ ମଣୋହିରୁ ଫେରିଥିଲେ ରାତି ତୃତୀୟ ପ୍ରହରରେ । ଅର୍ଥାତ୍‌ ଭୋର ହେବାକୁ ଅଳ୍ପ ବାକି ଥିଲା ।

 

ଅଧା ନିଦରୁ ଉଠି ଅଧା ନାଟକକୁ ସମ୍ପୂର୍ଣ୍ଣ କରିବା ଆମ ପକ୍ଷରେ ବିଡ଼ମ୍ବନା ଥିଲା । ତଥାପି ନାଟକ ଶେଷ ହେଲାବେଳକୁ ସିନ୍ଦୂରା ଫାଟି ଆସୁଥିଲା I

 

ଜାଉଁଳି ପୋଖରୀ ମଠରେ ପହଞ୍ଚିଲାବେଳକୁ ପୂରା ସକାଳ । ନିଜର ନିତ୍ୟକର୍ମ ଶେଷ କରି, ମିଶ୍ରିପାଣି ଟୋପାଏ ଟୋପାଏ ପିଇ ବେଶ୍‌ ଆରାମରେ ମଠର ସିମେଣ୍ଟ ଚଟାଣରେ ଘୁମେଇ ପଡ଼ିଲୁ ।

 

ଢେଙ୍କାନାଳରେ ଯେତେ ରାତି ଅଭିନୟ କଲୁଁ ପ୍ରତ୍ୟେକ ଦିନ ଠିକ୍‌ ଏଇ ଅବସ୍ଥା । ଅଭିନୟ ଯାହା ହେଉ ନାଁ କାହିଁକି, ପ୍ରଶଂସାର ସୀମା ନ ଥାଏ । ଢେଙ୍କାନାଳ ଗଡ଼ର ଜନସାଧାରଣ କିନ୍ତୁ ଆମ ଅଭିନୟ ଦେଖିବାରୁ ବଞ୍ଚିତ ଥିଲେ; ମାତ୍ର ଯେଉଁମାନେ ରାଜାଙ୍କ ପାଖଲୋକ ଓ ଗଡ଼ର ବିଶିଷ୍ଟ ବ୍ୟକ୍ତିବିଶେଷ ସେମାନଙ୍କ ମୁହଁରେ ରାହାସ ଦଳର ଉଚ୍ଚ ପ୍ରଶଂସା ଶୁଣାଯାଉଥିଲା ।

 

ସମସ୍ତେ କହୁଥିଲେ କାଳୀବାବୁଙ୍କ ଦଳ । ସତ୍ତ୍ୱାଧିକାରୀ ଶ୍ରୀ ଗୋପାଳ ଗୋସ୍ଵାମୀ ତ ଆସି ନଥିଲେ । ଯେ ବା ସାଙ୍ଗରେ ଆସିଥିଲେ ଶ୍ରୀ ବାବାଜୀ ମହାପାତ୍ର ତାଙ୍କୁ ଜଣେ ହେଲେ କେହି ପଚାରୁ ନଥିଲେ । ସେ କିଏ ସେ ? ଅନୁଷ୍ଠାନର କ’ଣ ହୁଅନ୍ତି ?

 

ଆମେମାନେ ଆଗରୁ ଯାହା ଭାବିଥିଲୁ ଠିକ୍‌ ସେଇୟା ହିଁ ଘଟିଲା । ଏଇ ଢେଙ୍କାନାଳରୁ ହିଁ ଆମର ଶ୍ରୀ ରାଧାରମଣ ଉତ୍ସବର ସୁଖ୍ୟାତି ଅଳ୍ପ କେଇଦିନରେ ଅନେକଗୁଡ଼ିଏ ଗଡ଼ଜାତକୁ ପ୍ରଚାରିତ ହୋଇଯାଇଥିଲା ।

 

ଯେତିକି ଦିନ ଗଡ଼ରେ ରହିଥିଲୁ, ସେଇ ସମୟ ଭିତରେ ଅନେକ ଜଣା ଅଜଣା ଭଦ୍ରଲୋକ ଆମ ରହଣି ସ୍ଥାନକୁ କାଳୀବାବୁଙ୍କ ଦର୍ଶନ ପାଇଁ ଛୁଟିଆସୁଥିଲେ । ସମସ୍ତଙ୍କର ଥିଲା ସେଇ ଗୋଟିଏ ପ୍ରଶ୍ନ, ଆଉ କୋଉଠୁ ଡକରା ଆସିଛି ? ଢେଙ୍କାନାଳ ପରେ ଅନ୍ୟ କୋଉଠିକୁ ଯିବେ ?

 

ଏସବୁ ପ୍ରଶ୍ନ ଶୁଣି ଶୁଣି ଶ୍ରୀଯୁକ୍ତ ପଟ୍ଟନାୟକ ଯେତିକି ବିବ୍ରତ ହେଉଥିଲେ ସେତିକି ଖୁସି ହେଉଥିଲେ ମଧ୍ୟ । ଅନେକାଂଶରେ କେବଳ କାଳୀବାବୁ କାହିଁକି, ଆମେମାନେ ଦଳର ସମସ୍ତେ ପ୍ରାୟ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିପାରୁଥିଲୁ I ଅଭିନୟ ପୂର୍ବରୁ ମନ ଭିତରେ ଯୋଉ ଆଶଙ୍କା ବସାବାନ୍ଧି ବସିଥିଲା ସେ ଆଶଙ୍କା ଅନେକଟା ଦୂରେଇଯାଇଥିଲା କହିଲେ ଚଳେ ।

 

ବେଶ୍‌ ସମ୍ମାନର ସହ ଢେଙ୍କାନାଳରୁ କିଛିଦିନର ରସଦ ଏବଂ ଅର୍ଥ ଘେନି ବାହୁଡ଼ିଲୁ ପୁରୁଣା ଡେରା, ପରିଚିତ ପୁରୀଧାମକୁ ।

 

କେଇଟି ଦିନ ବିଶ୍ରାମ ପାଇ କଟେଇଦବା ପରେ ଆସିଲା ‘‘ବାଂଶରୀ ବିଳାସ’ ନାଟକ । ପୁଣି ଚାଲିଲା ଅବିରାମ ଗତିରେ ଅଭ୍ୟାସ (ରିହର୍‌ସାଲ୍‌)–ମୁଖସ୍ଥ, ଗୀତବୋଲା, ନାଚ ଶିକ୍ଷା ।

 

ପ୍ରତ୍ୟେକ ପିଲାକୁ, ପ୍ରତ୍ୟେକ ଚରିତ୍ର କରିପାରିବାର କ୍ଷମତା ହାସଲ କରିବାକୁ ପଡ଼ୁଥିଲା-। ଦର୍କାର ପଡ଼ିଲେ ଜଣେ ପିଲା କୃଷ୍ଣ ହେଇପାରିବ ପୁଣି ରାଧା, ଲଳିତା, ବିଶାଖା ହେଇପାରିବ-। ନାଚି ପାରିବ, ଗାଇ ପାରିବ, ଅଭିନୟ ବି କରିପାରିବ । ଏଇସବୁ କଥାକୁ ଆଖି ଆଗରେ ରଖି ସେଇଭଳି ତାଲିମ୍‌ ଦିଆଯାଉଥିଲା ।

 

ତାଲିମ୍‌ ଦେବାପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଥିଲେ ଯେମିତି ଜଣେ ସ୍ଵତନ୍ତ୍ର ଧରଣର ଗୁରୁ, ତାଲିମ୍‌ ନେବାପାଇଁ ମଧ୍ୟ ଆମେ କେଇଜଣ ସେମିତି ଥିଲୁ ଏକ ସ୍ଵତନ୍ତ୍ର ରକ୍ତ, ମାଂସରେ ଗଢ଼ା ଅନୁଗତ ଛାତ୍ର । ଯୋଉ ଅଗ୍ନିପରୀକ୍ଷା ଦେଇ ଆମେ ତାଲିମ ପାଉଥିଲୁ, ବିଭିନ୍ନ ଉପଦେଶ ଗ୍ରହଣ କରୁଥିଲୁ, ତାହା ଆଜିର ଗୁରୁ ଛାତ୍ର ମନରେ କଳ୍ପନା ସୁଦ୍ଧା କରିପାରିବେ ନାହିଁ ।

 

ଟିକିଏ ଟିକିଏ ଭୁଲପାଇଁ କଠୋର ଶାସ୍ତି, କଅଁଳ ବୟସରେ ଅସୁମାରି ବେତମାଡ଼, ଖାଡ଼ା ଖାଡ଼ା ଉପବାସ, ଗୋଟିଏ ଖଲିପତ୍ରକୁ ଧୋଇ ଶୁଖେଇ ମାସକ ପର୍ଯ୍ୟନ୍ତ ସେଥିରେ ଖାଇବା, ସିମେଣ୍ଟକୁ ଧୋଇ ସେଥ‌ିରେ ଭାତ କୁଢ଼େଇ ଖାଇବା, ଦିନ ବାରଟାରେ ଭୋକ ସମୟରେ ଗଛରେ ଚଢ଼ି ପତ୍ର ତୋଳି ଆଣି ଖଲି ସିଲେଇ ନ କଲେ ଖାଇବାକୁ ଦିଆଯାଉ ନ ଥିଲା । କେବଳ ଏତିକିରେ ଗୁରୁଙ୍କର ହୃଦୟ ତରଳୁ ନ ଥିଲା । ଦଳର ସମସ୍ତଙ୍କୁ ମନା କରାଯାଉଥିଲା ତା’ ସହିତ କଥାବାର୍ତ୍ତା କରିବାକୁ, ଅସହଯୋଗ କରିବାକୁ । ଯେଉଁମାନେ ସମବେଦନା ପ୍ରକାଶ କରିବାର କିଛି ଲକ୍ଷଣ ଦେଖାଯାଉଥିଲା ତ ତାଙ୍କ ଉପରେ ହେଉଥିଲା ଅନୁରୂପ ଶାସ୍ତି ।

 

କହନ୍ତୁ ତ ! ଆଠ, ଦଶ ବର୍ଷ ବୟସର ପିଲାଙ୍କ ପାଇଁ ଏ ବ୍ୟବସ୍ଥା କ’ଣ କମ୍‌ କଠୋର ବ୍ୟବସ୍ଥା ଥିଲା !

 

ଏହା ମୋର ଏବଂ ମୋ ପରି ଅନ୍ୟମାନଙ୍କର ଅଙ୍ଗେ ଲିଭେଇବା କଥା । ଦେଖେଣାହାରୀ ବା ଦର୍ଶକ ବାହାରେ ବସି ବାହାବା କହି ଚମ୍ପଟ୍‌ । ଯଦିବା କେହି ଆମ ଦୁଃଖରେ ଦୁଃଖୀ ହୋଇ କିଛି ପଦେ କହିପକଉଥିଲେ ତ ସେ ହଉଥିଲେ ଅପ୍ରିୟ ।

 

ବାଂଶରୀ ବିଳାସ ନାଟକଟି ଆୟତ୍ତକୁ ଆସିବା ପରେ କର୍ମକର୍ତ୍ତାମାନେ ବିଚାରକଲେ ଅନୁଷ୍ଠାନକୁ ବାହାରକୁ ନେବାକୁ । ସ୍ଥିର ହେଲା, ମେଢ଼ାମୁଣ୍ଡଳୀ, ଅନୁଗୁଳ ଦେଇ ସମ୍ବଲପୁର ଯିବାକୁ-। ଖରାଦିନ । ଝଡ଼ିବର୍ଷାର ଭୟ ନାହିଁ । ଯେତୋଟି ସେତେବେଳେ ପେଶାଦାର ନାଟ୍ୟସଂସ୍ଥା ଓଡ଼ିଶାରେ ବ୍ୟବସାୟ କରୁଥିଲେ ସମସ୍ତେ ପ୍ରାୟ ଏଇ ଖରା ଓ ଶୀତ ଆଠମାସ ପାଇଁ ବାହାରକୁ ଯାଉଥିଲେ ଏବଂ ବର୍ଷାଦିନ ଆସିବା ପୂର୍ବରୁ ନିଜ ନିଜର ପ୍ରଧାନ କାର୍ଯ୍ୟାଳୟକୁ ଫେରି ଆସୁଥିଲେ-

 

ଶେଷରେ ସମସ୍ତଙ୍କ ଉପସ୍ଥିତିରେ କଥା ପକ୍‌କା ହେଲା ଯେ ଏତେ ଦୂରକୁ ଯିବାକୁ ହେଲେ ଗୋଟାଏ ଦଳ ଲାଗି ଅନେକ ଅର୍ଥ ଆବଶ୍ୟକ । ଏଣୁ ପୁରୀରେ ଅଭିନୟ କରି ସେଇ ପରିମାଣର ପଇସା ଉଠେଇବାକୁ ପଡ଼ିବ ।

 

ପ୍ରତ୍ୟେକଙ୍କ ମନକୁ କଥାଟା ପାଇଲା ଏବଂ ସହରରେ ପ୍ରଚାର କାମ ଆରମ୍ଭ କରାଗଲା-

 

ପୁରୀରେ ଆପଣ ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ ଦର୍ଶକ ଭିଡ଼ ପ୍ରାୟ ସବୁ ସମୟରେ ଦେଖିବେ । ସେ ସମୟରେ ଗୋଟିଏ ରାତିରେ ଶହେ ଅବା ଦେଢ଼ଶହ ଟଙ୍କା ରୋଜଗାର ଅର୍ଥାତ୍‌ ଟିକଟ ବିକ୍ରି ହେଉଥିଲେ ଖୁବ୍‌ ବେଶି ହେଲା ବୋଲି ଧରିନିଆଯାଉଥିଲା, କାରଣ ଶ୍ରେଣୀମୂଲ୍ୟ ଅଳ୍ପ ରଖାଯାଉଥିଲା ଓ ଶସ୍ତା ଯୁଗ ଥିଲା ।

 

ଆଗରୁ କହିଛି ଯେ ବ୍ୟବସାୟିକ ଭିତ୍ତିରେ ଆମ ରାହାସ ଅନୁଷ୍ଠାନ ଆଗରୁ କେତେକ ରଜନୀ ପୁରୀର ଜଗନ୍ନାଥ କ୍ଲବ୍‌ରେ ଅଭିନୟ କରିଥିଲା ଓ ସେଥି ସହିତ ଅଳ୍ପ କିଛି ଅର୍ଥ ମଧ୍ୟ ଉପାର୍ଜନ କରିଥିଲା । ତେବେ ଏଭଳି ଧାରାବାହିକ ଉଦ୍ୟମ ପ୍ରାୟ ହେଇ ନ ଥିଲା ସତ ।

 

ଚାଲିଲା ଅଭିନୟ । ଗୋଟିଏ ଗୋଟିଏ ବହି ଚାରିଦିନ, ପାଞ୍ଚଦିନ । ଅବିରାମ ଭାବରେ ଅଭିନୟ ହେଉଥାଏ । କ’ଣ କହିବି ସେ ଉତ୍ସାହ କଥା ? ଜଣେ ଦର୍ଶକ ଆଜି ଯୋଉ ନାଟକ ଦେଖୁଛି କାଲି ମଧ୍ୟ ସେଇ ଜଣକ ସେଇ ଅଭିନୟ ଦେଖିବାକୁ ବ୍ୟାକୁଳ ହୋଇ ଆସିଥିବାର ଦେଖାଯାଇଛି । ପ୍ରଥମ ରଜନୀରେ ଯୋଉ ପରିମାଣର ଟିକଟ ବିକ୍ରି ହେଇଛି, ପଞ୍ଚମ ରଜନୀରେ ତା’ଠାରୁ ଅଧ‌ିକ ଉପାର୍ଜନ ହେଇଛି ସିନା କମ୍‌ ନୁହେଁ ।

 

‘‘ସୁନ୍ଦର ଶୁଭ୍ର ସୁଗୋଲ୍‌ କଳେବର

ଝିକିମିକି ତନୁ ଜୟ ଟଙ୍କା ।’’

 

ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକଙ୍କର ଏଇ ଉପରୋକ୍ତ ଗୀତଟି ଆଜି ମଧ୍ୟ ମୋ ମନରେ ବହୁବାର ଉଙ୍କିମାରେ । ସତକଥା । ଟଙ୍କା, ମୁହଁ କରିଦିଏ ବଙ୍କା । ଟଙ୍କାର ସୁଅ ଦେଖି ଆମ ଦଳର ମାଲିକ, ଗୁରୁ, ଛାତ୍ର ସମସ୍ତଙ୍କ ପାଟିରୁ ପାଣି ବୋହିଲା । ଖୁବ୍‌ ଜାକଜମକରେ ପ୍ରଚାର କରାଯାଇ ନାଟକଗୁଡ଼ିକ ଯେପରି ଆହୁରି ସୁନ୍ଦର ଓ ମନ ମତାଣିଆ ହେଇପାରେ, ତା’ଲାଗି ନୂଆ ନୂଆ ଗୀତ, ନାଚ ସ୍ଥାନ ବିଶେଷରେ ଖଞ୍ଜାଗଲା । ରଙ୍ଗମଞ୍ଚକୁ ପ୍ରାକୃତିକ କରିବା ଲାଗି ବିଭିନ୍ନ ଫୁଲ, ଡାଳ ଓ ଲତାପତ୍ରରେ ରାଧାକୁଞ୍ଜ, ଚନ୍ଦ୍ରାବଳୀକୁଞ୍ଜ ରଚନା କରାଗଲା ।

 

ୟା ପୂର୍ବରୁ ଶ୍ରୀ ଗୋବିନ୍ଦ ସୁରଦେଓ, ଶ୍ରୀ ମୋହନସୁନ୍ଦର ଦେବ ଗୋସ୍ଵାମୀଙ୍କ ରାହାସ ପୁରୀର ଦର୍ଶକ ଅବଶ୍ୟ ଦେଖିଥିଲେ; କିନ୍ତୁ ଶ୍ରୀରାଧାରମଣ ରାସ ଉତ୍ସବରେ ସ୍ୱତନ୍ତ୍ର ଶୈଳୀର ଅବଦାନ ଦର୍ଶକଙ୍କ ମନରେ ଆଣିଥିଲା ଅପୂର୍ବ ଆଲୋଡ଼ନ ।

 

ଏହା ଯେ ଅତିରଞ୍ଜିତ କରି କୁହାଯାଉଛି ସେକଥା ମନରେ ଆଣନ୍ତୁ ନାହିଁ । ଅତି ନିରାଟ ସତ୍ୟକଥା । ଆମର ଅଭିନୟରେ ଏଇ ଯେଉଁ ନୂତନ ମୋଡ଼ କାଳୀବାବୁ ଆମକୁ ଧରିବାର ନିର୍ଦ୍ଦେଶ ଦେଲେ ତାହା ବାସ୍ତବିକ୍‌ ସବୁ ଯୁଗପାଇଁ, ସବୁ କାଳପାଇଁ ଆଦରଣୀୟ ।

 

ଆଉ ଗୋଟିଏ ବଡ଼କଥା ଆମେ ଲକ୍ଷ୍ୟ କରିଥିଲୁ । ଆଗରୁ ଯେତେସବୁ ଅଭିନୟ ଅଭିନୀତ ହେଉଥିଲା ତାହା ପ୍ରାୟ ଗୋଟିଏ ଗୋଟିଏ ଦିନ ପାଇଁ ହେଉଥିଲା । ମାତ୍ର ଏକାଦିକ୍ରମେ ଗୋଟିଏ ନାଟକ ପାଞ୍ଚରାତି, ସାତରାତି ପ୍ରଦର୍ଶିତ ହେବା ସେଇ ରାଧାରମଣ ରାସ ଉତ୍ସବ ଦ୍ଵାରା ସର୍ବପ୍ରଥମେ ସମ୍ଭବ ହେଇଥିଲା ।

 

ଦର୍ଶକଙ୍କର ଆଜିର ଯେଉଁ ଉତ୍କଣ୍ଠା, ଆସନ୍ତାକାଲିର ଉତ୍କଣ୍ଠା ଠିକ୍‌ ସେମିତି ବଜାୟ ରହୁଥିଲା ।

 

ଅଳ୍ପ କେଇଦିନରେ ଆମର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଲା । ୟାର ଆଭାସ ଆମେ ପାଉଥିଲୁ ବାଟରେ, ଘାଟରେ, ମନ୍ଦିରରେ, ସମୁଦ୍ର କୂଳରେ । ପ୍ରତିଦିନ ନ ହେଲେ ମଧ୍ୟ କେବେ କେମିତି ଯାଉଥିଲୁ ନରେନ୍ଦ୍ର ପୋଖରୀକୁ, ସମୁଦ୍ରକୁ ଗାଧୋଇବାକୁ । କେବେ କେମିତି ଠାକୁରଙ୍କ ଦର୍ଶନ ପାଇଁ ବଡ଼ ଦେଉଳକୁ । ସାଙ୍ଗରେ ଆମର ରହୁଥିଲେ ବଡ଼ ମଣିଷ ।

 

ଏପର୍ଯ୍ୟନ୍ତ ଆପଣମାନଙ୍କୁ କହି ନାହିଁ ଯେ ସେ ସମୟରେ ଆମର ଜନସାଧାରଣ, ଏଇ ସବୁ ରାହାସ, ଯାତ୍ରା, ସୁଆଙ୍ଗ, ଗୋଟିପୁଅ ନାଟ ଦେଖିବାକୁ ଅତି ଆଗ୍ରହ ପ୍ରକାଶ କରୁଥିଲେ ଓ ଏଥ‌ିପାଇଁ ବିଭିନ୍ନ ଚାନ୍ଦାଭେଦା ଦେଇ କଳା ଏବଂ କଳାକାରଙ୍କୁ ବଞ୍ଚେଇବାକୁ ଯଥାଶକ୍ତି ଅର୍ଥ ସାହାଯ୍ୟ କରୁଥିଲେ । କିନ୍ତୁ ଧନୀ, ଦରିଦ୍ର, ଶିକ୍ଷିତ, ଅଶିକ୍ଷିତ ନିର୍ବିଶେଷରେ ସମସ୍ତେ ଯେ ଅନ୍ତର ଭିତରେ ଏ କଳାକୁ ଘୃଣା କରୁଥିଲେ ସେଥ‌ିନେଇ ଦ୍ଵିମତ ହେବାର କିଛି ନାହିଁ । ସମାଜରେ ନାଟୁଆ ଗୋଷ୍ଠୀଙ୍କର ଆସନ ଥିଲା ଅତି ତଳେ । ନାଟୁଆମାନଙ୍କ ସାଙ୍ଗରେ ମିଶିବା ଓ ତାଙ୍କ ସହିତ ଚଳପ୍ରଚଳ ହେବା ଯେମିତି ଗୋଟାଏ ଅପରାଧ ବୋଲି ଜଣାଯାଉଥିଲା । ବେଶି ଭାବରେ ସମ୍ଭ୍ରାନ୍ତ ବଂଶୀୟ ଲୋକମାନେ ୟାର ପକ୍ଷପାତି ଥିଲେ ।

 

ଏଇସବୁ କାରଣ ଦୃଷ୍ଟିରୁ ସମ୍ଭବତଃ ଆମମାନଙ୍କୁ ବଜାରକୁ ଏକୁଟିଆ ଯିବାକୁ ବାରଣ ହେଉଥିଲା । ଯେତେବେଳେ ଯାଉଥିଲୁ ସାଙ୍ଗରେ ରହୁଥିଲେ ଗୁରୁଜନ ସ୍ଥାନୀୟ ଜାଣିବା ଶୁଣିବା ଲୋକ । ଯାତ୍ରାଦଳର ପିଲାଙ୍କୁ ଦେଖିଲେ ନିମ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ବଡ଼ ଆକ୍ଷେପମୂଳକ ଭାଷା ପ୍ରୟୋଗ କରୁଥିଲେ ।

 

ଆଜିକାଲି ଘରେ ଘରେ ଠାକୁରବାଡ଼ି ପରି ସେ ଯୁଗରେ ସାଧାରଣ ପରିବାରରେ ମଧ୍ୟ ଝିଅ, ବୋହୂ ତୁଣ୍ଡରେ ପଦେ ଅଧେ ଶୁଣାଗୀତ ଗାଇ ଦଉଥିଲେ ବହୁ ଅକଥାମାନ କୁହାଯାଇ ତାଙ୍କୁ ଆକଟ କରାଯାଉଥିଲା । ମୁରବି ସ୍ଥାନୀୟ ଲୋକେ ଟାପରା କରି କହୁଥିଲେ–

 

‘‘ସଲଜ୍ଜ ବାଏ, ନିର୍ଲଜ୍ଜ ଗାଏ

ଅତି ଅଲାଜୁକ ନାଚରେ ଯାଏ ।’’

 

ଆଉ ଏକଥା ମଧ୍ୟ ମୁକ୍ତ କଣ୍ଠରେ କୁହାଯାଇପାରେ ଯେ ସମାଜରେ ଅଳ୍ପସଂଖ୍ୟକ ଅନ୍ୟ କେତେକ ମାର୍ଜିତ ରୁଚିର ଲୋକଥିଲେ ଯୋଉମାନେ କି ସେସବୁ କୁ–ସଂସ୍କାର ପ୍ରଥାର ବଶବର୍ତ୍ତୀ ନ ହୋଇ ନାଟୁଆଙ୍କ ସାଙ୍ଗରେ ବସୁଥିଲେ, ଉଠୁଥିଲେ । ଦର୍କାର ପଡ଼ିଲେ ନାଟରେ ଭାଗ ନେଉଥିଲେ ଓ ନାଟ୍ୟସଂସ୍ଥାରେ ବଡ଼ପଣ୍ଡା ସାଜୁଥିଲେ ।

 

ପ୍ରକୃତରେ ସେତେବେଳେ ଏଇସବୁ ନାଟ୍ୟକଳା ପଛରେ ରସିକ ଗୋଷ୍ଠୀ, ରାଜନ୍ୟମଣ୍ଡଳୀ ଠିଆହୋଇ ରହି ନ ଥିଲେ କଳା ବିଲ୍‌କୁଲ କଳା ହେଇଯାଇଥାନ୍ତା । ରାଜା ମହାରାଜାମାନେ ଦଉଥିଲେ ପ୍ରଚୁର ଅର୍ଥ ଓ ରସିକ ଗୋଷ୍ଠୀ ଦଉଥ‌ିଲେ ଅଯାଚିତ ପ୍ରେରଣା ଏବଂ ମୂଲ୍ୟବାନ ଉତ୍ସାହ ।

 

ମୋର ବ୍ୟକ୍ତିଗତ କଥା ମୁଁ ଆପଣଙ୍କୁ କହୁଛି । କାହିଁକି କେଜାଣି ମୋ ପ୍ରତି କେହି କେବେ ନାଟୁଆ ବୋଲି ଘୃଣାଭାବ ମନରେ ପୋଷଣ କରିଥିଲା ପରି ମୋର ମନେ ପଡ଼ୁନାହିଁ । ଅଥଚ ମୁଁ ଜଣେ ପେଶାଦାର ନାଟୁଆ । ଅନେକ ଶିକ୍ଷିତ ଭଦ୍ର ପରିବାରକୁ ନିମନ୍ତ୍ରିତ ହେଇ ଯାଇଛି-। ଥରେ ନୁହେଁ, ଅନେକ ଥର । ସେଇ ପରିବାରର ମୁଁ ମଧ୍ୟ ଜଣେ ଅଂଶୀଦାର ବୋଲି ମନରେ ଭାବିଛି । କିନ୍ତୁ କାହିଁ କେହି ତ ଘୃଣା ଆଖିରେ ଦେଖିନାହିଁ ? ବରଂ ସ୍ନେହ, ଶ୍ରଦ୍ଧା ଓ ମମତାବନ୍ଧନ ଡୋରରେ ଏଭଳି ବାନ୍ଧି ପକେଇଛନ୍ତି ମୋତେ, ଯାହାଦ୍ଵାରା ମୋର ଅଭିନେତା–ଜୀବନ ହୋଇଛି ସାର୍ଥକ । ଚିରଋଣୀ ମୁଁ ସେମାନଙ୍କ ନିକଟରେ ।

 

ଅବଶ୍ୟ ସାଙ୍ଗସାଥୀ ମେଳରେ ଏକାଠି ବଜାର, ଘାଟରେ ଆମକୁ ଦେଖି କେତେକ ଲୋକ ଥଟ୍ଟା, ଟାପ୍‌ରା ମିଶା ବ୍ୟଙ୍ଗୋକ୍ତି କରିପକାନ୍ତି ।

 

ମୋର ମନେହୁଏ ସେଇସବୁ ପଛୁଆ ମନୋଭାବ ଯୋଗୁ ଆମର ନାଟ୍ୟକଳା ଭାରତର ଅନ୍ୟାନ୍ୟ ଜାତିଙ୍କଠାରୁ ପାଦେ, ଦି’ପାଦ ପଛେଇଯାଇଥିଲା । ତା’ ନ ହେଲେ ଅଭିନୟ ଦିଗରେ ଓଡ଼ିଶା ଯେ ସର୍ବଭାରତୀୟ ସ୍ତରର ସମକକ୍ଷ ଏହା ଆପଣ ଅସ୍ଵୀକାର କରିବେ କି ?

 

ନାଟ୍ୟକଳା ଯେ ଶ୍ରେଷ୍ଠକଳା, ରଙ୍ଗମଞ୍ଚ ଯେ ଜାତିର ମାପକାଠି, ଏ ଧରଣର ସ୍ଲୋଗାନ୍‌ ଓଡ଼ିଆ ସେ ଯୁଗରେ ଦେଇଥିଲା, ଆଜି ଏ ଯୁଗରେ ମଧ୍ୟ ଦଉଛି । ମାତ୍ର ରଙ୍ଗମଞ୍ଚ କାହିଁ ? ଅଭିନୟ ବର୍ତ୍ତମାନ କୋଉଁଠି ? କ’ଣ କରାଯାଇଛି ସେ ଦିଗରେ ?

 

ଆଜି ସମସ୍ତଙ୍କ ଆଖି ଚଳଚ୍ଚିତ୍ର ପରଦାକୁ । ମୁଁ ଆଜି ପ୍ରାର୍ଥନା ପୂର୍ବକ ଆପଣଙ୍କୁ ପଚାରୁଛି–ରଙ୍ଗମଞ୍ଚର କଳା କୌଣସି ଚଳଚ୍ଚିତ୍ରରେ ମିଳେ କି ? ଜଣେ ଅଭିନେତା ଗଢ଼ିବାରେ ରଙ୍ଗମଞ୍ଚ ଯୋଉ ସୁଯୋଗ ଦିଏ ତାହା ଚଳଚ୍ଚିତ୍ର ଦିଏ କି ? ଚଳଚ୍ଚିତ୍ର କଳାକୁ ମୁଁ ହୀନ ବୋଲି କହୁ ନାହିଁ; କିନ୍ତୁ ରଙ୍ଗମଞ୍ଚ ଉପରେ ଅଭିନେତାର ସ୍ଵାଧୀନତା ଥାଏ । ତାହା କ୍ୟାମେରା ସମ୍ମୁଖରେ ସମ୍ଭବ ନୁହେଁ ।

 

ମୋର ମତ, ଆପଣ ମଞ୍ଚ ଅଭିନୟରେ ସଫଳ ହେଇସାରିବା ପରେ, ଚଳଚ୍ଚିତ୍ରକୁ ଯାଆନ୍ତୁ, ମନା ନାହିଁ । ତା’ ଦ୍ଵାରା ଆପଣ ଅଭିନୟରେ ଆତ୍ମନିର୍ଭରଶୀଳ ହେଇପାରିବେ ଏବଂ ନିଜ ଅଭିନୟ ନିଜକୁ ଚିହ୍ନେଇବାର କ୍ଷମତା ଅର୍ଜନ କରିବ ।

 

ଓଡ଼ିଶାର ରଙ୍ଗମଞ୍ଚରେ ଦିନକ ପାଇଁ ଯାହାର ଦର୍ଶନ ମିଳି ନ ଥିଲା ଆଜି ହୁଏତ ସେଭଳି ଜଣେ ଅଧେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଡିରେକ୍ଟର ପଦରେ ଅଧିଷ୍ଠିତ ଥାଇ କଥା କଥାକେ ଅଭିନେତାଙ୍କୁ କୁହନ୍ତି–‘‘ତୁମର ଅଭିନୟ ମଞ୍ଚ ଅଭିନୟ ପରି ହେଉଛି ।’’ କହନ୍ତୁ ତ, ଜଣେ ଅଭିନେତାର ଅଭିନୟ କେବଳ କ’ଣ ରଙ୍ଗମଞ୍ଚ ପାଇଁ ଉଦ୍ଦିଷ୍ଟ ? ଅଭିନେତା ତା’ର ଅଭିନୟ ପାଇଁ ଖୋଜେ ମୁକ୍ତ ପରିସର । ଏ ସୁବିଧା ତାକୁ ବେଶୀ ମିଳେ ରଙ୍ଗମଞ୍ଚରେ । ତା’ ବୋଲି ଅଭିନେତା ସିନେମା ହେଉ ଅବା ଟେଲିଭିଜନ ହେଉ ସେ କ୍ଷୁଦ୍ର ପରିସରକୁ ଭୟ କରିବ କାହିଁକି ? ଅଭିନେତା ଯେ, ସେ ନିଶ୍ଚୟ ସେଇ କ୍ଷୁଦ୍ର ପରିସର ଭିତରେ ନିଜକୁ ଖାପ୍‌ଖୁଆଇ ଅଭିନୟ କରିଯିବ । ହଁ, ଏକଥା ଠିକ୍‌, ରଙ୍ଗମଞ୍ଚ ଅଭିନୟର ଆନନ୍ଦ ସିନେମା ଏବଂ ଟେଲିଭିଜନରେ ନ ଥାଏ ।

 

ହଁ ଏଥର ଅଧା ରଖିଥ‌ିବା କଥା ଆପଣଙ୍କୁ କୁହେ । ପୁରୀରେ ଯେତେବେଳେ ଆମର ଅଭିନୟ ଖୁବ୍‌ ଜମି ଉଠିଥାଏ ଠିକ୍‌ ସେତିକିବେଳେ, ବେଲ ପାଚିବାକୁ କାଉ ଝାମ୍ପ ମାରିବାଭଳି ପୁଣି ଡକରା ଆସିଲା ବଲାଙ୍ଗୀର ରାଜ୍ୟରୁ । ଚାରିରାତି ଅଭିନୟ ହେବ । ଯିବା, ଆସିବା ରାସ୍ତା ଖର୍ଚ୍ଚ ଛାଡ଼ି ରାତିକୁ ଚାରିଶହ ଟଙ୍କା ।

 

କଚ୍ଚେ ପୋ ବାର । ମନ ଜାଣି ଦାନ ପଡ଼ିଛି । ଅଦିନ ମେଘରେ ଅଜଣା ବିଜୁଳି ମାରିଲା ପରି ସମସ୍ତେ ଚଞ୍ଚଳ ହେଇଗଲେ । ଚାଲିଲା ଧରା, ବନ୍ଧା, ଟଣା, ଭିଡ଼ା, ଧଡ୍‌ଧାଡ୍‌, ଖଡ୍‌ଖାଡ଼୍‌, ଆହୁରି କେତେ ଧରଣର ଶବ୍ଦ । ମଣିଷ ଅତି ଆନନ୍ଦ ହେଲେ ପାଦ ତା’ର ବାଉଳା ଧରେ । ମନ ତା’ର ନିଜର ସ୍ଥିତି ଓ ପରିସରକୁ ପାସୋରି ପକେଇ କଳ୍ପନାର ଖିଅ ଧରେ । ଦୁନିଆରେ ଯାହା ଅବାସ୍ତବ, ଅଳୀକ ସେ ସମସ୍ତ ବସ୍ତୁ ତା’ ଆଖିରେ ହୋଇଉଠେ ସୁନ୍ଦର, ଖୁବ୍‌ ଅଦର୍କାରୀ ଜିନିଷକୁ ସେ ମୋର ବୋଲି କହି ଆବୁରି ବସେ । ମାୟାର ଜାଲ ଆହୁରି ବ୍ୟାପକ ହୋଇ ସେଇ ନିର୍ବୋଧ ପ୍ରାଣୀକୁ ଚତୁର୍ଦ୍ଦିଗରୁ ଘେରେଇ ପକାଏ, ବନ୍ଧନ ହୁଏ ସୁଦୃଢ଼ ।

 

ସେ ବନ୍ଧନରୁ କେହି ତ ମୁକ୍ତ ନୁହନ୍ତି, ଆମେ ବା କିପରି ବାଦ୍‌ ଯାଆନ୍ତୁ ।

 

ଦିନ କେଇଟାରେ ଶୁଭମୁହୂର୍ତ୍ତ ସ୍ଥିର କରାଯାଇ ଯାତ୍ରା ଆରମ୍ଭ କଲୁ ତାଳଚେର ଗାଡ଼ିରେ ମେରାମଣ୍ଡଳୀକୁ । ବିଖ୍ୟାତ ବସ୍‌ ବ୍ୟବସାୟୀ ଶ୍ରୀଯୁକ୍ତ ଚକ୍ରଧର ମିଶ୍ରଙ୍କ ମଟର ଗ୍ୟାରେଜ୍‌ରେ ଖୁବ୍‌ ବଡ଼ ବଡ଼ ଧଳାରଙ୍ଗର ବସ୍‌ଗୁଡ଼ିକ ଦେଖି ବଡ଼ ଖୁସି ଲାଗୁଥାଏ । ଓଡ଼ିଶାରେ ସମ୍ଭବତଃ ସେତେବେଳେ ଏତେ ବିରାଟ ଆକାରରେ ବସ୍‌ ଆଉ କୋଉ ଅଞ୍ଚଳରେ ଚାଲୁଥିବା ପରି ମନେ ପଡ଼ୁନାହିଁ । ଶ୍ରୀଯୁକ୍ତ ମିଶ୍ରଙ୍କର ଉକ୍ତ ସର୍ଭିସ ବସ୍‌ ସଂସ୍ଥାରେ ଅନେକ ଲୋକ ନିଜର କର୍ମ ସଂସ୍ଥାନ ଲାଗି ସୁଯୋଗ ପାଇଥିଲେ । ଶ୍ରୀଯୁକ୍ତ ମିଶ୍ର ଥିଲେ ସେ ଯୁଗରେ ଜଣେ ସଚ୍ଚୋଟ ଧନୀ, ମାନୀ, ଦୟାଶୀଳ ବ୍ୟକ୍ତି ।

 

ଲମ୍ବା ଗୋରା ତକ୍‌ ତକ୍‌ ଚେହେରା । ହସ ହସ ମୁହଁ, ବେଶ ପୋଷାକରେ ଆଧୁନିକତାର ପୂର୍ଣ୍ଣ ସ୍ପର୍ଶ ଲାଗିଥିଲେ ମଧ୍ୟ ଶ୍ରୀ ମିଶ୍ର ଯେ ଜଣେ ନୈଷ୍ଠିକ ଓଡ଼ିଆ ବ୍ରାହ୍ମଣ, ତାଙ୍କୁ ଦେଖିବା ମାତ୍ରେ ଜଣା ପଡ଼ୁଥିଲା । କଳା ଓ କଳାକାର ତାଙ୍କ ପାଖରେ ଅତି ପ୍ରିୟ ।

 

ଶ୍ରୀଯୁକ୍ତ ମିଶ୍ରଙ୍କ ବସ୍‌ରେ ଆମ ରାସଦଳ ସମ୍ବଲପୁର ପର୍ଯ୍ୟନ୍ତ ଯିବାର ସ୍ଥିର ହେଲା ଏବଂ ସମ୍ବଲପୁରଠାରୁ ଅନ୍ୟ ବସ୍‌ରେ ବଲାଙ୍ଗିର ଯିବାର କଥା । କାରଣ ଶ୍ରୀ ଚକ୍ରଧର ମିଶ୍ରଙ୍କ ବସ୍‌ ସର୍ଭିସ୍‌ କେବଳ ମେରାମୁଣ୍ଡଳୀଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଚାଲୁଥିଲା ।

 

ଲମ୍ବା ପଥ । ବେଶ୍‌ ଆରାମଦାୟକ ସେ ବସ୍‌ଯାତ୍ରା । ଖରାଦିନ । ମେରାମୁଣ୍ଡଳୀଠାରୁ ବାହାରି ଅନୁଗୋଳ ପର୍ଯ୍ୟନ୍ତ ଯିବା ବାଟରେ ଯାହା ବା ଜଙ୍ଗଲ ପଡ଼ୁଥିଲା; କିନ୍ତୁ ଅନୁଗୋଳରୁ ବାହାରୁ ବାହାରୁ ପ୍ରାୟ ସନ୍ଧ୍ୟା ପାଖେଇ ଆସିଥିଲା । ଦୁଇ ପାଖରେ ଘଞ୍ଚ ଅରଣ୍ୟ ଓ ମଝିରେ ମଝିରେ ଜଳୁଥିଲା ବନଅଗ୍ନି । ଅଙ୍କାବଙ୍କା ଉଠାଣି ଗଡ଼ାଣି, ପଥୁରିଆ ସଡ଼କ ଉପରେ ଗଡ଼ି ଚାଲିଥାଏ ଆମର ପ୍ରକାଣ୍ଡ ବସ୍‌ଟା ।

 

ମୋଗଲ ବନ୍ଦୀ, ଉପକୂଳ ଅଞ୍ଚଳ କୋଠଦେଶରେ ଘର ମୋର । ପାହାଡ଼, ପର୍ବତ, ପ୍ରାକୃତିକ ପରିବେଶ ଏଇ ସୁନ୍ଦର ମନୋରମ ଗଡ଼ଜାତରେ ଏପରି ପ୍ରଳୟ କାଳୀନ ମୂର୍ତ୍ତି କେବେ ଦେଖିବାର ସୁଯୋଗ ପାଇନଥିଲି । ଘନ ଅନ୍ଧାର ବୁକୁଚିରି ଦୂର ପର୍ବତର ଶିଖର ଦେଶରେ ସତେ ଯେପରି କିଏ ଦୀପାବଳିର ଉତ୍ସବ ପାଳନ କରୁଥିଲା ।

 

ଦ୍ରୁତଗାମୀ ବସ୍‌ ସମ୍ମୁଖରେ ବେଳେବେଳେ ଦେଖା ଦଉଥିଲେ ଦଳ ଦଳ ମୃଗ ପରିବାର-। ନିକଟରୁ ଶୁଭୁଥିଲା ମୟୂର କଣ୍ଠର କେଁ କାଁ ଶବ୍ଦ । କେବେ କେବେ ବସ୍‌ର ଗର୍ଜନ ଶୁଣି ସୁକୁମାର ଠେକୁଆ ଶାବକଟା ଗଛ ଉହାଡ଼ରୁ ରାସ୍ତା କଡ଼କୁ ଧାଇଁ ଆସି ବସ୍‌ ଗତି ସହିତ ପ୍ରତିଦ୍ଵନ୍ଦ୍ୱିତା କରୁଥିଲା ।

 

ସ୍ଥାନେ ସ୍ଥାନେ ସଡ଼କ ଉପରେ ବିଛେଇ ହୋଇ ପଡ଼ିଥିଲା କଞ୍ଚା ଓ ପାଚିଲା ବିଭିନ୍ନ ଜାତିର ଆମ୍ବ । ନିର୍ବିକାର ଭାବେ ବସ୍‌ର ଚକଗୁଡ଼ାକ ସେଇ ଆମ୍ବଗୁଡ଼ାକୁ ମନ୍ଥି ଦଳି ଗଡ଼ି ଯାଉଥିଲା ଆଗକୁ ଆଗକୁ । ପାଟିରୁ ମୋର ପାଣି ବୋହୁଥିଲା ସିନା, କିନ୍ତୁ ସେତେ ପରିମାଣର ଆମ୍ବକୁ ନେଇଯିବାକୁ ଏତେବଡ଼ ‘ଅଣ୍ଟି’ ନ ଥିଲା ମୋର । ଖାଲି ମନେ ପଡ଼ୁଥିଲା ଗାଁ’ର ଜୟୀ ଦାଶ ଆମ୍ବ ତୋଟାରେ ଗୋଟାଏ କୋଇଲି ପାରୁଡ଼ା ସୁକୁଟା ଆମ୍ବ ଆଣିବାକୁ ଯାଇ କେଡ଼େ ଚାପୁଡ଼ାଟାଏ ଖାଇଥିଲି ।

 

ଯୋଉଠି ଯୋଉଠି ବେଶି ମାତ୍ରାରେ ବନାଗ୍ନି ଦୁଇ କଡ଼ର ଗଛ, ଲତାସବୁ ଗ୍ରାସ କରୁଥିଲା ସେସବୁ ସ୍ଥାନକୁ ଅତିକ୍ରମ କରି ଗଲାବେଳେ ନିଆଁ ଡରରେ ମୁହଁ, ଦିହ ତାତି ଯାଉଥିଲା । ସେଦିନ ଆମର ଭାଗ୍ୟ ଦେବତା ନିଶ୍ଚୟ ସଦୟ ଥିଲେ । ତା’ ନ ହେଲେ ସେଭଳି ନିଘଞ୍ଚ ବଣଟା ଭିତରେ ବାଘମାମୁଁଙ୍କ ଦର୍ଶନ ମିଳିବା କିଛି କଷ୍ଟ ନ ଥିଲା ।

 

ସମ୍ବଲପୁରରେ ପହଞ୍ଚିଲାବେଳକୁ ରାତି କେତେଟା ବାଜିଥିଲା କେଜାଣି ? ଗାଡ଼ି ରହିଲା ଶ୍ରୀଯୁକ୍ତ ମିଶ୍ରଙ୍କ ନିଜ ଗ୍ୟାରେଜରେ । ବଲାଙ୍ଗୀର ମହାରାଜାଙ୍କର ଦୁଇଖଣ୍ଡି ବସ୍‌ ସେତେବେଳକୁ ମିଶ୍ର ମୋଟର ଟ୍ରାନ୍ସପୋର୍ଟ ଗ୍ୟାରେଜ୍‌ରେ ପହଞ୍ଚିସାରିଥିଲା । ଡ୍ରାଇଭର, କ୍ଲିନର ଏବଂ ରାଜାଙ୍କ ଲୋକ ଆମକୁ ଅପେକ୍ଷା କରି ଶୋଇପଡ଼ିଥିଲେ ।

 

ଆମ ଲୋକସବୁ ସାଙ୍ଗେ ସାଙ୍ଗେ ବିଳମ୍ବ ନ କରି ଜିନିଷପତ୍ର ଏ ଗାଡ଼ିରୁ ସେ ଗାଡ଼ିକୁ ପାଲଟେଇ ଦେଇ କାମ ବଢ଼େଇଦେଲେ । କେବଳ ରହିଲା, ଶ୍ରୀ ପଟ୍ଟନାୟକ ଯେମିତି କହିବେ ସେମିତି ବାହାରିବାର କଥା ।

 

ଯଦିବା ଆମ ରାସଦଳର ମାଲିକ (ପ୍ରୋପ୍ରାଇଟର) ଅନ୍ୟ ଲୋକଥିଲେ, କିନ୍ତୁ ଶ୍ରୀଯୁକ୍ତ ପଟ୍ଟନାୟକ ହିଁ ସମସ୍ତଙ୍କର ହାନି–ଲାଭ ଭଲ–ମନ୍ଦ ସବୁକଥା ପ୍ରାୟ ବୁଝୁଥିଲେ । ଦଳର ସବୁରକମର ଦାୟିତ୍ଵ ସେ ନିଜ ଉପରକୁ ନେଇଯାଇଥିଲେ । ଅବଶ୍ୟ, ଦଳର ସେସବୁ ଦାୟିତ୍ଵ କାଳୀବାବୁ ତାଙ୍କର ସ୍ଵ–ଇଚ୍ଛାରେ ଗ୍ରହଣ କରିଥିଲେ ନା ମାଲିକମାନେ ତାଙ୍କୁ ଜାଣିଶୁଣି ଦେଇଥିଲେ–ଏକଥା ମୁଁ କହିପାରିବି ନାହିଁ । ତେବେ ହଁ, ଦଳର ପଇସା କଉଡ଼ିର ହିସାବ ରଖିବା ଅର୍ଥାତ୍‌ କୋଉଠୁ କେତେ ଅର୍ଥ ଆସିଲା, କୋଉ ଦିଗରେ କେତେ ଖର୍ଚ୍ଚ ହେଲା ଏସବୁର ଟିକିନିଖି ହିସାବ ରଖିବାପାଇଁ ଜଣେ ଲୋକ ରହିଥିଲେ–ତାଙ୍କ ନାମ ଥିଲା ଶ୍ରୀ ବଳଭଦ୍ର ମିଶ୍ର । ଯୋଉଠି ଆମର ଟିକଟ ବିକ୍ରି ହେଇ ଅଭିନୟ କରାଯାଉଥିଲା, ସେଠାରେ ବଳଭଦ୍ରବାବୁ ଟିକଟ ବିକ୍ରିର ସମସ୍ତ ଅର୍ଥ ନିଜେ ରଖୁଥିଲେ । ଏ କ୍ଷମତା ଯେ ମାଲିକମାନେ ତାଙ୍କୁ ସମସ୍ତଙ୍କ ଜାଣିବାରେ ଦେଇଥିଲେ ସେ ବିଷୟ ଅନୁଷ୍ଠାନର ପିଲା ବଡ଼ ସମସ୍ତେ ଜାଣନ୍ତି ।

 

ଯାହାହେଉ, ଅନୁଷ୍ଠାନର ପରିଚାଳନା ଭାର ଜଣଙ୍କ ଉପରେ ରହିଲେ, ଅନ୍ୟ ଜଣଙ୍କ ଉପରେ ରହୁଥିଲା ଟଙ୍କା ପଇସାର ଭାର । ଏଇ ଉଭୟଙ୍କ ଭିତରେ ଟିକିଏ କେମିତି ତିକ୍ତଭାବ ରହୁଥିଲା ବୋଲି ଅନୁଷ୍ଠାନର ପ୍ରତ୍ୟେକ ଲୋକ ବେଳେବେଳେ ସନ୍ଦେହ କରୁଥିଲେ ।

 

କଥା ସ୍ଥିର ହେଲା ଅନେକଗୁଡ଼ାଏ ବାଟ ଗାଡ଼ିରେ ଆସିଥିବା ହେତୁ କିଛି ସମୟ ବିଶ୍ରାମ କରି, ଖିଆପିଆ ସାରିଦେଇ, ଖରା ମଉଳିଗଲେ ସମ୍ବଲପୁର ଛାଡ଼ିବା । କାରଣ ବଲାଙ୍ଗୀରରେ ଅଭିନୟ ପାଇଁ ରାଜାସାହେବ ଯୋଉ ଦିନ ଧାର୍ଯ୍ୟ କରିଛନ୍ତି, ସେଥିପାଇଁ ସମୟ ଆମ ହାତରେ ଯଥେଷ୍ଟ ରହିଛି ।

 

ସେଇୟା ହେଲା, ତା’ପରଦିନ ଉପରବେଳା ଆମେମାନେ ବାହାରିଲୁ ବଲାଙ୍ଗିର । ସେମିତି ଘନ ଜଙ୍ଗଲ ମଝିରେ ପାହାଡ଼ିଆ ନାଲି ସଡ଼କ । ସେମିତି ବଣପୋଡ଼ି ସାଙ୍ଗକୁ ନାନା ବଣ୍ୟ ପଶୁପକ୍ଷୀଙ୍କ ବିକଳ ଚିତ୍କାର ।

 

ବଲାଙ୍ଗୀରରେ ଆମମାନଙ୍କର ରହିବାପାଇଁ, ଗଡ଼ର ଧର୍ମଶାଳାରେ ବ୍ୟବସ୍ଥା ହେଇଥିଲା, ଖପ୍‌ରୁଲି ଛପର ଘର ଚାରିକଡ଼ରେ ଖୋଲା ଜାଗା ଏବଂ ଉଠିଥିଲେ ଅସଂଖ୍ୟ ପଳାଶ ଓ ଶାଳ, ପିଆଶାଳର ଛୋଟ ଛୋଟ ଗଜାଗଛ । ଘର ଭିତରେ ଗରମ ଲାଗିବ ବୋଲି ବାହାରେ ଶୋଇବା ଲାଗି ଯୋଗେଇ ଦିଆଯାଇଥିଲା ଅନେକଗୁଡ଼ିଏ ଦଉଡ଼ିଆ ଖଟିଆ ।

 

ପହଞ୍ଚିବା ସଙ୍ଗେ ସଙ୍ଗେ ଆମ ପିଲାଙ୍କ ଭିତରେ ଗୋଟାଏ ଉତ୍ସାହ ଖେଳିଗଲା । ସମସ୍ତେ ଲାଗିପଡ଼ିଲେ ଭଲ ଖଟିଆ ବାଛିବାକୁ । ଖଟିଆ ବଛାବଛି ପରେ ନିଜ ବିଛଣା ଖଣ୍ଡିମାନ ତା’ଉପରେ ପକେଇଦେଇ ତା’ପରେ ଚାଲିଲା ଖାଦ୍ୟପେୟର ଚିରନ୍ତନ ପର୍ବ । ରଜାଘର ତରଫରୁ ପୂଜାରୀ, ବେଠିଆର ବନ୍ଦୋବସ୍ତ କରାଯାଇ ସେଇମାନଙ୍କ ଜରିଆରେ ଚାଲିଥାଏ ରନ୍ଧାବଢ଼ା କାମ I

 

ଖଲିପତ୍ର ସାଙ୍ଗକୁ ଦୁଇ ଦୁଇଟା ପତ୍ରଠୋଲା । ସରୁ ଚାଉଳ ଭାତ, ଡାଲି, ତରକାରି, ଭଜା, ଖଟା ସବୁ ସୁଆଦ ରାନ୍ଧୁଣିଆମାନଙ୍କର ବାହାଦୁରି ଥିଲା । ପେଟେ ପେଟେ ଖାଇଦେଇ ଗଡ଼ିପଡ଼ିଲୁ ନିଜ ନିଜର ଖଟିଆମାନଙ୍କରେ ।

 

ଆମ ସାଙ୍ଗରେ ଯାଇଥିବା ରଜାଙ୍କ ଲୋକଟି ସାଙ୍ଗରେ ଶ୍ରୀଯୁକ୍ତ ପଟ୍ଟନାୟକ ସିଧାସଳଖ ଗାଡ଼ିରୁ ଓହ୍ଲେଇପଡ଼ି ମହାରାଜାଙ୍କ ସାକ୍ଷାତ ଲାଗି ଚାଲିଯାଇଥିଲେ । ବାକି ଯୋଉମାନେ ବଡ଼ ବଡ଼ ଥିଲେ ସେମାନେ ମଧ୍ୟ ଦଳ ଦଳ ହେଇ ଖାଇସାରି ଚାଲିଲେ ଗଡ଼ ବୁଲିବାକୁ । ଖୁବ୍‌ ଗରମ ଓ ଗୁଳୁଗୁଳି ହଉଥାଏ । ତେବେ ଗଡ଼ର ଅଳ୍ପ ଦୂରରେ ଖୋଲା ସ୍ଥାନରେ ଧର୍ମଶାଳାଟି ଥ‌ିବାରୁ ବେଶ୍‌ ଜୋରରେ ଗରମ ମିଶା ପବନ ପିଟୁଥାଏ ।

 

ରାତି କେତେ ହେଇଥିଲା, ସେମାନେ ଧର୍ମଶାଳାକୁ ଫେରିଲାବେଳକୁ, ଆମେ ପିଲାସବୁ ଜାଣି ନ ଥିଲୁ, ଯେହେତୁ ଆମେ ନିଦରେ ଶୋଇପଡ଼ିଥିଲୁ । ଖରାଦିନିଆ ସକାଳ ପବନରେ ଆଖି ମେଲିଲି । ଖୁବ୍‌ ଆରାମ ଲାଗୁଥାଏ । ଇଚ୍ଛା ହଉଥାଏ ଆଉ ଟିକିଏ ଘୁମେଇ ପଡ଼ିବାକୁ । କିନ୍ତୁ ଜଗୁ ମାଷ୍ଟ୍ରେ କେତେବେଳୁ ଗାଧୋଇ ପଡ଼ି ପାଟି କରିଦେଲେ ଯେ ଚଞ୍ଚଳ ଉଠି କାମ ସାର । ରିହର୍‌ସାଲ ହବ ।

 

କାଳେ ବିଳମ୍ବ ହେଲେ ଉତ୍ତମ ମଧ୍ୟମ ବାଜିବ, ସେହି ଭୟରେ ଧଡ଼ପଡ଼ ହେଇ ଉଠି ବସିଲି । ପ୍ରତ୍ୟେକ ନିଜ ନିଜର ନିତ୍ୟକର୍ମ ଶେଷ କରି ଗୋଟିଏ ଘରେ ସତରଞ୍ଜି ବିଛେଇ ବସିଲୁ । ସାମ୍ନାରେ ଖୋଳ, ଡୁବି ତବଲା ଓ ହାର୍‌ମୋନିୟମ୍‌ ବାଦ୍ୟ । ଜଗୁ ମାଷ୍ଟ୍ରଙ୍କ ଡାହାଣ ହାତ ପାଖରେ ଗୌରାଙ୍ଗ (ବେତ), ଯୋଉ ପିଲାଙ୍କର ଗୀତ, ନାଚରେ ଟିକିଏ ଖଇଚା ରହିଯାଉଥିଲା–ବିଶେଷକରି ସେଇସବୁ ପିଲାଙ୍କର ତଣ୍ଟିରୁ ଛେପ ଶୁଖି ଆସୁଥିଲା । ହେଲେ ଉପାୟ ଆଉ କିଛି ନ ଥିଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ ଆଖି ବୁଲଉଥିଲେ–ଥରେ ଜଗୁ ମାଷ୍ଟ୍ରଙ୍କ ମୁହଁକୁ, ଥରେ ବେତ ଉପରକୁ ।

 

ପୂଜାରୀ ମହାଶୟ ଗୋଟାଏ ଗୋଟାଏ ପତ୍ରଠୁଙ୍ଗା ପୂର୍ଣ୍ଣ କରି ଦେଇଗଲେ ପୁରୀ, ବୁନ୍ଦିଆ, ସୁଜି ହାଲୁଆ । କାଳକ୍ଷେପ ନ କରି ପାଦୁକ ପାଇଲାଭଳି ସେତକ ଗର୍ଭକୁ ଖେପି ଦେଇ ଅନେଇ ବସିଲୁ–କୋଉଠୁ ରିହରସାଲ୍‌ ଆରମ୍ଭ ହବ ।

 

ସୁବଳ ଭୂମିକା ନେଇଥିଲେ–ବାଞ୍ଛାନିଧି ସାହୁ; ତାଙ୍କରି ଗୀତଟି ସବୁବେଳେ ଭୁଲ କରୁଥିଲେ ସେ । ପୁରୀ ନିକଟରେ ଦଶବାଟୀ ଗାଁ’ରେ ତାଙ୍କ ଘର । ଗୋରା ଚେହେରା, ଖୁବ୍‌ ସରଳ ପ୍ରକୃତିର । ଗୀତଟି–

 

‘‘ବିନା ବାରି ବରଷେ

ଫୁଟେ କି ଶିଶିରେ ଫୁଲ ?’’

 

ୟାଙ୍କ ପରେ ପାଳି ପଡ଼ିଲା ଯମୁନା ଦାଶଙ୍କର । ଲଳିତା ଭୂମିକାରେ ଖୁବ୍‌ ସୁନ୍ଦର ଅଭିନୟ କରୁଥିଲେ ସେ । କୋକିଳ କଣ୍ଠ ତାଙ୍କର ଯେମିତି ସେମିତି ସୁମଧୁର ସୁଶ୍ରାବ୍ୟ । ପୁରୀ ସହର ପଟିଆ ରାଣୀମନ୍ଦିର ଗଳିରେ ଘର । ପ୍ରତ୍ୟେକ ଗୀତ ଓ ସଂଳାପର ଅସଲ ଅର୍ଥ ବୁଝି ଅଭିନୟରେ ଭାବ ପ୍ରକାଶ କରିବାରେ ତାଙ୍କର ଥିଲା ଖୁବ୍‌ ବାହାଦୁରି । ଚମ୍ପାଫୁଲିଆ ରଙ୍ଗ ଦେହ, ପାଦ ତଳିପା ଓ ହାତ ପାପୁଲିରୁ ବସିଲେ ଉଠିଲେ ଝାଳ ବୁହେ । ଗୀତଟି–

 

‘‘ମନା ମୁଁ କରୁଥିଲି ଏହାକୁ ଗୋ

ଅନାନା ବୋଲି ବନ ରାହାକୁ ଗୋ ।’’

 

ତାପରେ ନାଥ ପ୍ରଧାନଙ୍କ ଉପରେ ଆଖି ପଡ଼ିଲା । ଚନ୍ଦ୍ରାବଳୀଙ୍କ ସହଚରୀ ପଦ୍ମା ଭୂମିକାରେ ଅଭିନୟ କରନ୍ତି ସେ । ଏ ମଧ୍ୟ ପୁରୀ ଜିଲ୍ଲାର । ଟିକିଏ ମୋଟାସୋଟା । ତାଙ୍କ ଗୀତଟି ଯୋଉଠୁ ଆରମ୍ଭ କରିବା କଥା ଠିକ୍‌ ସେଇଠୁ ତାଳରେ ଆରମ୍ଭ କରିପାରନ୍ତି ନାହିଁ । ଏଥ‌ିପାଇଁ ଜଗୁମାଷ୍ଟ୍ରଙ୍କ ବେତମାଡ଼ ଖୁବ୍‌ ତୀବ୍ର ହେଇଛି । କୌତୁକ ଚିନ୍ତାମଣିର ସେଇ ଗୀତଟି–

 

‘‘ଅସମ ମୋହ ବିଷମ ଛଳ ଏ କେ କାହ୍ନୁ ଶିଖାଇଲା ?

ଯାଚୁଥିଲି କିପାଁ ପୀରତି ରତନ

ମନେ ଯଦି ଏତେ କପଟ ଥିଲା ?’’

 

ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ଗ୍ରାମର ହରିହର ପଣ୍ଡା ଆମମାନଙ୍କଠାରୁ ଥିଲେ ବୟସରେ ବଡ଼ । ଅଳ୍ପ ବ୍ୟବଧାନ । ବୟସ ଦୃଷ୍ଟିରୁ ସବୁକଥାକୁ ଚଞ୍ଚଳ ବୁଝୁଥିଲେ । ଦେଖିବାକୁ ଡେଙ୍ଗା, ଦେହର ରଙ୍ଗ ଶ୍ୟାମଳ । ଆମ ରାସ ଉତ୍ସବରେ ହରି ଭାଇନାଙ୍କର ବୃନ୍ଦାବତୀ ଅଭିନୟ ଥିଲା ଅଦ୍ୱିତୀୟ । ଥରେ ବତେଇଦେଲେ ଆଗକୁ ମାଡ଼ିଯାଉଥିଲେ । ତଥାପି ପ୍ରତିଦିନ ରିହାରସାଲବେଳେ ଥରେ ଅନ୍ତତଃ ତାଙ୍କ ଗୀତ ସେ ନ ଗାଇଲେ ମନ ଦୁଃଖ କରନ୍ତି । ଓଡ଼ିଶୀ ଗାଇବାପାଇଁ ତାଙ୍କ ଗଳାଟି ବେଶ୍‌ ମଧୁର । ନିଛଳିଆ ଲୋକ ।

 

Unknown

‘‘ଶ୍ୟାମ ବଂଶୀ ବାଜେ ଯେବେ ଗୋ ମରମେ

ନୟନ କଜ୍ଜ୍ୱଳ ଘେନା

ଅଧା ରୁହେ ଦିନେ ଦିନେ ।’’

 

ଏ ଉତ୍ତାରୁ ଦେଖାଗଲା ଶ୍ରୀରାଧା ଭୂମିକାର ଭୁଲତ୍ରୁଟି ବିଷୟରେ । ଦୁଲ୍ଲଭ ଚନ୍ଦ୍ର ସିଂ ଶ୍ରୀରାଧା ରୂପରେ ରଙ୍ଗମଞ୍ଚରେ ଅବତୀର୍ଣ୍ଣ ହେଉଥିଲେ । ଏ ଥିଲେ କଟକ ଜିଲ୍ଲା ଭୋଦ୍ର ଗ୍ରାମର ନିବାସୀ । ଏକ ବଙ୍ଗୀୟ ଦରିଦ୍ର ପରିବାରରେ ଜନ୍ମ ୟାଙ୍କର । ଅନୁଷ୍ଠାନକୁ ପ୍ରଥମେ ଆସିଲାବେଳେ ବେଶ୍‌ ଟିକିଏ ଚିକ୍କଣ–ଚାକ୍କଣ ଥିଲେ । ସୌଖୀନ କଳାକାର ହିସାବରେ ଆଗରୁ କୋଉଠି ଗୋଟିଏ, ଦୋ’ଟି ସ୍ଥାନରେ ଅଭିନୟ ମଧ୍ୟ କରିଥିଲେ । ଏଣୁ କଳାରସର ଆସ୍ଵାଦନ ଲାଗି ମନରେ ଥିଲା ତାଙ୍କର ଅନନ୍ତ ପିପାସା । ବୁଦ୍ଧି ପ୍ରଖର । ଅଭିନୟରେ ହଠାତ୍‌ କୋଉଠି ନିଜ ତରଫରୁ ଭୁଲ ହେଇଯାଉଥିଲେ, ବୁଦ୍ଧି ଖଟେଇ ଚଳେଇ ନଉଥିଲେ । ତାଙ୍କ ମୁହଁରେ ସେଇ ଗୀତଟି–

 

‘‘କି ବୋଲି, କୁହୁକୁ ବୋଲି,–

କହ କୋଇଲି ଗାଇଲୁ କୁଞ୍ଜେ ?’’

 

ଶ୍ରୀରାଧାଙ୍କ ପଛେ ପଛେ ଆସିଲେ କର୍ତ୍ତା ନିଜେ । ଆମ ସକଳ ଗ୍ରହ, ଉପଗ୍ରହର କେନ୍ଦ୍ରବିନ୍ଦୁ, ରବିନାରାୟଣ ଅର୍ଥାତ୍‌ ରାସଦଳର ନାୟକ ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣ ଭୂମିକା ବାଛିଲାବେଳେ ଆଖିରେ ପଡ଼ିଥିଲେ ନିଜେ ଗୋବିନ୍ଦ । ଗୋବିନ୍ଦ ଚନ୍ଦ୍ର ପଣ୍ଡା । ଜଗନ୍ନାଥ ସଡ଼କର ପାଖାପାଖି ପୁରୀ ନିକଟ ଚନ୍ଦନପୁର ଗାଁରେ ତାଙ୍କର ଜନ୍ମ, ଏକ ବ୍ରାହ୍ମଣ ପରିବାରରେ । ରାସଦଳର ମୁଖ୍ୟ ପରିହାସରେ ତାଙ୍କୁ ଡାକୁଥିଲେ ‘‘ଭଜ ରାଧେ ଗୋବିନ୍ଦ’’ । ଏଭଳି ନାମକରଣର ଯେ ତାତ୍ପର୍ଯ୍ୟ ନ ଥିଲା ତା’ ନୁହେଁ । ତାତ୍ପର୍ଯ୍ୟଟି ହେଲା ଯେ ପିତାଙ୍କ ନାମ ଭଜନୀ ପଣ୍ଡା, ମାତାଙ୍କ ନାମ ରାଧାମଣି ଏବଂ ପୁତ୍ରଙ୍କ ନାମ ଥିଲା ଗୋବିନ୍ଦଚନ୍ଦ୍ର । ତେଣୁ ସେଇସବୁ ନାମଗୁଡ଼ିକ ଏକାଠି ମିଶେଇ ଦେଇ ଶ୍ରୀଯୁକ୍ତ ପଟ୍ଟନାୟକ ନାମଟିକୁ ଅଳ୍ପ ଲମ୍ବେଇ ଦେଇ ଡାକୁଥିଲେ । କିନ୍ତୁ ଆମମାନଙ୍କ ନିକଟରେ ସେ ଥିଲେ ଗୋବିନ୍ଦ ଭାଇନା । ବଡ଼ ହସକୁରା ସେ । ତାଙ୍କ ଗୀତଟି ଦେଖାଗଲା–

 

‘‘କୁନ୍ଦ ମନ୍ଦ ହାସିନୀ ନବ ଛଇଳୀ କି

କେଉଁ ଗୁଣେ ସରି ମୁଁ–ସୁର ସୁନ୍ଦରୀ କି’’

 

ଆଉ ତ ଅନେକ ପିଲା ଥିଲେ, ହଠାତ୍‌ କିନ୍ତୁ ଶ୍ରୀଯୁକ୍ତ ପଟ୍ଟନାୟକ ସେ ଘରକୁ ପଶି ଆସି ଅଭିଯୋଗ ବାଢ଼ିଲେ ମୋ ବିରୁଦ୍ଧରେ । ମୁଁ ସେଇ ଗୀତଟି ସବୁବେଳେ ଭୁଲ୍‌ କରୁଛି । କୋଉ ଗୀତ ? ପ୍ରାୟ ପ୍ରତ୍ୟେକ ନାଟକରେ ତ ଏକା ମଧୁମଙ୍ଗଳର ଗୀତ ହେଉଛି ଅଧେ, ଯେଉଁ ଗୀତ ମୋର ସବୁବେଳେ ଭୁଲ୍‌ ହଉଚି ? ମନେ ମନେ ଭାବୁଛି, ଠିକ୍‌ ଏତିକିବେଳେ ଜଗୁମାଷ୍ଟ୍ରେ ହାର୍‌ମୋନିୟମ୍‌ରେ ସ୍ଵର ଧରିଲେ । ବୁଝିବାକୁ ଆଉ ବାକି ରହିଲା ନାହିଁ ମୋର । ଅତି ପ୍ରିୟ ଗୀତଟିକୁ ଗାଇବାକୁ ଲାଗିଲି–

 

‘‘ଦୂରୁ ଜୁହାର, କେତକୀ ଗୋରୀ–

ଚାହିଁଲେ ବରଷି ଯାଏ ସଖୀ କି ।

ଖଣ୍ଡ ଶାକର ।

କେତକୀ ଗୋରୀ ସଖୀକି ଦୂରୁ ଜୁହାର.... ।’’

 

ସେତେବେଳକୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଯାଇଥିଲେ । ଜଗୁ ମାଷ୍ଟ୍ରେ ହାର୍‌ମୋନିୟମ୍‌କୁ ବାକ୍ସରେ ବନ୍ଦ କରିବାକୁ କହିଦେଇ ଓଦା ଗାମୁଛା ଖଣ୍ଡିକରେ ଝାଳ ପୋଛି ଉଠି ଠିଆ ହେଲେ । ବାବୁ (କାଳୀବାବୁ) ଶୁଣେଇଦେଇ ନିଜ କୋଠରୀକୁ ଚାଲିଗଲେ–

 

‘‘ଆଜି ରାତିରେ ଅଭିନୟ, କାମସାରି ବିଶ୍ରାମ କର ।’’

 

ଏବେ ବଲାଙ୍ଗୀର ଗଡ଼ ବିଷୟରେ ଟିକିଏ କୁହେ । ସେ ସମୟରେ ବଲାଙ୍ଗୀର ଗଡ଼ରେ ଯୋଉସବୁ ଜନହିତକର କାମ ଆଖିରେ ପଡ଼ିଥିଲା ସେସବୁ ଭିତରେ ସମଗ୍ର ଗଡ଼ରେ ବିଦ୍ୟୁତ୍‌କରଣ ବ୍ୟବସ୍ଥା ଥିଲା ଅତି ଉନ୍ନତ ଧରଣର । ଏତେବଡ଼ ପାୱାର ହାଉସ (ବୈଦ୍ୟୁତିକ ଯନ୍ତ୍ରପାତିଗୃହ) । ସମ୍ଭବତଃ ଅନ୍ୟ କୌଣସି ଗଡ଼ଜାତରେ ଥିଲା କି ନାହିଁ ସେକଥା ମୁଁ ଜାଣି ନ ଥିଲି-। ଧର୍ମଶାଳା ବ୍ୟବସ୍ଥା ମଧ୍ୟ ଆଉ ଏକ କୀର୍ତ୍ତି । ୟା’ଛଡ଼ା ପାଠାଗାର, ଅନେକଗୁଡ଼ିଏ ବିଦ୍ୟାଳୟ ମଧ୍ୟ ଗଢ଼ି ଉଠିଥିଲା ।

 

ଗଡ଼ର ଜନସାଧାରଣ ଯେ ମହାରାଜାଙ୍କ ରାଜ୍ୟ ଶାସନରେ ସନ୍ତୁଷ୍ଟ ଥିଲେ, ଏହା ବେଶ୍‌ ବୁଝା ପଡ଼ୁଥିଲା । ବେଠି ଖଟିବାପାଇଁ ଯେଉଁମାନେ ଆମ କ୍ୟାମ୍ପକୁ ଆସିଥିଲେ ସେମାନଙ୍କ ମୁହଁରେ ବି ମହାରାଜାଙ୍କର ଜୟ ଜୟକାର୍‌ ।

 

ଅଳ୍ପ କଥାରେ କହିବାକୁ ଗଲେ–ମହାରାଜା ଥିଲେ ଏକାଧାରରେ ପ୍ରଜାବତ୍ସଳ ଓ କଳା–ସାହିତ୍ୟର ଜଣେ ଆଜୀବନ ପୃଷ୍ଠପୋଷକ ।

 

ଏ ପ୍ରମାଣ ପାଇଲି ସେଇଦିନ ଯୋଉଦିନ କି ମୋର ଅଭିନୟ ଦେଖି ମହାରାଜା ଓ ମହାରାଣୀ ଅତ୍ୟନ୍ତ ପ୍ରୀତହୋଇ ଉପହାର ଦେଲେ ଏକ ମୂଲ୍ୟବାନ ସ୍ଵର୍ଣ୍ଣପଦକ । ପ୍ରାୟ ଭରିକରୁ ବେଶି ଓଜନର ହେବ । ଦେଲାବେଳର ତାଙ୍କର ସେ ଅପୂର୍ବ ଉତ୍ସାହ ଆଜି ବି ମୋର ଆଖି ଆଗରେ ନାଚିଯାଏ । ପଦକଟିକୁ ମୋର ପୋଷାକ ଦିହରେ ଖୋସି ଦେବାକୁ ସେଫ୍ଟିପିନ୍‌ ମିଳିଲା ନାହିଁ ଯେ ଶେଷରେ ରାଣୀ ସାହେବା ତାଙ୍କର ଶାଢ଼ିର ସୁନା ବ୍ରୁଜ୍‌ କଣ୍ଟାଟିକୁ ଦାନ କରିଦେଇଥିଲେ ।

 

ସେ ଦାନ ମୋ ନିକଟରେ ଏକ ଅମୂଲ୍ୟ ସମ୍ପଦ ହେଇଥିଲେ ମଧ୍ୟ ତାକୁ ଧରି ରଖିବାର କ୍ଷମତା ମୋର ନ ଥିଲା । ଅଳ୍ପ ଦିନ ଭିତରେ ସେ ସମ୍ପଦକୁ ମୋ ନିକଟରୁ କୌଶଳକ୍ରମେ ଅପହରଣ କରି ନିଆଯାଇଥିଲା ।

 

କେବଳ ମହାରାଜା ଓ ମହାରାଣୀ ନୁହନ୍ତି, ବଲାଙ୍ଗୀରର ଆବାଳବୃଦ୍ଧବନିତା ଯେ ଆମର ଅଭିନୟ ଦର୍ଶନରେ ଖୁସି ହୋଇଥିଲେ ତାହା ନିଃସନ୍ଦେହରେ କୁହାଯାଇପାରେ ।

 

ଯେତିକି ଦିନ ଗଡ଼ରେ ଅଭିନୟ କରିବାର ମହାରାଜାଙ୍କ ବରାଦ ଥିଲା ଠିକ୍‌ ସେତିକି ଦିନ ଅଭିନୟ ସାରି ଆମେମାନେ ମେଲାଣି ନେଲୁ–ବଲାଙ୍ଗୀରର ମହାରାଜା, ମହାରାଣୀ ତଥା ରାଜ୍ୟର ମାନ୍ୟଗଣ୍ୟ ରାଜ କର୍ମଚାରୀ ଓ ଅସଂଖ୍ୟ କଳାପ୍ରେମୀ ଜନସାଧାରଣଙ୍କଠାରୁ ।

 

ରାଜାଙ୍କ ଷ୍ଟେଟ୍‌ ବସ୍‌ ଆମକୁ ଛାଡ଼ିଦେଲା ସମ୍ବଲପୁର ଟାଉନ୍‌ରେ । ରହଣୀ ସ୍ଥାନ ଥିଲା ସେଇ ପୂର୍ବ ମିଶ୍ର ମୋଟର ଟ୍ରାନ୍ସପୋର୍ଟ ସର୍ଭିସ୍‌ ଗ୍ୟାରେଜ୍‌ । ତା’ର ସାମ୍ନାରେ ଥିଲା ଅନେକଗୁଡ଼ିଏ ବିଶାଳକାୟ ଚାକୁଣ୍ଡା ଗଛ ।

 

ହତା ଭିତରେ ବିରାଟ ବାନ୍ଧି, ଏତେ ଗଭୀର ସେ ପଥର ବାମ୍ପି, ପାଣିକୁ ଚାହିଁଲେ ମୁଣ୍ଡ ବୁଲେଇଦିଏ । ପ୍ରାୟ ଷାଠିଏ କି ସତୁରି ହାତର ଦଉଡ଼ି ଲାଗେ ସେଥ‌ିରେ । ଆମ ଅଞ୍ଚଳର ବୋହୂ, ଝିଅ ହୁଏତ ସେ ଅବସ୍ଥା ଦେଖ‌ିଲେ ସେଠାକାର ସବୁ ମମତାକୁ ତୁଟେଇ ଦେଇ ରୁଷିବସନ୍ତେ । ଅଥଚ ସେ ଅଞ୍ଚଳର ସ୍ଵାସ୍ଥ୍ୟବତୀ ମହିଳା ଜଣେ ନିର୍ବିଘ୍ନରେ ବଡ଼ ବଡ଼ ଗରାରେ ଏକା ନିଃଶ୍ଵାସରେ ପାଣି କାଢ଼ି ମୁଣ୍ଡରେ ଲଦି ଚାଲିଯାଆନ୍ତି ।

 

ବଲାଙ୍ଗୀର କଥା ଥିଲା ଅଲଗା । ବିନା ହାତରେ କାମ ଉଠି ଯାଉଥିଲା । ବେଠିଆମାନେ ନିଜ ସୁଖକୁ ଜଳାଞ୍ଜଳି ଦେଇ ଆମମାନଙ୍କ ଉଠିବା ଆଗରୁ ଆସି ଗାଧୋଇବା ପାଇଁ ପାଣି ବୋହୁଥିଲେ । ମସଲା ବାଟୁଥିଲେ, ପରିବା କାଟୁଥିଲେ । କିନ୍ତୁ ସମ୍ବଲପୁରରେ ସେ ସୁବିଧା ମିଳିବ କୋଉଠୁ ? ଏଠାରେ ଯାହା କରିବେ ସବୁଥିରେ ଦର୍କାର–ଆଲୋ ମଉସା–ଜଡ଼ ପଇସା ।

 

ସେଇ ପଇସା ଆସିବ କେମିତି ? ତା’ର ଉପାୟ କ’ଣ ? ରାଜାଙ୍କ ପଇସା, ଚାଉଳର ଚିନ୍ତା ନ ଥିଲା । ଏବେ ରାତି ପାହିଲେ ଚାଳିଶ ଜଣଙ୍କର ଖାଦ୍ୟ ଲୋଡ଼ା, ତା’ର ଯୋଗାଡ଼ ହବ କୋଉ ବାଟ ଧରିଲେ । ଏବେ ସମ୍ବଲପୁର ଆସୁ ଆସୁ ସମସ୍ତେ ସେଇ ଚିନ୍ତାରେ ଚଞ୍ଚଳ ହୋଇଉଠିଲେ । କିନ୍ତୁ ହତାଶ ହେବାର କାରଣ ନ ଥିଲା । କାହିଁକି ନା ବଲାଙ୍ଗୀର ଗଡ଼ରୁ ଆମେ ଫେରିଲାବେଳେ ସାଙ୍ଗରେ ଆଣିଥିଲୁ ଦୁଇବସ୍ତା ଚାଉଳ । ଏକ ବସ୍ତା ମୁଗଡ଼ାଲି, ଗୋଟିଏ ଟିଣ ସୋରିଷ ତେଲ, ଗୋଟିଏ ଟିଣ ଗୁଆଘିଅ ଓ କେତେ ବସ୍ତା ଆଳୁ, ଦେଶିଆଳୁ, କଖାରୁ, କନ୍ଦମୂଳ–ଆମର ବେଶି ଦିନର ନ ହେଲେ ମଧ୍ୟ, ପନ୍ଦର ଦିନର ଖୋରାକ ଚଳିଯିବ ସେଥିରେ ।

 

ଶ୍ରୀଯୁକ୍ତ ପଟ୍ଟନାୟକ ଛୁଟିଲେ ସମ୍ବଲପୁରର ମାଜିଷ୍ଟ୍ରେଟ୍‌ ହାକିମଙ୍କ ନିକଟକୁ ଅନୁମତି ପତ୍ର ଆଶାରେ । କାରଣ ଯେକୌଣସି ସହରର ସଦର ମହକୁମାରେ ପେଷାଦାର ଅନୁଷ୍ଠାନ କିଛି ଗୋଟାଏ ବ୍ୟବସାୟ (ଶୋ) କରିବାକୁ ଯାଉଥିଲେ ପ୍ରଥମେ ଜିଲ୍ଲା କର୍ତ୍ତୃପକ୍ଷଙ୍କଠାରୁ ଅନୁମତିପତ୍ର ଆଣିବାକୁ ପଡ଼ୁଥିଲା ।

 

ଦଳର ଅନ୍ୟମାନେ, ଯାହାଙ୍କ ଉପରେ କିଛି କିଛି ଅନୁଷ୍ଠାନର ପରିଚାଳନା ଭାର ପଡ଼ିଥିଲା, ସେମାନେ କୋଉଠୁ ବାଉଁଶ ଆସିବ, କେମିତି ପେଣ୍ଡାଲ ବନ୍ଧା ହବ ସେ କାମରେ ସବୁ ବିଭିନ୍ନ ସ୍ଥାନକୁ ଧାଁ ଧପଡ଼ କଲେ ।

 

ଋତୁକାଳୀନ ଫୁଲ ଫୁଟିଲେ ତାହା ଭ୍ରମର ନିକଟରେ ଅଛପା ରୁହେ ନାହିଁ । ସେହିଭଳି ଚାହୁଁ ଚାହୁଁ ସମ୍ବଲପୁରର ବିଶିଷ୍ଟ କଳାପ୍ରେମୀ ଭଦ୍ରବ୍ୟକ୍ତି, ବିଖ୍ୟାତ ପୂଜାରୀ ବଂଶର ବ୍ୟକ୍ତିବିଶେଷ ଓ ପରୋପକାରୀ ଡାକ୍ତର ସନାତନ ବେହେରା, ଘନ ଘନ ଆମ ବସାକୁ ଧାଇଁଲେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ଅଭିନୟ ବିଷୟରେ ବଭିନ୍ନ ପରାମର୍ଶ ଦେବାକୁ ।

 

ଅବଶ୍ୟ ବିଭିନ୍ନ ସ୍ଥାନରେ ଯାତ୍ରା ଆଉ ଥିଏଟର ପାଇଁ ଏମିତି ଅନେକ ଆଶୀର୍ବାଦକ ଗୋଷ୍ଠୀ ଥାଆନ୍ତି, ଯେଉଁମାନଙ୍କ ଜରିଆରେ ଅନୁଷ୍ଠାନର ଅନେକ ବଡ଼ ବଡ଼ କାମ ଉଠାଯାଇଥାଏ । ଏଣୁ ବିଭିନ୍ନ କଳା ଅନୁଷ୍ଠାନ ଲାଗି ଏମାନଙ୍କର ଅବଦାନ ଯେ ବହୁତ ବେଶି ଏହା ନିଃସନ୍ଦେହ । କେବଳ ସେତିକି ନୁହେଁ, ଏମାନେ ଯାତ୍ରା ଓ ଥିଏଟର ଦଳର ଶିଳ୍ପୀମାନଙ୍କୁ ନିଜର ପରିବାର ପରିସରକୁ ନିମନ୍ତ୍ରଣ କରି ମଧ୍ୟ ଅନ୍ନ ଧ୍ଵଂସ କରିବାର ସୁଯୋଗ ଦିଅନ୍ତି ।

 

ପୋଷ୍ଟର ଲେଖା ହେଲା, ଝଟ୍‌କା ଆସିଲା ଓ ସେଥ‌ିରେ ପୋଷ୍ଟର ମରାଯାଇ, ବିଭିନ୍ନ ରଙ୍ଗୀନ କାଗଜରେ ସଜ୍ଜିତ କରାଯାଇ, ବାଦ୍ୟ ଦଳ ସହ ସହର ପରିକ୍ରମା ଲାଗି ପଠାଗଲା । ବର୍ତ୍ତମାନଠାରୁ ଅତୀତରେ ପ୍ରଚାର ଲାଗି ଅନ୍ୟ ମାଧ୍ୟମର ବିଶେଷ କିଛି ସୁବିଧା ନ ଥ‌ିବାରୁ, ବାଦ୍ୟ ବଜେଇ ବିଭିନ୍ନ ଗାଡ଼ି ବାହାରେ ବୁଲେଇବା ଉପରେ ଅଧିକ ଜୋର ଦିଆଯାଉଥିଲା ।

 

ସିନେମା ତ ନ ଥିଲା, କେବଳ କଟକରେ ସେତେବେଳେ ଗୋଟିଏ ଅଧେ ସିନେମା ଗୃହରେ ନିର୍ବାକ ଛବି (ବାଇସ୍‌ସ୍କୋପ) ଦେଖାଯାଉଥିଲା । ଲାଉଡ୍‌ ସ୍ପିକରର ପ୍ରସାର ମୋଟେ ନ ଥିଲା କହିଲେ ଚଳେ । ବାଜା ବଜେଇ, ଶଗଡ଼, ଘୋଡ଼ାଗାଡ଼ି ଯୋଉଠି ଯାହା ମିଳିଲା ତାକୁଇ ନେଇ ପ୍ରଚାର କାମ ଚଳୁଥିଲା । ତେବେ କାନ୍ଥବାଡ଼ରେ ଯୋଉ ବଡ଼ ବଡ଼ ପୋଷ୍ଟର ହାତରେ ଲେଖାଯାଇ ମରାଯାଇଥିଲା ସେସବୁ ଖୁବ୍‌ ଆଖିଦୃଶିଆ ।

 

ଯାହାହେଉ ଦିନ ଦୁଇଟି ଭିତରେ ପ୍ରସ୍ତୁତି ପର୍ବ ଶେଷ ହେଇଗଲା । ଆରମ୍ଭ ହେଲା ନାଟକ । ଆମେମାନେ କେବେହେଲେ ଆଶା କରୁନଥିଲୁ ଯେ ସମ୍ବଲପୁରର ଦର୍ଶକ ବାସ୍ତବରେ ଏତେ ନାଟ୍ୟପ୍ରିୟ ଓ ସୁରସିକ ବୋଲି । ପ୍ରଥମ ରଜନୀରେ ଯୋଉ ବିପୁଳ ସଂଖ୍ୟାରେ ସେମାନେ ଆସି ଦେଖାଦେଲେ ତାହା ଅତି ଉତ୍ସାହଜନକ ।

 

ତା’ପରେ ଦ୍ଵିତୀୟ, ତୃତୀୟ, ଚତୁର୍ଥ ଏହିପରି ଧାରାବାହିକ ଅଭିନୟ ଆଗେଇଚାଲିଲା । ସବୁଦିନ ନୂଆ ନୂଆ ଆଲୋକ–ନୂଆ ଢଙ୍ଗର, ନୂଆ ରଙ୍ଗର । କେବଳ ସମ୍ବଲପୁର ଟାଉନ୍‌ ନୁହେଁ, ବରଗଡ଼, ଅତାବିରା, ରେଢ଼ାଖୋଲ, ଦୂର ପଦ୍ମପୁର ଅଞ୍ଚଳରୁ ମଧ୍ୟ ଲୋକ ଛୁଟିଲେ ନାଟକ ଦେଖିବାକୁ ।

 

ଖୁବ୍‌ ପ୍ରଶଂସା, ଖୁବ୍‌ ଖାତିର୍‌ । ସାଧାରଣ ଝଟ୍‌କା ବାଲାଠୁ ଲଗେଇ ଦୋକାନୀ, ବ୍ୟବସାୟୀ, ସରକାରୀ କର୍ମଚାରୀ, ଓକିଲ ପ୍ରାୟ ସମସ୍ତେ, ସଭିଙ୍କ ମୁହଁରେ ସେଇ ଗୋଟିଏ କଥା–ସୁନ୍ଦର ।

 

ବଡ଼ ବ୍ୟବସାୟୀଙ୍କୁ ଛାଡ଼ିଦେଲେ ବାକି ଅଧିକାଂଶ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କ ଭିତରେ ପୁରୁଷଙ୍କଠାରୁ ମହିଳା ହେବେ ସଂଖ୍ୟାଗରିଷ୍ଠ । ମୁଣ୍ଡରେ ଟଭା ଫୁଲିଆ ଖୋଷା ଖୋସି, ନାକରେ ଦଣ୍ଡି, ହାତରେ ବଡ଼ ବଡ଼ ଓଜନିଆ, ଦାନ୍ତିଆ ରୂପାଖଡ଼ୁ ପିନ୍ଧି ଏମାନେ ବିଭିନ୍ନ ଜିନିଷର ଦୋକାନ କରି ବିକ୍ରିବଟା କରନ୍ତି । ସମସ୍ତଙ୍କ ହାତରେ ପ୍ରଚୁର ଅର୍ଥ ଓ ପାଖରେ କିଛି କିଛି ସୁନା ଥ‌ିବାର ଦେଖାଯାଏ ।

 

ସମ୍ବଲପୁରରେ ଯେକୌଣସି ପର୍ବପର୍ବାଣି, ନାଟ, ତାମ୍‌ସା ହେଲେ ଏଇମାନେ ହିଁ ଅଧିକ ଅର୍ଥ ଚାନ୍ଦା ଦେବାରେ ହୁଅନ୍ତି ଅଗ୍ରଗଣ୍ୟା । ଆମମାନଙ୍କୁ ଅଧିକ ମାତ୍ରାରେ ଟିକଟ କିଣି ଏଇ ମା’ମାନେ ହିଁ ଉତ୍ସାହିତ କରୁଥିଲେ । ପ୍ରକୃତରେ ସତକଥା କହିବାକୁ ଗଲେ ଏମାନେ ଥିଲେ ସ୍ନେହଶୀଳା ଓ ସନ୍ତାନବତ୍ସଳା ।

 

ସମ୍ବଲପୁରରେ ଆମର କେତୋଟି ଦିନ ମାତ୍ର ନାଟକ ପରିବେଷଣ ହଉ ନ ହଉଣୁଁ–ମୁଁ କିନ୍ତୁ ଅଧିକ ଲାଭବାନ୍‌ ହୋଇଥାଏ ସେତେବେଳକୁ । ବଲାଙ୍ଗୀର ମହାରାଜାଙ୍କ ସୁନା ପଦକ ସାଙ୍ଗକୁ ଆଉ କେତେକ ନାଟ୍ୟ ରସିକ ଦାନ କରିଥାନ୍ତି, ଗୋଟି କେତେ ସୁନା ଓ ରୂପାର ପଦକ ।

 

ସେଇସବୁ ଆନନ୍ଦ ଭିତରେ ମୁଁ ଏକ ଦୁର୍ଘଟଣାର ସମ୍ମୁଖୀନ ହେଲି । ସମ୍ବଲପୁର ଜଳବାୟୁ ଯଦିଚ ଖୁବ୍‌ ଆରାମଦାୟକ ଥିଲା କିନ୍ତୁ ସେଠାକାର ଉତ୍କଟ ଗରମ ମୋ ପକ୍ଷରେ ଅତି ଅସହ୍ୟ ହୋଇଉଠିଲା । ଅଳ୍ପ କେଇଟା ଦିନ ଭିତରେ ମୁହଁ ଓ ଦେହସାରା ବଥ ଓ ବ୍ରଣ ବାହାରି ମୋତେ ଅଥୟ କରିଦେଲା ।

 

ଏଭଳି ପରିସ୍ଥିତି ସୃଷ୍ଟି ହେଲା, ଯାହା ଫଳରେ ବସିବା ଉଠିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ପାଟି, ଆଖି, ନାକ, କାନ ସବୁ ହେଲା ଅଚଳ । ଇଚ୍ଛା ହଉଥିଲା–ନା–ନା, ଦର୍କାର ନାହିଁ ମୋର ଅଭିନେତା ଜୀବନ, ଲୋଡ଼ା ନାହିଁ ମୋର ତୁଚ୍ଛା ପ୍ରଶଂସା । କ’ଣ ହବ ମୋର ଏସବୁ ସୁନା ଓ ରୂପାର ପଦକ ? ଆଖି ମେଲେଇବା କଷ୍ଟକର । ପାଟି ଖୋଲିବା ଯନ୍ତ୍ରଣାଦାୟକ । ଗୋଟିଏ ପାଦ ପକେଇ ଅନ୍ୟ ପାଦ ଉଠେଇବାକୁ ସାହାଯ୍ୟ ଦର୍କାର–ସେଥ‌ିରେ ନାଚ ଆସିବ କିପରି ?

 

କହିଛି ତ, ଏସବୁ ସତ୍ତ୍ୱେ ବି ନାଚିବାକୁ ହେବ । ଗାଇବାକୁ ପଡ଼ିବ, ହସରେ ଓଠ ଫାଟୁଥିଲେ ବି ହସିବାକୁ ହବ ଯେହେତୁ ଶ୍ରୀରାଧାରମଣ ଉତ୍ସବର ହାସ୍ୟରସ ଅଭିନେତା ମୁଁ, ନାଟକରେ ପୁଣି ଅଧେଭାଗ ଏକା ମୋର ।

 

ଗାଈକି ମାଇଲେ ମଲି–ଗାଈ ମାଇଲେ ମଲି । କରିବି କ’ଣ ? ଏଣେ ଯେ ଅନୁଷ୍ଠାନର ବଡ଼ଠାରୁ ଛୋଟ ପର୍ଯ୍ୟନ୍ତ ସଭିଙ୍କ ଦୃଷ୍ଟି ଏଇ ହତଭାଗା ଉପରେ । ସେସବୁ ଦୃଷ୍ଟିର ଯେମିତି ଅନେକ ଅର୍ଥ ।

 

କିଏ କହୁଛି–ଆହା ବଡ଼ କଷ୍ଟ, ଅଭିନୟ ବନ୍ଦ କର । ପୁଣି କିଏ କହୁଛି–ଟୋକାଟା ଛଟା କାଢ଼ୁଛି । ଆମ ସମସ୍ତଙ୍କୁ ହଇରାଣ କରିବା ୟାର ମତଲବ୍‌ । ପୁଣି କିଏ ସମବେଦନା ପ୍ରକାଶ କରି କହୁଛି–ନା ନା । ପିଲାଟିକୁ ବିଶ୍ରାମ ଦର୍କାର । ବେଶି ଜୋରରେ ଘା ମାତିଗଲେ ପୂରାପୂରି ନାଟକ ପୋଥିରେ ଡୋର ବନ୍ଧାଯିବ । ଭୋକ ବିକଳରେ ତାଟିଆ କାମୁଡ଼ିବା ସାର ହେବ ।

 

ମଧୁମଙ୍ଗଳ ଭୂମିକାକୁ ବାଦ ଦେଇ ଆମ ରାସ ଅଭିନୟ ହେଇପାରେନା । ଆଗରୁ ଆପଣମାନଙ୍କୁ କହିଛି ଯେ ଯଦିଚ ଆମ ଅନୁଷ୍ଠାନରେ ପ୍ରତ୍ୟେକ ଅଭିନେତାଙ୍କୁ ପ୍ରତ୍ୟେକ ଚରିତ୍ର କରିପାରିବା ଭଳି ତାଲିମ କ୍ଷମତା ଦିଆଯାଇଥିଲା ତଥାପି ମଧୁମଙ୍ଗଳ ଚରିତ୍ରକୁ ସର୍ବାଙ୍ଗସୁନ୍ଦର କରି ଅଭିନୟରେ ଫୁଟେଇବା ଅନ୍ୟ କାହାଦ୍ଵାରା ସମ୍ଭବ ହେଇ ପାରୁ ନଥିଲା । ଏଣୁ ମୁଁ କେମିତି ଶୀଘ୍ର ଶୀଘ୍ର ଆରୋଗ୍ୟ ହେବି, ଚାଲିଲା ଚିକିତ୍ସା ।

 

ଚନ୍ଦନ ବୋଳା, ଶାଳିୟାପତନୀ ତେଲ, କବିରାଜୀ, ଡାକ୍ତରୀ, ହୋମିଓପାଥିକ–ଏକାସାଙ୍ଗରେ ସବୁ ଔଷଧ ପ୍ରୟୋଗ ଚାଲିଲା ।

 

ଆର୍ତ୍ତର ଶୁଶ୍ରୂଷା କରିବାପାଇଁ ଡାକ୍ତର ସନାତନ ବେହେରା ଅତି ଆଗୁଆ । ମୋର ନମସ୍ୟ ସେ । ବେଶି ଭାବରେ ତାଙ୍କର ସାନ୍ତ୍ୱନା ଓ ପ୍ରଯତ୍ନ, ମୋ ନିକଟରେ ଚିରସ୍ମରଣୀୟ ହୋଇ ରହିଥ‌ିବ । ମନ ପରିବର୍ତ୍ତନ ଲାଗି ପ୍ରତିଦିନ ପ୍ରାୟ ନିଜର ମଟର ସାଇକେଲରେ ବସେଇ ନେଇଯାଆନ୍ତି ମୋତେ ତାଙ୍କ ନିଜ ଘରକୁ । ବଡ଼ପୁଅ ଅତୁଲବାବୁ । ସାନପୁଅ ଅକ୍ଷୟକୁ ସାଙ୍ଗରେ ଧରି ମୁଁ ଆଉ ସନାତନବାବୁ ଆରମ୍ଭ କରୁ ଉଦରସେବା । ସେମାନେ ଖ୍ରୀଷ୍ଟଧର୍ମୀ ହେଇଥ‌ିବାରୁ ପରିବାରରେ ବୈଦେଶିକ ଆଦବ୍‌କାଇଦା । ଆୟା ହାତର ରୋଷେଇ । କାଚ ପ୍ଲେଟରେ ସରୁଚାଉଳ ଭାତ, କାଚବାଟିରେ ଡାଲି, କାଚର ଛୋଟ ଗିନାରେ ଗୁଆଘିଅ ଓ ସେଥ‌ିରେ ଚାମୁଚ୍‌ ପଡ଼ିଥାଏ । ଯାହାର ଯେତେ ଦର୍କାର ସେ ତାର ବାଁ ହାତରେ ଘିଅ ନେଇ ଖାଉଥାଏ ଏବଂ ଆଉ ଗୋଟିଏ ଗୋଟିଏ ପ୍ଲେଟ୍‌ରେ ଦିଆ ଯାଇଥାଏ ମାଂସ କଟଲେଟ୍‌ ନଚେତ୍‌ କେବେ କେମିତି ଫାରଲକାରୀ (ମୁରଗିଝୋଳ) । ମୁଁ ସିନା ତୁଳସୀ ମାଳିଆ–ଅଧା ବାବାଜୀ ହେଲେ ଆଖି ଆଗରେ ଥିବା ଲୋଭନୀୟ ଖାଦ୍ୟର ଆକର୍ଷଣକୁ ଏଡ଼େଇ ପାରିବାଭଳି କ୍ଷମତା କାହିଁ ? ଲାଳସା ଯେ ସ୍ଵାଧୀନ ଭାବରେ ତାର ଆସନ ଜମେଇ ବସିଥିଲା ମୋ ଭିତରେ ।

 

କିନ୍ତୁ ଅଭିନୟ ବନ୍ଦ ହୁଏନା । ରାତିକେ ହାତୀଏ ପଇସା, ସେ ଲୋଭ ସମ୍ବରଣ କରିବା ଲୋକ ଆମ ଦଳରେ ପ୍ରାୟ କେହି ନ ଥିଲେ କହିଲେ ଚଳେ ।

 

ସନ୍ଧ୍ୟା ହେଲେ, ଯେମିତି ଛେଳି କି ପାଣି ଅଡ଼ୁଆ ମୋତେ ଠିକ୍‌ ସେମିତି ଅଭିନୟ ଅଡ଼ୁଆ ଲାଗେ । କ’ଣ କରିବି, ଚାକିରି ତ କରିଛି । ମାସକୁ ଦୁଇଟଙ୍କା ଆଠଅଣା ଦରମା । ସେମିତି କଷ୍ଟରେ ବଥପୂର୍ଣ୍ଣ ଦେହ ଓ ବ୍ରଣପୂର୍ଣ୍ଣ ମୁହଁରେ ପାଉଡ଼ର ମାରି ଅଭିନୟ କରେ । ତେବେ ଏତିକି ସୁବିଧା ମିଳୁଥିଲା ଯେ ଯଦି କୋଉଠି କେତେବେଳେ ଭୁଲ୍‌ ହେଇଯାଉଥିଲା ସେସବୁକୁ ଜଗୁ ମାଷ୍ଟ୍ରେ କରୁଣା କରି ମୋ’ଉପରେ ତାଙ୍କର କୋପକଟାକ୍ଷ ପକଉ ନଥିଲେ ।

 

ସଂକ୍ଷେପରେ କୁହାଯାଇପାରେ ଯେ ସେଇ ପ୍ରଥମଥର ପାଇଁ ସମ୍ବଲପୁର କ୍ୟାମ୍ପ୍‌, ଆଗକୁ ଯେଭଳି ଭାବରେ ଆର୍ଥିକ ଦୃଷ୍ଟିକୋଣରୁ ପ୍ରଭାବିତ କଲା, ସେଥିରେ ଭବିଷ୍ୟତ୍‌ ଆଗମନ ଲାଗି ଯେ ସୁଦୃଢ଼ ମୂଳଦୁଆ ପକେଇ ପାରିଥିଲା ସେକଥା କହିବା ବାହୁଲ୍ୟ ମାତ୍ର ।

 

ଏଣେ ତା’ ସାଙ୍ଗେ ସାଙ୍ଗେ ଆହୁରି ଗୋଟିଏ ଅଶୁଭ ସଂକେତର ଆଭାସ ମଧ୍ୟ ଆମେମାନେ ପାଇଥିଲୁ । ଆଗରୁ ତ ଆପଣମାନେ ଜାଣନ୍ତି ଅନୁଷ୍ଠାନର ତହବିଲ୍‌ ଜଣଙ୍କ ହାତରେ ରହିଲେ ଅନ୍ୟ ଜଣଙ୍କ ହାତରେ ରହୁଥିଲା ପରିଚାଳନା ଦାୟିତ୍ଵ ଏବଂ ସେଇ ଦୁଇଜଣଙ୍କ ଭିତରେ ସମ୍ପର୍କ ସେଭଳି ମଧୁର ନ ଥିଲା, ଫଳରେ ଧୀରେ ଧୀରେ ଅନୁଷ୍ଠାନ ଭିତରେ ଗୋପନରେ ଦୁଇଟି ଦଳ ନିଜ ନିଜର କମର କଷିବାରେ ଲାଗିପଡ଼ିଲେ ।

 

ଏ ବିଷୟଟି ପ୍ରକାଶ୍ୟ ଭାବରେ ଯଦିଓ ସମସ୍ତେ ଅନ୍ୟମାନଙ୍କୁ ଜଣେଇବାକୁ ନାରାଜ ତଥାପି ନିଜ ପକ୍ଷରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଭିତରେ ଭିତରେ ଲୋକ ଓ ଲୋକମତ ସଂଗ୍ରହ ଚାଲିଲା ।

 

ମୋର କାହିଁକି ମନେ ହେଉଥାଏ, ପଟ୍ଟନାୟକ ଦଳ ଅପେକ୍ଷା ମିଶ୍ର ଦଳ ଟିକିଏ ଟାଣୁଆ ଥିଲା ପରି । କଥାରେ କହନ୍ତି ଯେ–ଯାହାର ପଇସା ଅଛି ତା’ର ସବୁକିଛି ଅଛି । ଆବେ ପରଶୁ, ଯା’ବେ ପରଶୁ, ବାବୁ ପରଶୁରାମ୍‌ ପଇସା କ୍ୟା ନକରେ କାମ୍‌ । ମିଶ୍ର ଦଳ ହାତରେ ଯେତେବେଳେ ଅନୁଷ୍ଠାନର ସବୁକିଛି ଟଙ୍କା ପଇସା, ତେଣୁ ପରିଚାଳନା ବିଭାଗକୁ ଅଳ୍ପକେ ନଚେଇବାକୁ ତାଙ୍କୁ ସୁବିଧା ମିଳୁଥିଲା ।

 

ଏଇସବୁ ଛକାପଞ୍ଝା ଭିତରେ ସମ୍ବଲପୁର କ୍ୟାମ୍ପର ପନ୍ଦର, କୋଡ଼ିଏ ଦିନର କାର୍ଯ୍ୟକ୍ରମ ଶେଷହେଇ ଆସୁଥିଲା । ହାତରେ ବାକି ଦୁଇଟି ରଜନୀ । ଏତିକିରେ ଶେଷକରି ଚାଲିଯିବାର କଥା ଅନୁଗୋଳକୁ । କିନ୍ତୁ–ହଠାତ୍‌ ସେଦିନ ରେଢ଼ାଖୋଲ ରାଜାଙ୍କ ଲୋକ ଆସି କାଳୀବାବୁଙ୍କୁ ଖବର ଦେଲେ ଯେ ଅନୁଗୋଳ ଫେରିବା ବାଟରେ ରାଜବାଟୀରେ ଦୁଇଦିନ ନାଟକ କରିବେ ।

 

ରେଢ଼ାଖୋଲ ଏକ ଛୋଟ ଇଷ୍ଟେଟ୍‌ । ରୁଲିଙ୍ଗ୍‌ ଚିଫ୍‌ ନୁହେଁ । ଅନ୍ୟାନ୍ୟ ଜମିଦାରୀ ଇଷ୍ଟେଟ୍‌ ଭିତରେ ଅନ୍ୟତମ । ରେଢ଼ାଖୋଲର ରାଜାସାହେବଙ୍କର ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସାଙ୍ଗେ ଆଗରୁ ବେଶ୍‌ ବନ୍ଧୁତା ଥିଲା । ୟା ଭିତରେ ସମ୍ବଲପୁର ଆସି ଥରେ ଦୁଇଥର ଆମର ଅଭିନୟ ଦେଖି, ନିଜ ଉଆସରେ ଦୁଇଦିନ ଅଭିନୟ ପାଇଁ ଇଚ୍ଛା କରିଛନ୍ତି ।

 

ବ୍ୟବସ୍ଥାଟା ଦଳର ପ୍ରତ୍ୟେକଙ୍କ ମନକୁ ବେଶ୍‌ ପାଇଗଲା ଓ ଏଥ‌ିପାଇଁ ସେଠାକାର ମଞ୍ଚ ପ୍ରସ୍ତୁତ ଲାଗି ଦଳ ଭିତରୁ ଦୁଇଜଣ ଲୋକଙ୍କୁ ରାଜାଙ୍କ ଲୋକ ସହିତ ପଠାଗଲା ମଧ୍ୟ ।

 

ଗତକାଲିଠାରୁ ସମ୍ବଲପୁରର ବିଖ୍ୟାତ ଲୋକପ୍ରିୟ ପର୍ବ ଶୀତଳଷଷ୍ଠୀ ଶେଷ ହେଇଯାଇଥାଏ ଏବଂ ଏଥ‌ିପାଇଁ ସହରରେ ପ୍ରବଳ ଲୋକଭିଡ଼ । ସ୍ଥାନୀୟ ଜନସାଧାରଣଙ୍କ ବ୍ୟତୀତ ପାଖ ମଧ୍ୟପ୍ରଦେଶର ଲୋକ ବେଶି ପରିମାଣରେ ଶୀତଳଷଷ୍ଠୀ ଯାତ୍ରାରେ ଯୋଗଦିଅନ୍ତି । ଏଇ ସୁଯୋଗକୁ ଉଣ୍ଡି ଆମେ ଆମର ଶେଷ କାର୍ଯ୍ୟକ୍ରମ ପଛେଇ ରଖିଥାଉ, ଶେଷ ରଜନୀରେ ଅଧ‌ିକ କିଛି ଟଙ୍କା ପାଇବୁ ବୋଲି ।

 

ସବୁଦିନ ସକାଳୁ ଆମେ ମହାନଦୀକୁ ଗାଧେଇବାକୁ ଯାଉ । ସମ୍ବଲପୁରର ବିଶାଳ ମହାନଦୀର ପଥର ଘାଟ ଉପରେ ବସି ଦୂର ଚକ୍ରବାଳକୁ ଚାହିଁଲେ ଅଯୋଗ୍ୟ ଅରସିକ ହୃଦୟରେ ମଧ୍ୟ ରସ ସୃଷ୍ଟି ହୁଏ । ମୂକ ହୁଏ ମୁଖର ଓ ମୁର୍ଖ ପାଏ କବିତ୍ଵର ସନ୍ଧାନ ।

 

ନଦୀଶଯ୍ୟାରେ ନୀଳଜଳରାଶି କୁଳୁକୁଳୁ ନାଦକରି ଛୋଟବଡ଼ ବିକ୍ଷିପ୍ତ ଶିଳାସମୂହକୁ ଅତିକ୍ରମ କରି ବହିଚାଲିଥାଏ । ନଦୀର ଅପରପଟେ ସୂର୍ଯ୍ୟ କିରଣ ଲାଗି ଗୋଟି କେତେ ଅଭ୍ରପାହାଡ଼ ଅପୂର୍ବ ଶୋଭାଧାରଣ କରି ଦର୍ଶକର ଚିତ୍ତ ବିନୋଦନ କରନ୍ତି ।

 

ଏଇ ଘାଟରେ ବସି ଆପଣ ପାଇପାରିବେ ଜଗତ୍‌ ବିଖ୍ୟାତ୍‌ ରୁଚିପୂର୍ଣ୍ଣ ନାନାବର୍ଣ୍ଣର ସମ୍ବଲପୁରୀ ଶାଢ଼ିର ନମୁନା । ବାନ୍ଧ କାରିଗରର ବିଚିତ୍ର କଳାକୌଶଳର ଏକ ଏକ ଦୃଷ୍ଟାନ୍ତ । ଏବଂ ତା’ସହିତ ଶକ୍ତିମୟୀ ମାତୃଜାତିର ଶକ୍ତିର ପରିଚୟ ।

 

ମଥାରେ ଏକାଧିକ ଜଳପୂର୍ଣ୍ଣପାତ୍ର । ବାମପାଖରେ ଏକାଧିକ ଜଳପାତ୍ର, ଦକ୍ଷିଣ ହସ୍ତରେ ଦୋଳାୟିତ ଜଳପାତ୍ର ଧରି ଯେତେବେଳେ ଜନନୀ ଜଳଘାଟରୁ ଉଠିଆସନ୍ତି, ସେ ଦୃଶ୍ୟ ଦର୍ଶନରେ ନିର୍ବାକ ପୁରୁଷ ନିଶ୍ଚିତଭାବେ ମଥାନତ କରିବ ।

 

ସମ୍ବଲପୁରରୁ ପ୍ରତ୍ୟାବର୍ତ୍ତନର ସମୟ ପାଖେଇ ଆସିବା ସଙ୍ଗେ ସଙ୍ଗେ ସମସ୍ତଙ୍କ ମନରେ ଜାଗିଉଠିଲା ଏକ ପ୍ରବଳ ଆକାଙକ୍ଷା–ମା’ ସମ୍ବଲେଶ୍ୱରୀଙ୍କ ଦର୍ଶନ ଅଭିଳାଷ ।

 

ଆସିବାକୁ ଦିନେ ବାକିଥାଏ । ସମସ୍ତେ ମିଳିମିଶି ଶୁଦ୍ଧପୂତ ଭାବେ ବାହାରିଲୁ ଶ୍ରୀ ସମ୍ବଲେଶ୍ୱରୀଙ୍କ ମନ୍ଦିରକୁ । ଭୋଗକରି, ଦଣ୍ଡବତ ସହ ମା’ଙ୍କୁ ଜଣେଇଲୁ, ତାଙ୍କର ଅପାର କରୁଣା ଯୋଗୁଁ ସମ୍ବଲପୁରରେ ଆମର ନାଟକର ସଫଳତା ସମ୍ଭବ ହେଇଥିବା କଥା ।

 

ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ବେଳେବେଳେ ଆକାଶରେ ଦେଖା ଦଉଥାଏ ଖଣ୍ଡେ ଖଣ୍ଡେ ଭସାମେଘ ଏବଂ ସେଇ ଶୁଭ୍ର ମେଘଖଣ୍ଡମାନ ଯେମିତି ପରସ୍ପର ସହିତ ମିଶିଯିବାକୁ ଖୁବ୍‌ ବ୍ୟଗ୍ର । ଆଖିର ପଲକ ପଡ଼ିବା ଆଗରୁ ମିଶିଯାଆନ୍ତି ମଧ୍ୟ । ଫଳରେ ସୂର୍ଯ୍ୟ ହୁଅନ୍ତି ଅଦୃଶ୍ୟ, ଜନ୍ମନିଏ କ୍ଷଣପ୍ରଭା । ପୃଥ‌ିବୀ ଉପରେ କଳାରଙ୍ଗର ଗୋଟାଏ ଘନ ଆସ୍ତରଣ ଜମିଯିବା ଯୋଗୁଁ ଦିନ ହୋଇ ରୁହେ ନାହିଁ । ରାତ୍ରି ହୁଏ ଆହୁରି ଭୟଙ୍କର, ପଶ୍ଚିମ ଦିଗରୁ ମାଡ଼ିଆସେ ଝଡ଼ମିଶା ଅଦିନ ବର୍ଷା l

 

ଆମେ ଚମକିପଡ଼ୁ । ଯାଯାବର ଜୀବନ ଆମର । ବର୍ଷା, ଝଡ଼ ଆମର ଚିର ଶତ୍ରୁ । ଏଥିଲାଗି ବର୍ଷା ଚାରିମାସକୁ ନାଟ, ଥିଏଟର ଦଳ ତାଙ୍କର ତାଲିମ ସମୟ ବୋଲି ଧରିନେଇଥାନ୍ତି । ତା’ନହେଲେ–ଫିଟାରେ, ଫିଟାରେ, ବାନ୍ଧ, ବାନ୍ଧ ଭାବରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରି କିଏ ମୁଣ୍ଡ ଫଟାଏ, କିଏ ହାତ ଭାଙ୍ଗେ ଇତ୍ୟାଦି ଇତ୍ୟାଦି ।

 

ଏଇ ପରିସ୍ଥିତିରେ ସମ୍ବଲପୁରରୁ ସମ୍ମାନର ସହ ବିଦାୟ ନେଇ ଆରମ୍ଭ କଲୁ ରେଢ଼ାଖୋଲରେ ଅଭିନୟ ପ୍ରଦର୍ଶନ । ରେଢ଼ାଖୋଲରେ ଘଟଣା ବା ଦୁର୍ଘଟଣା ସେମିତି ବିଶେଷ କିଛି ଘଟିନଥିଲେ ମଧ୍ୟ ଦଳ ଭିତରେ ଶୀତଳଯୁଦ୍ଧର ପ୍ରକୋପ ବେଶ୍‌ ବଢ଼ି ଉଠିଥାଏ । ଅସଲ କଥା ହେଲା ଯୋଉଠି ଟଙ୍କା ପଇସାର ଗମନାଗମନ ବେଶିମାତ୍ରାରେ ଥାଏ, ସେସବୁ ସ୍ଥାନରେ ଶୀତଳଯୁଦ୍ଧଟା ଟିକିଏ ପରୋକ୍ଷ ନ ହୋଇ ପ୍ରତ୍ୟକ୍ଷ ହୋଇପଡ଼େ ।

 

ତେବେ ହଁ, ଦୁଇ ବିବଦମାନ ଗୋଷ୍ଠୀ ଭିତରେ ଗୋଟାଏ କିଛି ପ୍ରଳୟଙ୍କରୀ ବିସ୍ଫୋରଣ ଘଟିବାର ସୁଯୋଗ ପ୍ରାୟ ନ ଥିଲା ବୋଲି କହିବାକୁ ହବ । କାହିଁକି ନା–ଦଳର ମାଲିକମାନେ ଆମ ପାଖରେ କେହି ରହୁ ନ ଥିଲେ । ଏଥିଲାଗି ଦୁଇଟି ଗୋଷ୍ଠୀ ଅପେକ୍ଷା କରିଥିଲେ ପ୍ରଧାନ କାର୍ଯ୍ୟାଳୟ ଫେରିଗଲା ପରେ ଯାହାକିଛି ହବାର କଥା ସେଇଠାରେ ହବ ।

 

ଆଉ ଗୋଟିଏ କଥା ମଧ୍ୟ ଆପଣମାନଙ୍କୁ କହିରଖେ । ପରିଚାଳନା ବିଭାଗ ଉପରେ ଅର୍ଥ ବିଭାଗର ଅର୍ଥାତ୍‌, ପଟ୍ଟନାୟକ ଗୋଷ୍ଠୀ ଉପରେ ମିଶ୍ର ଗୋଷ୍ଠୀର ଆକ୍ରୋଶ ବଢ଼ିବାର ଅନ୍ୟାନ୍ୟ କାରଣ ଭିତରେ ବଡ଼ କାରଣ ହେଲା–ଆମର ଅଭିନୟର ମାନ ଉଚ୍ଚକୋଟୀର ଥ‌ିବାରୁ କାଳୀବାବୁଙ୍କ ଲୋକପ୍ରିୟତା ହୁ’ ହୁ’ ହେଇ ବଢ଼ି ଚାଲିଥାଏ; ପୁଣି ଅଭିନେତାମାନେ ଶ୍ରୀ ପଟ୍ଟନାୟକଙ୍କ ଆଡ଼କୁ ସବୁ ସମୟରେ ଢଳୁଥିଲେ, ଏମିତିକି ଅନୁଷ୍ଠାନରେ ବ୍ୟକ୍ତିଗତ କାମ କରିବାକୁ କେହି ଚାକର ରହିନଥିଲେ ମଧ୍ୟ ପିଲାମାନେ ସମସ୍ତେ ଶ୍ରୀ ପଟ୍ଟନାୟକଙ୍କର ପ୍ରତ୍ୟେକ ବ୍ୟକ୍ତିଗତ କାମକୁ ନିଜ ନିଜ ହାତରେ ସମ୍ପାଦନ କରିଦଉଥ‌ିଲେ । ଅବଶ୍ୟ ଗୁରୁ–ଶିଷ୍ୟର ସମ୍ପର୍କ ଯୋଗୁଁ ।

 

ମିଶ୍ର ଗୋଷ୍ଠୀ ଚାହୁଁଥିଲେ ସେମାନଙ୍କ ପ୍ରତିପତ୍ତି ବଢ଼ୁ ଏବଂ ପଟ୍ଟନାୟକଙ୍କ ପରି ସମସ୍ତେ ତାଙ୍କୁ ପୂଜା କରନ୍ତୁ । ତା’ କିନ୍ତୁ ହେଇପାରୁନଥିଲା । ଏଣୁ ପରିଚାଳନା ବିଭାଗରେ କୌଣସି ଗୋଟାଏ ଦର୍କାରବେଳେ ଟଙ୍କା ପଇସା ଲୋଡ଼ା ପଡ଼ିଲେ ଅର୍ଥ ବିଭାଗ ତାକୁ ଟାଳଟୁଳ କରି ବିଭିନ୍ନ ସମାଲୋଚନା କରୁଥିଲେ । ଫଳରେ ବେଳେବେଳେ ଅନୁଷ୍ଠାନର ଅଭିନେତାମାନେ ହଇରାଣ ଭୋଗୁଥିଲେ ।

 

ରେଢ଼ାଖୋଲ ରାଜାଙ୍କ ଅଳ୍ପଦିନିଆ ଆତିଥ୍ୟ ଆମର ଶେଷ ହେଲା ଓ ଚୁକ୍ତି ଅନୁସାରେ ଆମେ ଆମର ପ୍ରାପ୍ୟତକ ସଂଗ୍ରହ କରି ଫେରିଲୁ ଅନୁଗୁଳ ନୂଆ କ୍ୟାମ୍ପକୁ ।

 

ଅନୁଗୁଳ ଥିଲା ସେତେବେଳେ ଏକ ସ୍ଵତନ୍ତ୍ର ଜିଲ୍ଲା । ତାର ସଦର ମହକୁମା ହେଲା ଅନୁଗୁଳ ଟାଉନ୍‌ ଏବଂ ଅନୁଗୁଳ ଏକ ସ୍ଵାସ୍ଥ୍ୟକର ସ୍ଥାନ ହୋଇଥିବାରୁ ବିଲାତ ସରକାରଙ୍କର ବଡ଼ବଡ଼ ଗୋରା କର୍ମଚାରୀ ଏଠାରେ ରହିବାକୁ ବେଶି ପସନ୍ଦ କରୁଥିଲେ ଓ ସେଇ ଉଦ୍ଦେଶ୍ୟରେ ଗୋଟିଏ ଗୋଟିଏ ବିରାଟ ଅଞ୍ଚଳକୁ ନେଇ ଅନେକଗୁଡ଼ିଏ ବଙ୍ଗଳା ସୃଷ୍ଟି କରିଥିଲେ । ଅନୁଗୁଳର ଜେଲ୍‌ (ସଭାଘର, ଟାଉନ୍‌ହଲ), କମଳା ବଗିଚା ବେଶ୍‌ ଦର୍ଶନୀୟ ସ୍ଥାନ ।

 

ଆମମାନଙ୍କର ଡେରା ପଡ଼ିଲା ଅନୁଗୁଳର ସେଇ ପୁରୁଣା ଧର୍ମଶାଳାରେ । ଏକ ମହଲା, ଅନେକଗୁଡ଼ିଏ କୋଠା ଘର । ବେଶ୍‌ ବଡ଼ ହତା । ପ୍ରଧାନ ସଡ଼କକୁ ଲାଗି ଧର୍ମଶାଳାର କାଠ ଫାଟକ ।

 

ଅଭିନୟ ପାଇଁ ରଙ୍ଗମଞ୍ଚ ହେବ ଟାଉନ୍‌ହଲ୍‌ ଭିତରେ । ଲମ୍ବା ଚଉଡ଼ା ମହୁଡ଼ମରା ଚାଳଘର ଟାଉନ୍‌ହଲ୍‌ଟି ପ୍ରେକ୍ଷାଳୟ ପାଇଁ ଖୁବ୍‌ ଉପଯୋଗୀ । ଅନୁଗୁଳ ଟାଉନ୍‌ର କେନ୍ଦ୍ରସ୍ଥଳରେ ଏହା ଥିବାରୁ ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ବଡ଼ ସୁବିଧା ହୁଏ । ଅବଶ୍ୟ ସେଥିଲାଗି ଜିଲ୍ଲା କର୍ମକର୍ତ୍ତାଙ୍କ ଅନୁମତି ଆଣିବାକୁ ପଡ଼େ ।

 

ଧର୍ମଶାଳାଟି ଆମମାନଙ୍କ ପାଇଁ ଖୁବ୍‌ ପ୍ରଶସ୍ତ ଥିଲା । ଗୋଟିଏ କଡ଼କୁ ଧାଡ଼ିମରା ରୋଷଇଘର ଓ ନିକଟରେ ବଡ଼ କୂଅ । ଅନେକଗୁଡ଼ିଏ ଲୋକ ଏକାଠି ଚଳିବାକୁ ଟିକିଏ ହେଲେ ଅସୁବିଧା ନାହିଁ ।

 

ବାସ୍ତବିକ୍‌ ଭାରତୀୟ ବିଭିନ୍ନ ଜାତି ଭିତରେ ମାରୁଆଡ଼ି ଜାତି ଯେ ଦୟାଳୁ ଏବଂ ପରୋପକାରୀ ଏ ବିଷୟରେ ଆମେ ସନ୍ଦେହ କରିବାର ଅବକାଶ ନାହିଁ । ଆପଣ ଦେଖନ୍ତୁ, ଭାରତର ଯେକୌଣସି ସହରକୁ ଆପଣ ଯାଆନ୍ତୁ, ଏମାନଙ୍କର ବଦାନ୍ୟତାର ସ୍ମୃତିସ୍ତମ୍ଭ ନିଶ୍ଚୟ ଦୃଷ୍ଟିରେ ପଡ଼ିବ । ଏମାନେ ଗୋଟିଏ ଲୁଗା ଉପରେ ଯେତିକି ପାହି ନବାର କଥା ସେଥିରୁ ଗୋଟିଏ ପାହି ନଛାଡ଼ନ୍ତି, ମାତ୍ର ଜନସାଧାରଣଙ୍କ ମଙ୍ଗଳପାଇଁ, ସାଧୁସନ୍ଥଙ୍କ ସୁବିଧା ପାଇଁ ସମାଜରେ ଯାହାସବୁ ରଖାଯାଆନ୍ତି ତାହା ମାନବ ଗୋଷ୍ଠୀଲାଗି ହୁଏ ଚିରସ୍ମରଣୀୟ ଓ ଅଭିନନ୍ଦନୀୟ ।

 

ଅନୁଗୁଳରେ ପହଞ୍ଚୁ ପହଞ୍ଚୁ ପ୍ରତ୍ୟେକ ହୋଇଉଠିଲେ କର୍ମତତ୍ପର । ସହରର କାନ୍ଥରେ କାନ୍ଥରେ ଲାଗିଗଲା ନାଲିନେଳି ରଙ୍ଗର ବିଭିନ୍ନ ଆକୃତିର ପୋଷ୍ଟର । ଯୋଉ ଦିଗକୁ ଚାହିଁବେ–

 

ଅଦ୍ୟ ରଜନୀ ଅଦ୍ୟ ରଜନୀ

ଶ୍ରୀରାଧାରମଣ ରାସ ଉତ୍ସବର

ଅବଦାନ

‘‘ବିଦ୍ୟାବଳୀ’’

ଆସନ୍ତୁ–ଦେଖନ୍ତୁ–

ନୟନ ମନ ପବିତ୍ର କରନ୍ତୁ ।

 

ଚାଲିଲା ସାଜସଜ୍ଜା । ହ୍ୟାଣ୍ଡବିଲ୍‌ ଛପାଯାଇ ବଣ୍ଟାଗଲା ଲୋକଙ୍କ ଭିତରେ । ଗାଡ଼ିରେ ବାଦ୍ୟକାର ବସେଇ ପ୍ରତି ଗଳିକନ୍ଦିରେ ଜଣେଇଦିଆଗଲା ରାସଦଳର ଆଗମନ କଥା ।

 

ଛୁଟିଲେ ଲୋକେ । ମହିଳା ଏବଂ ପୁରୁଷ ଉଭୟଙ୍କ ଲାଗି ବସିବାର ଅଲଗା ଅଲଗା ବ୍ୟବସ୍ଥା । ଆଲୁଅର ସୁବିଧା ପାଇଁ କଟକ–ଯାଉଁଳିଆପଟିରୁ ସମିର ମିଆଁ ଆମ ସାଙ୍ଗରେ ଥିଲେ । ସନ୍ଧ୍ୟା ହେଉ ନ ହେଉଣୁଁ ସେ ତାଙ୍କର ଡେ’ଲାଇଟିଗୁଡ଼ିକ ଲଗେଇଦେଇ ଟାଉନ୍‌ହଲ୍‌ର ଆଖପାଖ ଅଞ୍ଚଳକୁ ଉଜ୍ଜ୍ୱଳ କରିଦେଲେ ।

 

କୀର୍ତ୍ତନ କରି ଅନୁଗୁଳ ବଜାର ଦାଣ୍ଡରେ ଲୋକଙ୍କୁ ଚମ୍‌କେଇ ଦେଇ ଧାଇଁଲୁ ରଙ୍ଗମଞ୍ଚକୁ । ମାଳୀ ଦେଇଗଲା ଫୁଲମାଳ । ଛୋଟା ‘ମକୁ’ ବାବୁ ପିଲାଙ୍କୁ ପେଣ୍ଟିଙ୍ଗ ଲଗେଇବାକୁ ଟେବୁଲ୍‌ ପାଖେ ଚଉକି ପକାଇ ବସିପଡ଼ିଲେ । ‘ଦିଗା’ ଭାଇ ଗୋଟାଏ ଟିଣ ମଗ୍‌ରେ ପାଣି ଦେଇଗଲେ ପାଉଡ଼ର ଗୋଳେଇବାକୁ ।

 

ଆମ ରାସଦଳରେ ଅଭିନୟ ପୂର୍ବରୁ ଯୋଉ ନାଟ୍ୟାରମ୍ଭର ତିନିଥର ଶବ୍ଦ ସଂକେତ ଦିଆଯାଏ ତାହା ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ଦଳପରି ଘଣ୍ଟିବଜେଇ ଦିଆ ନ ଯାଇ ଘଣ୍ଟା ବଜେଇ ଦିଆଯାଏ ।

 

ସେଦିନ ପ୍ରଥମ ରଜନୀରେ ବିଦ୍ୟାବଳୀ ନାଟକଟି ଅଭିନୟ କଲୁ । ବେଶ୍‌ ଭଲ ଜମିଯାଇଥିଲା ମୂଳରୁ ଶେଷ ପର୍ଯ୍ୟନ୍ତ । ଉକ୍ତ ନାଟକରେ ସ୍ଥାନ, କାଳକୁ ଚାହିଁ କବି–ସମ୍ରାଟଙ୍କର ସେଇ ଅନବଦ୍ୟ ଅବଦାନ ଗୀତଟି ‘‘ମଲ୍ଲିମାଳ ଶ୍ୟାମକୁ ଦେବି–ମନ ତୋଷିବି’’ ଏଭଳି ଭାବରେ ନାୟିକା ଶ୍ରୀରାଧାଙ୍କ ମୁହଁରେ ଦିଆଯାଇଥିଲା, ତାହା ଶୁଣିଲା ମାତ୍ରେ ଭାବପ୍ରବଣ ଦର୍ଶକ ବିମୁଗ୍ଧ ନ ହୋଇ ରହିପାରିବ ନାହିଁ ।

 

ଶ୍ରୀଯୁକ୍ତ ପଟ୍ଟନାୟକ, ମୋର କ୍ଷୁଦ୍ର ବିଚାରରେ ଜଣେ ଉପଯୁକ୍ତ ମାଳୀ । ସବୁ ମାଳୀ, ମାଳୀ ନୁହନ୍ତି କି ସବୁ ମାଳ, ମାଳ ନୁହେଁ । କୋଉ ରଙ୍ଗର ଫୁଲକୁ କୋଉ ରଙ୍ଗର ଫୁଲ ସାଙ୍ଗରେ ମିଶେଇ ଗୁନ୍ଥିଲେ ମାଳ ହୁଏ ଶୋଭାବନ୍ତ, ପ୍ରାଣବନ୍ତ, ଏକଥା ବିଚାର କରି ଯୋଉ ମାଳୀ ମାଳ ତିଆରି କରେ ସେଇ ହୁଏ ଅସଲ ଚିହ୍ନରା ଓ କଳାକାର ।

 

‘ମଲ୍ଲିମାଳ’ ଗୀତଟି ଗୋଟିଏ ରାତିରେ ଏତେ ଲୋକପ୍ରିୟ ହେଇଥିଲା, ତା’ର ପ୍ରମାଣ ପାଇଥିଲୁ, ତା’ ପରଦିନ ଧର୍ମଶାଳାର ଝାଡ଼ୁଦାର ମୁହଁରେ, ସେଇ ଗୀତଟି ଯେତେବେଳେ ଆବୃତ୍ତି କରିଥିଲେ ସେ ।

 

ଅନୁଗୁଳର ସରକାରୀ କର୍ମଚାରୀ ବା ଅମଲାମାନଙ୍କ ଭିତରୁ ଥିଲେ କାଳୀବାବୁଙ୍କର ବେଶି ଭାଗ ପ୍ରାୟ ଜଣାଶୁଣା । ଆଉ ସେହିମାନଙ୍କ ଜରିଆରେ ବଡ଼ବଡ଼ ଗୋରା ଅଫିସରମାନେ ସମୟେ ସମୟେ ଅଳ୍ପକ୍ଷଣ ଲାଗି ଅଭିନୟ ଦେଖିବାକୁ ଚାଲିଆସୁଥିଲେ ।

 

ଆପଣମାନେ ତ ନିଶ୍ଚୟ ଜାଣିଥ‌ିବେ ଯେ ସେ’ ବେଳରେ ଦେଶର ଅବସ୍ଥା ଖୁବ୍‌ ଖରାପ ଥିଲା । ଦଳେ ଲୋକ ବ୍ରିଟିଶ୍‌ ସରକାରକୁ ମୁଣ୍ଡ ଉପରେ ଟେକି ଧରିଥିଲା ବେଳକୁ ଆଉଦଳେ ସରକାରଙ୍କ ଲୁଚାଛପାରେ ବିଦ୍ରୋହ କରିବାକୁ ପ୍ରସ୍ତୁତ ହଉଥିଲେ । ଏଣୁ ଉପର ମହଲରେ ଥ‌ିବା ସରକାରୀ କଳ ଓ ଗୋରାଲୋକେ ତାର ସୁରାକ୍‌ ପାଇ ବିଦ୍ରୋହୀ ଜନତାକୁ ଭିତରେ ଭିତରେ ଚକ୍ରାନ୍ତ କରି ଦମନ କରିବାର ମସୁଧାରେ ଲାଗିପଡ଼ିଥିଲେ ।

 

ଗୋରା ଲୋକମାନେ ଚତୁରତାରେ କିନ୍ତୁ ପୃଥ‌ିବୀର ସବୁ ଜାତିଙ୍କୁ ଟପି ଯିବେ । ସେମାନଙ୍କର ବେଶି ନଜର ପଡ଼ୁଥିଲା ନାଟ ଥିଏଟର ଉପରେ, କାଁହିକି ନା ସେମାନେ ଭଲଭାବେ ବୁଝିଥିଲେ ଯେ ନାଟକ ଯାତ୍ରା ମାଧ୍ୟମରେ ଭାରତୀୟ ଲେଖକମାନେ ବିପ୍ଲବର ସୂତ୍ରପାତ କରୁଛନ୍ତି । ଏଣୁ ତାଙ୍କ ଶାସିତ ଅଞ୍ଚଳରେ କେହି ଯଦି କୌଣସି ନାଟକ ବହି ନୂଆ କରି ଅଭିନୟ କରିବାକୁ ବସୁଥିଲା ତ ତା’ ପୂର୍ବରୁ ସେଇ ବହିକୁ ସରକାରୀ କର୍ମଚାରୀ ତଥା ପୁଲିସ୍‌ ଅଫିସର ଯାଞ୍ଚ୍‌ କରୁଥିଲେ । ଦେଖୁଥିଲେ ସେ ବହିରେ କିଛି ସରକାରଙ୍କ ବିରୁଦ୍ଧରେ ଲେଖା ଅଛି କି ନାହିଁ ।

 

ଯଦିଚ ଆମ ରାସ ବହିରେ ସେମିତି କିଛି ସରକାର ବିରୁଦ୍ଧରେ ଲେଖା ରହିବାର ସୁଯୋଗ ନ ଥିଲା, କାଳେ ସରକାର ବାହାଦୂର କେତେବେଳେ କେମିତି ହଇରାଣ କରିବେ, ତା’ପୂର୍ବରୁ କାଳୀବାବୁ ସେଇସବୁ ଗୋରା ଓ କଳା କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯତ୍ନ କରୁଥିଲେ ।

 

ଗୋଟିଏ ପରେ ଗୋଟିଏ ନାଟକ ଅଭିନୟ କରି ଅନୁଗୁଳରେ ଭଲ ଅର୍ଥ ଉପାର୍ଜନ କଲୁ ଆମେ । ଜନସାଧାରଣଙ୍କର ସମସ୍ତ ସ୍ନେହ ଓ ଶ୍ରଦ୍ଧାର ପାତ୍ର ହୋଇ ମୋର ମଧୁମଙ୍ଗଳ ଭୂମିକା ସେତେବେଳେ ଅତିମାତ୍ରାରେ ଲୋକପ୍ରିୟତା ଅର୍ଜନ କଲା ।

 

ସମସ୍ତଙ୍କ ମୁହଁରେ ଦୁଇଟା ଅକ୍ଷର ‘ଟିମା’ । ସେଇ ନାଁଟାରେ ମୋତେ ଡାକିଲା ବେଳେ ପ୍ରଥମେ ପ୍ରଥମେ ମୁଁ ବଡ଼ ବିରକ୍ତ ହେଉଥିଲି, ମନେ ମନେ । ସେମିତି ଅସୁନ୍ଦରିଆ ନାଁଟା ଯୋଗୁଁ ବେଳେବେଳେ ଭଗବାନଙ୍କ ପାଖରେ ମଧ୍ୟ ଅଭିଯୋଗ କରିଥିଲି ଅନେକ । ଦୁନିଆରେ ଆଉ କ’ଣ ସୁନ୍ଦର ନାଁ ନ ଥିଲା ମୋ ପାଇଁ ? ତେବେ କାହିଁକି ଏମିତି ଗୋଟାଏ କୁତ୍ସିତ ନାମ ଦିଆଗଲା ମୋତେ ?

 

ଯହୁଁ ଯହୁଁ ଏଇ ନାଁଟା ପ୍ରତି ମୋର ଘୃଣାଭାବ ବଢ଼ୁଥାଏ, ତହୁଁ ତହୁଁ ସେଇ ନାଁଟା ଦାଣ୍ଡରେ, ଘାଟରେ, ବଜାର–ହାଟରେ କାହିଁକି କେଜାଣି ଯେ ପିଲାଠାରୁ ବୁଢ଼ା ମୁହଁରେ, ଝିଅଠାରୁ ମାଆ ମୁହଁରେ ଶୁଣାଯାଉଥାଏ, ସେକଥା ବୁଝିପାରେନା ।

 

ଅନେକ ଆଗରୁ ଆପଣମାନଙ୍କୁ କହିଅଛି ଯେ ମୋର ମନର ବିକାଶ ସହିତ ତାଳ ଦେଇ ମୋର ଶରୀରର ବିକାଶ କେତେବେଳେ ହେଲେ ପାରି ଉଠିନି; କଳା କ୍ଷେତ୍ରରେ ଆଗେଇବା ପଥରେ ମୋର ଶରୀର ହିଁ ସୃଷ୍ଟି କରିଛି ପ୍ରଧାନ ଅନ୍ତରାୟ ।

 

ଏଥ‌ିପାଇଁ ଏକା ଏକା ଗୋପନରେ ଅନେକ ଅନୁତାପ କରିଛି, ଅନେକବାର ଆଖିରୁ ଢାଳିଛି ଲୁହ, କିନ୍ତୁ ହାୟ–ସେସବୁ ଅଭିଯୋଗ, ଅନୁତାପ କେବଳ ସେଇ ଅନୁତାପରେ ହିଁ ରହିଯାଇଛି ।

 

ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ଦଳରେ ଥିଲାବେଳେ ଥରେ ଅଧେ ଗୋସେଇଁ ମୋତେ ‘ଡିମ’–‘ଡିମ’ ବୋଲି ସମ୍ବୋଧନ କରିଥିବାର ଶୁଣିଥିଲି । ମାତ୍ର ଯେତେବେଳେ ଶ୍ରୀରାଧାରମଣ ରାସ ଉତ୍ସବରେ ଯୋଗଦେଲି ସେତେବେଳେ ଅବଶ୍ୟ ସେଇ ନାଁଟା ଆମର ମାଲିକ ଶ୍ରୀଗୋପାଳ ଗୋସେଇଁ ଥରେ ଦୁଇଥର ଉଚ୍ଚାରଣ କରିଥିଲେ । କିନ୍ତୁ ଜଣେ ପରମ ବୈଷ୍ଣବଙ୍କ ମୁହଁରେ ଏକ ଅପଦାର୍ଥକୁ ଦୀର୍ଘଦିନ ଧରି ଧରିବା ସମ୍ଭବ ହେଲାନାହିଁ ।

 

ରଙ୍ଗମଞ୍ଚ ଉପରେ ମୁଁ ମୋର ଅଭିନୟରେ ମସ୍‌ଗୁଲ ଥିଲାବେଳେ ବାହାର ଦୁନିଆ ଅଛି କି ନାହିଁ, କ'ଣ କରୁଛି, କିଏ ମୁଁ–କୌଣସି ବିଷୟକୁ ମନରେ ସ୍ଥାନ ନ ଦେଇ ପୂରାପୂରି ଅଭିନୟ ରାସ ସିନ୍ଧୁରେ ଡୁବିଯାଉଥିଲି ।

 

କ୍ଷୁଦ୍ରକାୟ ଥ‌ିବାରୁ ମୋର ଚାଲି ଏବଂ କଥା କହିବାର ଢଙ୍ଗରେ ଥିଲା ସମ୍ପୂର୍ଣ୍ଣ ଚପଳତା । ସେ ଅବସ୍ଥାରେ ମୋତେ ଦେଖି ଦର୍ଶକ ମହଲରୁ କେହି କେହି କହିପକଉଥିଲେ ‘‘ବେଲ ଗଡ଼ିଯାଉଛି’’ ।

 

ଏଇସବୁ ବିଷୟକୁ ଚିନ୍ତାକରି ଦିନେ ଅଦ୍‌ଦ୍ଭୁତ ଭାବେ ମୋରେ ଏଇ ଅଦ୍‌ଦ୍ଭୁତ ନାମକରଣ କଲେ ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକ । ସେଇ ଟିମା ନାମଟା ଆଜି ପ୍ରତ୍ୟେକଙ୍କ ନିକଟରେ ଯେମିତି ଏକ ସଂକ୍ଷିପ୍ତ ସଂସ୍କରଣ । ଡାକିବାରେ କଷ୍ଟ ନାହିଁ, କହିବାରେ ଦୀର୍ଘ ସମୟ ନାହିଁ । ଗୋଟିଏ ଶବ୍ଦ–ଟିମା, ବାସ୍‌ ।

 

ଅନୁଗୁଳରୁ ମଧ୍ୟ ଅନେକଗୁଡ଼ିଏ ରୂପା ଓ ସୁନାର ପଦକ ମୋତେ ମିଳିଥିଲା । ନିକଟରେ ବାହାରକୁ କୁଆଡ଼େ ବାହାରିଲେ ଆମ ଚାରିପାଖରେ ଜମିଯାଉଥିଲା ଲୋକଙ୍କ ପ୍ରବଳ ଭିଡ଼ । କାହାର ଦାନ୍ତନିକୁଟା, କାହାର ଆଖିମିଟିକା ଦେଖି ମନେ ମନେ ହସ ଲାଗୁଥିଲା ଯେତିକି, ରାଗ ଲାଗୁଥିଲା ମଧ୍ୟ ସେତିକି ।

 

ହଠାତ୍‌ ଦିନେ ଅଭିନୟ ଚାଲୁଥ‌ିବା ଅବସ୍ଥାରେ ହେଲା ଏକ ବିସ୍ଫୋରଣ । ରଙ୍ଗମଞ୍ଚ ଭିତରେ କାହିଁକି କେଜାଣି ଦୁଇଦଳଙ୍କ ମଧ୍ୟରେ ଲାଗିଲା ମାରପିଟ୍‌ । କାଳେ କଥାଟା ଦର୍ଶକମାନଙ୍କ କାନକୁ ଚାଲିଯିବ ସେଥ‌ିନେଇ ଘଟଣାଟାକୁ ଚପାଚପି କରିଦିଆଗଲା, ହେଲେ ଦୁଇଦଳଙ୍କ ଭିତରେ ଯୋଉ ପ୍ରତିହିଂସାର ନିଆଁ ଜଳୁଥିଲା ସେ କ’ଣ ସହଜରେ କେବେ କୋଉଠି ଲିଭେ ଯେ ଲିଭିବ ? ଅସଲ ରୂପ ତାର ପଦାକୁ ଯଦିଚ ବେଶି ଭାବରେ ପ୍ରକାଶ ପାଇଲା ନାହିଁ ତଥାପି ପାଉଁଶ ତଳେ ତଳେ ଖାଲି କୁହୁଳିବାକୁ ଲାଗିଲା ।

 

ପାଣି ସୁଅପରି ଯୋଉ ଟଙ୍କା ପଇସା ଆମର ଦଳ ଉପାର୍ଜନ କରୁଥାଏ ସେଇ ଲୋଭଟା ଅନେକାଂଶରେ ସେଇସବୁ ଗଣ୍ଡଗୋଳ, ବାଦ–ବିବାଦକୁ ନିୟନ୍ତ୍ରଣ କରୁଥିଲା ପରି ମନେ ହଉଥିଲା ମୋର ।

 

ଅନୁଗୁଳରେ ଆମେମାନେ ଯେତିକିଦିନ କଟେଇଥିଲୁ ଓ ସେଇ ସମୟ ଭିତରେ ସେଠାରେ ଯେତେସବୁ କଳାପ୍ରେମୀ ଭଦ୍ରଲୋକ ଆମକୁ ସାହାଯ୍ୟ ସହଯୋଗ କରିଥିଲେ ସେମାନଙ୍କ ଭିତରେ କଟକର ଶ୍ରୀଯୁକ୍ତ ସୁକାନ୍ତ ରାଓ, ଶ୍ରୀମତୀ ଶାନ୍ତିଦେବୀ, ଶ୍ରୀ ଅନୁଗ୍ରହ ନାୟକ ହେଲେ ଅନ୍ୟତମ । ଆମମାନଙ୍କର ସଫଳତା ଦିଗରେ ଏମାନଙ୍କର ଅଯାଚିତ ପ୍ରେରଣା ଏବଂ ଉଦ୍ୟମ ଯେ ଆମକୁ ଆଉ ପାଦେ ପାଦେ ଆଗେଇ ନେଇଥିଲା ଏହା ନିଃସନ୍ଦେହ ।

 

ଏମାନେ ତାଙ୍କର ଗୁରୁକର୍ତ୍ତବ୍ୟ ସମ୍ପାଦନ କରି ଅବସର ପାଇଁ ଯେତିକି ସମୟ ପାଉଥିଲେ, ତା’ରି ଭିତରେ ଛୁଟି ଆସୁଥିଲେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପାଖକୁ ।

 

ଅନୁଗ୍ରହ ବାବୁଙ୍କ ଘର କଟକ ସୁତାହାଟରେ । ଖ୍ରୀଷ୍ଟ ଧର୍ମାବଲମ୍ବୀ । ଅନୁଗୁଳରେ ଶିକ୍ଷକତା କରୁଥିଲେ । ସ୍ଵାମୀ ଓ ସ୍ତ୍ରୀ ଉଭୟ ପରକୁ ଆପଣାର କରିବାରେ ସର୍ବଦା ଆଗୁସାର । ସାମାନ୍ୟତମ ଅତିଥି ଘରକୁ ତାଙ୍କର ଆସିଲେ ମଧ୍ୟ ଅତିଥିଙ୍କୁ କୁକୁଡ଼ାରୋଷ୍ଟ କରି ଖୁଆଇବାରେ ଟିକିଏ ହେଲେ କୁଣ୍ଠାବୋଧ କରନ୍ତି ନାହିଁ ।

 

ଶ୍ରୀଯୁକ୍ତ ରାଓଙ୍କ ଘର କଟକ କାଳୀଗଳିରେ । ମାର୍ଜିତ ଭଦ୍ରଲୋକ । ଗୁଣଗ୍ରାହୀ, ଅନୁଗୁଳ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଶ୍ରୀଯୁକ୍ତ କାଳୀଚରଣ ପଟ୍ଟନାୟକଙ୍କ ହିତାକାଙ୍‍କ୍ଷୀ । ଆମର ଯେକୌଣସି ନାଟକକୁ ଥରେ ଦୁଇଥର ନ ଦେଖ‌ିଲେ ମନ ତାଙ୍କର ମାନେନା । ଶ୍ରୀମତୀ ଶାନ୍ତିଦେବୀଙ୍କ ସହିତ ଘନିଷ୍ଟ ସମ୍ପର୍କ ଥିଲା ପରି ମନେ ହଉଥିଲା । କାରଣ ଅନେକ ସମୟରେ ଏମାନେ ଅତି ପାଖାପାଖି ଚଳପ୍ରଚଳ ହଉଥିଲେ ।

 

ଶ୍ରୀମତୀ ଶାନ୍ତିଦେବୀ ଯେ ମୋର ମଧୁମଙ୍ଗଳ ଅଭିନୟର ଜଣେ ପରମଭକ୍ତ ଥିଲେ ଓ ଅଭିନୟ ଦେଖି ଅନେକ ପୁରସ୍କାର ଦେଇଥିଲେ ସେକଥା ମୋର ଆଜି ପର୍ଯ୍ୟନ୍ତ ସ୍ମରଣ ରହିଛି । ଏମିତିକି–କେବେ ସାବୁନ୍‌ ଖୋଳ ଖଣ୍ଡେ, ରୁମାଲ୍‌ ଖଣ୍ଡେ ଉପହାର ଦବାକୁ ଭୁଲି ନାହାନ୍ତି । କଳାପ୍ରତି ତାଙ୍କର ପ୍ରଗାଢ଼ ଆନ୍ତରିକତା ଦେଖ‌ିଲେ ଆଶ୍ଚର୍ଯ୍ୟ ଲାଗେ ।

 

ଅନୁଗୁଳରେ ଆମର ସମସ୍ତ କାର୍ଯ୍ୟକ୍ରମ ଶେଷ ହେଇଗଲେ, ମେରାମୁଣ୍ଡଳୀ ଯାଇ ସେଠାରେ କୋଉଠି କେମିତି ଷ୍ଟେଜ୍‌ ତିଆରି କରିବାକୁ ପଡ଼ିବ । ଦର୍ଶକ ସେଠାରେ ଭଲ ଅଛନ୍ତି କି ନାହିଁ । ଏସବୁ ବିଷୟରେ ଆଲୋଚନା ଲାଗି ଧର୍ମଶାଳାର ଗୋଟିଏ ବଡ଼ଘରେ ବୈଠକ ବସିଲା ।

 

ଯୋଗକୁ ସେଦିନ ଶ୍ରୀ ଚକ୍ରଧର ମିଶ୍ର କଟକରୁ ଆସିଥିଲେ, ତାଙ୍କର ବସ୍‌ ସର୍ଭିସ୍‌ର ବ୍ୟବସାୟ ଦେଖିବାକୁ । ତାଙ୍କରି ପ୍ରତିଶ୍ରୁତି ଅନୁଯାୟୀ ଆଗୁଆ ଦଳ ଆମର ଚାଲିଲେ ମେରାମୁଣ୍ଡଳୀ, ଏଣେ ବର୍ଷା ବତାସର ସମୟ ପାଖେଇ ଆସୁଥାଏ । ମେରାମୁଣ୍ଡଳୀ ଫେରିବା ବାଟ ହେଇଥ‌ିବାରୁ ଅନ୍ତତଃ କେଇଟି ଦିନ ସକାସେ ସେଠାରେ କ୍ୟାମ୍ପ୍‌ ପକେଇ ଯାହା ବା ରୋଜଗାର ହବ ସେଇଥିରେ ଗାଡ଼ିଖର୍ଚ୍ଚଟା ଉଠେଇ ନେଇ ପୁରୀରେ ପହଞ୍ଚିଯିବା କଥା ।

 

ଶ୍ରୀ ମିଶ୍ରଙ୍କୁ ଏ ଦିଗରେ ସାହାଯ୍ୟ ମାଗିବାର ଅର୍ଥ ତାଙ୍କର ସେ ଅଞ୍ଚଳରେ ପ୍ରତିପତ୍ତି ଥିଲା ଖୁବ୍‌ ବେଶି । ନୂଆ ସ୍ଥାନରେ ନୂଆ ଲୋକଙ୍କ ସାଙ୍ଗେ ମିଳାମିଶା ଲାଗି ତାଙ୍କୁ ଧରିଲେ କୌଣସି ପ୍ରତିବନ୍ଧକ ଆସୁନଥିଲା ।

 

ଦୁଇ ଚାରିଦିନ ପରେ ଅନୁଗୁଳରେ ଆମର ଶେଷ ରଜନୀ ଘୋଷଣା କରାଗଲା । ଏବଂ ଦିନ ସ୍ଥିର ହେଇ ପେଣ୍ଡାଲ୍‌ ଭଙ୍ଗାଯାଇ ଜିନିଷପତ୍ର ସବୁ ବନ୍ଧାଗଲା । ଫେରିଲୁ ମେରାମୁଣ୍ଡଳୀ ।

 

ତାଳଚେର ପଟେ ରେଳବାଇର ଯୋଉ ରେଳଧାରଣା ପଡ଼ିଛି ତାହା ଶେଷ ହେଇଛି ତାଳଚେର ଷ୍ଟେସନ୍‌ଠାରେ । ମେରାମୁଣ୍ଡଳୀ ହେଲା ତାଳଚେରର ପଛ ଷ୍ଟେସନ୍‌ । ସେଇ ରେଳଷ୍ଟେସନ୍‌ ପାଖକୁ ଲାଗି ମିଶ୍ର ମୋଟର ଟ୍ରାନ୍ସପୋର୍ଟ ଅଫିସ୍‌ । ସହର ତ ନୁହେଁ, ଗୋଟିଏ ବଡ଼ ଗାଁ କହିବାକୁ ହବ ମେରାମୁଣ୍ଡଳୀକୁ । ସେଠାକାର ପ୍ରକୃତ ବାସିନ୍ଦା ଯୋଉମାନେ ସେମାନଙ୍କ ଅବସ୍ଥା ସେତେ ସ୍ଵଚ୍ଛଳ ନ ହେଲେ ମଧ୍ୟ ଅନେକଗୁଡ଼ିଏ ବ୍ୟବସାୟୀ ଗୋଷ୍ଠୀ ସେଠାରେ ଘରଦ୍ଵାର କରି ମୁଣ୍ଡ ଟେକିଥାନ୍ତି । ପଇସା ଥାଏ ଏଇମାନଙ୍କ ହାତରେ । ନିକଟରେ ମାଲ୍‌ ପରିବହନର ସୁବିଧା ଥିବାରୁ ଏବଂ ଗଡ଼ଜାତ ଅଞ୍ଚଳ ଯୋଗୁଁ ବିଭିନ୍ନ କଞ୍ଚାମାଲର କାରବାର କରି ଖୁବ୍‌ କଞ୍ଚା ପଇସା ରୋଜଗାର କରନ୍ତି ଏମାନେ । ବିଦେଶୀ ହେଲେ ବି ଅର୍ଥବଳରେ ସ୍ଵଦେଶୀ ପାଲଟିଯାଇଥିଲେ କେବେଠୁଁ ।

 

ପ୍ରାୟ ସାବୁପାଟକର ଲୋକ ରୁଣ୍ଡ ହୋଇ ନିଜ ନିଜର ଆସନ ଜମେଇ ନେଇ ବସିଥାନ୍ତି ଗୋଟିଏ ଧର୍ମବଳ ପରି । ବାହାରୁ ଦେଖିଲେ ଏମାନେ ଦେଖାଯାନ୍ତି ଜଣେ ଜଣେ ମଳିମୁଣ୍ଡିଆ ପରି; କିନ୍ତୁ ଦର୍କାର ପଡ଼ିଲେ ଶହ ଶହ ହଜାର ହଜାର ଟଙ୍କା ଗଣିଦେବେ ।

 

ଏ ମନ ଭାବୁଥାଏ ଯାହା

କାଳେ ପ୍ରାପତ ହୁଏ ତାହା ।

 

‘ଗୁଣ ଚିହ୍ନେ ଗୁଣିଆ–ସୁନା ଚିହ୍ନେ ବଣିଆ’, ଭଳି ଆମର ଗୁଣକୁ ମେରାମୁଣ୍ଡଳୀର ସେଇ ଦର୍ଶକ ଗୁଣିଆ ଦଳ ଏଭଳି ଚିହ୍ନିବେ ବୋଲି ଆମେ କେବେ କଳ୍ପନା ସୁଦ୍ଧା ମନରେ କରିନଥୁଲୁ ।

 

ଏସବୁ ନାଟ, ଥିଏଟର ଦେଖିବାର ସୁଯୋଗ ସେମାନେ ପାଉନଥିଲେ–ଏଣୁ ସଞ୍ଜ ବୁଡ଼ିବା ଆଗରୁ ପୁରୁଷ, ସ୍ତ୍ରୀ ଦଳଦଳ ହେଇ ପ୍ରଧାନ ଗେଟ୍‌ ପାଖରେ ଧାଡ଼ି ବାନ୍ଧି ଅପେକ୍ଷା କରିବାକୁ ଲାଗୁଥିଲେ ।

 

ନୋଟ୍‌, ଖୁବ୍‌ କମ୍‌ ସେତେବେଳେ ଦେଶରେ ଚଳୁଥିଲା । ବେଶି ଚଳୁଥିଲା ବିଭିନ୍ନ ଖୁଚୁରା ମୁଦ୍ରା । ଯଥା ଟଙ୍କା, ଅଧୁଲୀ, ସୁଉକି, ଦୋ’ଣି, ଅଣି, ପଇସା, ଅଧଲା, ପାହୁଲା ଓ ତମ୍ବାର ଦୋହରୀ ପଇସା । ଟିଣ ବାକ୍ସଟା ସେଇସବୁ ଖୁଚୁରା ଟଙ୍କା ପଇସାରେ ପୂର୍ଣ୍ଣ ହେଇଯାଉଥିଲା ।

 

ଯାହାହେଉ, ସେଇ ପ୍ରଥମ ଯାତ୍ରା ଆମର ସେବର୍ଷ ସେଇ ମେରାମୁଣ୍ଡଳୀ କ୍ୟାମ୍ପରେ ହିଁ ଉଦ୍‌ଯାପିତ ହେଇଥିଲା । ନୂଆକରି କେଇଟି ସ୍ଥାନ ଭ୍ରମଣ କରିବା ଫଳରେ ଆମର ଅନେକ ଅଭିଜ୍ଞତା ଆସିଥିଲା ଏବଂ ଆର୍ଥିକ ଦୃଷ୍ଟିକୋଣରୁ ବିଚାର କଲେ କ୍ଷତି ତୁଳନାରେ ଲାଭର ମାତ୍ରା ଥିଲା ଅଧିକ ।

 

ପୁରୀ ରେଳ ଷ୍ଟେସନ୍‌ରେ ପହଞ୍ଚି ସାଙ୍ଗେସାଙ୍ଗେ କେତେକ ବଗିଗାଡ଼ି, ମଣିଷ ଟଣା ଶଗଡ଼ଗାଡ଼ିରେ ଜିନିଷପତ୍ର ଲଦାଲଦି କରି ଗାଡ଼ିଆଳକୁ କୁହାଗଲା ସୁଆର ସାହିକୁ ଗାଡ଼ି ଚଳେଇବାକୁ ।

 

ଏଥ‌ିପାଇଁ କେହି ପ୍ରତିବାଦ କରିନଥିଲେ । କାହାରି ମନକୁ କୌଣସି କଥା ଛୁଇଁ ନ ଥିଲା, ପ୍ରତିବାଦ ବା କରନ୍ତେ କିଏ କାହିଁକି ?

 

ଆପଣମାନେ ଜାଣିଛନ୍ତି ଯେ ଆମର ରାସମଣ୍ଡଳୀର ପ୍ରଥମ ଶୁଭ ଶ୍ରୀ ଗୋପାଳ ଗୋସେଇଁଙ୍କ ଘରେ ଦିଆଯାଇଥିଲା ଏବଂ ସେଇଠାରେ ହିଁ ଦୀର୍ଘଦିନ ଧରି ଶିକ୍ଷା ଓ ତାଲିମ୍‌ ପାଇବାପରେ ସମ୍ବଲପୁର ଅଞ୍ଚଳକୁ ଯାତ୍ରା କରିଥିଲୁ । ତେଣୁ ଭ୍ରମଣ ଶେଷକରି ଫେରିଲାବେଳେ ସେଇସ୍ଥାନକୁ ଆମର ଯିବାର କଥା । ତେବେ ଏ ବ୍ୟବସ୍ଥା ଯୋଗୁଁ କାହା ମନରେ କିଛି ସନ୍ଦେହର ଅବକାଶ ନ ଥିଲା କାହିଁକି ନା ପୁରୀ ସୁଆର ସାହିରେ ମଧ୍ୟ ଅନ୍ୟଜଣେ ମାଲିକ ଶ୍ରୀ ବାବାଜୀ ମହାପାତ୍ରଙ୍କ ଘର ।

 

ଶ୍ରୀଯୁକ୍ତ ପଟ୍ଟନାୟକ ପୁରୀ କୁଣ୍ଢେଇବେଣ୍ଟ ସାହି ନିକଟରେ ବାନାମ୍ବର ଗଳିରେ ରହୁଥିଲେ । ସେ’ ସିଧା ଭାବରେ ଗୋଟିଏ ଘୋଡ଼ା ଗାଡ଼ିରେ ବସି ଚାଲିଲେ ନିଜ ବସାକୁ। ଆଉ ଆମେ ସମସ୍ତେ ଜିନିଷପତ୍ର ସହ ଚାଲିଲୁ ସୁଆର ସାହିକୁ ।

 

ସେଠାରେ ପହଞ୍ଚିବାମାତ୍ରେ ଯୋଉମାନଙ୍କ ଘର ଟାଉନ୍‌ରେ ସେମାନେ ତାଙ୍କର ନିଜ ବ୍ୟକ୍ତିଗତ ଜିନିଷ ଧରି ଘରକୁ ବାଟକାଟିଲେ ଏବଂ ଶ୍ରୀ ବାବାଜୀ ମହାପାତ୍ରଙ୍କ ଘର ସାମନାରେ ଆଉ ଗୋଟିଏ ତାଙ୍କର ଖାଲିଘରେ ସମସ୍ତ ଅଭିନୟସାମଗ୍ରୀ ରଖାଯାଇ ତାଲାବନ୍ଦ ହେଲା । ମୁଁ ମଧ୍ୟ ଦଳର ମୁଖ୍ୟମାନଙ୍କୁ କହିଦେଇ ଦୋଳମଣ୍ଡପ ସାହି ଆମର ଦୋକାନକୁ ଚାଲିଗଲି ।

 

୨୪ ଘଣ୍ଟା ହୋଇଛି କି ନାହିଁ, ଆସିଲା ସେହି ପ୍ରଳୟଙ୍କରୀ ବାତ୍ୟା । ଚତୁର୍ଦ୍ଦିଗକୁ ଆଚ୍ଛାଦିତ କରି ଘୋଟିଗଲା ତାର ସର୍ବଗ୍ରାସୀ ଲହଲହ ସହସ୍ର ଜିହ୍ଵା, ଯାହାର କବଳରେ ପଡ଼ି ଆମର ଶତସାଧନାର ଫଳସ୍ଵରୂପ ବଢ଼ିଉଠୁଥ‌ିବା ସେହି କୁସୁମିତ ଅଳ୍ପ ବୟସର ଲତା ଅନୁଷ୍ଠାନଟି ଶାଖା ପ୍ରଶାଖା ହରେଇ ଧୂଳିରେ ଲୋଟିପଡ଼ିଲା ।

 

ମଣିଷର ଦୁଃଖ ଏଇଠି । ତୋଳାଘର ଭାଙ୍ଗିପଡ଼ିଲେ ତାର ସର୍ବସ୍ଵ ଉଜୁଡ଼ିଯାଏ l ଦିନ ଦିନର ମେହେନତ୍‌ ସହିତ ସେ ଯେଉଁ ଟୋପି ଟୋପି ରକ୍ତ ଢାଳି ଗଢ଼ିଥାଏ ଆଶ୍ରୟସ୍ଥଳୀ ତାହା ଅନ୍ୟ ନିକଟରେ ହେଇପାରେ ତୁଚ୍ଛ ପର୍ଣ୍ଣକୁଟୀମାତ୍ର–ସ୍ରଷ୍ଟା ନିକଟରେ ସେଇ ସୃଷ୍ଟି ଯେ ରାଜପ୍ରାସାଦଠାରୁ ଅତି ମୂଲ୍ୟବାନ୍‌ ।

 

ତା ପରଦିନ ଅର୍ଥାତ୍‌ ଆମ ରାସଦଳ ପୁରୀରେ ପହଞ୍ଚିବାର ପରଦିନ ଚାରିଟାରେ ଯେତେବେଳେ ଶ୍ରୀଯୁକ୍ତ ପଟ୍ଟନାୟକ ସୁଆରସାହିକୁ ଯାଆଁନ୍ତି ତାଙ୍କୁ ଧକ୍କାମାରି ଅନୁଷ୍ଠାନରୁ ବାହାର କରିଦିଆଗଲା । କେବଳ ସେତିକି ଯଥେଷ୍ଟ ନ ଥିଲା । ଯନ୍ତ୍ରପାତି, ବେଶ ପୋଷାକ, ସିନ୍‌ ସିନେରି ସର୍ବୋପରି ଆମେମାନେ ଯୋଉ ବହି ଛଖଣ୍ଡି ଶିଖିଥିଲୁ ସେସବୁ ବହିଗୁଡ଼ିକ ମଧ୍ୟ ଘରେ ଅଟକ ରଖାଗଲା ।

 

ଶ୍ରୀ ପଟ୍ଟନାୟକ ସେତେବେଳେ ଖାଲି ହାତରେ ଦାଣ୍ଡରେ ଠିଆହେଇ ପିଲାଙ୍କ ଉଦ୍ଦେଶ୍ୟରେ ଡାକଦେଲେ ଯେ–‘‘କେହି ଯଦି ମୋ ସାଙ୍ଗରେ ଯିବାର କଥା ଆସ ।’’

 

ଏତିକି କଥାରେ, ଅପରପକ୍ଷର ବାରଣ ସତ୍ତ୍ୱେ ଗୁରୁଙ୍କର ଆଦେଶ ଇଂଘନ ନ କରି, ସୁଆର ସାହିର ସଙ୍କୀର୍ଣ୍ଣ ରାସ୍ତା ଉପରକୁ ଡେଇଁପଡ଼ିଥିଲେ ଜଣକ ପରେ ଜଣେ । ଦୁର୍ଲ୍ଲଭ, ଗୋବିନ୍ଦ, ବାଞ୍ଛା, ପୁନା, ହରି, ଆର୍ତ୍ତ, ମହାବୀର ।

 

ମୁଁ (ଟିମା) ଏବଂ ଯମୁନା, ଆମେ ଦୁଇଜଣ କେବଳ ଦଳରେ ସେତେବେଳେ ନଥିଲୁ । ମୁଁ ଆସିଥିଲି ବସାକୁ ଓ ଯମୁନା ଯାଇଥିଲା ତା’ ଘରକୁ ।

 

ଏ ଘଟଣା ଘଟିଥିଲା ମୋର ଅନୁପସ୍ଥିତିରେ । ପରେ ଯେତେବେଳେ ଆମ ବସାକୁ ଶ୍ରୀଯୁକ୍ତ ପଟ୍ଟନାୟକ ଲୋକ ପଠେଇ ମୋତେ ଡକେଇ ନେଇଥିଲେ ନିଜପାଖକୁ, ଘଟଣାର ସମସ୍ତ କଥା ଶୁଣିଥିଲି ସେଠାରେ ପହଁଞ୍ଚି, ମୋର ଅନ୍ୟାନ୍ୟ ସାଙ୍ଗସାଥୀମାନଙ୍କଠାରୁ ।

 

ଯୋଉ କେତେଜଣ ଆମେ ଶୂନ୍ୟ ହାତରେ ଏକାଠି ହେଇଥିଲୁ କେବଳ ନିଜର ବ୍ୟବହାର୍ଯ୍ୟ କେତେକ ଜିନିଷ ଛାଡ଼ିଦେଲେ ଆମର ଆଉ କିଛି ନ ଥିଲା କହିଲେ ଚଳେ । ଏପରିକି ହାତରେ ରାନ୍ଧି ଖାଇବାକୁ ଖଣ୍ଡେ ଡେକ୍‌ଚି ଅବା କଡ଼େଇ ନ ଥିଲା । ଚାକର, ପୂଜାରୀ ସମସ୍ତେ ରହିଥିଲେ ବିପକ୍ଷ ଦଳପଟେ ।

 

ପୁରୀ ବଡ଼ଦାଣ୍ଡର ଦକ୍ଷିଣପଟେ ବଡ଼ନଳା ଉପରକୁ ସଙ୍ଗୀତପ୍ରଭା ପ୍ରେସ୍‌ । ଶ୍ରୀ ପଟ୍ଟନାୟକଙ୍କର ଉକ୍ତ ଛାପଖାନାଟି ନିଜସ୍ଵ ଛାପାଖାନା । ଭଡ଼ାଘରେ ଛାପାଖାନାଟି ଚାଲୁ ଅବସ୍ଥାରେ ଥାଏ । ସେଇଘରେ ଆମେମାନେ ସମସ୍ତେ ଆଶ୍ରୟ ନେଲୁ । ପ୍ରେସର ପରିଚାଳନାର ଦାୟିତ୍ଵ ଥିଲା ଶ୍ରୀ ପାର୍ବତୀ ଚରଣ ପଟ୍ଟନାୟକଙ୍କ ଉପରେ । ପାର୍ବତୀ ବାବୁ ଥିଲେ ଶ୍ରୀ କାଳୀଚରଣ ପଟ୍ଟନାୟକଙ୍କର ଦାଦାପୁଅ ଭାଇ ।

 

ଶ୍ରୀ ଦୁର୍ଗାଚରଣ ପଟ୍ଟନାୟକ, ଶ୍ରୀ ମୋହନଚରଣ ପଟ୍ଟନାୟକ ଦୁଇଭାଇ । ଶ୍ରୀ ଦୁର୍ଗାଚରଣ ପଟ୍ଟନାୟକଙ୍କର ପୁଅ ଶ୍ରୀ କାଳୀଚରଣ ପଟ୍ଟନାୟକ ଏବଂ ଶ୍ରୀ ମୋହନଚରଣ ପଟ୍ଟନାୟକଙ୍କର ଚାରିପୁଅ ହେଲେ–ଶ୍ରୀ ଅମ୍ବିକାଚରଣ ପଟ୍ଟନାୟକ, ଶ୍ରୀ ଭବାନୀଚରଣ ପଟ୍ଟନାୟକ, ଶ୍ରୀ ଗୌରୀଚରଣ ପଟ୍ଟନାୟକ, ଶ୍ରୀ ପାର୍ବତୀଚରଣ ପଟ୍ଟନାୟକ ଓ ଗୋଟିଏ ମାତ୍ର କନ୍ୟା ନୟାଗଡ଼ର ଶ୍ରୀ ବାଞ୍ଛାନିଧି ପଟ୍ଟନାୟକଙ୍କୁ ବିବାହ କରିଥିଲେ ।

 

ସଙ୍ଗୀତପ୍ରଭା ପ୍ରେସର ଠିକ୍‌ ସାମ୍ନାରେ ବଡ଼ଦାଣ୍ଡ ଉପରକୁ କଟକ ମୁଣ୍ଡୁମୁହାଣ ଗ୍ରାମର ଶ୍ରୀ ରଘୁ ସାହୁ ମହାଜନଙ୍କ ଜଳଖିଆ ଦୋକାନ । ତାଳବରଡ଼ା ପତ୍ରର ଘର । ଅସ୍ଥାୟୀ ଘର, ପ୍ରତିବର୍ଷ ରଥପର୍ବରେ କିଛି ସମୟ ପାଇଁ ଉଠେଇଦିଆଯାଇ ପୁଣି ଯାତ୍ରା ସରିଲେ ଡେରି ଦିଆଯାଏ-

 

ଶ୍ରୀ ରଘୁ ସାହୁ ଖୁବ୍‌ ମେଳାପି ଲୋକ । କାଳୀବାବୁଙ୍କୁ ବଡ଼ ଭକ୍ତି କରନ୍ତି । ଅନେକ ସମୟରେ ଆମ ପିଲାମାନଙ୍କୁ ଦିଅନ୍ତି ମିଠେଇ ଓ ରୁଟି । ଲମ୍ବା ଚଉଡ଼ା ମରଦ, ଦେହର ରଙ୍ଗ ଗୋରା ।

 

ସେ ବର୍ଷ ବାରବର୍ଷରେ ଯୋଗ ପଡ଼ିଥିବାରୁ ଶ୍ରୀଜୀଉଙ୍କର ନବକଳେବର ହବାର ଥାଏ । ପୁରୀ ସହରରେ ଯାତ୍ରୀଙ୍କ ସଂଖ୍ୟା ଏତେମାତ୍ରାରେ ବଢ଼ି ଯାଇଥାଏ ଯେ ଦିନରାତି ସବୁ ସମୟରେ ବଡ଼ଦାଣ୍ଡ ଖାଲି ପାଟିତୁଣ୍ଡରେ ପଡ଼ୁଥାଏ କି ଉଠୁଥାଏ ।

 

ଗଜପତିଙ୍କ ଶ୍ରୀନଅର ଆଗରେ ତିନିଠାକୁରଙ୍କ ତିନିରଥ, ପ୍ରାୟ ଗଢ଼ାସରିବା ଉପରେ । ନିହାଣ, ମୁଗୁରର ଠକ୍‌ଠକ୍‌ ଶବ୍ଦ । ଧର୍ମଭୀରୁ ବଡ଼ଦାଣ୍ଡର ପଥିକ ସେଇ ଦେବତା ବିହୀନ ରଥକୁ ମଧ୍ୟ ମଥାରେ ଛୁଇଁ ଗନ୍ତବ୍ୟ ପଥରେ ଆଗେଇ ଚାଲନ୍ତି ।

 

ସେଇସବୁ ଅସୁବିଧା ଭିତରେ ମଧ୍ୟ କାଳୀବାବୁ ଆଉ ଦୁଇଖଣ୍ଡି ବହି ଲେଖା ପ୍ରାୟ ସାରିଦେଇଥାନ୍ତି । ‘‘ଆଖିର ଦେଖା’’ ଓ ‘‘ମାନଭଞ୍ଜନ’’, କିନ୍ତୁ ସେ ବହି ଦୁଇଟି ଶିଖିବୁ କେମିତି ? କ’ଣ ଥିଲା ଆମ ପାଖରେ ? କେବଳ ସଂଳାପଗୁଡ଼ିକ ମୁଖସ୍ତ କରିଦେଲେ ତ ଚଳିଯିବ ନାହିଁ ?

 

ତଥାପି ପାର୍ବତୀ ବାବୁ କାଗଜ ଆଣି ଯାହାର ଯାହା ଡାଇଲଗ୍‌ ସେତକ ଲେଖିଦେଇ ଆମକୁ ଘୋଷିବାକୁ ବରାଦ କରିଦେଲେ ।

 

କେଇଟି ଦିନରେ କାମ ଟିକିଏ ଆଗେଇବା ପରି ଜଣାପଡ଼ିଲା । କେବଳ ସଂଳାପକୁ ମୁଖସ୍ଥ କରିବା କାମ । ଗୀତ, ନାଚ ଶିକ୍ଷା ଏକଦମ୍‌ ବନ୍ଦ । ହାର୍‌ମୋନିୟମ୍‌ କାହିଁ ? ବାୟାଁ ତବଲା କାହିଁ ? ବାଦ୍ୟଯନ୍ତ୍ର ନ ଥିଲେ ସମ୍ପୂର୍ଣ୍ଣ ଅଭ୍ୟାସ ହବ ତା କିପରି ?

 

ସୌଭାଗ୍ୟକ୍ରମେ ଶ୍ରୀ ବାବାଜୀ ମହାପାତ୍ରଙ୍କ ଘରେ ବନ୍ଦକରି ରଖାଯାଇଥିବା ଶ୍ରୀ ପଟ୍ଟନାୟକଙ୍କ ନିଜ ହାର୍‌ମୋନିୟମ୍‌ଟି ଓ ହଳେ ଦରଭଙ୍ଗା ଡୁବିତବଲା ଅନେକ ଚେଷ୍ଟା ଓ ଧରାଧରି ପରେ ଆମ ହାତକୁ ଆସିଲା । ବାମନ ଯେମିତି ଚନ୍ଦ୍ର ପାଇଗଲା, ଅନ୍ଧ ଯେମିତି ଆଖି ପାଇଗଲା–ଆମେ ସେମତି ହେଲୁ । କାମର ଚାପା ଏତେ ମାତ୍ରାରେ ବଢ଼ିଗଲା ଯେ ଯୋଉମାନେ ଦି’ଦିନ ପୂର୍ବରୁ କେମିତି କାମ କରିବା ବୋଲି ନିଜ ନିଜ ଭିତରେ ଅଭିଯୋଗ ବାଢ଼ୁଥିଲେ ଦି’ଦିନ ପରେ ଶେଷରେ ସେଇମାନେ ଅଳ୍ପ ସମୟପାଇଁ ବିଶ୍ରାମ ନ ପାଇ କାନ୍ଦିବାକୁ ଲାଗିଲେ ।

 

ଜଗୁ ମାଷ୍ଟ୍ରେ ଆଉ ନ ଥିଲେ ସତ; କିନ୍ତୁ ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ଆହୁରି ଦୁଇଗୁଣ ବଳେଇ ପଡ଼ିଲେ । ଜଗୁ ମାଷ୍ଟ୍ରଙ୍କର ଥିଲା ବେତ ପ୍ରହାର, ହେଲେ ସ୍ଵୟଂ ଶ୍ରୀ ଗୁରୁଦେବଙ୍କର ଚାଲିଲା ବିଧା, ଗୋଇଠା ଓ ଚଟି ପ୍ରହାର । ମଣିଷ ପିଲା ତ, କେତେ ସହିବୁ ? ସେଇ ଭୟରେ ବେଳେବେଳେ ଜ୍ଵର ହେଇଯାଉଥିଲା, ଝାଡ଼ା ହେଇଯାଉଥିଲା ।

 

ଚପଳମତି ବାଳକ । ଯେତେବେଳେ ଛାପାଖାନାର ଛାତ ଉପରକୁ ଉଠିଯାଉଥିଲୁ, ଆଗତ ରଥଯାତ୍ରାର ଜାକଜମକ ଦେଖି ଭୁଲିଯାଉଥିଲୁ ସବୁ ମାଡ଼ ଓ ଦେହର ଯନ୍ତ୍ରଣାକୁ ।

 

ଆସିଲା ଶ୍ରୀଗୁଣ୍ଡିଚା ରଥଯାତ୍ରା ଏବଂ ତା’ସାଙ୍ଗେ ଆସିଲା ମହାମାରୀ ହଇଜାରୋଗ । ଖଇଫୁଟା ଖରାତାତିରେ ଗୋଟାକୁ ଗୋଟା ମାଇପେ, ମିଣିପେ ଗଛ କାଟିଲା ପରି ବଡ଼ଦାଣ୍ଡର ତତଲା ବାଲି ଉପରେ ଗଢ଼ିପଡ଼ିଲେ । ଦୁଇ ମୁହଁରୁ ଛୁଟିଲା ଝାଡ଼ା ଓ ବାନ୍ତି ।

 

ସେ ଦୃଶ୍ୟ ଆଖିରେ ନ ଦେଖିଥିଲେ ବିଶ୍ଵାସ କରିବା କଷ୍ଟକର । ଏଇ ବିପଦରେ ମୁରାରୀ ଭାଇନା ଓ ତାଙ୍କ ସ୍ଵେଚ୍ଛାସେବକ ଦଳ ଖଣ୍ଡେ ଖଣ୍ଡେ ଖାକି ରଙ୍ଗର ହାପ୍‌ପେଣ୍ଟ ଓ ଧଳାରଙ୍ଗର ହାପ୍‌ସାର୍ଟ ପିନ୍ଧି, ଆହତଙ୍କୁ ନିରାପଦ ସ୍ଥାନକୁ ବୋହି ନେଇ ଚିକିତ୍ସାର ବ୍ୟବସ୍ଥା କରୁଥାନ୍ତି । ଦିନ ଦୁଇପ୍ରହରରେ ମଧ୍ୟ ସମସ୍ତଙ୍କ ମନରେ କୋକୁଆ ଭୟ ।

 

ତଥାପି ମଧ୍ୟ ଚତୁର୍ଦ୍ଦିଗରୁ ଘୁ’ ଘୁ’ ନାଦ କରି ଛୁଟୁଥାଏ ଜନସମୁଦ୍ର । କ'ଣ ସେ ବ୍ୟାକୁଳତା ? କ’ଣ ସେ ଅଧୀରତା ? ପ୍ରଜ୍ଜ୍ୱଳିତ ଅନଳରେ ପତଙ୍ଗ ଝାସ ଦେଲାଭଳି, କୌଣସି ଭାବି ବିପଦକୁ ଭ୍ରୂକ୍ଷେପ ନ କରି ହରିବୋଲ, ହୁଳହୁଳି ଶବ୍ଦ କରି ବିଭିନ୍ନ ଗଳି ଓ ସାହିରୁ ପିମ୍ପୁଡ଼ି ଧାରପରି ବାହାରି ଆସୁଥାନ୍ତି ଭକ୍ତଦଳ ।

 

ସତେଅବା ପୁରୀର ସେଇ ବଡ଼ଦାଣ୍ଡ ଯେମିତି ପାଲଟିଯାଇଛି ଅନନ୍ତ ବାରିଧି, ଆଉ ତିନିଠାକୁର ତା’ର ନୀଳ ଜଳରାଶି, ଭିନ୍ନ ଭିନ୍ନ ଗଳି ଓ ଉପଗଳିଗୁଡ଼ିକ ଗୋଟିଏ ଗୋଟିଏ ନଦୀ ବା ଉପନଦୀ ରୂପରେ ଭକ୍ତ ଜନ ସମୂହକୁ ଗର୍ଭରେ ବହନ କରି ମିଶିଯିବାକୁ ଚାହାନ୍ତି, ଚିରଇପ୍‌ସିତ ଶାଶ୍ଵତ ଜୀବନ ସହିତ ।

 

ବଡ଼ ଦାଣ୍ଡର ଦୁଇପଟେ ପକ୍କାଛାତ, ଚାଳମଥାଳ ଯୋଉଠି ଯେ ଟିକିଏ ବସିବାର ସୁବିଧା ପାଇଛି, ବସିପଡ଼ି ଉପଭୋଗ କରୁଛି ପ୍ରଭୁଙ୍କର ଘୋଷଯାତ୍ରାକୁ ।

 

ସଂଗୀତପ୍ରଭା ପ୍ରେସର ଛାତଉପରେ ଠିକ୍‌ ଆମରିମାନଙ୍କ ପାଖକୁ ଠିଆହେଇ ଦେଖୁଥିଲେ ବିଖ୍ୟାତ୍‌ ଦେବଦାସୀ ଗୋଷ୍ଠୀର ଅପରୂପା ମର୍ତ୍ତ୍ୟର ଉର୍ବଶୀ ମହାମାନ୍ୟା ଡୁଙ୍ଗୁରୀ ମାହାରୀ ।

 

ପଦ୍ମପାଦରେ ବାଜେଣୀ ନୂପୁର । ଅଣ୍ଟାରେ ସୁବର୍ଣ୍ଣ କିଂକିଣୀ ଓ କେତକୀବଳା ତନୁଶ୍ରୀରେ ସୁନେଲି ଚୁବୁକିଖଞ୍ଜା ମୂଲ୍ୟବାନ୍‌ ନୀଳରଙ୍ଗର ଶାଢ଼ି । କଣ୍ଠରେ ଚାପସରି । ହୃଦୟରେ ହାର, ହାତରେ ସୁବର୍ଣ୍ଣ ପଇଁଚ, କାନରେ ଫୁଲ, ନାଶାପୁଟରେ ଗଜମୋତି, ମଥାରେ ଦୀର୍ଘବେଣୀ ଏବଂ ବେଣୀ ଦେହରେ ଗୋଟି ଗୋଟି ନାଲି ପଥରବସା ସୁନାଫୁଲ ।

 

ଠିକ୍‌ ଯେମିତି ପ୍ରାଚୀନ କବିଙ୍କ ଲେଖନୀରେ ବର୍ଣ୍ଣିତ କାବ୍ୟ ନାୟିକା । ସତକୁ ସତ ହିଁ ଶ୍ରୀମତୀ ଡୁଙ୍ଗୁରୀ ମାହାରୀ ସେଇ କାବ୍ୟ ନାୟିକା ହୋଇ ରହିଗଲେ । ଦେବଦାସୀ ହେବା ଗୌରବର ଅଧିକାରିଣୀ ସେ ହେଇପାରିଲେ ନାହିଁ । କାରଣ ମର୍ତ୍ତ୍ୟର ଉର୍ବଶୀ, ସେ କାହିଁକି ବା ଦେବତାର ସେବା ଲାଗି ମନ ବଦଳେଇବେ ? ଧନପତି ରାୟ ବାହାଦୂର ଭୂୟାଁ ଭାସ୍କର ମହାପାତ୍ରଙ୍କର ପ୍ରଣୟିନୀ ହେଇ ରହିଲେ ।

 

ନା ନୀର ନା ତୀର ଅବସ୍ଥାରେ ସେଇ ସଙ୍ଗୀତପ୍ରଭା ପ୍ରେସରେ କିଛିଦିନ କଟେଇବାପରେ ଆମମାନଙ୍କର ଭାଗ୍ୟଲକ୍ଷ୍ମୀ ଆମ ଉପରେ ସଦୟ ହେଲେ । ବାକି ଆଠଗଡ଼ ରାଜ୍ୟର ରାଜାସାହେବ ଶ୍ରୀ ରାଧାନାଥ ବେବର୍ତ୍ତା ପଟ୍ଟନାୟକଙ୍କ ନିମନ୍ତ୍ରଣ ପତ୍ର ଆସିଲା, ତାଙ୍କ ରାଜପ୍ରାସାଦରେ ଚାରିରାତି ଅଭିନୟ ପ୍ରଦର୍ଶନ କରିବାକୁ ।

 

ଦାନ୍ତୁରା ଲୋକର ହସକାନ୍ଦ ସବୁ ସମାନ । ସେ’ ନିମନ୍ତ୍ରଣ ମନରେ ସୁଖଦେଲା ଯେତିକି ଦୁଃଖ ବି ଦେଲା ସେତିକି । ଯିବାକୁ ଇଚ୍ଛା । ମାତ୍ର ଯିବୁ କେମିତି ? କିଛି ତ ପାଖରେ ନ ଥିଲା ଆମର ।

 

ଶ୍ରୀଯୁକ୍ତ ପଟ୍ଟନାୟକ, ପାର୍ବତୀବାବୁ ଓ ଆମେ କେତୋଟି ପିଲାମାତ୍ର ଏକାଠି ବସି ବିଚାର ଚାଲିଲା, ଚାରିରାତି ଅଭିନୟ କରିବାକୁ ହେଲେ, ବହି ଆମ ପାଖରେ କାହିଁ ? ସବୁ ନାଟକ ବହିଗୁଡ଼ିକ ଯେ ପୂର୍ବ ମାଲିକ ତାଙ୍କ ଘରେ ମାଡ଼ି ବସିଛନ୍ତି ।

 

ସେ ସମସ୍ୟାର ସମାଧାନ ପାଇଁ ବାଟ ଫିଟିଗଲା । କିଏ ଜଣେ ଆମ ଭିତରୁ କହିଉଠିଲା–ଆମର ସେ ବହି ଦର୍କାର ନାହିଁ । ରଖନ୍ତୁ ତାଙ୍କର ସେ ବହି । ଏବେ ଛଅଖଣ୍ଡି ନୂଆ ଖାତା ଅଣାଯାଉ ଏବଂ ପାର୍ବତୀବାବୁ ଲେଖନ୍ତୁ । ଆମେ ଆମର ନିଜ ନିଜର ଡାଇଲଗ୍‌ ଓ ଗୀତ ଡାକିଦେବୁ ।

 

କହିଛି ତ–ଆମକୁ ସେତେବେଳେ କେବଳ ଯେ ଅଭିନୟ ବିଷୟରେ ଶିକ୍ଷା ଦିଆଯାଉଥିଲା, ତା ନୁହେଁ ? ବୁଦ୍ଧିର ବିକାଶ ପାଇଁ ଆଉ ଅନ୍ୟାନ୍ୟ କେତେକ କଥା ମଧ୍ୟ ଜଣେଇ ଦିଆଯାଉଥିଲା ଏବଂ ଗୋଟିଏ ଗୋଟିଏ ନାଟକକୁ ମୂଳରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମୁଖସ୍ତ କରିପକାଉଥିଲୁ । ଏଣୁ ଯୋଡ଼ିଏ ତିନୋଟି ଦିନରେ ବହି ଛ’ଖଣ୍ଡ ମନରୁ ଉତାରି ପକେଇବାକୁ ବେଶି କଷ୍ଟ ହେଲା ନାହିଁ ।

 

ଏବେ ଯୋଉ ବହିଗୁଡ଼ିକ ସୁଆରସାହିରେ ହରେଇଥିଲୁ ବୋଲି ମନରେ ହତାଶ ବାଆ ଘୋଟିଥିଲା–ସେ ହତାଶିଆ ବାଆ ଚାହୁଁଚାହୁଁ କୁଆଡ଼େ ଉଭେଇଗଲା । ବହିଗୁଡ଼ିକର ଚିନ୍ତା ମୁଣ୍ଡରୁ ଚାଲିଯିବା ପରେ, ବାବୁ (କାଳୀବାବୁ) ଅନ୍ୟାନ୍ୟ ବିଷୟରେ କଥାବାର୍ତ୍ତା କରିବାକୁ ଚାଲିଲେ ଆଠଗଡ଼କୁ ।

 

ଦିନ ଦୁଇଟା ଭିତରେ ରାଜାସାହେବଙ୍କ ସହିତ ସବୁ ବିଷୟରେ ପକ୍କା କଥାକରି ଫେରିଆସିଲେ ଏବଂ ଆମମାନଙ୍କୁ ସାଙ୍ଗରେ ଧରି ନେଇଗଲେ ଆଠଗଡ଼ ଗଡ଼କୁ । ସ୍କୁଲ ସମୂହର ଛୁଟି ହେଇଯାଇଥିବାରୁ ଆମର ପ୍ରଥମ ଡେରା ପଡ଼ିଲା ସେଠିକାର ହାଇସ୍କୁଲ ଘରେ ।

 

ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଅନୁରୋଧକ୍ରମେ, ସେଇ ଗଡ଼ ଭିତରୁ ଖୋଜାଚାଲିଲା ରାସଦଳ ପାଇଁ କେତେଜଣ ବଛା ବଛା ପିଲା, ଯୋଉମାନଙ୍କର କି ଥିବ ଟିକିଏ ଅଭିନୟ ଉପଯୋଗୀ ଚେହେରା, ଗାଇବା ପାଇଁ ଉପଯୁକ୍ତ ଗଳା । ମିଳିଲେ ମଧ୍ୟ । ଗୋଟିଏ ଦୋ’ଟି ନୁହନ୍ତି । ଏକା ଥରକେ ଆସିଲେ ସାତଜଣ ପିଲା ।

 

ଆମ ଦଳର ପ୍ରଧାନ ପ୍ରଧାନ ଭୂମିକା ଲାଗି ପିଲାର ଅଭାବ ନ ଥିଲେ । ରାଧା, କୃଷ୍ଣ, ଲଳିତା, ବୃନ୍ଦା, ବିଶାଖା, ମଧୁମଙ୍ଗଳ, କୂଟୀଳା, ଚନ୍ଦ୍ରାବତୀ, ସୁବଳ ଏସବୁ ପୁରୁଣା ପିଲା । କେବଳ ଆଉ କେତୋଟି ଛୋଟ ଧରଣର ଭୂମିକାପାଇଁ ଦର୍କାର ଥିଲେ କେଇଜଣ ମାତ୍ର ।

 

ସେତକ ଯେତେବେଳେ ମିଳିଗଲେ ଆଉ ଅସୁବିଧା ବା କ’ଣ ରହିଲା-? ଯୋଉ ଚରିତ୍ର ନୂଆ ପିଲାଙ୍କୁ ଦେବାର କଥା ତାହା ତାଙ୍କୁ ଲେଖିଦେଇ ତା’ ସହିତ ସ୍ଵଳ୍ପ ମିଆଦି ତାଲିମ ଦିଆଗଲା-। ଅବଶ୍ୟ ନୂଆକରି ଛାଉଣି ହେଇଥ‌ିବା ଛପର ଘରେ ଏମିତି ଗୋଟିଏ ଦୁଇଟି ସ୍ଥାନରେ କୋଉଠି କେମିତି ଖୁଞ୍ଚା ଦେବାରେ ବେଶି କିଛି ଅସୁନ୍ଦର କାମ ହେଲାନାହିଁ ।

 

ବାକି ରହିଲା ସିନ୍‌ ଓ ବେଶ ପୋଷାକ କଥା । ସେଥିଯୋଗୁ ବି କାମ ଅଟକିଗଲା ନାହିଁ-। ଆଠଗଡ଼ର ରାଜା ସାହେବ ଯେ ଏକାଧାରରେ ଜଣେ ସର୍ବଗୁଣସମ୍ପର୍ଣ୍ଣ ବ୍ୟକ୍ତି ଥିଲେ ସେ ବିଷୟରେ କୌଣସି ନଜିର ଦେବା ନିଷ୍ପ୍ରୟୋଜନ ହେଇପାରେ, ଏଇଟା ମୋର ବ୍ୟକ୍ତିଗତ ମତ-। ତଥାପି ଯାହା ମୁଁ ଆଖିରେ ଦେଖିଛି ତାଙ୍କର କଳା ଓ ସଂସ୍କୃତି ପ୍ରତି ଯେଉଁ ଅନୁରକ୍ତି ତାହା ଭୁଲିବାର ନୁହେଁ । ଭଙ୍ଗା ଘରକୁ ଡେରିବାରେ, ଭଙ୍ଗା ମନକୁ ସାହସ ଦେବାରେ ତାଙ୍କ ପରି ଦ୍ଵିତୀୟ ଲୋକ ଆଜି ସୁଦ୍ଧା ଦେଖିନାହିଁ ବା ଦେଖିପାରିବି ନାହିଁ ମୁଁ ।

 

ରୁଲିଙ୍ଗ୍‌ ଚିଫ୍‌ କ୍ଷମତାର ଅଧିକାରୀ ହେଇ ସୁଦ୍ଧା ବେଳେବେଳେ ରାତି ଅଧରେ ନିଜ କାର୍‌ରେ ଆମକୁ (ମୁଁ ଓ ଶ୍ରୀ ପଟ୍ଟନାୟକ) ବସେଇ ବୁଲେଇ ନିଅନ୍ତି ରାଜ୍ୟର ଖଜାଞ୍ଚିଖାନା, ଜେଲ୍‌ଖାନାର କର୍ତ୍ତବ୍ୟରତ କର୍ମଚାରୀଙ୍କର କାଳେ କେତେବେଳେ କର୍ତ୍ତବ୍ୟ କ୍ଷେତ୍ରରେ କିଛି ଭୁଲ୍‌ ତ୍ରୁଟି ରହିଯାଉଥ‌ିବ ତାହା ସଂଶୋଧନ କରିବା ଆଶାରେ । ଆଉ ଥରେ ଥରେ ଦେଖାଯାଇଛି ମଧ୍ୟ ଜେଲଖାନାର ପ୍ରହରୀ ବନ୍ଧୁକ ହାତରେ କାନ୍ଥକୁ ଆଉଜି ଘୁମେଇ ପଡ଼ିଛି, ସେ ସ୍ଥଳରେ ରାଜ୍ୟରେ ପ୍ରଧାନ ଶାସକ ନିଜେ ରାଜାସାହେବ କର୍ମଚାରୀ ଉପରେ କ୍ରୋଧ ବହିବା ତ ଦୂରର କଥା ବରଂ ଧୀରେ ଧୀରେ ନିକଟକୁ ଯାଇ ତାର ଚେତନାଲାଗି ମୃଦୁ ଆଘାତ ଦେଇ ହସହସ ମୁହଁରେ ନିଜ ଗାଡ଼ିକୁ ଫେରିଆସିଛନ୍ତି ।

 

ଆମମାନଙ୍କର ଭାଗ୍ୟବଳରୁ ହେଉ କି ଶ୍ରୀ ପଟ୍ଟନାୟକଙ୍କର ବନ୍ଧୁତା ଖାତିରରେ ହେଉ ଅନୁଷ୍ଠାନର ରୁଗ୍‌ଣ ଅବସ୍ଥାରେ, ଆଠଗଡ଼ ରାଜାଙ୍କ ଏପରି ଅନୁକମ୍ପା ଯୋଗୁଁ, ସବୁ ସୁବିଧା ହେଇଗଲା ।

 

ରାଜାସାହେବଙ୍କର ବ୍ୟକ୍ତିଗତ ଆମୋଦପ୍ରମୋଦ ପାଇଁ ପାଲେସ୍‌ ଭିତରେ ଦେବ ମନ୍ଦିରରେ ଏକ ଛୋଟ ଧରଣର ଅନୁଷ୍ଠାନ ମୁଣ୍ଡ ଟେକିଥିଲା–ଯୋଉ ଅନୁଷ୍ଠାନ, ସମୟ ବିଶେଷରେ ନାଚ, ଗୀତ ଓ ଅଭିନୟ କରି ରାଜ ଦମ୍ପତ୍ତିଙ୍କର ମନୋରଂଜନ କରୁଥିଲା । ବିଭିନ୍ନ କିସମର ବେଶ, ପୋଷାକ, ସିନ୍‌ ଓ ସିନେରି ଆମକୁ ରାଜାଙ୍କ ଆଦେଶରେ ମିଳିଲା ସେଇଠୁ । ମଳୁ ଖୋଜୁଥିଲା ଯାହା, ବଇଦ ବତେଇଲା ତାହା । ଆଉ ଡର କାହାକୁ ? ଭୟ କାହାକୁ ?

 

ଅତୀତକୁ ଚାହିଁ ବସିଲେ ଆଜି ବି ମୋର ଏଇ ଅର୍ଦ୍ଧଶତାବ୍ଦୀ ଧରି ପେଜୁଆ ଆଖି ଡୋଳା ଦୁଇଟା ତାର ଝାପ୍‌ସା ଦୃଷ୍ଟିରେ ଦେଖିପାରେ ସେଇ କୁହୁଡ଼ି ଘେରା ସ୍ଵପ୍ନଭରା ସୁନେଲି ଦିନଗୁଡ଼ାକୁ ।

 

ରାଜମହଲର ରାଣୀ ସାହେବାଙ୍କ କୋଳରେ ବସି କଲିକତାରେ ବିଖ୍ୟାତ ଭୀମନାଗ ସନ୍ଦେଶ ଖାଇବା ସାଙ୍ଗେ ସାଙ୍ଗେ ଘୁମେଇ ପଡ଼ିଛି ରାଜା ସାହେବଙ୍କର ନିଜ ବ୍ୟବହାରରେ ଲାଗୁଥ‌ିବା ଶୁଭ୍ର ତୁଳିତଳ୍ପ ଉପରେ । କେତେବେଳେ ଗୋଟିଏ କାର୍‌ରେ ମୁଁ, ରାଜାସାହେବ, ରାଣୀସାହେବା, ଶ୍ରୀ ପଟ୍ଟନାୟକ ଏକାଠି ବସି ଯାଇଛୁ ଶିକାର କରି, ଆଠଗଡ଼ର ନିଘଞ୍ଚ ବନ ମଧ୍ୟକୁ ।

 

ପୁଣି କେତେବେଳେ ସେଇ କଅଁଳ ଅବସ୍ଥାରେ ବି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହିତ ଯୁକ୍ତିତର୍କ କରି କାନ୍ଦିପକେଇଲେ ନିଃସନ୍ତାନ ରାଜଦମ୍ପତ୍ତି; ଏ ଅଧମ ସନ୍ତାନକୁ କାଖରେ କାଖେଇ ନେଇ, ତାଙ୍କର ସ୍ଵର୍ଗୀୟ ବାତ୍ସଲ୍ୟ ମମତାରେ, ମୋର ମଥାରେ ସୁଖରେ ଆଙ୍କି ଦେଇଛନ୍ତି ସ୍ନେହ ଚୁମ୍ବନ ।‍

 

କଲିକତାର ପ୍ରେକ୍ଷାଳୟ ମିନର୍ଭା, ରଙ୍ଗମହଲ, ନାଟ୍ୟନିକେତନ, ଷ୍ଟାର, ମେଟ୍ରୋ, ଲାଇଟ୍‌ ହାଉସ୍‌ରେ ରୁମାଲରେ ପେସ୍ତା, ଖିସ୍‌ମିଶ୍‌ ଧରି ଉପଭୋଗ କରିଛୁଁ ଅଭିନୟ ଓ ଚଳଚ୍ଚିତ୍ର ।

 

ମାସ ମାସ ଧରି କଲିକତାରେ ଠଣ୍‌ଠଣିଆରେ ବିରାଟ କୋଠାଘର ଭଡ଼ା ନିଆଯାଇ ଗୋଟାଏ ଟାକ୍ସିକୁ ସବୁ ସମୟପାଇଁ ରଖାଯାଇ ପଲାଉ, ଅଣ୍ଡାପୁଣ୍ଡି, ଫଳପୁଣ୍ଡି, ମୁରଗୀ ରୋଷ୍ଟ ଓ କରୀ ଖାଇ, ଇସ୍ତ୍ରୀକରା ଧୋତି ପଞ୍ଜାବୀ ପିନ୍ଧି କୁବେରପୁରୀର ଐଶ୍ଵର୍ଯ୍ୟ ଭୋଗ କରିଛୁଁ ।

 

ସେଠାରେ ସବୁଦିନ ରାଜାସାହେବଙ୍କର ଧୋତିକୁ କୁଞ୍ଚ ଓ ପଞ୍ଜାବୀକୁ ଇସ୍ତ୍ରୀ କରିବାକୁ ଆମ ପାଖରେ ରହିଥାନ୍ତି ‘ଭାଇଗାଭାଇ’ । ଲମ୍ବା ଚଉଡ଼ା ମରଦ । ଭେଣ୍ଡା ବୟସ ତାଙ୍କର । ରାଜାଙ୍କ ସେବାକାରୀ ସେ । କର୍ମ ତାଙ୍କରି କ୍ଷୁଦ୍ର ହେଇପାରେ; ମାତ୍ର ହୃଦୟ ତାଙ୍କର ଖୁବ୍‌ ବଡ଼ ।

 

ଆଗକାଳରେ ଓଡ଼ିଶାର ଯୋଉ ସବୁ ସମ୍ଭ୍ରାନ୍ତ ବଂଶୀୟା ମହିଳା ଆଧୁନିକା ବୋଲି ସମାଜରେ ଗଣାଯାଉଥିଲେ, ସେମାନଙ୍କର ବେଶ ପରିପାଟୀରେ ଆଉ ଯାହା ଥାଉନା କାହିଁକି ପାତାପକେଇ ମଥା ବାନ୍ଧିବା ରୁଚି ପ୍ରାୟ ସମସ୍ତଙ୍କର ସମାନ ଥିଲା I

 

ଆଠଗଡ଼ର ରାଣୀ ସାହେବା, ହିନ୍ଦୋଳ ରାଜାଙ୍କ କନ୍ୟା ମଧ୍ୟ ପାଦରେ ସୁବର୍ଣ୍ଣ ପା’ପଦ୍ମ ବ୍ୟବହାର କରିବା ସଙ୍ଗେ ସଙ୍ଗେ ମଥାରେ ପାତା ପକେଇ ଖଲାସି ଭିଡ଼ୁଥିଲେ । ସମସ୍ତ ସୁଖ ସମ୍ପଦରେ ପରିପୂର୍ଣ୍ଣା ଥିଲେ ମଧ୍ୟ ଜନନୀ ହେବାର ଆଶାନେଇ ଅନ୍ତଃପୁରରେ ପ୍ରାୟ ଅଧିକାଂଶ ସମୟରେ ସେ ଚିନ୍ତତା ଥିଲାପରି ମନେ ହେଉଥିଲେ । ଯେତେବେଳେ ଯୋଉ ପିଲାଙ୍କୁ ଦେଖୁଥିଲେ, ରଙ୍କନିଧି କରି କ୍ଷଣକ ପାଇଁ ହେଲେ ବି ପାଖରେ ବସେଇ ବାତ୍ସଲ୍ୟ ମମତା ଦେଇ ଆଦର ଯତ୍ନ କରୁଥିଲେ ।

 

ଆଠଗଡ଼, ମୋର ଜନ୍ମଭୂଇଁଠାରୁ ଯାହାକୁ ମୁଁ ଆହୁରି ପବିତ୍ର ବୋଲି ମନେ କରୁଥିଲି, ଯାହାର ମାଟି, ପାଣି, ପବନ ମୋର ଗାଁ ମାଟି, ପାଣି, ପବନଠାରୁ ଥିଲା ମହୀୟାନ୍‌ ସେଇ ଆଠଗଡ଼ ମୋତେ ଦେଇଛି ଅଭିନେତା ହେବାପାଇ ସର୍ବଶ୍ରେଷ୍ଠ ପ୍ରେରଣା । ସେଇ ଆଠଗଡ଼ ମୋ ପରି ଏକ ଦରିଦ୍ର, ଏକ ଅକିଞ୍ଚନ ଭାଗ୍ୟରେ ଆଣିଛି କେତୋଟି ମାସ ପାଇଁ ରାଜଭୋଗର ସୁବର୍ଣ୍ଣ ସୁଯୋଗ । ସେଥିଲାଗି ସେଠାକାର ସବୁ ମଣିଷ ମୋ’ ନିକଟରେ ବନ୍ଦନୀୟ ।

 

ବେଶ୍‌ ହସ ଖୁସିରେ, ସୁଖମୟ ପରିବେଶରେ, ସେଇ ଆଠଗଡ଼ ଗଡ଼ରେ ଆରମ୍ଭ ହେଲା ଅଭିନୟ । ମାତ୍ର ଏଠାରେ ଆମେ ଆଉ ଶ୍ରୀରାଧାରମଣ ରାସ ଉତ୍ସବ ନାମଟାକୁ ପ୍ରଚାରରେ ବ୍ୟବହାର କରିନଥିଲୁ କିମ୍ବା ନୂଆ ଦଳ ହିସାବରେ କୌଣସି ନୂଆ ନାମକରଣ ମଧ୍ୟ କରାଯାଇନଥିଲା । କେବଳ ପ୍ରଚାରପତ୍ରରେ କାଳୀବାବୁଙ୍କ ‘ବନବିହାର’, ‘କୌତୁକ ଚିନ୍ତାମଣି’ ଇତ୍ୟାଦି ବୋଲି ଲେଖାଯାଉଥିଲା ।

 

ଅଭିନୟ ଦର୍ଶନରେ ଗଡ଼ର ଶିକ୍ଷିତ ସମ୍ପ୍ରଦାୟ ଯେ ଅତ୍ୟନ୍ତ ମୁଗ୍ଧ ଓ ପ୍ରଭାବିତ ହେଇଥିଲେ, କହିବା ବାହୁଲ୍ୟମାତ୍ର; କାରଣ ଦେଖିବାର ସୁଯୋଗ ସେଇମାନେ ହିଁ ପାଇଥିଲେ । ଗଡ଼ର ସାଧାରଣ ଜନତା କିନ୍ତୁ ସେ ସୁଯୋଗରୁ ବଞ୍ଚିତ ହୋଇ ଖୋଜି ବୁଲୁଥିଲେ ମଉକା । ହେଲେ ସମ୍ଭବ ନ ଥିଲା । ରାଜା ସାହେବଙ୍କର ପ୍ୟାଲେସ୍‌ ଭିତରେ ବରାଦି ଅଭିନୟକୁ ବେଶିଲୋକ ଦେଖିପାରିବା ଭଳି ଏଡ଼େ ସ୍ଥାନ ବା କାହିଁ ?

 

ତଥାପି ଆମର ଆଶା ଓ ଉତ୍ସାହ ମନରେ ପୂର୍ଣ୍ଣମାତ୍ରାରେ ରହିଥିଲା ଯେ ଆଠଗଡ଼ର ଜନସାଧାରଣଙ୍କର ଅଭିନୟ ଦେଖିବା ପ୍ରତି ଯୋଉ ପରିମାଣର ଆଗ୍ରହ ରହିଛି, ଭବିଷ୍ୟତରେ କେବେ ସୁଯୋଗ ମିଳିଲେ ପୁଣିଥରେ ଆସି ସେମାନଙ୍କର ସେ ଆଶାକୁ ପୂର୍ଣ୍ଣ କରିବା ସାଙ୍ଗେ ସାଙ୍ଗେ ନିଜର ଆର୍ଥିକ ସମସ୍ୟାର ଅନେକଟା ସମାଧାନ କରିପାରିବୁ ।

 

ଆଠଗଡ଼ରୁ ବିଦାୟ ନେଲାବେଳକୁ ଆମର ଅବସ୍ଥା ବେଶ୍‌ ସ୍ୱଚ୍ଛଳ ହେଇ ଯାଇଥିଲା । ଦଳଟି କିଛିଦିନ ତଳେ ଯୋଉଭଳି ବିକଳାଙ୍ଗ ହୋଇ ରହିଥିଲା, ତାହା ସେଠାରେ କେତେଗୁଡ଼ିଏ ଦିନଭିତରେ ପୂର୍ଣ୍ଣତା ଲାଭ କରିଥିଲା । ରାଜାସାହେବ ତଥା ଗଡ଼ର ଅନ୍ୟାନ୍ୟ ଉଚ୍ଚପଦସ୍ଥ କର୍ମଚାରୀ ଏବଂ ବିଭିନ୍ନ ରସଗ୍ରାହୀ ଦର୍ଶକ ମଣ୍ଡଳୀଙ୍କର ଅକୁଣ୍ଠିତ ସ୍ନେହ ଓ ଯତ୍ନ ଫଳରେ ଏହା ହୋଇଥିଲା ସମ୍ଭବ ।

 

ତାପରେ ସଦଳବଳେ ବାହାରିଲୁ ନରସିଂହପୁର ଗଡ଼କୁ । ବାଟରେ ତିଗିରିଆ, ବଡ଼ମ୍ବା ରାଜ୍ୟ ଡେଇଁଲେ ନରସିଂହପୁର ଗଡ଼ ।

 

ଏକଥା ଧୃବସତ୍ୟ ଯେ ଗଡ଼ଜାତର ଏଇସବୁ ରାଜା, ମହାରାଜାମାନେ ହିଁ କଳା ଓ କଳାକାର ପ୍ରତି ସେ ସମୟରେ ସମ୍ମାନ ଓ ସାହାଯ୍ୟ କରିବାରେ ଯେଉଁ ଅଯାଚିତ ଆଗ୍ରହ ଦେଖଉଥିଲେ, ସେଇସବୁ ସାହାଯ୍ୟକୁ ଯଦି କଳା ଅନୁଷ୍ଠାନର କର୍ମକର୍ତ୍ତାଗଣ ଅନ୍ତତଃ କିଞ୍ଚିତ ପରିମାଣରେ ଅନୁଷ୍ଠାନର ମଙ୍ଗଳପାଇଁ ଉଚିତ୍‌ ମାର୍ଗରେ ବିନିଯୋଗ କରିଥାନ୍ତେ ତେବେ ହୁଏତ ଓଡ଼ିଶାର କଳା ଅନୁଷ୍ଠାନଗୁଡ଼ିକ ତାର ବିକାଶ ପଥରେ ଆଗେଇ ଯାଇ ଦୀର୍ଘଦିନ ତିଷ୍ଠି ରହିବାକୁ ସକ୍ଷମ ହେଇଉଠିଥାନ୍ତେ । କିନ୍ତୁ ତାହା ହେଇ ନାହିଁ ।

 

ଏହା ପୂର୍ବରୁ ଆପଣମାନଙ୍କୁ ସଂକ୍ଷିପ୍ତ ହେଲେବି ଆଭାସ ଟିକିଏ ଦେଇଛି, ପୁଣି ଆଉ ଥରେ ଦେଉଛି ମଧ୍ୟ ।

 

ରାଜା, ମହାରାଜାଗଣ କେବଳ କଳାକୁ ଯେ ଉତ୍ସାହ ଓ ସମ୍ମାନ ଦଉଥିଲେ ସେ କଥା ନୁହେଁ । ତା’ ସହିତ ଦେଉଥିଲେ ପ୍ରଚୁର ଅର୍ଥ ସାହାଯ୍ୟ । ମୋର ନିଜର ଅନୁଭୂତିରୁ କହୁଛି, ସେଇ ଅର୍ଥକୁ ଅନୁଷ୍ଠାନରେ ତଥାକଥିତ କର୍ମକର୍ତ୍ତା ବା ମାଲିକ, ଅନୁଷ୍ଠାନରେ ନ ଖଟେଇ ଖଟଉଥିଲେ ନିଜର ପରିବାରରେ ବା ସଞ୍ଚୟ ଜମାରେ ।

 

ଆଉ ଗୋଟିଏ କଥା ହେଲା, ଟଙ୍କାପଇସା ସାହାଯ୍ୟ ଛଡ଼ା ରାଜା, ମହାରାଜାଗଣ ଅନେକ ସମୟରେ ବିଭିନ୍ନ କଳା ଅନୁଷ୍ଠାନକୁ ତାଙ୍କ ରାଜ୍ୟକୁ ଡକେଇ ଯୋଉ ପରିମାଣର ରସଦ ଯୋଗାଉଥିଲେ, ସେଇ ରସଦସବୁ ଖର୍ଚ୍ଚ ନ ହୋଇପାରି ଅନୁଷ୍ଠାନ ହାତରେ ଏତେ ପରିମାଣର ବଞ୍ଚିଯାଉଥିଲା ଯେ ସେ ସ୍ଥାନ ଛାଡ଼ିଲାବେଳକୁ ହୁଏତ ଆଉ ଅଧିକ ଖଣ୍ଡେ ଦୁଇଖଣ୍ଡ ଗାଡ଼ିର ବ୍ୟବସ୍ଥା କରିବାକୁ ପଡ଼ୁଥିଲା ।

 

ସେଇ ରସଦ ବା ଖାଦ୍ୟପଦାର୍ଥ ଅନୁଷ୍ଠାନର ପ୍ରଧାନ କାର୍ଯ୍ୟାଳୟରେ ଚାଳିଶ ଜଣିଆ ଦଳକୁ ସୁରୁଖୁରୁରେ ବର୍ଷା ଚାରିମାସ ବଞ୍ଚେଇ ନିଅନ୍ତା । କିନ୍ତୁ ତାହା ପ୍ରାୟ କର୍ମକର୍ତ୍ତାଙ୍କ ବ୍ୟକ୍ତିଗତ କାମରେ ଖର୍ଚ୍ଚ ହେଉଥିଲା । ଶୁଖିଲା ଖଜା ଓ ଲଡ଼ୁ, ସନ୍ଦେଶ ମଧ୍ୟ ବନ୍ଧାବନ୍ଧି ହୋଇ ସ୍ଵତନ୍ତ୍ର ଲୋକ ହାତରେ ପଠେଇ ଦିଆଯାଉଥିଲା ନିଜଘରକୁ ।

 

ଆଜି ଓଡ଼ିଶାରେ ଭଲଭଲ କଳା ଅନୁଷ୍ଠାନ ଭାଙ୍ଗିପଡ଼ିବା ମୂଳରେ ସାଧାରଣତଃ ଏଇ ଧୂର୍ତ୍ତ ମାଲିକ, ପରିଚାଳକ ଓ କର୍ମକର୍ତ୍ତାଗଣ ହିଁ ଦାୟୀ । ସେକାଳରେ, ଏକାଳରେ, ସବୁକାଳରେ ଏମାନେ ସ୍ଵାର୍ଥସିଦ୍ଧି ଲାଗି କୁହନ୍ତି ଦୁଇ ଦୁଇଟା କଥା । ମୁହଁରେ ଗୋଟାଏ କଥା ଏବଂ ପେଟରେ ଗୋଟାଏ କଥା । ଏମାନେ କଳାକାରଙ୍କୁ ଦିଅନ୍ତି ଦୋଷ ଓ କଳାକାରଙ୍କ ଭିତରେ ମତଭେଦ କରେଇ ଫାଇଦା ଉଠାନ୍ତି ନିଜର । ଏମାନେ ଭାଇ ରୂପରେ, ବନ୍ଧୁ ରୂପରେ, ମାଲିକ ରୂପରେ, ଗୁରୁ ରୂପରେ ବଡ଼ବଡ଼ କଥା କହି ପାଣିରେ ସରପକେଇ ପାରନ୍ତି । ନିରୀହ, ସରଳ କଳାକାରକୁ ବୁଦ୍ଧିବଳରେ ଶୋଷଣ କରି, କରନ୍ତି ଦାଣ୍ଡର ଭିକାରୀ ।

 

କହନ୍ତୁ ତ, ଓଡ଼ିଶାର କଳାକାର ଏତେ ହୀନ ଓ ଦରିଦ୍ର କାହିଁକି ? ରାଜା, ଜମିଦାର ଏମାନଙ୍କୁ କ'ଣ କିଛି ଦଉ ନ ଥିଲେ ? ଓଡ଼ିଶାର କଳାପ୍ରିୟ ଦର୍ଶକମାନଙ୍କର କଳା ପ୍ରତି କ’ଣ କିଛି ଅବଦାନ ନ ଥିଲା ? ତେବେ କାହିଁକି ?

 

ଓଡିଶାର ଧନୀ, ଦରିଦ୍ର ଯେ ଯୋଉ ପରିବେଷ୍ଟନୀରେ ଥାଉନା କାହିଁକି ପ୍ରତ୍ୟେକ ନିଜ ନିଜର ଶକ୍ତିକୁ ଲକ୍ଷ୍ୟରଖି ଅର୍ଥ ଓ ଉତ୍ସାହ, ଯାହାର ଯେତିକି ଯାହା ଦବାର କଥା ଦେଇଛନ୍ତି; ହେଲେ ମଧ୍ୟସ୍ତ ଦଲାଲ ଭଳି ଏଇ ନିଷ୍ଠୁର, ସ୍ଵାର୍ଥପର, ଅର୍ଥଲୋଭୀ, କାପୁରୁଷ ଦଳ ସେସବୁକୁ ମଝିରୁ ମାରିନେଇ ପୃଷ୍ଠପୋଷକମାନଙ୍କ ମନରେ ଭ୍ରାନ୍ତଧାରଣା ସୃଷ୍ଟି କରିଛନ୍ତି ଯାହାଫଳରେ ଜନସାଧାରଣଙ୍କ ମନରେ ଅଭିନେତାଙ୍କ ବିଷୟରେ ନାନାଦି କୌତୂହଳ ପ୍ରଶ୍ନ ଉଙ୍କି ମାରିଥାଏ ।

 

ମୋର ଏ ଉକ୍ତି କୌଣସି ଗୋଟିଏ ଗୋଷ୍ଠୀ ଉଦ୍ଦେଶ୍ୟରେ ନୁହେଁ । ସମଗ୍ର ମାନବ ଗୋଷ୍ଠୀ ଉଦ୍ଦେଶ୍ୟରେ ହିଁ ଉଦ୍ଦିଷ୍ଟ । ମନୁଷ୍ୟଠାରୁ ମୋର ପ୍ରିୟପାତ୍ର ଆଉ କେହି ଅଧିକ ନୁହନ୍ତି । କୌଣସି କାଠ, ପାଷାଣ ଦେବତାଠାରୁ ମୁଁ ଯେ ମଣିଷକୁ ବେଶି ପରିମାଣରେ ସ୍ନେହ ଓ ଶ୍ରଦ୍ଧା କରେ ଏଇଟା ମୋର ନିଜ ଅନ୍ତରର କଥା ଏବଂ ୟା ସାଙ୍ଗେ ସାଙ୍ଗେ ମୋର ଏକ ବଦ୍‌ଗୁଣ ହେଲା ଯେ ଯୋଉ ମଣିଷକୁ ମୁଁ ଏତେ ସ୍ନେହକରେ ଅଥଚ ସେଇ ମଣିଷକୁ ବେଳେବେଳେ ତାର ଅପ୍ରିୟ ସତ୍ୟକଥା କହି କଠୋର ସମାଲୋଚନା କରି ବସେ ମଧ୍ୟ ।

 

କଥାଟା ଯେତେ ଅପ୍ରିୟ ହେଲେ ମଧ୍ୟ ଯଦିଚ ସେଥ‌ିରେ ଅଣୁମାତ୍ରାରେ ସତ୍ୟତା ଥାଏ ତାହା ମୋ ନିକଟରେ ଅତି ମୂଲ୍ୟବାନ୍‌ । ଅବଶ୍ୟ ମୋର ସେହି ସମାଲୋଚନା କାହାରି ପ୍ରତି ଆକ୍ରୋଶମୂଳକ ମନୋଭବ ପୋଷଣପୂର୍ବକ ନୁହେଁ, କେବଳ ସେହି ସମାଲୋଚନାର ପାତ୍ରଙ୍କୁ ତାଙ୍କ କର୍ମ ବିଷୟରେ ସଚେତନ ଅଣେଇବାଲାଗି । ମୋର ଧାରଣା, କାହାକୁ ସମାଲୋଚନା କଲେ ତାଙ୍କର ମୋ ପ୍ରତି ଭଲ ଧାରଣା ଆସିବ କି ଖରାପ ଧାରଣା ଆସିବ ସେଇଟା ମୋ ନିକଟରେ ବଡ଼କଥା ନୁହେଁ, ବଡ଼କଥା ଏଇ ଯେ ସମାଲୋଚନାର ପାତ୍ର କାଳେ ତାଙ୍କ ଚରିତ୍ରର କିଛିଟା ମୋ କଥାରେ ସଂଶୋଧନ କରିନେଇ ପାରନ୍ତି । କିନ୍ତୁ କୁକୁର ଲାଙ୍ଗୁଡ଼ ବଙ୍କାପରି ସେମାନେ ଆଜି ଯାହା କାଲି ବି ତାହା ।

 

ମନରେ ଅନେକ ସମୟରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠେ ଯେ ଆମେ ଆମର ନିଜ ଚରିତ୍ରକୁ ନିଜେ ନ ସଜାଡ଼ି ପର ଚରିତ୍ର ଉପରେ ହସ୍ତକ୍ଷେପ କରୁ କାହିଁକି ? ଯାହା ନିଜ ପାଇଁ ସୁଖକର ତାହା ପର ପାଇଁ ଯେ ସୁଖକର ହେବ ଏକଥା ଚିନ୍ତା କରିବା ଭୁଲ୍‌ । ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ହାତେ ମାପି ଚାଖଣ୍ଡେ ଚାଲିଲେ ସୁଦ୍ଧା ଯଦି ଦୁର୍ଘଟଣା ଘଟିପାରେ ତେବେ କାହିଁକି ଅକାରଣରେ ଅନ୍ୟକୁ ସେ ଦୁଃଖ ବୋଝରେ ଭାଗିଦାର କରିବା ?

 

ଆମେ କଥାପ୍ରସଙ୍ଗରେ କହିପକାଉ, ମଣିଷ–ସାମାଜିକ ଜୀବ । ସମାଜରେ ଥିଲା ପର୍ଯ୍ୟନ୍ତ ସାମାଜିକ ରୀତିନୀତିକୁ ମାନି ଚଳିବାକୁ ପଡ଼ିବ ଏବଂ ନିଜର କୁଶଳ ପାଇଁ କିଛି କରିବାକୁ ବସିଲେ ସେଥିରେ ଅନ୍ୟ କାହାର ଯେମିତି କିଛି କ୍ଷତି ନ ହୁଏ ତା’ ଦେଖିବାକୁ ହବ । କହନ୍ତୁ ତ, ଆମ ଛାତିରେ ହାତ ରଖି ଆମେ କହିପାରିବା ଯେ ଏ କଥାକୁ କାର୍ଯ୍ୟକାରୀ କରୁ ଆମେ କେତେଜଣ ?

 

କିନ୍ତୁ ମୁଁ ଏହାକୁ କାର୍ଯ୍ୟକାରୀ କରିଛି । ଆପଣ ବିଶ୍ଵାସ ନ କରିପାରନ୍ତି; ମାତ୍ର ମୁଁ ବିଶ୍ଵାସ କରେ । ମୁଁ ଅନ୍ୟ ଆଖିକୁ ଠକିଦେଇପାରେ ହେଲେ ନିଜ ଆଖିକୁ ତ ଠକିପାରିବି ନାହିଁ । ଆଶ୍ଚର୍ଯ୍ୟର କଥା, ମୁଁ ଯାହାକୁ ଯେତିକି ନିଜର କରିଛି ସେ ମୋତେ ସେତିକି ପର କରିଛି । ମଣିଷ ମଣିଷ ଭିତରେ ବ୍ୟବଧାନକୁ ମୁଁ ଯେତିକି ଦୂରେଇ ଦବାକୁ ଚାହିଁଛି ସେ ବ୍ୟବଧାନ ସେତିକି ଟାଣୁଆ ହେଇ ମୋ ଆଗରେ ଦେଖାଦେଇଛି ।

 

ନରସିଂହପୁରରେ ଆମର ଅଭିନୟ ଚାଲିଥାଏ, ଦିନେ ଖବର ପହଞ୍ଚିଲା ବଡ଼ମ୍ବା ରାଜା ସାହେବଙ୍କ ନିମନ୍ତ୍ରଣ । ବୁଢ଼ା ରାଜା । ପୁରୁଣାକାଳିଆ ଲୋକ, କିନ୍ତୁ ହେଲେ କ’ଣ ହେବ ବଳରେ ପୂରାପୂରି ଭୀମ । ସେଠାକାର ଲୋକେ କହିବାର ଆମେ ଶୁଣିଛୁଁ, ଦୁଇଟା ଦୁର୍ଦ୍ଦାନ୍ତ ଷଣ୍ଢ ଲଢ଼େଇକୁ ଭଣ୍ଡୁର କରିବାପାଇଁ, ଗୋଟାଏ ଷଣ୍ଢକୁ ଟେକି ଫିଙ୍ଗି ଦେଇଥିଲେ ଦଶହାତ ଦୂରକୁ ।

 

ବଳବାନ ଯେମିତି ରସିକତାରେ ମଧ୍ୟ ଠିକ ସେମିତି । ଏଇ ରାଜାଙ୍କ ସମୟରୁ ବିଖ୍ୟାତ ପାଲା ଗାୟକ ତାରେଶ୍ଵର ମହାପାତ୍ର ସେ ଅଞ୍ଚଳରେ ଅତି ଲୋକପ୍ରିୟ ହେଇଥିଲେ । ପାଲା ଗାୟନବେଳେ ପରିଆ ମହାପାତ୍ରଙ୍କ ଅପୂର୍ବ ଗିନିବାଦନ ଯେମିତି ଶ୍ରୁତିମଧୁର ସେମିତି କଳାପୂର୍ଣ୍ଣ ।

 

ବଡ଼ମ୍ବାଗଡ଼ର ମୋହନ ସୁବୁଦ୍ଧି ଥିଲେ ଗଡ଼ର ପ୍ରାୟ ସବୁ ମହଲର ଖୁବ୍‌ ଜଣାଶୁଣା ଓ ସ୍ନେହୀ ମଣିଷ । ନାଟ, ଥିଏଟର ଦେଖିବା ହେଲା ୟାଙ୍କର ବଡ଼ ନିଶା । ପାଲା, ଦଣ୍ଡନାଟ, ଯାତ୍ରା, ରାହାସ ଯାହାହେଉନା କାହିଁକି ଦେଖିବାକୁ ବସିଲେ ରାତି ପାହିଗଲେ ବି ଉଠିବାକୁ ନାରାଜ । ରାଜାଙ୍କ ଭଳି ଶ୍ରୀସୁବୁଦ୍ଧି ଯେ କଳାର ସୁରକ୍ଷାଲାଗି ଅଜସ୍ର ଅର୍ଥଦାନ କରୁଥିଲେ, ସେ ବିଷୟରେ ଶୁଣିଛି ମୁଁ ଯେତିକି ନିଜ ଆଖିରେ ଦେଖିଛି ତା’ଠାରୁ ଢେର ବେଶି ।

 

ବଡ଼ମ୍ବାଗଡ଼ର ରାଜଦାଣ୍ଡରେ, ରାଜବାଟୀ ଦିଗକୁ ଲକ୍ଷ୍ୟକରି ଠିଆହେଲେ ବାମପଟକୁ ପଡ଼େ ଶ୍ରୀ ମୋହନଚରଣ ପଟ୍ଟନାୟକଙ୍କ ଘର । ରାଜାଙ୍କ ପେସ୍କାର । ଆମମାନଙ୍କର ବଡ଼ମ୍ବାଗଡ଼କୁ ଯିବା ପୂର୍ବରୁ ତାଙ୍କର ଦେହାନ୍ତ ହେଇଯାଇଥିଲା । ବଡ଼ପୁଅ ଅମ୍ବିକା ଚରଣ ପଟ୍ଟନାୟକ ବାପାଙ୍କର ସେଇ ପୁରୁଣା କାମରେ ରହିବା ପାଇଁ ରାଜାଙ୍କୁ ସୁପାରିଶ କରାଯାଇଥାଏ ।

 

ଏଇ ବଡ଼ମ୍ବାଗଡ଼ରେ ଆମର ଅଭିନୟ ଚାଲିଥିଲାବେଳେ ଦିନେ ରାଜାସାହେବଙ୍କ ହାତୀରେ ବସି ଦେବୀପୀଠ ମହାମାୟା ଭଟ୍ଟାରିକାଙ୍କ ଦର୍ଶନରେ ବାହାରିଲୁ । ଜୀବନରେ ପ୍ରଥମଥର ପାଇଁ ଗଜ ଆରୋହଣ ଯେମିତି ଇନ୍ଦ୍ରପଦ ପାଇଲାପରି ଲାଗୁଥାଏ । ତା’ ସାଙ୍ଗକୁ ସେଦିନ ନୂଆକରି ଯୋତା ପିନ୍ଧିବା ମଧ୍ୟ ଆଉ ଏକ ଅମୂଲ୍ୟ ସଂପଦ ହାସଲ ହେତୁ ମନରେ ଆଣିଥାଏ ଗୋଟାଏ ବେପରୁଆ ଭାବ ।

 

ସେ ଯୋତା ଦାନ କରିଥାନ୍ତି ମୋତେ, ଅମ୍ବିକା ବାବୁଙ୍କ ତଳଭାଇ ଗୌରୀବାବୁ । ଖୁବ୍‌ ସ୍ନେହ କରନ୍ତି ସେ ମୋତେ । ଗଡ଼ରେ ଗୋଟିଏ ମନୋହରି ଦୋକାନ ତାଙ୍କର ଥାଏ ଏବଂ ସେ ଯୋତାହଳକ ବିକ୍ରିହେଇ ନ ପାରିବାରୁ ସମ୍ଭବତଃ ଦାନ କରିଦେଇଥିଲେ ।

 

ଲାଲ ରଙ୍ଗର । ଠିକ୍‌ ଲାଲରଙ୍ଗ ନୁହେଁ, ଗେରୁଆ ରଙ୍ଗର କାନ୍‌ଭାସ୍‌ ଯୋତା ହଳକ । ଫୁଲ୍‌ଯୋତା, ଗୋଡ଼କୁ ଅଳ୍ପ ଛୋଟ ହେଉଥିଲେ ବି ଦାତାଙ୍କର ଅଯାଚିତ ଦାନକୁ ପ୍ରତ୍ୟାଖ୍ୟାନ ନ କରି, ଜୀବନର ନୂଆ ସୁଯୋଗକୁ ଉପେକ୍ଷା ନ କରି ପିନ୍ଧିପକେଇଥିଲି ମୁଁ ।

 

ବାପ୍‌ରେ ବାପ୍‌ । ବର୍ଷାଦିନ ଆସିଯାଇଥିଲେ ବି ବର୍ଷା ନ ହେଇ ପ୍ରବଳ ଗରମ ପଡ଼ିଥାଏ-। ବଡ଼ମ୍ବାଗଡ଼ରୁ ଦେବୀ ଭଟ୍ଟାରିକାଙ୍କ ପାଖକୁ ଯାଇ ପୁଣି ଫେରିଆସିଲା ବେଳକୁ ଗୋଡ଼ର ପାଦ ଦୁଇଟା ବ୍ରାହ୍ମଣୀ ବେଙ୍ଗ ପରି ଫୁଲିଉଠି ଯୋଉ ଦାରୁଣ ଯନ୍ତ୍ରଣା ଜାତ ହେଉଥାଏ, ସେଥ‌ିରେ ପ୍ରାଣ ମୋର କଣ୍ଠାଗ୍ରତ । ହାତୀରୁ ତଳକୁ ଓହ୍ଲେଇ ବସାରେ ମୋର ସାଙ୍ଗସାଥୀଙ୍କୁ ସେ ଅପୂର୍ବ ବେଶକୁ ଦେଖେଇବା କିମ୍ବା ରାଜଦର୍ପରେ ଯାଇ ମା’ ଭଟ୍ଟାରିକାଙ୍କର ଯେଉଁ ଦର୍ଶନ ମିଳିଲା ସେ ବିଷୟରେ ଅବା ମହାନଦୀର ସେଇ ଦନ୍ତୁରିତ ତଟ ଭୂମିରେ ପର୍ବତର ପାଦଦେଶରେ ମନ୍ଦିରର ଅପରୂପ ଦୃଶ୍ୟ ଦର୍ଶନର ଶୋଭା ବର୍ଣ୍ଣନା କରିବା–କଠିନ ବ୍ୟାପାର ଥିଲା I ଗୋଡ଼ଦୁଇଟା ପାଦେ ସୁଦ୍ଧା ଚାଲିବାକୁ ନାରାଜ । ଲଥ୍‌କରି ବସିପଡ଼ି ଯୋତା ହଳକ କାଢ଼ି ପକେଇବାକୁ ବାର ସହିଲା ନାହିଁ ।

 

ଗୋଇଠି ଯୋଡ଼ାକରେ ଦୁଇଟା ବଡ଼ବଡ଼ ଫୋଟକା । ଦେହ ଥରୁଥାଏ । ଗମ୍‌ଗମ୍‌ ହେଇ ଝାଳ ବୋହିଯାଉଥାଏ । ଦାନ୍ତକୁ ଚିପି ମନକୁ ମୋର ବୁଝଉଥାଏ, କଷ୍ଟ ସହିଲେ କୃଷ୍ଣ ମିଳିବେ ।

 

ଯାହାହେଉ, ବଡ଼ମ୍ବାରେ ଅଭିନୟ ପ୍ରଦର୍ଶନରେ ଆମେମାନେ ସେମିତି କିଛି ବଡ଼ଧରଣ ବିପଦର ସମ୍ମୁଖୀନ ହେଇନଥିଲୁ । ମଝିରେ ଗୋଟିଏ ଦୁଇଟି ଦିନ ବର୍ଷା ବତାସ ଆସିଥିଲେ ମଧ୍ୟ ଲୋକସାନର ମାତ୍ରା ସେତେଟା ଖରାପ ନ ଥିଲା । ଗଡ଼ର ସମସ୍ତଙ୍କ ଠାରୁ ସ୍ନେହ ସହାନୁଭୂତି ପାଇ ବାହାରିଲୁ ତିଗିରିଆ ଗଡ଼ । ଆଶା ଥିଲା ହୁଏତ କେଇଟି ଦିନ ସେଠାରେ ଅଭିନୟର ବ୍ୟବସ୍ଥା ହେଇଯିବ, ହେଲେ ତାହା ସମ୍ଭବ ହେଇ ପାରି ନଥିଲା । ଏଥ‌ିପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଯେ ରାଜାଙ୍କ ସହ ସାକ୍ଷାତ କରିନଥିଲେ, ତା’ନୁହେଁ । କୌଣସି ଅନିବାର୍ଯ୍ୟ କାରଣବଶତଃ ଉଦ୍ୟମ ଆମର ବିଫଳ ହୋଇଥିଲା ।

 

ତାପରେ ଆଉ କୋଉଠି ସେ ଅଞ୍ଚଳରେ କ୍ୟାମ୍ପ୍‌ ପକେଇବାକୁ ମନ ନ ବଳେଇ, କେତେଜଣଙ୍କର ପରାମର୍ଶ ଅନୁଯାୟୀ, ତାଳଚେର ଲାଇନ୍‌ ଛାଡ଼ି କଲିକତା ଲାଇନ୍‌ରେ, କପିଳାସ ରୋଡ଼୍‌ ଟାଙ୍ଗିରେ ଅଭିନୟ କରିବା ସ୍ଥିର ହେଲା ।

 

ଟାଙ୍ଗିରେ ହେଲା ବର୍ଷା ବଇରୀ । ଦିନମାନର ପ୍ରଚାର କାମ ଚଳେଇ, ସନ୍ଧ୍ୟାରେ ଟିକଟ ବିକ୍ରିକରି ଅଭିନୟ ଆରମ୍ଭ ସମୟକୁ ଆସେ ବର୍ଷା ଓ ପବନ । ବର୍ଷାପାଣିରେ ରଙ୍ଗୀନ୍‌ ପରଦାଗୁଡ଼ିକ ଫିଟଉ ଫିଟଉ ଦାଗ ହେଇଯାଏ । ବର୍ଷା ଯଦି ଅଳ୍ପ ସମୟ ଛାଡ଼ି ଯାଇ ଆକାଶ ନିର୍ମଳ ଦେଖାଯାଏ ତେବେ ପୁଣି ବାଜା ବଜେଇ ଆରମ୍ଭ ହୁଏ ନାଟକ । ଦିନେ ଦିନେ ଭଲ ଶୁଖିଲା ପାଗ ଯୋଗୁଁ ଯୋଉ ପସନ୍ଦିଆ ରୋଜଗାର ହେଇଯାଏ ତା’ଦ୍ଵାରା ଅନ୍ୟଦିନ ସହିଥ‌ିବା କ୍ଷତିକୁ କିଛି ଅଂଶରେ ଭରଣା କରିନିଏ ।

 

ଏହିଭଳି ପଡ଼ିଆ ଉଠିଆ ହେଇ ଟାଙ୍ଗିରେ କାର୍ଯ୍ୟକ୍ରମ ଆମର ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଶେଷ କରିବାକୁ ପଡ଼ିଥିଲା । ୟା ପରେ ପୁରୀକୁ ଫେରିବୁ ନାଁ ଆଗକୁ ବଢ଼ିବୁ ଏଇ କଥା ଠିକ୍‌ହେଲା ବେଳକୁ ଟାଙ୍ଗି ନିକଟ ଶାଳ ଗାଁରୁ ଦୁଇଦିନ ଅଭିନୟ ପାଇଁ ଡାକରା ଆସିଲା । ଶ୍ରୀଯୁକ୍ତ ପଟ୍ଟନାୟକ, ଦୁଇରାତି ପାଇଁ ଯାହା ମଳିଲେ ମଧ୍ୟ ସେଥ‌ିରେ ରାଜି ହେଇଗଲେ ଏବଂ ଦଳକୁ ପ୍ରସ୍ତୁତ ହେଇ ଶାଳ ଗାଁକୁ ଯିବାଲାଗି ବରାଦ କଲେ ।

 

ଶାଳ ଗାଁ ସହର ନୁହେଁ । କଟକ ଜିଲ୍ଲାର ଟାଙ୍ଗି ଥାନା ଅନ୍ତର୍ଗତ ପଲ୍ଲୀ ଗାଁ ଟିଏ । ଗାଁଟିରେ, ଅନ୍ୟାନ୍ୟ ପାଟକ ଅପେକ୍ଷା ଚାଷୀ ପରିବାର ଅଧିକ । କଟକ ସହର ଅଳ୍ପ ଦୂରରେ ଥିବାରୁ ଗାଁର ଲୋକମାନଙ୍କ ଉପରେ ଅନେକଟା ସଭ୍ୟତାର ଆଲୋକ ପଡ଼ି ପାରିଥିଲା । ଅନେକଙ୍କର ପ୍ରାୟ ସ୍ଵଚ୍ଛଳ ଅବସ୍ଥା । ସମସ୍ତଙ୍କ ଭିତରେ ଧନଶାଳୀ ଥିଲେ କରଣ ପରିବାର ଓ ଏଇମାନଙ୍କ ଅନୁରୋଧକ୍ରମେ ସେଠାରେ ଅଭିନୟ ଲାଗି ଶ୍ରୀ ପଟ୍ଟନାୟକ ରାଜି ହେଇଯାଇଥିଲେ ।

 

ଚୁକ୍ତି ଅନୁସାରେ ଶାଳ ଗାଁରେ ଦୁଇଦିନ ନାଟକ ପ୍ରଦର୍ଶନ ସାରି, ଆଉ ପୁରୀକୁ ନ ଫେରି ଚାଲିଲୁ ସିଧା ଡୋଲିପୁର (ଯାଜପୁର ରୋଡ଼)କୁ । ପାଖରେ ତ ଯଥେଷ୍ଟ ପୁଞ୍ଜି ଥିଲା, ଏଣୁ ସାହସ ବି ଥିଲା । ଆମର ଯଦିଚ ବର୍ଷା ଚାରିମାସ ପ୍ରଧାନ କାର୍ଯ୍ୟାଳୟରେ ରହିବାର କଥା, ତଥାପି ସେ ବର୍ଷ, ମନରେ ବଳନେଇ ଆଗକୁ ପଛକୁ କିଛି ନ ଭାବି, ଗୋଟିଏ ପରେ ଗୋଟିଏ ନୂଆ ସ୍ଥାନକୁ ଯାଇଥିଲୁ । ଶାଳଗାଁ ଛାଡ଼ିଲାବେଳେ ସେଠାରେ ସ୍ମୃତି ସ୍ଵରୂପ ଶ୍ରୀ ଗୋଲକଚନ୍ଦ୍ର ପ୍ରଧାନ ଆମ ଦଳରେ ଆସିଲେ I ଶ୍ୟାମଳ ବର୍ଣ୍ଣ, ଦେଖିବାକୁ ଅଳ୍ପ ଗେଡ଼ା ଓ ହୃଷ୍ଟପୁଷ୍ଟ । ସ୍ଵଭାବ ଭଲ । ସମସ୍ତଙ୍କ ସହିତ ମିଳିମିଶି ଚଳନ୍ତି ।

 

ଆଜିର ଡୋଲିପୁର ବା କେଉଁଝର ରୋଡ଼୍‌ ଷ୍ଟେସନ୍‌, ଅତୀତରେ ଏତେ ଉନ୍ନତ ଅବସ୍ଥାରେ ନ ଥିଲା । କିନ୍ତୁ ସେ ସମୟରେ ମଧ୍ୟ ବ୍ୟବସାୟୀ ଗୋଷ୍ଠୀ ଆଜି ଭଳି ବ୍ୟବସାୟର ଫନ୍ଦା ମେଲିଥିଲେ । କାରଣ ଉକ୍ତ ରେଳଷ୍ଟେସନ୍‌ଟି ଏଭଳି ଏକ ସ୍ଥାନରେ ଅବସ୍ଥିତ, ଆପଣ ଯେକୌଣସି ଅଞ୍ଚଳରୁ ଜିନିଷପତ୍ର ଆଣି କାରବାର କରିବାର ଏହା ହେଲା ଗୋଟିଏ ପେଣ୍ଠସ୍ଥଳ ।

 

ଯାଜପୁର, କେଉଁଝର, ଢେଙ୍କାନାଳ, ସୁକିନ୍ଦା ସବୁଆଡ଼କୁ ସଡ଼କର ସୁବିଧା । ତେବେ ଏସବୁ ସଡ଼କରେ କେବଳ କେଉଁଝର ଅଞ୍ଚଳକୁ ଶ୍ରୀ ଚକ୍ରଧର ମିଶ୍ରଙ୍କର ଯାତ୍ରୀବାହୀ ବସ୍‌ କେଇ ଖଣ୍ଡି ଚାଲୁଥିଲା, ତା’ ନ ହେଲେ ଅନ୍ୟ ଅଞ୍ଚଳକୁ ଯିବାକୁ ହେଲେ ଶଗଡ଼ର ଆଶ୍ରୟ ନେବାକୁ ପଡ଼େ-। ତେବେ ରାଜା, ଜମିଦାର ଓ ଧନୀ ଲୋକଙ୍କର କାଁ ଭାଁ ଖଣ୍ଡେ ଅଧେ ମଟର ଗାଡ଼ି ଯେ ଚାଲୁ ନ ଥିଲା ତା’ ନୁହେଁ ।

 

ଷ୍ଟେସନ୍‌ର ଖୁବ୍‌ ନିକଟରେ ଆମର ମଞ୍ଚ ପ୍ରସ୍ତୁତ ହେଲା । ଏଥ‌ିପାଇଁ ସ୍ଥାନୀୟ ବ୍ୟବସାୟୀ ଗୋଷ୍ଠୀଠାରୁ ଆରମ୍ଭକରି ଛୋଟ ବଡ଼ ପ୍ରାୟ ସବୁ ଗୋଷ୍ଠୀର ଲୋକମାନେ କାୟ–ମନ–ବାକ୍ୟରେ ସାହାଯ୍ୟ ସହାନୁଭୂତି ଦେଖେଇଲେ । ଭାଗ୍ୟବଳକୁ ଇନ୍ଦ୍ର ଦେବତା ବି ଅହନ୍ତା କରିନଥିଲେ ।

 

ଆମେମାନେ ବସାବାନ୍ଧି ଥାଉ ଷ୍ଟେସନ୍‌ଠାରୁ ଅଳ୍ପ ଦୂରରେ ଗୋଶାଳାପାଖକୁ ଗୋଟିଏ ଚାଳଘରେ । ଦିନରେ ରିହରସାଲ୍‌ ଏବଂ ସନ୍ଧ୍ୟା ହେଲେ ଅଭିନୟ । ପ୍ରଥମେ ସେଇ ଡୋଲିପୁରକୁ ଦେଖି ଧାରଣା ଜନ୍ମିଥିଲା ଯେ ଏମିତି ଗୋଟିଏ ଛୋଟ ଜାଗାରେ ଅଭିନୟ କଲେ ତାକୁ ଦେଖିବାକୁ ଲୋକ ଆସିବେ କୁଆଡ଼ୁ ? ମାତ୍ର ପ୍ରଥମ ରଜନୀରେ ସେ ଧାରଣା ଆମର ଭୁଲ୍‌ ବୋଲି ପ୍ରମାଣିତ ହୋଇଗଲା । ଦେଖାଗଲା ଖୁବ୍‌ ଦୂରସ୍ଥାନ ସୁକିନ୍ଦା, ଯାଜପୁରରୁ ମଧ୍ୟ ଶଗଡ଼ ଧରି ଛୁଟିଲେ ଲୋକ ।

 

ଧନ ଓ ମାନ ଉଭୟ ଆମର ଲାଭ ହେଲା । ତୁଣ୍ଡ ବାଇଦ ସହସ୍ର କୋଶ ପରି ୟା’ ଭିତରେ କାଳୀବାବୁଙ୍କ ରାସଦଳର ପ୍ରଶଂସା ପ୍ରାୟ ଓଡ଼ିଶାର ଅନେକ ଅଞ୍ଚଳକୁ ବ୍ୟାପି ଯାଇଥିଲା ।

 

ଶହ ଶହ ଲୋକ ଯେ ଚୁଡ଼ା ଚାଉଳ ଧରି ତୀର୍ଥ ପର୍ଯ୍ୟଟନ ଭଳି ପଇସା ଖର୍ଚ୍ଚକରି ଆମର ରାସ ଅଭିନୟ ଦେଖ‌ିବାକୁ ଆସୁଥିଲେ, ସେମାନେ ଜୀବନରେ କିଛି ସେମିତି ଦେଖି ନଥିଲେ ବୋଲି ଆସୁଥିଲେ–ସେ ଧାରଣା କରିବା ଭୁଲ୍‌ ହେବ । କଳାସମ୍ପଦରେ ପରିପୂର୍ଣ୍ଣା ଉତ୍କଳ ଜନନୀ, ଯୁଗେ ଯୁଗେ ବନ୍ଦିତା । କ’ଣ ନ ଥିଲା ତାଙ୍କର ? କ’ଣ ନାହିଁ ତାଙ୍କର ? ଉତ୍କଳର ଯେକୌଣସି ଅଞ୍ଚଳକୁ ଯାଆନ୍ତୁ ଆପଣ ଦେଖିବେ କଳାର ଭିନ୍ନ ଭିନ୍ନ ରୂପ ଓ କେତେକ ନୂତନତ୍ଵ । ଯାତ୍ରା ରାମଲୀଳା, ସଖୀନାଟ, ଗୋଟିପୁଅ, ବାଉଁଶ ରାଣୀ, ଦାସକାଠିଆ, ପାଲା, ରାଧା ପ୍ରେମଲୀଳା, କୃଷ୍ଣ ପ୍ରେମଲୀଳା, ଦଣ୍ଡନାଟ, ପାଟୁଆନାଟ, ଘୁମୁରାନାଟ, ଓଡ଼ିଶୀ କୀର୍ତ୍ତନ, ଘଣ୍ଟ ଓ ମର୍ଦ୍ଦଳ, ଖଞ୍ଜଣୀ ଭଜନ, କେନ୍ଦ୍ରାଗୀତ, ଛଉନାଟ, ଏକତାରା ଭଜନ, ଡାଲଖାଇ ନାଟ, ନାଗାନାଟ–ଏମିତି ଅନେକ ରୂପରେ ଆତ୍ମପ୍ରକାଶ କରିଛି କଳା ଏଇ ଉତ୍କଳ ଭୂଖଣ୍ଡରେ l

 

ହେଲେ ଦୁଃଖର ବିଷୟ ଆମର ଏଇସବୁ ପ୍ରାଚୀନତମ କଳାକୁ ଅବା କଳା ଅନୁଷ୍ଠାନକୁ ରୁଚିବନ୍ତ କରିବା ଲାଗି କୌଣସି ଚେଷ୍ଟା ବା ଯତ୍ନ ନାହିଁ । ଏଇ କାରଣରୁ ଆମର ଲୋକଗୀତ ବା ଲୋକନୃତ୍ୟ ଅସଂଯତ ଓ ତ୍ରୁଟିପୂର୍ଣ୍ଣ I

 

ଆମର ପାଲା, ଦାସକାଠିଆ, ଓଡ଼ିଶୀ କୀର୍ତ୍ତନ ଏ ସବୁଥିରେ ଦେଖିବେ ଅମେଳ, ଗୀତ ଅଲଗା, ବାଦ୍ୟ ଅଲଗା, ବେ’ସ୍ଵର, ବେ’ତାଳ । ବାୟକ ବା ଗାୟକ କେହି ଜଣେହେଲେ ଏଥପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ପ୍ରତ୍ୟେକ ଚାହାନ୍ତି ମୁଁ କେମିତି ଅନ୍ୟକୁ ବଳି ଯିବି । ଫଳରେ ତାହା ଶ୍ରୁତିମଧୁର ହେବା ତ ଦୂରର କଥା ବରଂ ସେସବୁ ହୁଏ ଗୋଳମାଳିଆ ।

 

ସଂଗୀତକୁ ଛାଡ଼ି ବାଦ୍ୟ ଯେପରି ନିରର୍ଥକ, ସେଇଭଳି ବାଦ୍ୟକୁ ନ ବଜେଇ ସଂଗୀତ ହେଇପାରେନା । ତେଣୁ ସଂଗୀତ ଗାୟନ କାଳରେ କିଏ କୋଉ ସୀମାରେ ରହିବେ ତାହା ବୁଝି ବିଚାରି ପରିବେଷଣ କଲେ ତାକୁ ଶୃଙ୍ଖଳିତ ସଙ୍ଗୀତ ବୋଲି କହିବାକୁ ହେବ ।

 

ଲକ୍ଷ୍ୟ କରିଥ‌ିବେ ପଡ଼ୋଶୀ ପ୍ରଦେଶକୁ, ସେମାନଙ୍କର ଲୋକଗୀତ ପରିବେଷଣକୁ । କେତେ ରୁଚିକର, କେତେ ସୁନ୍ଦର ସେସବୁ । ଆମେ ଆମର ଲୋକଗୀତ ପ୍ରତି ସେଇଭଳି ଯତ୍ନ ନେଲେ ନିଶ୍ଚିତ ଭାବରେ ଯେ ଆମର ଏସବୁ ଲୋକଗୀତ ବା ବାଦ୍ୟ ଶୃଙ୍ଖଳିତ ହେଇପାରିବ ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ସୁଖର କଥା ଆଜି ଆମର ଲୋକପ୍ରିୟ ସରକାର ଓ ଜନସାଧାରଣ ଏଇ କଳାପ୍ରତି ଅଳ୍ପହେଲେ ମଧ୍ୟ ଆଖି ଫେରେଇଛନ୍ତି; କିନ୍ତୁ ତାହା ଯଥେଷ୍ଟ ନୁହେଁ । କେବଳ ଏମାନଙ୍କୁ କିଛିକିଛି ଆର୍ଥିକ ସାହାଯ୍ୟ ଦେଇଦେଲେ ଯେ ଏମାନେ ତାଙ୍କର ଅଭ୍ୟାସକୁ ବଦଳେଇଦେବେ ତାହା ଭାବିବା ଠିକ୍‌ ହେବ ନାହିଁ ।

 

ମୋ’ମତରେ ରାଜ୍ୟସରକାର ଯଦି ବିଭିନ୍ନ ବିଶେଷଜ୍ଞଙ୍କ ଜରିଆରେ ଏସବୁ କଳା ଅନୁଷ୍ଠାନକୁ ସଜାଡ଼ିବାକୁ ଚେଷ୍ଟା କରନ୍ତେ ତେବେ ହୁଏତ ଆମର ସେଇସବୁ ଲୋକପ୍ରିୟ କଳା ଅନୁଷ୍ଠାନ ଆହୁରି ସୁନ୍ଦର ଓ ପ୍ରାଣବନ୍ତ ହୁଅନ୍ତା ।

 

ସେଇଥିଲାଗି କହୁଥିଲି କଳା କାଙ୍ଗାଳ ଜାତି ତାର ଯେତେ ଥିଲେ ବି, ଯେତେ ଦେଖିଲେ ବି, ଆହୁରି ଦେଖିବାକୁ ପାଗଳ ହେଇଉଠେ । ଦର୍ଶନୀ ଯେତେ ପଡ଼ୁ, ବାଟ ଯେତେଦୂର ହେଉପଛେ ।

 

ସେଦିନ ଦିନବେଳା ବସାରେ ଆମର ନୂଆ ବହିର ଅଭ୍ୟାସ ଚାଲିଛି ହଠାତ୍‌ ବିରାଡ଼ି କପାଳକୁ ଶିକା ଛିଡ଼ି ପଡ଼ିଲା ଭଳି ଡାକ ପିଅନ ଦୁଇଖଣ୍ଡି ଚିଠି ବାବୁଙ୍କୁ ଦେଇଗଲେ । ଦେଖୁ ଦେଖୁ କ’ଣ ନା ଦୁଇଆଡ଼ୁ ଏକାସାଙ୍ଗରେ ଡାକରା । ସୁକିନ୍ଦା ରାଜାଙ୍କ ନିମନ୍ତ୍ରଣ ସାଙ୍ଗେ ସାଙ୍ଗେ କେଉଁଝର ରାଜାଙ୍କର ମଧ୍ୟ ନିମନ୍ତ୍ରଣ ।

 

ସେ ନିମନ୍ତ୍ରଣ ଭଣ୍ଡୁର ହେବାର ନ ଥିଲା । କାରଣ ପ୍ରଥମେ ସୁକିନ୍ଦା ନିମନ୍ତ୍ରଣ ରକ୍ଷାକରି କେଉଁଝର ରାଜାଙ୍କ ନିମନ୍ତ୍ରଣ ରକ୍ଷାକରିବାକୁ ମଝିରେ ବେଶ୍‌ ଦୀର୍ଘଦିନର ବ୍ୟବଧାନ ରହିଛି ।

 

ଶୁଭ ଖବରଟା ପାଇ ଆଉ କି ସ୍ଥିର ହେଇ ବସେ ମନ ? ଯିବାପାଇଁ, ନିଜର ଲୁଗାପଟା, ପେଣ୍ଟ୍‌, ଜାମା ହାତରେ ସଫା କରିବାକୁ ଲାଗିଗଲୁ । ଗୋ’ଶାଳା ପୋଖରୀରେ ଖୋଲିଲା ଧୋବାତୁଠ ।

 

ଶ୍ରୀ ପଟ୍ଟନାୟକ ଆଦେଶ କରିଥାନ୍ତି ଦଳର ସବୁ ପିଲାମାନେ ଦୁଇଜଣ ହିସାବରେ ପାଳିକରି ଘର ଓଳେଇବା, ମସଲା ବାଟିବା, ପରିବା କାଟିବା, ଡେକ୍‌ଚି, କରେଇ ମାଜିବା କାମ ଆଦି ପ୍ରତିଦିନ କରିବେ । ଏଥିଲାଗି ରବିବାର ଦିନ କାହା ପାଳି ଏବଂ ସୋମବାର ଦିନ କାହା ପାଳି, ସେମାନଙ୍କ ନାମ ଲେଖାଯାଇ, କାଗଜ ବୋର୍ଡ଼, କାନ୍ଥରେ ଟଙ୍ଗା ଯାଇଥାଏ । କେହି କାହାକୁ କହିବା ଦର୍କାର ପଡ଼େ ନାହିଁ । ସକାଳୁ ଉଠିଲେ, ଠାକୁର ଦର୍ଶନ କରିବା ପୂର୍ବରୁ ପ୍ରଥମେ ପାଳି ତାଲିକା ଦେଖିବାକୁ ପଡ଼େ ।

 

ଡୋଲିପୁରରେ ଶେଷ ରଜନୀ ଘୋଷଣା କରାଯାଇ, ଛ’ସାତଖଣ୍ଡ ଶଗଡ଼ ଭଡ଼ାରେ ପାଇବାଲାଗି ଲୋକଙ୍କୁ ବରାଦ ଦିଆଗଲା ଓ ଅଭିନୟ ଶେଷକରି, ରାତାରାତି ଷ୍ଟେଜ୍‌ ଭାଙ୍ଗି, ଜିନିଷପତ୍ର ଗାଡ଼ିରେ ଲଦି, ସେଇ ରାତିରେ, ସୁକିନ୍ଦା ଯାତ୍ରା କରିବାକୁ ସବୁ ରକମର ବ୍ୟବସ୍ଥା କରାଗଲା ।

 

ପ୍ରାୟ ଅଧିକାଂଶ ସ୍ଥାନରେ ଆମର ଶେଷ ରଜନୀଟି ହସଖୁସିରେ କଟେ । ଅନେକ ଦୃଶ୍ୟରୁ ଗୀତ, କଥାସବୁକୁ ବାଦଦେଇ, ଡେଇଁଯିବାକୁ ପଡ଼େ । କାରଣ ନାଟକଟି ଚଞ୍ଚଳ ଶେଷ ନ କଲେ ବିଶେଷକରି ବର୍ଷାଦିନରେ ଅତି ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

 

ଆମର ସେ ଚାଲାଖିପଣିଆ, ଦର୍ଶକମାନେ ଯେ ଧରିପାରନ୍ତି ନାହିଁ ସେକଥା ନୁହଁ । ଶେଷ ରଜନୀ ବୋଲି, ସହାନୁଭୂତି ଦେଖେଇ, କ୍ଷମା ଦିଅନ୍ତେ ଆମକୁ କୌଣସି ପ୍ରତିବାଦ ନ କରି ।

 

ସେଦିନ ନିର୍ମଳ ଆକାଶ ତଳେ ଅଭିନୟ ସମାପ୍ତ କରି, ଡୋଲିପୁରବାସୀଙ୍କ ସ୍ନେହ ସହାନୁଭୂତି ଯୋଗୁଁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣେଇ, ସେଇ ତୋଫା ଜହ୍ନ ଆଲୁଅରେ ସୁକିନ୍ଦା ଗଡ଼କୁ ଆରମ୍ଭ କରିଥିଲୁ ଯାତ୍ରା ।

 

ସାତ ଖଣ୍ଡ ଶଗଡ଼ଗାଡ଼ି, ପ୍ରଥମ ଗାଡ଼ିରେ ଏବଂ ଶେଷ ଗାଡ଼ିରେ ଜଳୁଥାଏ ପେଟ୍ରୋମାକ୍ସ ହାରିକିନ୍‌ । ନାଲି ସଡ଼କ ଦୁଇପଟେ ଅନ୍ଧାରୁଆ ଘନ ଜଙ୍ଗଲ । ନିର୍ଜନ ନିଛାଟିଆ ବାଟରେ କେଁ ନାଁ ଶବ୍ଦ କରି ଶଗଡ଼, ବଳାଗଣ୍ଠିଏ ନାଲିଆ ଧୂଳି ଉପରେ ତା’ର ଚକଗୁଡ଼ାକ ଗଡ଼େଇ ଗଡ଼ିଯାଉଥାଏ ଆଗକୁ ଆଗକୁ ।

 

ଅଧରାତି । ଆମ ଭିତରୁ କେତେକ ଭୟରେ ଗାଡ଼ି ଭିତରେ ବସିଥିଲେ । ଆଉ ଆମେ କେତେକ ପିଲା ବଡ଼ ଖୋଳ, କରତାଳ ବଜେଇ, ଗୀତ ଗାଇ, ପାଦରେ ଚାଲୁଥାଉ ଗାଡ଼ିର ଦୁଇ ପଟେ । କ୍ଳାନ୍ତି ନ ଥାଏ, ଅବସାଦ ନ ଥାଏ । ଖୁବ୍‌ ନିକଟରୁ ବେଳେବେଳେ ବୁଢ଼ା ମାଙ୍କଡ଼ ଗଛ ଉପରୁ ଗର୍ଜନ କରିଉଠେ । ଚମକିପଡ଼ୁ ଆମେ, ବନ୍ଦ ହେଇଯାଏ ଗୀତ । ଅଭ୍ୟସ୍ତ ବଳଦଗୁଡ଼ାକ, ତାଙ୍କର ଦୁଇ ଦୁଇଟା କାନକୁ ଡେରିଦେଇ, ଆଗକୁ ଚାଲନ୍ତି ଠେଲାଠେଲି ହେଇ । ସୁନ୍ଦର ସେ ଅନୁଭୂତି । ଗାଡ଼ି ଭିତରୁ ବାବୁ ପାଟି କରି ଉଠନ୍ତି । ତଥାପି ଆମେ ଠରାଠରି ହୋଇ ଚାଲୁ ଆଗକୁ ।

 

ସୁକିନ୍ଦା ଜଙ୍ଗଲ ସେତେବେଳେ ବାଘ, ହାତୀଙ୍କ ପାଇଁ ଅତି ପ୍ରଶସ୍ତ କ୍ଷେତ୍ର ଥିଲା । ସେ ବାଟରେ, ଦିନରେ ମଧ୍ୟ ବାଘ ଓ ହାତୀର ଭେଟ ହେଇଯିବା କିଛି ଅସମ୍ଭବ ନ ଥିଲା । କେବଳ ନୂଆ ଉତ୍ସାହ ଆମକୁ ଆଗେଇ ନଉଥିଲା ସେଇ ଅପରିଚିତ ମୃତ୍ୟୁପଥରେ । ତା’ ନ ହେଲେ ଜାଣିବା ଶୁଣିବା ଲୋକ କଦାପି ଏ ଦୁଃସାହସ କରିବ ନାହିଁ ।

 

ହଠାତ୍‌ ଝଲ୍‌କାଏ କାଲୁଆ ପବନ ଆମର ମଥା ଉପର ଦେଇ ବହିଗଲା । ସାଙ୍ଗେ ସାଙ୍ଗେ ବଳଦଗୁଡ଼ାକ କେମିତି ଗୋଟାଏ ଗନ୍ଧ ପାଇ ଠିଆ ହେଇଗଲେ । ପ୍ରଥମେ କେହି ଆମେ କିଛି ତ ବୁଝିପାରିଲୁ ନାହିଁ । ଠିକ୍‌ ଏତିକିବେଳେ ଆମ ଆଗକୁ ପ୍ରାୟ ଶହେ ଗଜ ଦୂରରେ, ବାଁ ପଟ ଜଙ୍ଗଲରୁ ଗୋଟାଏ ହରିଣ ବାହାରି ପଡ଼ି ଏକା ଡିଆଁକେ ସଡ଼କ ଡେଇଁ ଡାହାଣପଟ ଜଙ୍ଗଲରେ ପଶିଗଲା ଏବଂ ତା’ ସାଙ୍ଗେ ସାଙ୍ଗେ ବିରାଟ ମହାବଳ ବାଘ ସେଇ ହରିଣର ପିଛାଧରି, ଗୋଟାଏ କୁଦାରେ ସଡ଼କ ଟପି ଛୁ’ ହେଲା ।

 

ଆଉ କି ଆମେ ସମ୍ଭଳା ପଡ଼ୁ ? ଗୋଡ଼ ତମାମ ହେମାଳ ହେଇଗଲା ପରି ଜଣାପଡ଼ିଲା-। ବିକଳରେ ଖୋଳ କରତାଳ ଧରି ଗାଡ଼ି ଭିତରେ ବସିପଡ଼ି ଚାହିଁ ରହିଲୁ ଆଗାମୀ ବିପଦକୁ-। ଅନେକ ସମୟ ପର୍ଯ୍ୟନ୍ତ ବଳଦ ଆଗକୁ ଯାଇନଥିଲେ । ସେ ଯେଉ ଭୟଙ୍କର ଅନୁଭୂତି ସେତେବେଳର, ଆଜି ସେକଥା ମନେପଡ଼ିଲେ ଛାତି ଥରିଉଠେ । ବାଘର ଆକ୍ରମଣ ବିଷୟରେ ଅନେକ କଥା ଆମେ ୟା’ପୂର୍ବରୁ ଶୁଣିଥିଲୁ, ବାଘ କୁଆଡ଼େ ପଛପଟୁ ଆକ୍ରମଣ କରେ । ସେଥ‌ିପାଇଁ ଆମେ ବେଶ୍‌ କିଛି ବେଳ ଯାଏ, ସେଇ ଜଙ୍ଗଲ ମଝିରେ ଠିଆ ହେଇ ରହିଲୁ ।

 

ତା’ପରେ ପୂର୍ବାବସ୍ଥା ଫେରିଆସିଲା । ଶଗଡ଼ଗାଡ଼ି ତା’ର ସ୍ଵାଭାବିକ ଗତିରେ ଆଗେଇବାକୁ ଲାଗିଲା ଏବଂ ଆଉ କୌଣସି ବିପଦ ବାଟରେ ଦେଖା ନ ଦେଇ ସୁରୁଖୁରୁରେ ରାତି ଜାଙ୍ଗୁଲୁ ଜାଙ୍ଗୁଲୁ ହେଲାବେଳକୁ ପହଞ୍ଚିଲୁ ସୁକିନ୍ଦାଗଡ଼ରେ ।

 

ଛୋଟ ରାଜ୍ୟଟିଏ । ବୁଢ଼ା ରାଜା ବଞ୍ଚିଥାନ୍ତି । ସଙ୍ଗୀତ, ନାଟକ ପ୍ରିୟ । ଏମିତି ନିଜର ତଥା ପ୍ରଜାମାନଙ୍କର ମନୋରଞ୍ଜନ ଲାଗି ରାସଦଳଙ୍କୁ ଡକେଇଥା’ନ୍ତି । ତା’ ନ ହେଲେ ଆଉ ବଡ଼ ଧରଣର ଉତ୍ସବ କିଛି ନ ଥିଲା ।

 

ଆମ ଦଳଟି ମଧ୍ୟ ଖୁବ୍‌ ମନଯୋଗ ସହକାରେ ଅଭିନୟଗୁଡ଼ିକ ପରିବେଷଣ କରି, ସୁକିନ୍ଦାର ଜନସାଧାରଣଙ୍କର ବେଶ୍‌ ମନକୁ କିଣି ପାରିଥିଲା । ସମସ୍ତଙ୍କ ନିକଟରେ ମୁଁ ହେଇଥିଲି ଏକ ଆଦରର ପାତ୍ର । ରାତି ପାହିଲେ ଶୁଣା ଯାଉଥିଲା, ମଧୁମଙ୍ଗଳ ଭୂମିକାର, ପଦେ ଦୁଇପଦ ଲୋକପ୍ରିୟ ଗୀତର ଆବୃତ୍ତି ।

 

ସେଠାକାର ଜନସାଧାରଣ ସରଳ ଓ ଶାନ୍ତ ସ୍ଵଭାବର । ହେଲେ, ବେଶ ପୋଷାକରେ ମଳିନତା ବିଦ୍ୟମାନ । ପରସ୍ପର କଥାବାର୍ତ୍ତା ସମୟରେ, ଅବା କୌଣସି ଅପରିଚିତ ଲୋକ ସହିତ ମିଶିବା ସମୟରେ, ମନରେ କାହିଁକି କେଜାଣି ସେମାନଙ୍କର କିଛି ଟିକିଏ ଭୟର ଚିହ୍ନ ଥିଲାପରି ଅନୁମାନ କରୁ ଆମେ ।

 

‘ଶିରପାଣି ଭାଇନା’–ସେଇ ସୁକିନ୍ଦାଗଡ଼ର ଲୋକ । ଲୋକ ହିସାବରେ ଅତ୍ୟନ୍ତ ଭଦ୍ର । ଖଦଡ଼ପ୍ରିୟ । ଅନେକ ଗପ, କାହାଣୀ ତାଙ୍କ ପେଟ ଭିତରେ । ସେଇ ସୁକିନ୍ଦାରୁ ସେ ଆମ ଦଳରେ ଆସିଥିଲେ । ଅନେକ ଦିନ ମଧ୍ୟ ଆମ ସାଥୀରେ ସେ ବୁଲିଛନ୍ତି । କଷ୍ଟ ସହିଛନ୍ତି । ବିଶେଷକରି, ବିଭିନ୍ନ ଶାସ୍ତ୍ର ପୁରାଣର ସୁନ୍ଦର ଉପାଖ୍ୟାନମାନ କହି ମୋର ବ୍ୟକ୍ତିଗତ ଜ୍ଞାନ ବଢ଼େଇବା ଦିଗରେ ଖୁବ୍‌ ସାହାଯ୍ୟ କରିଛନ୍ତି ସେ ।

 

ଅଭିନୟ ଶେଷ କରି ସୁକିନ୍ଦାରୁ ବାହୁଡ଼ିଲାବେଳେ ଆମମାନଙ୍କ ପାଇଁ ରାଜାଙ୍କର ପାରିତୋଷିକ ଖୁବ୍‌ ବଡ଼ ଧରଣର ନ ହେଲେ ମଧ୍ୟ ନଗଣ୍ୟ ବୋଲି କୁହାଯାଇ ନ ପାରେ ।

 

ଠିକ୍‌ ସେମିତି ଚନ୍ଦ୍ର ରାତ୍ରି, ଠିକ୍‌ ସେଇ ଏକାପରି ପରିବେଶ ଘେନି, ଛାଡ଼ିଲୁ ସୁକିନ୍ଦାଗଡ଼-। କିନ୍ତୁ ଯାତ୍ରା ଥିଲା ନିର୍ବିଘ୍ନ । ଶ୍ଵାପଦସଙ୍କୁଳ ସୁକିନ୍ଦାର ବନପଥ ଥିଲା ସେଦିନ ପାଇଁ ଶାନ୍ତ, ବିପଦମୁକ୍ତ; ହିଂସ୍ରଜନ୍ତୁ ତ ଦୂରର କଥା, କୌଣସି ଗୋଟିଏ ପକ୍ଷୀ ସ୍ଵନ ମଧ୍ୟ ଆମର ଶ୍ରୁତିଗୋଚର ହେଇନଥିଲା ।

 

ଡୋଲିପୁର ଷ୍ଟେସନ୍‌କୁ ଆସିଥିଲା କେଉଁଝର ରାଜାଙ୍କର ଗୋଟିଏ ଛୋଟ ବସ୍‌ ଏବଂ ଖଣ୍ଡେ ମଟର କାର୍ । ସେଥିରେ ଜିନିଷପତ୍ର ରଖାରଖି କରି, ଜଳଖିଆପତ୍ର ଖାଇନେଇ ବସିପଡ଼ିଲୁ-। ଆଗରୁ ଲୋକ ଆମର ଯାଇ ଆନନ୍ଦପୁରରେ ଶ୍ରୀ ଚକ୍ରଧର ମିଶ୍ରଙ୍କ ମଟର ଗ୍ୟାରେଜରେ ରୋଷେଇର ବରାଦ କରିଥିଲେ । ଯାତ୍ରାର ଏତେ ବଡ଼ ଲମ୍ବାପଥରେ, ମଝିରେ ଗୋଟିଏ ସ୍ଥାନରେ ଅଟକିଯାଇ କିଛି ସମୟ ପାଇଁ ବିଶ୍ରାମ ନ ନେଇ ଯିବା ଖୁବ୍‌ ବାଧେ । ଏଣୁ ଶ୍ରୀଯୁକ୍ତ ପଟ୍ଟନାୟକ ସେଦିନ ସେଇ ଆନନ୍ଦପୁରକୁ ବାଛିଥିଲେ ବିଶ୍ରାମସ୍ଥଳ ଭାବରେ ।

 

ପୁଣ୍ୟତୋୟା ବୈତରଣୀ, ଉତ୍କଳର ଗଙ୍ଗା । କେଉଁଝର ରାଜ୍ୟର ଗୋନାସିକା ଗିରି ଗର୍ଭରୁ ଜନ୍ମନେଇ, ଆନନ୍ଦପୁର ଓ ଘଷିପୁରାକୁ ତା’ର ଦୁଇ ପାଖରେ ରଖି ବହିଯାଇଛି ସାଗରସଙ୍ଗମ ଉଦ୍ଦେଶ୍ୟରେ ।

 

ଆନନ୍ଦପୁର ଓ ଘସିପୁରା, ସେ ସମୟରେ ବି କେଉଁଝର ରାଜ୍ୟର ବେଶ୍‌ ନାମକରା ଅଞ୍ଚଳ ବୋଲି ପରିଚିତ ଥିଲା । ସ୍କୁଲ, କଚେରି, ଡାକତାର ବ୍ୟବସ୍ଥା ଜନସାଧାରଣଙ୍କ ସୁବିଧା ଲାଗି ପ୍ରାୟ ସବୁଥିଲା ଏବଂ ଶିକ୍ଷାର କିଛିଟା ଛିଟା ମଧ୍ୟ ପଡ଼ିଥିଲା ସେଠାକାର ସ୍ଥାନୀୟ ଲୋକଙ୍କ ଉପରେ-

 

ଡୋଲିପୁରଠାରୁ ଶ୍ରୀ ଚକ୍ରଧର ମିଶ୍ରଙ୍କର ଯାତ୍ରୀବାହୀ ବସ୍‌ ଚମ୍ପୁଆ ପର୍ଯ୍ୟନ୍ତ ଚାଲୁଥିଲା ଓ ସେଇ ସର୍ଭିସ୍‌ ବସ୍‌ର ପ୍ରଧାନ ଅଫିସ୍‌ ବା କାର୍ଯ୍ୟାଳୟ ରହୁଥିଲା ସେଇ ଆନନ୍ଦପୁରରେ । ବେଶ୍‌ ବଡ଼ ଧରଣର ଗ୍ୟାରେଜ । ଫୋନ୍‌ର ବ୍ୟବସ୍ଥା ଥିଲା ।

 

ଖୁବ୍‌ ଆରାମରେ ଦିବ୍ୟ ଭୋଜନ ପକେଇ ବିଶ୍ରାମ ନେଲୁ ବସ୍‌ ଅଫିସ୍‌ ଘରେ ।

 

ୟା’ ପୂର୍ବରୁ ଆପଣମାନଙ୍କୁ କେଉଁଝର ରାଜ୍ୟର ରାଜାସାହେବ ଆଉ ତାଙ୍କ ଗଡ଼ର ମାର୍ଜିତ ରୂପରେଖ ବିଷୟରେ, ସଂକ୍ଷେପରେ କେତେଗୁଡ଼ିଏ ସୂଚନା ତ ଦେଇଛି ଆଉ ଅଧିକ ସେ ବିଷୟରେ ଦେବା ମଧ୍ୟ ନିଷ୍ପ୍ରୟୋଜନ ।

 

ପୂର୍ବ ବର୍ଣ୍ଣିତ ଟାଉନ୍‌ ହଲ୍‌ରେ ଅଭିନୟ ହେଲା । ଉଚ୍ଛ୍ୱସିତ ପ୍ରଶଂସା । ଅନେକ ପୁରସ୍କାର ଓ ରାଜ ଭଣ୍ଡାରରୁ ଦୈନନ୍ଦିନ ପୁଷ୍ଟିକର ବ୍ୟଞ୍ଜନ ସାମଗ୍ରୀ ପାଇବା ସଙ୍ଗେ ସଙ୍ଗେ ପାଇଲୁ ରହିବାପାଇଁ ସୁନ୍ଦର ସ୍ଵାସ୍ଥ୍ୟପ୍ରଦ ଅମଲା କ୍ଵାର୍ଟର ।

 

ଓଡ଼ିଶାରେ ସେତେବେଳେ ‘ରଣା’ ମେଜିସିୟାନ୍‌ ତାଙ୍କର ମେଜିକ୍‌ ପ୍ରଦର୍ଶନ କରି ଖୁବ୍‌ ଲୋକପ୍ରିୟ ହେଇଥା’ନ୍ତି । ତାଙ୍କର ମେଜିକ୍‌ର ଚାହିଦା ଏତେ ମାତ୍ରାରେ ବଢ଼ିଥାଏ ଯେ ବର୍ଷର ଅଧିକାଂଶ ସମୟରେ ରଣାବାବୁ ରାଜା, ଜମିଦାରଙ୍କ ଡକରାପାଇ ବ୍ୟସ୍ତ ରହୁଥା’ନ୍ତି । ନିଜର ଟିକଟ ସୋ କରିବାପାଇଁ ଅତି ଅଳ୍ପ କେଇଦିନ ସୁବିଧା ପାଆନ୍ତି । ଏ ଦିଗରେ ଉତ୍ସାହ ବି ତାଙ୍କର କମ୍‌ ଥାଏ । ରାଜା ମହାରାଜାଙ୍କ ତରଫରୁ ତ ବେଶ୍‌ ଟଙ୍କା ପଇସା ମିଳୁଥାଏ, ଆଉ ଅଯଥାରେ ଝିଞ୍ଜଟ ବଢ଼େଇ ଲାଭ କ’ଣ ?

 

ଦିନରେ ରଣା ମେଜିକ୍‌ବାଲା ତାଙ୍କର ମେଜିକ୍‌ ଦେଖାନ୍ତି ଏବଂ ରାତିରେ ସେଇ ଟାଉନ୍‌ ହଲରେ ଆମେ ଅଭିନୟ କରୁ । ଆମର ଅଭିନୟ ଦେଖିବାକୁ କେଉଁଝର ରାଜାସାହେବ ବି ଆସନ୍ତି, ତାଙ୍କଛଡ଼ା ଗଡ଼ର ବିଶିଷ୍ଟ ଭଦ୍ରବ୍ୟକ୍ତି, ରାଜକର୍ମଚାରୀମାନେ ମଧ୍ୟ ବହୁଳଭାବେ ନାଟକ ଉପଭୋଗ କରିବାକୁ ଆସନ୍ତି ।

 

ଆମ ରାସଦଳରେ ସାଧାରଣତଃ ସମସ୍ତଙ୍କ ପାଇଁ ଯୋଉ ରୋଷେଇ ହଉଥିଲା, ସେଥ‌ିରେ ମୋଟା ଚାଉଳର ଭାତ, ପାଣିଆ ଡାଲି, କେବେ କେମିତି ତରକାରୀଟାଏ, ନ ହେଲେ ସବୁ ପନିପରିବାକୁ ଏକାଠି ଡାଲିରେ ପକେଇ ଗୋଟାଏ ଡାଲ୍‌ମା । ଏଇସବୁ ଖାଦ୍ୟ, ଦିନ ବାରଟା ଓ ରାତିରେ ଅଭିନୟ ସରିବାପରେ ମିଳୁଥିଲା । କିନ୍ତୁ ରାଜାଙ୍କ ଡକରା ପାଇ ଯୋଉ ଗଡ଼କୁ ଯାଉଥିଲୁ, ଖାଦ୍ୟ ତାଲିକା ଆମର ଆଉଟିକିଏ ଲମ୍ବା ହେଇଯାଉଥିଲା ।

 

ଏଇଠି ଆପଣମାନଙ୍କୁ ସୂଚେଇଦବା କଥା ଯେ ଯେତେଦିନ ପର୍ଯ୍ୟନ୍ତ ଶ୍ରୀରାଧାରମଣ ରାସ ଉତ୍ସବ ନାମଟା ଆମ ଦଳର ଶିରୋନାମା ହେଇ ରହିଥିଲା ଅର୍ଥାତ୍‌, ଶ୍ରୀ ଗୋପ ଗୋସେଇଁ, ଶ୍ରୀ ବାବାଜୀ ମହାପାତ୍ର ଉଭୟ ମାଲିକ ଥିଲେ ସେତେଦିନ ପର୍ଯ୍ୟନ୍ତ ଆମର ଖାଇବା, ପିଇବା ବ୍ୟବସ୍ଥା ବେଶ୍‌ ଭଲ ଥିଲା ।

 

କିନ୍ତୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ସବୁବେଳେ ଅଲଗା ଖାଇବା ବ୍ୟବସ୍ଥା । ସରୁ ଅରୁଆ ବାସ ଚାଉଳ, ଅଲଗା ଭାବରେ ଭଲ ଡାଲି ଟିକିଏ, ଯୋଉ ବେଳରେ ଯୋଉ ରୁଚିକର ପରିବାର ତରକାରୀ ଟିକିଏ, ଗୁଆଘିଅ, ଲେମ୍ବୁ, ଆଉ କିଛି ଭଜା, ସନ୍ତୁଳା । ଏସବୁ ବ୍ୟଞ୍ଜନ, ପୂଝାରୀ ମାହାପୁର ଅଲଗା କରିସାରି, ଆମ ସମସ୍ତଙ୍କ ପାଇଁ ବରାଦି ମୋଟା ମାଳେଇ କାମରେ ହାତ ପକାନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ, ତାଙ୍କର ଖାଦ୍ୟ ବ୍ୟଞ୍ଜନ ପରିବେଷଣବେଳେ ଦଳର ଅନ୍ୟ କାହାରି ଦୃଷ୍ଟିଟା ଯେମିତି ବେଶି ମାତ୍ରାରେ ପଡ଼ି ନ ଯାଏ ତା’ ଲାଗି ପୂଜାରୀ ବାପୁଡ଼ା ତା’ର ଅତି ଭକ୍ତି ଯୋଗୁଁ ହେଉ କିମ୍ବା କାହାର ଅଦୃଶ୍ୟ ତାଗିଦ୍‌ ଯୋଗୁଁ ହେଉ ପୂରାପୂରି ଗୋପନୀୟତା ରକ୍ଷା କରୁଥିଲା ।

 

ହଁ, ଏକଥା ସତ ଯେ ସେଇ ଗୋପନୀୟତା ଆଇନ ନିର୍ଦ୍ଦିଷ୍ଟ କେତେକ ଛାତ୍ରଙ୍କ ପ୍ରତି ଲାଗୁ ହେଉ ନ ଥିଲା । ଏ ଛାତ୍ରଙ୍କ ସଂଖ୍ୟା ଥିଲା ଅତି ଅଳ୍ପ । ତୋଷାମଦ ଗୁଣ ଥିଲା ଏମାନଙ୍କର ଟିକିଏ ବେଶି ମାତ୍ରାରେ । ଏଣୁ ଏମାନେ ଉଚ୍ଛିଷ୍ଟ ପାଇବାକୁ ଲାଳାୟିତ ଥ‌ିବା ଯୋଗୁଁ ଗୁରୁଦେବଙ୍କ କୃପାକଟାକ୍ଷ ପାଉଥିଲେ ।

 

ସେଇସବୁ ପ୍ରିୟ ପାଖଲଗା ଶିଷ୍ୟଙ୍କ ଭିତରୁ ମୁଁ ନିଜେ ଥିଲି ଅନ୍ୟତମ । ବଡ଼ ଦୁଃଖର ବିଷୟ, ମୋର କିନ୍ତୁ ତୋଷାମଦ ଗୁଣ ନ ଥିଲା କି ମାଛିବସା ଉଚ୍ଛିଷ୍ଟ ପ୍ରତି ଆଶା ନ ଥିଲା । ତା’ଛଡ଼ା ସେଇସବୁ ଅବ୍ୟବସ୍ଥା ବିଷୟରେ ଅନ୍ୟାନ୍ୟ ସାଙ୍ଗସାଥୀଙ୍କ ଆଗରେ ମୁଁ ସମାଲୋଚନା କରୁଥିବା ହେତୁ ମୋତେ ବେଳେବେଳେ ଗୁରୁଦେବଙ୍କର ସେ ଆହାର ସମୟରେ ଦୂର୍‌ଛଡ଼ା କରାଯାଉଥିଲା ।

 

ମୁଁ ମଧ୍ୟ ମୋର ଭୟାଳୁ ମନଟାକୁ ନେଇ ଅନେକ ସମୟରେ ଗୁରୁଙ୍କ ନିକଟରୁ ଦୂରେଇ ରହିବାକୁ ପସନ୍ଦ କରୁଥୁଲି । ମୋର ଠିକ୍‌ ମନେ ରହିଛି ଏବଂ ଲକ୍ଷ୍ୟ କରି ଦେଖିଛି ଯେ ଶ୍ରୀଯୁକ୍ତ ପଟ୍ଟନାୟକ (ଗୁରୁଦେବ)ଙ୍କର ସ୍ଵରୂପ ପ୍ରକାଶ ପାଇଲା ଯେତେବେଳେ ଅନୁଷ୍ଠାନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ତାଙ୍କ ନିଜ ହାତକୁ ନେଲେ । ତା’ ଆଗରୁ କିନ୍ତୁ ମୁଁ ତାଙ୍କ ବିଷୟରେ ଏତେଗୁଡ଼ାଏ କଥା ଜାଣିବାର ଅବଶ୍ୟ ସୁଯୋଗ ପାଇ ନ ଥିଲି ।

 

ମୋର ଦରମା ବିଷୟରେ ଭାଇଙ୍କ ସାଙ୍ଗରେ ତାଙ୍କର କ’ଣ କଥାବାଆଁ ତୁଟିଥିଲା ଏବଂ ମଝିରେ ମଝିରେ ଭାଇ ତାଙ୍କ ନିକଟକୁ ଆସି କ’ଣ ପାଉଥିଲେ, ସେକଥା ମୋତେ ଭାଇ ତ କିଛି କହୁନଥିଲେ, ଶ୍ରୀ ପଟ୍ଟନାୟକ ମଧ୍ୟ କିଛି କହୁନଥିଲେ । ତେବେ କେତେବେଳେ କେମିତି ମୋ ଉପରେ ପ୍ରସନ୍ନ ହୋଇ ମୋତେ ଏକୁଟିଆ ପାଇ କହି ପକଉଥିଲେ–‘‘ତୋ’ର ଦରମା ଦୁଇ ଟଙ୍କାକୁ ବଢ଼େଇ ଦେଇଛି, କାହାକୁ କହିବୁ ନାହିଁ ।’’

 

ଆମ ରାସ ଦଳରେ କିଏ କେତେ ଦରମା ପାଏ, କହିବା କଷ୍ଟକର । ଯେ ଦରମା ପାଏ, ସେ ନିଜେ ବି ଜାଣିନଥାଏ, ପ୍ରକୃତରେ ତା’ର ମାସକୁ ଦରମା କେତେ ? କେତେ ପାଇବ, କେତେ ପାଇଛି । କାନରେ ଶୁଣେ ଗୋଟାଏ କଥା, ଆଉ ହିସାବ ଖାତାରେ ଅନ୍ୟ ଗୋଟାଏ କଥା । ନବା ସମୟରେ ଗୋଟାଏ ସଂଖ୍ୟା, ଖାତାରେ ଲେଖା ରହେ ଆଉ ଗୋଟାଏ ଅନ୍ୟ ସଂଖ୍ୟା । କିଏ ଦେଖୁଛି ? କିଏ ବୁଝୁଛି ? ସମସ୍ତେ ତ ନିରୀହ ନାବାଳକ । କାହାର ମୁରବୀ ଯଦି କେତେବେଳେ ଆସି ସତ୍ୟ ଲାଗି କଟାଳ କଲା ତ ତା’ର ହୁଏ ସର୍ବନାଶ । ଗାଳି, ଅପମାନ ଓ ବେଳଉଣ୍ଡି ମାଡ଼ର ଧମକ । ବାସ୍‌, ପଳାୟନପନ୍ଥୀ ମୁରବୀ ସେତିକିରେ ଚମ୍ପଟ ।

 

ବାସ୍ତବିକ୍‌ ପେଶାଦାର ରଙ୍ଗମଞ୍ଚରେ ଏଇ ଦରମା ଦବା ବ୍ୟବସ୍ଥା ଅତି ବିଚିତ୍ର ଧରଣର । ରୀତିମତ ଠକେଇ କାରବାର । ପାରିଶ୍ରମିକ ଆପଣଙ୍କର ଏତେ; ମାତ୍ର ମାଲିକ ଦେଲାବେଳକୁ ଆଜି ଦେବି, କାଲି ଦେବି କହି ବାକିଆ ଖାତାକୁ ଗଡ଼ଉଥା’ନ୍ତି । ଧନ୍ୟ ତାଙ୍କର ସେଇ କୌଶଳ, ଧନ୍ୟ ତାଙ୍କ ବୁଦ୍ଧିର ବିଚକ୍ଷଣତା ।

 

ଶୋଷଣ ନୀତିରେ ଏମାନେ ଗାଁ ମହାଜନଙ୍କୁ ଟପିଯିବେ । ଏଇମାନେ ହିଁ କଳା ଓ କଳାକାରର ସ୍ରଷ୍ଟା ବୋଲି ନିଜ ଢୋଲ ନିଜେ ପିଟନ୍ତି ଓ ଏମାନଙ୍କର ପଦଲେହନକାରୀ ସମର୍ଥକ ଗୋଷ୍ଠୀ ୟାଙ୍କୁ ଧନ୍ୟ ଧନ୍ୟ କହି ଫୁଲମାଳ ଚଢ଼େଇ ଅଭିନନ୍ଦନ ଜଣାନ୍ତି ।

 

କେଉଁଝର ରାଜାସାହେବଙ୍କର ବରାଦ ଅନୁସାରେ ଅଭିନୟ ଶେଷକରି ସେଠାରୁ ଚମ୍ପୁଆ ଯିବାପାଇଁ ବ୍ୟବସ୍ଥା ହେଲା ।

 

ଚମ୍ପୁଆ ଏକ ଆଦିବାସୀବହୁଳ ଅଞ୍ଚଳ ହେଲେ ମଧ୍ୟ ଆନନ୍ଦପୁର ଭଳି ତାହା ଗୋଟିଏ ବ୍ୟବସାୟ କେନ୍ଦ୍ର । ପ୍ରଧାନତଃ ବିହାର, ଓଡ଼ିଶାର ସୀମା ସେଇ ଚମ୍ପୁଆ ନିକଟରେ ସଂଯୋଗ ହେଇଛି । ବୈତରଣୀ ନଦୀ ଏଠାରେ କ୍ଷୀଣଦେହୀ । ସ୍ଥାନୀୟ ଜନସାଧାରଣ ବେଶ୍‌ କର୍ମଠ । ପରିବେଶ ସୁନ୍ଦର, ନିର୍ମଳ ଓ ସ୍ଵାସ୍ଥ୍ୟପ୍ରଦ ।

 

ବୈତରଣୀ ନଦୀ ତଟରେ, ଛାୟାଯୁକ୍ତ ଶୀତଳ ନାନା ଜାତିର ବୃକ୍ଷ ତୋଟାରେ, ଦଳଦଳ ଆଦିବାସୀ ପୁରୁଷ ଓ ମହିଳା, ହାଣ୍ଡିଆ ଖାଇ, ମାଦଳର ତାଳେ ତାଳେ ନାଚିଯା’ନ୍ତି ମନଭରା, ପ୍ରାଣଭରା ନାଚ । ପରସ୍ପରକୁ ହାତରେ ଛନ୍ଦି, ଢଳି ଢଳି ପାଦ ପକାନ୍ତି ଆଗକୁ ପଛକୁ । ନିଜେ ନାଚି ନିଜେ ଉପଭୋଗ କରନ୍ତି ଏମାନେ । ପ୍ରଶଂସା କରିବାକୁ କେହି ନ ଥାଏ, ତାଳି ମାରିବାକୁ କେହି ନ ଥାଏ । ନିଜେ ନର୍ତ୍ତକ, ନିଜେ ଦର୍ଶକ ।

 

ସେଇଠି ଗଛଛାଇ ତଳେ ତୋଟା ଭିତରେ ଭଲ ସ୍ଥାନଟିଏ ଦେଖି ରଙ୍ଗମଞ୍ଚ ତିଆରି ହେଲା । ଅଭିନୟ ଆରମ୍ଭ ହେଲା ନିଜ ଖର୍ଚ୍ଚରେ I ଛୋଟ ସ୍ଥାନଟିଏ । ଏଣୁ ବେଶୀ ପ୍ରଚାର ଧୁମ୍‌ଧାମ୍‌ର ଦର୍କାର ନ ଥିଲା ସେଠାରେ ।

 

ଦିନକୁ ଦର୍ଶନୀ ଯାହା ଆମକୁ ମିଳୁଥିଲା ତା’ହିଁ ଯଥେଷ୍ଟ ଥିଲା। ସନ୍ଧ୍ୟା ହେଲାପରେ ଆଲୁଅ ଲଗେଇ ବାଜା ବଜେଇଲେ, ଦର୍ଶନୀ ଦିଆ ଦର୍ଶକ ଏବଂ ଆଶୀର୍ବାଦ ଦିଆ ଦର୍ଶକ ରୁଣ୍ଡ ହେଇଯାନ୍ତି । ଖୁବ୍‌ ଉତ୍ସାହ ଆସେ ମନରେ ଆମର । କହିଛି ତ, ପ୍ରେକ୍ଷାଳୟ ଲୋକରେ ପୂର୍ଣ୍ଣ ଥିଲେ, ଅଭିନୟ କରିବାକୁ ଅଭିନେତାକୁ ବଡ଼ ଆନନ୍ଦ ଲାଗେ ।

 

କଳା, କେବେହେଲେ ଅର୍ଥର କାଙ୍ଗାଳ ନୁହେଁ, ସବୁବେଳେ ଗ୍ରାହକର କାଙ୍ଗାଳ ।

 

କୌଣସି ଯାଦୁକର, ମୁଣ୍ଡପୋତା କେଳା, ଅବା ବାଉଁଶ–ରାଣୀ ଯେ ହୁଅନ୍ତୁ ନା କାହିଁକି ଆପଣ ଲକ୍ଷ୍ୟ କରିଥ‌ିବେ, ସେମାନେ ଲୋକ ଦେଖ‌ିଲେ ଦୁଇଗୁଣ ଉତ୍ସାହରେ ଚିତ୍‌କାର କରି ଉଠନ୍ତି-। ଉଦ୍ଦେଶ୍ୟ, ସେମାନଙ୍କୁ ସମର୍ଥନ ମିଳୁ, ପ୍ରେରଣା ମିଳୁ । ଯେତେ କମ୍‌ ଅର୍ଥ ମିଳିଲେ ବି, ଲୋକଙ୍କ ଆଗ୍ରହ ଯୋଗୁ ସେମାନେ ସନ୍ତୁଷ୍ଟ ରୁହନ୍ତି, ଶାନ୍ତି ପାଆନ୍ତି । ଅଧା ପେଟରେ ରହି ସୁଦ୍ଧା ହସ ଖୁସିରେ ଦିନ ବିତେଇ ଦିଅନ୍ତି ।

 

ଏଇମାନେ ହେଲେ ଅସଲ କଳାକାର । କଳା, ୟାଙ୍କର ପେଶା । କଳା ଲାଗି ଏମାନେ ନିଜ ଜୀବନକୁ ତିଳ ତିଳ କରି ଦଗ୍ଧ କରନ୍ତି ଓ ସେଥିରୁ ନୂଆ ଜୀବନକୁ ଉଦ୍‌ଭାବନ କରନ୍ତି । ସଦାପ୍ରସନ୍ନ, ନିର୍ବିକାର ଚିତ୍ତ, ନିର୍ଲିପ୍ତ ବାସନା । ପରକୁ ଆପଣାର କରିପାରନ୍ତି; କିନ୍ତୁ ପର ପାଖରେ ଧରା ଦିଅନ୍ତି ନାହିଁ ।

 

ବର୍ଷାର ଶେଷ ପର୍ଯ୍ୟାୟବେଳକୁ ଚମ୍ପୁଆରେ ଅଭିନୟ ଚାଲିଥାଏ । କେଉଁଝର ମହାରାଜାଙ୍କ ଆଦେଶ ପାଇ ସେଠାରେ ଯେଉଁମାନେ ରାଜ କର୍ମଚାରୀ ରହିଥା’ନ୍ତି, ତାଙ୍କ ତରଫରୁ ଭଲ ବ୍ୟବହାର ଆମକୁ ମିଳୁଥାଏ । ବେଳେବେଳେ ବର୍ଷା ଯଦିଚ ଅଭିନୟ କରିବାରେ ବ୍ୟାଘାତ ସୃଷ୍ଟି କରିଥିଲା ତଥାପି ରାଜ କର୍ମଚାରୀମାନଙ୍କର ସାହାଯ୍ୟ ସହାନୁଭୂତି ଲାଗି ସେତେଟା ଆମେ ହଇରାଣ ହେଉ ନ ଥିଲୁ । ବର୍ଷା ପବନ ସମୟରେ ବଡ଼ ବଡ଼ ଟାର୍‌ପୁଲିନ୍‌, ତମ୍ବୁ ପାଇଯାଉଥିଲୁ ଯାହା ଜରିଆରେ ମଞ୍ଚକୁ ପାଣି ମାଡ଼ରୁ ରକ୍ଷା କରାଯାଇ ପାରୁଥିଲା ।

 

ରୋଜଗାର ଯାହା ହଉଥିଲା ସେଥ‌ିରେ ଦଳର ସମସ୍ତ ଖର୍ଚ୍ଚ ଉଠିଯାଉଥିଲା, ୟା ବାଦ୍‌ କେଉଁଝରଗଡ଼ରୁ ଆଣିଥିବା ବଳକା ଖାଦ୍ୟଶସ୍ୟ ମଧ୍ୟ ହାତରେ ଥିଲା । ଯାହାହେଉ ଆମର ଯେତେଗୁଡ଼ିଏ ବହି ପାଖରେ ଥିଲା ସେସବୁ ନାଟକକୁ କାହାକୁ ଦୁଇଦିନ, କାହାକୁ ତିନିଦିନ ଅଭିନୟ କରି ଚମ୍ପୁଆରୁ କ୍ୟାମ୍ପ ଭାଙ୍ଗିଲୁ ।

 

ରାତିରେ ସେତେବେଳକୁ ଟିକିଏ ଶୀତ ପଡ଼ି ଆସୁଥାଏ । ଆଶ୍ଚର୍ଯ୍ୟ ଲାଗୁଥାଏ, କେମିତି କେତେ ଚଞ୍ଚଳ ଯେ ୟା’ ଭିତରେ ବର୍ଷା ଋତୁଟା ପାର୍‌ ହେଇଯିବା ଉପରେ ବସିଲାଣି ସେକଥା ବୁଝିହେଉନଥାଏ ।

 

ବସ୍‌ ଆମକୁ କୋଳରେ ପୂରେଇ ସିଧା ବାଟ କାଟିଲା ଚମ୍ପୁଆରୁ ଆନନ୍ଦପୁରକୁ । ରାତ୍ରୀ ଯାତ୍ରା, ବଡ଼ ଆରାମଦାୟକ । ବସ୍‌ ଭିତରେ ସମସ୍ତେ ଲଗାଲଗି ହୋଇ ବସି କିଏ କାହାଣୀ ପେଡ଼ି ଖୋଲିଲା ତ କାହା କଣ୍ଠରୁ ଛୁଟିଲା ଗୀତର ଝଙ୍କାର । କିଏ କାହା ଉପରେ ଘୁମେଇ ପଡ଼ିଲା ତ କିଏ କାହା ଗୋଡ଼କୁ ମାଡ଼ି ପକେଇ ଦି’ପଦ କଡ଼ା ମିଠା ବୋଲି ଶୁଣେଇଲା । କେତେବେଳେ ଝିପିରି ଝିପରି ବର୍ଷା ପଡ଼ୁଥାଏ ତ ପୁଣି କେତେବେଳେ ଛୋଟ ଛୋଟ ଘାଟି ପାର ହେଲାବେଳେ ହେମାଳିଆ ପବନ ଦେହଥରେଇ ଚାଲିଯାଏ–ମେଘେ ଶୀତ ନ ହେଲେ ମାଘେ ଶୀତ ।

 

ଆଗରୁ ତ ଆପଣମାନଙ୍କୁ କହିସାରିଛି ଯେ ଆନନ୍ଦପୁର ଓ ଘସିପୁରା, ବୈତରଣୀ ନଦୀର ଏପାଖ, ସେପାଖ । ରାସ୍ତାଘାଟର ସୁବିଧା ଓ ନଦୀପଥ ଦେଇ ନୌକା ଚଳାଚଳର ସୁଯୋଗ ଥ‌ିବା ହେତୁ ସ୍ଥାନଟି ଛୋଟକାଟର ବାଣିଜ୍ୟ କେନ୍ଦ୍ର ବୋଲି କହିବାକୁ ହବ । ଆନନ୍ଦପୁରର ଚାରିପଟେ ପାଖାପାଖି ହେଇ ଅନେକଗୁଡ଼ିଏ ଗାଁ ଗଣ୍ଡା ମଧ୍ୟ ରହିଛି । ଏସବୁ ଛଡ଼ା ସ୍କୁଲ, ଡାକ୍ତରଖାନା, କଚେରି, ବସଷ୍ଟାଣ୍ଡ ତ ଅଛି ।

 

ଚମ୍ପୁଆରୁ ଆସି ସେଇ ମଟର ଗ୍ୟାରେଜ ଅଫିସ୍‌ରେ ବସା କଲୁ । ଆନନ୍ଦପୁରରେ ଅଭିନୟ କରିବାପାଇଁ ବି କେଉଁଝର ମହାରାଜାଙ୍କ ଅନୁମତିପତ୍ର ଆସିସାରିଥିଲା । କେବଳ ମଞ୍ଚ ବନ୍ଧାଯାଇ ଅଭିନୟ ହବାର ବାକି ।

 

ଦିନ ଦୁଇଟି ଭିତରେ ଘସିପୁରା ସ୍କୁଲ ନିକଟରେ ଅସ୍ଥାୟୀ ମଞ୍ଚ ପ୍ରସ୍ତୁତ ହେଇଯିବା ପରେ, ହ୍ୟାଣ୍ଡବିଲ୍‌ ବଣ୍ଟା ଯାଇ ନାଟକ ଆରମ୍ଭ ହେଲା । ଆକାଶ ସମ୍ପୂର୍ଣ୍ଣ ନିର୍ମଳ ହେଇ ନ ଥିଲେ ବି ହଠାତ୍‌ କାହିଁକି ଶୀତଟା ବେଶ୍‌ ଭଲ ଭାବରେ ଜଣାଯାଉଥିଲା । ତେବେ ସେଠାରେ ଦର୍ଶକ ଭିଡ଼ ଖୁବ୍‌ ଗରମାଗରମ ଦେଖିଲୁ । ପ୍ରାୟ ସବୁ ଶ୍ରେଣୀର ଦର୍ଶକଙ୍କର ସମାନ ଭିଡ଼ । ଅନ୍ୟାନ୍ୟ ସ୍ଥାନରେ ଆମେ ଦେଖିଛୁ ଯେ ହୁଏତ ପ୍ରଥମ ଶ୍ରେଣୀର ଦର୍ଶକ ପୂର୍ଣ୍ଣ ମାତ୍ରାରେ ଆସିଲେ ତୃତୀୟ ଶ୍ରେଣୀର ଦର୍ଶକ କମିଯାଆନ୍ତି । କୋଉଠି ଅବା ତୃତୀୟ ଶ୍ରେଣୀର ଦର୍ଶକ ବେଶି ପରିମାଣରେ ଆସିଲେ ଦ୍ଵିତୀୟ ଶ୍ରେଣୀର ଦର୍ଶକଙ୍କ ସଂଖ୍ୟା ଅଳ୍ପ ହେଇଯାଏ । ହେଲେ, ଘସିପୁରାରେ ଅଭିନୟ ଦେଖିବାକୁ ସବୁ ଶ୍ରେଣୀର ଲୋକ ସବୁ ଶ୍ରେଣୀକୁ ଭରପୂର କରୁଥିଲେ ।

 

ବିଭିନ୍ନ କଳାକାର ଯେମିତି ବିଭିନ୍ନ ଧରଣର । ଅର୍ଥାତ୍‌ ବିଭିନ୍ନ ରସର, ବିଭିନ୍ନ ମାନର ଅଛନ୍ତି । ସବୁ କଳାକାର ସବୁ ରସ ପରିବେଷଣ ପାଇଁ ଉପଯୁକ୍ତ ନୁହନ୍ତି । କିଏ, ଖଳନାୟକ ଭୂମିକାରେ ଅଭିନୟ କରିବାକୁ ଯାଇ ନିଜର ବଳିଷ୍ଠ ବ୍ୟକ୍ତିତ୍ଵ ପ୍ରତିପାଦିତ କରୁଥିବାବେଳେ କିଏ, ହାସ୍ୟରସ ପରିବେଷଣକାରୀ ଚରିତ୍ର ଭୂମିକାରେ ଅଭିନୟ କରୁ କରୁ ନିଜକୁ ଯେମିତି ସବୁଦିନ ପାଇଁ ଦର୍ଶକଙ୍କ ଚକ୍ଷୁରେ ହାସ୍ୟର ପାତ୍ର କରିପକାନ୍ତି ସେମିତି, ଦର୍ଶକ ମଧ୍ୟ ଭିନ୍ନ ଭିନ୍ନ ରୁଚିର ଓ ଭିନ୍ନ ଭିନ୍ନ ମାନର ଦେଖାଯାଆନ୍ତି ।

 

କାହାକୁ, ବିୟୋଗାତ୍ମକ ଦୃଶ୍ୟ ଆନନ୍ଦ ଦେଲେ କାହାକୁ, ମିଳନାତ୍ମକ ଦୃଶ୍ୟ ଆନନ୍ଦ ଦିଏ-। ପୁନଶ୍ଚ କାହାକୁ ହସ୍ୟରସ ସୁଖ ଲାଗେ । କିଏ ହୁଏତ ଖଳନାୟକର ଭଙ୍ଗାଗଢ଼ା ନୀତିକୁ ପସନ୍ଦ କରେ । କିଏ ଆସେ ନାଚ ଦେଖିବାକୁ, କିଏ ଆସେ ଗୀତ ଶୁଣିବାକୁ, କିଏ ଆସେ ବେଶପୋଷାକ ଦେଖିବାକୁ ତ କିଏ ପୁଣି ମଞ୍ଚର ସାଜସଜ୍ଜା, ଆଲୋକ ସମ୍ପାତ୍‌, ଟେକ୍‌ନିକ୍‌ ଦେଖିବାକୁ ଭଲପାଏ-। ଦର୍ଶକ ଗୋଟିକେ ରୁଚି ଗୋଟିଏ ।

 

ଆମେ ଏଥିଲାଗି ସର୍ବଦା ସତର୍କ ରହି ଅଭିନୟ ପରିବେଷଣ କରିବା ଉଚିତ୍‌ । ସବୁ ଦର୍ଶକଙ୍କ ଲାଗି କିଛି ନା କିଛି ତାଙ୍କ ରୁଚିକୁ ଚାହିଁ ପ୍ରତ୍ୟେକ ବିଷୟକୁ ନାଟକରେ ରଖିବାକୁ ପଡ଼ିବ ।

 

ଅନେକ କୁହନ୍ତି ଯେ, ମଞ୍ଚ ବା ଅଭିନୟକୁ ଏକ ଘାଇଆ ନ କରି, ନାଟକରେ ପରିବର୍ତ୍ତନ ଆଣି ଆମ ମଞ୍ଚରେ ପରିବର୍ତ୍ତନ ଆଣିବା ଦର୍କାର; ବେଶ୍‌, ଉତ୍ତମ ପରାମର୍ଶ । ମୁଁ ମଧ୍ୟ ସେଥ‌ିରେ ଏକମତ । କିନ୍ତୁ ତା’ବୋଲି ଏଇ ଓଡ଼ିଶା ଭୂଇଁ ବା ଭାରତ ଭୂଇଁ ତ ବିଲାତ, ଆମେରିକା ଅବା ରୁଷିଆ ହେଇଯିବ ନାହିଁ ? ଆମ ସଂସ୍କୃତି, ଆମ ଲୋକ ଚରିତ୍ର, ଆମ ଚଳଣି, ଆମ ବେଶ ପୋଷାକ ଓ ସେସବୁ ପାଶ୍ଚାତ୍ୟ ଦେଶର ଲୋକ ଚରିତ୍ର, ଚାଲିଚଳନ, ଆଚାର–ବ୍ୟବହାର, ପୋଷାକ ଭିତରେ ଆକାଶ ପାତାଳର ବ୍ୟବଧାନ । ତାକୁ ଆମେ ମାନିବା ନାହିଁ ? ଆମେ ଆମର ଦେବତା ନିକଟରେ ଭୂମିଷ୍ଠ ହୋଇ ଦଣ୍ଡବତ ହେବା ସ୍ଥଳରେ ସେମାନେ ତାଙ୍କର ଦେବତାଙ୍କୁ ରାତିରେ ପ୍ରଣାମ ଜଣାନ୍ତି । ମାନୁଛି ମୁଁ, ସବୁଠାରେ ପାଣି ଏକା, କେବଳ ଆଧାରଗୁଡ଼ିକ ଭିତରେ ପ୍ରଭେଦ ଅଛି ସିନା ! ତା’ବୋଲି ତାଙ୍କର ଚଳଣିକୁ ଆମ ଚଳଣିରେ ମାଡ଼ି ମକଚି ପୂରେଇଦେଲେ କ’ଣ ହବ ?

 

ମନୀଷୀ ସେକ୍ସପିଅରଙ୍କ ‘ମ୍ୟାକ୍‌ବ୍ୟାଥ୍‌’ ଚରିତ୍ର, ଆମର ଏଇ ଧର୍ମାନ୍ଧ ଉତ୍କଳରେ, ସମ୍ଭବ କି ? କିମ୍ବା ଥ୍ରୀମସ୍‌କିଟିୟର୍ସଭଳି ଦୁର୍ଦ୍ଦାନ୍ତ ଚରିତ୍ର ଆମ ପାଣି ପବନରେ ବଢ଼ିପାରିବେ କି ?

 

ଆହୁରି ଅନେକ ମଧ୍ୟ କୁହନ୍ତି ଆମର ରଙ୍ଗମଞ୍ଚ ବା ଅଭିନୟର ଆଭିମୁଖ୍ୟ ଏଭଳି ହେବା ଉଚିତ୍‌ ଯାହାଦ୍ଵାରା ଉପଯୁକ୍ତ ଦର୍ଶକ ଗଢ଼ାଯାଇ ପାରିବେ । ତା’ର ଅର୍ଥ ହେଲା ଦର୍ଶକମାନଙ୍କର ଦୃଷ୍ଟିଭଙ୍ଗୀ ବଦଳା ଯାଇପାରିବ । ଆଉ ଟିକିଏ ସରଳ କଥାରେ କହିବାକୁ ଗଲେ, ଆମେ ଆମର ମନଇଚ୍ଛାରେ ଯାହା ପରିବେଷଣ କଲେ ମଧ୍ୟ ତାକୁ ଦର୍ଶକ ଦେଖିବାକୁ ବାଧ୍ୟ ହେବେ । ଭଲ କଥା, ମୁଁ ବି ସେମାନଙ୍କ ପରାମର୍ଶକୁ ସ୍ଵାଗତ କରୁଛି । ମାତ୍ର ତା’ ସାଙ୍ଗେ ସାଙ୍ଗେ ସେମାନଙ୍କୁ ପଚାରୁଛି ଯେ କାହିଁକି ଆମେ ବାଜା ବଜେଇ ଦର୍ଶକଙ୍କ ପାଖରୁ ଦର୍ଶନୀ ନେଇ ରଙ୍ଗମଞ୍ଚକୁ ନିମନ୍ତ୍ରଣ କରୁ ? ତାଙ୍କୁ ଅଳ୍ପ ସମୟ ପାଇଁ କିଛି ଆନନ୍ଦ ଦବା ପାଇଁ ତ ? ତାଙ୍କର ଭାରାକ୍ରାନ୍ତ ମସ୍ତିଷ୍କରୁ କିଛି ପରିମାଣର ବୋଝ ଉତ୍ତାରି ନବାକୁ ତ ? ତାଙ୍କ ନିକଟରେ ଯେବେ ତାଙ୍କ ନିଜ ରୁଚିର ବିଷୟ କିଛି ପରିବେଷଣ ନ ହୁଏ, ତେବେ ସେମାନେ ରୁଷ୍ଟ ହେବେ ନାହିଁ କି ? ଆମେ ଆମ ଇଚ୍ଛାରେ ଯେବେ ମନସ୍ତତ୍ତ୍ଵମୂଳକ ବିଷୟବସ୍ତୁ ତାଙ୍କ ସମ୍ମୁଖରେ ବାଢ଼ିବସୁ ତେବେ ସେମାନେ ତାହା କାହିଁକି ଗ୍ରହଣ କରିବେ ?

 

ଆଜି ଯୋଉ ପରୀକ୍ଷାମୂଳକ ନାଟକ ଆମ ରଙ୍ଗମଞ୍ଚରେ କରାଯାଉଛି, ତାହା ସବୁଦିନ ସେଇ ପରୀକ୍ଷାମୂଳକ ଅବସ୍ଥାରେ ହିଁ ରହିଯିବ । ତା’ଛଡ଼ା ଯେଉଁମାନେ ଆଜି ଆମ ରଙ୍ଗମଞ୍ଚରେ, ପାଶ୍ଚାତ୍ୟ ପରିବେଶକୁ ନକଲ କରି ପରିବର୍ତ୍ତନ ଆଣିବାକୁ ସ୍ଵପ୍ନ ଦେଖୁଛନ୍ତି ସେମାନେ ଘର ଦିଅଁ ନ ପୂଜି ପର ଦିଅଁ ପୂଜୁଛନ୍ତି ବୋଲି କହିବାକୁ ହବ ।

 

ଯାହା ଆମ ଜଳବାୟୁରେ ସମ୍ଭବ ହୋଇଛି ବା ସମ୍ଭବ ହେବ, ସେଇସବୁ ଚରିତ୍ର ସୃଷ୍ଟି କରି, ନିଜ ପରିବେଶକୁ ଖାପ ଖାଇଲାଭଳି ବିଷୟବସ୍ତୁ ଗଢ଼ି, ନାଟକ ବା ଅଭିନୟ ଠିକ୍‌ ନିଷ୍ଠାର ସହ ପ୍ରଦର୍ଶନ କରାଗଲେ ତାକୁ ଦେଖିବାକୁ ନିଶ୍ଚିତ ଭାବରେ ଆମ ଲୋକ ଆସିବେ ।

 

ପରିବେଶ ହିଁ ଲୋକ ଚରିତ୍ରକୁ କରେ ପ୍ରଭାବିତ ଏବଂ ପରିବେଶ ନେଇ ଚରିତ୍ର ନିଏ ବହୁରୂପ । ପୁଣି ଏଇ ପରିବେଶକୁ ସୃଷ୍ଟି କରେ ଆମର ସମାଜ । ସମାଜ ମଧ୍ୟ ବହୁ ରକମର । ଭାରତୀୟ ସମାଜ, ୟୁରୋପୀୟ ସମାଜ ଇତ୍ୟାଦି ଇତ୍ୟାଦି । ସେଇ ସମାଜ ତାର ପରିସରକୁ ଚାହିଁ ଯେଉଁ ରୀତି, ନୀତି ଖଞ୍ଜିଥାଏ, ତାକୁ ମାନି ଚଳେ ମଣିଷ ତା’ର ଚରିତ୍ରକୁ ବିଭିନ୍ନ ଗଣ୍ଡି ମାଧ୍ୟମରେ ।

 

ସେ ଯାହାହେଉ, ଯୋଉଠି ଯୋଉ କଥା ସମ୍ଭବ ଆମେ ଠିକ୍‌ ସେଇକଥା ସେଇଠାରେ ହିଁ ପ୍ରୟୋଗ କରିବା ଉଚିତ । ତା’ ନ ହେଲେ ସବୁ ଉଦ୍ୟମ ଆମର ହେବ ଅପ୍ରାସଙ୍ଗିକ ଓ ଅନ୍ୟ ଜାତି ନିକଟରେ ହେବୁଁ ଆମେ ନକଲକାରୀ ।

 

ଅନୁକରଣ ଗୁଣଟାକୁ ମୁଁ ନାପସନ୍ଦ କରୁନାହିଁ । କିନ୍ତୁ ମୋର ମନେ ହେଉଛି ଆମ ଭାରତରେ ଅନ୍ୟାନ୍ୟ ଜାତି ଅନୁକରଣ ଗୁଣରେ ଯେତେଟା ଆଗେଇଛନ୍ତି, ସେମାନଙ୍କଠାରୁ ଆମ ଓଡ଼ିଶାର ଲୋକ ଦୁଇପାଦ ଆହୁରି ଆଗକୁ ବଳିଯାଇଛନ୍ତି ସିନା କମ୍‌ ନୁହେଁ ।

 

ଥରେ ଆମ ଓଡ଼ିଶାର ହୃତ୍‌ପିଣ୍ଡ କଟକରେ ବିଭିନ୍ନ ପ୍ରତିଷ୍ଠିତ କବି ଓ ଲେଖକମାନଙ୍କୁ ନେଇ ଗୋଟିଏ ସଭା ଅନୁଷ୍ଠିତ ହେଲା ଏବଂ ସେଥିରେ ଆଲୋଚନାର ବିଷୟବସ୍ତୁ ଥିଲା–‘‘ଓଡ଼ିଆ ସାହିତ୍ୟ ବଜାରରେ କାବ୍ୟ, ସୁଖପାଠ୍ୟ ରହସ୍ୟ ଉପନ୍ୟାସ, ବିଜ୍ଞାନ, ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ ଓ ଅନ୍ୟାନ୍ୟ ପୁସ୍ତକର ବହୁ ଅଭାବ ରହିଛି ।’’ ଏଣୁ ଆମର ସାହିତ୍ୟ ରଥୀ କବି ଏସବୁର ଅଭାବ ପୂରଣ ପାଇଁ ଉଦ୍ୟମ କରନ୍ତୁ ।

 

ସୁଖର କଥା, ଏ ଆହ୍ଵାନ ଫଳରେ ଏ ଦିଗରେ ଅନେକ ଆମର ଅଗ୍ରଗତି ଘଟିଥିଲା । ଅନେକ ମୂଲ୍ୟବାନ ପୁସ୍ତକ ପ୍ରକାଶ ପାଇଛି; କିନ୍ତୁ ରହସ୍ୟ ଉପନ୍ୟାସ ଦିଗରେ ଆମେ ଯେଉଁ ଅଗ୍ରଗତି କରିଚୁଁ ତାହା ବାସ୍ତବିକ ବଡ଼ ହାସ୍ୟାସ୍ପଦ । ଗୁଇନ୍ଦା, ଗୁପ୍ତପୁରୀ, ନରହନ୍ତା ଇତ୍ୟାଦି କେତେଗୁଡ଼ାଏ ରୋମାଞ୍ଚକର ନାମକରଣ ଛଡ଼ା ସେସବୁ ବହିରେ ଯେଉଁସବୁ ସ୍ଥାନ, କାଳ, ପାତ୍ର ସୃଷ୍ଟି କରାଯାଇଛି, ତାକୁ ପଢ଼ିଲେ କେବଳ ହାସ୍ୟରସ ଜାତ ହେବା ଛଡ଼ା ଆଉ କିଛି ନାହିଁ ।

 

ଆମର କାବ୍ୟ, କବିତା, ଉପନ୍ୟାସ, ନାଟକ, ଯାତ୍ରା ଯାହା ସବୁ ସୃଷ୍ଟି କରୁନା କାହିଁକି ସେସବୁର ପାତ୍ରପାତ୍ରୀ, ନାୟକ ନାୟିକା ଏଇ ପାଣି ପବନର ହେବା ଉଚିତ ।

 

ହତ୍ୟା, ନୃଶଂସତା ଆମର ରକ୍ତଗତ ନୁହେଁ, ଧର୍ମର ଭୟ ଆମକୁ ଏସବୁ ଦିଗରେ ଆଗେଇବାକୁ ଦିଏନା, ଏଣୁ ଏପରି ଚରିତ୍ର ଆମର ପରିବେଶକୁ ଆଣିଲାବେଳେ ବହୁ ଭାବିଚିନ୍ତି ଆଣିବାକୁ ହେବ ।

 

ଆନନ୍ଦପୁରରେ ବେଶ୍‌ ଭଲ ଉପାର୍ଜନ ହେଲା । ପ୍ରଥମରୁ ସେଠାରେ ପହଞ୍ଚିବାବେଳେ ଶୀତ ଯାହା ଅନୁଭବ କରୁଥିଲୁ ତାହା ସେଠାରେ ରହିବାର କେଇଟା ଦିନ ଭିତରେ ଏମିତି ପ୍ରବଳ ହେଲା ଯେ ଦିନେ ରାତିରେ ଗରମ ପେଟ୍ରୋମାକ୍ସ ହାରକିନି ଉପରେ ହାତ ରଖିଲେ ବି କିଛି ଜଣାପଡ଼ିଲା ନାହିଁ ।

 

ତା’ପରେ ଆମେମାନେ ବିଦାୟ ନେଲୁ, ଘସିପୁରା ଓ ଆନନ୍ଦପୁରର ମାନ୍ୟଗଣ୍ୟ ଭଦ୍ରଲୋକମାନଙ୍କଠାରୁ । ବାହାରିଲୁ ପୁରୀ, ଆମର ପ୍ରଧାନ କାର୍ଯ୍ୟାଳୟକୁ । ଆମେ ଯୋଉ ଦୁଇଖଣ୍ଡି ବହି–ନବାନୁରାଗ ଓ ମାନଭଞ୍ଜନ, ଶିକ୍ଷା କରିସାରିଥିଲୁ ତାକୁ କିନ୍ତୁ ମଞ୍ଚସ୍ଥ କରି ନ ଥିଲୁ । ପୁରୀରେ ଏହା ଉଦ୍‌ଘାଟନ ପାଇଁ ଇଚ୍ଛା ଥିଲା ।

 

ଏଥର ପୁଣି ପୁରୀକୁ ଫେରିଯାଇ ରହିଲୁ ଆମେ ସେଇ ସଙ୍ଗୀତପ୍ରଭା ପ୍ରେସ୍‌ରେ । ଆଉ ବିଶ୍ରାମ ନେଇ ଚାଲିଲା ଧମାଧମ୍‌ ରିହର୍‌ସାଲ । ଅବଶ୍ୟ ଆଉ ବିଶେଷ କାମ ସେମିତି ବହିରେ ବାକି ନ ଥିଲା ।

 

ପୁରୀ ରାମଚଣ୍ଡୀ ଗଳିରେ ଥ‌ିବା ପୁରୁଣା ଜଗନ୍ନାଥ କ୍ଲବ୍‌ରେ ନାଟକ ସବୁ ଅଭିନୟ କରିବାକୁ ଉଦ୍ୟମ ଆରମ୍ଭ ହେଲା । ପ୍ରଚାର ପାଇଁ ପ୍ରଚାରପତ୍ର, ପୋଷ୍ଟର ଛପାଯାଇ ବିଭିନ୍ନ ସାହି ଓ ଛକ ସ୍ଥାନମାନଙ୍କରେ କାନ୍ଥରେ ମରାଗଲା ।

 

ଏତିକିବେଳେ ପୁରୀର ବିଖ୍ୟାତ ବଳଭଦ୍ର ହଜୁରୀ, ଶ୍ରୀଲୋକନାଥଦେବଙ୍କ ମନ୍ଦିରକୁ ଯିବା ବାଟରେ ତିଆରି କରୁଥା’ନ୍ତି ତାଙ୍କର, ସେ ଯୁଗର ସର୍ବଶ୍ରେଷ୍ଠ ଆଧୁନିକ ରଙ୍ଗମଞ୍ଚ । ହଜାର ହଜାର ଟଙ୍କା ବ୍ୟୟରେ ତିଆରି ଚାଲିଥାଏ ନୂତନ ଧରଣର ସେଟ୍‌ସବୁ । ଅଳିନ୍ଦ, ଦରବାର, ରାଜପଥ, ଗ୍ରାମ୍ୟପଥ, କୁଟୀର, ବନପଥ, ଜଙ୍ଗଲ–ଏସବୁ ଦୃଶ୍ୟ ଲାଗି ସେ ଆଧୁନିକ ରଙ୍ଗାଳୟରେ କନା ପରଦା (ସିନ୍‌) ଟାଙ୍ଗିବାର ବ୍ୟବସ୍ଥା ନ ଥିଲା । ବିଭିନ୍ନ ଦୃଶ୍ୟ ଲାଗି ତିଆରି ହୋଇଥିଲା, ବଡ଼ ବଡ଼ କାଠଫ୍ରେମ୍‌ ଓ ସେଥିରେ ପିଷ୍ଟ୍‌ବୋର୍ଡ଼ ଏବଂ କନା ଲଗାଯାଇ, ମୂଲ୍ୟବାନ ରଙ୍ଗ ଓ ତୂଳୀ ସାହାଯ୍ୟରେ ସୁନ୍ଦର ଦୃଶ୍ୟ ସେଟ୍‌ମାନ ।

 

ସେଇସବୁ ସେଟ୍‌ର ଉପରେ ଓ ତଳେ ଛୋଟ ଲୁହାର ଚକ ସଂଯୋଗ କରାଯାଇ, ସମ୍ପୂର୍ଣ୍ଣ ସେଟ୍‌ଟିକୁ ଦୁଇଭାଗ କରି, ମଞ୍ଚର ଦୁଇପଟକୁ ଅଲଗା ଅଲଗା କରି ରଖା ଯାଇଥିଲା । ପୁଣି ଦକାରବେଳେ ସେଟ୍‌ର ଉଭୟ ଖଣ୍ଡକୁ ଏକାଠି ମିଶେଇ ସମ୍ପୂର୍ଣ୍ଣ ସେଟ୍‌ କରାଯାଉଥିଲା । ରଙ୍ଗାଳୟଟି ଲମ୍ବା ଓ ଚଉଡ଼ାରେ ବିଶାଳ ଥିଲା । ଏହା ଘୂର୍ଣ୍ଣାୟମାନ ମଞ୍ଚ ନ ହେଲେବି ଏଥିରେ ଘୂର୍ଣ୍ଣାୟମାନ ମଞ୍ଚର ସମସ୍ତ କୌଶଳ ଖଞ୍ଜାଯାଇଥିଲା ।

 

କବି ଚନ୍ଦନ ହଜୁରୀଙ୍କ ଉପଯୁକ୍ତ ଦାୟାଦ ଶ୍ରୀ ବଳଭଦ୍ର ହଜୁରୀ । କଳାପାଇଁ ଏତେ ଅର୍ଥ ଉତ୍ସର୍ଗ କରିବା ଓଡ଼ିଶାରେ ୟାଙ୍କ ପରି ଦ୍ଵିତୀୟ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ମାର ଦୃଷ୍ଟିଗୋଚର ହେଇନାହାନ୍ତି ।

 

ହଜୁରୀ ମହାଶୟ ଦୟାଳୁ ଓ ଅନ୍ୟର ପରାମର୍ଶ ଗ୍ରହଣ ପାଇଁ ସର୍ବଦା ଆଗୁସାର ଥିଲେ-। ଯେ ଯାହା କହୁଥିଲା ରଙ୍ଗମଞ୍ଚ ନିର୍ମାଣରେ ସେ ତାହା ଖର୍ଚ୍ଚ କରିବାକୁ ଆଗେଇ ଆସୁଥିଲେ-। ଲୋକଙ୍କ କଥା ଶୁଣି ବେଳେବେଳେ ସେ କଲିକତାରୁ ଏକାଥରକେ ଡଜନ ହିସାବରେ ବେହେଲା, କ୍ଲାରିଓନେଟ୍‌, ରଙ୍ଗତୂଳୀ ମଗେଇ ପକଉଥିଲେ । ମଞ୍ଚ ପ୍ରସ୍ତୁତି ଲାଗି ସାମାନ୍ୟତମ ଉପକରଣଟିଏ ଦର୍କାର ପଡ଼ିଲେ ତାର ଗୁଣ, ମାନ ବିଷୟରେ ପରୀକ୍ଷା କରି, ଯୋଉଟି ଉତ୍‌କୃଷ୍ଟ ସେଇ ଜିନିଷଟିକୁ ଯେତେମୂଲ୍ୟ ପଡ଼ିଲେ ମଧ୍ୟ ଦେଇ ଆଣୁଥିଲେ । ପରିତାପର ବିଷୟ, କଳାପାଇଁ ଶ୍ରୀ ହଜୁରୀଙ୍କ ଏତେବଡ଼ ଅବଦାନକୁ କେତୋଟି ବର୍ଷ ଭିତରେ ଧୂଳିସାତ୍‌ କରିଦିଆଗଲା । ୟାର ମୂଳରେ ମଧ୍ୟ ଥିଲେ ଆମର ତଥାକଥିତ କଳାପ୍ରେମୀ ମଧ୍ୟସ୍ଥ ଦଲାଲ୍‌ ଗୋଷ୍ଠୀ । ସେମାନେ ଭୁଲ୍‌ବାଟରେ ପରିଚାଳିତ କରି, ଶ୍ରୀ ହଜୁରୀଙ୍କର ଏକ ବିରାଟ କୀର୍ତ୍ତିସ୍ତମ୍ଭକୁ ମାଟିରେ ମିଶେଇଦେଲେ-। ଆଜି ପର୍ଯ୍ୟନ୍ତ ତାହା ତିଷ୍ଠି ରହିଥିଲେ ଶ୍ରୀକ୍ଷେତ୍ର ଲାଗି ହୋଇଥାନ୍ତା ସେ ଏକ ପବିତ୍ର କଳାପୀଠ-। କର୍ପୂର ଯାଇଛି, କନା ବି ଯାଇଛି ।

 

ତଥାପି ଶ୍ରୀ ହଜୁରୀ ଆଉଥରେ, ବଡ଼ଦାଣ୍ଡର ଟାଉନଥାନା ସାମ୍ନାରେ ଆଉ ଗୋଟିଏ ଛୋଟକାଟର ମଞ୍ଚ ତିଆରି ଲାଗି ମନ ବଳେଇଥିଲେ ଏବଂ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ; ମାତ୍ର ତାହା ସମ୍ପୂର୍ଣ୍ଣ ହେଇପାରିଲା ନାହିଁ ।

 

ଏଥର ଦ୍ଵିତୀୟ ଥର ପାଇଁ ଖୁବ୍‌ ଆଡ଼ମ୍ବରପୂର୍ଣ୍ଣ ଭାବରେ ଆରମ୍ଭ କଲୁ ନାଟକ । ଯଦିଚ ପୁରୁଣା ନାଟକ ତଥାପି ନୂଆ ଥିଲା ବେଶ, ପୋଷାକ, ସିନ୍‌, ସିନେରି । ପୁରୁଣା ବହି ସହିତ ନୂଆ ବହି ଦୁଇଖଣ୍ଡି ମଧ୍ୟ ଉଦ୍‌ଘାଟନ କରାଗଲା । ମିଳିଲା ଭଲ ଅର୍ଥ ଓ ଲୋକ ସମର୍ଥନ । ଚୂନ, କାଳି ଲାଗିଲା ଆମ ଅନୁଷ୍ଠାନର ପୁରାତନ ଗୋଷ୍ଠୀଙ୍କ ମୁହଁରେ ।

 

ଆମର ଦୋକାନ ଖଣ୍ଡିକ ଏତେବେଳକୁ ସେମିତି ତାର ପୂର୍ବ ରୀତିରେ ଚାଲିଥାଏ । ମୋର ଗର୍ଭଧାରିଣୀ ମା’ ଆସିଥାନ୍ତି ପୁରୀ । ସାନଭଉଣୀ ସୂର୍ଯ୍ୟମଣୀ ସେତେବେଳକୁ ଗୁରୁବାରୀ ମାଉସୀ ପାଖରେ ଥାଏ ।

 

ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳେ, ଜଣେ ସାଥୀସମ୍ବଳ ନ ଥିବା ଦରିଦ୍ର, ଅନ୍ୟ ଜଣେ ଦରିଦ୍ରକୁ ତାର ଯତ୍‌କିଞ୍ଚିତ୍‌ ଦାନ ଟେକିଦେଇ ସାହାଯ୍ୟ କରେ । ଅଥଚ ଜଣେ ଧନବାନ୍‌ ବ୍ୟକ୍ତି, କଡ଼ାକ ମୂଲ୍ୟର ଦାନ ତ ଦେବା ଦୂରର କଥା, ବରଂ ଯୋଉ ତାଚ୍ଛଲ୍ୟ ପ୍ରଦର୍ଶନ କରନ୍ତି ତାହା ସର୍ବଦା ନିନ୍ଦନୀୟ ।

 

ଗୁରୁବାରୀ ମାଉସୀ ଆମର କେହି ନୁହନ୍ତି । ତାଙ୍କର ଜାତି ବର୍ଣ୍ଣ ବିଷୟରେ ମୋର ଧାରଣା ନାହିଁ । ତାଙ୍କ ବିଷୟରେ କାହାରିକୁ ପଚାରି ବୁଝିବାପାଇଁ ସମୟ ନ ଥିଲା, ଇଚ୍ଛା ବି ନ ଥିଲା ମୋର । ତଥାପି ତାଙ୍କୁ ଦେଖି ଏତିକି ବୁଝିଥିଲି ଓ ଏତିକି ଜାଣିଥିଲି ଯେ ସେ ଜଣେ ଦକ୍ଷିଣ ଓଡ଼ିଶାର ଭଦ୍ର ଅସହାୟା ମହିଳା । ୟା’ ଘରେ, ତା’ ଘରେ ଦୁଃଖଧନ୍ଦା କରି ପେଟ ପୋଷନ୍ତି । ନିଃସନ୍ତାନ, ହେଲେ ଅତିମାତ୍ରାରେ ସନ୍ତାନ ପାଗଳିନୀ ।

 

ସମ୍ଭବତଃ ତାଙ୍କରି ପରି ଆମେ ଥିଲୁ, ନିଃସ୍ଵ, ସମ୍ବଳହୀନ । ସେ ଥିଲେ ଜଣେ, ମାତ୍ର ଆମେ ଅନେକ । ତାଙ୍କର ଚଲାବୁଲାର ପରିସର ଭିତରେ ଆମର ଦୋକାନ ଖଣ୍ଡିକ ଥ‌ିବା ହେତୁ ସବୁବେଳେ ଆମର ତାଙ୍କର ମୁହାଁମୁହିଁ ହେଇଯାଉଥିଲା ଏବଂ ମୋର ସାନଭଉଣୀଟି ଶିଶୁ ଥ‌ିବାରୁ ସ୍ନେହରେ କୋଳେଇ ନଉଥିଲେ ସେ ।

 

ଇଶ୍ଵରଙ୍କ ନିକଟରେ, ଅନେକ ବାର, ଏକା ଏକା ଆଖିରୁ ଲୁହନିଗାଡ଼ି ପ୍ରାର୍ଥନା କରିଛି, ‘‘ହେ, ସର୍ବଶକ୍ତିମାନ୍‌ ! ମଣିଷ ଲାଗି ମଣିଷର ଏମିତି ସ୍ନେହ, ଶ୍ରଦ୍ଧା ସବୁଠି, ସବୁ ସମୟରେ ଦେଖାଯାଏ ନାହିଁ କାହିଁକି ?’’

 

ଗୁରୁବାରୀ ମାଉସୀ ଥିଲେ ମଣିଷରଙ୍କା, ସବୁ ମଣିଷ ତାଙ୍କ ଆଖିରେ ଗୋଟାଏ ମଣିଷହେଇ ଦେଖାଯାଉଥିଲେ, ସବୁବେଳେ ସ୍ନେହ ଆଦର ଦେଇ ସେ ଭଲ ପାଉଥିଲେ ମଣିଷକୁ-। ଆପଣା ପର ନ ଥିଲା । ମୋର ସାନଭଉଣୀ ତାଙ୍କରି ପାଖରେ, ଅନେକଦିନ ଧରି ଆଦର ଯତ୍ନ ପାଇ ବଢ଼ିଥିଲା ।

 

ଅନେକଥର ଆମ ପରିବାର ସହିତ ଗୁରୁବାରୀ ମାଉସୀ ଅଭିନୟ ଦେଖିବାକୁ ଆସନ୍ତି, ଅଭିନୟରୁ ଯାହା ବୁଝନ୍ତୁ ନା କାହିଁକି ଖୁବ୍‌ ପ୍ରଶଂସା କରନ୍ତି । ହସି ହସି ଗଡ଼ି ଯାଆନ୍ତି । ମା’ଙ୍କୁ ମୋର ଆନନ୍ଦରେ କୁଣ୍ଢେଇ ପକାନ୍ତି । ମୋର ଉଜ୍ଜ୍ଵଳ ଭବିଷ୍ୟତ ସମ୍ପର୍କରେ ମା’ଙ୍କୁ ତାଙ୍କ ସରଳ ଭାଷାରେ କେତେକଥା କୁହନ୍ତି ।

 

ଧାରାବାହିକ ଭାବରେ ପୁରୀରେ ଅଭିନୟ ଚାଲିଥାଏ, ଦିନର କର୍ମସୂଚୀ ଥାଏ ଆମର ଖୁବ୍‌ କଠୋର । ପୂର୍ବକଥିତ ଅନୁଯାୟୀ ରାତିପାହାନ୍ତାରୁ ଗଳାସାଧିବା, ନାଚ ଶିଖିବା ଓ ନୂଆ ପିଲାଙ୍କୁ ନାଚ ଶିଖେଇବା, ନୂଆ ପୁରୁଣା ନାଟକସବୁର ରିହର୍‌ସାଲ କରିବା ଏବଂ ଏସବୁ କାମ ସହିତ ଆମ ଭିତରେ ଯାହାର ଯୋଉଦିନ ପାଳିଥାଏ, ସେଇ ଅନୁଯାୟୀ ଘର ଓଳେଇବା, ମସଲା ବାଟିବା, ପୂଜାରୀ ପାଖକୁ ପାଣି ବୋହି ଆଣିଦେବା, ପୁଣି ବାସନ ମାଜିବା ଇତ୍ୟାଦି ଇତ୍ୟାଦି ।

 

ଏଇସବୁ ରୁଟିନ୍‌ ଯଦି ଟିକିଏ ଏପଟ ସେପଟ ହେଇଯାଉଥିଲା ତା’ ହେଲେ ଦଣ୍ଡ ମିଳୁଥିଲା ଅତି ନିର୍ମମ ଭାବରେ । ହାତ, ବେତ, ଯୋତା ବରଷି ଯାଉଥିଲା ଆମ ପିଠିରେ, ମୁଣ୍ଡରେ-। ଶାସ୍ତି ଦେବାର ଆଉଗୋଟାଏ ନୂଆ କାଇଦା ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ବେଶ୍‌ ଭଲ ଜଣାଥିଲା-। କାଇଦାଟା ହେଲା ଯେ ଜଣେ ପିଲା କିଛି ଦୋଷ କରୁଥିଲେ ଆଉ ଜଣେ ପିଲାକୁ ଆଦେଶ ଦିଆଯାଉଥିଲା–ଦୋଷ କରିଥିବା ପିଲାର କାନକୁ ଖୁବ୍‌ ଜୋର ମୋଡ଼ି, ଦୁଇଗାଲରେ ବ୍ରହ୍ମ ଚାପୁଡ଼ା ମାରିବାକୁ । ଯଦି ସେ ପିଲା, ଦୋଷୀର କାନକୁ ମୋଡ଼ିବାରେ ବା ଚାପୁଡ଼ା ମାରିବାରେ, ଦୟା ପରବଶ ହୋଇ, କୋହଳ ନୀତି ଧରିଲା ତ ତା’ କାନ ମୋଡ଼ିବାକୁ ଆଉ ଜଣେ ପିଲାକୁ କଡ଼ା ନିର୍ଦ୍ଦେଶ ଦିଆଯାଉଥିଲା ମଧ୍ୟ ।

 

ଗୁରୁ–ଛାତ୍ରର ସମ୍ପର୍କ କ’ଣ ଏଇୟା ? ସମ୍ଭବତଃ ଶ୍ରୀଯୁକ୍ତ ପଟ୍ଟନାୟକ ନିଃସନ୍ତାନ ଥିଲେ, ତେଣୁ ଛୋଟଛୋଟ ପିଲାଗୁଡ଼ିକଙ୍କ ଉପରେ ତାଙ୍କର ଦୟା ମାୟା କିଛି ବୋଲି କିଛି ନ ଥିଲା । କେବଳ ଯେ ପିଲାଙ୍କୁ ନିଷ୍ଠୁର ଭାବରେ ମାଡ଼ ଦିଆଯାଉଥିଲା ତା’ ନୁହେଁ, ପିଲାଙ୍କ ପ୍ରତି ଯୋଉ ଭାଷା ପ୍ରୟୋଗ କରାଯାଉଥିଲା ସେ ଭାଷା ହୁଏତ କୌଣସି ଇତର ମଣିଷ ପ୍ରତି ପ୍ରୟୋଗ କରିବା ହୁଅନ୍ତା ଏକ ଅକ୍ଷମଣୀୟ ଅପରାଧ ।

 

ତେବେ ବି ଅଭିନୟ ପ୍ରଦର୍ଶନରେ କୌଣସି ବାଧା ବା ପ୍ରତିବନ୍ଧକ ନ ଥିଲା । ଏଭଳି ପରିସ୍ଥିତିରେ ଆମେମାନେ ଅନୁଷ୍ଠାନ ଛାଡ଼ି ପଳେଇଯିବାକୁ କୁଆଡ଼େ ବାଟ ନ ଥିଲା । ଯଦିଚ କେହି କେବେ ନିଜର ବସାକୁ କିମ୍ବା ଘରକୁ ଲୁଚି ଚାଲିଯିବାର ଉପକ୍ରମ କରୁଥିଲୁ ତ ପୁଣି ଧରାହେଇ ଆସି ସହୁଥୁଲୁ ଅକଥନୀୟ ଗାଳିଗୁଲଜ ଏବଂ ତା’ ସହିତ ନିର୍ମମ ପ୍ରହାର ।

 

ଆସିଲା ଅଁଳାନବମୀ । ଶ୍ରୀକ୍ଷେତ୍ରଠାରୁ ଅଳ୍ପଦୂରରେ ଶ୍ରୀ ସାକ୍ଷୀଗୋପାଳଙ୍କ ପ୍ରସିଦ୍ଧ ପାଦଦର୍ଶନ ଉତ୍ସବ । ଉକ୍ତ ଉତ୍ସବ ଦେଖିବାଲାଗି ଭାରତର ପ୍ରାୟ ପ୍ରତ୍ୟେକ ସ୍ଥାନରୁ ତୀର୍ଥଯାତ୍ରୀ ଆସି ସେ ସ୍ଥାନକୁ କିଛିଦିନ ପାଇଁ କରନ୍ତି ମୁଖରିତ । ବାହାର ଯାତ୍ରୀଙ୍କ ଛଡ଼ା ପାଖଆଖର ଗାଁ ଗଣ୍ଡାରୁ ମଧ୍ୟ ବହୁଲୋକ ଆସି ରୁଣ୍ଡ ହୁଅନ୍ତି ସେଇଠି ।

 

ଆଉ ବିଳମ୍ବ ନ କରି ଆମର ଡେରା ଉଠେଇଲୁ ସେଇ ସାକ୍ଷୀଗୋପାଳ ଉଦ୍ଦେଶ୍ୟରେ ।

 

ବକୁଳ, ଛୁରିଅନା ବୃକ୍ଷବହୁଳ ସାକ୍ଷୀଗୋପାଳ ସ୍ଥାନଟି ବାସ୍ତବିକ ବଡ଼ ରମଣୀୟ, ମନ ମୁଗ୍ଧକର । ବଡ଼ ସହର ନ ହେଲେ ମଧ୍ୟ ସ୍ଥାନଟିର ସହର ରୂପ ନେବାକୁ ପ୍ରବଳ ଇଚ୍ଛା ଥିଲାପରି ମନେହୁଏ ଦେଖ‌ିଲେ । ଅଧିକାଂଶ ଚାଳଘର । ପ୍ରାଚୀନ ଗୋପୀନାଥଙ୍କ ମନ୍ଦିର ବେଢ଼ାରେ, ବିଶାଳ ଶ୍ୟାମ ତମାଳବୃକ୍ଷ କେତେ ଯୁଗରୁ ଯେ ରହିଆସିଛି କହିବା କଷ୍ଟକର । ପ୍ରବାଦ ଅଛି–ଯେତେବେଳେ ଶ୍ରୀ ଗୋପୀନାଥ, ବୃନ୍ଦାବନ ଛାଡ଼ି, ବିପ୍ରଙ୍କ ସାକ୍ଷୀରୂପରେ ଆସିଥିଲେ ସେଇ ସମୟରେ ଠାକୁରଙ୍କୁ ଛାୟାଦାନ ଉଦ୍ଦେଶ୍ୟରେ ଏଇ ତମାଳ ବୃକ୍ଷଟି ତାଙ୍କ ସହିତ ଆସିଥିଲା ଏବଂ ଏହିଠାରେ ରତ୍ନଚିରା ନଦୀ ବାଲିରେ ଠାକୁରଙ୍କ ନୂପୁର ପୋତିହେଇ ଯିବା ଯୋଗୁଁ ଗୋପୀନାଥଙ୍କୁ ବିପ୍ର ପଛକୁ ଫେରି ଚାହିଁଦେବାରୁ ଠାକୁର ଅଟକିଯାଇଥିଲେ ଓ ଏହି ସ୍ଥାନକୁ ସେଇ ଦିନଠାରୁ ସତ୍ୟବାଦୀ ବା ସାକ୍ଷୀଗୋପାଳ ବୋଲି ନାମକରଣ କରାଯାଇଛି । ଏବେ ବି ରତ୍ନଚିରା ନଦୀର ଜୀର୍ଣ୍ଣ ଅବସ୍ଥା ସାକ୍ଷୀଗୋପାଳରେ ଦେଖିବାକୁ ମିଳେ । ସେଇ କାଳରୁ ତମାଳ ତରୁଟି ଠାକୁରଙ୍କ ବେଢ଼ା ଭିତରେ ଗୋଟିଏ କୋଣରେ ରହିଆସିଛି । ନିକଟରେ ଚନ୍ଦନ ପୋଖରୀ ଓ ଧର୍ମଶାଳା ।

 

ସାକ୍ଷୀଗୋପାଳକୁ ଏକ ନାରିକେଳ କୁଞ୍ଜ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । କାରଣ ସେଠାରେ ପ୍ରତ୍ୟେକ ପରିବାରର ନାରିକେଳ ହେଲା ବ୍ୟବସାୟର ପ୍ରଧାନ ସାମଗ୍ରୀ । ଯୁଆଡ଼େ ଆଖି ପକାନ୍ତୁ ଦେଖିବେ ଛୋଟ, ବଡ଼ ନାରିକେଳ ବୃକ୍ଷଶ୍ରେଣୀ ।

 

ଏଇ ସାକ୍ଷୀଗୋପାଳରୁ ଭାରତର ବିଭିନ୍ନ ସ୍ଥାନକୁ ନାରିକେଳ ରପ୍ତାନି କରାଯାଏ । ଅନ୍ୟାନ୍ୟ ପାଟକ ଭିତରେ ବ୍ରାହ୍ମଣ ପ୍ରାୟ ସଂଖ୍ୟାରେ ଅଧିକ ।

 

ଆମେ ସେଠାରେ ବସାବାନ୍ଧିଲୁ ଜଣେ ବୃଦ୍ଧାଙ୍କ ଘରେ । ରଙ୍ଗମଞ୍ଚ ତିଆରି ହେଲା ଗୋପୀନାଥଙ୍କ ଦୋଳବେଦୀ ନିକଟରେ । ସାକ୍ଷୀଗୋପାଳରେ ସେତେବେଳକୁ ଓଡିଶାର ସ୍ୱନାମଧନ୍ୟ ପଞ୍ଚସଖାମାନଙ୍କର ଆବିର୍ଭାବ ଘଟି ସାରିଥାଏ । ସେଇମାନଙ୍କ ଉଦ୍ୟମରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନେତୃତ୍ୱକୁ ନେଇ ମୁଣ୍ଡ ଟେକିଥାଏ ବକୁଳବନ ବିଦ୍ୟାଳୟ । ଗୋଟିଏ ସଂସ୍କୃତ ଟୋଲ୍‌ ମଧ୍ୟ ଥାଏ ଏଠାରେ । ଉତ୍କଳମଣିଙ୍କ ପ୍ରତିଷ୍ଠିତ ସମାଜ ପ୍ରେସ୍‌ କେତେଦିନ ଆଗରୁ ଉଠିଯାଇଥାଏ କଟକ । ସମାଜର ଆକାର ଥାଏ ଗୋଟିଏ ପୃଷ୍ଠା ମାତ୍ର ।

 

ଖୁବ୍‌ ଗରମାଗରମ ଅବସ୍ଥାରେ ଅଭିନୟ ଆରମ୍ଭ କଲୁ ସତ୍ୟବାଦୀରେ । ଶୀତଦିନ ହେଲେ ମଧ୍ୟ ଲୋକ ବେଶ୍‌ ହଉଥାନ୍ତି । ଗୋଟିଏ ବହିକୁ ଦୁଇଦିନ କରି ଅଭିନୟ କଲେ ବି ଚଉଦଦିନ ଦର୍କାର । କାରଣ ଆମ ହାତରେ ଥାଏ ସାତଖଣ୍ଡି ବହି ।

 

ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କର ନୂଆ ବହି ‘କିଶୋର ଚନ୍ଦ୍ରାନନ ଚମ୍ପୂ’ର ଲେଖା ଆରମ୍ଭ କରିଥାନ୍ତି । ସେଥିରେ ପୁଣି ମୋର ସେଇ ମଧୁମଙ୍ଗଳ ଭୂମିକା, ଆମର ବିଖ୍ୟାତ୍‌ ପ୍ରାଚୀନ କବି କବିସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୁ କାବ୍ୟକୁ ନାଟକ ରୂପ ଦଉଥାନ୍ତି ଶ୍ରୀ ପଟ୍ଟନାୟକ । ପାଞ୍ଚଟି ଅଙ୍କବିଶିଷ୍ଟ ଚମ୍ପୂ ନାଟକରେ ଚଉତ୍ରିଶଟି ଗୀତ ତ ରହିବ, ତା’ ସାଙ୍ଗେ ସାଙ୍ଗେ ଆହୁରି ଦଶଟି ଗୀତ ମଧ୍ୟ ରହିବା କଥା । ନ ହେଲେ, ଅଳ୍ପ ସମୟର ନାଟକ ହେଲେ ଦର୍ଶକମାନେ କ୍ଷୁବ୍‌ଧ ହେବେ ।

 

ଆପଣମାନଙ୍କୁ କହିରଖେ । ସେ ସମୟରେ ଯାତ୍ରା ପରି ନାଟକ ମଧ୍ୟ ଦୀର୍ଘ ସମୟ ଧରି ଅଭିନୀତ ନ ହେଲେ କୌଣସି ଗୋଷ୍ଠୀର ଦର୍ଶକ ନାଟକକୁ ପସନ୍ଦ କରୁ ନ ଥିଲେ । ଗୋଟିଏ ନାଟକ ସନ୍ଧ୍ୟା ସାତଟା ତିରିଶରେ ଆରମ୍ଭ କଲେ ଶେଷ ହେବାକୁ ସାଢ଼େ ଗୋଟାଏ ଅବା ଦୁଇଟା ବାଜିଯାଉଥିଲା । ଏଣୁ ରାସ ବହିଗୁଡ଼ିକରେ ଅନେକଗୁଡ଼ିଏ ଗୀତ ଓ ସ୍ଥାନ ବିଶେଷରେ ନାଚମାନ ଖଞ୍ଜି ଦିଆଯାଉଥିଲା । ଯାତ୍ରା ବା ସୁଆଙ୍ଗ ଟିକିଏ ବିଳମ୍ବରେ ଆରମ୍ଭ କରି ଶେଷ କରୁଥିଲେ ପ୍ରାୟ ସୂର୍ଯ୍ୟ ଉଦୟ ବେଳକୁ ।

 

ଗୋପୀନାଥଙ୍କ ମନ୍ଦିରର ପରିଚାଳନା ଦାୟିତ୍ଵରେ ଥ‌ିବା ଭଦ୍ରଲୋକ ଜଣକ ଅନେକ ଥର ଖାଇବାକୁ ଡାକିଛନ୍ତି ଆମକୁ I ମାର୍ଜିତ ବ୍ୟବହାର ।

 

ସତ୍ୟବାଦୀରେ ଆମର ନାଟକ ପ୍ରଦର୍ଶନ ଚାଲିଥିବାବେଳେ ପ୍ରଥମ କରି ସମାଜ ସମ୍ବାଦପତ୍ରରେ ମୋର ଅଭିନୟ ସମ୍ପର୍କରେ ସଂକ୍ଷେପରେ କେତେକ ପ୍ରଶଂସା କରାଯାଇଥିଲା ଏବଂ ସେଠାରେ ନାଟ୍ୟପ୍ରେମୀ ଦର୍ଶକ ମୋର ଅଭିନୟରେ ମୁଗ୍ଧ ହେଇ କେତେକ ପଦକ ଉପହାର ଦେଇଥିଲେ । ଆମ ଅଫିସ୍‌ର ରସିକବାବୁ (ରସିକ ମୋହନ ପଟ୍ଟନାୟକ) କାଳୀବାବୁଙ୍କର ଦୂର କି ନିକଟ ଏମିତି ଗୋଟାଏ କିଛି ସମ୍ପର୍କୀୟ ହେବେ । ସେ ରହୁଥିଲେ ସାକ୍ଷୀଗୋପାଳ ଥାନାରେ ।

 

ବଡ଼ ଗୁଣର ମଣିଷ । ପୁଲିସ ଅଫିସର ହିସାବରେ ସେ ଯାହା ହୁଅନ୍ତୁ ନା କାହିଁକି, ଆମ ପ୍ରତି ତାଙ୍କର ସ୍ନେହ, ଶ୍ରଦ୍ଧା ଯେତେ ପରିମାଣରେ ରହୁଥିଲା ସେକଥା ଭୁଲିଯିବା ହେବ ଆମମାନଙ୍କର ଏକ ଗୁରୁତର ଅପରାଧ । ସହଜେ ତ ସେ ବେଳରେ ରାଜ୍ୟ ଶାସନର ଦାୟିତ୍ଵ ଥିଲା ବ୍ରିଟିଶ ସରକାରଙ୍କ ହାତରେ ଆଉ ପୁଲିସ ବାହିନୀ ତାଙ୍କର ଥିଲେ ବିଶ୍ଵସ୍ତ କର୍ମଚାରୀ । ଏଇ ପୁଲିସ ବାହିନୀ ଅସୀମ କ୍ଷମତାର ଅଧିକାରୀ ଥିଲେ । ଉକ୍ତ ବିଭାଗର ଉଚ୍ଚତ୍ତମ ଅଫିସ୍‌ରଙ୍କ କଥା ଛାଡ଼ିଦେଲେ ମଧ୍ୟ ସାମାନ୍ୟତମ ସିପାହୀ କର୍ମଚାରୀଙ୍କୁ ଦେଖ‌ିଲେ ବି ଜନସାଧାରଣ ଭୟରେ ଥରହର ହେଉଥିଲେ ।

 

ଶ୍ରୀ କାଳୀଚରଣ ପଟ୍ଟନାୟକ ବଡ଼ ଚତୁର ଥିଲେ; ସେଥ‌ିପାଇଁ ସେ ଅନୁଷ୍ଠାନକୁ ଯୋଉ ସ୍ଥାନକୁ ନେଇ ଅଭିନୟ କରିବାକୁ ଚାହୁଥିଲେ ତା’ପୂର୍ବରୁ ସେ ଅଞ୍ଚଳର ଅଧିକାରୀ ଓ ଥାନା ଅଫିସର, ବିଶିଷ୍ଟ ସ୍ଥାନୀୟ ଲୋକଙ୍କ ବିଷୟରେ ସବୁକଥା ପଚାରି ବୁଝି ସେମାନଙ୍କୁ ହାତରେ ରଖୁଥିଲେ ।

 

ମୁଁ ଲକ୍ଷ୍ୟ କରିଛି, ଯେତେ ଜାଗାରେ ଆମ ଅନୁଷ୍ଠାନ କ୍ୟାମ୍ପ କରିଛି ସବୁ ସ୍ଥାନରେ ପ୍ରାୟ ସରକାରଙ୍କ ପୁଲିସ ବିଭାଗ କାଳୀବାବୁ ତଥା ତାଙ୍କର ଅନୁଷ୍ଠାନକୁ ବହୁ ରକମର ଛୋଟ ବଡ଼ ବିପଦ ଆପଦରେ ଘଣ୍ଟ ଘୋଡ଼େଇ ରଖୁଛନ୍ତି । ଏପରିକି ଉକ୍ତ ବିଭାଗର ଛୋଟ ବଡ଼ ସ୍ତରର କର୍ମଚାରୀ ଆମ ପ୍ରତି ସହଯୋଗ ମନୋଭାବ ପୋଷଣ କରିଛନ୍ତି ।

 

ସାକ୍ଷୀଗୋପାଳରେ ଅନେକଥର ଥାନାଭୋଜିରେ ଆମେମାନେ ଯୋଗ ଦେଇଛୁଁ; କେବଳ ଥାନାଭୋଜି ନୁହେଁ, ସେ ସମୟରେ ପ୍ରତ୍ୟେକ ପରିବାରରେ ପ୍ରାୟ ଭୋଜି ଭାତ କରି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ଭୂରି ଭୋଜନ ଦେଇ ଆପ୍ୟାୟିତ କରିବା ଥିଲା ଯେମିତି ଗୋଟାଏ ପରମ୍ପରା । ଏ କ୍ଷେତ୍ରରେ ଗ୍ରହୀତାଠାରୁ ଦାତା ହେଉଥିଲେ ବେଶିମାତ୍ରାରେ ଖୁସି ଓ ଆନନ୍ଦ ।

 

ଆସିଲା ସେଇ ପୁଣ୍ୟତିଥୀ ଅଁଳା ନବମୀ । ଲୋକ ଗହଳିରେ ସତ୍ୟବାଦୀର ଦାଣ୍ଡ ପଡ଼ୁଥାଏ ଉଠୁଥାଏ । ଓଡ଼ିଶା ପ୍ରଦେଶ ଛଡ଼ା ବିଭିନ୍ନ ପ୍ରଦେଶରୁ ଯାତ୍ରୀ ଆସିଥାନ୍ତି ଶ୍ରୀଗୋପୀନାଥଙ୍କ ପାଦ ଦର୍ଶନ କରିବାକୁ । ବର୍ଷକୁ ଥରେ ଏ ଉତ୍ସବ । ଭୋର ହେଉ ନ ହେଉଣୁ ଶ୍ରୀଯୁକ୍ତ ପଟ୍ଟନାୟକ ନିଜର ନିତ୍ୟକର୍ମ ସାରି, କେତେଜଣଙ୍କୁ ସାଙ୍ଗରେ ଧରି ଚାଲିଲେ ମନ୍ଦିରକୁ I ଶ୍ରୀ ଗୋପୀନାଥଙ୍କ ଶ୍ରୀଚରଣ ତଳେ ପ୍ରଣତି ଜଣେଇ, ଶୁଭଲଗ୍ନରେ, ଠାକୁରଙ୍କ ନାମ ଅନୁସାରେ ଆମର ନାଟ୍ୟ ମଣ୍ଡଳୀର ନୂତନ ନାମକରଣ କଲେ, ‘‘ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ନାଟ୍ୟସଂଘ’’।

 

ବିଶେଷ ବଡ଼ ଧରଣର ନ ହେଲେ ମଧ୍ୟ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସେଦିନ ସେଇ କ୍ଷୁଦ୍ର ଉତ୍ସବଟି, ଅନୁଷ୍ଠାନର ପ୍ରତ୍ୟେକଙ୍କ ମନରେ ଆଣିଥିଲା ଅପାର ଆନନ୍ଦ । ଶ୍ରୀ ଗୋପୀନାଥଙ୍କ ପ୍ରସାଦ ଓ ଛଡ଼ା ତୁଳସୀ ମଥାରେ ଲଗେଇ ଅନୁଷ୍ଠାନର ନୂତନ ନାମକୁ ଦୀର୍ଘଜୀବୀ କରିବା ଆଶାନେଇ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ମନେ ମନେ ଜଣେଇଥିଲୁ ବିନମ୍ର ନିବେଦନ ।

 

ଦିନ ବଢ଼ିବା ସାଙ୍ଗେ ସାଙ୍ଗେ, ସତ୍ୟବାଦୀର ତୀର୍ଥ ପଥରେ ବଢ଼ି ଉଠୁଥାଏ ଦୂରାଗତ ଯାତ୍ରୀଙ୍କର ଅସମ୍ଭବ ଭିଡ଼ ।

 

ସିଧା ଶ୍ରୀକ୍ଷେତ୍ରରୁ ଯାତ୍ରୀମାନେ ଜଗନ୍ନାଥ ସଡ଼କ ଦେଇ ଚାଲିଚାଲି ଆସନ୍ତି ଓ ଯୋଉମାନେ ରେଳପଥ ଦେଇ ଆସିବାର କଥା ସେମାନେ ସତ୍ୟବାଦୀ ରେଳଷ୍ଟେସନ୍‌ରେ ଓହ୍ଲେଇ କିଛିବାଟ ଆସିଲେ ପଡ଼େ ଶ୍ରୀ ଗୋପୀନାଥଙ୍କ ମନ୍ଦିର ।

 

ମନ୍ଦିର ଆଗରେ ଗରୁଡ଼ସ୍ତମ୍ଭ । ଚାରିପାଖରେ ଠାକୁରଙ୍କ ଭୋଗ ବିକ୍ରିପାଇଁ କେତେଗୁଡ଼ିଏ ଛୋଟଛୋଟ ଦୋକାନ । ସେଇ ଗରୁଡ଼ସ୍ତମ୍ଭ ନିକଟରୁ ମନ୍ଦିର ଭିତରେ ଥିବା ଶ୍ରୀ ଠାକୁରଙ୍କ ପର୍ଯ୍ୟନ୍ତ, ଯାତ୍ରୀଙ୍କ ଭିଡ଼ ଏତେ ମାତ୍ରାରେ ବଢ଼ିଯାଏ ଯେ, ମଣିଷର ଶ୍ଵାସରୁଦ୍ଧ ହୋଇଯାଏ-

 

ଶ୍ରୀ ଗୋପୀନାଥଙ୍କ ନିକଟରେ ଶଙ୍ଖୁଡ଼ି ଭୋଗର ବ୍ୟବସ୍ଥା ନାହିଁ । କେବଳ ଚୁଡ଼ା ଦହି ପଖାଳ ଓ ଆଉ କେତେକ ଶୁଖିଲା ଭୋଗ । ସୁଗନ୍ଧ ଯେମିତି, ସୁସ୍ଵାଦୁ ଓ ପୁଷ୍ଟିକର ସେମିତି । ଦେବତା ଯଦିଚ ଏକ, ମୋତେ କାହିଁକି କେଜାଣି ଭାରତର ଅନ୍ୟାନ୍ୟ ଦେବ ମନ୍ଦିର ପ୍ରସାଦ ଅପେକ୍ଷା, ଉତ୍କଳର ଯେକୌଣସି ଦେବ–ଦେଉଳର ପ୍ରସାଦରେ କିଛି ଯେମିତି ସ୍ଵତନ୍ତ୍ରତା ଥିଲା ପରି ଜଣାପଡ଼େ ।

 

ଯୋଉସବୁ ପଶ୍ଚିମଯାତ୍ରୀ ସତ୍ୟବାଦୀ ଆସିଥିଲେ ସେମାନଙ୍କ ଭିତରୁ କେହି ଜଣେ ଅଧେ ସୁଦ୍ଧା ଆମ ନାଟକ ଦେଖିବାକୁ ଆସୁନଥିଲେ; କିନ୍ତୁ ଆମ ଉତ୍କଳୀୟ ଭକ୍ତଗଣ ଶ୍ରୀଗୋପୀନାଥଙ୍କ ପାଷାଣ ବିଗ୍ରହ ଦର୍ଶନ କରିବା ସାଙ୍ଗେ ସାଙ୍ଗେ, ଆମର ରାସ ମଣ୍ଡଳୀର ଜୀବନ୍ତ ଶ୍ରୀକୃଷ୍ଣ, ଶ୍ରୀମତୀଙ୍କ ଦର୍ଶନଲାଗି ଛୁଟିଆସୁଥିଲେ ଖୁବ୍‌ ଅଧିକ ସଂଖ୍ୟାରେ ।

 

ସାକ୍ଷୀଗୋପାଳ କ୍ୟାମ୍ପ୍‌ର ଜଞ୍ଜାଳ ଶେଷ କରି ଚାଲିଲୁ କଟକ ନଗର, ଧବଳ ଟଗରକୁ-

 

ଅନେକ ଦିନରୁ, ଅନେକ ଲୋକଙ୍କ ମୁହଁରୁ ଶୁଣିଥିଲି କଟକ ନଗର ଆମ ଓଡ଼ିଆଙ୍କର ପ୍ରଧାନ କର୍ମପୀଠ । ଦୁଇପଟେ ମହାନଦୀ, କାଠଯୋଡ଼ି । ନଦୀ ଦୁଇଟିର ଆକ୍ରମଣରୁ କଟକକୁ ରକ୍ଷା କରିବାପାଇଁ, ନୃପ ମର୍କତ କେଶରୀଙ୍କ ଅମଳରେ, ବିଡ଼ାନାସୀର ଦୀନଜନବନ୍ଧୁ ଦରିଦ୍ର ବାଇମୁଣ୍ଡିଙ୍କର ବିନମ୍ର ନିବେଦନ ଫଳରେ ଗଢ଼ାଯାଇଛି ପଥର ବନ୍ଧ । ସେଇ କଟକ ନଗରରେ ରହିଛି ବାରବାଟୀ ଦୁର୍ଗ । ସେଇ କଟକ ନଗର ଉପରେ ବହିଯାଇଛି କେତେ ମୋଗଲ, ମରହଟ୍ଟାଙ୍କ ଅତ୍ୟାଚାରର ଝଡ଼ଝଞ୍ଜା । ସେଇ କଟକ ନଗରରେ ରହିଛି ଓଡ଼ିଆଙ୍କ ପାଇଁ ଏକମାତ୍ର ମହାବିଦ୍ୟାଳୟ ।

 

କଟକ ନଗର, ଧବଳ ଟଗର ପରି ନିଶ୍ଚିତ ଭାବରେ ଦିଶୁଥ‌ିବ ଶୁଭ୍ର । ପୂର୍ଣ୍ଣମୀର ଧଳା ଜହ୍ନ ଆଲୁଅ ଭଳି । ମନରେ କେତେ ଆଶା, କେତେ ଆକାଙ୍‌କ୍ଷା ଉଙ୍କି ମାରୁଥାଏ । କେମିତି ଯିବୁ କଟକ, କେତେବେଳେ ଯିବୁ କଟକ । ଏଇ କଥାନେଇ ଆମେ ସବୁପିଲା ବଡ଼ ବ୍ୟସ୍ତ ହେଇ ପଡ଼ୁଥାଉ ।

 

ରେଳ ଷ୍ଟେସନ୍‌ରେ ଯେତେବେଳେ ଟିକଟ କାଟି ରେଳରେ ବସିଲୁ, ସେତେବେଳେ ମନ ଆମର ଥଣ୍ଡା ପଡ଼ିଲା । ରେଳ ଚାଲିଲା କଲିକତା ଅଭିମୁଖେ । ବାଟରେ ଖୋର୍ଦ୍ଧା ଜଙ୍କସନ୍‌ ଟପିଲେ ଭୁବନେଶ୍ଵର ଆରପଟେ କେତୋଟି ଷ୍ଟେସନ୍‌ ପାର ହେଲେ ପଡ଼ିବ ଆମର ପୁରାତନ ନଗର କଟକ ।

 

ଝରକାପାଖ ବେଞ୍ଚ୍‌ ଉପରେ ବସିଥାଏ ମୁଁ, ମୋର କେତେକ ସାଙ୍ଗସାଥୀଙ୍କ ସାଙ୍ଗରେ । ଧୀରେ ଧୀରେ ରେଳର ଗତି ଯେତେବେଳେ ବଢ଼ିବାକୁ ଲାଗିଲା, ମନେହେଲା ସତେଅବା ଆମେମାନେ ସେଇ ରେଳରେ କୁଆଡ଼େ ଉଡ଼ିଯାଉଛୁ । ପବନ ମାଡ଼ରେ ଆଖିସବୁ ବନ୍ଦ ହେଇଯାଉଥାଏ । ବେଳେବେଳେ କୋଇଲା ଗୁଣ୍ଡ ଆଖିରେ ପଶି, ଜୁଳୁଜୁଳିଆ ପୋକ ବାହାରି ଯାଉଥାଏ, ରେଳ ଯେମିତି ଚିତ୍କାର କରି ଡାକ ଛାଡ଼ୁଥାଏ–ଚାଲ କଲିକତା,–ଛ’ ଛ’ ପଇସା ଚାଲ କଲିକତା–ଛ’ ଛ’ ପଇସା ।

 

କାଠଯୋଡ଼ି ରେଳପୋଲ ଶେଷ ମୁଣ୍ଡରୁ, ରେଳ ଇଞ୍ଜିନ୍‌ ଯେମିତି ତାର ଗତିକୁ ସମ୍ପୂର୍ଣ୍ଣଭାବରେ କମେଇ ଦେଇ ଧିମେଇ ଧିମେଇ ଚାଲିଲା । ସାମ୍ନାରେ ଷ୍ଟେସନ୍‌ର ପ୍ଲାଟଫର୍ମ । ଆମରି ଡବାରେ ବସିଥିଲେ କେତେକ ଭଦ୍ରଲୋକ । ହଠାତ୍‌ ନିଜ ନିଜର ବସିବା ସ୍ଥାନରୁ ଉଠିପଡ଼ି, ଡବାର କବାଟ ଖୋଲି ଦେଇ ଭୁସ୍‌ଭାସ କରି ତଳକୁ ଡେଇଁପଡ଼ି ଚମ୍ପଟ୍‌ ।

 

ପରେ ଜାଣିଲୁ, ଏମାନେ ବିନା ଟିକଟରେ ଲୁଚିଛପି ଆସିଥିଲେ । ସୁବିଧା ଦେଖି ଡିଆଁ ମାରି ଛୁ ।

 

ଗାଡ଼ି ଲାଗିଲା ପ୍ଲାଟ୍‌ଫର୍ମରେ । ଯାହା ଭାବିଯାଇଥିଲୁ ପ୍ରକୃତରେ ତା’ ନୁହେଁ । ଛୋଟ ଷ୍ଟେସନ୍‌ଟି । କୁଲୀ କୁଲୀ ବୋଲି କେତେକ ରେଳଯାତ୍ରୀ ପାଟି କରି ଉଠିଲେ ଏବଂ ଯାତ୍ରୀଙ୍କର ସେଇ ଡକରାର ଉତ୍ତର ଦେବାକୁ ଯାଇ, କେତେକ ନାଲିଜାମା ପିନ୍ଧା ଲୋକ, ହାତରେ ଖଣ୍ଡେ ଖଣ୍ଡେ ପିତଳର ରେଳବାଇ ଆଜ୍ଞାପତ୍ର ବାନ୍ଧି, ଏପଟ ସେପଟ ଧାଇଁବାକୁ ଲାଗିଲେ ।

 

ଆମେମାନେ ମଧ୍ୟ ସେଇସବୁ କୁଲୀଙ୍କ ଜରିଆରେ, ଜିନିଷପତ୍ର ନେଇ ବାହାରିଲୁ ଷ୍ଟେସନ୍‌ର ଫାଟକ ଡେଇଁ ପଦାକୁ । କି’ ଭିଡ଼ । ଭିଡ଼ ବୋଇଲେ ଆଉ କିଛି ନୁହେଁ, କେବଳ ଏକବଳଦିଆ ଶଗଡ଼ ଓ ଯାଉଁଳି ଘୋଡ଼ା ଟାଣୁଥ‌ିବା ବଗୀଗାଡ଼ିର ଚାଳକମାନଙ୍କର ।

 

ଭଡ଼ା ଠିକ୍‌ ହେବା ଆଗରୁ ଏମାନେ କୁଲୀଙ୍କ ହାତରୁ ଜିନିଷ ଛଡ଼େଇ, ନିଜ ନିଜ ଗାଡ଼ିରେ ରଖିଦିଅନ୍ତି । ତାପରେ ଚାଲେ, ପରସ୍ପର ଭିତରେ ଝଗଡ଼ା ଓ ପାଟିତୁଣ୍ଡ ହତଭାଗା ସବାରୀ, ସେସବୁ ଦେଖି ଶୁଣି କାହା ଗାଡ଼ିରେ ବସିବେ, କେମିତି ବସିବେ, କିଛି ସ୍ଥିର କରି ନ ପାରି ଉପାୟଶୂନ୍ୟ ଅବସ୍ଥାରେ ଚାହିଁ ରୁହନ୍ତି ।

 

Unknown

ଯାହା ହେଉ ଆମ ଭାଗ୍ୟରେ କିନ୍ତୁ ସେତେଟା ହଇରାଣ ହେବାକୁ ପଡ଼ିଲା ନାହିଁ । କେତେକ ଶଗଡ଼ରେ ଜିନିଷ ଲଦାଲଦି କରି, ଘୋଡ଼ାଗାଡ଼ିରେ ବସିଲୁ ସମସ୍ତେ । ଗାଡ଼ି ଚାଲିଲା କଟକ ଚୌଧୁରୀ ବଜାର ଯାଉଁଳିଆପଟିର ଭିଙ୍ଗାରପୁର ଚୌଧୁରୀଙ୍କ କୋଠା ପାଖକୁ ।

 

ଭିଙ୍ଗାରପୁର ଚୌଧୁରୀ ବଂଶ–ଯେ ଓଡ଼ିଶୀ କଳାର ପୃଷ୍ଠପୋଷକତା କରିବାରେ ସେତେବେଳେ ଏକ ଗୌରବମୟ ଅଧ୍ୟାୟ ସୃଷ୍ଟି କରିଥିଲେ । ଏକଥା ଖୁବ୍‌ ଜଣାଶୁଣା ହେଇସାରିଥିଲା । ଓଡ଼ିଶୀ ନୃତ୍ୟ ଓ ଗୀତ ସମ୍ପର୍କରେ ବିଭିନ୍ନ ତଥ୍ୟ ସମ୍ବଳିତ ମୂଲ୍ୟବାନ ପୋଥ୍‌ ବା ତାଳପତ୍ର ଖେଦା ଉକ୍ତ ବଂଶରେ ସଂରକ୍ଷିତ ହୋଇ ରହିଥ‌ିବା କଥା ଶ୍ରୀଯୁକ୍ତ ପଟ୍ଟନାୟକ ଜାଣିଥିଲେ-। କାରଣ, ସେଠାକାର ଓଡ଼ିଶୀ–ସଙ୍ଗୀତପ୍ରିୟ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଚୌଧୁରୀ ଥିଲେ ଶ୍ରୀ ପଟ୍ଟନାୟକଙ୍କ ଅତି ଅନ୍ତରଙ୍ଗ ବନ୍ଧୁ ।

 

ମୋ ଜାଣିବାରେ, କୃଷ୍ଣବାବୁଙ୍କ ଜରିଆରେ କାଳୀବାବୁ ଓଡ଼ିଶୀ ସଙ୍ଗୀତର କେତେକ ଉପାଦେୟ ଖେଦା ସଂଗ୍ରହ କରିଥିଲେ ଓ ଯାହା ବଳରେ ସେ ଭବିଷ୍ୟତରେ ନିଜର ଓଡ଼ିଶୀ ସଙ୍ଗୀତ ସମ୍ପର୍କୀୟ ଜ୍ଞାନର ପରିସର ବୃଦ୍ଧି ଘଟେଇଥିଲେ । କୃଷ୍ଣବାବୁ, ଦୀର୍ଘ ଦିନଧରି କାଳୀବାବୁଙ୍କର ନିକଟ ସମ୍ପର୍କରେ ରହିଥିଲେ । ଏମିତିକି ନିଜର ଦେହ ଛାଡ଼ିବା ପର୍ଯ୍ୟନ୍ତ ବି କାଳୀବାବୁଙ୍କ ସହିତ ପୂର୍ବ ବନ୍ଧୁତା ବଜାୟ ରଖୁଥିଲେ ।

 

କଟକ ନଗର ଯେ ସତକୁ ସତ ଧବଳ ଟଗର–ଏ ଭ୍ରାନ୍ତ ଧାରଣା ମୋ ମନରୁ ଦୂରହେଲା, ଯେତେବେଳେ ମୁଁ ଘୋଡ଼ାଗାଡ଼ିରେ ବସି, ଝରକାବାଟେ ଦେଖିଲି କଟକ ନଗର ସଡ଼କ ଦୁଇପାଖର ଅନାବନାଗଛ ଓ ଚାକୁଣ୍ଡା ବଣ । ନାଗଅଇରୀ ଗଛରେ ପରିପୂର୍ଣ୍ଣ ଅସ୍ଵାସ୍ଥ୍ୟକର ପରିବେଶରୁ ବୁଝିପାରିଲି, ଭକ୍ତକବି ମଧୁସୂଦନ ରାଓ, ପିଲାଙ୍କର ଶବ୍ଦଜ୍ଞାନ ବଢ଼େଇବା ଉଦ୍ଦେଶ୍ୟରେ ଏବଂ ସାହିତ୍ୟ ଉପଧାର ଧାରଣା ପିଲାଟି ବେଳରୁ ମନରେ ଜାଗ୍ରତ କରିବା ଆଶାରେ ତାଙ୍କର ଓଡ଼ିଆ ବର୍ଣ୍ଣବୋଧରେ ଏଭଳି ଲେଖିଛନ୍ତି ବୋଲି ।

 

ଯାଉଁଳିଆପଟିରେ ଥ‌ିବା ଭିଙ୍ଗାରପୁର ଚୌଧୁରୀଙ୍କର ଦୋ’ତାଲା କୋଠା ଘରଟିରେ, ଆମ ଦଳ ନିଜର ସମସ୍ତ ଜିନିଷପତ୍ର ରଖି ଡେରା ପକେଇଲା ।

 

ସଂକୀର୍ଣ୍ଣ ଗଳି, ରାସ୍ତାର ଦୁଇପଟରେ ନର୍ଦ୍ଦମାର ଉତ୍କଟ ଗନ୍ଧ । ପୋକ, ମାଛି ଭଣଭଣ । ତଥାପି ଆମେ, କୋଠା ଘରେ, ଆମର ଅତି ଆଦରର କଟକ ସହରରେ ରହି ଆନନ୍ଦ ଓ ଖୁସିରେ ଗୋଡ଼ ତଳେ ଲାଗୁ ନ ଥାଏ ।

 

ଆମ ରାସ ପାର୍ଟିରେ ସେତେବେଳେ ଜଣେ ମ୍ୟାନେଜର ରହିଥାନ୍ତି, ନାଁ ତାଙ୍କର ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ । ବଡ଼ ପ୍ରଭୁଭକ୍ତ ସେ, ଏଣୁ କାଳୀବାବୁଙ୍କୁ ଖୁବ୍‌ ଭକ୍ତି କରୁଥିଲେ ଓ ଅକ୍ଷରେ ଅକ୍ଷରେ ତାଙ୍କ ଆଦେଶକୁ ପାଳନ କରୁଥିଲେ ମଧ୍ୟ । ଏଇ ଆଦେଶ ପାଳିବାରେ ପୂର୍ଣ୍ଣବାବୁ ଏତେଦୂର ନିଷ୍ଠାବାନ୍‌ ଲୋକଥିଲେ ଯେ, ତାଙ୍କୁ ତାଙ୍କ କାମରେ ବଳିଯିବା ଲୋକ ଆମେ ପ୍ରାୟ ଦେଖିନାହୁଁ କହିଲେ ଚଳେ । ଯାହା ତାଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା ସେଥିର ସେ ଟିକିଏ ଅଧିକ କିଛି କରିପକଉଥିଲେ ।

 

କଟକରେ ଆମର ରଙ୍ଗମଞ୍ଚ ତିଆରିପାଇଁ ସ୍ଥାନ ଖୋଜା ଚାଲିଲା ଓ ଏଣେ ଚମ୍ପୂ ନାଟକର ରିହର୍‌ସାଲ ଖୁବ୍‌ ଜୋରସୋରରେ ରାତିଦିନ ଚାଲିଲା ।

 

ଏଇ ସମୟରେ, ଅଳ୍ପ ଦିନ ପୂର୍ବରୁ ପୁରୀ ଜିଲ୍ଲା ବଳଙ୍ଗା ଗ୍ରାମର ବିଖ୍ୟାତ୍‌ ବନମାଳି ପତିଙ୍କର ଗୋଟିଏ ନାଟ୍ୟଦଳ ଭାଙ୍ଗିଯାଇଥିବାରୁ ସେଇ ଦଳର କେତେକ ପୁରାତନ କଳାକାରମାନଙ୍କୁ ନେଇ ଏବଂ କଲିକତାରୁ ଶ୍ରୀ ଅଶ୍ଵିନୀ କୁମାର ଘୋଷଙ୍କୁ ଡକେଇ କେତେକ ବ୍ୟକ୍ତି ଆର୍ଟ ଥିଏଟର ନାମରେ ପାର୍ଟିଗଢ଼ି ଅଭିନୟ ପ୍ରଦର୍ଶନ ଲାଗି କଟକରେ ସ୍ଥାନ ଖୋଜୁଥାନ୍ତି ।

 

ପୁରୀ ଶ୍ରୀମନ୍ଦିରର ଟେମ୍ପୁଲ୍‌ ମ୍ୟାନେଜର, ସ୍ୱନାମଧନ୍ୟ ଶ୍ରୀଯୁକ୍ତ ରାଜକିଶୋର ଦାସ ରହୁଥାନ୍ତି କଟକ ବାଙ୍କାବଜାରସ୍ଥିତ ନିଜର ବାସଭବନରେ । ରାଜମହଲ ଭଳି ଲମ୍ବ ଧାଡ଼ିମରା ପକ୍କା ଘର । ଖୁବ୍‌ ପ୍ରତିପତ୍ତି । ତାଙ୍କରି ଉଦ୍ୟମରେ ବାଙ୍କାବଜାରରେ ଶ୍ରୀ ସୁଶିଲ୍‌ ପାଲିତଙ୍କ ଜମି ଉପରେ, ଆଜି ଯେଉଁଠି ଜନତା ରଙ୍ଗମଞ୍ଚ ତୋଳାଯାଇଛି ଠିକ୍‌ ସେଇ ସ୍ଥାନରେ ଆମର ଷ୍ଟେଜ୍‌ ତିଆରି ଲାଗି ବ୍ୟବସ୍ଥା କରାଗଲା ଏବଂ ତା’ ସଙ୍ଗେ ସଙ୍ଗେ ଆର୍ଟ ଥିଏଟରର କର୍ମକର୍ତ୍ତା ଓ କାଳୀବାବୁଙ୍କ ଭିତରେ କଥା ସ୍ଥିର ହେଲା ଯେ, ଉଭୟଙ୍କ ସହଯୋଗରେ ପେଣ୍ଡାଲ ତିଆରି ହେବ ଓ ଦୁଇଟି ଦଳ ଆଗ ପଛ ଭାବରେ ସେଇ ମଞ୍ଚରେ ଅଭିନୟ ପ୍ରଦର୍ଶନ କରିବେ ।

 

ରଙ୍ଗମଞ୍ଚ ତିଆରି ଚାଲିଲା ଏବଂ ଆମର ରାସଦଳ ପୁରୁଣା ଓ ନୂଆ ବହିଗୁଡ଼ିକ କଟକରେ ପ୍ରଦର୍ଶନ କରିବା ପୂର୍ବରୁ ଯୋଉସବୁ ସ୍ଥାନରେ ଭୁଲଭଟକା ରହିଯାଇଥିଲା ସେସବୁକୁ ସଜାଡ଼ିବାରେ ଲାଗିପଡ଼ିଲା ।

 

କଟକ ସହରର ସେତେବେଳର ଅବସ୍ଥା ଯୋଉମାନେ ଦେଖିଛନ୍ତି ସେମାନେ ନିଶ୍ଚୟ କହିବେ ଯେ, ଓଡ଼ିଶାର ଏଇ ଐତିହାସିକ ରାଜଧାନୀ ସେ ସମୟରେ କେତେଦୂର କଦର୍ଯ୍ୟ ଅବହେଳିତ ଅବସ୍ଥାରେ ରହିଥିଲା । ସହଜେ ତ, ଓଡ଼ିଆଙ୍କ ଭାଗ୍ୟଡ଼ୋରିକୁ ଛନ୍ଦି ଦିଆଯାଇଥିଲା ବିହାର ଓ ବଙ୍ଗଳା ସହିତ । ଭାରତ ସରକାର ଯାହା ଯେତେବେଳେ, ବିକଳାଙ୍ଗ ଓଡ଼ିଶା ଅଞ୍ଚଳପାଇଁ ଉନ୍ନୟନମୂଳକ ଯୋଜନା ବରାଦ୍‌ କରୁଥିଲେ ତ ସେସବୁ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ନ ହୋଇ, ହେଉଥିଲା ବଙ୍ଗଳା ଓ ବିହାର ପ୍ରଦେଶରେ । କାରଣ–ବଡ଼ ବଡ଼ ହାକିମ ହୁକୁମା ସମସ୍ତେ ଥିଲେ ପ୍ରାୟ ଅଣ ଓଡ଼ିଆ ଏବଂ ଭାରତର ମାନଚିତ୍ରରୁ ଓଡ଼ିଶାକୁ ନିଶ୍ଚିହ୍ନ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ପ୍ରଧାନ ଦପ୍ତରଗୁଡ଼ିକ ରଖାଯାଇଥିଲା କଲିକତା ଓ ପାଟ୍‌ନାରେ । ଓଡ଼ିଆର କୌଣସି ଗୁହାରୀ ବା ଆବେଦନପତ୍ର ପଠାଗଲେ ସେସବୁକୁ ଚାପିଦେବାର ବ୍ୟବସ୍ଥା ହେଉଥିଲା ।

 

ଓଡ଼ିଆଙ୍କୁ ଯୋଉମାନେ ଦରିଦ୍ର ଓ ଗରିବ କହି ଉପହାସ କରୁଥିଲେ ପ୍ରକୃତରେ ସେଇମାନେ ହିଁ ଥିଲେ ଓଡ଼ିଆଙ୍କର ଭାଗ୍ୟବିଧାତା, ତାଙ୍କରିମାନଙ୍କ ଚକ୍ରାନ୍ତ ବଳରେ ଓଡ଼ିଆ ନିଜକୁ ନିଜେ ଚିହ୍ନିବାରେ ଅକ୍ଷମ ହେଉଥିଲେ ।

 

କେତେବେଳେ ହେଲେ ଓଡ଼ିଆ ଯେ ଦୁର୍ବଳ ଅବା ଦରିଦ୍ର ନ ଥିଲା, ତାର ସାକ୍ଷୀ ହେଉଛି ଇତିହାସ ପୃଷ୍ଠା । ସରଳ ବିଶ୍ଵାସୀ ଓଡ଼ିଆଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଚପେଇ ଦିଆଯାଇଛି, ଦବେଇ ଦିଆଯାଇଛି । ଏପରିକି, ଗୋଟିଏ ସଭ୍ୟଜାତି ହିସାବରେ ବଞ୍ଚି ରହିବାକୁ ତାର ଯୋଉ ମୌଳିକ ଅଧିକାର ପାଇବାର କଥା ସେଥିପାଇଁ ସେ ପ୍ରାଣପାତ୍‍ ସଂଗ୍ରାମ ଚଳେଇଥିଲେ ବି କୌଶଳକ୍ରମେ ସେ ସଂଗ୍ରାମକୁ ଧୂଳିସାତ୍‌ କରାଯାଇଛି ।

 

ବିଜାତିର ପଦାଘାତ, ବିଜାତିର ଚକ୍ରାନ୍ତ ଏବଂ ବିଜାତିର ଦଳାଚକଟାରେ କଟକ କେବେହେଲେ ଉଧେଇ ପାରି ନାହିଁ । ଡାହାଣୀ ଗ୍ରାସିଯିବାପରି, କଟକ ନଗର ହେଇଛି ହତଶ୍ରୀ । ଉତ୍କଳର ହିତାକାଙ୍‍କ୍ଷୀ ବାଇମୁଣ୍ଡିଙ୍କର ଉଦ୍ୟମ ଯୋଗୁଁ କଟକ ନଗର ବନ୍ୟାକବଳରୁ ରକ୍ଷା ପାଇଛି ସତ, ମାତ୍ର ବିଜାତିର ଅତ୍ୟାଚାର ପୀଡ଼ନରେ ହୋଇଛି ରୁଗ୍‌ଣ, ଜୀର୍ଣ୍ଣ ଓ ପୋକ, ମଶା, ମାଛିର ଶିକାର ।

 

ସ୍ଥାୟୀ ରଙ୍ଗମଞ୍ଚ କଟକରେ ନ ଥିଲା ପ୍ରାୟ । ମେହେନ୍ଦିପୁରଠାରେ ଯେଉଁ ପୁରୁଣା ବାସନ୍ତୀ କ୍ଲବ୍‌ ବା ବାସନ୍ତୀ ପେଣ୍ଡାଲ ଥିଲା ତା’ର ଅବସ୍ଥା ଭଲ ନ ଥିଲା । ବୁଲା ଗାଈ, ଷଣ୍ଢଙ୍କ ଆକ୍ରମଣରେ ଚାଳର ଛଣ ନଷ୍ଟ ହେଇଯିବା ଯୋଗୁ କାନ୍ଥମାନ ପାଣିମାଡ଼ ଖାଇ ସ୍ଥାନେ ସ୍ଥାନେ ଭାଙ୍ଗି ପଡ଼ିଥିଲା । ଅମଲା କ୍ଲବ୍‌, ବୀଣାପାଣି କ୍ଲବ୍‌ର ଜନ୍ମ ଏ ସମୟକୁ ହେଇ ନ ଥିଲା । ସିନେମା ଗୃହ କେବଳ ବକ୍ସି ବଜାରରେ ଏକ୍‌ମି ନାମରେ ଥିଲା, ଯୋଉଠି ବିଭିନ୍ନ ଧରଣର ଯୁଦ୍ଧ ଓ ଯାଦୁ ବିଷୟରେ ନିର୍ବାକ ଚଳଚ୍ଚିତ୍ରମାନ ପ୍ରଦର୍ଶିତ ହେଉଥିଲା । ଟକି ସିନେମା କଟକକୁ ଆସି ନ ଥିଲା । ସେଇ ଏକ୍‌ମି ସିନେମା ଗୃହ ନିକଟରେ ଥିଲା–ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କ ପୁଅ ବେଙ୍ଗବାବୁଙ୍କର, ମଟର କାରଖାନା ।

 

ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ମନକୁ ଆସିଲା–ଯୋଉ କେଇଦିନ ବାଙ୍କା ବଜାରରେ ପେଣ୍ଡାଲ ତିଆରି କରିବାକୁ ସମୟ ଲାଗିବ, ସେଇ କେଇଦିନ ଦଳର ଏତେଗୁଡ଼ାଏ ଲୋକ ବସିବା ଅପେକ୍ଷା ସୁବିଧା ଦେଖି କୋଉଠି ହେଲେ ଅଭିନୟ ଆରମ୍ଭ କରିଦେଲେ ବାଧନ୍ତା ନାହିଁ । ଏଣୁ ଶ୍ରୀ ପଟ୍ଟନାୟକ, ବେଙ୍ଗବାବୁ ଓ ନରିବାବୁଙ୍କ ସହିତ କଥାବାର୍ତ୍ତା କରି, ଏକ୍‌ମି ହଲ୍‌ରେ କିଛିଦିନ ପାଇଁ ଅଭିନୟ କରିବାକୁ ବ୍ୟବସ୍ଥା ଲୋଡ଼ିଲେ । ତା’ ସଙ୍ଗେ ସଙ୍ଗେ, ବାଙ୍କା ବଜାରର ନୂଆ ପେଣ୍ଡାଲରେ, ଆମର ନୂଆ ନାଟକ ଶ୍ରୀ ଶ୍ରୀ କିଶୋର ଚନ୍ଦ୍ରାନନ ଚମ୍ପୂକୁ ଉଦ୍‌ଘାଟନ କରିବାପାଇଁ ସକଳ ପ୍ରସ୍ତୁତିରେ ଲାଗିପଡ଼ିଲେ ।

 

ଚାହୁଁ ଚାହୁଁ ଦଳ ଭିତରେ ଏକ ସରଗରମ ପରିସ୍ଥିତି ସୃଷ୍ଟି ହେଇଗଲା । ଆନନ୍ଦ ଓ ଉତ୍ସାହ ଭିତରେ ଆମକୁ ରାତିଦିନ ଜଣା ପଡ଼ିଲା ନାହିଁ । ଏକ୍‌ମି ହଲ୍‌ରେ ଅଭିନୟ ଆରମ୍ଭ କଲୁ । ଦିନଯାକ ନୂଆ ବହି ରିହାର୍‌ସାଲ ଏବଂ ପାଞ୍ଚଟା ବାଜିଲେ ଖୋଳ, କରତାଳ ବଜେଇ, ‘ରାଧେ ରାଧେ ଗୋବିନ୍ଦ ବୋଲ ଜୟ’ କୀର୍ତ୍ତନ କରି ଚାଲୁ କଟକର ରାଜପଥରେ । ବାଟରେ ପଡ଼େ ଦରଘା ବଜାର ମସ୍‌ଜିଦ୍‌ । ଜେଲ୍‍ଖାନା ଗେଟ୍‌ ପାଖରୁ ଇସ୍‌ଲାମଧର୍ମୀ ବନ୍ଧୁଗଣ ଆମର କୀର୍ତ୍ତନକୁ ବନ୍ଦ କରିଦିଅନ୍ତି । କାରଣ କିଛି ବୁଝିପାରୁନା, ଭୟରେ ଆମେ ଛୋଟ ଛୋଟ ପିଲାଗୁଡ଼ାକ ଥରିଉଠୁ । ମୁହଁ ବନ୍ଦକରି ଚୁପ୍‌ଚାପ୍‌ ସେତକବାଟ ପାରହେଇ ପୁଣି ଆରମ୍ଭ କରୁ ହରି ନାମ ।

 

ଦରଘା ବଜାର ନୁହେଁ, କଟକର ସବୁ ବଜାରରେ ଏବଂ ରାସ୍ତାକଡ଼ରେ ଛୋଟବଡ଼ ମସ୍‌ଜିଦ୍‌ମାନଙ୍କ ପାଖରେ ଏଇ ବ୍ୟବସ୍ଥା । ବାରଣ ନ ମାନିଲେ ରକ୍ତପାତ୍‌ । ବିବାହ, ବ୍ରତ, ଶୋଭାଯାତ୍ରା ଯାହା ହେଉ ନା କାହିଁକି ମସ୍‌ଜିଦ୍‌ ନିକଟରେ ଗଲାବେଳେ ସବୁ ଆନନ୍ଦଧ୍ଵନି ହୁଏ କ୍ଷଣକପାଇଁ ନୀରବ, ନୀରସ ।

 

ମନେହୁଏ, ମୋଗଲ ଶାସନ ଅମଳରୁ, ତକିଖାଁଙ୍କ ଭଳି କେତେକ ଅତ୍ୟାଚାରୀ ମୋଗଲ ସେନାପତିମାନଙ୍କର ସ୍ମାରକୀ ସ୍ଵରୂପ, ଧର୍ମ ନାମରେ ଏଇସବୁ ବିପଦସ୍ତମ୍ଭମାନ ହିନ୍ଦୁଜାତିର ଧମନୀ ଉପରେ ଛିଡ଼ା କରାଯାଇଛି ।

 

ଏକ୍‌ମି ସିନେମା ଗୃହରେ, ଆମର ରାସ ଅଭିନୟ ହେବାବେଳେ, ସିନେମା ପ୍ରୋଜେକ୍‌ସନ ମେସିନରୁ କାର୍ବନ ଲାଇଟ୍‌କୁ ବିଭିନ୍ନ ରଙ୍ଗିନ୍‌ କାଚ ଜରିଆରେ ରଙ୍ଗ କରି ନାଟକରେ ଥ‌ିବା ଭିନ୍ନ ଭିନ୍ନ ନୃତ୍ୟ ସମୟରେ ନୃତ୍ୟ ଉପରକୁ ପକାଯାଏ ଏବଂ ୟା ଦ୍ଵାରା ଅନେକ ପରିମାଣରେ ଅଭିନୟର ଶୋଭା ବର୍ଦ୍ଧନ ହୋଇଥାଏ । ଏମିତିକି, ଦର୍ଶକମାନେ ନିର୍ବାକ୍‌ ଚଳଚ୍ଚିତ୍ରଠାରୁ ଆମର ଅଭିନୟକୁ ଦେଖିବାକୁ ବେଶି ପସନ୍ଦ କରନ୍ତି ।

 

ଦିନେଦିନେ କାଳୀବାବୁଙ୍କ ରାସ ଅଭିନୟ ଶେଷ ହେଇଗଲେ ଏକ୍‌ମି ସିନେମାର ମାଲିକ ସେକେଣ୍ଡ ସୋ’ ହିସାବରେ ଚଳଚ୍ଚିତ୍ର ଆରମ୍ଭ କରୁଥିଲେ । ଆମେମାନେ ମଧ୍ୟ ଆମର ଅଭିନୟ ଶେଷରେ ସେଇ ବେଶଭୂଷାରେ ଥାଇ ମଧ୍ୟ ସିନେମା ଛକି ସବୁ ଦେଖୁଁ ।

 

ସେତେବେଳେ ଭାରତୀୟ ଚଳଚ୍ଚିତ୍ର ଜଗତରେ ନିର୍ବାକ୍‌ ଛବି କ୍ଷେତ୍ରରେ ‘ମାଷ୍ଟର ଭିଟଲ୍‌’ ଜଣେ ସିନେମା ଅଭିନେତା ହିସାବରେ ଖୁବ୍‌ ଲୋକପ୍ରିୟତା ଅର୍ଜନ କରିଥାନ୍ତି । ଅଧିକାଂଶ ନିର୍ବାକ୍‌ ଚଳଚ୍ଚିତ୍ରରେ ସେ ପ୍ରଧାନ ନାୟକ ଭୂମିକାରେ ଅଂଶ ଗ୍ରହଣ କରୁଥାନ୍ତି । ଯୋଉ ଛବିରେ ମାଷ୍ଟର ଭିଟଲ ଅଛନ୍ତି ବୋଲି ଦର୍ଶକ ଜାଣନ୍ତି ସେ ଛବିରେ ଲୋକଭିଡ଼ କହିଲେ ନସରେ । ଏକ୍‌ମି ହଲ୍‌ ଭିତରେ ମାଷ୍ଟର ଭିଟଲଙ୍କର ଯାଦୁ ଅବା ଯୁଦ୍ଧ ଛବି ଚାଲିଥିବାବେଳେ, କଟକର ମସ୍‌ଜିଦ୍‌ମିଆଁ ଏବଂ ଧୀରେନ୍‌ ବାବୁ (ଧୀରେନ୍‌ ଦାସ) ଉଭୟ, ଢୋଲ୍‌କି ଓ ହାର୍‌ମୋନିୟମ୍‌ର ଯୁଦ୍ଧବାଦ୍ୟ ବଜାନ୍ତି ।

 

ଖୁବ୍‌ ମଜାଦାର ସେ ପରିସ୍ଥିତି । ଢୋଲ୍‌କି ଓ ହାର୍‌ମୋନିୟମ୍‌ର ତାଳେତାଳେ ଦର୍ଶକମାନେ ମଧ୍ୟ କରତାଳି ଦିଅନ୍ତି ।

 

କଟକ ନଗରରେ, ଜନସାଧାରଣଙ୍କ ମନୋରଞ୍ଜନ ପାଇଁ, ସେଇ ଏକ୍‌ମି ନିର୍ବାକ୍‌ ଚଳଚ୍ଚିତ୍ର ହଲ୍‌ଟି ଥିଲା ସର୍ବଶ୍ରେଷ୍ଠ ବ୍ୟବସ୍ଥା । ଅବଶ୍ୟ ସାହିମାନଙ୍କରେ ରାମଲୀଳା, ବଡ଼ ବଡ଼ ଉତ୍ସବମାନଙ୍କରେ ଗୋଟିପୁଅ, ପାଲା ଏବଂ ବେଳେବେଳେ ସୌଖୀନ ସାହିନାଟ୍ୟ ସଂସ୍ଥାଙ୍କ ଉଦ୍ୟମରେ ବଙ୍ଗଳାନାଟକର ଅନୁବାଦ ନାଟକମାନ, ଓଡ଼ିଶାର ପୁରୁଣା ଯାତ୍ରାଦଳଙ୍କ ଆଗମନରେ ଯାତ୍ରା, ଏସବୁ ବି କରାଯାଉଥିଲା ।

 

ଏସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଲୋକେ ସାମୟିକଭାବେ ଯେତିକି ଆବେଗପୂର୍ଣ୍ଣ ଭାବେ ତତ୍‌ପର ହୋଇଉଠୁଥିଲେ, ପୁନଶ୍ଚ ତାଙ୍କର ସେଇସବୁ କାର୍ଯ୍ୟକ୍ରମକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ, ଗୋଳମାଳ କରି ଭାଙ୍ଗି ପକେଇବାରେ ମଧ୍ୟ ଅଧ‌ିକ ତତ୍‌ପରତା ଦେଖଉଥିଲେ ।

 

ଅଳ୍ପ କେଇଟି ଦିନ ଆମର ଅଭିନୟ ଏକ୍‌ମି ସିନେମା ହଲ୍‌ରେ ଚାଲିବା ଭିତରେ ବାଙ୍କାବଜାର ପେଣ୍ଡାଲ ସମ୍ପୂର୍ଣ୍ଣ ହେଇଗଲା । ତା’ ସାଙ୍ଗେ ସାଙ୍ଗେ ଚମ୍ପୂ ନାଟକର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଶେଷ ହେଇ ଆସିଥାଏ । ଆମ ବସାକୁ ଆସୁଥାନ୍ତି ବଳଙ୍ଗା ପାର୍ଟିର ଅଭିନେତାମାନେ । ସେମାନଙ୍କ ଭିତରୁ କେତେକଙ୍କ ସହିତ ଆମର ବିଶେଷ ପରିଚୟ ବି ହେଇଯାଇଥାଏ ।

 

ବଳଙ୍ଗା ନାଟ୍ୟଦଳରେ, ଅଭିନେତା ହିସାବରେ ଶ୍ରୀ ବଲାଇଚାନ୍ଦ ବାନାର୍ଜି, ଶ୍ରୀ ରାମଚନ୍ଦ୍ର ମାଣିଆ, ଶ୍ରୀ କାଶିନାଥ ସାହୁ, ଶ୍ରୀ ମଧୁସୂଦନ ସାହୁ, ଶ୍ରୀ କାର୍ତ୍ତିକ କୁମାର ଘୋଷ, ଶ୍ରୀନାଥ ସାହୁ ଇତ୍ୟାଦି ଅଭିନୟରେ ବେଶ ସୁନାମ ଅର୍ଜନ କରିଥାନ୍ତି ସେତେବେଳକୁ । ପରିଚାଳନାର ଦାୟିତ୍ୱ ନେଇଥାନ୍ତି ବଲାଇବାବୁ ଏବଂ ନୃତ୍ୟ ପରିଚାଳନା ଭାର ଦିଆଯାଇଥାଏ ମାଣିଆ ବାବୁଙ୍କୁ ।

 

ଆମର ଚମ୍ପୂ ନାଟକରେ ଲଳିତା ଭୂମିକାରେ ଗୋଟିଏ ନାଚଥାଏ, ଗୀତ ସହିତ । ଲଳିତା ଭୂମିକା ନେଇଥାନ୍ତି ଶ୍ରୀ ଦୁର୍ଲ୍ଲଭ ଚନ୍ଦ୍ର ସିଂ । ନାଚ ଓ ଗୀତ ଦର୍ଶକମାନଙ୍କ ନିକଟରେ କିପରି ଭଲ ଆଦୃତ ହେଇପାରିବ ସେଥ‌ିପାଇଁ କାଳୀବାବୁ ମାଣିଆ ବାବୁଙ୍କୁ ଅନୁରୋଧ କରିଥାନ୍ତି, ନାଚ ଶିଖେଇଦବାକୁ ଏବଂ ଅନୁରୋଧ ରକ୍ଷାକରି ଶ୍ରୀ ରାମଚନ୍ଦ୍ର ମାଣିଆ ଆସୁଥାନ୍ତି ଆମର ବସାକୁ । ଗୀତଟି ହେଲା–

 

‘‘ଫଗୁଆ ମେଘେ ଖେଳଇ

ସୁନା ଥାଳିଟି

ଡାହାଣିଆ ଖରାଟି ଲୁଚିଛପି ଚାହେଁ

ଠାରି ଡାକଇ ସଞ୍ଜବାଳୀଟି ।୦।’’

 

ଏଇ ସମୟର ଆଉ ଗୋଟିଏ ଛୋଟ ଘଟଣା କୁହେ । ହଠାତ୍‌ ଦିନେ ସେଇ ଭିଙ୍ଗାରପୁର ଚୌଧୁରୀଙ୍କ କୋଠାରେ, ଆମେ ପିଲା କେଇଜଣ, କିଛି ଗୋଟାଏ କ’ଣ ଅପରାଧ କରିପକେଇଥିଲୁ । ନିଜ ନିଜ ଭିତରେ କଳିଗୋଳ, ଯାହାକୁ କହନ୍ତି, ସାମାନ୍ୟ ଶୃଙ୍ଖଳାଭଙ୍ଗ; କିନ୍ତୁ ସେଇ ଶୃଙ୍ଖଳାଭଙ୍ଗ ହେତୁ ଯୋଉ ଶାସ୍ତି ବିଧାନର ବ୍ୟବସ୍ଥା ହେଇଥିଲା ସେ ଦୃଶ୍ୟ ଆଜି ବି ଆଖିରେ ନାଚିଯାଏ, ଆଜି ବି ମନରେ ଆସେ ସେଇ ଘୃଣା ଭାବ ।

 

ଆମମାନଙ୍କର ସାମାନ୍ୟତମ ଦୋଷ ପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ, ଅଗ୍ନିଶର୍ମା ହେଇ, ମନଇଚ୍ଛା ପ୍ରହାର ତ କଲେ, ତା’ ସାଙ୍ଗେ ସାଙ୍ଗେ ମ୍ୟାନେଜର ପୂର୍ଣ ପଟ୍ଟନାୟକଙ୍କୁ ଆଦେଶ ଦେଲେ–କୋଉ କାଳର ଶିଉଳି ପଡ଼ିଥିବା ନର୍ଦ୍ଦମାକୁ ଧୋଇ, ତା’ରି ଉପରେ ଆମକୁ ଭାତ କୁଢ଼େଇ ଖାଇବାକୁ ଦବାକୁ ।

 

ପ୍ରଭୁଭକ୍ତ ମ୍ୟାନେଜର, ପ୍ରଭୁର ଆଦେଶକୁ ତିଳେହେଲେ ଅବଜ୍ଞା ନ କରି, ଅକ୍ଷରେ ଅକ୍ଷରେ ପାଳନ କଲେ । ଆମେମାନେ ଦିନ ବାର ଘଣ୍ଟା ବେଳକୁ ସେଇ ଲାଙ୍ଗୁଡ଼ା ପୋକ ସାଲୁସାଲୁ, ଦୁର୍ଗନ୍ଧଭରା ନର୍ଦ୍ଦମା ଉପରେ ଖାଦ୍ୟ ଖାଇଲୁ । ସୁନ୍ଦର ବିଚାର । ମାନବର ମାନବିକତାବୋଧ ଏତେ ବେଶିଭାବରେ କେଉଁଠି ଥ‌ିବାର ମୁଁ ଆଜି ପର୍ଯ୍ୟନ୍ତ ଦେଖିପାରିଲି ନାହିଁ ।

 

ଏକ୍‌ମି ସିନେମା ହଲ୍‌କୁ ଆଉ ଅଭିନୟ ପାଇଁ ଆମକୁ ଯିବାକୁ ହେଲା ନାହିଁ । ଚମ୍ପୂ ନାଟକ ନୂଆ କରି ଆରମ୍ଭ ହେଲା ବାଙ୍କା ବଜାର ନୂଆ ପେଣ୍ଡାଲରେ । ଦୁଇକନରେ ବାଉଁଶ ତାଟି ଘେରା ଚାଳଛପର ପେଣ୍ଡାଲ । ନାଟକ ଉଦ୍‌ଘାଟନ କଲେ ମାନ୍ୟବର ଶ୍ରୀ ରାଜ କିଶୋର ଦାସ ।

 

ନାଟକର ସଫଳତା ବିଷୟରେ ଅତିରଞ୍ଜିତ କରି କହିବାର କିଛି ନାହିଁ । କଳାକୁ ଯଦି ଉପଯୁକ୍ତ ଭାବରେ, ମର୍ଯ୍ୟାଦାର ସହ ରୂପ ଦିଆଯାଇପାରେ, ତ କଟକର ଭାବୁକ, ରସଗ୍ରାହୀ ଦର୍ଶକ ତାକୁ ସମ୍ମାନର ସହ ଗ୍ରହଣ କରନ୍ତି । ଏହା କଟକ ନଗରର ଏକ ପରମ୍ପରା । କାରଣ–ଆଗରୁ ଆମେ ତାର ପ୍ରମାଣ ପାଇଥିଲୁ I କହିଛି ତ, ଯେକୌଣସି ନାଟ, ତାମ୍‌ସା, ଥିଏଟର, ସିନେମା ଏଠାରେ ଆପଣ କରନ୍ତୁ, ନିରାଶ ହେବେ ନାହିଁ । ଦର୍ଶକ ଆସିବେ ଏବଂ ସବୁସ୍ତରର ଦର୍ଶକ । ସେମାନଙ୍କର ରୁଚି ଅଲଗା ଅଲଗା ହେଇପାରେ; କିନ୍ତୁ ମାର୍ଜିତ ରୁଚି–ଯେ ଯୋଉ ରସକୁ ପସନ୍ଦ କରୁ ନା କାହିଁକି ନିର୍ଭୁଲ ଭାବରେ ପସନ୍ଦ କରନ୍ତି ଓ ବାଛନ୍ତି । ତାଙ୍କର ସେ ବାଛିବାରେ ବା ପସନ୍ଦ କରିବାରେ ମଳିଧୂଳି ନ ଥାଏ । ପ୍ରତ୍ୟେକ ପ୍ରତ୍ୟେକଙ୍କର ଗ୍ରହଣୀୟ ରସପ୍ରତି ମନଖୋଲା ସମର୍ଥନ ଜଣାନ୍ତି ।

 

ଗୋଟାଏ ବଡ଼କଥା ହେଲା ଯେ କଟକର ଦର୍ଶକବୃନ୍ଦ କଳାକ୍ଷେତ୍ରରେ ଯୋଉ କଳାକାରଙ୍କୁ ଥରକପାଇଁ ମନୋନୀତ କରନ୍ତି ବା ପ୍ରତିଷ୍ଠା କରନ୍ତି ସେ ମନୋନୟନ ବା ପ୍ରତିଷ୍ଠା ହୁଏ ଚୂଡ଼ାନ୍ତ । ଏହା ମୋର କଳାକାର ଜୀବନର ଅନୁଭୂତି । ମୁଁ ଲକ୍ଷ କରୁଛି–କଟକର ବାୟୁମଣ୍ଡଳ ଯେତେ ଅସ୍ଵାସ୍ଥ୍ୟକର ହେଲେ ମଧ୍ୟ, କଟକର ଲୋକଚରିତ୍ର ଯେତେ ବିସ୍ମୟକର ହେଲେ ମଧ୍ୟ, ପଙ୍କରୁ ପଙ୍କଜିନୀ ଜନ୍ମନେଲାଭଳି, ଏଠାରେ କଳାପ୍ରେମୀ ଜନସାଧାରଣ, ସେମାନଙ୍କ ବିବେକ ନିକିତିରେ, କଳାକୁ ଭଲ କରି ତାର ଯୁକ୍ତିଯୁକ୍ତ ମୂଲ୍ୟ ନିରୂପଣ କରିବାରେ ବେଶ୍‌ ଧୁରନ୍ଧର ।

 

ଏଇ କାରଣରୁ, ଯେକୌଣସି କଳା ଅନୁଷ୍ଠାନ କଟକକୁ ଏକ କଳାକ୍ଷେତ୍ର ବୋଲି ବିଚାର କରନ୍ତି । ଭଲ ଭାବରେ ଜାଣନ୍ତି ଯେ ଥରକ ଲାଗି କଟକରୁ ସମର୍ଥନ ପାଇଗଲେ, ଆଉ କୋଉ ସ୍ଥାନରେ ସେମାନେ ପଛେଇବେ ନାହିଁ ।

 

ଅଳ୍ପଦିନ ଭିତରେ ଆମର କିଶୋର ଚନ୍ଦ୍ରାନନ ଚମ୍ପୂ କଟକରେ ଚହଳ ପକେଇ ଦେଲା । ପ୍ରତିଦିନ ସନ୍ଧ୍ୟା ହେଲେ, ବାଙ୍କାବଜାର ଯେମିତି ଏକ ଉତ୍ସବ ସ୍ଥାନରେ ପରିଣତ ହେଲା । ସୀକ୍ଷୀଗୋପାଳ ନାଟ୍ୟ ସଂଘର ରାସ ଶେଷ ହେଲେ, ସେଇ ଷ୍ଟେଜ୍‌ରେ ପୁଣି ଆରମ୍ଭ ହୁଏ–ଆର୍ଟ ଥିଏଟର ନାଟକ ।

 

ଯାଉଁଳିଆପଟିକୁ ଲାଗିଛି ବାଖରାବାଦ୍‌, ସେଇ ବାଖରାବାଦରେ ଶ୍ରୀଯୁକ୍ତ ବାଳମୁକୁନ୍ଦ କାନୁନ୍‌ଗୋଙ୍କ ଘର । ୟା’ ଭିତରେ ମୋର ଦାଦିଙ୍କ ପୁଅ ଶ୍ରୀ ସୁରେନ୍ଦ୍ର ମୋହନ ଦାସ ଗ୍ରାମରୁ ଆସି ରହୁଥାନ୍ତି ତାଙ୍କରି ଘରେ । ବେଳେବେଳେ ଆସନ୍ତି ସେ ମୋ ନିକଟକୁ । କେତେବେଳେ ସାବୁନ ଖଣ୍ଡେ, କେତେବେଳେ ବାସନା ତେଲଟାଏ ଆଣି ଦେଇଯାଆନ୍ତି ମୋତେ । ମୁଁ ତାଙ୍କର ଛୋଟ ଭାଇ ବୋଲି ମୋ ପାଇଁ ତାଙ୍କ ମନରେ ସ୍ନେହ ଯେତିକି ଶ୍ରଦ୍ଧା ମଧ୍ୟ ତା’ଠାରୁ ଆହୁରି ଅଧିକ ।

 

ପୁଣି କେବେ କେମିତି ହାତରେ ମୋର ଦେଇଯାଆନ୍ତା ଅଣାଏ, ଦୁଇଅଣା । ପଇସା ନ ହେଲେ ବେଳକୁ ବିସ୍କୁଟ ଅବା ଗୁଲଗୁଲା ଦୁଇଟା । ପାଦୁକ ପରି ପାଇଦିଏ ମୁଁ ତାକୁ । ପେଟ ତ ଜଳୁଥାଏ । ରାତି ବାରଟାରେ ଖାଦ୍ୟ ଏବଂ ଦିନ ବାରଟାରେ ଖାଦ୍ୟ । ସକାଳେ, ସଞ୍ଜ କେବେ ଯଦି ଗୁରୁଦେବଙ୍କର ମନ ଟିକିଏ ସରସ ଥାଏ ତାହେଲେ କିଛି ମିଳେ ନଚେତ୍‌ ଶୂନ୍ୟ ଶୂନ୍ୟ, ମହାଶୂନ୍ୟ ।

 

ଭିଙ୍ଗାରପୁର ଜମିଦାରଙ୍କ କୋଠା ନିକଟରୁ ଅଳ୍ପ ଦୂରରେ ବରା, ଗୁଲ୍‌ଗୁଲା ଦୋକାନ । ଗୋଟାଏ ପଇସା ଦେଲେ ମିଳେ ଚାରିଟା ପୁରଦିଆ ଗୁଲୁଗୁଲା । ନଚେତ୍‌ ଲମ୍ବା ଗୁଲୁଗୁଲା । ଦୁଇ ପଇସାର ଗୁଲୁଗୁଲା ଖାଇ ଜଣେ ଲୋକ ଖୁସିରେ ଓଳିଏ ଚଳିଯିବ । କେହି ଆଣି ଖାଇଲେ ପାଟିରୁ ଆମର ନାଳ ବୁହେ, ମନଟା ଡହଳ ବିକଳ ହୁଏ ।

 

ପ୍ରତିଦିନ ଚାଲିଥାଏ ଅଭିନୟ । କିଛି ଦିନ ପରେ ଆର୍ଟ ଥିଏଟର ଦଳ କଟକରୁ ବିଦାୟ ନେଲେ । ରହିଲୁ କେବଳ ଆମେ । ରୋଜଗାର ଭଲ ହଉଥାଏ । ରାତି ପାହିଲେ, ଲୋକ ମୁଖରେ ଚମ୍ପୂନାଟକର ପ୍ରଶଂସା ଏବଂ ମୋର ନିଜର ପ୍ରଶଂସା । କେତେକ ଲୋକ ମୋର ସେଇ ଲୋକପ୍ରିୟ ଗୀତଟି ବାଟରେ, ଘାଟରେ ଆବୃତ୍ତି କରୁଥାନ୍ତି । ପ୍ରାୟ ସବୁ ଶ୍ରେଣୀର ଲୋକ–ପିଲା, ବୁଢ଼ା ସମସ୍ତେ ଶିକ୍ଷିତ, ଅଶିକ୍ଷିତ ଯେ ମୋତେ ଦେଖେ, ହସିଦିଏ ଏବଂ ଗାଇଦିଏ–

 

‘‘ମୁଁ କି’–ଏମିତି ସେମିତି ଜଣେ ?

ପଇତା ଖିଅକ–ବୁଦ୍ଧିକୁ ନିଅଁଟ

ଗୋପ ଗଉଡ଼ୁଣୀ ପଣେ ।’’

 

ଲାଜରେ ମୁହଁ ମୋର ଲାଲ ପଡ଼ିଯାଏ । କେମିତି ସେ ସ୍ଥାନ ଛାଡ଼ି ଚାଲିଯିବି ବାଟ ପାଏ ନାହିଁ । ରଙ୍ଗମଞ୍ଚରେ ଠିଆ ହେବା ଦିନଠୁଁ, କାହିଁକି କେଜାଣି କେହି ମୋର ମୁହଁ ଉପରେ ପ୍ରଶଂସା କଲେ ବଡ଼ ଅଡ଼ୁଆ ଅଡ଼ୁଆ ଲାଗେ, ପ୍ରଶଂସାକାରୀପାଖରେ ରହିବାକୁ ଭଲ ଲାଗେନାହିଁ ।

 

ଆଜି ପର୍ଯ୍ୟନ୍ତ ବି ବୁଢ଼ା ବୟସରେ ସେଇ ପୁରୁଣା ଅଭ୍ୟାସଟାକୁ ଛାଡ଼ି ପାରିନାହିଁ । ଯହୁଁ ଯହୁଁ ବୟସ ବଢ଼ୁଛି ତହୁଁ ତହୁଁ ସେ ଅଭ୍ୟାସ ବହଳ ହୋଇଉଠୁଛି । ମନରେ ଆସୁଛି, ପ୍ରଶଂସାଠାରୁ ମଣିଷର ବଡ଼ ଶତ୍ରୁ କେହି ନାହିଁ । ପ୍ରଶଂସା ହିଁ ମଣିଷକୁ ତଳକୁ ତଳକୁ ଟାଣି ଧରେ, ମଣିଷକୁ ଅଜ୍ଞାନ ଓ ଅନ୍ଧ କରିପକାଏ । ଗର୍ବରେ ମଣିଷ ନିଜ ଛଡ଼ା ଆଉ କାହାକୁ ଦେଖିପାରେ ନାହିଁ, ସମସ୍ତେ ହୁଅନ୍ତି ତା’ ନିକଟରେ ଛୋଟ, ତୁଚ୍ଛ, ହେୟ । ନିଜ କାମ ବ୍ୟତୀତ ଆଉ କାହାରି କାମକୁ ସେ ପସନ୍ଦ କରେ ନାହିଁ ।

 

ମୁଁ ଅନୁଭବ କରିଛି ଏବଂ ଆଖ୍ୟାରେ କେତେକ ଦୁର୍ଘଟଣା ମଧ୍ୟ ଦେଖିପାରିଛି ଯେ ରଙ୍ଗମଞ୍ଚ ଜୀବନରେ ଯାହାକୁ ତିଳେମାତ୍ର ଗର୍ବର ବ୍ୟାଧି ସ୍ପର୍ଶ କରିଛି, କଦାପି ଆଉ ସେ କଳା ରାଜ୍ୟରେ ପାହୁଣ୍ଡ ପକେଇବାକୁ ସକ୍ଷମ ହେଇପାରି ନାହିଁ । ଅଳ୍ପ ଦିନରେ ହେଇଛି ତାର ନିଶ୍ଚିତ ପତନ ।

 

ଏଣୁ କଳାର ସେବକ ହିସାବରେ, କଳାର ପୂଜକ ହିସାବରେ ନିଜର ଜୀବନକୁ ମୁଁ ଯେତେବେଳେ ଉତ୍ସର୍ଗ କରିପକେଇଛି, ତାହା ଇଚ୍ଛାରେ ହେଉ କି ଅନିଚ୍ଛାରେ ହେଉ, କଳାପ୍ରତି ଅମର୍ଯ୍ୟାଦା କରିବା ବା କଳା ବିଷୟରେ ଯେତିକି ଜାଣିଛି ତା’ଠାରୁ ବେଶିଗୁଡ଼ାଏ କହିବା ଓ କଳାର ସେବା କରୁ କରୁ କେହି ଯଦି ଟିକିଏ ସେଥିଲାଗି ଟେକାଟେକି କରି କହିଦେଲା ତ ସେଇ କଥାରେ ଗର୍ବ ଅନୁଭବ କରି ନିଜକୁ ଏକ୍‌ବାରେ କଳାରେ ସ୍ଵୟଂ ସମ୍ପୂର୍ଣ୍ଣ ମନେକରିବାଟାକୁ ମୁଁ ବଡ଼ ଭୟକରେ, ଏବଂ କାହାରି ପ୍ରଶଂସାକୁ କର୍ଣ୍ଣପାତ କରେ ନାହିଁ ।

 

କଟକରେ ଅଭିନୟ ଆମର ଦେଖିବାକୁ ଆସିଛନ୍ତି କଟକର ବହୁ ଗୁଣୀ, ଜ୍ଞାନୀ, ଭାବୁକ, ରସିକ, କବି, ଲେଖକ, ଐତିହାସିକ, ବୈଜ୍ଞାନିକ । ସମସ୍ତେ ମୁକ୍ତ କଣ୍ଠରେ କରିଛନ୍ତି ଆଶୀର୍ବାଦ । ସମସ୍ତେ, ମଥାରେ ମୋର ହାତ ବୁଲେଇ କରିଛନ୍ତି ଦୀର୍ଘ ଜୀବନ କାମନା ।

 

ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପାଳ ପ୍ରହରାଜ, ଶ୍ରୀ ଶଶିଭୂଷଣ ରାୟ, ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ, ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ, ଶ୍ରୀ ରାଜକିଶୋର ଦାସ, ଶ୍ରୀ ବଟକୃଷ୍ଣ ପ୍ରହରାଜ, ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର, ଶ୍ରୀ ଦୁର୍ଗା ଦାସ, ଶ୍ରୀ ରାଧାନାଥ ରଥ, ଶ୍ରୀ ଉଦୟନାଥ ଷଡଙ୍ଗୀ, ଶ୍ରୀ ହରେକୃଷ୍ଣ ମହତାବ, ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ, ଶ୍ରୀ ଅନନ୍ତପ୍ରସାଦ ପଣ୍ଡା, ଶ୍ରୀ ବିଶ୍ଵନାଥ କର, ଶ୍ରୀ ବାଳକୃଷ୍ଣ କର, ଶ୍ରୀ ଗୋଦାବରୀଶ ମହାପାତ୍ର, ଶ୍ରୀ ଗୋଦାବରୀଶ ମିଶ୍ର, ଶ୍ରୀ ମାୟାଧର ମାନସିଂ, ଶ୍ରୀ ସଚ୍ଚି ରାଉତରାଏ, ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି, ଶ୍ରୀ ପ୍ରାଣକୃଷ୍ଣ ପରିଜା, ଶ୍ରୀ କୁଞ୍ଜବିହାରୀ ପାଣ୍ଡେ, ଶ୍ରୀ ଅଜୟକୁମାର ଘୋଷ, ଶ୍ରୀ ବାଳମୁକୁନ୍ଦ ନାୟକ, ଶ୍ରୀ ନାଟୁ ସରକାର, ଚୌଧୁରୀ ରାଧାନାଥ ମିଶ୍ର, ଶ୍ରୀ କାହ୍ନୁଚରଣ ମହାନ୍ତି, ଶ୍ରୀ ଗୋପୀନାଥ ମହାନ୍ତି, ଶ୍ରୀ ଚନ୍ଦ୍ରମଣି ମିଶ୍ର, ଶ୍ରୀ ସଦାଶିବ ମିଶ୍ର, ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ, ଶ୍ରୀ ଶ୍ୟାମସୁନ୍ଦର ମିଶ୍ର, ଶ୍ରୀ ଶ୍ରୀରାମଚନ୍ଦ୍ର ଦାଶ, ଶ୍ରୀ ଯଦୁମଣି ମଙ୍ଗରାଜ, ଶ୍ରୀ ଶ୍ରୀହର୍ଷ ମିଶ୍ର ପ୍ରତ୍ୟେକ ଜଣେ ଜଣେ କଳାର ପୃଷ୍ଠପୋଷକ, ଏବଂ ନିଜ ନିଜର କର୍ମକ୍ଷେତ୍ରରେ ପ୍ରତିଷ୍ଠିତ । ଏମାନଙ୍କ ଭିତରୁ ଅଧିକାଂଶଙ୍କର ନିକଟ ସମ୍ପର୍କରେ ଆସିଛି ମୁଁ । କଳା କ୍ଷେତ୍ରରେ ଆଗେଇବା ପାଇଁ, ପ୍ରତ୍ୟେକ ପ୍ରାୟ କଲ୍ୟାଣ କରି ଟେକିଛନ୍ତି ହାତ ।

 

ଏଇଭଳିଭାବେ ଅନେକଦିନ ଆମ ଦଳ କଟକରେ ରହିବା ପରେ, ପାର୍ଟିକୁ ଗଞ୍ଜାମ ଜିଲ୍ଲାକୁ ନେବାକୁ କାଳୀବାବୁ ମନସ୍ଥ କଲେ । ୟା ଭିତରେ ଭିଙ୍ଗାରପୁର ଚୌଧୁରୀଙ୍କ କୋଠାରୁ ଆମେମାନେ ଯାଇ ରହୁଥାଉ ଅଶ୍ଵିନୀକୁମାର ଘୋଷଙ୍କ ସାନଭାଇ ଅଜୟ ଘୋଷଙ୍କ ଶ୍ରୀ ପ୍ରେସରେ-। ନାଲି ରଙ୍ଗର କୋଠାଟି । ରାସ୍ତାପଟକୁ ଦୋ’ତାଲା ଉପରକୁ ଚାଳଛପର ଘର ଓ ଭିତର ପଟକୁ କୋଠାଘର । ମଝିରେ ଛୋଟ ଅଗଣାଟିଏ । ଛାପାଖାନାରେ ଅନେକ ଗୁଡ଼ିଏ ଲୋକ କାମ କରୁଥାନ୍ତି ।

 

ଶ୍ରୀ କାର୍ତ୍ତିକକୁମାର ଘୋଷଙ୍କ ଉପର ଭାଇ, ଶ୍ରୀ ଅଜୟ କୁମାର ଘୋଷ । ବେଶ୍‌ ମୋଟାସୋଟା ଲୋକ । ତାଙ୍କ ପରି ସ୍ନେହୀ ମଣିଷ, ମୁଁ ଖୁବ୍‌ କମ୍‌ ଦେଖୁଛି । ପରକୁ କେବେ ପରବୋଲି ବିଚାର କରିବା ତାଙ୍କର ଜାତକରେ ସମ୍ଭବତଃ ନ ଥିଲା କହିଲେ ଚଳେ । ସଭିଙ୍କ ସାଙ୍ଗରେ ହସମିଶା କଥା କହିବା ତାଙ୍କର ଅଭ୍ୟାସ ।

 

ଚମ୍ପୂ ନାଟକଟି ମଞ୍ଚସ୍ଥ ହେଇଯିବା ପରେ ପରେ ଆମର ଗୁରୁଦେବ ଶ୍ରୀ ପଟ୍ଟନାୟକ, ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ କାହାଣୀକୁ କେନ୍ଦ୍ରକରି ଲେଖୁଥାନ୍ତି ନୂଆ ନାଟକ ‘ଲକ୍ଷ୍ମୀ’ । ବଳିଷ୍ଠ ଭାବ ଓ ଭାଷା ତାର । ସଂଗୀତ ସଂଳାପ ଉଚ୍ଚକୋଟୀର । କାହାକୁ କୋଉ ଚରିତ୍ର ଦିଆଯିବ ତାର ସମାଧାନ ମଧ୍ୟ ଗୁରୁଦେବ ସ୍ଥିର କରି ଆମମାନଙ୍କୁ ଶୁଣେଇ ସାରିଥାନ୍ତି । କିନ୍ତୁ ରିହର୍‌ସାଲ୍‌ ଆରମ୍ଭ ହେଇ ନ ଥାଏ । ଠିକ୍‌ ସେଇ ଅବସ୍ଥାରେ ବାହାରିଲୁ ଆମେ ଗଞ୍ଜାମ ଜିଲ୍ଲାକୁ ।

 

କଟକରୁ ଗଞ୍ଜାମ ଜିଲ୍ଲାର ପ୍ରଧାନ ସହର ବରହମପୁର ଯିବାକୁ ହେଲେ ଖୁବ୍‌ ଲମ୍ବାବାଟ-। ଏତେବଡ଼ ଦଳଙ୍କୁ ନେଇ ଯିବାକୁ ଅନେକ ଖର୍ଚ୍ଚ ପଡ଼ିବ । ଏଣୁ ସିଦ୍ଧାନ୍ତ ହେଲା, ଯିବା ବାଟରେ ଗୋଟିଏ ଗୋଟିଏ ସ୍ଥାନରେ ଅଳ୍ପ ଦିନିଆ କ୍ୟାମ୍ପ୍‌ ପକେଇ, କିଛି କିଛି ଅର୍ଥ ଉପାର୍ଜନ କରି ଯିବାକୁ-

 

ଗଞ୍ଜାମ ଯିବା ବାଟରେ ପ୍ରଥମ ଡେରା ଆମର ପଡ଼ିଲା ଜଟଣୀରେ, ପୁରୀର ଶ୍ରୀ ଗଜପତିଙ୍କ ମ୍ୟାନେଜରଙ୍କ ଅଫିସ୍‌ ହତାରେ । ପେଣ୍ଡାଲ ଯୋଉଠି ତିଆରି ହେଲା ତାର ଅଳ୍ପ ଦୂରରେ ଗୋଟିଏ ଚାଳଘରେ ଆମେ ସମସ୍ତେ ରହିଲୁ । ସେତେବେଳର ସେଇ ଜଟଣୀ ଷ୍ଟେସନ୍‌ ବଡ଼ କୁହେଳିକାଚ୍ଛନ୍ନ ଥିଲା । ଉକ୍ତ ଜଟଣୀ ରେଳବାଇର ଗୋଟିଏ ପ୍ରଧାନ ଜଙ୍କ୍‌ସନ୍‌ ହେଲେ ମଧ୍ୟ ଏଠାରେ ରେଳବାଇ କର୍ମଚାରୀଙ୍କ ଭିତରୁ ଓଡ଼ିଆଙ୍କ ସଂଖ୍ୟା ଥିଲା ଅତି ନଗଣ୍ୟ । ଯୁଆଡ଼କୁ ଆପଣ ଆଖି ପକାନ୍ତୁ ଦେଖିବେ କେବଳ ବିଜାତି ଏଙ୍ଗ୍ଲୋଇଣ୍ଡିଆନ୍‌ଙ୍କ ସଂଖ୍ୟା ଅଧିକ । ଦୁର୍ନୀତି ଓ ଭ୍ରଷ୍ଟାଚାରର କେନ୍ଦ୍ରସ୍ଥଳ ହେଇଥାଏ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ୍‌ ।

 

ଅବଶ୍ୟ ପୁରୀ ଜିଲ୍ଲାର ଏହା ଥିଲା ପ୍ରଧାନ ବାଣିଜ୍ୟକେନ୍ଦ୍ର । ଏଥିଲାଗି ବିଭିନ୍ନ ଅଞ୍ଚଳରୁ ଲୋକମାନେ କାରବାର ପାଇଁ ଛୁଟି ଆସୁଥିଲେ । ଜଟଣୀ ବଜାର ଛୋଟ ହେଲେ ମଧ୍ୟ ଦୋକାନ ବଜାରରେ ବେଶ୍‌ ଭିଡ଼ ହଉଥିଲା ।

 

ଅଭିନୟ ପୂର୍ବରୁ ଏଠାରେ ଆମେ କେବେହେଲେ ଆଶା କରିନଥିଲୁ ଦର୍ଶକ ବେଶିମାତ୍ରାରେ ହେବେ ବୋଲି, କାରଣ ବ୍ୟବସାୟୀଙ୍କ ଛଡ଼ା ସ୍ଥାନୀୟ ଲୋକ ହିସାବରେ ଯୋଉମାନେ ବା ସେଠାରେ ଥିଲେ, ସେମାନଙ୍କ ଅବସ୍ଥା ଥିଲା ଅତି ଦୁର୍ବଳ । ତେବେ ହଁ, ଜଟଣୀକୁ ଲାଗି ନିକଟରେ କେତେଗୁଡ଼ିଏ ବଡ଼ବଡ଼ ଗାଁ ଥିଲା । ସେଠାରୁ ଦର୍ଶକ ଆସିବାର ଭରସା ଥିଲା ମନରେ । ଯୋଉମାନେ ସଉଦାପତ୍ର ନବାଲାଗି ସେଠାକୁ ଆସୁଥିଲେ ସେମାନେ ବା ଅଭିନୟ ଦେଖିବାକୁ ଅବସର ପାଇବେ କେମିତି ? ମାଲପତ୍ର ଚୋରିଯିବା ଭୟରେ, ଯେଝା ଯେଝାର ସୁବିଧା ଉଣ୍ଡି ଫେରିଯାଉଥିଲେ ନିଜ ନିଜର ଅଞ୍ଚଳକୁ ।

 

ଯାହାହେଉ, ବହୁ ଆଶା ନିରାଶାର ଦ୍ଵନ୍ଦ୍ଵରେ ପଡ଼ି ଅଭିନୟ ଆରମ୍ଭ ହେଲା ।

 

ଏଇ ଜଟଣୀରେ ଆମ ପାର୍ଟି ଥିଲାବେଳେ ଯୋଗଦେଲେ ଆସି ଆମ ଗାଁର ଉମାଭାଇ-। ଶ୍ରୀ ଉମେଶଚନ୍ଦ୍ର ପଟ୍ଟନାୟକ । ଖୁବ୍‌ ଡେଙ୍ଗା ଭଦ୍ରଲୋକ । ଭୀଷଣ ସ୍ଵାର୍ଥଲୋଭୀ । ଉଚ୍ଚ–ନୀଚ, ଜାତି–ଅଜାତି ସଂକୀର୍ଣ୍ଣ ଭାବନାର ଏକ ନିଷ୍ପାବାନ୍‌ ସମର୍ଥକ ସେ । ଓଡ଼ିଶାର ରକ୍ଷଣଶୀଳ କରଣ ପରିବାରର ଏକ ଉପଯୁକ୍ତ ଦାୟାଦ ସେ । ଉଚ୍ଚତାରେ ଦୀର୍ଘ ହେଲେ ହେଁ, କ୍ଷୁଦ୍ର ମସ୍ତିଷ୍କ-। ନିଜକୁ ଜଣେ ସମ୍ଭ୍ରାନ୍ତ ବଂଶୀୟ ମାନୀ ବୋଲି ପରିଚୟ ଦିଅନ୍ତି । କଳାକାର ନ ହେଲେ ବି କଳାପ୍ରତି ଅନୁରାଗ ଥିଲା । ସମ୍ଭବତଃ ସେଇ କାରଣରୁ ଭୂ–ଜମିଦାରୀର ମୋହ ଛାଡ଼ି, ପଳେଇ ଆସିଥିଲେ କଳା–ଜମିଦାରୀର ପଟାଖର୍ଦ୍ଦି ଆଶାରେ ଏବଂ ନିଜର ଘୃଣିତ ଭାବନାର ବିଷାକ୍ତ ଫଳର ସ୍ଵାଦ ଦୁସ୍ଥ କଳାକାର ଗୋଷ୍ଠୀଙ୍କୁ ଚଖେଇବା ଉଦ୍ଦେଶ୍ୟରେ । ଉପଯୁକ୍ତ ମନଲାଖି ପ୍ରାର୍ଥୀ ପାଇ ଗୁରୁଦେବ ଆମର ଧନ୍ୟ ହେଲେ । ଗ୍ରହଣ କରିନେଲେ ଜଣେ ସ୍ଵଜାତିର ସଚ୍ଚୋଟ କର୍ମୀଙ୍କୁ ।

 

ପ୍ରଥମ ଅଭିନୟ ରଜନୀରୁ ଜଣା ପଡ଼ିଗଲା ଜଟଣୀର ଜନସାଧାରଣଙ୍କ ଯାତ୍ରା, ଥିଏଟର ପ୍ରତି ଆଗ୍ରହ କେତେ । ସଞ୍ଜ ଗଡ଼ିଲେ ଜମିଲା ଲୋକ ଭିଡ଼ । କୋଉଠୁ ଯେ ଏତେଲୋକ ଆସନ୍ତି ଆମେ ବୁଝିପାରୁ ନ ଥିଲୁ । ଏତେ ଉତ୍ସାହ ତାଙ୍କର ଆମେ ଅତି ଅଳ୍ପ ସ୍ଥାନରେ ଦେଖିଛୁ । ମୋର ଅଭିନୟ ଦେଖି କାହିଁକି କେଜାଣି ସେଠାକାର ଦର୍ଶକ ଏମିତି ପାଗଳ ହେଇଯାଉଥିଲେ, ମୁଁ କଳ୍ପନାସୁଦ୍ଧା କରିପାରୁ ନ ଥିଲି । ଗୋଟିଏ, ଯୋଡ଼ିଏ ନୁହେଁ, ଅଣ୍ଟିରେ ସେମାନେ ମେଡ଼ାଲ ବା ରୂପାପଦକ ଆଣି ମଞ୍ଚ ସାମ୍‌ନାରେ ବସୁଥିଲେ ଏବଂ ମୋର ଗୋଟିଏ ଗୋଟିଏ ଗୀତ ଓ ଅଭିନୟ ଉପରେ ମୁଗ୍ଧ ହୋଇ, ଆଞ୍ଜୁଳାଭରି ପଦକ ପକଉଥିଲେ ମଞ୍ଚ ଉପରକୁ, ଆଉ ତା’ ସହିତ ଦଉଥିଲେ ଘନଘନ କରତାଳି ।

 

କହନ୍ତୁ ତ, ଏଭଳି ପରିସ୍ଥିତିରେ କାଷ୍ଠ, ପାଷାଣ ହେଲେ ବି ଦେହରେ ତାର ଜୀବନ ସଞ୍ଚାର ହେବ ନାହିଁକି ? ମୁଁ ତ ମଣିଷ । ଦର୍ଶକମାନଙ୍କର ସ୍ନେହ ଓ ଶ୍ରଦ୍ଧାର ସମର୍ଥନ ପାଇ ମୋର ପ୍ରତି ଶିରାର ରକ୍ତ ଚଞ୍ଚଳ ହୋଇଉଠେ । ଉତ୍ସାହ ବଳରେ ଅଭିନୟ ହୁଏ ଜୀବନ୍ତ, ବାସ୍ତବ । ମଞ୍ଚ ଭିତରେ ନିଜକୁ ହଜେଇଦିଏ । ବେଳେବେଳେ ମୋର ସହଶିଳ୍ପୀମାନେ ନିଜର ଡାଇଲଗ୍‌ ଭୁଲିଯାଇ ଅନ୍ୟମନସ୍କ ହୋଇ ଚାହିଁରୁହନ୍ତି ମୋତେ ।

 

କୌଣସି କାରଣରୁ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଅନୁଷ୍ଠାନରୁ ବିଦାୟ ନେଇଥାନ୍ତି-। ଆଉ ଜଣେ ଭଦ୍ରଲୋକ ରହିଥାନ୍ତି ନୂଆ ଭାବରେ । ଧରଣୀଧର ବଳିୟାର ସିଂ, ବେଶ୍‌ ଉତ୍ତମ ଭଦ୍ରଲୋକ । ଅନୁଷ୍ଠାନର ପରିଚାଳନା ବିଭାଗରେ କାମ କରିବାକୁ ତାଙ୍କୁ ନିଯୁକ୍ତି ମିଳିଥିଲା ।

 

ସବୁ ବହିଗୁଡ଼ିକ ଜଟଣୀରେ ଅଭିନୀତ ହେଲା ଏବଂ ସବୁ ବହି ମଧ୍ୟ ପଇସା ଦେଲା । ଖୋର୍ଦ୍ଧା, ନିରାକାରପୁରରୁ ଲୋକ ଛୁଟୁଥିଲେ । ପ୍ରଥମ କେଇଦିନ ଯୋଉ ପରିମାଣର ଲୋକ ଆସୁଥିଲେ, ତା’ଠାରୁ ଧୀରେ ଧୀରେ ସଂଖ୍ୟା ବଢ଼ିବାକୁ ଲାଗିଲା । ଜଟଣୀରେ ଆମର ଅଭିନୟ ହେଲାବେଳକୁ ବାଞ୍ଛାନିଧି ସାହୁ କେତେ ଖଣ୍ଡି ବହିରେ ନୂଆକରି ଲଳିତା ଭୂମିକାରେ ଅଭିନୟ କରୁଥାଏ ।

 

ବାଞ୍ଛାନିଧିର ଅଭିନୟରେ ଯଦିଚ ନୂତନତ୍ଵ କିଛି ଥାଏ ତଥାପି ଯାହା ତାକୁ ତାଲିମ୍‌ ଦିଆଯାଇଥାଏ, ସେଥିରୁ ସେ କେବେ ଉଣା କରେ ନାହିଁ । ଚେହେରା ଦେଖିବାକୁ ସୁନ୍ଦର, ଗୋରାରଙ୍ଗ ସ୍ତ୍ରୀ ଭୂମିକାରେ ସଜେଇଦେଲେ; କେହି କହିବ ନାଇଁ ସେ ପ୍ରକୃତରେ ପୁଅପିଲା ବୋଲି-। ବାଞ୍ଛାନିଧି ଅପେକ୍ଷା ଲଳିତା ଭୂମିକାରେ ଯମୁନା ଦାସ, ଦୁର୍ଲ୍ଲଭ ସିଂ ଭଲ ଅଭିନୟ କରୁଥିଲେ; କିନ୍ତୁ ବାଞ୍ଛାନିଧିର ଅଭିନୟ ସେମାନଙ୍କ ପରି ଉତ୍ତମ ନ ହେଲେ ମଧ୍ୟ ଅଭିନୟ ବେଳେ ତାର ଚାଲିଚଳନରେ ବହୁଭାବରେ ପୂରି ରହୁଥିଲା ସ୍ତ୍ରୀ ସୁଲଭ ଆଚାର ବ୍ୟବହାର । ଏବଂ ସେଇ କାରଣରୁ ଅନେକ ସ୍ଥଳରେ ତାକୁ ଅଧିକ ଜନସମର୍ଥନ ମିଳୁଥିଲା ।

 

ଏବେ ଆମର ସବୁ ନାଟକଗୁଡ଼ିକ ଜଟଣୀ କ୍ୟାମ୍ପ୍‌ରେ ଶେଷ ହେଇ ଆସିବାପରେ, ଶେଷ ରଜନୀର ତାରିଖ ଓ ଦିନ ଜନସାଧାରଣଙ୍କୁ ପ୍ରଚାର ମାଧ୍ୟମରେ ଜଣେଇ ଦିଆଗଲା ଓ ଏଣେ ଆଗାମୀ କ୍ୟାମ୍ପ ଲାଗି ସ୍ଥାନ ଓ ବସାଘର ଠିକ୍‌ କରିବାକୁ ଲୋକ ପଠେଇ ଦିଆଗଲା ।

 

ଯେକୌଣସି ଭ୍ରମଣକାରୀ ନାଟ୍ୟ ଅନୁଷ୍ଠାନମାନ ଏଇ ଧାରାରେ କାମ କରିଥାନ୍ତି । ଗୋଟିଏ ସ୍ଥାନରେ ତାଙ୍କର କାର୍ଯ୍ୟକ୍ରମ ଚାଲିଥିଲାବେଳେ ସେ ସ୍ଥାନଗୁଡ଼ିକର ଦୁଇ, ଚାରିଦିନ ଆଗରୁ ଅନ୍ୟ କ୍ୟାମ୍ପର ଅବସ୍ଥା ବୁଝି, ସେଠାକାର ସ୍ଥାନୀୟ ମୁଖ୍ୟ ବ୍ୟକ୍ତିଙ୍କ ସହ ପରାମର୍ଶ କରି, କୋଉଠି ପେଣ୍ଡାଲ ହେବ, କୋଉଠି ଅନୁକୂଳ ପରିବେଶ ରହିଛି ଆମମାନଙ୍କର ରହିବାପାଇଁ ଏସବୁ କଥା ସେଠା ଲୋକଙ୍କ ପାଖରୁ ବୁଝି ବିଚାରି ପୁରୁଣା ଜାଗା ଛାଡ଼ନ୍ତି ।

 

ଜଟଣୀରୁ କାଳୁପଡ଼ା ଘାଟ ରେଳଷ୍ଟେସନ୍‌ ନିକଟରେ ଥ‌ିବା ଟାଙ୍ଗି ଯିବାକୁ ସ୍ଥିର ହେଲା । ଖୁବ୍‌ ଭଲ ଜାଗା । ନାଟ, ଥିଏଟର, ସର୍କସ, ଯୋଉଭଳି ପାର୍ଟି ହେଉନା କାହିଁକି କ୍ୟାମ୍ପ୍‌ କରିବାକୁ ପ୍ରଶସ୍ତ ସ୍ଥାନ ସେଠାରେ ରହିଛି । ଦର୍ଶକ ମଧ୍ୟ ହୁଅନ୍ତି ଅତି ଉତ୍ତମ ସଂଖ୍ୟାରେ । ଏକଥା ଆମେ ଆଗରୁ ଜାଣିପାରିଲୁ, ଟାଙ୍ଗିର ସ୍ଥାନୀୟ ଭଦ୍ରଲୋକ ଶ୍ରୀ ଈଶ୍ଵର ଚନ୍ଦ୍ର ମହାନ୍ତିଙ୍କ ଚିଠିରୁ । ଈଶ୍ଵର ବାବୁ, ଆମ ଗୁରୁଦେବଙ୍କ ଅନ୍ତରଙ୍ଗ ବନ୍ଧୁ ।

 

ଶେଷ ରଜନୀ ସରିଯିବାପରେ ଚାଲିଲା ଭଙ୍ଗାରୁଜା, ବନ୍ଧାବନ୍ଧି । ଏଇ ବନ୍ଧାବନ୍ଧି ସମୟଟା ପ୍ରାୟ ପ୍ରତ୍ୟେକ ଭ୍ରମଣକାରୀ ଅନୁଷ୍ଠାନ ପକ୍ଷରେ ଏକ ଜଟିଳ ଓ ବିପଦପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିବାକୁ ହେବ । କାରଣ ତ ଆପଣମାନେ ବୁଝୁଥ‌ିବେ । ଗୋଟିଏ ଦଳ ବା ଅନୁଷ୍ଠାନରେ, ବହୁ ପ୍ରକୃତିର ଲୋକ ରହିଥାନ୍ତି । ସେମାନଙ୍କୁ ବାହାରୁ, ତାଙ୍କର ବେଶ ଅବା ରୂପ ଦେଖି ଚିହ୍ନିବା କଷ୍ଟକର ପାଠ । ପୁଣି ସ୍ଵଳ୍ପ ବେତନଭୋଗୀ । ସେଥ‌ିରେ ବେତନ ଯାହା ବା ପାଇବାର କଥା ତା’ କିନ୍ତୁ ମିଳେ ନା । କେବଳ ହିସାବ ଖାତାରେ ଲେଖା ହଉଥାଏ ମାତ୍ର ।

 

ହତଭାଗାମାନଙ୍କର ପେଟ ଜ୍ଵାଳା ତ ଆଉ ଏକଥା ବୁଝିବ ନାହିଁ ? ମିଛ ସତ କହି ବିଭିନ୍ନ ଦୋକାନରୁ ମନଇଚ୍ଛା ଧାର୍‌ କରିପକାନ୍ତି । କୋଉଠୁ ବରା, ରୁଟି ତରକାରୀ, କୋଉଠୁ ଗୁଡ଼ାଖୁ, ସାବୁନ୍‌ ଯେ ଯାହା ସୁବିଧା ଅନୁଯାୟୀ କାଳି କରିପକାନ୍ତି । କେତେକ ଚତୁର ଲୋକ, ଅନୁଷ୍ଠାନର କୃପଣ ମାଲିକମାନଙ୍କଠାରୁ, ତେବେ ଆଦାୟ ଲାଗି, ଏଇ ଭଳି ନୂତନ କୌଶଳର ଆଶ୍ରୟ ନିଅନ୍ତି ମଧ୍ୟ ।

 

ଏଣୁ ଆମର ଘଟ ପରିବର୍ତ୍ତନର ଶୁଭ ବେଳାରେ ଆସି ହାଜର ହୁଅନ୍ତି ମହାଜନ ଗଣ । ଆଗ ବସାଘରର ସାମ୍ନାରେ ସେମାନେ ଗୋଟିକ ପରେ ଗୋଟିଏ ଧାଡ଼ି ବାନ୍ଧନ୍ତି । ଚାଲେ କେଁ, କଟର ପାଲା । ପ୍ରାପ୍ୟ ନ ପାଇଲେ ବସିରୁହନ୍ତି ଏବଂ କେତେକ ଦର୍କାର ପଡ଼ିଲେ, ଖାତକକୁ ଟଣା ଓଟରା କରିବାକୁ ଭୁଲନ୍ତି ନାହିଁ । ଖୁବ୍‌ ବିପଦ ସମୟ ସେ ।

 

ସବୁ ସ୍ଥାନପରି, ସବୁ ବିପଦକୁ ପଛରେ ପକେଇ ସେଦିନ ଜଟଣୀରୁ ମଧ୍ୟ ଆମେମାନେ ବିଦାୟ ନେଲୁ ଟାଙ୍ଗି କ୍ୟାମ୍ପର ସଫଳତା ବିଷୟରେ ଚିନ୍ତାକରି ।

 

କାଳୁପଡ଼ାଘାଟ, କଲିକତାକୁ ମାଛ, କଙ୍କଡ଼ା ରପ୍ତାନି ଲାଗି ଗୋଟିଏ ଛୋଟଧରଣର କେନ୍ଦ୍ର । ନିକଟରେ ଜରିପଡ଼ା ଗାଁ । ମାଛ, ଶୁଖୁଆ ହାଉଯାଉ । ଜରିପଡ଼ା ଗାଁର ଜମିଦାର ଶ୍ରୀ ଚୈତନ୍ୟ ଚରଣ ରାୟ, ଶ୍ରୀ କାଳୀଚରଣ ପଟ୍ଟନାୟକଙ୍କ ଜଣାଶୁଣା । ସ୍ୱନାମଧନ୍ୟ ଶ୍ରୀ ରଘୁନାଥ ରାୟଙ୍କ ପିତା । ଅତ୍ୟନ୍ତ ଅର୍ଥଲୋଭୀ ଥିଲେ ମଧ୍ୟ । କଳାଲାଗି କିନ୍ତୁ ମୁକ୍ତହସ୍ତ ଥିଲା ତାଙ୍କର I ବାଟି ବାଟି ଚାଷଜମି । ପର୍ଯ୍ୟାପ୍ତ ଅର୍ଥ ମିଳୁଥିଲା ଧାନରୁ । ୟା’ ବାଦ୍‌ ବହୁ ଗୋଖା, କେଉଟ ପ୍ରଜାମାନଙ୍କ ନିକଟରୁ ମିଳୁଥିଲା ଚିଲିକାର ମାଛ, ଶୁଖୁଆ, କଙ୍କଡ଼ା ।

 

ଟାଙ୍ଗିରେ ପହଁଞ୍ଚିବାମାତ୍ରେ, ଚାରିଆଡ଼ୁ ଜନସାଧାରଣଙ୍କ ଆଦର ସ୍ନେହ ଯେମିତି ଆମ ଉପରେ ଅଜାଡ଼ି ପଡ଼ିଲା ପରି ଲାଗିଲା । ଈଶ୍ଵର ବାବୁଙ୍କ ପରିବାର, ଆମ ଦଳର ଆଗମନରେ ବିଶେଷ ଆନନ୍ଦ ପ୍ରକାଶ କରୁଥିଲେ । ତା’ଛଡ଼ା ଆଉ କେତେକ ଟାଙ୍ଗିର ବିଶିଷ୍ଟ ଭଦ୍ର ଲୋକ, ଅଭିନୟ ପ୍ରଦର୍ଶନ ଦିଗରେ ତାଙ୍କର ସାହାଯ୍ୟ, ସହାନୁଭୂତି ଦେବାକୁ ଆଗେଇ ଆସୁଥିଲେ ।

 

ବର୍ତ୍ତମାନ ମୋଟର ଜରିଆରେ କଲିକତାରୁ ମାଡ୍ରାସ ଯିବାକୁ ଯୋଉ ଜାତୀୟ ରାଜପଥ ପଡ଼ିଛି, ତାର ବିକାଶ ସେତେଟା ଘଟିନଥିଲା କହିଲେ ଚଳେ । ଜନବସତି ଛାଡ଼ି ଦେଲେ ପ୍ରାୟ ରାସ୍ତାର ଦୁଇ ପାଖରେ ଘନ ଜଙ୍ଗଲ, ଖଣ୍ଟ ଆକ୍ରମଣର ଭୟ । ପୁଣି ସ୍ଥାନେ ସ୍ଥାନେ ବଡ଼ ବଡ଼ ନଦୀ, ନାଳରେ ଏତେ ସଂଖ୍ୟାରେ ପୋଲ ନ ଥିଲା । ଏଇ ପଥକୁ, ସମସ୍ତେ ପ୍ରାୟ ଜାତୀୟ ରାଜପଥ ନ କହି କହୁଥିଲେ ଜଗନ୍ନାଥ ସଡ଼କ । କାରଣ ଜାତୀୟ ଭାବନାରେ ଆମେ ଉଦ୍‌ବୁଦ୍ଧ ହେଇଥିଲେ ହେଁ, ସଡ଼କ ପରିବହନ କିନ୍ତୁ ଜାତୀୟ ସମ୍ପତ୍ତି ହୋଇ ନ ଥିଲା । ଆମେ ଥିଲୁ ପରାଧୀନ, ଶୃଙ୍ଖଳାରେ ଆବଦ୍ଧ ।

 

ଏଇ ସଡ଼କରେ ଖଣ୍ଡେ ଅଧେ ଘରୋଇ ମଟର ବସ୍‌ ଅବଶ୍ୟ ଚାଲୁଥିଲା ।

 

ଟାଙ୍ଗିରେ ଆମର ଅଭିନୟ ଆରମ୍ଭ ହେଲା । ଆଜିକାଲି ପରି ଗୋଟିଏ ଗୋଟିଏ ରାତିରେ, ଚାରିଶହ ପାଞ୍ଚଶହ ଟଙ୍କା ସେ ସମୟରେ ରୋଜଗାର ହେବା କଳ୍ପନାତୀତ ଥିଲା । ତେବେ, ଆମର ପ୍ରାୟ ରାତିକୁ ଦେଢ଼ଶହ, ଦୁଇଶହ ହେଇଯାଉଥିଲା । ଶସ୍ତା ଯୁଗ, ବାଧୁ ନ ଥିଲା । ଗୁରୁଦେବ ମଧ୍ୟ ଚାଳିଶ, ପଚାଶ ଲୋକଙ୍କୁ ଯେମିତି ଖାଦ୍ୟ ନିୟନ୍ତ୍ରଣ କରି ଚଳଉଥିଲେ, ସେଥ‌ିରେ ଆଉ ଅସୁବିଧା ବା କ’ଣ ? ସହଜେ ତ ଆମେମାନେ ଦେବୀ ସରସ୍ଵତୀଙ୍କ ଭକ୍ତ, ମା’ ଲକ୍ଷ୍ମୀ କାହିଁକି ବା ଆମକୁ କରୁଣା କରିବେ ? ଅନୁଷ୍ଠାନର କେତେଗୁଡ଼ିଏ ଧରାବନ୍ଧା ନୀତି ଭିତରେ ଆମମାନଙ୍କର ଜୀବନରଥ ଖାଲଢ଼ିପ ଦେଇ ସୁରୁଖୁରୁରେ ଗଡ଼ିଚାଲିଥାଏ ।

 

ସୌଭାଗ୍ୟକ୍ରମେ ଟାଙ୍ଗି କ୍ୟାମ୍ପ୍‌ରେ ଶ୍ରୀସାକ୍ଷୀଗୋପାଳ ନାଟ୍ୟସଂଘର (ଆମ ସଂସ୍ଥା) ଅଭିନୟ ଶେଷହେଇ ଆସିଲାବେଳକୁ ଗୋଟାଏ ସର୍କସ ପାର୍ଟି ତାର ତମ୍ବୁ ଆଣି ପକେଇଲା । ବାଘ, ଭାଲୁ, ହାତୀ, ଘୋଡ଼ା ଦେଖିବାକୁ ଛୁଟିଲେ ଲୋକ । ଆମ କମ୍ପାନୀ ମାନ୍ଦା ଧଇଲା ।

 

ଖୁବ୍‌ ବଡ଼ ସର୍କସ ନୁହେଁ । ତଥାପି ଅପାଳକ ରାଜ୍ୟରେ, ବିଜୁଳି ଲକ୍ଷେଟଙ୍କାପରି ଟାଙ୍ଗିର ଜନସାଧାରଣଙ୍କ ନିକଟରେ ସେଇଥିଲା ଯଥେଷ୍ଟ । କିନ୍ତୁ ଦିନରେ ପିଲା, ବୁଢ଼ା, ମାଇପେ ଯେତେ ସଂଖ୍ୟାରେ ଜୀବଜନ୍ତୁମାନଙ୍କୁ ବାହାରେ ଠିଆ ହେଇ ଦେଖିବାକୁ ଆସୁଥିଲେ, ରାତିରେ ପଇସା ଦେଇ ସେମାନଙ୍କ ଖେଳ ଦେଖିବାକୁ ସେତେ ପରିମାଣରେ ଲୋକ ଆସୁନଥିଲେ । ସର୍କସ ମାଲିକ, ପ୍ରଥମ କେଇରାତି ଅତି କ୍ଷତି ସହିବାକୁ ବାଧ୍ୟ ହେଲେ ।

 

ସର୍କସ ମାଲିକଙ୍କ ମୁଣ୍ଡକୁ ଗୋଟାଏ ବୁଦ୍ଧି ଆସିଲା । ସର୍କସ ଖେଳ ସହିତ ଆରମ୍ଭ କଲେ ଲଟେରି ଘୋଷଣା । ଜଣେ ଲୋକ ସର୍କସ ଦେଖିବାକୁ ଗୋଟିଏ ଟିକଟକରି, ନିଜର ଭାଗ୍ୟଲକ୍ଷ୍ମୀ ସଦୟ ହେଲେ ସାଇକଲ, ଘଣ୍ଟା ମଧ୍ୟ ପାଇପାରିବ । ଚାଲିଲା ଜନତାଙ୍କ ସ୍ରୋତ । ଦିନକୁ ଚାରି, ପାଞ୍ଚଜଣ କରି ଘଣ୍ଟା, ସାଇକଲ ଲଟେରିରୁ ଜିଣିଲେ । ଟାଙ୍ଗିରୁ ସର୍କସ ପାର୍ଟି ଖୁବ୍‌ ଭଲ ପଇସା ରୋଜଗାର କଲା ।

 

ଆମମାନଙ୍କ ଅବସ୍ଥା ଯଃ ପଳାୟତି, ସଃ ଜୀବତିଃ ପନ୍ଥା ଅନୁସରଣ କରିବା ଛଡ଼ା ଅନ୍ୟ ପନ୍ଥା ନ ଥିଲା । ଗୁରୁଦେବ, ଏଭଳି ପରିସ୍ଥିତିରେ ଜରିପଡ଼ା ଗ୍ରାମରେ, ବାଳିଆ ଧରିବାକୁ, କେରାଣ୍ଡି ଥୋପ ଖେଳେଇଲେ ।

 

ଶ୍ରୀଯୁକ୍ତ ଚୈତନ୍ୟ ରାୟ, ବରାଦ କଲେ ତାଙ୍କର ଘର ନିକଟରେ ଅଭିନୟ କରିବାକୁ । ସେଇ ବରାଦରେ ଆମେ ଆମର ପେଡ଼ି, ପେଟରା ସଜାଡ଼ି ବାହାରିପଡ଼ିଲୁ ଜରିପଡ଼ା ଗ୍ରାମକୁ । ଟାଙ୍ଗିରୁ ଅଳ୍ପବାଟ ।

 

ଜରିପଡ଼ାରେ ରହିଲୁ ଶ୍ରୀ ଚୈତନ୍ୟ ରାୟଙ୍କ ଠାକୁର ମେଲାରେ । ମଞ୍ଚ ତିଆରି ହେଲା ଶ୍ରୀଯୁକ୍ତ ରାୟଙ୍କ କୋଠା ନିକଟରେ । ଆମର ମଞ୍ଚପ୍ରସ୍ତୁତିରେ ସହଯୋଗ କଲେ ସେଠାକାର ସ୍ଥାନୀୟ ଲୋକମାନେ । ବିଭିନ୍ନ ରଙ୍ଗବେରଙ୍ଗର ସିନ୍‌ ସବୁକୁ ଦେଖିବାକୁ ରୁଣ୍ଡ ହେଲେ ସେଇ ଗ୍ରାମର ଛୋଟ ଛୋଟ ଧୂଳିଆ ପିଲାମାନେ ।

 

ଆମେମାନେ ଏତେବେଳକୁ ଯଦିଓ ସେଇ ପୁରୁଣା ମାଳି, ତିଳକ ଭେକଧାରୀ ଥିଲୁ ତଥାପି ଖନ୍ଦାଶାଳକୁ ବେଳେବେଳେ ଆମିଷ ପଶିବାରେ ଆଉ ସେମିତି କଡ଼ା କଟକଣା ବିଶେଷ ନ ଥିଲା କହିଲେ ଚଳେ । ଜରିପଡ଼ାରେ, ମତ୍ସ୍ୟର ପ୍ରାଚୁର୍ଯ୍ୟତା ହେତୁ, କଡ଼ା କଟକଣାର କୋହଳ ନୀତି, ଟିକଏ ବେଶି ପରିମାଣରେ ଲାଗୁ କରାଯାଇଥିଲା । ସେଠାରେ ପନିପରିବା ଥିଲା ଦୁଷ୍ପ୍ରାପ୍ୟ । ରାତି ପାହିଲାବେଳକୁ ଦର୍ଶନ ଦଉଥିଲେ ଆଦ୍ୟ ଅବତାର ଟୋକେଇ ଟୋକେଇ ପାତୁଆମାଛ, କେତେବେଳେ ଚିଙ୍ଗୁଡ଼ି ଅବା ଖଇଙ୍ଗା ।

 

ଜରିପଡ଼ାରେ ମାତ୍ର ଦୁଇ ତିନି ଦିନ ଅଭିନୟ କରି ସେଠାରୁ ବାଲୁଗାଁକୁ ବାହାରିଲୁ । କାଳୁପଡ଼ାଘାଟରୁ ବାଲୁଗାଁ ରେଳଷ୍ଟେସନ୍‌ ବେଶି ଦୂରର ବାଟ ନୁହେଁ । କେତୋଟି ଷ୍ଟେସନ୍‌ ପାର ହେଲେ, ରେଳରୁ ଦେଖାଯାଏ ସେଇ ମାମୁଁ–ଭଣଜା ପାହାଡ଼ର ତାଳଗଛ ।

 

ସଡ଼କ ପଥରେ ଗଲେ ସେଇ ମାମୁଁ–ଭଣଜା ପାହାଡ଼, ସଡ଼କର ଦୁଇ ପାଖରେ, ବେଶ୍‌ ଲଗାଲଗି ଭାବରେ କୋଉ କାଳରୁ ଠିଆ ହେଇ ରହିଛନ୍ତି ସେକଥା କହିବା କଷ୍ଟକର । ସେଇ ପାହାଡ଼ ଶିଖରରେ ଏକ ବିରାଟ ଲମ୍ବା ତାଳଗଛ । ସେଇ ତାଳ ଗଛ ହିଁ ଦୂରରୁ ପଥକୁ ଚିହ୍ନେଇ ଦିଏ ମାମୁଁ–ଭଣଜାକୁ ।

 

ବାଲୁଗାଁ, ଏଠାରେ ମଧ୍ୟ ପୁରୀ ଗଜପତିଙ୍କର ଶ୍ରୀମନ୍ଦିର ଅଫିସ ଥିଲା–ଠିକ୍‌, ଜଗନ୍ନାଥ ସଡ଼କର ପାଖାପାଖି । ନିକଟରେ ମରାଳମାଳିନୀ ନୀଳାମ୍ବୁ ଚିଲିକା । ବାଲୁଗାଁ, ପାରିକୁଦ ଘାଟରୁ, ପୁଝାରୀ ନାଆରେ ବସି, ଚିଲିକାର ଅନେକ ଜଳ–ରାଶିର ବକ୍ଷଚିରି, ତଲେଇ ଟାଣି ଚାଲନ୍ତି ପାରିକୁଦ । ଏଇଟା ସବୁଦିନିଆ ବ୍ୟାପାର । କେବଳ ଝଡ଼ ବତାସ ସମୟ ଛଡ଼ା ବାକି ସବୁଦିନ ପାରିକୁଦର ବାସିନ୍ଦା ବାଲୁଗାଁ ବଜାରକୁ ଆସି ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରି ଫେରିଯାଆନ୍ତି ନିଜ ଘରକୁ ।

 

ବାଲୁଗାଁ ମଧ୍ୟ, କାଳୁପଡ଼ାଘାଟ ଭଳି ଗୋଟିଏ ମତ୍ସ୍ୟ ରପ୍ତାନି କେନ୍ଦ୍ର । ଏଠାରୁ ବହୁପରିମାଣର ଚିଲିକା ବିଛାମାଳିଆ ଚିଙ୍ଗୁଡ଼ି, କଲିକତାକୁ ରେଳ ଯୋଗେ ପଠାଯାଏ । ଏଥ‌ିପାଇଁ ସେ ସମୟରେ ବି ଗୋଟିଏ ଛୋଟ ଧରଣର ବରଫକଳ ପ୍ରତିଷ୍ଠା କରାଯାଇଥିଲା ।

 

ସେଇ ବରଫକଳର ଅଳ୍ପଦୂରରେ, ଗୋଟିଏ ଖୋଲା ସ୍ଥାନରେ, ଅଭିନୟ ପାଇଁ ଷ୍ଟେଜ୍‌ ତିଆରି ଚାଲିଥାଏ । ଧରଣୀବାବୁ ଖୁବ୍‌ କାର୍ଯ୍ୟବ୍ୟସ୍ତ । ସ୍ଥାନୀୟ ଭଦ୍ରଲୋକ ସବୁକାମରେ ସାହାଯ୍ୟ ସହଯୋଗ କରୁଥାନ୍ତି । ସେମାନଙ୍କ ଭିତରେ ଡାକ୍ତର ରାଧାଚରଣ ପଣ୍ଡା ଅନ୍ୟତମ–କାଳୀବାବୁଙ୍କ ବନ୍ଧୁ; ତାଙ୍କ ଛଡ଼ା ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ର, ଶ୍ରୀଯୁକ୍ତ ଗୋଦାବରୀଶ ମିଶ୍ରଙ୍କ ଶୁଭଦୃଷ୍ଟି ଥାଏ ଆମର ଅନୁଷ୍ଠାନ ଉପରେ । ବାଲୁଗାଁଠାରୁ ବାଣପୁର ଅଳ୍ପ ଦୂରରେ ରହିଥିବାରୁ ସେଠାରୁ ମଧ୍ୟ ଆମର କେତେକ ହିତାକାଙ୍‌କ୍ଷୀ ଭଦ୍ରଲୋକ ଆସି ଉତ୍ସାହ ଦଉଥାନ୍ତି ।

 

ନାଟକ ଆରମ୍ଭ ହେବା ପୂର୍ବରୁ, ମା’ଭଗବତୀଙ୍କ ନିକଟରେ ଭୋଗରାଗ ଦେବାକୁ, ଗୁରୁଦେବ ବ୍ୟବସ୍ଥା କରିଥାନ୍ତି । ଉତ୍କଳ ଖଣ୍ଡରେ, ବାଣପୁର ଭଗବତୀ ଯେ ଅଷ୍ଟଭଗ୍ନୀଙ୍କ ଭିତରୁ ଜଣେ, ଏହା ପ୍ରାୟ ସର୍ବଜନବିଦିତ । ସାଧାରଣତଃ ଅଷ୍ଟଭଗ୍ନୀ ହେଲେ ବାଣପୁର ଭଗବତୀ, ସମ୍ବଲପୁରର ସମଲେଇ, କାକଟପୁର ମଙ୍ଗଳା, ଯାଜପୁରର ବିରଜା, ପୁରୀର ବିମ୍ବଳା, ଝଙ୍କଡ଼ର ଶାରଳା, କୋଣାର୍କର ରାମଚଣ୍ଡୀ, ଗଞ୍ଜାମର ତାରାତାରିଣୀ । ଏଗୁଡ଼ିକ ପ୍ରଧାନତଃ ଦେବୀପୀଠ ରୂପରେ ପରିଚିତ । ବର୍ଷର ବିଭିନ୍ନ ଦିନମାନଙ୍କରେ ଏଇସବୁ ଦେବୀପୀଠମାନଙ୍କରେ ଭିନ୍ନ ଭିନ୍ନ ପର୍ବ ପାଳିତ ହେଇଥାଏ, ଏବଂ ସେଇସବୁ ଉତ୍ସବମାନଙ୍କରେ ଓଡ଼ିଶାର ପୁରପଲ୍ଲୀରୁ ଶହଶହ ଭକ୍ତଗଣ ଆସି ଦେବୀଙ୍କର ଦର୍ଶନଲାଭ କରିବା ସଙ୍ଗେ ସଙ୍ଗେ ନିଜର ମାନସିକ ଫଳ ଆଶାରେ ବଳୀ ଅର୍ପଣ କରି ଫେରି ଯାଆନ୍ତି ସ୍ଵ ସ୍ଵ ଗୃହକୁ ।

 

ବାଲୁଗାଁରେ ଆମର ଅଭିନୟ ଲାଗି ଆମେ ମଞ୍ଚପ୍ରସ୍ତୁତ କରିଥିଲେ ହେଁ ବେଶି ଭାଗର ଦର୍ଶକ କିନ୍ତୁ ଆସୁଥିଲେ ବାଣପୁରରୁ । ବାଲୁଗାଁ ଗୋଟିଏ ଛୋଟକାଟର ବାଣିଜ୍ୟ କେନ୍ଦ୍ର ହେଲେ ମଧ୍ୟ, ବାଣପୁରରେ କିନ୍ତୁ ରହୁଥିଲେ ବଡ଼ବଡ଼ ସାହୁକାର, ମହାଜନ; ପଇସା ଥିଲା ସେଇମାନଙ୍କ ହାତରେ ।

 

ଭଗବତୀଙ୍କ କୃପାରୁ କୌଣସି ବାଧା ଓ ପ୍ରତିବନ୍ଧକ ନ ଆସି ନାଟକ ଆମର ଗୋଟିକ ପରେ ଗୋଟିଏ ଶେଷକରି ଭଲ ରୋଜଗାର କଲୁ ଏବଂ ବାଣପୁରବାସୀଙ୍କ ଉତ୍ସାହ ଓ ଅନୁରୋଧକ୍ରମେ କିଛି ଦିନ ଲାଗି ବାଣପୁରରେ ଆମର କ୍ୟାମ୍ପ୍‌ ପକେଇଲୁ ।

 

ବାଣପୁର, ଜନବହୁଳ ଶିକ୍ଷିତ ସ୍ଥାନ । ବିଭିନ୍ନ ବର୍ଣ୍ଣର ଲୋକ ଦେଖାଯା’ନ୍ତି । ଦକ୍ଷିଣର ପ୍ରଭାବ ଲୋକଙ୍କ ଉପରେ ବେଶିମାତ୍ରାରେ ପଡ଼ିଥିଲାପରି ମନେ ହେଉଥିଲା । ଅଧିକାଂଶଙ୍କର ଅବସ୍ଥା ସ୍ଵଚ୍ଛଳ । ନାଟ, ତାମ୍‌ସା, ଯାତ୍ରା, ଥିଏଟର ଦେଖିବାର ସଉକ୍‌ ଖୁବ୍‌ ବେଶି । ଗୋଟାଏ ନୂଆ କଥା ଆମେ ଦେଖିଲୁ । ଅଭିନୟ ଦେଖିବାକୁ ଯେତେ ପରିମାଣରେ ଦର୍ଶକ ଆସନ୍ତି, ତା’ଭିତରୁ ମହିଳାଙ୍କ ସଂଖ୍ୟା ହୁଏ ଅଧିକ । ପ୍ରକୃତରେ, କଳାକୁ ମର୍ଯ୍ୟାଦା ଦେବାରେ ବାଣପୁରର ମା’, ଭଉଣୀମାନେ ଥିଲେ ଓଡ଼ିଶାରେ ଅଗ୍ରଗଣ୍ୟା । ତା’ ନ ହେଲେ, ସେଇ ପବିତ୍ର ମାଟିରେ ଶ୍ରେଷ୍ଠ ଓଡିଆ ହିସାବରେ ପ୍ରତିଭାବାନ୍‌ ପୁରୁଷ ଶ୍ରୀ ଗୋଦାବରୀଶ ମହାପାତ୍ର ଏବଂ ଶ୍ରୀ ଗୋଦାବରୀଶ ମିଶ୍ର କେବେହେଲେ ଜନ୍ମଗ୍ରହଣ କରିନଥାନ୍ତେ । ଉପଯୁକ୍ତା ଜନନୀର ଉପଯୁକ୍ତ ସନ୍ତାନ ଏମାନେ । ପ୍ରତ୍ୟେକ କ୍ଷେତ୍ରରେ ନିର୍ଭୀକ ଥିଲେ–ଏ ଦୁହେଁ । ବାଣପୁରର ଜନସାଧାରଣଙ୍କ ଛଡ଼ା । ସେଠାକାର ରାଜକର୍ମଚାରୀ, ଡାକ୍ତର ସମସ୍ତଙ୍କ ମୁଁହରେ ଥିଲା ସେଇ ଗୋଟିଏ କଥା, ଭଲ ଦଳ, ଭଲ ଅଭିନୟ-

 

ଲକ୍ଷ୍ମୀ ନାଟକର ଲେଖା ପ୍ରାୟ ଶେଷହେଇ ଆସିଥାଏ । ଆମ ଭିତରୁ କିଏ କୋଉ ରୂପରେ ମଞ୍ଚରେ ଅବତୀର୍ଣ୍ଣ ହେବ ସେ ସିଦ୍ଧାନ୍ତ ନିଆଯାଇ ପାର୍ଟସବୁ ମୁଖସ୍ଥ କରିବାକୁ ଲେଖି ଦିଆଯାଇଥାଏ । ଘୋଷୁଥାଉ । ନିଜ ନିଜର ସଂଳାପ ଓ ଗୀତ, ଧାରାବାହିକ ନାଟ୍ୟାଭ୍ୟାସ ଆରମ୍ଭ ହେଇନଥାଏ ।

 

ଲକ୍ଷ୍ମୀ ନାଟକରେ ପ୍ରଧାନ ଭୂମିକା ଦିଆଯାଇଥିଲା ମୋତେ । ଲକ୍ଷ୍ମୀ ଭୂମିକା । ନାରୀ ଚରିତ୍ର । ଗୋପୀନାଥ ଚରିତ୍ର ନେଇଥିଲେ ଶ୍ରୀ ଦୁର୍ଲ୍ଲଭ ଚନ୍ଦ୍ର ସିଂ । ତାଙ୍କ ପକ୍ଷରେ ଯେମିତି ପୁରୁଷ ଭୂମିକାରେ ଅଂଶଗ୍ରହଣ କରିବା ଥିଲା ନୂଆ କଥା । ମୋ ପକ୍ଷରେ ମଧ୍ୟ ସ୍ତ୍ରୀ ଭୂମିକାରେ ଭାଗ ନେବା ଥିଲା ସେମିତି ନୂଆ କଥା । କାରଣ–ଦୁର୍ଲ୍ଲଭ ଚନ୍ଦ୍ର ସିଂ ୟା ପୂର୍ବରୁ ଆମ ଦଳର ସବୁ ନାଟକରେ ନାରୀ ଚରିତ୍ରରେ ଅଭିନୟ କରୁଥିଲେ ଏବଂ ମୁଁ ମଧ୍ୟ ଲକ୍ଷ୍ମୀ ନାଟକ ପୂର୍ବରୁ ସବୁ ବହିରେ ମଧୁମଙ୍ଗଳ (ବଟୁ) ଭୂମିକା ଗ୍ରହଣ କରୁଥିଲି । ଏଥ‌ିପାଇଁ ଆମ ଉଭୟଙ୍କୁ ନିଦ ଘାରୁ ନ ଥିଲା ।

 

ରୋଗୀ, ଭୋଗୀ, ଯୋଗୀ, ଚୋର, ଅନୁରାଗୀ–ପାଞ୍ଚକୁ ନିଦ ନ ମାଡ଼ିବା ଭଳି, ଆମକୁ ନିଦ ମାଡ଼ୁ ନଥିଲା । କାହିଁକି ନା ଅଭିନୟ ପ୍ରତି ଆମ ଦୁହିଁଙ୍କର ବିଶେଷ ଅନୁରାଗ ଥ‌ିବା ହେତୁ, ଆମେ ଥିଲୁ ଅନୁରାଗୀ ପର୍ଯ୍ୟାୟଭୁକ୍ତ ।

 

ବାଣପୁରରେ ଅଭିନୟ ଚାଲିଥିବା ସମୟରେ ସମ୍ବାଦ ପାଇଲୁ, ପାରିକୁଦ ରାଜାଙ୍କ ନିମନ୍ତ୍ରଣ ବିଷୟରେ । ଶୁଣି ଯେତିକି ଖୁସି ଲାଗିଲା ସେତିକି ଭୟ ମଧ୍ୟ ଲାଗିଲା । ଚିଲିକା ଉପର ଦେଇ, ଡଙ୍ଗାରେ ଯିବାକୁ ହେବ ପାରିକୁଦ । କୂଳରେ ଠିଆ ହେଇ ଚିଲିକାର ବିଶାଳ ବକ୍ଷକୁ ଚାହିଁଲେ ଦେଖାଯାଏ କାଳିଜାଈ ପର୍ବତ, ଚଢ଼େଇ ହଗା, ଜଟିଆନାସୀ, ଛୋଟ ବଡ଼ ଅନେକ ଧୂଆଁଳିଆ ପର୍ବତଶ୍ରେଣୀ । ବିଭିନ୍ନ ଜାତିର ପକ୍ଷୀହାଟ । ତଲେଇ ଭିଡ଼ା ନାଆମାନ, ପବନର ଗତି ସହିତ ତାଳଦେଇ, ଯନ୍ତ୍ରଚାଳିତ ନୌକାଭଳି ଛୁଟି ଯାଉଥାନ୍ତି । ବେଳେବେଳେ ଚିଲିକାର ତରଙ୍ଗକୋଳରେ, ନିଜର ଦେହ ଛୁପାଇଦେଇ ପୁଣି ମୁଣ୍ଡ ଟେକନ୍ତି ଉପରକୁ । ଠିକ୍‌ ଯେମିତି ଚିଲିକା ପାଣିରେ ଲୁଚକାଳି ଖେଳିଲା ପରି, ଏମାନେ ଦେଖାଯାଆନ୍ତି ଦୂରକୁ ।

 

କବିବର ରାଧାନାଥ ରାୟ, ଯୋଉ ବରକୁଳ ଡାକବଙ୍ଗଳାରେ ବସି, ଚିଲିକାର ସୌନ୍ଦର୍ଯ୍ୟ ଦର୍ଶନରେ ମୁଗ୍ଧହୋଇ, ଉତ୍କଳର ସାହିତ୍ୟ ଗନ୍ତାଘରକୁ କରିଛନ୍ତି ସମୃଦ୍ଧ, ସେଇ ବରକୁଳ ପବିତ୍ର ବଙ୍ଗଳାରେ, ଦିନକ ଲାଗି ହେଲେ ସୁଦ୍ଧା, ନିଜର ମଥା ଛୁଆଇଁ ଫେରି ଆସିଛୁ ଆମେ ।

 

ମନୁଷ୍ୟ ନିକଟରେ ଆଶ୍ଚର୍ଯ୍ୟର ବିଷୟ ହେଲେ ହେଁ, ଯୁଗଯୁଗ ଲାଗି ସୌନ୍ଦର୍ଯ୍ୟକୁ ପ୍ରଳୟ ଦେବତା ତାର ନିଜର ପୈତୃକ ସମ୍ପତ୍ତି କରିନେଇଛି । ଯୋଉଠି ସୌନ୍ଦର୍ଯ୍ୟର ନେତ୍ରଭୁଲା ଅତୁଳ ବିଭବ, ଠିକ୍‌ ତାର ଅନ୍ତରାଳରେ ପ୍ରଳୟ ଦେବତାର ଧ୍ଵଂସକାରୀ ନାଗଫାଶ । ଅନଳର ଆକର୍ଷଣରେ ପତଙ୍ଗ ଟାଣିହେଇ ନିଜକୁ ସେଥ‌ିରେ ବିସର୍ଜନ କଲାପରି, ପ୍ରଳୟ ଦେବତା ତାର ସୌନ୍ଦର୍ଯ୍ୟର ମୋହ ଦେଖେଇ ପ୍ରାଣୀକୁ ଟାଣିନିଏ ନିଜ ପାଖକୁ ।

 

ଚିଲିକା, ପ୍ରଳୟ ଓ ସୌନ୍ଦର୍ଯ୍ୟର ମିଳନସ୍ଥଳୀ । ବାଣପୁରରେ କାର୍ଯ୍ୟକ୍ରମ ଆମର ଯେତେ ଚଞ୍ଚଳ ସରିସରି ଆସୁଥାଏ, ପାରିକୁଦକୁ ଯିବାର ସମୟ ସେତେଶୀଘ୍ର ପାଖେଇ ଆସୁଥାଏ-। ପାରିକୁଦ ଯିବୁ, ଏଥିପାଇଁ ଆମକୁ ଦରିଆ ପାରିହେବାକୁ ପଡ଼ିବ । ପୁଣି ତଲେଇଭିଡ଼ା ନାଆରେ-। ଯୋଉଥିରେ କାତର ବ୍ୟବସ୍ଥା ନାହିଁ । ଦୀର୍ଘ ପଥର ଜଳଯାତ୍ରା । ଆଗାମୀ ସେଇ ଯାତ୍ରା ସମୟ କଥା ମନକୁ ଆସିଗଲେ, ପେଟରୁ କ’ଣ ଗୋଟାଏ ବାହାରିପଡ଼େ, ଦେହଟାକୁ ଥରେଇଦିଏ-

 

ମଣିଷ କେବେକେବେ, ନିଜକୁ ଲୁଚେଇବାକୁ, ଯୋଉ ସ୍ଥାନକୁ ନିରାପଦ ମନେ କରି ବାଛେ, ଠିକ୍‌ ସେଇ ସ୍ଥାନ ହିଁ ହୁଏ ତାର ବିପଦପୂର୍ଣ୍ଣ । ଆତ୍ମଗୋପନ କରିଥିବା ସମୟରେ ଅସ୍ଵାଭାବିକ ଭାବରେ ଆସେ ଛିଙ୍କ, କାଶ । ଛାଏଁ ଛାଏଁ ଧରାପଡ଼େ ଅନ୍ୟମାନଙ୍କ ନିକଟରେ ।

 

ପାରିକୁଦ ସ୍ଥାନଟିକୁ ଆମେମାନେ କିନ୍ତୁ ବାଛି ନ ଥିଲୁ । ଆମ ଅଭିନୟ ଦେଖିବାର ପ୍ରବଳ ବାସନା ଯୋଗୁ, ସେଠାକାର ରାଜାସାହେବ ତାଙ୍କ ରାଜ୍ୟଟିକୁ ଥରେ ଦେଖିବାର ସୁଯୋଗ ଦେଇଥିଲେ ଆମକୁ । ତା’ ନୋହିଲେ ଚିଲିକା ମଝିରେ ଥ‌ିବା ଟାପୁ ଅଞ୍ଚଳକୁ ଆମର ଦଳକୁ ନେବାଲାଗି ସାହସ ବା କରନ୍ତୁ କାହିଁକି ?

 

ନୂଆସ୍ଥାନ ଦେଖିବାର ପ୍ରବଳ ଇଚ୍ଛାଶକ୍ତି ଓ ଦୁର୍ଗମ ଶଙ୍କାପୂର୍ଣ୍ଣ ଚିଲିକା ପାରି ହେବାର ପ୍ରବଳ ଅନିଚ୍ଛାଶକ୍ତି । ଏ ଦୁହିଁଙ୍କ ଭିତରେ ଚାଲିଥାଏ ଭିଡ଼ା, ଓଟରା । ଏତିକିବେଳେ–ଆମ ଅଜାଣତରେ, କାହାର ଅଦୃଶ୍ୟ ହାତ ଯେମିତି ଆମକୁ ଶୂନ୍ୟେ ଶୂନ୍ୟେ ଟେକିନେଇ ବସେଇଦେଲା ଚିଲିକାର ବିରାଟ ଏକ ନାଆ କୋଳରେ । ଏତେବେଳଯାଏ ଦଳ ଗୋଟାକର ସମସ୍ତେ ଯେମିତି ଅଚେତ୍‌ ଅବସ୍ଥାରେ ଥିଲୁ । ଚେତା ପଶିଲା ସେତିକିବେଳେ ଯେତେବେଳେ କି, ସ୍ଥଳଭାଗରେ ପୋତା ଖୁଣ୍ଟିରୁ ନାଆର ମଙ୍ଗ ଦଉଡ଼ି ଫିଟେଇଦିଆଗଲା ।

 

ଚିଲିକାର କୂଳ ଢେଉରେ ପ୍ରଥମରେ ବିରାଟ ଡଙ୍ଗା ତାର ଭାରସାମ୍ୟ ରକ୍ଷାକରି ନ ପାରି ଦୋହଲିବାକୁ ଲାଗିଲା । ତା’ ସାଙ୍ଗେସାଙ୍ଗେ ଆମେମାନେ ମଧ୍ୟ ବସିବା ସ୍ଥାନରେ ଝୁଲିବାକୁ ଲାଗିଲୁ । ତା’ପରେ କିଛିଦୂର ଆଗେଇ ଗଲା ଡଙ୍ଗା, ଅନୁକୂଳ ଦିଗରୁ ବାଆ ବହିବା ଦେଖି ମଙ୍ଗୁଆଳ ଅଝାଲ ସ୍ତମ୍ବରେ ତଳେଇ ଭିଡ଼ିବାକୁ ଡାକରା ଦେଲା । ନୌକାର ବେଗ ବଢ଼ିଗଲା ଆଶାତୀତ ଭାବରେ ।

 

ଧୀରେ ଧୀରେ କୂଳ ନିକଟରୁ ଆମେମାନେ ଚିଲିକା ଭିତର ଗଭୀର ଜଳ ଆଡ଼କୁ ଆଗେଇଗଲୁ । କାହାରି ମୁହଁରୁ କଥା ବାହାରିଲା ନାହିଁ । ପାଣି, ଖାଲି ନୀଳରଙ୍ଗର ପାଣି । ସମୁଦ୍ର ପରି ଚିଲିକାର ଢେଉ ଉପରକୁ ଉଠି ଭାଙ୍ଗି ପଡ଼େ ନାହିଁ । ଚିଲିକାର ଢେଉ କ୍ରମେ କ୍ରମେ ଅନେକ ଉଚ୍ଚକୁ ଫୁଲିଉଠି ଧୀରେ ଧୀରେ ଦବିଯାଏ । ଢେଉ ସହିତ ଡଙ୍ଗା ଗୁଡ଼ିକ ମଧ୍ୟ ଜଳପତନର ବହୁ ଉର୍ଦ୍ଧ୍ଵକୁ ଉଠିଯାଇ କ୍ରମେ ସ୍ଥିତାବସ୍ଥାକୁ ଚାଲିଆସନ୍ତି । ଏଇ ମୁହୂର୍ତ୍ତରେ ପଝାରି, ତାର ଛାତି ଭିତରେ ଏକ ଶୂନ୍ୟତା ଅନୁଭବ କରେ ।

 

ଆଗରେ କାଳିଜାଈ ଗଣ୍ଡ । କାଳିଜାଈ ପାହାଡ଼ । ଚିଲିକାଗର୍ଭରେ କେଉଁ ଅନାଦି କାଳରୁ ଠିଆ ହେଇ ରହିଛି । ଘାଟ ନାହିଁ, ତୁଠ ନାହିଁ । ଛୋଟବଡ଼ ଲତାଗୁଳ୍ମରେ ଦେହକୁ ଢାଙ୍କି ଅନନ୍ତକାଳରୁ ଚିଲିକାର ନୌଯାତ୍ରୀଙ୍କୁ ଦିଗ ଦେଖେଇଛି । ସେଇ ପାହାଡ଼ ମଥାନରେ ଦେବୀ କାଳିଜାଈଙ୍କ ମନ୍ଦିର । ଦର୍ଶନର ସୁଯୋଗ ପାଇ ନାହୁଁ । ଖୁବ୍‌ ମହିମାମୟୀ । ସେଇ ଦେବୀଙ୍କର ମହିମା ସମ୍ପର୍କରେ ସେଠାକାର ନିକଟ ଗାଁମାନଙ୍କରେ କେତେ ଯେ ଜନରବ ଶୁଣାଯାଏ ତାର ହିସାବ ମିଳେନା ।

 

ମନେପଡ଼େ କବି ଗୋଦାବରୀଶଙ୍କ ଅମର କବିତା, କାଳିଜାଈ–

 

‘‘ଭଲ କରି ନାଆ ବାହାରେ ନାଉରୀ

ଝିଅକୁ ମାଡ଼ୁଛି ଡର

ଗଡ଼େ ଗଡ଼ ଲୋକ ଚାହିଁ ବସିଥ‌ିବେ

ଝିଅ ଯାଏ ଶାଶୁ ଘର ।’’

 

ଚିଲିକାରେ ନାଆ ଚାଲିଥିଲାବେଳେ ଆମକୁ ଏପଟ, ସେପଟ ହେବାକୁ ମନା କରାଯାଇଥାଏ । ପ୍ରତ୍ୟେକ ନଦୀରେ, ପ୍ରତ୍ୟେକ ଦରିଆରେ ପଝାରିମାନେ ଡଙ୍ଗାରେ ଏଇ ନୀତି ନିୟମକୁ ମାନି ଚଳନ୍ତି; କେବଳ ଚିଲିକା ନୁହେଁ । ଯେ ଯୋଉ ସ୍ଥାନରେ ପ୍ରଥମରୁ ବସିଥିଲା, ସେ ଠିକ୍‌ ସେଇ ସ୍ଥାନରେ ବସିରହିଲା । ମନରେ ଦୁନିଆଯାକର ଭୟ, ଆଶଙ୍କା । ପବନର ଗତି ଯେତେବେଳେ ଟିକିଏ ବଢ଼ି ଉଠୁଥାଏ, ଡଙ୍ଗାରେ ପଶୁଥାଏ କିଛି କିଛି ପାଣି । ଅବସ୍ଥା ଦେଖି ତଣ୍ଟି ଶୁଖି ଯାଉଥାଏ । ପରସ୍ପର ଭିତରେ ଅନାଅନି ହୋଇ ମଥା ନୁଆଁଇ ଦଉ ମା’ କାଳିଜାଈଙ୍କ ଉଦ୍ଦେଶ୍ୟରେ ।

 

ଗଙ୍ଗାମାତା ସେଦିନ ଭଲରେ ଭଲରେ ଆମକୁ ଚିଲିକା ପାର୍‌ କରେଇଦେଲେ । ଠିକ୍‌ ମୁହଁ ସଞ୍ଜ ଗଡ଼ିଆସିଲା ବେଳକୁ, ନାଆ ଲାଗିଲା ପାରିକୁଦ ବାଲିଚଢ଼ାରେ । କୂଳରେ ଠିଆ ହେଇଥାଏ ରାଜାଙ୍କ ହାତୀ, ଆମକୁ ଅପେକ୍ଷା କରି । ଡଙ୍ଗାରେ ଥାଇ, ଆମେ ଯୋଉ ଆଡ଼କୁ ଚାହିଁଲୁ ଦେଖିଲୁ ଖାଲି ବାଲି, ଗଛଲତା କୋଉଠି କେମିତି ଗୋଟାଏ କେତେ ଛଡ଼ା, ଚାରିଆଡ଼େ ଅପନ୍ତରା ବାଲି ।

 

କେତେଖଣ୍ଡି ଶଗଡ଼ରେ ମାଲ୍‌ ଓ ମଣିଷ ବୋଝେଇ ହେଇ ଚାଲିଲେ ଗଡ଼କୁ । ବାକି ରହିଲୁ ଗୁରୁଦେବ, ମୁଁ, ଦୁଲଇ (ଦୁର୍ଲ୍ଲଭ), ପୁନା । ବସିଲୁ ହାତୀରେ ।

 

ରାତି ଘଡ଼ିଏ ବେଳକୁ ପହଞ୍ଚିଲୁ ଗଡ଼ରେ ଆମର ନିର୍ଦ୍ଦିଷ୍ଟ କରାଯାଇଥ‌ିବା ରହଣି ସ୍ଥାନରେ । ଭଲ ଘର, ସୁନ୍ଦର ବ୍ୟବସ୍ଥା, ଜରିପଡ଼ା ଭଳି ଚାରିଆଡ଼େ ମାଛ, କଙ୍କଡ଼ାରେ ଭରପୂର । ଦିବ୍ୟ ଭୋଜନ ପକେଇ ଚିଲିକାଯାତ୍ରାର କ୍ଳାନ୍ତି ପାସୋରି ପକେଇଲୁ । ସକାଳ ହେଲାବେଳକୁ ସୂର୍ଯ୍ୟ ଉଇଁ ସାରିଥିଲେ ଅର୍ଥାତ୍‌ ସେଦିନ ସକାଳ ଆମମାନଙ୍କ ପାଇଁ ସକାଳ ନ ଥିଲା । କାହିଁକି ନା ଆମେ ସାଧାରଣତଃ ସବୁଦିନ ଉଠୁ ଭୋର ଚାରିଟା କିମ୍ବା ଭୋର ତିନିଟାରୁ । ଆମ ନିକଟରେ ଏଥିପାଇଁ ସେଇ ଭୋର ଚାରିଟା ସମୟ ହିଁ ସକାଳ ବୋଲି ଗଣାହୁଏ । ମାତ୍ର ସେଦିନ ସକାଳ ଥିଲା ଦିନ ଆଠଟାର ସକାଳ ।

 

ଏ ଅସ୍ଵାଭାବିକ ବିଳମ୍ବରେ ସେଦିନ ଗୁରୁଦେବ ଆମ ଉପରେ ବିରକ୍ତ ହୋଇ ନ ଥିଲେ-। ଯଥାଯଥ ଭାବରେ କାମ ଯେମିତି ଚାଲିବାର କଥା ଚାଲିଥିଲା । ନିଦରୁ ଉଠିଲାବେଳକୁ, ଆମେ ରହୁଥ‌ିବା ଘର ଅଗଣାରେ, ବସିଥିଲା କଙ୍କଡ଼ା ଓ ଚିଙ୍ଗୁଡ଼ି ହାଟ । ଉମାଭାଇ ସେଇ ଚିଙ୍ଗୁଡ଼ି ବୋଝରୁ ବାଛୁଥିଲେ ବଡ଼ ବଡ଼ ଚିଙ୍ଗୁଡ଼ି, ଗୁରୁଦେବଙ୍କ ସ୍ୱତନ୍ତ୍ର ରନ୍ଧନଶାଳା ନିମନ୍ତେ । ପ୍ରଭୁଭକ୍ତିର ଚିହ୍ନ ସ୍ଵରୂପ, ତାଙ୍କର ଏପରି କର୍ତ୍ତବ୍ୟ ପାଳନ ଦିଗରେ ବଳିଯିବାକୁ ଆମ ଅନୁଷ୍ଠାନରେ ଦ୍ଵିତୀୟ ବ୍ୟକ୍ତି ପ୍ରାୟ ନ ଥିଲେ । ସେଥ‌ିରେ ଆପତ୍ତିର ପ୍ରଶ୍ନ କାହାର କାହିଁକି ବା ଉଠିବ ? ରଜାଘରୁ ଆସିଛି ମାଛ ବିନା ଓଜନରେ, ପୁଣି ସମସ୍ତେ ଭଲକରି ଜାଣନ୍ତି ଉମାବାବୁଙ୍କର ସ୍ଵାର୍ଥପରତାରେ ସ୍ଵତନ୍ତ୍ରତା କେତେ-। ଗୁରୁଦେବଙ୍କ ଥାଳିରେ ଗୋଟାଏ ଦୁଇଟା ପକେଇଦେଇ ରନ୍ଧାଶାଳରେ ପତ୍ର ପକେଇ ଦଳଲୋକଙ୍କ ଲୋଚନ ଅନ୍ତରାଳରେ କେବଳ ଭଜାମାଛରେ ଭୋଜନ ସମାପ୍ତ କରି ବସନ୍ତି । ତାଙ୍କଠାରୁ ବଳି ପଡ଼ିଲେ, ଧରମ୍‌ପୁଅ ଆର୍ତ୍ତତ୍ରାଣ ଅଛନ୍ତି ।

 

ଅଭିନୟର ବ୍ୟବସ୍ଥା ହେଲା ରାଜାଙ୍କ ପ୍ୟାଲେସ୍‌ ଭିତରେ । ପାରିକୁଦର ରାଜା, ଦଶପଲ୍ଲା ରାଜ୍ୟରୁ ପୁଅହେଇ ଯାଇଥାନ୍ତି । ଉତ୍ତମ ପ୍ରକୃତିର ରାଜା । କଳାକୁ ଆଦର କରନ୍ତି ଏବଂ କଳାକୁ ସମ୍ମାନ ଦିଅନ୍ତି । ରୁଲିଙ୍ଗ୍‌ ଚିଫ୍‌ କ୍ଷମତାର ଅଧିକାରୀ ନ ହେଲେ ମଧ୍ୟ ଛୋଟ ରାଜ୍ୟଟି ଲାଗି ତାଙ୍କର ଅବଦାନ ଥିଲା ଯଥେଷ୍ଟ । ରାଜ୍ୟର ରାଜସ୍ୱ ହିସାବରେ ରାଜକୋଷକୁ ଯେତିକି ଧନ ଆସୁଥିଲା, ସେସବୁ ଧନର ଅର୍ଦ୍ଧେକରୁ ବେଶିଭାଗ ମିଳୁଥିଲା ମତ୍ସ୍ୟ ଆଦିରୁ । ପ୍ରଜାଙ୍କ ଭିତରେ ମତ୍ସ୍ୟଜୀବୀଙ୍କ ସଂଖ୍ୟା ଅଧିକ । ସଂକ୍ଷେପରେ କହିବାକୁ ଗଲେ, ପାରିକୁଦର ଭାତହାଣ୍ଡି ଚିଲିକା ।

 

ରାଜାଙ୍କ ଆଦେଶରେ ଆମେ ଆମର ନାଟକ ଆରମ୍ଭ କଲୁ । ଅନୁଷ୍ଠାନ ତରଫରୁ କୌଣସି ବାଧାବିଘ୍ନ ନ ଥିଲା । ଯୋଉ ନାଟକ ତାଙ୍କର ଦେଖିବାକୁ ଇଚ୍ଛା ହେଲା ସେଇ ନାଟକ ଆମେ ଅଭିନୟ କଲୁ, ଯେତେବେଳେ ଅଭିନୟ କରିବାକୁ ଛାମୁଁଙ୍କଠାରୁ ଅନୁମତି ମିଳିଲା ସେତେବେଳେ ଅଭିନୟ କଲୁ । ନିମନ୍ତ୍ରିତ ଦଳ ଆମେ । ରହିବାପାଇଁ ପାଇଚୁ ଘର, ଖାଇବା ପାଇଁ ରାଜ ଭଣ୍ଡାରରୁ ଆସୁଛି ପ୍ରଚୁର ଖାଦ୍ୟ । ଚିନ୍ତା କ’ଣ ?

 

ସେଇ ପାରିକୁଦରେ ମୁଁ ଖାଇଥିଲି ବୃନ୍ଦାବନ ଧାମର ମଗଜଲଡ଼ୁ । ଯୋଉ ଘରେ ଆମେମାନେ ରହୁଥିଲୁ ସେଇଘରେ ବୃନ୍ଦାବନରୁ ସଦ୍ୟ ଫେରିଥିବା ଜଣେ ବୈଷ୍ଣବ ମଧ୍ୟ ରହୁଥିଲେ-। ତାଙ୍କରି ଅନୁଗ୍ରହରୁ ବୃନ୍ଦାବନର ମଗଜଲଡ଼ୁ ଖାଇବାକୁ ପାଇଥିଲି ।

 

ବେଳେବେଳେ ମୋତେ ଖୁବ୍‌ ଆଶ୍ଚର୍ଯ୍ୟ ଲାଗେ । ଆଜି ଯୋଉମାନେ ଓଡ଼ିଶାର ରାଜା ମହାରାଜାମାନଙ୍କୁ ସେ ଯୁଗର ନିଷ୍ଠୁର ଅତ୍ୟାଚାରୀ ବୋଲି ଘୃଣା କରୁଛନ୍ତି, ଏମାନେ ନିଜେ କେତେଦୂର ଏ ଯୁଗର ସାଧୁ, ସଚ୍ଚୋଟ ପୁରୁଷ ହୁଏତ ନିଜ ଛାତିରେ ହାତ ରଖି ଏମାନେ ସେକଥା କହି ପାରିବାର ସତ୍‌ ସାହସ ନଥ‌ିବ ।

 

ଯୋଉ କଳା ମଣିଷକୁ ଦିଏ ଦେବତା ଆସନ, ଜାତିକୁ ଦିଏ ସର୍ବୋଚ୍ଚ ସମ୍ମାନ, ସେ କଳାକୁ କିନ୍ତୁ ଏମାନଙ୍କଠାରୁ ବେଶି ମାତ୍ରାରେ ଚିହ୍ନିଥିଲେ ସେଇ ଅତ୍ୟାଚାରୀ ରାଜା ମହାରାଜା ଗୋଷ୍ଠୀ । କଳାପାଇଁ ଶହ ଶହ ମୁଦ୍ରା ଏମାନେ ଯେ ରାଜକୋଷରୁ ବ୍ୟୟ କରୁଥିଲେ କେବଳ ତାଙ୍କ ନିଜର ଉପଭୋଗ ପାଇଁ ନୁହେଁ, ନିଜ ସହିତ ଅନ୍ୟକୁ ଉପଭୋଗ କରିବାର ସୁଯୋଗ ଦେଇ । କଳାକୁ ନିଜେ ଚିହ୍ନି ଅନ୍ୟକୁ ମଧ୍ୟ ଚିହ୍ନେଇବା ପାଇଁ ପ୍ରୟାସ କରୁଥିଲେ । ଛାଡ଼ନ୍ତୁ ସେକଥା । ରାଜା ମହାରାଜାମାନେ ତ ଆଜି ତଥାକଥିତ ସ୍ଵାଧୀନଚେତାମାନଙ୍କ ଆକ୍ରମଣରେ ନିର୍ବାଣ ଭଜିଲେ, ତା’ ସାଙ୍ଗେ ସାଙ୍ଗେ କଳା ମଧ୍ୟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଅଥର୍ବ ହେବାକୁ ବସିଲାଣି ।

 

ଆପଣ ଆଜି ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟ କରନ୍ତୁ ଦେଖିବାକୁ ପାଇବେ, କେବଳ ଘନଘନ ଦୃଷ୍ଟିଭଙ୍ଗୀର ପରିବର୍ତ୍ତନ । ଏଇ ଯେମିତି, ରଙ୍ଗମଞ୍ଚରେ, ଗତାନୁଗତିକ ପନ୍ଥାର ବିଲୋପ ସାଧନ କରି ନାଟକକୁ ନୂଆ ରୂପ ଦେବା, ସଂଗୀତରେ, ପାଶ୍ଚାତ୍ୟ ସ୍ଵରର ପ୍ରଲେପ ଦେଇ ଆଧୁନିକ କରିବା, କବିତାରେ, କବି ନିଜର ମନମୁତାବକ ଶବ୍ଦ କେତୋଟି ବସେଇ ଦେଇ ଭାବ ଗ୍ରହଣ ଲାଗି ପାଠକ ଉପରେ ଲଦି ଦେବା ଇତ୍ୟାଦି ଇତ୍ୟାଦି ।

 

ସମାଲୋଚନା କରାଯାଏ ପ୍ରାଚୀନ କବିଙ୍କୁ । ଭାଷା ତାଙ୍କର କ୍ଳିଷ୍ଟ, ପଦେ ପଦେ ଅଭିଧାନ ଦର୍କାର । କିନ୍ତୁ ଆଧୁନିକ କବିତାକୁ ବୁଝିବା ପାଇଁ କୌଣସି ମାଧ୍ୟମ ଲୋଡ଼ା ହୁଏ ନାହିଁ ସତ; ମାତ୍ର କବିତାକୁ ବୁଝେ କେବଳ ସେଇ ସ୍ରଷ୍ଟା । ଏଣୁ ଗଣର ସମର୍ଥନ ମିଳେ କମ୍‌ ।

 

ପାରିକୁଦରେ ଅଭିନୟ ଚାଲିଥାଏ । ରାଜାଙ୍କର ମହାନୁଭବତାରେ ଆମେମାନେ ମୁଗ୍ଧ ହୋଇଥିଲୁ । ନାଟୁଆ କେବେ, କେଉଁ ପୃଷ୍ଠପୋଷକର ବେଇମାନୀ କରେ ନା । ନାଟୁଆ, ଭାଟୁଆ ଏକାଗୋଷ୍ଠୀର । ଯାହାର ଖାଆନ୍ତି ତାହାର ଗାଆଁନ୍ତି । ଆମେ ସେଥିରୁ ବାଦ୍‌ ଯିବୁ କିପରି ?

 

ପାରିକୁଦ ଛାଡ଼ିଲାବେଳେ ଆଉ ଜଣେ ଅଦ୍‌ଭୁତ୍‌ ଭଦ୍ରଲୋକ ଆମ ଦଳରେ ମିଶିଲେ । ଶ୍ରୀ କ୍ଷୀରୋଦଚନ୍ଦ୍ର ଚାଟାର୍ଜି । ଓଡ଼ିଶାରେ ଜନ୍ମ; କିନ୍ତୁ ବଙ୍ଗୀୟ । କାନ୍ଧରେ ଅଠର ଖିଅ ପଇତା । ପ୍ରତିଦିନ ସ୍ନାନପରେ ସେଥ‌ିରେ ଝୁଣା ଘଷା ଯାଇ କଡ଼ା କରାଯାଏ । ଦେହଠାରୁ ପଇତାର ଯତ୍ନ ଅଧିକ ନିଅନ୍ତି ସେ । ଅତି ମାତ୍ରାରେ ଡେଙ୍ଗା ଏବଂ ଗୌରବର୍ଣ୍ଣ ।

 

ବି.ଏ. ଅବା ଏ.ଫେ. ନ ପଢ଼ିଥିଲେ ବି, ଏଣ୍ଟ୍ରାନ୍ସ ପାସ କରିଥିଲେ । ବାସସ୍ଥାନ ପୁରୀ ଜିଲା ବେଗୁନିଆ ଗ୍ରାମରେ । କଥାକଥାକେ ଦିଅନ୍ତି ଅଦ୍‌ଭୁତ ଉଦାହରଣ କେମିତି ପୋଷା ଓଧ ତାଙ୍କ ପରିବାରକୁ ପ୍ରତିଦିନ ମାଛ ଯୋଗାଏ, କେମିତି ସାପ ଆସି ତାଙ୍କ ସହଧର୍ମିଣୀ (ଗଜିବୋଉ) କୋଳରେ ଚେକି ମାରି ଶୁଏ, କେତେକଥା ।

 

ପାରିକୁଦ ରାଜା ସାହେବଙ୍କ ବାହୁଛାୟାତଳେ ଅନେକଗୁଡ଼ିଏ ଦିନ କଟେଇ ଦେଇଥିଲେ ସେ । କ,ବ,ଚ କରି ନାଟ୍ୟକଳାରେ ସାମାନ୍ୟ ଅଭିଜ୍ଞତା ଥ‌ିବା ହେତୁ ହଠାତ୍‌ ଆମ ଅନୁଷ୍ଠାନ ପ୍ରତି ଆକୃଷ୍ଟ ହେଇପଡ଼ିଲେ ।

 

ଫେରିଲୁ ପୁଣି ପାରିକୁଦରୁ ବାଲୁଗାଁ । ଖଲିକୋଟଠାରେ ଅଭିନୟ କରିବାର ନିଷ୍ପତ୍ତି ନିଆଗଲା । କିନ୍ତୁ ତା’ ପୂର୍ବରୁ କେଶପୁରରେ କିଛିଦିନ ଅଭିନୟ କରିବାକୁ ଆମ ଭିତରୁ କେତେକ ମତ ଦେଲେ । ଶ୍ରୀଯୁକ୍ତ ପଟ୍ଟନାୟକ ଶେଷରେ ସେ କଥାରେ ରାଜିହେବାରୁ ବାଲୁଗାଁ ରେଳ ଷ୍ଟେସନ୍‌ରୁ ସିଧା ଟିକଟ କଟାହେଲା କେଶପୁର ଷ୍ଟେସନ୍‌କୁ ।

 

ଅବଶ୍ୟ ଉଭୟ ସ୍ଥାନରେ ଆମ ତରଫରୁ ଟିକଟ ସୋ କରିବାକୁ ପ୍ରସ୍ତାବ ହେଇଥିଲା । କିନ୍ତୁ ଉଦ୍ଦେଶ୍ୟ ଥିଲା, କେଶପୁରରେ ଅଭିନୟ କରିବା ଭିତରେ ଯଦି ଖଲିକୋଟ ରାଜାସାହେବଙ୍କ ଦୃଷ୍ଟି ଆକର୍ଷଣ ହୁଏ ଓ ତାଙ୍କ ଗଡ଼ରେ କିଛିଦିନ ପାଇଁ ବରାଦି ଅଭିନୟ ଲାଗି ଡାକରା ଆସେ ତ ଅନୁଷ୍ଠାନର ଅଧିକ ଲାଭ ହେବ ।

 

ମଳୁ ଖୋଜୁଥିଲା ଯାହା, ବଇଦ ବତେଇଲା ତାହା । ସେଇଆ ହିଁ ହେଲା ଶେଷରେ । କେଶପୁର ଷ୍ଟେସନ୍‌ରୁ ଖଲିକୋଟ ଗଡ଼କୁ ତିନିମାଇଲିର ବାଟ । ରେଳପଥରେ ଆପଣ ଖଲିକୋଟ ଯିବାକୁ ଚାହିଁଲେ ଏଇ କେଶପୁର ହିଁ ହେଲା ଷ୍ଟେସନ୍‌ । ଏଇଠାରେ ଓହ୍ଲେଇ ଖଲିକୋଟକୁ ଯିବେ । ରେଳ ପ୍ଲାଟଫର୍ମ ନିକଟକୁ ଲାଗି ବଡ଼ ଗାଁଟିଏ । ବହୁ ବ୍ୟବସାୟୀଙ୍କ ସମାବେଶ ସେଠାରେ । ମାଛ ଶୁଖୁଆର ବ୍ୟବସାୟ ଚାଲେ । ଗାଁ ପାଖକୁ ରହିଛି ଖଲିକୋଟ ରାଜାଙ୍କର ଡାକବଙ୍ଗଳା ।

 

କେଶପୁରରେ ଷ୍ଟେଜ ତିଆରି ହୋଇ, ନାଟକ ଆରମ୍ଭ ହେଲା । ଟିକଟ ବ୍ୟବସ୍ଥା । ଶଗଡ଼ ଗାଡ଼ିରେ ପ୍ରଚାର ଚାଲିଥାଏ । ପାଖରେ ଜଗନ୍ନାଥ ସଡ଼କ ଥିବାରୁ ଦୂର, ନିକଟ ଅନେକ ଗାଁରୁ ଲୋକ ଦେଖିବାକୁ ଆସୁଥିଲେ ଅଭିନୟ । କେଶପୁରରେ ଚଞ୍ଚଳା ଥିଲେ ଆମ ପ୍ରତି ସଦୟା ।

 

ଏଇ ଅବସରରେ ଗୁରୁଦେବ, ଖଲିକୋଟ ଗଡ଼କୁ ଯାଇ ସେଠାକାର ଜଣାଶୁଣା, ରାଜାଙ୍କ ପାଖ ଲୋକଙ୍କୁ କରଗତ କରି, ସେଇମାନଙ୍କ ଜରିଆରେ ରାଜା ସାହେବଙ୍କୁ ନିଜର ଅଭିଳାଷ ଜଣେଇଲେ । ସମ୍ମତ ହେଲେ ରାଜା । ତେବେ କଥା ହେଲା–ରାଜାଙ୍କ ଉଆସରେ ରାଣୀ ସାହେବାଙ୍କ ଅନୁରୋଧ କ୍ରମେ ଦୁଇ, ତିନୋଟି ଭଲଭଲ ନାଟକ ଅଭିନୟ କରିସାରି, ଗଡ଼ରେ ଟିକଟ ସୋ କରିବାକୁ ।

 

ବେଶ୍‌ ସୁନ୍ଦର ପରାମର୍ଶ । ଉଭୟ ପ୍ରସ୍ତାବ ଆମ ଲାଗି ଅନୁକୂଳ । ବିଳମ୍ବ ନ କରି ଖଲିକୋଟ ଗଡ଼ର ପ୍ରଧାନ ପ୍ରଧାନ ସ୍ଥାନମାନଙ୍କରେ ପ୍ରଚାରପତ୍ର ମରାଗଲା । ଗୁରୁଦେବ, ଘନ ଘନ ଛୁଟିଲେ ରାଜନଅରକୁ, ଦେଓ୍ୟାନ୍‌ସାହେବଙ୍କ କୋଠିକୁ I ଗଡ଼ରୁ ଅନେକ ମୁଖ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଗଲା କେଶପୁର ଅଭିନୟ ଦେଖିବାକୁ ।

 

ଡାକ ବଙ୍ଗଳାରେ ରହୁଥିଲୁ । ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନଟି । ଚାରିପାଖରେ ଭିନ୍ନ ଭିନ୍ନ ଫୁଲଗଛ । ବଙ୍ଗଳାଟି ଗୋଟିଏ କୁଦ ଉପରେ ଅବସ୍ଥିତ ଥ‌ିବାରୁ, ଦୂରକୁ ବେଶ୍‌ ମନୋରମ ଦେଖାଯାଏ । ଅଦୂରରେ ଚିଲିକାର ନୀଳ ଜଳ ଦର୍ପଣ । ଖଲିକୋଟର ଶ୍ୟାମଳ ସୁଉଚ୍ଚ ପର୍ବତଶ୍ରେଣୀ ଲମ୍ବିଆସିଛି ଚିଲିକାର ଶୀତଳ ତନୁର ସ୍ପର୍ଶ ଲାଗି । ଅଳ୍ପଦୂରରେ ସେଇ ପର୍ବତଶ୍ରେଣୀର ବୁକୁ ଚିରି, ଏକ କ୍ଷୁଦ୍ର ଧରଣର ଘାଟି ସୃଷ୍ଟିକରି ଜଗନ୍ନାଥ ପଥ ଲମ୍ବି ଯାଇଛି ରମ୍ଭାଗ୍ରାମ ଦେଇ ମାଡ୍ରାସ ଅଭିମୁଖେ ।

 

କେଶପୁରରେ ଆମର ସଫଳତା ସମ୍ପର୍କରେ କହିବାକୁ ଗଲେ ବିଶେଷ କିଛି ନାହିଁ । କାହିଁକି ନା ଆଗରୁ କହିଛି ଯେ ଏହା ଗୋଟିଏ ଛୋଟ ସ୍ଥାନ । ଏଠାରେ ବଡ଼ଧରଣର ବଜାର ନ ଥିଲା କି ଏଠାରେ ଲୋକବସତି ବେଶି ନ ଥିଲା । ସାଧାରଣ ଗାଁ ଭଳି କେଶପୁର ଥିଲା ଗୋଟିଏ ଗାଁ । ଜନସାଧାରଣଙ୍କ ଜୀବନଧାରଣର ମାନ ସେତେ ଉନ୍ନତ ନ ଥିଲା କହିଲେ ଚଳେ । କେବଳ ମାଛ, ଶୁଖୁଆ କାରବାର କରି ଲୋକଙ୍କ ହାତରେ ଯାହା ପଇସାପତ୍ର ରହୁଥିଲା । ନିକଟରେ ଖଲିକୋଟ ଗଡ଼ ଥିବାରୁ ସେଠାରୁ ମଧ୍ୟ କେତେକ ଦର୍ଶକ ଆସିଯାଉଥିଲେ । ବିଶେଷ ଲାଭ ନ ହେଇ ଆମର ପ୍ରତିଦିନର ଖର୍ଚ୍ଚ ଉଠିଯାଉଥିଲା ।

ଦଶ, ପନ୍ଦର ଦିନ କେଶପୁରରେ କଟେଇ ଚାଲିଲୁ ଖଲିକୋଟଗଡ଼କୁ । ସୁନ୍ଦର ସ୍ଥାନ । ଚାରିଆଡ଼ ପରିଷ୍କାର ପରିଚ୍ଛନ୍ନ । ରାଜାଙ୍କ ଉଆସ ପାଖରୁ ଅଳ୍ପ ଦୂରରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଏବଂ ସିଧା ବଡ଼ଦାଣ୍ଡ ପଡ଼ିଛି ଗୁଣ୍ଡିଚା ଘର ପର୍ଯ୍ୟନ୍ତ । ଓଡିଶାର ସବୁ ରାଜାଙ୍କ ଗଡ଼ରେ ଯେମିତି ଜଗନ୍ନାଥଙ୍କ ମନ୍ଦିର, ବଡଦାଣ୍ଡ ଓ ଗୁଣ୍ଡିଚା ଘର ଦେଖିବାକୁ ମିଳେ, ଖଲିକୋଟରେ ମଧ୍ୟ ଅନୁରୂପ ବ୍ୟବସ୍ଥା । ବଜାର ବୋଲି ଯାହା କିଛି ସେଠାରେ ଦେଖିବାକୁ ମିଳେ ସେ ସମସ୍ତ ସେଇ ବଡ଼ଦାଣ୍ଡ ଉପରେ ଅବସ୍ଥିତ । ପ୍ରାୟ ସବୁ ଗଡ଼ଜାତରେ ଏକା ନିୟମ ।

ଖଲିକୋଟ କିନ୍ତୁ ଅଠର ଗଡ଼ଜାତ ଭିତରେ ଗଣା ହୁଏନା । ଇଷ୍ଟେଟ୍‌, ବଡ଼ ଧରଣର ଜମିଦାରୀ; ମାତ୍ର ନୀତି, ନିୟମ ଅନ୍ୟାନ୍ୟ ଗଡ଼ଜାତପରି ସେଠାରେ ମଧ୍ୟ ପାଳନ କରାଯାଏ । ମୋର ମନେହୁଏ ସମ୍ଭବତଃ ପୁରୀର ଶ୍ରୀ ଗଜପତିଙ୍କ ସମସ୍ତ ବ୍ୟବସ୍ଥାକୁ ଏମାନେ ସମ୍ପୂର୍ଣ୍ଣ ଭାବରେ ଅନୁକରଣ କରିଛନ୍ତି ।

ଏଇ ଖଲିକୋଟ ଅଧୀନରେ ଆଠଗଡ଼ ବୋଲି ଆଉ ଗୋଟିଏ ଛୋଟ ରାଜ୍ୟ ଥିଲା, ଯୋଉଠି ଜନ୍ମନେଇ ଥିଲେ ‘କିଶୋର ଚନ୍ଦ୍ରାନନ ଚମ୍ପୂ’ର ସ୍ରଷ୍ଟା କବିସୂର୍ଯ୍ୟ ଶ୍ରୀ ବଳଦେବ ରଥ । କବି ଅମର ସତ–ମାତ୍ର ଜନ୍ମସ୍ଥାନ ଆଜି ବିଲୁପ୍ତ ପ୍ରାୟ ।

 

ଖଲିକୋଟର ପ୍ରତ୍ୟେକ ଶିକ୍ଷିତ, ଅଶିକ୍ଷିତ, ଛୋଟ, ବଡ଼ ସମସ୍ତଙ୍କ ମୁଁହରେ ଚମ୍ପୂର ଆବୃତ୍ତି ଶୁଣିବାକୁ ମିଳେ । ସଙ୍ଗୀତ କଳ୍ପଲତା, ରତ୍ନାକର ଚମ୍ପୂ ମଧ୍ୟ ଏଠାରେ ଲୋକପ୍ରିୟ । ଗଡ଼ର ବୁଢ଼ାବୁଢ଼ାମାନେ, ହାତରେ ତାଳଦେଇ, ଦନ୍ତହୀନ ମୁଖରେ ଗାଇବସନ୍ତି ପୁରୁଣା ଓଡ଼ିଶୀ ରାଗରେ–

 

‘‘ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧ ବହ ପ୍ରସରିଲ

କଦମ୍ବ ନିକୁଞ୍ଜ ସୀମାରେ... ।’’

 

ପୁଣି–

 

‘‘ଭଙ୍ଗୀ ଚାହାଁଏ ମୋହନର

ଭୂରୁନୀଳ ଭୁଜଙ୍ଗୀ ଭ୍ରମରେ ଯିବ ସଙ୍ଗୀ ।’’

 

ଆଶ୍ଚର୍ଯ୍ୟ ଲାଗେ ବିଧିର ବିଧାନ ଦେଖି, ଗଞ୍ଜାମର ନଗର, ଜନପଦ ଯୁଆଡ଼େ ଆପଣ ଯାଆନ୍ତୁ ନା କାହିଁକି ଏବଂ ଯାହା ସାଙ୍ଗେ ଆପଣ କଥାବାର୍ତ୍ତା କରନ୍ତୁ ନା କାହିଁକି, ସେମାନଙ୍କ ଭାଷାରେ ପାଇବେ ସାହିତ୍ୟଛଟା । ଗଞ୍ଜାମର ପ୍ରତି ଧୂଳିକଣା ଯେମିତି ଓଡ଼ିଆ ସାହିତ୍ୟର ଗୌରବଗାରିମା ଘୋଷଣା କରୁଛି । ଦରଦୀ କବିର କଳ୍ପନାସମ୍ଭୂତ ସହସ୍ର ନାୟକ, ନାୟିକା ଜୀବନ୍ୟାସ ପାଇଛନ୍ତି ଯେପରି ଏଇ ମାଟିରେ ।

 

ଗଡ଼ରେ ପହଞ୍ଚିବା ସାଙ୍ଗେ ସାଙ୍ଗେ ଆମର ଲୋକ ଚାଲିଲେ ରାଜବାଟୀରେ ପେଣ୍ଡାଲ ବାନ୍ଧିବାକୁ । ଅଭିନୟ ଯେପରି ଗ୍ରହଣୀୟ ହୁଏ ସେଥିଲାଗି ଗୁରୁଦେବ ଆମକୁ କଡ଼ା ନିର୍ଦ୍ଦେଶ ଶୁଣେଇଦେଲେ । ଆମ ସମସ୍ତଙ୍କ ମନ ଟିକିଏ ଦବିଯାଇଥାଏ । କାରଣ–ଯୋଉ ଅଞ୍ଚଳରେ ସଙ୍ଗୀତ, ସାହିତ୍ୟ, ନୃତ୍ୟର ଘନ ଘନ ଅହରହ ଚର୍ଚ୍ଚା, ସେଠାରେ ଆମେ ନିର୍ବୋଧସବୁ କ’ଣ ବା ବାଢ଼ିବୁ ସେମାନଙ୍କ ଆଗରେ ?

 

ମାତ୍ର ମନରେ ଦମ୍ଭ ଥାଏ । ଆମେ ଆସିଛୁଁ ଅସଲ ସ୍ଥାନକୁ I ଗୁଣୀଗଣଙ୍କ ନିକଟକୁ । ଯଦି ମାଡ଼ ଖାଇବୁ ତ ସୁନାମଦିଆ ହାତରୁ ଖାଇବୁ । ଯୋଉମାନେ କଳାକୁ ଆଜୀବନ ନିଜର କରି ନେଇଛନ୍ତି ସେମାନେ ନିଶ୍ଚିତ ଭାବରେ ଯେ କଳାକାରର ଦୋଷତ୍ରୁଟିକୁ ସୁଧାରିନେଇ କ୍ଷମାଦେବେ, ଏ ଭରସା ଆମର ଥାଏ । ଏଣୁ–ଗୁରୁଦେବଙ୍କ କଥା ଉପରେ ଗୁରୁତ୍ଵ ଦେଇ ନିଜ ନିଜର ଅଭିନୟ ପ୍ରତି ସଜାଗ ରହିଲୁ ।

 

ରାଜାଙ୍କ ପ୍ୟାଲେସ୍‌ରେ ନାଟକ ଆମର ଆରମ୍ଭ ହେଲା । ସେତେବେଳେ ଖଲିକୋଟର ଦେୱାନବାହାଦୂର ଥିଲେ ବିଲାତ ଫେରନ୍ତା ଶ୍ରୀଯୁକ୍ତ ଜଗନ୍‌ମୋହନ ପଟ୍ଟନାୟକ । ରୂପ ଯେମିତି, ଗୁଣ ବି ସେମିତି । ସୁଶାସକ ହିସାବରେ ବେଶ୍‌ ସୁଖ୍ୟାତି ଥିଲା ତାଙ୍କର ।

 

ପ୍ରଥମ ରାତିର ଅଭିନୟ ପରେ ରାଜା ସାହେବ, ରାଣୀ ସାହେବା ଏବଂ ସେଠାକାର ବିଶିଷ୍ଟ ଭଦ୍ରଲୋକମାନେ ଯୋଉ ଧରଣର ମତାମତ ଦେଲେ, ସେଥିରେ ଆମମାନଙ୍କର ପିଣ୍ଡରେ ପ୍ରାଣ ପଶିଲା I ସେଦିନର ସେଇ ଅନୁଭୂତିରୁ ମୁଁ ବୁଝିନେଇଥିଲି ଯେ ମଣିଷ ଯେକୌଣସି କାମ କରିବା ପୂର୍ବରୁ, ‘ସବ୍‌ ଜାନ୍‌ତା’ ନୀତି ଗ୍ରହଣ ନ କରି, ଯେବେ ମନରେ ଭୟ ରଖି କାମଟି କରିପାରିବ ତେବେ ସେ’ ଯେ ନିଶ୍ଚିତଭାବେ ସେ କାମରେ ସଫଳତା ହାସଲ କରିବ ଏଥ‌ିରେ ସନ୍ଦେହର ଅବକାଶ ନାହିଁ ।

 

ତା’ପରଦିନ ଅନ୍ୟ ଗୋଟିଏ ବହି ଅଭିନୀତ ହେଲା । ପ୍ରଥମ ଦିନ ଭଳି ସେ ନାଟକକୁ ମଧ୍ୟ ରାଜା, ରାଣୀ ଓ ଅନ୍ୟାନ୍ୟ ଉପସ୍ଥିତ ସୁଧୀ ଦର୍ଶକଗଣ ନୀରବ, ନିଶ୍ଚଳ ଭାବରେ ବସିରହି ଉପଭୋଗ କଲେ । ଗୋଟାଏ ନୂଆକଥା ସେଠାରେ ଲକ୍ଷ୍ୟ କଲୁ; ଏଥ‌ିପୂର୍ବରୁ ଅନ୍ୟ ଯୋଉ ରାଜାଙ୍କ ଗଡ଼ରେ, ଉଆସରେ ଅଭିନୟ କରିଥିଲୁ, ନାଟକ ଅଧାରୁ ରାଜାମାନେ ଉଠିଯାଉଥିଲେ ମଣୋହି ଉଦ୍ଦେଶ୍ୟରେ ଏବଂ ସେଥିଲାଗି ଅଭିନୟ ବନ୍ଦ ରଖା ଯାଉଥିଲା ତାଙ୍କରି ଅପେକ୍ଷାରେ । ଖଲିକୋଟରେ କିନ୍ତୁ ତାର ପୁନରାବୃତ୍ତି ଘଟିନଥିଲା । ଆମର ଅନୁମାନ, ଖଲିକୋଟର ରାଜାସାହେବ୍‌ ସମ୍ଭବତଃ ନାଟକର ମର୍ଯ୍ୟାଦା ରକ୍ଷା କରିବାରେ ଅଧ‌ିକ ତତ୍‌ପର ଥିଲେ ଏବଂ ଯୋଉ କାମଲାଗି ଯେତିକି ସମୟ ଦେବାର କଥା ତାହା ସେ ବୁଝି ବିଚାରି ଦେଉଥିଲେ । ଅଭିନୟର ଗତିଶୀଳତା ଉପରେ ବାଧା ସୃଷ୍ଟିକଲେ ନାଟକର ଯେ ଅଙ୍ଗହାନି ଘଟେ ଏକଥା ଉପରେ ପୂର୍ଣ୍ଣମାତ୍ରାରେ ସଚେତନ ଥିଲେ ।

 

ଗୁଣ ଚିହ୍ନେ ଗୁଣିଆ–ସୁନା ଚିହ୍ନେ ବଣିଆ । କ୍ଷମା କରିବେ, ୟା ବୋଲି ମୁଁ ଅନ୍ୟାନ୍ୟ ରାଜା, ମହାରାଜାଙ୍କୁ ସମାଲୋଚନା କରୁ ନାହିଁ । ମୋର ଅନ୍ନଦାତାଙ୍କ ନିକଟରେ ନିମକ୍‌ହାରାମ୍‌ ହେବା ଅତ୍ୟନ୍ତ ଦୋଷାବହ । କେବଳ ଯୋଉଠୁ ଯାହା ପାଇଛି, ଆପଣ ମାନଙ୍କ ଆଗେ ନ କହିଲେ ସତ୍ୟତାରେ କଳଙ୍କ ଲାଗିବ ସିନା !

 

ଏଇ ନିମକ୍‌ହାରାମ୍‌ ଶବ୍ଦଟା ଉପରେ ମୋ ଜୀବନର ଅଧିକାଂଶ ସମୟରେ ଅତିମାତ୍ରାରେ ଗୁରୁତ୍ଵ ଦେଇଛି । ତାର ପ୍ରଧାନ କାରଣ ହେଲା, ଆମର ରାସ ଦଳରେ ଯଦି କେହି କେବେ କିଛି ଗୋଟାଏ କସୁର୍ କାମ କରିଦେଉଥିଲା ତ ସାଙ୍ଗେ ସାଙ୍ଗେ ଗୁରୁଦେବ୍‌ (ଶ୍ରୀଯୁକ୍ତ ପଟ୍ଟନାୟକ) ହଠାତ୍‌ ତାତି ଉଠି ଅଶ୍ଲୀଳ ଗାଳି ଗୁଲଜ କରି, ଗର୍ଜନ କରି କହୁଥିଲେ ବାରମ୍ବାର ଏଇ ଶବ୍ଦଟି–ନିମକ୍‌ହାରାମ୍‌ ।

 

କିଛି ଗୋଟାଏ ଅପ୍ରୀତିକର ପରିସ୍ଥିତି ପରିବାରରେ ଦେଖାଦେଲେ, ଶାଶୁ ବୋହୂଙ୍କ ଉପରେ ରୋଷ ବହିଲେ, ବୋହୂ ବିଚାରି ଆଉ କୌଣସି ଉପାୟ ନ ଦେଖି ଯେପରି ଚୂଲିଉପରେ ଦାଉ ସାଧନ୍ତି, ସେହିପରି ଆମର ଗୁରୁଦେବ ଅନୁଷ୍ଠାନର କୌଣସି ବାହ୍ୟ ଗଣ୍ଡଗୋଳ ଘଟିଗଲେ ବି ତାର ପ୍ରତିକ୍ରିୟା ସେ ଆମ ଉପରେ ବେଳେବେଳେ ପ୍ରକାଶ କରିଥାନ୍ତି ଏବଂ ତାର ପ୍ରତିବାଦ କଲେ ପ୍ରତିକ୍ରିୟା ହୁଏ ଆହୁରି ଦୁଇଗୁଣ ।

 

ରାଜା ସାହେବଙ୍କ ବରାଦ୍‌ରେ, ଆମମାନଙ୍କ ଲାଗି ଆସେ–ଜଗନ୍ନାଥ ମନ୍ଦିରରୁ ଶୁଖିଲା ଭୋଗ, ଖଜା, ଫେଣି, ଲଡ଼ୁ, କାକରା । ସେସବୁ ପଦାର୍ଥ ଯୋଉଭଳି ଆଡ଼ମ୍ବର ପୂର୍ଣ୍ଣ ଭାବରେ ଆସେ, ତାର ଦର୍ଶନ ଅବଶ୍ୟ ଦଳର ସମସ୍ତେ ଲାଭ କରନ୍ତି । କିନ୍ତୁ ସେସବୁ ଦେବଭୋଗ୍ୟ ପଦାର୍ଥ ଆଖି ପଲକ ମାତ୍ରେ କୁଆଡ଼େ ଯେ ଅନ୍ତର୍ଦ୍ଧାନ ହୁଏ ତାର ଟେର୍‌ ସୁଦ୍ଧା କେହି ପାଆନ୍ତି ନାହିଁ । କିଛି ଦିନ ପରେ ସେସବୁ ଯେତେବେଳେ ନଷ୍ଟ ହେବାକୁ ବସେ ସେତେବେଳେ ଆମମାନଙ୍କ ହାତକୁ ଖଣ୍ଡେ ଅଧେ ଆସେ । କିନ୍ତୁ ତାହା ଅଖାଦ୍ୟରେ ପରିଣତ ହେଇଥାଏ ।

 

ସମ୍ଭବତଃ ଗୁରୁଦେବଙ୍କ ତୀକ୍ଷ୍ଣ ଦୂରଦୃଷ୍ଟି ଲାଗି ଏଭଳି ଅବ୍ୟବସ୍ଥା ଅନୁଷ୍ଠାନରେ ଦେଖାଦିଏ । ଭଲକରି ସେ ଜାଣନ୍ତି ଯେ ଏତେବଡ଼ ଅନୁଷ୍ଠାନକୁ ଚଳେଇବାକୁ ହେଲେ କାଳେ କେତେବେଳେ ଅଭାବ ଅସୁବିଧା ଦେଖାଦେଇ ପାରେ ତେଣୁ ରହି–ସମ୍ଭାଳି, ଧୋଇ–ସୁଖେଇ ଚଳିବାକୁ ପସନ୍ଦ କରୁଥିଲେ ସେ ।

 

ଆମକୁ ଜଣେ ଜଣେ ଶିଳ୍ପୀ କରି ଗଢ଼ି ତୋଳିବାର ଉଦ୍ଦେଶ୍ୟ ତାଙ୍କର ଥିଲା କି ନ ଥିଲା ତାହା ସେତେବେଳେ ଆମ ନିକଟରେ ଏକ ସନ୍ଦେହର ପ୍ରଶ୍ନ ଥିଲା । କାହିଁକି ନା ଶିଳ୍ପୀ ହେବାପାଇଁ ଯୋଉ ମୂଳଦୁଆ ଦର୍କାର ସେଥିରେ ସେ ସମ୍ପୂର୍ଣ୍ଣ ଅବହେଳା କରୁଥିଲେ । ମୋର କ୍ଷୁଦ୍ର ମତରେ, କେବଳ କେତେଗୁଡ଼ିଏ ଅପ୍ରାପ୍ତବୟସ୍କ ପିଲାଙ୍କୁ ଏକାଠି କରି ନାଚ, ଗୀତ, ଅଭିନୟ ଶିକ୍ଷା ଦେଲେ ସେମାନେ ଉପଯୁକ୍ତ ଶିଳ୍ପୀ ହେବେ ନାହିଁ, ତା’ ସହିତ ସେମାନଙ୍କ ପ୍ରତି ଉପଯୁକ୍ତ ବ୍ୟବହାର, ସେମାନଙ୍କର ଶୃଙ୍ଖଳାଜ୍ଞାନ, ସର୍ବୋପରି ସେମାନଙ୍କର ସଂଯମତା, ଚରିତ୍ର ଏସବୁର ବିକାଶ ଯେପରି ତାଙ୍କ ଜୀବନରେ ଅଧିକ ମାତ୍ରାରେ ପ୍ରକଟିତ ହେଇପାରେ ତା’ପାଇଁ ସତର୍କତା ଅବଲମ୍ବନ ନ କରିବା ପ୍ରୟୋଜନ ଥିଲା । ମୂଳରୁ ଏ ବିଷୟ ପ୍ରତି ଶ୍ରୀ ପଟ୍ଟନାୟକ ଆଦୌ ଦୃଷ୍ଟି ଦେଉନଥିଲେ । ଅନୁଷ୍ଠାନ (ସାକ୍ଷୀଗୋପାଳ ନାଟ୍ୟସଂଘ) ନିଜେ ଗଢ଼ିଲାପରେ ମଧ୍ୟ ଏ ବିଷୟରେ ସେ ନୀରବ ରହିଥିଲେ ।

 

ଅନେକଗୁଡ଼ିଏ ବଦ୍‌ଗୁଣର ଆଧାର ଥିଲେ ଗୁରୁଦେବ ଏବଂ ଅନେକଗୁଡ଼ିଏ ସଦ୍‌ଗୁଣ ତାଙ୍କଠାରେ ଥିଲା । ଭଲ ଲେଖୁଥିଲେ । ଭଲ ତାଲିମ୍‌ ଦେଉଥ‌ିଲେ । ଅତି ଚଞ୍ଚଳ ପରକୁ ନିଜର କରି ନଉଥିଲେ ଏବଂ ଅତି ଅଳ୍ପ ସମୟରେ ଆପଣାର ପ୍ରିୟଜନଙ୍କୁ ନିଷ୍ଠୁର ଭାବରେ ପରିହାର କରିବାକୁ ତିଳେ ହେଲେ କୁଣ୍ଠା ପ୍ରକାଶ କରୁ ନ ଥିଲେ । ଶଠ ଓ ଲମ୍ପଟ ଗୁଣରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଥିଲେ ।

 

ଆମେମାନେ ଯେ କେମିତି ତିଷ୍ଠି ରହିଥିଲୁ, ତାଙ୍କ ନିକଟରେ, ବାସ୍ତବିକ୍‌ ଆଜି ମୋତେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଅନୁଷ୍ଠାନରେ ଗୁରୁଦେବ ଗୋଟିଏ କଡ଼ା ନିୟମ ଚଳେଇଥିଲେ ଯେ ତାଙ୍କ ନିଜର ସୁପାରିସ ନ ପାଇଲେ କେହି ଯେମିତି ପିଲା ତବଲା ଖୋଳ, ହାର୍‌ମୋନିୟମ୍‌ ଛୁଇଁବାକୁ ନ ପାଆନ୍ତି । କହିରଖେ, ଶିଳ୍ପୀ ଗଢ଼ିବାକୁ ହେଲେ ଏସବୁ ଗୁଣରୁ ମଧ୍ୟ ସେମାନଙ୍କୁ ବଞ୍ଚିତ କରିବା ଉଚିତ୍‌ ନୁହେଁ । ତଥାପି–ଗୁରୁଦେବ, ଏ ଦିଗରେ ମଧ୍ୟ ଆମ ପ୍ରତି କଟକଣା ପ୍ରୟୋଗ କରୁଥିଲେ । ତାଙ୍କର ସବୁ ସମୟରେ ଭୟ ଥିଲା, କାଳେ କିଏ ଆମ ଭିତରୁ ତାଙ୍କ ସ୍ଥାନ ପୂରଣ କରି ତାଙ୍କୁ ଅସ୍ଵୀକାର କରିବ ?

 

ଖଲିକୋଟରେ ରହୁଥିଲୁ ଖୁବ୍‌ ବଡ଼ ଗୋଟିଏ ଟିଣ ଘରେ । ଧର୍ମଶାଳା ସେ । ମଝିରେ ବଡ଼ ଅଗଣା । ସେଇ ଅଗଣାରେ ଅଭିନୟ ନଥିଲା ଦିନ ଲକ୍ଷ୍ମୀ ନାଟକର ରିହର୍‌ସାଲ ଚାଲେ । ସେଇ ଅଗଣାରେ ଦିନେ ଜହ୍ନରାତିରେ ଦେଖିବାର ସୁଯୋଗ ପାଇଥିଲୁ ଗଞ୍ଜାମ ପ୍ରାଚୀନ ଲୋକକଳା ଅନୁଷ୍ଠାନର ଦାସକାଠିଆ । ଶିଳ୍ପୀ ଥିଲେ ପ୍ରସିଦ୍ଧ ଗାୟକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ।

 

ଗଡ଼ର ଅଦୂରରେ, ଖଲିକୋଟର ପ୍ରାକୃତିକ ସୌନ୍ଦର୍ଯ୍ୟମୟୀ ନିର୍ମଳଝର । ପ୍ରକୃତିର ସେଇ ଅବଦାନ ନିର୍ଝର କୁଳୁକୁଳୁ ନାଦରେ ପର୍ବତର ଶିଖର ଦେଶରୁ ବହିଆସି ମିଶିଯାଇଛି ସମତଳ ଅଞ୍ଚଳରେ । ଝରଣାର ସ୍ୱଚ୍ଛଜଳକୁ କୃତ୍ରିମ ଉପାୟରେ ଏକ ପ୍ରଶସ୍ତ ପକ୍କା କୁଣ୍ଡରେ ଆବଦ୍ଧ ରଖି କୁଣ୍ଡର ଚତୁଃପାର୍ଶ୍ଵରେ ଦେବ, ଦେବୀ ମନ୍ଦିର ନିର୍ମାଣ କରିଛନ୍ତି ଖଲିକୋଟର ପୂର୍ବତନ ରାଜାଗଣ । ପ୍ରକୃତିପ୍ରିୟ ରସଜ୍ଞ ମନୁଷ୍ୟ ତାର କରସ୍ପର୍ଶରେ, ଉଚ୍ଛୃଙ୍ଖଳ ନିର୍ଝରକୁ କରିଛି ଶୃଙ୍ଖଳିତ, ସହସ୍ର ଯୁଗର ବଶ୍ୟତାକୁ ଧୋଇଦେଇ ନିର୍ଝରିଣୀର ଘନ କାଳିମା ଘେରା ଅନ୍ତରକୁ କରିଛି ପୂତ, ପବିତ୍ର, ଆଲୋକମୟ । ପ୍ରାଚୀନତା ଉପରେ ଆଙ୍କିଦେଇଛି ପ୍ରଗତିର ନୂତନ ରୂପ । ନିର୍ମଳଝରର ଶାନ୍ତିପୂର୍ଣ୍ଣ ପରିବେଶ ଆଧୁନିକ ମନୁଷ୍ୟକୁ ଫେରେଇନିଏ ପୁରାଣ ଯୁଗର ଅରଣ୍ୟବେଷ୍ଟିତ ଋଷି ଆଶ୍ରମକୁ ।

 

ବଣଭୋଜି ଲାଗି ନିର୍ମଳଝର ଉପଯୁକ୍ତ ସ୍ଥାନ । ଆମିଷ ପ୍ରବେଶ ନିଷିଦ୍ଧ । ଜଳ କୁଣ୍ଡରେ ମତ୍ସ୍ୟ ସମ୍ଭାର । କେବଳ ଦେଖିବା ଲାଗି, ଛୁଇଁବାକୁ ମନା । ବିଷ୍ଣୁ, ଶିବ, ଦୁର୍ଗା ଅନେକ ଦେବଦେବୀଙ୍କ ଆସ୍ଥାନ ସେଠାରେ । କେଶପୁର ନିକଟରେ ଯୋଉ ଜଗନ୍ନାଥ ସଡ଼କ ଯାଇଛି ଦକ୍ଷିଣ ଦିଗକୁ ସେଇ ସଡ଼କରୁ ଖଲିକୋଟ ସଡ଼କ ବାହାରି, ଗଡ଼ ଭିତର ଦେଇ ନିର୍ମଳଝରକୁ ଅତିକ୍ରମ କରି ମିଶିଛି ପୁଣି ସେଇ ଜଗନ୍ନାଥ ସଡ଼କରେ, ରମ୍ଭା ନିକଟରେ । ଆଉ ଗୋଟିଏ ରାସ୍ତା ଖଲିକୋଟ ଗଡ଼ରୁ ବାହାରି ସେଇ ନିର୍ମଳଝର ନିକଟରେ ସିଧାସଳଖ ଚାଲିଯାଇଛି କୋଦଳା ଓ ପୋଲସରା ସ୍ଥାନକୁ ।

 

ଖଲିକୋଟ ଗଡ଼ର ଖାଦ୍ୟ ତାଲିକାରେ, ଛେଳିଦୁଗ୍ଧ ଓ ଛେଳି ଦୁଗ୍ଧଜାତ ଦ୍ରବ୍ୟ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲା । ଦହି, ଦୁଧ, ଛେନା, ଝିଅ ପ୍ରତ୍ୟେକ ଛେଳି କ୍ଷୀରରୁ ପ୍ରସ୍ତୁତ । ମାତ୍ର ତା’ର ଉତ୍କଟ ଗନ୍ଧରେ ପାଟି ପାଖକୁ ନେବା ଯନ୍ତ୍ରଣାଦାୟକ ।

 

ୟା’ ଭିତରେ ରାଜାସାହେବଙ୍କ ରାଜବାଟୀରେ ଯେତୋଟି ନାଟକ ହେବାର କଥା ସେ ନାଟକ ସବୁ ଶେଷ ହେଇଯିବା ପରେ ଗଡ଼ର ଅନ୍ୟସ୍ଥାନରେ ମଞ୍ଚ ପ୍ରସ୍ତୁତ କରାଗଲା ଏବଂ ବ୍ୟାଣ୍ଡ ପାର୍ଟିସହ ପ୍ରଚାରଗାଡ଼ି ଦୂର ଦୂର ଗ୍ରାମକୁ ଯାଇ ପ୍ରଚାର ଆରମ୍ଭ କଲା ।

 

ତୁଣ୍ଡବାଇଦ ସହସ୍ର କୋଶକୁ ଖେଦିଗଲା । କାହିଁ–ରମ୍ଭା, ଛତ୍ରପୁର, କୋଦଳା, ବୋଇରାଣୀରୁ ଲୋକେ ଆସିଲେ ରାସ ଦେଖିବାକୁ । କେହି କେହି ଶ୍ରୀ ମୋହନ ଗୋସ୍ଵାମୀଙ୍କ ରାସ ଅଭିନୟ ଦେଖିଥିଲେ, ଶ୍ରୀ ଗୋବିନ୍ଦ ସୁରଦେଓଙ୍କ ନାଁ ଶୁଣିଥିଲେ, ଆଜି କିନ୍ତୁ କାଳୀବାବୁଙ୍କ ରାସଦଳ ଆସିଛି ଗଞ୍ଜାମ ଅଞ୍ଚଳକୁ । ଲୋକମାନେ ବହୁ କଷ୍ଟ ସ୍ଵୀକାର କରି, ଅନେକ ଅର୍ଥଶ୍ରାଦ୍ଧ କରି ଧାଇଁଲେ ଖଲିକୋଟ ଗଡ଼କୁ ।

 

ସନ୍ଧ୍ୟା ସାତଟା ବାଜିବା ଆଗରୁ ପେଣ୍ଡାଲରେ ବସିବାକୁ ସ୍ଥାନ ମିଳେ ନାହିଁ । ସେଥିରେ ପୁଣି ରାଉଡ଼ି (ଗୁଣ୍ଡା)ଙ୍କ ପ୍ରାଦୁର୍ଭାବ ଖୁବ୍‌ ବେଶି । କଟକରୁ ଆମର ଦେହରକ୍ଷୀ ହିସାବରେ ସାଙ୍ଗରେ ଯାଇଥାନ୍ତି ଶ୍ରୀ ଫକୀର ରାମ । ଯୁବକ ସେ । ବଳିଲାଭଳି ଚେହେରା । କୁସ୍ତିକସରତ କରି ଦେହ ତାଙ୍କର ବେଶ୍‌ ଗୋଲ୍‌ଗାଲ । ବଡ଼ ମୁହଁରେ ବଡ଼ବଡ଼ ଆଖି ପୁଣି ତା’ ସାଙ୍ଗକୁ ବାଘନିଶ, ଦେଖ‌ିଲେ ଭୟଲାଗେ । ପ୍ରଧାନ ଗେଟ୍‌ ପାଖରେ, ଧଳା ବ୍ରିଚେସ ପିନ୍ଧି ମୁଣ୍ଡରେ ପଗଡ଼ି ଭିଡ଼ି, ଛାତିଏ ଉଞ୍ଚର ଠେଙ୍ଗାଧରି ଠିଆ ହେଇଥିଲେ, ଗଞ୍ଜାମର ମହା ମହା ରାଉଡ଼ି ମଧ୍ୟ ପାଖରେ ପଶିବେ ନାହିଁ ।

 

ବେଳେବେଳେ ଶ୍ରୀ ଫକୀର ରାମ ଯେ ଲୋକଙ୍କ ଭିତରେ ମାଙ୍କଡ଼ ଚିତ୍‌ ମାରନ୍ତି ନାହିଁ, ତା’ ନୁହେଁ । ଅତ୍ୟଧିକ ଲୋକଗହଳି ବଢ଼ି ଉଠିଲେ, କେହି କେବେ ତାଙ୍କର ପଗଡ଼ି ଖୋଲିଲାଣି ତ କେହି ତାଙ୍କର ଯୋତା ଖୋଲିନେଇ ଫୋପାଡ଼ିଦେଲାଣି । ସମୟେ, ସମୟେ ଖୁବ୍‌ ଅଡ଼ୁଆରେ ପଡ଼ିଯାଆନ୍ତି ସେ ।

 

ଗୁରୁଦେବଙ୍କ କଡ଼ା ନିର୍ଦ୍ଦେଶରେ ଶ୍ରୀ ଫକୀର ରାମ, ଆମମାନଙ୍କ ସାଙ୍ଗେ ସାଙ୍ଗେ ରୁହନ୍ତି-। ବଜାରକୁ ଗଲେ, ଗାଧେଇ ଗଲେ, ରଙ୍ଗମଞ୍ଚକୁ ଗଲେ ସେ ତାଙ୍କର ପହିଲ୍‌ମାନ୍‌ ଦେହକୁ ଝୁଲେଇ ଝୁଲେଇ ହାତୀ ଚାଲିଲା ପରି ପାଦ ପକେଇ ଆମମାନଙ୍କ ଆଗେ ଆଗେ ଚାଲନ୍ତି ।

 

ଶ୍ରୀଯୁକ୍ତ ଫକୀର ରାମଙ୍କର କାମ ଯାହା ହେଉନା କାହିଁକି, କୁହନ୍ତି କିନ୍ତୁ ଅନେକ ଅସମ୍ଭବ କଥା । ବସାରେ କିଛି କାମ ନ ଥିଲେ, ଆମମାନଙ୍କୁ ପାଖରେ ବସେଇ ଗପିଯାଆନ୍ତି କେତେ ଆକାଶ କଇଁୟା, ଚିଲିକା ମାଛ କଥା । ତାଙ୍କର କୌଣସି କଥା ଆମର ମନେ ରୁହେ ନାହିଁ-। ଏ କାନରେ ପଶି ସେ କାନରେ ବାହାରି ପଳାଏ । ଅନୁଷ୍ଠାନରେ ଆମର ପୂର୍ବ ପଶ୍ଚିମ ହିସାବରେ ଗୋଟିଏ ପଟେ ହିମାଳୟ ଭଳି ଶ୍ରୀ କ୍ଷୀରୋଦଚନ୍ଦ୍ର ଚାଟାର୍ଜି ତାଙ୍କର ଗୁରୁଗମ୍ଭୀର ଉଦ୍‌ଭଟ କଥାଗୁଡ଼ିଏ କହିବାରେ ବ୍ୟସ୍ତ; କିନ୍ତୁ ନିଜେ ବାସ୍ତବରେ ସ୍ଥିର, ଅଟଳ, କୌଣସି କର୍ମଲାଗି ହୀନଶକ୍ତି ଏବଂ ଅନ୍ୟପଟେ ମହାସମୁଦ୍ର ଭଳି ଶ୍ରୀ ଫକୀର ରାମ୍‌ ଗର୍ଜନ କରି, ଫୁଲି ଉଠି, ନିଜ ଭିତରେ ନିଜେ ଲୀନ ହୋଇଯାନ୍ତି ।

ଅନୁଷ୍ଠାନରେ ଆମ ପିଲାଙ୍କ ପ୍ରତି ଯେତେ ଧରଣର ଅବିଚାର ଓ ଅତ୍ୟାଚାର ହେଲେ ମଧ୍ୟ ସେଇ ଦୁଇଟି ଲୋକ ଯେବେଠୁଁ ଆମ ସହିତ ରହିଲେ ସେବେଠୁଁ ବେଶ୍‌ ହସର ଖୋରାକ ମିଳିଯାଇଥିଲା ।

ଚାଟାର୍ଜି ମହାଶୟ କିଛିଟା ହାର୍‌ମୋନିୟମ୍‌ ବାଦ୍ୟକୁ ଆୟତ୍ତ କରିପାରିଥିଲେ । ସେଇ କାରଣରୁ ତାଙ୍କ ପ୍ରତି ଗୁରୁଦେବଙ୍କର ନିର୍ଦ୍ଦେଶ ଥିଲା, ଯୋଉ ପିଲାମାନେ ନୂଆକରି ଅନୁଷ୍ଠାନରେ ଯୋଗଦେବେ ସେମାନଙ୍କର ଗଳା ସଧେଇବେ, ଗୀତ ବୋଲେଇ ଶିଖେଇବେ ଇତ୍ୟାଦି ଇତ୍ୟାଦି । ସେଥ‌ିନେଇ ନୂଆ, ପୁରୁଣା ସବୁ ପିଲାଙ୍କର ଏକରକମ ମାଷ୍ଟ୍ର ଥିଲେ ସେ । ଆମେମାନେ ତାଙ୍କୁ କ୍ଷୀର ମାଷ୍ଟ୍ରେ ବୋଲି ସମ୍ବୋଧନ କରୁଥିଲୁ । ଦଳରେ ସର୍ବାପେକ୍ଷା ବୟୋଜ୍ୟେଷ୍ଠ ଥ‌ିବା ହେତୁ ସମସ୍ତଙ୍କର ତାଙ୍କ ପ୍ରତି ଭକ୍ତି ମଧ୍ୟ ଥିଲା ।

ଅଭିନୟ ଚାଲିଥାଏ । ପ୍ରାୟ ପ୍ରତ୍ୟେକ ଦିନ ଦର୍ଶକ ମନମୁତାବକ ଆସୁଥାନ୍ତି । କେବେ କେମିତି ଯେ ଦୁର୍ଘଟଣା ଆସୁନଥାଏ ସେକଥା ନୁହେଁ । ତେବେ ଟଙ୍କା ଯାହା ହାତକୁ ଆସୁଥାଏ ବେଶ୍‌ ସନ୍ତୋଷଜନକ ।

 

ସବୁ ନାଟକ ଖଲିକୋଟରେ ଶେଷ ହେଇଆସିଲା । ନିକଟ ହେଲା ବିଦାୟ ନେବାର ବେଳ । ସେଠାକାର ଜନସାଧାରଣଙ୍କ ପ୍ରତି ଆମମାନଙ୍କର ଯୋଉ ପରିମାଣର ସ୍ନେହ, ଶ୍ରଦ୍ଧା ବଢ଼ିଉଠିଥିଲା ତାହା ଯେମିତି ହଠାତ୍‌ ଧିମେଇଗଲା । ୟାକୁହିଁ ତ କହନ୍ତି ଦୁନିଆ ଧର୍ମଶାଳା । ଯେତେ ଦିନପାଇଁ ରହିବାର ଅନୁମତି ମିଳିଛି, ସେତେଦିନ ପାଇଁ ଘର ମୋର, ଖଟିଆ ମୋର । ଅନୁମତିପତ୍ର ରଦ୍ଦ ହେଲେ, ଗଣ୍ଠିଲି ସଜକରି ଛୁଟିଲୁ ଅନ୍ୟ ସ୍ଥାନକୁ । ଦୁଃଖ କାହିଁ ? ଶୋଚନା କାହିଁ ସେଥ‌ିରେ ?

 

ମଣିଷ, ପ୍ରାଣୀ ରାଜ୍ୟରେ ସର୍ବଶ୍ରେଷ୍ଠ ହେଲେ ହେଁ ଭୁଲିବା ତାର ଏକରକମ ଜନ୍ମଗତ ଦୋଷ କହିବାକୁ ହବ । ସେଥିଲାଗି ସେ ନିଜର ସ୍ଥିତିକୁ ପାସୋରି ପକାଏ । ନୂତନର ସନ୍ଧାନ ଆଶାରେ ବ୍ରତୀ ହୋଇ, ପୁରାତନ ପ୍ରତି ହୁଏ ବିମୁଖ । ଅବଜ୍ଞା କରେ ପୁରାତନକୁ । ନୂଆ ଯେ ପୁରୁଣା ହୁଏ ଓ ପୁରୁଣାରୁ ଯେ ନୂଆର ଜନ୍ମ, ଏକଥା ଜାଣି ସୁଦ୍ଧା ମଣିଷ ନ ଜାଣିଲା ପରି ହୁଏ । ବଡ଼ ବିଚିତ୍ର ।

 

ଆମେମାନେ ମଧ୍ୟ ସେଇ ମଣିଷର ଅଂଶବିଶେଷ । ତାର ନିୟମ–ଡୋରରୁ ଛିନ୍ନ ହେବୁ କିପରି ?

 

ଖଲିକୋଟ ପରେ ନୂଆ ସ୍ଥାନ ରମ୍ଭାର ସନ୍ଧାନ ମିଳିଲା । ଏଇ ରମ୍ଭା ଗ୍ରାମଟି ଜଗନ୍ନାଥ ସଡ଼କର ଛାତି ଉପରେ ଅବସ୍ଥିତ । ଏଠାରେ ବହୁ ମେନକା, ଉର୍ବଶୀ, ରମ୍ଭା, ତିଳୋତ୍ତମା ଆଦି ସ୍ଵର୍ଗର ନାୟିକା ଜନ୍ମଗ୍ରହଣ କରି ସ୍ଵର୍ଗୀୟ ଫଲ୍‌ଗୁଧାରାର ପ୍ଲାବନ ଛୁଟେଇ ଶାପମୁକ୍ତ ହୋଇ ପୁନର୍ବାର ବାହୁଡ଼ି ଯାଇଛନ୍ତି ସ୍ୱ ସ୍ୱ ସ୍ଥାନକୁ । ଏଠାରେ ଅଗଣିତ ମନୁଷ୍ୟର ମାନଦଣ୍ଡକୁ ସହଜସୂତ୍ରରେ ହିସାବନିକାଶ କରାଯାଇ ନିରୂପଣ କରାହେଇଛି ସେ ମାନଦଣ୍ଡ କେତେ ଉଚ୍ଚରେ ।

Unknown

 

ଆରମ୍ଭ ହେଲା ସଡ଼କ ପଥରେ ଶଗଡ଼ ଯାତ୍ରା । ରମ୍ଭା ଗ୍ରାମରେ କ୍ୟାମ୍ପ୍‌ ପକେଇଲୁ । ଚିଲିକା କୂଳ । ଏଠାରେ ଖଲିକୋଟ ରାଜାସାହେବଙ୍କର ବିଖ୍ୟାତ ରମ୍ଭା ପ୍ୟାଲେସ । ଚିଲିକାରେ ନୌକା ବିହାର ଲାଗି ସ୍ଥାନଟି ଅତ୍ୟନ୍ତ ଉପଯୋଗୀ । ରାଜାସାହେବଙ୍କର ମାନ୍ୟଗଣ୍ୟ ସ୍ଵଦେଶୀ, ବିଦେଶୀ ବହୁ ନିମନ୍ତ୍ରିତ ଅତିଥିଗଣ, ଅନେକ ସମୟରେ ଏଇ ରମ୍ଭା ପ୍ୟାଲେସରେ ଆଶ୍ରୟ ନିଅନ୍ତି । ଚିଲିକାର ଶୋଭାରାଶିକୁ ଜଳଯାନରେ ବସି ଅନୁଭବ କରନ୍ତି । ରମ୍ଭା ପ୍ୟାଲେସ୍‌ ଖୁବ୍ ଆଡ଼ମ୍ବରପୂର୍ଣ୍ଣ ଭାବରେ ସଂରକ୍ଷିତ । ପ୍ୟାଲେସ୍‌ର ମଥାନରେ ଗୋଟିଏ ସଂକେତସ୍ତମ୍ଭରେ ଦୁଇଟି ନାଲି, ନୀଳ ଆଲୋକର ବ୍ୟବସ୍ଥା ଥାଏ । ରାଜା କିମ୍ବା ଅନ୍ୟ କେହି ମହାମାନ୍ୟ ଅତିଥି ଉପସ୍ଥିତ ଥିଲେ ନୀଳ ଆଲୋକ ଜଳେ ଓ ନାଲି ଆଲୋକଟି, ଅନୁପସ୍ଥିତିର ସମ୍ବାଦ ଘୋଷଣା କରେ ।

 

ପ୍ରଧାନ ସଡ଼କ ଉପରେ କେତେକ ରୂପଜୀବୀଙ୍କ ରୂପର ପସରା ଅତିକ୍ରମ କଲେ ପଡ଼େ ବଡ଼ ଧରଣର ଜନବସତି, ଦୋକାନ, ବଜାର । ସବୁ ବର୍ଣ୍ଣର ଲୋକଙ୍କ ବାସସ୍ଥଳୀ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଗ୍ରାମର ଗୋଟିଏ ଚାଳଛପର ପେଣ୍ଡାଲ ଥିଲା । ସେଇ ପେଣ୍ଡାଲରେ ଆମର ଅଭିନୟ ଆରମ୍ଭ ହେଲା । କହିଛି ତ, କଳାକ୍ଷେତ୍ର ଗଞ୍ଜାମରେ ପ୍ରାୟ ସବୁଧରଣର ଲୋକଙ୍କ ମନରେ କଳା ପ୍ରତି ଏକ ଏକ ବିଶେଷ ଆସନ ରହିଛି । କୌଣସି ଲୋକ ଶ୍ରମକାତର ନୁହନ୍ତି । ଖଟିବା ଏବଂ କଷ୍ଟଲବ୍ଧ ଧନରେ ସୁନା କିଣିବା ଓ ବାକି ଯାହା ବଳିଲା, ସେଥିରେ ନିରାଡ଼ମ୍ବର ଖାଦ୍ୟ ଖାଇ ଜୀବନକୁ ଉପଭୋଗ କରିବା ।

 

ଗଞ୍ଜାମ କୃଷକ ଗୋଟିଏ ସେଣ୍ଟ୍‌ ଜମିରେ–ସାରୁ, କାନ୍ଦୁଲ, ମାଣ୍ଡିଆ, ଲଙ୍କା ଲଗେଇ ତାର ଚାହିଦା ପୂରଣ କରେ । ଆମ ଅଞ୍ଚଳର ମାଣମାଣ ଜମିଥିବା କୃଷକ ପରି କ୍ଷେତକୁ ପଡ଼ିଆ ପକେଇ ପରଚର୍ଚ୍ଚା କରେ ନାହିଁ । ଏକମାତ୍ର ନଦୀ ଋଷିକୁଲ୍ୟାର ଅବବାହିକା ଅଞ୍ଚଳରେ ଜଳର ସଦ୍‌ ଉପଯୋଗ କରି ହସାଏ ମାଟିରେ ଜହ୍ନି, ଶଙ୍ଖସାରୁ, ସୋରିଷ ଫସଲ ।

 

ରମ୍ଭା ପରେ ଗଲୁ ଆମେ ଗଞ୍ଜା ଗ୍ରାମକୁ। ଏଇଠାରେ ଋଷିକୁଲ୍ୟା ତାର ସର୍ପିଳ ଦେହଟିକୁ ମିଶାଇଦେଇଛି ଚିଲିକାର ଜଳରାଶି ସହିତ । ଠିକ୍‌ ଋଷିକୁଲ୍ୟାର ମୁହାଣ ନିକଟରେ ପ୍ରାଚୀନ ପୋତାଗଡ଼ । ଚାରିକଡ଼ରେ ଗଡ଼ଖାଇ । ପାଣି, ପବନର ଅତ୍ୟାଚାରରେ ଗଡ଼ଟି ଭଗ୍ନସ୍ତୂପରେ ପରିଣତ । ଦୂରରୁ ଏହା ଏକ କଣ୍ଟକିତ ଗୁଳ୍ମ ଘେରା ବାଲିକୁଦ ଭଳି ପ୍ରତୀୟମାନ ହୁଏ-। ନିକଟରେ ମୋଗଲ କାଳର କେତେକ ତାଜ୍‌ ଏବଂ ଫିରିଙ୍ଗି ସେନାଙ୍କର ସମାଧି । ଗଡ଼ ଭିତରେ ଅନେକ ବଡ଼ ବଡ଼ ଘର । ଶୂନ୍‌ଛାତ, ଯୁଦ୍ଧ ସମୟରେ ଆତ୍ମଗୋପନ କରି ଗଡ଼ରୁ ପଳାଇଯିବାକୁ ରହିଛି ସୁଡ଼ଙ୍ଗ ପଥର ଭଗ୍ନାବଶେଷ । ଚୋରା ଲାଇଟ୍‌ (ଟର୍ଚ୍ଚ) ମାରି ପ୍ରାୟ ଦଶ କଦମ ଭିତରେ ପଶିଛୁ ମାତ୍ର ବେଶିଦୂର ଆଉ ଆଗକୁ ବଢ଼ିପାରି ନାହୁଁ ।

 

ସେ ସମୟର ଗଞ୍ଜା ଗ୍ରାମ ଐତିହାସିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ହେଲେ ହେଁ, ସେଠାରେ ଆଉ ବିଶେଷ କିଛି ନ ଥିଲା କହିଲେ ଚଳେ । ଯୁଆଡ଼କୁ ଚାହିଁଲେ କେବଳ ଯେମିତି କେଉଁଠୁ କେତେଗୁଡ଼ାଏ ଅଦୃଶ୍ୟ ଆତ୍ମାର ଦୀର୍ଘନିଶ୍ଵାସ ଦେହରେ ବାଜେ । କୋଉଠି ହେଲେ ଟିକିଏ ସରସତା ନ ଥିଲା । ଚିଲିକାର ବେଳାଭୂମି ମନରେ ଭୟ ସଞ୍ଚାର କରାଏ ।

 

ଯାହାହେଉ, ଗଞ୍ଜା ଗ୍ରାମରେ କିଛିଦିନ ପାଇଁ ଅଟକିଯାଇ ଅଭିନୟ କଲୁ । ସେଠାରେ ଆମେ ବେଶି ମାତ୍ରାରେ ସଫଳତା ନ ପାଇଲେ ବି, ଆର୍ଥିକ ସମସ୍ୟାର କିଛିଟା ଯେ ସମାଧାନ ହେଲା ନାହିଁ ସେକଥାକୁ ପୂର୍ଣ୍ଣମାତ୍ରାରେ ନାସ୍ତି କରାଯାଇ ନ ପାରେ ।

 

ଅଳ୍ପଦିନର ରହଣି ଭିତରେ ଗଞ୍ଜାରୁ ଯାହା ମିଳିଲା ସେତକ ବାନ୍ଧିବୁନ୍ଧି ବାହାରିଲୁ ଆସିକା । ବଡ଼ ସହର ନୁହେଁ ସେ, ବଡ଼ ସ୍ଥାନ । ବ୍ୟବସାୟ ମାତ୍ର ଚିନି କାରଖାନା, ସେଇ ଆସିକାରେ ନୂଆ କରି ପ୍ରତିଷ୍ଠା କରାଯାଇଥାଏ । ଅନ୍ୟାନ୍ୟ ସ୍ଥାନଠାରୁ ଆସିକା ଯେ ଉନ୍ନତ ଥିଲା ଏକଥା ସେଠାରେ ପହଞ୍ଚିବାପରେ ଜାଣିପାରିଲୁ । ଗୋଟାଏ ନୂଆକଥା ଆମେ ସେଠାରେ ଲକ୍ଷ୍ୟ କରିଥିଲୁ ଯେ, ବଡ଼ ଛୋଟ ଯେକୌଣସି ଜଳଖିଆ ଦୋକାନରେ ଇଟିଲି, ଉପମା, ସମ୍ବର, ଦୋଷାକୁ ଛାଡ଼ିଦେଲେ ଆମ ଅଞ୍ଚଳ ପରି ଛେନାରେ ତିଆରି ମିଠା ସେଠାର କାରିଗର ପ୍ରସ୍ତୁତ କରି ଜାଣି ନଥିଲେ । ସେଥିଲାଗି ରସଗୋଲା, ରାଜଭୋଗ, ଛେନାଗଜା, ପାନତୁଆ, ରସାବଳି ଆଦି ସେଠାରେ ଖୋଜିବା ଥିଲା ବିଡ଼ମ୍ବନା ।

 

ଆସିକା ଅଞ୍ଚଳରେ ଆଖୁ ଚାଷର ପ୍ରସାର ଆମେ ପ୍ରାୟ ସେ ସମୟରୁ ଲକ୍ଷ୍ୟକରି ଆସିଛୁଁ ଓ ସେଇ କାରଣରୁ ସେଠାରେ ସେତେବେଳେ ଚିନିକଳ ବସିବା ସମ୍ଭବ ହେଇ ପାରିଥିଲା । ପ୍ରଧାନତଃ ଗଞ୍ଜାମର ଏହା ଏକ କେନ୍ଦ୍ରସ୍ଥଳ ଓ ଅନେକ ଆଡ଼ୁ ସଡ଼କ ସବୁ ଆସି ଏଠାରେ ମିଶିଥିବାରୁ ଜିନିଷପତ୍ର କାରବାରଲାଗି ଆସିକା ଥିଲା ପ୍ରଶସ୍ତ । ଏଠାକାର ଲୋକଙ୍କ ଜୀବନଧାରଣ ମାନ ଥିଲା ଟିକିଏ ଉନ୍ନତ ।

 

ଆମେ ବସା ବାନ୍ଧିଲୁ, ଚିନି କାରଖାନା ପାଖରେ । ଅଳ୍ପ ଦୂରରେ ବସ୍‌ଷ୍ଟାଣ୍ଡ । ସରକାରୀ ବସ୍‌ ତ ନ ଥିଲା । କେବଳ ବ୍ୟକ୍ତିଗତ ଉଦ୍ୟମରେ ଗଞ୍ଜାମର କେତେକ ଧନୀ ସାହୁକାର ସେସବୁ ବସ୍‌ ଚଳଉଥିଲେ, ଯୋଉ ଯୋଉ ସ୍ଥାନକୁ ରାସ୍ତାଘାଟର ସୁବିଧା ଥିଲା । ଆମେ କିନ୍ତୁ ଗଞ୍ଜାମରେ ଖୁବ୍‌ ଅଳ୍ପ ଜାଗାକୁ ବସ୍‌ ଯାତ୍ରା କରିଛୁ । ଅଧିକାଂଶ ସ୍ଥାନକୁ ଯାଇଛୁଁ ଶଗଡ଼ ଯାନରେ । ତାହା ଆମ ପକ୍ଷରେ ଥିଲା ଶସ୍ତା ଓ ସୁବିଧା ।

 

ଏଠାରେ ମଧ୍ୟ ଝଟ୍‌କା ଗାଡ଼ିର ପ୍ରଚଳନ ଥିଲା । ସେଇ ଗାଡ଼ିରେ ପ୍ରଚାର କାମ କରାଯାଇ ନାଟକ ଆରମ୍ଭ ହେଲା । ବେଶ୍‌ ସୁରୁଖୁରୁରେ ଗୋଟିଏ ପରେ ଗୋଟିଏ ଦିନ କଟୁଥାଏ । ସନ୍ଧ୍ୟା ହେଲେ ଟିକଟବାକ୍ସ ଟଙ୍କାରେ ଭରପୁର । ନାଟକ ଦେଖ‌ିବାରେ ଲୋକଙ୍କର ରସିକତା ଯେତିକି, ନାଟକ ଅଧାରେ ତାକୁ ଭଣ୍ଡୁର କରିବାପାଇଁ ମଧ୍ୟ ସେଠା ଲୋକଙ୍କର ଆଗ୍ରହ ଥିବାପରି ମନେ ହେଉଥିଲା । ଅଭିନୟ ଚାଲିଥିବାବେଳେ, ପେଣ୍ଡାଲ ଉପରକୁ ଫୁଲ, ଫୁଲମାଳ ଫିଙ୍ଗାଯାଉଥିଲା । ଅନ୍ୟାନ୍ୟ ଦର୍ଶକଙ୍କର ଦେଖିବାରେ, ଶୁଣିବାରେ ବାଧା ସୃଷ୍ଟି କରି, ବାଜି ଉଠୁଥିଲା ମୁଖରେ ହୁଇସିଲ୍‌ ବା ସିଟି । କେତେବେଳେ କେମିତି କାଁ–ଭାଁ ଢେଲାଟାଏ, ଗୋଡ଼ି ମୁଠାଏ ପଡ଼ୁଥିଲା ପେଣ୍ଡାଲର ଛପର ଉପରକୁ ।

 

ଏସବୁ ବିଭ୍ରାଟ ସୃଷ୍ଟିର କିଛି ଯେ କାରଣ ନ ଥିଲା ସେକଥା କାଟିଦେଇ ହେବ ନାହିଁ । ଚିନିକାରଖାନାର ଜଣେ ପ୍ରଧାନ କର୍ମକର୍ତ୍ତାଙ୍କ ପୁତ୍ରମଣି, ତାଙ୍କର କେତେକ ସହଚରଙ୍କ ସହଯୋଗରେ ସେସବୁ ଭୌତିକଲୀଳାର ସମ୍ପାଦନା ଲାଗି ତତ୍‌ପର ଥିଲେ । ବିନା ଟିକଟରେ ଅଭିନୟ ଦେଖିବାର ପ୍ରବଳ ମୋହକୁ, ଆମ ଅନୁଷ୍ଠାନ, ତାର ଦୃଢ଼ହସ୍ତରେ ଦମନ କରିଥିବା ହେତୁ ସେଇ ଅଶାନ୍ତ ଗୋଷ୍ଠୀ ଏଭଳି ପଦକ୍ଷେପ ନେବାପାଇଁ ସଂକଳ୍ପବଦ୍ଧ ହେଇଉଠିଥିଲେ ।

 

ଏସବୁ ପରିସ୍ଥିତିରେ ବିଚଳିତ ହେବାର କୌଣସି କାରଣ ନ ଥିଲା । କେବଳ ଆସିକାରେ ଯେ ନୂଆକରି ଏଭଳି ପରିସ୍ଥିତି ଦେଖା ଦେଇଥିଲା ତା’ କୁହାଯାଇନପାରେ । ଓଡ଼ିଶାର ଯୋଉସବୁ ଅଞ୍ଚଳକୁ ଆମେ ରାସ ପ୍ରଦର୍ଶନ ପାଇଁ ଯାଇଛୁଁ ସେଠାରେ ମଧ୍ୟ, ଦଳେ ଆମକୁ ସମର୍ଥନ ଜଣେଇ ଆମ ପ୍ରତି ଆନୁଗତ୍ୟ ଭାବ ଦେଖେଇବାକୁ ଆଗେଇ ଆସିବାବେଳେ ଆଉ ଦଳେ ଆମକୁ ହଇରାଣ କରିବାକୁ ମଧ୍ୟ ଟିକିଏ ହେଲେ ମନରେ କୁଣ୍ଠାଭାବ ପୋଷଣ କରୁନଥିଲେ ।

 

ଏଥ‌ିପୂର୍ବରୁ ଆପଣମାନଙ୍କୁ କହିଛି ଯେ ସେବେକାର ସମାଜରେ ନାଟୁଆମାନଙ୍କର ଆସନ ଥିଲା ଅତି ତଳ ପାହାଚରେ । ଲୋକସଂଖ୍ୟାର ଶତକଡ଼ା ଅଶୀ ଭାଗ ଯାତ୍ରା, ଥିଏଟର ଦେଖିବାକୁ ଧାଇଁ ଆସୁଥିଲେ ସତ; ମାତ୍ର ଏଇସବୁ ଯାତ୍ରା, ଥିଏଟରର କଳାକାରମାନଙ୍କୁ ସମାଜର ଏକ ଏକ ଘୃଣିତ ଜୀବବୋଲି ମନେକରି ଘୃଣାରେ ନାକ ଟେକୁଥିଲେ ।

 

ଆମେ କିନ୍ତୁ କଂସାରୀ ଘରର ପାରା, ଶବ୍ଦ ଶୁଣି ଶୁଣି ଏତେ ଅଭ୍ୟସ୍ତ ଯେ, କାନପାଖରେ କୁଲା ପିଟିଲେ କିଛି ଲାଭ ହୁଏ ନାହିଁ । ସମାଜର ଯେ ଅତି ତଳେ, ତାର ବା ନିନ୍ଦା, ପ୍ରଶଂସାରେ ଯାଏ କେତେ, ଆସେ କେତେ ? ହସି ହସି କେହି ଅଭିନୟରେ ସନ୍ତୁଷ୍ଟ ହୋଇ ସୁନା, ରୂପାର ପଦକଟାଏ ଦେହରେ ଲଗେଇଦେଲେ ଯାହା ଏବଂ କେହି କେତେବେଳେ ଘୃଣାକରି ପଦେ କଟୁ ସମାଲୋଚନା କରିଦେଲେ ହିଁ ତାହା । ଆମ ପାଖରେ ସବୁ ସମାନ ।

 

ଅବଶ୍ୟ ସେଥିରେ ଅନ୍ତର୍ଦାହ ବା ଯନ୍ତ୍ରଣା ଯେ ନ ଥିଲା ଅସ୍ଵୀକାର କରୁ ନାହିଁ। କିନ୍ତୁ–ଉପାୟ ବା କ’ଣ ?

 

ଏସବୁ କେତେକ ଛୋଟକାଟର ଦୁର୍ଘଟଣା ବ୍ୟତୀତ ଆସିକାରେ ଆଉ କିଛି ଅସୁବିଧା ଆମର ଘଟି ନ ଥିଲା । ପ୍ରାୟ ସବୁଦିନ ଅଭିନୟ ଚାଲିଥାଏ ଓ ଟଙ୍କାପଇସା ବେଶ୍‌ ଭଲ ଆସୁଥାଏ ହାତକୁ ।

 

ହଠାତ୍‌ ଦିନେ ଆମେ ଆମର ନିଜ କାମରେ ବ୍ୟସ୍ତ ରହିଚୁ, ସକାଳ ଦଶଟା ଖଣ୍ଡେ ସମୟ ହେବ, ଦେଖାଗଲା ଷ୍ଟେଜ୍‌ର ଗୋଟିଏ କୋଣରେ ନିଆଁ ଲାଗିଛି । ଦର୍ଶକଙ୍କ ବସିବା ସ୍ଥାନ ଚାରିକଡ଼ରେ ଯୋଉ ତମ୍ବୁ ଘେରାଯାଇଥିଲା ସେଥ‌ିରେ ଗୋଟିଏ ଜାଗାରେ ନିଆଁ ଧୂ ଧୂ ହେଇ ଜଳୁଛି । ବିଳମ୍ବ କଲେ ସର୍ବନାଶ । କ୍ଷଣକରେ ପେଣ୍ଡାଲ ସାରା ଜଳିଉଠି ସବୁ ପାଉଁଶ ହେଇଯିବ । ସାଙ୍ଗେ ସାଙ୍ଗେ ଲିଭେଇ ଦିଆଗଲା । ପରେ ତାର ଅନୁସନ୍ଧାନ କରାଯାଇ ଜଣାଗଲା ଯେ, ସେଇ ଅପକର୍ମର କରିତ୍‌କର୍ମା ଥିଲେ ପୂର୍ବ ପରିଚିତ ଯୁବକ ।

 

ଥାନାରେ ଏତଲା ଦିଆଯିବା ପରେ, ସବୁ ଥଣ୍ଡା ହେଇଗଲା । ଅଭିନୟ ଚାଲିଥାଏ ତାର ପୂର୍ବରୀତିରେ । ଅନେକ ପ୍ରଶଂସା, ଅନେକ ପଦକ । ଆସିକା ଅଧିବାସୀ ଯେ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ପରି ଆମକୁ ଉତ୍ସାହିତ କରୁଥିଲେ ସେକଥା କହିବା ବାହୁଲ୍ୟ ମାତ୍ର । ସେଠାରେ ରହିବା ସମୟ ଭିତରେ, ଅତି ଅଳ୍ପଦିନ ଅଭିନୟରେ ଟିକଟ ବିକ୍ରି କିଛିଟା ଉଣା ପଡ଼ିଥିଲା ସିନା–ତା’ ନ ହେଲେ ଅନ୍ୟ ଦିନଗୁଡ଼ିକ ଦର୍ଶକ ବସିବା ସ୍ଥାନରେ ଟିକିଏ ସୁଦ୍ଧା ସ୍ଥାନ ଖାଲି ରହୁନଥିଲା ।

 

ଆସିକାଠାରୁ ବସ୍‌ରେ ଯାତ୍ରା କଲୁ ଛତ୍ରପୁର । ଗଞ୍ଜାମର ସଦର ମହକୁମା । ବରହମପୁର ଯଦିଚ ବଡ଼ ସହର, କିନ୍ତୁ କୋର୍ଟ କଚେରି ସବୁ ଛତ୍ରପୁରରେ । ବଡ଼ ବଡ଼ ହାକିମ ରହୁଥିଲେ ସେଇ ଶାନ୍ତିପୂର୍ଣ୍ଣ ସ୍ଥାନରେ । ନିକଟରେ ସମୁଦ୍ର, ସ୍ଥାନଟି ବେଶ୍‌ ସ୍ୱାସ୍ଥ୍ୟକର । ରାସ୍ତାର ଦୁଇପଟ ଖୁବ୍‌ ବଡ଼ କିଆବୁଦା ମାନ । ବାୟୁମଣ୍ଡଳରେ କିଆ ଫୁଲର ମହକ ।

 

ଆସିକାଠାରୁ ଆମର ବରହମ୍‌ପୁର ଯିବାର ସବୁ ବ୍ୟବସ୍ଥା ଯଦିଓ ଆଗରୁ ଠିକ୍‌ ହେଇଥିଲା ତଥାପି ଛତ୍ରପୁରରେ କିଛିଦିନ ଅଭିନୟ ନ କରି ଯିବାଟା ସମୀଚୀନ ହେବ ନାହିଁ ଭାବି ସେଠାରେ ଅଟକିଯାଇଥିଲୁ । ତା’ ଛଡ଼ା ଜିଲ୍ଲାର ପ୍ରଧାନ କର୍ମକର୍ତ୍ତାଙ୍କ ଦୟା ଓ ଅନୁଗ୍ରହ ଆମର ପ୍ରଧାନ ସମ୍ବଳ ଥିଲା ।

 

ମହାମାନ୍ୟ ଶ୍ରୀଯୁକ୍ତ ନୀଳମଣି ସେନାପତି ଆଇ.ସି.ଏସ୍‌. କମିଶନର ହିସାବରେ ରହୁଥିଲେ ଛତ୍ରପୁରର ଏକ ବିରାଟ କୋଠିରେ । ଆମ ଦଳ ସେଠାକୁ ଯିବାର କିଛିଦିନ ଆଗରୁ ସେ ମହାଶୟ ଆସିଥାନ୍ତି କଟକ, ତେଣୁ କୋଠିଟି ଖାଲି ପଡ଼ିଥାଏ । ଆମେମାନେ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତିକ୍ରମେ ସେଇ ବଙ୍ଗଳାର ଗୋଟିଏ ପାଖରେ ରହିଲୁ । ଆଜି ସେ ବଙ୍ଗଳାର ଚିହ୍ନ ସୁଦ୍ଧା ଦୃଷ୍ଟିରେ ପଡ଼େ ନା । ରଙ୍ଗମଞ୍ଚ ତିଆରି ହେଲା ଆମ ବସାପାଖରୁ ଟିକିଏ ଦୂରରେ ।

 

ଗଞ୍ଜାମ ଜିଲ୍ଲାରେ, ଖଲିକୋଟ, ରମ୍ଭା ଆଦି ସ୍ଥାନ ଡେଇଁଲାପରେ, ବିଶେଷ ଭାବରେ ଓଡ଼ିଆ ଭାଷାଠାରୁ ତେଲୁଗୁ ଭାଷା ଓ ତେଲୁଗୁ ପୋଷାକ ଶୁଣିବାକୁ ଓ ଦେଖ‌ିବାକୁ ପାଉଥିଲୁ ବେଶି-। କଥା କଥାକେ ମୁଣ୍ଡ ହଲା ପ୍ରାୟ ପ୍ରତ୍ୟେକ ଲୋକ ଚଳଣିରେ ପରିଲକ୍ଷିତ ହେଉଥିଲା-। ଖାଦ୍ୟ, ଭାଷା, ବେଶ ପ୍ରାୟ ସବୁରି ଉପରେ ହିଁ ଥିଲା ତେଲେଙ୍ଗା ଭାଇଙ୍କର ପ୍ରଭାବ ଓ ଆଧିପତ୍ୟ । ନାମକୁ ମାତ୍ର ଓଡ଼ିଆ ଅଞ୍ଚଳ; କିନ୍ତୁ ସବୁଠାରେ ଦୁର୍ଭାଗ୍ୟଜନକ ପରିସ୍ଥିତି ।

 

୧୯୨୫ରୁ ୧୯୭୭ ମସିହା ଟପିଲା । ତଥାପି ଓଡ଼ିଆ ତାର ନିଜଘରକୁ ଆଉ ନିଜର କହିବା, ସମ୍ପୂର୍ଣ୍ଣ ଭାବରେ ଅଧିକାର ହାସଲ କରିବା ସମ୍ଭବ ହେଲା ନାହିଁ । ଅବଶ୍ୟ କେତେଜଣ ଓଡ଼ିଆ ଯୋଗଜନ୍ମାଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଫଳରେ, ଖଣ୍ଡିତ ହେଲେ ବି ଉତ୍କଳ ଭୂଇଁ ଏକ ସ୍ଵତନ୍ତ୍ର ରାଜ୍ୟରେ ପରିଣତ ହୋଇପାରିଛି । ଏହା ଆମ ପକ୍ଷରେ ଗୋଟାଏ ଗୌରବର ବିଷୟ ହୋଇଉଠିଛି ।

 

ଓଡ଼ିଶାର ଅନେକ ନିଜସ୍ଵ ଲୋକଗୀତ, ଲୋକନୃତ୍ୟ ଥିଲେ ମଧ୍ୟ ଗଞ୍ଜାମରେ କେବଳ ସେତେବେଳେ କାଁ ଭାଁ ଦାସକାଠିଆ, ରାଧା ପ୍ରେମଲୀଳା, କୃଷ୍ଣ ପ୍ରେମଲୀଳା ଏବଂ ଦଣ୍ଡନାଟ ପ୍ରାୟ ଅଛୁଆଁ ଗୋଷ୍ଠୀ ଭିତରେ ସୀମାବଦ୍ଧ ରହି ପ୍ରଦର୍ଶିତ ହେଉଥିଲା । ଦଣ୍ଡନାଟ, ଏକ ପ୍ରକାର ଗଣନାଟ୍ୟ ଅନୁଷ୍ଠାନ ବୋଲିବାକୁ ହେବ । ଏଥିପାଇଁ ବର୍ଷରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥାଏ । ଆଉ ରାଧା ପ୍ରେମଲୀଳା, କୃଷ୍ଣ ପ୍ରେମଲୀଳା ଯଦିଚ ରାସର ଏକ ରୂପାନ୍ତର ବୋଲି କୁହାଯାଇପାରେ, ତଥାପି ସେଥିରେ ଦୁଆରୀ ଚରିତ୍ର ଏକ ଅଦଭୁତ୍‌ ଧରଣର ସଂଯୋଗ । ଏଇ ଦୁଆରୀ ଚରିତ୍ର ମୁହଁରେ ଗୀତ ଥାଏ; କିନ୍ତୁ ପାଦରେ ନୃତ୍ୟ ଥାଏ ବେଶିମାତ୍ରାରେ । ଗୀତରେ ପଦ୍ୟାଲୁଢ଼ଙ୍ଗ ଏବଂ ଓଡ଼ିଶୀ ଗୋଟିପୁଅ ନାଚ, ସ୍ଥାନ ବିଶେଷରେ ଦେଖିବାକୁ ମିଳେ ।

 

ଏସବୁ ଓଡ଼ିଆ କଳା ଅନୁଷ୍ଠାନ ଗଞ୍ଜାମରେ ଅଳ୍ପ ଅଳ୍ପ ମାତ୍ରାରେ ଦେଖାଯାଉଥିଲେ, ଅଧିକ ଆଦର ଓ ସ୍ନେହ କିନ୍ତୁ ପାଉଥିଲେ–ହରିକଥା ଓ ପଦ୍ୟାଲୁ ଦଳ । ଛତ୍ରପୁରରେ ଦେଖିଲୁ, ରାତିରେ ବଜାର, ହାଟ ବନ୍ଦ ହେଇଯିବା ପରେ ପରେ ଭିନ୍ନ ଭିନ୍ନ ଛକସ୍ଥାନ ମାନଙ୍କରେ, ମଶାଲ ଜାଳି ବହୁ ଜନସମାଗମରେ ଚାଲୁଥିଲା, କୋଉଠି ହରିକଥା ତ କୋଉଠି ପଦ୍ୟାଲୁ–ତେଲୁଗୁ ଭାଷାରେ । ବୁଝିବାର ଯୁ’ ନ ଥିଲା ଆମର ।

ପ୍ରଥମ ରଜନୀ ଛତ୍ରପୁରରେ ଆରମ୍ଭ ହେଲା ବଡ଼ ଜାକ୍‌ଜମକରେ । ପେଣ୍ଡାଲକୁ ଦେବଦାରୁ ଡାଳପତ୍ରରେ ସଜେଇ, ସରକାରୀ ଅଫିସ୍‌ରୁ ବିଭିନ୍ନ ଫୁଲକୁଣ୍ଡ ଅଣାଯାଇ, ମଞ୍ଚର ବିଭିନ୍ନ ସ୍ଥାନମାନଙ୍କରେ ରଖେଇ ଦିଆଗଲା । ଠିକ୍‌ ଯେମିତି ବୃନ୍ଦାବନର ପ୍ରାକୃତିକ ପରିବେଶ । ଅଭିନୟ ଦେଖିବାକୁ ବଡ଼ ବଡ଼ ସରକାରୀ ଅଫିସରଙ୍କୁ ଗୁରୁଦେବ ନିମନ୍ତ୍ରଣ କଲେ । ରାସରେ ସାଧାରଣତଃ ଷ୍ଟେଜ୍‌ ଉପକରଣ ଭିତରେ, ଅଧିକ ମାତ୍ରାରେ ଫୁଲ ଉପରେ ଗୁରୁତ୍ଵ ଦିଆଯାଏ । ଯେକୌଣସି ସ୍ଥାନରେ ଆମେ ପହଞ୍ଚିଲେ ଦେଖୁ ସେଠାକାର ମାଳୀଘର, ଯେ’ କି ଆମକୁ ପ୍ରତିଦିନ ଝୁରାଫୁଲ ଓ ମାଳ ଯୋଗାଇପାରିବ । ସତକଥା କହିବାକୁ ଗଲେ ରାସ ଅଭିନୟରେ ଆଉ ଯାହା ଥାଉ ନ ଥାଉ ପଛକେ, ଫୁଲ ନ ମିଳିଲେ ସବୁ ଅଚଳ, ଅଭିନେତାର ମନ ଫିକା ପଡ଼ିଯାଏ । ଶ୍ରୀରାଧାଙ୍କର ଅଷ୍ଟସଖୀ, ଶ୍ରୀକୃଷ୍ଣ, ମଧୁମଙ୍ଗଳ, ସୁବଳ, ସୁଦାମ ସମସ୍ତେ ଅନ୍ୟାନ୍ୟ ଗହଣା ଯାହା ପିନ୍ଧନ୍ତୁ ନା କାହିଁକି ଫୁଲମାଳ ହାତରେ । ମୁଣ୍ଡରେ ଓ ଗଳାରେ ନ ପକେଇଲେ, ସେଦିନ ଆଉ ପାଟିରୁ ସଂଳାପ ବାହାରିବା କଷ୍ଟକର ।

ଅଭିନୟ ଲାଗି ଦର୍ଶକମାନଙ୍କୁ ଯୋଉ ସମୟ–ନିର୍ଘଣ୍ଟ ଦିଆଯାଇଥିଲା, ସେଥିରୁ ଟିକିଏ ବଳେଇପଡ଼ିଲା । ରାତି ସାଢ଼େ ସାତଟାରୁ ଆଠଟା ବାଜିଗଲା । ଦର୍ଶକ ଗ୍ୟାଲେରୀ ପୂର୍ଣ୍ଣ । ବାଜିଲା ଘନଘନ କରତାଳି । କିନ୍ତୁ ଆମର ଉପାୟ ନ ଥିଲା । ଏଣୁ ମାଇଲେ ଗୋ’ହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା । କରିବୁ ବା କ'ଣ ?

ନିମନ୍ତ୍ରିତ ଉଚ୍ଚ ସରକାରୀ ଅଫିସର ଆସିନଥିଲେ, ଅଭିନୟ ଆରମ୍ଭ କଲେ କାଳେ ତାଙ୍କୁ ଅପମାନ ହେବ । ପୁଣି ଯୋଉମାନଙ୍କଠାରୁ ଟିକଟର ମୂଲ୍ୟ ନେଇ ବସେଇଛୁ ସେମାନଙ୍କର ସମୟର ଦାମ୍‌ ରହିଛି । ବଡ଼ ହେଲୁପଟାରେ ପଡ଼ିଲୁ ।

 

ଗୁରୁଦେବ, ଏଭଳି ପରିସ୍ଥିତିରେ ପଦାକୁ ମୋଟେ ବାହାରୁ ନ ଥାନ୍ତି । ଆମେମାନେ ତୁହାକୁତୁହା ମଞ୍ଚ ଭିତରୁ ଗୋପନରେ ସ୍କ୍ରିନ୍‌ ଆଡ଼େଇ, ଡ୍ରପ୍‌ ଆଡ଼େଇ ଦେଖୁଥାଉ ବାହାରର ଅବସ୍ଥାକୁ । ମଞ୍ଚ ଭିତରେ ଥ‌ିବା ବାଦ୍ୟକାରମାନେ ଭିନ୍ନ ଭିନ୍ନ ସ୍ଵରର ଗୀତ ବଜେଇ ବଜେଇ ଥକିପଡ଼ିଲେଣି, ଅଭିନୟ ଆରମ୍ଭ ହେବାର ପ୍ରଥମ ଓ ଦ୍ୱିତୀୟ ସଂକେତ ଧ୍ଵନି (ଫାଷ୍ଟ ବେଲ୍‌ ଓ ସେକେଣ୍ଡ୍‌ ବେଲ୍‌) ସେତେବେଳକୁ ଦିଆସରିଲାଣି ।

 

ମନେମନେ ଜଗନ୍ନାଥଙ୍କ ନିକଟରେ ଆମେସବୁ ତ୍ରାହି ତ୍ରାହି ଡାକ ଛାଡ଼ୁଥାଉ । ଥରେ ଭାବନ୍ତୁ ତ, ସେ ସମୟର ଅବସ୍ଥା ବିଷୟରେ ? ସେ ଯୁଗରେ, ପେଷାଦାର ମଞ୍ଚ ଅନୁଷ୍ଠାନଗୁଡ଼ିକ, ଅଧିକାଂଶ ସ୍ଥାନରେ ଓ ଅଧିକାଂଶ ସମୟରେ ଏଇଭଳି ଅବସ୍ଥାର ସମ୍ମୁଖୀନ ହେଉଥିଲେ ଯାହାର କି ସମାଧାନର ବାଟ ନ ଥିଲା, ଉପାୟ ବି ନ ଥିଲା ।

 

ଆପଣମାନଙ୍କୁ ବହୁପୂର୍ବରୁ ସୂଚନା ଏ ବିଷୟରେ ଦେଇଛି । କୌଣସି ଗୋଟିଏ ପେଷାଦାର ଦଳ କୋଉଠି କି ଅଭିନୟ କରିବାକୁ ଯାଉଥିଲେ ତାଙ୍କୁ ଅଯଥାରେ ଗୁଡ଼ାଏ ସ୍ଥାନୀୟ ଲୋକ (ବିଭିନ୍ନ ଶ୍ରେଣୀର)ଙ୍କୁ ମାଗଣାରେ ଅଭିନୟ ଦେଖିବାକୁ ପ୍ରଥମଶ୍ରେଣୀର ଆସନଦେଇ ଏବଂ ସେମାନଙ୍କ ମରଜି ଅନୁସରଣ କରି ସେମାନଙ୍କ ପଛରେ ଗୋଡ଼େଇବାକୁ ପଡ଼ୁଥିଲା ଏବଂ ଏଇସବୁ କ୍ଷମତାଧାରୀ ଲୋକଙ୍କ ଯୋଗୁଁ ଅନୁଷ୍ଠାନ ଜନସାଧାରଣଙ୍କ ପାଖରୁ ଅନେକ କଟୁ ସମାଲୋଚନା ଶୁଣିବାକୁ ପାଉଥିଲା ।

 

ସେଦିନ ଛତ୍ରପୁରରେ, ଆମର ପ୍ରଥମ ରଜନୀ ଅଭିନୟରେ, ସେଇ ସବୁଦିନିଆ ଦୁର୍ଘଟଣାର ପୁନରାବୃତ୍ତି ହିଁ ଘଟିଯାଇଥିଲା । କିଛି ସମୟ ପରେ ନିମନ୍ତ୍ରିତ ହାକିମ ଆସିଥିଲେ ଓ ମଞ୍ଚଉପରେ ଆମ ତରଫରୁ ଗୁରୁଦେବ ବିଳମ୍ବଜନିତ ତ୍ରୁଟିଯୋଗୁଁ ଦର୍ଶକଙ୍କ ନିକଟରେ କ୍ଷମାପ୍ରାର୍ଥନା ମାଗିଥିଲେ ଓ ପରେ ପରେ ଅଭିନୟ ଆରମ୍ଭ ହେଇଥିଲା ।

 

ମୋର ପଦେ କହିବାର ଅଛି । ସବୁ ଦେଶରେ ଏବଂ ଆମ ଦେଶରେ ମଧ୍ୟ କୌଣସି କଳା ସମ୍ପର୍କୀୟ ଉତ୍ସବ ପାଳନ କଲାବେଳେ ସମସ୍ତେ ମୁକ୍ତ କଣ୍ଠରେ ଭାଷଣ ଦିଅନ୍ତି ଯେ କଳା, ଜାତିର ମାନଦଣ୍ଡ । ଯୋଉ ଜାତିର କଳା ଯେତେ ଉନ୍ନତ, ସେ ଜାତି ସେତେ ଉନ୍ନତ ବୋଲି ପ୍ରମାଣିତ ହୁଏ । କେହି କେହି ଭାବପ୍ରବଣ ହୋଇ କହିପକାନ୍ତି ଯେ ରଙ୍ଗମଞ୍ଚ ହେଲା ଜାତିର ମାନମନ୍ଦିର । ସେଇଠାରେ ହିଁ ଜାତିର ସଭ୍ୟତା ଓ ସଂସ୍କୃତିର ମାନ ନିରୂପଣ କରାଯାଇପାରେ । ମୁଁ ଅଧମ ମଧ୍ୟ ଏକଥାରେ ଏକମତ । କିନ୍ତୁ ପରିତାପର ବିଷୟ, ଏଭଳି ମହତ ବାକ୍ୟ କହିବାକୁ ଆମ ଦେଶରେ ବହୁଲୋକ ଦେଖିବାକୁ ମିଳନ୍ତି, ହେଲେ ଏକଥାକୁ ସତ୍ୟରେ ପରିଣତ କରିବାକୁ ଲୋକ ମିଳନ୍ତି ନାହିଁ ।

 

ବାକ୍ୟବୀର ଅନେକ । କର୍ମବୀର ଅଳ୍ପମାତ୍ର । ‘‘ସଲିଳ ନ ଥାଇ ଶୁଷ୍କ ଦଣ୍ଡବତ–ଦେବାକୁ ଅଛନ୍ତି ଲୋକ ଶତଶତ ।’’ କବିବର ଯଥାର୍ଥରେ କହିଛନ୍ତି । ମୋ ଜାଣିବାରେ ଜାତିର ବିନା ସମର୍ଥନରେ, ବିନା ସାହାଯ୍ୟରେ, ବିନା ଉତ୍ସାହରେ କେବେହେଲେ କଳା ତିଷ୍ଠି ରହି ନ ପାରେ । କଳା ଯଦି ମାନବକୁ କରିପାରିଲା ମହାମାନବ, ରୁଚିବନ୍ତ, ମାର୍ଜିତ, ତେବେ କଳା ପ୍ରତି ମାନବର କ’ଣ କୌଣସି ଅବଦାନ ରହିବା ଉଚିତ ନୁହେଁ ? କୌଣସି ତ୍ୟାଗ ରହିବା ଅସମୀଚୀନ ? କଳା କ’ଣ କେବଳ ଉପଭୋଗର ସାମଗ୍ରୀ ??

 

ହତଭାଗା, ହେ ମୋର କଳାକାର ବନ୍ଧୁଗଣ ! ଆପଣମାନେ କେବେହେଲେ କ’ଣ ବ୍ୟାଧିଗ୍ରସ୍ତ ଦର୍ଶକ ମୁଖରେ କ୍ଷଣକ ଲାଗି ଟାଣି ନାହାନ୍ତି ହାସ୍ୟର ରେଖା ? ଜରାଗ୍ରସ୍ତ ଦର୍ଶକ ମନରେ ଆଣି ନାହାନ୍ତି କ୍ଷଣକ ପାଇଁ ଯୁବକର ଚଞ୍ଚଳତା ? ଆପଣ କ’ଣ କେବେହେଲେ ବିରହ–ବିଧୁର ଦର୍ଶକକୁ ଦେଇ ନାହାନ୍ତି ମିଳନର ସନ୍ଧାନ ? ନିଜ ସମାଜରେ ନିଜେ ଜଳି ସମାଜକୁ କରିଛନ୍ତି ଆଲୋକିତ । କିନ୍ତୁ ତାର ପ୍ରତିଦାନରେ ?

 

ପ୍ରତିଦାନରେ ? ବାହାବା, ସାବାସ୍‌, ଏମିତି ଗୋଟା କେତେ କର୍ଣ୍ଣରୋଚକ ଶବ୍ଦ । ତା’ପରେ ସବୁ ନୀରବ ସବୁ ଶୂନ୍ୟ । କେହି ଚିହ୍ନିବେ ନାହିଁ । କେହି ପଚାରିବେ ନାହିଁ, ପୁଣି ଦେଖାହେବ ସେଇ ରଙ୍ଗମଞ୍ଚ ଉପରେ । ତା’ ନ ହେଲେ ତୁମର ଅସ୍ତିତ୍ଵ ଆଉ କେଉଁଠାରେ ଆମେ ଉପଲବ୍ଧି କରିବାର ସୁଯୋଗ ନାହିଁ । ତୁମେ ଜଳ, ଖୁବ୍‌ ଧୂ ଧୂ ହେଇ ଜଳ ।

 

ଛତ୍ରପୁରରେ ଅଭିନୟ ଆମର ଚାଲିଲା ବେଶ୍‌ ଜୋରସୋରରେ । ପ୍ରତିଯୋଗିତା–ମୂଳକଭାବେ । କିନ୍ତୁ ଅନ୍ୟ କେଉଁ ଦଳ ସେଠାରେ ଆମର ପ୍ରତିବନ୍ଧକ ହେଲାଭଳି ନ ଥିଲେ । ମାତ୍ର ପଦ୍ୟାଲୁ ଗୋଷ୍ଠୀ ଥିଲେ ସଂଖ୍ୟାଧିକ, ଏଣୁ ସେଇମାନଙ୍କୁ ଆଖି ଆଗରେ ରଖି ଅଭିନୟ କରୁଥିଲୁ । ଅଭିନୟ ଯେ ଉଚ୍ଚକୋଟୀର ହେଉଥିଲା ତାହା ଆମର ଦର୍ଶକ ଗ୍ୟାଲେରୀ ଦେଖ‌ିଲେ ସହଜରେ ବୁଝାପଡ଼ୁଥିଲା । କାରଣ ଦୋକାନର ସଂପଦ ଉପରେ ତ ଗହଳିର ଆଗମନ ନିର୍ଭର କରେ । ଅମଲା, ଶିକ୍ଷକ, ବ୍ୟବସାୟୀ, ପ୍ରତ୍ୟେକ ଆସୁଥାନ୍ତି ନାଟକ ଦେଖିବାକୁ । ବଡ଼କଥା ହେଲା ଆମମାନଙ୍କ ମନରେ ଯେତେ ଜାତୀୟତା ଭାବ ପ୍ରବଳ ଭାବରେ ବସା ବାନ୍ଧି ଥାଉନା କାହିଁକି ସେଠାରେ ଆମେ ଏତିକି ଶିକ୍ଷା ପାଇଲୁ ଯେ କଳାକାର ଏମିତି ଗୋଟାଏ ସ୍ଵତନ୍ତ୍ର ଗୋଷ୍ଠୀ, ଯାହାଙ୍କ ନିକଟରେ କଳାକାର, କଳାକାର ଭିତରେ ଭେଦ ବିଚାର କରିବା ଅତି କମ୍‌ ଦେଖାଯାଏ । ଜଣେ କଳାକାର ସେ ଯୋଉ ଜାତିର ହଉନା କାହିଁକି ଅନ୍ୟଜଣେ କଳାକାରକୁ ନିଶ୍ଚୟ ସ୍ନେହ କରିବ, ଭକ୍ତି କରିବ ।

 

ଏକଥା କହିବାର ଅର୍ଥ ହେଲା–ଛତ୍ରପୁରରେ ଅନ୍ୟ ଜାତିର ଯୋଉସବୁ କଳାକାର ଗୋଷ୍ଠୀ ଆମେ ଦେଖୁଥିଲୁ ସେମାନେ ଆମ ଭାଷାକୁ ବୁଝନ୍ତୁ ନ ବୁଝନ୍ତୁ, ମାତ୍ର ଅଧିକ ସଂଖ୍ୟାରେ ଆସୁଥିଲେ ଆମ ରାସ ଦେଖିବାକୁ I ସମର୍ଥନ କରୁଥିଲେ ମଧ୍ୟ । ତାଙ୍କ ଭିତରୁ କେହି କେହି ଅଭିନୟ ଦେଖି ଉପହାର ଦଉଥିଲେ । ଏଥିରୁ ଆମେ ଉପଲବ୍ଧି କରୁଥିଲୁ ଯେ ନା । କଳାକାରମାନେ ମନରୁ ସଂକୀର୍ଣ୍ଣ ଭାବଧାରାକୁ ପୋଛି ପକେଇବା ଉଚିତ । ସବୁ କଳାକାର ଯେ ଈଶ୍ଵରଙ୍କ ଅଂଶବିଶେଷ ।

 

ରଥଚକ ଗଡ଼ିଚାଲିଲା ପରି, ଦିନ ପରେ ଦିନ ଧରି ଛତ୍ରପୁରରେ ଆମ ରହଣିର ସମୟ ଚକ ଗଡ଼ିଚାଲିଲା । ଭାବିଥିଲୁ ଅଳ୍ପଦିନ ଲାଗି ସେଠାରେ ରହିବୁ ବୋଲି; କିନ୍ତୁ ଯାହା ଦେଖାଗଲା ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ନ୍ୟାୟରେ, ହାରାହାରି ଗୋଟାଏ ମାସ ସେଠାରେ ଅଟକିଗଲୁ ।

 

ହଠାତ୍‌ ଦିନେ ମୁଁ ଏକ ଦୁର୍ଘଟଣାର ସମ୍ମୁଖୀନ ହେଲି । ବିହାରୀ ବାବୁ ବୋଲି ଜଣେ ଭଦ୍ରଲୋକ ରହୁଥିଲେ ଆମ ଦଳରେ । ଅନୁଷ୍ଠାନରେ, ଧରଣୀ ବାବୁଙ୍କୁ ସାହାଯ୍ୟ କରିବାକୁ ଓ ପରିଚାଳନା ବିଭାଗରେ ଆଉ କେତେକ ଗୁରୁତ୍ଵପୂର୍ଣ୍ଣ କାମ ପାଇଁ ଦାୟିତ୍ଵ ଦିଆଯାଇଥାଏ ତାଙ୍କୁ, ଅତି ଭଦ୍ରଲୋକ । ବିନା ବାକ୍ୟରେ କାର୍ଯ୍ୟ ସଂପାଦନ କରିବାରେ ବଡ଼ ଧୁରନ୍ଧର ସେ । ଅନୁଷ୍ଠାନର ପିଲା, ବଡ଼ ସମସ୍ତଙ୍କ ସହିତ ହସଖୁସିରେ ଚଳିବାକୁ ଆଗ୍ରହ ତାଙ୍କର । ଆମମାନଙ୍କଠାରୁ ବୟସରେ ଖୁବ୍‌ ବଡ଼ । ସାନ ଭାଇଠାରୁ ଅଧିକ ସ୍ନେହ କରୁଥିଲେ ସେ ମୋତେ ।

 

ସେଦିନ ଅଭିନୟ ସାରି ଫେରିଛୁ ବସାକୁ । ଜହ୍ନ ଆଲୁଅରେ ଖାଇସାରି ଟିକିଏ ଚଲାବୁଲା କରୁଛୁଁ, ଗୋଟାଏ କଥା ପ୍ରସଙ୍ଗରେ ବିହାରୀବାବୁ ମୋତେ ଦୁଇ ହାତରେ ଉପରକୁ ଟେକିଦେଇ ଶୂନ୍ୟରେ ଛାଡ଼ିଦେଇ ପୁଣି ଧରିଲାବେଳକୁ ମୁଁ ଆଉ ତାଙ୍କ ହାତରେ ନ ପଡ଼ି ପଡ଼ିଲି ଗୋଟାଏ କଟା ଗଛର ମୁନିଆ ଗଣ୍ଡି ଉପରେ । ଆଖି, ନାକ, ଓଠ ମୋର ଛେଚି ହେଇଗଲା ସେଇ ତୀକ୍ଷ୍ଣ ଗଛଗଣ୍ଡି ଦେହରେ ।

 

ଆଖିରୁ ମୋର ଜୁଳୁଜୁଳିଆ ପୋକ ବାହାରିଗଲା । ଛୁଟିଲା ରକ୍ତର ସ୍ରୋତ । ଘଣ୍ଟାକ ଭିତରେ ମୁହଁଟା ମୋର ଫୁଲିଉଠି ସବୁଆଡ଼ ସମାନ ହୋଇଗଲା । କେବଳ କାନ ଦୁଇଟା ତାର କାର୍ଯ୍ୟକାରିତା ଶକ୍ତି ହରେଇ ନ ଥିଲା ନଚେତ୍‌ ପାଟି, ନାକ, ଆଖି ଏମାନେ ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଥିଲେ ।

 

ପବନ ବେଗରେ ସମ୍ବାଦଟା ଗୁରୁଦେବଙ୍କ କର୍ଣ୍ଣରେ ପ୍ରବେଶ କଲା । ଆଉ ଯାଉ କୁଆଡ଼େ ? ବାଘ ନବାଠାରୁ ତା’ର ଘୋସରା ବାଧିଲା । କ’ଣ ସେ ଶବ୍ଦ, କ'ଣ ସେ ଭାଷା । ଆମର ସପ୍ତପୁରୁଷ ଉଦ୍ଧାରିଦେଲେ । ଅଭିଧାନରେ ଅ’ଠାରୁ–ହ’ ଭିତରେ ଯେତେ ଯୁଆଡ଼େ ଅଶ୍ଳୀଳ ଶବ୍ଦ ଥିଲା, ସେ ସବୁଗୁଡ଼ିକ ଏକତ୍ର କରି ଆମ ଦୁଇଜଣଙ୍କ ଉପରେ ଲଦିଦିଆଗଲା ।

 

କିଛିଦିନ ପାଇଁ, ଅଭିନୟ କରିବାର କ୍ଷମତା ହରେଇଲି ମୁଁ । ଚିକିତ୍ସା କରାଗଲା । ଔଷଧ ଦିଆଗଲା; କିନ୍ତୁ କୋଉଥିରେ ହେଲେ ମୁହଁରୁ ମୋର କଥାପଦେ ସୁଦ୍ଧା ବାହାରିଲା ନାହିଁ । ଛତ୍ରପୁରରୁ ଆମର କ୍ୟାମ୍ପ୍‌ ଉଠିଲା ବରହମପୁରକୁ । ଆଗରୁ ତ ଆପଣମାନେ ଜାଣିଛନ୍ତି ଯେ ଶ୍ରୀସାକ୍ଷୀଗୋପାଳ ନାଟ୍ୟ ସଂଘର ମଧୁମଙ୍ଗଳ (ବଟୁ) ବିନା ଅଭିନୟ କରିବା ସମ୍ଭବ ନ ଥିଲା । ମାନୁଛି ମୁଁ । ଗୁରୁଦେବଙ୍କର ମୋ ପ୍ରତି ଯେତେ ରକମର ପାତର ଅନ୍ତର ବିଚାର ଥିଲେ ମଧ୍ୟ ମୋର ଅଜାଣତରେ ତାଙ୍କର ଦୃଷ୍ଟିଟା କିନ୍ତୁ ମୋ ଉପରେ ରହୁଥିଲା ବେଶି ।

 

ମୁଁ ଯେମିତି କୌଣସି ଦୁର୍ଘଟଣାଗ୍ରସ୍ତ ନ ହୁଏ, ସେଥିଲାଗି ସେ ମୋର ଅନ୍ତରାଳରେ ଯେତିକି କଠୋର ବ୍ୟବସ୍ଥା ଗ୍ରହଣ କରୁଥିଲେ ଏବଂ କିଛି ଗୋଟାଏ ମୋର ହେଇଯାଉଥିଲେ ସେ ସେତିକି ପରିମାଣର ଉଗ୍ରମୂର୍ତ୍ତି ଧାରଣ କରି, ସୃଷ୍ଟିଛଡ଼ା ବାକ୍ୟ ବାଣରେ ମୋର ଚୌଦପୁରୁଷଙ୍କୁ ଜର୍ଜରିତ କରୁଥିଲେ ।

 

ରେଳରେ ଗଲେ–ଛତ୍ରପୁର ଆଗଷ୍ଟେସନ୍‌ ବରହମପୁର । ଅଳ୍ପବାଟ । ସଦଳବଳେ ପହଞ୍ଚିଗଲୁ ବରହମପୁର ରେଳଷ୍ଟେସନ୍‌ରେ । ଏଇ ଷ୍ଟେସନ୍‌ ବିଷୟରେ ଧାରଣା ଆଗରୁ ଆପଣମାନଙ୍କୁ ଦେଇସାରିଛି । ଏଠାରୁ ସିଧା ଆମର ଯିବାର କଥା, ସାରଥୀ ସାହୁଙ୍କ ପେଣ୍ଡାଲ୍‌କୁ । ସେଇ ପେଣ୍ଡାଲ୍‌ରେ ଆମମାନଙ୍କର ରହଣି ସ୍ଥାନ ସ୍ଥିର କରାଯାଇଥାଏ । ତେଣୁ ରେଳରୁ ଓହ୍ଲେଇବା ସାଙ୍ଗେସାଙ୍ଗେ ଝଟ୍‌କାରେ ବସି ଚାଲିଲୁ ବାରାକ୍‌ ଦେଇ, ବରହମପୁରର ପୁରାତନ ରଙ୍ଗମଞ୍ଚକୁ । ବିରାଟ ଟିଣଘର । ନିକଟରେ ପ୍ରଜାବନ୍ଧୁ ପ୍ରେସ ଓ ଆଶା ପ୍ରେସ୍‌ । ଗୋଟିଏ ପୋଖରୀ ଉପରକୁ ଉକ୍ତ ରଙ୍ଗମଞ୍ଚଟି ରହିଥାଏ । ଝାଟିମାଟି କାନ୍ଥରେ ଲାଗିଥାଏ ବଡ଼ ବଡ଼ ଟିଣକବାଟ । ପ୍ରେକ୍ଷାଳୟରେ ପ୍ରବେଶ ପଥ ଥାଏ–ଦୁଇ ପଟରେ–ଚାରି ଚାରିଟା ମିଶି ଆଠୋଟି ଗେଟ୍‌ । ହଲ ଭିତରେ ପିଟ୍‌ (ଖାତ) ବ୍ୟବସ୍ଥା । ସେଥ‌ିରେ ପଡ଼ିଥାଏ ବହୁ ପରିମାଣର ଟିଣ ଚୌକି ।

 

ସାରଥୀ ସାହୁଙ୍କ ରଙ୍ଗମଞ୍ଚ ଆକାରରେ ଏତେ ବିଶାଳ ଥିଲା ଯେ ତାର ଅନନ୍ତ ଗର୍ଭରେ ଆମ ରାସଦଳ ଭଳି ଯୋଡ଼ିଏ, ତିନୋଟି ଦଳ ଖୁସିରେ ରହିଯାଇପାରିବେ । କିନ୍ତୁ ଗରମ ଦିନରେ ସେ ସ୍ଥାନ ବଡ଼ ଯନ୍ତ୍ରଣାଦାୟକ । ଆମେ ଏଠାରେ ପହଞ୍ଚିବା ସମୟ ପ୍ରାୟ ଥିଲା ଫାଲ୍‌ଗୁନ ଓ ଚୈତ୍ର-। ବସନ୍ତ ଲୁଚି ଲୁଚି ଯାଉଥିଲା ଏବଂ ଧୀରେ ଧୀରେ ମୁଣ୍ଡ ଟେକୁଥିଲା ଗ୍ରୀଷ୍ମ । ବରହମପୁରର ବିଖ୍ୟାତ ଲୋକପ୍ରିୟ ଠାକୁରାଣୀ ଯାତ୍ରାର ପ୍ରସ୍ତୁତିପର୍ବ ଶେଷହେଇ ଆସିଥାଏ । ଯାତ୍ରା ଆରମ୍ଭ ହେଇ ନ ଥାଏ ।

ସେତେବେଳର ସେଇ ଅଧା ଓଡ଼ିଆ ଅଧା ତେଲଗୁ ସହରଟି ମଣିଷର ଭିଡ଼ା ଓଟରା ଭିତରେ ସବୁ ସମୟରେ ପ୍ରାୟ ପରିଷ୍କାର ପରିଚ୍ଛନ୍ନ ରହୁଥିଲା । ଓଡ଼ିଶା ପ୍ରଦେଶର ଅନ୍ୟାନ୍ୟ ସହର ଅପେକ୍ଷା ବରହମପୁର ଥିଲା ନିର୍ମଳ ଏବଂ ଏଥିଲାଗି ଘୁଷୁରିମାନଙ୍କ ଅବଦାନ ବହୁ ମାତ୍ରାରେ ପରିଲକ୍ଷିତ ହେଉଥିଲା । ଚାରିଆଡ଼େ ଘୁଷୁରି ଦଳ । ସହରର ଉପକଣ୍ଠରୁ ଆରମ୍ଭ କରି ସହର ଭିତରେ ଯେତେ ସରକାରୀ ବେସରକାରୀ ପାଇଖାନା ଥିଲା ସେସବୁକୁ କେହି ପରିଷ୍କାର କରିବାକୁ ପଡ଼ୁ ନଥିଲା । ଘୁଷୁରିଦଳ କ୍ଷଣକରେ ସେ ମଇଳା ସବୁକୁ ପୋଛି ଦଉଥିଲେ । ଏମିତିକି–ଆପଣ ବସୁ ବସୁ ସାଙ୍ଗେ ସାଙ୍ଗେ ପଛପଟୁ ସଫା । ପ୍ରାକୃତିକ ଉପାୟରେ ଏଭଳି ପରିମଳ ବ୍ୟବସ୍ଥା ପ୍ରତିଦିନ ହେଇଯାଉଥିବାରୁ, ସହରର ବାୟୁମଣ୍ଡଳ ଦୂଷିତ ହେବାର ଆଶଙ୍କା ନ ଥିଲା ।

ସମୟ, ଦିନ ବାରଟାରୁ ଗଡ଼ିଯାଇଥିବାରୁ ହୋଟଲରୁ ଖାଦ୍ୟ ଆସିଲା । ଅରୁଆଭାତ, ଦହିପିଆଜ ପାଚେଡ଼ି, ମାଂସ ତରକାରି, ଚଲ୍ଲା, ନଡ଼ିଆ ପାଚେଡ଼ି ଇତ୍ୟାଦି ସବୁ ସୁସ୍ଵାଦୁ । କେବଳ ମାଂସ ଥିଲା ଅରୁଚିକର । କାରଣ ମାଂସରେ ପଡ଼ିଥିଲା–ବାଇଗଣ, ଶଙ୍ଖସାରୁ ।

ଦୈନିକ ସମ୍ବାଦପତ୍ର ହିସାବରେ ବରହମପୁରରୁ ପ୍ରକାଶ ପାଉଥାଏ ‘ଆଶା’ । ଗୁରୁଦେବ ମଗଉଥାନ୍ତି । ତା’ଛଡ଼ା କଟକରୁ ଆସୁଥାଏ ସମ୍ବଲପୁର ହିତୈଷୀ, ସମାଜ, ପ୍ରଗତି, ଡଗର, ଉତ୍କଳ ଦୀପିକା, ସହକାର, ମୁକୁର । ଏସବୁ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଉଥାଉ ଆମେ । ଆନନ୍ଦଲାଗେ, ଓଡ଼ିଶାର ଅନେକ କବି ଓ ସାହିତ୍ୟିକ ମାନଙ୍କର ମୂଲ୍ୟବାନ ଲେଖାସବୁ ବାହାରୁଥାଏ ସେଇସବୁ ପତ୍ରିକାମାନଙ୍କରେ ।

ଗୁରୁଦେବଙ୍କର ଅନେକ ବିଶିଷ୍ଟ ବନ୍ଧୁ ସେଠାରେ ରହିଥାନ୍ତି । ଆମ ରାସଦଳର ଆଗମନ ବାର୍ତ୍ତା ପ୍ରଚାର ହେଇସାରିଥାଏ ଅନେକ ପୂର୍ବରୁ । ସହରରେ ଗୋଡ଼ ଦଉ ନ ଦଉଣୁ ଜଣ ଜଣ ହେଇ ବନ୍ଧୁମାନେ ଗଡ଼ିବାକୁ ଲାଗିଲେ । ସେମାନଙ୍କ ଭିତରେ ମହୁରୀ ଯୁବରାଜ ଥିଲେ ଅନ୍ୟତମ । ବେଶ୍‌ ମୋଟା ପୃଥୁଳକାୟ ମଣିଷ । ପୁଣି ସୁରଙ୍ଗି ରାଜାସାହବ ଓ ତାଙ୍କର ଭାଇମାନେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ଅତି ଅତରଙ୍ଗ ବନ୍ଧୁ । ଏମାନେ ମଧ୍ୟ ଆସିବାକୁ ଲାଗିଲେ । ନୂଆ ନୂଆ ବିଶିଷ୍ଟ ମାନ୍ୟଲୋକଙ୍କୁ ଦେଖି, ଆନନ୍ଦରେ ଅଧିର ହେଇପଡ଼ୁଥିଲୁ ଆମେ । ଗହଳ ଚହଳରେ ଫାଟି ପଡ଼ୁଥିଲା ପେଣ୍ଡାଲ ।

ଦୁଇ, ଚାରିଦିନ ବିଶ୍ରାମ ନେଲୁ । କାରଣ, ଷ୍ଟେଜ୍‌ ବନ୍ଧାବନ୍ଧି, ସହରରେ ଭଲ ଧରଣର ଆମମାନଙ୍କ ଆଗମନର ପ୍ରଚାର ଏବଂ ସର୍ବୋପରି ମୋର ନିଜର ବିଶେଷ ବିଶ୍ରାମର ଦର୍କାର ଥିଲା-। ଔଷଧ ଖିଆ ଚାଲିଥାଏ । ଏକା ସାଙ୍ଗରେ ଦୁଇ ଦୁଇଟା ଚିକିତ୍ସା । ଡାକ୍ତରି ଓ ବାଇଓକେମିକ୍-

ଶ୍ରୀ ପଟ୍ଟନାୟକ ନିଜେ ବାଇଓକେମିକ୍‍‌ ଅଭ୍ୟାସ କରୁଥାନ୍ତି । ଅନୁଷ୍ଠାନରେ କାହାର କେତେବେଳେ କ’ଣ କିଛି ଟିକିଏ ହେଲେ, ତାଙ୍କର ସେଇ ବାରଟି ଔଷଧ ଶିଶିରୁ, କେବେ କାଲିଫସ୍‌, କାଲ୍‌କାରିଆଫସ୍‌, କାଲିମୋର୍‌, ନେଟ୍ରୋମୋର୍‌ ଇତ୍ୟାଦି ଭିତରୁ ଗୋଟିଏ କିଛି ପ୍ରୟୋଗ କରି ରୋଗ ଆରୋଗ୍ୟ କରିଦଉଥିଲେ ।

 

ଈଶ୍ଵରଙ୍କ କୃପାରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲି । ନାଟକ ଆରମ୍ଭ ହେବାର ଆୟୋଜନ ସରିଯାଇଥାଏ । ଆସିଲା ସେଇ ଶୁଭମୁହୂର୍ତ୍ତ । ଗଞ୍ଜାମର ପ୍ରଧାନ ସହର ବରହମପୁରରେ ଆମର ବହୁ ଆକାଙ୍‍କ୍ଷିତ ଦର୍ଶକ ମଣ୍ଡଳୀ ନିକଟରେ ଉପସ୍ଥାପିତ କରିବୁ ନୂତନ ଢଙ୍ଗର, ନୂତନ ସ୍ଵାଦର ରାସକଳା, ଯୋଉ ରାସକଳା ଏଥ‌ିପୂର୍ବରୁ ବହୁ ଅନୁଷ୍ଠାନ ପ୍ରଦର୍ଶନ କରିଯାଇଛନ୍ତି ଏବଂ ତା’ର ପ୍ରତିଦାନରେ କଳାରସିକ ବରହମପୁରବାସୀଙ୍କ ଠାରୁ ପାଇଛନ୍ତି ଥଳୀପୂର୍ଣ୍ଣ ମୁଦ୍ରା ।

 

ଅଭିନୟ ଜୀବନରେ ଅଭିନେତା ତାର ପ୍ରଥମ ଅଭିନୟ ରଜନୀଟି ତା’ ନିକଟରେ ଯେପରି ଅତି ଗୁରୁତ୍ଵପୂର୍ଣ୍ଣ ସେଇପରି ଯେକୌଣସି ନାଟ୍ୟାନୁଷ୍ଠାନ, ଗୋଟିଏ ସ୍ଥାନରେ ନୂଆ କରି ତାର କାର୍ଯ୍ୟକ୍ରମ ଆରମ୍ଭ କରିବା ସମୟଟି ବଡ଼ ସଂଶୟପୂର୍ଣ୍ଣ । ସେଥିରୁ ସାପ ବାହାରିବ କି ବେଙ୍ଗ ବାହାରିବ କହିବା କଷ୍ଟକର । ଅର୍ଥାତ୍‌ ନାଟ୍ୟାନୁଷ୍ଠାନ, ଜନସାଧାରଣଙ୍କ ଉପରେ କିଭଳି ପ୍ରଭାବ ପକଉଛି ସେକଥା ପୂର୍ବରୁ କୁହାଯାଇ ନ ପାରେ । ଅଭିନେତା କ୍ଷେତ୍ରରେ ମଧ୍ୟ ଠିକ୍‌ ଅନୁରୂପ ମତ ପ୍ରକାଶ ପାଇଥାଏ ।

 

ଅନୁଭବରୁ ଜଣାପଡ଼ିଛି ଯେ ଧରନ୍ତୁ ଗୋଟିଏ ନାଟକ ତାର ଷ୍ଟେଜ୍‌ ରିହର୍‌ସାଲ୍‌ ବେଳେ ଆମ ମନରେ ଧାରଣା ଆଣିଛି କି ଏହା ନିଶ୍ଚୟ ଅଭିନୟବେଳେ ସଫଳତା ଆଣିବ, କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ମିଳିଛି ଓଲଟା । ସେଇ ନାଟକ ସଫଳତା ହାସଲ କରିବା ତ ଦୂରର କଥା ବରଂ ଦର୍ଶକଙ୍କ ପାଖରେ ଗୋଟିଏ ସପ୍ତାହରୁ ବେଶି ଆଗେଇ ପାରି ନାହିଁ । ପୁଣି ସେଇଭଳି ଅନ୍ୟ ଗୋଟିଏ ନାଟକକୁ ରିହର୍‌ସାଲ୍‌ ସମୟରୁ ତାର ବିଫଳତା ବିଷୟରେ ଚିନ୍ତାକରି ନାକ ଟେକିଛୁଁ ଅଥଚ ସେଇ ନାଟକ ଶେଷରେ ଦର୍ଶକଙ୍କୁ ସନ୍ତୁଷ୍ଟ କରିଛି ଏବଂ ଆଣିଦେଇଛି ବିପୁଳ ଅର୍ଥ ।

 

ସେଇଥିଲାଗି ବରହମପୁରରେ ପ୍ରଥମ ଅଭିନୟ ରଜନୀ ପୂର୍ବରୁ ଆମେମାନେ ଅନାବନା ଚିନ୍ତାସବୁକୁ ମଥାରେ ପୂରେଇଥିଲୁ । କାଳେ କ’ଣ ହବ, ଛୋଟଛୋଟ ପିଲାଙ୍କର ଅପରିପକ୍ଵ କଳାବଦାନକୁ ସେଠାକାର ମାର୍ଜିତ ଦର୍ଶକ କିପରି ଗ୍ରହଣ କରିବେ, ଏମିତି ଅନେକ ଚିନ୍ତା ।

 

ଶୁଣିଥିଲୁ ପାଖ ପଡ଼ୋଶୀ ପ୍ରଦେଶରୁ, ଭଲ ଭଲ ନାଟ୍ୟଦଳ ବରହମପୁରକୁ ମଝିରେ ମଝିରେ ଆସି ପରିବେଷଣ କରି ଯାଉଥିଲେ ନାଟକ ସବୁ । ସେସବୁ ଅନୁଷ୍ଠାନ ନିକଟରେ ଆମେ କେତେ କ୍ଷୁଦ୍ର, କେତେ ନଗଣ୍ୟ, କେବଳ ଏଇକଥା ମନ ଭିତରେ ତୁହାକୁତୁହା ଉଙ୍କି ମାରୁଥିଲା । ଭୟରେ ଛାତି ଥରୁଥାଏ ।

 

ସେଦିନ ଖୁବ୍‌ ଆଡ଼ମ୍ବରପୂର୍ଣ୍ଣ ଭାବରେ ନାଟକ ଆରମ୍ଭ ହେଲା । ବିରାଟ ପ୍ରେକ୍ଷାଳୟ ହେଲା ଦର୍ଶକରେ ପୂର୍ଣ୍ଣ । କେତେକ ନିମନ୍ତ୍ରିତ ଭଦ୍ରବ୍ୟକ୍ତିଙ୍କ ଛଡ଼ା ବାକି ସବୁଶ୍ରେଣୀର ଚୌକି, ବେଞ୍ଚ ହେଲା ଭରପୁର୍‌ । ମଞ୍ଚର ବାହାର ଓ ଭିତର ହେଇଥାଏ ଡେଲାଇଟ୍‌ରେ ଆଲୋକିତ । ଦିନ କି ରାତି ବାରି ହଉ ନ ଥାଏ । ନାଟକଟି ଥିଲା ‘‘ଚତୁର କାହ୍ନା’’ ଯୋଉଥିରେ ଅଧିକାଂଶ ସଙ୍ଗୀତ ଥିଲା ପ୍ରାଚୀନ କବିଙ୍କର । ସେଥିରୁ ଗୋଟିଏ ଦୁଇଟି ସଙ୍ଗୀତର କେତୋଟି ଧାଡ଼ି ଏଠାରେ ଲେଖିବାକୁ ମନ ବଳୁଛି–

 

‘‘ରଖିଲା ମନ ବିମ୍ବାଧରୀ ଧରିଲେ

ରମଣୀ ସେ କାହାର–ନୂଆ ହୋଇ ବାହାର

ଗତି ମନ୍ଥର ନିନ୍ଦା କରି କରୀରେ ।’’

 

‘‘ମୋ ଭାଲେ ଥିଲା କି ଲିହି

କଲି ମଲ୍ଲୀ ରୋପଣ–ତହୁଁ ଜନ୍ମିଲା ତୃଣ

ଚିନ୍ତା ରତନ କ’ଣ–ହେଲା ସତେ ପାଷାଣ

ମୋ ଭାଲେ ।’’

 

‘‘ମଦାଳସୀ ମନ୍ଦେ ହସି

ନେତ୍ରଢ଼ାଳି ଯାହା ଚାହିଁଦେଲାରେ,

ଗୁରୁଚାଷ ଅଞ୍ଜନଗୁଣ–ସନ୍ଧି ତହିଁ କଟାକ୍ଷ ବାଣ

ରୋଷରେ କ୍ଷିପ୍ରରେ–ରମଣୀ ମୋ ପରେ

ପଟେ ପଟେ କରି ବିନ୍ଧୁଥିଲାରେ

ମଦାଳସୀ... ।’’

 

‘‘ପ୍ରୀତିଛୁରୀ ଶାଣଦିଆରେ–ବାଜିବ ଛାତିକି କର ଲୁହାରେ

ମାର କାରିଗର ଯତନେ ଗଢ଼ିଛି–ତହିଁରେ କଳଙ୍କ ବିଷ ପିଆରେ

ପ୍ରୀତିଛୁରୀ... ।’’

 

ଏଇସବୁ ପ୍ରାଚୀନ ସଙ୍ଗୀତବହୁଳ ‘ଚତୁର କାହ୍ନା’ ନାଟକଟି ମୂଳରୁ ଚୂଳ ପର୍ଯ୍ୟନ୍ତ ଏମିତି ଭାବରେ ସର୍ବାଙ୍ଗସୁନ୍ଦର ହୋଇ ଅଭିନୀତ ହେଲା, ଯାହାକି ଆମେମାନେ କଳ୍ପନାରେ ସୁଦ୍ଧା ଆଣି ନ ଥିଲୁ ଦର୍ଶକମାନେ ମଧ୍ୟ ଆଶାକରି ନ ଥିଲେ ସାଧାରଣ ରାସଦଳଟି ତାଙ୍କ ମନରେ ଏତେ ଗଭୀର ରେଖାପାତ କରିବ ବୋଲି ।

 

ନାଟକ ଶେଷ ହେଲାବେଳକୁ ଆମେ ପ୍ରାୟ ପ୍ରତ୍ୟେକ ଅଭିନେତା ସମ୍ପୂର୍ଣ୍ଣ ଝାଳରେ ଗାଧେଇ ପଡ଼ିଥିଲୁ । ଯବନିକା ପତନ ସାଙ୍ଗେ ସାଙ୍ଗେ ମୁଁ ମଧ୍ୟ ସେଇ ବେଶ ପୋଷାକ ପିନ୍ଧି ମଞ୍ଚ ଉପରେ ଶୋଇପଡ଼ିଲି । ଦେହରେ ସତେ ଯେମିତି ପ୍ରାଣ ନ ଥିଲା । ଶ୍ଵାସ ରୁଦ୍ଧ ହେଲେ ଯେମିତି ଲାଗେ ଠିକ୍‌ ସେମିତି ଅନୁଭବ କରୁଥିଲି । ନାଟକଟି ଯେ ଖୁବ୍‌ ଭଲ ଭାବରେ ଅଭିନୟ କରାଯାଇପାରିଛି–ତାର ଆଭାସ ଶୁଣିବାକୁ ପାଉଥିଲି ମଞ୍ଚ ଭିତରେ ଥ‌ିବା ମୋର ସହକର୍ମୀମାନଙ୍କ କଥାବାର୍ତ୍ତାରୁ ।

 

ଈଶ୍ୱର ବଞ୍ଚେଇଦେଲେ । ସମସ୍ତଙ୍କ ମୁଣ୍ଡରୁ ବିରାଟ ବୋଝ ଉତୁରିଗଲା । ତାପରେ ଚାଲିଲା ଧାରାବାହିକ ଭାବରେ ଗୋଟିଏ ପରେ ଗୋଟିଏ ନାଟକର ଅଭିନୟ । ସବୁଦିନ ହାଉସ୍‌ ଫୁଲ୍‌ । ମନଲାଖି ଅର୍ଥ ମିଳିଲା । ଆମେମାନେ ବୁଝିଥିଲୁ ଯେକୌଣସି କାମକୁ ମନରେ ଭୟ ରଖି କଲେ ନିଶ୍ଚୟ ତାର ସୁଫଳ ମିଳିବ ।

 

ଆମ ରାସଦଳର ସଫଳତା ବିଷୟରେ ଓଡ଼ିଶାର ବିଭିନ୍ନ ସମ୍ବାଦପତ୍ର ସେତେବେଳେ ନୀରବ ରହିନଥିଲେ; ଆଶା, ପ୍ରଜାବନ୍ଧୁ ଦୈନିକ କାଗଜରେ ଅନୁକୂଳ ମତାମତ ପ୍ରକାଶ ପାଉଥିଲା-। ଏସବୁ ମତାମତରେ ଆମ ପାଇଁ ଥିଲା ଉତ୍ସାହ, ଉଦ୍ଦୀପନା ଅନ୍ୟାନ୍ୟ ରାସମଣ୍ଡଳୀଠାରୁ-। କାଳୀବାବୁଙ୍କ ରାସ ଯେ ଏକ ସ୍ଵତନ୍ତ୍ର ଢଙ୍ଗର ଏବଂ ସ୍ଵତନ୍ତ୍ର ସ୍ଵାଦର ଏକଥାକୁ ସବୁଧରଣର ସମାଲୋଚକମାନେ ମୁକ୍ତକଣ୍ଠରେ ସ୍ଵୀକାର କରୁଥିଲେ ।

 

ବାସ୍ତବରେ ଆମର ସବୁ ବହିଗୁଡ଼ିକ ଯଦିଚ ପୌରାଣିକ ବୋଲି କୁହାଯିବ; କିନ୍ତୁ ସେସବୁ ସାମାଜିକ ଶୈଳୀରେ ଲିଖିତ ଏବଂ ସାମାଜିକ ନାଟକ ଢଙ୍ଗରେ ପରିବେଷଣ କରାଯାଏ । ସେଥ‌ିରେ ଯେମିତି ଅଧିକ ମାତ୍ରାରେ ପ୍ରାକୃତିକ ବା ବାସ୍ତବ ପରିବେଶ ରୁହେ ସେଥିଲାଗି ଦୃଷ୍ଟି ଦିଆଯାଉଥିଲା । ଭାଷା ରହୁଥିଲା କଥିତ ଏବଂ ସମୟ ଉପଯୋଗୀ ।

 

ସାମାଜିକ ନାଟକ ବିଷୟରେ ମୋର ସେତେବେଳକୁ କିଛି ଧାରଣା ନ ଥିଲା କହିଲେ ଚଳେ । ସାମାଜିକ ନାଟକ ଯେ କେମିତି, କ’ଣ ତାର ଢଙ୍ଗ କିଛି ବୁଝି ନ ଥିଲି । ଆଠଗଡ଼ ରାଜାସାହେବଙ୍କ ସାଙ୍ଗେ କଲିକତାରେ ଯୋଉ ନାଟକ, ସିନେମା ସବୁ ଦେଖିଥିଲି ସେସବୁ ପ୍ରାୟ ଐତିହାସିକ, ପୌରାଣିକ । ବଙ୍ଗଳାରେ ସମ୍ଭବତଃ ସେ ସମୟରେ ସାମାଜିକ ନାଟକର ସ୍ରୋତ ଛୁଟି ନ ଥିଲା । ଆଉ ମେଟ୍ରୋହାଉସ୍‌ ଓ ଲାଇଟ୍‌ହାଉସ୍‌ରେ ଯୋଉ ଇଚ୍ଛାରାଜି ବହି ସବୁ ଦେଖିଥିଲି ସେଥିରୁ କେବଳ ଅଭିନେତାଙ୍କ ଅଭିନୟ ବ୍ୟତୀତ ଆଉ ମୁଁ କିଛି ବୁଝିପାରୁ ନ ଥିଲି । ସେଥିରେ ସାମାଜିକ କିଏ, ଐତିହାସିକ କିଏ ମୋ ପକ୍ଷରେ ବାଛିବା କଷ୍ଟକର ଥିଲା ।

 

ସାମାଜିକ ନାଟକ ବିଷୟରେ ମୋର ଧାରଣା ଆସିଥିଲା ବହୁତ ସମୟ ପରେ । ଯେତେବେଳେ କଟକରେ ଆମେ ଆମର ‘ପ୍ରତିଶୋଧ’ ନାଟକ ଶିକ୍ଷା କଲୁ । ସେତେବେଳେ ମୁଁ ଭଲଭାବେ ବୁଝିଲି ଯେ ଆମେ ଆଗରୁ ଏଥି ପୂର୍ବରୁ ଯୋଉ ରାସବହି ସବୁ ଅଭିନୟ କରୁଥିଲୁ, ସେ ବହିର ରଚନାଶୈଳୀ ଏବଂ ଏ ସମାଜିକ ବହିର ରଚନାଶୈଳୀ ପ୍ରାୟ ଏକାପରି । ଖାଲି ଯାହା ପୋଷାକ ପରିଚ୍ଛଦ ଥିଲା ଅଲଗା । ଆଉ ମଧ୍ୟ ରାସବହିରେ ମୁଁ ମୋର ଯୋଉ ଢଙ୍ଗରେ ଅଭିନୟ କରୁଥିଲି, ପରେ ସାମାଜିକ ବହିରେ ସେଇ ଅଭିନୟ କରିବାକୁ ପଡ଼ିଲା । ସେଥ‌ିରେ ମୋତେ କିଛି ଅଲଗା ଅବା ଅସୁବିଧା ବୋଧ ହେଲା ନାହିଁ । ତାର ପ୍ରଧାନ କାରଣ ଥିଲା ଆମର ଶିକ୍ଷାର ମୂଳଦୁଆ ହିଁ ଆମକୁ ସାମାଜିକ ନାଟକ ଅଭିନୟ କରିବା ଦିଗରେ ଯଥେଷ୍ଟ ଖୋରାକ ଯୋଗେଇଥିଲା ।

 

ଏଇ ଦୃଷ୍ଟିରୁ ଆମ ରାସ ବହିରେ ଦର୍ଶକମାନେ ଦେଖୁଥିଲେ ଏକ ନୂତନ ଦୃଷ୍ଟିଭଙ୍ଗୀର ସଙ୍କେତ ଯାହା ଅନ୍ୟ ଅନୁଷ୍ଠାନରେ ନ ଥିଲା ।

 

ସଂଳାପକୁ ପ୍ରକାଶ କରିବାର ଯୋଉ ସୂକ୍ଷ୍ମ କାଇଦା ଆବଶ୍ୟକ (ଡାଇଲଗ୍‌ ପ୍ରେଜେଣ୍ଟସନ୍‌) ତାହା ଅଭିନେତାକୁ ଜଣାଥ‌ିବା ଦର୍କାର, ସେ କାଇଦାକୁ ଆମେ ପ୍ରାଥମିକ ଅବସ୍ଥାରେ ହିଁ ଆୟତ୍ତକୁ ଆଣିପାରିଥିଲୁ । ମୋ ମତରେ ବଚନିକା (ସଂଳାପ)କୁ ମୁଖସ୍ଥ କରି ଅଭିନୟ କଲେ, ସଂଳାପକୁ ପ୍ରକାଶ କରିବା ନିଶ୍ଚିତଭାବରେ ସୁବିଧା ଓ ବାସ୍ତବ ହେବ । ମୁଁ ଲକ୍ଷ୍ୟ କରିଛି, ଓଡ଼ିଶାର ବହୁ ପ୍ରତିଷ୍ଠିତ ମଞ୍ଚ ଅଭିନେତାଙ୍କଠାରେ ଏଇ ତ୍ରୁଟି ବହୁଳଭାବରେ ଦେଖିବାକୁ ମିଳେ । ଆଧୁନିକ ସାମାଜିକ ନାଟକରେ ଐତିହାସିକ ନାଟକ ଭଳି ପଦପତନ (ଷ୍ଟେପିଙ୍ଗ୍‌) ଓ ସଂଳାପ ଉଚ୍ଚାରଣ ବେଳେ, ପୌରାଣିକ ନାଟକ ଭଳି ଟଣାଟଣା ବଚନିକା । ଅବଶ୍ୟ ଏଥ‌ିପାଇଁ କାହାକୁ ଦାୟୀକରି କିଛି ଲାଭ ନାହିଁ । ଅଭିନେତା ନିଜେ ଏ ଦିଗପ୍ରତି ସଚେତନ ରହିଲେ ସବୁ ସୁଧୁରିଯିବ ।

 

ପୌରାଣିକ, ଐତିହାସିକ ଓ ସାମାଜିକ–ଏ ତିନୋଟି ନାଟକ ସମାନ କାଳର ନୁହେଁ । ତେଣୁ ଏଇ ନାଟକଗୁଡ଼ିକର ସେଇସବୁ ସମୟ ଉପଯୋଗୀ ଭାଷା ଓ ତାର ବାଚନିକ ଭଙ୍ଗୀ ଓ ବେଶ ପୋଷାକରେ ନିଶ୍ଚିତଭାବେ ପାର୍ଥକ୍ୟ ରହିବା ଉଚିତ୍‌ । ଅଭିନୟ ବେଳେ ସେସବୁ କଥାକୁ ଆମେ ଭୁଲିଗଲେ ଚଳିବ ନାହିଁ । ଅଭିନୟରେ ସ୍ମାରକର ବ୍ୟବସ୍ଥା ଅତି ପୁରୁଣାକାଳିଆ ପ୍ରଥା । ଏ ପ୍ରଥାକୁ ଆମ ଅନୁଷ୍ଠାନ ମୂଳରୁ ହିଁ ତ୍ୟାଗ କରିଥିଲା । ଅନେକ ସମୟରେ ଏଇ ସ୍ମାରକ ଯୋଗୁ ହିଁ ଅଭିନେତା ତାର ଏକାଗ୍ରତାରୁ ବିଚ୍ୟୁତ ହୋଇପଡ଼େ । ତା’ ଛଡ଼ା ସଂଳାପକୁ ମୁଖସ୍ଥ କଲେ ଅଭିନେତା କୌଣସି ବାଚନିକ କହିବା ପୂର୍ବରୁ ତାର ଅସଲ ଭାବକୁ ଉପଲବ୍ଧି କରିବାର ସୁଯୋଗ ପାଏ ଓ ଅଭିନେତାର ନିଜର ମାତୃଭାଷାରେ ଅଧିକ ଦଖଲ ଥିଲେ ସେଇ ସଂଳାପର ଭାବକୁ ଆଖିରେ ରଖି ଅନ୍ୟ କିଛି ପ୍ରତିଶବ୍ଦ ପ୍ରକାଶ କରି ଅବସ୍ଥାକୁ ଚଳେଇନିଏ ।

 

ଅନେକ କହନ୍ତି. ସଂଳାପକୁ ମୁଖସ୍ଥ କରିବା ଠିକ୍‌ ନୁହେଁ । ତା’ ଦ୍ଵାରା ଅଭିନେତା ସେଇ ସଂଳାପକୁ ଗଡ଼ ଗଡ଼ କରି ଗାଇଯିବ । କୋଉଠି ରହିଯାଇ ପୁଣି କହିବାକୁ ହବ ଏବଂ କୋଉ ଶବ୍ଦ ଉପରେ କୋଉଠି ଅଧିକ ଜୋର୍‌ ଦେବାକୁ ହେବ ସେ ଦିଗରେ ଅଭିନେତାର ଧ୍ୟାନ ରହିବ ନାହିଁ । ଏଣୁ ସ୍ମାରକର ଡାଇଲଗ୍‌ ଶୁଣି ଡାଇଲଗ୍‌ କହିଲେ, ଏ ଭୟ ଆଉ ନ ଥିବ ।

 

ମାନୁଛି ମୁଁ । ଏ କଥାରେ କିଛି ହୁଏତ ସତ୍ୟତା ଥାଇପାରେ । ଜଣେ ଅନଭିଜ୍ଞ ଶିଳ୍ପୀ ନିକଟରେ ସ୍ମାରକ ବ୍ୟବସ୍ଥା ଗ୍ରହଣୀୟ ସତ; କିନ୍ତୁ ଅଭିଜ୍ଞ ଶିଳ୍ପୀ ଏ ବ୍ୟବସ୍ଥାକୁ ଅନୁମୋଦନ କରିବ ନାହିଁ । ସେ ଭଲକରି ବୁଝିଛି ଯେ ଡାଇଲଗ୍‌କୁ ଯେତେ ଝଡ଼ା ମୁଖସ୍ଥ କଲେ ମଧ୍ୟ ଅଭିନୟ ବେଳେ, ଡାଇଲଗ୍‌କୁ କୋଉ ଅବସ୍ଥାରେ କେମିତି ପ୍ରକାଶ କରାଯିବ । ସ୍ଥାନ, କାଳ, ପାତ୍ରକୁ ଲକ୍ଷ୍ୟରଖି, ନାଟକର ପରିସ୍ଥିତିକୁ କ୍ଷୁର୍ଣ୍ଣ ନ କରି, କେତେବେଳେ ଉଚ୍ଚରେ ବା ନିଚ୍ଚାରେ କହିବ । ଅଭିନେତା ତାର ଅଭିନୟରେ ସ୍ଵୟଂସମ୍ପୂର୍ଣ୍ଣ ନ ହୋଇ କୌଣସି ମାଧ୍ୟମକୁ ଗ୍ରହଣ କଲେ, ନିଜେ ନିଜକୁ ଦର୍ଶକଙ୍କ ଆଖିରେ ଧରା ପକେଇ ଦିଏ ।

 

ବରହମପୁର ସାରଥୀ ସାହୁଙ୍କ ରଙ୍ଗମଞ୍ଚରେ ନାଟକ ଆମର ଚାଲିଥିଲାବେଳେ ମାନ୍ଦ୍ରାଜ ଅଞ୍ଚଳରୁ ଗୋଟିଏ ନାଟ୍ୟଦଳ ଆସିଲେ ସହରକୁ ସେଠାକାର ତେଲ୍‌ଗୁ ସମ୍ପ୍ରଦାୟଙ୍କ ନିମନ୍ତ୍ରଣକ୍ରମେ-। ରାମାୟଣର ବିଷୟବସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ କରିବେ । କିନ୍ତୁ ସାରଥୀ ସାହୁଙ୍କ ପେଣ୍ଡାଲ ଛଡ଼ା ତାଙ୍କ ଲାଗି ଆଉ ସ୍ଥାନ କାହିଁ ? ଅବଶ୍ୟ ସହରରେ ଆଉ ଗୋଟିଏ ସିନେମା ପ୍ରେକ୍ଷାଳୟ ଥିଲା । କୁଚିଆ ଚେଟ୍ଟୀଙ୍କର ସେ ସିନେମା ହାଉସ୍‌ଟି । ବିରାଟ ଝୋଟ ଗୋଦାମ ଭଳି ତାର ଆକାର । ଟିଣରେ ତିଆରି । କଟକର ଏକ୍‌ମି ହଲ୍‌ ଭଳି ସେ ହଲରେ କେବଳ ତେଲଗୁ, ତାମିଲ୍‌, ଆରୁଆ ଅଞ୍ଚଳର ନିର୍ବାକ ଛବି ପ୍ରଦର୍ଶିତ ହେଉଥିଲା । ସବୁଦିନ ନୁହେଁ, ମଝିରେ ମଝିରେ ।

 

ଉପାୟ ନ ଦେଖି ଶେଷରେ ସେଇ ସାରଥୀ ସାହୁ ପେଣ୍ଡାଲଟି ଆମଠାରୁ ଦୁଇଦିନ ପାଇଁ ନେଇ ଅଭିନୟ ଆରମ୍ଭ କଲେ । ଖୁବ୍‌ ଦର୍ଶକ ଗହଳି । ମେକାପ୍‌ର ମ ଅକ୍ଷର ନ ଥିଲା । ଯଦିଚ ପୌରାଣିକ ନାଟକ; କିନ୍ତୁ ନିଜ ନିଜର ଲୁଗା, କମିଜ, ଚାଦର ବ୍ୟତୀତ ଅନ୍ୟ ପୋଷାକ କିଛି ନ ଥିଲା । ହାତରେ ଘଡ଼ିବାନ୍ଧି, ସିଗାରେଟ୍‌ ଟାଣି ଶ୍ରୀରାମ ମଞ୍ଚକୁ ପ୍ରବେଶ କଲେ ।

 

କି ସୁନ୍ଦର ଯୋଗାଯୋଗ । ଆମେ ସବୁ ସେଇ ମଞ୍ଚ ଭିତରେ ଆଶ୍ଚର୍ଯ୍ୟ ହେଇ ଚାହିଁ ରହିଥାଉ । ମନେ ମନେ ଭାବୁଥାଉ କି ନାଟକ ଏ ? ଆମେ ସିନା ତାଙ୍କର ଭାଷା ବୁଝିପାରୁନଥିଲୁ ବୋଲି ଆମକୁ ଟିକିଏ ଅଡ଼ୁଆ ଲାଗୁଥିଲା, ନଚେତ୍‌ ଅଭିନୟ ତାଙ୍କର ଅର୍ଥାତ ଅଙ୍ଗଭଙ୍ଗୀ ଦେଖିବାକୁ ଭଲ ଲାଗୁଥିଲା । ମଝିରେ ମଝିରେ ଦର୍ଶକମାନଙ୍କର କରତାଳିରେ କାନ ଫାଟି ପଡ଼ୁଥିଲା ।

 

ଦଶରଥଙ୍କ ଆଖ‌ିରେ ଚଷମା, ହାତରେ ଘଡ଼ି ଏବଂ ସବୁ ଚରିତ୍ର ହାତରେ ଖଣ୍ଡେ ଖଣ୍ଡେ ପଲ୍‌ମଲ୍‌ ସିଗାରେଟ୍‌ । ସେତେବେଳେ ଚାରିଆଡ଼େ ଚଳୁଥାଏ ସିଜସ୍, ପଲ୍‌ମଲ୍ ଓ ପାସିଙ୍ଗସୋ ସିଗାରେଟ୍‌ । ଗଞ୍ଜାମର ଅଧିକାଂଶ ଲୋକେ କିନ୍ତୁ ଧୂଆଁପତ୍ରରେ ତିଆରି ପିକା ଟାଣିବାରେ ଅଭ୍ୟସ୍ତ-। ବିଡ଼ି ଓ ସିଗାରେଟ୍, ଅଳ୍ପଲୋକ ଟାଣନ୍ତି ।

 

ସେଇ ତେଲଗୁ ନାଟ୍ୟଦଳରେ ଜଣେ ହାସ୍ୟରସ ପରିବେଷଣକାରୀ ଅଭିନେତା ଅଭିନୟ କରୁଥିଲେ, ଯାହାଙ୍କର ପ୍ରତି କଥାରେ ଦଶକ ହସିହସି ବେଦମ୍‌ ହେଇଯାଉଥାନ୍ତି । ଲକ୍ଷ୍ୟ କରୁଥିଲି, ଅଭିନେତାଙ୍କର ଅଭିନୟର ବାହାଦୁରିପ୍ରତି ।

କାହିଁକି କେଜାଣି ମନ ମୋର ପୂରି ଉଠୁଥୁଲା ତାଙ୍କର ଅଭିନୟ ଦେଖି । ଆମର ଏଣେ ସାଧାରଣତଃ ହାସ୍ୟରସ ପରିବେଷଣକାରୀ ଅଭିନେତାଙ୍କୁ, ଦର୍ଶକମାନଙ୍କ ସମ୍ମୁଖରେ ଅଙ୍ଗଭଙ୍ଗୀ କରି କସରତ କରିବାକୁ ପଡ଼େ, ତାଙ୍କୁ କିନ୍ତୁ ସେସବୁ କିଛି ପ୍ରାୟ କରିବାକୁ ପଡ଼ୁ ନ ଥିଲା । ଗୋଟିଏ ଗୋଟିଏ ସ୍ଥାନରେ ଠିଆହେଇ, ଡାଇଲଗ୍‌କୁ ଏମିତି ଢଙ୍ଗରେ ପୁଟଅପ୍‌ (ପ୍ରକାଶ) କରିଦଉଥିଲେ–ବାସ୍‌, କିଛି ସମୟପାଇଁ ଦର୍ଶକ ଗ୍ୟାଲେରୀରେ ଚାଲୁଥିଲା ହସର ବନ୍ୟା ।

ମାନ୍ଦ୍ରାଜର ସେଇ ବିଖ୍ୟାତ ହାସ୍ୟରସ ଅଭିନେତା ଆଜି ସୁଦ୍ଧା ମୋ ମନରେ ଅଛନ୍ତି । ଦର୍ଶକମାନଙ୍କର ହାସ୍ୟରୋଳ, କରତାଳି ଧ୍ଵନି ତାଙ୍କୁ ବିବ୍ରତ କରୁ ନଥିଲା, ବିଚଳିତ କରୁ ନ ଥିଲା । ଅଭିନୟରେ ସେ ଯେମିତି ଏକ ନିଷ୍ଠାବାନ୍‌ ଅଭିନେତା ଥିଲେ । ଯେତିକି ଯୋଉଠି ସୂକ୍ଷ୍ମ ଅଙ୍ଗଭଙ୍ଗୀ (ଆକ୍‌ସନ୍‌)ର ଦର୍କାର ପଡ଼ୁଥିଲା ସେତକ ସେ ଠିକ୍‌ ତାଳ, ଲୟ ଉପରେ ପ୍ରକାଶ କରୁଥିଲେ । ସେସବୁ ଦେଖି ଦର୍ଶକ ନ ହସି ରହିପାରୁ ନ ଥିଲେ ।

ମୋର ମନେହୁଏ, ରଙ୍ଗମଞ୍ଚରେ ଯୋଉସବୁ ନବରସକୁ କେନ୍ଦ୍ରକରି ଭିନ୍ନ ଭିନ୍ନ ଚରିତ୍ର ଆତ୍ମପ୍ରକାଶ କରନ୍ତି ସେଥିଭିତରୁ ହାସ୍ୟରସ ଚରିତ୍ର ମୁଖ୍ୟ ଏବଂ ସର୍ବଶ୍ରେଷ୍ଠ । ଅଭିନୟରେ ହାସ୍ୟରସ ଗ୍ରହଣକାରୀ ଚରିତ୍ର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଆପଣମାନେ ଯେ ନିଶ୍ଚିତ ଭାବରେ ମୋ ମତରେ ଏକ ମତ ହେବେ ସେକଥା ମୁଁ ଜୋର ଦେଇ କହିପାରେ । କାରଣ–ଯୋଉ ରଙ୍ଗପ୍ରବଣ ପୃଥ‌ିବୀରେ ଜୀବନ ସର୍ବଦା ଶୋକଜର୍ଜରିତ, କ୍ଷଣକ ଲାଗି ସେଇ ଶୁଷ୍କ, ନୀରସ ଜୀବନକୁ ସରସ ଓ ଉତ୍‌ଫୁଲ୍ଲ କରିବା କ’ଣ କମ୍‌ କଥା ? ଏହା କେବଳ ହାସ୍ୟରସ ସୃଷ୍ଟି କରୁଥିବା ଅଭିନେତା ଦ୍ୱାରା ହିଁ ସମ୍ଭବ ।

ଅଭାବ, ଅନାଟନ, ହିଂସା, କ୍ରୋଧ, ଭୟ, ବୀଭତ୍ସ ଭିତରେ ମନୁଷ୍ୟ ଯେତେବେଳେ ଅହରହ ଶଢ଼ି ମରୁଛି, ହସିବାକୁ ବେଳ କାହିଁ ? ଅବସର ବା ପାଉଛି କୋଉଠି ? ଏଇ ହେଲା ରଙ୍ଗମଞ୍ଚର ମନସ୍ତତ୍ତ୍ଵ । ଦର୍ଶକଙ୍କୁ ସହଜରେ କନ୍ଦେଇ ଦିଆ ଯାଇପାରେ; କିନ୍ତୁ ହସେଇଦେବା କଠିନ ବ୍ୟାପାର ।

ଚତୁର ହାସ୍ୟରସ ସୃଷ୍ଟିକାରୀ ଅଭିନେତା, ମଞ୍ଚରେ ପ୍ରବେଶ କରି ପ୍ରଥମେ ଦର୍ଶକଙ୍କୁ ଚିହ୍ନିବା ଦର୍କାର । ଏଥ‌ିପୂର୍ବରୁ ଆପଣମାନଙ୍କୁ ତ କହିସାରିଛି ଯେ ମଞ୍ଚରେ ଅଭିନେତା ଓ ଦର୍ଶକିଙ୍କ ମଧ୍ୟରେ ବ୍ୟବଧାନ ଅତି ଦୂର ଏବଂ ଅତି ନିକଟ । ଅଭିନେତା ଚାହିଲେ ଦୂରକୁ, ନିକଟ କରିପାରିବେ । ତା’ପରେ ଅଭିନୟ ମାଧ୍ୟମରେ ବୁଝିବେ ଯେ ଦେଖେଣାହାରୀଙ୍କର ହୃଦୟର ଚାହିଦା କ’ଣ–ସେକଥାକୁ ଅନୁଭବ କରି, କ’ଣ କଲେ ସେମାନଙ୍କର ହାସ୍ୟରସ ସୃଷ୍ଟି ହେବ ଓ ମନଖୋଲା ହସ ସେମାନେ ହସିବେ ତାକୁ ବାଢ଼ିବେ, ଯାହାକୁ କି ଦର୍ଶକ ଗ୍ରହଣ ନ କରି ବସିପାରିବେ ନାହିଁ, ଶେଷରେ ହସି ଉଠିବେ ।

ତା’ ବୋଲି ହାସ୍ୟରସର ଅଭିନେତା ଯଦି ମୁହଁର ଗୋଟିଏ ପଟେ କଳା ଓ ଗୋଟିଏ ପଟେ ଧଳା ବୋଳି ଜୋକର ସାଜି ବିକୃତ ଅବଲୟ କରି ଦର୍ଶକଙ୍କୁ ହସେଇବାକୁ ଚେଷ୍ଟା କରେ, ସେଥିରେ ଯେ ଦର୍ଶକମାନେ ହସିବେ ନାହିଁ–ସେକଥା ମୁଁ କହି ନ ପାରେ । ମାତ୍ର ତାହା ହେବ ମାମୁଲି ଓ ଶସ୍ତା ଅଭିନୟ ।

ଅଭିନୟ ସମୟରେ ହାସ୍ୟରସ ପରିବେଷଣକାରୀ ଅଭିନେତା, ମଞ୍ଚରେ ଥିଲା ପର୍ଯ୍ୟନ୍ତ ହାତେ ମାପି ଚାଖଣ୍ଡେ ଚାଲିବା ନ୍ୟାୟରେ ତାଙ୍କର କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିବ । ତା’ ନ ହେଲେ ଅଭିନୟରେ ଅତିରଞ୍ଜନ (ଠୁ’ମଚ୍‌) ବା ଓଭର ଆକ୍‌ଟିଙ୍ଗ୍‌ ହେଇଯିବାର ଭୟ ବହୁତ ବେଶି ସମ୍ଭାବନା ।

 

ତେବେ ହଁ, ବେଳେବେଳେ ଅଭିନେତାର ଓଭର ଆକ୍‌ଟିଙ୍ଗ୍‌, ଦର୍ଶକଙ୍କ ଆଖିରେ ଧରାପଡ଼େ କେତେବେଳେ, ଯେତେବେଳେ କି ତାର ସହଶିଳ୍ପୀ (କୋ ଆର୍ଟିଷ୍ଟ) ତାଙ୍କ ଅଭିନୟରେ ବାସ୍ତବରେ ବିଫଳ ହୁଅନ୍ତି । ସେ ଯାହାହେଉ, ମଞ୍ଚରେ ମୋର ଦୀର୍ଘ ଦିନର ଅଭିଜ୍ଞତା ନେଇ ମୁଁ ମୋର ଭାବୀ କଳାକାର ବନ୍ଧୁଙ୍କୁ ଅନୁରୋଧ କରୁଛି ସେମାନେ ମଞ୍ଚକୁ ଆସିବା ପୂର୍ବରୁ ମଞ୍ଚ ବିଷୟରେ ସମ୍ପୂର୍ଣ୍ଣ ଧାରଣା ନିଅନ୍ତୁ । କେବଳ ହାସ୍ୟରସ କାହିଁକି, ଆପଣ ଯେକୌଣସି ରସର ଅଭିନୟ କରନ୍ତୁ ପଛକେ, ଉପରଠାଉରିଆ ଭାବେ ଅଭିନୟକୁ ବିଚାର ନ କରି କଳା ଭିତରେ ବୁଡ଼ିଯାଆନ୍ତୁ ଦେଖିବେ କଳାର ସ୍ୱରୂପ । ସତ୍ୟ, ଶିବ, ସୁନ୍ଦର କଳାର ମୁର୍ତ୍ତିମନ୍ତ ବିଗ୍ରହ ନଟରାଜଙ୍କୁ ହୃଦୟରେ ସ୍ଥାନ ଦିଅନ୍ତୁ । ପାଇବେ–ଆନନ୍ଦ, ଉତ୍ସାହ, ପ୍ରେରଣା ।

 

ମୋର ଧାରଣା, ମଞ୍ଚ ଉପରକୁ ଯିବା ପୂର୍ବରୁ ଅଭିନେତା ପ୍ରଥମେ ଶିବମୂର୍ତ୍ତିଙ୍କୁ ଧ୍ୟାନକରି ତାଙ୍କର ଅଭିନୟ ଆରମ୍ଭ କରନ୍ତୁ, ନିଶ୍ଚୟ ସେ କୃତକାର୍ଯ୍ୟ ହେବେ ଏହାର ସତ୍ୟତା ମୁଁ ନିଜେ ଉପଲବ୍ଧି କରିଛି । ପ୍ରତ୍ୟେକ ନାଟକରେ ଯେତେବେଳେ ମୁଁ ମୋର ଅଭିନୟ କରିବାକୁ ଯାଇଛି ତା’ ପୂର୍ବରୁ ଅଷ୍ଟଶମ୍ଭୁ ଅର୍ଥାତ୍‌ ଆଠୋଟି ଶିବ ବିଗ୍ରହଙ୍କୁ ଧ୍ୟାନକରି ଯାଇଛି ଏବଂ ପାଇଛି ମଙ୍ଗଳମୟଙ୍କ ଆଶୀର୍ବାଦ । ଆପଣ ଏକଥାକୁ ବିଶ୍ୱାସ କରିପାରନ୍ତି, ଅବା ନ କରିପାରନ୍ତି । କିନ୍ତୁ ମୁଁ ବିଶ୍ଵାସ କରେ-

 

ସେଇ ତେଲଗୁ ନାଟ୍ୟଦଳଟି ଦୁଇଦିନ ଅଭିନୟ ପରେ ବିଦାୟ ନେଲେ ବରହମପୁରରୁ-। ପୁଣି ଆମର କାର୍ଯ୍ୟକ୍ରମ ଆଗରୁ ଯେମିତି ଚାଲିଥିଲା ସେମିତି ଚାଲିଲା । ‘‘ଚତୁର କାହ୍ନା’’ ନାଟକ ପରେ ଆରମ୍ଭ ହେଲା କିଶୋର ଚନ୍ଦ୍ରାନନ ଚମ୍ପୂ । ସନ୍ଧ୍ୟା ହେଲେ ଅସମ୍ଭବ ଭିଡ଼ । ଟିକଟ ନ ପାଇ ଅନେକ ଲୋକ ଫେରିବାକୁ ଲାଗିଲେ । ପ୍ରଧାନ ଗେଟ୍‌ ନିକଟରେ ଚାଲିଲା ଧସ୍ତାଧସ୍ତି-। ଶ୍ରୀଯୁକ୍ତ ଫକୀର ରାମଙ୍କର ଦେହ ହୁଏ ଦରଜ । ଦିନ ଅଧକର କଥା ନୁହେଁ, ଏଭଳି ପାଲା ଚାଲିଲା ପ୍ରାୟ ପ୍ରତ୍ୟେକ ଦିନ । ସେ କଥାକୁ ଶୁଣୁଛି କିଏ ? ଏଣେ ଯେ ବାକ୍ସ ବୋଝେଇ ଟଙ୍କା । କେତକୀର ସୁଗନ୍ଧ ପାଇବାକୁ ହେଲେ ଦେହରେ କଣ୍ଟା ଲାଗିବା ତ ସ୍ଵାଭାବିକ । ଫକୀରଭାଇ (ଫକୀରରାମ୍‌)ଙ୍କ ଅଭିଯୋଗ ଶୁଣି, ଗୁରୁଦେବ ସେଠାକାର ଜଣେ ଦୁଇଜଣ ସ୍ଥାନୀୟ ଲୋକଙ୍କୁ ଗେଟ୍‌ରେ ସାହାଯ୍ୟ କରିବା ପାଇଁ ରଖିଲେ ।

 

ସହରର ଗଳିକନ୍ଦିରେ ଅଭିନୟର ପ୍ରଶଂସା । ଓଡ଼ିଆ ଅଣଓଡ଼ିଆ ସମସ୍ତେ, ନାଟକର ସଫଳତା ଲାଗି. ସମାନ ମତ ପୋଷଣ କଲେ । ବରହମ୍‌ପୁରରୁ ପ୍ରାୟ ଜାଣିଲା, ନ ଜାଣିଲା ସବୁ କିସମର ଲୋକଙ୍କ ଦୃଷ୍ଟି କି ଆସିଲି ମୁଁ । ଚମ୍ପୂ ନାଟକରେ ଅତି ସୁନ୍ଦର ସୁନ୍ଦର ସ୍ଵର ଆଉ ଭାଷାର ଗୀତ ଥାଉ ଥାଉ ବେଶିମାତ୍ରାରେ ଲୋକମନକୁ ଛୁଇଁଲା ମୋର ସେଇ ସହଜ, ସରଳ ଗୀତଟି–

 

‘‘ଦେଖିଛି–ଉଡ଼ି ଯାଉଥିଲା–ସକାଳରେ–

ଆଜି ଶଙ୍ଖଚିଲ ।

ବହୁଥିଲା ପବନ ଧୀର ଧୀର

ନାଚୁଥିଲା ଡାହାଣ ଆଖି ମୋର

ସରଗନ୍ଧେ ଖାଲି ପେଟ ପୂରି ଉଠୁଥିଲା ମୋର

ଉଡ଼ି ଯାଉଥିଲା ସକାଳରେ

ଆଜି ଶଙ୍ଖଚିଲ ।’’

 

ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳଠାରୁ ବରହମ୍‌ପୁରରୁ ଟାଉନ୍‌ରୁ ଆମକୁ ସର୍ବାଧ‌ିକ ଅର୍ଥ ମିଳିଥିଲା । ବହୁ ପରିମାଣର ଅର୍ଥ ଆଗମନ ହେତୁ ମନପ୍ରାଣ ଦେଇ ନାଟକ ପରିବେଷଣରେ ଆମେ ମଧ୍ୟ କମ୍‌ କୃତିତ୍ଵ ସେଠାରେ ଦେଖେଇ ନ ଥିଲୁ । ଭଲ କାମ କଲେ ତାର ଭଲ ମୂଲ୍ୟ ଯେ ମିଳେ ଏକଥା କିଏ ବା ନ ଜାଣେ ?

 

ହଠାତ୍‌ ଆସିଲା ଦୁର୍ଯୋଗର ଦିନ । ଆମର ସବୁ ଆଶା ଏବଂ ସବୁ ସ୍ଵପ୍ନକୁ ପଣ୍ଡ କରିଦେଇ ସୃଷ୍ଟି ହେଲା ଗୋଟାଏ ଅଦିନ ଝଡ଼ । ସେ ଝଡ଼ରେ ଆମେ ଯେମିତି ଆମର ସବୁକିଛିକୁ ହରେଇବସିଲା ଭଳି ଅନୁଭବ କଲୁ । ଦୁର୍ଭାଗ୍ୟବଶତଃ ଆମର ଗୁରୁଦେବ ଓ ମହୁରୀ ଯୁବରାଜଙ୍କ ମଧ୍ୟରେ ଚାଲିଲା ମନାନ୍ତର ଏବଂ ସେ ମନାନ୍ତର ଏତେ ପ୍ରବଳ ଆକ୍ରୋଶମୂଳକ ଅବସ୍ଥାରେ ପହଞ୍ଚିଲା ଯେ ଉଭୟଙ୍କ ଭିତରୁ କେହି ଜଣେ ହେଲେ ସଂଯମତା ରକ୍ଷାକରିବା କଷ୍ଟକର ହେଲା ।

 

ତା’ ଭିତରେ ରହସ୍ୟ କ’ଣ ଥିଲା ଆମେ ବା କେମିତି ବୁଝିବୁ ? ଆମେ ବୁଝୁଥିଲୁ କେବଳ ଆମର ଅଭିନୟ ଠିକ୍‌ ଚାଲିଛି ନା ନାହିଁ । ଦିନ ବାରଟାରେ ପେଟେ ବଗଡ଼ା ଭାତ ଓ ଡାଲିପାଣି ଏବଂ ରାତି ବାରଟାରେ ରୁଟି ଡାଲ୍‌ମା ଅବା ସେଇ ଭାତ ଓ ଆଉ କିଛି ତରକାରୀ ଖାଇ ରାତିରେ ଅଭିନୟ ଆଉ ଦିନରେ ନୂଆ ନାଟକର ରିହରସାଲ ଆଉ ତା’ ସାଙ୍ଗକୁ ନିଜନିଜର ସଂଳାପକୁ ମୁଖସ୍ଥ କରିବା–ଏଇ ଥିଲା ଆମର ପ୍ରଧାନ ଚିନ୍ତାର ବିଷୟ । ଆମେ ତେଣୁ ଜାଣିପାରିଲୁ ନାହିଁ–ଦୁଇ ବନ୍ଧୁଙ୍କ ଭିତରେ ଏଭଳି ଅହେତୁକ ବିବାଦ କାହିଁକି ସୃଷ୍ଟି ହେଲା ।

 

ସେଇ ବିବାଦକୁ ଆଉ ଟିକିଏ ବଢ଼େଇ ଦେଲେ ଶ୍ରୀଯୁକ୍ତ ପଟ୍ଟନାୟକ (ଗୁରୁଦେବ) । ହାତରେ ତାଙ୍କର ଥିଲା ପ୍ରଧାନ ଅସ୍ତ୍ର କଲମ ଏବଂ ପ୍ରଚାର କରିବା ଲାଗି ଥିଲା ରଙ୍ଗମଞ୍ଚ । ଲେଖିଲେ ମହୁରୀ ଯୁବରାଜଙ୍କ ବ୍ୟକ୍ତିଗତ ଚରିତ୍ରକୁ ଆକ୍ଷେପ କରି ପ୍ରହସନ । ତାହା ଦିନ ଦୁଇଟା ଭିତରେ ଲେଖାଯାଇ ଏବଂ ଶିକ୍ଷା ଦିଆଯାଇ ଅଭିନୟ କରାଗଲା ।

 

ଆଉ କି ସମ୍ଭଳା ପଡ଼େ ? ଯେତେହେଲେ ରାଜକୁମାର ସେ । ସେ’ବା କାହିଁକି ତାଙ୍କର ମାନ୍‌ ସମ୍ମାନକୁ ରକ୍ଷା ନ କରନ୍ତେ ? ସେଦିନ ଅର୍ଦ୍ଧରାତ୍ରିରେ ଆମେ ଆମର ସବୁଦିନ ପରି ଅଭିନୟ ପରେ ବିଶ୍ରାମ ନେଇଛୁ । ରଙ୍ଗମଞ୍ଚର ସବୁ ଗେଟ୍‌ଗୁଡ଼ିକ ଭିତରପଟୁ କୀଳିଣୀ ଅଣ୍ଟାଯାଇ ବନ୍ଦକରାଯାଇଛି । ବାହାର ପଟେ କେତେକ ଲୋକଙ୍କର ଗେଟ୍‌ ଖୋଲିବା ଶବ୍ଦରେ ଆମମାନଙ୍କର ନିଦ ଭାଙ୍ଗିଗଲା । ପ୍ରଥମେ କେହି କିଛି ବୁଝିପାରିଲୁ ନାହିଁ । ପରେ ଯେତେବେଳେ ବାହାରୁ ଟର୍ଚ୍ଚଲାଇଟ୍‌ ଆସି ମଞ୍ଚ ଉପରେ ପଡ଼ିଲା ସେତେବେଳେ ଆମେ ବୁଝିଲୁ ଯେ ନିଶ୍ଚୟ କେହି ଆମକୁ ଆଜି ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଛି ।

 

ଭାବନ୍ତୁ ତ, ସେତେବେଳର ଅବସ୍ଥା ଆମର କ’ଣ ହେଇଥିବ ? ନିଜ ନିଜର ବିଛଣାରେ ବସିରହି ଖାଲି ଥରିବାକୁ ଲାଗିଲୁ । ଆମ ଭିତରୁ ଜଣେ ଦୁଇଜଣ ଖୁବ୍‌ ସାହସର ସହିତ, ଅନ୍ଧାର ଭିତରେ ଯାଇ ଛପିକରି ଟିଣ ଗେଟ୍‌ର ଫାଙ୍କରେ ଦେଖିଆସିଲେ ଯେ ଆକ୍ରମଣକାରୀ ଜଣେ ବା ଦୁଇଜଣ ନ ଥିଲେ, ଅନେକ । ସେମାନଙ୍କ ହାତରେ ଥିଲା ଛୁରୀ, ଲାଠି, ବନ୍ଧୁକ ।

 

ପେଣ୍ଡାଲ ଭିତରେ ଅନ୍ଧାର ଥିଲା ସତ; ମାତ୍ର ବାହାରେ ଥିଲା ଜହ୍ନ ଆଲୁଅ । ତଥାପି ଆକ୍ରମଣକାରୀଙ୍କର ସାହସ ଥିଲା ପ୍ରଖର । ସେମାନେ ଯେ ହତ୍ୟା ଓ ଲୁଟତରାଜ କରିବାକୁ ସଂଗଠିତ ହେଇ ଆସିଥିଲେ ତାହା ତାଙ୍କୁ ଦେଖ‌ିଲେ ଯେକୌଣସି ଲୋକ ସହଜରେ ଅନୁମାନ କରିପାରିବ ।

 

ସେଦିନ ଆମକୁ ସେଇ ଜହ୍ନ ଆଲୁଅ ହିଁ ନିଶ୍ଚିତ ବିପଦରୁ ରକ୍ଷା କରିଥିଲା । ଆକ୍ରମଣକାରୀ ଗୁଣ୍ଡା ବା ରାଉଡ଼ିଦଳ ଯେ ମହୁରୀ ଯୁବରାଜଙ୍କ ନିର୍ଦେଶ ପାଇ ଆସିଛନ୍ତି ସେକଥା ଆମେ ଆଉ ବୁଝିବାକୁ ବାକି ରହି ନ ଥିଲା । କିନ୍ତୁ କ’ଣ କରିବୁ କିଛି ଉପାୟ ପାଉ ନ ଥିଲୁ । ବିଦେଶ, ନୂଆସ୍ଥାନ ପୁଣି ରାତିଅଧ ।

 

ଆମର ସମ୍ପୂର୍ଣ୍ଣ ରାସ ଦଳଟି ସେଇ ପେଣ୍ଡାଲ ଭିତରେ ରହୁଥିଲୁ । କାରଣ ତା’ଭିତରେ ରହିବାଦ୍ଵାରା କୌଣସି ଅସୁବିଧା ଆମର ହେଉ ନ ଥିଲା । ତା’ଛଡ଼ା ଗୋଟିଏ ଭଡ଼ାରେ ଆମେ ଯେତେବେଳେ ଦୁଇଟି ସୁବିଧା ପାଇଥିଲୁ ପୁଣି ଅଯଥାରେ ଆଉ ଅନ୍ୟସ୍ଥାନ ଭଡ଼ାନବା ଦର୍କାର ପଡ଼ିନଥିଲା । ସେଇ ହଲ୍‌ ଭିତରେ ଆମେ କିଛି ସମୟ ଚୁପ୍‌ଚାପ ବସିଲାପରେ ଗୁରୁଦେବଙ୍କ ମନକୁ ଗୋଟାଏ ବୁଦ୍ଧି ଆସିଲା । କେତେକଙ୍କୁ କହିଲେ ଯେ ସମସ୍ତେ ଏକାଠି ମିଶି ଗେଟ୍‌ ଖୋଲି ବାହାରକୁ ଯାଇ ପାଟି କରିବାକୁ ।

 

ଆକ୍ରମଣକାରୀ ଦଳ ଏ ବ୍ୟବସ୍ଥା ବିଷୟରେ କୌଣସି ଟେର୍‌ ପାଇଲେ ନାହିଁ । ହଲ୍ଲା ଭିତରେ ଆମେମାନେ ତାଙ୍କୁ ପ୍ରାୟ ଦେଖାଯାଉ ନ ଥିଲୁ । ଯୋଉଠି ଯୋଉଠି ଆମ ପାଖରେ ଲଣ୍ଠନ ଜଳୁଥିଲା ସେସବୁକୁ ଭୟରେ ଲିଭେଇ ପକେଇଥିଲୁ । ପେଣ୍ଡାଲରେ ପୋଖରୀ ପଟକୁ ଯୋଉ ଗେଟ୍‌ଗୁଡ଼ିକ ଥିଲା ଗୁଣ୍ଡାମାନେ ସେଇ ପଟରୁ ଭିତରେ ପଶିବାକୁ ଚେଷ୍ଟା ଚଳେଇଥିଲେ । କାରଣ ସେଇ ପଟଟା ଥିଲା ତାଙ୍କ ପାଇଁ ନିରାପଦ ଓ ଅନ୍ଧାରୁଆ । ପେଣ୍ଡାଲର ସାମ୍‌ନା ପଟେ ଅର୍ଥାତ୍‌ ଦକ୍ଷିଣପଟ ଗେଟ୍‌ ପଟେ ଥିଲା ସଡ଼କ ।

 

ଖୁବ୍‌ ସତର୍କ ଭାବରେ ଆମର କେତେକ ଲୋକ ଦକ୍ଷିଣପଟ ଗେଟ୍‌ ଖୋଲି ବାହାରକୁ ବାହାରିପଡ଼ି ପାଟିକରି ଉଠିଲେ । ପେଣ୍ଡାଲକୁ ଲାଗି ସଡ଼କ ସେପଟେ କେତେକ ବେଶ୍ୟାଘର (ଗୁଡ଼ସେଠି)–ସେମାନେ ଜାବାବ ଦେଲେ । ବାସ୍‌ ! ମୁହୂର୍ତ୍ତକ ଭିତରେ ଲୋକମାନେ ଧାଇଁ ଆସିଲାବେଳକୁ ଆକ୍ରମଣକାରୀ ଚମ୍ପଟ୍‌ । କିଏ କୁଆଡ଼େ ପଳେଇବାକୁ ବାଟ ପାଇଲେ ନାହିଁ ।

 

ସେଦିନ ରାତିଟି ଆମକୁ ସମ୍ପୂର୍ଣ୍ଣ ଭାବରେ ଅନିଦ୍ରାରେ କଟେଇବାକୁ ପଡ଼ିଥିଲା । ତା’ପରେ ରାତି ପାହିଲା, ସକାଳ ହେଲା । ସବୁ ଯେମିତି ଆମକୁ ଖାଁ ଖାଁ ଲାଗିଲା । ହେଲେ ସେଇଦିନଠୁ ସବୁ ହେଲା ଥଣ୍ଡା, ଶାନ୍ତ । ମହୁରୀ ଯୁବରାଜଙ୍କ ପକ୍ଷରୁ ଯେମିତି କିଛି ସ୍ଵର ଶବ୍ଦ ଶୁଣାଗଲା ନାହିଁ, ଆମ ଗୁରୁଦେବଙ୍କ ପକ୍ଷରୁ ମଧ୍ୟ ସବୁ ଉଦ୍ୟମ ପୋଥିରେ ଡୋରି ବନ୍ଧାଗଲା । ସବୁ ପ୍ରହସନ ସାଙ୍ଗେ ସାଙ୍ଗେ ପାଣି ଫାଟିଗଲା ।

 

ଆଜି ବୁଢ଼ା ବୟସରେ, ସେଇ ଅତୀତ ଦୁର୍ଘଟଣାପୂର୍ଣ୍ଣ ପ୍ରହସନର, ଗୀତ ପଦକ ମନେ ପଡ଼ିଯାଏ । ଗୁରୁଦେବ ଲେଖିଥିଲେ–

 

‘‘ତୁମେ ଯା’ କର ତା’ ଭୋଗିବ ହାତେ ।

ଠକା ଠକି କେତେ କାଳ

ପଟେ ଜଗତେ ?

ମାରିଲେ ଟେକାଏ ଭାଇ ବାଜେ ପଥର

ଦୁନିଆ ଭାରି ବିଗଡ଼ ବାବୁ–ନ ସହେ କା’ ଚାତର

ଚୋରଘର ସବୁଦିନ–

ଅନ୍ଧାର କି ସତେ ?’’

 

ବରହମପୁରରେ ଆମ ନାଟ୍ୟଦଳର ସବୁ ଅଭିନେତା ପ୍ରାୟ ମନପ୍ରାଣ ଦେଇ ଅଭିନୟ କରିଥିଲେ ଏବଂ ସମସ୍ତଙ୍କର ସୁନାମ ସହରର ପ୍ରତ୍ୟେକ ଦର୍ଶକଙ୍କ ମୁଖରେ ଶୁଣାଯାଇଥିଲା । ଏଥିପୂର୍ବରୁ ଆପଣମାନଙ୍କୁ କହିସାରିଛି ଯେ ଏତେବେଳକୁ ଦଳର ଆର୍ଥିକ ଅବସ୍ଥା ଖୁବ୍‌ ଭଲଆଡ଼କୁ ଗତି କରିଥିଲା । ଆଉ ଅଳ୍ପ କେଇଦିନ ପରେ ଯାତ୍ରା ଆରମ୍ଭ କଲୁ । ବଡ଼ଖେମୁଣ୍ଡି । ସେଠାରେ ମଧ୍ୟ ରାଜା ଥିଲେ । ଛୋଟ ସ୍ଥାନଟିଏ । କିନ୍ତୁ କ୍ଷୁଦ୍ର ସର୍ପର ବିଷ ଉତ୍କଟ । ବଡ଼ଖେମୁଣ୍ଡିର ଜନତା ଅଳ୍ପ । ଏକ ବାଗିଆ । ଯାହା ସେମାନେ ଥରେ ବୁଝନ୍ତି ଆଉ ତାଙ୍କୁ ସେଥିରୁ ଟଳେଇବା କଷ୍ଟକର । ରାଉଡ଼ିଙ୍କ ସଂଖ୍ୟା ଏଠାରେ ଟିକିଏ ବେଶି । ତେବେ ସେଇ ରାଉଡ଼ି ଦଳ, ସେଠାକାର ସ୍ଥାନୀୟ ଶ୍ରୀ ମହାପାତ୍ର ବୋଲି ଜଣେ ଭଦ୍ରଲୋକଙ୍କୁ ଭୟ ବି ଯେମିତି କରନ୍ତି ଭକ୍ତ ବି ସେମିତି କରନ୍ତି । ଭଦ୍ରଲୋକଙ୍କ ପୂରା ନାଁ’ଟି ମୋର ମନେ ନାହିଁ ।

 

ଆଗରୁ ମୁଁ ତ ସୂଚନା ଦେଇଛି, ଆମେମାନେ ଯୋଉସବୁ ନୂଆ ନୂଆ ସ୍ଥାନକୁ ଯାଉଥିଲୁ ପ୍ରଥମେ ଗୁରୁଦେବ, ଏଇଭଳି ଲୋକମାନଙ୍କୁ, ସେଠାରେ ପହଁଞ୍ଚି ହାତରେ ରଖୁଥିଲେ । ୟା ଫଳରେ ବହୁ ଅବାଞ୍ଛିତ ଦୁର୍ଘଟଣାରୁ ଅନୁଷ୍ଠାନ ରକ୍ଷା ପାଇଯାଇଥିଲା ।

 

ବଡ଼ଖେମୁଣ୍ଡିରେ ପହଞ୍ଚିଲା କ୍ଷଣି ସେଠାକାର ରାଜା ବାହାଦୂର ତାଙ୍କର ସଦୟ ଅନୁକମ୍ପା ଆମ ପ୍ରତି ପ୍ରଦର୍ଶନ କଲେ । ଲୋକ ପଠେଇ ବାବୁ (ଗରୁଦେବ)କୁ ଡକେଇ ନେଲେ ନଅରକୁ । ଆମମାନଙ୍କର କୁଶଳ ସମାଚାର ସହିତ ରଙ୍ଗମଞ୍ଚ କୋଉଠି କିପରି ହେବ ଏବଂ ଚୌକି, ବେଞ୍ଚ୍‌ କୋଉ ସ୍କୁଲରୁ ଅଣାଯିବ ଅନୁଷ୍ଠାନ ରହିବା ଲାଗି ଘର କେମିତି କୋଉଠି ଯୋଗେଇ ଦିଆଯାଇପାରିବ ପ୍ରତ୍ୟେକ ବିଷୟରେ ତନ୍ନତନ୍ନ କରି ବୁଝି ଲୋକ ପଠେଇ ସୁବନ୍ଦୋବସ୍ତ କରିଦେଲେ ।

 

ଚାରି, ପାଞ୍ଚୋଟି ଦିନ ଭିତରେ ଆମର ପ୍ରସ୍ତୁତିପର୍ବ ଶେଷ ହେଇଗଲା । ଆରମ୍ଭ ହେଲା ନାଟକ । ରାଜା, ରାଣୀ, ଛୋଟ, ବଡ଼ ରାଜକର୍ମଚାରୀ ପ୍ରତ୍ୟେକେ ପ୍ରାୟ ପାଦ ପକେଇଲେ ପ୍ରେକ୍ଷାଳୟରେ । ଗୋଟିକ ପରେ ଗୋଟିଏ ବହି ଆମେ ପ୍ରଦର୍ଶନ କରି ନିର୍ବିଘ୍ନରେ ବେଶ୍‌ ଆଗେଇଗଲୁ । ପଇସା ଆସୁଥାଏ । ନୂଆ ସ୍ଥାନକୁ ଯାଇ ସେଠିକାର ସ୍ଥାନୀୟ ଲୋକଙ୍କ ସହିତ କିପରି ବ୍ୟବହାର କରାଯିବା ଉଚିତ୍‌ ଏବଂ ସେଇ ବ୍ୟବହାରରେ କିଛି ଟିକିଏ ଆବିଳତା ରହିଲେ ତାର ପରିଣତି କେତେ ଭୟାବହ ହେଇପାରେ ତାର ଜ୍ଵଳନ୍ତ ଉଦାହରଣ ସଦ୍ୟ ବରହମପୁରଠାରେ ପାଇ ଆସିଥିଲୁ । ତେଣୁ ବଡ଼ଖେମୁଣ୍ଡିରେ ଗୁରୁଦେବ ବଡ଼ ସତର୍କତା ଅବଲମ୍ବନ କରିଥିଲେ ।

 

ବଡ଼ଖେମୁଣ୍ଡିରେ ଦେଖାଦେଲା ଆମ ନିକଟରେ ଆଉ ଏକ ନୂଆ ବିପଦ । ହୁଏତ ଆମେମାନେ ସେଠାରେ ନୂଆ ହୋଇଥିବାରୁ ଆମ ଆଖିକୁ ସେ ବିପଦଟା ଅତି ବଡ଼ ଆକାରରେ ଦେଖାଯାଉଥିଲା । ବିପଦଟା ହେଲା–ସେଠାରେ ଆପଣ ଯୋଉଠି ପାଦ ପକାନ୍ତୁ ଦେଖିବେ କଙ୍କଡ଼ାବିଛା । ବହୁ ଜାତିର, ବହୁ ଆକାରର, ବହୁ ରଙ୍ଗର । ସେମାନଙ୍କ ଦଂଶନରେ ଯୋଉ ଯନ୍ତ୍ରଣା ସେ ଦୃଶ୍ୟ ଆଖିରେ ଦେଖିଛୁ ।

 

ସବୁ ସ୍ଥାନରେ ଏମାନଙ୍କ ଚଲାଫେରା । ବିଛଣା ଟେକନ୍ତୁ, ଟେବୁଲ ଝାଡ଼ନ୍ତୁ, ଭାତହାଣ୍ଡି ଉଠାନ୍ତୁ, ପ୍ରତ୍ୟେକ ଜାଗାରେ ଏମାନେ ବିଦ୍ୟମାନ । କଳା, ଧଳା, ତମ୍ବାଳିଆ ବିଭିନ୍ନ ରୂପରେ ମଣିଷର ପାଖେପାଖେ ରହିଥାନ୍ତି । ଆମର ଏଣେ ଅସରପା, ଝିଟିପିଟି, ମାଙ୍କଡ଼, ସାପ ପରି ବଡ଼ଖେମୁଣ୍ଡିର ଘରେ ବାହାରେ ମାଳମାଳ କଙ୍କଡ଼ାବିଛା । ଏମାନଙ୍କୁ ଦେଖ‌ିଲେ ଦେହ ଶୀତେଇଯାଏ । ବସିଲେ, ଉଠିଲେ, ଶୋଇଲେ ମଣିଷ ତାଙ୍କର ସ୍ଥିତିକୁ କେତେବେଳେ ହିଁ ପାସୋରିପାରେ ନାହିଁ ।

 

ଆମ ଦଳର ହରିଭାଇନା, ଯେ’ କି ରାସରେ ବୃନ୍ଦାବତୀ ଭୂମିକାରେ ଅଂଶଗ୍ରହଣ କରୁଥିଲେ, ତାଙ୍କର ଜନ୍ମସ୍ଥାନ ଏଇ ବଡ଼ଖେମୁଣ୍ଡିରେ । ଅତି ଦରିଦ୍ର ପରିବାରର ପିଲା ସେ । ଖୁବ୍‌ ବିନୟୀ । ଗଳାର ସ୍ଵରଟି ଅତି ମିଠା । ଯେମିତି ଦୁନିଆଯାକର ମଧୁରତା ସଂଗ୍ରହ କରି ତାଙ୍କରି ଗଳାରେ ଆଣି କିଏ ଠୁଳ କରିଦେଇଛି । ଆମ ଦଳରେ ଯମୁନାଭାଇର କଣ୍ଠକୁ ଛାଡ଼ିଦେଲେ, ହରିଭାଇଙ୍କ କଣ୍ଠ ଥିଲା–ମଧୁର ଯେମିତି ସ୍ପଷ୍ଟ ମଧ୍ୟ ସେମିତି ।

 

ହଁ–ଏଥର ମୋ’କଥା ଟିକିଏ କହେ । କହିଛି ତ ସେତେବେଳେ ମୁଁ ଗାଉଥିଲି, ନାଚୁଥିଲି ଏବଂ ଅଭିନୟ କରୁଥିଲି । କାହିଁକି କେଜାଣି ଅଭିନୟ କ୍ଷେତ୍ରରେ ମୋର ଲୋକପ୍ରିୟତା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ କେବେ କେମିତି ଯଦି ମୋର କୌଣସି ତ୍ରୁଟି ବା ଭୁଲ ହେଇଯାଉଥିଲା ତ ତାକୁ କେହି ଗୁରୁତ୍ଵ ଦେଉନଥିଲେ । ମୋର ଅଭିନୟ ନିକଟରେ ସେସବୁ ଥୁଲା ଯେମିତି ଅତ୍ୟନ୍ତ ଗୌଣ ।

 

ତା’ ବୋଲି ମୋର ଦୁର୍ନାମକାରୀ କେହି ଯେ ନ ଥିଲେ ତା ନୁହେଁ । ଏତେବଡ଼ ପୃଥ‌ିବୀ ଭିତରେ ମୋର ବା ସ୍ଥିତି କାହିଁ ? ଲୋକ ଆଖିରେ ଗୋଟାଏ ନିର୍ବୋଧ । ଦରିଦ୍ର ନାଟପିଲା । ଅଭିନୟରେ ଟିକିଏ କିଛି ସଫଳତା ପାଇଛି ବୋଲି, ସମାଜରେ ତାର ଆସନ କୋଉଠି, କେତେ ତଳେ ?

 

ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଯୋଉମାନେ ଆଗରୁ କିଛି କିଛି ଜାଣିଥିଲେ, ସେଇମାନେ ଅନେକ ସମୟରେ ମୋ ପ୍ରତି ଇର୍ଷା କରନ୍ତି । ତା’ ଛଡ଼ା ଅଭିନୟରେ ଯୋଉ କାମଟା ଅନ୍ୟମାନଙ୍କଠାରୁ ମୁଁ ଭଲଭାବେ ବ୍ୟକ୍ତ କରେ ବା ଫୁଟେଇପାରେ ସେ କ୍ଷେତ୍ରରେ କେତେକ ମୋ ପ୍ରତି ଇର୍ଷା ପୋଷଣ କରିବା ତ ସ୍ଵାଭାବିକ କଥା । ଏଥିରେ ମୋର ବା କରିବାର କ’ଣ ଅଛି ଓ କହିବାର କ’ଣ ଅଛି ?

 

କିନ୍ତୁ ମୋତେ ଗୋଟିଏ କଥା ସବୁଠୁ ବେଶି ଦୁଃଖ ଦେଉଥିଲା । ମୋର ଗ୍ରାମର, ମୋର ଅତି ଆପଣାର ଉମାଭାଇ (ଉମେଶ ଚନ୍ଦ୍ର ପଟ୍ଟନାୟକ) ଯେ କି ସବୁବେଳେ, ମୋର ଅନ୍ତରାଳରେ, ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାକରି ପର ନିକଟରେ ଆନନ୍ଦ ଅନୁଭବ କରୁଥିଲେ ଏବଂ ମୋର ଅଭିନୟକୁ କଳୁଷିତ କରୁଥିଲେ ।

 

ସେଇ ବଡ଼ଖେମୁଣ୍ଡିରେ ସେଦିନ ଭାତପତ୍ରରେ ବସିଥାଏ ମୁଁ । ଅଳ୍ପଦୂରରେ ବସିଥାନ୍ତେ ଉମାଭାଇ । ଅନେକଙ୍କ ମୁହଁରୁ ଅନେକ କଥା ବାହାରୁଥାଏ । ହଠାତ୍‌ ମୋତେ କଥାଟାଏ କହିଦେଲେ ଉମାଭାଇ । ମୁଣ୍ଡରେ ମୋର ରକ୍ତ ଚଢ଼ିଗଲା । ଭାତପତ୍ରରୁ ଉଠିଗଲି ମୁଁ ଏବଂ ମୁହଁକୁ ଯାହା ଆସିଲା କହିଗଲି ତାଙ୍କୁ । ସେଥ‌ିରେ ସେ କ୍ଷୁନ୍ନ ହେବା ଯୋଗୁଁ ମୋତେ ଯେ ସେଇଟା ବାଧି ନାହିଁ ତା’ ନୁହେଁ, ହେଲେ ଉପାୟ ନ ଥିଲା ମୋର ।

 

ମଣିଷ ନିକଟରେ ତାର ନିଜର ବ୍ୟକ୍ତିତ୍ଵ ହେଲା ଅତିବଡ଼ ଜିନିଷ । ତା’ ଉପରେ କେହି ଆଞ୍ଚ୍‌ ଆଣିଲେ ତାକୁ କୌଣସି ମଣିଷ କେବେହେଲେ କ୍ଷମା ଦେଇନପାରେ । ଯାହା ମୁଁ ମଧ୍ୟ ସେଦିନ କରିଥିଲି । ସେଇ ଦିନଠାରୁ ଉମାଭାଇ ମୋତେ କେବେହେଲେ ମୋର ମୁହଁ ଉପରେ କିଛି ନ କହି ମୋର ପଛରେ ଖୋଳୁଥିଲେ ବିପଦଖାତ । ଆଉ ସେ ଅଭ୍ୟାସ ତାଙ୍କର ଦିନକୁ ଦିନ ବଢ଼ିବାରେ ଲାଗିଥିଲା ମଧ୍ୟ ।

 

ବେଶିଦିନ ନ ହେଲେ ବି ଯୋଉ କେତେଦିନ ବଡ଼ଖେମୁଣ୍ଡିରେ ରହିଲୁ ଆଉ ବିଶେଷ କିଛି ବଡ଼ ଘଟଣା ସେଠାରେ ଘଟି ନ ଥିଲା । ସ୍ଥାନ ତୁଳନାରେ ଯାହା ଆମର ଉପାର୍ଜନ କରିବାର କଥା କଲୁ । ସେଠାକାର ଲୋକସାଧାରଣ, ଆଖିକୁ ଟିକିଏ କୋତରା କୋତରା ଦେଖାଯାଉଥିଲେ ମଧ୍ୟ ନାଟ ତାମ୍‌ସା ପ୍ରତି ଆଗ୍ରହ ତାଙ୍କର ଥିଲା ।

 

ତାପରେ ସେଠାରୁ ସାନଖେମୁଣ୍ଡି (ପୋଡ଼ାମାରି)କୁ ଯିବାପାଇଁ ସବୁ ବ୍ୟବସ୍ଥା ହେଲା । ସେଇ ପୁରୁଣା ବ୍ୟବସ୍ଥା । ଶକଟ ଯାନର ଯାତ୍ରା । ବଡ଼ ଆରାମପ୍ରଦ । ଦିନଠାରୁ ରାତିରେ ଯାତ୍ରା ବେଶ୍‌ ସୁଖକର । ଖଣ୍ଡେ ଅଧେ ତ ନୁହେଁ । ଅନେକଗୁଡ଼ିଏ ଶଗଡ଼ ଚାଲିଥିବ ଏକା ସାଙ୍ଗରେ । ଗତି ଶିଥିଳ । ହଡ଼ାବଳଦକୁ ପୁରୁଣା ଅଖ, ତେଲ ଅଭାବରୁ କେଁ... କେଁ... ଡାକ ଛାଡ଼ୁଥ‌ିବ । ବୋଝ ଉପରେ ନଳିତାବିଡ଼ା ପରି ଗୋଟିଏ ଗୋଟିଏ ଶଗଡ଼ରେ ଝୁରାଠାରୁ ଦଣ୍ଡାପର୍ଯ୍ୟନ୍ତ ମାଲ ବୋଝେଇ-। ବାକି ତାଟ ଭିତରେ ଯେତିକି ଜାଗା ରହିଲା, ଗାଡ଼ି ପିଛା ଆମେ ପିଲା, ବଡ଼ କୋଉଥିରେ ତିନି, ଚାରି, ପାଞ୍ଚ, ଛ । ୟା ମୁଣ୍ଡରେ ତା’ ଗୋଡ଼, ତା’ ପିଠିରେ ୟା ପିଠି ଗୁଆ ବସ୍ତା ଭଳି ଲଦାଲଦି ହୋଇ କେତେ କାହାଣୀ, କେତେ ଗୀତ, କେତେ ଢଗଢ଼ମାଳିରେ ସମୟ ସରିଯାଏ-। ଯୋଉଠି ମନହୁଏ ଶଗଡ଼ ଫିଟେଇ ବିଶ୍ରାମ ନେଇ ପୁଣିଚାଲେ ଯାତ୍ରା ।

 

ପୋଡ଼ାମାରି ଯିବାକୁ ସଜବାଜ ହଉଛୁଁ, ହଠାତ୍‌ ଖବର ମିଳିଲା ଦୁଇ ଜାଗାରୁ । ସେଥିରୁ ଗୋଟିଏ ଖବର ହେଲା ପୋଡ଼ାମାରି ରାଜା ଗଡ଼ରେ ନାହାନ୍ତି ଏବଂ ଅନ୍ୟ ଖବରଟି ଚିକିଟି ରାଜାସାହେବଙ୍କ ନିମନ୍ତ୍ରଣ । ମନ ଆନନ୍ଦରେ ପୂରିଉଠିଲା । ବଡ଼ଖେମୁଣ୍ଡିରୁ ଅନେକ ବାଟ ଚିକିଟି ଗଡ଼ । ସ୍ଥିର ହେଲା ପାହାନ୍ତାରୁ ଅନୁକୂଳ କରି ବାହାରିପଡ଼ିବାକୁ । ଖରାଦିନ । ଯଦି ସୁବିଧା ହୁଏ ତେବେ ବାଟରେ କୋଉଠି ଭଲ ସ୍ଥାନ ଦେଖି ଅଟକିଯାଇ, ସେଇଠି ରୋଷେଇବାସ କରି ଖାଇଦେଇ ପୁଣି ଯାତ୍ରା ଆରମ୍ଭ କରିବୁ ।

 

ସେଇ ବ୍ୟବସ୍ଥା ଅନୁଯାୟୀ ବେଶ୍‌ ରାତିଥାଉଁ ଯାତ୍ରାକଲୁ ଚିକିଟି ଗଡ଼କୁ । ଗୁରୁଦେବଙ୍କର ଖାଦ୍ୟପେୟର କିଛି ଅସୁବିଧା ନ ଥିଲା । କାରଣ ସାଙ୍ଗରେ ଥିଲା ‘ମୋହନ୍‌ କୁକର’ । ସେ ସମୟରେ ‘ମୋହନ କୁକର’ ଖୁବ୍‌ ଲୋକପ୍ରିୟ ଥିଲା । ଏକା ଥରକେ ଭାତ, ଡାଲି, ତରକାରୀ ଅଳ୍ପ କେତେକ ସମୟରେ ହେଇଯାଏ । ଏଣୁ ଗୁରୁଦେବ ନିଜ ପାଇଁ ଓ ତାଙ୍କର ଜଣେ ଅଧେ ଅନୁଗ୍ରହର ପାତ୍ରଙ୍କ ପାଇଁ, ଏଭଳି ସୁବନ୍ଦୋବସ୍ତ କରିଦଉଥ‌ିଲେ ।

 

ଅନ୍ୟମାନେ ସେସବୁ ବ୍ୟବସ୍ଥା ପ୍ରତି ଗୁରୁତ୍ଵ ଦେବେ ବା କାହିଁକି ? ଦେଇ ଲାଭ ବା କ’ଣ ? ଏହା ତ ପ୍ରତିଦିନର ଘଟଣା । ତା’ଛଡ଼ା–ଶ୍ରୀଯୁକ୍ତ ପଟ୍ଟନାୟକ, ଅନୁଷ୍ଠାନର ଅନ୍ୟାନ୍ୟ କର୍ମୀମାନଙ୍କୁ ତ ପୁତ୍ର ବା ଶିଷ୍ୟ ବୋଲି ବିଚାର କରୁନଥିଲେ । କରୁଥିଲେ ନିଜର ଦେହ ଲଗା ଚାକର ଭଳି ।

 

ଚିକିଟି ଗଡ଼କୁ ଆମେ ଚାଲିଥାଉ । ରାସ୍ତାର ଦୁଇପଟେ ଅସଂଖ୍ୟ କଣ୍ଟକପୂର୍ଣ୍ଣ ବବୁଲ ଗଛ, କୋଉଠି ଧୂଷର, ଶ୍ୟାମଳ ପାହାଡ଼ । ସେଇସବୁ ପାହାଡ଼ କାନ୍ଥକୁ ଲାଗି କୃଷକର କ୍ଷେତ । ଶଗଡ଼ ଆମର ଚାଲିଥାଏ । ଦିନ ବାରଟା ବାଜିଲା । ୟା ଭିତରେ ଅନେକବାଟ ଆଗେଇ ଯାଇଥାଉ-। ଭୋକରେ ସେତେବେଳକୁ ପେଟରେ କରଡ଼ି ଜଳୁଥାଏ । ଆଗରେ ପଡ଼ିଲା ଗୋଟିଏ ପୁରୁଣା ପୋଖରୀ । ମଝିରେ ତାର ଗୋଟିଏ ପଥର ଦୀପଦଣ୍ଡି । ବନ୍ଧ ଉପରକୁ ପୁରୁଣା ଆମ୍ବତୋଟା-

 

ସେଇ ତୋଟା ଛାଇରେ ଶଗଡ଼ ଆମର ଅଟକିଲା । ଗାଡ଼ି ଭିତରୁ ଖପାଖପ୍‌ ଡେଇଁ ପଡ଼ିଲୁ ସଡ଼କକୁ । ପେଟରେ ଭୋକ ଯେତେ ପରିମାଣରେ ବଢ଼ିଯାଇଥିଲା–ସେଇ ଆମ୍ବତୋଟାର ସୁଲୁସୁଲିଆ ବାଆ ଅନେକ ପରିମାଣରେ ଉପଶମ କରିଦେଲା ଯେମିତି । ଶଗଡ଼ିଆ ବଳଦକୁ କୁଣ୍ଡା ପାଣି ଦବାର ବ୍ୟବସ୍ଥା କଲା ଏବଂ ଆମମାନଙ୍କର ସେଇ ତୋଟାରେ ମଧ୍ୟ ଅଳ୍ପ ଭାବରେ ଭାତ, ଡାଲମା ପ୍ରସ୍ତୁତି ଚାଲିଲା ।

 

ବୁଲାଫକୀର, ସବାଖିଆ କେଳା ଗୋଷ୍ଠୀର ଲୋକ ତ ଆମେ । ଆମର ପୁଣି ସ୍ଥାନର ବିଚାର ବା ରହନ୍ତା କାହିଁକି ? ପାଖରେ ଡେକ୍‌ଚି, କଡ଼େଇ, ବାଲଟି, ଚାଉଳ, ଡାଲି, ପରିବା ସବୁ ଥିଲା । କେବଳ ନ ଥିଲା କାଠ । ଚାଲିଲା କାଠର ଯୋଗାଡ଼ । ଆମେ ବାନରସେନା ଖେଦିଗଲୁ ଚାରିଆଡ଼େ । ଆମ୍ବତୋଟାର ଅଳ୍ପଦୂରରେ ସମ୍ଭବତଃ ସେଇଟା ଗୋଟାଏ ମଶାଣି । ବୁଦି ବୁଦିକିଆ ପଳାଶଗଛ । ତାରି ଭିତରେ ପଡ଼ିଛି ଅନେକ ବାଉଁଶ, ପୋଡ଼ାକାଠ, ସଢ଼େଇ ।

 

ସେଇ ତୋଟାରେ ଅହିଆ ଖୋଳାହେଲା । ଜାଳର ଅଭାବ ମେଣ୍ଟେଇଲା ମଶାଣିର କୋକେଇ ବାଉଁଶ, ଜୁଇର ଦରପୋଡ଼ା କାଠ, ଅକାଳେ ନିୟମ ନାସ୍ତି । ଭୟ ବା କ’ଣ ? କଥାରେ ତ ଅନେକ କୁହନ୍ତି, ନିଜ ଗ୍ରାମର ପୋଖରୀକୁ ଯେପରି ଡର ନ ଥାଏ, ପରଗ୍ରାମର ମଶାଣିକୁ ସେମିତି ଡର ନ ଥାଏ । ଅଳ୍ପ ସମୟ ଭିତରେ ରୋଷେଇ ଶେଷହେଲା ।

 

ବାଟ ରୋଷେଇ ପୁଣି ଏତେ ସୁସ୍ଵାଦୁ ହେଇପାରେ ସେକଥା ଆମେ ସେଇଦିନ ଅନୁଭବ କଲୁ । ସେଇ ଭାତ, ଡାଲମା ଜୀବନରେ ମୁଁ କେବେ ଆଉ ଖାଇପାରିନାହିଁ । ଅବଶ୍ୟ ଭୋକବେଳେ ଆମ୍ବିଳା ଆମ୍ବ ସୁଆଦୁ ଲାଗେ । କିନ୍ତୁ ସେଦିନର ସେଇ ଅସିଝା, ଅବଘରା ଡାଲମା କାହିଁକି କେଜାଣି ଏତେ ଭଲ ଲାଗିଲା ସେକଥା ଆଜି ବି ଭୁଲି ପାରି ନାହିଁ ।

 

ଆମ୍ବତୋଟାରେ ଅଳ୍ପକ୍ଷଣ ପାଇଁ ଟିକିଏ ଏପଟ ସେପଟ ହେଇ ପୁଣି ଶଗଡ଼ ଯୋଚାହେଲା ଯାତ୍ରା ଉଦ୍ଦେଶ୍ୟରେ । ବେଳ ପ୍ରାୟ ସାଢ଼େ ତିନିଟା, ଚାରିଟା ହେବ, ଖରା ମଉଳି ଆସୁଥାଏ । ଶଗଡ଼ ଚାଲିଥାଏ ଧୀର ଗତିରେ । ଆହୁରି ଅନେକ ବାଟ ବାକି । କ୍ରମେ ସନ୍ଧ୍ୟା ନଇଁ ଆସିଲା । ଯୋଗକୁ ଅନ୍ଧାରପକ୍ଷ । ଗୁରୁଦେବଙ୍କ ଆଦେଶରେ ପେଟ୍ରୋମାକ୍ସ ଲାଇଟ୍‌ ଲାଗିଲା । ଘନ ଅନ୍ଧାର ସାଙ୍ଗକୁ ଆମମାନଙ୍କ ମନରେ ଯେମିତି ଦୁନିଆଯାକର ଭୟ ଆସି ଜମାଟ ବାନ୍ଧିଲା । ତା’ସାଙ୍ଗକୁ ଶିରପାଣି ଭାଇନାଙ୍କର ଭୂତକଥା, ବ୍ରହ୍ମରାକ୍ଷସ କଥା ଶୁଣି ଆମେ ପିଲାଗୁଡ଼ାକ ଏକ୍‌ବାରେ ଜଡ଼ସଡ଼ ହେଇଯାଉଥିଲୁ ।

 

ହଠାତ୍‌ ଗୋଟାଏ ଅନ୍ଧାରୁଆ ସ୍ଥାନରେ ଗାଡ଼ି ଯାଇ ପହଞ୍ଚିଲା । ରାତି ବେଶ ଘନେଇ ଆସିଥିଲା । ସଡ଼କର ଦୁଇକଡ଼ରେ ଝଙ୍କାଳିଆ ବଡ଼ବଡ଼ ଗଛଗୁଡ଼ାକ ସଡ଼କଟାକୁ ଯେମିତି ଗୋଟାଏ ମାଟିତଳ ସୁଢ଼ଙ୍ଗରେ ପରିଣତ କରିଥାନ୍ତି । ଆମ ଗାଡ଼ି ସେଇ ପଥରେ ଯିବାବେଳେ ସତେ ଯେମିତି ଆମେ ଅଣନିଶ୍ଵାସୀ ହେଇଗଲୁ । ଠିକ୍‌ ଏତିକିବେଳେ ସେଇ ଗଛ ଡାଳରେ ଡାକଦେଲେ ହୁଁ... ହାଁ... ଚଢ଼େଇ । ବାପ୍‌ରେ ବାପ୍‌, କି ଭୟାନକ ପରିସ୍ଥିତି ! ସେ ଶବ୍ଦରେ ଦେହର ରକ୍ତ ପାଣି ଫାଟିଗଲାପରି ଲାଗିଲା । ଖୁବ୍‌ ଗମ୍ଭୀର ଶବ୍ଦ ସେ । ନିଛାଟିଆ ଅନ୍ଧାର ରାତି କି ହୁଁ... ହାଁ... ଚଢ଼େଇଙ୍କର ସେଇ ଗୁରୁଗମ୍ଭୀର ସ୍ଵର ବାସ୍ତବିକ୍‌ ଯେ ନ ଶୁଣିଛି, ତାଙ୍କୁ ସେ ପରିସ୍ଥିତି ବିଷୟରେ ବୁଝେଇବା କଷ୍ଟକର ।

 

ଚିକିଟିରେ ପହଞ୍ଚିଲାବେଳକୁ ରାତି ପ୍ରାୟ ସାତଟା ଆଠଟା ବାଜିସାରିଥିଲା । ରାଜାଙ୍କ ଲୋକ ଆମକୁ ଅପେକ୍ଷା କରି ଗଡ଼ରେ ବାଟ ଚାହିଁ ବସିଥିଲେ । ରହିବା ଓ ଖାଇବାର ବନ୍ଦୋବସ୍ତ ଆଗରୁ ସରିଥିଲା । ଗାଡ଼ିଆଳଙ୍କ ପଇସା ତୁଟେଇ ଦେଇ, ଭୋଜନ ପର୍ବ ଆରମ୍ଭ ହେଲା ଏବଂ ତାପରେ ବିଶ୍ରାମ ।

 

ସେ ସମୟରେ ଚିକିଟି ରାଜାସାହେବ, ବାମଣ୍ଡା ରାଜାସାହେବ, ଜୟପୁର ରାଜା ସାହେବ ଏବଂ ପାରଳା ମହାରାଜା ଓଡ଼ିଶାର ସାହିତ୍ୟ ଆକାଶରେ ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତିଷ୍କ ରୂପରେ ବିଦ୍ୟମାନ ଥିଲେ । ଏମାନେ ସାହିତ୍ୟ ସାଧନା ସହିତ କବି, ପଣ୍ଡିତ, ଶିଳ୍ପୀମାନଙ୍କ ପୃଷ୍ଠପୋଷକତା ଦିଗରେ ଥିଲେ ଆଗୁସାର । ଚିକିଟି ରାଜବାଟୀରେ ରାଜାଙ୍କର ମନୋରଞ୍ଜନ ଲାଗି ଥିଲା ସୁନ୍ଦର ରଙ୍ଗାଳୟ । ସେଇ ରଙ୍ଗାଳୟରେ ଅଭିନୟ ହେବାର ବ୍ୟବସ୍ଥା ହେଇଥିଲା ।

 

ପରଦିନ ନିତ୍ୟକର୍ମ ସାରି ଆମର ଯୋଉମାନେ ସାଧାରଣତଃ ମଞ୍ଚପ୍ରସ୍ତୁତିର ଦାୟିତ୍ଵ ନେଇଥାନ୍ତି ସେମାନେ ସିନ୍‌ ସିନେରି ଧରି ଚାଲିଲେ ରାଜନଅରକୁ । ଷ୍ଟେଜ୍‌ ବନ୍ଧା କାମସାରି ଫେରିଆସିଲେ ଦିନ ବାରଟା ସୁଦ୍ଧା । ରାତିରେ ହେବ ଅଭିନୟ । ଚିକିଟି ଗଡ଼ର ଜନସାଧାରଣ ବେଶ୍‌ ସଂଯତ ଏବଂ ଅଧିକାଂଶ ମହିଳା ଦଣ୍ଡଧାରିଣୀ । ଗଙ୍ଗା ଯମୁନା ଧଡ଼ିଥିବା ଲୁଗା ଚାଦର ସେଠାରେ ଅତି ଲୋକପ୍ରିୟ । ଅଠର ହାତ ଶାଢ଼ିର ଆଦର ମହିଳା ମହଲରେ ଖୁବ୍‌ ଅଧିକ ।

 

ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳ ପରି ଚିକିଟି ଦୋକାନ ବଜାରରେ ତାମ୍ବୀ, ମାଣ, ଅଢ଼ାର ପ୍ରଚଳନ । ସାଧାରଣ ଖାଦ୍ୟ ପ୍ରାୟ ସବୁଠି ସମାନ । ଚାରୁ, ସମ୍ବର, ଚଲ୍ଲା, ଦୋଷା, ଇଡ୍‌ଲି, ଉପମା ଓ ବିଭିନ୍ନ ପାଚେଡ଼ି ପ୍ରାୟ ପ୍ରତ୍ୟେକ ଜଳଖିଆ ଦୋକାନରେ ବିକ୍ରି । କି ଗରିବ, କି ବଡ଼ଲୋକ ସମସ୍ତଙ୍କ ଦେହରେ କିଛି କିଛି ସୁନା–ସେ ପୁରୁଷ ହେଉ ଅବା ସ୍ତ୍ରୀ ହେଉ । ଡାଲି ହିସାବରେ କାନ୍ଦୁଲ ଓ ପରିବା ହିସାବରେ କୁନ୍ଦୁର୍‌ ଅତି ଜନପ୍ରିୟ ।

 

ସେଦିନ ରାତିରେ ଆମର ନାଟକ ଆରମ୍ଭ ହେଲା । ରାଜପରିବାରକୁ ଆସିଥାନ୍ତି ଅନେକ ମାନ୍ୟଗଣ୍ୟ ଅତିଥି, ତା’ଛଡା ଗଡ଼ର ବିଶିଷ୍ଟ ରାଜଭକ୍ତ । କର୍ମଚାରୀ, ବଡ଼ ବ୍ୟବସାୟୀ ଏମାନେ ସମସ୍ତେ ରାଜା ସାହେବଙ୍କ ଗହଣରେ ବସି ନାଟକ ଉପଭୋଗ କଲେ । ନାଟକର ସଫଳତା ବିଷୟରେ ଆଉ ଅଧିକ ପୁନରାବୃତ୍ତି କରିବା ଉଚିତ୍‌ ନ ହେଲେ ମଧ୍ୟ ସମସ୍ତେ ଖୁବ୍‌ ପସନ୍ଦ କଲେ । ପ୍ରଶଂସା କଲେ । ନାଟ୍ୟରସିକ ରାଜା ସାହେବ ଆମର ଗୁରୁଦେବଙ୍କୁ ନାଟକ ସମ୍ପର୍କରେ ଅନେକ ସୁପରାମର୍ଶ ଦେବା ସାଙ୍ଗେସାଙ୍ଗେ ଅନୁଷ୍ଠାନ ତଥା କଳାକାରମାନଙ୍କର ଦୀର୍ଘ ଜୀବନ କାମନା କରି ବହୁ ଭବିଷ୍ୟତ ବାଣୀ ଶୁଣେଇଲେ ।

 

ଚିକିଟିରେ ପ୍ରାୟ ପାଞ୍ଚ, ଛ’ଟି ନାଟକ ଅଭିନୟ ହେଲା । ରାଜାଙ୍କର ବରାଦି ଅଭିନୟ । ବଡ଼ ମଜାକଥା, ଏଇ ଚିକିଟି ଗଡ଼ରେ ଆମେ ଥିଲାବେଳେ ଶ୍ରୀଯୁକ୍ତ ପଟ୍ଟନାୟକ (ଗୁରୁଦେବ) କାହିଁକି କେଜାଣି ଦୁର୍ଲ୍ଲଭ ଚନ୍ଦ୍ର ସିଂ ଏବଂ ମୋ’ ଉପରେ ବିଶେଷ ଅନୁକମ୍ପା ପ୍ରଦର୍ଶନ କରୁଥିଲେ । ଭଲ ଗେଞ୍ଜି ଖଣ୍ଡେ, ପ୍ୟାଣ୍ଟ୍‌ ଖଣ୍ଡେ ଆଣି ଦଉଥିଲେ । ହଠାତ୍‌ ଦିନେ କ’ଣ ତାଙ୍କର ମନେହେଲା–ଆମ ଦୁଇଜଣଙ୍କ ପାଇଁ ଦୁଇଖଣ୍ଡ ଧଳାକନାରେ ପଞ୍ଜାବି କରିବାକୁ ।

 

କନାର ଥାନ ଖଣ୍ଡିକ କିଏ ସମ୍ଭବତଃ ପିଲାମାନଙ୍କ ପାଇଁ ଉପହାର ଦେଇଥିଲେ, ମୋର ଠିକ୍‌ ମନେ ନାହିଁ । ଏମିତି ଅନେକ କଳାପ୍ରେମୀ ଦର୍ଶକ ଦିଅନ୍ତି ମଧ୍ୟ । ସେ ଯାହାହେଉ, ପଞ୍ଜାବି ତିଆରି ହେବାର ଯୋଜନା ହେଲା । ଗୁରୁଦେବ ନିଜ ହାତରେ କନା କାଟିବେ । ଫିତା ପକେଇ ଆମ ଦୁଇଜଣଙ୍କର କାନ୍ଧ, ଛାତି, ବେକ, ହାତ, ମାପ ନିଆଗଲା । ଆମକୁ ବଡ଼ ଆଚମ୍ବିତ ଲାଗୁଥାଏ-। ଆମେ ଜାଣିଥିଲୁ ଗୁରୁଦେବ ଓଡିଶାର ଜଣେ ଖ୍ୟାତନାମା କବି, ସାହିତ୍ୟିକ, ନାଟ୍ୟକାର ବୋଲି-। ମାତ୍ର ଦର୍ଜିକାମ କେବେ ସେ ଜାଣିଥିବାର ଆମେ ଦେଖୁ ନ ଥିଲୁ । ତେବେ ଏଭଳି ଗୋଟିଏ ଗୁଣର ଅଧିକାରୀ ଆମର ଗୁରୁଦେବ ହେଇଥ‌ିବାରୁ ମନରେ ଖୁବ ଗର୍ବ ଆସୁଥାଏ-

 

ବଡ଼ ଟେବୁଲ୍‌ ଉପରେ କନା ଭଙ୍ଗାଯାଇ ବଡ଼ କଇଞ୍ଚିରେ ବାବୁ କନା କାଟିଲେ । କିନ୍ତୁ ସିଲେଇ ହେବ ଦର୍ଜି ମେସିନ୍‌ରେ । ଅନୁଷ୍ଠାନର ପ୍ରତ୍ୟେକ ସେ ବ୍ୟବସ୍ଥା ପ୍ରତି ଲକ୍ଷ୍ୟ ରଖୁଥିଲେ । ଏକେ ତ ଗୁରୁଦେବଙ୍କର ଏ ନୂଆ ବାହାଦୂରି ତାଙ୍କ ନିକଟରେ ପ୍ରଥମ ଘଟଣା ଥିଲା, ତା’ଛଡା ଅନୁଷ୍ଠାନରେ କେବଳ ଆମ ଦୁଇଜଣଙ୍କ ଲାଗି ଗୁରୁଦେବ ନିଜ ହାତରେ ସେ କାମ କରୁଥିବାରୁ ସମସ୍ତଙ୍କ ମନରେ ଗୋଟାଏ ଇର୍ଷା ଓ କୌତୂହଳ ସୃଷ୍ଟି ହେଉଥିଲା ।

 

ସେତେବେଳେ ଆମ ମନରେ କି ଆନନ୍ଦ, ସେକଥା ବର୍ଣ୍ଣନା କରିବାକୁ ଭାଷା ପାଉନାହିଁ-। ଆସିଲା ନୂଆ ଜାମା । ଘର ଗୋଟାକରେ ଦଳର ସବୁଲୋକ ଆସି ଜମା ହେଇଗଲେ-। ଯେମିତି ଗୋଟାଏ ଛୋଟକାଟର ପ୍ରଦର୍ଶନୀ–ସମସ୍ତଙ୍କ ଆଗରେ ଆମେ ସଗର୍ବରେ ପଞ୍ଜାବି ଦେହରେ ଗଳେଇଲୁ ।

 

କିନ୍ତୁ ହାୟ । ଛୁଟିଲା ହସର ଜୁଆର । ଜାମା ଖଣ୍ଡିମାନ ମୁଣ୍ଡପଟୁ ଦେହରେ ଗଳାଗଲା ସତ, ହେଲେ ପେଟପାଖେ ଅଟକିଗଲା । ତଳ ଘେରକୁ ଟଣାଟଣି କରି ସାଇଜି କଲାବେଳକୁ ଆଉ ନ ହୁଏ । ପେଟରେ ପବନ ରୁନ୍ଧିଦେଲେ, ଦେହଠାରୁ ପେଟଟା ଯେପରି ଅସ୍ଵାଭାବିକ ଭାବେ ଫୁଲିଉଠି ଧରା ପଡ଼ିଯାଏ, ଠିକ୍‌ ସେଇଭଳି ଜାମା ଦୁଇଟା ବେକ, କାନ୍ଧ, ହାତ ସବୁ ସ୍ଥାନରେ ଅସମ୍ଭବ ଧରଣର ଢିଲା ରହିଯାଇ କେବଳ ପେଟଉପରେ ଚମଡ଼ା ସହିତ ମିଶିଯାଇ ଆମ ଦୁଇଜଣଙ୍କର ଚେହେରାରେ ଆଣିଲା ଏକ ଅଦ୍‌ଭୁତ୍‌ ପରିବର୍ତ୍ତନ ।

 

ମନ ଆମର ମଉଳିଗଲା । ଅବଶ୍ୟ ଗୁରୁଦେବଙ୍କ ଭୟରେ ଯଦିଚ କେହି ସମାଲୋଚନା କଲେ ନାହିଁ, ତଥାପି ଆଖପାଖରେ ଅସ୍ପଷ୍ଟ ଗୁଞ୍ଜରଣ କାନ ଭିତରେ ପଶି ମନକୁ ଅଥୟ କରିଦେଲା । ନୂଆ କାରିଗରଙ୍କ ନୂଆ ଜାମା ତିଆରି ଏବଂ ଆମ ଦୁଇଟାଙ୍କର ନୂଆ ପଞ୍ଜାବି ପିନ୍ଧା ସେଇଦିନ ହେଲା ଆରମ୍ଭ ଏବଂ ସେଇଦିନ ହେଲା ଶେଷ ।

 

ଚିକିଟିରେ କାମ ବଢ଼ିଲା ଯାହା ଆମର ପ୍ରାପ୍ୟ, ସମସ୍ତ ହିସାବନିକାସ କରି ବୁଝେଇ ଦିଆଗଲା ଆମକୁ । ବେଶ୍‌ ମନକୁ ପାଇଲା ଭଳି ପାରିତୋଷିକ । ଦାନ ଉପରେ ଦକ୍ଷିଣା ପରି ରାଜାସାହେବ ଉପହାର ଦେଲେ ତାଙ୍କ ନିଜ ପକ୍ଷରୁ ସୁନ୍ଦର ପେଣ୍ଟକରା ଡ୍ରପ୍‌ (ମୁଖ୍ୟ ପର୍ଦା) ଖଣ୍ଡିଏ-। ଆଗରୁ ତ କହିଛି ଯେ ଚିକିଟିର ରାଜାସାହେବ ଥିଲେ ବାସ୍ତବିକ କଳାର ପୂଜାରୀ-। ଏଣୁ ଆମମାନଙ୍କ ପ୍ରତି ତାଙ୍କର ଅନାବିଳ ସ୍ନେହ ଶ୍ରଦ୍ଧା ଥିଲା ଅବିସ୍ମରଣୀୟ । ଯେତିକି ଦିନପାଇଁ ଆମେମାନେ ତାଙ୍କ ଗଡ଼ରେ ରହିଛୁଁ ସେଥିରୁ ଗୋଟିଏ ମୁହୂର୍ତ୍ତ ସୁଦ୍ଧା ସେ ଆମ ପ୍ରତି କୌଣସି ଅବହେଳା ଦେଖେଇ ନ ଥିଲେ । ସତେ ଯେମିତି ସେ ଥିଲେ ଜଣେ ଅଭିନୟ କାଙ୍ଗାଳ-। ନାଟକ ଦେଖିବାକୁ ବସିଲେ ଉଠିବାକୁ ନାରାଜ୍‌ ।

 

ଚିକିଟିରୁ ଆମେମାନେ କୁଆଡ଼େ ଯିବୁ, କୋଉଠି ଆମର କ୍ୟାମ୍ପ୍‌ ପଡ଼ିବ ସେ ପର୍ଯ୍ୟନ୍ତ ଆମେମାନେ କେହିକିଛି ଜାଣି ନ ଥାଉଁ । ଗୁରୁଦେବ ଯେମିତି କାହାକୁ ଅପେକ୍ଷା କଲାଭଳି ମନେ ହେଉଥାଏ। ସମ୍ଭବତଃ କୌଣସି ଖବରକୁ ଚାହିଁଥିଲେ । ପ୍ରତିଦିନ ଯୋଉସବୁ ଚିଠିପତ୍ର ଅନୁଷ୍ଠାନକୁ ଆସେ ତାହା ଅତ୍ୟନ୍ତ ସୀମିତ । ବେଶିଭାଗ ଖବର ଆସୁଥିଲା ଲୋକଙ୍କ ହାତରେ । ଅବଶ୍ୟ ଲୋକଙ୍କ ହାତରେ ଯୋଉ ଖବର ବା ବାର୍ତ୍ତା ଆସୁଥିଲା ସେସବୁ ଖବର ଥିଲା ଅଧିକାଂଶ ରାଜା, ଜମିଦାରଙ୍କର ।

 

ଆଜିକା ଭଳି ସେତେବେଳେ ଏତେ ଡାକଘର ସବୁଠାରେ ନ ଥିଲା କି ଡାକର ବଣ୍ଟନ ବ୍ୟବସ୍ଥା ଏତେ ଉନ୍ନତ ଧରଣର ନ ଥିଲା । କୋଉଠି ଘୋଡ଼ାରେ ଚଢ଼ି, କୋଉଠି ପାଦରେ ଚାଲି, ଡାକ ରନର ଚିଠି ଓ ବେଳେବେଳେ ଟଙ୍କା ଥଳିକୁ କାନ୍ଧରେ ପକେଇ, ଭଲା ଦାଣ୍ଡରେ ଘାଗୁଡ଼ି ବାନ୍ଧି ଝମର୍‌ ଝମର୍‌ ଶବ୍ଦ କରି ବଣ, ପାହାଡ଼, ବିଲ ମାଳ ପାରହେଇ, ଲକ୍ଷ ଲକ୍ଷ ଜନତାର ହସ, କାନ୍ଦ, ମିଳନ, ବିଚ୍ଛେଦପୂର୍ଣ୍ଣ ବାର୍ତ୍ତାସବୁକୁ ଆଣି ପାଖରେ ପହଁଚଉଥିଲେ । କର୍ତ୍ତବ୍ୟ ପାଳନ କରିବାକୁ ଯାଇ କେତେ ସାହସୀ ଡାକ ରନର ଯେ ବାଘ, ଭାଲୁ, ଡାକୁଦଳଙ୍କ କବଳରେ ପଡ଼ି ଜୀବନ, ଧନ ବିସର୍ଜନ କରୁଥିଲେ ତାର ହିସାବ ରହିପାରୁ ନଥିଲା ।

 

ଉପକୂଳ ଅଞ୍ଚଳଠାରୁ ମାଳ ଅଞ୍ଚଳ ଥିଲା ଅତ୍ୟନ୍ତ ଶ୍ରୀପଦ ସଙ୍କୁଳ ଓ ଦୁର୍ଗମ I ଏଇ କାରଣରୁ ଅନେକ ଚିଠିପତ୍ର, ଅନେକ ଜରୁରୀ ଖବର ଠିକ୍‌ ସମୟରେ ଲୋକଙ୍କ ପାଖରେ ପହଞ୍ଚି ପାରୁ ନ ଥିଲା । ଯୋଉମାନେ ଧନୀ, ଜମିଦାର, ରାଜା ସେମାନେ ନିଜର ଦୂତ ବା ପାଖଲୋକ ହାତରେ ଅଳ୍ପ ଅଳ୍ପ ଦୂରକୁ ବାର୍ତ୍ତା ପଠଉଥିଲେ ।

 

ବିଲେଇ କପାଳକୁ ଶିକା ଛିଡ଼ିପଡ଼ିଲା । ଆମ ଦଳର ଚିକିଟିଗଡ଼ରୁ ବିଦାୟ ନେବାର ବ୍ୟବସ୍ଥା ଚାଲିଛି । ସୁରଙ୍ଗି ରାଜାଙ୍କ ନିକଟରୁ ଲୋକ ଆସି ବାର୍ତ୍ତା ଦେଲା ଯେ ରାଜାଙ୍କ ସାନଭାଇଙ୍କ ବିଭାଘର, ଇଚ୍ଛାପୁର ଯିବାକୁ ରାଜାଙ୍କ ନିମନ୍ତ୍ରଣ ।

 

ମନେ ମନେ ଖୁସି ହେଲୁ, ମୁଁ ଆଉ ହଟ କିଶୋର । ପୁଣି ଚାଲିଲା ଅଭିନୟ । ହସି ଉଠିଲା ବଟେଶ୍ଵରର ସେଇ ରାଜଲକ୍ଷ୍ମୀ କ୍ଲବର ସେଇ ମାଟିଗୋଡ଼ି । ଲୋକ ଛୁଟିଲେ କାଳିବାବୁଙ୍କ ରାସ ଦେଖିବାକୁ; ଭାବପ୍ରବଣ ମନ ଆମର ପୁଣି ବଦଳି ଗଲା, କାଳିବାବୁଙ୍କ ପ୍ରତି ।

 

ବାଲେଶ୍ଵରରୁ ଚାଲିଲୁ ବସ୍ତା । ବସ୍ତାରୁ ଜଳେଶ୍ଵର । କିଛିଦିନ କଟିଗଲା ଟିକିଏ ଭଲରେ ଭଲରେ । ଜଳେଶ୍ଵରରେ ଲକ୍ଷ୍ୟ କଲୁ ବଙ୍ଗଳା ପ୍ରଦେଶର ପ୍ରଭାବ ସେଠାରେ ଖୁବ୍‌ ବେଶି ପଡ଼ିଥିଲା ଭଳି । କଥାରେ, ଚାଲିରେ, ଠାଣିରେ, ବେଶପୋଷାକରେ ବଙ୍ଗୀୟ ରୁଚି ବିଦ୍ୟମାନ । ଉତ୍କଳୀୟ କଳାଠାରୁ ସେଠାକାର ଜନସାଧାରଣ ବଙ୍ଗଳାର କଳାକୁ ବେଶି ଆଦର କରୁଥିଲେ । ଓଡ଼ିଶାର ଯାତ୍ରା, ତାମସାଠାରୁ ସେମାନେ ବଙ୍ଗଳାର ଯାତ୍ରାଦଳଙ୍କୁ ବେଶି ନିମନ୍ତ୍ରଣ କରୁଥିଲେ । ସେଇ ସୁଯୋଗରେ ଆମେ ସେଇ ଜଳେଶ୍ଵରରେ ଦେଖିବାକୁ ପାଇଥିଲୁ–ବଙ୍ଗଳା ପ୍ରଦେଶର ବିଖ୍ୟାତ ଭଣ୍ଡାରୀ ଅପେରା ଦଳ । ଖୁବ ବଡ଼ ସଙ୍ଗଠନ । ଅଭିନେତାଙ୍କର ଅଭିନୟ ଖୁବ୍‌ ଜୀବନ୍ତ । ସ୍ତ୍ରୀ ଚରିତ୍ରରେ ସେଇ ପୁରୁଷମାନେ ଭାଗ ନେଉଥିଲେ ମଧ୍ୟ ଏତେ ସୁନ୍ଦର ଭାବେ ଚରିତ୍ର ସବୁକୁ ଫୁଟେଇ ପାରୁଥିଲେ ଯେ, ଦର୍ଶକ ସନ୍ଦେହ କରିବାର ଅବକାଶ ନ ଥିଲା । ଅଙ୍ଗଭଙ୍ଗୀ, କଥା କହିବାର ଢଙ୍ଗ; କୌଣସିଥିରେ ପୁରୁଷ ଲକ୍ଷଣ ଟିକିଏ ସୁଦ୍ଧା ପ୍ରକାଶ ପାଉ ନ ଥିଲା ।

 

ବଙ୍ଗଳା ଅପେରା ବାସ୍ତବରେ ସୁସଂଯତ, ଶୃଙ୍ଖଳିତ । ଗୋଟାଏ ଭଲ ବ୍ୟବସ୍ଥା ସେ ଅପେରାରେ ଦେଖିବାକୁ ମିଳିଲା, ତାହା ହେଲା ପାତ୍ରୋଚିତ ମନୋନୟନ । ଅର୍ଥାତ୍‌ ଭୀମର ଭୂମିକା ଗ୍ରହଣକାରୀ ଠିକ୍‌ ଭୀମ ପରି ଦେଖିବାକୁ । ବିଭିନ୍ନ ଚରିତ୍ର ଲାଗି ବିଭିନ୍ନ ଅଭିନେତା ବାଛିବା ଥିଲା ସେ ଅନୁଷ୍ଠାନର ବାହାଦୁରି । ଯୋଉ ଚରିତ୍ର ଲାଗି ଯୋଉଭଳି ଚେହେରା ଦର୍କାର, ଠିକ୍‌ ସେଇଭଳି ଅଭିନେତା ବାଛି ସେମାନେ ଅଭିନୟ କରୁଥିଲେ ।

 

ଭଣ୍ଡାରୀ ଅପେରା ଦଳ ଗୋଟିଏ ଯାତ୍ରାନୁଷ୍ଠାନ ହେଲେ ମଧ୍ୟ ସେମାନଙ୍କ ଅଭିନୟ ଦେଖି ମନେ ହେଉଥିଲା–ଯାତ୍ରା ଓ ଥିଏଟର ମଧ୍ୟରେ କୌଣସି ପ୍ରଭେଦ ନାହିଁ । ଯାତ୍ରା ଓ ଥିଏଟର ଅଭିନୟରେ ଯୋଉମାନେ ବ୍ୟବଧାନ ଆଣନ୍ତି, ମୋ ମତରେ ସେମାନଙ୍କର ଯଥେଷ୍ଟ ଭ୍ରାନ୍ତ ଧାରଣା ରହିଛି । ତା’ ନ ହେଲେ ଅଭିନୟ ଯେ ସବୁଠାରେ ସମାନ ହେବା ବାଞ୍ଛନୀୟ, ଏଥିରେ ମତଭେଦ ହେବାର କାରଣ କ’ଣ ରହିଛି ? କେବଳ ପରିବେଶଟି ଯାହା ଅଲଗା ଅଲଗା ସିନା, ୟା’ଛଡ଼ା ଆଉ କ’ଣ ଥାଇପାରେ ?

 

ଅପେରା ବା ଯାତ୍ରା ହୁଏ ଖୋଲା ଆକାଶ ତଳେ, ମୁକ୍ତ ମଣ୍ଡପରେ ଏବଂ ସେଇ ମଣ୍ଡପର ଚତୁଃପାର୍ଶ୍ଵରେ ବସନ୍ତ ଦର୍ଶକ । ଅଭିନେତାମାନେ ଚାରିପଟକୁ ବୁଲି ବୁଲି ଅଭିନୟ କରିବାକୁ ପଡ଼େ, କିନ୍ତୁ ରଙ୍ଗମଞ୍ଚର ବ୍ୟବସ୍ଥା ଅଲଗା । ୟା’ର ମୁହଁ ଗୋଟିଏ ପଟକୁ ଏବଂ ସେଇ ପଟେ ଦର୍ଶକମାନଙ୍କର ବସିବାର ଆସନ ସଂରକ୍ଷିତ । ଏଣୁ ଅଭିନେତାମାନେ ସେଇ ଗୋଟିଏ ଦିଗକୁ ମୁହଁ କରି ନାଟକ ଅଭିନୟ କରନ୍ତି । ସେ ସମୟରେ ଅଭିନୟ ବେଳେ କେତେକଙ୍କର ମତ ଥିଲା ଯେ, ରଙ୍ଗମଞ୍ଚରେ ଅଭିନୟ କଲାବେଳେ ଦର୍ଶକମାନଙ୍କ ପଟକୁ ପଛ କରି କଳା ପରିବେଷଣ କରିବା ନିୟମ ବିରୁଦ୍ଧ । ଅଭିନୟରେ ବାସ୍ତବିକ୍‌ ଏଭଳି ମତାମତ ଅତ୍ୟନ୍ତ ରୁଚିବନ୍ତ ବୋଲି କୁହାଯାଇ ନ ପାରେ, ଆମେମାନେ କାଳି ବାବୁଙ୍କ ରାସରେ ଏପରି ନୀତିକୁ କେବେ ଅନୁସରଣ କରୁ ନ ଥିଲୁ ।

 

ତେବେ ସେ ଯାହା ହେଉ, ଯାତ୍ରା ଆଉ ଥିଏଟର ଭିତରେ ଏଇ ପରିବେଶଟି ଥିଲା କେବଳ ଭିନ୍ନ ଭିନ୍ନ । ନୋହିଲେ ଆଉ କିଛି ନୁହେଁ । ବରଂ ମଞ୍ଚରେ ଅଭିନୟ ପରିବେଷଣଠାରୁ ଯାତ୍ରାରେ ଅଭିନୟ ପରିବେଷଣ କରିବା ଅଭିନେତା ପକ୍ଷରେ ଅତୀବ କଷ୍ଟକର । ମଞ୍ଚରେ ଅଭିନୟକଳାକୁ ବାସ୍ତବଧର୍ମୀ କରିବା ଲାଗି କେତେଗୁଡ଼ିଏ ସୁବିଧା ରହିଛି, ଯାହା ଯାତ୍ରା ଅଭିନୟରେ ନ ଥାଏ । ଯାତ୍ରାରେ କୌଣସି ପ୍ରାକୃତିକ ଦୃଶ୍ୟ ଦେଖେଇବା ସେତେବେଳେ ସମ୍ଭବ ନ ଥିଲା । ତେବେ ପରିବେଶ ଯାହା ଯୋଉଠି ଥାଉ ନା କାହିଁକି, ଅଭିନୟ କିନ୍ତୁ ସବୁ କ୍ଷେତ୍ରରେ ସମାନ ମାନର, ସମାନ ସ୍ତରର ହେବା ଉଚିତ, ଯାହା ଭଣ୍ଡାରୀ ଅପେରାରେ ଆମେ ଦେଖିଲୁ ।

 

ଜଳେଶ୍ଵରରେ କାହିଁକି କେଜାଣି ଆମର ଅଭିନୟ ସେତେ ଲୋକପ୍ରିୟ ହେଲା ନାହିଁ । ସମ୍ଭବତଃ ତା’ର କାରଣ ଥିଲା ଆମର ଭଙ୍ଗା ମନଗୁଡ଼ାକ ସେପର୍ଯ୍ୟନ୍ତ ଠିକ୍‌ ସଜାଡ଼ି ହେଇ ନ ଥିଲା-। ତା’ଛଡ଼ା ସେଠାକାର ଦର୍ଶକ, ଅଭିନୟ ସାଙ୍ଗକୁ ଯୋଉ ଆଡ଼ମ୍ବରପୂର୍ଣ୍ଣ ଜାକଜମକ ଆମଠାରେ ଦେଖିବାକୁ ଆଶା କରୁଥିଲେ, ସେତକ ଆମ ପାଖରେ ନ ଥିଲା ।

 

କିଛିଦିନ ଜଳେଶ୍ଵରଠାରେ ରାସ ବହିଗୁଡ଼ିକ ପ୍ରଦର୍ଶନ ପରେ ଫେରିଲୁ ସିଧାସଳଖ ଭଦ୍ରଖ ଟାଉନ୍‌କୁ । ଏଠାରେ ଆମର ଦ୍ଵିତୀୟ ଥର ରହଣି ହେଲେ ବି ଅଭିନୟପ୍ରିୟ ଭଦ୍ରଖର ଦର୍ଶକମଣ୍ଡଳୀ ପୁଣି ଆମକୁ ପୂର୍ଣ୍ଣ ପ୍ରାଣରେ ବଧେଇ ଜଣେଇଲେ । ଖୁବ୍‌ ଟିକଟ ବିକ୍ରି ହେଲା । ସବୁ ନାଟକଗୁଡ଼ିକ ଦିନେ ଦୁଇଦିନ ଚାଲିଲା । ଦର୍ଶକମାନଙ୍କର ଦିନକୁଦିନ ଆଗମନ ବୃଦ୍ଧି ଦେଖି ଯୋଉ ନାଟକ ପ୍ରତି ସେମାନଙ୍କ ବେଶି ଆଗ୍ରହ ଥିଲା, ପୁଣି ସେଇସବୁ ନାଟକକୁ ଆଉ ଦିନେ ଦିନେ କରି ଆସିଲୁ ଯାଜପୁର । ଏଥର ଯାଜପୁରରେ ଗରିଆପୁର ପେଣ୍ଡାଲ ନୂଆ କରି ମୁଣ୍ଡ ଟେକୁଥାଏ । ଷ୍ଟେଜ୍‌ କାମ ସରିଆସିଥାଏ । ହେଲେ ଦର୍ଶକମାନଙ୍କ ବସିବା ସ୍ଥାନଟି ସମ୍ପୂର୍ଣ୍ଣ ହେଇ ନ ଥାଏ । ଯାଜପୁରରେ ରଙ୍ଗମଞ୍ଚର ଅଭାବ ଅନୁଭବ କରି କବି–ମଞ୍ଜୁଳ ଶ୍ରୀ କୃଷ୍ଣ ପ୍ରସାଦ ବସୁ ନିଜ ଉଦ୍ୟମରେ ତିଆରି କରିଥିଲେ ସେଇ ଗରିଆପୁର ରଙ୍ଗମଞ୍ଚକୁ । ଆମେମାନେ ଦଳବଳ ସହ ସେଇଠାରେ ଡେରା ପକେଇଲୁ ।

 

ଦୁଇ ତିନିଦିନ ପରେ ପ୍ରଚାର କାମ ଚଳେଇ ଆରମ୍ଭ ହେଲା ଅଭିନୟ । ଗରିଆପୁର ପେଣ୍ଡାଲଟି ସେତେବେଳକୁ ଉଦ୍‌ଘାଟିତ ହେଇଥିଲା କି ନାହିଁ ମୁଁ ଜାଣେନା । ସେହି ନୂତନ ରଙ୍ଗାଳୟ ପ୍ରତି ସ୍ଥାନୀୟ ଦେଖେଣାହାରୀମାନଙ୍କର ଯେ ଗୋଟାଏ ମୋହ ଥିଲା, ଏକଥା ଆମେ କିଛିଟା ଅନୁଭବ କରୁଥିଲୁ । ଯାଜପୁରବାସୀଙ୍କ ପାଇଁ ମଧ୍ୟ ସେଥର ଆମର ଅନେକଗୁଡ଼ିଏ ନୂତନ ଅର୍ଘ୍ୟ ଥିଲା । ସେଇ ନୂତନ ଅର୍ଘ୍ୟ ଭିତରୁ ଗୋଟିଏ ଭଲ ନାଟକ ପରିବେଷଣ ପାଇଁ ମନସ୍ଥ କରାଯାଇ, ତା’ର ହାଣ୍ଡବିଲ୍‌, ପ୍ଲାକାର୍ଡ଼ ଭିନ୍ନ ଭିନ୍ନ ରଙ୍ଗରେ ଛପାଯାଇ ଲୋକଙ୍କୁ ବଣ୍ଟାଗଲା ଓ ଟାଉନ୍‌ର ଗଳି କନ୍ଦିରେ ଉଚ୍ଚ ସ୍ଥାନମାନଙ୍କରେ ମରାଗଲା ।

 

ଆମ ରାସରେ ଯେ ସମସ୍ତ ଆଧୁନିକତାର ସ୍ପର୍ଶ ଥିଲା, ତା’ ଦର୍ଶକ ଆଗରୁ ଜାଣିଥିଲେ । ତେଣୁ ବଢ଼ିଲା ଲୋକ ଗହଳି । ବିଭିନ୍ନ ଶ୍ରେଣୀର ଦର୍ଶକ ପୂର୍ଣ୍ଣ ହୋଇଯାଉଥିଲେ ପ୍ରେକ୍ଷାଳୟରେ । କାରଣ ସେତେବେଳକୁ ଏଗାର, ବାର ଖଣ୍ଡ ନାଟକ ଶିକ୍ଷା କରି ସାରିଥିଲୁ । ସେସବୁ ବହି ସାଧାରଣତଃ ଧାରାବାହିକ ତିନିଦିନ, ଚାରିଦିନ ଚାଲିପାରୁଥିଲା । ଆଉ ପଇସା ଖୁବ୍‌ ଭଲ ଦଉଥିଲା । ଆମର ସଫଳତା ଲାଗି ଯୋଉ ନାଟ୍ୟରସିକମାନେ ଆମ ନିକଟକୁ ଆସୁଥିଲେ ପ୍ରଶଂସା କରିବାକୁ, ସେମାନଙ୍କ ଭିତରେ ଥିଲେ–କବିମଞ୍ଜୁଳ ଗୋବିନ୍ଦ ବାବୁ, ଗାଲୁଆ ଗୋବିନ୍ଦ ବାବୁ, ଗୌରାଙ୍ଗ ବାବୁ, ବାଞ୍ଛାନିଧି ବାବୁ, ଗୋକୁଳି ବାବୁ, ଗୋବର୍ଦ୍ଧନ ବାବୁ ଆଉ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ।

 

ଯାଜପୁରରେ ଆମର କାର୍ଯ୍ୟକ୍ରମ ଶେଷ ହେଲା ଏବଂ ଆମେ ଫେରିଲୁ କଟକ ଘରମୁହାଁ । ବାଟରେ ଜଗତପୁରଠାରୁ କେନ୍ଦ୍ରାପଡ଼ା ବସରେ ଯାତ୍ରା କଲୁ କେନ୍ଦ୍ରାପଡ଼ା ଟାଉନ୍‌ । କଟକ ଜିଲ୍ଲାର ଏଇ କେନ୍ଦ୍ରାପଡ଼ା ଅଞ୍ଚଳଟି ବେଶ୍‌ ସମୃଦ୍ଧ । ପୁଣି ଶ୍ରୀବଳଦେବଜୀଉଙ୍କ ଆସ୍ଥାନ ପାଇଁ କେନ୍ଦ୍ରାପଡ଼ା ଖୁବ୍‌ ପ୍ରସିଦ୍ଧ, ପବିତ୍ର କ୍ଷେତ୍ର ।

 

କିନ୍ତୁ କେନ୍ଦ୍ରାପଡ଼ା ସଡ଼କ ଥିଲା ଏକ ଉଦାହରଣର ଉଦାହରଣ । ଗଳ୍ପରେ, କବିତାରେ ଅନେକ ଲେଖକ ତାଙ୍କ ଲେଖାରେ ନାୟକ, ନାୟିକାଙ୍କର ବିରହ–ବିଧୁର ଅବସ୍ଥାର ଉପମା ଦେବାକୁ ଯାଇ ସେଇ ଚରିତ୍ରମାନଙ୍କ ମୁହଁରେ ପ୍ରକାଶ କରୁଥିଲେ–‘‘ମୋ’ ଜୀବନଟା ବୁଝିବାକୁ ଗଲେ ଠିକ୍‌ କେନ୍ଦ୍ରାପଡ଼ା ରାସ୍ତାପରି ।’’

 

ରାସ୍ତା ସାରା ଢିମା ପଥର, ଖାଲଢ଼ିପ, ଯାତ୍ରା ପୁଣି କୁଜୀ ବସ୍‌ରେ । ଠିକ୍ ଜଗତ୍‌ସିଂହପୁର ଅବସ୍ଥା । ବାଟ କଡ଼ରେ ମଧ୍ୟ ଅନେକ ନ ଦେଖା କଥାକୁ ଆଖି ଦେଖୁଥିଲା । ନାଳ ବନ୍ଧରେ ବହୁ ଅନୂଢ଼ା, ପ୍ରୌଢ଼ା, ବୃଦ୍ଧା ଅବଗୁଣ୍ଠନକୁ ମୁଖରେ ଟାଣି ଦଳଦଳ ହୋଇ, ମଳ ତ୍ୟାଗ କରୁ କରୁ ଆଲୋଚନାରେ ନିଜ ନିଜର ମୁକ୍ତ ନିତମ୍ବ ପ୍ରତି ଧ୍ୟାନ ଦେଉ ନ ଥିଲେ । ବେଳେବେଳେ ଇସଲାମ୍‌ପନ୍ଥୀ ବନ୍ଧୁଗଣ, ନିଜର କ୍ଷୁଧା ନିବାରଣ ଲାଗି, ସଡ଼କ ଧାରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି, ଗୋ’ ହତ୍ୟାରେ ମସ୍ତ ରହୁଥିଲେ ।

 

ସଭ୍ୟ ଇଂରେଜ ଜାତି ଆମକୁ ବହୁ ପଛରେ ତାଙ୍କ ନିଜ ଅଧୀନକୁ ନେଇ ସୁଦ୍ଧା ଆମମାନଙ୍କର ଏ ଧରଣର ଆଚରଣ ଦେଖି କେବେହେଲେ ଖୁସି ହେଉ ନ ଥିବେ । ଆମେ ତ ସେମାନଙ୍କୁ ଆମଠାରୁ ଲଙ୍ଗୁଳୀ ଜାତି ବୋଲି ସମାଲୋଚନା କରୁ, କିନ୍ତୁ କେବେ କେମିତି ଆମମାନଙ୍କର ଏସବୁ ଅବସ୍ଥାକୁ ଲକ୍ଷ୍ୟକରି ସେମାନେ କି’ ସମାଲୋଚନା କରୁଥ‌ିବେ ?

 

କେନ୍ଦ୍ରାପଡ଼ାର ବିଖ୍ୟାତ ଜମିଦାର ଶ୍ରୀ ରାଧାଶ୍ୟାମ ନରେନ୍ଦ୍ର ଦୁନିଆରୁ ହଜି ଯାଇଥିଲେ-। କିନ୍ତୁ କେନ୍ଦ୍ରାପଡ଼ା ଟାଉନ୍‌ ଓ ତା’ର ଆଖପାଖ ଅଞ୍ଚଳରେ ସେଇ ପୁରୁଣା କଥାଟି ପ୍ରାୟ ଅନେକଙ୍କ ମୁହଁରେ ଲାଗି ରହିଥିଲା । ‘‘ସ୍ଵର୍ଗରେ ଇନ୍ଦ୍ର, ଆଉ ମର୍ତ୍ତ୍ୟରେ ନରେନ୍ଦ୍ର ।’’ ଆମେମାନେ ସେଠାରେ କ୍ୟାମ୍ପ୍‌ କଲାବେଳକୁ, କର୍ପୂର ନ ଥିଲା କି କନା ବି ନ ଥିଲା । ଗୋବରୀ ନଦୀର କୂଳମଣ୍ଡନ କରି, କେବଳ କେତେକ ବିରାଟକାୟ ପଥର ଓ ପ୍ରାଚୀରର ଭଗ୍ନାବଶେଷ ରହିଯାଇ, ସେଇ ଧନପତିଙ୍କର ଅତୀତ ଗୌରବ ବିଷୟରେ ସ୍ମୃତି ଘୋଷଣା କରୁଥିଲା ।

 

୧୯୩୬ ମସିହା । ଆମେ ରହିଲୁ ଟାଉନ୍‌ ମଝିରେ । କେନ୍ଦ୍ରାପଡ଼ାର ପ୍ରଧାନ ଲୁଗା ବ୍ୟବସାୟୀ ଶ୍ରୀ ନନ୍ଦଲାଲ, ଶ୍ରୀ ଜହରଲାଲ ତାଙ୍କରି ଘରେ ସ୍ଥାନ ଦେଲେ ଆମକୁ ରହିବାକୁ । ଦୁଇ ଭାଇ ସେ । ଗୁଜରାଟର ବାସିନ୍ଦା ହେଲେ ମଧ୍ୟ ସେମାନେ ଆମ ଓଡ଼ିଶାକୁ ନିଜର ଜନ୍ମମାଟି କରିନେଇଛନ୍ତି । ସେମାନଙ୍କର ଲୁଗା ଗୋଦାମରୁ ଆମମାନଙ୍କ ବ୍ୟବହାର ପାଇଁ କୌଣସି କୁଣ୍ଠା ମନରେ ନ ରଖି ଦେଇଥିଲେ ଅନେକଗୁଡ଼ିଏ ସତରଞ୍ଜି । ଆମମାନଙ୍କ ରାସଦଳର ଆଗମନ ଫଳରେ କେନ୍ଦ୍ରାପଡ଼ାର ଅନ୍ୟାନ୍ୟ ଜନସାଧାରଣ ଯେତେଟା ଖୁସି ନ ହେଉଥିଲେ, ବେଶି ଖୁସି ହେଉଥିଲି ସେଇ ମାରୱାଡ଼ି ପରିବାରଟି ।

 

ଷ୍ଟେଜ୍‌ ଆମର ତିଆରି ହେଲା, ନନ୍ଦବାବୁ ଓ ଜହରବାବୁଙ୍କ ଗୋଦାମ ନିକଟରେ ଥ‌ିବା ଗୋଟିଏ ଖୋଲା ସ୍ଥାନରେ । ଅଭିନୟ ଆମର ଆରମ୍ଭ ହେଲା । ଚହଳ ପଡ଼ିଗଲା ଟାଉନ୍‌ ସାରା । ଅଭିନୟ ଦେଖି ସେଠାକାର ଜନସାଧାରଣଙ୍କ ଯୋଉଭଳି ଭାବରେ ଆଗ୍ରହ ସୃଷ୍ଟି ହେଲା, ତାହା ଭାଷାରେ ପ୍ରକାଶ କରିବା କଷ୍ଟକର । ଚାରିଆଡ଼ରୁ ଆସିଲା ଅଭିନନ୍ଦନପତ୍ର । ଖଣ୍ଡେ ଖଣ୍ଡେ ଟିକଟ ପାଇବା ପାଇଁ ଲୋକ ଦିନରୁ ଆସି ବୁକିଙ୍ଗ୍‌ ଅଫିସ ପାଖେ ଧାରଣା ଦେବାକୁ ଲାଗିଲେ ।

 

ୟା’ ଭିତରେ–ଆମ ଓଡ଼ିଶା ପ୍ରଦେଶ ଏକ ସ୍ଵତନ୍ତ୍ର ପ୍ରଦେଶ ହେଇଥିବା କଥା ଘୋଷଣା କରାଯାଇଥାଏ । ଶ୍ରୀଯୁକ୍ତ ବିଶ୍ଵନାଥ ଦାଶ ଆମ ପ୍ରଦେଶର ପ୍ରଧାନମନ୍ତ୍ରୀ ହେଇଥା’ନ୍ତି । ଚାରିଆଡ଼େ ନୂଆ ଉନ୍ମାଦନା । ଭାରତରେ ମହତ୍ମା ଗାନ୍ଧୀଙ୍କ ସ୍ଵପ୍ନ ଯେପରି ସଫଳ ହେବାକୁ ଆଉ ବେଶି ବିଳମ୍ବ ନ ଥାଏ । ସ୍ଵାଧୀନତା ସଂଗ୍ରାମୀ ଦଳ ଦେଶର ସବୁ ଅଞ୍ଚଳରେ ଯେତିକି ଯେତିକି ଆନ୍ଦୋଳନ ଚଳେଇଥା’ନ୍ତି ଠିକ୍‌ ସେତିକି ପରିମାଣରେ ଗୋରା ସରକାର ତାଙ୍କର ଦମନ ନୀତି ଜାରି କରୁଥା’ନ୍ତି-। ରାଜନୈତିକ ବନ୍ଦୀମାନଙ୍କ ଭାରାରେ ପ୍ରାୟ ପ୍ରତ୍ୟେକ ଜେଲଖାନା ଭରପୂର-। ଅଧିକାଂଶ ସମୟରେ, ବେଳ ଉଣ୍ଡି ରାଜନୈତିକ ବନ୍ଦୀ ଆଉ ପୁଲିସଙ୍କ ମଧ୍ୟରେ ଚାଲିଥାଏ ବାଘବଜାରୀ ଖେଳ-। ବନ୍ଦେ ମାତରମ୍‌, ମହାତ୍ମା ଗାନ୍ଧୀ କି ଜୟ ସ୍ଲୋଗାନରେ କାନ ଫାଟିଯାଉଥାଏ । ସଭା ଓ ଶୋଭାଯାତ୍ରାରେ ପୁଲିସ ଛଦ୍ମବେଶରେ ବୁଲି ତଥ୍ୟ ସଂଗ୍ରହ କରିବାରେ ବ୍ୟସ୍ତ । ଆମେମାନେ ସେଇ କେନ୍ଦ୍ରାପଡ଼ାରେ ଥିଲାବେଳେ ହଠାତ୍‌ ଦିନେ ପ୍ରଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ଵନାଥ ଦାଶ ସେଠାରେ ହାଜର ହେଲେ । ଚାଲିଲା ସଭା ଏବଂ ଭାଷଣ । କେନ୍ଦ୍ରାପଡ଼ା ଓ ତା’ର ନିକଟବର୍ତ୍ତୀ ଅଞ୍ଚଳରୁ ଶହ ଶହ ଲୋକ ଧାଇଁଲେ ତାଙ୍କର ପ୍ରିୟ ନେତାଙ୍କ ଦର୍ଶନ ଅଭିଳାଷରେ ।

Unknown

 

ମୁଁ ଆମ ରାସଦଳରେ ଓଡ଼ିଶାର ଯେତେଗୁଡ଼ିଏ ଅଞ୍ଚଳ ବୁଲିଥିଲି, ସେସବୁ ଅଞ୍ଚଳଠାରୁ ସେଇ କେନ୍ଦ୍ରାପଡ଼ା ଅଞ୍ଚଳ ମୋ ଉପରେ ଗୋଟିଏ ନୂତନ ପ୍ରଭାବ ପକେଇଥିଲା । ଅଭିନୟ ମୁଁ ସବୁଠାରେ କରିଥିଲି ଏବଂ ସବୁଠାରେ ପ୍ରଶଂସା ପାଇଥିଲି । ସେସବୁ ପ୍ରଶଂସା ମୋ ପାଇଁ ଯେ କେବଳ ବ୍ୟକ୍ତିବିଶେଷଙ୍କର ଥିଲା ତା’ ନୁହେଁ, କି ବ୍ୟକ୍ତିବିଶେଷ, କି ଅନୁଷ୍ଠାନ ସମସ୍ତେ ମୋର ଆଗରେ, ପଛରେ ପ୍ରଶଂସା କରୁଥିଲେ । କେହି କେହି ମଧ୍ୟ ସ୍ଥଳ ବିଶେଷରେ ସମାଲୋଚନା କରୁଥିଲେ । କିନ୍ତୁ କେନ୍ଦ୍ରାପଡ଼ାରେ ପ୍ରଶଂସା ତ ପାଉଥିଲି, ତା’ ସାଙ୍ଗେ ସାଙ୍ଗେ ପାଇଲି କେତେକଙ୍କଠାରୁ ଭକ୍ତି ଓ ଶ୍ରଦ୍ଧା, ଯାହା ସାଧାରଣ ମନୁଷ୍ୟ ପକ୍ଷରେ ପାଇବା ଅସମ୍ଭବ । ମୁଁ ଥିଲି ସାଧାରଣ, ମାତ୍ର ଯୋଉମାନେ ମୋତେ ଅସାଧାରଣ ମନେ କରି ଭକ୍ତି ଶ୍ରଦ୍ଧା କରୁଥିଲେ, ବାସ୍ତବରେ ସେଇମାନେ କିନ୍ତୁ ଥିଲେ ମୋ ଆଖିରେ ଅସାଧାରଣ ।

 

ମୋର ପ୍ରଶଂସାକାରୀ ହିସାବରେ ଯେତେ ଲୋକଙ୍କୁ ମୁଁ ଦେଖୁଥିଲି, ଜାଣୁଥିଲି ସେମାନଙ୍କ ଭିତରେ କେନ୍ଦ୍ରାପଡ଼ାର ନନ୍ଦଲାଲ ବାବୁ ଓ ଜହରଲାଲ ବାବୁଙ୍କ ପରିବାର ଥିଲେ ଅନ୍ୟତମ । ସେଇ ପରିବାରଟି ଆମ ରାସରେ ମୋର ମଧୁମଙ୍ଗଳ ଭୂମିକା ଦେଖି ଏତେଦୂର ମୁଗ୍ଧ ହୋଇପଡ଼ିଥିଲେ ଯେ, ମୋତେ ସେମାନେ ମନୁଷ୍ୟ ବୋଲି ସ୍ଵୀକାର କରିବାକୁ ରାଜି ନ ଥିଲେ । ତାଙ୍କମାନଙ୍କ ଆଖିରେ ମୁଁ ଥିଲି ସେହି କୃଷ୍ଣସଖା ମଧୁମଙ୍ଗଳ । ଆଉ ଅନ୍ୟ ଅସ୍ତିତ୍ଵ ମୋର କିଛି ନ ଥିଲା ସେମାନଙ୍କ ପାଖରେ ।

 

ଶ୍ରଦ୍ଧା ଓ ଭକ୍ତିର ମାତ୍ରା ଏତେଦୂର ବଢ଼ିଗଲା ଯେ, ମୋ ପକ୍ଷରେ ସେସବୁ ଯେମିତି ଏକ ବିସ୍ମୟ ସୃଷ୍ଟି କଲା । ଖାଇବା ସମୟ ହେଲେ ଡାକରା ଆସିଲା ଖାଇବାକୁ ଯିବାକୁ । ସେ ଡାକରାରେ ଥିଲା ମମତାଭରା ମାତୃସ୍ନେହ, ଯାହା ବଖାଣିବାକୁ ଆଜି ମୋର ଭାଷା ନାହିଁ । ସବୁଦିନ, ପ୍ରାୟ ସବୁ ସମୟରେ, ଜଣେ କେହି ମୋତେ ଡାକିଦେଇଯାଏ । ମୁଁ ସେଠାରେ ପହଞ୍ଚିଲେ ପାଣି ଦିଆଯାଏ ହାତ ଧୋଇବାକୁ, ପିଢ଼ା ପଡ଼ିଥାଏ ବସିବାକୁ, ମୁଁ ସେଥିରେ ବସେ । ସାଙ୍ଗେସାଙ୍ଗେ ବିରାଟ ଏକ ନିକେଲ୍‌ କରା ପିତଳ ଥାଳିରେ ଆସେ ଖେଚୁଡ଼ି, ଭଜା, ପାମ୍ପଡ଼ ଓ ଆଚାର । ପାନୀୟ ପାଇଁ ଦିଆଯାଏ ଗ୍ଲାସ୍‌ପୂର୍ଣ୍ଣ ଦୁଗ୍ଧ ।

 

ମନେ ମନେ ଆଶ୍ଚର୍ଯ୍ୟ ଲାଗେ । କେତେ ଭାବନା ମନକୁ ଛୁଇଁଯାଏ, କୋଳଥ ଯାଉ ଓ ପାଣିକଖାରୁ ପତ୍ରଭଜାରେ ଯାହାର ଜୀବନ ଗଢ଼ା, ତା ନିକଟରେ ପୁଣି ଏପରି ରାଜଭୋଗ ପରିବେଷଣ କରୁଛି କିଏ ? ସାକ୍ଷାତ୍‌ ଅନ୍ନପୂର୍ଣ୍ଣା ସେ । ମୋତେ ଖାଇବାକୁ ଦେଇ, ଟିକିଏ ଦୂରରେ ବସନ୍ତି ସେ । ମଥାରେ ଝୁଲୁଥାଏ ହାତେ ଲମ୍ବର ଓଢ଼ଣା । ମୁହଁରେ ଭାଷା ନଥିଲେ ସୁଦ୍ଧା ସେଇ ମାତୃମୂର୍ତ୍ତିର ଠାଣିରେ ରହୁଥିଲା ବାତ୍ସଲ୍ୟଭରା ସହସ୍ର ଆକଟପୂର୍ଣ୍ଣ ନିର୍ଦ୍ଦେଶ । ‘‘ସବୁ ଖାଇଦେ ଧନ, ସେଇଥିରେ ମୋର ଶାନ୍ତି, ସେଇଥିରେ ମୋର ତୃପ୍ତି ।’’

 

ଗୋରା ଗୋରା ନୂପୁରମଣ୍ଡିତ ସେଇ ପାଦ ଦୁଇଟିକୁ ମନଭିତରେ ପ୍ରଣାମ ଜଣେଇ ଖାଇଦିଏ ମୁଁ । କି ସ୍ଵାଦ ସେ ଖାଦ୍ୟରେ । ବୋଉଙ୍କ (ମା) ହାତର, ସଜ ପଖାଳ ସାଙ୍ଗକୁ ମୁଗ, ସଜନା ଶାଗ ସନ୍ତୁଳା ଯେମିତି ଆନନ୍ଦରେ ଚାଖୁଚାଖୁ ଶେଷ କରିଦିଏ, ସେମିତି ସେଇ ଖେଚୁଡ଼ି ଆଦିକୁ ଖାଇଦିଏ ଏକା ନିଃଶ୍ଵାସରେ । ଶେଷରେ କ୍ଷୀର ଗ୍ଲାସ୍‌ତକ ପିଇଦେଇ ଉଠିପଡ଼ି ହାତ ଧୁଏ । ବାହାରକୁ ଆସେ । ଭୁଲିଯାଏ ସେ ପରିବେଶ । ପୁଣି ଆଖିରେ ପଡ଼େ, ସେଇ ପୁରୁଣା ପରିବେଶ । ମେସ୍‌ର ପୁରୁଣା ଖାଦ୍ୟ ଆଉ ଭଲ ଲାଗେନା ।

 

ଗୁରୁଦେବ ସବୁକଥା ବୁଝନ୍ତି, ମୋ ବିଷୟରେ ସମସ୍ତ ଘଟଣା ସଂଗ୍ରହ କରନ୍ତି । ମାତ୍ର କିଛି କୁହନ୍ତି ନାହିଁ, କ’ଣ ବା କହିବେ ? କିନ୍ତୁ ତାଙ୍କର ସନ୍ଦେହୀ ଆଖି ଦୁଇଟାର ଗତିବିଧ‌ିକୁ ମୁଁ ଠଉରେଇନିଏ ।

 

ଦିନକର କଥା । ସେଦିନ ଜହରଲାଲ ବାବୁଙ୍କ ଘରେ ଖାଇସାରି ହାତ ଧୋଉଛି । ସ୍ଥାନୀୟ ଗାର୍ଲସ୍କୁଲର ଶିକ୍ଷୟିତ୍ରୀ ଦୁଇଜଣ ମୋତେ ସ୍ନେହରେ ଡାକିଲେ ତାଙ୍କ ନିକଟକୁ । ଏଡ଼େଇପାରିଲି ନାହିଁ ତାଙ୍କର ସେ ସ୍ନେହର ନିମନ୍ତ୍ରଣକୁ । ଜହରଲାଲ୍‌ ବାବୁଙ୍କ ଛୋଟ ପାଚେରୀ ଡେଇଁ, ଗାର୍ଲସ୍କୁଲର ହତାରେ ପଡ଼ିଲି । ହସି ହସି ଶିକ୍ଷୟିତ୍ରୀ ଦୁଇଜଣ ମୋତେ ପାଖରେ ବସେଇ, କେତେ ସୁଖଦୁଃଖ କଥା ପଚାରିଲେ । ପଦେ, ଦୁଇପଦ ଗୀତ ଶୁଣିବାକୁ ଅନୁରୋଧ କଲେ, ଗାଇଲି;–ମୁଁ ପିଲା, ମୁଁ ସ୍ନେହକଙ୍ଗାଳ । ଯୋଉଠୁ ସ୍ନେହପାଏ ସେଠାରେ ଧରାଦିଏ । ଆଉ କିଛି ବୁଝେନା ମୁଁ ।

 

କିନ୍ତୁ ଦୁଃଖର କଥା, ଶିକ୍ଷୟିତ୍ରୀମାନଙ୍କ ନିକଟରୁ ସେଦିନ ଫେରି ଆସିଲାବେଳେ ଦେଖିଲି–କାଳି ବାବୁ ନନ୍ଦଲାଲ ବାବୁଙ୍କ ଲୁଗା ଦୋକାନରେ ବସିଛନ୍ତି, ମୋତେ ଦେଖି ଡାକିଲେ ପାଖକୁ । ତାଙ୍କ ନିକଟକୁ ଗଲି । ତାପରେ ସେଇ ଦୋକାନଟାରେ ଯୋଉ ଭାଷାରେ ସେ ମୋତେ ଗାଳିଦେବାକୁ ଲାଗିଲେ, ସେ ଭାଷାର ଗାଳି ସମ୍ଭବତଃ ମଣିଷର ଅଧୋଗତି ଅବସ୍ଥାକୁ ଦ୍ୱିଗୁଣିତ କରିପକାଏ । ସେ ଗାଳିର କାରଣ ମୁଁ ସେପର୍ଯ୍ୟନ୍ତ ବି କିଛି ବୁଝିପାରିନଥିଲି ।

 

ପରେ ତାଙ୍କର କଥାରୁ ବୁଝିଲି, ମୁଁ କାହିଁକି ସେଇ ଶିକ୍ଷୟିତ୍ରୀଙ୍କ ନିମନ୍ତ୍ରଣ ରକ୍ଷାକରି ତାଙ୍କ ନିକଟକୁ ଯାଇଥିଲି, ପୁଣି କାଳି ବାବୁଙ୍କ ବିନା ଅନୁମତିରେ । ଏଥ‌ିପାଇଁ କୁଆଡ଼େ ନନ୍ଦଲାଲ ବାବୁଙ୍କ ପରିବାର ମୋ ଉପରେ ତାଙ୍କର ଘୃଣାଭାବ ଆଣିଛନ୍ତି । କହନ୍ତୁ ତ ? ମୁଁ ହେଲି ଜଣେ କିଶୋର ଅବସ୍ଥାର ବାଳକ, ଆଉ ଶିଳ୍ପୀ । ଯଦିଚ ଅଭିନେତା ହିସାବରେ ମୋର ଜନସାଧାରଣଙ୍କ ସହିତ ସେତେଟା ନିକଟ ସମ୍ପର୍କ ରଖିବା ଉଚିତ୍‌ ନୁହେଁ, ତଥାପି କାହାର ନିମନ୍ତ୍ରଣ ରଖିବି ନାହିଁ, କାହାର କୌଣସି ପ୍ରଶ୍ନର ଉତ୍ତର ଦେବିନାହିଁ, ଏ କିପରି କଥା ? ପ୍ରତିବାଦ କଲି ମୁଁ । ଆଗରୁ କେବେ ମୁହଁ ଉପରେ ଗୁରୁଦେବଙ୍କର ଜବାବ ଦେଇନଥିଲି; କିନ୍ତୁ ଏଣିକି ତାଙ୍କର ଅନ୍ୟାୟ କଥାରେ ପ୍ରତିବାଦ କରିବାକୁ ପଛେଇଲି ନାହିଁ । ଏ ବଳ ମୋର ଆସିଥିଲା ବାଲେଶ୍ଵର ଘଟଣା ପରଠୁ ।

 

ଶେଷରେ ମୋର ପ୍ରତିବାଦ କରିବାର ଦେଖି, ସେଇ ଦୋକାନଟାରେ ଆଉ ବେଶିଦୂର ନ ବଢ଼ି କାଳି ବାବୁ ଚୁପ୍‌ ରହି ମୋତେ ବସାକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଁ ମଧ୍ୟ ସିଧାସଳଖ ସେ ସ୍ଥାନ ତ୍ୟାଗ କରି ରହିବା ସ୍ଥାନକୁ ପଳେଇ ଆସିଥିଲି । ତାପର ଦିନେ ଦୁଇଦିନ ପରେ ମୋତେ ସେଇ ଭଦ୍ର ମହିଳା ଦୁଇ ଶିକ୍ଷୟିତ୍ରୀଙ୍କ ବିଷୟରେ ଧାରଣା ଦିଆଯାଇଥିଲା ଯେ ସେମାନେ ଖ୍ରୀଷ୍ଟିୟାନ୍‌ ସମ୍ପ୍ରଦାୟର ଲୋକ । ପୁଣି ଯୁବତୀ, ଏଣୁ ସେମାନଙ୍କ ସହିତ ମିଳାମିଶା କରିବାଟା ଆମ ସମାଜ ଆଖିକୁ ଅସୁନ୍ଦର ଦିଶିବ ।

 

ଆପଣା ମନ ପର ମନର ସାକ୍ଷୀପରି, ନିଜ ମନର କୁତ୍ସିତ ଭାବନାକୁ ପର ମନର ପ୍ରତିଫଳନ ବୋଲି କାଳି ବାବୁ ସବୁବେଳେ ସମ୍ଭବତଃ ଚିନ୍ତା କରୁଥିଲେ । ଆଉ ସେଇ କାରଣରୁ ସେଦିନ ମଣିଷ ମଣିଷ ଭିତରେ ପବିତ୍ର ବନ୍ଧନ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ଯଦିଚ ମୋର ଅପରିପକ୍ଵ ବୟସ, ତଥାପି କାଳେ କାହାର ପ୍ରେମରେ ପଡ଼ିଯିବି, ସେଇ ଭୟରେ ସେ ମୋତେ ଗୋଟାଏ ବଜାର ଉପରେ, ଦୋକାନ ଭିତରେ ଅତ୍ୟନ୍ତ ରୁଚିବିହୀନ ଭାଷା ପ୍ରୟୋଗ କରି ଗାଳି ଦେଇଥିଲେ ।

 

କେନ୍ଦ୍ରାପଡ଼ାରେ ଆମର କ୍ୟାମ୍ପ୍‌ ଯେତେଦିନ ରହିଥିଲା ସେତେଦିନ ଧରି ମୁଁ ନନ୍ଦଲାଲ ବାବୁ ଓ ଜହରଲାଲ୍‌ ବାବୁଙ୍କ ପରିବାର ସହିତ ସେଇ ପବିତ୍ର ସମ୍ପର୍କ ରଖି ଆସିଥିଲି ଏବଂ ମୋ ପ୍ରତି ମଧ୍ୟ ସେଇ ପରିବାରର କୌଣସି ବ୍ୟକ୍ତିବିଶେଷଙ୍କର କୌଣସି ଦିନ ସ୍ନେହ, ଶ୍ରଦ୍ଧା କମିଯାଇନଥିଲା-। କେବଳ କାଳି ବାବୁଙ୍କଠାରେ ମୁଁ ଆଉ ଗୋଟିଏ ନୂତନ ଗୁଣର ସନ୍ଧାନ ପାଇଥିଲି । ସେ’ ଯେ ନିଜ ଚରିତ୍ରକୁ ଜଳାଞ୍ଜଳି ଦେଇ, ଅନ୍ୟର ଚରିତ୍ରକୁ ଆକ୍ଷେପ କରନ୍ତି; ଏକଥା ମୁଁ କେବେ ଜାଣିନଥିଲି-

 

ବାଙ୍କିରେ ଥିଲାବେଳେ ଶ୍ରୀ କାଳନ୍ଦୀ ମିଶ୍ରଙ୍କ ରାସ ଦଳରେ ମଧୁମଙ୍ଗଳ ଭୂମିକା କରୁଥିଲା ‘କଟରା’ । ଠିକ୍‌ ମୋରି ପରି ଗେଡ଼ା ପିଲାଟିଏ । ଅଭିନୟରେ କିନ୍ତୁ ମୋଠାରୁ ସହସ୍ର ଗୁଣରେ ଚାଇଁ । ମୁଁ ଆମ କାଳି ବାବୁଙ୍କ ରାସଦଳରେ ଯଦିଚ ସେଇ ଏକା ଚରିତ୍ର ଗ୍ରହଣ କରୁଥିଲି, କିନ୍ତୁ ‘କଟରା’ର ଅଭିନୟ ମୋଠାରୁ ଉଚ୍ଚମାନର ଥିଲା ବୋଲି ଅନୁଭବ କରୁଥିଲି । ସେଇ ‘କଟରା’ ମୁହଁରେ–‘‘ଆସ କିଏ ସେ ଯିବରେ ଭାଇ ରଜାଘର ଖାନା, ଖଣ୍ଡ ଖଣ୍ଡ ବସା ଦହି ମୁଣ୍ଡା ମୁଣ୍ଡା ଛେନା’’ ଗୀତଟି ମୋତେ ଏତେ ଭଲ ଲାଗୁଥିଲା ଯେ ଅନେକ ସମୟରେ ନିଜେ ନିଜେ ଏକାକୀ ଥିଲାବେଳେ ସେଇ ଗୀତଟିକୁ ମୁହଁରେ ଆବୃତ୍ତି କରି, ଅଭିନୟ କରିଯାଉଥିଲି ।

 

‘‘କେନ୍ଦ୍ରାପଡ଼ା ରସାବଳି–ରସ ଭାରି ମଜା’’ କଟରା ମଧୁମଙ୍ଗଳ ସାଜି ଏଇ ପଦଟି ଯେତେବେଳେ ଗାଉଥିଲା, ସତକୁସତ ତାର ପାଟିରୁ ପାଣି ଖସିପଡ଼ୁଥିଲା । ଏବେ କେନ୍ଦ୍ରାପଡ଼ାରେ ମୁଁ ଯେତେବେଳେ ସେଇ ରସାବଳି ଚାଖିଲି, ସେତେବେଳେ ବୁଝିଲି ଯେ, କାହିଁକି ‘କଟରା’ ପାଟିରୁ ନାଳ ବୋହୁଥିଲା । କଟରାର ଅଭିନୟ ଯେ ନିଶ୍ଚିତ ଭାବରେ ବାସ୍ତବଧର୍ମୀ ଥିଲା ଏହା ନିଃସନ୍ଦେହ-

 

ଆମର ନାଟକଗୁଡ଼ିକ କେନ୍ଦ୍ରାପଡ଼ାରେ ଭଲଭାବରେ ଆଦୃତ ହେବା ସାଙ୍ଗେ ସାଙ୍ଗେ କିଛିଦିନ ପାଇଁ ଆମକୁ ସେଠାକାର ଜୁଆରିଆ ଗୋବରୀ ନଈ, ଶ୍ରୀବଳଦେବଜୀଉଙ୍କ ମନ୍ଦିର ଓ ସୁଖାଦ୍ୟ ରସାବଳି ବେଶ୍‌ ସୁନ୍ଦର, ମଧୁର ଅନୁଭୂତି ଦେଲେ ।

 

ଧନ ଆଉ ଯଶ, ଉଭୟ ମିଳିଥିଲା କେନ୍ଦ୍ରାପଡ଼ାରୁ । କୋଉଥିରୁ ଆମେ ବଞ୍ଚିତ ହେଇନଥିଲୁ । କଟକ ଜିଲ୍ଲାର ଏହା ଗୋଟିଏ ବଡ଼ ସବ୍‌ଡ଼ିଭିଜନ୍‌ । କେନାଲ ଜଳ–ସମ୍ପଦର ଅଧିକାରୀ ହୋଇ ଏ ଇଲାକାର କୃଷିଜୀବୀ ସେ ସମୟରେ ମଧ୍ୟ ଅନ୍ୟାନ୍ୟ ଅଞ୍ଚଳଠାରୁ ଥିଲେ ସମୃଦ୍ଧ । ଯାହା ହେଉ ଆଉ ସେଠାରେ ବିଳମ୍ବ ନ କରି ଫେରିଲୁ କେନ୍ଦୁପାଟଣା । ଝୋଟ ପାଇଁ କେନ୍ଦୁପାଟଣା ଥିଲା ଗୋଟିଏ ବ୍ୟବସାୟ ପେଣ୍ଠ । କେନାଲକୁ ଲାଗି ରହିଥ‌ିବା ଏକ ବିରାଟ ଝୋଟ ଗୋଦାମ ନିକଟରେ ରଙ୍ଗମଞ୍ଚ ପ୍ରସ୍ତୁତ ଚାଲିଲା । ଆମେମାନେ ମଧ୍ୟ କେତୋଟି ସ୍ଥାନରେ ବସାଘର ପାଇ ବିକ୍ଷିପ୍ତ ଭାବରେ ରହିଲୁ ।

 

ବ୍ୟାପକ ପ୍ରଚାର ଲାଗି ସ୍ଥାନଟି ସେତେ ବଡ଼ ନ ଥିବା ଯୋଗୁଁ ଯଥା ରୀତିରେ ସାମାନ୍ୟ ପ୍ରଚାର ବ୍ୟବସ୍ଥା କରି ନାଟକ ଆରମ୍ଭ କଲୁ । କେନ୍ଦ୍ରାପଡ଼ା ଭଳି ସେତେ ଅଧିକ ଦର୍ଶକ ନ ଆସିଲେ ବି ଯେତିକି ପରିମାଣରେ ଆସିଲେ, ସେଥିରେ ଆମର ଅତ୍ୟଧିକ ଅର୍ଥ ସଂଗ୍ରହ ନହେଲେ ସୁଦ୍ଧା ଯାହା ଉପାର୍ଜନ ହେଲା ତାହା ଆମ ଅନୁଷ୍ଠାନ ବଞ୍ଚିବାକୁ ଯଥେଷ୍ଟ ଥିଲା । କେନ୍ଦ୍ରାପଡ଼ାଠାରୁ କେନ୍ଦୁପାଟଣା ଭିତରେ ବିଶେଷ ଦୂରତ୍ୱ ନଥିବା ଯୋଗୁ କେନ୍ଦ୍ରାପଡ଼ାର ସୁନାମ ବଳରେ କେନ୍ଦୁପାଟଣା ଓ ତାର ନିକଟବର୍ତ୍ତୀ ଗାଁମାନଙ୍କରୁ ଅନେକ ଦର୍ଶକ ପ୍ରାୟ ପ୍ରତିଦିନ ଅଭିନୟ ଦେଖିବାକୁ ଆସୁଥିଲେ । ବେଶିଦିନ ସେଇ କେନ୍ଦୁପାଟଣାରେ ରହିଲେ କାଳେ ପ୍ରତିକୂଳ ଅବସ୍ଥା ସୃଷ୍ଟି ହେଇପାରେ, ଏଇ ଭୟରେ କିଛିଦିନ ପରେ ସେ ସ୍ଥାନ ଛାଡ଼ିଲୁ ଏବଂ ଡଙ୍ଗା ସାହାଯ୍ୟରେ କେନାଲ ଭିତରେ ଭିତରେ ଯାଇ ପହଞ୍ଚିଲୁ ଚୌଦ୍ଵାର ନିକଟରେ ।

 

ବର୍ଷାଦିନ ଆସିବାକୁ ବିଳମ୍ବ ଥିଲା । ସେଇ ଯୋଗୁ ଆମେ କଟକ ନଯାଇ ବାହାରିଲୁ ପୁଣି ସମ୍ବଲପୁର ଅଞ୍ଚଳକୁ । ଚାରିବାଟିଆ ରେଳ ଷ୍ଟେସନଠାରୁ ରେଳରେ ବସି ମେରାମୁଣ୍ଡଳୀ ଯାତ୍ରା କଲୁ । ସେତେବେଳକୁ ଶ୍ରୀଯୁକ୍ତ ଚକ୍ରଧର ମିଶ୍ରଙ୍କ ମୋଟର ସର୍ଭିସ ସଂସ୍ଥା ଟିକିଏ ଧିମେଇ ଯାଇଥାଏ । ଅନେକ ପୁରୁଣା ଲୋକ ବଦଳରେ ନୂଆ ଲୋକ କାମ କରୁଥାନ୍ତି । ରେଳରୁ ଓହ୍ଲେଇ ଅନୁଷ୍ଠାନ ଆମର କେତେ ଘଣ୍ଟାପାଇଁ ଶ୍ରୀଯୁକ୍ତ ମିଶ୍ରଙ୍କ ପୁରୁଣା ମୋଟର ଗ୍ୟାରେଜରେ ବିଶ୍ରାମ ନେଇଥାଏ । ଦିନ ପ୍ରାୟ ରତ ।

 

ଦେଖିଲୁ ଗୋଟିଏ ଭିଖାରୁଣୀ ବୁଢ଼ୀ ଆମ ନିକଟକୁ ଆସୁଛି କିଛି ମାଗିବାକୁ । ଆମର ଲୋକ ସବୁ କିଏ କୁଆଡ଼େ ବୁଲୁଥାନ୍ତି । କେତେକ ମଧ୍ୟ ରାତ୍ରିଭୋଜନ ପାଇଁ ବ୍ୟବସ୍ଥା କରିବାକୁ ଯାଇଥାନ୍ତି ସଉଦାପତ୍ର କିଣିବାକୁ । ଗୋଟାଏ ମେଲା ହାତୀଶାଳ ପରି ଚାଳଘରେ, ଖଣ୍ଡେ ଦଉଡ଼ିଆ ଖଟିଆ ଉପରେ ବସିଥାନ୍ତି ଗୁରୁଦେବ ଏବଂ ପାଖରେ ବସିଥାଉ ଆମେ କେଇଜଣ ପିଲା ଓ ବଡ଼ ।

 

ବୁଢ଼ୀଟି ଆମ ନିକଟରୁ ଅଳ୍ପ ଦୂରରେ ଆସି ସେଇ ମାଟି ଉପରେ ବସିପଡ଼ିଲା । ଦିହରେ ମାଂସ ନଥିଲା । ବୟସ ସମ୍ଭବ ସତୁରି କିମ୍ବା ଅଶି ହେବ । ହାତ, ଗୋଡ଼ ମିଶି କେବଳ କେଇଖଣ୍ଡି ହାଡ଼ ମାତ୍ର । ମୁଣ୍ଡର ବାଳ ସମ୍ପୂର୍ଣ୍ଣ ବରଫପରି ଦେଖିବାକୁ, କିନ୍ତୁ ତା’ର ଏଭଳି ଅବସ୍ଥାରେ ମଧ୍ୟ ପାଦ ବେଶ୍‌ ସ୍ଥିର ଭାବରେ ପଡ଼ି ପାରୁଥିଲା । ଖାଇବି ହାତରେ ଖଣ୍ଡିଏ ବଙ୍କା ବାଉଁଶ ବାଡ଼ି ଧରି ସେ ଖୁବ୍‌ ଦ୍ରୁତ ଭାବରେ ଚାଲିପାରୁଥିଲା । ଟିକିଏ ପରେ–ଗୁରୁଦେବଙ୍କୁ ଲକ୍ଷ୍ୟ କରି ଜଣେଇଲା ତାର ପ୍ରାର୍ଥନା, ଘର ବୋଲି ଯାହା ଅଛି ସେ କିଛି ନୁହେଁ; କେବଳ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ କୁଡ଼ିଆ । ପୋଷଣାହାରୀମାନେ, ବୁଢ଼ୀଟାକୁ ଏକା ଏ ଦୁନିଆରେ ଛାଡ଼ି ଦେଇ ଯେଝା ବାଟରେ ଯେ ଚାଲିଯାଇଛନ୍ତି ଆରପୁରକୁ । ବୁଢ଼ୀକୁ ମଲା ବୟସରେ ସନ୍ତୁଳି ଖାଇବାକୁ ରହିଯାଇଛି ଏକମାତ୍ର ନାତୁଣୀଟିଏ । ବୟସ ହେଲାଣି, ହେଲେ ପରହାତ କରିବାକୁ ଆଈର ସମ୍ବଳ କାହିଁ ?

 

ସୂର୍ଯ୍ୟ ବୁଡ଼ିଯାଉଥିଲେ । ବୁଢ଼ୀଟି ପଶ୍ଚିମ ଦିଗକୁ ମୁହଁକରି ବସିଥିଲା, ସୂର୍ଯ୍ୟଦେବଙ୍କର ସେଇ ମଳିନ ଶେଷ ନାଲି କିରଣରେ ମୁହଁ ଉପରେ ଆଖିର ଲୁହଧାର ଚକ୍‌ ଚକ୍‌ କରିଉଠିଲା । ସେ ଧାର ଥିଲା ଅଖଣ୍ଡ ଧାର । ମୁହଁର କଥା ସହିତ ତାଳଦେଇ ଲୁହ ଗଡ଼ିପଡ଼ୁଥିଲା ଗୋଟିଏ ପରେ ଆଉ ଗୋଟିଏ ଟୋପା ହେଇ । ତୁଣ୍ଡରେ ତାର ବାଟୁଳି ବାଜୁନଥାଏ । ଏତେ ବୟସରେ ମଧ୍ୟ ବୁଢ଼ୀ କଥାସବୁ ଅତି ସ୍ପଷ୍ଟ କହିଚାଲିଥାଏ ।

 

ସେଇ ନାତୁଣୀଟି ପିଲା ଥିଲାବେଳେ, ତା’ରି ହାତ ଧରି ବାରଆଡ଼େ ବୁଲି ବାବୁଭୟାଙ୍କ ପାଖରୁ ଯାହା ଆଣୁଥିଲି ସେଥ‌ିରେ ଦୁଇଟି ପେଟ ଚଳିଯାଉଥିଲା । ଏଇନେ ଏକୁଟିଆ ବେଶି ବାଟ ଯାଇପାରୁନି, ବଡ଼ ପିଲାଟାକୁ କେମିତି କୁଆଡ଼େ ନେବି ? ଆହା କହିବାକୁ ସାହା ନାହିଁ । ଅରକ୍ଷିତ ମଡ଼ା, ଦୁଆରେ ନପଡ଼େ ଛେରା ।

 

କାଳି ବାବୁ ଓ ଆମେ କେଇଜଣ ନୀରବରେ ବସି ଶୁଣୁଥିଲୁ ତାର କଥା । ପାଖରେ ଆମର ଅଧଲା କି ପଇସା କିଛି ହେଲେ ଗୋଟିଏ ନଥିଲା ଯାହା ବୁଢ଼ୀଟିକୁ ଦେଇ ଅନ୍ତତଃ ଦୁଃଖରେ ତାର କିଛିହେଲେ ସାହାଯ୍ୟ କରିଥା’ନ୍ତୁ । ତେବେ ଏତିକିବେଳେ କାଳି ବାବୁ ତାକୁ ଆଶ୍ୱାସନା ଦେଇ କହିଲେ, ‘ଆଜି ରାତିରେ ଆମ ମେସ୍‌ରେ ରନ୍ଧାବଢ଼ା ସରିଲେ ତୁ ଆସି ଭାତ ନେଇଯିବୁ । ଘରେ ତୁ ଖାଇବୁ ଓ ତୋର ନାତୁଣୀ ଖାଇବ ।’ ବୁଢ଼ୀଟି ସନ୍ତୋଷ ମନରେ କୋଟି କଇଲାଣ କରି ଆମ ପାଖରୁ ବିଦାୟ ନେଲା, ଆମେମାନେ ତାର ଚାଲିବା ବାଟକୁ ଚାହିଁରହି ଦୀର୍ଘ ନିଃଶ୍ୱାସ ପକେଇଥିଲୁ ।

 

‘‘ଅରକ୍ଷିତ ମଡ଼ା–ଦୁଆରେ ନପଡ଼େ ଛେରା’’–ଏଇ ସୁନ୍ଦର ଢଗଟି ଆମ ନିକଟରେ ସେତେବେଳଯାକେ ଅଜଣା ଥିଲା । କାଳି ବାବୁ ସେଦିନରୁ ସେଇ ଢଗଟି ମନେରଖୁଥିଲେ ଏବଂ ପରବର୍ତ୍ତୀ ସମୟରେ ଯେତେବେଳେ ‘ଭାତ’ ନାଟକ ଲେଖିଲେ ସେ ସମୟରେ ‘ସାବି’ ଚରିତ୍ର ମୁହଁରେ ସେଇ ପୁରୁଣା ଢଗଟି ଉପଯୋଗ କରିଥିଲେ ।

 

କବି ଓ କଳାକାର, ଚିତ୍ରକରମାନଙ୍କର ଏଭଳି ଗୁଣ ରହିବା ବାଞ୍ଛନୀୟ ଏବଂ ଏଇ ଗୁଣ ଯୋଗୁଁ ଅନେକ ସମୟରେ ସେମାନେ ଅନ୍ୟ ସାଧାରଣ ଲୋକଙ୍କଠାରୁ ଅତି ବଡ଼ ହେଇଉଠନ୍ତି । ଆମ ଆଖି ଆଗରେ ସବୁ ରହିଛି ସତ, ମାତ୍ର ସେସବୁକୁ ଚିହ୍ନିବାରେ, ବୁଝିବାରେ ଯୋଉ ଆଖି ବା ମନ ଦର୍କାର ସେ ମନ, ଆଖି ସମସ୍ତଙ୍କର ନାହିଁ । ରହିବା ସମ୍ଭବପର ମଧ୍ୟ ନୁହେଁ । ଏଇ କାରଣରୁ ହିଁ କବି, ଚିତ୍ରକର ଓ କଳାକାର ମାନବ ସମାଜରେ ଏକ ଏକ ସ୍ଵତନ୍ତ୍ର ଗୋଷ୍ଠୀ ରୂପରେ ପରିଚିତ ହୁଅନ୍ତି । କିନ୍ତୁ ବେଳେବେଳେ ଏଇସବୁ ସ୍ଵତନ୍ତ୍ର ଗୋଷ୍ଠୀ ଭିତରେ ଖୁବ୍‌ ଗୋଟାଏ ଗୋଟାଏ ତୁମୁଳ କାଣ୍ଡ ସୃଷ୍ଟି ହୁଏ । ଯାହା ହେବା ଜାତି ପକ୍ଷରେ ଆଦୌ ଉଚିତ୍‌ ନୁହେଁ ।

 

କହିଛି ତ, ଏ ଦୁନିଆରେ ସବୁକିଛିକୁ ପ୍ରକୃତି ତାର ଗନ୍ତାଘର ମନେକରି ସଜାଡ଼ି ରଖିଛି ଏବଂ ସେଇସବୁ ଅମୂଲ୍ୟ ଉପାଦାନକୁ ବିଭିନ୍ନ କଳାକାର ତାଙ୍କର କଳା ଜରିଆରେ, ବିଭିନ୍ନ ଚିତ୍ରକର ତାଙ୍କର ତୂଳୀ ଓ ରଙ୍ଗ ଜରିଆରେ, କବି ତାଙ୍କର କଲମ ମାଧ୍ୟମରେ ନିଜ ନିଜର ଦୃଷ୍ଟିଭଙ୍ଗୀ ଓ ଅଭିରୁଚିକୁ ଖାପ୍‌ଖୁଆଇ ରୂପ ଦିଅନ୍ତି ଏବଂ ସେଇ ରୂପ ଦେଲାବେଳେ ଏମାନଙ୍କୁ ବହୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । କାରଣ କାଳେ ଜଣକର ଚିନ୍ତାଧାରା ସହିତ ଆଉଜଣକର ଚିନ୍ତାଧାରା ମିଶିଯିବ, ଏଇଥିପାଇଁ । ଅବଶ୍ୟ, ଯେତେ ସତର୍କ ରହିଲେ ମଧ୍ୟ ଅନେକ ସମୟରେ ଜଣଜଣଙ୍କର ଲେଖାରେ, ଜଣକଣଙ୍କର ଛବିରେ ଓ ଜଣଜଣଙ୍କର ଅଭିନୟ ଓ ସଙ୍ଗୀତରେ ଅନ୍ୟ କଳାକାରଙ୍କ, ଅନ୍ୟ କବିଙ୍କ ପୁଣି ଅନ୍ୟ ଚିତ୍ରକରଙ୍କ ଭାବର ଛାପ ରହିଯାଏ । ଏଇଟା ଅବଶ୍ୟ ଅଜାଣତରେ ଘଟିଥାଏ । ତା’ ବୋଲି ଜାଣିଶୁଣି ଯୋଉମାନେ ଅନ୍ୟର ଚିନ୍ତାଧାରା, ଅନ୍ୟର ବିଷୟବସ୍ତୁ, ଅନ୍ୟର ଭାବଭଙ୍ଗୀକୁ ଲୁଟିକରି ନିଜକୁ ବିଜ୍ଞ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରନ୍ତି ସେମାନେ ଯେ ଦିନେ ଅନ୍ୟମାନଙ୍କ ଆଖିରେ ଧରାପଡ଼ି ଅପମାନିତ ହୁଅନ୍ତି ଏକଥା ନିଶ୍ଚିତ ।

 

ଆଜିକାଲି ବହୁଧରଣର ଖଣ୍ଡଗିରି ସମାଜରେ ଦେଖିବାକୁ ମିଳେ । କେହି ଧନ ଲୁଟେ, ମନ ଲୁଟେ, କେହି ବା କାହାର ଚିନ୍ତାଧାରା ଲୁଟେ । କେହି ପୁଣି କାହାର ସଂଗୀତକୁ ନିଜ ଭାଷାରେ ନକଲ କରି କୁହେ, ଏହା ମୋର ନିଜସ୍ଵ ସୃଷ୍ଟି ଇତ୍ୟାଦି ଇତ୍ୟାଦି । ଏଭଳି ଆକ୍ରମଣ, ପରମାଣୁ ଆକ୍ରମଣଠାରୁ ଭୟାବହ । ଭାଷା ସମସ୍ତଙ୍କର । ଭାଷା ବିନ୍ୟାସ ହିଁ ସୃଷ୍ଟିକରେ ଅମୂଲ୍ୟ ସାହିତ୍ୟ । ଭାବ ବା ଚିନ୍ତାଧାରା ସମସ୍ତଙ୍କର ନୁହେଁ, ତାହା ବ୍ୟକ୍ତି ବିଶେଷଙ୍କର । ତେଣୁ କେହି କାହାର ସେଇ ଭାବ ଅବା ଚିନ୍ତାଧାରାକୁ ଲୁଟିବା ମୋ ମତରେ ଅନ୍ୟାୟ ।

 

କାଳି ବାବୁ ଯେ, ଏ ଦୁନିଆର ବିଭିନ୍ନ ରଙ୍ଗବେରଙ୍ଗର କୁସୁମ ସଂଗ୍ରହ କରି, କୋଉ ରଙ୍ଗ ସହିତ କୋଉ ରଙ୍ଗ ମିଶିଲେ ମାଳ ସୁନ୍ଦର ମନେଇବ ତାର ଯୁକ୍ତିଯୁକ୍ତ ସଂଯୋଗ କରିଜାଣନ୍ତି ଏହା ସୁନିଶ୍ଚିତ; କିନ୍ତୁ ତା’ ସଙ୍ଗେସଙ୍ଗେ ଅନ୍ୟ ଲେଖକର ଭାବ ଓ ସ୍ଥଳ ବିଶେଷରେ ଭାଷାକୁ ମଧ୍ୟ ଲୁଟିକରି ନିଜର ବୋଲି ବୋଲେଇବାରେ ସମ୍ପୂର୍ଣ୍ଣ ସିଦ୍ଧହସ୍ତ ।

 

ତାର ନମୁନା ଦେଲେ ଆପଣମାନେ ସହଜରେ ବୁଝିପାରିବେ । ବଙ୍ଗଳା ଭାଷାର ଗୀତଟି–

 

‘‘ଏସ ହେ ସୁନ୍ଦର–ଏସ ପ୍ରିୟ ଆମାର୍‌

ଜୀବନ୍‌ ମରନେର୍ ସାଥୀ

ନୟନେ ଆମାର୍‌–ତୋମାରି ବିରହେ

ଝରିଛେ ଶ୍ରାବନେର୍‌ ରାତି ।’’

 

କାଳି ବାବୁଙ୍କର ଗୋଟିଏ ଓଡ଼ିଆ ଗୀତ–

‘‘ଆସ ବସନ୍ତ–ମଧୁ ବସନ୍ତ

ନବ ମଳୟର ସାଥୀ

ନୟନ ମୋର–ତୁମରି ବିରହେ

ଝରଇ ଶ୍ରାବଣ ରାତି ।’’

 

ଭାବ ଓ ଭାଷାରେ କୌଣସି ପ୍ରଭେଦ ନାହିଁ । ଏଇ ଦୁଇଟି ରଚନାକୁ ବିଚାରକ ବିଚାର କଲେ ତାଙ୍କର ମନରେ ସନ୍ଦେହ ଆସିବ ଯେ କୋଉ ଗୀତଟି ପ୍ରଥମେ ରଚନା ହୋଇଛି ଏବଂ କୋଉ ଗୀତଟି ପରେ ରଚନା ହୋଇଛି । ଅର୍ଥାତ୍‌ କୋଉ ଲେଖକର ଭାବ ଓ ସ୍ଵରକୁ କୋଉ ଲେଖକ ଲୁଟି କରିଛି; କିନ୍ତୁ ମୁଁ ଏହାର ସାକ୍ଷୀ । ମୋରି ଆଗରେ କାଳି ବାବୁ ବଙ୍ଗଳା ଗୀତଟିର କାର୍ଟୁନ୍‌ କପି କରିଛନ୍ତି ଓଡ଼ିଆରେ–ଗ୍ରାମୋଫନ୍‌ ରେକର୍ଡ଼ରୁ ।

 

ଆଉ ଗୋଟିଏ ବଙ୍ଗଳା ଗୀତ–

 

‘‘କେଗୋ ଡାକ୍‌ଲେ ପଥେ ଏସ ଏସ ବଲିୟାଁ

ଦୁଆର୍‌ ଖୁଲିନୁ ସେ ଯେ

କ୍ୟାନ ଗେଲେ ଚଲିୟାଁ ।’’

 

କାଳି ବାବୁଙ୍କର ଓଡ଼ିଆ ଗୀତଟି–

‘‘କେ’ ସେ ଲୁଚିଲେ ଡାକି ଆସ ବୋଲି କହି ଗୋ

ଦୁଆର ମେଲିଲି ଯେବେ କାହିଁ ନାହିଁ ନାହିଁ ଗୋ ।୦।’’

 

ସେମିତି ଆଉ ଗୋଟିଏ ହିନ୍ଦୀ ଗୀତ ହେଲା–

‘‘ଓ ୟମୁନା ଓ ୟମୁନା ବତାଦେରେ–

କାହାଁ ମେରା ଘନଶ୍ୟାମ ।୦।’’

 

xxx

ଏଇ ଗୀତଟିର ଅବଲମ୍ବନରେ କାଳି ବାବୁ ଲେଖିଥିଲେ–

 

‘‘ଏ ଯମୁନା–ଏ ଯମୁନା କହ ଥରେ–

କାହିଁ ମୋର ଘନଶ୍ୟାମ ।’’

 

କେବଳ ଏଇ କେତୋଟି ଗୀତର ଉଦାହରଣ ଯଥେଷ୍ଟ ନୁହେଁ । ଅନେକ ଗୀତ କାଳି ବାବୁଙ୍କର ରହିଛି ଯାହା ଅନ୍ୟ ଲେଖକଙ୍କର ରଚନାର ଅବଲମ୍ବନରେ ରଚିତ ।

 

ସେଦିନ ସେଇ ରାତିଟି ମେରାମୁଣ୍ଡଳିରେ କଟେଇ ଅନୁଗୁଳ ଯିବାପାଇଁ ସଜବାଜ ହଉଛୁ; ନିମନ୍ତ୍ରଣର ଚିଠି ମିଳିଲା ଆଠମଲ୍ଲିକ ରାଜାସାହେବଙ୍କର । ଆଠମଲ୍ଲିକ ଗଡ଼ରେ ଆମର ରାସ ଅଭିନୟ ଲାଗି, ରାଜାଙ୍କ ମନକଥା ଜଣେଇ, ଚିଠି ଦେଇଥିଲେ ଦେୱାନ ବାହାଦୁର ନିଜେ । ସେ ସମୟରେ ଶ୍ରୀଯୁକ୍ତ ବାମଦେବ ମିଶ୍ର–ଆଠମଲ୍ଲିକର ଦେୱାନ ଥା’ନ୍ତି ।

 

ଆମ ଆନନ୍ଦ କହିଲେ ନ ସରେ । ସମ୍ବାଦ ପାଇ ଖୁବ୍‌ ଖୁସି ହେଲୁ ସମସ୍ତେ । ଜିନିଷପତ୍ର ବସ୍‌ରେ ବୋଝେଇ କରି ବାହାରିଲୁ ଅନୁଗୁଳ । ଅନୁଗୁଳଠାରୁ ସମ୍ବଲପୁର ରାସ୍ତା ଛାଡ଼ି ଅନ୍ୟ ଗୋଟିଏ ରାସ୍ତାରେ ଭାଙ୍ଗିଯିବାକୁ ପଡ଼େ ଆଠମଲ୍ଲିକକୁ । ଅନୁଗୁଳରେ କିଛିଦିନ ଅଭିନୟ ପାଇଁ ଅଟକିଗଲୁ । ସେଇ ପୁରୁଣା ସଭାଘର ବା ଟାଉନ୍‌ହଲରେ ରଙ୍ଗମଞ୍ଚ ହେଲା । ଏଥର କିନ୍ତୁ ରହଣିର ସ୍ଥାନ ହେଲା ବଜାର ଭିତରେ ।

 

ସବୁ ବହିଗୁଡ଼ିକ ଅଭିନୟ ହେଲା । ଆମର ପୁରୁଣା ପରିଚିତ ସ୍ଥାନ । ଅସୁବିଧା କିଛି ନଥିଲା । ଯେକୌଣସି ପେଷା ନାଟ୍ୟଦଳ ଲାଗି ଅନୁଗୋଳ ସ୍ଥାନଟି ସବୁକାଳେ ପ୍ରଶସ୍ତ । ବାଜା ବାଜିଲେ ଲୋକ ଚାଲିଲେ । ଆଉ ହେଳା ନାହିଁ । ଏଣୁ ଆମର ଏଥର ନୂଆ, ପୁରୁଣା ସବୁ ନାଟକରେ ବାକ୍ସ ଭର୍ତ୍ତି ପଇସା ମିଳିଲା ।

 

ଆଠମଲ୍ଲିକ ରାଜାଙ୍କର ବରାଦ ଥ‌ିବା ନିର୍ଦ୍ଦିଷ୍ଟ ଦିନ ପାଖେଇ ଆସିବାରୁ, ଅନୁଗୁଳରୁ କାମ ତୁଟେଇ, ଆଠମଲ୍ଲିକ ବସ୍‌ରେ ବସିଲୁ । ଆଠମଲ୍ଲିକ ଲାଇନିରେ ମଧ୍ୟ ଶ୍ରୀ ଚକ୍ରଧର ମିଶ୍ରଙ୍କ ବସ୍‌ ଚାଲୁଥିଲା । ଏଣୁ ଆମକୁ ଗୋଟାଏ ଏତେବଡ଼ ଅନୁଷ୍ଠାନକୁ ସେଠାକୁ ନେଇଯିବାକୁ କିଛି କଷ୍ଟ ହେଲାନାହିଁ । ଅତି ବନ୍ଧୁର ପଥ । ଗୋଟାଏ ଗୋଟାଏ ପାହାଡ଼କୁ ଅତିକ୍ରମ କରି ବିରାଟ ବସ୍‌ ଆଗେଇ ଯାଉଥାଏ । ଗଧିଆ ଧାଇଁଲା ପରି ବସ୍‌ ଉଠାଣି ଗଡ଼ାଣିରେ ପଡ଼ି ଉଠି ଚାଲିଥାଏ ।

 

ଦୋଳିରେ ଝୁଲୁଥିଲାବେଳେ ଉପରକୁ ଉଠି ତଳକୁ ଖସିପଡ଼ିଲା ବେଳେ ଯେମିତି ଛାତିଭିତରଟା ଶୂନ୍ୟ ହେଇଗଲା ପରି ଲାଗେ, ଠିକ୍‌ ସେଇଭଳି ଆମର ବସ୍‌ଟା, ଗୋଟାଏ ପାହାଡ଼ ଉପରକୁ ଉଠି ପୁଣି ତଳକୁ ଗଡ଼ିଗଲାବେଳେ ଛାତିଟା ଶୂନ୍ୟ ହେଲା ପରି ଲାଗୁଥାଏ । ନିଘଞ୍ଚ ଜଙ୍ଗଲ, ସଡ଼କର ଦୁଇପଟେ । ମୋତେ ବଡ଼ ଖୁସି ଲାଗେ ସେଇସବୁ ଜଙ୍ଗଲିଆ ସଡ଼କରେ ଯିବାକୁ, କିନ୍ତୁ ଏକୁଟିଆ ନୁହେଁ । ସାଙ୍ଗସାଥୀ ମେଳରେ । ଆମେମାନେ ବସ୍‌ ଭିତରେ ସ୍ଵାଧୀନତା ଅନୁଭବ କରି ଗଳା ଖୋଲି ଗୀତର ସ୍ଵର ଛୁଟେଇଦେଲୁ ।

 

ଆଠମଲ୍ଲିକ, ଅଠର ଗଡ଼ଜାତରୁ ଗୋଟିଏ । ଅନ୍ୟାନ୍ୟ ଗଡ଼ଜାତଠାରୁ ଖୁବ୍‌ ଅନୁନ୍ନତ । ସ୍ଥାନଟି ସମ୍ପୂର୍ଣ୍ଣ ପାହାଡ଼ିଆ । ଗୋଡ଼ିଆ ମାଟି । ଗଡ଼ର ପ୍ରବେଶ ଦ୍ଵାର ନିକଟରେ ରାସ୍ତାଧାରରେ ଗୋଟିଏ ଖପ୍‌ରୁଲି ଘରେ ଆମ ଅନୁଷ୍ଠାନ ରହିବାର ବ୍ୟବସ୍ଥା କରାଯାଇଥିଲା । ବସ୍ ଅଟକିଲା ସେଇ ସ୍ଥାନରେ । ଏଠାରେ ମଧ୍ୟ ସେଇ ବେଠିଆ ବନ୍ଦୋବସ୍ତ । ଆମେ ସେଠାରେ ପହଞ୍ଚିବା ପୂର୍ବରୁ ସେଇ ବେଠିଆମାନେ ଧାଁ–ଧପଡ଼ କରି, ଆମ ଲାଗି ପାଣିଭାର ବୋହିବା, ଖଲିପତ୍ର ଓ ଠୋଲା ସଜାଡ଼ିବା, କାଠ ଆଣି ରୋଷେଇ ଘରପାଖେ ଜମାକରିବା–ଏଇ ସବୁ କାମରେ ମାତିଥିଲେ । ନିରୀହ ଶାନ୍ତ ପ୍ରକୃତିର ଲୋକଗୁଡ଼ିକ । ଖୁବ୍‌ କର୍ମଠ । ଦେଖ‌ିଲେ ଦୟା ଲାଗେ ।

 

ଆମେମାନେ ନିଜ ନିଜର ଜିନିଷପତ୍ର ରଖାରଖି କରିସାରି, ସେଦିନ ଖିଆପିଆ ଶେଷକରି ବିଶ୍ରାମ ନେଲୁ । ରାଜାଙ୍କ ନିକଟରୁ ମଟର କାର ଆସିଲା କାଳି ବାବୁଙ୍କୁ ରାଜବାଟୀକୁ ନେବାକୁ ।

 

ତା’ ପରଦିନ ସକାଳୁ ଉଠି ଆଖି ପକେଇଲୁ ଚାରିଆଡ଼କୁ । ଅପରିଚିତ ସ୍ଥାନ, ଆଖିକୁ ସବୁ ନୂଆ ନୂଆ ମନେ ହେଲା । ଆଖି ଆମର ଯୋଉ ଦିଗକୁ ଯେତେଦୂରକ ଗଲା ଦେଖିଲା କେବଳ ପାହାଡ଼ ପର୍ବତର ଉଚ୍ଚ ନୀଚ୍ଚ ଶୃଙ୍ଗ । କିଏ ରୁକ୍ଷ ତ କିଏ ସୁନ୍ଦର ସବୁଜିମାରେ ପରିପୂର୍ଣ୍ଣ । ଉପକୂଳ ଅଞ୍ଚଳଠାରୁ ଏଇ ପାହାଡ଼ିଆ ଅଞ୍ଚଳଟିର ଜଳବାୟୁ ସମ୍ପୂର୍ଣ୍ଣ ପୃଥକ୍‌ । କେନ୍ଦ୍ରାପଡ଼ା ଓ କେନ୍ଦୁପାଟଣାଠାରେ ବସି ଆମେ ଯେତେବେଳେ ମୌସୁମୀବାୟୁ ଆଗମନକୁ ବହୁ ଦୂରରେ ଥ‌ିବା ଉପଲବ୍ଧି କରୁଥିଲୁ, ଆଠମଲ୍ଲିକର ଜଳବାୟୁ ପରିସ୍ଥିତି ଦେଖି ମନେ ହେଉଥିଲା ସତେ ଯେମିତି ଶ୍ରାବଣର ଘନ ଗର୍ଜନ ଶୁଣିବାକୁ ଆଉ ବେଶି ବିଳମ୍ବ ନାହିଁ । ଅତ୍ୟୁଚ୍ଚ ପର୍ବତର ଶିଖର ଦେଶରେ ଖଣ୍ଡ ଖଣ୍ଡ ମେଘ ପବନ ଠେଲାରେ ଠେଲି ହେଇ ଆସି ଶୃଙ୍ଗରେ ବାଧା ପାଇ ଅଟକି ଯାଉଥାନ୍ତି ।

 

ଉପକୂଳ ଅଞ୍ଚଳର ଜନକୋଳାହଳଠାରୁ, ପାହାଡ଼ିଆ ଅଞ୍ଚଳର ପକ୍ଷୀ କଳରବ ଅତ୍ୟନ୍ତ ସୁମଧୁର । ଉପକୂଳ ଅଞ୍ଚଳର ଦୁର୍ଗନ୍ଧଯୁକ୍ତ ବାୟୁମଣ୍ଡଳଠାରୁ ଶୁଷ୍କ ପାହାଡ଼ିଆ ଅଞ୍ଚଳର ବିଭିନ୍ନ ବଣ୍ୟ କୁସୁମରେ ଗନ୍ଧଭରା ନିର୍ମଳ ବାୟୁ ମଣ୍ଡଳ ଅତ୍ୟନ୍ତ ଗ୍ରହଣୀୟ । ଚାରିଦିଗର ପାହାଡ଼ ପାଦ ଦେଶରୁ ସମତଳ କ୍ଷେତ୍ରକୁ ଆଚ୍ଛାଦିତ କରିଛି ନିଘଞ୍ଚ ଅରଣ୍ୟାନୀ । ଠିକ୍‌ ସେଇ ଘନବନ ନିକଟରୁ ସୃଷ୍ଟି ହୋଇଛି କୃଷକର ଶସ୍ୟ କେଦାର । ତାର ମଝିରେ ମଝିରେ ଖଣ୍ଡ କେତେ କାଠ, ବାଉଁଶରେ ତିଆରି ହୋଇଛି କୋଉଠି କୋଉଠି ଉଞ୍ଚାଳିଆ ଛୋଟଛୋଟ ପତ୍ରଡ଼ାଳ ଘେରା ଚାଳିଆ । ଶୀତ, ଖରା ଖାଇ କୃଷକ ତାରି କୋଳରେ ରହି ବଣ୍ୟଜନ୍ତୁଙ୍କ ମୁହଁରୁ ରକ୍ଷାକରେ ତା’ର ଶସ୍ୟ ସମ୍ଭାର, ବଞ୍ଚିବାର ଅସଲ ଉପାଦାନ ଖାଦ୍ୟକୁ ।

 

ଶସ୍ୟ କ୍ଷେତ୍ରପରେ ଆରମ୍ଭ ହୋଇଛି ଜନବସତି । ଉପକୂଳ ଅଞ୍ଚଳ ପରି ସେତେ ସୌଖୀନ ବାସଗୃହ ସେଠାରେ ନଥିଲେ ମଧ୍ୟ ଥିଲା କେବଳ ଆଦିମ ସଭ୍ୟତାର ସ୍ମାରକୀ ସ୍ଵରୂପ ଜୀର୍ଣ୍ଣ ମାଟି ଓ ମାଟିପଥର ମିଶା ଏଣେତେଣେ ହୋଇ କେତେଗୁଡ଼ିଏ ନୁଆଣିଆ ଘର । ନାଲି ମାଟିରେ ଲିପା ପୋଛା ହୋଇ ଘରଗୁଡ଼ିକ ନିଜର ସୀମିତ ସୌନ୍ଦର୍ଯ୍ୟକୁ ନିରୀକ୍ଷଣ କରି ନିଜେ ଗର୍ବିତ ।

 

ଆଠମଲ୍ଲିକରେ ଖରାଦିନେ ପାଣିର କଷ୍ଟ ବେଶି । ଗଡ଼ ଭିତରେ ବେଶି ବଡ଼ ବଡ଼ ବନ୍ଧ ରହିଛି । ଖରାଦିନେ ସେଇ ବନ୍ଧପାଣିସବୁ ଗୋଳିଆ ହେଇଯାଏ । ସେଇଥିରେ ଗାଧାନ୍ତି ମଣିଷ, ପଶୁ ସମସ୍ତେ । ଦିନଠାରୁ ରାତି ଏ ଅଞ୍ଚଳରେ ଖୁବ୍‌ ଭଲ ଲାଗେ । ଅବଶ୍ୟ ଭୟର ମାତ୍ରା ବଢ଼ିଯାଏ-। ଅଧିକାଂଶ ରାତିରେ ବାଘମାମୁଁ ଆସନ୍ତି ତାଙ୍କର ମଣିଷ ଭଣଜାଙ୍କୁ ସଙ୍ଖାଳିବାକୁ-। ତା’ଛଡ଼ା ଭାଲୁଙ୍କର ଆଗମନ ଜନବସତିକୁ ମଝିରେ ମଝିରେ ଘଟେ । ତେବେ ମହୁଲ ଦିନରେ ଭାଲୁଙ୍କ ଯାତ୍ରା ପ୍ରାୟ ସବୁ ଦିଗକୁ । ମହୁଲ ନିଶା ତାଙ୍କୁ ଅଥୟ କରେ । ସ୍ଥାନୀୟ ଲୋକଙ୍କର କିନ୍ତୁ ଭାଲୁ ଆକ୍ରମଣକୁ ସେତେଟା ଡର ନଥାଏ । ଭାଲୁଙ୍କର ଆକ୍ରମଣକୁ ପ୍ରତିହତ କଲାଭଳି କୌଶଳ ସେମାନଙ୍କୁ ଭଲ ଜଣା । ନିଆଁହୁଳା ପାଖରେ ଥିଲେ ତ ଭାଲୁ ଦୂରରୁ ବାଟକାଟେ-। ତା’ଛଡ଼ା ଦୁଇଖଣ୍ଡ ବାଡ଼ିଥିଲେ ଖଣ୍ଡେ ବାଡ଼ି ଭାଲୁକୁ ଧରେଇ ଦେଇ, ଆଉ ଖଣ୍ଡେ ବାଡ଼ିରେ ତାର ଥୋବଣୀକୁ ପିଟିପିଟି ତାକୁ ସାଧ୍ୟ କରିଦେବେ ।

 

ସଂକ୍ଷେପରେ କହିବାକୁ ଗଲେ ଅନ୍ୟାନ୍ୟ ଷ୍ଟେଟ୍‌ ଭଳି ଆଠମଲ୍ଲିକ ଦେଖିବାକୁ ସେତେ ସୁଦୃଶ୍ୟ ନ ହେଲେ ବି ସ୍ଥାନଟି ମନ୍ଦ ନ ଥିଲା । ଆମେମାନେ ଗଡ଼ର ପ୍ରବେଶପଥର ଆରମ୍ଭରେ ଥ‌ିବା ହେତୁ, ଗଡ଼ର ଭିତର ଅଂଶଟିର ପ୍ରଧାନ ରାଜଦାଣ୍ଡ ଓ ତାର ବଜାର, ଅଫିସ ଆଦି ଗୃହର ସୌନ୍ଦର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଅବିଦିତ ଥିଲୁ । ରାଜନଅର ଆମ ବସା ନିକଟରୁ ଟିକିଏ ଦୂରରେ ଥିଲା । ରଙ୍ଗମଞ୍ଚ ସେଇ ପାଲେସ୍‌ ନିକଟରେ ତିଆରି କରାଯାଇ ଅଭିନୟ ଆରମ୍ଭ ହେଲା ।

 

ସେଇ ଆଠମଲ୍ଲିକରେ ଥିଲାବେଳେ ଦେଖିବାକୁ ପାଇଲି ‘ସହକାର’ ପତ୍ରିକାର ଏକ ନୂତନ କଳେବର । ଏଥ‌ିପୂର୍ବରୁ ସେଇ ପତ୍ରିକାର ରୂପ ଯେପରି ଥିଲା ଏଥର ସେଇ ରୂପ ତାର ଟିକିଏ ମାର୍ଜିତ ହେଲାପରି ମନେ ହେଉଥିଲା । ହାତରେ ପାଇ ସେଇ ‘ସହକାର’ ପତ୍ରିକାଟିକୁ ଆମୂଳଚୂଳ ପାଠ କରିଗଲି । ଭାଷା ତାର ସମୃଦ୍ଧ ଥିଲା । ଉତ୍କଳର ବରେଣ୍ୟ ସାହିତ୍ୟିକମାନଙ୍କ ଲେଖାରେ ସହକାର ସେ ସମୟରେ ଅନ୍ୟାନ୍ୟ ପତ୍ରିକାଠାରୁ ହୋଇଥିଲା ରୁଚିବନ୍ତ ଓ ରୁଦ୍ଧିବନ୍ତ । ବିଶେଷକରି ପଣ୍ଡିତ ନୀଳକଣ୍ଠ ଦାଶଙ୍କ କୋଣାର୍କର ଲାସ୍ୟଲୀଳା ଶୀର୍ଷକ ଲେଖା ସେଥ‌ିରେ ପ୍ରକାଶ ପାଇଥାଏ । ସୁମଧୁର ଭାଷା ଏବଂ ହୃଦୟକୁ ସ୍ପର୍ଶକଲା ଭଳି ଭାବ ଲେଖାଟିର ଅଙ୍ଗେଅଙ୍ଗେ ବୋଳିଦେଇଥିଲା ଆଧୁନିକତାର ରଙ୍ଗପ୍ରଲେପ । ଲେଖାଟିକୁ ଥର ଥର କରି ଅନେକ ଥର ପଢ଼ିପକେଇଥିଲି । କି ସୁନ୍ଦର ଶବ୍ଦ–ବିନ୍ୟାସ ! ଲେଖକଙ୍କର ପାଦତଳେ ଲୋଟିଯିବାକୁ ଇଚ୍ଛା ହେଉଥାଏ । ଏତେବେଳକୁ ଅନେକ ଓଡ଼ିଆ, ବଙ୍ଗଳା କାବ୍ୟକବିତା ପାଠକରି ସାରିଥାଏ । ହେଲେ ଏଇ ନୂତନ ଲେଖାଟି ପଢ଼ି, କବି ଶ୍ରୀ ନୀଳକଣ୍ଠ ଦାଶଙ୍କ କବିପ୍ରତିଭାକୁ ପ୍ରଣାମ ନ ଜଣେଇ ରହିପାରିଲି ନାହିଁ । କୋଣାର୍କର ସେଇ ଲାସ୍ୟମୟୀ ପାଷାଣୀ କନ୍ୟା, ଆଠମଲ୍ଲିକର ବନ ପର୍ବତ ଘେରା ମୋର ରହୁଥ‌ିବା ଚଉପାଶରେ ଯେପରି ଜୀବନ୍ୟାସ ପାଇ ଘୁରିବାକୁ ଲାଗିଲେ ।

 

ଯେତେଦିନ ଆମେ ସେଇ ଆଠମଲ୍ଲିକ ଗଡ଼ରେ ରହିଥିଲୁ ସବୁଦିନ ମୁଁ ବସିଲେ ଉଠିଲେ ସେଇ ଲାବଣ୍ୟମୟୀମାନଙ୍କ ମୂର୍ତ୍ତି ମୋ ଆଖ୍ୟାରେ ଦେଖିବାକୁ ପାଉଥିଲି । ହୁଏତ ଅନ୍ୟ ଯୋଉମାନେ ସେ ଲେଖାଟି ପଢ଼ିଥିବେ, ତାଙ୍କର ମୋ ପରି ଅବସ୍ଥା ସୃଷ୍ଟି ହେଇଥିବ କି ନା ସନ୍ଦେହ-। ମାତ୍ର ମୋ ନିଜ ଅନୁଭୂତି କଥା ମୁଁ କହୁଛି । ଏତେ ସରସ ଲେଖା ସବୁ ଲେଖନୀରୁ ପ୍ରକାଶ ପାଇବା ସମ୍ଭବପର ନୁହେଁ ।

 

କିଛିଦିନ ପରେ ସେଠାକାର କାର୍ଯ୍ୟକ୍ରମ ସମାପ୍ତ କରି ଆମେ ଆମର ବାହୁଡ଼ାଯାତ୍ରା ଆଠମଲ୍ଲିକରୁ ଆରମ୍ଭକଲୁ ଅନୁଗୁଳକୁ । ଗୋଟିଏ କଥାକୁ ମୁଁ ବାରବାର ପୁନରାବୃତ୍ତି କରିଛି ଓ ଏବେ ମଧ୍ୟ କରୁଛି । କୌଣସିଠାରେ ଆମର ନାଟକ ଅଭିନୟର ଅସଫଳତା ପାଇନଥିଲୁ କି ଆଠମଲ୍ଲିକରେ ମଧ୍ୟ ପାଇଲୁ ନାହିଁ ।

 

ଅନୁଗୁଳରେ ଗୋଟିଏ ଦିନ ବିଶ୍ରାମ ପରେ, ସିଧା ସମ୍ବଲପୁର ବାହାରିଲୁ । ଏଥର ସମ୍ବଲପୁର ଟାଉନ୍‌ରେ ରହିବାର ବ୍ୟବସ୍ଥା ହେଲା କ୍ରଫୋଡ଼୍‌ ପାର୍କରେ ଥ‌ିବା ଗୋଟିଏ ସୁନ୍ଦର ବଙ୍ଗଳାରେ । ବେଶ୍‌ ବଡ଼ ବଙ୍ଗଳାଟି, ଅନେକଗୁଡ଼ିଏ ଛୋଟ ବଡ଼ ଘର । ଆମ ଅନୁଷ୍ଠାନ ରହିବାକୁ ଖୁବ୍‌ ପ୍ରଶସ୍ତ । ଶ୍ରୀଯୁକ୍ତ ଚକ୍ରଧର ମିଶ୍ରଙ୍କ ବସ୍‌ ସର୍ଭିସ ଅଫିସ୍‌ ନିକଟକୁ ଲାଗି; ବର୍ତ୍ତମାନ ସେଠାରେ ଓଡ଼ିଶା ସରକାରଙ୍କ ଟ୍ରାନ୍ସପୋର୍ଟ ଅଫିସ ବିଦ୍ୟମାନ୍‌ । ସେଇ ବଙ୍ଗଳାର ଗୋଟିଏ କଡ଼କୁ ରୋଷଘର ହିସାବରେ ଦୁଇ ତିନିଟି ଛୋଟଘର ରହିଥିଲା । ସେଇଥିରେ ରହୁଥିଲେ ଦୁଇଜଣ, ବଙ୍ଗଳାଟିର ଜଗୁଆଳୀଭାବେ ତାଙ୍କର ସ୍ତ୍ରୀ ପରିବାର ସାଙ୍ଗରେ ରଖି । ସେଇ ଜଗୁଆଳ ଦୁଇଜଣ ସମାନ ବୟସର ନ ଥିଲେ । ଜଣେ ସେଥିରୁ ଥିଲେ ଚତୁର୍ଥ ଅବସ୍ଥାର ବୃଦ୍ଧ, ଆଉ ଜଣେ ଥିଲେ ପ୍ରୌଢ଼ । ତାଙ୍କର ଯୁବକ ଅବସ୍ଥା ପାର ହେଇ ଯାଇଥିଲା, କିନ୍ତୁ ସ୍ତ୍ରୀ ଦୁଇଟି ଦୁହିଁଙ୍କର ଥିଲେ ଯୁବତୀ । ଜଣକ ନାମ ଥିଲା ‘ଦୁଃଖୀ’ (ବୃଦ୍ଧଙ୍କ ସ୍ତ୍ରୀ), ଅନ୍ୟ ଜଣଙ୍କର ନାମ ଥିଲା ‘ଲକ୍ଷ୍ମୀ’ (ପୌଢ଼ାଙ୍କ ସ୍ତ୍ରୀ) । ଦୁଇଜଣଙ୍କର ସ୍ୱାସ୍ଥ୍ୟ ଖୁବ୍‌ ଉନ୍ନତ । ‘ଦୁଃଖୀ’ ଥିଲେ ଦେଖିବାକୁ ଗୋରୀ ଏବଂ ‘ଲକ୍ଷ୍ମୀ’ ଦେଖିବାକୁ ଅଳ୍ପ କାଳି । ପରକୁ ଆପଣାର କରିବାରେ ଦୁଇଜଣଯାକ ପରସ୍ପରକୁ ବଳିଯିବେ । ଦୁହେଁ ମଧ୍ୟ ହାସ୍ୟମୟୀ ।

 

ରଙ୍ଗମଞ୍ଚ ପ୍ରସ୍ତୁତ ହେଲା ସେଇ କ୍ରଫୋଡ୍‌ ପାର୍କର ହତାରେ, ଠିକ୍‌ ବଙ୍ଗଳା ନିକଟକୁ ଲାଗି । ଅଭିନୟ ଆରମ୍ଭ ହେଲା । ଆଗରୁ ଆମର ଅନୁଭୂତି ଥିଲା ଯେ ସମ୍ବଲପୁର ଟାଉନ୍‌ର ଅଧ‌ିବାସୀ ନାଟ୍ୟକଳା ପ୍ରତି ସର୍ବଦା ସଚେତନ । ଯେକୌଣସି କଳା ଅନୁଷ୍ଠାନକୁ ଆଦର କରିବା ଏବଂ ତା’ର ପୃଷ୍ଠପୋଷକତା କରିବା ଦିଗରେ ଆଗୁସାର ।

 

ପ୍ରଥମେ ଆରମ୍ଭ ହେଲା ନୂଆ ନାଟକଗୁଡ଼ିକ । ଏଥର କାଳି ବାବୁ ତାଙ୍କର ଯଥାଶକ୍ତି ଖଟେଇ ରଙ୍ଗମଞ୍ଚକୁ ଟିକିଏ ନୂଆରୂପ ଦେବାକୁ ଯତ୍ନ କରିଥିଲେ । ନୂଆ ନୂଆ ସିନ୍‌ ସିନେରି ପ୍ରସ୍ତୁତ କରିବାଲାଗି ଜଣେ ସୁଦକ୍ଷ ପେଣ୍ଟର୍‌ଙ୍କୁ ଅନୁଷ୍ଠାନରେ ସ୍ଥାନ ଦେଇଥିଲେ । ଜଣେ ବଙ୍ଗୀୟ ଭଦ୍ରଲୋକ ଥିଲେ ପେଣ୍ଟର୍‌ । ଅଭିନୟ ଚାଲିଥିଲାବେଳେ, ସେଇ ବଙ୍ଗଳାର ଗୋଟିଏ ବଡ଼ଘରେ ଖଣ୍ଡିଏ ଖଣ୍ଡିଏ ସିନ୍‌ ତିଆରି ହଉଥିଲା ଏବଂ ତାର କାମ ସମ୍ପୂର୍ଣ୍ଣ ହେବାପରେ ଷ୍ଟେଜ୍‌ରେ ଟଣାଯାଉଥିଲା । ଏଇଭଳି ଭାବରେ କାମ କରାଯାଇ ଏଥର ସମ୍ବଲପୁରରେ ଆମର ରଙ୍ଗମଞ୍ଚ ଏକ ନୂତନ ମାର୍ଜିତ କଳେବର ନେଇ ଆତ୍ମପ୍ରକାଶ କରିଥିଲା ।

 

କିଛିଦିନ ଅଭିନୟ ଚାଲିଲାପରେ ଆମେମାନେ ଅନୁଭବ କଲୁ କ୍ରମେକ୍ରମେ ଦର୍ଶକ ଭିଡ଼ ବଢ଼ୁଛି । ଗୋଟିଏ ଗୋଟିଏ ନାଟକକୁ ଏକାଧିକବାର ଦେଖି ମଧ୍ୟ ସେଇ ସମାନ ଦର୍ଶକ ଆସୁଛନ୍ତି । ମନରେ ଆମର ପ୍ରବଳ ଉତ୍ସାହ ଜାଗିଉଠିଲା । ନାଟକ କିପରି ଆହୁରି ସରସ ହେବ, ଜୀବନ୍ତ ହେବ ସେଥ‌ିପାଇଁ ଆମେ ପ୍ରତ୍ୟେକ ଅଭିନୟକାରୀ ସଜାଗ ହେଇଉଠିଲୁ ।

 

ଶ୍ରୀଯୁକ୍ତ ପି. କେ. ଦାସ ସେତେବେଳେ ସମ୍ବଲପୁରର କଲେକ୍ଟର । କାଳି ବାବୁଙ୍କ ବନ୍ଧୁ ଏବଂ ସେଠାକାର ବିଖ୍ୟାତ ଗୋପାଳଜୀଉ ମଠର ମହନ୍ତ ମହାରାଜ ଶ୍ରୀଯୁକ୍ତ ନୀଳାମ୍ବର ଦାସ ଏବଂ ପ୍ରଖ୍ୟାତ ପୂଜାରୀ ବଂଶର ଶ୍ରୀଯୁକ୍ତ ଜନାର୍ଦ୍ଦନ ପୂଜାରୀ ଓ ବହିଦାର ବାବୁ, ଡାକ୍ତର ସନାତନ ବେହେରା, ଆଉ କେତେକ ଜଣାଅଜଣା ନାଟ୍ୟପ୍ରେମୀ ଆସିଲେ କାଳି ବାବୁଙ୍କୁ ସମ୍ବର୍ଦ୍ଧନା ଜଣେଇବା ଆଶାରେ । ଶ୍ରୀ ଗୀତଗୋବିନ୍ଦ, ଚମ୍ପୁ, ଲକ୍ଷ୍ମୀ, ମାନଭଞ୍ଜନ, ଆଖିର ଦେଖା, ବାଂଶରୀ ବିଳାସ, ନବାନୁରାଗ, ଚତୁରକହ୍ନା, ବିଦ୍ୟାକଳୀ, କୌତୁକ ଚିନ୍ତାମଣୀ, ବନ ବିହାର, ମୃଗୟା ନାଟକ ସବୁ ଅଭିନୟ କରାଗଲା ।

 

ଅନେକବାର ଏଥ‌ିପୂର୍ବରୁ ସମ୍ବଲପୁରରେ ଆମେ ଅଭିନୟ କରିଥିଲୁ । ବହୁ ଉଚ୍ଚ ପ୍ରଶଂସା ମଧ୍ୟ ପାଇଥିଲୁ; କିନ୍ତୁ ଏଥର କାହିଁକି ସେଇସବୁ ଅଭିନୟ ଦର୍ଶକଙ୍କ ମନରେ ଟିକିଏ ଅଧିକ ପ୍ରଭାବ ପକେଇଲା ପରି ମନେ ହେଲା । ବିଶେଷ କରି ମୋର ବ୍ୟକ୍ତିଗତ ଅଭିନୟ ସବୁଥରଠାରୁ ଏଥର କାହିଁକି କେଜାଣି ଭଲ ହେଇଥିଲା ଭଳି ଲାଗିଲା । ଯୋଉମାନେ ଆଗରୁ ମୋର ‘କଟୁ’ ଭୂମିକା ଦେଖିଥିଲେ, ଏଥର ସେମାନେ ସେଇ ଭୂମିକା ଦେଖି ମଧ୍ୟ ଘନଘନ କରତାଳି ଦେଇ ତାଙ୍କର ସମର୍ଥନକୁ ଦୁଇଗୁଣ ବଢ଼େଇ ଦଉଥିଲେ । କୌଣସି ପେଷାଦାର ଅନୁଷ୍ଠାନ ପକ୍ଷରେ ଏହା ଅବଶ୍ୟ ଅନୁକୂଳ ପରିସ୍ଥିତି ସୃଷ୍ଟି କରେ; କିନ୍ତୁ ସତ କହିବାକୁ ଗଲେ ସେଭଳି ଉଚ୍ଚପ୍ରଶଂସା ମୋ ପକ୍ଷରେ ଥିଲା ଏକ ଅଭିଶାପ ପରି ।

 

ଆପଣମାନେ ଅନୁଭବ କରିଥ‌ିବେ, ସମାଜରେ ଆମର କେହି କିଛି ଭଲ କାମଟିଏ କଲେ ସମସ୍ତଙ୍କ ନଜର ତାଙ୍କରି ଆଡ଼କୁ ଯାଇଥାଏ । ଉଦ୍ୟାନ ଭିତରେ ଲକ୍ଷ ଲକ୍ଷ ଫୁଲ ଫୁଟିଲେ ମଧ୍ୟ ଯୋଉଟି ସବୁଠାରୁ ସୁନ୍ଦର ତାରି ନିକଟକୁ ଆଖି ବଳେ ବଳେ ଟାଣି ହେଇଯାଏ । ସେହିପରି କାହାର ରୂପ ଭଲଥିଲେ, କାହାର ଗୀତ ଭଲ ଲାଗିଲେ, କାହାର କଥା ଭଲ ଲାଗିଲେ, କାହାର ଅଭିନୟ ଭଲ ଲାଗିଲେ, ସହସ୍ର ଆଖି ସହସ୍ର ମନ ସେଠାକୁ ଆକର୍ଷିତ ହେବା ସ୍ଵାଭାବିକ କଥା ।

 

ଏଇ କାରଣରୁ ହିଁ ମୁଁ ସମ୍ଭବ ପ୍ରାୟ ପ୍ରତ୍ୟେକଙ୍କ ନିକଟରେ ଥିଲି ସ୍ନେହର ପାତ୍ର । ସେ ସ୍ନେହରେ ଅମୃତ ଥିଲା କି ଗରଳ ଥିଲା ମୁଁ କେବେ କ୍ଷଣକ ଲାଗି ସୁଦ୍ଧା ପରୀକ୍ଷା କରିବାର ଅବସର ପାଇନଥିଲି । ତା’ଛଡ଼ା ମୋ ପ୍ରତି କାହାର କେତେ ଯେ ନିର୍ମଳ ସ୍ନେହ ରହିଛି ସେକଥା ମୋ ମନ ଭିତରେ ତଉଲି ନେବାର କ୍ଷମତା ମୋର ନଥିଲା । ଏଣୁ ଯେ ମୋତେ ପ୍ରଶଂସା କରୁଥିଲା ଅବା ସ୍ନେହ କରୁଥିଲା, ସେ ସ୍ନେହରେ ତା’ର କି ଅଭିସନ୍ଧି ଥିଲା, କି ଉଦ୍ଦେଶ୍ୟ ଥିଲା, ମୁଁ ଜାଣିବାକୁ ଚେଷ୍ଟା ନକରି ତା’ ନିକଟରେ ଧରା ଦଉଥିଲି ।

 

ମୋର ଅଭିନେତା ଜୀବନରେ ପ୍ରାୟ ସବୁ ଧରଣର, ସବୁ ସ୍ତରର ଦର୍ଶକଙ୍କଠାରୁ ସ୍ନେହ, ସମର୍ଥନ ପାଇଛି । ପିଲା, ବୁଢ଼ା, ଯୁବକ, ଯୁବତୀ ସମସ୍ତେ ମୋତେ ଭଲ ପାଇଛନ୍ତି । ସେ ଭଲ ପାଇବା ଯଦି ସ୍ଥଳ ବିଶେଷରେ କୋଉଠି କୋଉଠି ଉଦ୍ଦେଶ୍ୟମୂଳକ ହୋଇପାରେ ତ ମୋର ସେଥିରେ ଯାଏ କେତେ ଆସେ କେତେ ? ଗୋଟିଏ ସ୍ଥାନରେ ଆମେ ମାୟା, ମମତା, ବନ୍ଧନ ବାନ୍ଧିବସୁଁ ଏବଂ କିଛିଦିନ ପରେ ସେଠାକାର ବନ୍ଧନ ତୁଟେଇ ପୁଣି ଖୋଜୁ ନୂଆ ସ୍ଥାନ ଓ ନୂଆ ବନ୍ଧନ । ଏଇହେଲା ଆମ ନାଟ୍ୟାନୁଷ୍ଠାନର ଧରାବନ୍ଧା ରୁଟିନ୍‌ । ଆମକୁ ସମସ୍ତେ ଅବା କେହି କେହି ତାଙ୍କ ମନରେ ଧରି ରଖି ପାରନ୍ତି, ହେଲେ ଆମ ମନରେ କେତେ କାହାକୁ ଧରି ରଖିଲା ଭଳି ଶକ୍ତି ରହିଛି–କୁହନ୍ତୁ ? ଆମକୁ କେହି ତା’ ନିଜ ନିକଟରେ ପାଇବାକୁ ଇଚ୍ଛା କଲେ ଆମେ କିନ୍ତୁ ଦେଖାଦେଉ ଅନ୍ୟ ନିକଟରେ ?

 

ଏତେ ବଡ଼ ବାସ୍ତବ କଥାଟା କିନ୍ତୁ ସେଦିନ ମୋ ନିକଟରେ ଅତି ଅବାସ୍ତବ ପରି ମନେ ହେଲା । ମୁଁ ଯେ ସମସ୍ତଙ୍କର, କୌଣସି ବ୍ୟକ୍ତିବିଶେଷଙ୍କର ହେଇନପାରେ–ଏକଥା ମୋ ମନରୁ ସେଦିନ କିଏ ଯେମିତି ପୋଛି ଲିଭେଇ ଦେଲା । ସହସ୍ର ଦର୍ଶକଙ୍କ ପ୍ରଶଂସାରେ ମୁଁ ଭାଙ୍ଗିପଡ଼ି ନ ଥିଲି, ଅଥଚ ଭାଙ୍ଗିପଡ଼ିଲି ଦୁଇଟା ସାମାନ୍ୟ ତରୁଣୀଙ୍କର ହୀନ ଆବିଳତାପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଚାଟୁବାକ୍ୟରେ ।

 

କେତେଗୁଡ଼ିଏ ଦିନ ସେଇ କ୍ରଫୋଡ଼୍‌ ପାର୍କରେ ଅଭିନୟ ଚାଲିଲା ପରେ, ଧୀରେ ଧୀରେ ମୁଁ ଯେମିତି ସେଇ ତରୁଣୀ ଦୁଇଟିକ ଆକର୍ଷଣ ଅନୁଭବ କଲି । ତେବେ ମୋ ନିକଟକୁ ସେମାନେ ଦୁହେଁ ଆସୁଥିଲେ ନା ମୁଁ ସେମାନଙ୍କ ନିକଟକୁ ଟାଣି ହେଇ ଯାଇଥିଲି ସେକଥା ପ୍ରଥମେ କିଛି ବୁଝିପାରିଲି ନାହିଁ । ମୋ ଆକର୍ଷଣ ସେମାନଙ୍କ ନିକଟରେ ଥିଲା ପ୍ରବଳ, ନା ତାଙ୍କମାନଙ୍କ ଆକର୍ଷଣ ମୋ ନିକଟରେ ଥିଲା ପ୍ରବଳ, ସେକଥା ଆଜି କହିବା କଷ୍ଟକର । ଏଭଳି ଘଟଣାକୁ ସୁଯୋଗ କୁହାଯାଇପାରେ କି ଦୁର୍ଯୋଗ କୁହାଯାଇପାରେ ସେକଥା ଚିନ୍ତା କଲାଭଳି ଅବସ୍ଥା ମୋର ନଥିଲା । କାହିଁକି ନା, ସେ ସମୟରେ ମୋ ଜୀବନରେ ଚୋରି ଦକ୍ଷିଣା ଟିକିଏ ରହିରହି ଉଙ୍କି ମାରୁଥାଏ । ଜୀବନର ଯାହା ଦରକାରୀ ସେସବୁ ମୋତେ ଅଦରକାରୀ ପରି ଜଣାପଡ଼ୁଥାଏ, ଏବଂ ଯାହା ଅଦରକାରୀ ତାହା ଦରକାରୀ ଭଳି ପ୍ରତ୍ୟୟ ହେଉଥାଏ ।

 

ସେଭଳି ଅପ୍ରୀତିକର ଘଟଣା ଘଟିନଥାନ୍ତା ଯଦି ଆମେମାନେ ସେଠାରେ ସେଇ କ୍ରଫୋଡ଼ ପାର୍କରେ ନଥାନ୍ତୁ କିମ୍ବା ଲକ୍ଷ୍ମୀ, ଦୁଃଖୀ ସେଠାରେ ନଥାନ୍ତେ । ସେଇ ତରୁଣୀ ଦୁଇଟି ଆମ ଅନୁଷ୍ଠାନର ନିଜ ଲୋକ ଭଳି ସବୁବେଳେ ଆମ ପାଖେ ପାଖେ ଖୁବ ନିକଟରେ ରହୁଥିଲେ । ଏଣୁ କିବା ସକାଳ କିବା ସଞ୍ଜ ସେମାନଙ୍କର ସମ୍ପର୍କରେ ମୁଁ ଆସୁଥିଲି । ଫଳରେ ଆମ ଉଭୟଙ୍କ ଭିତରେ ସେଇ ଆକର୍ଷଣରଜ୍ଜୁ କ୍ରମେକ୍ରମେ ପାକଳ ହେଉଥିଲା । ତାକୁ ଚ୍ଛିନ୍ନ କରିବାର କ୍ଷମତା ଆମମାନଙ୍କର କାହାରି ନଥିଲା ।

 

ସେଇ ମହିଳା ଦୁଇଟିଙ୍କର ସ୍ଵାମୀମାନେ ଯଦିଚ ବଙ୍ଗଳା ଜଗୁଆଳୀ ହିସାବରେ ସେଠାରେ ସ୍ଥାନ ପାଇଥିଲେ; କିନ୍ତୁ ଚାକିରି କରୁଥିଲେ ଅନ୍ୟ ଅଫିସରେ । ଦିନ ଦଶଟା ବାଜିଲେ ସେମାନେ ନାକରେ କାନରେ ଗଣ୍ଡାଏ ଗୁଞ୍ଜିଦେଇ ଚାଲିଯାଉଥିଲେ ନିଜର କର୍ତ୍ତବ୍ୟ ପଥରେ । ଘରେ ଏକାକିନୀ ରହୁଥିଲେ ଦୁଃଖୀ ଓ ଲକ୍ଷ୍ମୀ । ଆମ ଅନୁଷ୍ଠାନର ଏତେ ଲୋକ ଥାଇ ସୁଦ୍ଧା, ଏତେ ଗହଳି ଚହଳି ଭିତରେ ସେଇ ତରୁଣୀ ଦୁଇଟି ବେଳଉଣ୍ଡି ସଂକେତ ଦଉଥିଲେ ମୋତେ । ଲଜ୍ୟା କ’ଣ, ସଂକୋଚ କ’ଣ କିଛି ବୁଝୁନଥିଲି ମୁଁ । ପାଗଳ ପରି ଛୁଟି ଯାଉଥିଲି ତାଙ୍କ ନିକଟକୁ । କବାଟ ଆଉଜେଇଦେଇ ସେମାନେ ମୋତେ ମଝିରେ ରଖି ଘେରିଯାଉଥିଲେ ମୋର ଦୁଇପଟେ ।

 

ମଥାରେ ଝରା ଫୁଲିଆ ଖୋଷା । ମୁହଁରେ ଦର ହସ । ଦେହରେ କାନ୍ଧପକା ଅଞ୍ଚଳଥିବା ନୀଳ, ନାଲି ସମ୍ବଲପୁରୀ ଶାଢ଼ି, ପ୍ରତି ଅଙ୍ଗରେ ଯୌବନର ମନଭୁଲା ରଙ୍ଗ ।

 

ମୁଁ ତାଟକା ହୋଇ ଚାହିଁ ରୁହେ ସେମାନଙ୍କ ମୁହଁକୁ । ନିକଟରେ ଥ‌ିବା ସେମାନଙ୍କ ଖଟିଆ ଉପରେ, ଗୋଟିଏ ଡାଲାରେ ଥୁଆ ହୋଇଥାଏ ମଲ୍ଲିହାର, ଛୋଟ ଗିନାରେ ଗୋଳା ଚନ୍ଦନ-। ମୋତେ ଖଟିଆରେ ବସେଇ ମୋର ସର୍ବାଙ୍ଗକୁ ଚନ୍ଦନରେ ଲେପି ଦିଆଯାଏ । ମଲ୍ଲିଫୁଲର ମାଳକୁ ଗଳାରେ ମୋର ଲମ୍ବେଇ ଦେଇ, ଗ୍ଲାସ ପୂର୍ଣ୍ଣ ଖଜୁରି ରସ ମୋତେ ପିଇବାକୁ ଦିଆଯାଏ-। ତା’ପରେ ମୋତେ ଦୁଇ ଜଣଯାକ ଦୁଇପଟୁ ଖୁବ୍‌ ଜୋରରେ କୁଣ୍ଢେଇ ଧରନ୍ତି । ସେମାନଙ୍କର ସେଇ ନିଷ୍ଠୁର ବନ୍ଧନ ଭିତରେ ଛାତିରେ, ପିଠିରେ ଯେପରି ମୋର କିଛି ଯନ୍ତ୍ରଣା ଲାଗିଲାପରି ଅନୁଭବ କରେ ମୁଁ । ଦେହ ଥରେ, ପାଟିରୁ କିଛି କଥା ବାହାରେ ନାହିଁ । ମୋର ଦୁଇପଟେ ସେମାନେ କିଛି ସମୟ ପାଇଁ ବସନ୍ତି । ମୁଁ ଲକ୍ଷ୍ୟ କରେ ଏ କ’ଣ ? ସେମାନଙ୍କ ମୁହଁରେ ରକ୍ତିମ ଆଭା । ପୁଣି ଚାରୋଟି ଆଖିରେ ଆଖିଏ ଆଖିଏ ଲୁହ, କାହିଁକି ?

 

ସେଠାରେ ଆମେ ଯେତେଦିନ ରହିଥିଲୁ, ପ୍ରାୟ ସବୁଦିନ ସମସ୍ତଙ୍କ ଅଗୋଚରରେ ଏଇ ଘଟଣା ଘଟିଯାଉଥିଲା । ପ୍ରଥମେ ଏପରି ଅପ୍ରତ୍ୟାଶିତ ଘଟଣାରେ ମୁଁ ଟିକିଏ ଭୟ କରିଯାଇଥିଲି; କିନ୍ତୁ ପରେ ତାହା ମୋର ଦେହସୁହା ହୋଇଗଲା । ସେମାନେ ମୋତେ ଚାପି ଧରିଲାବେଳେ ମୁଁ ମଧ୍ୟ ସେମାନଙ୍କୁ ଚାପି ଧରୁଥିଲି । ମୋର ସର୍ବାଙ୍ଗସାରା କ'ଣ ଯେପରି ଖେଳିଗଲାପରି ଅନୁଭବ କରୁଥିଲି ।

 

ଯେତେବେଳେ ସେ ଦୁହିଁଙ୍କ ନିକଟରୁ ବିଦାୟ ନେଇ ମୁଁ ମୋର ପୂର୍ବାବସ୍ଥାକୁ ଫେରି ଆସୁଥିଲି, ସତେ ଯେମିତି ଗୋଟାଏ ଏକନମ୍ବର ଖୁନୀ ଫେରାର ହୋଇ ଧରାପଡ଼ିଲେ ଯୋଉ ଅବସ୍ଥା ତାର ମନ ଭିତରେ ଆସେ, ଠିକ୍‌ ମୋ ମନର ଅବସ୍ଥା ସେହିପରି ହେଉଥିଲା । ଖୁବ୍‌ ଯତ୍ନସହକାରେ ସେମାନଙ୍କ ସ୍ନେହର ଉପହାର ମଲ୍ଲିହାରକୁ ସମସ୍ତଙ୍କ ଦୃଷ୍ଟିକୁ ଏଡ଼େଇ, ପାତାଳପୁରୀର ରାଜକନ୍ୟା' ତାର ବାରହାତ କେଶକୁ ସାତ ପରସ୍ତ ଫରୁଆରେ ସାଇତି ରଖିଲାଭଳି ମୁଁ ମୋର ଲୁଗାତଳେ ଲୁଚେଇ ରଖି ଫେରୁଥିଲି ।

 

ମଲ୍ଲିଫୁଲର ମନଭୁଲା ସୁବାସ ସେ ସମୟକୁ ସେତେଟା ପରିମାଣର ରହୁନଥିଲା । ଚୈତ୍ରେ ଗୋଟିଏ, ବୈଶାଖେ ମୁଠିଏ, ଜ୍ୟେଷ୍ଠେ ହାରେ, ଆଷାଢ଼େ ଭାରେ–ଏଇ ପ୍ରବାଦ ଅନୁଯାୟୀ ମଲ୍ଲିର ସେ ସୁବାସ ପ୍ରାୟ ନଥିଲା କହିଲେ ଚଳେ । କିନ୍ତୁ ଚନ୍ଦନର ଗନ୍ଧ ! ତାକୁ ବା ଅନ୍ୟମାନଙ୍କ ନିକଟରେ ଛପେଇବି କିପରି ? ତଥାପି ଦେହକୁ ଲୁଗାରେ ଭଲଭାବେ ପୋଛିଦେଇ ପଦାକୁ ବାହାରୁଥିଲି । ମଲ୍ଲିହାରକୁ ନିଜର ବିଛଣାର ତକିଆତଳେ ସାଇତି ରଖୁଥିଲି ।

 

ମୋର ସେ ଚୋରାଚୋରା ପ୍ରୀତି ବିଷୟରେ, କାଳି ବାବୁ ଜାଣୁଥିଲେ କି ନା ମୋର ବୁଝିବାକୁ ସମୟ ନ ଥିଲା । ରାତିରେ ଶୋଇଲାବେଳେ ସେଇ ଉପହାର ମଲ୍ଲିହାରକୁ ଚାହିଁ ଚାହିଁ, ଲକ୍ଷ୍ମୀ, ଦୁଃଖୀଙ୍କ ମୁହଁକୁ ମନରେ ଆଙ୍କି ଆଙ୍କି ଶୋଇପଡ଼େ । ସକାଳ ହୁଏ । ନିଦ ଭାଙ୍ଗିଯାଏ। ମନେହୁଏ, ସତେଅବା ଗଲା ରାତିଟା କେଉଁ ପରୀ ରାଇଜରେ କଟେଇ ଆସିଛି ମୁଁ । ଦେହରେ ଫୁଲ, ଚନ୍ଦନର ଗନ୍ଧ ଅନୁଭବ କରେ ।

 

ଏଥର ସମ୍ବଲପୁର ଯାତ୍ରାରେ କ୍ରଫୋଡ଼୍‌ ପାର୍କ ବଙ୍ଗଳାରୁ କିଏ କଣ ପାଇଥିଲା । ମୁଁ ଜାଣେନା, କିନ୍ତୁ ମୁଁ ପାଇଥିଲି ବହୁ ନାଟ୍ୟରସିକ ଦର୍ଶକମାନଙ୍କଠାରୁ ମୂଲ୍ୟବାନ ଉପହାର । ଦୁଃଖୀ ଓ ଲକ୍ଷ୍ମୀଙ୍କଠାରୁ ଅନାବିଳ ସ୍ନେହ, ପ୍ରୀତି ପୁଣି ସର୍ବୋପରି ଗୋଟିଏ ଅମୂଲ୍ୟ ପ୍ରାଣୀ ସଂପଦ କୁକୁରୀ ଶାବକ । ନା ତାର ଦେଇଥିଲି ‘ଲିଲି’ ।

 

‘ଲିଲି’ ଥିଲା ଦୁଇମାସର ଶାବକ । ସୁନ୍ଦର ଡଉଲଡ଼ାଉଲ ଦେଖିବାକୁ । ତାକୁ ପାଇଲା ଦିନଠାରୁ ମୁଁ ମୋର ଭୋକ ଶୋଷ ଭୁଲିଗଲି; ବସିଲେ, ଉଠିଲେ, ଚାଲିଲେ, ବୁଲିଲେ, ‘ଲିଲି’ ହେଲା ମୋର ଜପାମାଳି । ତାର ମଇଳା, ତାର ବାନ୍ତି ହେଲା ମୋର ଚନ୍ଦନ । ଘୃଣାଶୂନ୍ୟ ବିକାରଶୂନ୍ୟ ହେଲି ମୁଁ ସେଇ କୁକୁର ଶାବକଟି ପାଖରେ । ମୋର ପାରିଶୁଆରେ ଶୋଇ, ମୋରି ତକିଆରେ ମଥା ରଖି ସେ ପାଇଲା ମଣିଷ ଜୀବନର ଭୋଗ ବିଳାସ । କୁକୁର ଜୀବନ ତା’ର ହେଲା ସାର୍ଥକ ।

 

ହଠାତ୍‌ ଦିନେ ସେଇ କ୍ରଫୋଡ଼୍‌ ପାର୍କରେ ହେଲା ଏକ ବିଶୃଙ୍ଖଳା, ବିଭ୍ରାଟ । ଆମର ରାସ ଅନୁଷ୍ଠାନର ଅତ୍ୟଧିକ ସଫଳତା ଦେଖି ସେଠାକାର ସ୍ଥାନୀୟ ଯୁବଗୋଷ୍ଠୀ କାଳି ବାବୁଙ୍କ ନିକଟରେ ଅନୁରୋଧ ଜଣେଇଲେ ସେମାନଙ୍କ ପାଇଁ ଗୋଟିଏ ଚ୍ୟାରେଟି ସୋ ଦେବାକୁ । କାଳି ବାବୁ ମଧ୍ୟ ତାଙ୍କମାନଙ୍କ ପ୍ରସ୍ତାବରେ ରାଜି ହେଲେ ଏବଂ ଗୋଟିଏ ନାଟକ ଅଭିନୟ ହେବାର ବ୍ୟବସ୍ଥା ହେଲା । ନିଷ୍ପତ୍ତି କରାଗଲା ଯେ ସେଇ ଚ୍ୟାରେଟି ସୋ’ର ଉପାର୍ଜିତ ଅର୍ଥରୁ ଆମ ଅନୁଷ୍ଠାନର ସେଦିନର ସମସ୍ତ ଖର୍ଚ୍ଚ ବାଦ ଦେଇ ବାକି ଅର୍ଥକୁ ସେମାନଙ୍କୁ ଡୋନେସନ୍‌ ଭାବେ ଦେଇଦିଆଯିବ ।

 

ଅଭିନୟଟି ଆରମ୍ଭ ହେବାକୁ କିଛି ସମୟ ବାକି ଅଛି, ହେଲା ପ୍ରବଳ ଭିଡ଼ । ଯୋଉମାନେ ଟିକଟ କିଣିଥିଲେ ସେମାନେ ତ ଆସିଲେ, ତାଙ୍କ ସଙ୍ଗେସଙ୍ଗେ ଆସିଲେ ଆଉ ଅନେକ ଲୋକ, ଯୋଉମାନେ କି ପଇସା ଦେଇନଥିଲେ କି ଟିକଟ ମଧ୍ୟ କିଣିନଥିଲେ । ସେ ପ୍ରବଳ ଭିଡ଼କୁ ରୋକିଲା ଭଳି କାହାରି କ୍ଷମତା ନଥିଲା । ଆମ ତରଫରୁ ଯୋଉମାନେ ଗେଟ୍‌ରେ ଜଗିଥଲେ, ସେମାନେ ଲୋକଙ୍କ ଚାପାରେ ବାଟ ଖୋଲିଦେଲେ । ଫଳରେ–ଯେ ଚାହିଁଲା ସେ ପଶିଲା । ଅବସ୍ଥା ଏଭଳି ହେଲା ଯେ, ଶେଷରେ ଚାରିକଡ଼ର ଘେର ତମ୍ବୁକନାକୁ ଫିଟେଇଦବାକୁ ପଡ଼ିଲା ।

 

ଆମେମାନେ ମେକାପ୍‌ ହେଇସାରି ଷ୍ଟେଜ୍‌ ଭିତରେ ଚୁପ୍‌ଚାପ୍‌ ବସିଥାଉ । ଲୋକମାନେ ନିଶ୍ଚଳ ହୋଇ ବସିଲେ ଆରମ୍ଭ ହେବ, କିନ୍ତୁ ବେଳକୁବେଳ ଲୋକ ଗହଳି ବଢ଼ୁଥାଏ । କାଳି ବାବୁ ଉପାୟ ନଦେଖି ବାହାର ଭିତର ହଉଥାନ୍ତି । କେହି କେହି ପାଟିକରି କହୁଥାନ୍ତି, ନାଟକ ଆରମ୍ଭ କର-। ଲୋକ ଥମିଯିବେ । ସତକୁସତ ସେଇକଥା ହେଲା । କାଳି ବାବୁ ଆମକୁ ଭିତରେ ନିର୍ଦ୍ଦେଶ ଦେଲେ ଅଭିନୟ ଆରମ୍ଭ କରିବାକୁ ।

 

ବହି ଆରମ୍ଭ ହେଲା । ଗୋଟିଏ ଖଣ୍ଡେ ଦୃଶ୍ୟ ଶେଷ ହେଇଛି କି ନାହିଁ ଆମର କଥା ବା ଗୀତ କାହାରିକୁ ଶୁଣାଗଲା ନାହିଁ, ଏପରିକି ଲୋକମାନଙ୍କ କୋଳାହଳରେ ଷ୍ଟେଜ୍‌ ଉପରେ ଆମେ ଅଭିନେତାମାନେ ନିଜ ନିଜର ଡାଇଲଗ୍‌ ମଧ୍ୟ ଶୁଣିପାରିଲୁ ନାହିଁ । ଅଭିନୟ ବନ୍ଦ ରଖି, କାଳି ବାବୁ ମଞ୍ଚଉପରକୁ ଯାଇ ଦର୍ଶକମାନଙ୍କୁ ଗୋଳମାଳ ବନ୍ଦ କରିବାକୁ ଅନୁରୋଧ ଜଣେଇଲେ । ସବୁ ବୃଥା ହେଲା । ଅରଣ୍ୟରୋଦନ ପରି ତାଙ୍କର ସେ ଅନୁରୋଧକୁ ମଧ୍ୟ କେହି ଶୁଣିପାରିଲେ ନାହିଁ । ବେଳକୁବେଳ କେବଳ ପାଟିଗୋଳରେ ସମସ୍ତେ ପ୍ରାୟ ବ୍ୟତିବ୍ୟସ୍ତ ହେଇପଡ଼ିଲେ ।

 

କିଛି ସମୟ ପରେ କୌଣସି ଉପାୟରେ ସେଇ ଗୋଳମାଳ ଯେତେବେଳେ ବନ୍ଦ ହେଲା ନାହିଁ, ସେତେବେଳେ କାଳି ବାବୁ ଆମମାନଙ୍କୁ ସଂକେତ ଦେଲେ, ଷ୍ଟେଜ୍‌ ଛାଡ଼ି ବସାକୁ ଚାଲିଯିବାକୁ । କେବଳ ଆମେ ଏକା କାହିଁକି, କାଳି ବାବୁଙ୍କୁ ମଧ୍ୟ ସାଙ୍ଗରେ ଧରି ଆମେ ସବୁ ଚାଲିଲୁ ବଙ୍ଗଳାକୁ I ଯିବା ପୂର୍ବରୁ ଷ୍ଟେଜ୍‌ ମଝିରେ ଗୋଟିଏ, ଗୋଟିକିଆ ଗଛସିନ୍‌ ଟାଣିଦେଇ, ତା’ ମୂଳରେ ଚାରିଆଡ଼ୁ ଢିମା ପଥର, ଇଟା ସବୁ ଗୋଟେଇ ଆଣି ଜମେଇଦେଲୁ । ଗୋଟିଏ ଲୋକକୁ ସେଠାରେ ରଖେଇ ତାକୁ କହିଲୁ, ଆମେ ସମସ୍ତେ ବସାକୁ ଚାଲିଯିବା ପରେ ଡ୍ରପ୍‌ଟିକୁ ଉଠେଇଦେବାକୁ ।

 

ଷ୍ଟେଜ୍‌ ଭିତରୁ ଆମେ ସବୁ ଚାଲିଯିବା ପରେ, ଲୋକଟି ଡ୍ରପ୍‌ ଉଠେଇଦେଲା । ବାସ୍‌ ! କେତେ ସେକେଣ୍ଡ ପାଇଁ ଲୋକଙ୍କର ସେଇ ଗୋଳମାଳଟା ବନ୍ଦ ହେଇଗଲା । ତା’ପରେ ଶୁଭିଲା ସମୁଦ୍ର ଲହଡ଼ିପରି ବିରାଟ ଜନତାର ହସର ଲହଡ଼ି । ଆମେମାନେ ସେହି ବଙ୍ଗଳା ଭିତରେ ରହି ଲକ୍ଷ୍ୟ କରୁଥିଲୁ । ଦଣ୍ଡକରେ ସେଠାରେ ଥ‌ିବା ବିପୁଳ ଜନତା କିଏ କୁଆଡ଼େ, ଛତ୍ରଭଙ୍ଗ ଦେଇ ପଳେଇବାକୁ ଲାଗିଲେ । କେବଳ ଯୋଉମାନେ ପଇସା ଦେଇ ଟିକଟ କିଣିଥିଲେ ସେଇମାନଙ୍କୁ ସେଠାରେ ଦଳବାନ୍ଧି ଠିଆ ହେଇଥିବାର ଦେଖାଗଲା ।

 

ସେଦିନ ରାତିରେ ଅନେକ ସମୟ ପର୍ଯ୍ୟନ୍ତ ପାଲା ଲାଗିଥିଲା । ଯୋଉମାନଙ୍କ ହାତରେ ଟିକଟର ଅଧାଅଂଶ ରହିଥିଲା, କେବଳ ସେଇମାନଙ୍କୁ ତାଙ୍କର ପଇସା ଫେରସ୍ତ ଦିଆଯାଇଥିଲା । ଆଉ କେତେକ ଟିକଟ ଅଧାକୁ ପକେଇ ଦେଇଥିବା ହେତୁ, ତାଙ୍କର ଟଙ୍କା ନପାଇ କଳିଗୋଳ କରିଥିଲେ ।

 

ଯାହାହେଉ ସେଦିନ ସେଇ ଗଣ୍ଡଗୋଳିଆ ପରିସ୍ଥିତି ଯୋଗୁଁ ଆମକୁ କ୍ରଫୋଡ଼୍‌ ପାର୍କ ବଙ୍ଗଳା ଛାଡ଼ିବାକୁ ବାଧ୍ୟ କରିଥିଲା । ଶ୍ରୀଯୁକ୍ତ ପି. କେ. ଦାସ ସେଠାରେ କଲେକ୍ଟର ଥ‌ିବା ହେତୁ ଆମ ଉପରେ ବିଶେଷ କିଛି ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଚାପା ପଡ଼ିନଥିଲା ।

 

କ୍ରଫୋଡ୍‌ ପାର୍କରେ ଆମେମାନେ ଥିଲାବେଳେ କଟକ ଜଗତ୍‌ସିଂପୁର ଅଞ୍ଚଳର ପଳାଷୋଳ ଗ୍ରାମର ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କ ନାଟଦଳ, ଝାରସୁଗୁଡ଼ାରେ ତାଙ୍କର କ୍ୟାମ୍ପ୍‌ ପକେଇ ଥିଲେ ଏବଂ ସେଇ ନାଟଦଳଟି ସେତେବେଳକୁ ନିଜର ଖୋଲା ମଞ୍ଚଯାତ୍ରା ପ୍ରଣାଳୀକୁ ତ୍ୟାଗକରି ଏକମୁଖି ମଞ୍ଚରେ ଅଭିନୟ କରୁଥାନ୍ତି; ଏବଂ ରଙ୍ଗମଞ୍ଚରେ ଆଲୋକ ସଂପାତ ଲାଗି ସେ ସମୟର ଏକ ଆଧୁନିକ ପଦ୍ଧତି ଅନୁସରଣ କରୁଥାନ୍ତି । ବିଜୁଳି ଆଲୋକର ବ୍ୟବସ୍ଥା ନଥିଲା, ସାଧାରଣ ଡେ–ଲାଇଟିକୁ ବ୍ୟବହାର କଲାବେଳେ ସେମାନେ ଏକ କୌଶଳ ଅବଲମ୍ବନ କରୁଥିଲେ ।

 

ପ୍ରତ୍ୟେକ ଡେ–ଲାଇଟିରେ ଗୋଟିଏ ଗୋଟିଏ ଅଲଗା ଟିଣ ଚଦରରେ ଖୋଳ ତିଆରି କରି, ସେଥିରେ ନାଲି, ନେଳି ରଙ୍ଗର ଗ୍ଲୋସୋରିନ୍‌ ପେପର ଦେଇ, ଷ୍ଟେଜ୍‌କୁ ନୀଳ, ନାଲିରଙ୍ଗରେ ରଙ୍ଗିନ୍‌ କରୁଥିଲେ ଏବଂ ଦରକାର ବେଳେ ରଙ୍ଗମଞ୍ଚକୁ ଅନ୍ଧାର ମଧ୍ୟ କରିପାରୁଥିଲେ । ଶ୍ରୀ ବାଳକୃଷ୍ଣ ମହାନ୍ତି ମୋ ଦେଖିବାରେ ଖୋଲାମୁକ୍ତ ମଞ୍ଚରୁ ଏକମୁଖି ମଞ୍ଚ ପର୍ଯ୍ୟନ୍ତ ତାଙ୍କର ନାଟ୍ୟଦଳକୁ ଆଗେଇ ନେଇଛନ୍ତି । କିନ୍ତୁ ଅଭିନୟ କ୍ଷେତ୍ରରେ ଶ୍ରୀ ମହାନ୍ତିଙ୍କର ଅନୁଷ୍ଠାନ, ଖୋଲା ମଞ୍ଚରେ ଯେତେଦୂର ସଫଳତା ହାସଲ କରିଥିଲା, ତାହା ଏକମୁଖି ମଞ୍ଚରେ କରିପାରିନଥିଲା । ଅବଶ୍ୟ ଶ୍ରୀଯୁକ୍ତ ମହାନ୍ତି ତାଙ୍କର ନାଟ୍ୟଦଳରେ ଏକମୁଖି ମଞ୍ଚର ପ୍ରଚଳନ କରିବାର ଅଳ୍ପ ଦିନପରେ ଅନୁଷ୍ଠାନରେ କଳାହାଣ୍ଡି ରାଜା ବାହାଦୁର ଗୋଟିଏ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରୁ ଦଳଟି ଭାଙ୍ଗିଯାଇଥିଲା ।

 

ଆପଣମାନଙ୍କୁ ସୂଚନା ଏଥ‌ିପୂର୍ବରୁ ଦେଉଛି ଯେ, ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କର ନାଟ୍ୟଦଳର ଅଭିନୟ, ମୁଁ ମୋର ଶିଶୁ ଅବସ୍ଥାରେ ନିଜ ଗ୍ରାମରେ ଓ କାଳି ବାବୁଙ୍କ ରାସଦଳ ପୁରୀରେ ରହିଥ‌ିବାବେଳେ ଦେଖିବାର ସୁଯୋଗ ପାଇଥିଲି । ତାପରେ ଏଥର ସମ୍ବଲପୁର ଗୋପାଳଜୀଉ ମଠର ମହନ୍ତ ଶ୍ରୀ ନୀଳାମ୍ବର ଦାସଙ୍କ ଅନୁରୋଧକ୍ରମେ, କ୍ରଫୋଡ୍‌ ପାର୍କରୁ ରିଜର୍ଭ ମୋଟର କାର ଯୋଗେ ଝାରସୁଗୁଡ଼ା ଯାଇ ସେଠାରେ ଶ୍ରୀ ମହାନ୍ତିଙ୍କର ନାଟ୍ୟାଭିନୟ ଦେଖିବାକୁ ପାଇଲି ।

 

ୟା’ପରେ ଆମେମାନେ କ୍ରଫୋଡ୍‌ ପାର୍କ ବଙ୍ଗଳାରୁ କିଛି ଦିନ ପାଇଁ ଉଠିଗଲୁ ସମ୍ବଲପୁର କମଳୀ ବଜାର ନିକଟରେ ଥ‌ିବା ଗୋପଳଜୀଉ ମଠକୁ । ଶ୍ରୀଯୁକ୍ତ ମହନ୍ତ ନୀଳାମ୍ବର ଦାସଙ୍କ ଅନୁରୋଧ ଥିଲା ତାଙ୍କର ମଠରେ ରହି ଆମ ରାସଦଳ ଗୋପାଳଜୀଉଙ୍କ ଉଦ୍ଦେଶ୍ୟରେ କିଛିଦିନ ରାସ ପରିବେଷଣ କରିବାକୁ । ସୁଯୋଗ ପାଇ ମହନ୍ତଙ୍କର ଆଶା ପୂର୍ଣ୍ଣ ହେଲା ।

 

ଗୋପାଳଜୀଉ ମଠ, ଖୁବ୍‌ ବଡ଼ ମଠ । ମହନ୍ତ ଶ୍ରୀ ନୀଳାମ୍ବର ଦାସ ବେଶ୍‌ ଗୁଣୀ ବ୍ୟକ୍ତି-। ସଙ୍ଗୀତ ଶାସ୍ତ୍ରରେ କିଛିଟା ଦଖଲ ଥିଲା ତାଙ୍କର । ଘୋଡ଼ା ଚଢ଼ାରେ ଓସ୍ତାଦ୍‌ ସେ । ଅନ୍ୟାନ୍ୟ ମହନ୍ତଙ୍କ ପରି ସେ କର୍ମଭୀରୁ ନଥିଲେ, ଯେକୌଣସି କାମ ପାଇଁ ଶ୍ରମ ଦେବାକୁ ସେ ସର୍ବଦା ତତ୍‌ପର । ପ୍ରତ୍ୟେକ ସାମାଜିକ କାମରେ ତାଙ୍କର ଆଗ୍ରହ ଏତେ ବେଶି ଯେ କେହି ତାଙ୍କୁ କୌଣସିଠିକି ନିମନ୍ତ୍ରଣ କରିବା ପୂର୍ବରୁ ସେ ବଳେବଳେ ସେଠାରେ ଉପସ୍ଥିତ ହେଇଯାଉଥିଲେ ।

 

ଶ୍ରୀଯୁକ୍ତ ମହନ୍ତ ମହାରାଜାଙ୍କର ଧାରଣା ଥିଲା ଯେ, କେବଳ ଚିତାକାଟି, ଠାକୁରଙ୍କ ସେବାକରି, ପ୍ରସାଦସେବନ କଲେ ମଠର ଯଶ ଓ ଉନ୍ନତି ବଢ଼ିବା ସମ୍ଭବ ନୁହେଁ । ମଠ ଏକ ଘରୋଇ ଦେବାଳୟ ହୋଇଥିଲେ ହେଁ, ସ୍ଥାନୀୟ ଜନସାଧାରଣଙ୍କ ପାଇଁ ତାର ଅବଦାନ ଯେ କିଛି ମାତ୍ରାରେ ରହିବା ଉଚିତ୍‌ ତାହା ନିଶ୍ଚିତ କଥା ଏବଂ ସେ ଦିଗରେ କିଛି କର୍ମ କରିବାର ଗୁରୁଦାୟିତ୍ଵ ଯେ ସେଇ ମଠ ମହନ୍ତଙ୍କର ରହିବା ଏକାନ୍ତ ଆବଶ୍ୟକ ତାହା ମଧ୍ୟ ନିଶ୍ଚିତ କଥା । ଏଣୁ ନିଜେ ମହନ୍ତ ଶ୍ରୀ ନୀଳାମ୍ବର ଦାସ ମଠ ପାଇଁ ସର୍ବଦା କଠୋର ପରିଶ୍ରମ କରିବା ସହିତ ସ୍ଥାନୀୟ ଜନସାଧାରଣଙ୍କର ବିଭିନ୍ନ ସାମାଜିକ କର୍ମରେ ନିଜେ କିପରି ସକ୍ରିୟ ଭାଗ ନେଇପାରିବେ, ତା’ଲାଗି ଯତ୍ନ କରୁଥିଲେ । ମହନ୍ତ ଥିଲେ ମହାଜ୍ଞାନୀ । ସେ ନିଜେ ବୁଝୁଥିଲେ ଯେ–‘‘କର୍ମନ୍ୟେବାଧିକାରସ୍ତୁ ମା ଫଲେସୁ କଦାଚନ’’ର ଅର୍ଥ କ’ଣ ।

 

ଖୁବ୍‌ ଆନନ୍ଦରେ କିଛିଦିନ ସେଇ ଗୋପାଳଜୀଉ ମଠରେ ଅତିବାହିତ କଲୁ ଆମେ । ମନେପଡ଼ୁଥିଲା ଆମର ପୁରୀ କୁଣ୍ଢେଇବେଣ୍ଟ ସାହୀର ସେଇ ଗୋପାଳ ଗୋସେଇଁଙ୍କ ମଠର ପ୍ରଥମ ଅବସ୍ଥା କଥା । କିନ୍ତୁ ସେତେବେଳର ସେଇ ବାବାଜୀଆ ଭେକ ଆମର ନଥିଲା ଏତେବେଳକୁ । ସମ୍ବଲପୁର ଗୋପାଳଜୀଉ ମଠରେ ଅବସ୍ଥାନ ସମୟକୁ ଆମେ ମାଳି, ତିଳକ ହରେଇବସି ସମ୍ପୂର୍ଣ୍ଣ ରାଜସିକ, ତାମସିକ ଗୁଣର ବଶବର୍ତ୍ତୀ ହୋଇ ସାରିଥିଲୁ ।

 

ଦିନେ ଖବର ପାଇଲି, ମୋର ମା (ବୋଉ)ଙ୍କର ଅତ୍ୟନ୍ତ ସଂଘାତିକ ଅବସ୍ଥା ବିଷୟ ଲେଖାଯାଇ ଗ୍ରାମରୁ ଖଣ୍ଡିଏ ଚିଠି ଆସିଛି, ଯାହାକୁ କି କାଳି ବାବୁ ଲୁଚେଇ ରଖି ମୋତେ ସେ ଖବର ଦେଇ ନାହାନ୍ତି । ସାଙ୍ଗେ ସାଙ୍ଗେ ଧାଇଁଯାଇ ପଚାରିଲି ତାଙ୍କୁ । କିଛି ଚିଠି ପାଇ ନାହାନ୍ତି ବୋଲି ସେ ନାସ୍ତିବାଣୀ ଶୁଣେଇଲେ । ତଥାପି ପ୍ରାର୍ଥନା କଲି ତାଙ୍କୁ, ଯଦି କିଛି ଚିଠି ଆସିଥାଏ ମୋତେ ଦେଇଦେବାକୁ । ମାତ୍ର–ଏଥର ମିଳିଲା ମୋତେ ରୂଢ଼ ଆଘାତ । ପୁଣି ସେଇ କଠୋର ନାସ୍ତିବାଣୀ । ଏଥର କିନ୍ତୁ ମୋର ଧୈର୍ଯ୍ୟଚ୍ୟୁତି ଘଟିଲା । ମୁହଁରୁ ମୋର ବାହାରି ପଡ଼ିଲା–‘‘ହଉ । ଭଗବାନ ଏ କଥାର ବିଚାର କରିବେ ।’’

 

ମୁହଁରୁ ମୋର କଥାପଦକ ଶେଷ ହେଇଛି କି ନାହିଁ ହଠାତ୍‌ ମୋ ଉପରେ ଚାଲିଲା ନୃଶଂସ ପ୍ରହାର । କାଳି ବାବୁଙ୍କର ଚଟି ସାହାଯ୍ୟରେ ମୋର ମୁଣ୍ଡ, ପିଠି, ଗୋଡ଼, ହାତ ସର୍ବାଙ୍ଗଯାକ ଆଙ୍କି ହେଇଗଲା ଏକ ଏକ ରକ୍ତଦାଗ । ମୁଁ ଚିତ୍କାର କରୁଥିଲି ଏବଂ କାଳି ବାବୁ ମୋତେ ପିଟି ଚାଲୁଥିଲେ ।

 

ମାଡ଼ ଖାଇ, ବୋଉଙ୍କ କଥା ମନେପଡ଼ି ସେଦିନ ମନଟା ମୋର ଏଇ ଦୁନିଆଟା ପ୍ରତି ସମ୍ପୂର୍ଣ୍ଣ ବିମୁଖ ହୋଇଉଠିଲା । ମନେ ମନେ ଭାବିଗଲି ଆକାଶ ପାତାଳ କଥା । କ’ଣ ବା ଥିଲା ସେଇ ସାମାନ୍ୟ କଥାରେ ? ମୋର ବ୍ୟକ୍ତିଗତ ଚିଠିଟା ଲୁଚେଇ ରଖି ଏପରି ପରିସ୍ଥିତି ସୃଷ୍ଟି କରାଗଲା କାହିଁକି ? ଯଦି ବା ମୁଁ ଅନ୍ୟଠାରୁ ସେ ଖବର ପାଇ ତାଙ୍କୁ ପଚାରିଲି, ସେ କଥାକୁ ଗୋପନ ରଖି ମୋ ଉପରେ ଏତେ କ୍ରୋଧ କରିବାର କାରଣ ଥିଲା କ’ଣ ? ତା’ଛଡ଼ା ମୋତେ ଗୋରୁଙ୍କ ଭଳି ପିଟିଯିବାର ଅର୍ଥ କ’ଣ ଥାଇପାରେ ?

 

କାଳି ବାବୁଙ୍କର ବାଲେଶ୍ଵର ଘଟଣା ମନରୁ ହୁଏତ ଯାଇ ନ ଥିଲା । ସେଇ ପ୍ରତିଶୋଧ ମୋ ଉପରେ ସେଦିନ ସମ୍ଭବତଃ ନେଲେ ସେ । ଏତେ ନିର୍ମମ କ’ଣ ମଣିଷ ହେଇପାରନ୍ତି ? ପୁଣି ପିଲାଙ୍କ ପ୍ରତି ? ଯୋଉ ପିଲାଙ୍କୁ କାଳି ବାବୁ ଶିଶୁ ଅବସ୍ଥାରୁ ନିଜ ପାଖରେ ରଖି, ନିଜର ସନ୍ତାନ ଭଳି ପାଳିପୋଷି ଆଣୁଥିଲେ, ସେମାନଙ୍କ ପ୍ରତି ଏପରି କଠୋର ହେବାର କାରଣ କ’ଣ ଥାଇପାରେ ?

 

ସେଇ ଗୋପାଳଜୀଉ ମଠରେ ଆମେମାନେ କିଛିଦିନ ରହିଥିଲୁ । ମାଡ଼ ଖାଇ ମୁଁ କାଳି ବାବୁଙ୍କର ବ୍ୟବହାରକୁ ଭୁଲିବାକୁ ଚେଷ୍ଟାକଲାବେଳେ, ପୁଣି ସେଦିନର ସେଇ ଘଟଣାଟା ଯେମିତି ମୋ ଆଖି ଆଗରେ ବେଳେବେଳେ ଗୋଟାଏ ଚଳଚ୍ଚିତ୍ର ପରି ଭାସି ଭାସି ଯାଉଥିଲା । ଏଭଳି ହେବାର କାରଣ ଥିଲା । ମୁଁ ଲକ୍ଷ୍ୟ କରୁଥିଲି–କାଳି ବାବୁ ମୋତେ ମାଡ଼ ମାରି ମଧ୍ୟ ଯେତେବେଳେ ମୋର ମୁହାଁମୁହିଁ ହେଇଯାଉଥିଲେ ସେତେବେଳେ ସେ ନିଜକୁ ଯେମିତି କାହାର ଆକ୍ରମଣରୁ ବଞ୍ଚେଇବାର ଢଙ୍ଗ ଦେଖଉଥିଲେ । ମୁଁ ତାଙ୍କର ମୁହାଁମୁହିଁ କେବେ କେବେ ହୋଇଗଲେ, ସେ ସମ୍ଭବ ଭାବୁଥିଲେ; ମୁଁ ହୁଏତ ତାଙ୍କ ଉପରେ କିଛି ଆକ୍ରମଣ କରିବି । ମୁଁ କିନ୍ତୁ ତାଙ୍କର ସେଭଳି ଢଙ୍ଗ ଦେଖି ଖୁବ୍‌ ବିସ୍ମିତ ହେଉଥିଲି ଓ ମନେ ମନେ ହସୁଥିଲି ।

 

ଏଇ ସମୟରେ ହଠାତ୍‌ ଏକ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲି ମୁଁ । ସେଇଦିନ ଯେ ମୋର ଏଇ କ୍ଷୁଦ୍ର ଜୀବନର ଅବସାନ ଘଟିଥା’ନ୍ତା, ସେଥିରେ ସନ୍ଦେହ କରିବାର ତିଳାର୍ଦ୍ଧ କାରଣ ନଥିଲା ।

 

ଅନୁଷ୍ଠାନର କେତେକ ପିଲା ଓ ବଡ଼ ଶ୍ରୀ ନୀଳାମ୍ବର ଦାସଙ୍କ ସହିତ କମଳୀ ବଜାର ଦେଇ ପୁଲିସ ଲାଇନିପଟେ ପ୍ରଧାନ ଝାରସୁଗୁଡ଼ା ରାସ୍ତାରେ ବୁଲି ବାହାରିଥିଲୁ । ସେଦିନ ଅଭିନୟ ବନ୍ଦ ଥିଲା । ସମୟ ପ୍ରାୟ ଦିନ ଚାରିଟା ବେଳ ହେବ । ମହନ୍ତ ମହାରାଜ କିଣିଥାନ୍ତି ନୂଆ ଗ୍ରୀନ୍‌ ମଡ଼େଲ ଇଂଗ୍‌ଲିସ୍‌ ରାଲେ ସାଇକେଲ । ସମସ୍ତ ଅଂଶ ଥାଇ ସାଇକଲ୍‌ର ମୂଲ୍ୟ ଥାଏ ସେତେବେଳେ ମାତ୍ର ସତୁରୀ ଟଙ୍କା । ଚକ୍‌ ଚକ୍‌ କରୁଥାଏ । ଆମେ ସମସ୍ତେ ସେଦିନ ନୂଆ ଲୁଗା, ନୂଆ ସାର୍ଟ ପିନ୍ଧି ହାତରେ ଗୋଟିଏ ଗୋଟିଏ ନୂଆ ଇଭେରେଡ଼ି ଟର୍ଚ୍ଚ ଧରିଥାଉ । ମହନ୍ତ ନିଜେ ଆମ ସାଙ୍ଗରେ ତାଙ୍କର ସାଇକେଲଟି ଧରି ଚାଲିଥା’ନ୍ତି ।

 

ଆମ ଭିତରେ, ବାଞ୍ଛାନିଧି ସାହୁ ଥିଲା ଅତ୍ୟନ୍ତ ଚଞ୍ଚଳମତିର କିଶୋର । ସାଇକେଲ ଚାଳନା ପାଇଁ ତା’ର ଆଗ୍ରହ ଥିଲା ଅନୁଷ୍ଠାନର ସମସ୍ତଙ୍କଠାରୁ ଅଧିକ । କୌଣସି ଭଦ୍ରଲୋକ ସାଇକେଲ ନେଇ କାଳି ବାବୁଙ୍କ ନିକଟକୁ ଆସୁଥିଲେ, ବାଞ୍ଛାନିଧି ସେଇ ସାଇକେଲ ଖଣ୍ଡିକୁ ବିଶ୍ରାମ ଦଉ ନ ଥିଲା । ସେଥିପାଇଁ ବହୁ ଭର୍ତ୍ସନା, ବହୁ ମାଡ଼ ଯେ କାଳି ବାବୁଙ୍କ ନିକଟରୁ ତାକୁ ମିଳୁ ନଥିଲା, ସେ କଥା ନୁହଁ; କିନ୍ତୁ ସେସବୁକୁ ହଜମ କରିଦେଇ ବାଞ୍ଛାନିଧି ଯଥାପୂର୍ବଂ ତଥାପରଂ ଅବସ୍ଥାରେ ରହୁଥିଲା ।

 

ବାଞ୍ଛାନିଧି ସାଇକେଲ ପାଇଲେ, ନୂଆ ଚଢ଼େଇ ଖଣ୍ଡିଉଡ଼ା ଦେଲାପରି ଛୁଟେଇ ଦଉଥିଲା ଖୁବ୍‌ ଜୋର୍‌ରେ । ହେଲେ ତା’ର ହାତ ସ୍ଥିର ରହୁ ନ ଥିଲା, ଥରୁଥିଲା । ମହନ୍ତଙ୍କଠାରୁ ତାଙ୍କ ସାଇକେଲଟାକୁ ମାଗିଆଣି, ମୋତେ ତା’ର ପଛରେ ବସେଇ ଛାଡ଼ିଦେଲା ଅତି ବେଗରେ । ଆମେ ଆସୁଥିଲୁ କ୍ରଫୋଡ଼୍‌ ପାର୍କ ଦିଗକୁ । ପଛରେ ଥିଲେ ସମସ୍ତେ ।

 

ପୁଲିସ୍‌ ଲାଇନି ନିକଟରେ ଗୋଟାଏ ଗଭୀର ନାଳ ବହିଯାଇଥିଲା ଟାଉନ୍‌ ଭିତର ଦେଇ ମହାନଦୀ ଆଡ଼କୁ । ନାଳ ତ ନୁହେଁ, ଛୋଟ ନଦୀ ବୋଲି କହିବାକୁ ହେବ । ଖୁବ୍‌ ଖାଲ । ସେଇ ନାଳ ଶଯ୍ୟାରେ ବିରାଟ ବଡ଼ ବଡ଼ ପଥର ସ୍ଥାନେ ସ୍ଥାନେ ରହିଥିଲା । ଆମେମାନେ ଚାଲି ଚାଲି ଆସୁଥ‌ିବା ସେଇ ସଡ଼କରେ ଅନେକ ଆଗକୁ ଥାଏ ନାଳ ଉପରେ ପୋଲଟାଏ । ବାଞ୍ଛାନିଧି ମୋତେ ସାଇକେଲରେ ବସେଇ ଛୁଟେଇଦେଲା ସେଇ ପୋଲ ଆଡ଼କୁ । ପଥୁରିଆ ସଡ଼କ ଉପରେ ପଡ଼ିଥିଲା ଟିକିଟିକି ଚଣାପରି ସରୁ ଗୋଡ଼ି ।

 

ଆମ ସାମ୍ନା ପଟରୁ ଆସୁଥିଲେ ଦୁଇଜଣ ସାଇକେଲ ଆରୋହୀ । ସେତେବେଳେ ଏତେ ମୋଟର, ମୋଟର ସାଇକେଲ କିମ୍ବା ସ୍କୁଟର ଆଦିର ପ୍ରଚଳନ ନ ଥିଲା । ଖୁବ୍‌ ଧନଶାଳୀ ମଧ୍ୟ ସାଇକେଲକୁ ତାଙ୍କର ପ୍ରଧାନ ଯାନ ବୋଲି ଗ୍ରହଣ କରୁଥିଲେ । ଠିକ୍‌ ପୋଲ ଉପରେ ଲାଗିଲା ଧକ୍କା । ସାମ୍ନା ଆରୋହୀଙ୍କ ଆଗ ଚକରେ, ବାଞ୍ଛାନିଧିଙ୍କ ସାଇକେଲର ଆଗ ଚକର ହେଲା ସଂଘର୍ଷ । ଦୁଇଟାଯାକ ଗାଡ଼ିର ଆଗ ଚକ ବଙ୍କା ହେଇଗଲା । ବାଞ୍ଛାନିଧି ଆଖି ପିଛୁଳାକେ ଛିଟିକି ଯାଇ ସେଇ ଗୋଡ଼ିପୂର୍ଣ୍ଣ ପଥର ସଡ଼କରେ ଘୋଷାରି ହୋଇ ଚାଲିଗଲା ପନ୍ଦର, କୋଡ଼ିଏ ହାତ ଦୂରକୁ । ମୋତେ ଯେମିତି କିଏ ଶୂନ୍ୟରେ ଟେକି ନେଇ ପୋଲର ସିମେଣ୍ଟ ବାଡ଼ ଉପରେ ଠିଆ କରେଇଦେଲା । ଚାରି ଆଙ୍ଗୁଳ ପାଦ ଘୁଞ୍ଚିଥିଲେ, ମୁଁ ସେଇ ନାଳ ଭିତରେ ଥ‌ିବା ଢିମା ପଥରରେ ଛେଚି ହୋଇ ‍ବିଲୟ ଭଜିଥା’ନ୍ତି ।

 

ବାଞ୍ଛାନିଧି ମରୁ ମରୁ ବଞ୍ଚିଗଲା । ତା’ର ଡାହାଣ ଅଙ୍ଗରେ ଚମଡ଼ା ନ ଥିଲା । ଲୁଗା, ଜାମା ରକ୍ତାକ୍ତ । ଆମର ବୁଲିଯିବାର ସରାଗ ସବୁ ମଉଳିଗଲା । ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ।

 

ସେଇ ଧକ୍କାରେ, ଜୀବନରେ ସାଇକେଲ ଶିକ୍ଷା କରିବା ମୋର ଆଗ୍ରହ କମିଗଲା । ପରବର୍ତ୍ତୀ ଜୀବନରେ ମୋର ସାଇକେଲ ଅତ୍ୟନ୍ତ ଦର୍କାର ଥିଲେ ମଧ୍ୟ ଶିଖି ନ ଥିଲି କି କିଣି ନ ଥିଲି ।

 

ଅଳ୍ପ ଦିନପରେ ଆସିଲା ବର୍ଷା । ଆମେମାନେ ସମ୍ବଲପୁରରୁ ବିଦାୟ ନେଇ ପଳେଇ ଆସିଲୁ, ତାଳଚେର ଗଡ଼କୁ । ପ୍ରାୟ କେତେକ ଗଡ଼ଜାତରେ ସେତେବେଳେକୁ ଲୁଚାଛପାରେ ପ୍ରଜା ଆନ୍ଦାଳନ କୁହୁଳୁଥାଏ । ବିଶେଷ ଭାବରେ ଢେଙ୍କାନାଳ ଗଡ଼ ଓ ତା’ର ପାଖ ଅଞ୍ଚଳରେ ରାଜ ବିଦ୍ରୋହ ମୁଣ୍ଡ ଟେକିଥାଏ । କାଳି ବାବୁ ତାଳଚେର ରାଜାଙ୍କ ସହିତ ଦେଖାକରି ଆମ ରାସଦଳର କେତେ ରାତି ଅଭିନୟ ପ୍ରଦର୍ଶନର ସୁବିଧା କରିବାକୁ ଅନୁରୋଧ ଜଣେଇଲେ ।

 

ରାଜା ସାହେବ ସମ୍ମତି ଦେଲେ ଏବଂ ଆମର ଅଭିନୟ ପାଲେସ ପରିସର ଭିତରେ ଆରମ୍ଭ ହେଲା । ଏଥି ପୂର୍ବରୁ ତାଳଚେର ଗଡ଼ର ଯାହା ଦର୍ଶନୀୟ ସ୍ଥାନ, ସେ ସବୁ ଦେଖି ସାରିଥିଲୁ-। ଏଥର କିନ୍ତୁ ରାଜାଙ୍କ ନଅର ଭିତରକୁ ପ୍ରବେଶ ଦ୍ଵାର ନିକଟରେ ଖୋଲା ଭାବରେ ରଖାଯାଇଥିବା ଦୁଇଟି ବାଘ ଶାବକ ପ୍ରାୟ ପ୍ରତ୍ୟେକ ରାଜ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ-। ଆମେ ଯେତେବେଳେ ପାଲେସକୁ ଅଭିନୟ କରିବାକୁ ଯାଉଥିଲୁ, ବାଟରେ ସେଇ ରାଜବାଟୀ ଗେଟ୍ ନିକଟରେ ଦଣ୍ଡେ ଘଡ଼ିଏ ଅଟକି ଯାଉଥିଲୁ ।

 

ତାଳଚେରରେ ଏଥର ରହଣି ଆମର ବେଶି ଦିନ ନ ଥିଲା । ଘନ ଘନ ବର୍ଷାର ବର୍ଷଣଧାରା ଲାଗି ଆସିବା ଫଳରେ ଆମେ ସେଠାରେ ରହିବା ସମ୍ଭବ ହେଲା ନାହିଁ । ତାଳଚେର ଗଡ଼ରୁ ସିଧା ଟିକଟ କାଟିଲୁ ରାଜ ଆଠଗଡ଼ ରେଳ ଷ୍ଟେସନକୁ ଏବଂ ଆଠଗଡ଼ ଷ୍ଟେସନରୁ ବଡ଼ମ୍ବା ଗଡ଼ ।

 

ବଡ଼ମ୍ବା ଗଡ଼ କାଳି ବାବୁଙ୍କ ଦାଦାଙ୍କ ଘର । ଆମର ପୂର୍ବ ପରିଚିତ ସ୍ଥାନ । ଅନେକ ଯଦିଓ କାଳି ବାବୁଙ୍କର ଜନ୍ମସ୍ଥାନ ବୋଲି ବାଙ୍କୀର ଖମାରଙ୍ଗ ଗ୍ରାମକୁ ହିସାବରେ ଆଣୁଥିଲେ; କିନ୍ତୁ ପ୍ରକୃତରେ ବଡ଼ମ୍ବା ଗଡ଼ରେ ହିଁ କାଳି ବାବୁ ଜନ୍ମ ନେଇଥିଲେ । କାଳି ବାବୁଙ୍କ ଜନ୍ମ ପରେ ତାଙ୍କର ପିତା ଶ୍ରୀ ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ଶ୍ରୀମତୀ ରାଧାମାଳୀ ଦେଇ ସବୁଦିନ ପାଇଁ ଖମାରଙ୍ଗ ଗ୍ରାମରେ ବସବାସ କରି ରହିଥିଲେ ।

 

ଆଗରୁ ମୁଁ ସଂକ୍ଷେପରେ କାଳି ବାବୁଙ୍କ ବଂଶ ପରିଚୟ ଦେଇଛି । ତେବେ ସେଥ‌ିରେ ଗୋଟିଏ କଥା ଦେଇ ନ ଥିଲି, ଏବେ ଦଉଛି । କାଳି ବାବୁଙ୍କ ପିତା ଶ୍ରୀ ଦୁର୍ଗାଚରଣ ପଟ୍ଟନାୟକ ଏବଂ କାଳି ବାବୁଙ୍କ ଦାଦା ଶ୍ରୀ ମୋହନ ଚରଣ ପଟ୍ଟନାୟକ ଏମାନେ ଉଭୟେ ଥିଲେ ଦୁଇ ଭାଇ ଓ ଦୁଇ ସଢ଼ୁ । କାଳି ବାବୁଙ୍କ ମା ଓ ଅମ୍ବିକା ବାବୁଙ୍କ ମା’ ଥିଲେ ଦୁଇ ଭଉଣୀ I ଶ୍ରୀ ଦୁର୍ଗାଚରଣ ପଟ୍ଟନାୟକଙ୍କର ସହଧର୍ମିଣୀ ଥିଲେ ବଡ଼ ଭଉଣୀ ଓ ଶ୍ରୀ ମୋହନ ଚରଣ ପଟ୍ଟନାୟକଙ୍କର ପତ୍ନୀ ଥିଲେ ସାନ ଭଉଣୀ । ମହାନଦୀର ଏ କୂଳ ସେ କୂଳ ହୋଇ କାଳି ବାବୁଙ୍କ ପିତା ରହୁଥିଲେ ବାଙ୍କୀରେ ଓ ଦାଦା ରହୁଥିଲେ ବଡ଼ମ୍ବା ଗଡ଼ରେ ।

 

ଏଣୁ ବଡ଼ମ୍ବାଗଡ଼ କାଳି ବାବୁଙ୍କ ପାଇଁ ଥିଲା ଜନ୍ମ ମାଟି ହିସାବରେ ଯେପରି ଆକର୍ଷଣୀୟ । ବାଙ୍କୀ ଗଡ଼ରେ ନିଜର ପିତା, ମାତା ସେମାନଙ୍କର ଜୀବନ ଯାତ୍ରାର ବାକି ସମୟ କଟେଇ ନେବାପାଇଁ ଖମାରଙ୍ଗ ଗ୍ରାମକୁ ମନୋନୀତ କରିଥିବା ହେତୁ, ସେ ସ୍ଥାନ ମଧ୍ୟ ଥିଲା ଆକର୍ଷଣୀୟ । ଫଳରେ ଗାଈ ଯୁଆଡ଼େ, ବାଛୁରୀ ସିଆଡ଼େ ଭଳି ଆମେମାନେ କାଳି ବାବୁଙ୍କ ପଛେ ପଛେ ଧାଉଁଥିଲୁ ।

 

ଏଥର ବଡ଼ମ୍ବାରେ ବ୍ୟବସାୟ ଭିଭିରେ ଅଭିନୟ ଆରମ୍ଭ ହେଲା । ଅବଶ୍ୟ ରାଜାସାହେବଙ୍କର ଅନୁମତି ନେବାକୁ ପଡ଼ିଲା । ଗଡ଼ର ପ୍ରତ୍ୟେକ ବଡ଼ ବଡ଼ ରାଜ କର୍ମଚାରୀ କାଳି ବାବୁଙ୍କର ଖୁବ୍ ଜଣାଶୁଣା ଥିଲେ । ଫଳରେ ଅନୁଷ୍ଠାନ ପକ୍ଷରେ କିଛି ଅସୁବିଧା ହେଲା ନାହିଁ ।

 

ବଡ଼ମ୍ବା ଗଡ଼ର ଅନତିଦୂର ଗୋପୀନାଥପୁର ନିକଟରେ ନଦୀ ଗର୍ଭରେ ପ୍ରସିଦ୍ଧ ସିଂହନାଥଙ୍କ ମନ୍ଦିର । ଖୁବ୍ ରମଣୀୟ ସ୍ଥାନ । ଗୋଟିଏ ଟାପୁଭଳି ଦେଖିବାକୁ । ଯୋଉମାନେ ବଡ଼ମ୍ବା ଗଡ଼ ବୁଲିବାକୁ ଆସନ୍ତି, ସେମାନେ ସାଧାରଣତଃ ଏ ଅଞ୍ଚଳର ପ୍ରସିଦ୍ଧ ପ୍ରାଚୀନ କୀର୍ତ୍ତି ଦେବୀ ଭଟ୍ଟାରିକା ଏବଂ ଶ୍ରୀ ସିଂହନାଥଙ୍କୁ କେବେହେଲେ ଦେଖିବାକୁ ଭୁଲନ୍ତି ନାହିଁ । ଆମେମାନେ ମଧ୍ୟ ସୁଯୋଗ ନେଇ ଏଇ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଦୁଇଟି ଦେଖିବାକୁ ପଛେଇ ନ ଥିଲୁ ।

 

ଅଭିନୟରେ ଅର୍ଥ ଉପାର୍ଜନ ଯାହା ବା ହେଲା, କିନ୍ତୁ ଦାଉ ସାଧିଲା ବର୍ଷା । ମହାନଦୀରେ ପଡ଼ିଲା ଗୋଳିଆ ପାଣି । କାଳି ବାବୁ, ବାଙ୍କୀ ଯିବାର ସ୍ଥିର କଲେ । ରେଳଯୋଗେ ଏତେ ବାଟ ନ ବୁଲି ଡଙ୍ଗାରେ ମହାନଦୀ ପାର ହେଇ ବାଙ୍କୀ ଯିବାର ବ୍ୟବସ୍ଥା କଲେ । ଆମେମାନେ ମଧ୍ୟ ବଢ଼ିରେ ନାଆରେ ବସି ଯାତ୍ରା ପାଇଁ ସମ୍ମତି ଜଣେଇଲୁ । ଦୁଇଟା ବଡ଼ ବଡ଼ ନାଆରେ ଅନୁକୂଳ ଆରମ୍ଭ କଲୁ ବାଙ୍କୀ ।

 

ସେ ଯାତ୍ରା ସେଦିନ ନଦୀ ପଥରେ ବଡ଼ ସୁଖମୟ ଥିଲା । ନଈ ଯଦିଚ ପୂର୍ଣ୍ଣମାତ୍ରାରେ ବଢ଼ି ନ ଥିଲା, ତଥାପି ଡଙ୍ଗାରେ ଯାତ୍ରା କଲାବେଳେ ଗୋଟାଏ ଗୋଟାଏ ପ୍ରକାଣ୍ଡ ଆକାରର ଜଳ ଭଉଁରୀ ଦେଖି ଛାତି ଥରି ଉଠୁଥିଲା । ନାଉରୀଆମାନେ କେବଳ ମଙ୍ଗ ସଳଖି ଧରି ସେସବୁ ଭଉଁରୀକୁ ଏପରି କୌଶଳକ୍ରମେ ଅତିକ୍ରମ କରି ଆସୁଥିଲେ, ତାହା ଦେଖି ଆମେ ସବୁ ବିସ୍ମିତ ହେଇପଡ଼ୁଥିଲୁ । ଡଙ୍ଗାର ଗତି ଥାଏ ଖୁବ୍ ପ୍ରଖର । ଚିଲିକା ଗର୍ଭରେ ତଲେଇ ଟାଣିଦେଲେ ବଡ଼ ବଡ଼ ଡଙ୍ଗାଗୁଡ଼ାକ ଯେମିତି ମୋଟର ଲଞ୍ଚପରି ଛୁଟିଚାଲେ, ମହାନଦୀର ବଢ଼ି ପାଣି ସୁଅରେ ନାଆ ଆମର ସେମିତି ଧାଉଁଥାଏ ।

 

କେଇ ଘଣ୍ଟା ଭିତରେ ଆମେ ଆସି ଲାଗିଲୁ–ଖମାରଙ୍ଗ ଗାଁ ମୁଣ୍ଡ ନଦୀ ବନ୍ଧରେ । ଖରାପାଗ, ଆକାଶ ନିର୍ମଳ ଥାଏ । ଠିକ୍ ବୈଶାଖ ମାସର ଖରା ତାତି ପରି ସୂର୍ଯ୍ୟକିରଣ ଦେହକୁ ବୋଧ ହେଉଥାଏ । ଖମାରଙ୍ଗ ଘରେ ରହିଥା’ନ୍ତି ମା (କାଳି ବାବୁଙ୍କ ଗର୍ଭଧାରିଣୀ), ‘କଳାକୁଞ୍ଜ’ରେ ମଧ୍ୟ ରହିଥା’ନ୍ତି–କାଳି ବାବୁଙ୍କ ସ୍ତ୍ରୀ । ଉଭୟଙ୍କୁ ଆମେମାନେ ମା’ ବୋଲି ସମ୍ବୋଧନ କରୁଥିଲୁ ।

 

ଆମମାନଙ୍କୁ ଭୋକିଲା ଦେଖି, ଯଦୁ ବାବୁଙ୍କୁ ବୋଉ (କାଳି ବାବୁଙ୍କ ଖୁଡ଼ୀ) ଗୋଟିଏ ବେଲାରେ ପଖାଳ ଓ ଗୋଟିଏ କାଠପତ୍ରରେ ଦୁଇ ତିନୋଟି ଚିଙ୍ଗୁଡ଼ି ମାଛ ଭଜା ଆଣି ମୋତେ ଖାଇବାକୁ ଦେଲେ । ଅନ୍ୟମାନେ ଚାଲିଗଲେ ବେଦପୁର କଳାକୁଞ୍ଜକୁ ।

 

ସେଦିନର ସେଇ ଚିଙ୍ଗୁଡ଼ି ମାଛ ଭଜା ଓ ପଖାଳ ଏତେ ଆନନ୍ଦ ଦେଇଥିଲା, ତାହା ଏବେ ମଧ୍ୟ ମୋର ମନେ ପଡ଼ିଯାଏ । ସତକଥା କହିବାକୁ ଗଲେ, ଯଦୁ–ବାବୁଙ୍କ ବୋଉ ଓ କାଳି ବାବୁଙ୍କ ସ୍ତ୍ରୀ ଅନୁଷ୍ଠାନର ପ୍ରତ୍ୟେକ ପିଲାମାନଙ୍କୁ ଯେମିତି ସ୍ନେହ କରୁଥିଲେ, ସେମିତି ସ୍ନେହ କାଳି ବାବୁଙ୍କ ମା କେବେ କରିଥିବାର ଆମେ ଅନୁଭବ କରିନାହୁଁ ।

 

କାଳିନ୍ଦୀ ମିଶ୍ରଙ୍କ ରାହାସ ଦଳ ଭାଙ୍ଗିଯାଇଥାଏ । ଆମେ କେଇଟି ଦିନ ପରେ ବାଙ୍କୀରେ ପେଣ୍ଡାଲ ତିଆରି କରି ନାଟକ ଅଭିନୟ କରିବାର ଯୋଗାଡ଼ ହେଲା । କଲେକ୍ଟର ଶ୍ରୀ ନଗେନ ଦତ୍ତ ନ ଥା’ନ୍ତି, ମାତ୍ର ତାଙ୍କର ସ୍ମୃତି ରହିଥାଏ । ବାଙ୍କୀରେ କିଛି ସେଇ ପୁରୁଣା ଲୋକ, ସେଇ ପୁରଣା ମନୋବୃତ୍ତି ରହିଥାଏ । ତେଣୁ କାଳି ବାବୁ ତାଙ୍କର ସୂକ୍ଷ୍ମ ବୁଦ୍ଧି ଖଟେଇ ବେଶ୍ ସତର୍କ ରହି କାମ କରୁଥା’ନ୍ତି । ଆମେ ଯଦିଓ କଳାକୁଞ୍ଜରେ ମେସ୍ କରିଥାଉ ତଥାପି ବେଦପୁରରୁ ଖମାରଙ୍ଗ, ପୁଣି ଖମାରଙ୍ଗରୁ ବେଦପୁର, ଏପଟ ସେପଟ ହବାକୁ ପଡ଼ୁଥାଏ ।

 

ଅଭିନୟ ଆରମ୍ଭ ହେଲା, ଶୁଭଦିନ ସ୍ଥିର କରାଯାଇ । ଜନବହୁଳ ଚର୍ଚ୍ଚିକା ଅଞ୍ଚଳ ଯାତ୍ରା, ଥିଏଟର ଲାଗି ପ୍ରଶସ୍ତ କ୍ଷେତ୍ର । ଚର୍ଚ୍ଚିକା ଠାକୁରାଣୀଙ୍କ ଲାଗି ସବୁ ସମୟରେ ପ୍ରାୟ ଅନ୍ୟାନ୍ୟ ଅଞ୍ଚଳରୁ ଲୋକ ଆସୁଥିଲେ । ଏଣୁ ଗୋଟିଏ ପେଷାଦାର ନାଟ୍ୟାନୁଷ୍ଠାନ, ଏଠାରେ ପ୍ରତିଦିନ ନାଟ୍ୟାଭିନୟ କରିବାକୁ ଉଦ୍ୟମ କଲେ, ଲାଭ ଛଡ଼ା ଲୋକସାନର ପ୍ରଶ୍ନ ଉଠୁ ନ ଥିଲା । କିନ୍ତୁ ବାଙ୍କୀ ଦର୍ଶକଙ୍କୁ ଫାଙ୍କିଦେଲେ ତୁମକୁ ସେମାନେ ଫୁଙ୍କିଦେବେ । ଅତି ସମାଲୋଚନାପ୍ରିୟ । ଯାହା ତାହା ତାଙ୍କ ପାଖେ ବାଢ଼ିଦେଲେ, ଗ୍ରହଣ କରନ୍ତି ସତ; ମାତ୍ର ଥରକ ପାଇଁ, ଦ୍ଵିତୀୟ ଥର ବେଳକୁ ପାଖ ମାଡ଼ନ୍ତି ନାହିଁ ।

 

ଏଇ କାରଣରୁ ପୁରୁଣା ବହିଗୁଡ଼ିକ ପଛକୁ ରଖି ଯାହା ନୂଆ ଥିଲା ସେଇ ବହିକୁ ଖୁବ୍ ଆଡ଼ମ୍ବରପୂର୍ଣ୍ଣ ସହକାରେ ଆରମ୍ଭ କଲୁ । ବାଙ୍କୀ ପାଇଁ ଆମର ଏଥର ରଙ୍ଗମଞ୍ଚ ଥିଲା ସମ୍ପୂର୍ଣ୍ଣ ନୂତନ-। ପ୍ରତ୍ୟେକ ସିନ୍ ଓ ସିନେରୀ ନୂଆ ରଙ୍ଗରେ, ନୂଆ କଳ୍ପନାରେ, ନୂତନ ଚିତ୍ରକରଙ୍କ ତୂଳୀ ଲାଗି ହୋଇଥିଲା ଜୀବନ୍ତ ।

 

କେବଳ ରଙ୍ଗମଞ୍ଚକୁ ସଜାଡ଼ିଦେଇ ବା ନୂଆ କରିଦେଇ ଯେବେ ସେଥ‌ିରେ ନିଖୁଣ ଅଭିନୟ ନ ରହିବ, ତେବେ କେତେ ଦର୍ଶକ ନିତି ନିତି ଆସିବେ ସେଇ ରଙ୍ଗକରା କନା ପରଦା ଦେଖିବାକୁ ? ଅବଶ୍ୟ ସୁନ୍ଦର ଅଭିନୟ କରିବାରେ ରୁଚିପୂର୍ଣ୍ଣ ରଙ୍ଗମଞ୍ଚ ଅନେକାଂଶରେ ସାହାଯ୍ୟ କରେ । ମୋର କହିବାର କଥା, ଓଡ଼ିଶାର ଅନେକ ଅଞ୍ଚଳ ଆମେ ବୁଲିଛୁଁ, ବହୁ ଧରଣର ଦର୍ଶକମାନଙ୍କ ଆଖୁ ଆଗକୁ ଆସିଛୁଁ । କେବଳ ସମ୍ବଳ ଭିତରେ କେତେ ଖଣ୍ଡି ସେଇ ରାସ ବହି ଛଡ଼ା ଆମେ କୌଣସି ବଡ଼ ବଡ଼ ଐତିହାସିକ, ପୌରାଣିକ ଆଡ଼ମ୍ବରପୂର୍ଣ୍ଣ ନାଟକ ଶିକ୍ଷା କରି ନ ଥିଲୁ କି ରଙ୍ଗମଞ୍ଚରେ କୌଣସି ଉଚ୍ଚ ଧରଣର ଟେକ୍‌ନିକ୍‌ ଦେଇ ତାକୁ ଏକ ଯାଦୁଘରରେ ପରିଣତ କରି ନ ଥିଲୁ ।

 

ଖୁବ୍‌ ବେଶି ହେଲେ, କେତେ ଖଣ୍ଡି ନୂଆ କନାରେ ରଙ୍ଗଦେଇ ନୂଆ ସିନ୍‌ କରିଥିଲୁ ଓ ମଞ୍ଚକୁ ପ୍ରାକୃତିକ କରିବା ଲାଗି ଡାଳପତ୍ରରେ କୁଞ୍ଜ ପ୍ରସ୍ତୁତ କରୁଥିଲୁ ଓ ସେଥ‌ିରେ ଯୋଉ ସମୟର ଯୋଉ ଫୁଲ ଫୁଟେ ସେଥିରୁ କେତୋଟି ଖଞ୍ଜିଦେଉଥିଲୁ । ବିଦ୍ୟୁତ୍ ଆଲୋକ ପାଇବାର ସମ୍ଭବ ନ ଥିଲା, ଯାହା ସାହାଯ୍ୟରେ ହୁଏତ ରଙ୍ଗମଞ୍ଚର ଶୋଭାବର୍ଦ୍ଧନର ମାନ ଆଉ ଟିକିଏ ବେଶି ବଢ଼େଇ ପାରୁଥା’ନ୍ତୁ । ବାସ୍, ଏତିକି ଥିଲା ସେ ସମୟରେ ଆମର ଅଭିନୟ ପାଇଁ ପ୍ରଧାନ ଉପକରଣ ।

 

ତା’ପର ଦର୍ଶକମାନଙ୍କ ଶ୍ରବଣକୁ ମତେଇବା ପାଇଁ, ତତେଇବା ପାଇଁ ଆମ ନିକଟରେ ନ ଥିଲା ଆଧୁନିକ ବାଦ୍ୟଯନ୍ତ୍ର–ହେଇପାରେ ଯାହାଯୋଗୁଁ, ନୂଆ ନୂଆ ସ୍ଵର, ସଙ୍ଗୀତ ସୃଷ୍ଟି କରି ଦର୍ଶକମାନଙ୍କ ମନକୁ ଚହଲେଇ ଦିଆଯାଇ ପାରୁଥା’ନ୍ତା । କହିବାକୁ ଗଲେ, ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ ଆମ ଅନୁଷ୍ଠାନର କ୍ଷମତା ନ ଥିଲା । ଆମର ବାଦ୍ୟଯନ୍ତ୍ର ଥିଲା ଅତି ନଗଣ୍ୟ ଧରଣର । ମୃଦଙ୍ଗ, କରତାଳ, ତାବଲା ଓ ଡୁବି, ବଂଶୀ, ହାର୍‌ମୋନିୟମ୍ । ଏଇ ବାଦ୍ୟଯନ୍ତ୍ରରେ ଆମେ ଗୋଟିଏ ଗୋଟିଏ ନାଟକକୁ ଚାରି, ପାଞ୍ଚ ଘଣ୍ଟା ଧରି ଦର୍ଶକମାନଙ୍କୁ ଅଭିନୟ କରି ଦେଖଉଥିଲୁ । କହନ୍ତୁ ତ ? ଏହା କେତେଦୂର ଦୁଃସାହସିକ ପଦକ୍ଷେପ ?

 

ଏଇସବୁ ଦୈନ୍ୟତା ଭିତରେ ଆମର ମଞ୍ଚର ମାନ ଯେତିକି ନିମ୍ନରେ ଥିଲା, ଅଭିନୟ କଳା କିନ୍ତୁ ସେତିକି ଉଚ୍ଚରେ ଥିଲା । ଆମର ଅଭିନୟରେ, ଦର୍ଶକ ଭୁଲି ଯାଉଥିଲେ ମଞ୍ଚ ଓ ତା’ର ପାରିପାର୍ଶ୍ୱିକ ଅବସ୍ଥା କଥା । ପ୍ରେକ୍ଷାଳୟରେ ବସି ହସୁଥିଲେ ଯେତିକି, କାନ୍ଦୁଥିଲେ ସେତିକି–ଲକ୍ଷ୍ୟ କରିଛନ୍ତି ସେଇ ଏକା ଧରଣର ନାଟକଗୁଡ଼ିକୁ । ଶତକଡ଼ା ଷାଠିଏ ଭାଗ ଦର୍ଶକ ଥରେ ନୁହେଁ, ଦୁଇଥର ନୁହେଁ, ଅନେକ ବାର ପଇସା ଖର୍ଚ୍ଚ କରି ମଧ୍ୟ ଆସି ଦେଖୁଥିଲେ । କାହିଁକି ? କ’ଣ, ଅନ୍ୟ କିଛି ଆମୋଦପ୍ରମୋଦର ବ୍ୟବସ୍ଥା ସେତେବେଳେ ସେତେଟା ନ ଥିଲା ବୋଲି ? ତା’ ନୁହେଁ । ଉତ୍କଳ କଳାକ୍ଷେତ୍ର । ଯୋଉଠି କଳା ରହିଛି, ସେଠାରେ ସେହି କଳାପ୍ରିୟ ଦର୍ଶକ ରହିଥ‌ିବେ ।

 

ମୁଁ କହୁ ନାହିଁ, କାଳି ବାବୁଙ୍କ ରାସ କଥା । ପ୍ରତ୍ୟେକ କଳା ଅନୁଷ୍ଠାନ କଥା ଆପଣମାନେ ବିଚାର କରନ୍ତୁ । ଦେଖିବେ, ଯୋଉଠି କେବଳ ଗୁଡ଼ିଏ ଦୃଶ୍ୟସଜ୍ଜା ଉପରେ ଗୁରୁତ୍ଵ ଦିଆଯାଏ ସେଠାରେ ଅଭିନେତାମାନଙ୍କର ଅଭିନୟ, ମୋ ମତରେ ନିଶ୍ଚିତ ଭାବରେ ଗୌଣ କିମ୍ବା ସେଠାରେ ଅଭିନୟକୁ ଜାଣିଶୁଣି ଗୌଣ କରାଯାଉଛି । ଅସଲ କଥା ହେଲା, ମଞ୍ଚ ନାଟକରେ ଉଭୟର ଗୁରୁତ୍ୱ ରହିଛି । ଏଣୁ ସବୁବେଳେ ନଜର ଦେବାକୁ ହେବ ଯେପରି ଦୃଶ୍ୟସଜ୍ଜା ହେଉ ଗୌଣ ଓ ଅଭିନୟ ହେଉ ମୁଖ୍ୟ । ଆମ ରାସଦଳରେ ଅଭିନୟ ଉପରେ ଯେତେ ଗୁରୁତ୍ଵ ଦିଆଯାଉଥିଲା, ମଞ୍ଚର ସାଜସଜ୍ଜା ଉପରେ ସେତେ ଗୁରୁତ୍ଵ ଦିଆଯାଇ ପାରୁ ନ ଥିଲା । ତା’ର କାରଣ, ଅର୍ଥାଭାବ । ଆଉ ମଧ୍ୟ ଆଜିକାଲି ରଙ୍ଗମଞ୍ଚକୁ ଅତି ଆଧୁନିକ କରିବାକୁ ଯେତେସବୁ ବୈଦ୍ୟୁତିକ ଉପକରଣ ମିଳୁଛି, ସେ ସମୟରେ ସେତେ ଧରଣର ଉପକରଣ ମିଳୁ ନ ଥିଲା ।

 

ତେବେ ଯାହା ହେଉ, ଏଥର ବାଙ୍କୀରେ ଅଭିନୟ ଆମର ଖୁବ୍ ଚିତ୍ତାକର୍ଷକ ହେଇ ପାରିଥିଲା । ହେଲେ ବର୍ଷା ଓ ପବନ ସହିତ ଚାଲିଥିଲା ପ୍ରବଳ ଯୁଦ୍ଧ । ଆମ ବିରୁଦ୍ଧରେ ବର୍ଷା ଓ ପବନ, ସେମାନଙ୍କର ଗରିଲା ଯୁଦ୍ଧ ଆରମ୍ଭ କରିଦେଇଥିଲେ । ଅନୁଷ୍ଠାନ ଯେତେବେଳେ ପ୍ରଚାର ଆଦି ଚଳେଇ ଅଭିନୟର ଆୟୋଜନ କରୁଥିଲା, ସେତେବେଳେ ହେଉଥିଲା ମୁଣ୍ଡଫଟା ଖରା ଓ ଠିକ୍ ଯେତେବେଳେ ଦର୍ଶକମାନେ ଟିକଟ କାଟି ଅଭିନୟ ଦେଖିବାକୁ ବସିଯାଉଥିଲେ, ସେଇ ସମୟରେ ଅତର୍କିତ ଭାବେ ମାଡ଼ି ଆସୁଥିଲା ବର୍ଷା ଓ ପବନ ।

 

ଯେତେ ଦିନ ଆମେ ଏଥର ବାଙ୍କୀରେ ରହିଲୁ ପ୍ରାୟ ଦିନେ ଛାଡ଼ି, ଦୁଇ ଦିନ ଛାଡ଼ି ବର୍ଷା ଓ ପବନ ଅନୁଷ୍ଠାନର ମେରୁ ହାଡ଼ ଭାଙ୍ଗି ପକେଇଲା । ଧୀରେ ଧୀରେ ଆମର ସଞ୍ଚିତ ସମ୍ବଳ ଶେଷ ହେଇଯିବାକୁ ଲାଗିଲା । କାଳି ବାବୁ ଦେଖିଲେ–ଅଣ୍ଟାରୁ କଉଡ଼ି ସାରିବି ନାହିଁ, ପୁଅକୁ ନଖୁରା କରିବି ନାହିଁ । ଅନୁଷ୍ଠାନର ଉପାର୍ଜିତ ଧନକୁ ସେ ତାଙ୍କର ବ୍ୟକ୍ତିଗତ ଧନ କରି ସରକାରୀ ସଂଚୟ ସଂସ୍ଥାରେ ଯାହା ଜମା କରି ରଖୁଥିଲେ, ସେ ଧନ କାଢ଼ି ଆଣି ଆମମାନଙ୍କର ଗ୍ରାସାଚ୍ଛାଦନ ଦିଗରେ ଖର୍ଚ୍ଚ କରିବାକୁ ମନ ବଳେଇଲେ ନାହିଁ । ଫଳରେ କଳାକାରମାନଙ୍କର ଅବସ୍ଥା ପୂର୍ବାପେକ୍ଷା ଗୁରୁତର ଆକାର ଧାରଣ କଲା ।

 

ଚାଲିଲା ଅଭିଯୋଗ ଏବଂ ତା’ର ପ୍ରତିଦାନରେ ଅତ୍ୟାଚାର । ଆମମାନଙ୍କର ଉଭୟଙ୍କ ମନ ଭିତରେ ପ୍ରତିକ୍ରିୟାଶୀଳ ମନୋଭାବ ଦିନକୁଦିନ ବଢ଼ିବାକୁ ଲାଗିଲା । ଏ ପର୍ଯ୍ୟନ୍ତ ଯେଉଁ ଗୁରୁ ଓ ଶିଷ୍ୟର ପବିତ୍ର ଭାବ ଆମ ମନରେ ବସାବାନ୍ଧି ଆସିଥିଲା, ତାହା ଯେପରି ଅପସରି ଯାଇ ତା’ ସ୍ଥାନରେ ମୁଣ୍ଡ ଟେକିଲା ମାଲିକ ଓ ଚାକର ସମ୍ପର୍କର କଦର୍ଯ୍ୟ ଭାବ । ଏକଥା ସତ୍ୟ ଯେ କାଳି ବାବୁ କସ୍ମିନ୍‌କାଳେ ଆମକୁ ନିଜର ସନ୍ତାନ ଅବା ଶିଷ୍ୟ ବୋଲି ଗ୍ରହଣ କରି ନ ଥିଲେ । ସେ ସର୍ବଦା ବିଚାର କରୁଥିଲେ ଆମେମାନେ ତାଙ୍କର ଦରମାଖିଆ ଗୋଲାମ ।

 

ବାଙ୍କୀରେ ଏଇ ଦ୍ୱିତୀୟ ଥର ଅନୁଷ୍ଠାନର ଦୁର୍ଦ୍ଦିନରେ ବା ସେ କାହିଁକି ଆମକୁ ନିଜର କରନ୍ତେ ? ୟା’ର ମୂକସାକ୍ଷୀ ସେଇ ଇତିହାସ କେବଳ । ତଥାପି ଆମେ କିନ୍ତୁ ଗୁରୁଙ୍କର ନିଷ୍ଠୁର ଅତ୍ୟାଚାର ବିରୁଦ୍ଧରେ ଯେତେ ରକମର ପ୍ରତିବାଦ କଲେ ମଧ୍ୟ ତାଙ୍କ ପ୍ରତି ଭୟ ଓ ଭକ୍ତ ମନ ଭିତରେ ରଖିଥିଲୁ । ଗୁରୁଙ୍କର ଅନ୍ୟାୟ, ଅବିଚାର ଗୁଣକୁ ଯେପରି ସମାଲୋଚନା କରୁଥିଲୁ, ସେହିପରି ତାଙ୍କର ସଦ୍‌ଗୁଣକୁ ମଧ୍ୟ ବିନମ୍ର ଚିତ୍ତରେ ଶ୍ରଦ୍ଧା ଓ ଭକ୍ତି ପ୍ରଦର୍ଶନ କରିବା ଲାଗି ଆମର ବିବେକ ଆମକୁ ନିର୍ଦ୍ଦେଶ ଦଉଥିଲା ।

 

ମୁଁ ସିନା କେବେ କେମିତି ପାରିଶୁଆରେ ସ୍ଵପ୍ନ ଦେଖି ପରିସ୍ରା କରିପକଉଥିଲି, କାଳି ବାବୁ କିନ୍ତୁ ବସିଲେ, ଉଠିଲେ, ଚାଲିଲେ ନିଜର ପିନ୍ଧା ଲୁଗାରେ ପରିସ୍ରା କରି ଦଉଥିଲେ; ଏବଂ ସେଇସବୁ ଲୁଗାପଟା ଧୋଇବା, ତାଙ୍କର ଅଇଣ୍ଠା ବାସନ ଧୋଇବା, ତାଙ୍କ ପାଇଁ ପାନ ଭାଙ୍ଗିବା, ତାଙ୍କର ବିଛଣା ସଜାଡ଼ିବା, ବେଳେବେଳେ ସେ ରାତିର ପରିସ୍ରାକୁ ଯେଉଁ ପାତ୍ରରେ ରଖିଥା’ନ୍ତି ସେ ପାତ୍ରକୁ ପରିଷ୍କାର କରିବା ଆଦି କାମମାନ ଆମମାନଙ୍କର ଦୈନନ୍ଦିନ ପାଳି କାମ ସହିତ ଯୋଗ କରାଯାଇଥାଏ । ସେସବୁକୁ ମଧ୍ୟ ଗୁରୁସେବା ମନେକରି ନିର୍ବିକାର ଚିତ୍ତରେ କରିଯାଉଥିଲୁ । ତଥାପି ସେ କାମକୁ ଆମର ସେ ସେବା ବୋଲି ଗ୍ରହଣ ନ କରି, ଗ୍ରହଣ କରୁଥିଲେ, ଦରମାଖିଆ ଚାକରର କର୍ତ୍ତବ୍ୟ ବୋଲି ।

 

କିଛିଦିନ ପରେ ସେଇ ବାଙ୍କୀରେ ଆମ ଦଳ ଅତ୍ୟନ୍ତ ଅଭାବଗ୍ରସ୍ତ ହେଲା । ଅଭିନୟ ଚାଲିବାରେ ମେଘ ଓ ବତାସ ପ୍ରତିବନ୍ଧକ ସୃଷ୍ଟି କଲା । ନୂଆ ନାଟକ ଲେଖା ହେଲା ନାହିଁ କି ଆମର ରିହାର୍‌ସାଲ୍‌ ବା ଅଭ୍ୟାସ କିଛି କରାଗଲା ନାହିଁ । ଟିକିଏ ଟିକିଏ କଥାରେ କାଳି ବାବୁ ଆମ ଉପରେ ରାଗ କଲେ ଓ ତା’ର ଶାସ୍ତି ସ୍ଵରୂପ ଯୋଉ ନିଷ୍ଠୁର ଆଦେଶ ଦେଲେ ସେ ଆଦେଶ ଆମର ଦୁର୍ବଳ କଲିଜାଗୁଡ଼ାକୁ ଛାତି ଭିତରେ ଥରେଇ ଦେଲା ।

 

ସେଇ ବେଳରେ, ଯୋଉ କେତେକ ଶାସ୍ତି ଆମକୁ ମିଳିଥିଲା, ତାହାହେଲା–ଗୋଟିଏ ଖଲିପତ୍ରକୁ ଧୋଇ, ଶୁଖାଇ ସେଥିରେ ଦିନ ପରେ ଦିନ ଭାତ ଖାଇବା । ପତ୍ର ନ ନେଇ କେବଳ ସିମେଣ୍ଟ ବାରଣ୍ଡା ଧୋଇ ସେଥ‌ିରେ ଭାତ ଖାଇବା । ଦିନ ବାରଟାରେ ବେଦପୁର ଗ୍ରାମର ସେଇ ବିରାଟ ବିରାଟ ମୁଚୁକୁନ୍ଦ ଗଛରୁ ପତ୍ର ତୋଳି ଆଣି ସେଥିରେ ଭାତ ଖାଇବା ।

 

ଏଥ‌ିରେ ପ୍ରତିବାଦ କରିବାର କ୍ଷମତା କାହାର ନ ଥିଲା । ସେ ନିର୍ଦ୍ଦେଶ ଥିଲା–ମୋଗଲ ଶାସନ କାଳର ଅତ୍ୟାଚାରୀ ଔରଙ୍ଗଜେବର ନିଷ୍ଠୁର ଆଦେଶ ଭଳି ।

 

ହଠାତ୍ ଦିନେ ମୋର ଗର୍ଭଧାରିଣୀ ବୋଉ, ବାଙ୍କୀରେ ଆମ ନିକଟରେ ପହଞ୍ଚିଲେ । ଜନନୀ ଯେ, ସେ ସବୁଠାରେ ସମସ୍ତଙ୍କର ଜନନୀ । ସମସ୍ତଙ୍କ ପାଇଁ ସେ ହୃଦୟରେ ରହିଛି ସ୍ନେହ, ଶ୍ରଦ୍ଧା, ଦୟା, କ୍ଷମାର ଅନାବିଳ ଅମୃତ ନିର୍ଝର । ପ୍ରତ୍ୟେକ ମଣିଷ ତାଙ୍କର ସନ୍ତାନ । ପର, ଆପଣା, ଛୋଟ, ବଡ଼ ସଂକୀର୍ଣ୍ଣ ଭାବନାର ବହୁ ଊର୍ଦ୍ଧ୍ଵରେ ସେ । ଯେ ତାଙ୍କ ପ୍ରତି ଶତ୍ରୁତା କରିଛି, ସେଇ ପୁଣି ଶେଷରେ ତାଙ୍କ ପାଦରେ ଦେଇଛି ଫୁଲ, ଚନ୍ଦନ । ଦୁନିଆଯାକର ନିନ୍ଦା, ପ୍ରଶଂସା, ଦୁନିଆଯାକର ଦୁଃଖ, ଯାତନାକୁ ଯେ ହସି ହସି ନିଜ ମଥାକୁ ଉଠେଇ ନେଇ, ନିର୍ବିକାର ଚିତ୍ତରେ ପାଦ ଆଗକୁ ପକେଇଛନ୍ତି, ସେଇ ମୋର ଜନନୀ ପହଞ୍ଚିଗଲେ ବାଙ୍କୀରେ–ତାଙ୍କର କୋଟିନିଧି କୋଳପୋଛା ପୁଅଟିର ସୁଖ, ଦୁଃଖର ଖବର ବୁଝିବାପାଇଁ ।

 

ଅନୁଷ୍ଠାନର ସର୍ବମୟକର୍ତ୍ତା ଗୁରୁଦେବଙ୍କ ପାଇଁ କେତେଦୂରରୁ, ମୋର ଜନ୍ମ ମାଟି ଗାଁରୁ, ବାଉଁସିଆ ଭରିକରି ଆଣିଥିଲେ ରୁଚିକର ମଞ୍ଜିବଡ଼ି, ଆଖୁବଡ଼ି, ଠିକ୍‌ ଦରିଦ୍ର ପରିବାରର ‘ବିଦୁର’ ଖୁଦଭଜା ପରି । ଜନନୀ ମୋର ବୁଝି ନ ଥିଲେ ଯେ, ସେ ଯୋଉ ଅତିମାନବଟି ପାଇଁ ନିଜ ହାତରେ ନିଜର ସ୍ନେହ, କରୁଣା ବୋଳି ଯତ୍ନ ସହକାରେ ଉପହାର ଭେଟି ଦେବାକୁ ଆଣିଛନ୍ତି, ସେଇ ଅତିମାନବଟି ଯେ ମାନବଠାରୁ ମଧ୍ୟ ନିମ୍ନ ସ୍ତରର–ଯେ କି ମାନବିକତା ଭୁଲିଯାଇ ନିରୀହ ଛୋଟ ଛୋଟ ପିଲାମାନଙ୍କ ଉପରେ ଅସହ୍ୟ ଉତ୍ପୀଡ଼ନ କରିଚାଲିଛି ମାସ ପରେ ମାସ, ବର୍ଷ ପରେ ବର୍ଷ ।

 

ଅନୁଷ୍ଠାନରେ ଯାହା ଯାହା ଘଟୁଥିଲା ସେକଥା ମୁଁ କେବେ ମୋର ଭାଇ, ବୋଉ ବା ଅନ୍ୟ କାହାରିକୁ କହିବାର ଆଗ୍ରହ ମୋର ନ ଥିଲା । ମୋ ଭିତରେ ନୂତନ ଭାବରେ ପୁରୁଷାକାର ଚେଇଁ ଉଠୁଥିଲା । ନିଜର ଆତ୍ମସମ୍ମାନ କ’ଣ ସେକଥା ଅଳ୍ପ ଅଳ୍ପେ ବୁଝୁଥିଲି । ତେଣୁ ବୋଉଙ୍କ ନିକଟରେ ସେସବୁ ପ୍ରକାଶ କରୁ ନ ଥିଲି । ଜଣେ ଚିର ଦୁଃଖିନୀ ଯେବେ କ୍ଷଣକ ପାଇଁ କିଛି ଟିକିଏ ଶାନ୍ତିର ଉପଭୋଗ କରୁଛନ୍ତି ତ ଅକାରଣ ସେ ଶାନ୍ତିରେ ବ୍ୟାଘାତ ଆଣିବି କାହିଁକି ? ଏଇ କଥା ଭାବି ନୀରବ ରହୁଥିଲି ।

 

ବୋଉ ମୋର ବିଦାୟ ନେଲେ ଗ୍ରାମକୁ । ଆମେ ଆଉ ଅଧ‌ିକ ଦିନ ବାଙ୍କୀରେ ରହିପାରିଲୁ ନାହିଁ । ଖମାରଙ୍ଗ ଓ ବେଦପୁରର ମୋହ ତୁଟେଇବାକୁ ପଡ଼ିଲା–ସେଠାକାର ନିର୍ମଳ ମହାନଦୀ ଜଳ, ଦୀର୍ଘ ନଦୀବନ୍ଧର ମୁକ୍ତବାୟୁ, ନଦୀର ନୀଳ ଗଭୀର ଜଳରେ ଅତିକାୟ ଥଣ୍ଟିଆ କୁମ୍ଭୀର, ବେଦପୁର ନଦୀ ଘାଟର ମନୋରମ ଦୃଶ୍ୟ, ସେ ଅଞ୍ଚଳର ଧୂଳି, ଗୋଡ଼ି, ମାଟି; ସେ ଅଞ୍ଚଳର କୋଚିଲା ତୋଟା, ଖାଲ, ଖମା, ଆଖୁ ଖେତ, ଆମ୍ବତୋଟାର ଶୀତଳ ଛାୟା, ସର୍ବୋପରି ସେ ସ୍ଥାନର ମୋର ନମସ୍ୟ ଲକ୍ଷଣ ଭାଇନା, ନାଲୁ 'ଭାଇନା, ଚନ୍ଦ୍ର ଭାଇନା, ଧନୁ ଭାଇନା ଓ ମୋ ବୟସର ପୁଅ, ଝିଅ ଯୋଉମାନଙ୍କ ସାଙ୍ଗରେ କେତେ ବାର ଡାଳମାଙ୍କୁଡ଼ି, ଲୁଚକାଳି, ବୋହୂଚୋରି ଖେଳ ଖେଳିଛି ଏବଂ ଖୁଦୁରୁକୁଣୀ, ଶ୍ରୀପଞ୍ଚମୀ ପର୍ବ ଆଦି ପାଳିଛି । ସେସବୁ ଯେମିତି ମୋର ହୃଦୟ ଉପରେ ଏକ ଏକ ଗହୀରା ଦାଗ ଆଙ୍କିଦେଇଥିଲେ, ଯୋଉ ଦାଗକୁ ମୁଁ ମୋର ଜୀବନ ସାରା ଅମୂଲ୍ୟ ସ୍ମୃତି ରୂପରେ ସାଇତି ରଖିଥିବି । ସେ ସ୍ମୃତି ଭୁଲିବାର ନୁହେଁ ।

 

କାହିଁକି କେଜାଣି ଆମର ଭାଗ୍ୟଲକ୍ଷ୍ମୀ ଆମକୁ ସେଇ ବର୍ଷାଦିନରେ ବାଟ କଢ଼େଇଲେ ନୟାଗଡ଼ ଅଞ୍ଚଳକୁ । ଏକେ ତ ଆମର କୋଉଠି ସ୍ଥାୟୀ ରଙ୍ଗମଞ୍ଚ ନ ଥିଲା । ଯୋଉଠିକୁ କ୍ୟାମ୍ପ କରିବାକୁ ଯାଉଥିଲୁ, ସେଠାରେ ଗୋଟିଏ ବାଉଁଶ ମଞ୍ଚାକରି ସେଥିରେ ସିନ୍‌ଗୁଡ଼ିକ ଟାଙ୍ଗି ଦେଉଥିଲୁ ଏବଂ ଦର୍ଶକମାନଙ୍କ ବସିବା ସ୍ଥାନ ଚାରିକଡ଼ରେ ମୋଟା କନା ବା ଚଟ ଘେରେଇ ଦଉଥିଲୁ । ବଡ଼ ଧରଣର ତମ୍ବୁ ନଥିଲା, ଯୋଉଥିରେ ଖୁବ୍ ଅସରାଏ ବର୍ଷା ସମ୍ଭାଳିଯିବ ।

 

ଏଇ କାରଣରୁ ବର୍ଷାଦିନେ ସାଧାରଣତଃ ଆମେ କଟକ କିମ୍ବା ପୁରୀ ଛାଡ଼ି ବାହାରକୁ ଯାଉ ନ ଥିଲୁ । ଏଥର କାଳି ବାବୁଙ୍କ ମଥାରେ କାହିଁକି ଦୁର୍ବୁଦ୍ଧି ଆସିଲା, ଅନୁଷ୍ଠାନକୁ ସାଙ୍ଗରେ ଧରି ବାହାରିଲେ ନୟାଗଡ଼ । ତେବେ ଏତିକି ଆମର ଭରସା ଥିଲା, ନୟାଗଡ଼ରେ ଶ୍ରୀ ବାଞ୍ଛାନିଧି ପଟ୍ଟନାୟକଙ୍କ ଘର । ପାର୍ବତୀ ବାବୁଙ୍କ ଭିଣୋଇ ବାଞ୍ଛାନିଧି ବାବୁ । କିଛି ଅସୁବିଧା ଦେଖାଦେଲେ ହୁଏତ ବାଞ୍ଛାନିଧି ବାବୁ ଆମ ରାସଦଳକୁ ନିଶ୍ଚିତଭାବରେ ସାହାଯ୍ୟ ସହଯୋଗ ଦେବେ । ଖୋଦ୍ ନୟାଗଡ଼ ରାଜାସାହେବଙ୍କର ସେ ଥିଲେ ଡ୍ରାଇଭର ।

 

ପହଞ୍ଚିଲୁ ଗଡ଼ରେ । ନୂଆ କିଛି ନ ଥିଲା । ପୁରୁଣା ସ୍ଥାନ । ରାଜାସାହେବଙ୍କ ସହିତ ସାକ୍ଷାତ କରି ଅଭିନୟ ଲାଗି ଅନୁମତି ଲୋଡ଼ା ହେଲା । ଅନୁମତି ମିଳିଗଲା ଏବଂ ସାଙ୍ଗେ ସାଙ୍ଗେ ନୟାଗଡ଼ର ସେଇ ପୁରୁଣା ବଗିଚାଟିରେ ଆଗରୁ ଆମେ ଯୋଉଠି ଅଭିନୟ କରିଥିଲୁ ଠିକ୍ ସେଇ ବଗିଚାରେ ପ୍ରସ୍ତୁତ କରାଗଲା ପେଣ୍ଡାଲ । କିନ୍ତୁ ପ୍ରତ୍ୟେକଙ୍କ ମନରେ ଭୟ, ବର୍ଷା ବତାସକୁ ।

 

ସେ ସମୟରେ ଆମ ଭଳି ଯୋଉସବୁ ପେଷାଦାର ନାଟ୍ୟାନୁଷ୍ଠାନ, ଉଠା ଦୋକାନ ଏଠାରୁ ସେଠାକୁ ଉଠେଇଲା ପରି, ବିଭିନ୍ନ ସହର, ବିଭିନ୍ନ ଗଡ଼ଜାତ ନିଜର ଆର୍ଥିକ ସ୍ଵଚ୍ଛଳତା ବଢ଼େଇବାକୁ ଘୁରି ବୁଲୁଥିଲେ । ଏଇ ବର୍ଷାଦିନେ ସେମାନେ ଗୋଟାଏ ଅନ୍ଧବିଶ୍ୱାସକୁ ମନ ଭିତରେ ସ୍ଥାନ ଦେଉଥିଲେ । କଥାଟା ହେଲା, ଅଭିନୟ ସମୟରେ ବର୍ଷାକୁ ବନ୍ଦ କରିବା ଲାଗି ଅନେକ ମନ୍ତ୍ରଯନ୍ତ୍ରର ଆଶ୍ରୟ ନଉଥିଲେ, ଏଥିପାଇଁ ନାନା ଗୁଜବ ମଧ୍ୟ ଶୁଣିବାକୁ ମିଳୁଥିଲା । ଆମେମାନେ ବି ସେଇ ଚିରାଚରିତ ପନ୍ଥା ଅନୁସରଣ କରୁଥିଲୁ । ଗୋଟିଏ ଦିନ ନାଟକ ବନ୍ଦ ହେଲେ ଅନୁଷ୍ଠାନ ପକ୍ଷରେ କେତେ ଯେ ଲୋକସାନ୍‌ ଖାସ୍‌ ସେଇ ଭୟରେ କୁ–ସଂସ୍କାରରେ ପ୍ରାୟ ସମସ୍ତେ ମାତୁଥିଲେ ।

 

ଏ କାମରେ ବିଭିନ୍ନ ଗୁଣିଆ, ବିଭିନ୍ନ ତାନ୍ତ୍ରିକ ସବୁ ଦର୍କାର ପଡ଼ୁଥିଲେ । ଏମାନଙ୍କ ଛଡ଼ା ଏ କାମରେ ବଡ଼ ବଡ଼ ଜ୍ୟୋତିଷ ଶାସ୍ତ୍ର ବିଶାରଦ ମଧ୍ୟ ଭାଗ ନେଉଥିଲେ ।

 

ଆମର ପରମ ସୌଭାଗ୍ୟ ଯେ, ସେଇସବୁ ମନ୍ତ୍ରଯନ୍ତ୍ରର ପ୍ରଭାବରେ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ, ଚାରି ପାଞ୍ଚଦିନ ବର୍ଷା ପ୍ରାୟ ବନ୍ଦ ହେଇଗଲା । ସେଇ ସୁବର୍ଣ୍ଣ ସୁଯୋଗରେ ଅଭିନୟ ଆରମ୍ଭ କରାଯାଇ ଆଗେଇଗଲୁ ପୂରାଦମ୍‌ରେ । ନୟାଗଡ଼ ଓ ତା’ର ପାଖାପାଖି ଅଞ୍ଚଳରେ ପ୍ରଶଂସାର ଡିଣ୍ଡିମ ବାଜିଉଠିଲା । ଛୁଟିଲେ ଲୋକ । ଆମେ ସେଠାରେ ପୁରୁଣା ଥିଲେ ହେଁ, କେତୋଟି ବହି ଆମର ସେ ସ୍ଥାନ ପାଇଁ ଥିଲା ସମ୍ପୂର୍ଣ୍ଣ ନୂତନ ।

 

ଓଡ଼ିଶାର ଜନଜୀବନର କାଳରାହୁ–ବଢ଼ି, ବାଡ଼ି, ମରୁଡ଼ି ରୂପରେ ଦେଖାଦେଇ ଅଧିକାଂଶ ସମୟରେ ସେତେବେଳେ ଏ ମାଟିକୁ କରୁଥିଲା ଶ୍ରୀହୀନ । ଲକ୍ଷ ଲକ୍ଷ ମଣିଷ ମନର ଆଶା, ଆକାଙ୍‍କ୍ଷାକୁ କରୁଥିଲା ଧୂଳିସାତ୍‌ । ପ୍ରତିବର୍ଷ କିଛି ନା କିଛି ସର୍ବଗ୍ରାସୀ ରୂପନେଇ ଓଡ଼ିଶାବାସୀଙ୍କର ଧନ ଜୀବନକୁ କରୁଥିଲେ ଲୁଣ୍ଠନ ।

 

ବିଭିନ୍ନ ପତ୍ରପତ୍ରିକାରୁ ଖବର ପାଇଲୁ, ଉପକୂଳ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ବିଷୟରେ । ବିଶାଳ ମହାନଦୀ, ବନ୍ୟାଜଳରେ ତାର ଦୁଇକୂଳ ଲଂଘି, ବହୁ ଗାଁ ଗଣ୍ଡାକୁ କରିଛି ପ୍ଲାବିତ । ମୁଁ ମୋର ପିଲାଦିନୁ ଓଡ଼ିଶାର ବାଡ଼ି, ବଢ଼ି ସହିତ ସମ୍ପୂର୍ଣ୍ଣ ପରିଚିତ ଥିଲି । କେବଳ ମୁଁ କାହିଁକି ? ଏ ମାଟିର ପ୍ରତ୍ୟେକ ପୁଅ, ଝିଅ ଅନୁଭବ କରୁଥିଲେ ଏହିପରି ପ୍ରାକୃତିକ ବିପର୍ଯ୍ୟୟକୁ-। ଛାତି ହୋଇଛି ପଥର, ଚକ୍ଷୁ ହୋଇଛି ରସଶୂନ୍ୟ ।

 

ଖାଇବା ଭାତକଂସା ପାଖରୁ ମା, ପୁଅକୁ ଅଲଗା କରି ବନ୍ୟାଜଳ ଟାଣିନେଇଛି ନିଜ ନିଜର ସ୍ରୋତ ମୁଖରେ । ସ୍ଵାମୀକୁ ଗଛ ଡାଳରେ ବସେଇ, ପ୍ରାଣପ୍ରିୟାକୁ ତାର ଟାଣି ନେଇଛି ଜୀର୍ଣ୍ଣ ଛଣଛପର ଚାଳରେ ରଖି ସେଇ ଅନନ୍ତ ବାରିଧି କୋଳକୁ । ଜଳ ସ୍ରୋତର ଆଘାତରେ ଗୋଟାଏ ଗୋଟାଏ ମହାଦ୍ରୁମକୁ ଉତ୍ପାଟିତ କରି ସମାନ୍ୟ ତୃଣସମ ଭସେଇ ନେଇଛି ହେୟ ଜ୍ଞାନ କରି ।

 

ଖଣ୍ଡେ ଖଣ୍ଡେ ଶୁଖିଲା କାଠଗଣ୍ଡିକୁ ସମ୍ବଳ କରି ସେଥିରେ ଆଶ୍ରା ନେଇଛନ୍ତି ଗୋଟିଏ ଦିଗରେ ଜୀବନ ଓ ଅନ୍ୟ ଗୋଟିଏ ଦିଗରେ ମୃତ୍ୟୁ । ଗୋଟିଏ ଦିଗରେ ଜୀବନ ଲୋଭୀ ମନୁଷ୍ୟ ଓ ଅନ୍ୟ ଗୋଟିଏ ଦିଗରେ ଜୀବନ ବିରୋଧୀ ବିଷଧର ସର୍ପ । ଗୋଟିଏ ଦିଗରେ ହାସ୍ୟ ଓ ଅନ୍ୟ ଗୋଟିଏ ଦିଗରେ କ୍ରନ୍ଦନ ।

 

ବଢ଼ିପରି ବାଡ଼ି ବା ହଇଜା ମଧ୍ୟ ଗୋଟାଏ ଗୋଟାଏ ଗାଁକୁ ପଦା କରି ପକେଇଛି । ବିଶେଷ କରି ମଣିଷ ମନର କୁସଂସ୍କାର ଯୋଗୁଁ ମହାମାରୀ, ଏଇ ଆମ ଓଡ଼ିଶାରେ ତାର ରୂପକୁ କରିଛି ସହସ୍ର ରୂପ । ଦିନ ଦୁଇପ୍ରହର ହେଉ ନ ହେଉଣୁ ଜନପଦରେ ତାଟି, କବାଟ ବନ୍ଦ ହେଇଯାଇଛି । ଶବର ଚ୍ଛିନ୍ନ ମୁଣ୍ଡକୁ ବିଲୁଆ, କୁକୁର ବୋହିଆଣି ଗାଁ ଦାଣ୍ଡରେ ଗଡ଼େଇଛନ୍ତି । ଗୋଟିଏ ଗୋଟିଏ ଘରୁ ମଡ଼ା ଉଠେଇବାକୁ ଲୋକଙ୍କୁ ସମୟ ମିଳିନି, ଫଳରେ ମଡ଼ାରେ ମାଛିଆ ପାତକ ଘଟିଛି । ପୂତି ଗନ୍ଧରେ ବାୟୁମଣ୍ଡଳ ହୋଇଛି ବିଷାକ୍ତ ।

 

ଏଇସବୁ ଦାରୁଣ ବିପର୍ଯ୍ୟୟକୁ ମୁଁ ବହୁବାର ଆଖିରେ ଦେଖିଥିଲି ଏବଂ ତାର ପ୍ରତିକ୍ରିୟା ପ୍ରଭାବର ଶିକାର ମଧ୍ୟ ହୋଇଥିଲି । ତେଣୁ ନୟାଗଡ଼ରେ ସେଇ ବନ୍ୟା କଥା ଶୁଣି ସେପରି ଭୟଭୀତ ହୋଇନଥିଲି ।

 

ନୟାଗଡ଼ରେ ଆମର ବ୍ୟବସାୟ ପୋଥୀରେ ଡୋର ବନ୍ଧା ହେଲା । ବର୍ଷା ଆଉ ବିଶ୍ରାମ ଦେଲା ନାହିଁ, ପାଣି ଓ ପବନ ମାଡ଼ରେ ରଙ୍ଗମଞ୍ଚ ବିବର୍ଣ୍ଣ ହେଲା । ତଥାପି ମଧ୍ୟ ଆଶାବାଦୀ ହୋଇ ଗଣ୍ଠିଲିପତ୍ର ବନ୍ଧାବନ୍ଧି କରି ଅପେକ୍ଷା କରିବସିଲୁ କାଳେ ବର୍ଷା, ବତାସ ଛାଡ଼ିଯାଇପାରେ ଭାବି । କିନ୍ତୁ ଫଳ କିଛି ହେଲାନାହିଁ, ବରଂ ମେଘର ଗତି ଦିନକୁ ଦିନ ବଢ଼ିବାକୁ ଲାଗିଲା ।

 

ଏଇ ନୟାଗଡ଼ରେ ଏଥର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଶୁଭ ଅବସରରେ ମୁଁ ମୋ ଜୀବନରେ ପାଇଥିଲି ଓଡ଼ିଆ କାବ୍ୟକବିତା ପଠନର ସୁବର୍ଣ୍ଣ ସୁଯୋଗ । ଶ୍ରୀ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କର “ଯୁଗଳ ରସାମୃତ ଲହରୀ”, ଶ୍ରୀ ଭୀମ ଭୋଇଙ୍କ “ସ୍ମୃତି ଚିନ୍ତାମଣି”, ଶ୍ରୀ ବ୍ୟାସକବି ଫକୀରମୋହନ ସେନାପତିଙ୍କର “ଛମାଣ ଆଠଗୁଣ୍ଠ”, ରାୟସାହେବ ପଦ୍ମଚରଣ ପଟ୍ଟନାୟକଙ୍କର କେତେକ କବିତା, କବିବର ରାଧାନାଥ ରାୟଙ୍କ ‘ପାର୍ବତୀ କାବ୍ୟ’ ଓ ‘ଦରବାର’, ଶ୍ରୀ ବଜ୍ରନାଥ ବଡ଼ଜେନାଙ୍କ “ସମର ତରଙ୍ଗ”। ସୁନ୍ଦରେ ତୃପ୍ତିର ଅବସାଦ ନଥିଲା । ଯେତେ ପଢ଼ୁଥିଲି ସେତେ ନୂଆ ନୂଆ ଲାଗୁଥିଲା l

 

ହଠାତ୍ ଦିନେ ସ୍ଥିର ସିଦ୍ଧାନ୍ତରେ କାଳି ବାବୁ ପହଁଞ୍ଚିଲେ ସ୍ଥାନ ଛାଡ଼ିବାକୁ ହେବ । ଯାତ୍ରାର ଶୁଭଲଗ୍ନ ଠିକ୍‌ ନାହିଁ, ଫେରିଯିବାକୁ ହେବ ।

 

ଫେରିଲୁ ଖଣ୍ଡପଡ଼ା ବାଟେ । ଆଶାଭାଣ୍ଡକୁ ତ୍ୟାଗ କରିବା ମନୁଷ୍ୟର ସାଧ୍ୟାତୀତ । ଅନୁଷ୍ଠାନର ସ୍ଵଚ୍ଛଳତା ପାଇଁ ସମୟ ଥିଲା ପ୍ରତିକୂଳ । ଅବଶ୍ୟ ଖଣ୍ଡପଡ଼ା ରାଜାଙ୍କର ମହନୀୟତା ଗୁଣ ବଳରେ ରାଜବାଟୀରେ ଦୁଇ ତିନି ଦିନ ଅଭିନୟ କରିବାର ସୁଯୋଗ ମିଳିଲା; ମାତ୍ର ଓଟ ମୁହଁରେ ଜିରା ଭଳି ରାଜାଙ୍କ ପ୍ରଦତ୍ତ ଅର୍ଥରେ ଅନୁଷ୍ଠାନର ବିଶେଷ କିଛି ଉନ୍ନତି ହେଲା ନାହିଁ । କଣ୍ଟିଲୋ ନୀଳମାଧବଙ୍କ ନିକଟରୁ ନୌକାଯାତ୍ରା ମହାନଦୀ କୂଳେ କୂଳେ ଆରମ୍ଭ କଲୁ ସିଧା କଟକ ସହରକୁ ।

 

କଟକରେ ସେଇ ପୁରୁଣା ଜାଉଁଳିଆପଟି ବସାରେ କିଛିଦିନ କଟେଇଲୁ ସତ, ମାତ୍ର ଜୈନ ମନ୍ଦିର ପେଣ୍ଡାଲ୍‍ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଆଉ ସେଇ ପେଣ୍ଡାଲ୍‌କୁ ମରାମତି କରି ଅଭିନୟ ଆରମ୍ଭ କରିବା ସୁବିଧାଜନକ ନଦେଖି ସେଠାରୁ ଉଠିଗଲୁ ସାହେବଯାଦା ବଜାରକୁ । ବର୍ତ୍ତମାନ ସେହି ଗଳିଟି ଭାଷାକୋଷ ଲେନ୍‌ରେ ପରିଣତ ହୋଇଛି ।

 

ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ବାସଭବନରେ ଶ୍ରୀପୂର୍ଣ୍ଣଚନ୍ଦ୍ର ଭାଷାକୋଷର କାମ ଖୁବ୍‌ ଜୋରସୋରରେ ଚାଲିଥାଏ । କେତେଖଣ୍ଡ ଛପା ସରିଥାଏ ଓ ଆଉ ଅଳ୍ପ କେଇଖଣ୍ଡି ବାକି ଥାଏ । ଆମ ରାସଦଳକୁ ଶ୍ରୀଯୁକ୍ତ ପ୍ରହରାଜ ତାଙ୍କରି ଘରେ ରହିବାର ସୁଯୋଗ ଦେଲେ । ଘରଟି ଏକ ମହଲା ହେଲେ ମଧ୍ୟ ଅନେକ ବଖରା ଘର । ଆମମାନଙ୍କ ପାଇଁ ଥିଲା ଅତି ପ୍ରଶସ୍ତ । ଆମେ ରହିଲୁ ଦାଣ୍ଡ ପଟକୁ, ଭିତର ପଟେ ରହୁଥାନ୍ତି ଶ୍ରୀଯୁକ୍ତ ପ୍ରହରାଜ ଓ ଶ୍ରୀମତୀ ପିତାମ୍ବରୀ ଦେବୀ । ପାଖରେ ଥାଏ ଶିଶୁ ଜଗବନ୍ଧୁ ଓ ଗୋଟିଏ ଚାକର । ଗୋଟିଏ ବଡ଼ ଲମ୍ବା ଘରେ ଭାଷାକୋଷ କାମ ଚାଲିଥାଏ ।

 

ପାଚେରୀ ଘେରା ବେଶ୍ ବଡ଼ ହତା । ସେଇ ହତାରେ ମଞ୍ଚ ପ୍ରସ୍ତୁତ କରାଗଲା । ଆରମ୍ଭ ହେଲା ରାସ । ଆମ ପେଷାଦାର ରାସଦଳ ଲାଗି ସେ ସ୍ଥାନଟି ଯେତିକି ଥିଲା ନିରାପଦ ସେତିକି ଥିଲା ସମ୍ମାନସୂଚକ । କାରଣ ଶ୍ରୀଯୁକ୍ତ ପ୍ରହରାଜ ସେ ସମୟରେ ଥିଲେ ଜଣେ ଉଚ୍ଚଧରଣର ଆଇନଜ୍ଞ । ଉଚ୍ଚ ମହଲରେ ତାଙ୍କର ଥିଲା ଖୁବ୍‌ ଖାତିର୍‌ । ମିସାଲ ଉପରେ ଖୁବ୍‌ ବଡ଼ବଡ଼ ଜଟିଳ ମକଦ୍ଦମାକୁ ପାଣିଫୋଟାକା ପରି ଉଡ଼େଇ ଦଉଥିଲେ । ଅନେକ ହତ୍ୟା ଅପରାଧର ଆସାମୀଙ୍କୁ ମୃତ୍ୟୁଦଣ୍ଡରୁ ମୁକୁଳେଇ ଆଣୁଥିଲେ । ଅଠର ଗଡ଼ଜାତର ରାଜା, ମହାରାଜା, ଜମିଦାର ସମସ୍ତେ ତାଙ୍କ ନିକଟକୁ ଆସୁଥିଲେ ତାଙ୍କର ସାକ୍ଷାତ୍‌ ପାଇଁ ।

 

ଶ୍ରୀଯୁକ୍ତ ପ୍ରହରାଜ ଥିଲେ ଦୟା, କ୍ଷମାର ଅବତାର, ଜଣେ ହାସ୍ୟରସିକ ବ୍ୟକ୍ତି । କାବ୍ୟ ତାଙ୍କର ଥିଲା ଅତି ତୀକ୍ଷ୍ଣ ଓ ଶାଣିତ । ଶୁଦ୍ଧ ଓଡ଼ିଆ ଭାଷା ଉଚ୍ଚାରଣ କରିବାରେ ଅତି ପଟୁ । କଟକ ସହରର ପ୍ରାୟ ଯେତେ ଶିକ୍ଷିତ, ବିଜ୍ଞ, ବୁଦ୍ଧିଜୀବୀ ସମସ୍ତେ ଆସୁଥିଲେ ତାଙ୍କ ନିକଟକୁ । ପ୍ରତ୍ୟେକଙ୍କ ସହିତ ସମବ୍ୟବହାର ଥିଲା ଶ୍ରୀଯୁକ୍ତ ପ୍ରହରାଜଙ୍କ ନୀତି । ଗୋଟିଏ ଧରଣର ଉପାଦାନରେ ଗଢ଼ା । ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପ୍ରହରାଜ ଏବଂ ଶ୍ରୀଯୁକ୍ତ ବଟକୃଷ୍ଣ ପ୍ରହରାଜଙ୍କ ଚରିତ୍ର । ଦୁହେଁ କିନ୍ତୁ ଥିଲେ ଅଲଗା ଅଲଗା । ଉଭୟେ ପୂତ ପବିତ୍ର; କିନ୍ତୁ ଭିନ୍ନ ଭିନ୍ନ ଦୁଇଟି ନଦୀପରି । ଠିକ୍ ଯେମିତି ଗଙ୍ଗା ଓ ଯମୁନା । ଶ୍ରୀଯୁକ୍ତ ବଟ ପ୍ରହରାଜଙ୍କୁ ଆମେମାନେ ଅଜାବୋଲି ସମ୍ବୋଧନ କରୁଥିଲୁ ।

 

ହୁଏତ ଆମମାନଙ୍କର ଭାଗ୍ୟ ଆମ ପ୍ରତି ସଦୟ ଥିଲା ନା କ’ଣ, ଏଥର ନାଟକଗୁଡ଼ିକ ଶ୍ରୀ ପ୍ରହରାଜଙ୍କ ହତାରେ ଏପରି ସଫଳତା ଅର୍ଜନ କଲା, ଯାହାକୁ ଆମେ କେବେହେଲେ କଳ୍ପନାରେ ଆଣି ପାରିନଥିଲୁ ।

 

ମନେପଡ଼େ ଉତ୍କଳ ଭୀମ ପଦ୍ମଚରଣ ବାବୁଙ୍କ କଥା । ଅଭିନୟ ଦେଖି ପାଗଳ ହେଇଯାଉଥିଲେ । ଲକ୍ଷ୍ୟ କରିଛି ଯେତେବେଳେ ତାଙ୍କୁ ଟିକିଏ ଅବସର ମିଳୁଥିଲା ସେତେବେଳେ ସେ ହସ ହସ ମୁଁହରେ ଆସି ଆମକୁ ଗୁଡ଼ିଏ ପ୍ରଶଂସା କରିଯାଉଥିଲେ । ସାମାନ୍ୟ ଟେରା ଥିଲେ ସେ । ବସିଲେ ଉଠିଲେ କୁସ୍ତିକସରତ କଥା । ମୋଟାମୋଟା ଲୁହା ଛଡ଼କୁ ବେକରେ ଦାବି ବଙ୍କା କରିଦଉଥିଲେ ।

 

ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଘର ନିକଟରେ ସେଇ ସାହେବଯାଦା ବଜାରରେ ଶ୍ରୀ ମନୁ ଘୋଷଙ୍କ ଘର । ମନୁ ବାବୁ ବାସ୍ତବ ଜୀବନର ରଙ୍ଗମଞ୍ଚରେ ଜଣେ ସୁଦକ୍ଷହାସ୍ୟରସର ଅଭିନେତା ବୋଲି ସମସ୍ତେ ସ୍ଵୀକାର କରନ୍ତି । ହାର୍‌ମୋନିୟମ୍‌ ଧରି ଅନେକ ସମୟରେ ବ୍ୟଙ୍ଗ ସଂଗୀତ ଗାଇବାର ଦେଖାଯାଏ ।

 

‘ସାରେ ଗାମା ପାଧାନି’, ଏଇ ସପ୍ତସ୍ୱରକୁ କେନ୍ଦ୍ରକରି ସୁନ୍ଦର ଶବ୍ଦ ବିନ୍ୟାସରେ ମଜାଳିଆ ଗୀତ ଗାଆନ୍ତି ସେ–

 

ପଶା ନିଶାରେ ନିଧନା ମରେ

ଧନୀ ସରେ

ମାନୀ ମାନ ସାରେ, ଗାମା ଧାମା ମାରେ

Unknown

ନିଧନୀ ଧନ ଧାରେ

ପାନି ପାନି ଧାରେ ଧାରେ ଗଧା ପରେ

ନାରେ ନାରେ ।

ସାମା ନିମା ପରେ, ନିମା ମାଗା ପରେ

ନିଶାରେ ମନ ମାରେ

ରେମା ରେମା ସ୍ଵର ଧରେ ଗର ମରେ

ସାରେ ସାରେ

ପଶା ନିଶାରେ .....

 

ମନୁ ବାବୁ ଉଚ୍ଚଶିକ୍ଷିତ ଥଲେ, ସେତେବେଳର ବି.ଏ. ବିଏଲ୍‌ । ବନ୍ଧୁ ମହଲରେ ବେଳେବେଳେ ଏଭଳି ହାସ୍ୟରସ ସୃଷ୍ଟି କରୁଥିଲେ ଯେ ନିତାନ୍ତ ନୀରସ ବ୍ୟକ୍ତି ମଧ୍ୟ ତାଙ୍କ କଥାରେ, ଗୀତରେ ନ ହସି ରହିପାରୁ ନଥିଲେ । ମନୁ ବାବୁ ଆମ ରାସଦଳର ଜଣେ ପ୍ରଧାନ ସମର୍ଥକ ଥିଲେ-

 

ଆମର ବହୁ ସମର୍ଥକଙ୍କ ଭିତରେ ନିନ୍ଦୁନି ଯେ ନଥିଲେ ତା’ ନୁହେଁ, ତେବେ ସେ ସମୟରେ ସମାଲୋଚନାଟା କାଗଜ ପତ୍ରରେ ନ ହୋଇ ମୁହାଁମୁହିଁ ଭାବରେ କରାଯାଉଥିଲା । ସେଇ ମଞ୍ଚ ଉପରେ ଆମେ ହେଉ ଅବା ଅନ୍ୟ ଯେ’ ସେ ହେଉ, ଥିଲାବେଳେ ଦର୍ଶକମାନେ କେହି କେହି ସମାଲୋଚନା କରିବାକୁ ପଛଉ ନଥିଲେ । ଆମେମାନେ ମଧ୍ୟ ସେଇସବୁ ସମାଲୋଚନାରୁ ଯାହା ଗ୍ରହଣୀୟ ତାକୁ ଗ୍ରହଣ କରୁଥିଲୁ ।

 

ଯୁକ୍ତିଯୁକ୍ତ ସମାଲୋଚନା, ଖୁବ୍ ଯେ ଦର୍କାରୀ ଏଥିରେ ମତଭେଦର ପ୍ରଶ୍ନ ଉଠିପାରେନା-। ତେବେ ଅନେକ ସମାଲୋଚନା ଅନେକ ସମୟରେ ଅନେକ ଲୋକ କରନ୍ତି, ଯାହାକୁ ସମାଲୋଚନା ନ କହି କୁହାଯିବ, ଆକ୍ରୋଶମୂଳକ ଆକ୍ଷେପ, ଅବା ଗାଳି । ଏଭଳି ନିମ୍ନଧରଣର ଆକ୍ଷେପକୁ ସେଇ ରଙ୍ଗମଞ୍ଚରେ ହଜମ କଲାଭଳି କ୍ଷମତା ଆମେ ଆମର ପିଲାଟି ଦିନରୁ ହାସଲ କରିଥିଲୁ ।

 

ଅନେକ ଥର, ମୁଁ ମୋର, ଅଭିନୟ କଲାବେଳେ, ଦର୍ଶକମାନଙ୍କ ଭିତରେ ଜଣେ ଜଣେ କୋଉଠି କେମିତି ଏଇ ଧରଣର ଅପରିପକ୍ଵ ସମାଲୋଚକଙ୍କୁ ଭେଟିଛି ଏବଂ ସେସବୁ ବ୍ୟକ୍ତିବିଶେଷଙ୍କ ଆକ୍ଷେପମୂଳକ ଭାଷାର ଯଥାଯଥ ଉତ୍ତର ଦେଇଛି । ଦେଖିଛି–ଫଳରେ ଦ୍ଵିତୀୟ କଥା କହିବାର ଶକ୍ତି ଭଦ୍ରଲୋକ ହରେଇଛନ୍ତି । ଲକ୍ଷ୍ୟ କରିଛି, ଆଉ କେବେ ସେ ଭଦ୍ରଲୋକ ଅନ୍ୟ କାହାକୁ ମଧ୍ୟ କିଛି କହିବାର ସାହସ କରିନାହାନ୍ତି ।

 

ଆମ ଅଭିନୟ ସେତେବେଳେ ସମ୍ପୂର୍ଣ୍ଣ ତ୍ରୁଟିହୀନ ଥିଲା ବୋଲି ମୁଁ କହୁ ନାହିଁ । ମୋର କହିବାର କଥା–ସମାଲୋଚକ ତ୍ରୁଟି ବାଛିବା ସାଙ୍ଗେ ସାଙ୍ଗେ, ତାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ନିଜର ନୂତନ ଦୃଷ୍ଟିଭଙ୍ଗୀ ବିଷୟରେ ସୂଚନା ଦେବା ଦରକାର ନୁହେଁ କି ? ଯେ’ ଯୋଉ ବିଷୟକୁ ସମାଲୋଚନା କରେ, ସେ ନିଜେ ଅନ୍ତତଃ ସେ ବିଷୟରେ କିଛିଟା ଜାଣିଥିବା ଦରକାର । ତା’ ହେଲେ ସେ କିଛି ମାତ୍ରାରେ ଦିଗ୍‌ଦର୍ଶନ କରେଇପାରିବ । ଏବଂ ସେ କ୍ଷେତ୍ରରେ ସମାଲୋଚନାର ହେବ ବିଜୟ ।

 

କଟକରେ ଫଟୋଗ୍ରାଫର ହିସାବରେ ଖୁଦୁସ୍ ମହାଶୟ ଖୁବ୍ ସୁନାମ ଅର୍ଜନ କରିଥାନ୍ତି । ସେତେବେଳେ ତାଙ୍କର ଛାତ୍ର ଜନ୍ଵାବ୍ ଜ୍ଵାଉଲା ତାଙ୍କ ନିକଟରୁ ଚାଲିଆସି, ନିଜ ଚେଷ୍ଟାରେ ଖଣ୍ଡିଏ ଦୋକାନ କରି, ନିଜର ସ୍ୱଚ୍ଛଳତା ଓ ବ୍ୟବସାୟର ପ୍ରସାର ଉଦ୍ଦେଶ୍ୟ ନେଇ ବିଶିଷ୍ଟ ଭଦ୍ରବ୍ୟକ୍ତିଙ୍କ ସହିତ ଯୋଡ଼ିଥାନ୍ତି ସମ୍ପର୍କ । ଫଟୋ ଉଠେଇବା ସଉକ୍ ସାଧାରଣ ଲୋକଙ୍କର ସେତେଟା ନଥିଲା କହିଲେ ଚଳେ । କେବଳ ଧନୀ, ବଡ଼ ବଡ଼ ଲୋକଙ୍କ ଭିତରେ ଏହା ସୀମାବଦ୍ଧ ଥିଲା । ଏ ଦିଗରେ ଜନସାଧାରଣଙ୍କ ଆଗ୍ରହ ନ ଥିଲା ବୋଲି କହୁ ନାହିଁ । ମାତ୍ର ଅଣ୍ଟାରେ ନଥାଇ ଧନ, ପୁଅ ବାହା ପାଇଁ ମନ–ଏଇ ସମସ୍ୟା ସର୍ବସାଧାରଣଙ୍କୁ ଘାରୁଥିଲା । ଫଟୋକୁ ଏକ ବିଳାସ ସାମଗ୍ରୀରେ ଗଣୁଥିଲେ ଲୋକ ।

 

ଆମର ସବୁ ବହିଗୁଡ଼ିକ ଭିତରେ ଚମ୍ପୂ ବହି ଅଧ‌ିକ ପ୍ରଭାବ ପକେଇଥିଲା ଦର୍ଶକମାନଙ୍କ ଉପରେ । ଭିଡ଼ ହେଉଥିଲା ଏଇ ଚମ୍ପୂ ନାଟକରେ ବେଶି । କାଳି ବାବୁ ଦିନେ ଜ୍ଵାଉଲା ବାବୁଙ୍କୁ ବରାଦ ଦେଲେ ଆମମାନଙ୍କର ଗୋଟିଏ ଦୃଶ୍ୟର ଫଟୋ ଉଠେଇବାକୁ । ଲଳିତା–ଦୁର୍ଲ୍ଲଭ ଦା, କୃଷ୍ଣ–ଯମୁନା ଦାସ ଓ ମଧୁମଙ୍ଗଳ–ମୁଁ । ଆମ ତିନିଜଣଙ୍କୁ ନେଇ ଫଟୋ ଉଠା ହେଲା । ଆଜି ଯେତେ ରକମର ଉନ୍ନତ କ୍ୟାମେରା ଦେଖିବାକୁ ମିଳୁଛି, ସେ ସମୟରେ ଏତେଟା ଦେଖିବାକୁ ମିଳୁ ନ ଥିଲା । ତେଣୁ ଜନାବ୍ ଜ୍ଵାଉଲା ଯୋଉଠୁ ଡକରା ପାଉଥିଲେ, ସେଠାକୁ ଗୋଟାଏ ବଡ଼ କାଠ ବାକ୍ସରେ କ୍ୟାମେରା ଓ ତା’ସହିତ ବୋଝେ ଷ୍ଟାଣ୍ଡ୍ ବିଡ଼ା ଧରି ମୂଲିଆ ସହ ଧାଉଁଥିଲେ ।

 

ନାଟକ ଆମର ବନ୍ଦ ରହୁଥିଲା ଦିନେ ଦୁଇଦିନ ଧରି ମଝିରେ ମଝିରେ । କାରଣ ବର୍ଷା ଆମ ସାଙ୍ଗରେ ଖେଳୁଥିଲା ଲୁଚୁକାଳି ଖେଳ । କାଠଯୋଡ଼ି ନଦୀବନ୍ଧ ଟପି ପାଣି ପଶିଯାଉଥିଲା କଟକ ଟାଉନରେ । ବର୍ତ୍ତମାନ ପରି କାଠଯୋଡ଼ି ବନ୍ଧ ଏତେ ଉଚ୍ଚ ନ ଥିଲା I ମହାନଦୀ ପଟ ଅପେକ୍ଷା କାଠଯୋଡ଼ି ପଟ ଥିଲା ବିପଦପୂର୍ଣ୍ଣ । ତେବେ ବି କଟକୀ ପିଲାଙ୍କର ଆନନ୍ଦ ଉଛୁଳି ଉଠୁଥିଲା । ମୋଟର ଟିଉବ୍ ପାଣିରେ ଭସେଇ, ସାହି ସଡ଼କରେ ପହଁରୁଥିଲେ, ବଡ଼ ବୁରୁଜ ଉପରେ ଠିଆ ହୋଇ ନଦୀ ଗର୍ଭକୁ ଚରଖି ପକେଇ ବଡ଼ ବଡ଼ କାଠଗଡ଼ ଟାଣି ଆଣୁଥିଲେ କୂଳକୁ । ହାତୀଗଡ଼ା ଘାଟରୁ ପଝାରୀ ବୋଝେଇ କରି ପ୍ରତିଦିନ ଡଙ୍ଗା ଛୁଟୁଥୁଲା ମୁକାମ ସହର । କଚେରୀ ଘାଟରୁ ମୁଣ୍ଡ ମୁହାଣ ।

 

ଧୋଇୟା ଅଞ୍ଚଳରେ ବୁକୁଫଟା ଖବର ଆସି ପହଞ୍ଚୁଥାଏ କଟକରେ । କୋଉଠି କେତେ ଲୋକ ଭାସିଗଲେ, କୋଉ ଗାଁ ପାଣି ଘେରରେ, କୋଉ ଗାଁ ନିଶ୍ଚିହ୍ନ ହୋଇଗଲାଣି; କୋଉଠାକୁ ଚୁଡ଼ା, ଗୁଡ଼ ପଠାଯାଇଛି ଡଙ୍ଗା ସାହାଯ୍ୟରେ ।

 

ଅଧେ ଖରା, ଅଧେ ଛାଇ ଭୋଗିଲାପରି ଆମ ରାସଦଳ ଦି’ ଦିନ ବର୍ଷା, ଦିନେ ଖରା ଭିତରେ ଅଭିନୟ କରିଚାଲିଥାଏ ।

 

ସାହେବଯାଦା ବଜାରରେ ଶ୍ରୀଯୁକ୍ତ ଗୋପାଳ ପ୍ରହରାଜଙ୍କ ହତାରେ ଏଥର ଯୋଉ ଅଭିନୟ କରାଗଲା, ସେଥ‌ିପାଇଁ ଯୋଉମାନେ ଆମକୁ ଅକୁଣ୍ଠ ସାହାଯ୍ୟ ସହଯୋଗ ଦେଇଥିଲେ ସେମାନଙ୍କ ଭିତରେ ଥିଲେ ଅତି କ୍ଷୁଦ୍ରରୁ ବୃହତ୍ତମ ପର୍ଯ୍ୟନ୍ତ । ଧନୀ, ମାନୀ, ଜ୍ଞାନୀ ତ ଥିଲେ, ଏମାନଙ୍କ ସହିତ ଥିଲେ ସମାଜରେ ଆମେ ଯାହାଙ୍କୁ ଅତି ନଗଣ୍ୟ ବୋଲି ମନରେ ଗଣୁ ଅର୍ଥାତ୍ ଖୁବ୍ ଛୋଟ ମଣିଷ ଭାବି ବିଚାରକୁ ଆଣୁ ନା । କଥାକଥାକେ କହୁ ସେମାନେ ତଳ ଶ୍ରେଣୀର ଲୋକ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ–ତଥାକଥିତ ସେଇ ତଳ ଶ୍ରେଣୀର ଲୋକମାନେ ହିଁ ଆମକୁ କରୁଥିଲେ ବେଶି ସାହାଯ୍ୟ । ସେମାନଙ୍କର ଭଲ ଘର ଖଣ୍ଡିଏ ନ ଥିଲା । ଦୁଇଓଳି ଦୁଇମୁଠା ପେଟପୂରା ଖାଦ୍ୟ ସେମାନଙ୍କୁ ମିଳୁଥିଲା କି ନା ସନ୍ଦେହ ।

 

ସେମାନେ ଥିଲେ ଶ୍ରମଜୀବୀ । ଶ୍ରମ ଦେବା ଥିଲା ସେମାନଙ୍କର ଧର୍ମ । କାହାର ଘୋଡ଼ାଗାଡ଼ି ଥିଲା, କାହାର ଏକ ବଳଦିଆ ଶଗଡ଼ ଥିଲା । ଦିନରେ ସେଇସବୁ ଯାନ ଚଳେଇ ନିଜର ଗୁଜୁରାଣ ମେଣ୍ଟେଇ ଦେଇ, ସନ୍ଧ୍ୟାହେଲେ ଆସିଯାଉଥିଲେ ଆମ ପାଖକୁ । କିଏ ଗେଟ୍‌ରେ ଠିଆ ହେଉଥିଲା, କିଏ ଗ୍ରୀନ୍ ରୁମରେ ସାହାଯ୍ୟ କରୁଥିଲା । ପୁଣି କେତେବେଳେ ବର୍ଷା ବତାସ ଆସିଲେ, ସମସ୍ତ ସିନ୍ ସିନେରିକୁ ଖୋଲାଖୋଲି କରି ନିରାପଦ ସ୍ଥାନକୁ ବୁହାବୋହି କରୁଥିଲେ ସମସ୍ତେ ଏକାଠି ମିଳିମିଶି ।

 

ଏଇସବୁ କାମ କରିବାକୁ ସେମାନଙ୍କୁ କେହି ଡାକୁ ଅବା ନ ଡାକୁ, ସେମାନେ ସ୍ୱେଚ୍ଛାକୃତ ଭାବେ ଆସି ଆମକୁ ସାହାଯ୍ୟ କରୁଥିଲେ । କିଛି କିଛି ପାରିଶ୍ରମିକ ଅବଶ୍ୟ ଦିଆଯାଉଥିଲା ସେମାନଙ୍କୁ । ହେଲେ ସେ ବିଶେଷ କିଛି ନୁହେଁ । ତଥାପି ସେଇ ସ୍ଵଳ୍ପ ପାରିଶ୍ରମିକ ପାଇ ମଧ୍ୟ ଖୁବ୍ ଖୁସି ହେଉଥିଲେ । ତାଙ୍କମାନଙ୍କର ପ୍ରଧାନ ସଉକ୍ ଥିଲା ସମ୍ପୂର୍ଣ୍ଣ ଅଭିନୟ ଦେଖି ତାକୁ ଉପଭୋଗ କରିବା ।

 

ଏଇସବୁ ଲୋକଗୁଡ଼ିକ ମୋର ଥିଲେ ବଡ଼ ବଡ଼ ଭକ୍ତ । ମୁଁ କାହାରି କେବେ କିଛି ଉପକାର ନ କରୁଥିଲେ ବି, ମୋତେ ଏମାନେ ସବୁବେଳେ ପ୍ରାୟ ମୁଣ୍ଡରେ ମୁଣ୍ଡେଇ ରଖୁଥିଲେ । ମୁଁ ଯେମିତି ଗତ ଜନମରେ ତାଙ୍କର ନିଜର କେହି ଥିଲି । ଅଯଥା ପ୍ରଶଂସାର ପକ୍ଷପାତି ମୁଁ ନ ଥିଲେ ସୁଦ୍ଧା, ଏଇସବୁ ଲୋକଗୁଡ଼ିକ ମୋତେ ଘେରିଯାଇ, ତାଙ୍କର ଅନେକଗୁଡ଼ାଏ ମୁହଁରେ ମୋର ବାହାଦୁରୀ ଗପୁଥିଲେ ।

 

ଫକୁ ମିଆଁ, ଯାକୁବ ମିଆଁ, ହଲିମ୍ ମିଆଁ, ବୁଦ୍ଧି ମିଆଁ, ଦୁଖୁନା–ଏମାନଙ୍କ ଭିତରୁ ଆଜି କିଏ ଅଛନ୍ତି, କିଏ ନାହାନ୍ତି ମୁଁ ଜାଣେ ନା । ଏମାନଙ୍କର ସ୍ନେହ, ଶ୍ରଦ୍ଧା ନିକଟରେ ମୁଁ କିନ୍ତୁ ଚିରଦିନ ଋଣୀ ଥ‌ିବି, କେବଳ ଏଇ ଜନ୍ମପାଇଁ ନୁହେଁ; ଜନ୍ମଜନ୍ମାନ୍ତର ପାଇଁ ।

 

ଶ୍ରୀଯୁକ୍ତ ପ୍ରହରାଜଙ୍କ ଘରେ ଆମ ରାସଦଳ ଥାଏ । ସେଦିନ ପ୍ରବଳ ବର୍ଷା ରାତି । ମୋ ପ୍ରତି କାହିଁକି କେଜାଣି କାଳି ବାବୁଙ୍କର ଟିକିଏ ଅଧିକ ଅନୁକମ୍ପା ବଢ଼ିଯାଇଥାଏ । ଗୋଟିଏ ଫିତା ଖଟରେ ମୋତେ ତାଙ୍କ ବିଛଣାରେ ଶୋଇବାକୁ ସ୍ଥାନ ଦେଇଥା’ନ୍ତି । ରାତି ଅଧ ହେବ, ନିଦ ମୋର ଭାଙ୍ଗିଗଲା । ଅନୁଭବ କଲି ବିଛଣାପତ୍ର ସବୁ ଜୁଡ଼ୁସୁଡ଼ୁ ଓଦା । ଦେହଟା ଶୀତେଇ ଉଠୁଥାଏ । ମୋ ନିଦ ଭାଙ୍ଗିବା ସାଙ୍ଗେ ସାଙ୍ଗେ କାଳି ବାବୁଙ୍କ ନିଦ ମଧ୍ୟ ଭାଙ୍ଗିଯାଇଥିଲା । ଭୟରେ ମୁଁ ଆଉ ବିଛଣାରୁ ନ ଉଠି, ଶୀତ ଲାଗୁଥିଲେ ମଧ୍ୟ ଗାଲେଇ ଶୋଇ ରହିଥାଏ । କାଳି ବାବୁ ଦୁଲ୍ଲଭଙ୍କୁ ଡାକ ପକେଇଲେ ।

 

ଦୁଲ୍ଲଭ ଦା, ଶୋଇଥିଲେ ପାଖ ଘରଟିରେ । ଡାକରେ ଉଠିପଡ଼ିଲେ ସେ । ଆଲୁଅ ଲଗା ହେଲା । ଦେଖାଗଲା, ଆମ ଶୋଇଥିବା ଖଟର ସମସ୍ତ ବିଛଣା ପାଣିରେ ଭାସୁଛି । ସେଇ ଓଦା ପାରିଶୁଆଟାରେ ସେତେବେଳଯାକେ ସେମିତି ମୁହଁକୁ ତଳକୁ କରି ଶୋଇଥାଏ ମୁଁ । ଭୀଷଣ ମୁତ ଗନ୍ଧରେ ନାକ ଫାଟି ପଡ଼ୁଥାଏ । ପିଠିରେ ମୋର ବାଜିଲା କାହାର ପାଦ ଆଘାତ । ବୋଉଲୋ ବୋଲି ଚିତ୍କାର କରି ଉଠି ଠିଆ ହେଇଗଲି ମୁଁ ।

 

ସାଙ୍ଗେ ସାଙ୍ଗେ ମୋତେ ଅଗଣା ପଟ ବାରଣ୍ଡାକୁ ବିଦାକରି, ପାରିଶୁଆ ବଦଳେଇ, ଆଲୁଅ ଲିଭେଇ ଶୋଇଲେ ସେମାନେ । କବାଟ ବନ୍ଦ ହେଲା, ଏକୁଟିଆ ମୁଁ ଅନ୍ଧାରରେ ସେଇ ବାରଣ୍ଡାରେ କାନ୍ଥକୁ ଆଉଜି ବସି କେତେ କାନ୍ଦିଲି । କେତେ କଥା ମନକୁ ଛୁଇଁଲା । ଯଦିବା ମୁଁ ବେଳେବେଳେ ବିଛଣାରେ ପରିଶ୍ରା କରିପକଉଥିଲି, ସେଦିନ କିନ୍ତୁ ମୋର ସେ ଭୁଲ ବୋଲି ମନ ମୋର କହୁ ନ ଥିଲା ।

 

ବାହାରେ ପ୍ରବଳ ମାତ୍ରାରେ ବର୍ଷା ଅଜାଡ଼ୁଥାଏ । ମୋର ପେଣ୍ଟ ଓ ଗେଞ୍ଜି ମୁତରେ ସମ୍ପୂର୍ଣ୍ଣ ଭିଜିଯାଇଥାଏ । ସେଇ ଘରେ ଅନ୍ୟ ଲୁଗାପଟା ମୋର ନିଜର ଥିଲେ ମଧ୍ୟ ଶୁଖିଲା ଲୁଗା ବଦଳେଇବାକୁ ବି ସୁବିଧା ଦିଆଗଲା ନାହିଁ । ଅନ୍ୟ ଘରେ ଆଉସବୁ ପିଲାମାନେ ଶୋଇପଡ଼ିଥିଲେ କବାଟ ବନ୍ଦକରି । ଏଣୁ କାହାକୁ ଡାକିବା ସେତେ ରାତିରେ ସମ୍ଭବ ନ ଥିଲା ମୋ ପକ୍ଷରେ । ଚୁପ୍‌ଟି କରି କାନ୍ଦି କାନ୍ଦି ବସିରହିଲି ସେଇ ନିଛାଟିଆ ବାରଣ୍ଡାରେ ।

 

ବାରଣ୍ଡାକୁ ଲାଗି ଗୋଟିଏ ବଡ଼ ନିମ୍ବ ଗଛ । ତା’ ନିକଟକୁ ଲାଗି ପକ୍କା ପାଇଖାନା । ଖୁବ୍ ଭୟ ଲାଗୁଥିଲା । ଆଗରୁ ଅନେକଙ୍କ ମୁହଁରୁ ଶୁଣିଥିଲି, ନିମ୍ବ ଓ ବେଲ ଗଛମାନଙ୍କରେ ପ୍ରେତମାନେ ଆଶ୍ରୟ ନିଅନ୍ତି ବୋଲି । ଏକଥା ମନକୁ ଆସିବା କ୍ଷଣି, ଦେହସାରା ମୋର ଲୋମ ଟାଙ୍କୁରି ଉଠିଲା । ବର୍ଷା ଓ ପବନରେ ଯୋଉ ଶୀତ ଲାଗୁଥିଲା, ସେ ଶୀତ କୁଆଡ଼େ ଉଭେଇଯାଇ ଝାଳ ବୋହିବାକୁ ଲାଗିଲା । ଆଖି ଆଗରେ ସେଇ ନିମ୍ବ ଗଛଟା ସତେ ଯେମିତି ଭଳିକିଭଳି ଅଦ୍ଭୁତ ଧରଣର ରୂପ ହେଲା । ମନରେ ଯାହା ଭାବୁଥିଲି, ସେଇ ଗଛଟା ମୋ ଆଖିକୁ ସେହିପରି ଦିଶୁଥିଲା ।

 

ଆଉ ସେ ଗଛଟାକୁ ଚାହିଁପାରିଲି ନାହିଁ । ଆଖି ଦୁଇଟା ବନ୍ଦ କରିଦେଲି । ସେଇ କାନ୍ଥକୁ ଆଉଜି ବସୁ ବସୁ ନିଦରେ ଆଖିପତା ଲାଗିଯାଇଥିଲା, ହଠାତ୍ ଚମକି ପଡ଼ିଲି, କିଏ ? ଦେଖିଲି ୟାକୁବ୍‌ ମିଆଁ ମୋ ପାଖରେ ଠିଆ ହେଇଛି, ହାତରେ ତା’ର ଧରିଛି ଗୋଟିଏ ଧଳା ରଙ୍ଗର ପ୍ଲେଟରେ କ'ଣ ଜିନିଷ ।

 

ୟାକୁବ୍‌ ମିଆଁ ଜଣେ ସାଧାରଣ ଗାଡ଼ିଆଳ । ଜାତି ତା’ର ମୁସଲମାନ । ଖଣ୍ଡିଏ ଏକ ବଳଦିଆ ଶଗଡ଼ ତା’ର ସମ୍ବଳ । ଅତି ଗରିବ ସେ । ପରିବାରର ଭରଣପୋଷଣ ପାଇଁ ଗାଡ଼ି ଚଳାଏ । କିନ୍ତୁ ଶ୍ରୀଯୁକ୍ତ ଗୋପାଳ ପ୍ରହରାଜଙ୍କ ଘରେ, ବେଳ ଦେଖି ବୋଲହାକ କରେ ମଧ୍ୟ । ଅନେକ ସମୟରେ, ଭାଷାକୋଷର କାମ ଚାଲିଥିବା ଯୋଗୁଁ, ୟାକୁବ୍‌ ମିଆଁର ଗାଡ଼ିଟା ମଧ୍ୟ ଅତି ଦର୍କାରରେ ଆସେ । ବେଳେବେଳେ ଶ୍ରୀମତୀ ପିତାମ୍ବରୀ ଦେବୀଙ୍କ ଅନୁଗ୍ରହରୁ, ୟାକୁବ୍‌ ମିଆଁ ରାତିଟାର ଖାଦ୍ୟ ପାଇ ସେଇ ବାବୁଙ୍କ ଘରେ କଟେଇଦିଏ । ୟାକୁବ ଅତ୍ୟନ୍ତ ପ୍ରଭୁଭକ୍ତ ଥିବାରୁ ତାକୁ ସମସ୍ତେ ସୁଖ ପାଉଥିଲେ । ଯାହା ଯେତେବେଳେ ଭଲ ମନ୍ଦ କଲେ, ୟାକୁବ୍‌ ଲାଗି ଗୋଟିଏ ଅଲଗା ଭାଗ ରହୁଥିଲା । ପିତାମ୍ବରୀ ଦେବୀ ନିଜ ହାତରେ ସେଇ ଭାଗକୁ ୟାକୁବ୍‌କୁ ଦେଇ ଶାନ୍ତି ପାଉଥିଲେ । ୟାକୁବ୍‌ ବୟସରେ ସମସ୍ତଙ୍କଠାରୁ ବଡ଼ ଥିଲା । ପ୍ରାୟ ଷାଠିଏ, ପଁଶଠି ବର୍ଷ ବୟସ ହେବ । ମୁଣ୍ଡର ବାଳ ପାଚିଯାଇଥିଲେ ସୁଦ୍ଧା, ବଡ଼ ବଡ଼ ନିଶ ହଳକ ଥିଲା କଞ୍ଚା ।

 

ୟାକୁବ୍‌ ମୋର ବାପାଙ୍କ ବୟସର ଥିଲା । ବିପଦବେଳେ ତାକୁ ସେଇ ଅନ୍ଧାର ଭିତରେ ଆଖି ଆଗରେ ଦେଖି ଧୈର୍ଯ୍ୟ ହରେଇ ପକେଇଲି । ଲୁହ ଆଉ ବାଧା ମାନିଲା ନାହିଁ । କଇଁ କଇଁ ହେଇ କାନ୍ଦିବାକୁ ଲାଗିଲି ।

 

ମୋର ଅବସ୍ଥାକୁ ସେତେବେଳେ ସମ୍ଭବ ୟାକୁବ୍‌ ଅନ୍ତରାଳରେ ରହି କୋଉଠି ଲକ୍ଷ୍ୟ କରୁଥିଲା । ଧୀର ଭାବରେ ସେ କୌଣସି କଥା ନ କହି ମୋ ପାଖରେ ବସିଲା ଏବଂ ପ୍ଲେଟ୍‌ରେ ଧରିଥିବା କ୍ଷୀରୀ ଟିକିଏ ମୋ ହାତରେ ଦେଲା ଖାଇବାକୁ । ତାକୁ ଏ କ୍ଷୀରୀ ସମ୍ଭବ ଶ୍ରୀମତୀ ପିତାମ୍ବରୀ ଦେବୀ ଦେଇଥିଲେ ଖାଇବାକୁ, ବୁଢ଼ା ତାକୁ ନ ଖାଇ ରଖିଥିଲା ମୋ ପାଇଁ । ତା’ର ମୋ ପ୍ରତି ଏଭଳି ସ୍ନେହ, ଶ୍ରଦ୍ଧା ପ୍ରଥମ ଥର ପାଇଁ ନ ଥିଲା । ଏଥି ପୂର୍ବରୁ ବହୁବାର ୟାକୁବ୍ ମିଆଁ ମୋର ଦର୍କାରବେଳେ ମୁଢ଼ି ଗଣ୍ଡାଏ, ବୁଟ ଭଜା ଗଣ୍ଡାଏ, ବରାଟାଏ, ଗୁଲ୍‌ଗୁଲା ଦୁଇଟା ଆଣି ଖୁଆଇଦେଇଛି । ସେଦିନ ରାତିରେ କେବଳ ସେ କ୍ଷୀରୀ ଟୋପାଏ ନୁହେଁ, ମୋର ଓଦା ପେଣ୍ଟ, ଗେଞ୍ଜିକୁ ବଦଳେଇ, ତା’ର ଗାମୁଛା ଖଣ୍ଡିକ ଦେଇଥିଲା ପିନ୍ଧିବାକୁ ଏବଂ ସେଇ ବର୍ଷା ବତାସ ସମୟରେ ମୋତେ ତା’ ନିକଟରେ ଆଶ୍ରୟ ଦେଇ, ମୋର ଟିକି ମନରେ ଧାରଣା ଦେଇଥିଲା ଯେ ଏ ଦୁନିଆକୁ ଦୀନ ଦୁନିଆର ମାଲିକ ଚଳଉଛନ୍ତି, ଏଠାରେ କେହି ସାହାଶୂନ୍ୟ ହେଇ ନ ପାରେ । ମଣିଷର ବିଚାର ଅତି ତୁଚ୍ଛ, ସେ ଯାହାକୁ ଘୃଣ୍ୟ ମନେକରି ହତାଦର କରି ବସେ, ତାକୁ ଯେ ଦୁଇଟି କଲ୍ୟାଣମଖା ଅଦୃଶ୍ୟ ହାତ ସମସ୍ତଙ୍କ ଅଜାଣତରେ ତା’ ନିକଟକୁ ଟାଣି ନଉଛି ଏବଂ ତା’ ମନରେ ଭରି ଦଉଛି ଜଗତରେ ବଞ୍ଚିବାପାଇଁ ଅସୀମ ସାହସ ଓ ବଳ, ତାହା ମରଣ ପରି ସତ୍ୟ ।

 

କଟକରେ ସେତେବେଳେ ପର୍ବପର୍ବାଣୀ ସବୁ ଖୁବ୍‌ ଜାକଜମକରେ ପାଳିତ ହେଉଥିଲା । ଦୀବାଲି, ଝୁଲଣ, ଦଶହରା ପର୍ବ କୋଉ ଗୋଟିକ ଊଣା ହଉ ନ ଥିଲା । ଦଶହରାରେ ମାଟି ଓ ଜରି କାମ, ଦୀଆଲିରେ ବାଣ କାମ, ଝୁଲଣରେ ମାଟି ପିତୁଳା କାମ ପାଇଁ କଟକ ଥିଲା ଖୁବ୍ ପ୍ରସିଦ୍ଧ । ବାଙ୍କା ବଜାରରେ ଜରିମେଢ଼ କାରିଗର ବେଶି ଥିଲେ ଓ କାଠଗଡ଼ା ସାହିରେ ମାଟିମୂର୍ତ୍ତିର କାରିଗର ବେଶି ଥିଲେ । ବାଣ କାମ ଲାଗି ପୁରୀ ଜିଲ୍ଲା ଥିଲା ଓଡ଼ିଶାରେ ସର୍ବଶ୍ରେଷ୍ଠ । ପଥର ଖୋଳେଇ ପ୍ରତିମା ତିଆରି ଲାଗି ପୁରୀ ଜିଲ୍ଲା ସହିତ କଟକ ସହରର ମୃର୍ତ୍ତିକା ନିର୍ମାଣ ଶିଳ୍ପୀ ପ୍ରତିଯୋଗିତା କରିପାରୁଥିଲେ ।

 

ପୁରୀ ସହର ପରି କଟକ ସହର ମଧ୍ୟ କୁସ୍ତି ପ୍ରତିଯୋଗିତା ଲାଗି ଥିଲା ଉପଯୁକ୍ତ କ୍ଷେତ୍ର-। ଅବଶ୍ୟ ପହେଲମାନ ସଂଖ୍ୟା ଦୃଷ୍ଟିରୁ ପୁରୀ ଓଡ଼ିଶାକୁ ନେତୃତ୍ୱ ଦଉଥିଲା । ସର୍ବଭାରତୀୟ କୁସ୍ତି ପ୍ରତିଯୋଗିତାରେ ପୁରୀର ପହେଲ୍‌ମାନ ବେଶି ଭାଗ ନେଉଥିଲେ । କଟକର ଭଜିର ମିଆଁ, ଶ୍ରୀ ବନମାଳି ଦଳେଇ, ପୁରୀର ଶ୍ରୀ ଭୀମ ପଣ୍ଡା, ଉତ୍କଳ ଭୀମ ଶ୍ରୀ ପଦ୍ମଚରଣଙ୍କ ନାମ ଉଲ୍ଲେଖଯୋଗ୍ୟ-। ଓଡ଼ିଶା ବାହାରୁ ବଡ଼ ବଡ଼ ପହେଲମାନ୍‌ମାନେ ସେ ସମୟରେ ପୁରୀ ଓ କଟକକୁ ଆସି ସେମାନଙ୍କ ବ୍ୟାୟାମର ପରାକାଷ୍ଠା ଦେଖେଇ, ଆମର କୁସ୍ତିପ୍ରେମୀ ଜନସାଧାରଣଙ୍କୁ ଖୁବ୍‌ ଚମତ୍କୃତ କରୁଥିଲେ ମଧ୍ୟ ।

 

ବର୍ଷାଋତୁ ବିଦାୟ ନେଉଥାଏ, ଆମେମାନେ ମଧ୍ୟ ଶ୍ରୀ ପ୍ରହରାଜଙ୍କ ହତାରୁ ଛାଉଣୀ ଉଠେଇବାକୁ ଚେଷ୍ଟା କଲୁ । ଆଗୁଆ ଦଳ ଚାଲିଲେ ସାକ୍ଷୀଗୋପାଳ । ଲକ୍ଷ୍ୟ ସ୍ଥିର ହେଲା, ସାକ୍ଷୀଗୋପାଳରେ କିଛିଦିନ କଟେଇ, ଗଞ୍ଜାମ ଅଞ୍ଚଳକୁ ଯାତ୍ରା କରିବା ।

 

ଗୋଟିଏ ଶୁଭଦିନ ଦେଖି ଅନୁକୂଳ ଆରମ୍ଭ କଲୁ କଟକରୁ । ବାଟରେ ଭୁବନେଶ୍ୱର, ଜଟଣୀ ଦୁଇଟି ସ୍ଥାନରେ କିଛି କିଛି ଦିନ ଅଭିନୟ କରି ସାକ୍ଷୀଗୋପାଳରେ ପହଞ୍ଚିଲୁ । ଏଥର ରହିଲୁ ଧର୍ମଶାଳାରେ । ଷ୍ଟେଜ୍ ହେଲା ସେଇ ପୁରୁଣା ସ୍ଥାନ ଗୋପୀନାଥଙ୍କ ଦୋଳବେଦୀ ନିକଟରେ-

 

ପଇସା ଭଲ ମିଳୁଥାଏ । କିଛିଦିନ ଅଭିନୟ ଚାଲିଲା ପରେ, କାଳି ବାବୁଙ୍କର କେତେକ ବନ୍ଧୁ ପରାମର୍ଶ ଦେଲେ ଗବକୁଣ୍ଡ ଯିବାପାଇଁ । ଖୁବ୍‌ ବଡ଼ ହାଟ ସେଠାରେ ବସେ । କଦଳୀ, ପାନ, ନଡ଼ିଆ ପାଇଁ ଗବକୁଣ୍ଡ ହାଟ ନାଁ ଡାକ୍‌ । ଅଧିକାଂଶ ଲୋକ କୃଷିଜୀବୀ ଏବଂ ସମସ୍ତଙ୍କ ହାତରେ ମୁଠା ମୁଠା କଞ୍ଚା ପଇସା ଜୁଟେ ।

 

ଲୋଭ ସମ୍ଭାଳି ନ ପାରି, ସାକ୍ଷୀଗୋପାଳରେ ଷ୍ଟେଜ୍‌କୁ ଭାଙ୍ଗି ନ ଦେଇ ଟେମ୍ପୁଲ ମ୍ୟାନଜରଙ୍କ ସହିତ କଥାବାର୍ତ୍ତା କରି ବାହାରିଲୁ ଗବକୁଣ୍ଡ । ଆମ ପୂର୍ବରୁ ଆଗୁଆ ଦଳ ଯାଇଥିଲେ-। ରହିବା ସ୍ଥାନ ଓ ପେଣ୍ଡାଲ ଲାଗି ସ୍ଥାନ ବାଛିବା ଆଶାରେ ।

 

ମୁଣ୍ଡ ଫଟା ଖରା ସେଦିନ । ଆମେମାନେ ଦଳବଳ ସହ ଗବକୁଣ୍ଡରେ ପହଞ୍ଚିଲାବେଳକୁ ଦିନ ବାରଟା, ହାଟ ପାଳି ସେଦିନ । ଗୋଟିଏ ଗୋଟିଏ ଉଠା ଦୋକାନ ବସିବାକୁ ଆରମ୍ଭ ହୋଇଥାଏ । ଠିକ୍ ହାଟକୁ ଲାଗି ଆମର ରୋଷଘର ନିଆଯାଇଥାଏ ଏବଂ ସମସ୍ତେ ରହିବା ଲାଗି ଛୋଟ ସ୍କୁଲ ଘରଟିଏ, ହାଟଠାରୁ ପ୍ରାୟ ଶହେ ଗଜ ଦୂରରେ । ଆଗରୁ ଯୋଉ ଲୋକ ସେଠାକୁ ଯାଇଥିଲେ, ସେମାନେ ଆମ ପାଇଁ ସଂକ୍ଷେପରେ ଭାତ ଓ ଡାଲମା ସେଠାକାର ସ୍ଥାନୀୟ ଦୁଇଜଣ ଭାଇନାଙ୍କ ଜରିଆରେ ରାନ୍ଧିଦେଇଥିଲେ ।

 

ଆମର ଥିଲା ଶଗଡ଼ ଯାତ୍ରା । ଏଣୁ ଧକଚକରେ ଦେହ ତମାମ ଦରଜ ହେଇ ଯାଇଥିଲା-। ଭୋକରେ ପେଟ ହଉଥିଲା କଅଁ କଅଁ । ଗାଡ଼ିରୁ ଓହ୍ଲେଇ ପଡ଼ି ତେଲ ଟିକିଏ ଟିକିଏ ଦେହରେ ମାରି, ବାହାରି ପଡ଼ିଲୁ ଗାଧୋଇ । କେମିତି ଚଞ୍ଚଳ ଗାଧୋଇ ପଡ଼ି ଚଞ୍ଚଳ ଫେରିବୁ, ଏଥିପାଇଁ ଆମ ପିଲାମାନଙ୍କ ଭିତରେ ବାଟରେ ଗୋଟିଏ ଛୋଟକାଟିଆ ପ୍ରତିଯୋଗିତା ଆରମ୍ଭ ହୋଇଗଲା-। ଏଭଳି ପ୍ରତିଯୋଗିତା ଯେ ଅଧିକ ଲୋକ ଗହଳି ଅନୁଷ୍ଠାନମାନଙ୍କରେ ସର୍ବତ୍ର ଦେଖାଯାଏ, ସେକଥା ଆମେମାନେ ଭଲ କରି ଜାଣିଥିଲୁ । ଆଉ ମଧ୍ୟ ଏଇ ପ୍ରତିଯୋଗିତା ବିଷୟରେ ଗୋଟିଏ ସୁନ୍ଦର ପ୍ରବଚନ ଯେ ବହୁ ପୁରୁଣା କାଳରୁ ଲୋକ ମୁଖରେ ଶୁଣିବାକୁ ମିଳେ, ସେଇ ପ୍ରବଚନ କଥାଟି ମଧ୍ୟ ଆମେ ଘୋଷିକରି ମୁଖସ୍ଥ କରି ପକେଇଥିଲୁ ।

 

“ତେଲ ଲଗେଇବ ଖାବ୍ ଡାକୁଆ

ଖାଇ ବସିଥିବା ଆଗା ।

ଚିତ୍ ହୋଇ ଶୋଇ ପଡ଼ିଥିବ

ମାଡ଼ି ବସିଥିବ ଜାଗା ।”

 

ଲୋକ ଗହଳିରେ କାମ କରିବାକୁ ହେଲେ, ଉକ୍ତ ପ୍ରବଚନଟି ମନେପକେଇ ସେଇ ନୀତି ଅନୁଯାୟୀ କର୍ତ୍ତବ୍ୟ କଲେ ଅନେକଟା ଅଭାବ ଅସୁବିଧାରୁ ତ୍ରାହି ମିଳେ ।

 

ଯାହାହେଉ ଆମେମାନେ ଖୁବ୍ ଶୀଘ୍ର ନିଜ ନିଜର ସ୍ନାହାନ କର୍ମ ଶେଷ କରି ଆସି, ରୋଷଘରେ ପତର ପକେଇ ଖାଦ୍ୟ ପର୍ବ ଆରମ୍ଭ କଲୁ I କହିଛି ତ ହାଟକୁ ଲାଗି ରୋଷ ଘରଟି ଥିଲା । । ହାଟୁଆମାନଙ୍କର ପାଟିତୁଣ୍ଡରେ କାନ ଆମର ଝାଇଁ ଝାଇଁ ମାରୁଥିଲା । ରୋଷ ଘରଟିର କବାଟ ମେଲେଇଲେ ଆମମାନଙ୍କର ଭୋଜନ କର୍ମ ଚଳେଇବା ସମ୍ଭବପର ନ ଥିଲା, ଏଣୁ କବାଟକୁ ଦରଆଉଜା କରି ଭାତ ଓ ଡାଲମାକୁ ଗିଳିବାରେ ଲାଗିଲୁ ।

 

ଗବକୁଣ୍ଡ ହାଟ ଯୋଉଠି ବସୁଥିଲା, ସେଠାରେ ଅନେକଗୁଡ଼ିଏ ନଡ଼ିଆ ଗଛ । ଆମେମାନେ ଖାଇବା ଆରମ୍ଭ କଲାବେଳକୁ, ହାଟଟି ବେଶ୍ ଜମିଯାଇଥାଏ । ଭାତ ଖାଉ ଖାଉ ହଠାତ୍ ଅନୁଭବ କଲୁ, ପ୍ରତ୍ୟେକ ଯେମିତି ନିଶା ଖାଇଲାପରି ଝୁଲିବାକୁ ଆରମ୍ଭ କରିଛୁ । ପ୍ରତ୍ୟେକ ପ୍ରତ୍ୟେକକୁ ଚାହୁଁଛୁ ଅଥଚ କିଛି ବୁଝିପାରୁ ନାହୁଁ । ପ୍ରାୟ କେତେକ ସେକେଣ୍ଡ ସେହିପରି ସମସ୍ତେ ଝୁଲିଲା ପରେ ମନରେ ସନ୍ଦେହ ଆସିଲା–ହୁଏତ ନୂଆ ପୂଜାରୀ ଖାଦ୍ୟରେ କିଛି ଅଖାଦ୍ୟ ମିଶେଇ ଦେଇଛନ୍ତି । ଯାହା ଫଳରେ ସମସ୍ତ ଖାଦ୍ୟ ବିଷାକ୍ତ ହୋଇଯାଇ ଏପରି ପ୍ରତିକ୍ରିୟା ସୃଷ୍ଟି କରୁଛି । ଏତିକିବେଳେ ବାହାରୁ କୋଳାହଳ ସହିତ ଶୁଣିବାକୁ ପାଇଲୁ ହରିବୋଲ ଓ ହୁଳହୁଳି ଧ୍ଵନି ।

 

ଜଣେ କିଏ ଆମ ଭିତରୁ ଘରର କବାଟଟା ସମ୍ପୂର୍ଣ୍ଣ ମେଲେଇଦେଲା । ଦେଖାଗଲା ହାଟସାରା ଲୋକ ଠିଆ ହେଇପଡ଼ି କେତେକ ହରିବୋଲ ପକଉଛନ୍ତି ଓ ଆଉ କେତେକ ଏଣେତେଣେ ଧାଁ ଧପଡ଼ କରି ପାଟିତୁଣ୍ଡ କରୁଛନ୍ତି । ଡେଙ୍ଗା ଡେଙ୍ଗା ନଡ଼ିଆ ଗଛଗୁଡ଼ାକ ଥରି ଥରି ପରସ୍ପର ସହିତ ଧକ୍କା ଖାଉଛନ୍ତି । ଶୁଣିବାକୁ ପାଇଲୁ ଭୂମିକମ୍ପ । ସାଙ୍ଗେ ସାଙ୍ଗେ କିଏ ଆମମାନଙ୍କୁ ଘରୁ ବାହାରକୁ ଘଉଡ଼େଇ ଦେଲା । ଅଇଣ୍ଠା ହାତରେ ଆମେ ହାଟସାରା ଏଣେତେଣେ ବୁଲି ହାଟୁଆମାନଙ୍କର ଅବସ୍ଥା ଦେଖି ବିକଳ ହୋଇପଡ଼ିଲୁ । ସମସ୍ତଙ୍କ ଆଖିରେ ଲୁହ । ମନରେ ଧାରଣା ଆସୁଥିଲା–ସବୁ ଯେମିତି ଦଣ୍ଡକରେ ଶେଷ ହେଇଯିବ ।

 

ଈଶ୍ଵରଙ୍କ ଦୟାରୁ କେତେକ ସେକେଣ୍ଡ ପରେ ଭୂମିକମ୍ପ ବନ୍ଦ ହୋଇଯାଇଥିଲା ଏବଂ ପୂର୍ବାବସ୍ଥା ଫେରିଆସିଥିଲା । ଲୋକମାନେ ନିଜ ନିଜର ସ୍ଥିତାବସ୍ଥାକୁ ପୁଣି ଚାଲି ଆସିଥିଲେ । ଅନେକଗୁଡ଼ିଏ ଶୁଖିଲା ନଡ଼ିଆ ଖସି ପଡ଼ିଥିଲା । ମାତ୍ର କାହାରି ଉପରେ ପଡ଼ି କୌଣସି ଦୁର୍ଘଟଣା ସୃଷ୍ଟି କରି ନ ଥିଲା । ଆମେମାନେ ପୁନରାୟ ଆପଣା ଆପଣା ଖାଦ୍ୟ ପାଖକୁ ଲେଉଟି ଆସି, ବାକିଥିବା ଖାଦ୍ୟକୁ ଶେଷ କରିଥିଲୁ ।

 

ଗବକୁଣ୍ଡରେ ପ୍ରଥମ ଶୀତ ଅନୁଭବ କଲୁ । ନାଟକ ଆରମ୍ଭ ହେଲା । ପେଷାଦାର ନାଟ୍ୟାନୁଷ୍ଠାନ ଲାଗି ସେ ସ୍ଥାନଟି ଥିଲା ଖୁବ୍‌ ଉପଯୋଗୀ । ବହୁ ପରିମାଣରେ ଗାଁଉଲି ଦର୍ଶକ ଆସୁଥିଲେ ରାସ ଦେଖିବାକୁ ।

 

ପ୍ରତ୍ୟେକ ଦିନ ରାତି ପାହିଲେ, ଲଗଉଥିଲୁ ଧୁନି । ବସାଘର ଚାରିପଟେ ଅନେକଗୁଡ଼ିଏ ପୋଲାଙ୍ଗ ଗଛ । ଆମେ ପିଲାମାନେ ଦଳ ଦଳ ହୋଇ, ପୋଲାଙ୍ଗ ତୋୟାରୁ ଶୁଖିଲା କାଠି, ଡାଙ୍ଗ ସଂଗ୍ରହ କରି, ଗୋଟିଏ ଗୋଟିଏ ଗଦା କରି ସେଥିରେ ନିଆଁ ଧରେଇ ତା’ର ଚାରିପାଖରେ ବସିପଡ଼ି, ଦେହକୁ ଉତ୍ତାପ ଯୋଗଉଥିଲୁ । ଖୁସି ଲାଗୁଥିଲା ଏବଂ ବେଳେବେଳେ ସେଇ ଆନନ୍ଦ ଭିତରେ ପ୍ରମାଦ ମଧ୍ୟ ମୁଣ୍ଡ ଟେକୁଥିଲା । ସେଇ ନିଆଁ ଗଦା ଭିତରେ, ଗୋଟାଏ ଗୋଟାଏ ଶୁଖିଲା ପୋଲାଙ୍ଗ ଫୁଟି ଉଠି, ଅଗ୍ନିକଣା ଛାଟୁଥିଲା ଆମର ପ୍ରତ୍ୟେକଙ୍କ ଶରୀର ଉପରକୁ । ଫଳରେ ଦେହ ଓ ମୁହଁରେ ଦେଖା ଦଉଥିଲା ବଡ଼ ବଡ଼ ଫୋଟକା ଓ ଲୁଗାପଟାରେ ଦଉଥିଲା ପୋଡ଼ା ଦାଗ ।

 

ତଥାପି ସେଥିକି ଯେ ଆମର ଭୟ ରହୁଥିଲା–ତା’ ନୁହେଁ, ବରଂ ଅଧିକ ଉତ୍ସାହ ସହକାରେ ଆନନ୍ଦକୁ ଦୁଇ ଗୁଣ କରିବାପାଇଁ ପ୍ରତ୍ୟେକେ ଲୁଚେଇ ଛପେଇ ମଜା କରିବାକୁ ଗୋଟିଏ ଗୋଟିଏ ପୋଲାଙ୍ଗ ଗୋଟେଇ ଆଣି ସେଇ ନିଆଁ ଗଦାରେ ପୋତି ଦଉଥିଲୁ ଓ ବେଳଉଣ୍ଡି ଖସି ପଳେଇ ଯାଉଥିଲୁ ଦୂରକୁ ଦୂରକୁ । ସମୟେ ସମୟେ ଏଥ‌ିପାଇଁ ଲାଗୁଥିଲା ପରସ୍ପର ଭିତରେ ତୁମୁଳ ହଟ୍ଟଗୋଳ, କଳିକଜିଆ । ପୁଣି, ଅଭିଯୋଗ ବାଢ଼ୁଥିଲୁ ମାଲିକଙ୍କ ନିକଟରେ, ଆପଣାକୁ ସଫେଇ ଦେଇ ।

 

କିଛିଦିନ ପାଇଁ ଗବକୁଣ୍ଡ ସ୍ଥାନଟି ଆମକୁ ପଇସା ଦେଲା ଯେତିକି, ଆନନ୍ଦ ଦେଲା ମଧ୍ୟ ସେତିକି । ତା’ର ପରିବେଶ ଥୁଲା ପବିତ୍ର, ସ୍ଵର୍ଗୀୟ । ଜଳବାୟୁ ଥିଲା ନିର୍ମଳ, ସ୍ଵାସ୍ଥ୍ୟକର । ଯାହା ଆଧୁନିକ ସହର ବଜାରଠାରୁ ଖୁବ୍ ଉଚ୍ଚରେ । ଆମମାନଙ୍କର ଅଭିନୟର ମାନ ନିର୍ଣ୍ଣୟ କରିବାର ଦର୍ଶକ ସେଠାରେ ନ ଥିଲେ ସତ; ମାତ୍ର ଯୋଉ ଦର୍ଶକମାନଙ୍କୁ ଆମେ ସେଠାରେ ଭେଟିଥିଲୁ, ସେମାନେ ଥିଲେ ପ୍ରତ୍ୟେକ ଗୋଟିଏ ଗୋଟିଏ ସହଜ ସରଳ ବାସ୍ତବ ଜୀବନର ପ୍ରତିମୂର୍ତ୍ତି, ତାଙ୍କଠାରେ ନ ଥିଲା ଆବିଳତା ।

 

ସେମାନେ ଅଭିନୟକୁ ଅଭିନୟ ବୋଲି ମଣୁ ନ ଥିଲେ, ମଣୁ ଥିଲେ ନିଜ ଜୀବନର ବହୁ ଅନୁଭୂତିବୋଳା କେତେଗୁଡ଼ିଏ ଘଟଣାବଳୀ ଯେମିତି । ଅଭିନୟକୁ ତଉଲିବାର କ୍ଷମତା ସେମାନଙ୍କର ଥିଲା କି ନ ଥିଲା କହିବା କଷ୍ଟକର ଯଦିଓ, ତଥାପି ଆମେ ଦେଖୁଥିଲୁ ସେମାନେ ମାଡ଼ିମକଚି ପଶିଆସୁଥିଲେ ଦେଖିବାକୁ–ଯେ ଯୋଉଠି ବସିଯାଇ ଗୋଟିଏ ପରେ ଗୋଟିଏ ନାଟକ ଉପଭୋଗ କରୁଥିଲେ । ହସି ହସି ଗଡ଼ି ଯାଉଥିଲେ ଏବଂ ବେଳେବେଳେ ଦୁଃଖରେ ଭାଙ୍ଗିପଡ଼ି ଆଖିରୁ ଲୁହ ଢାଳୁଥିଲେ ମଧ୍ୟ ।

 

ଗବକୁଣ୍ଡରୁ ବିଦାୟ ନେଇ ଫେରିଲୁ ପୁଣି ବକୁଳ, ଛୁରିଅନା କୁଞ୍ଜ ସାକ୍ଷୀଗୋପାଳକୁ । ବାକି ଥ‌ିବା, ନାଟକଗୁଡ଼ିକ ଆରମ୍ଭ ହେଲା ସେଠାରେ ।

 

ଏଥର ସାକ୍ଷୀଗୋପାଳରେ ଆଉ ଗୋଟିଏ ପ୍ରାକୃତିକ ସ୍ଥାନ, କେତେକୀ ଝର ଦେଖିବାର ସୁଯୋଗ ମିଳିଲା । ଏଇ ଝରଟି ଗହୀର ବିଲରେ ଅବସ୍ଥିତ । ଚାରିପାଖରେ ଘଞ୍ଚ କିଆ ଓ କେତକୀ ବଣ ଓ ତା’ରି ଭିତରେ ସୁନ୍ଦର ଏଇ ନିର୍ଝର କାହିଁ ଅନାଦି କାଳରୁ ବିଦ୍ୟମାନ । ଶୀତଳ ଓ ନିର୍ମଳ ଜଳ । ଗାଧୋଇ ପଡ଼ିଲେ ଖୁବ୍ ଶାନ୍ତି ଲାଗେ । ଗ୍ରୀଷ୍ମଋତୁ ଲାଗି ସ୍ଥାନଟି ଅତ୍ୟନ୍ତ ଉପଯୋଗୀ ।

 

ଏଇସବୁ ପ୍ରାକୃତିକ ପରିବେଶକୁ ଲକ୍ଷ୍ୟ କରି ସମ୍ଭବତଃ ପୁଣ୍ୟାତ୍ମା ଗୋପବନ୍ଧୁ, ଦୀନବନ୍ଧୁ ଏଠାରେ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସତ୍ୟବାଦୀ ଗୋପୀନାଥ ସିନା, ବିପ୍ର ସତ୍ୟ ରକ୍ଷାଲାଗି ବୃନ୍ଦାବନ ଧାମ ତ୍ୟାଗ କରି ଉତ୍କଳର ଏହି ପବିତ୍ର ମାଟିକୁ ନିଜର ଲୀଳା କ୍ଷେତ୍ର ରୂପେ ବାଛିଥିଲେ, କିନ୍ତୁ ଦୀନବନ୍ଧୁ ଲକ୍ଷ ଓଡ଼ିଆଙ୍କ ଗଣ୍ଠିଧନ; ଗୋପବନ୍ଧୁ ଯେ ସେଇ ଗୋପୀନାଥଙ୍କୁ ସାକ୍ଷୀକରି, ତାଙ୍କର ପଛରେ, ତାଙ୍କୁ ଆଗରେ ରଖି ସେଇ ବକୁଳ ବନ ବିଦ୍ୟାଳୟର ଭିତ୍ତି ପକେଇଥିଲେ । ଏକଥା ହୁଏତ ତାଙ୍କ ଛଡ଼ା ଆଉ କେହି ଜାଣିଥ‌ିବେ କି ନାଁ ସନ୍ଦେହ ।

 

ସାକ୍ଷୀଗୋପାଳକୁ ପ୍ରଥମଥର ଅଭିନୟ ପାଇଁ ଆମ ରାସ ଦଳ ଆସିଥିଲାବେଳେ, ଉତ୍କଳମଣିଙ୍କୁ ମୁଁ ଭଲଭାବେ ଦେଖିଛି ଓ ସେ ସମୟର ପୁଣ୍ୟଜନ ପଞ୍ଚସଖାମାନଙ୍କର ଶୁଭାଶୀର୍ବାଦ ଗ୍ରହଣ କରିଛି ।

 

ସାକ୍ଷୀଗୋପାଳରୁ ବିଦାୟ ନେଇ ଗଞ୍ଜାମ ପରିକ୍ରମାରେ ବାହାରିଲୁ । କ୍ୟାମ୍ପ ଆମର ବାଲୁଗାଁରେ କିଛିଦିନ ପକେଇ, ବାଣପୁର ଗଲୁ । ଆମ ଆଗରୁ ଅନ୍ନପୂର୍ଣ୍ଣା ଥିଏଟର ଦଳ ସେଠାରେ ଅଭିନୟ କରୁଥାନ୍ତି । ପିଳେ ଗ୍ରାମର ନାଟ୍ୟଦଳ ଭାଙ୍ଗିଯିବା ପରେ ଦ୍ୱିତୀୟଥର ଅଭିନେତ୍ରୀମାନଙ୍କୁ ନେଇ ଅଭିନୟ କରି ଅନ୍ନପୂର୍ଣ୍ଣା ନାଟ୍ୟଦଳ ଦର୍ଶକମାନଙ୍କ ଆଖିରେ ହଟଚମଟ ଲଗେଇଥାନ୍ତି । କାରଣ ଯଦିଓ ସେ ସମୟରେ ଅଭିନେତ୍ରୀମାନଙ୍କୁ ପିଳେ ଦଳ ପ୍ରଥମ କରି ଅଭିନୟ କରିବାର ସୁବିଧା ଦେଇଥିଲା, ଏହା କିନ୍ତୁ ପ୍ରଚାର ଅଭାବରୁ ଓଡ଼ିଶାର ଜନସାଧାରଣ ଭଲଭାବେ ଅବଗତ ନଥିଲେ । ଅନୁଷ୍ଠାନଟି ଅଳ୍ପ ଦିନରେ ଭାଙ୍ଗି ଯାଇଥିଲା ମଧ୍ୟ । ଏଣୁ ଅନ୍ନପୂର୍ଣ୍ଣା ଥିଏଟରରେ ଝିଅପିଲାଙ୍କର ଅଭିନୟ ଦେଖିବାକୁ ଭଲ ମନ୍ଦ ନ ବିଚାରି ଧସେଇ ପଶୁଥିଲେ ।

 

ଅନ୍ନପୂର୍ଣ୍ଣା ଥିଏଟର କିନ୍ତୁ ତାର ଆରମ୍ଭ ଅବସ୍ଥାରେ ଅଭିନେତ୍ରୀମାନଙ୍କୁ ମଞ୍ଚରେ ଅଭିନୟ କରିବାର ବ୍ୟବସ୍ଥା କରିନଥିଲା । ପୁଅ ପିଲାମାନେ, ନାରୀ ଚରିତ୍ରରେ ମଞ୍ଚରେ ଦେଖା ଦଉଥିଲେ । ନାରୀ ଭୂମିକାରେ ଯେତେ ପୁଅ ସବୁ ଅଭିନୟ କରୁଥିଲେ ସେମାନଙ୍କ ଭିତରେ ଶ୍ରୀ ଆଦିନାରାୟଣ ପାତ୍ର ଥିଲେ ଉଚ୍ଚକୋଟୀର ଅଭିନେତା । ସେହିପରି ପୁରୁଷ ଭୂମିକାରେ–ଶ୍ରୀ ରାମଚନ୍ଦ୍ର ମାଣିଆ, ଶ୍ରୀ ବଲାଇ ଚାନ୍ଦ ବାନାର୍ଜି, ଶ୍ରୀ କାଶିନାଥ ସାହୁ, ଶ୍ରୀ ଗଣେଶ ଚନ୍ଦ୍ର ରଥ, ଶ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର, ଶ୍ରୀ ବୃନ୍ଦାବନ ବେହେରା ଆଦି ଅଭିନୟ କରୁଥିଲେ ।

 

ବାଣପୁର ଭଗବତୀଙ୍କ ନିକଟରେ ପୂର୍ବରୁ ପଣ୍ଡା ବଳି ପଡ଼ୁଥିଲେ ଏବଂ ଉକ୍ତ ବଳିପ୍ରଥା ସେଠାରୁ ଉଠେଇ ଦେବାଲାଗି ଖୁବ୍‌ ଜୋରରେ ଗାନ୍ଧିବାଦୀମାନଙ୍କ ପକ୍ଷରୁ ଆନ୍ଦୋଳନ ଚାଲୁଥିଲା । କିନ୍ତୁ ଠାକୁରାଣୀଙ୍କ ସେବକ ଗୋଷ୍ଠୀ ଓ କେତେକ ଜନସାଧାରଣ ଏଥ‌ିରେ ଅତ୍ୟନ୍ତ ବିରୋଧ କରୁଥିଲେ ।

 

ଆମ ରାସଦଳ ବାଣପୁରରୁ କାର୍ଯ୍ୟକ୍ରମ ତୁଟେଇ, ସିଧା ଚାଲିଲା ଖଲ୍ଲିକୋଟ ଗଡ଼କୁ । ଓଡ଼ିଶାରେ ଯୋଉ ପ୍ରଥମକରି ନୂତନ ମନ୍ତ୍ରୀମଣ୍ଡଳ ଗଢ଼ାଯାଇଥିଲା ସେଥ‌ିରେ ଖଲ୍ଲିକୋଟ ରାଜା ଶ୍ରୀ ମର୍ଦ୍ଦରାଜ ଓ ଗଜପତି ପାରଳା ମହାରାଜା ଆଦି ସ୍ଥାନ ପାଇଥାନ୍ତି । ଏଣୁ ଏ ସମୟରେ ଖଲ୍ଲିକୋଟ ଗଡ଼ରେ ଏକରକମ ନୂଆ ଜାଗରଣ ଦେଖାଦେଇଥାଏ କହିଲେ ଚଳେ ।

 

ଗଡ଼ରେ ଅଭିନୟ ଆରମ୍ଭ ହେଲା । ଏଥର ପଟ୍ଟନାୟକ ସାହିରେ ଶ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଝିଅଙ୍କ ସହିତ ପାର୍ବତୀ ବାବୁଙ୍କ ବିବାହ ସମ୍ପର୍କରେ କଥା ସ୍ଥିର ହେଲା । ଖଲ୍ଲିକୋଟ ଅଧୀନରେ ଆଠଗଡ଼ ତାଲୁକ୍‌ । କବିସୂର୍ଯ୍ୟ ଶ୍ରୀ ବଳଦେବ ରଥଙ୍କ ଜନ୍ମସ୍ଥାନ ସେଇ ଆଠଗଡ଼ ତାଲୁକରେ ଥିଲା ବୋଲି ଲୋକମୁଖରୁ ଶୁଣିବାକୁ ମିଳୁଥିଲା । ଆମେ କେତୋଟି ଦିନପାଇଁ, ଅଭିନୟ ଆଶାରେ ସେଠାକୁ ଯିବାର ସୌଭାଗ୍ୟ ଅର୍ଜନ କରିଥିଲୁ ଏବଂ ପୁନରାୟ ଫେରିଆସିଥିଲୁ ପୁରୁଣା ଖଲ୍ଲିକୋଟ ଗଡ଼କୁ ।

 

ତା’ପରେ ଏଥର ଗୋଟିଏ ନୂଆସ୍ଥାନ ବୋଇରାଣି ଗ୍ରାମ ହେଲା ଆମର ଅଭିନୟ ସ୍ଥଳୀ-। ଦେୱାନ ବାହାଦୁର ଶ୍ରୀଯୁକ୍ତ ଜଗନ୍‌ ମୋହନ ପଟ୍ଟନାୟକ ଆମ ଅନୁଷ୍ଠାନ ପ୍ରତି ବିଶେଷ ସହାନୁଭୂତି ପ୍ରଦର୍ଶନ କରୁଥାନ୍ତି । ଆମେମାନେ ରହିଲୁ ରାଜା ସାହେବଙ୍କର ଗୋଟିଏ ବଙ୍ଗଳାରେ-। ବଙ୍ଗଳାକୁ ଲାଗି ଛୋଟ ଟାଙ୍ଗରା ପର୍ବତଟିଏ । ସ୍ଥାନଟି ବେଶ୍‌ ମନୋରମ । ଅନୁଷ୍ଠାନର ଅବସ୍ଥା ବାହାରକୁ କିନ୍ତୁ ସେତେ ସ୍ଵଚ୍ଛଳ ନଥିଲା । କାଳି ବାବୁଙ୍କ ହାତରେ ଯେ ପୁଞ୍ଜି ନଥିଲା ସେକଥା ମିଛ; ମାତ୍ର ସେସବୁ ପୁଞ୍ଜି ଆମ ଅଜାଣତରେ ଡାକଘରେ ତାର ସୁଧସହ କ୍ରମେ କ୍ରମେ ବଢ଼ି ବଢ଼ି ଚାଲିଥିଲା ।

 

ଆମମାନଙ୍କୁ ଖାଦ୍ୟ ହିସାବରେ ଯୋଗେଇ ଦିଆଯାଉଥିଲା କୁନ୍ଦୁରି ସିଝା ଓ ଛଚିନ୍ଦ୍ରା ଡାଲମା । ବୋଇରାଣିରେ ପୁଝାରୀ ବାପୁଡ଼ାଙ୍କ ଅନୁପସ୍ଥିତିରେ ରନ୍ଧନ କାର୍ଯ୍ୟ ବେଳେବେଳେ ଆମ ପିଲାମାନଙ୍କ ପାଳି କାର୍ଯ୍ୟରେ ସଂଯୋଗ କରାଯାଇଥାଏ ।

 

ନାଟକ ଅଭିନୟ ଆରମ୍ଭ ହେଲା । ଛୋଟ ସ୍ଥାନଟି ହେଲେ ମଧ୍ୟ ଜନସାଧାରଣଙ୍କର ରାସ ଅଭିନୟ ପ୍ରତି ବେଶ୍‌ ରୁଚି ଥିଲା ପରି ମନେହେଉଥାଏ । ଅର୍ଥ ଉପାର୍ଜନ ସେଠାରେ ମନ୍ଦ ନଥିଲା । ମୋ ପ୍ରତି ‘ଦୃଷି’ ଭାଇ ଥିଲେ ଅତ୍ୟନ୍ତ ଅନୁକମ୍ପାଶୀଳ । ସେ ସମୟର ଜଣେ ପ୍ରଖ୍ୟାତ ତବଲାବାଦକ ହିସାବରେ ‘ଦୃଷି’ ଭାଇ ଥିଲେ ଅତି ନାମକରା ବ୍ୟକ୍ତି । ନିଜର ସୀମିତ ସମ୍ବଳ ଭିତରେ ନିଜକୁ ଚଳେଇ ଯେତେଟା ପାରୁଥିଲେ ମୋତେ ସାହାଯ୍ୟ କରୁଥିଲେ । ମୁଢ଼ି ଗଣ୍ଡିଏ, ଚୁଡ଼ାଗଣ୍ଡିଏ ଆଣୁଥିଲେ ଅଧେ ଦଉଥିଲେ ମୋତେ । ବୋଇରାଣିରେ ଗୋଟିଏ ଉଲ୍ଲେଖଯୋଗ୍ୟ ଘଟଣା ଆପଣମାନଙ୍କୁ କହିରଖେ । ଦେୱାନ ବାହାଦୁର ଜଗନ୍‌ମୋହନ ପଟ୍ଟନାୟକ ଖଲ୍ଲିକୋଟରେ ଏଥର ମୋର ଅଭିନୟରେ ମୁଗ୍ଧ ହୋଇ ଗୋଟିଏ ସ୍ଵର୍ଣ୍ଣପଦକ ଦେବାକୁ ରଙ୍ଗମଞ୍ଚରେ ଘୋଷଣା କରିଥିଲେ ଏବଂ ପ୍ରତିଶ୍ରୁତି ତାଙ୍କର ରକ୍ଷାକରି କାଳି ବାବୁଙ୍କୁ ସୁନା ମେଡ଼ାଲଟି ଦେଲେ । କିନ୍ତୁ କାଳି ବାବୁ ତାକୁ ହାତ ସଫେଇକରି ସେହି ସୁନାତକ ନିଜର ଉଦରକୁ ନିକ୍ଷେପ କରି ତା’ ସ୍ଥାନରେ ଗୋଟିଏ ରୂପା ମେଡ଼ାଲରେ ସୁନା ପାଣିଦେଇ ମୋତେ ଭଣ୍ଡି ଦେଇଥିଲେ ।

 

ବିଚିତ୍ରକର୍ମା ମୋର ଗୁରୁଦେବ । ସବୁ କରିପାରନ୍ତି ସେ । ବିସ୍ମୟର ବିଷୟ, ତାଙ୍କ ନିକଟରେ ମୁଁ ଥିଲାବେଳେ ଯେତେ କିଛି ସୁନା, ରୂପା ଉପହାର ସ୍ଵରୂପ ପାଇଥିଲି ସେସବୁ କୁଆଡ଼େ ଗଲା ମୋର ଜାଣିବାର ବାହାରେ ଥିଲା; ମାତ୍ର ଶ୍ରୀ ଜଗନ୍‌ମୋହନ ପଟ୍ଟନାୟକ ମହାଶୟଙ୍କ ପ୍ରଦତ୍ତ ନକଲି ସ୍ଵର୍ଣ୍ଣ ପଦକଟି ମୋତେ ମୋର ଗୁରୁ ଦେଇଥିଲେ ଘରକୁ ନେବାପାଇଁ ।

 

ବୋଇରାଣିରୁ ଖଲ୍ଲିକୋଟ ବାଟଦେଇ ଫେରିଲୁ ରମ୍ଭାକୁ । ରମ୍ଭାରୁ ଛତ୍ରପୁର, ଆସିକା, ବ୍ରହ୍ମପୁର । ଦ୍ୱିତୀୟଥର ପାଇଁ ଗଞ୍ଜାମର ଏଇସବୁ ପୁରୁଣା ସ୍ଥାନ ପୁଣି ଥରେ ଥରେ ବୁଲି ବୁଲି ଅଭିନୟ କଲୁ । ପ୍ରତ୍ୟେକ କ୍ୟାମ୍ପରେ ଅର୍ଥ ଓ ପ୍ରଶଂସା ବେଶ୍‌ ଭଲ ମିଳୁଥାଏ । ହେଲେ ଏଥର ଉପାର୍ଜନରୁ କାଳି ବାବୁ କିନ୍ତୁ ତାଙ୍କ ବ୍ୟକ୍ତିଗତ ସଞ୍ଚୟର ମାତ୍ରା ଟିକିଏ ଅଧିକ ବଢ଼େଇ ଦଉଥିଲା ପରି ମନେହଉଥାଏ ।

 

ହାରାହାରି ତିନି ଚାରି ମାସ ଗଞ୍ଜାମର ବିଭିନ୍ନ ଅଞ୍ଚଳ ବୁଲି କଟକରେ ପହଞ୍ଚିଲୁ । ଏଥର କଟକର ବାଙ୍କା ବଜାରରେ ଅଜୁମିଆଁ (ଜାୱାଲ୍ଲାଙ୍କ ପିତା)ଙ୍କ ଘର ନିକଟରେ ଗୋଟିଏ ଏକ ମହଲା କୋଠାଘରେ ବସାକରି ରହିଲୁ । ଶ୍ରୀରାମଚନ୍ଦ୍ର ଭବନରେ ଅଭିନୟ କଲୁ ।

 

କଟକ ଟାଉନରେ ଯୋଡ଼ିଏ ସିନେମା ହଲ ମୁଣ୍ଡ ଟେକିଥାଏ । ଗୋଟିଏ ଜନକୀ ଭଗତଙ୍କର ହଲମୁକ୍‌ ଓ ଅନ୍ୟଟି ଶ୍ରୀ ନରେନ୍‌ ମିତ୍ରଙ୍କ କାପିଟାଲ ଟକି । ଟିକଟର ମୂଲ୍ୟ ଟଙ୍କାଏ, ଆଠଣା, ଚାରଣା, ଦୁଇଅଣା । ଦୁଇଅଣା ପାଇଁ ସ୍କ୍ରିନ୍ ଆଗରେ ଅଖା ଆସନ । ସିନେମା ଘର କାନ୍ଥ ବରଡ଼ା ତାଟିରେ ତିଆରି । ବଙ୍କିମ ବାବୁ ଟିକଟ ଘର ସମ୍ଭାଳନ୍ତି, ଶ୍ରୀ ମାଧବ ଶତପଥୀ ତାଙ୍କର ସହକାରୀ ।

 

ବଜାରମାନଙ୍କରେ ନାଲି ସଡ଼କ ଉପରେ ହାତଟଣା ରିକ୍ସା ମାଳମାଳ । ଦୁଇଟି ସିନେମା ଭିତରେ ବେଶ୍ ପ୍ରତିଯୋଗିତା ଚାଲିଥାଏ । ‘ହଣ୍ଟର୍‌ ୱାଲୀ’, ‘ଦିଲ୍ଲୀକା ଠକ୍‌’, ‘ହାତ୍‌ ମତାଇ’, ‘ଉଡ଼ନ୍ ଖଟୋଲ’ ଆଦି ଛବିଗୁଡ଼ିକରେ ଭିଡ଼ ବେଶି ହଉଥାଏ ।

 

ଏତିକିବେଳେ ହଠାତ୍‌ ଦିନେ ନିଉ ଥିଏଟର୍ସର ‘ମାୟା’ ଛବି ଦେଖିବାର ସୁଯୋଗ ପାଇଥିଲି । ଛବିଟିରେ ବଙ୍ଗଳାର ଅଭିନେତା ଶ୍ରୀ ପାହାଡ଼ି ସାନ୍ୟାଲ ମୁଖ୍ୟ ନାୟକ ଏବଂ ମୁଖ୍ୟ ନାୟିକା ହିସାବରେ ଅଭିନେତ୍ରୀ ଶ୍ରୀମତୀ ଯମୁନା ଅଂଶ ଗ୍ରହଣ କରିଥିଲେ । ଭାରତରେ ଚଳଚ୍ଚିତ୍ର ଶିଳ୍ପରେ ବମ୍ବେର ‘ବମ୍ବେ ଟକିଜ୍‌’ ଏବଂ କଲିକତାର ‘ନିଉ ଥିଏଟର୍ସ’ ଖୁବ୍‌ ପ୍ରସିଦ୍ଧି ଲାଭ କରିଥାଏ । ଉକ୍ତ ଦୁଇଟି ଫିଲ୍ମ ଅନୁଷ୍ଠାନର ଯେକୌଣସି ଛବିକୁ ଦର୍ଶକ ବିନା ଦ୍ଵିଧାରେ ଦେଖିବାକୁ ଯାଉଥା’ନ୍ତି ।

 

ମୋଟାମୋଟି କଥାରେ ସେ ସମୟରେ ଚଳଚ୍ଚିତ୍ର ଶିଳ୍ପରେ ଦକ୍ଷିଣ ଭାରତକୁ ବାଦ୍‌ଦେଲେ ବମ୍ବେ ଟକିଜ୍ ଓ ନିଉ ଥିଏଟର୍ସ ମଧ୍ୟରେ ଚାଲିଥାଏ ପ୍ରତିଦ୍ଵନ୍ଦ୍ୱିତା । ହିନ୍ଦୀ ଚଳଚ୍ଚିତ୍ରରେ ଶ୍ରୀ ମୋତିଲାଲ, ଶ୍ରୀ କିଶୋର ସାହୁ, ଶ୍ରୀ ପୃଥ୍ୱୀରାଜ କପୁର, ଶ୍ରୀ ଜାଗିରଦାର, ଶ୍ରୀ ସରାବ ମୋଦି, ଶ୍ରୀ ୟାକୁବ୍‌, ଶ୍ରୀ ଅଶୋକ କୁମାର, ଶ୍ରୀ ନଜିର, ଶ୍ରୀ ଚନ୍ଦ୍ରମୋହନ, ଶ୍ରୀ ପିଠାୱାଲ୍‌, ଶ୍ରୀ ଚାର୍ଲି, ଶ୍ରୀ ଗୋପ, ଶ୍ରୀ ଡେଭିଡ୍‌, ଶ୍ରୀ ଓମ୍‌ପ୍ରକାଶ, ଶ୍ରୀ ପ୍ରାଣ୍‌, ଶ୍ରୀ ଦିଲ୍ଲୀପକୁମାର, ଶ୍ରୀ ରାଜ କପୁର, ଶ୍ରୀମତୀ ସ୍ଵର୍ଣ୍ଣଲତା, ଶ୍ରୀମତୀ ଖୁରସିଦ୍‌, ଶ୍ରୀମତୀ ନୁରଜାହାଁ, ଶ୍ରୀମତୀ ଲଲିତା ପାୱାର, ଶ୍ରୀମତୀ ଦୁର୍ଗା ଖୋଟେ, ଶ୍ରୀମତୀ ଶୋଭନା ସମର୍ଥ, ଶ୍ରୀମତୀ ମଧୁବାଲା, ଶ୍ରୀ ରାମ ମରାଠେ, ଶ୍ରୀ ପ୍ରେମ ଆଦିବ୍‌ ଇତ୍ୟାଦି ଇତ୍ୟାଦି । ସେହିପରି ବଙ୍ଗଳା ଚଳଚ୍ଚିତ୍ରରେ ଶ୍ରୀ ଶିଶିର ଉଦୁଡ଼ି, ଶ୍ରୀ ଅହିନ୍ଦ୍ର ଚୌଧୁରୀ, ଶ୍ରୀ ଛବି ବିଶ୍ଵାସ, ଶ୍ରୀ ଭୁମେନ ରାୟ, ଶ୍ରୀ ମଧୁ ବୋଷ, ଶ୍ରୀ କେ.ସି. ଦେ, ଶ୍ରୀ ଅମର ମଲ୍ଲିକ, ଶ୍ରୀ ଶଶଧର ଦତ୍ତ, ଶ୍ରୀ ସତ୍ୟ ମୁଖାର୍ଜି, ଶ୍ରୀ ଜହର ଗାଙ୍ଗୁଲି, ଶ୍ରୀ ପଙ୍କଜ ମଲ୍ଲିକ, ଶ୍ରୀ ଜ୍ୟୋତି ପ୍ରକାଶ, ଶ୍ରୀ ପ୍ରମଥେଶ ବଡ଼ୁଆ, ଶ୍ରୀ ପହାଡ଼ି ସାନ୍ୟାଲ, ଶ୍ରୀମତୀ ଉମାଶଶି, ଶ୍ରୀମତୀ ଚନ୍ଦ୍ରାବତୀ, ଶ୍ରୀମତୀ କାନନ ଦେବୀ, ଶ୍ରୀମତୀ ସାଧନା ବୋଷ, ଶ୍ରୀମତୀ ନିଭାନନୀ, ଶ୍ରୀମତୀ ଡଲି ଦତ୍ତ ଇତ୍ୟାଦି ଇତ୍ୟାଦିଙ୍କର ଅଭିନୟ ଥିଲା ଉଚ୍ଚକୋଟିର । କାହାକୁ ବଡ଼ ବା କାହାକୁ ଛୋଟ କହିବାର ଅବସର ମିଳୁନଥିଲା ।

 

ତେବେ ଗୋଟିଏ କଥା ଲକ୍ଷ୍ୟ କରାଯାଉଥିଲା ଯେ, ବଙ୍ଗଳାର ସୁନାମଧନ୍ୟ କଳାକାରମାନଙ୍କ ଭିତରେ କେତେକ ଶିଳ୍ପୀ ତାଙ୍କର ଅଭିନୟରେ ବଡ଼ ଉଚ୍ଛୃଙ୍ଖଳତା ପ୍ରକାଶ କରୁଥିଲେ । ଯଥା–ଅନ୍ୟ ଜାତି ପ୍ରତି ଆକ୍ଷେପମୂଳକ ଭାଷା, ଭାବ ଓ ଭଙ୍ଗୀ ସ୍କ୍ରିନ୍‌ରେ, ମଞ୍ଚରେ ପ୍ରକାଶ କରୁଥିଲେ । ଏଭଳି ନିନ୍ଦନୀୟ କାର୍ଯ୍ୟ ସମ୍ଭବତଃ ଭାରତର ଅନ୍ୟ କୌଣସି ଜାତିର ଅଭିନୟରେ ଦେଖାଯାଉନଥିଲା ।

 

ଏ କଥା ନିରାଟ ସତ୍ୟ ଯେ, ଭାରତର ବିଭିନ୍ନ ଜାତି ମଧ୍ୟରେ ବଙ୍ଗୀୟମାନେ ନିଶ୍ଚିତ ଭାବରେ କଳା ଓ ସାହିତ୍ୟରେ ବେଶ୍ ପ୍ରତିଷ୍ଠିତ । ୟା’ ବୋଲି ଭାରତୀୟ ଅନ୍ୟାନ୍ୟ ଜାତି ଯେ ଏ କ୍ଷେତ୍ରରେ ବଙ୍ଗୀୟମାନଙ୍କର ପଦାଙ୍କ ଅନୁସରଣ କରୁଥିଲେ ଏବଂ କଳା ଓ ସାହିତ୍ୟ ଦିଗରେ ବଙ୍ଗୀୟମାନଙ୍କଠାରୁ ପଛୁଆ–ଏପରି ଧାରଣା ପୋଷଣ କରିବା ହାସ୍ୟାସ୍ପଦ ନୁହେଁ କି ? ଅନ୍ୟର କଳା, ସାହିତ୍ୟ, ସଂସ୍କୃତିକୁ ସମ୍ମାନ ଦେଲେ ଆପଣାର କଳା, ସାହିତ୍ୟ, ସଂସ୍କୃତି ଯେ ଅଧ‌ିକ ସମ୍ମାନିତ ହୁଏ, ସେ କଥା ଭୁଲିଗଲେ ଚଳିବ ନାହିଁ ।

 

ଭାରତର ପ୍ରତ୍ୟେକ ରାଜ୍ୟର ଲୋକେ (ବଙ୍ଗବାସୀଙ୍କୁ ବାଦ୍‌ଦେଇ) ମୁକ୍ତ କଣ୍ଠରେ ସ୍ଵୀକାର କରିବେ, ବଙ୍ଗୀୟମାନେ ପ୍ରାୟ ସମସ୍ତଙ୍କୁ ସମାଲୋଚନା କରନ୍ତି–ଅଭିନୟରେ, ସାହିତ୍ୟରେ-

 

ଥରେ କଟକରେ କ୍ୟାପିଟାଲ ଟକି ଓ ହଲ୍‌ମୁକ ଟକି ଗୋଟିଏ ଛବିକୁ ବୁକ୍‌ କରିଥିଲେ । ଛବିଟି ନାଁ ‘ଜନକ ନନ୍ଦିନୀ’–ବଙ୍ଗଳା ଭାଷାର ଛବି । ଛବିଟି ସହିତ ଗୋଟିଏ ପ୍ରହସନ ମଧ୍ୟ ଉଭୟ ସିନେମା ମାଲିକ ଆଣିଥିଲେ । ସେହି ପ୍ରହସନରେ ଓଡ଼ିଆମାନଙ୍କୁ ତାତ୍ସଲ୍ୟ କରାଯାଇଥାଏ । ଶ୍ରୀ ଜାନକୀ ଭଗତ ଓ ଶ୍ରୀ ସୀତାରାମ ଭଗତ ପରିସ୍ଥିତି ବୁଝି ନପାରି ଆଗକରି ଛବିଟି ଉଦ୍‌ଘାଟନ କଲେ । ଫଳରେ କଟକର ଓଡ଼ିଆ ଦର୍ଶକ ପ୍ରତିବାଦ କରି ସ୍କ୍ରିନ୍‌, ଲାଉଡ୍‌ସ୍ପିକର ଭାଙ୍ଗିଲେ, ଚିରିଲେ-। କ୍ୟାପିଟାଲ ସିନେମା, ଏ ଅବସ୍ଥା ଦେଖି ଉକ୍ତ ପ୍ରହସନକୁ ବାଦଦେଇ, କେବଳ ‘ଜନକ ନନ୍ଦିନୀ’ ସୋ’ କଲା ।

 

ଦୁଃଖର ବିଷୟ, ବଙ୍ଗୀୟମାନଙ୍କର ବେଳେବେଳେ ଏପରି ଧୃଷ୍ଟତା ସେ ସମୟରେ ପ୍ରକାଶ ପାଉଥିଲା, ଯାହା ଅନ୍ୟ ଜାତି ନିକଟରେ ଅତ୍ୟନ୍ତ କଦର୍ଯ୍ୟ ପରିସ୍ଥିତି ସୃଷ୍ଟି କରୁଥିଲା କହିଲେ ଚଳେ ।

 

ଆମେ ସବୁଦିନ ବାଙ୍କା ବଜାର ବସାରୁ ଶ୍ରୀ ରାମଚନ୍ଦ୍ର ଭବନକୁ ଯାଉଥାଉ ଅଭିନୟ କରିବାକୁ । କାଳି ବାବୁ, ଆରମ୍ଭ କଲେ ତାଙ୍କର ପ୍ରଥମ ସାମାଜିକ ନାଟକ ଲେଖା, ‘ପ୍ରତିଶୋଧ’ । ଅନେକ ଦିନ ଆଗରୁ ଯୋଉ ‘ପଥହରା’ ସାମାଜିକ ନାଟକ ଆମେମାନେ ବାଙ୍କୀରେ ଅଭିନୟ କରିଥିଲୁ, ସେ ବହିଟି ଲେଖୁଥିଲେ ଶ୍ରୀଯୁକ୍ତ ନଗେନ ଦତ୍ତ । ତେଣୁ ଏଇ ‘ପ୍ରତିଶୋଧ’ ନାଟକ କାଳି ବାବୁଙ୍କର ପ୍ରଥମ ସାମାଜିକ ନାଟକ ଲେଖା ବୋଲି ବୁଝିବାକୁ ହେବ ।

 

ଏଥ‌ିପୂର୍ବରୁ କଟକରେ କିମ୍ବା ଓଡ଼ିଶାରେ କୋଉଠି କେହି ସାମାଜିକ ନାଟକ କରିଥିଲା ପରି ମନେହୁଏନା । କେଜାଣି ଯଦି ମୋର ଅଜାଣତରେ କେହି କରିଥାଇ ପାରନ୍ତି; ତେବେ ପେଷାଦାର ମଞ୍ଚରେ କାଳି ବାବୁଙ୍କର ଏଭଳି ଉଦ୍ୟମ ନିଶ୍ଚୟ ପ୍ରଥମ ଉଦ୍ୟମ ଏବଂ ସଫଳ ଉଦ୍ୟମ-। ‘ପ୍ରତିଶୋଧ’ ନାଟକଟି ଥିଲା ହାସ୍ୟରସପ୍ରାଧାନ ନାଟକ ।

 

ଅନ୍ନପୂର୍ଣ୍ଣା ଥିଏଟର ତାଙ୍କ ଅନୁଷ୍ଠାନରେ ଦୁଇଟି ସାମାଜିକ ନାଟକ ଅବଶ୍ୟ ଅଭିନୟ କରୁଥିଲେ । କିନ୍ତୁ କଟକକୁ ସେମାନେ ସେପର୍ଯ୍ୟନ୍ତ ଆସିନଥିଲେ । ବାହାରେ ବାହାରେ ବୁଲୁଥିଲେ-। ସେ ବହି ଦୁଇଟି ତାଙ୍କର ଥିଲା ବଙ୍ଗଳା ଭାଷାରୁ ଅନୁବାଦ ବହି–‘ମହାପଥର ଯାତ୍ରୀ’ ଓ 'P.W.D.' । ପ୍ରଥମେ ‘ମହାପଥର ଯାତ୍ରୀ’ କିଛି ଦିନ ଅଭିନୟ କରିବାପରେ ପଛନ୍ତେ 'P.W.D' ଶିକ୍ଷା କରିଥିଲେ ।

 

ଅନ୍ନପୂର୍ଣ୍ଣା ଥିଏଟରଙ୍କର ଉକ୍ତ ସାମାଜିକ ଦୁଇଟି ନାଟକ ମୁଁ ଅନେକବାର ଦେଖୁଛି, ବହୁ ତ୍ରୁଟିପୂର୍ଣ୍ଣ । ସାମାଜିକ ନାଟକର ରୀତି, ନୀତି ଏଥରେ ରକ୍ଷା କରାଯାଇପାରୁନଥିଲା । ଅଭିନେତାଗଣ ଅଭିନୟରେ ପ୍ରବୀଣ ଥିଲେ ହେଁ ସେମାନେ ତାଙ୍କର ଡାଇଲଗ୍ କହିଲାବେଳେ ଐତିହାସିକ, ପୌରାଣିକ ନାଟକର ମୋଡ୍ୟୁଲେସନ୍‌ ଦେଇଦଉଥଲେ । ଠାଣିଠାଣିରେ କୃତ୍ରିମତା ରହିଯାଉଥିଲା । ବାସ୍ତବ ଅଭିନୟ ହୋଇପାରୁନଥିଲା ।

 

କାଳି ବାବୁ କିନ୍ତୁ ତାଙ୍କର ‘ପ୍ରତିଶୋଧ’ ନାଟକରେ ଏଭଳି ପ୍ରମାଦ ରଖୁନଥିଲେ । ଯୋଉ ଦର୍ଶକ ଆମର ଏହି ସାମାଜିକ ପ୍ରଥମ ନାଟକଟି ଦେଖିଥ‌ିବେ, ସେହିମାନେ କେବଳ ତାର ସଫଳତାର ସାକ୍ଷୀ ।

 

‘ପ୍ରତିଶୋଧ’ ନାଟକରେ ଗୁରୁଦେବ ଯେତେଗୁଡ଼ିଏ ସଂଗୀତ ଦେଇଥିଲେ, ତାହାର ଭାବ ଓ ଭାଷା ଏତେଦୂର ମର୍ମସ୍ପର୍ଶୀ, ସେଥିରୁ ଗୋଟି କେତେକର ପ୍ରଥମ ଧାଡ଼ି ଏଠାରେ ଦେବାର ସମୀଚୀନ ମନେକରି ଦେଉଅଛି ।

 

–ଗଢ଼ିଲା କଣ୍ଟକ ବିହି ମୃଣାଳେ

ଫୁଟିଲା ପଙ୍କଜିନୀ ପଙ୍କ ସରେ

ବାସଭରା କେତକୀ ନୋହିଲୁ ଅଳି ଲାଖି

ଝୁରିଲା ନିରିମାଖି ଅନାଦରେ ।

 

–ତୁମେ ଯାହା କୁହ ନୂଆ

ମୁଁ ବୋଲେ ତା’ ଶାଣ ଦିଆ

ଭୁଲା ଆଖି ଦେଖେ ଯାହା

ପାଶେରା ତାହା ।।o।।

ଟାଣ ଖରା ସରୁ ବାଲିରେ

ନିପାଣିଆ ଟାଙ୍ଗର ଭୂଇଁ ।

ଆଖିବାଟେ ଜୁଳୁଜୁଳିଆ

ଉଡ଼ିଯାଏ ଏବାଟ ଚାହିଁ ॥

 

ଆପଣମାନଙ୍କୁ ୟା’ପୁର୍ବରୁ ସୂଚନା ଦେଇସାରିଛି ଆମେମାନେ ଯଦିଚ ପୌରାଣିକ ବିଷୟକୁ ଅବଲମ୍ବନ କରି ରାସ କରୁଥିଲୁ, ଆମର ସବୁ ନାଟକଗୁଡ଼ିକ ଥିଲା ସାମାଜିକ ଢାଞ୍ଚାରେ ପ୍ରସ୍ତୁତ । ଡାଇଲଗ୍‌ ସବୁ ଖାଣ୍ଟି ଓଡ଼ିଆ କଥିତ ଭାଷା । କହିବାର ଢଙ୍ଗ ଥିଲା–ଆଧୁନିକ ରଙ୍ଗମଖା । ଫଳରେ ପ୍ରଥମ କରି ସାମାଜିକ ବହି ‘ପ୍ରତିଶୋଧ’ କରିବାରେ ବିଶେଷ କଷ୍ଟସାଧ୍ୟ ହେଲା ନାହିଁ । ଏଥ‌ିରେ ମୋତେ ଦିଆଗଲା ‘ବାଙ୍କା’ ଚାକର । ଦୁଲ୍ଲଭଦା’ଙ୍କୁ ଦିଆଗଲା ‘ଗୁଣନିଧି’ ଶଳା, ‘ଭିଣୋଇ’ ଭୂମିକାରେ ଶ୍ରୀ ସାଧୁ ଦଳବେହେରା,‘ମାତା’ ଭୂମିକାରେ ବାଞ୍ଛାନିଧି ।

 

ପ୍ରତିଶୋଧ ନାଟକର ଶୁଭମୁକ୍ତି କରାଗଲା ଗୋଟିଏ ଶୁଭଲଗ୍ନ ଦେଖି ଶ୍ରୀ ରାମଚନ୍ଦ୍ର ଭବନରେ । ସେ ସମୟର କଟକର ମାନ୍ୟଗଣ୍ୟ ଶିକ୍ଷିତ ଗୁଣମୁଗ୍ଧ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଗଲା ଅଭିନୟ ଉଦ୍‌ଘାଟନ କରିବାକୁ । ଛୋଟ ପ୍ରେକ୍ଷାଳୟଟି ଭରପୂର ହେଲା କଳାପ୍ରେମୀ ଦର୍ଶକମାନଙ୍କ ଆଗମନରେ ।

 

ଆମମାନଙ୍କ ମନରେ ଆଶା ଉଦ୍ଦୀପନାର ଜମାଟ ବାନ୍ଧିଲା । ନାଟକଟି ଯେପରି ସର୍ବାଙ୍ଗସୁନ୍ଦର ହେବ ସେଥିପାଇଁ ପ୍ରତ୍ୟେକ ନିଜ ନିଜର ଚରିତ୍ରଗୁଡ଼ିକ ଜୀବନ୍ତ କରିବାକୁ ଯତ୍ନ କଲୁ । ବେଳେବେଳେ ଭୟ ଆଉ ଉଦ୍‌ବେଗ ମନକୁ ଛୁଇଁ ଯାଉଥାଏ । କାଳେ କ’ଣ ହେବ ଏଇ ଆଶଙ୍କାରେ । କାରଣ ସାମାଜିକ ନାଟକ କାହାକୁ କହନ୍ତି, ଆମେ ପ୍ରାୟ ଜାଣିନଥିଲୁ । ଯାହା ଦେଖୁଥିଲୁ ଓ ଯାହା ଜାଣିଥିଲୁ ସେ କିଛି ନୁହେଁ । ଅଭିନୟର ସଂଜ୍ଞା ଯଦିଓ ଗୋଟିଏ, ତଥାପି ସେତେବେଳେ କେତେକ ଲୋକ ଅଭିନୟକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ବିଚାର କରୁଥିଲେ ଏବଂ ସେଇ ଦୃଷ୍ଟିକୋଣରୁ ଶିଳ୍ପୀମାନଙ୍କୁ ଉଚ୍ଚ, ନୀଚ ଶ୍ରେଣୀ ବିଭାଗ କରି ସମ୍ମାନ ପ୍ରଦର୍ଶନରେ ତାରତମ୍ୟ ରଖୁଥିଲେ । ଯାତ୍ରା ଶିଳ୍ପୀଙ୍କୁ ରଙ୍ଗମଞ୍ଚ ଶିଳ୍ପୀଙ୍କ ସହିତ ଗଣୁନଥିଲେ । ରାସଦଳର ଅଭିନେତାଙ୍କୁ ଥିଏଟର ଦଳର ଅଭିନେତାଙ୍କଠାରୁ ଅଲଗା ଆଖିରେ ଦେଖୁଥିଲେ ।

 

ଏଇୟା ଥିଲା ସେତେବେଳର ବିଚାର । ଏବେ ମଧ୍ୟ କିଛିଟା ରହିଛି । ତେଣୁ ଆମେ ଡରିଯାଇଥିଲୁ । ମନେକରୁଥିଲୁ, ସାମାଜିକ ନାଟକ କରିବାର ଛପା ଯେତେବେଳେ ଆମ ଦେହରେ ଲାଗିନଥିଲା, ସେଥ‌ିପାଇଁ କାଳେ ‘ପ୍ରତିଶୋଧ’ ନାଟକ ବିକଳାଙ୍ଗ ହୋଇଯିବ; ଭୟ କରୁଥିଲୁ ।

 

ଅଭିନୟବେଳେ ନାଟକର ଗତି ଏତେଦୂର ବଢ଼ିଯାଇଥିଲା ଯେ, ଆମେ ପ୍ରତ୍ୟେକ ଅଭିନେତା ନିଜର ଚରିତ୍ରର ଭାରସାମ୍ୟ ରକ୍ଷା କରିପାରିନଥିଲୁ । ମୋର ଚରିତ୍ର ଅଭିନୟରେ ଗୋଟାଏ ବିରାଟ ତ୍ରୁଟି ବିଷୟରେ ଶ୍ରୀଯୁକ୍ତ ପ୍ରହରାଜ ମୋତେ ସଚେତନ କରେଇ ଦେଇଥିଲେ । ମୋଟାମୋଟି ଭାବରେ ‘ପ୍ରତିଶୋଧ’ ନାଟକର ସଫଳତା ନେଇ ସବୁ ଶ୍ରେଣୀ ଦର୍ଶକଙ୍କର ମତ ପ୍ରକାଶ ପାଇଥିଲା ।

 

ଏହିପରି ଅବସ୍ଥାରେ ସେଇ ବାଙ୍କା ବଜାରରେ କିଛିଦିନ କଟେଇବା ପରେ, ଶ୍ରୀରାମଚନ୍ଦ୍ର ଭବନରେ ଆମକୁ ଅଭିନୟ ପାଇଁ ଅନୁମତି ମିଳିଲା ନାହିଁ ।

 

କିଛିଦିନ ପାଇଁ ବସିଗଲୁ । ଗୁରୁଦେବଙ୍କ ମଥାକୁ ଆସିଲା ନୂଆ ଚିନ୍ତା । କେତେଗୁଡ଼ିଏ ଛୋଟ ଛୋଟ ଝିଅପିଲାଙ୍କୁ ଯୋଗାଡ଼ କରି ସେମାନଙ୍କୁ ଆମ ରାସ ନାଟକମାନଙ୍କରେ ଅଂଶଗ୍ରହଣ ଲାଗି ତାଲିମ ଦେବାର ବ୍ୟବସ୍ଥା କଲେ । ସେହିସବୁ ଝିଅମାନେ ଥିଲେ–ବିଲ (ଶ୍ରୀ କେଳୁ ମହାପାତ୍ରଙ୍କ ସ୍ତ୍ରୀ) ଚନା, କମଳା, ଉମା (ଶ୍ରୀ ସାମୁଏଲ୍‌ ସାହୁଙ୍କ ସ୍ତ୍ରୀ) ଏମିତି ଆଉ କେତେ । ଏମାନେ ଥିଲେ ଏଗାର, ବାର ବର୍ଷର କିଶୋରୀ ।

 

ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କ ଘରକୁ ଲାଗି ସେଇ ବାଙ୍କା ବଜାରରେ ସାଲିମାର ପଡ଼ିଆ ମୁହାଁମୁହିଁ ଥିଲା ଖଣ୍ଡିଏ ଖୋଲା ଜାଗା, ଠିକ୍ ଆମ ବସାକୁ ଲାଗି । ସେଇ ସ୍ଥାନରେ ହେଲା ଗୋଟିଏ ନୂଆ ପେଣ୍ଡାଲ୍‍ । ଏଇ ଝିଅପିଲାଙ୍କୁ ନେଇ ଅଭିନୟ କରାଗଲା ଗୋଟିଏ, ଦୁଇଟି ପୁରୁଣା ଆମର ରାସ ବହି । ପୁଅମାନେ ପୁଅ ଭୂମିକା ନେଲେ, ଝିଅ ପିଲା ଝିଅ ଭୂମିକା ନେଲେ ।

 

ଅଳ୍ପ କେଇଟି ଦିନରେ ଗୁରୁଦେବଙ୍କର ସେ ଉଦ୍ୟମ କିନ୍ତୁ ସଫଳ ହେଲାନାହିଁ । ଝିଅପିଲାଙ୍କୁ ତାଙ୍କ ଘରୁ ଆଣିବା ନବାରେ ଅନେକ ସମୟ ଓ ଅର୍ଥ ଶ୍ରାଦ୍ଧ ହେଲା । ପିଲାମାନଙ୍କର ଅଭିଭାବକମାନେ ମହତ ଉଦ୍ୟମର ଗୁରୁତ୍ଵ ବୁଝିଲେ ନାହିଁ । ଝିଅପିଲାମାନେ ମଧ୍ୟ ସେପରି କିଛି କାମିକା ନଥିଲା ପରି ମନେହେଉଥିଲେ । କ୍ରମେ କ୍ରମେ ତାଙ୍କ ଭିତରୁ ଜଣେ ଜଣେ ଧୀମେଇ ଧୀମେଇ ଘରେ ରହିଗଲେ ।

 

ପୁଣି ଆମର ସେଇ ‘ପ୍ରତିଶୋଧ’ ନାଟକ ସେଇ ନୂଆ ପେଣ୍ଡାଲ୍‍ଟିରେ ଆରମ୍ଭ ହେଲା ।

 

ହଠାତ୍‌ ଦିନେ କଟକ ଟାଉନ୍‌ର କେତେକ ଉତ୍ସାହୀ ମୁସଲମାନ ସୌଖୀନ କଳାକାର, ଏକାଠି ମିଳିମିଶି ଗୋଟିଏ ଅନୁଷ୍ଠାନ ଗଢ଼ିଲେ । ନାଁ ତାର ଦେଲେ “ଉର୍ଦ୍ଦୁ ଡ୍ରାମାଟିକ୍‌ କ୍ଲବ୍‌”। ଗୁରୁଦେବ ଶ୍ରୀ କାଳିଚରଣ ପଟ୍ଟନାୟକଙ୍କୁ ସେହି କ୍ଲବର ସଭାପତି ପଦରେ ମନୋନୀତ କରି, ପ୍ରସ୍ତାବ ବଢ଼ାଗଲା ଯେ ଆମର ଉକ୍ତ ପେଣ୍ଡାଲ୍‍ରେ ଉର୍ଦ୍ଦୁ ନାଟକ ମଝିରେ ମଝିରେ ଅଭିନୀତ କରିଯିବ । କାଳି ବାବୁ ସେ ପ୍ରସ୍ତାବରେ ରାଜି ହେଇଗଲେ ଏବଂ ଉର୍ଦ୍ଦୁ କ୍ଲବ୍‌ର ପ୍ରସ୍ତାବ କାର୍ଯ୍ୟକାରୀ ହେଲା ।

 

ରିହାର୍‌ସାଲ୍‌ ଚାଲିଲା ‘ଅଛୁତ୍‌ ଅବଲା’ ନାଟକର । ଭୂମିକାରେ ଥଲେ–ମିତ୍ର ମିଆଁ, ବାବୁଲାଲ ମିଆଁ, ଉଜିର ମିଆଁ ଖଲ୍ଲିପା, ୱାହେଦ୍‌ ମିଆଁ ଓ ମୁନ୍‌ସି ଇତ୍ୟାଦି । ‘ଅଛୁତ୍‌ ଅବଲା’ ଯୋଉଦିନ ଉଦ୍‌ଘାଟିତ ହେଲା ସେଦିନ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଆମନ୍ତ୍ରିତ ହୋଇ ରଙ୍ଗମଞ୍ଚକୁ ପବିତ୍ର କରିଥିଲେ । ନାଟକଟି ଏପରି ସୁନ୍ଦର ଓ ନିର୍ଭୁଲ ଭାବରେ ଅଭିନୟ କରାଗଲା, ଯାହାକୁ ପ୍ରଶଂସା ନକରି କୌଣସି ଦର୍ଶକ ନୀରବ ରହିନଥିଲେ । ଉର୍ଦ୍ଦୁ ଡ୍ରାମାଟିକ୍‌ କ୍ଲବ୍‌ରେ ଏଭଳି ଉଚ୍ଚକୋଟୀର ଅଭିନେତା ଯେ ଥିଲେ, ଯୋଉମାନଙ୍କ ଲୁକ୍କାୟିତ ପ୍ରତିଭା ବିଷୟରେ ଆମେମାନେ ଅଭିନୟ ପୂର୍ବରୁ କୌଣସି ଧାରଣା ଆଣିପାରିନଥିଲୁ । ଥରେ, ଦୁଇଥର ଅଭିନୟ ପରେ ‘ଅଛୁତ୍‌ ଅବଲା’ ବନ୍ଦ ହେଇଯାଇଥିଲା । କ୍ଲବ୍‌ଟି ଥିଲା ସମ୍ପୂର୍ଣ୍ଣ ସୌଖୀନ ସଂସ୍ଥା ।

 

ଆମର ଅଭିନୟ ଚାଲିଲା । ଅବସ୍ଥା ଆମର ଠିକ୍‌ ପୂର୍ବ ଭଳି ଥିଲା । ତେବେ ପୂର୍ବାବସ୍ଥାରୁ କେତେ ଡିଗ୍ରୀ ତଳକୁ ଖସି ଆସିଥିଲୁ ସିନା, ଉପରକୁ ଉଠିବାର କ୍ଷମତା ନଥିଲା । ଏଥି ପୂର୍ବରୁ ଆମ ମେସ୍‌ରେ ଡାଲମା ପାଣିରେ ବାଇଗଣ ପହଁରୁଥିଲା; ମାତ୍ର ଏ ସମୟରେ ଆମେ ନିଜେ ଖାଲି ଶୁଖିଲାରେ ପହଁରିବା ସାର ହେଉଥିଲୁ । ମୋ ଭାଗ୍ୟକୁ ହୃଷିଭାଇ ଥ‌ିବାରୁ ଭୋକରେ ବିକଳ ହେଲାବେଳକୁ ତାଙ୍କ ନିକଟରୁ ବରାଟାଏ ବା ଗୁଲ୍‌ଗୁଲାଟାଏ ମିଳିଯାଉଥିଲା ।

 

ଏଭଳି ଅବସ୍ଥାରେ ଥିଲୁ ଯେ, ତାହା ବୁଝେଇ କହିବା ମୋ ପକ୍ଷରେ କଷ୍ଟକର । ଅଜୁ ମିଆଁ ଘର ନିକଟକୁ ଲାଗି ଆମେ ଯୋଉ ବସାରେ ଥାଉ ଠିକ୍‌ ସେଇ ଘର ଦେହକୁ ମିଶିକରିଥାଏ ଆଉ ଗୋଟିଏ ଭଡ଼ାଘର । ସେ ଘରେ ରହୁଥାନ୍ତି ଜଣେ ମୁସଲମାନ ଭଦ୍ରବ୍ୟକ୍ତି । ସେ’ ତାଙ୍କର ଖାଦ୍ୟ ପ୍ରସ୍ତୁତି କଲାବେଳେ ବିଶେଷ କରି ମାଂସ କଷିଲା ବେଳେ ଆମେ କେତେକ ପିଲା କାନ୍ଥରେ ଗୋଟିଏ ଜଳାଥିବା ସ୍ଥାନରେ ଅନେଇ ରହି ଖାଦ୍ୟର ଗନ୍ଧ ବାରୁଥିଲୁ । ଏବଂ ଆଘ୍ରାଣଂ ଅର୍ଦ୍ଧ ଭୋଜନ କରି ତୃପ୍ତ ହେଉଥିଲୁ ।

 

ଜାତିଆଣଭାବ ସେ ସମୟରେ ପ୍ରବଳ ହୋଇଥିଲେ ହେଁ ସେଇ ମାଂସକଷା ଗନ୍ଧରେ ମୁଁ ଏତେଦୂର ପାଗଳ ହୋଇଯାଇଥିଲି ଯେ, ପ୍ରତି ମୁହୂର୍ତ୍ତରେ ମନରେ ଭାବୁଥିଲି, କେମିତି ଟିକିଏ ଦାଢ଼ିଆନନାଙ୍କ ଘର ମାଂସ ତରକାରୀ ମିଳିଯାଆନ୍ତି କି; ତାକୁ ପାଦୁକ ପାଇଲାପରି ପାଇ ଦିଅନ୍ତି । ଅନେକ ସ୍ଥାନରେ ବବୁର୍ଚ୍ଚ ହାତରନ୍ଧା ମାଂସ ମୁଁ ଏଥ‌ିପୂର୍ବରୁ ଖାଇଥିଲି; ମାତ୍ର କୌଣସି ମୁସଲମାନ ଘରେ କେବେ ଖାଇ ନ ଥିଲି ।

 

ଯାହାହେଉ ବାଙ୍କା ବଜାରରେ ଅଜୁ ମିଆଁଙ୍କ ଘର ପାଖରେ ଥିଲାବେଳେ ପ୍ରତିଦିନ ମାଂସ କଷାର ବାସନା ଶୁଙ୍ଘି ଶୁଙ୍ଘି ମୋର ନିଜର ଧର୍ମ, ନିଜର ଆଚାର ଭୁଲିଯାଇ ମିଆଁଙ୍କ ଘରେ ଥରକପାଇଁ ମାଂସାହାର କରିବାକୁ ପ୍ରବଳ ବାସନା ଅନ୍ତର ଭିତରେ ମୋର ତେଜି ଉଠିଲା । ଦିନେ ମୋର ବାସନାକୁ ଚରିତାର୍ଥ କରିବା ଆଶାରେ ଅଜୁ ମିଆଁଙ୍କ ସାନମଝିଆ ପୁଅ ‘ଫକୁ’ ଆଗରେ ମତବ୍ୟକ୍ତ କଲି ।

 

ସୁଯୋଗ ଦେଖି ଦିନେ ମୋର ବନ୍ଧୁ ‘ଫକୁ’, ମନର ବାସନା ମୋର ପୂର୍ଣ୍ଣ କଲା । ଶୁଭ ସନ୍ଧ୍ୟାରେ ମୋ ପାଇଁ ଗରମ ପରଟା ଓ ମାଂସ ତରକାରୀ ସଜାଡ଼ି ସମସ୍ତଙ୍କ ଗୋପନରେ ତାଙ୍କର ଘରକୁ ଡାକି ଲୁଚେଇ ଖାଇବାକୁ ଦେଲା । ସେଦିନର ସେ ତୃପ୍ତି ଆଉ କେବେ ଜୀବନରେ ପାଇ ନାହିଁ । ୟା’ଦ୍ଵାରା ସେଦିନ ମୋର ଧର୍ମ ରହିଥିଲା କି ତ୍ରୁଟି ଥିଲା, ସେକଥା ସେତେବେଳେ ମନକୁ ଆସିନଥିଲେ ବି ଏତେବେଳେ ମୁଁ ଭାବୁଛି ହୁଏତ ଜଣେ ଅନ୍ୟ ଧର୍ମର ଲୋକ ଘରେ ଖାଇ ମୁଁ ମୋର ଧର୍ମକୁ ସମ୍ପୂର୍ଣ୍ଣ ରକ୍ଷା କରିପାରିଛି, ବରଂ ନ ଖାଇଥିଲେ ଧର୍ମକୁ ମୋର ଅବମାନନା କରିଥାନ୍ତି ।

 

ଏତେବେଳକୁ ଯୌବନ ତାର ପହିଲି ପରଶ ମୋର ସର୍ବାଙ୍ଗରେ ଥରକ ପାଇଁ ଦେଇ ଯାଇ, ଦ୍ଵିତୀୟ ଥର ଆସିଥାଏ ତନଖି କରି ଆଉ ଥରେ ନିବିଡ଼ ଭାବରେ ସ୍ପର୍ଶ ଦେବାକୁ । ଜୀବନ ମୋର ସନ୍ଧିକ୍ଷଣରେ । ହର୍‌ଦମ୍‌ ଆଖିରେ ଖେଳୁଥାଏ ଇନ୍ଦ୍ରଧନୁର ସପ୍ତରଙ୍ଗ । ମନ ଖୋଜୁଥାଏ ନୂଆ ନୂଆ ଭାବନା । ପ୍ରାଚୀନ କବିମାନଙ୍କର ବିଭିନ୍ନ କାବ୍ୟରୁ ସନ୍ଧାନୀ ମନଟା ସନ୍ଧାନ କରୁଥାଏ–

 

‘‘ଅଲଙ୍ଘ୍ୟ ହେବାରୁ ମୋ ରାଣ

ପରାଣ ବନ୍ଧୁ ଯାହା ଦିନେ ଦିନେ

ସହଜେ କୃପାଳୁ ଗୁଣପରି ପାଳୁ

ମୋହପରି ନିଧୁବନେରେ କିଶୋରୀ

ସେ’ କାଳେ ଯେଉଁ ସମ୍ପତ୍ତି ।

ତଳପ, ଦୀପ ମୋ ମନ, ନେତ୍ର, ନିଶା ଏମାନେ କିଛି ଜାଣନ୍ତି ॥”

 

କେବଳ ଯେ ଆପଣାର ଭାଷା ଓ ସାହିତ୍ୟରେ ଏସବୁ ବିଷୟ ପ୍ରତି ମନ ମୋର ଆକୃଷ୍ଟ ହେଉଥିଲା–ତା ନୁହେଁ । ଏତେବେଳକୁ ବଙ୍ଗଳା, ହିନ୍ଦୀ ଭାଷାର ବିଭିନ୍ନ କବିଙ୍କର ନୂଆ ନୂଆ କାବ୍ୟ, କବିତା, ଉପନ୍ୟାସ ଭିତରେ ପ୍ରବେଶ କରିଥାଏ ମୁଁ । ସେଇସବୁ ସାହିତ୍ୟରେ, ଭାଷାରେ ଯୋଉଠି ବେଶିମାତ୍ରାରେ ନାରୀର ରୂପ–ଲାବଣ୍ୟ ଉପରେ ବର୍ଣ୍ଣନା ଓ ତାର ଚରିତ୍ର ସମ୍ପର୍କରେ ବର୍ଣ୍ଣନା କିମ୍ବା କୋଉଠି କେମିତି ଖଣ୍ଡେ ଅଧେ ଛବି ପ୍ରକାଶ ଯଦି ପାଇଥାଏ, ତାହା ସବୁ ମୋ ଆଖିରେ ଏତେବଡ଼ ବୋଲି ଦେଖାଯାଏ ଯେ ତା’ ତୁଳନାରେ ଦୁନିଆକୁ ମନେକରେ ମୁଁ, ସେ ଯେମିତି ଅତି ତୁଚ୍ଛ, ଗୌଣ-

 

ସଭା, ସମିତି, ବଜାର, ହାଟ, ସିନେମା, ଥିଏଟର ସବୁରି ଭିତରେ ଅମାନିଆଁ ଆଖି ମୋର ଠାବ କରେ କୋଉଠି ରହିଛି ସେହି ମନଭୁଲା ଉନ୍ନତ, ମସୃଣ, ସୁସଂଯତ ମାଂସପେଶୀ । ଚୁମ୍ବକ ଲୁହାକୁ ଟାଣିଲା ପରି କୌଣସି ବାଛବିଚାର ବା ଆକଟ ନ ମାନି ଆଖି ଟାଣି ହେଇଯାଏ ସେଇ ସ୍ଥାନକୁ । ସେ ଦର୍ଶନରେ ଆଖି ଯେମିତି ଫେରିପାଏ ତାର ହୃତ ଶକ୍ତି ।

 

ଯୌବନ ନିଶା ଯେ କେତେଦୂର ମାରାତ୍ମକ, ସେ ନିଶାରେ ମାତାଲ ପ୍ରତ୍ୟେକ ଯୌବନଯାତ୍ରୀ କୌଣସି କଥାକୁ ବୁଝିଲାଭଳି ଶକ୍ତି ସେ ସମୟରେ ହରେଇ ବସନ୍ତି । ପାତ୍ର ଅପାତ୍ର, ବେଳ ଅବେଳ, ସ୍ଥାନାସ୍ଥାନ କିଛି ହେଲେ ଠଉରେଇ ପାରନ୍ତି ନାହିଁ । ନୀଳ ଚଷମା ପିନ୍ଧି ସେମାନେ ଦୁନିଆକୁ ଗୋଟାଏ ରଙ୍ଗରେ ଦେଖନ୍ତି । ମୁଁ ମଧ୍ୟ ଦେଖୁଥିଲି ।

 

ସେଦିନ ସକାଳ, ଅନ୍ୟ ଦିନର ସକାଳଠାରୁ ଥିଲା ଟିକିଏ ଅଲଗା ଧରଣର । ଶୀତଳ ପରିବେଶ, କଅଁଳ ଖରା ଟାଣ ହେଇନଥାଏ । ଦାଣ୍ଡରେ କେହି ନଥାନ୍ତି । ଗଳିର ଶେଷମୁଣ୍ଡରେ ବସା ଆମର । ସାଧାରଣ ସମୟରେ ମଧ୍ୟ ବିଶେଷ ବାହାର ଲୋକଙ୍କର ଭିଡ଼ ନଥାଏ ରାସ୍ତାରେ । ଆଗରେ ଦେଖିଲି ସମାଜ ସେବିକା ତରୁଣୀଟିଏ ତା’ର ନିତିଦିନିଆ କାମ ଶେଷ କରି ଏକାକୀ ବସିପଡ଼ିଛି ଥକା ମାରିବାକୁ । ଶ୍ୟାମାଙ୍ଗୀ, ତାଳୁରୁ ତଳିପା ପର୍ଯ୍ୟନ୍ତ ପ୍ରତି ଅଙ୍ଗରେ ନବ–ଯୌବନର ଶୋଭା ସମ୍ପଦ ।

 

ଉଦ୍ଧତ, ଅସଂଯତ ମନ ମୋର ମୋତେ ଯେମିତି ଟାଣିନେଲା ତା’ ନିକଟକୁ । ତରୁଣୀର ଅବସ୍ଥା ଥିଲା ଦୈନ୍ୟ । କାରଣ ଜୀର୍ଣ୍ଣ ପରିଧାନ, ତାର ସୌନ୍ଦର୍ଯ୍ୟପୂର୍ଣ୍ଣ ବକ୍ଷକୁ ଢାଙ୍କି ରଖିଲା ଭଳି ଅବସ୍ଥାରେ ନଥିଲା । ଏକ କ୍ଷୁଦ୍ର ପତଙ୍ଗ ପରି ମୁଁ ସେ ସର୍ବଗ୍ରାସୀ ଅନଳ ଶିଖାର ଆକର୍ଷଣକୁ ଏଡ଼ାଇ ପାରିଲି ନାହିଁ । ଚିରନ୍ତନ ସତ୍ୟ ନିକଟରେ ମିଥ୍ୟାର ଆସ୍ଫାଳନ ଯେ କ୍ଷଣସ୍ଥାୟୀ; ମୋର ଆୟତ୍ତରେ ନଥିଲି ମୁଁ । କ’ଣ କରୁଥିଲି, ତଳକୁ ଯାଉଥିଲି କି ଉପରକୁ ଯାଉଥିଲି, କୌଣସି କଥାକୁ ବୁଝିଲା ଭଳି ମନ ମୋର ନଥିଲା । ଅଙ୍ଗୁଳି ନିର୍ଦ୍ଦେଶରେ ତରୁଣୀର ସ୍ପୀତ ବକ୍ଷକୁ ସଂକେତ କଲି ।

 

ସଙ୍ଗେ ସଙ୍ଗେ ଏକ ଭୟଙ୍କର ବିସ୍ଫୋରଣ ସୃଷ୍ଟି ହେଲା । ତରୁଣୀଟି କ୍ରୋଧରେ ପହଁରା ମୁଠା ଧରି ଠିଆ ହୋଇଗଲା ମୋତେ ପ୍ରହାର ଉଦ୍ଦେଶ୍ୟରେ । ମୁଣ୍ଡରୁ ମୋର ଭୂତ ଓହ୍ଲେଇଗଲା । କୁଆଡ଼େ ଯାଇ ଯେ ଲୁଚିଲି ତାର ସନ୍ଧାନ କେହି ପାଇଲେ ନାହିଁ ।

 

ମୋର ସେଇ କୀର୍ତ୍ତି କଥା ସମସ୍ତେ ଶୁଣିଲେ । କିନ୍ତୁ ମୋତେ କେହି ଦୋଷୀ ନକରି, ସେହି ନିରୀହା ତରୁଣୀଟିକୁ ଦୋଷ ଦେବାକୁ ସେ ଗଳିର ପ୍ରତ୍ୟେକ ପ୍ରାୟ ଅଣ୍ଟାଭିଡ଼ି ଠିଆ ହେଲେ । ମାତ୍ର ମୋର ଅପରାଧୀ ମନ, ଭିତରେ ଭିତରେ ସମସ୍ତଙ୍କ ଅନ୍ତରାଳରେ ନିଜର ଔଦ୍ଧତ୍ୟ ଲାଗି ଅନୁତପ୍ତ ନିଆଁରେ ଦଗ୍ଧ ହେବାକୁ ଲାଗିଲା ।

 

‘ପ୍ରତିଶୋଧ’ ନାଟକ ଅଭିନୟ ବେଳେ ଦିନେ ଗୁରୁଦେବଙ୍କ ଉପରକୁ ଆସିଲା ଏକ ବିପଦ । ଦର୍ଶକରେ ପେଣ୍ଡାଲ୍‍ ସେଦିନ ଭରପୂର । ଅଭିନୟର ଗତି ବେଶ୍‌ ବଢ଼ି ଯାଇଥାଏ । ନାଟକର ଗୋଟିଏ ଦୃଶ୍ୟରେ ଆମର ଖଣ୍ଡାୟତ୍‌ ସମ୍ପ୍ରଦାୟଙ୍କୁ ଏକ ଆକ୍ଷେପମୂଳକ ଶ୍ଳୋକଟିଏ ଥାଏ-। ଶ୍ଳୋକଟି ଥିଲା ଏଇ ମର୍ମରେ–

 

“ଅଶ୍ଵ ପୃଷ୍ଠେ ଗଜାରୂଢ଼େ, ଅଥବା ନରବାହନେ

ତଥାପି ଜାତି ମହାତ୍ମ୍ୟ ନ ଚଷା ସଜନାୟତେ ।”

 

ଅଭିନୟ ସମୟରେ ଏଇ ଉକ୍ତିଟି ଶୁଣି ହଠାତ୍‌ ଜଣେ ଭଦ୍ରଲୋକ ଦର୍ଶକ ଗ୍ୟାଲେରୀରୁ ଉଠିଆସି ମଞ୍ଚଉପରେ ଠିଆ ହୋଇ ପ୍ରତିବାଦ କରି କାଳି ବାବୁଙ୍କୁ ଆହ୍ଵାନ ଦେଲେ, ଏବଂ ନାଟକଟିକୁ ପରିବର୍ତ୍ତନ ପାଇଁ ଦାବି ଜଣେଇଲେ । ଆମେ ତାଙ୍କର ସେ ଅବସ୍ଥା ଦେଖି ଥରହର । ଅଭିନୟ ଅଧାରୁ ବନ୍ଦ କରାଗଲା । ପ୍ରତିବାଦୀଙ୍କ ନିକଟରେ ଗୁରୁଦେବ କ୍ଷମା ଚାହିଁଲେ । ପ୍ରତିବାଦୀ ଥିଲେ ସେଦିନ ଶ୍ରୀ ପବିତ୍ରମୋହନ ପ୍ରଧାନ ।

 

କାହିଁକି କେଜାଣି ବିଧାତା ଆମ ଉପରେ ଦାଉ ସାଧିଲା ଠିକ୍‌ ଏଇଦିନଟିଠାରୁ । ଭଲ ଦର୍ଶକ ହେଲେ ନାହିଁ । ମନ ଆମର ଫିକା ପଡ଼ିଗଲା । କଟକବାସୀଙ୍କ ଆଖିରେ ଲାଗିଲା ସିନେମା ଚାଟ୍‌ । ଅଳ୍ପ ପଇସା ଦେଇ ଯୁଦ୍ଧ ଛବି ଦେଖିବାକୁ କ୍ୟାପିଟାଲ ଆଉ ହଲ୍‌ମୁକରେ ଚାଲିଲା ଦଳାଚକଟା ।

 

ଗୁରୁଦେବ ଚିନ୍ତା କରୁଥାନ୍ତି ଅନୁଷ୍ଠାନକୁ ଆଉ କେମିତି ଟିକିଏ ପରିବର୍ତ୍ତନ କରି କଟକରେ ନୂଆ ରୂପରେ ପୁଣି ଦେଖାଦେବାକୁ । ରାସ ଦଳର ଅନ୍ୟମାନେ କିନ୍ତୁ କାଳି ବାବୁଙ୍କର ଏଭଳି ଚିନ୍ତା ଯେ ତାଙ୍କ ମନରେ ଉଙ୍କିମାରୁଛି ସେ ବିଷୟରେ କିଛି ଜାଣି ପାରୁନଥିଲେ । ଦଳରେ ପିଲାସବୁ କ୍ରମେ କ୍ରମେ ବଢ଼ି ଉଠୁଥାନ୍ତି । ଚେହେରା ସବୁ ରୁକ୍ଷ ହୋଇ ଆସୁଥାଏ । କେତେ ପିଲାଙ୍କର ଗଳା ଫାଟି ଯାଇଥାଏ । କେବଳ ମୁଁ ମୋର ମଧୁମଙ୍ଗଳ ଭୂମିକା ପାଇଁ ଠିକ୍‌ ଥାଏ । କାରଣ ମୋର ବୟସ ହେଇଥିଲେ ମଧ୍ୟ ଦେଖିବାକୁ ଥିଲି ଗେଡ଼ା । କିନ୍ତୁ ରାଧା, କୃଷ୍ଣ, ଲଲିତା, ବିଶାଖା ଇତ୍ୟାଦି ଭୂମିକା ଲାଗି ଅନ୍ୟ ଯୋଉ ପିଲା ଥିଲେ, ସେସବୁ ପ୍ରାୟ ବଡ଼ ଦିଶୁଥିଲେ ।

 

ମୁଁ କିନ୍ତୁ କାଳି ବାବୁଙ୍କର ଗତିବିଧ‌ିକୁ ଲକ୍ଷ୍ୟ କରୁଥାଏ । ସେ ଚାହୁଁଥାନ୍ତି କେମିତି ପ୍ରକାରରେ ବଡ଼ ବଡ଼ ଝିଅପିଲାଙ୍କୁ ଯୋଗାଡ଼ କରାଯାଇ ପାରିଲେ, ତାଙ୍କୁ ନେଇ ନୂତନ ସଂସ୍ଥା ଗଢ଼ାଯାଇପାରିବ । ଯାହା ମୁଁ ଲକ୍ଷ୍ୟ କରୁଥିଲି ସେଥିରୁ ଜଣାପଡ଼ୁଥିଲା, କାଳି ବାବୁ ସମ୍ପୂର୍ଣ୍ଣ ଭାବରେ ନିଜର ରାସଦଳକୁ ଭାଙ୍ଗିଦେବାକୁ ଚାହୁଁନଥିଲେ । ଚାହୁଁଥିଲେ ପୁରୁଣାପିଲାଙ୍କ ଭିତରୁ କେତେକଙ୍କୁ ରଖି ସେମାନଙ୍କ ସହିତ ଆଉ କେତେକ ନୂଆ ପିଲା ମିଶେଇ ରାସରେ କେତେକ ନୂଆ ପରିବର୍ତ୍ତନ ଆଣିବେ ଏବଂ ତା’ ସଙ୍ଗେ ସଙ୍ଗେ ଅଭିନେତ୍ରୀ ସଂଗ୍ରହ କରି ଅନ୍ୟ ଦଳ ଗଠନ କରି ପୁରୁଣା ରାସ ଅନୁଷ୍ଠାନର ଅବସାନ ଘଟେଇବେ ।

 

କିନ୍ତୁ ଆମ ସମସ୍ତଙ୍କର ମନ ଅନୁଷ୍ଠାନରେ ଫାଟି ଫାଟି ଆସୁଥାଏ । ପ୍ରତ୍ୟେକ ଭାବୁଥାଉ (ମୁଷ୍ଟିମେୟ କେଇଜଣଙ୍କୁ ବାଦ୍‌ଦେଇ) ରାସ ପାର୍ଟି କେମିତି ଚଞ୍ଚଳ ଭାଙ୍ଗିଯାଉ ଓ ଆମେମାନେ ଯମ ଯନ୍ତ୍ରଣାରୁ ତ୍ରାହି ପାଇଯାଉ । ୟା’ର ପ୍ରଧାନ କାରଣ ଥିଲା–କାଳି ବାବୁଙ୍କର ସ୍ଵାର୍ଥପର ମନୋଭାବ ବେଳକୁବେଳ ବଢ଼ି ଉଠୁଥାଏ । ମନରେ ଗୋଟାଏ କଥା ଓ ମୁହଁରେ ଗୋଟାଏ କଥା, ତାଙ୍କର ଥିଲା ଶ୍ରେଷ୍ଠ ନୀତି ।

 

ଶ୍ରୀ ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଯେପରି ପ୍ରଥମେ ରାସଦଳରୁ ଡେଇଁପଡ଼ି ଚଳଚ୍ଚିତ୍ର ଜଗତରେ ସ୍ଵୟଂସମ୍ପୂର୍ଣ୍ଣ ହେଇଯିବାକୁ ଆଶା ପୋଷଣ କରି ‘ସୀତା ବିବାହ’ ଫିଲ୍ମ ପାଇଁ ବ୍ୟାକୁଳତା ପ୍ରକାଶ କଲେ, ସେହିପରି କାଳି ବାବୁ ମଧ୍ୟ ଚଳଚ୍ଚିତ୍ର କରିବାକୁ ସ୍ଵପ୍ନ ଦେଖୁଥିଲେ । ଉଭୟ ଥିଲେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ବ୍ୟକ୍ତି । ଶ୍ରୀଯୁକ୍ତ ଗୋସ୍ଵାମୀ ଓ ଶ୍ରୀଯୁକ୍ତ ପଟ୍ଟନାୟକ, ଗୋଟିଏ ନଦୀର ଦୁଇଟି ତୀର । ଗୋଟିଏ ଦନ୍ତୁରିତ ଓ ଅନ୍ୟଟି ଭୁଷା ବାଲିରେ ପୂର୍ଣ୍ଣ ।

 

କାଳି ବାବୁ ବେଳେବେଳେ ଯୋଉ ଚଳଚ୍ଚିତ୍ର ପ୍ରସ୍ତୁତ କରିବାଲାଗି ଲୋକ ଦେଖାଣିଆ କଥା କହୁଥିଲେ, ତାର ଅର୍ଥ ଥିଲା ଅଲଗା । ରଙ୍ଗମଞ୍ଚ ଲାଗି କାଳେ ଅଭିନେତ୍ରୀ ହେବାକୁ ସୁନ୍ଦର, ସୁଶ୍ରୀ ଝିଅମାନେ ରାଜି ହୋଇ ଆସିବେ ନାହିଁ, ଏଥ‌ିପାଇଁ ପ୍ରଚାର କଲାବେଳେ ଚଳଚ୍ଚିତ୍ର ଶବ୍ଦଟାକୁ ଯୋଡ଼ୁଥିଲେ । ୟା’ଛଡ଼ା, ଆମେ ପୁରୁଣା ପିଲାମାନେ ଚଳଚ୍ଚିତ୍ର ହେବା କଥା ଜାଣି କାଳେ ଆମମାନଙ୍କର ମନ ବଦଳେଇ ସେଇ ଢୋକେ ପିଇ, ଦଣ୍ଡେ ଜିଇଁ ଅବସ୍ଥାରେ ତାଙ୍କ ନିକଟରେ ପଡ଼ି ରହିବୁ, ସେଇ ଉଦ୍ଦେଶ୍ୟରେ ଆମକୁ ଶୁଣେଇ ସେ ଚଳଚ୍ଚିତ୍ର ଶବ୍ଦଟାକୁ ବାରବାର ମୁହଁରେ ଉଚ୍ଚାରଣ କରୁଥିଲେ ।

 

ଏତେବେଳକୁ ହଟକିଶୋର କୃଷ୍ଣ ଭୂମିକା ଓ ହରିହର–ଶ୍ରୀରାଧା, ବାଞ୍ଛାନିଧି–ଲଳିତା, ନବୀନଚନ୍ଦ୍ର–ବୃନ୍ଦାବତୀ, ମୁଁ–ମଧୁମଙ୍ଗଳ କରୁଥାଉ । ଆମ ସାଙ୍ଗକୁ କେତେକ ନୂଆ ପିଲା ‘ନିମାଇ’, ‘ଅନନ୍ତ’, ‘ଈଶ୍ଵର’, ‘ଗୋପୀ’, ‘ମାୟାଧର’, ‘ଧଡ଼ି’ ଆଦି ଯୋଗ ଦେଇଥାନ୍ତି ।

 

କାଳି ବାବୁ ଚଳଚ୍ଚିତ୍ର ପ୍ରସ୍ତୁତ କରୁଛନ୍ତି ବୋଲି କଟକ ସାରା ଚହଳ ପଡ଼ିଥାଏ । ଖବର କାଗଜରେ ଖବର ପ୍ରକାଶ ପାଇଥାଏ । ଆମରି ଠିକଣାରେ ଆସୁଥାଏ ଗୋଛା ଗୋଛା ଦରଖାସ୍ତ ସହ ବହୁ ପୁଅ, ଝିଅଙ୍କର ଫଟୋ । ସେଇସବୁ ଦରଖାସ୍ତଗୁଡ଼ିକରେ କେତେ ଯୁବକ, କେତେ ଯୁବତୀ ନିଜର ଛବି ପଠେଇବା ସଙ୍ଗେ ସଙ୍ଗେ ବିନୟ ସହକାରେ ଯେପରି ନିଜର ମନକଥା ସବୁ ଲେଖୁଥାନ୍ତି ସେ ବିଷୟ ପଢ଼ିଶୁଣି ମନରେ ଯେତିକି ଆନନ୍ଦ ଜାତ ହେଉଥାଏ, ସେତିକି ଦୁଃଖ ଲାଗୁଥାଏ ମଧ୍ୟ ।

 

ଡାକ୍ତର ଅଦୈତ ବଲ୍ଲଭ ମହାନ୍ତି ଆମ ପାଖକୁ ଆସୁଥା’ନ୍ତି । ଆଉ ଜଣେ ଶ୍ରୀ ସୁରେନ୍ଦ୍ର ମହାନ୍ତି ମଧ୍ୟ ଆସିଲେ । ଏଇ ଦୁଇଜଣ ଥିଲେ ଚଳଚ୍ଚିତ୍ର ସୀତାବିବାହର ପ୍ରସିଦ୍ଧ ଅଭିନେତା । ଶ୍ରୀ ସୁରେନ୍ଦ୍ର ମହାନ୍ତି–ପର୍ଶୁରାମ ଚରିତ୍ରରେ ଏବଂ ଶ୍ରୀ ଅଦ୍ଵୈତ ବଲ୍ଲଭ ମହାନ୍ତି–ଲକ୍ଷ୍ମଣ ଚରିତ୍ରରେ ଦେଖା ଦେଇଥିଲେ । ସାଧାରଣ ଲୋକଙ୍କ ନିକଟରେ ଏ ଦୁହେଁ ଥିଲେ ଖୁବ୍‌ ବଡ଼ । ଆଉ ଆମମାନଙ୍କ ଭଳି ରାସ ପିଲାଙ୍କ ନିକଟରେ ଥିଲେ ଦୁଇଟି ଦେବତା ଭଳି । ସର୍ବସାଧାରଣ କାଳି ବାବୁଙ୍କର ଫିଲ୍ମ କରିବା କଥାକୁ ବିଶ୍ଵାସ କରୁଥିଲେ; ଯେହେତୁ ଏଇ ଚଳଚ୍ଚିତ୍ର ଅଭିନେତା ଦୁଇଜଣ କାଳି ବାବୁଙ୍କ ସହିତ ଅତି ନିକଟ ସମ୍ପର୍କ ରଖିଥିଲେ ।

 

କାଳି ବାବୁଙ୍କର ପୁରୀରେ ଯୋଉ ‘ସଂଗୀତ ପ୍ରଭା’ ପ୍ରେସ୍‌ ଖଣ୍ଡିକ ଥିଲା, ତାହା ବାଙ୍କୀକୁ ଘେନିଆସି ସେମିତି ବନ୍ଦକରି ରଖାଯାଇଥିଲା । ସେଇ ପ୍ରେସ୍‌ ଖଣ୍ଡିକ କଟକ ଆଣି ଚଳେଇବାକୁ କାଳି ବାବୁ ମନସ୍ଥ କଲେ ଏବଂ ସେଥିଲାଗି ଗୋଟିଏ ବଡ଼ ଭଡ଼ାଘର ଦରକାର ହଉଥ‌ିବାରୁ ଖୋଜା ଚାଲିଲା ଘର ।

 

ଘର ମିଳିଲା ଜଗନ୍ନାଥ ବଲ୍ଲଭ ମଠ ନିକଟରେ । ଆମେମାନେ ବାଙ୍କା ବଜାର ବସା ଛାଡ଼ି ଚାଲିଲୁ ନୂଆ ବସାକୁ । ଅଳ୍ପ ଦିନ ପରେ ପ୍ରେସ୍‌ଟି ଚାଲିଆସିଲା ସେଇ ବସା ଘରକୁ । ସଙ୍ଗୀତ ପ୍ରଭା ନାମ ପରିବର୍ତ୍ତନ କରାଯାଇ ନୂଆ ନାମ ରଖାଗଲା “କାଳି ପ୍ରେସ୍‌”।

 

ଜଗନ୍ନାଥ ବଲ୍ଲଭର ଉକ୍ତ ଭଡ଼ାଘରଟି ଥିଲା, କଲିକତାର ଜଣେ ବଙ୍ଗୀୟ ଭଦ୍ରଲୋକଙ୍କର । ଗୃହସ୍ୱାମୀ କିନ୍ତୁ ଖଡ଼ଗପୁରରେ ରହୁଥିଲେ ଏବଂ କଟକରେ ଥ‌ିବା ଘରଟି ‘ସାଦି’ ମାଉସୀ (ଭ୍ରମର ବେହେରାଙ୍କ ମା)ଙ୍କ ଜିମାରେ ଥିଲା । ସେହି ‘ସାଦି’ ମାଉସୀଙ୍କଠାରୁ କାଳି ବାବୁ ସେହି ଭଡ଼ା ଘରଟିକୁ ନେଇଥିଲେ ବସା ପାଇଁ ।

 

ସେଇ ଭଡ଼ାଘରେ ରହିଲୁ ଆମେ । ଆମେ ସେଠାରେ କିଛିଦିନ ରହିବାପରେ ଛାପାଖାନାଟି ଆସି ସେଇ ଘରେ ପ୍ରତିଷ୍ଠା କରାଗଲା । ଭଡ଼ାଘରଟି ଥିଲା ଦୁଇଟି ଖଞ୍ଜା l ଗୋଟିଏ ଖଞ୍ଜାରେ ଆମେମାନେ ରହିଲୁ ଏବଂ ଅନ୍ୟ ଖଞ୍ଜାରେ ରହିଲା ଛାପାଖାନା ‘କାଳି ପ୍ରେସ୍‌’ । ଛୋଟ ହ୍ୟାଣ୍ଡ୍‌ ପ୍ରେସ୍‌ଟିଏ । ଏଥିରେ କାମ କରିବାପାଇଁ ଯଦିଚ ନୂଆ କର୍ମଚାରୀ କେତେଜଣ ରହିଲେ, ତଥାପି ଧୀରେଧୀରେ ଛୋଟ ଛୋଟ କାମରେ ସହଯୋଗ କରିବାର ସୁଯୋଗ ଆମମାନଙ୍କୁ ମଧ୍ୟ ଦିଆଗଲା ।

 

ସୁଯୋଗ ପାଇ ଆମ ଭିତରୁ କେତେକ ପ୍ରେସ୍ ଚଳେଇବା, କମ୍ପୋଜ କରିବା, ଫର୍ମା କସିବା, କାଗଜ କାଟିବା, ପ୍ରୁଫ୍ ଦେଖିବା ଆଦି କାମ ସବୁ ଶିକ୍ଷା କଲେ ।

 

ଶ୍ରୀ ସୁରେନ୍ଦ୍ର ନାଥ ମହାନ୍ତି–ଫିଲ୍ମ ଆକ୍ଟର, କାଳି ପ୍ରେସ୍‌, ଜଗନ୍ନାଥ ବଲ୍ଲଭ–କଟକ ।

 

ସୃଷ୍ଟିହେଲା ନୂତନ ବିଭ୍ରାଟ । ମୁଦ୍ରଣ ପ୍ରମାଦ ଯୋଗୁଁ ଠିକଣାଟି ଭୁଲ ପ୍ରକାଶ ପାଇଲା । ଯୋଉସବୁ ସମ୍ବାଦପତ୍ରରେ ବିଜ୍ଞାପନ ଦିଆଯାଇଥିଲା, ସେଥିରେ, ସେଇ ଗୋଟିଏ ଏକାପ୍ରକାର ପ୍ରମାଦ ରହିଗଲା । ଶ୍ରୀ ସୁରେନ୍ଦ୍ର ନାଥ ମହନ୍ତି, କାଳି ପ୍ରେସ୍, ଫିଲ୍ମ ଆକ୍ଟର, ଜଗନ୍ନାଥ ବଲ୍ଲଭ, କଟକ ।

 

ଡାକବାଲା ବଡ଼ ମୁସ୍କୁଲିରେ ପଡ଼ିଲେ । ଚିଠି, ଦରଖାସ୍ତଗୁଡ଼ିକ ହାତରେ ଧରି, ଠିକ୍‌ ସ୍ଥାନକୁ ଆସି ହଇରାଣ ହେଲେ । ଅବଶ୍ୟ ବିଳମ୍ବରେ ହେଲେ ମଧ୍ୟ ଚିଠିପତ୍ର ଆସିଲା । କିନ୍ତୁ ଏ ବିଷୟଟି ପ୍ରାୟ ପ୍ରତ୍ୟେକଙ୍କୁ ହସର ଖୋରାକ ଜୁଟେଇଲା । ଅବସ୍ଥା ଏମିତି ହେଲା ଯେ, ଶ୍ରୀ ମହାନ୍ତି ବାଟରେ ଚାଲିବା କଷ୍ଟକର ବ୍ୟାପାର ହେଲା । ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସୁରେନ୍ଦ୍ର ବାବୁଙ୍କ ନାଁ ଆଗରେ ଫିଲ୍ମ ଆକ୍ଟର ଶବ୍ଦକୁ ଯୋଡ଼ିଦେଇ ଡାକ ଛାଡ଼ିଲେ ।

 

ଠିକ୍‌ ବାସନ୍ତୀ ପେଣ୍ଡାଲର ମୁହାଁମୁହିଁ ଆମେ ଜଗନ୍ନାଥ ବଲ୍ଲଭ ମଠର ସ୍ନାନ ମଣ୍ଡପ ନିକଟରେ ଗୋଟିଏ ଅସ୍ଥାୟୀ ଷ୍ଟେଜ୍‌ ତିଆରି କଲୁ ଓ ସେଥିରେ ଅଭିନୟ ଆରମ୍ଭ କଲୁ । ଭଲ ଫଳ କିନ୍ତୁ ଫଳିଲା ନାହିଁ । ସମସ୍ତଙ୍କ ମନ କେବଳ ଉଡ଼ୁଥୁଲା କେମିତି ସୁଯୋଗ ମିଳିଲେ ନିଜ ନିଜ ଘରକୁ ପଳେଇଯାଇ ବଞ୍ଚିଯିବେ । କାହାରି ଆଉ ଉତ୍ସାହ ନଥିଲା, ସାହସ ନଥିଲା । ଅଭିନୟ ପାଇଁ ଯିବାବେଳେ ହାଣକୁ ଗଲାପରି ଲାଗୁଥିଲା ।

 

ମୁଁ ଭଲ ଭାବରେ ଜାଣିଥିଲି ଯେ, ଅନୁଷ୍ଠାନର ସମସ୍ତଙ୍କ ମନ ଏପରି ଦିନକୁଦିନ ଭାଙ୍ଗିପଡ଼ୁଥିଲା । ତାର ପ୍ରଧାନ କାରଣ ଥିଲା–ଅଭିନୟକାରୀଙ୍କ ପ୍ରତି କାଳି ବାବୁଙ୍କର ବୈରଭାବ ।

 

ଦେଶ ସାରା ଜଳୁଥାଏ ବିପ୍ଳବର ବହ୍ନି । ଓଡ଼ିଶା ସେଥିରୁ ବାଦ୍‌ ଯିବ କିପରି ? ଚାରିଆଡ଼େ ଅଶାନ୍ତିର ବାତାବରଣ । ମଣିଷ ମଣିଷ ଭିତରେ ଦେଖା ଦେଇଥାଏ ସନ୍ଦେହର ଘନ କୁହୁଡ଼ି । କ୍ରମେ କ୍ରମେ କୃତ୍ରିମ ସଭ୍ୟତା ମଥା ଟେକୁଥାଏ ଏବଂ ତା’ ସଙ୍ଗେସଙ୍ଗେ ଲୋପ ପାଇଯାଉଥାଏ ମଣିଷ ମନରୁ ସୌନ୍ଦର୍ଯ୍ୟବୋଧ ଓ ହଜିଯାଉଥାଏ ପ୍ରାଣ–ପ୍ରାଚୁର୍ଯ୍ୟଭରା ଚିରନ୍ତନ ସତ୍ୟ, ଶିବ, ସୁନ୍ଦରଙ୍କ ଭାବଧାରା । ଭାରତୀୟ ଜନତା ଏକମୁହାଁ ହୋଇ ଧାଇଁ ଚାଲିଥାନ୍ତି ଗୋଟିଏ ଦିଗକୁ । ସେ ଧାଇଁବାରେ ଯେମିତି ବିରାମ ନଥାଏ । ସମସ୍ତଙ୍କ ମୁହଁ ଆଗକୁ, ପ୍ରତ୍ୟେକ ଆଖିର ଦୃଷ୍ଟି ସେହି ଏକ କେନ୍ଦ୍ରବିନ୍ଦୁ ଉପରେ । ଆମେ ସ୍ଵାଧୀନ ହେବୁ । ଆମେ ପରାଧୀନ ଶୃଙ୍ଖଳାରୁ ମୁକ୍ତ ହେବୁ । ସମସ୍ତଙ୍କ ମନରେ ସ୍ଵାଧୀନତା ପାଇବାର ଆଶା । ମହାମାନବ ଗାନ୍ଧିଜୀଙ୍କର ପଦାଙ୍କ ଅନୁସରଣ କରିବା ହୋଇଥାଏ ପ୍ରତ୍ୟେକ ଭାରତୀୟଙ୍କ ଧର୍ମ । ଧନୀ, ଦରିଦ୍ର, ଛୋଟ, ବଡ଼, ପୁରୁଷ, ସ୍ତ୍ରୀ ନିର୍ବିଶେଷରେ ସମସ୍ତଙ୍କ ହୃଦୟରେ ସେହି ଗୋଟିଏ କାମନା, ଗୋଟିଏ ଇଚ୍ଛା, ଦିଲ୍ଲୀକା ଲଡ଼ୁ ପାଇବାପାଇଁ; ମାତ୍ର, ସେ ଲଡ଼ୁର ସ୍ଵାଦ ମିଠା କି ଖଟା ସେକଥାକୁ କେହି ବିଚାର ନକରି ସେହି ଲଙ୍ଗଳା ଫକୀରଙ୍କ ଜୀର୍ଣ୍ଣ ପାଦରେ ପାଦ ମିଳେଇ ଦେଶର ଆବାଳବୃଦ୍ଧବନିତା ଧାଇଁଥା’ନ୍ତି ଅଣନିଶ୍ୱାସୀ ହୋଇ । ପଛକୁ ଚାହିଁବାର ଅବସର ନଥାଏ କାହାର ।

 

ମୋର ଯେତେଦୂର ମନେହୁଏ ସେ ସମୟରେ ପ୍ରତ୍ୟେକ ମଣିଷ ନିଜର ଏଇ ବ୍ୟାକୁଳତା ଯୋଗୁଁ ଭୁଲିଯାଇଥିଲେ ଆପଣାର କଳା, ସଂସ୍କୃତି, ବସନଭୂଷଣ, ସବୁକିଛି । ଭାଷାରେ, ଭାବରେ, ଅଭିନୟରେ ସବୁଠାରେ ସମସ୍ତେ ଖୋଜୁଥୁଲେ ଗୋଟିଏ କଥାକୁ । ଜନଜାଗରଣ ପାଇଁ ମନମତାଣିଆ ଦୁଇପଦ ଅଗ୍ନିମଖା ଗରମ କଥା । ଦେଶାତ୍ମବୋଧକ ଦୁଇଧାଡ଼ି ରକ୍ତବୋଳା ସଂଗୀତ ।

 

ସମ୍ଭବତଃ ଏଇଦୃଷ୍ଟିରୁ ଆମ ଅଭିନୟ ଦେଖିବାକୁ ଦର୍ଶକମାନଙ୍କ ଭିଡ଼ ଟିକିଏ କମିଯାଇଥିଲା । ଯଦିଓ କଳା ପରିବେଷଣର ଆମେ କେବେ କାର୍ପଣ୍ୟତା ପ୍ରକାଶ କରୁନଥିଲୁ ତଥାପି ଅଳ୍ପ ସଂଖ୍ୟକ ଦର୍ଶକ ମଣ୍ଡଳୀ ଦର୍ଶନରେ ମନ ଟିକିଏ ଦବିଯାଉଥିଲା । ଅବଶ୍ୟ ରଙ୍ଗମଞ୍ଚ ପ୍ରତି ଗୋଟାଏ ବିରାଟ ପ୍ରତିବନ୍ଧକ ଭାବେ ସିନେମା ଗୃହସବୁ ମୁଣ୍ଡ ଟେକୁଥାଏ । ତେବେ ଆମମାନଙ୍କର ଧାରଣା ଆସିଥାଏ ଯେ, ଯୋଉମାନେ ରଙ୍ଗମଞ୍ଚ ଦର୍ଶକ ସେମାନେ ନିଶ୍ଚିତ ଭାବରେ ଆସିବେ ।

 

ପୁରୁଣା ବହିଗୁଡ଼ିକ କିଛିଦିନ ଜଗନ୍ନାଥ ବଲ୍ଲଭ ଅସ୍ଥାୟୀ ମଞ୍ଚରେ ଅଭିନୟ କରୁ କରୁ କାଳି ବାବୁ ତାଙ୍କର ମାନଭଞ୍ଜନ ନାଟକଟିକୁ ଅଳ୍ପ ପରିବର୍ତ୍ତନ କରି ସେଥ‌ିରେ ନୂଆ ଧରଣର କେତେକ ସଂଗୀତ ଦେଇ ଆମକୁ ଶିଖେଇଲେ । ମାନଭଞ୍ଜନ ନାମ ନ ରଖି ବହିଟିର ନୂତନ ନାମଦେଲେ ‘ମାନିନୀ’ । ବେଶ୍‌ କିଛିଦିନ ପୂର୍ଣ୍ଣ ପ୍ରେକ୍ଷାଳୟରେ ଚାଲିଲା ସେ ।

 

ବିଜ୍ଞାପନ ପଢ଼ି ଯୋଗଦେଲେ କେତୋଟି ଝିଅପିଲା । ବାଲିକୁଦାର ଶଶିବାଇ ତାଙ୍କର ଝିଅ ‘ଟୁନିଆ’ (ସରୋଜିନୀ ମହାପାତ୍ର)ଙ୍କୁ ଧରି ଆସି ପହଞ୍ଚିଲେ । ତାପରେ ଆସିଲା ‘ବୁଦ୍ଧି’ ଆଠଗଡ଼ରୁ ଜଣେ ସ୍ତ୍ରୀଲୋକ । ତାଙ୍କର ଦୁଇଟି ଛୋଟ ଝିଅଙ୍କୁ କଟକ ଆଣି ଏଇ ସମୟରେ ଗୋଟିଏ ଝିଅକୁ ମସଜିଦ୍‌ ଗଳିରେ ପ୍ରଭାଦେବୀଙ୍କୁ କେତୋଟି ଟଙ୍କାରେ ଏବଂ ଅନ୍ୟ ପିଲାଟିକୁ କାଳି ବାବୁଙ୍କୁ ସାତଟଙ୍କା ଦେଇ ଚାଲିଗଲେ ।

 

ଅନେକ ଆଗରୁ ଆପଣମାନଙ୍କୁ ସୂଚନା ଦେଇଛି ଯେ; ଆମମାନଙ୍କର ଅଭିଭାବକମାନେ ଟଙ୍କା ପାଇଁ କେବେ କେବେ ଅନୁଷ୍ଠାନକୁ ଆସିଲେ କାଳି ବାବୁ ସେମାନଙ୍କ ପ୍ରତି ମୋଟେ ଭଦ୍ର ଆଚରଣ ପ୍ରଦର୍ଶନ କରୁନଥିଲେ । ଯେପରି ସେମାନେ ରିକ୍ତହସ୍ତରେ ଫେରିଯାଆନ୍ତି ଏଇୟା ଥିଲା ଗୁରୁଦେବଙ୍କ ଲକ୍ଷ୍ୟ ।

 

ଦିନେ ଆସିଲେ ମୋର ବଡ଼ଭାଇ । କାଳି ବାବୁଙ୍କ ମଥାରେ ଯେମିତି କିଏ ଗୋଟାଏ ପଥର ଲଦିଦେଲା । ଭାଇ ମୋର ରହିଲେ, ଖାଇ ବିଶ୍ରାମ ନେଲେ । କାଳି ବାବୁ ମୋତେ ଗୋପନରେ ଡାକି ଗୁଡ଼ାଏ ହିତ ଉପଦେଶ ବଖାଣିଗଲେ । କଥାଗୁଡ଼ାକ କାନରେ ମୋର ଟାଇଁ ଟାଇଁ ବାଜୁଥାଏ–“ଏଣିକି ଧୀରେ ଧୀରେ ବଡ଼ ହଉଛୁ, ବୁଦ୍ଧି ବଢୁଛି । ନିଜର ଭବିଷ୍ୟତ କଥା ଚିନ୍ତାକର । ଭାଇମାନେ ତୋର କ’ଣ କରିବେ ? ପଇସାପତ୍ର କିଛି ସଞ୍ଚି ରଖ୍‌ । ତୁ କହିଲେ, ତୋ ନାମରେ ଅଲଗା ସଞ୍ଚୟ ଜମା ଖୋଲିଦେବି । ମୋ’ରି ସାମନାରେ ଭାଇକୁ ମନାକରିଦେ ଟଙ୍କାପଇସା ଏଠାରୁ ନେବାକୁ । ସେ କିଏ ?’’

 

ସତକୁସତ ଭୁଲିଗଲି ମୁଁ । କାଳି ବାବୁଙ୍କୁ ମୁଁ ଭଲଭାବେ ଜାଣିଥିଲେ ବି ତାଙ୍କରି କଥାରେ ଭାସିଯାଇ ତାଙ୍କରି ସାମନାରେ ଭାଇଙ୍କୁ ମୋର ମନା କରିଦେଲି । ପିଲାଟି ଦିନରୁ ଯାହାଙ୍କର ମୁହଁ ଉପରେ ମୁଁ କେବେ କଥା ପଦେ କହିବାକୁ ସାହସ କରିନଥିଲି, ଶେଷରେ ମୋର ପିତୃପ୍ରତିମ ବଡ଼ ଭାଇଙ୍କ ମୁହଁ ଉପରେ କାଳି ବାବୁଙ୍କୁ ଟଙ୍କା ଦେବାକୁ ନାହିଁ କରିଦେଲି ।

 

ସେଦିନର ସେଇ ଅଶୁଭ ମୁହୂର୍ତ୍ତରେ ମୁଁ ଯେଉଁ ଅପରାଧ ଅର୍ଜନ କରିଥିଲି, ସେ ଅପରାଧର ପ୍ରାୟଶ୍ଚିତ ହୁଏତ ଏ ଜୀବନରେ କରିପାରିବି କି ନା ସନ୍ଦେହ । ଭାଇ ମୋର ମୋ ନିକଟରୁ ସେଦିନ ଯୋଉ ଅବସ୍ଥାରେ ଘରକୁ ଫେରିଥିଲେ, ସେ ଦୃଶ୍ୟ ଏବେ ମଧ୍ୟ ଆଖିରେ ନାଚିଯାଉଛି ।

 

ବାସ୍ତବରେ କାଳି ବାବୁ ଯେ କେତେ ନିଷ୍ଠୁର ହେଇପାରଛି, ଅନ୍ୟ ମଣିଷର କେତେ ସର୍ବନାଶ ଘଟେଇ ପାରନ୍ତି, ସେ ବିଷୟରେ ମୋର ଧାରଣା ଆଗରୁ ତାଙ୍କ ଉପରେ ଯାହାଥିଲା, ଏଇ ଘଟଣାଟି ପରେ କିନ୍ତୁ ସେ ଧାରଣା ଆହୁରି ଦୃଢ଼ ହୋଇଗଲା । କାଳି ବାବୁ ସର୍ବଦା ଚାହୁଁଥିଲେ ମୁଁ କେମିତି ମୋର ଘରର ସମ୍ପର୍କ ସମ୍ପୂର୍ଣ୍ଣ ତୁଟେଇଦେଇ ତାଙ୍କରି ନିକଟରେ ପଡ଼ି ରୁହେ । ଶେଷରେ ତାଙ୍କରି ଆଶା ପୂର୍ଣ୍ଣ ହେଲା । ମୋର ଘରର ଗୁରୁଜନମାନଙ୍କ ସହିତ ମୁଁ କିପରି ବିରୁଦ୍ଧାଚରଣ କରି ସେମାନଙ୍କଠାରୁ ବିଚ୍ଛିନ୍ନ ହୋଇ ରୁହେ ଏଇ ଲକ୍ଷ୍ୟରେ ସେ ଆମ ଦୁଇଭାଇଙ୍କ ଭିତରେ ବିଭେଦ–ବିହନ ପୋତିଦେଲେ । ଫଳରେ ଭଙ୍ଗାମନ ନେଇ ଭାଇ ମୋର ଫେରିଲେ ଘରକୁ ।

 

ମନ ମୋର ବିଦ୍ରୋହ କରିଉଠିଲା । ବାଲେଶ୍ଵରର ଅତୀତ ଦୁର୍ଘଟଣା କଥା ମନେପଡ଼ି ଛାତିଟା ଯେମିତି ଶତ ଖଣ୍ଡ ହୋଇ ଫାଟିଯିବାକୁ ଲାଗିଲା । ଖୋଜିଲି ବାଟ କାହିଁ ? କୋଉ ବାଟ ଦେଇ ଦୁଃସହପୂର୍ଣ୍ଣ ଯନ୍ତା–ଯନ୍ତ୍ରଣାରୁ ମୁକ୍ତ ହୋଇ ଜୀବନ ବଞ୍ଚେଇବି ?

 

କାଳି ବାବୁ ଥିଲେ ଖୁବ୍‌ ଚତୁର । ପୂଝାରୀ ଓ ଚାକରଙ୍କୁ ଗୋପନରେ ନିର୍ଦ୍ଦେଶ ଦେଇଥିଲେ, ଆମ ବସା ଘରର ପ୍ରଧାନ ଫାଟକରେ ରାତିରେ ତାଲା ବନ୍ଦ କରିବାକୁ । ଏଣୁ ରାତିରେ ଖସି କୁଆଡ଼େ ପଳେଇଯିବାର ଉପାୟ ନଥିଲା । ତଥାପି ଛୋଟ ପାଚେରି ଡେଇଁ ପଳେଇଯିବାକୁ ଓର ଉଣ୍ଡୁଥିଲି । ପୁଣି ପରମୁହୂର୍ତ୍ତରେ ମନକୁ ଆସୁଥିଲା–କୁଆଡ଼େ ଯିବି ? କାହା ନିକଟରେ ଆଶ୍ରୟ ଲୋଡ଼ିବି ? ଘରର ସମ୍ପର୍କ ତ ତ୍ରୁଟିଗଲା । ଭାଇ ମୋ’ ଉପରେ କ୍ଷୁବ୍ଧ ହୋଇ ଫେରିଛନ୍ତି । କିଏ ମୋତେ ଖାଇବାକୁ ଦେବ ? ସାଧାରଣ ମାମୁଲି ନାଟୁଆ ପିଲା ମୁଁ । ନାଟୁଆ ପିଲାଙ୍କ ପ୍ରତି ଓଡ଼ିଶାର ଜନସାଧାରଣଙ୍କର ଯେପରି ଅସମ୍ମାନଜନକ ଭୃକୁଞ୍ଚନ ରହିଛି, ସେଥ‌ିରେ ମହରଗରୁ ଯାଇ କାନ୍ତାରରେ ପଡ଼ିବି ସିନା ?

 

ସେ ସମୟରେ ଏବଂ ଏ ସମୟରେ ମଧ୍ୟ ଓଡ଼ିଶାରେ ଯେକୌଣସି ନାଟ୍ୟ କଳାକାରମାନଙ୍କ ପ୍ରତି ସମାଜର ପ୍ରାୟ ପ୍ରତ୍ୟେକ ସ୍ତରର ଲୋକ ଯୁକ୍ତିଯୁକ୍ତ ସମ୍ମାନ ପ୍ରଦର୍ଶନ କରୁନଥିଲେ କି କରୁନାହାନ୍ତି । ଏହା ମୋର ବ୍ୟକ୍ତିଗତ ଅନୁଭବର କଥା । ଅଭିନୟ ସମୟରେ ଆମର କଳାରସିକ ଦର୍ଶକ ମଣ୍ଡଳୀ ପ୍ରଶଂସା କରିବାରେ ଯେପରି ଶତମୁଖ ହୋଇପଡ଼ନ୍ତି, .ବାସ୍ତବରେ କିନ୍ତୁ ସେମାନେ ପ୍ରେକ୍ଷାଳୟ ଛାଡ଼ିବାପରେ କଳାକାରମାନଙ୍କ ସ୍ଥିତି ସମ୍ପର୍କରେ ଆଉ ବିଶେଷ ଚିନ୍ତା ବା ଚର୍ଚ୍ଚା କିଛି କରନ୍ତି ନାହିଁ । ସମଗ୍ର କଳାକାରମାନଙ୍କ ପାଇଁ ଜାତିର ଯେ କିଛି କର୍ତ୍ତବ୍ୟ ରହିଛି, ଏ ବିଷୟରେ ଆମର ଦର୍ଶକ ସମ୍ପୂର୍ଣ୍ଣ ଉଦାସୀନ ।

 

କଟକରେ ବାଲିଯାତ୍ରା ପର୍ବ ଖୁବ୍‌ ଆଡ଼ମ୍ବରପୂର୍ଣ୍ଣ ଭାବରେ ସେ ସମୟରେ ପାଳନ କରାଯାଉଥାଏ । କିନ୍ତୁ ଆମ ଭାଗ୍ୟରେ କେବେ ଦେଖିବାର ସୁଯୋଗ ମିଳିନଥାଏ । ସେ ପର୍ଯ୍ୟନ୍ତ ଆମେମାନେ କବାଟ କିଳା ଘର ଭିତରେ ପ୍ରାୟ ଆବଦ୍ଧ ହୋଇ ରହୁଥିଲୁ । କେବେ କୋଉଠାକୁ ଯିବାକୁ ହେଲେ ସାଙ୍ଗରେ ବଡ଼ ମଣିଷ ଯାଉଥିଲେ । ତେବେ କାଜି ବଜାରର କେତୋଟି ସାଙ୍ଗ ପିଲାଙ୍କ ସହିତ ଆମମାନଙ୍କର ପରିଚୟ ଥିଲା । ତାଙ୍କରିମାନଙ୍କ ଭିତରୁ ଜଣେ ଅଧେ ଆସି ଦିନେ ଆମକୁ ବାଲିଯାତ୍ରାର ଦହିବରା, ଆଳୁଦମ୍‌ର ତାରିଫ୍‌ ବିଷୟରେ କେତେକ କଥା ଶୁଣେଇଗଲେ ।

 

ଆଉ କି ମନ କୋଉଥରେ ଲାଗେ ? ସେ ଦୃଶ୍ୟ ନ ଦେଖିଥିଲେ.ବି, ସେ ମିଠା ନ ଚାଖି ଥିଲେ ବି, ଏକ ସମୟରେ ଆଖୁ ଆଉ ରସନା ବିଦ୍ରୋହ କରିଉଠିଲେ । ଅଭିନୟ ବନ୍ଦ ଥାଏ । ସନ୍ଧ୍ୟା ହେଲା । ଆମେମାନେ ପ୍ରତିଦିନ ପରି ରିହାର୍‌ସାଲ୍‌ରେ ମନ ଦେଲୁ । କାଳି ବାବୁ ତାଙ୍କର ଗୋଟିଏ ନୃତ୍ୟନାଟିକା ରଚନାରେ ବ୍ୟସ୍ତ ରହିଲେ । ନୃତ୍ୟନାଟିକାର ନାମ ଥିଲା ‘ହୋଲି’ ।

 

ଗ୍ରାମୋଫୋନ କମ୍ପାନୀ ଦ୍ଵାରା ଚାରିଖଣ୍ଡି ରେକର୍ଡ଼ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇ, ଛୋଟ ନାଟିକାଟିଏ ବଜାରରେ ବିକ୍ରି ହେଉଥାଏ । ଉକ୍ତ ହିନ୍ଦୀ ନାଟିକାରେ ଚାରୋଟି ସୁନ୍ଦର ହିନ୍ଦୀ ଗୀତ ଥାଏ । ସେଇ ରେକର୍ଡ଼ଗୁଡ଼ିକ ବଜେଇ, କାଳି ବାବୁ ଓଡ଼ିଆ ନୃତ୍ୟନାଟିକା ପ୍ରସ୍ତୁତ କରୁଥାନ୍ତି । ଗୀତ ଓ ସଂଳାପର ସମ୍ପୂର୍ଣ୍ଣ ନକଲ କରୁଥିଲେ ସେ ।

 

ହିନ୍ଦୀ ଗୀତ–“ହାର୍‌ ଗୟେ ତୁମ୍‌ ଚତୁର ଘନଶ୍ୟାମ୍‌

ହାର୍‌ ଗୟେ ହୋ କହ୍ନାଇ ।

XXX

ଓଡ଼ିଆ ଗୀତ–“ହାରିଲ ନା ତୁମେ ଚତୁର ନଟବର

ହାରିଲ ତ ହେ କହ୍ନାଇ ।

XXX

ହିନ୍ଦୀ ଗୀତ–“ସଖିରି ଭର୍‌ନେ ଦୋରି

ଶ୍ୟାମ କି ପିଚ୍‌କାରି ।

ଓଡ଼ିଆ ଗୀତ–“ସଖିରେ ଚତୁର ଶ୍ୟାମେ

ଦେବେ ପିଚ୍‌କାରି ।

 

ରାତି କ୍ରମେ ଘନେଇ ଆସୁଥାଏ, ସାମାନ୍ୟ ଶିତୁଳିଆ ପବନ ଲାଗି ଦିହ ଶିତେଇ ଉଠୁଥାଏ । ପୂର୍ଣ୍ଣ ପୂଜାରୀ ତାର ରୋଷେଇ ଘରେ କାମ କରିବାରେ ବ୍ୟସ୍ତ । ରିହାର୍‌ସାଲ ବନ୍ଦ ହେଲା । ଚାରିଆଡ଼େ ଅନ୍ଧାର, ଶୂନଶାନ୍‌ । ଆମେ କେତେଜଣ ପିଲା ଚଞ୍ଚଳ ହୋଇ ଉଠିଲୁ । ରାତି ଟିକିଏ ବଢ଼ିବାର ଦେଖି କାଳି ବାବୁ ବାଞ୍ଛା ଚାକରକୁ ଡାକପକେଇଲେ ଦାଣ୍ଡ ଦୁଆରେ ତାଲା ଦବାକୁ-

 

ରୋଷେଇ ସରିବାକୁ ଆଉ ଦୁଇଘଣ୍ଟା ବାକି । ୟା’ ଭିତରେ ଆମକୁ ଆଉ ଦରକାର ପଡ଼ିବ ନାହିଁ, ଏକଥା ମନରେ ସ୍ଥିର କରିନେଇ ବାଞ୍ଛା ଚାକର ତାଲା ବନ୍ଦକରି ପୂଜାରୀ ପାଖକୁ ଯିବା ସାଙ୍ଗେ ସାଙ୍ଗେ ମୁଁ, ଧଡ଼ିଆ, ଅନନ୍ତ, ବାଞ୍ଛା, ମାୟାଧର, ହଟ ଗୋଟିଏ ପରେ ଗୋଟିଏ, ପାଇଖାନା ପାଖ ନିଚା ପାଚେରି ଡେଇଁ ସଡ଼କକୁ ବାହାରି ପଡ଼ିଲୁ । ଭୟରେ ମନ ଆମର ଦବିଯାଉଥିଲେ ବି ବାଲିଯାତ୍ରାର ଦହିବରା ଓ ବରା, ପିଆଜି ପାଦ ଟାଣି ନଉଥିଲା । ମହାନଦୀ କୂଳ ଗଡ଼ଗଡ଼ିଆ ଘାଟ ଖୁବ୍‌ ଦୂରରେ ଥିଲେ ମଧ୍ୟ ସେଇ କାଜି ବଜାର ଜଗନ୍ନାଥ ମଠ ନିକଟକୁ ଯେମିତି ବରା, ପିଆଜିର ଭଜା ବେଳର ବାସନା ପବନରେ ଭାସି ଆସୁଥାଏ ।

 

ପଛକୁ ନ ଚାହିଁ ଆମେମାନେ ଧାଇଁଲୁ ବାଲିଯାତ୍ରା ପଡ଼ିଆକୁ । ପହଞ୍ଚିଗଲୁ ଯାତ୍ରାରେ । ଖୁବ୍ ଲୋକ ଗହଳି । କିଏ କାହାକୁ ଦେଖୁଛି । ଠିଆହେଲୁ ମଝି ପଡ଼ିଆରେ । କେବେ ତ ସେ ଯାତ୍ରା ଦେଖୁନଥିଲୁ । ନିଜକୁ ସେଠାରେ ହଜେଇ ଦେଲାଭଳି ଲାଗୁଥାଏ । ଠୁଁକାପୁରି, ଛେନା ତରକାରି ଓ ପାମ୍ପଡ଼, ବାରମଜାର ଗନ୍ଧରେ ମନ ଅଥୟ ହେଉଥାଏ । କାହାରି ନିକଟରେ କାଣି କଉଡ଼ି ସୁଦ୍ଧା ଖୋଜିଲେ ମିଳିବ ନାହିଁ ।

 

ଆମର ସେଇ ଛୋଟ ଦଳଟିକୁ ମୁଁ ନେତୃତ୍ୱ ଦେଉଥାଏ । ସମସ୍ତଙ୍କ ଭିତରେ ବିଚାର ପଡ଼ିଲା–କିଏ କୁଆଡ଼େ ବୁଲିବ । ହେଲେ ମୋ ସାଙ୍ଗ ଛାଡ଼ିବାକୁ କେହି ରାଜି ହେଲେ ନାହିଁ । ଶେଷରେ କଥା ସ୍ଥିର ହେଲା, ଯେ ଯୁଆଡ଼େ ଗଲେ ବି ଯଦି କେହି କୋଉଠି ହଜିଯାଏ ତ ତେବେ ସେ ଏଇ ସ୍ଥାନକୁ ଚାଲିଆସି ଅନ୍ୟମାନଙ୍କୁ ଅପେକ୍ଷା କରି ବସିବ । ଯୋଉଠି ପ୍ରଥମେ ଯାଇ ସମସ୍ତେ ଠିଆ ହୋଇଥିଲୁ ସେଠାରେ ଗୋଟିଏ ବତିଖୁଣ୍ଟରେ ଖଣ୍ଡେ ଚିରା କାଗଜ ଗୁଡ଼େଇ ଚିହ୍ନଟ ରଖିଲୁ । ଭୋକରେ ପେଟ ସେତେବେଳକୁ ଜଳୁଥାଏ ।

 

ସମସ୍ତେ ଦଳବାନ୍ଧି ଥରକ ପାଇଁ ଯାତ୍ରାର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବୁଲି ଆସିଲୁ । ଚୌଧୁରୀ ବଜାରର ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଶ୍ରୀ ଶିର ସାହୁଙ୍କ ମିଠାଦୋକାନ ଦେଖି ଆଖି ଆମର ଝଲସି ଗଲା । ପାଣିକଖାରୁ ପରି ପାନ୍‌ତୁଆ, ଚାଲୁଣି ପରି ଜିଲେପି, କଖାରୁ ପରି ମିଠେଇ ବନ୍ଧାହୋଇ ଝୁଲୁଥାଏ ଦୋକାନର ମଞ୍ଚ ବାଉଁଶରେ । ଆଜି ଯେମିତି ଚାରିଆଡ଼େ ବୈଦ୍ୟୁତିକ ଆଲୋକରେ ଯାତ୍ରା ପଡ଼ିଆ ଚକ୍‌କ କରୁଛି, ସେ ସମୟରେ କିନ୍ତୁ ଏତେଟା ଆଲୋକର ବ୍ୟବସ୍ଥା ନଥିଲା । ଅଧା ଆଲୁଅ ଅଧା ଅନ୍ଧାରରେ ବାଲିଯାତ୍ରା ପଡ଼ିଆ ଗୋଟିଏ ଭୋଜନ କେନ୍ଦ୍ରରେ ପରିଣତ ହେଉଥିଲା ।

 

ଆମେମାନେ ଗନ୍ଧ ବାରିବାରି ପହଁଞ୍ଚିଲୁ ଠିକ୍ ନଦୀକୂଳ ଘୋସରା ନିକଟରେ । ଘୋସରା କାନ୍ଥି ଉପରକୁ ଜଣେ ସାହୁ ତାଙ୍କର ତେଲଭଜା ଦୋକାନ କରିଥାନ୍ତି । ବରା, ପକୋଡ଼ି, ବାଇଗଣି, ଗୁଲୁଗୁଲା, ଆଳୁବୁଟ ତରକାରି–ଖୁବ୍ ଭିଡ଼ । ଖାଇବାପାଇଁ ଲୋକମାନେ ମାଡ଼ିମକଚି ପଶୁଥାନ୍ତି । ସେ ଅବସ୍ଥା ଦେଖି ପିଲାଗୁଡ଼ାକ ମୋତେ ଅଥୟ କରିପକେଇଲେ ଖାଇବାକୁ । ପଇସା ପାଖରେ ନାହିଁ, ଖାଇବୁ କେମିତି ?

 

ମୁଣ୍ଡକୁ ଗୋଟାଏ ବୁଦ୍ଧି ଆସିଲା । ଆଉ ବିଳମ୍ବ ନକରି କାନ୍ଥିଉପରକୁ ଉଠିଗଲି । ମୋ ସାଙ୍ଗେ ସାଙ୍ଗେ ଅନ୍ୟ ପିଲାଗୁଡ଼ାକ ମଧ୍ୟ ଉପରକୁ ଉଠିଗଲେ । ଲୋକଙ୍କ ଭିଡ଼ ଭିତରେ ଠେଲିପେଲି ପଶିଗଲୁ । ବେଞ୍ଚ ପଡ଼ିଥିଲା । ପିଲାସବୁ ତା’ ଉପରେ ଧାଡ଼ି ମାରି ବସି ପଡ଼ିଲେ । ଆମମାନଙ୍କର ପରିଧାନ ଥାଏ–ଖାକି ହାପ୍ ପେଣ୍ଟ ଏବଂ ହାପ ସାର୍ଟ । ଆମକୁ ଦେଖି ‘ସାହୁ’ ଭାବିଲେ ଆମେ ସମ୍ଭବ କୋଉ ସ୍କୁଲର ପିଲା । ସାହୁ ବୁଢ଼ା ସାଙ୍ଗେ ସାଙ୍ଗେ ତାଙ୍କ ଚାକରମାନଙ୍କ ଉପରେ ପାଟିକରି ଉଠିଲେ, “ଆରେ–ବାବୁମାନଙ୍କୁ ଖାଇବାକୁ ଦିଅ ।”

 

ଗୋଟିଏ ସେକେଣ୍ଡ ବିଳମ୍ବ ହେଲାନାହିଁ । ପତ୍ର ଠୁଙ୍ଗାରେ ଠୁଙ୍ଗାଏ ଠୁଙ୍ଗାଏ ତେଲ ଭଜା ସମସ୍ତଙ୍କ ହାତରେ ଧରେଇ ଦିଆଗଲା । ପୁଣି ଠୁଙ୍ଗାଏ, ଆହୁରି ଠୁଙ୍ଗାଏ । ବୈଶାଖ ମାସର ଫଟାଭୂଇଁ ଉପରେ ଯେତେ ବରଷା ବରସିଗଲେ ମଧ୍ୟ ଯେମିତି ଟୋପିଏ ପାଣି ଆଖିରେ ପକେଇବାକୁ ସାତସପନ ହୁଏ, ସେମିତି ଆମର ଭୋକିଲା ପିଲାଗୁଡ଼ାକ ଗୋଟାଏ ପରେ ଗୋଟାଏ ବରା, ପିଆଜି ଠୁଙ୍ଗା ଶେଷ କରିଯିବାକୁ ଲାଗିଲେ । ମୁଁ ମଧ୍ୟ ଠିଆରେ ଠିଆରେ ବସିବାକୁ ଫୁର୍‌ସତ ନପାଇ ଖାଦ୍ୟକୁ ଚାପିଦେଇଗଲି ।

 

ଦୁର୍ଭାଗ୍ୟକୁ ଆମେମାନେ ଖାଉଖାଉ ଲୋକଭିଡ଼ ଟିକିଏ କମିଗଲା । ଅବସ୍ଥା ଦେଖି ଖାଦ୍ୟ ସବୁକୁ ମୁଁ ଆଉ ଢୋକି ପାରୁନଥାଏ । ଏତିକିବେଳେ ଖସି ପଳେଇଲି । ମୋର ଖସିବା ଦେଖି ସାହୁ ବୁଢ଼ା ପୁଣି ପାଟିକରି ଉଠିଲେ–“ଆରେ ବାବୁମାନଙ୍କୁ ପାଣି ଦିଅରେ ।”

 

ସାହୁଙ୍କ କଥା ଶୁଣି, ମନେ ମନେ ବିପଦ ଆଶଙ୍କା କରି ପାଟିରେ ପାଟିଏ ପକୋଡ଼ି ଭର୍ତ୍ତିକରି ମୁଁ ହଡ଼ବଡ଼େଇ କହି ପକେଇଲି, ‘‘ନାଇଁ ମଉସା, ତୁମେ ବ୍ୟସ୍ତ ହୁଅ ନାଇଁ, ସେମାନେ ନଈରୁ ପାଣି ପି’ ନେବେ ?”

 

ମୋ’ ପାଟିରୁ କଥା ଶେଷ ହୋଇଛି କି ନାହିଁ, ଆମ ପିଲାଙ୍କ ଭିତରୁ ଗୋଟିଏ ଗୋଟିଏ କରି ଭୁଷ୍‌ ଭାସ୍‌ ସେଇ ଅନ୍ଧାରୁଆ ନଈକୂଳକୁ ଡେଇଁବାକୁ ଲାଗିଲେ । ସାହୁ ବୁଢ଼ା କିଛି କହିପାରିଲେ ନାହିଁ, କାରଣ ସେ ସମ୍ଭବ ମନେକରିଥିଲେ ମୁଁ ସେମାନଙ୍କ ପଇସା ଦେବି । ଠିକ୍‌ ଏତିକିବେଳେ ମାଡ଼ି ଆସିଲେ ଦଳେ ଲୋକ । ସାହୁ ଓ ତାଙ୍କର ଚାକରମାନେ ମୋ ଉପରେ ନଜର ନ ରଖିପାରି ନୂତନ ଖରିଦ୍‌ରଙ୍କ ଚାହିଦା ମେଣ୍ଟେଇବାକୁ ଲାଗି ପଡ଼ିଲେ । ଏଇ ଅବସରରେ ମୁଁ ଆଉ ଉଛୁର ନକରି ମୋର ସାଥୀ ପିଲାମାନେ ଯୋଉ ବାଟଦେଇ ସେ ସ୍ଥାନ ତ୍ୟାଗ କରିଥିଲେ, ସେଇ ଅନ୍ଧାର ବାଟ ଧରି ମିଶିଗଲି ଅନ୍ଧାରରେ ।

Unknown

 

ଚିହ୍ନଟ କରିଥିବା ସ୍ଥାନରେ ସମସ୍ତେ ଏକାଠି ଠୁଳ ହୋଇ ଡିଆଁ ମାରିଲୁ ବସାକୁ ।

 

ଦେଖିଲୁ ବସାରେ ସବୁ ଶୂନ୍‌ଶାନ୍‌ । କାହାରି ପାଟିତୁଣ୍ଡ ଶୁଭୁ ନଥିଲା । ମାତ୍ର ରୋଷେଇ ଘରେ ସେତେ ରାତିଯାକେ ମଧ୍ୟ କାମ ଶେଷ ହୋଇନଥିଲା । କାଳି ବାବୁ ତାଙ୍କ ଖାଦ୍ୟ ଖାଇ ଶୋଇପଡ଼ିଥିଲେ । ଠାକୁରଙ୍କୁ ମନେ ମନେ ମୁଣ୍ଡିଆଟିଏ ମାରି, ଯୋଉ ବାଟେ ପାଚେରି ଡେଇଁ ଦାଣ୍ଡକୁ ଆସିଥିଲୁ ଠିକ୍‌ ସେଇ ବାଟ ଦେଇ ଘରେ ପଶିଲୁ । କାଳେ 'ପୂର୍ଣ୍ଣ' ପୂଜାରୀ କିଛି ଜାଣିପାରିବ, ସେଥିପାଇଁ ଖୁବ୍‌ ସତର୍କଭାବେ, ଅନ୍ଧାରରେ ଘୋଡ଼ିଘାଡ଼ି ହୋଇ ଗାଲେଇ ଶୋଇପଡ଼ିଲୁ ।

 

କାଜି ବଜାରରେ ଆମ ରାସଦଳ ଥିଲା ସମୟରେ ମୋ ଜୀବନ ପାଇଁ ଏକ ସୁନ୍ଦର ସୁବର୍ଣ୍ଣମୟ ମୁହୂର୍ତ୍ତ ଜୁଟିଥିଲା ବୋଲି ମୁଁ ଅନୁଭବ କରୁଥିଲି । କାରଣ ଏତିକିବେଳେ ମୁଁ ଆମର ଅଷ୍ଟାଦଶ ପୁରାଣ ଭିତରୁ କେତେ ଖଣ୍ଡିକୁ ଛାଡ଼ି ବାକି ପ୍ରାୟ ସମସ୍ତ ପୁରାଣପାଠ ସୁଯୋଗ ପାଇଥିଲି-। ପ୍ରାୟ ପ୍ରତିଦିନ ମୁଁ ନିଜେ ସବୁ ପୁରାଣକୁ କିଛି କିଛି କରି ପାଠ କରୁଥିଲି ।

 

ଖମାରଙ୍ଗ ଗ୍ରାମ ଛାଡ଼ି କାଳି ବାବୁଙ୍କ ମା’ ଆସି ରହୁଥିଲେ କଟକରେ ପୁଅଙ୍କ ପାଖେ । ତାଙ୍କର ଥିଲା ଶେଷ ଅବସ୍ଥା । ବୁଢ଼ୀଙ୍କର ଇଚ୍ଛା ଥିଲା ଶେଷ ଜୀବନ ପୁଅଙ୍କ ନିକଟରେ କଟେଇଦେବେ । ଏଣୁ ଗାଁର ସବୁ ମାୟା ମମତା ତୁଟେଇ ନିଜର ଆଖିକୁ ଭଲ ଭାବେ ଦେଖାଯାଉନଥିଲେ ମଧ୍ୟ, ଆମ ରାସଦଳ ଭିତରେ କଷ୍ଟେମଷ୍ଟେ ଚଳିଯାଉଥିଲେ ।

 

ଏଥ‌ିପୂର୍ବରୁ ଆପଣମାନଙ୍କୁ ସୂଚନା ଦେଇସାରିଛି ଯେ, କାଳି ବାବୁଙ୍କ ମା ଆମ ପିଲାମାନଙ୍କୁ କେବେହେଲେ ଅନ୍ତରଦେଇ ସୁଖ ପାଉନଥିଲେ । ଆମମାନଙ୍କର ଖାଇବା, ଆମମାନଙ୍କର ପିନ୍ଧିବା ଉପରେ କାଳି ବାବୁଙ୍କର ଯେପରି ହୀନ ନଜର ଥିଲା, ସେହିପରି ତାଙ୍କ ମା’ଙ୍କର ଥିଲା ମଧ୍ୟ ତଦୃପ । ତେବେ ସେ ଯାହାହେଉ, ବୃଦ୍ଧା ତାଙ୍କର ଶେଷ ଅବସ୍ଥା ବେଳରେ ଆମଠାରୁ ଚାହୁଥିଲେ କିଛି ସାହାଯ୍ୟ । ନିଜର ଜ୍ଞାନ ପୁରାଣ, ଶାସ୍ତ୍ରରେ ଅଧିକ ଥିଲେ ମଧ୍ୟ ଆଖିକୁ ଦେଖାଯାଉନଥ‌ିବାରୁ ପଢ଼ିବା ସମ୍ଭବ ହେଉନଥିଲା । ଏଣୁ ମୋତେ ପୁରାଣ ପଢ଼ିବାକୁ କହୁଥିଲେ, ଆଉ ମୁଁ ବିଭିନ୍ନ ପ୍ରାଚୀନ କବିଙ୍କର ସୁମଧୁର ଲେଖାମାନଙ୍କରୁ ରସ ଆସ୍ଵାଦନ କରି ଆପଣାର ଜ୍ଞାନ ବଢ଼ଉଥିଲି ।

 

ମୋ ଜୀବନର ପ୍ରତିକ୍ଷଣରେ ମୁଁ ଅନୁଭବ କରିଛି, ସେଇ ସର୍ବଶକ୍ତିମାନଙ୍କ ସତ୍ତା । “ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ”–ଏଇ କଥା ପଦକର ଅସଲ ସୁଫଳ ମୁଁ ମୋର ମର୍ମେ ମର୍ମେ ଉପଲବ୍ଧି କରିଆସିଛି । କାଳି ବାବୁ ମୋପାଇଁ ଯେତେ ଧରଣର ଅମଙ୍ଗଳର ଚିନ୍ତା କରୁଥିଲେ ମଧ୍ୟ ସେସବୁ କିନ୍ତୁ ମଙ୍ଗଳମୟଙ୍କ ଆର୍ଶୀବାଦରୁ ଅମଙ୍ଗଳ ପରିବର୍ତ୍ତେ ମଙ୍ଗଳରେ ପରିଣତ ହେଉଥିଲା ।

 

ଦିନକର ଘଟଣା । ସେଇ କାଜି ବଜାରର ବସାରେ ମୁଁ ଗୋଟିଏ ହାସ୍ୟରସର କବିତା ଲେଖିଥାଏ । କବିତାର ନାମକରଣ କରିଥାଏ “ସୁନ୍ଦରୀ”। କବିତାଟି ପ୍ରାୟ ଶହେ ପଦରୁ କିଛି ଊଣା ହେବ । ଆଶା ଥାଏ, କାଳି ବାବୁଙ୍କୁ ଦେଖେଇ, ତାର ସଂଶୋଧନ କରି, ଅଳ୍ପ ମୂଲ୍ୟ ରଖି ପ୍ରକାଶ କରିବି । କାଳି ବାବୁ ଦେଖିଲେ ଶୁଣିଲେ; ମାତ୍ର ମୋତେ ଉତ୍ସାହ ଦେବେ କ’ଣ, ଦିନେ ଦୁଇଦିନରେ ନିଜେ ଗୋଟିଏ କବିତା ଲେଖି ତାକୁ ହରିହର ରାଉତ୍‌ଙ୍କ ନାମରେ ପ୍ରକାଶ କରି ସମସ୍ତଙ୍କୁ ବାଣ୍ଟିଲେ-

 

ତଥାପି ମନ ମୋର ଭାଙ୍ଗି ନଥିଲା । ଜଣେ ଭଦ୍ରଲୋକଙ୍କୁ ଅନୁରୋଧ ଜଣେଇ ପାଣ୍ଡୁଲିପିଟି ଦେଇଥିଲି ସେ କବିତାଟି ଛାପିଦେବାପାଇଁ । ହେଲେ ଦୁର୍ଭାଗ୍ୟବଶତଃ କିଛି ଦିନପରେ ସେଇ ଭଦ୍ରଲୋକ ମୋର ପାଣ୍ଡୁଲିପିକୁ ହଜେଇଦେଇଥିଲେ ।

 

‘ସୁନ୍ଦରୀ’ ଶିରୋନାମାରେ ଥିଲା–କବିତାଟି

 

ରାଗ–ଆଷାଢ଼ ଶୁକ୍ଳ

କୋବିଦେ ଶୁଣ ଦେଇ କର୍ଣ୍ଣ ମନ

କରିବି ସୁନ୍ଦରୀ ରୂପ ବର୍ଣ୍ଣନ

ପ୍ରଭାତୁ ଉଠି ତରତର ହୋଇ

ସ୍ନାହନ କରିବାକୁ ଗଲା ନଈ

ହଳଦୀ, ତେଲ ଲଗାଇ ଯେ

ଜହ୍ନି ମଞ୍ଜିପରି ତନୁ ମାଜି ଗର୍ବେ ଗରଜିଲା କଳାମୁହିଁ ଯେ ।

 

XXX

 

ଏଇ ସମୟରେ ଆଉ ଗୋଟିଏ କବିତା ଲେଖିଥିଲି । ନାଁ ତାର ଦେଇଥିଲି “କଙ୍କାଳ”।

 

କଙ୍କାଳ ଆଜି ଯେ ଦୁନିଆ ଆଖିରେ

ସଖା, ସହୋଦର ନାହିଁକେ ତାର

ପଖାଳ ପାଣିକୁ ଭରସା କରି ସେ

ଝଞ୍ଜାରେ ଡେରିଛି କୁଡ଼ିଆ ଘର ।

ଆପଣା ଦରବେ ପର ଅଧିକାରୀ

ନିରବେ ସହୁଛି ଧରମ ଚାହିଁ

ବଡ଼ ବୋଲି ଯାହା ଦିଶେ ଏ ଦେଶରେ

ଗଢ଼ା ତା’ ବୁକୁରୁ ରକତ ନେଇ

XXX

 

କାଜି ବଜାର ବସାରେ ଥିଲାବେଳେ, ମୋର ସୌଭାଗ୍ୟ ବଳରୁ ଡକ୍ଟର ମାୟାଧର ମାନସିଂଙ୍କର ଅତି ନିକଟତମ ହୋଇ ନିଜ ରଚନାରୁ କେତୋଟି କବିତାର ଧାଡ଼ି ଶୁଣେଇବାର ସୁଯୋଗ ଲାଭ କରି ତାଙ୍କର ସମର୍ଥନ ମଧ୍ୟ ଗ୍ରହଣ କରିଥିଲି ।

 

ଦିନ ଗଡ଼ି ଚାଲିଥାଏ । ମୋର ମଝିଆ ଭାଇଙ୍କର ବିବାହ କାର୍ଯ୍ୟ ହେଇଗଲା। ଘରକୁ ଯିବାର ଅନୁମତି ଯଦିଚ ମିଳିଥିଲା ତଥାପି ସେ ବେଳରେ ମୋର ନିଜର ମନର ଅବସ୍ଥା ମୋଟେ ଭଲ ନଥିଲା ବୋଲି କହିବାକୁ ହେବ । କାରଣ, ଭାଇ ହିସାବରେ ମୋ ତରଫରୁ ଯେଉଁ ସାହାଯ୍ୟ, ସହାନୁଭୂତି ବଡ଼ ଭାଇଙ୍କ ବିବାହ କାର୍ଯ୍ୟରେ ଦେବାର କଥା ତାହା ମୁଁ ଦେଇ ପାରିବାର ଅବସ୍ଥାରେ ନଥିଲି । କାଳି ବାବୁ ମୋର ଅନୁରୋଧ ଶୁଣିଥିଲେ ମଧ୍ୟ, ମୋର ଦୁର୍ବଳ ପରିବାରର ଆର୍ଥିକ ସ୍ୱଚ୍ଛଳତା ବିଷୟରେ ତାଙ୍କର ଧାରଣା ଥିଲେ ମଧ୍ୟ କୌଣସି ଅର୍ଥ ସାହାଯ୍ୟ ଦେଇନଥିଲେ । ମୁଁ ତାଙ୍କ ନିକଟରେ ଚାକିରି କରିଥିଲି । ଅନେକ ମାସର ପ୍ରାପ୍ୟ ମୋର ତାଙ୍କ ପାଖରେ ଗଚ୍ଛିତ ଥିଲା । ତେବେ ବି ସେ ମୋ ପାଇଁ ଥିଲେ ଚୁପ୍‌ଚାପ୍‌ ।

 

ବିବାହ ଉତ୍ସବ ବେଳରେ ଭାଇମାନଙ୍କର ମୋ ପ୍ରତି କୌଣସି କଟୁକ୍ତି ଶୁଣିବାର ଦୁର୍ଯୋଗ ଯଦିବା ଆସିନଥିଲା ତଥାପି ମୋର ନିଜର ମନ ନିଜକୁ ଧିକ୍କାର କରୁଥିଲା । ସମସ୍ତେ ଯେତେବେଳେ ଶୁଭ କାମରେ ମନନିବେଶ କରୁଥିଲେ, ଆନନ୍ଦରେ ଉଲ୍ଲସିତ ହେଉଥିଲେ, ମୁଁ କିନ୍ତୁ ସେ ଆନନ୍ଦ ପାଇପାରୁନଥିଲି ।

 

ପୁଣି କଟକ ଫେରିଆସି ପଡ଼ିଲି ସେଇ ପୁରୁଣା ଯନ୍ତାରେ । ଘରେ ରହି ଭାଇଙ୍କର ଗଳଗ୍ରହ ହେବାକୁ ସାହସ ନଥିଲା ଏବଂ ବାହାରେ କାଳି ବାବୁଙ୍କ ରାସରେ ରହି ଆଉ ପ୍ରତାରିତ ହେବାକୁ ମଧ୍ୟ ଇଚ୍ଛା ନଥିଲା । କେବଳ ପେଟର ଯନ୍ତ୍ରଣାକୁ ଦମନ କରିବାପାଇଁ, ମନ ଚାହୁନଥିଲେ ସୁଦ୍ଧା ବାଧ୍ୟ ହୋଇ ଆସିଲି ।

 

କ୍ରମେ କ୍ରମେ କାଳି ବାବୁଙ୍କ ମଥାରେ ଯେଉଁ ସିନେମା ନିଶା ଲାଗିଥିଲା, ତାହା ଛାଡ଼ି ଛାଡ଼ି ଗଲା । ଯୋଉ କେଇଟି ବଡ଼ ବଡ଼ ଝିଅ ଆସି ଆମ ଦଳରେ ଯୋଗ ଦେଇଥିଲେ ସେମାନେ ସ୍ଥାନ ଛାଡ଼ି ପଳେଇଲେ । ବଡ଼ ବଡ଼ ଝିଅମାନଙ୍କୁ ଅନୁଷ୍ଠାନକୁ ବାଟ ମଡ଼େଇବାକୁ ଆମ ଦଳରେ କାଳି ବାବୁ ରଖିଥିଲେ ‘ଧଡ଼ି ବାଇ’ଙ୍କୁ । ଧଡ଼ି ବାଇ ଥିଲେ ‘ସୁନ୍ଦରୀ ବାଇ’ଙ୍କର ସାନ ଭଉଣୀ । ଅତି ଉଚ୍ଚଧରଣର ନହେଲେ ମଧ୍ୟ ‘ସୁନ୍ଦରୀ ବାଇ’ ସେତେବେଳକାର କଟକ ସହରରେ ଜଣେ ଭଲ ଗାୟିକା ଥିଲେ । ଅବଶ୍ୟ ଆମେମାନେ କାଜି ବଜାର ବସାରେ ରହିବା ସମୟକୁ ଧଡ଼ିବାଇ ଓ ସୁନ୍ଦରୀ ବାଇଙ୍କୁ ବାର୍ଦ୍ଧକ୍ୟ ଗ୍ରାସ କରିସାରିଥିଲା ।

 

କିଛିଦିନ ପରେ ସୁନ୍ଦରୀ ବାଇ ଏପୁରରୁ ସେପୁରକୁ ଗଲେ । ଆଉ ଆମ ଦଳରୁ ଗଲେ ଧଡ଼ି ବାଇ ।

 

ହଠାତ୍‌ ଦିନେ ବଡ଼ି ଓ ମିଠା ଘେନି ସେଇ କାଜି ବଜାରରେ ଦେଖାଦେଲେ ମୋର ଗର୍ଭଧାରିଣୀ–ମୋର ସାନ ଭଉଣୀ ‘ମନା’ର ବିବାହ ନିର୍ବନ୍ଧର ଖବର ନେଇ । ଆମ ଉଭୟଙ୍କ ତରଫରୁ ଅନୁରୋଧ କରାଗଲା କାଳି ବାବୁଙ୍କୁ କିଛି ଅର୍ଥ ସାହାଯ୍ୟ ଦେବାକୁ । ଆମର ଅନୁରୋଧ ରକ୍ଷା କରି ସେ ଯେତିକି ପରିମାଣର ଅର୍ଥ ଦେବାକୁ କହିଲେ, ସେ କଥା ଶୁଣି ଆମର ଅଧାଭଙ୍ଗା ମନ ଦୁଇଟା ସମ୍ପୂର୍ଣ ଭାଙ୍ଗିପଡ଼ିଲା ପରି ଜଣାପଡ଼ିଲା । ତେବେ ସେଇ ନିରାଶାର ଅନ୍ଧାର ଭିତରେ, ଅଳ୍ପ ଆଶାର ଆଲୋକ ଶିଖା ପରି ଥିଲା କାଳି ବାବୁଙ୍କର ଗୋଟିଏ ସଂବେଦନଶୀଳ ଘୋଷଣା । ମୋର ସାନ ଭଉଣୀ ଲାଗି କିଛି ଗୋଟିଏ ସୁନାର ଗହଣା ଉପହାର ସ୍ଵରୂପ ଦେବାକୁ କାଳି ବାବୁ ପ୍ରତିଶ୍ରୁତି ଦେଲେ ।

 

ଶେଷରେ ବୋଉ ମୋର ଅନୁରୋଧ କଲେ, ହେଣ୍ଡ୍‌ନୋଟ୍‌ ବଦଳରେ କିଛି ଟଙ୍କା କରଜ ଦେବାକୁ । କାଳି ବାବୁ ରାଜି ହେଲେ, ତିନିଶହ ଟଙ୍କାର କାଗଜ କରିନେଇ ଦେଢ଼ଶହ ଟଙ୍କା ଦେବେ ବୋଲି । ମୁଁ ତାଙ୍କରି କଥାରେ ସମ୍ମତି ଦେଲି ଓ ପଇସିକିଆ କାଗଜ କଚେରୀରୁ କିଣା ହୋଇ ଆସିଲା ଏବଂ ସେଇ ଅଲେଖା କାଗଜରେ ମୁଁ ଦସ୍ତଖତ କଲି । ତା’ପରେ, କାଳି ବାବୁ ତା’ ଉପରେ ତିନିଶହ ଟଙ୍କା ଲେଖିଦେଇ କାଗଜକୁ ନିଜ ପାଖରେ ରଖି ଆମକୁ ଦେଢ଼ଶହ ଟଙ୍କା ଦେଲେ । ବୋଉ ସେଇ ଟଙ୍କାତକ ନେଇ ଘରକୁ ଫେରିଲେ ।

 

ଦୁଃଖର କଥା, କିଛିଦିନ ପରେ ଯେବେ ମୋର ସାନ ଭଉଣୀଟି ବିବାହ ହେଲା ସେ ଶୁଭ ଉତ୍ସବରେ ଯୋଗଦେବାକୁ ମୋତେ ଅନୁମତି ମିଳିଲା ନାହିଁ ଗାଁକୁ ଯିବାକୁ । ମୋତେ ନେବାକୁ ମଝିଆଁ ଭାଇ ଆସିଲେ, ମାତ୍ର ମୁଁ ଯାଇପାରିଲି ନାହିଁ । କିନ୍ତୁ କାଳି ବାବୁ ନିଜର ପ୍ରତିଶ୍ରୁତି ରକ୍ଷାକରି ଦେଲେ ଗୋଟିଏ ‘କେତକୀ ପାନ’ ଉପହାର–ଯାହା ଥିଲା ରୂପାରେ ତିଆରି ସୁନା ପାଣିଦିଆ ।

 

ଦୁଃଖ କହିବି ? ନା ସୁଖ କହିବି ? ଯାହା ଅଙ୍ଗେ ଲିଭେଇଛି–ତାହା କହିବି ।

 

ଆସିଲା ମୋର ମୁକ୍ତିର ବେଳ । ୧୯୩୭ ମସିହା ଅଧାଅଧି ବେଳକୁ କାଳି ବାବୁଙ୍କ ରାସ ଦଳରେ ଲାଗିଲା କଳଙ୍କି, ଯାହା ଛାଡ଼ିବାର ନଥିଲା । ସେଇ କଳଙ୍କି ଦାଗ କ୍ରମେ କ୍ରମେ ବଢ଼ିଉଠି ଲୁହାପରି ଶକ୍ତ ସେଇ କାଳି ବାବୁଙ୍କ ଦୃଢ଼ ମନକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକେଇଲା । କିଏ କୁଆଡ଼େ ଛିନ୍‌ଛତ୍ର ହୋଇ ପଳେଇଗଲେ ଦଳ ଛାଡ଼ି । ସୁଯୋଗ ଉଣ୍ଡି ମୁଁ ମଧ୍ୟ ଛୁଟିଲି ଗ୍ରାମକୁ । ଦୀର୍ଘ ବାରବର୍ଷର ବନ୍ଧନ, ଆଖି ପଲକରେ ଯେମିତି କାହାର ନିର୍ଦ୍ଦେଶରେ ମୁହୂର୍ତ୍ତକରେ ତୁଟିଗଲା । ଈଶ୍ଵର ମୋର ପ୍ରାର୍ଥନା ଶୁଣିଲେ ।

 

ଗ୍ରାମରେ କିଛିଦିନ କଟେଇଲି । ସବୁ ମୋର ଆଖିରେ ଗଛ, ଲତା, ଗଡ଼ିଆ, ଯୋଡ଼, ଘର, ତୋଟା ଏକ ଏକ ସୁନ୍ଦର ସୁନେଲିବୋଳା ରୂପରେ ଦେଖାଦେଲେ–ପ୍ରତ୍ୟେକ ବସ୍ତୁ ଯେପରି ନୂଆକରି ଦେଖୁଥାଏ, ଏହିପରି ମନକୁ ଲାଗୁଥାଏ ।

 

ଆମ ଗାଁ ନିକଟ ଅଠାନ୍ତର ବାଲୁପ୍ରାନ୍ତର କୁଶଭଦ୍ରା ନଈ ବନ୍ଧକୁ ଲାଗି, ଗୋଟିଏ ପ୍ରଦର୍ଶନୀ ହେବାର ଆୟୋଜନ ଚାଲିଥାଏ ଏବଂ ସେଇ ପ୍ରଦର୍ଶନୀରେ ନାଟକ ପ୍ରଦର୍ଶନ ଲାଗି ଉଦ୍ୟମ କରୁଥାନ୍ତି ଚଣାହାଟର କେତେକ ଦର୍ପାନ୍ଧ ଯୁବକ । ସେମାନଙ୍କର କେବଳ ଆସ୍ଫାଳନ ଛଡ଼ା ଆଉ କିଛି ନଥିଲା । ଅଭିନୟ ଶିକ୍ଷା ଲାଗି ସେମାନେ ପୁରୀରୁ ଧରି ଆଣିଥିଲେ ଗଉରା ଭାଇ (ଡୁଙ୍ଗୁରୀ ମାହାରିଙ୍କ ସାନ ଭାଇ)ଙ୍କୁ ।

 

ଯୋଉ ରକ୍ଷଣଶୀଳ କରଣ ଗୋଷ୍ଠୀକୁ ମୁଁ ମୋର ପିଲାଟି ଦିନରୁ ଭୟକରି ଆସୁଥିଲି ଓ ଯୋଉମାନଙ୍କର ଲାଞ୍ଚନାରେ, ପ୍ରତାରଣାରେ ଚଣାହାଟ ଗ୍ରାମର ପ୍ରତ୍ୟେକ ଦୁର୍ବଳ ସମ୍ପ୍ରଦାୟ ହେଉଥିଲେ ଲାଞ୍ଛିତ, ପ୍ରତାରିତ ଏବଂ ଯେଉଁ ଧନାଢ଼୍ୟ ମୁଷ୍ଟିମେୟ ଲୋକ ନିଜର କ୍ଷମତାର କଷାଘାତରେ ଅନ୍ୟମାନଙ୍କୁ କରୁଥିଲେ ଜର୍ଜରିତ, ମୁଁ ପ୍ରାୟ ସେ ଧରଣର ହୀନମତି ଲୋକଙ୍କର କୌଣସି ଆଦେଶ, ଅନୁରୋଧ ରକ୍ଷା କରିବାକୁ ପସନ୍ଦ ତ କରୁନଥିଲି, ପରନ୍ତୁ ଯେତେ ସେମାନଙ୍କ ନିକଟରୁ ଦୂରେଇ ରହିବି ସେଥିଲାଗି ଚେଷ୍ଟା କରୁଥିଲି ମଧ୍ୟ ।

 

ଚଣାହାଟ ଗ୍ରାମରେ ଯୋଉମାନେ ପୂର୍ବରୁ ଧନଶାଳୀ ଓ ପ୍ରତିପତ୍ତିଶାଳୀ ହିସାବରେ ଥିଲେ, ସେମାନେ ସେତେବେଳକୁ ଜୀବନର କର୍ମକ୍ଷେତ୍ରରୁ ଅବସର ନେଇଥାନ୍ତି ଏବଂ ନଉଥା’ନ୍ତି । ସେମାନେ ଅବଶ୍ୟ ରକ୍ଷଣଶୀଳ ମନୋଭାବର ଏକ ଏକ ପ୍ରତିମୂର୍ତ୍ତି ଥିଲେ ମଧ୍ୟ କିଛି ଅଂଶରେ ବିଚାରବନ୍ତ ଥିଲେ । କିନ୍ତୁ ସେମାନଙ୍କ ପରେ ଯୋଉମାନେ ପୂର୍ବପୁରୁଷର ଦାୟାଦ ଭାବରେ ମୁଣ୍ଡ ଟେକିଲେ ତାଙ୍କର ଆଉ ବିଚାର ରହିଲା ନାହିଁ । ହାତରେ ପ୍ରଚୁର ଧନ ପାଇ ଗର୍ବ ଓ ଗାରିମାରେ ଅନ୍ୟାନ୍ୟ ମଣିଷଗୁଡ଼ାଙ୍କୁ ପୋକ, ମାଛି ପରି ମନେକଲେ ।

 

ମୋ ମତରେ କୌଣସି ଧନଶାଳୀ ବ୍ୟକ୍ତି ଯଦି ନିଜର ବିଜ୍ଞତା ପ୍ରଦର୍ଶନ ନ କରି ଧନକୁ ଠିକ୍‌ ମାର୍ଗରେ ପରିଚାଳିତ ନ କରନ୍ତି ଏବଂ ନିଜକୁ ସେହି ଧନ ଭିତରେ ହଜେଇ ଦିଅନ୍ତି ତେବେ ତାଙ୍କର ପତନ ସୁନିଶ୍ଚିତ । ଚଣାହାଟ ଚୌଧୁରୀ ବଂଶର ଭାବୀ ବଂଶଧରମାନେ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଫଳରେ ମୋ ଦେଖିବାରେ ତଳକୁ ତଳକୁ ଖସୁଥିଲେ ।

 

ମୋତେ ଗ୍ରାମରେ, ନିକଟରେ ପାଇ ଏମାନେ ମୋର ଚାରିକଡ଼ରେ ଘେରିଗଲେ । ଏମାନଙ୍କ ଭିତରୁ କେତେକ ମୋତେ ନିର୍ଦ୍ଦେଶ ଓ ଆଦେଶ ଦେଲେ ଯେ, ମୁଁ ତାଙ୍କର ଅଭିନୟରେ ଅଂଶଗ୍ରହଣ କରିବି । ପୁଣି ସ୍ତ୍ରୀ ଚରିତ୍ରରେ । କଥାଟା ଶୁଣି, ମନ ମୋର କାହିଁକି କେଜାଣି ଏମାନଙ୍କର ଆଦେଶ, ନିର୍ଦ୍ଦେଶକୁ ମାନିନେବାକୁ ପ୍ରସ୍ତୁତ ନଥିଲା । ରାସଦଳରେ ଥିଲାବେଳେ ସୌଖୀନ୍‌ ନାଟ୍ୟାଭିନୟରେ ଥରେ, ଦୁଇଥର ନାଚିଦେବାର ସୁଯୋଗ ପାଇଥିଲି । କଟକ ବୀଣାପାଣି କ୍ଲବ୍‌ରେ ଥରେ ଓ କଟକ ଅମଲା କ୍ଲବ୍‌ରେ ଥରେ । ସେ ଯାହାହେଉ, କୌଣସି ସୌଖୀନ୍‌ ନାଟ୍ୟ ଦଳରେ କିଛି ଭୂମିକା ନେଇନଥିଲି ମୁଁ । ଏଣୁ ଗ୍ରାମରେ ଏମାନଙ୍କ ସାଙ୍ଗରେ ଅଭିନୟ କରିବାର ସୁଯୋଗକୁ ମୁଁ ଦୁର୍ଯୋଗ ମନେକଲି ।

 

ଗତ୍ୟନ୍ତର ନଦେଖି, ଚାରି ପାଞ୍ଚଦିନ ଏମାନଙ୍କ ରିହାର୍‌ସାଲ୍‌ରେ ଯୋଗଦେଲି । ମାତ୍ର କାହାରି କାହା ସହିତ ସମ୍ପର୍କ ନଥିଲା ପରି ଅନୁଭବ କଲି । ଦେଖିଲି, ସେଠାରେ ପ୍ରତ୍ୟେକ ଯେପରି ପ୍ରତ୍ୟେକଙ୍କର ମାଷ୍ଟ୍ର । କେହି କାହାର ନିର୍ଦ୍ଦେଶ ମାନିବାକୁ ନାରାଜ । ରିହାର୍‌ସାଲ୍‌ର ପରିସ୍ଥିତି ଲକ୍ଷ୍ୟ କରି ମୋର ଶ୍ଵାସରୁଦ୍ଧ ହେଲା । ଦିନେ ଗ୍ରାମରେ କାହାକୁ କିଛି ନକହି ଲୁଚି ପଳେଇଲି ମୋର ବଡ଼ ଅପାଙ୍କ ଘରକୁ କୁରୁଞ୍ଜିପୁର ।

 

ଫଳ ହେଲା ବିଷମ । ମୋର ସାମାନ୍ୟତମ ଅପରାଧରେ ଧନ ଓ ମାନର ଗର୍ବରେ ଗର୍ବିତ ଚୌଧୁରୀ ବଂଶର ଯୁବଗୋଷ୍ଠୀ କୌଶଳକ୍ରମେ ମୋତେ କୁରୁଞ୍ଜିପୁରରୁ ଡକେଇ ପଠେଇ ଲାଞ୍ଛନା ଦେବାର ଆୟୋଜନରେ ଲାଗିପଡ଼ିଲେ । ତାଙ୍କର ଚକ୍ରାନ୍ତକୁ ମୁଁ ବୁଝି ପାରି ନ ଥିଲି । ଏଣୁ ମୁଁ ଥିଲି ମୋର ସ୍ଵାଭାବିକ ଅବସ୍ଥାରେ ।

 

ସେଦିନ ଦିନ ତିନିଟା କିମ୍ବା ଚାରିଟା ସମୟ ହେବ, ମୋତେ ‘ଦାସିଆ’ ଭୋଇ ହାତରେ ଡକେଇ ନିଆଗଲା ସେଇ କ୍ଷମତାଲୋଭୀ ଜମିଦାରଙ୍କ ଉଚ୍ଚ ପହଣ୍ଡ ତଳକୁ । ଦେଖିଲି, ପହଣ୍ଡ ଉପରେ ଧାଡ଼ି ବାନ୍ଧି ବସିଛନ୍ତି ଦର୍ପାନ୍ଧ ଯୁବ ଗୋଷ୍ଠୀ । ଦୁଃଖର କଥା–ସେମାନଙ୍କ ଭିତରେ ଥିଲେ ଉଚ୍ଚଶିକ୍ଷିତ କବି, ସାହିତ୍ୟିକ, ଚିନ୍ତାଶୀଳ ସେ ସମୟର ଜଣେ କମ୍ୟୁନିଷ୍ଟ ଦଳପତି ବୋଲାଉଥ‌ିବା ଶ୍ରୀଯୁକ୍ତ ଅନନ୍ତ ପଟ୍ଟନାୟକ ।

 

ଜଣେ ଅସହାୟ କଳାକାରକୁ ଲାଞ୍ଛିତ, ଅପମାନିତ କରିବା ଉଦ୍ଦେଶ୍ୟରେ ସେଠାରେ ଅନେକଗୁଡ଼ିଏ ମନ ଯେମିତି ଭୀଷ୍ମ ପ୍ରତିଜ୍ଞା ନେଇ ଅଟଳ ଓ ଅଚଳ ଅବସ୍ଥାରେ ରହିଥିଲେ । ସମସ୍ତଙ୍କ ଆଖି ଥିଲା ରକ୍ତାକ୍ତ । ତାଙ୍କରି ଭିତରୁ କେତେକ କହିଉଠିଲେ, “ତୋର ଭାଗ୍ୟ ଭଲ, ଆଜି ଉମା ଭାଇ (ଉମେଶ ଚନ୍ଦ୍ର ପଟ୍ଟନାୟକ) ନାହାନ୍ତି; ବର୍ତ୍ତମାନ ଦାସିଆ ଭୋଇ ହାତରେ ତୋତେ ବିଛୁଆତି ଗଛରେ ପିଟାଯିବ, କିଏ ତୋ’ର ପିଠିରେ ପଡ଼ିବ ପଡ଼ୁ ।”

 

ସେମାନଙ୍କର ଧମକପୂର୍ଣ୍ଣ କଥା ଶୁଣି ଏବଂ ଅତି ନିକଟରେ ଦାସିଆ ଭୋଇକୁ ଦେଖି, ଆଖିରୁ ମୋର ଗରମ ଲୁହ ଗଡ଼ିପଡ଼ୁଥାଏ ଛାତି ଉପରେ । ମନେ ମନେ ଠାକୁରଙ୍କୁ ପ୍ରାର୍ଥନା କରୁଥାଏ, ସେ ବିପଦରୁ ରକ୍ଷା ପାଇବାକୁ । ସେ ସମୟର ଅବସ୍ଥା କେତେଦୂର ମର୍ମାନ୍ତିକ ତାହା ଅନୁଭବୀ ବିନା ବୁଝିବ କିଏ ?

 

ସେଇ ଅପମାନ ପାଇବା ପରେ, ଘରକୁ ଫେରି ମୁଁ ମୋର ପେଣ୍ଟ, ସାର୍ଟ ସୁଟ୍‌କେଶ ଖଣ୍ଡକରେ ସଜାଡ଼ି ବାହାରିଲି କଟକ । ହେଲେ ‘ବେଙ୍ଗ’ ଭାଇ ମୋତେ ନେଇ ତାଙ୍କ ଘରେ ରଖିଲେ-। ‘କୁନା’ ଭାଇଙ୍କ ସ୍ତ୍ରୀ କେତେ ମୋତେ ଆଶ୍ୱାସନା ଦେଇ ପାଖରେ ବସାଇଲେ; କିନ୍ତୁ ଅଭିମାନୀ ମନ ମୋର ବୁଝିଲା ନାହିଁ । ତା’ପରଦିନ ପ୍ରଭାତରୁ ସୁଟ୍‌କେଶ ଖଣ୍ଡିକ କାନ୍ଧରେ ଥୋଇ ଧରିଲି କଟକ ନାଲି ରାସ୍ତା ।

 

ବାଲିପାଟଣା, ଭିଙ୍ଗାରପୁର, ଫୁଲନଖରା ବାଟ ଦେଇ ନ’ ଦଶକୋଶ ରାସ୍ତା ପାଦରେ ଚାଲି ଚାଲି ମୁକାମ୍‌ ସହର ପାର ହୋଇ ପହଞ୍ଚିଲି କଟକରେ । ଲକ୍ଷ୍ୟସ୍ଥଳ ଥିଲା–ବାଖରାବାଦ୍‌ ଶ୍ରୀଯୁକ୍ତ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ଘର । “ଆଉ ବୋଉ” (ବଡ଼ ମା’) ରହୁଥିଲେ, ତାଙ୍କର ସେହି ଜୁଆଁଇଙ୍କ ପାଖରେ । ମୁଁ ମଧ୍ୟ ପହଞ୍ଚିଲି ତାଙ୍କରି ନିକଟରେ । ଆଶା ଥିଲା, କୁସୁମ ପରଶରେ ପଟ୍ଟ ନିସ୍ତରିଲା ପରି, ମହତଜନଙ୍କ ସମ୍ପର୍କରେ ଆସି ମୁଁ ଅକିଞ୍ଚନ କାଳେ ନିସ୍ତରି ଯାଇପାରେ ।

 

ମଧ୍ୟାହ୍ନ ସୂର୍ଯ୍ୟର ପ୍ରଖର କିରଣ ଥିଲା ଖୁବ୍‌ କଟୁ । କାନ୍ଧରେ ଦଶସେର ଓଜନର ଟିଣ ସୁଟ୍‌କେଶଟାକୁ ଲଦି, ନାଲିଆ ଗୋଡ଼ିପୂର୍ଣ୍ଣ ସଡ଼କରେ ଧପାଲି ଧପାଲି ପାଦ ମୋର ଥକିପଡ଼ିଥିଲା । ଦାଦିଙ୍କ ପୁଅ ଟୁନିଆ ଭାଇ ବାଖରାବାଦ୍‍ ଦେଇଙ୍କ କୋଠାରେ ଯୋଉ ଘରଟିରେ ରହୁଥିଲେ, ସେଇ ଘରକୁ ପଶିଗଲି । ବାକ୍ସଟିକୁ ଉତ୍ତାରି ଥୋଇଦେଇ, ‘ଆଉ ବୋଉ’ଙ୍କୁ ଦେଖା କରି ମୁଣ୍ଡିଆଟିଏ ମାରିଲି । ତା’ପର ‘ଦେଇ’ଙ୍କୁ ପ୍ରଣାମ କରି, ସମସ୍ତ ଘଟଣା କହିଗଲି ଗୋଟି ଗୋଟି କରି ।

 

ମୁଁ ବୁଝିପାରିନଥିଲି ଯେ, କଟକଠାରୁ ଦଶ କୋଶ ଦୂରରେ ଗ୍ରାମରେ ମୋ ଉପରେ ଘଟିଯାଇଥ‌ିବା ସେହି ଘଟଣାକୁ ‘ଦେଇ’ଙ୍କ ନିକଟର ପ୍ରକାଶ କରି କ’ଣ ବା ଉପକାର ହେବ । ତଥାପି ମୁଁ ଆଖି ଛଳ ଛଳ କରି ଏକା ଦମ୍‌ ସବୁକଥା ବଖାଣି ପକେଇଲି ।

 

ମୋ କଥା ଶୁଣି ଦେଇ ସମବେଦନା ପ୍ରକାଶ କଲେ ଏବଂ ସାନ୍ତ୍ୱନା ଦେଲେ । କିଛିଦିନ ପାଇଁ ତାଙ୍କରି ଘରେ ମୁଁ ଆଶ୍ରୟ ନେଲି । ଅବଶ୍ୟ ସେହି ଆଶ୍ରିତ ଅବସ୍ଥାକୁ ସହ୍ୟ କରିବାକୁ ମୋର ଇଚ୍ଛା ନ ଥିଲେ ମଧ୍ୟ କେବଳ ଅନ୍ୟ ଉପାୟ ନଥିବାରୁ ବାଧ୍ୟହୋଇ ସମୟ କଟେଇଲି । ଦୀର୍ଘ ଦିନ ଧରି କାଳି ବାବୁଙ୍କ ନିକଟରେ କ୍ରୀତଦାସ ପରି ଜୀବନ କଟେଇ, ଚାହୁଁଥିଲି ମୁଁ ସେଠାରୁ ମୁକ୍ତ ହୋଇ ଆଉ କୋଉଠା ଖୋଜିବି, ଯୋଉଠି ଥିବ ଟିକିଏ ହେଲେ ସ୍ଵାଧୀନ ଜୀବନଯାପନର ସାମାନ୍ୟତମ ସୁବିଧା । ବହୁଦିନ ଧରି ପିଲା ଅବସ୍ଥା ସମୟରୁ ମୁଁ ଗୋଟାଏ କ୍ଷୁଦ୍ର ପରିସର ଭିତରେ ବଢ଼ି ଉଠି, ବାହାର ଦୁନିଆଁ ସହିତ ପରିଚିତ ନ ଥିଲି । କେବଳ ସେହି ପରିଧି ଭିତରର କଥା ଛଡ଼ା ଆଉ ମୋର ଅନ୍ୟ ପରିଧି ବିଷୟରେ କିଛି କଥା ଜାଣିବାର ସୁଯୋଗ ନ ଥିଲା । ମୁଁ ସବୁ ସମୟରେ ସେଇ ଛୋଟ ପରିବେଶଟିକୁ ମନେ ମନେ ଅତି ବଡ଼ ମନେ କରୁଥିଲି, ଠିକ୍‌ କୂଅ ବେଙ୍ଗଭଳି ।

 

ଶ୍ରୀଯୁକ୍ତ କାନୁନ୍‌ଗୋ ସେତେବେଳେ ଥିଲେ ଜଣେ ଶ୍ରେଷ୍ଠ ଧନଶାଳୀ ଓ ପ୍ରତିପତ୍ତିଶାଳୀ ଏବଂ ଜଣେ ରାଜନୈତିକ ବଡ଼ପଣ୍ଡା । ରାଜନୀତିର ମାୟାଜାଲ ବିଛେଇ ନିଜର ଧନ ସାଙ୍ଗକୁ ସେ ଆଣିବାକୁ ଚାହୁଥିଲେ କ୍ଷମତା । କାରଣ ସଭ୍ୟ ସମାଜରେ ଧନ ଓ କ୍ଷମତା–ଏ ଦୁଇଟିଯାକ ବସ୍ତୁ ମାନବକୁ କରୁଥିଲା ମହାମାନବିଜ୍ଞାନୀ, ମାନବିକତାବୋଧର ଅସଲ ଅଧିକାରୀ । ଏଇ ଛାପା ଯାହାଙ୍କ ଦେହରେ ସେତେବେଳେ ବାଜିପାରୁଥିଲା, ସେମାନଙ୍କ ପାଇଁ ସବୁ ବାଟ ଖୋଲିଯାଉଥିଲା-। ସେମାନେ ଆଉ ସାଧାରଣ ମଣିଷ ହୋଇ ରହୁ ନ ଥିଲେ, ସବୁ କ୍ଷେତ୍ରରେ ସେମାନେ ହଉଥିଲେ ଉଦ୍‌ଘାଟକ । ସେମାନେ ସାକ୍ଷାତ୍‌ ଈଶ୍ଵରଙ୍କ ପ୍ରତିନିଧୂପେ ପୂଜା ପାଉଥିଲେ ।

 

ଅତି ଦୁଃଖ ଓ ପରିତାପର ବିଷୟ ଯେ–ସେ ସମୟରେ ଅବା ଏ ସମୟରେ, ଯୋଉ ଦଳପତି କିମ୍ବା ନେତାମାନେ ମାନବିକତାର ବଡ଼ ବଡ଼ ଶବ୍ଦସବୁକୁ ସଭା, ସମିତିମାନଙ୍କରେ ମୁହଁରେ ଉଚ୍ଚାରଣ କରୁଥିଲେ ବା ଜାତୀୟ ସଂହତି ନାମରେ ଜନସାଧାରଣଙ୍କ ନିକଟରେ ସ୍ଲୋଗାନ ଦେଉଥିଲେ, ବାସ୍ତବରେ ସେମାନେ କିନ୍ତୁ ଥିଲେ ନିଜ ନିଜ ଭାଷଣର ବିପରୀତଧର୍ମୀ । ଯାହା ମୁହଁରେ କହୁଥିଲେ, କାମରେ କରୁଥିଲେ ତା’ର ଓଲଟା । ମହାଭାରତୀୟ ଭାବନାରେ ନିଜେ ଉଦ୍‌ବୁଦ୍ଧ ହୋଇ ନିଜ ସ୍ଥିତିର ସୀମାରେଖା କିପରି ଅତୁଟ ରହିବ, ସେଥ‌ିପାଇଁ ସମସ୍ତ କୌଶଳ ଲୁଚାଛପାରେ କରୁଥିଲେ । ଆପଣାର ସୁଖ–ଶାନ୍ତିରେ ସାମାନ୍ୟ ବ୍ୟାଘାତ ଆସିଲେ, ମାନବିକତା ନଷ୍ଟ ହେଲା ବୋଲି ଚିତ୍କାର ଛାଡ଼ୁଥିଲେ । ଅଥଚ ନିଜ ପରିବାରରେ ଯୋଉମାନେ ତାଙ୍କର ସେବାକାରୀ ଭାବରେ ଜୀବନକୁ ଉତ୍ସର୍ଗ କରିଥିଲେ, ତାଙ୍କ ପ୍ରତି ଯୋଉ ବ୍ୟବହାର କରୁଥିଲେ ସେଥ‌ିରେ ମାନବିକତାର ଚିହ୍ନବର୍ଣ୍ଣ ନ ଥିଲା ।

 

ମୁଁ ରହୁଥିଲି ଯୋଉ ସଂକୀର୍ଣ୍ଣ ଅଳିଆ, କଚଡ଼ାପୂର୍ଣ୍ଣ ଛୋଟ ଘର ଖଣ୍ଡିକରେ ତାହା ଥିଲା ‘ଦେଇ’ (ଶ୍ରୀଯୁକ୍ତ କାନୁନ୍‌ଗୋଙ୍କ ସ୍ତ୍ରୀ)ଙ୍କର ଚାକରମାନଙ୍କର ଘର । ଅନ୍ଧାରୁଆ ଓ ମଶା, ମାଛିରେ ପୂର୍ଣ୍ଣ ସେଇ ଘରଟିରେ ଦିନମାନ କଟେଇବା ମୋ ପକ୍ଷରେ ଥିଲା କଷ୍ଟଦାୟକ । ଏଥିଲାଗି ମୁଁ ପଖାଳ ମୁଠିଏ ଖାଇଦେଇ ବାହାରିଯାଉଥିଲି ବାହାରକୁ–ଖୋଜୁଥିଲି କୋଉଠି ଖଣ୍ଡିଏ ଚାକିରି, ନିଜର ପେଟ ଚାଖଣ୍ଡକ ପୋଷିବା ଉଦ୍ଦେଶ୍ୟରେ ।

 

ରଙ୍ଗମଞ୍ଚରେ ସିନା ସେଇ ଅଭିନୟ ବେଳେ ଆମକୁ ଲୋକ ଚିହ୍ନୁଥିଲେ, ଜାଣୁଥିଲେ; ମାତ୍ର ଅଭିନୟ ଭାଙ୍ଗିବା ପରେ କିଏ କାହାକୁ ଚିହ୍ନୁଛି ? ରଙ୍ଗମଞ୍ଚରେ ମୁଁ ଥିଲାବେଳେ ଅନେକ କିଛି ସ୍ଵପ୍ନ ଦେଖୁଥିଲି ଯେ ମଞ୍ଚ ଛାଡ଼ିବା ପରେ ଆମକୁ ଆମର ପୃଷ୍ଠପୋଷକଗଣ ନିଶ୍ଚିତଭାବେ ସମ୍ମାନ ଦେବେ, ଉଦର ପୋଷଣ ଲାଗି କର୍ମ ଦେବେ; କିନ୍ତୁ ବର୍ତ୍ତମାନ ମୋତେ କେହି ଚିହ୍ନିପାରିଲେ ନାହିଁ । ଯୋଉମାନେ ଟିକିଏ ଚିହ୍ନିବେ ଚିହ୍ନିବେ ମନେହେଲା ସେମାନେ ଅନେକ ଦୂରରୁ ବାଟଭାଙ୍ଗି ଚାଲିଲେ ଅନ୍ୟ ଦିଗରେ ।

 

ଯୋଉମାନଙ୍କ ନିକଟକୁ ଆଶା ଓ ଭରସା ନେଇ ଧାଇଁଲି, ସେମାନେ ମୋତେ ଯେମିତି କୋଉଠି ଦେଖିଲା ଭଳି ଚାହିଁ ଚିନ୍ତା କଲେ । ଆଉ କେତେକ ଭଦ୍ରଲୋକ ମୋତେ ଦେଖିଲା ମାତ୍ରେ କୁଶଳ ସମାଚାର ପ୍ରଶ୍ନ କରି ସିନେମା ଦେଖିବାକୁ ନିମନ୍ତ୍ରଣ କଲେ ଏବଂ ମୋ ପାଇଁ କିଛି ଚିନାବାଦାମ ଖର୍ଚ୍ଚ କରି, ଟକି ଦେଖୁ ଦେଖୁ ମୋ ଉପରେ ଆଉଜି ପଡ଼ିଲେ । ମୁଁ ଯେ ଏଭଳି ଭଦ୍ରଲୋକଙ୍କୁ ଉପଯୁକ୍ତ ଶିକ୍ଷାଦେଇ ନ ଥିଲି ତା’ ନୁହେଁ । ସେମାନଙ୍କର ଅବସ୍ଥା ଲକ୍ଷ୍ୟ କରି, ପରିସ୍ଥିତିକୁ ବେଶି ଦୂର ବଢ଼ିବାକୁ ନ ଦେଇ, ମୋର ଛୋଟ ହାତ ପାପୁଲିର ଗରମ ଚାପୁଡ଼ା ତାଙ୍କ ଗାଲରେ ବସେଇ ଅଧା ସିନେମା ଦେଖାରୁ ବିଦାୟ ନେଇଥିଲି ।

 

ଦୁର୍ଗନ୍ଧପୂର୍ଣ୍ଣ ସେଇ ଆଶ୍ରୟସ୍ଥଳୀକୁ ଫେରି ରାତିରେ ନିଦ ହୁଏ ନାହିଁ । ଅନେକ ଚିନ୍ତା କରେ, ଅନେକ ହସେ, ଅନେକ କାନ୍ଦେ । ବେଳେବେଳେ ମୁଁ ସହର ସଡ଼କରେ ଚାକିରି ଖୋଜିବାକୁ ଯାଇ ଭୟ କରିଯାଏ । କାରଣ ସର୍ବସାଧାରଣଙ୍କ ଆଖିରେ ମୁଁ ଥିଲି ନାଟୁଆ ପିଲା, ସେଇ ଛାପା ଲାଗିଥିଲା ମୋ ଦେହରେ । ଅନେକ ସନ୍ଦେହ ଆଖିରେ ଦେଖୁଥିଲେ ମୋତେ । ପ୍ରକୃତରେ ମୁଁ ଯେ ଥିଲି ଏକ ଅଗ୍ନିକଣା, ଏକଥା କେହି ବୁଝି ନ ଥିଲେ, କେହି ଜାଣି ନ ଥିଲେ ।

 

ଚୌଧୁରୀ ବଜାରରେ ଶ୍ରୀ ହରେକୃଷ୍ଣ ଦାଶ ତାଙ୍କର କବିରାଜ ଦୋକାନଟି ଚଳେଇଥା’ନ୍ତି-। ‘ଦେଇ’ଙ୍କର ଖୁବ୍‌ ଜଣାଶୁଣା । ଦାଶ ମହାଶୟ ତାଙ୍କର ଜମିଦାରୀ ମୌଜା ରାଢ଼ଙ୍ଗରେ ଗୋଟିଏ ନୂଆ ଯାତ୍ରାଦଳ ଗଢ଼ିଥାନ୍ତି । ଦଳଟି ନୂଆ ହେଲେ ମଧ୍ୟ ଅଳ୍ପ ଦିନରେ ବେଶ୍‌ ଲୋକପ୍ରିୟ ହୋଇଉଠିଥାଏ । ସମ୍ଭବତଃ ମୋ ବିଷୟରେ ଶ୍ରୀଯୁକ୍ତ ଦାଶଙ୍କୁ ‘ଦେଇ’ କିଛି ସୁପାରିଶ କରିଥିଲେ ଏବଂ ଦାଶ ମହାଶୟଙ୍କ ସମ୍ମତି ପାଇବା ପରେ, ମୋର ସେଇ ଯାତ୍ରାରେ ରହିବା ନ ରହିବା ବିଷୟରେ ମତାମତ ଲୋଡ଼ିଥିଲେ ।

 

ଦେଇଙ୍କ ପରାମର୍ଶ ଶୁଣି ମୁଁ ମୋର ମନେ ମନେ ଭାବିଲି–ଢିଙ୍କି ସ୍ଵର୍ଗକୁ ଗଲେ ମଧ୍ୟ ଧାନ କୁଟେ । କକ୍ଷଚ୍ୟୁତ ଗ୍ରହପରି ନିଜର ସ୍ଥିତି ହରେଇ ଏଣେତେଣେ ବୁଲିବା ଅପେକ୍ଷା ଯଦି କିଛି ନୂଆ ଧରଣର କଳାସଂସ୍ଥାରେ କିଛିଦିନ କଟେଇଦିଏ, କ୍ଷତି କ’ଣ ? ଯାତ୍ରାରେ ଅଭିନୟ କରିବା ସେଥି ପୂର୍ବରୁ ମୋତେ ସୁଯୋଗ ମିଳି ନ ଥିଲା, ଆଉ ମଧ୍ୟ ଯାତ୍ରା ଅଭିନୟକୁ ମୁଁ ଖୁବ୍‌ ବଡ଼ ଆସନ ଦେଇଥିଲି ମନରେ । ରାଜି ହୋଇଗଲି ।

 

ଯୋଗ ଦେଲି ରାଢ଼ଙ୍ଗ ନାଟ ଦଳରେ । ରାସଦଳରେ ଥିଲି, ଏବେ ଯାତ୍ରା ଦଳକୁ ଗଲି । ମାନ ମୋର କମିଗଲା କି ବଢ଼ିଗଲା ସେ କଥା ମୁଁ ସେ ସମୟରେ ବିଚାର କରି ନ ଥିଲି । ତେବେ ଏତିକି ବିଚାର କରିଥିଲି ଯେ, ମୁଁ ଗୋଟିଏ ନୂଆ ଅଭିଜ୍ଞତା ହାସଲ କରିବାକୁ ଯାଉଛି । ମଞ୍ଚ ନାଟକର ପରିବେଶ ସମ୍ପର୍କରେ ମୋର କିଛିଟା ଧାରଣା ଥିଲେ ମଧ୍ୟ ମୁକ୍ତାକାଶ ତଳେ ଅଭିନୟ ପ୍ରଦର୍ଶନ କରିବାରେ କ’ଣ କେତେଦୂର ସୁବିଧା ଅସୁବିଧା ଥିଲା, ସେ ବିଷୟରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ ଥିଲି ।

 

ରାଢ଼ଙ୍ଗ ଯାତ୍ରା ଦଳର ଆଖଡ଼ା ହଉଥିଲା, ସବୁ ରାତିରେ ଜମିଦାରଙ୍କ ଖମାର ଘରେ । ଆମେ (ମୁଁ ଏବଂ ମୂଷା, ଦୁର୍ଗାଚରଣ) ରହୁଥିଲୁ ସେଇ ଖମାର ଘରେ । ଆମ ସାଙ୍ଗରେ ରହୁଥିଲେ ଗୁମାସ୍ତା ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି । ପ୍ରଥମ ପ୍ରଥମ ସେଇ ନାଟ ଦଳରେ ରହି ମୋତେ ବେଶ୍‌ ଆନନ୍ଦ ଲାଗିଲା । ପ୍ରତ୍ୟେକ ଦିନ ଆଖଡ଼ା ହେଉଥିଲା ରାତି ନ’ଟା ଦଶଟା ପର୍ଯ୍ୟନ୍ତ । ତା’ପରେ ସମସ୍ତେ ଯାଉଥିଲେ ନିଜ ନିଜ ଘରକୁ । ରହୁଥିଲୁ କେବଳ ଆମେ କେଇଜଣ ଓ ‘ବୁଲୁ’ ପୂଜାରୀ । ‘ବୁଲୁ’ ପୂଜାରୀଙ୍କର ରନ୍ଧା ଖାଦ୍ୟ ସୁସ୍ଵାଦୁ ଓ ରୁଚିକର ।

 

ଦଳରେ ଯୋଗ ଦେବା ସାଙ୍ଗେ ସାଙ୍ଗେ ନାଟ ପିଲାଙ୍କୁ କେଇ ଖଣ୍ଡି ନୂଆ ନାଚ ଶିଖେଇଦେଲି । ଅଭିନୟ କରିବାରେ ବଟ, ପଦନ, କାର୍ତ୍ତିକ ଖୁବ୍‌ ଆଗୁଆ ଥିଲେ । ଦଳ ଭିତରେ ଯୋଉମାନେ ଭଲ ଅଭିନେତା କିମ୍ବା ଭଲ ବାଦକ ହିସାବରେ ସୁନାମ ଅର୍ଜନ କରୁଥିଲେ, ତାଙ୍କ ପାଇଁ ରାତିକର ଜରସମନ ଥିଲା ଛ’ଅଣା ଓ ଆଠଅଣା ।

 

ଦେଖିଲି–ଯାତ୍ରା ଦଳରେ କାହାରିକୁ ଦରମା ଦିଆ ଯାଉ ନ ଥିଲା । ସେ ଅଭିନେତା ହୁଅନ୍ତୁ ବା ସଙ୍ଗୀତକାର ହୁଅନ୍ତୁ, ଗୋଟିଏ ରାତି ପାଇଁ ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦିଆ ଯାଉଥିଲା–କାହାକୁ ଚାରଣା, ଆଠଣା, ଦଶଣା, ଛ’ଅଣା । ପ୍ରତ୍ୟେକ ମଧ୍ୟ ଏଇସବୁ ପ୍ରାପ୍ୟ ପାଇ ଖୁସିରେ କାମ କରି ଯାଉଥିଲେ । ଅବଶ୍ୟ ଯୋଉମାନେ ଯାତ୍ରାର ଗୁରୁ ପଦରେ ଅଧିଷ୍ଠିତ ଥିଲେ, ସେମାନେ କିଛି କିଛି ଦରମା (ମାସିକିଆ) ପାଉଥିଲେ । ମୋର ଦରମା ଥିଲା ମାସକୁ ତିନି ଟଙ୍କା ।

 

ବେଳେବେଳେ ମନକୁ ଆସୁଥିଲା, ମୁଁ କ’ଣ ସତରେ ଏମାନଙ୍କ ସହିତ ନିଜକୁ ଖାପ ଖୁଆଇ ଏଠାରେ ଚଳିପାରିବି ? କାରଣ ମୁଁ ଅନୁଭବ କରୁଥିଲି ମଞ୍ଚ ଅଭିନୟଠାରୁ ଖୋଲା ମଞ୍ଚରେ ଅଭିନୟ କରିବା ଖୁବ୍‌ କଷ୍ଟସାଧ୍ୟ । ମଞ୍ଚ ଅଭିନେତାଠାରୁ ଜଣେ ମୁକ୍ତାକାଶ ମଞ୍ଚ ଅଭିନେତା ଅଧିକ ପରିଶ୍ରମ କରୁଥିଲା । ଗଳା ଫଟେଇ, ଖୁବ ପାଟି କରି ନିଜର ସଂଳାପ ନ କହିଲେ, ତା’ର ଚାରିପାଖରେ ବସିଥିବା ଅଗଣିତ ଦର୍ଶକମାନଙ୍କ ମନକୁ ସ୍ପର୍ଶ କରିବା ତା’ପକ୍ଷରେ ହେବ କଷ୍ଟକର ବ୍ୟାପାର । ଏଥିଲାଗି ତାକୁ ଅନେକ ସମୟରେ ବାସ୍ତବ ଅଭିନୟଠାରୁ ଦୂରେଇଯିବାକୁ ପଡ଼ୁଥିଲା ।

 

ସେଇଭଳି ଅଭିନୟ ଭଙ୍ଗୀରେ ମଧ୍ୟ ମଞ୍ଚ ଅଭିନୟଠାରୁ ଏଠାରେ ଥିଲା ଅଲଗା ପରିବେଶ । ମଞ୍ଚରେ ଯେତିକି କଥା ବା ଯେତିକି ସଂଳାପ ଉଚ୍ଚାରଣ ପାଇଁ ଭଙ୍ଗୀ ବା ଆକସନ୍‌ କରିବାକୁ ପଡ଼େ, ଖୋଲା ମଞ୍ଚରେ ତା’ଠାରୁ ପଡ଼େ ଅଧିକ । ଏହା ଅନେକ ସ୍ଥଳରେ ଆଖିକୁ ଅବାସ୍ତବ ପରି ଦେଖାଗଲେ ମଧ୍ୟ, ବହୁ ଦୃଷ୍ଟିକୁ ସନ୍ତୁଷ୍ଟ କରିବା ଲାଗି ଅଭିନେତା ବାଧ୍ୟରେ ପଡ଼ି କରିଥାଏ । ମୋର ମନେହୁଏ, ସର୍ବଦା ମୁକ୍ତାକାଶ ମଞ୍ଚ ଅଭିନେତା ଏଇସବୁ କୃତ୍ରିମତାର ଆଶ୍ରୟ ନେଉଥ‌ିବା ହେତୁ, ଅଭ୍ୟାସରେ ପଡ଼ି ବାସ୍ତବଧର୍ମୀ ଅଭିନୟ କରିବା କେବେ କେବେ ତା’ ପକ୍ଷରେ ସମ୍ଭବ ହୁଏନି ।

 

ମୁଁ ସେଠାରେ ସେଇସବୁ କଥାକୁ ଲକ୍ଷ୍ୟକରି ଟିକିଏ ପ୍ରଥମ ଅବସ୍ଥାରେ ପଛେଇଗଲି । ଅବଶ୍ୟ ତା’ପରେ ପରେ ସେମାନଙ୍କ ସାଙ୍ଗରେ ଠିକ୍‌ କାନ୍ଧକୁକାନ୍ଧ ମିଳେଇ ଚାଲିଲି । ଅଭିନେତା ପାଇଁ ଅଭିନୟର ବା ବାଛବିଚାର କ’ଣ ଥାଇପାରେ ? ଯେ ପ୍ରକୃତ ଅଭିନେତା, ସେ ତା’ର କୃତିତ୍ଵ ସବୁ କ୍ଷେତ୍ରରେ ପ୍ରଦର୍ଶନ କରିପାରିବ । ଯାତ୍ରା କୁହନ୍ତୁ, ରଙ୍ଗମଞ୍ଚ କୁହନ୍ତୁ–ଏଗୁଡ଼ିକ ଗୋଟିଏ ଗୋଟିଏ ଅଲଗା ଅଲଗା ପରିବେଶ ମାତ୍ର । ଅଭିନୟ କିନ୍ତୁ ସବୁଠାରେ ସମାନ ମାନର ହେବା ଉଚିତ୍‌ । ପ୍ରତ୍ୟେକ ପରିବେଶକୁ, ଅଭିନେତା ତା’ର ନିଜର ପବିତ୍ର ତୀର୍ଥ କ୍ଷେତ୍ର ମନେକରିବା ବାଞ୍ଛନୀୟ ।

 

ମୋର ଯୋଗଦେବା ପୂର୍ବରୁ ରାଢ଼ଙ୍ଗ ଯାତ୍ରାଦଳରେ ଯୋଉମାନେ ଅଭିନୟ କରୁଥିଲେ, ସେମାନଙ୍କ ଅଭିନୟ ନିକଟରେ ମୁଁ ମୋର ଅଭିନୟକୁ ଅତ୍ୟନ୍ତ ଗୌଣ ମନେ କରୁଥିଲି । କାରଣ ମୋ ଅଭିନୟରେ ଯେଉଁ ସୂକ୍ଷ୍ମ କଳା ଥିଲା, ତାହା ସେ’ ପରିବେଶ ପାଇଁ ଉପଯୁକ୍ତ ନ ଥିଲା । କିନ୍ତୁ ପରେ ଅବସ୍ଥାକୁ ଆଖି ଆଗରେ ରଖି ସେମାନଙ୍କ କଳା ପରିବେଷଣର ଢାଞ୍ଚାକୁ ଦେଖି, ମୁଁ ମଧ୍ୟ ତାଙ୍କରି ପଦାଙ୍କ ଅନୁସରଣ କଲି ।

 

ଯାତ୍ରା ଦଳର ଅଭିନେତାମାନେ ଖୁବ୍‌ କଷ୍ଟସହିଷ୍ଣୁ । ଏମାନେ ଆମ ପରି ଯଦିଓ ପେଷାଦାର ଥିଲେ, ତଥାପି ଅଭିନୟ ଶିକ୍ଷା କରିବାକୁ କେବେହେଲେ ଗୋଟିଏ ସ୍ଥାନରେ, ଗୋଟିଏ ପରିବେଶ ଭିତରେ ପରନ୍ତୁ ଗୋଟିଏ ଲୋକର ବାହୁଛାୟା ତଳେ ଏମାନେ ଦୀର୍ଘଦିନ ଧରି ରହୁ ନ ଥିଲେ । ଏମାନଙ୍କର ପୃଷ୍ଠପୋଷକ ବା ମାଲିକ ଯଦିଚ କେହି ଜଣେ ରହୁଥିଲେ, ତେବେ ବି ଏହି ଅଭିନେତାଗଣ ସେଇସବୁ ମାଲିକମାନଙ୍କର ଅଧୀନରେ ରହିବାର ସୁବିଧା ନ ଥିଲା ।

 

ଅଭିନେତାମାନେ ନିଜ ଘରେ ଖାଉଥିଲେ ଓ କାମ କରୁଥିଲେ, ରହୁଥିଲେ । ମାତ୍ର ଯେତେବେଳେ ଦର୍କାର ପଡ଼ୁଥିଲା, ଆଖଡ଼ା ଘରକୁ ଆସି ନିତ୍ୟ ଅଭ୍ୟାସରେ ଯୋଗ ଦେଉଥିଲେ । ସାଧାରଣତଃ ଯୋଉ ଗ୍ରାମରେ ଯାତ୍ରା ଦଳ ମୁଣ୍ଡ ଟେକୁଥିଲା, ଅଭିନେତା ପ୍ରାୟ ବେଶି ଭାଗ ସେଇ ଗ୍ରାମରୁ ସଂଗ୍ରହ କରାଯାଉଥିଲେ; ବାକି ଜଣେ ଅଧେ ଭଲ ପ୍ଲେୟାର ବାଛି ଅନ୍ୟ ଗ୍ରାମରୁ ଅଣାଇବାକୁ ପଡ଼ୁଥିଲା । ସମ୍ଭବତଃ ଉକ୍ତ କାରଣ ଯୋଗୁଁ ମାଲିକ ଦ୍ଵାରା କୌଣସି ଅଭିନେତା ବିଶେଷ ଭାବେ ପ୍ରତାରିତ, ଲାଞ୍ଛିତ ହେବାର ଅବକାଶ ନ ଥିଲା ।

 

ଯାତ୍ରା ଦଳ ଯେତେବେଳେ ଅଭିନୟ ଲାଗି ଡକରା ପାଇ ଅନ୍ୟ ସ୍ଥାନକୁ ଯାଉଥିଲେ, ସେତେବେଳେ ଅଭିନେତାମାନେ କିଛିଦିନ ଲାଗି ମାଲିକମାନଙ୍କ ତତ୍ତ୍ୱାବଧାନରେ ଏକାଠି ରହିବାକୁ ବାଧ୍ୟ ହେଉଥିଲେ । ମୋର ବ୍ୟକ୍ତିଗତ ଧାରଣା, ଏଇ ବ୍ୟବସ୍ଥା ଯୋଗୁଁ ସମ୍ଭବତଃ ଯାତ୍ରାଦଳ ସବୁ ବେଶି ଦିନ ତିଷ୍ଠି ରହୁଥିଲେ; ତେବେ ଯେତେବେଳେ ଏଇ ଦଳମାନ ଭାଙ୍ଗିଯାଉଥିଲା, ତାହା କେବଳ ଗୋଟିଏ କାରଣ ପାଇଁ । କାରଣଟି ହେଲା ଅର୍ଥ ସଂକଟ, ଆଉ କିଛି ନୁହେଁ ।

 

ରାଢ଼ଙ୍ଗ ଦଳରେ ରହିବା ଫଳରେ ମୋର ଯାତ୍ରାଭିନୟ ଦିଗରେ ଅଭିଜ୍ଞତା ନିଶ୍ଚିତ ଭାବରେ ତ ବଢ଼ିଲା, ତା’ ସଙ୍ଗେ ସଙ୍ଗେ ସେଇ ଦଳଟି ସାଙ୍ଗରେ ରହି ଅନେକ ନୂଆ ନୂଆ ଗାଁ ଗଣ୍ଡା ଦେଖିବା ଓ ବହୁ ଲୋକଙ୍କ ସହିତ ମିଶିବାର ସୌଭାଗ୍ୟ ଅର୍ଜନ କଲି ମଧ୍ୟ ।

 

ଯୋଉଠୁ ଡକରା ଆସେ, ସେ ସ୍ଥାନର ଲୋକ ପ୍ରଥମ ଆସି ଆମ ସହିତ, ଆମ ଦଳର ‘ଜରସମନ (ପାଉଣା) ବିଷୟରେ କଥା ପକ୍କା କରନ୍ତି ଏବଂ କିଛି ଟଙ୍କା ବହିନା ଦେଇ ଯାଆନ୍ତି । ତା’ପରେ ଆମେ ନିର୍ଦ୍ଦିଷ୍ଟ ଦିନରେ ସେଠାକୁ ଅନୁକୂଳ କରୁ । ଭାରୁଆଙ୍କ କାନ୍ଧରେ ଜିନିଷପତ୍ର ଯାଏ ଏବଂ ଆମେ ସମସ୍ତେ ପଦବଜ୍ରରେ ଚାଲି ଚାଲି ଯାଉ । ଅମଡ଼ା ମଡ଼ା ଯେମିତି ରାସ୍ତା ସେଠାକୁ ଥାଉନା କାହିଁକି ।

 

ସାଧାରଣତଃ ଯେତେ ସ୍ଥାନରୁ ଡକରା ଆସେ, ସବୁ ସ୍ଥାନରେ ପ୍ରାୟ ଯାତ୍ରାବାଲାଙ୍କ ପାଇଁ ସେଇ ଗୋଟିଏ ଧରଣର ବ୍ୟବହାର ମିଳିଥାଏ । ରହିବା ପାଇଁ ଯାହିତାହି ଘର ଖଣ୍ଡେ, ଖାଇବା ପାଇଁ ଚୁଡ଼ା ଭଜା ସହିତ ହୁଡ଼ୁମ୍ବ, ନଡ଼ିଆ, ଚିନି ଓ ତା’ ସାଙ୍ଗକୁ ଡାଲମାଟାଏ, ଅବଶ୍ୟ ଏହା ରାତି ଖାଦ୍ୟ । ଦିନବେଳା କୋଉଠି କେମିତି କେହି ମାଛ, ମାଂସ ଦେଲେ ତ ଖୁବ୍‌ ଭାଗ୍ୟର କଥା ।

 

ଅଧିକାଂଶ ସ୍ଥାନରେ ମୁଁ ଲକ୍ଷ୍ୟ କରିଛି, ଯେଉଁଠାରେ ଆମେମାନେ ଯାଇ ରହିଛୁ, ସେ ସବୁଗୁଡ଼ିକ ପ୍ରାୟ ଗୁହାଳ ଘର କିମ୍ବା ପରିତ୍ୟକ୍ତ ସ୍ଥାନ ।

 

ଦିନକର ଅନୁଭୂତି । ଜଗତ୍‌ସିଂହପୁର ଥାନା ଅଧୀନରେ ଗୋଟିଏ ଗାଁ । ଡକରା ଆସିଥାଏ ଆମର ନାଟ ଦଳକୁ ଯିବାଲାଗି । ରାଢ଼ଙ୍ଗଠାରୁ ଅନେକ ଦୂର, ସାତ, ଆଠକୋଶ ବାଟ । ପୁଣି ଗହୀର ବିଲରେ ନାଳ, ଯୋଡ଼ ପାର ହୋଇ ଯିବାକୁ ପଡ଼ିବ । ସକାଳୁ ସକାଳୁ ଭାରୁଆମାନେ ଟ୍ରଙ୍କ, ବାକ୍ସ ଭାର ନେଇ ବାହାରିପଡ଼ିଲେ ଓ ଆମେମାନେ ବାହାରିଲୁ ଖାଇବା କାମ ଶେଷ କରି । ବାଟ ଚାଲି ଚାଲି ପାଦ ମୋର ଥକି ପଡ଼ୁଥିଲେ ମଧ୍ୟ ଅନ୍ୟ ଉପାୟ ନ ଥିଲା । ପ୍ରତ୍ୟେକ ଅପେରା ଦଳରେ ଏଇ ସମସ୍ୟା । ତେବେ ଯାହାହେଉ, ଅନ୍ୟମାନଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇ ଚାଲିବାରେ କଷ୍ଟ ପ୍ରାୟ ଜଣାପଡ଼େ ନାହିଁ ।

 

ସେଦିନ ସେହି ନିର୍ଦ୍ଦିଷ୍ଟ ଗ୍ରାମରେ ପହଞ୍ଚିବାକୁ ଆମକୁ ରାତି ସାତଟା ଆଠଟା ବାଜିଗଲା-। ଦେଖିଲୁ, ଆମମାନଙ୍କ ରହିବା ପାଇଁ ଗୋଟିଏ ବଡ଼ ଗୁହାଳ ଘର ରଖା ଯାଇଥିଲା । ବଡ଼ ବଡ଼ ଅନେକଗୁଡ଼ିଏ ହେଁସ ପରାଯାଇ ଆମର ବିଶ୍ରାମ ଲାଗି ଆଗରୁ ବନ୍ଦୋବସ୍ତ ରହିଥିଲା । ସେଠାରେ ପହଞ୍ଚି, ଗୋଡ଼ ହାତ ଧୋଇ, ହୁଡ଼ୁମ୍ବ, ଡାଲମାରୁ କିଛି କିଛି ପେଟରେ ଭରିଦେଇ ଗଡ଼ିପଡ଼ିଲୁ ସେଇ ଗୋରୁ ମୂତ ଗନ୍ଧପୂର୍ଣ୍ଣ ହେଁସ ଉପରେ ।

 

ଚିତ୍‌ ହୋଇ ଶୋଇପଡ଼ି ଉପରକୁ ଚାହିଁଲି, ମଥା ଉପରେ ଲମ୍ବା ବାଉଁଶ ଭାଡ଼ିରେ କଳାକୁଟା, ଗୋ ଖାଦ୍ୟ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଖୁନ୍ଦା ହୋଇ ଥୁଆହୋଇଛି । ସ୍ଥାନେ ସ୍ଥାନେ କଳାକୁଟା ଅଳନ୍ଧୁ ସହିତ ମିଶି ଝୁଲୁଛି ରେଶମ ଝାଲେରି ପରି । ବାଧାରେ ନିଦ କେତେବେଳେ ଆଖିକୁ ଆସିଯାଇଥିଲା, ମୁଁ ଜାଣେନା ।

 

ହଠାତ୍ ମୋର ବାଁ’ହାତ ପାପୁଲି ପାଖରେ ନାଡ଼ୀ ଉପରେ କ’ଣ ଗୋଟାଏ ପଡ଼ିବାର ଅନୁଭବ କରି ନିଦଟା ଭାଙ୍ଗିଗଲା ଏବଂ ସେଇ ନିଦ ମଳମଳ ଅବସ୍ଥାରେ ଖାଇବି ହାତଟାକୁ ପୂରାଦମ୍‌ରେ ବାଁ ହାତ ନାଡ଼ୀ ଉପରଟାକୁ ମନ୍ଥି ପକେଇଲି । ବାପ୍‌ରେ ବାପ୍‌, ମୋର ସର୍ବାଙ୍ଗରେ ଯେମିତି ନିଆଁ ଚରିଗଲା । ସେଇ ନାଡ଼ୀରେ କିଏ ଗୋଟାଏ ଗରମ ଛୁଞ୍ଚି ଗଳେଇ ଦେଲାପରି ଅନୁଭବ କଲି ମୁଁ । ମୁଣ୍ଡଟା ଟେକି ହାତକୁ ଦେଖିଲି ଚାଖଣ୍ଡେ ଲମ୍ବର ଗୋଟାଏ ତିନ୍ତୁଳିଆ ବିଛା ତା’ର ନାଉଡ଼ ଦୁଇଟା ସେଇ ନାଡ଼ୀ ଭିତରେ ଗଳେଇ ଦେଇ ଛଟ୍‌ ଛଟ୍‌ ହଉଛି ।

 

ମୁଣ୍ଡ ମୋର ଘୁରିଗଲା । ହାତଟାକୁ ଖୁବ୍‌ ଜୋରେ ଛିଞ୍ଚାଡ଼ି ଦେଇ ଚିତ୍କାର କରି ଉଠିଲି । ତଣ୍ଟି ଶୁଖିଗଲା । ଅସହ୍ୟ ଯନ୍ତ୍ରଣାରେ ଜ୍ଞାନଶୂନ୍ୟ ହୋଇ କେବଳ ସେଇ ଘରଟାରେ ଗଡ଼ିବାକୁ ଲାଗିଲି, ଚାରିଆଡ଼ ଅନ୍ଧାର ଦେଖିଲି । ଯାତ୍ରା ସେଦିନ ରାତିରେ ହେଲା କି ନାହିଁ କିଛି ବୁଝିପାରିଲି ନାହିଁ । ତା’ପରଦିନ ସକାଳ ଦଶଟା ସମୟରେ ଗିନାଏ ଗରମ ଗୁଆ ଘିଅ ସେଇ ସ୍ଥାନରେ ଢାଳିଦେବା ପରେ ଯାଇ ମୋର ହୋସ ଆସିଲା, କଷ୍ଟ ଲାଘବ ହେଲା, ଦିହରେ ଜୀବନ ପଶିଲା ।

 

ଏମିତି କେତେ ସୁଖ, ଦୁଃଖ, ହସ, କାନ୍ଦ ଭିତରେ ରାଢ଼ଙ୍ଗ ଯାତ୍ରା ଦଳରେ ସମୟ କଟଉଥାଏ । ଅନେକ ଗାଁକୁ ଯାଉ, ଅନେକ ବାଟ ଚାଲୁ । ପାଦ ଫୁଲି ଉଠେ । ପୁଣି ବିନା ଔଷଧରେ ଆମେ ଭଲ ହୋଇଯାଉ । ମୁଁ ସେମାନଙ୍କ ନିକଟରେ ଗୋଟାଏ କଥାକୁ ଲକ୍ଷ କରୁଥାଏ, ତାହା ହେଲା–ସେମାନଙ୍କର କଳା ପ୍ରତି ଆଗ୍ରହ ଓ ଉତ୍ସାହ । ବର୍ଷା, ଖରା, ଶୀତ–ଖାଲ, ଢିପ, ଅମଡ଼ା, ମଡ଼ା କୌଣସି ପ୍ରତିବନ୍ଧକକୁ ନ ମାନି ପାଦରେ ଚାଲି ଚାଲି ସେଇସବୁ ଯାତ୍ରା ଦଳ ଯେ ବିଭିନ୍ନ ସ୍ଥାନକୁ ଯାଇ କଠିନ ପରିଶ୍ରମ କରି ଅଭିନୟ କରିଥା’ନ୍ତି ତା’ର ମୂଳରେ କ’ଣ ବା ତାଙ୍କର ସ୍ଵାର୍ଥ ଥାଇପାରେ ? କଳାରେ ମଜ୍ଜି, ନିଜେ ଆନନ୍ଦ ପାଇ, ଅପରକୁ ଆନନ୍ଦ ଦେବା ଛ’ଡ଼ା ଆଉ ବା ସେମାନଙ୍କର କି ସ୍ଵାର୍ଥ ଥିଲା ?

 

ତଥାପି ଆମର କଳାପ୍ରେମୀ ଜନସାଧାରଣଙ୍କର କଳାକାରର ଏଇ ନିଃସ୍ୱାର୍ଥପର ତ୍ୟାଗ ପ୍ରତି ଟିକିଏ ହେଲେ ଆନ୍ତରିକତା ଥିବାର ଲକ୍ଷ୍ୟ କରାଯାଉ ନ ଥିଲା । ଯାତ୍ରା ଦଳର ଯାତ୍ରା ଦେଖିବାକୁ ଯେତିକି ମାତ୍ରାରେ ଲୋକଙ୍କର ଆଗ୍ରହ ପ୍ରକାଶ ପାଉଥିଲା, ଯାତ୍ରାବାଲାଙ୍କର ଅତୀତ, ବର୍ତ୍ତମାନ, ଭବିଷ୍ୟତ ସମ୍ପର୍କରେ କାହାର କ୍ଵଚିତ୍ ମୁଣ୍ଡବ୍ୟଥା ନ ଥିଲା । ଅଭିନେତାଙ୍କ ମୁହଁରେ ହୁଡ଼ୁମ୍ବ ମୁଠିଏ ପକେଇ, ଅଭିନୟ ସଭାରେ ଆଗ ଆସନ ଧରି ବସିଯାଉଥିଲେ । ହୁଡ଼ୁମ୍ବ ଖାଦ୍ୟପ୍ରାଣ ପାଇଥିବା ପ୍ରାଣୀମାନେ କିଭଳି ସୂକ୍ଷ୍ମ କଳା ପରିବେଷଣ କରୁଛନ୍ତି, ଦେଖିବାକୁ ।

 

ବେଳେବେଳେ ସମାଜରୁ କେତେକ ଗୁଣଗ୍ରାହୀ, କଳାର ପୂଜାରୀ, ଧନଶାଳୀ ବ୍ୟକ୍ତି ଯାତ୍ରାବାଲାଙ୍କ ଭବିଷ୍ୟତ ସମ୍ପର୍କରେ ଚିନ୍ତାକରି କିଛିଟା ଧନ ସାରିବାକୁ ଧାଇଁ ଆସୁଥିଲେ ଏକଥା ସତ । ମାତ୍ର ତାଙ୍କର ଲକ୍ଷ୍ୟ ରହୁଥିଲା କୋଉଠି ଭଲ ସୁନ୍ଦର ଟୋକା ଅଛନ୍ତି । ଏମାନେ କଳା ଅନୁଷ୍ଠାନର ସ୍ଥାୟିତ୍ୱ ବିଷୟରେ ଚିନ୍ତା କରନ୍ତି ନାହିଁ ବରଂ ଭାଙ୍ଗିବାର ଆଶାପୋଷଣ କରିଥାଆନ୍ତି ।

 

ଯାତ୍ରାରେ ଅନେକ ପ୍ରତିଭାବାନ ଶିଳ୍ପୀଙ୍କର ସମ୍ପର୍କରେ ଆସିବାର ସୌଭାଗ୍ୟ ଅର୍ଜନ କଲି I ସେମାନଙ୍କ ଭିତରେ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ମହାନ୍ତି ଅନ୍ୟତମ । ସେ ଥିଲେ ଜଣେ ମାର୍ଜିତ ଲେଖକ । ତାଙ୍କର ଅନବଦ୍ୟ ସୃଷ୍ଟି ନାଟକ ‘ଦେବଯାନୀ’, ‘ମିରାବାଈ’ । ଦେଖିଲେ ଯେକୌଣସି ଦର୍ଶକ ଅବା ପାଠକ ପ୍ରଶଂସା ନ କରି ରହିପାରିବେ ନାହିଁ । ଗୋପାଳ ବାବୁ ଅଭିନେତା ନ ହେଲେ ମଧ୍ୟ ଲେଖକ ହିସାବରେ ଥିଲେ ଜଣେ ଶ୍ରେଷ୍ଠ କଳାକାର ଏବଂ କଳାକାରଙ୍କର ଯେଉଁ ବିଶେଷ ଗୁଣଗୁଡ଼ିକ ରହିବା ସର୍ବଦା ବାଞ୍ଛନୀୟ, ସେଇସବୁ ଗୁଣର ପ୍ରକୃତ ଅଧିକାରୀ ଥିଲେ ଗୋପାଳ ବାବୁ, ମୋର ଶୁଭାକାଙ୍‌କ୍ଷୀ ।

 

ରାଢ଼ଙ୍ଗ ଗ୍ରାମଟି ବେଶ୍ ଜନବହୁଳ । ପ୍ରତ୍ୟେକ ପାଟକର ପରିବାର ଥିଲେ । ସେଠାରେ-। ଧାଡ଼ିମରା ଚାଳ ଘର । ଅଣ–ଓସାରିଆ ଦାଣ୍ଡ ଥିଲା ଧାନ ଖଣି ଯୋଗୁଁ ଅତ୍ୟନ୍ତ ଅସମତଳ-। ଗ୍ରାମର ଗୋଟିଏ ପଟେ ବଟ ଗୋସେଇଁ ଓ ଅନ୍ୟପଟେ ବିରାଟ ପୋଖରୀ ହୁଡ଼ା ତଳକୁ ଶ୍ମଶାନ-। ବର୍ଷା ଦିନେ ‘ରାଢ଼ଙ୍ଗ’ ପ୍ରାୟ ଅନ୍ୟାନ୍ୟ ଗ୍ରାମମାନଙ୍କରୁ ବିଚ୍ଛିନ୍ନ ହୋଇ ପଡ଼ି ଏକ ଟାପୁରେ ପରିଣତ ହୁଏ । ଗ୍ରାମବାସୀ ଖୁବ୍ ଭଦ୍ର ଓ ମାର୍ଜିତ ମନୋଭାବାପନ୍ନ । ଗ୍ରାମରେ ଉଚ୍ଚ ଶିକ୍ଷିତ ନ ଥିଲେ ମଧ୍ୟ ପ୍ରତ୍ୟେକଙ୍କର ବ୍ୟବହାର ଥିଲା ରୁଚିପୂର୍ଣ୍ଣ ।

 

ରାଢ଼ଙ୍ଗଠାରୁ ଗୋଟିଏ ଦୁଇଟି ବଡ଼ ଗହୀର ଡେଇଁଗଲେ–ପଡ଼େ ପଳାଶୋଳ, ପଳସୁଧା ଗ୍ରାମ । ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କ’ ଜନ୍ମସ୍ଥଳୀ । ପଳାଶୋଳ ଗ୍ରାମଦେଇ ଗୋଟିଏ ଲମ୍ବା ନାଲି ଓ ଧଳା ରଙ୍ଗର ଅଳ୍ପ ଚଉଡ଼ା ଗ୍ରାମ୍ୟ ରାସ୍ତା ସୁଢ଼ଙ୍ଗ ଗ୍ରାମ ଭିତରେ ପଶି ମିଶିଥାଏ ଜଗତ୍‌ସିଂହପୁର ପକ୍କା ସଡ଼କରେ । ଏଣୁ ରାଢ଼ଙ୍ଗ ଗ୍ରାମକୁ ଯିବାକୁ ହେଲେ କିମ୍ବା ସେଇ ଗ୍ରାମରୁ ବାହାରକୁ ଆସିବାକୁ ହେଲେ, ଏଇ ସୁଢ଼ଙ୍ଗ ଗ୍ରାମ ପଥଟି ସେତେବେଳେ ଥିଲା ପ୍ରଧାନ ଅବଲମ୍ବନ । ରାଢ଼ଙ୍ଗ ଓ ପଳାଶୋଳ ଗ୍ରାମ ମଝିରେ ପଡ଼େ ଜିରା ଗ୍ରାମ । ଏଇଥିଲାଗି ଅନେକ ଲୋକ ରାଢ଼ଙ୍ଗ ନାଟ ଦଳକୁ ଜିରା–ରାଢ଼ଙ୍ଗ ନାଟ ଦଳ ବୋଲି କହୁଥିଲେ । ପ୍ରତିବର୍ଷ ରଜପର୍ବ ଅବସରରେ ଯାତ୍ରା ହୁଏ, ବଟ ଗୋସେଇଁଙ୍କ ନିକଟରେ । ରାଢ଼ଙ୍ଗ ଯାତ୍ରା ଦଳ ଯୁଆଡ଼େ ଯାଆନ୍ତୁ ପଛକେ, ଯୋଉଠି ଅଭିନୟ କରନ୍ତୁ ନା କାହିଁକି ନିଶ୍ଚିତ ଭାବରେ ଫେରି ଆସୁଥିଲେ ଏଇ ରଜ ଉତ୍ସବକୁ । ନିଜର ଗାଦି ଗୋସେଇଁ ବର ନିକଟକୁ । କେବଳ ଏତିକି ନୁହେଁ, ରାଢ଼ଙ୍ଗ ନାଟ୍ୟ ଅନୁଷ୍ଠାନ ଯୋଉ ନୂଆ ବହିଟି ଶିଖୁଥିଲେ, ତାକୁ ପ୍ରଥମେ ଅଭିନୟ କରୁଥିଲେ ଏଇ ବଟ ଗୋସେଇଁଙ୍କ ନିକଟରେ । ଏଇୟା ଥିଲା ରାଢ଼ଙ୍ଗ ଯାତ୍ରା ଦଳର ପରମ୍ପରା । ମୋ ଦେଖିବାରେ ସେଇ ଅନୁଷ୍ଠାନଟି କେବେ ଥରକ ପାଇଁ ସେ ପରମ୍ପରାରୁ ବିଚ୍ୟୁତ ହୋଇ ନ ଥିଲା ।

 

ଦୁର୍ଗା ଚରଣ ଓ ମୋହନ ଚରଣ (ମୂଷା) ଥିଲେ ବାଳକୃଷ୍ଣ ମହାନ୍ତିଙ୍କ ଛାତ୍ର । ବାଳକୃଷ୍ଣ ମହାନ୍ତି କାଳି ବାବୁଙ୍କ ନିକଟରୁ କିଛି ଦିନ ତାଲିମ ପାଇଥିବା ହେତୁ, କାଳି ବାବୁଙ୍କୁ ଗୁରୁ ହିସାବ କରୁଥିଲେ । ଫଳରେ ମୂଷା ଓ ଦୁର୍ଗାଚରଣ ଏବଂ ମୋ ଭିତରେ ରହୁଥିଲା ଗୁରୁଭାଇର ସମ୍ପର୍କ । ଏଣୁ ଆମମାନଙ୍କର ପରସ୍ପର ମଧ୍ୟରେ ସମ୍ବନ୍ଧ ରହୁଥିଲା ଭାଇ ଭାଇ ଭଳି ।

 

ଜଗତ୍‌ସିଂହପୁର ସୋମନାଥ ହାଟ ମକର ମେଳା ଥିଲା ସେ ଅଞ୍ଚଳର ବିଭିନ୍ନ ଯାତ୍ରା ଦଳଙ୍କ ପାଇଁ ଏକ ମିଳନ କ୍ଷେତ୍ର । ଯୋଉଠାରେ ନୂଆ ଦଳଟିଏ ଗଢ଼ାଯାଉଥିଲା, ସେ ଦଳ ଏଇ ମକର ମେଳାକୁ ଆସି, ସୋମନାଥ ଶମ୍ଭୁଙ୍କ ନିକଟରେ ନିଜର ଅଭିନୟ ଦେଖେଇ, ଅନୁଷ୍ଠାନର ପ୍ରଚାର କରିବା ସାଙ୍ଗେ ସାଙ୍ଗେ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରୁଥିଲା ।

 

ନୂଆ, ପୁରୁଣା ଅନେକଗୁଡ଼ିଏ ଯାତ୍ରା ଦଳ ଏଠାକୁ ଆସୁଥିଲେ ମଧ୍ୟ କୌଣସି ଦଳ ତାଙ୍କର ପାରିଶ୍ରମିକ ବାବତ କିଛି ପାଉ ନ ଥିଲେ । ଅନେକ ଦିନ ଧରି ଅଳକା ଆଶ୍ରମ ତୋଟା ବିଭିନ୍ନ ଯାତ୍ରା ଦଳଙ୍କ ଯାତ୍ରାରେ ସରଗରମ ହୋଇଉଠୁଥିଲା । ଜନଗହଳିରେ କୋଳାହଳପୂର୍ଣ୍ଣ ହେଉଥିଲା ସେ ସ୍ଥାନ । ଏଇ ମକର ମେଳା ଉତ୍ସବରେ ହିଁ ଦର୍ଶକମଣ୍ଡଳୀ, ବିଭିନ୍ନ ଯାତ୍ରା ଅନୁଷ୍ଠାନର ଅଭିନୟ ଦେଖି ସେସବୁ ଅନୁଷ୍ଠାନର ମାନ ନିରୂପଣ କରୁଥିଲେ ଏବଂ ଏଇ ମେଳାକୁ ଅନ୍ୟାନ୍ୟ ଅଞ୍ଚଳରୁ ନାଟ୍ୟପ୍ରେମୀମାନେ ଆସି, ତାଙ୍କର ମନ ଲାଖି ଦଳ ବାଛି ବହଣା ଦେଇ ଆମନ୍ତ୍ରଣ କରି ଯାଉଥିଲେ ।

 

ରାଢ଼ଙ୍ଗ ନାଟ ଦଳ ସହିତ ଅନେକବାର ମୁଁ ଏ ମେଳାକୁ ଆସିଛି । ବନ୍ଧୁ ‘ସୋମ’(ସୋମନାଥ ମହାପାତ୍ର–ନିଲୁ ବାବୁଙ୍କ ବଡ଼ ପୁଅ, ରାୟବାହାଦୂର ଶ୍ରୀ କୃଷ୍ଣ ମହାପାତ୍ରଙ୍କ ନାତି)ଙ୍କ ସହିତ ଏଇ ମେଳାରେ ହୁଏ ମୋର ପ୍ରଥମ ପରିଚୟ । ବୟସରେ ମୋଠାରୁ ସେ ଥିଲେ ଖୁବ୍ ଛୋଟ; ମାତ୍ର ମୁଁ ପିଲାଟି ଦିନରୁ କଳା ସହିତ ଘନିଷ୍ଠ ସମ୍ପର୍କ ରଖି ସୁଦ୍ଧା କଳାକୁ ଯେତେଟା ଶ୍ରଦ୍ଧା ବା ସମ୍ମାନ ଦେଇପାରୁ ନ ଥିଲି, ମୋଠାରୁ ମୋର ବନ୍ଧୁ ‘ସୋମ’ ଦେଉଥିଲେ ଅଧିକ । ସେ ଥିଲେ ବିଦ୍ୟାଳୟର ଛାତ୍ର । କଳାପ୍ରତି ତାଙ୍କର ଏତେଦୂର ମମତା ବଢ଼ି ଯାଇଥିଲା ଯେ ସେ ନିଜର ପାଠପଢ଼ା, ନିଜର କର୍ତ୍ତବ୍ୟ ପାସୋରି ପକେଇ ବେଳେବେଳେ ଗୁରୁଜନମାନଙ୍କର ଦୃଷ୍ଟି ଏଡ଼େଇ, ଗହୀର ବିଲ, ଅମଡ଼ା ଦଣ୍ଡା, ପାଟ ନ ମାନି ପାଦରେ ଚାଲି ଚାଲି ମୋତେ ଭେଟିବା ଆଶାରେ ରାଢ଼ଙ୍ଗ ଗ୍ରାମକୁ ଛୁଟି ଯାଉଥିଲେ ।

 

କେବଳ ଯେ ମୋ ସହିତ ସୋମ ବାବୁଙ୍କର ବନ୍ଧୁତା ଥିଲା ତା’ ନୁହେଁ, ରାଢ଼ଙ୍ଗ ନାଟ ଦଳର ପ୍ରତ୍ୟେକ ଅଭିନେତାଙ୍କ ସାଙ୍ଗରେ ସୁ–ସମ୍ପର୍କ ରଖୁଥିଲେ; କାହାର ଗୀତ, କାହାର ନାଚ, କାହାର ଆକ୍‌ଟିଂ ଏ ସମସ୍ତ ବିଷୟ ଯେମିତି ତାଙ୍କୁ ପାଗଳ କରିପକଉଥିଲା ।

 

ମୋର ସେତେବେଳକୁ ସମ୍ପୂର୍ଣ୍ଣ ଯୁବକ ଅବସ୍ଥା । ମତୁଆଲା ମନଟା, ଶୂନ୍ୟରେ ଉଡ଼ି ବୁଲୁଥାଏ । ଖାଲ କିଏ, ଢିପ କିଏ ସେକଥା ମନ ମୋର ମାନିବାକୁ ପ୍ରସ୍ତୁତ ନ ଥାଏ, କେବଳ ଆଗକୁ ଆଗକୁ ମାଡ଼ି ଯିବାକୁ ଚାହୁଥାଏ । ଭୟ, ଡର ବୋଲି କିଛି ଜାଣୁ ନ ଥାଏ । ଯାହା କହନ୍ତି–ଆଗେ ମାଡ଼, ପଛେ ବିଚାର, ଏଇ ବେପରୁଆ ଭାବ ମନକୁ ମୋର ଗ୍ରାସ କରି ଯାଇଥାଏ । ପଡ଼ିଲି ଖାଲରେ; ଖାଲ ତ ନୁହେଁ, ସମ୍ପୂର୍ଣ୍ଣ ମୃତ୍ୟୁ ଖଣା ।

 

ଆମେମାନେ ଗାଧୁଆ କାମ ଲାଗି ଯାଉଥିଲୁ ସେଇ ବଡ଼ ପୋଖରୀକୁ I ଗ୍ରାମର ମାଇପେ, ମିଣିପେ ମଧ୍ୟ ସେଇ ପୋଖରୀଟିରେ ନିତ୍ୟକର୍ମ ସାରୁଥିଲେ । ସକାଳ ପହରଟା ସାଧାରଣତଃ ତୁଠରେ ଲୋକଭିଡ଼ ଟିକିଏ ବେଶି ହୁଏ । ତା’ପର ଦିନଯାକ କିନ୍ତୁ ଖୁବ୍ ନିଛାଟିଆ । ନିକଟରେ ମଶାଣି । ତୁଠକୁ ଲାଗି ବାଁ ପଟକୁ ଗୋଟିଏ ଠାକୁର ଘର ଏବଂ ସେଇ ଠାକୁର ଘର ସାମ୍ନାକୁ ଅର୍ଥାତ୍ ପୋଖରୀ ତୁଠର ଡାହାଣ ପଟକୁ ଗୋଟିଏ ଲୋଟଣୀ ବର । ଗଛଟିର ଶାଖା ପ୍ରଶାଖା ସବୁ ମାଟିକୁ ଏଭଳି ଭାବରେ ଛୁଇଁ ଯାଇଥାଏ ଯେ, ଯେକୌଣସି ପିଲା, ବଡ଼ ବିନା ବାଧାରେ ସେଇ ବରଗଛର ଅଗକୁ ମଧ୍ୟ ସହଜରେ ଉଠିଯାଇପାରିବ ।

 

ସେଦିନ ସମ୍ଭବ ରାଶିକୁ ମୋର ଶନି ଚଳିଥା’ନ୍ତି । ଆମେମାନେ ତୁମ୍ବା ଗ୍ରାମରୁ ନାଟ କରି ଫେରିଥାଉ । ମୂଷା ଓ ଦୁର୍ଗାଚରଣ ଉଭୟେ ଫେରିବା ବାଟରୁ ନିଜ ନିଜ ଘରକୁ ଚାଲିଯାଇଥା’ନ୍ତି । ଖମାର ଘରେ କେବଳ ମୁଁ ଏକୁଟିଆ । ବୁଲୁ ପୂଜାରୀ ଓ ଗୁମାସ୍ତା କୃଷ୍ଣ ବାବୁ କେହି ନ ଥିଲେ । ଗାଧୁଆବେଳ ଗଡ଼ିଯାଇଥାଏ, ପ୍ରାୟ ଦିନ ବାରଟା କିମ୍ବା ଗୋଟାଏ ହେବ । ତେଲ ଟିକିଏ ଲଗେଇ ପକେଇ ଧାଇଁଲି ପୋଖରୀ ଘାଟକୁ । ଚାରିଆଡ଼ ଖୁବ୍ ନିଛାଟିଆ ।

 

ପୋଖରୀ ବନ୍ଧ ଉପରେ ଦେଖିଲି ଗାଈ ଗୁଡ଼ିଏ ଚରୁଛନ୍ତି । ରାଢ଼ଙ୍ଗ ଗ୍ରାମର ସେ ଗୋରୁ ଗୋଠ ନ ଥିଲେ । କାରଣ ହୁଡ଼ାରେ ଜମିଦାରଙ୍କର କେତେଗୁଡ଼ିଏ ନୂଆ ନଡ଼ିଆ ଗଛ ପଡ଼ିଥିଲା । ସେଥ‌ିପାଇଁ ଗୁମାସ୍ତାଙ୍କର ଆକଟ ଥିଲା ବନ୍ଧ ହୁଡ଼ାରେ ଗାଈ ଗୋରୁ ଛାଡ଼ିବାକୁ । ପୋଖରୀ ପାଖରେ ପହଁଞ୍ଚୁ ପହଁଞ୍ଚୁ ମୋର ନଜର ପଡ଼ିଲା, ଲୋଟଣି ବର ମୂଳରେ ଠିଆ ହୋଇଛି ଗୋଟିଏ ତରୁଣୀ । ଠିକ୍ ଯେମିତି କଟକ ବାଲୁ ବଜାର, ଶ୍ରୀ ବନମାଳୀ ଚୌଧୁରୀଙ୍କ ମନ୍ଦିରରେ ଝୁଲଣ ଯାତ୍ରାକୁ.ଶ୍ରୀ ଶ୍ରୀଧର ମହାରଣାଙ୍କ ହାତରେ ତିଆରି ମାଟି ପ୍ରତିମା ।

 

ତରୁଣୀର ତାଳୁରୁ ତଳିପା ଯାକେ ଗୋଟିଏ ଚାଉଳରେ ଗଢ଼ା । ପ୍ରତି ଅଙ୍ଗରେ ଯୌବନର ଉଛୁଳା ତରଙ୍ଗ । ଦେହରେ ସାତସିଆଁ ଖଦୀ, ହାତରେ ଲମ୍ବ ପାଞ୍ଚଣ ଖଣ୍ଡେ ।

 

ଆଖିରେ ତା’ର ପଲକ ନ ଥିଲା, ଥିଲା ଏକ ଆକର୍ଷଣ ଶକ୍ତି ଯୋଉ ଆକର୍ଷଣକୁ ମୋ ଦୁଇଟା ଆଖି ସମର୍ଥନ କରୁଥିଲା, ସ୍ଵାଗତ କରୁଥିଲା । ଉଭୟେ ଚାହୁଥିଲେ ପରସ୍ପର ମିଶିଯିବା ପାଇଁ । ଉଭୟେ ଚାହୁଁଥିଲେ ବାଧା, ବନ୍ଧନ ମାନିବୁ ନାହିଁ, ଏକାଠି ମିଶିଯିବୁ । ଫଳରେ ଚାରି ଚକ୍ଷୁ ଏକାଠି ମିଳିଯାଇ ଏକାକାର ହୋଇଗଲେ । ଉଭୟଙ୍କ ମଧ୍ୟରେ କି ଭାଷାରେ କଥାବାର୍ତ୍ତା ହେଲେ ? କିଏ କ’ଣ କହିଲା ? କିଏ ବା କ’ଣ ବୁଝିଲା ? ନିର୍ବୋଧ ଦୁଇଟା ମଣିଷ ଆମେ କିଛି ଜାଣିପାରିଲୁ ନାହିଁ । ଉଭୟ, ଉଭୟଙ୍କ ଆଡ଼କୁ ଟାଣି ହେଇଗଲୁ ।

 

ଏତେ ବଡ଼ ଦୁନିଆଟାକୁ ଭୁଲିଯାଇ ଆମେ ଆମ ଛଡ଼ା ଆଉ କିଛି ଦେଖିପାରିଲୁ ନାହିଁ । ତରୁଣୀଟିର ଦେହ ଓ ମୋ ଦେହ ମଧ୍ୟରେ ବ୍ୟବଧାନ ନଥିଲା । ଠିକ୍ ଏହି ସମୟରେ ହେଲା ବଜ୍ରପାତ । ବିନା ମେଘରେ ବଜ୍ରପାତ । ପାଟି ତୁଣ୍ଡ କରି ଦୁଇଜଣ ବୃଦ୍ଧ, ଗାଁ ମୁଣ୍ଡରୁ ବାହାରି ପଡ଼ିଲେ ପୋଖରୀ ତୁଠକୁ । ଆମ ଦୁଇ ଜଣଙ୍କର ଚେତନା ଫେରି ଆସିଲା । ଉପାୟହୀନ ହୋଇ ଚଢ଼ିଗଲୁ ଗଛ ଶିଖକୁ । ଲକ୍ଷ୍ୟ କଲି, ଗଛ ଚଢ଼ିବାରେ ତରୁଣୀଟି ଥିଲା ମୋଠାରୁ ଅତି ପ୍ରବୀଣା । ଗଛ ଡାଳକୁ କୁଣ୍ଢେଇ ଧରି ଆମ ଦୁଇଟି ଦେହ ଥରିବାକୁ ଲାଗିଲା । ରକ୍ତର ଚଞ୍ଚଳ ଗତି ମନକୁ କଲା ଅଥୟ । ଦୁନିଆଯାକର ଡର ଭୟ କୋଉଠି ଥୁଲା, ସବୁତକ ଯେମିତି ଆମରି ଉପରେ ଅଜାଡ଼ି ହୋଇ ପଡ଼ିଲା । କାହାରି ମୁହଁରେ କିଛି କଥା ନ ଥିଲା । ତଳକୁ ଚାହିଁ ଦେଖୁଲୁ–ଦୁଇଟାଯାକ ବୃଦ୍ଧ ନିଜ ନିଜ ଭିତରେ ଯୁକ୍ତିତର୍କ କରି ଗଛ ଛାଇରେ ଠିଆ ହେଲେ ।

 

ଦୁଇଟିଯାକ ବୃଦ୍ଧ ଥିଲେ ସମାନ ବୟସର । ଅଣ୍ଟା ନଇଁ ପଡ଼ିଥିଲା; ହାତ ହଲେଇ, ମୁଣ୍ଡ ଛିଞ୍ଚାଡ଼ି କଥା କହିବାରେ କିନ୍ତୁ ଦୁହେଁ ଥିଲେ ଧୁରନ୍ଧର । କୋଉ ବିଷୟକୁ କେନ୍ଦ୍ର କରି ଉଭୟେ ତାତି ଉଠିଥିଲେ, ସେକଥାକୁ ଠଉରେଇବା ମୋ ପକ୍ଷରେ ସମ୍ଭବ ନ ଥିଲା । ସେଇ ଗଛ ଉପରେ ଠିଆ ହୋଇ ମୁଁ କେବଳ ମନେ ମନେ ବଟ ଗୋସେଇଁଙ୍କୁ ପ୍ରାର୍ଥନା କରୁଥିଲି, ବୁଢ଼ା ଦୁଇଟା ଉପରକୁ ନ ଚାହାନ୍ତୁ ଏବଂ ଆମ ଦୁଇଜଣଙ୍କ ଅବସ୍ଥା ନ ଦେଖନ୍ତୁ ।

 

ଚାହୁଁ ଚାହୁଁ ବୁଢ଼ା ଦୁଇଜଣଙ୍କର ଯୁକ୍ତିତର୍କ କ୍ରମଶଃ ଘୋର କଳିରେ ପରିଣତ ହେଲା, କେବଳ ହାତାହାତି ବାକି ଥିଲା । ପାଟି ଶବ୍ଦ ଏଭଳି ପ୍ରବଳ ହେଲା ଯେ, ଗ୍ରାମରୁ ହୁଏତ ଆଉ କେତେକ ଲୋକ ଆସି ସେ ଦୁହିଁଙ୍କ କଳିଗୋଳରେ ଯୋଗଦେବା କିଛି ବିଚିତ୍ର ନଥିଲା । ଏଭଳି ପରିସ୍ଥିତିକୁ ଲକ୍ଷ୍ୟ କରି ଦେହର ରକ୍ତଗୁଡ଼ାକ ମୋର ଧୀରେ ଧୀରେ ଶୁଖିଗଲା ପରି ଲାଗୁଥାଏ ।

 

ଈଶ୍ଵର ରକ୍ଷା କଲେ, ବଟ ଗୋସେଇଁ ଡାକ ମୋର ଶୁଣିଲେ । ଦୁଇ ବୁଢ଼ାଙ୍କର କଳିଗୋଳି ଖୁବ୍ ଚରମ ସୀମାକୁ ଉଠିଗଲାବେଳେ ହଠାତ୍ ଗୋଟିଏ ବୁଢ଼ାଙ୍କର କାଶ ଉଠିଲା, ବିଚରା ଆଉ ପାଟି କରିପାରିଲେ ନାହିଁ । ଆଖୁ ଖୋସି ପକେଇ ସମ୍ମୁଖ ସମରରୁ ପୃଷ୍ଠଭଙ୍ଗ ଦେଇ, ପୋଖରୀ ତୁଠକୁ ନଇଁ ନଇଁ ଧପାଲିଗଲେ । ବାକି ଆଉ ଜଣକ ଗଡ଼ ଜିଣିଲାପରି ଠାଣି କରି ରାଗରେ ସଁ–ସଁ ହୋଇ କାନରେ ପଇତା ଖୋସି ଛୁଟିଲେ ବନ୍ଧ ହୁଡ଼ାତଳକୁ ।

 

ଗଛ ଉପରେ ଆମ ଦୁଇଜଣଙ୍କ ନାକ ଫୁଲେଇ ଏକା ସାଙ୍ଗରେ ବାହାରି ଆସିଲା ଦୁଇଟା ଦୀର୍ଘନିଶ୍ଵାସ । ସୁଯୋଗ ପାଇ, ପ୍ରେମ, ପ୍ରଣୟ ଓ ପ୍ରଣୟିନୀଙ୍କୁ ସେଠାରେ ଛାଡ଼ିଦେଇ, ଧୀରେ ଗଛରୁ ଓହ୍ଲେଇପଡ଼ି ଧାଇଁଲି ଖମାର ଘରକୁ ଏବଂ ସେଇଠି ସେଦିନ କୂଅମୂଳେ କାକସ୍ନାନ କରି ନିଜର ଖାଦ୍ୟ ପ୍ରସ୍ତୁତ କଲି ।

 

ରାଢ଼ଙ୍ଗ ନିକଟରେ ଗୋଟିଏ ଗହୀର ପାର ହେଲେ ପଡ଼େ ବିଲଲହଙ୍ଗା ଗ୍ରାମ । ଶ୍ରୀଯୁକ୍ତ ଦୟାନିଧି ସ୍ଵାଇଁଙ୍କ ପରିଚାଳିତ ଲହଙ୍ଗା ଯାତ୍ରାଦଳର ଉତ୍ପତ୍ତିସ୍ଥଳ । ସେଇ ଯାତ୍ରାଦଳ, ସେତେବେଳକୁ ତା’ର ପୂର୍ବ ଗୌରବ ଉପରେ ଭଟ୍ଟା ଆଣି ଯଥାକଥା କେବଳ ବଞ୍ଚି ରହିଥାଏ । ଦିନକ ଲାଗି ଶ୍ରୀଯୁକ୍ତ ସ୍ଵାଇଁଙ୍କ ନିକଟରେ ଅତିଥି ହୋଇଥିଲି ମୁଁ ।

 

ପଳାଶୋଳ ଯିବାର ସୁଯୋଗ ମଧ୍ୟ ପାଇଥିଲି । ଶ୍ରୀ ବାଳକୃଷ୍ଣ ମହାନ୍ତି ତାଙ୍କର ପୁରୁଣା ଦଳଟି ଭାଙ୍ଗିଯିବା ପରେ ଛୋଟ ଛୋଟ ପିଲାଙ୍କୁ ନେଇ ଗଢ଼ିଥା’ନ୍ତି ନୂଆ ଦଳଟିଏ । ପୁରାତନ ଛାତ୍ର ପ୍ରାଣକୃଷ୍ଣ ସାମଲ ନୂଆ ଦଳଟିରେ ରହିଥା’ନ୍ତି ମାଷ୍ଟ୍ର । ‘ଆର୍ତ୍ତ’, ‘ନିତ୍ୟାନନ୍ଦ’, ‘ଧ୍ରୁବ’ ଏମାନେ ସେ ସମୟକୁ ଖୁବ୍ ଛୋଟ ପିଲା । ମୋତେ ସେଦିନ ନିକଟରେ ପାଇ ବାଳକୃଷ୍ଣ ବାବୁ ତାଙ୍କ ଦଳରେ ରହିବା ଲାଗି ବିଶେଷ ଅନୁରୋଧ ଜଣେଇଥିଲେ ଏବଂ ମୁଁ ମୋର ନୀରବ ସମ୍ମତି ଜଣେଇ ରାଢ଼ଙ୍ଗକୁ ଫେରି ଆସିଥିଲି ।

 

ରାଢ଼ଙ୍ଗ ଗାଁର ବହୁ ଅପାସୋରା ସ୍ମୃତି ମୋର କଣ୍ଟକିତ ଜୀବନପଥକୁ ଅନେକାଂଶରେ କରିଛି କୁସୁମିତ । ସେଠାକାର ଧୂଳି, ମାଟି ଓ ଜନ-ଜୀବନ ସହିତ ମୋର ଦିନେ ଥିଲା ଘନିଷ୍ଠ ସମ୍ପର୍କ । ବହୁ ଭଗ୍ନୀ, ବହୁ ଜନନୀ ସେମାନଙ୍କର ପବିତ୍ର ସ୍ନେହ ଶିକୁଳିରେ ମୋତେ ବାନ୍ଧି ରଖିଥିଲେ, ସୁବିଧା ଦେଖି ନିଜ ନିଜର ପରିବାରକୁ ଡକେଇ ଭାତ ଗଣ୍ଡିଏ, ପିଠା ଖଣ୍ଡିଏ ଖାଇବାକୁ ଦେଇ ଯୋଉ ଆନ୍ତରିକତା ପ୍ରକାଶ କରିଛନ୍ତି, ତାହା କେବେ ଭୁଲିବାର ନୁହେଁ ।

 

ପଲ୍ଲୀ ଅଞ୍ଚଳର ଗୋଟାଏ ଯାତ୍ରା ଦଳକୁ କିଛି ଶିଖେଇବାକୁ ଯାଇ ମୁଁ ନିଜେ ଶିଖିଛି ସେଠାରୁ ଅନେକ । ଟୋକାପ୍ରିୟ ବୋଲି ମୋତେ ଯେ ଅପବାଦ ନ ମିଳିଛି, ତା’ ନୁହେଁ; କିନ୍ତୁ ପ୍ରକୃତରେ ସେ ରୁଚିକୁ ମୁଁ ଅରୁଚି ବୋଲି ମଣୁଥିଲି, ଘୃଣା କରୁଥିଲି ।

 

କିଛିଦିନ ପରେ ଚନ୍ଦନ ଯାତ୍ରା ଲାଗି ଡକରା ପାଇଲୁ କଟକ ଟାଉନରୁ । ୟା’ ଭିତରେ ମୁଁ ରାଢ଼ଙ୍ଗ ଯାତ୍ରା ଦଳରେ କେତେଖଣ୍ଡି ବହିରେ ଅଂଶଗ୍ରହଣ କରିଥାଏ । ମୀରାବାଈ ବହିରେ ବିଦୂଷକ, ମହିଷାସୁର ବହିରେ ଦୁର୍ମୁଖ, ଗୁପ୍ତମନ୍ତ୍ରରେ ଧୂମକେତୁ, ସେହିପରି କଚ ଦେବଯାନୀ ବହିରେ ଗୋଟିଏ ଚରିତ୍ର କ’ଣ କରିଥିଲି ଠିକ୍ ମନେ ନାହିଁ ଏବଂ କେତେକ ପ୍ରହସନରେ ସ୍ଵତନ୍ତ୍ର ଭୂମିକା ମଧ୍ୟ ଅଭିନୟ କରିଥିଲି । ଯାତ୍ରାଭିନୟରେ କେତେଦୂର ମୋର ଅଭିନୟ ସଫଳତା ହାସଲ କରିଥିଲା, ସେକଥା ସେ ସମୟର ଦର୍ଶକ ବୁଝୁଥିଲେ, ମୁଁ ନୁହେଁ ।

 

କଟକ ସହରରେ ଅନେକ ବଜାରରେ ଆଗର ଯାତ୍ରା ପ୍ରଦର୍ଶନ ହେଲା । ଅନ୍ୟାନ୍ୟ ଯାତ୍ରା ଦଳଠାରୁ, ରାଢ଼ଙ୍ଗ ଯାତ୍ରା ଦଳର ଯେକୌଣସି ବହିର ଅଭିନୟ ଦର୍ଶକଙ୍କ ନିକଟରେ ଥିଲା ଖୁବ୍ ଉଚ୍ଚକୋଟୀର । ବେଶ, ଭୂଷା, ଆକଟିଂ, ବାଦ୍ୟକାରଙ୍କ ବାଦ୍ୟବାଦନ ପ୍ରତ୍ୟେକ ବିଷୟ ଥିଲା ବେଶ୍ ମତାଣିଆ । ଅଭିନୟ ବେଳେ ଦର୍ଶକମାନଙ୍କର ଭିଡ଼ ଅଧିକ ହେଉଥିଲା । ସାଧାରଣତଃ ନାଟ ଦଳମାନଙ୍କର ନାମ ସମୟରେ ସହର ବଜାରମାନଙ୍କରେ ବେଳେବେଳେ ଯୋଉ ବିଶୃଙ୍ଖଳା ଦେଖା ଦଉଥିଲା, ସେପରି ବିଶୃଙ୍ଖଳା ରାଢ଼ଙ୍ଗ ନାଟ ଦଳର ଅଭିନୟ ବେଳେ କେଉଁଠାରେ ଦେଖା ଦେଇଥ‌ିବାର ମୁଁ କେବେ ଦେଖି ନ ଥିଲି ।

 

‘ପଦନ’ ନାମରେ ପିଲାଟିଏ ନିୟତି ଚରିତ୍ରରେ ଯେତେବେଳେ ସଭାକୁ ବାହାରି ପଡ଼େ, କଣ୍ଠରେ ତା’ର ଫୁଟି ଉଠେ–“ନାଉରୀ... ଏ ଘାଟରେ ନ ବାନ୍ଧ ତରୀ...” ଆହା, କି ମଧୁର ସେ ସ୍ଵର-। ଦର୍ଶକ ପାଗଳ ହୋଇଉଠୁଥିଲେ ।

 

କଟକରୁ ଫେରିଲାବେଳେ ଜମିଦାର ଶ୍ରୀ ହରେକୃଷ୍ଣ ଦାଶଙ୍କ ଘରେ ମୋର ଦରମା ନେଇ ପ୍ରଶ୍ନ ଉଠେଇଲି । କାରଣ ଯାତ୍ରା ଦଳରେ କଠିନ ପରିଶ୍ରମ ନେଇ ମୋର ସ୍ଵଳ୍ପ ୩ ଟଙ୍କା ଦରମା ଯଥେଷ୍ଟ ନ ଥିଲା । ମାତ୍ର କର୍ମକର୍ତ୍ତାଗଣ ମୋର ଅବସ୍ଥା ପ୍ରତି ଲକ୍ଷ୍ୟ ଦେଲେ ନାହିଁ । ମାସକୁ ସେଇ ତିନିଟଙ୍କାରୁ ଅଧ‌ିକ ଦେବାକୁ ନାସ୍ତି କରିଦେଲେ । ଫଳରେ ପ୍ରତ୍ୟେକଙ୍କୁ ନମସ୍କାର ପକେଇ ନିଜର ସୁଟ୍‌କେଶ ଖଣ୍ଡିକ ଧରି ଛୁଟିଲି ବାଖରାବାଦ୍‍ ଶ୍ରୀକାନୁନ୍‌ଗୋଙ୍କ ଘର ଆଉ-ବୋଉଙ୍କ ନିକଟକୁ ।

 

ରାସ ଦଳ ଛାଡ଼ିଥିଲି, ଏବେ ଯାତ୍ରା ଦଳ ଛାଡ଼ିବାକୁ ପଡ଼ିଲା । ମନ ଭିତରେ ଘୋଟିଗଲା ନିରାଶାବାଦର ଘନ କୁହୁଡ଼ି । ସାଥୀ, ସାଙ୍ଗ, ପ୍ରିୟ ପରିଜନ, ବନ୍ଧୁ, ଗୁରୁଜନ ସମସ୍ତଙ୍କ ନିକଟରୁ ମୋର ସବୁ ସମ୍ପର୍କ ତୁଟିଗଲା । ନିଜ ଭାଗ୍ୟକୁ ପରୀକ୍ଷା କରିବା ଆଶାରେ ସ୍ଥିର କଲି କଲିକତା ପଳେଇଯାଇ ସେଠାରେ ଖୋଜିବି ଅନ୍ନ ସଂସ୍ଥା । ମନ କଥା ‘ଆଉ–ବୋଉ’ଙ୍କୁ କହିଲି, ଦୁଃଖ କଲେ ସେ । ତାଙ୍କର ବା ମୋ ପାଇଁ କର୍ତ୍ତବ୍ୟ କ’ଣ ଥିଲା ? ପୁତୁରା ମୁଁ, ମୋ ପାଇଁ ସେ କ’ଣ ବା ବେଶି କରିପାରନ୍ତେ ? ତେବେ ତାଙ୍କର କଲିକତାରେ ଉଦୟନାଥ ବାରିକ ବୋଲି ଜଣେ କିଏ ଜଣାଶୁଣା ଲୋକ ଥିଲେ । ତାଙ୍କରି ଠିକଣାଟି ମୋତେ ଦେଲେ ।

 

ଭାସିଗଲା ଲୋକର କୁଟାଖୁଅ ଆଶ୍ରାପରି ସେଇ ଠିକଣା ଖଣ୍ଡିକ ଧରି କଲିକତା ଯିବାକୁ ଏକା ଏକା ସାହସ ବାନ୍ଧିଲି । ହାତରେ କେବଳ ସମ୍ବଳ ଥିଲା ଗୋଟିଏ ଦୋ’ଟି ଟଙ୍କା । ଆଗରୁ ସେଇ କଲିକତାକୁ ଗଲାବେଳେ ରାଜାଙ୍କ ବାହୁଛାୟା ତଳେ ରାଜଭୋଗ କରିଥିଲି । ଚାକର, ଖାନ୍‌ସମା ଆମକୁ ରାନ୍ଧି ବାଢ଼ି ଦେଉଥିଲେ । ଚବିଶ ଘଣ୍ଟା ପାଇଁ ଟ୍ୟାକ୍ସି ଆମ ପାଇଁ ଖଞ୍ଜା ଥିଲା । କେତେବେଳେ ‘ମେଟ୍ରୋ’ ସିନେମା, କେତେବେଳେ ‘ମିନର୍ଭା’ ଥିଏଟର । ପକେଟ ବୋଝେଇ ଆଖ୍ରୋଟ, ପେସ୍ତା, ଖିସମିସ୍ ଖାଇବାକୁ ବେଳ ପାଉନଥିଲା ।

 

କେହି ମୋ ପାଇଁ ପୂର୍ଣ୍ଣକୁମ୍ଭ ରଖିବାକୁ ନ ଥିଲେ । କେହି ମୋ ପାଇଁ ଅନୁକୂଳ ଲଗ୍ନ ଦେଖିବାକୁ ନ ଥିଲେ । ଆଖିରେ ଲୁହ, ଛାତିରେ ସାହସ, ହାତରେ ଖଣ୍ଡେ ଟିଣ ବାକ୍ସ ଧରି ଦିନେ ରାତିରେ ବାହାରିପଡ଼ିଲି କଟକ ରେଳ ଷ୍ଟେସନକୁ । ଅନ୍ଧାରୁଆ, ଅପରିଷ୍କାର ଷ୍ଟେସନ । ପ୍ଲାଟ୍‌ଫର୍ମରେ, ସେଇ କଦର୍ଯ୍ୟ ବାତାବରଣପୂର୍ଣ୍ଣ ଥାର୍ଡ଼କ୍ଲାସର ବିଶ୍ରାମାଗାରରେ, ଗୋଟାଏ ଆହୁରି ଅନ୍ଧାରୁଆ ସ୍ଥାନ ବାଛି ବସି ରହିଲି କଲିକତା ରେଳ ଅପେକ୍ଷାରେ ।

 

ଟିକଟ କାଟିବାକୁ ଅର୍ଥ ନ ଥିଲା । ଗାଡ଼ି ଆସିଲା । ମୁଁ ସମସ୍ତଙ୍କ ସାଙ୍ଗରେ ମିଶିଯାଇ ବସିପଡ଼ିଲି ରେଳ ଡବାରେ । ବାକ୍ସ ଖଣ୍ଡିକ ଗୋଟିଏ ବେଞ୍ଚ ତଳେ ରଖିଦେଇ ଚୋର ଆଖି ମୋର ଛନ୍ନ ଛନ୍ନ ହୋଇ ଖୋଜି ବୁଲିଲା, କାଳେ କୋଉଠି ଟି.ଟି.ଆଇ. ଥ‌ିବେ । ଭାଗ୍ୟ ମୋର ମୋ ପ୍ରତି ସଦୟ ଥିଲା ।

 

ପ୍ରାୟ ଦୁଇ ତିନୋଟି ଷ୍ଟେସନ ଛାଡ଼ି ମୁଁ ଟି.ଟି.ଆଇ.ଙ୍କୁ ଲକ୍ଷ୍ୟ କରି ଡବା ପରିବର୍ତ୍ତନ କରୁଥିଲି । ବେଶି ରାତି ହେବାପରେ ଗୋଟାଏ ବେଞ୍ଚ ତଳେ ଶୋଇପଡ଼ିଲି । କୋଉ ଷ୍ଟେସନରେ ସକାଳ ହେଇଥିଲା, ମୁଁ ଜାଣିପାରିଲି ନାହିଁ । ନିଦ ଭାଙ୍ଗିଲା ବେଳକୁ ପ୍ରାୟ ଦିନ ଦଶଟା ହେବ । ଗାଡ଼ିଟା ଗୋଟାଏ ଷ୍ଟେସନରେ ଠିଆ ହେଇଥିଲା । ଦେଖିଲି, ଟି.ଟି.ଆଇ. ଗୋଟାଏ ଗୋଟାଏ ଡବାରେ ପଶି କ’ଣ ଚେକ୍ କରୁଛନ୍ତି । ବାକ୍ସ ଖଣ୍ଡିକ ଧରି ବହେ ଏପଟ ସେପଟ ହେଲି । କାଳେ ରେଳ କର୍ମଚାରୀଙ୍କ ଆଖିରେ ଧରା ପଡ଼ିଯିବି ସେଥ‌ିପାଇଁ ଖୁବ୍ ସତର୍କ ଥାଏ ।

 

ଛାତି ମୋର ଥରୁଥାଏ । ଗୋଟିଏ ଲୋକକୁ ମୋର ଅବସ୍ଥା ବିଷୟରେ ସବୁ କଥା କହିପକେଇଲି । ମୁଁ ଯେ ଗୋଟାଏ ବିପଦକୁ ଏଡ଼େଇବାକୁ ଯାଇ ଆଉ ଗୋଟାଏ ବିପଦକୁ ଡାକି ଆଣୁଥିଲି ସେକଥା ସେତେବେଳେ ମୋଟେ ବୁଝିପାରି ନ ଥିଲି । ସେ ଲୋକଟା ଥିଲା ଛୋଟ ଧରଣର ଏକ ଡାକୁ । ସମ୍ଭବତଃ ଥିଲା ସେ ଏକ ପକେଟମାରୁ ମୋତେ ନିରାଶ୍ରୟ ଦେଖି ଏବଂ ମୋ ହାତରେ ବାକ୍ସଟିକୁ ଲକ୍ଷ୍ୟ କରି ତା’ର ପାଟିରୁ ଲାଳ ଗଡ଼ିଲା ପରି ମନେହେଲା ।

 

ସୁବିଧା ସୁଯୋଗ ଉଣ୍ଡି ଲୋକଟି ମୋତେ ରେଳ ଡବାର ଗୋଟିଏ କୋଣକୁ ଡାକନେଇ ଧୈର୍ଯ୍ୟ ଧରିବାପାଇଁ ସାନ୍ତ୍ୱନା ଦେଲା ଏବଂ କହିଲା–ଭୟ କରନା, ମୁଁ ତୁମକୁ ସାଙ୍ଗରେ ନେଇଯିବ-। ଟି.ଟି.ଆଇ. ତୁମକୁ କିଛି କହିବ ନାହିଁ ।

 

ଲୋକଟିର ଆଶ୍ଵାସନା ପାଇ ମନରେ ମୋର ଆଶାର ସଞ୍ଚାର ହେଲା । ପଚାରି ବୁଝିଲି, ସେଇ ଷ୍ଟେସନଟି ଥିଲା ସାନ୍ତରାଗାଚ୍ଛି ଷ୍ଟେସନ । ତା’ପର ଟିକିଏ ସମୟ ପରେ ରେଳ ଚାଲିଲା ଓ ଗାଡ଼ିଯାଇ ଲାଗିଲା ହାୱାଡ଼ା ଜଙ୍କସନ୍‌ରେ । ବିରାଟ ପ୍ଲାଟ୍‌ଫର୍ମ । ଯାତ୍ରୀମାନଙ୍କ ପାଇଁ ସବୁଧରଣର ସୁବିଧାସୁଯୋଗ ସେଠାରେ ଅନୁଭବ କଲି । ମହାନଗରୀର ସେଇ ପ୍ରଥମ ପ୍ରବେଶ ପଥରେ ଅନୁଭବ କଲି ମୁଁ–ସଭ୍ୟ ମଣିଷ ସମାଜ ତା’ର ବିଜ୍ଞାନ ପ୍ରୟୋଗ କରି ଆପଣାର ସୁଖ ଶାନ୍ତି ପାଇଁ ଯୋଉ ଯନ୍ତ୍ର ଦୁନିଆ ଉଦ୍ଭାବନ କରିଛି, ଶେଷରେ ସେ ସେଇ ଦୁନିଆ ଭିତରେ ଏବେ ନିଜକୁ ହଜେଇଦବାକୁ ବସିଛି । କୋଳାହଳପୂର୍ଣ୍ଣ ହାୱାଡ଼ା ଷ୍ଟେସନଟା ମୋତେ ଯେମିତି ମୂକ ଓ ବଧିର କରିପକେଇଲା ।

 

ଆଗରୁ କେବେ ହାୱାଡ଼ା ଷ୍ଟେସନକୁ ମୁଁ ଏମିତି ନିରେଖି ଦେଖିବାର ସୁଯୋଗ ପାଇ ନ ଥିଲି । ଗାଡ଼ିରୁ ଓହ୍ଲେଇ ଯାତ୍ରୀମାନେ ଚାଲିଥା’ନ୍ତି ପ୍ରଧାନ ଫାଟକ ନିକଟକୁ । ମୁଁ ମଧ୍ୟ ସେଇ ଲୋକଟି ପଛେ ପଛେ ଚାଲିଥାଏ, ହାତରେ ବାକ୍ସଟି ଧରି । ପ୍ରତି ମୁହୂର୍ତ୍ତରେ ମନରେ ଭାବୁଥାଏ––କାଳେ କିଏ ମୋତେ ଟିକଟ ମାଗିଦେବ କି ? ଏଣିକି ତେଣିକି ଚାହିଁ ଚାହିଁ ଚାଲୁ ଚାଲୁ ଗୋଟାଏ ବତୀଖୁଣ୍ଟରେ ଧକ୍କାଖାଇ ହାତରୁ ମୋର ଟିଣ ବାକ୍ସଟା ତଳେ ପଡ଼ିଗଲା । କପାଳରେ ଆଘାତ ଲାଗି ଆବୁଭଳି ଫୁଲି ଉଠିଲା । ଦୁଃଖରେ ପୁଣି ବାକ୍ସଟାକୁ ଉଠେଇ ନେଇ ଚାଲିଲି ଆଗକୁ ।

 

ପ୍ଲାଟ୍‌ଫର୍ମ ଗେଟ୍ ପାର ହେଇଗଲୁ । କେହି ଆମକୁ ଟିକଟ ମାଗିଲେ ନାହିଁ । ଏଥି ପୂର୍ବରୁ ସାନ୍ତରାଗାଚ୍ଛି ଷ୍ଟେସନରେ ଯେ ସବୁ ଯାତ୍ରୀମାନଙ୍କର ଟିକଟ ସଂଗ୍ରହ କରି ନିଆଯାଇଥିଲା, ସେକଥା ମୁଁ ଧାରଣା କରିପାରି ନ ଥିଲି; ଏଣୁ ମନେ ମନେ ମୁଁ ସେ ଲୋକଟି ପ୍ରତି ବିଶେଷ ଆପଣାର ହୋଇପଡ଼ିଲି । କାରଣ ତା’ର ସେଇ ଧୂର୍ତ୍ତପଣିଆକୁ ମୁଁ ସେତେବେଳେ ଚିହ୍ନିପାରି ନ ଥିଲି-। ଏହା ଥିଲା ମୋର କଲିକତାକୁ ଦ୍ଵିତୀୟ ଥର ପାଇଁ ଯାତ୍ରା । ତେଣୁ ପ୍ଲାଟ୍‌ଫର୍ମର ବାହାରକୁ ଯିବାପରେ ହୁଗୁଳି ନଦୀର ଆର ପାରିର ଦୃଶ୍ୟ ଦେଖି ବିସ୍ମିତ ହେଲି ।

 

ହାୱାଡ଼ା ହୁଗୁଳି ନଦୀ ଉପରେ ପୁରୁଣା ଭସା ପୋଲଟି । ସେତେବେଳେ କଲିକତା ନଗରୀ ଓ ହାୱାଡ଼ା ଭିତରେ ସଂଯୋଗ ଡୋରି ରୂପରେ କାମ କରୁଥାଏ । ସେଇ ପୋଲ ଉପର ଦେଇ ଛୁଟିଥାଏ ବିଭିନ୍ନ ଯାନବାହନ । ମୋତେ ସେ ଲୋକଟି ସାଙ୍ଗରେ ଧରି ଚାଲିଲା ସେଇ ରାସ୍ତାରେ । ଆଗରୁ ମୁଁ ସେ ଲୋକକୁ ଯୋଉ ସ୍ଥାନକୁ ମୋର ଯିବାର କଥା ସେ ଠିକଣା କହିଥାଏ ।

 

ମୋର ଗନ୍ତବ୍ୟ ସ୍ଥାନ ଥିଲା, ‘‘ଉଦୟନାଥ ବାରିକ ମାର୍ଫତ୍ ମୁଖାର୍ଜୀ ଏବଂ କମ୍ପାନୀ, ସତୁରି ନମ୍ବର, କ୍ଲାଇଭ୍ ଷ୍ଟ୍ରିଟ୍, କଲିକତା ।’’ ମୁଁ ସିଧା ହାୱଡ଼ା ଷ୍ଟେସନରୁ ପୋଲ ପାର ହେଇ ହରିସନ ରୋଡ଼ (ବର୍ତ୍ତମାନ ନେତାଜୀ ରୋଡ଼)ର ଶହେ ଗଜ ଗଲେ, ଡାହାଣ ପଟକୁ କ୍ଲାଇଭ୍ ଷ୍ଟ୍ରିଟ୍ ଯିବାର କଥା । ମାତ୍ର ମୋତେ ସେ ଲୋକଟି ଷ୍ଟ୍ରାଣ୍ଡ୍ ରୋଡ଼ ବାଟଦେଇ ନେଇଗଲା ଧର୍ମତାଲା (ଚୌରଙ୍ଗୀ) । ମୁଁ ନିଜେ କଲିକତାର ସ୍ଥାନ ଚିହ୍ନିବା କଷ୍ଟ ଥିଲା । ଏଣୁ ସେ ଲୋକ ମୋତେ ଭୁଲେଇ ଅନ୍ୟ ସ୍ଥାନକୁ ନଉଥିଲେ ସୁଦ୍ଧା ମୁଁ ତା’ର ନିର୍ଦ୍ଦେଶକୁ ମାନି ନେବାକୁ ବାଧ୍ୟ ଥିଲି ।

 

ଭୁଲ ବାଟରେ ମୋତେ ପରିଚାଳିତ କରି ଲୋକଟି ଜାଣିବାକୁ ଚାହୁଥିଲା, ମୋ ନିକଟରେ କେତେ କ’ଣ ମାଲ ରହିଛି ।

 

ଗୁଡ଼ାଏ ବାଟ ଚାଲି ଚାଲି ଯିବା ଭିତରେ ସେ ଡାକୁ ଲୋକଟି ବୁଝି ପାରିଥିଲା ଯେ ମୋ ନିକଟରେ କିଛି ମାଲ ନାହିଁ । ଶେଷରେ ସେ ବାଧ୍ୟ ହୋଇ ମୋତେ ଛାଡ଼ି ଅନ୍ୟ ଶିକାର ଖୋଜିବା ଆଶାରେ ଖସିଯିବା ସିଦ୍ଧାନ୍ତ ମନେ ମନେ କରିସାରିଥିଲା ।

 

ଚୌରଙ୍ଗୀ ଉପରେ ଆମେ ଠିଆ ହେଲୁ । ଲୋକଟି ମୋତେ ପଚାରିଲା–

 

“ପଇସା ଅଛି ?”

 

“ନାଁ, ଯାହା କିଛି ଥିଲା ବାଟରେ ଖର୍ଚ୍ଚ କରିଦେଇଛି ।”

 

“ଆଉ କ’ଣ ଅଛି ?”

 

“ବାକ୍ସରେ ଖଣ୍ଡେ ସାଲ, ହଳେ ନୂଆ ପେଣ୍ଟ ସାର୍ଟ ଅଛି ।”

 

“ତେବେ ତୁମେ ତୁମ ଲୋକ ପାଖକୁ ଯିବ କେମିତି, ଆଚ୍ଛା ଦିଅ ସେ ଲୁଗାପଟା ।”

 

ମୁଁ ବିଳମ୍ବ ନ କରି ବାକ୍ସ ଖୋଲି ଲୁଗାପଟା ତାକୁ ଦେଲି ଏବଂ ଲୋକଟି ସେଇ ଲୁଗାପଟା ନେଇ ଅଳ୍ପ ଦୂରକୁ କାହା ପାଖକୁ ଗଲା । ମନେ ମନେ ଭାବିଲି–ଲୋକଟା ମୋର ସର୍ବନାଶ କରିବା ସଙ୍ଗେ ସଙ୍ଗେ କିଛିଟା ଉପକାର କରୁଛି ।

 

କିଛି ସମୟ ପରେ ଫେରିଆସିଲା ସେ । ଗୋଟାଏ ରିକ୍ସାବାଲାକୁ ଡାକି, ମୋତେ ମୋ ଠିକଣା ସ୍ଥାନରେ ଛାଡ଼ିଦେବାକୁ ତାକୁ କହି, କେତେ ପଇସା ଦେଲା ଏବଂ ଚୌରଙ୍ଗୀର ଜନଗହଳି ଭିତରେ କୁଆଡ଼େ ଅଦୃଶ୍ୟ ହେଇଗଲା । ମୋତେ ଓ ମୋର ସେଇ ବାକ୍ସ ଖଣ୍ଡିକ ରିକ୍ସାରେ ଲଦି ରିକ୍ସାବାଲା ଛୁଟିଲା ପବନ ବେଗରେ ।

 

ରିକ୍ସାବାଲାଟି ସମ୍ଭବତଃ ଥିଲା ଛତିଶଗଡ଼ ଅଧ‌ିବାସୀ କିମ୍ବା ବିହାର ପ୍ରଦେଶର ଲୋକ । ବୃଦ୍ଧ ହେଲେ ମଧ୍ୟ ଦେହରେ ଅମାପ ବଳ ଥିଲା ପରି ମନେ ହେଉଥିଲା । ମୋତେ ନେଇ ସେ ଅନେକ ସମୟ ପରେ କ୍ଲାଇବ୍‌ ଷ୍ଟ୍ରିଟ୍ରର ଠିକଣା ସ୍ଥାନରେ ପହଞ୍ଚିଗଲା । ସତୁରି ନମ୍ବର, ମୁଖାର୍ଜୀ ଆଣ୍ଡ କମ୍ପାନୀ । ଦୋ’ ତାଲା ଉପରେ ସାଇନ୍‌ବୋର୍ଡ଼ ଲାଗିଛି । ମାତ୍ର ଅଫିସ ସେତେବେଳକୁ ବନ୍ଦ ହେଇଗଲାଣି । ଏଭଳି ପରିସ୍ଥିତିରେ କଲିକତା ସହରରେ କେହି କାହାରି ଠିକଣା ଦେବା କଷ୍ଟକର କଥା । ଦିନ ପ୍ରାୟ ପାଞ୍ଚଟା ବାଜି ଯାଇଥିଲା । ଛୁଟି ହେଇଯିବା ପରେ ଉଦୟନାଥ ବାରିକ ତାଙ୍କ ବସାକୁ ଚାଲିଯାଇଥିଲେ । ତାଙ୍କ ଭେଟ ମିଳିଲା ନାହିଁ । ନୂଆ ମଣିଷ ମୁଁ, ସେଠାରେ ବଡ଼ ଅଡ଼ୁଆରେ ପଡ଼ିଲି । କୁଆଡ଼େ ଯିବି, କ’ଣ କରିବି ? ବୁଦ୍ଧି ମୋର ବଣା ହୋଇଗଲା ।

 

ମୋର ଭାଗ୍ୟ ବିପର୍ଯ୍ୟୟ ହେଲାବେଳକୁ ମୋତେ ବିପଦବେଳେ ଆଶ୍ଵାସନା ଦେଲା ସେଇ ରିକ୍ସାବାଲାଟି । ତା’ର ପେଟପାଟଣା କଥାକୁ ଭ୍ରୂକ୍ଷେପ ନ କରି, ସେଠାରେ ମୋତେ ଏକୁଟିଆ ଛାଡ଼ି ଯାଇପାରିଲା ନାହିଁ । ମୋତେ ରିକ୍ସାରେ ବସେଇ ସେଇ କ୍ଲାଇଭ୍ ଷ୍ଟ୍ରିଟ୍‌ର ଏପଟରୁ ସେପଟ ପର୍ଯ୍ୟନ୍ତ ବୁଲେଇ ବୁଲେଇ ପ୍ରାୟ ଅଧିକାଂଶ ଲୋକଙ୍କୁ ଉଦୟନାଥ ବାରିକଙ୍କ ଠିକଣା ପଚାରିଗଲା । ମାତ୍ର କେହି କିଛି ବୁଝିପାରିଲେ ନାହିଁ କିମ୍ବା ସନ୍ଧାନ ଦେଇପାରିଲେ ନାହିଁ ।

 

ହଠାତ୍ ସେଇ କ୍ଲାଇବ୍‍ ଷ୍ଟ୍ରିଟ୍‌ରେ ସନ୍ଧାନ ମିଳିଲା, ଆଉ ଜଣେ ଉଦୟନାଥଙ୍କର । ତାଙ୍କ ଘର ଥିଲା ବାଲିକୁଦା ଅଞ୍ଚଳର ନରିଲୋ ଗ୍ରାମ ନିକଟରେ । ସେ ଭଦ୍ରଲୋକ ଟଙ୍କାଶାଳରେ କାମ କରୁଥିଲେ । ମୋଠାରୁ ଶ୍ରୀଯୁକ୍ତ ନିତ୍ୟାନନ୍ଦ କାନୁନ୍‌ଗୋଙ୍କ ନାଁ ଶୁଣି ମୋତେ ତାଙ୍କ ବସାକୁ ନେଲେ-

 

ସନ୍ଧ୍ୟା ପ୍ରାୟ ନଇଁ ଆସିଥିଲା । ରିକ୍ସାବାଲା ବୁଢ଼ା ମୋତେ ସେଠାରେ ଛାଡ଼ି ନମସ୍କାର କରି ବିଦାୟ ନେଲା । ପ୍ରତି ନମସ୍କାର କରି ତା’ର ଯିବା ବାଟକୁ ଚାହିଁଲି । ତା’ର ସଚ୍ଚୋଟପଣିଆ, ସାଧୁତା ନିକଟରେ ମୁଣ୍ଡ ନ ନୁଆଇଁ ରହିପାରିଲି ନାହିଁ । ଏଇମାନେ ଯେ ଅସଲ ମଣିଷ, ହୃଦୟ ମୋର ବାର ବାର କରି ଚିହ୍ନେଇଦେଲା ମୋତେ ।

 

ମୋର ଖୋଜୁଥ‌ିବା ଉଦୟନାଥ ଏବଂ ମିଳିଥିବା ଉଦୟନାଥ ଉଭୟେ ଥିଲେ ମୋ ନିକଟରେ ଅପରିଚିତ । ଅଥଚ ଜଣକୁ ଖୋଜୁ ଖୋଜୁ ଆଉ ଜଣକୁ ପାଇଲି । ୟା’ର ମୂଳରେ ଥିଲା ସେଇ ବିଶ୍ଵନିୟନ୍ତାଙ୍କ ଅଦୃଶ୍ୟ ହାତ । କ’ଣ ନ କରିପାରେ ସେ ହାତ ? କାହାକୁ କୋଉଠି ଜୁଟାଏ, କାହାକୁ କୋଉଠୁ ତଡ଼ାଏ ? ସେ ହାତର କରାମତି ବୁଝିବା ସାଧ୍ୟାତୀତ ।

 

ଉଦୟନାଥ ବାବୁ ଉଦୟନାଥ ବାରିକଙ୍କର ଖବର ରଖିଥିଲେ, ଚିହ୍ନିଥିଲେ ବିଦେଶରେ ପ୍ରାୟ ପ୍ରତ୍ୟେକ ଓଡ଼ିଆ ଅନ୍ୟ ଜଣେ ଓଡ଼ିଆକୁ ଜାଣୁଥିଲେ, ବୁଝୁଥିଲେ; ମାତ୍ର ପ୍ରତ୍ୟେକେ ପ୍ରତ୍ୟେକଙ୍କ ନିକଟରୁ ଦୂରେଇ ରହୁଥିଲେ । ଆମ ଜାତିର ଲକ୍ଷଣ ସେଇଟା । କେହି କାହାରି ଶିରି ଦେଖିପାରୁ ନା; ତେବେ ହଁ, ବିପଦରେ ପଡ଼ିଥିଲାବେଳେ ସାହାଯ୍ୟ କରିବାକୁ ପଛେଇ ଯାଉନା ।

 

ମୋତେ ଖାଇବାକୁ ଦେଇ, ବିଶ୍ରାମ କରିବାକୁ ସୁବିଧା କରିଦେଇ ଉଦୟନାଥ ବାବୁ ଧୈର୍ଯ୍ୟଦେଇ କହିଲେ, ସକାଳ ହେଲେ ଉଦୟଭାଇଙ୍କ ସାଙ୍ଗରେ ଦେଖା କରେଇଦେବେ ।

 

ନିଦ ହେଲା ନାହିଁ । ବିଛଣାରେ ପଡ଼ି ରହି କେତେ କ’ଣ ଭାବିବାକୁ ଲାଗିଲି । ସାଧାରଣତଃ କଲିକତାରେ ଶ୍ରମଜୀବୀ ଓଡ଼ିଆମାନେ, ଭାଡ଼ିରେ ବସ୍ତା ଲଦା ହେଲାପରି, ଛୋଟ ଛୋଟ ସଂକୀର୍ଣ୍ଣ ଘରମାନଙ୍କରେ ବାସ କରିବାର ସୁଯୋଗ ପାଇଥା’ନ୍ତି । ସେଥିରେ ସେମାନେ ଅଭ୍ୟସ୍ତ । କିନ୍ତୁ ଅନ୍ୟ କେହି ନୂତନ ବିଦେଶାଗତ ଅତିଥିମାନଙ୍କ ପକ୍ଷରେ ସେ ସବୁ ଘରେ ରହିବା ଅତ୍ୟନ୍ତ କଷ୍ଟଦାୟକ, ଯନ୍ତ୍ରଣାଦାୟକ । ମୋ ପକ୍ଷରେ ସେ ସ୍ଥାନ, ସେ ପରିବେଶ ଥିଲା ସେଇଭଳି । ହେଲେ ମଧ୍ୟ ମୁଁ ସର୍ବଦା ଭାବେ ମଣିଷ ଆମେ, ପୁଣି ସାଧାରଣ ମଣିଷ । ପ୍ରତ୍ୟେକ ପରିବେଶ, ପ୍ରତ୍ୟେକ ସ୍ଵାଦ ଓ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ନିଜକୁ ଚଳେଇ ନେଲାଭଳି ଧୈର୍ଯ୍ୟ ସଞ୍ଚୟ କରିବା ଉଚିତ୍ । ପ୍ରତ୍ୟେକ ଅବାଞ୍ଛିତ ଅବସ୍ଥାରେ ଚଳିଯିବା ଲାଗି ଶକ୍ତି ଆହରଣ କରିବା ଉଚିତ୍ । ସର୍ବଦା ନିଜକୁ ଦୁଃଖ ଭିତର ଦେଇ ଚଳେଇଲେ ସହିବା ଶକ୍ତି ବଢ଼େ, ହୃଦୟ ଟାଣ ହୁଏ ।

 

ସେଦିନ ସେଇ ରାତିରେ ସେଇ ଅନ୍ଧାରୁଆ, ଅଳନ୍ଧୁପୂର୍ଣ୍ଣ କୋଠରୀରେ ପଡ଼ି ରହି ଚିନ୍ତା କଲି–ଦୁନିଆ ଓ ତା’ର ମାଲିକଙ୍କ ବିଷୟରେ । କିଏ ସେ ସର୍ବଶକ୍ତିମାନ ? ଏ ଦୁନିଆର ସକଳବସ୍ତୁରେ ଲୁଚି ରହି, ସମସ୍ତ ଜଗତକୁ କରିଛନ୍ତି ଜୀବନ୍ତ, ପ୍ରାଣବନ୍ତ । ପ୍ରତ୍ୟେକଙ୍କୁ ପରିଚାଳିତ କରି ନିଜର ଅଲୌକିକ ଗୁଣର ପରିଚୟ ଦଉଛନ୍ତି ? କାରଣ, ସେ ଅଦୃଶ୍ୟ ହାତ ଏଇ ସଂସାରର ପ୍ରତିଅଙ୍ଗକୁ ଆଉଁଷି ଦେଇ କରୁଛନ୍ତି ଆଲୋକମୟ, କଲ୍ୟାଣମୟ ।

 

ପୁଣି ଭାବିଗଲି–ମୁଁ ଯେତେ ଯେତେ ବିପଦର ସମ୍ମୁଖୀନ ହେଉଛି, ଠିକ୍ ସେତିକି ପରିମାଣର ସେ ଐଶ୍ଵରିକ ସତ୍ତାକୁ ଉପଲବ୍ଧି କରୁଛି । କଥା କ’ଣ ? ମୃତ୍ୟୁ ଖାତରେ ପଡ଼ିବା ପୂର୍ବରୁ କିଏ ଯେପରି ମୋତେ ତାଙ୍କର ବାହୁ ପ୍ରସାରଣ କରି ତୋଳି ଧରୁଛନ୍ତି ।

 

ଅଳ୍ପ ସମୟ ପାଇଁ ନିଦ ହେଇଯାଇଥିଲା । କାହାର ସ୍ନେହମଖା ସମ୍ବୋଧନ ଶୁଣି ଉଠି ବସିଲି । ଦେଖିଲି–ଉଦୟ ବାବୁ ମୋ ନିକଟରେ ଗରମ ଭାତଥାଳିଟିଏ ରଖି ମୋତେ ଖାଇବା ପାଇଁ ଅନୁରୋଧ କରୁଛନ୍ତି । ଆଶ୍ଚର୍ଯ୍ୟ ହେଲି, ରାତି ସାଢ଼େ ତିନିଟାରେ ଗରମ ଭାତ ଖାଇବା ମୋ ପକ୍ଷରେ କଷ୍ଟକର ଥିଲା । ତଥାପି ଉଠିପଡ଼ି ମୁହଁ ହାତ ଧୋଇ ପକେଇ ଖାଇ ବସିଲି । ପଚାରି ବୁଝିଲି, ଉଦୟବାବୁ ଟଙ୍କାଶାଳରେ କାମ କରନ୍ତି, ସକାଳ ଛ’ ଘଣ୍ଟାରୁ ଦିନ ଦୁଇ ଘଣ୍ଟା ପର୍ଯ୍ୟନ୍ତ କର୍ତ୍ତବ୍ୟ । ଛ’ଟା ସମୟରେ କାରଖାନାରେ ହାଜର ହେବାକୁ ପଡ଼େ ।

 

ଦିନ ଦଶଟା ବାଜିଲା । କ୍ଲାଇବ୍ ଷ୍ଟ୍ରିଟ୍‌ଟା କ୍ରମେ କ୍ରମେ ଲୋକ ଓ ଯାନବାହନରେ ପୂର୍ଣ୍ଣ ହୋଇଉଠିଲା । ଉଦୟ ବାବୁ ଗୋଟିଏ ଲୋକକୁ କହିଯାଇଥିଲେ, ମୋତେ ମୁଖାର୍ଜୀ ଏଣ୍ଡ କମ୍ପାନୀରେ ଉଦୟ ବାରିକଙ୍କ ଜିମାରେ ଛାଡ଼ିଦେବାକୁ । ସେ ଲୋକଟି ଉଦୟ ବାବୁଙ୍କ କଥା ରକ୍ଷା କଲା ।

 

ସତୁରି ନମ୍ବର ମୁଖାର୍ଜୀ କମ୍ପାନୀ ଅତି ଛୋଟ ଘରଟିଏ । ଦୋ’ତାଲା ଉପରେ । କମ୍ପାନୀର କର୍ମଚାରୀ ବୋଇଲେ ଆଠ ଜଣ । ସେଇ ଗୋଟିଏ ଘରେ ଦୁଇଟି କମ୍ପାନୀ । ଗୋଟିଏ ‘ଛକୁରାମ କୁମାର ଏଣ୍ଡ ନେଫିଉ’ ଓ ଅନ୍ୟଟି ହେଲା ‘ମୁଖାର୍ଜୀ ଏଣ୍ଡ କମ୍ପାନୀ’ । ଗାୟମୋଟ୍ ଆଠ ଜଣ କର୍ମଚାରୀ । ତା’ରି ଭିତରେ ରହିଛନ୍ତି ଦୁଇଜଣ ସତ୍ତ୍ଵାଧିକାରୀ । ଅବସ୍ଥା ଦେଖି ଖୁବ୍ ହସ ଲାଗିଲା ।

 

ମୁଖାର୍ଜୀ କମ୍ପାନୀର ମାଲିକ ଥିଲେ ଶ୍ରୀ ଭୂପେନ୍ଦ୍ରନାଥ ଚାଟାର୍ଜୀ । ଘର ତାଙ୍କର କଲିକତାର ବେହେଲାରେ । ନିଜେ ଅବସର ନେଇଥା’ନ୍ତି ଏବଂ ତାଙ୍କ ସ୍ଥାନରେ ତାଙ୍କର ବଡ଼ପୁଅ ଦପ୍ତରର ଦାୟିତ୍ୱ ବୁଝୁଥା’ନ୍ତି । ଉଦୟ ବାରିକ ଥିଲେ ସେଇ କମ୍ପାନୀର ଚତୁର୍ଥ ଶ୍ରେଣୀ କର୍ମଚାରୀ । ଘର ତାଙ୍କର ଥିଲା ଆମ ଚଣାହାଟ୍ଟ ଗ୍ରାମ ନିକଟ ପମ୍ପାଲ ଗ୍ରାମରେ ।

 

ଉଦୟ ଭାଇଙ୍କୁ ଆଉ–ବୋଉ ଦେଇଥ‌ିବା ଚିଠିଟି ଦେଲି । ପଢ଼ିଲେ ସେ । ଖୁବ୍ ଆଦର ଯତ୍ନ ସହକାରେ ମୋତେ ସେଇ ମୁଖାର୍ଜୀ କମ୍ପାନୀ ଦପ୍ତରରେ ବସେଇଲେ । ବୃନ୍ଦାବନ ବାରିକ ବୋଲି ଉଦୟ ଭାଇଙ୍କର ଗୋଟିଏ ପୁତୁରା ମଧ୍ୟ ସେଠାରେ କାମ କରୁଥିଲେ ।

 

ଅଫିସ ଛୁଟି ହେବାପରେ ଆମେ ଦୁହେଁ (ମୁଁ ଓ ଉଦୟ ଭାଇ) ବାହାରିଲୁ ବସାକୁ । ଲୋର ଚିତ୍‌ପୁର ରୋଡ଼ରେ ଏକ ବିରାଟ ଖୁଆଡ଼ ଭିତରେ ଉଦୟ ଭାଇଙ୍କ ବସା । ଅନେକ ଶ୍ରମଜୀବୀ ଓଡ଼ିଆ ଭାଇଙ୍କର ବସା ସେଇ ଖୁଆଡ଼ଟି ଭିତରେ । ପାରାଭାଡ଼ି ପରି ଛୋଟ ଛୋଟ ଘର । ଉଦୟ ଭାଇ ଯୋଉ ଘରଟିରେ ରହୁଥିଲେ, ତା’ର ଆୟତନ ବେଶି ହେଲେ ଛ’ ଫୁଟରେ ପାଞ୍ଚ ଫୁଟ । ଉପର ଛାତ ମଧ୍ୟ ମୁଣ୍ଡରେ ବାଜିଲା ଭଳି । ମାସକୁ ଦଶଟଙ୍କା ଭଡ଼ା ।

 

ସେ ଖୁଆଡ଼ ବା ବାଡ଼ି (ଘର)ର ସର୍ବମୟୀ କର୍ତ୍ତ୍ରୀ ଥିଲେ ଜଣେ ପ୍ରାପ୍ତ ବୟସ୍କା ମହିଳା । ଦଣ୍ଡିଧାରିଣୀ ସାକ୍ଷାତ୍ ରଣଚଣ୍ଡୀ । ତଙ୍କର ହୁଙ୍କାର ଶବ୍ଦରେ ସେ ଖୁଆଡ଼ ପଡ଼ୁଥାଏ, ଉଠୁଥାଏ । ସ୍ଵାମୀ ଦେବତା ସେଇ ଚଣ୍ଡୀଙ୍କ କିଣା କିଙ୍କର ପରି, ମଲା ମୂଷାର ଅଭିନୟ କରୁଥା’ନ୍ତି । ବାଡ଼ିର ପ୍ରତ୍ୟେକ ଭଡ଼ାଟିଆ ଚଣ୍ଡୀଙ୍କ ନିର୍ଦ୍ଦେଶ ନ ମାନିବାକୁ ଯୁ’ ନଥାଏ ।

 

ସେଇ ବାଡ଼ିଟିରେ ଅନେକଗୁଡ଼ିଏ ଭଡ଼ାଟିଆ ଆଶ୍ରୟ ନେଇଥିଲେ ହେଁ ଗୋଟିଏ ମାତ୍ର ଛୋଟ ପାଇଖାନା । ରାତି ପାହିବା ପୂର୍ବରୁ ପାଇଖାନାର ପାହାଚ ନିକଟରୁ ଲମ୍ବିଯାଏ ଟିଣ ଡବା, ଢାଳ, ବାଲ୍ଟି, ଜଳପୂର୍ଣ୍ଣ ପାତ୍ର । ନିଜ ନିଜ ପାତ୍ରଗୁଡ଼ିକ ଯଥା ସ୍ଥାନରେ ରଖିଦେଇ ବିଭିନ୍ନ ବୟସର ଲୋକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କିଏ ପାଟିକୁ ଦୋକତା ଫୁଙ୍କି, କିଏ ଗୁଡ଼ାଖୁ ଯାକି, କିଏ ବା ଦାନ୍ତକାଠି ଖଣ୍ଡେ କଳକୁ ଠେଲି, ବିଭିନ୍ନ ଭଙ୍ଗୀରେ ଠିଆହୋଇ ପ୍ରତୀକ୍ଷା କରନ୍ତି, ଦୀର୍ଘନିଶ୍ଵାସ ତ୍ୟାଗ କରି ।

 

ସେ ପରିସ୍ଥିତି, ଏକ ଦାରୁଣ ନିର୍ଯ୍ୟାତନାରୁ ଅଧିକ ଦୁଃଖକର । ଠିକ୍ ଯେମିତି ଆଜି ଆମେ ସଭ୍ୟତାର ଦ୍ଵାହି ଦେଇ ଆଧୁନିକତାକୁ ସମର୍ଥନ କରି ସାଜିଛୁଁ ଜଣେ ଜଣେ ଲଙ୍ଗୁଳି, ୟା’ଠାରୁ ମଧ୍ୟ ଆହୁରି ଯନ୍ତ୍ରଣାଦାୟକ ସେ ପରିସ୍ଥିତି ।

 

ହଠାତ୍ ଦିନେ କମ୍ପାନୀର ମାଲିକ ଚାଟାର୍ଜୀ ମହାଶୟ ପଶ୍ଚିମ ଭାରତକୁ ନିଜର କମ୍ପାନୀ କାମରେ ଗସ୍ତ କରି ବାହାରିଲେ । ଅବସର ଯଦିଚ ଚାହୁଥିଲେ ତଥାପି ନିଜ କମ୍ପାନୀର ସ୍ଵାର୍ଥ ଦୃଷ୍ଟିରୁ ଗସ୍ତ ଲାଗି ସିଦ୍ଧାନ୍ତ ନେଇଥିଲେ । ତାଙ୍କ ସାଙ୍ଗରେ ଗଲେ ଉଦୟ ଭାଇ । ଫଳରେ ଅସ୍ଥାୟୀ ଭାବରେ ମୋତେ ତାଙ୍କ ସ୍ଥାନରେ କମ୍ପାନୀରେ କାମ କରିବାକୁ ପଡ଼ିଲା । ଅବଶ୍ୟ ମୋ ପାଇଁ ମାଲିକଙ୍କୁ ଉଦୟ ଭାଇ କୁହାବୋଲା କରି ଏ ସୁବିଧା କରେଇ ଦେଇଥିଲେ । ମାଲିକ ମଧ୍ୟ ଜଣେ ପୁରୁଣା କର୍ମଚାରୀଙ୍କ ଅନୁରୋଧ ରକ୍ଷା କରିଥିଲେ ।

 

ଈଶ୍ଵରଙ୍କୁ ମନେ ମନେ ପ୍ରାର୍ଥନା କରୁଥିଲି ଖଣ୍ଡିଏ ଚାକିରି ମିଳିବା ପାଇଁ । ଯାହାହେଉ ଅସ୍ଥାୟୀ ହେଲେ ମଧ୍ୟ ଈଶ୍ଵର ମୋର ଆଶା ପୂର୍ଣ୍ଣ କଲେ । ଏବେ ପୁଣି ତାଙ୍କୁ ପ୍ରାର୍ଥନା କଲି, କଲିକତା ସହରରେ ମୋ’ଭଳି ଗୋଟାଏ ମୂର୍ଖ ଯେମିତି ସେଇ କର୍ତ୍ତବ୍ୟକୁ ଭଲ ଭାବରେ ନେଇ ଆଣି ଥୋଇପାରିବ ।

 

କମ୍ପାନୀ ତରଫରୁ ମୋତେ କାମ ଦିଆଯାଇଥିଲା ବିଭିନ୍ନ ବଡ଼ ବଡ଼ ବ୍ୟାଙ୍କ୍, ବଡ଼ ବଡ଼ କମ୍ପାନୀକୁ ଯାଇ ଚିଠି ଦେବା, ଟୋକନ୍ ଆଣିବା । ପୂର୍ବରୁ ମୁଁ ଉଦୟ ଭାଇଙ୍କ ସାଙ୍ଗରେ ଯାଇ ସେଇସବୁ ବ୍ୟାଙ୍କ୍, କମ୍ପାନୀମାନଙ୍କରେ ଯୋଉ ସ୍ଥାନମାନଙ୍କରେ ଯାହା କରିବାକୁ ପଡ଼େ, ତାହା ଦେଖି ଜାଣିଯାଇଥିଲି ।

 

ସେଇ ରୀତିରେ ଚାଲିଲା କିଛି ଦିନ । ସବୁ ଶସ୍ତା ଥିଲା । ସକାଳ ବେଳା ଚାରି ପଇସାରେ ମୋର ଆହାରର ସମାଧାନ ହେଇଯାଏ । ଦୁଇ ପଇସାର ଗୋଟାଏ ବଡ଼ ପାଉଁରୁଟି ଏବଂ ଆଉ ଦୁଇ ପଇସା ଦେଲେ ମିଳେ ଗୋଟାଏ ମାଖନ ଖାଡ଼ି । ବାସ୍, ସେତିକି ଖାଇଦେଲେ ଆଉ କିଛି ଖାଇବାକୁ ଇଚ୍ଛା ଡାକେ ନାହିଁ । ନଚେତ୍‌, ଛ’ ପଇସା ହୋଟେଲରେ ଦେଲେ ମିଳେ ଭାତ, ମାଛଭଜା ଓ ଡାଲି । ଦ୍ଵିତୀୟବାର ଆଉ ଭାତ ମୋର ଦର୍କାର ପଡ଼େ ନାହିଁ । ଦିନ ଦୁଇଟାରେ କମ୍ପାନୀ ଦିଏ ଜଳଖିଆ ଲାଗି ଆମକୁ ପ୍ରତିଦିନ ଦୁଇ ପଇସାକର ମୁଢ଼ି, ପଇସାକର ଭଜାବୁଟ ସହିତ ଦୋକାନୀ ଦିଏ କଞ୍ଚାଲଙ୍କା ଓ ଲୁଣ ।

 

ରବିବାର କିମ୍ବା ଅନ୍ୟାନ୍ୟ ଛୁଟି ଦିନରେ ଅଳ୍ପ କେତେଟା ପଇସା ଟ୍ରାମରେ ଦେଲେ, କଲିକତାର ବିଭିନ୍ନ ବଜାରକୁ ବୁଲିବାରେ ବେଳ ଅଣ୍ଟେ ନାହିଁ । ଧୀରେ ଧୀରେ ସେଠାକାର ପ୍ରବାସୀ ଓଡ଼ିଆ ବନ୍ଧୁଙ୍କ ମହଲରେ ବେଶ୍ ପରିଚିତ ହୋଇଉଠିଲି । କେବେ ଛୋଟ ଧରଣର ସଙ୍ଗୀତ ଆସର, କେବେ କୋଉଠି ପଞ୍ଚାନନ ମେଳା, ତ୍ରିନାଥ ମେଳା । କିଛି ବାଦ ଦେଲି ନାହିଁ । ପ୍ରାୟ ପ୍ରତ୍ୟେକ ସ୍ଥାନରେ ଗୀତ ଗାଇବାକୁ ପଡ଼ୁଥିଲା । ଅନେକ ଆସରରେ ଶ୍ରୀଯୁକ୍ତ ଗୋକୁଳା ଶ୍ରୀଚନ୍ଦନଙ୍କ ପୁଅ ଶ୍ରୀ ବିନୋଦ ବିହାରୀ ଶ୍ରୀଚନ୍ଦନ, ଶ୍ରୀ ବନ ବିହାରୀ ଶ୍ରୀଚନ୍ଦନଙ୍କ ସହିତ ଭେଟ ହେଉଥିଲା ।

 

ଟ୍ରାମ୍‌ରେ ବୁଲିବା ଛଡ଼ା, ମୋତେ ପାଦରେ ଚାଲି ଚାଲି କଲିକତା ସହରର ବିଭିନ୍ନ ସ୍ଥାନକୁ ଦେଖିବାକୁ ଖୁବ୍ ଆନନ୍ଦ ଲାଗୁଥିଲା । ମୋର ଗୋଟାଏ ସଉକ୍ ଥିଲା, ବସାରୁ ବାହାରି ଗୋଟିଏ ସ୍ଥାନକୁ ଗଲେ, ଫେରିଲାବେଳେ ଆଉ ସେ ପୁରୁଣା ରାସ୍ତାରେ ନ ଆସି ଆଉ ଗୋଟିଏ ନୂଆ ରାସ୍ତାର ସନ୍ଧାନ ନେଇ ସେ ରାସ୍ତା ଧରୁଥିଲି । ତା’ଦ୍ଵାରା ଅନେକ ନୂଆ ନୂଆ ବାଟ ଦେଖି ପାରୁଥିଲି ଓ ନୂଆ ନୂଆ ଘଟଣାର ସମ୍ମୁଖୀନ ହେଉଥିଲି । ଅନେକ ଘଟଣାରେ ବିପଦ ଥିଲେ ମଧ୍ୟ ମୋତେ ଖୁବ୍‌ ଉତ୍ସାହ ମିଳୁଥିଲା ।

 

ଗଳିକନ୍ଦିରେ କୋଉଠି ଜୁଆ ଖେଳ, କୋଉଠି ତିନିପତିଆ ତାସ ଖେଳ, କୋଉଠି ସୋଡ଼ା ବୋତଲ ଫିଙ୍ଗା, କୋଉଠି ମଦାରୀ ନାଚ–ସବୁଠାରେ ଟିକିଏ ଟିକିଏ ଅଟକିଯାଏ । କିଏ ଠେଲି ଦିଏ, କିଏ ପେଲି ଦିଏ, କିଏ ଥୋପିଟାଏ ମାରେ ପୁଣି କିଏ ଚାକୁ ଦେଖାଏ । ମୁଁ ମୋର ନିର୍ବିକାର ଚିତ୍ତରେ ସେସବୁ ଆଘାତ ସହେ, ଆଉ ସେଠାରେ ଠିଆ ନ ହୋଇ ବସା ବାଟ ଧରେ ।

 

କେତୋଟି ମାସ ଭିତରେ କଲିକତା ସହରକୁ ଗୁଡ଼େଇ ତୁଡ଼େଇ ଦେଖିବାକୁ ଚେଷ୍ଟା କଲି । ସେ ସମୟରେ ଅଳ୍ପ କିଛି ପଇସା ପାଖରେ ଥିଲେ, ଜଣେ ଲୋକ ଖୁସିରେ ଅନେକ ଧରଣର ଖାଦ୍ୟ ଚାଖି ପାରୁଥିଲା ଓ ଅନେକ କିଛି ନୂଆ ନୂଆ ଦୃଶ୍ୟ ଦେଖି ପାରୁଥିଲା । କଲିକତାର ଧମନୀ–କେନ୍ଦ୍ର ଚୌରଙ୍ଗୀ ଉପରେ ଠିଆ ହେଲେ, ସହଜରେ ଜଣାପଡ଼େ ମହାନଗରୀର ରୂପରେଖ କ’ଣ ।

 

ଦିନକର କଥା । ଗୋଟିଏ ଛୋଟ ଦୁର୍ଘଟଣାର ସମ୍ମୁଖୀନ ହେଲି । ଦୁର୍ଘଟଣା ବାସ୍ତବରେ ଛୋଟ ନ ଥିଲା । ଈଶ୍ଵର ଘଣ୍ଟ ଘୋଡ଼େଇ ନ ଥିଲେ, ସେ ରାତି ଆମମାନଙ୍କ ପାଇଁ ହୋଇଥାନ୍ତା କାଳ ରାତି ଏବଂ ଶେଷ ରାତି । ସ୍ଵଜାତିମାନଙ୍କୁ ନେଇ ଚାଲିଥିଲା ଗୋଟିଏ ସଙ୍ଗୀତ ବୈଠକ । ପରିବେଶ ଥିଲା ଅତ୍ୟନ୍ତ ମାମୁଲି ଧରଣର । ସମସ୍ତେ ଆମେ ଥିଲୁ ସାଧାରଣ ଶ୍ରମିକ ସ୍ତରର ମଣିଷ । ସେଇ ସଙ୍ଗୀତ ବୈଠକରେ ନ ଥିଲା କୌଣସି ଚାକଚକ୍ୟ, ନ ଥିଲା କୌଣସି ଆଡ଼ମ୍ବର । ଯୋଉମାନେ ସେଇ ଆସରକୁ ମଣ୍ଡନ କରୁଥିଲେ, ସେମାନେ ପ୍ରତ୍ୟେକ ଥିଲେ ଜଣେ ଜଣେ ପ୍ରଖ୍ୟାତ ମହାନଗରୀର ଅଖ୍ୟାତ ଭାରବାହୀ ପ୍ରାଣୀ । ନ ଥିଲା ତାଙ୍କର ଗାଡ଼ି ମଟର, ନ ଥିଲା ତାଙ୍କର ମୂଲ୍ୟବାନ ପୋଷାକ । ଥିଲା କାହାର ପରିଧାନରେ ଖଣ୍ଡିଏ ମୋଟା ଲୁଗା ଉପରେ, ରଫୁକରା ଜାପାନ ଦେଶର ଗଜ ଅଠର ପଇସିଆ ଲୋଚାକୋଚା ସିଲ୍‌କ ପଞ୍ଜାବୀ ଏବଂ କାହାର ଅବା ଥିଲା–କୋଇଲା ଧୁଆଁରେ କଳା କିଟିମିଟି ମସିହା ଖାକି ହାପ୍‌ପେଣ୍ଟ ସାଙ୍ଗକୁ ଭଟ୍ଟ ଅମଳର ତାଳିପକା ବେମାପର କୋଟ ଖଣ୍ଡେ ।

 

ବୈଠକରେ ସଭ୍ୟ ସଂଖ୍ୟା ଥିଲା ଦଶରୁ ପନ୍ଦର ଭିତରେ ଏବଂ ବୈଠକ ବସିଥିବା ଘରଟିର ଆୟତନଠାରୁ ଏ ସଂଖ୍ୟା ଥିଲା ଯଥେଷ୍ଟ ବେଶି । ଘରର ମେଜିଆରେ ସ୍ଥାନେ ସ୍ଥାନେ ଗୋଡ଼ି, ସିମେଣ୍ଟ ଉଠିଯାଇ ବେଶ୍ ବଡ଼ ବଡ଼ ଖାଲ ଖମା ସୃଷ୍ଟି କରିଥିଲା । ତଥାପି ସେସବୁ ଖାଲ, ଖମାକୁ ଢାଙ୍କି ରଖିବା ଲାଗି ନିଷ୍ଫଳ ଉଦ୍ୟମ ଯେ କରାଯାଇ ନ ଥିଲା, ସେକଥା ନୁହେଁ । ସେସବୁ ଖାଲ ଉପରେ ପଡ଼ିଥିଲା କେଉଁ ଅସାଧାରଣଙ୍କ ଆନୀତ ଛିନ୍ନ ଶୀତଳ ପଟି ।

 

ବର୍ଷ ବର୍ଷ ଧରି ସେଇ କୋଠରୀଟିରେ କୃଷ୍ଣ ହୀରକର ରୁଦ୍ଧ ଧୂମ ଲାଗି ଛାତରୁ ଏବଂ ବେଳେବେଳେ କାନ୍ଥରୁ ଝରି ପଡ଼ୁଥିଲା ବିନ୍ଦୁ ବିନ୍ଦୁ ଘନକଳାର ତୈଳାକ୍ତ ଟୋପା । ବୈଠକର କେନ୍ଦ୍ରସ୍ଥଳୀରେ ରହି ସେ କୋଠରୀକୁ ଆଲୋକିତ କରୁଥିଲେ ଦୁଇଟି ଟିଣ ଡବା ଉପରେ ଥୁଆ ହୋଇ ଦୁଇଟି ଡିବିରି ।

 

ସଙ୍ଗୀତ ବୈଠକର ଆବାହକମାନେ ଆସରକୁ ସରସ, ମଧୁର, ମନମତାଣିଆ କରିବା ଉଦ୍ଦେଶ୍ୟରେ ସପ୍ତ ଲକ୍ଷଣଯୁକ୍ତ ବିଜୟା ମର୍ଦ୍ଦନର ବ୍ୟବସ୍ଥା କରିଥିଲେ ଓ ବିଜୟାକୁ ସୁସ୍ଵାଦୁ କରିବା ଆଶାରେ ସେଥିରେ ସଂଯୋଗ କରିଥିଲେ ମର୍ତମାନ କଦଳି ଏବଂ ଛେନା । ନିମନ୍ତ୍ରିତ ଆଉ ନିମନ୍ତ୍ରଣକାରୀ ସମସ୍ତେ ସେଇ ସିଦ୍ଧିରସ ପାନ କରି ହୋଇଥିଲେ ଜଣେ ଜଣେ ଧ୍ୟାନମଗ୍ନ ଭୋଳାନାଥ । ଗୋଟିଏ ପରେ ଗୋଟିଏ ସଙ୍ଗୀତ ପରିବେଷଣ ଚାଲିଥିଲା । ହଠାତ୍ ଝଲ୍‌କାଏ ପବନ ଆଘାତରେ ଜଳୁଥିବା ଡିବିରି ଦୁଇଟି ଲିଭିଗଲା ।

 

ଘୋଟିଗଲା ଘନ ଅନ୍ଧକାର । ସେଇ ଅନ୍ଧାରକୁ ଆହୁରି ହତାଶା, ଆହୁରି ନିରାଶାରେ ପରିଣତ କଲା ସେଠାକାର ଉପସ୍ଥିତ କେତେଗୁଡ଼ିଏ ନିରୀହ ସରଳ ପ୍ରାଣୀଙ୍କର ଦୀର୍ଘ ନିଃଶ୍ଵାସର ଶବ୍ଦ । ଦିନମାନର ହାଡ଼ଭଙ୍ଗା ପରିଶ୍ରମ ପରେ ବଞ୍ଚିବା ଲାଗି ଯେଉଁ ଆନନ୍ଦ ଟିକକ ଦର୍କାର, ଯେଉଁ ପ୍ରେରଣା ଟିକିଏ ଲୋଡ଼ା, ସେ ସମସ୍ତ ଉତ୍ସାହକୁ ଯେମିତି କ୍ଷଣଙ୍କ ଲାଗି ଉପହାସ କଲା ଅନ୍ଧକାରପୂର୍ଣ୍ଣ ଶୂନ୍ୟ ମୁହୂର୍ତ୍ତଟା ।

 

ହଠାତ୍ କିଛି ସମୟ ପାଇଁ ସେଇ ଅନ୍ଧାରମୟ ପରିବେଶରେ ବସି ରହିଲେ ସମସ୍ତେ । ଗୀତ ବାଦ୍ୟ ବନ୍ଦ ହୋଇଗଲା ।

 

ଏତିକିବେଳେ ଜଣେ କିଏ ଆମ ଭିତରୁ ଟିକିଏ ହୋସ୍‌ରେ ଥିଲା ନା କ’ଣ, ଜଳେଇଦେଲା ଡିଆସିଲି କାଠିଟିଏ । ଡିଆସିଲି କାଠିର କ୍ଷୀଣ ଆଲୁଅରେ ଡିବିରିଟି ଲଗେଇଦେଲା ସେ । କିନ୍ତୁ ଏ କ’ଣ ? ସେ ଲୋକଟିର କ’ଣ ଖିଆଲ ଆସିଲା କେଜାଣି ସାଙ୍ଗେ ସାଙ୍ଗେ ଆମ ଭିତରୁ ଉଠିଯାଇ ଆଣିଲା ଗୋଟାଏ କାଣ୍ଟିପୂର୍ଣ୍ଣ କିରାସିନି ବୋତଲ ।

 

ବୈଠକରେ ପ୍ରତ୍ୟେକ ସଭ୍ୟ ବସିଥା’ନ୍ତି ଏବଂ ଦେଖୁଥା’ନ୍ତି ଲୋକଟି କ’ଣ କରୁଛି । ହେଲେ ଆଖିଗୁଡ଼ିକ ସମସ୍ତଙ୍କର ପ୍ରାୟ ଢଳ ଢଳ । ମୋର ମଧ୍ୟ ତାଙ୍କମାନଙ୍କ ପରି ଅବସ୍ଥା ଥିଲା । ଘର ମୋର ପୁରୀ, ଏଣୁ ଭାଙ୍ଗ ପ୍ରତି ଆକର୍ଷଣ ଥିଲା ଟିକିଏ ଅଧିକ । ତେବେ ନିଶା ପ୍ରତି ଭୟ ଥିବାରୁ ଓ ସେ ପଥରେ ନୂଆ ପଥିକ ହୋଇଥିବାରୁ ଚାଖୁଥୁଲି ଅଳ୍ପ ଅଳ୍ପ । ତା’ଛଡ଼ା ଭାଙ୍ଗ ସହିତ ଛେନା, କଦଳିର ସଂଯୋଗ ଘଟିଥିବା ଯୋଗୁଁ ଲୋଭ ସମ୍ବରଣ କରିପାରି ନ ଥିଲି ।

 

ଆଖିକି ମୋର ସମସ୍ତେ ସେତେବେଳେ ଝାପ୍‌ସା ଦେଖାଯାଉଥିଲେ । ଦେଖିଲି, ସେଇ ଲୋକଟି ଡିବିରିରେ କିରାସିନି ଭରିବାର ଉଦ୍ୟମ କରୁଛି । ତା’ର ବାଁ ହାତରେ କିରାସିନି ବୋତଲ ଏବଂ ଡାହାଣ ହାତରେ ଡିବିରି ଧରିଛି । ହାତ ଦୁଇଟି ସମ୍ପୂର୍ଣ୍ଣ ଥରୁଥାଏ । ସମ୍ଭବତଃ ସେ ଲୋକଟି, ବୋତଲରେ ଡିବିରି ଭରିବ ନା ଡିବିରିରେ କିରାସିନି ଭରିବ, ଏଇକଥା ଭାବୁ ଭାବୁ ହଠାତ୍ ଜଳନ୍ତା ଡିବିରିର ମୁହଁଟାକୁ କିରାସିନି ବୋତଲ ମୁହଁରେ ପୂରେଇଦେଲା....

 

ବାସ୍, ଶୁଭିଲା ଗୁଡ଼ୁମ୍ ଶବ୍ଦ । ତା’ ସାଙ୍ଗେ ସାଙ୍ଗେ ବୋତଲଟା ଫୁଟି ଉଠି ଝଣ ଝଣ ସ୍ଵରରେ କାଚଗୁଡ଼ାକ ଘରର କାନ୍ଥରେ ବାଜି ମେଜିଆରେ ପଡ଼ିଲା ଓ ଘୋଟିଗଲା ପୁଣି ଅନ୍ଧାର । ଏକ ସଙ୍ଗରେ ପ୍ରତ୍ୟେକଙ୍କର ନିଶା ଛାଡ଼ିଗଲା ।

 

ସେଦିନ ସେଇ ବିପଦରୁ ଈଶ୍ଵର କିଭଳି ଭାବରେ ଯେ ଆମମାନଙ୍କୁ ରକ୍ଷା କରିଥିଲେ, ସେକଥା ଅନେକ ଭାବିଛି, ଅନେକ ଚିନ୍ତା କରିଛି; କିନ୍ତୁ ତାହାର କୌଣସି ସୂତ୍ର ପାଇପାରି ନାହିଁ ।

 

କିଛି ଦିନପରେ ଉଦୟ ଭାଇ ଗସ୍ତରୁ ଫେରିଆସିଲେ ଆଉ ମୁଁ ପୁଣି ହେଲି ବେକାର । କାରଣ, ଆଗରୁ କହିଛି ଯେ, ମୁଖାର୍ଜୀ ଏବଂ କମ୍ପାନୀର ସୀମିତ ପରିବେଷ୍ଟନୀରେ ଅଧିକ ଲୋକ ନିଯୁକ୍ତି ସମ୍ଭବ ନ ଥିଲା । ତେବେ ସେ ଯାହାହେଉ, ମୁଁ ଆଉ ଉଦୟ ଭାଇଙ୍କୁ ଛାଡ଼ି କୁଆଡ଼େ ଗଲି ନାହିଁ ।

 

ମୋର ବହୁ ପୂର୍ବରୁ କଲିକତାରେ ରହୁଥା’ନ୍ତି ମଝିଆଁ ଭାଇ ଶ୍ରୀ ନିତ୍ୟାନନ୍ଦ ଦାସ (ନେତ୍ରବନ୍ଧୁ) । କର୍ଣ୍ଣୱାଲି ଷ୍ଟ୍ରିଟ୍‌ରେ ‘ରୂପବାଣୀ’ ଚଳଚ୍ଚିତ୍ର ପ୍ରେକ୍ଷାଳୟ ସମ୍ମୁଖରେ ଥ‌ିବା ହେମେନ୍ଦ୍ରନାଥ ଷ୍ଟ୍ରିଟ୍‌ରେ ‘ବୋଷ ଏଣ୍ଡ ବୋଷ’ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ ସେ । ମାତ୍ର ସେପର୍ଯ୍ୟନ୍ତ ମୁଁ ତାଙ୍କର ଠିକଣା ଜାଣି ନ ଥିଲି । ଅଧିକନ୍ତୁ ଯୋଉ ପରିସ୍ଥିତିରେ ପଡ଼ି କଲିକତା ଯାତ୍ରା କରିଥିଲି ମୁଁ, ଭାଇଙ୍କର ଠିକଣା ସଂଗ୍ରହ କରିବାକୁ ଅବସର ନ ଥିଲା ।

 

ଚାକିରିରୁ ବାହାରି ଆସିବା ଯୋଗୁଁ ମୋ’ଠାରୁ ଉଦୟ ଭାଇଙ୍କୁ ବେଶି ବାଧିଥିଲା । ଏଣୁ ସେ ମୋତେ ମୁଖାର୍ଜୀ କମ୍ପାନୀର ମାଲିକ ଶ୍ରୀ ଭୂପେନ୍ଦ୍ରନାଥ ଚାଟାର୍ଜୀଙ୍କ ବେହେଲାସ୍ଥିତ ବାସରେ କିଛିଦିନ ରଖିବା ଲାଗି ଚେଷ୍ଟା କରିଥିଲେ । ଫଳରେ ମୁଁ କିଛିଦିନ ପାଇଁ ସେଠାରେ ରହିଲି ।

 

ସେଠାରେ କାମ ମୋର ଥିଲା, ଘର ଧୋଇବା ଓ ତାକୁ ପୋଛିବା, ବଜାର ସଉଦା କରିବା ଏବଂ ଚାଟାର୍ଜୀ ମହାଶୟଙ୍କ ବୃଦ୍ଧା ରୁଗ୍‌ଣା ସ୍ତ୍ରୀଙ୍କୁ ସାହାଯ୍ୟ କରିବା ଇତ୍ୟାଦି । ବୃଦ୍ଧ ଚାଟାର୍ଜୀ ମହାଶୟ ସମ୍ପୂର୍ଣ୍ଣ ଭାରତୀୟ ଥିଲେ ମଧ୍ୟ ପୂରାପୂରି ପାଶ୍ଚାତ୍ୟ ସଭ୍ୟତାର ପକ୍ଷପାତି । ପାଇଖାନା ଯାଇ କାଗଜ ବ୍ୟବହାର କରୁଥିଲେ । ଘରେ ବାୟା ଚଢ଼େଇ ବସା, ମୁଣ୍ଡରେ ରାମ ଟହଲିଆ ଖୋସା, ଏହି ନୀତିବାଦୀ ଥିଲେ ସେ ।

 

Unknown

ସେହି ବଙ୍ଗୀୟ ପରିବାରଟିରେ କିଛି ଦିନ ସମୟ କଟେଇବା ପରେ ଅନୁଭବ କଲି ପାରିବାରିକ କ୍ଷେତ୍ରରେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀ ଲୋକମାନଙ୍କର ପ୍ରଧାନ୍ୟ ଅଧିକ ଥିଲା ପରି । ଠିକ୍ ଆମର ଓଡ଼ିଆ ପରିବାରର ଚାଲିଚଳନର ବିପରୀତ ।

 

ଚାଟାର୍ଜା ମହାଶୟଙ୍କର ପୁଅ ତିନୋଟି ଥିଲେ ଖୁବ ଭଦ୍ର, ମାତ୍ର ଝିଅ ଗୋଟିଏ । ସେ ଥିଲା ମୁଖରା । ଯାହା ମାତୃଗୋଷ୍ଠୀ ପକ୍ଷରେ ନିନ୍ଦନୀୟ ସେ ଝିଅଟି ବେଳେବେଳେ ତାହା କରିଦଉଥିଲା । ପରିବାରରେ କେହି ପରିଚିତ ଅବା ଅପରିଚିତ ଦେଖାଦେଲେ ସେଇସବୁ ଲୋକଙ୍କ ସାମନାରେ ଝିଅଟି ଯେଉଁ ଆଚରଣ ପ୍ରକାଶ କରୁଥିଲା, ସେ ଆଚରଣ କୌଣସି ମାତୃଜାତି ପକ୍ଷରେ ସ୍ପୃହଣୀୟ ନୁହେଁ ।

 

ଆପଣମାନେ ଭାବିପାରନ୍ତି, ମୁଁ ଜଣେ ଅଭିନେତା ହୋଇ କଳାକୁ ଅବମାନନା କରି ସମାଜର ସାଧାରଣ ଲୋକଙ୍କ ପରି ଏକ କ୍ଷୁଦ୍ର ଅସମ୍ମାନଜନକ କର୍ମକୁ ଗ୍ରହଣ କରିବା କ’ଣ ବା ଦର୍କାର ଥିଲା ? କିନ୍ତୁ କହନ୍ତୁ ତ, କ’ଣ ବା ମୋର ଉପାୟ ଥିଲା ? ତା’ଛଡ଼ା ଆଗରୁ ତ ଆପଣମାନଙ୍କୁ ମୁଁ ମୋର ରୁଚି ସମ୍ପର୍କରେ ସୂଚନା ଦେଇଛି । ମୋ ଆଖିରେ ଦୁନିଆରେ କିଛି ଛୋଟ ନ ଥିଲା କି ବଡ଼ ବି ନଥିଲା । ପ୍ରତ୍ୟେକ ଜିନିଷକୁ ମୁଁ ସମାନ ଦୃଷ୍ଟିଦେଇ ଦେଖୁଥିଲି । ତା’ଛଡ଼ା ବିଦେଶରେ ମୋତେ କିଏ ବା ଚିହ୍ନିଥିଲା ?

 

ସେ ଥିଲା ୧୯୪୦ ମସିହା କଥା । ଏତିକିବେଳେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ମହାପ୍ରୟାଣ ଘଟିଥିଲା । ସେ ଯେଉଁ ଶବଯାତ୍ରା, ମୁଁ ମୋର ଜୀବନ କାଳରେ ସେପରି ଶବଯାତ୍ରା କେବେ କେଉଁଠି ଦେଖି ନାହିଁ । ଯୁଆଡ଼େ ଯେତେ ଦୂର ଆଖି ଯାଉଥିଲା, ଆଖି ଦେଖୁଥିଲା କେବଳ ହଜାର ହଜାର ସଂଖ୍ୟାରେ ମଣିଷର ମୁଣ୍ଡ । ବଙ୍ଗବାସୀ ନିଜ ଜାତିର ଶ୍ରେଷ୍ଠ ସାହିତ୍ୟ–ସାଧକଙ୍କର ଶେଷ ସମ୍ମାନ ଦେବାକୁ ପଛେଇ ନ ଥିଲେ ।

 

କଲିକତା ନଗର ଓ ହାୱାଡ଼ା ମଝିରେ ସଂଯୋଗକାରୀ ହୁଗୁଳି ନଦୀର ଭସା ପୋଲଟି ସେ ସମୟକୁ ଜୀର୍ଣ୍ଣ ଅବସ୍ଥା ଆସିଥିବା ହେତୁ ନୂଆ ଭାବରେ ମୁଣ୍ଡ ଟେକୁଥିଲା ଆଜିର ‘ସୁଦୃଶ୍ୟ ଏଇ ଆଧୁନିକ ଧରଣର ପୋଲଟି । କେବଳ ନଦୀର ଦୁଇକୂଳରେ ଗଢ଼ି ଉଠିଥିଲା ଦୁଇଟି ବିରାଟକାୟ ଲୁହା ସିମେଣ୍ଟର ସ୍ତମ୍ଭ ।

 

ବେହେଲାସ୍ଥିତ ଚାଟାର୍ଜୀ ମହାଶୟଙ୍କ ଘରୁ ବିଦାୟ ଘେନି ପଳେଇଆସିଲି ମୁଁ । କାରଣ ପରିବେଶଟା ମୋ ପକ୍ଷରେ ଦିନକୁଦିନ ତିକ୍ତତା ସୃଷ୍ଟି କଲା । ଭାବିଲି, ଆଉ କୋଉଠି କିଛି ଉତ୍ତମ ସଂସ୍ଥା ମିଳିଯାଇପାରେ । ଉଦୟ ଭାଇଙ୍କ ବସା ଛାଡ଼ିବାକୁ ପଡ଼ିଲା । ଅନୁସନ୍ଧାନ ନେଇ ଭାଇଙ୍କ ନିକଟକୁ ଗଲି । ମୋର ଭିଣୋଇ ରହୁଥିଲେ ଠଣଠଣିଆରେ । ତାଙ୍କ ନିକଟକୁ ମଧ୍ୟ ଗଲି । ସମସ୍ତେ ମୋର ଚାକିରି ମିଳିବାପାଇଁ ନିଜ ନିଜ ଛୋଟ ପରିସର ଭିତରେ ଚେଷ୍ଟା କଲେ; କିନ୍ତୁ କିଛି ତାର ଭଲ ଫଳ ମିଳିଲା ନାହିଁ । ଯୋଉଠି ବା ମିଳିଲା, ସେସବୁ ଥିଲା ସେଇ ଚାଟାର୍ଜୀ ମହାଶୟଙ୍କ ଘରକାମ ପରି । କେତେକ ବଙ୍ଗୀୟ ଗୃହିଣୀ ମୋର ପ୍ୟାଣ୍ଟ ପିନ୍ଧା ଦେଖି ଦୂରରୁ ଦୂରରୁ ବିରକ୍ତ ଭାବ ପ୍ରକାଶ କରି ବାହାରେ ବାହାରେ ବିଦାୟ ଦେଲେ ।

 

କଲିକତା ମହାନଗରୀର ଅନେକ ବଡ଼ ବଡ଼ ଘରେ, ଅନେକ ବନ୍ଧୁଙ୍କ ସାହାଯ୍ୟରେ ଅନେକ ତଲାସ ନେଲି । କିଛି ଫଳ ହେଲା ନାହିଁ । ଭାଇଙ୍କ ନିକଟରେ ଖାଇବା କାମଟା ଚଳିଯାଉଥିଲା । ମାତ୍ର ମନବଳ ଭାଙ୍ଗିଗଲା । ଏତିକିବେଳେ ଗ୍ରାମରୁ ଚିଠି ପାଇଲି, ବୋଉ (ମା)ଙ୍କର ଖୁବ୍ ଦେହ ଖରାପ ବୋଲି । ମନ ଆଉ ସେଠାରେ ରହିବାକୁ ଚାହିଁଲା ନାହିଁ । ଦିନେ ଭିଣୋଇ ଓ ଭାଇଙ୍କ ନିକଟରୁ ମେଲାଣି ନେଇ ଫେରିଆସିଲି ଚଣାହାଟ୍ଟ ମୋର ଜନ୍ମମାଟିକୁ ।

 

ଘରେ ପହଞ୍ଚି ଦେଖିଲି ବୋଉଙ୍କ ଦେହ ସୁସ୍ଥ । କେବଳ ମୋର ମନ ପରିବର୍ତ୍ତନ କରେଇ ମୋତେ କଲିକତା ସହରରୁ ଫେରେଇ ଆଣିବା ମତଲବରେ, ମୋ ନିକଟକୁ ମିଛ କଥା ଲେଖି ଚିଠି ଦେଇଥିଲେ । ଯାହାହେଉ ଘରେ ମୋତେ ବେଶି ଦିନ ଭଲ ଲାଗିଲା ନାହିଁ । କାରଣ ଗ୍ରାମର ବାୟୁମଣ୍ଡଳ ପୂର୍ବଭଳି ଥିଲା ମୋ ପାଇଁ ବିଷାକ୍ତ । ଚାଲିଲି ଭଉଣୀଙ୍କ ଘରକୁ, କୁରୁଞ୍ଜିପୁର ।

 

ବୟସ ବଢ଼ୁଥିଲା । ମନ ଚାହୁଥିଲା ଖାଲି ଘନ ଘନ ପରିବର୍ତ୍ତନ । ବେକାର ବସିବାକୁ ପସନ୍ଦ କରୁ ନ ଥିଲି । ଅତୀତ ଦିନର ଅଭିନୟଗୁଡ଼ାକ ଗୋଟା ପରେ ଗୋଟାଏ ଆସି ମୋତେ ଏକେଲା ରହିବାକୁ ଦଉ ନ ଥିଲେ । ଯେତେବେଳେ ‘ଅପା’ କୌଣସି କାମରେ ଗାଁ ଭିତରକୁ କାହା ଘରକୁ ଚାଲିଯାଉଥିଲେ, ସେତେବେଳେ ମୁଁ ଘରଟାରେ ଏକା ଏକା ନାଚିଯାଉଥିଲି, ଗାଇଯାଉଥିଲି, ଯୁଦ୍ଧ କରୁଥିଲି, ନିଜ ଅଭିନୟରେ ନିଜେ ମୁଗ୍‌ଧ ହେଉଥିଲି ।

 

ପୁଣି ମନକୁ ଯାତ୍ରା ନିଶା ଘାରିଲା । ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କର ସ୍ନେହମିଶା କଥା ପଦକ ବୁକୁରେ ଜାଗି ଉଠିଲା । ବିରୁଡ଼ି ମାରିଲା ପରି ପଳେଇଆସିଲି ଗାଁକୁ, ଗାଁରୁ କଟକକୁ । କଟକରୁ ସିଧା ଛୁଟିଲି ଜଗତସିଂହପୁର ସୁଜଙ୍ଗ ଗ୍ରାମକୁ । ଦେଖାହେଲା ରଘୁବାବୁଙ୍କ ସଙ୍ଗେ (ଶ୍ରୀ ରଘୁନାଥ ଦାଶ), ଜମିଦାର ଶ୍ରୀ ହରେକୃଷ୍ଣ ଦାଶଙ୍କ ପୁଅ, ଡାକ୍ତରୀ ପଢ଼ୁଥାଆନ୍ତି । ଅନୁରୋଧ କରି ତାଙ୍କ ଘରକୁ ଡାକିଲେ । ଅତିଥି ହେଲି ସେଦିନ ଶ୍ରୀଯୁକ୍ତ ଦାଶଙ୍କ ଘରେ, ଶୁଣିଲି ତାଙ୍କ ମୁହଁରୁ ରାଢ଼ଙ୍ଗ ଦଳର ଅବସ୍ଥା ବିଷୟରେ । ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ।

 

ତା’ ପରଦିନ ସେଇ ସୁଜଙ୍ଗ ମାଟିଆ ସଡ଼କ ଦେଇ ଚାଲିଲି ପଳାଶୋଳ ଗ୍ରାମକୁ ।

 

ପଳାଶୋଳ ଗ୍ରାମ ନିକଟରେ ପଳଶଧା ନାମରେ ଛୋଟ ଗ୍ରାମଟିଏ । ସେଇଠାରେ ଗୋଟିଏ ଛୋଟ ପୋଖରୀ । ତାରି ପାଖରେ ରହିଥିଲା ଶ୍ରୀଯୁକ୍ତ ମହାନ୍ତିଙ୍କର ନାଟ୍ୟ ଦଳର ଆଖଡ଼ା ଘର । ସେଇ ଘରେ ସଞ୍ଜପହରକୁ ହୁଏ ଆଖଡ଼ା । ଦେଖାକଲି ଶ୍ରୀଯୁକ୍ତ ମହାନ୍ତିଙ୍କ ସହିତ । ମୁଁ ମୋର ପ୍ରତିଶ୍ରୁତି ରକ୍ଷାକରି ତାଙ୍କ ନିକଟକୁ ଆସିଥିବା ହେତୁ ଖୁବ୍ ଖୁସିହେଲେ ମୋତେ ଦେଖି ।

 

ସେଇ ଆଖଡ଼ା ଘରେ ମୋର ରହିବାର ବ୍ୟବସ୍ଥା ହେଲା । ଛୋଟ ଛୋଟ ପିଲାଗୁଡ଼ିଏ । ତାଙ୍କରି ଭିତରୁ ହେଉଥିଲେ ବୁଢ଼ା, ଟୋକା, ଯୁବକ, ଯୁବତୀ, ରଜା, ମନ୍ତ୍ରୀ, ରାଣୀ । ସମସ୍ତେ ଥିଲେ ବାସ୍ତବରେ କିଶୋର ବୟସର; ମାତ୍ର ଅଭିନୟ ବେଳେ ସାଜୁଥିଲେ ଜଣେ ଜଣେ ମହାବଳି ଭୀମ, ପରାକ୍ରମୀ ପର୍ଶୁରାମ, ମହାଦାନୀ କର୍ଣ୍ଣ, ମହାବୀର ଅର୍ଜୁନ । ସେଇ ପିଲାଗୁଡ଼ିକୁ ଦେଖି ବଡ଼ ଆନନ୍ଦ ଲାଗିଲା ମୋତେ I ସେମାନଙ୍କ ମେଳରେ ବସି ମୁଁ ଯେମିତି ମୋର ପୂର୍ବ ଗୌରବ ଫେରି ପାଇଲି ।

 

ସେଇସବୁ ପିଲାମାନଙ୍କୁ ଯାତ୍ରା ଶିକ୍ଷା ଦେଉଥିଲେ ଶ୍ରୀ ପ୍ରାଣକୃଷ୍ଣ ସ୍ଵାଇଁ । ଆଖଡ଼ା ଘର ନିକଟରେ ଶ୍ରୀ ସ୍ଵାଇଁଙ୍କ ନିଜ ବାସସ୍ଥାନ । ଅତି ଭଦ୍ର, ଅତି ମେଳାପୀ । ପରିଚିତ, ଅପରିଚିତ ସମସ୍ତଙ୍କ ସହିତ ହସି କଥା କହିବା ଶ୍ରୀଯୁକ୍ତ ସ୍ଵାଇଁଙ୍କ ଅଭ୍ୟାସ । ନିଜର ଅଭାବନୀୟ ପରିବାର ଭିତରେ ବନ୍ଧୁବାନ୍ଧବଙ୍କୁ ସଙ୍ଖୋଳିବାରେ ଏତେ ବ୍ୟାକୁଳ ସେ, ଦେଖ‌ିଲେ ଆଶ୍ଚର୍ଯ୍ୟ ଲାଗେ । ସେ ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କର ପଟ୍ଟଶିଷ୍ୟ ।

 

ବହୁ ଲୋକଙ୍କ ମେଳରେ ଚଳିବା ଆଗରୁ ମୋର ଅଭ୍ୟାସ ଥ‌ିବା ଯୋଗୁଁ ସେଠାକାର ପିଲାଙ୍କ ସାଙ୍ଗରେ ଚଳିବା ଖୁବ୍ ସୁଖକର ହେଲା । ପ୍ରଥମେ ପ୍ରଥମେ ଦିନରେ ଚଳିବା ମୋତେ ଟିକିଏ କଷ୍ଟକର ବୋଧ ହେଉଥିଲା। କାରଣ କୌଣସି ପିଲା ଦିନବେଳା ସେଠାରେ ରହୁ ନ ଥିଲେ-। ସମସ୍ତେ ପ୍ରାୟ ଥିଲେ ସ୍ଥାନୀୟ I ମୋ ସହିତ ଏକମାତ୍ର ‘ନଟ’ ସେଇ ଆଖଡ଼ା ଘରେ ରହୁଥିଲା-। କାରଣ ସେଇ ‘ନଟ’ କେବଳ ମୋ’ପରି ଦୂର ଗାଁ’ର ।

 

ସେଠାରେ ଦେଖିଲି, ଯେତେଗୁଡ଼ିଏ ପିଲା ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କର ସେଇ ଶେଷ ଅନୁଷ୍ଠାନରେ ଯୋଗଦେଇ ଅଭିନୟ କରୁଥିଲେ, ସେମାନଙ୍କ ମଧ୍ୟରେ ଆର୍ତ୍ତ, ନିତ୍ୟାନ, ନଟ, ଧ୍ରୁବ ଏଇ ପିଲାମାନେ ଥିଲେ ବେଶ୍ ପ୍ରତିଭାବାନ୍ । ବାଳକୃଷ୍ଣ ବାବୁ ଯେ ଜଣେ ଉପଯୁକ୍ତ କୁଶଳୀ କାରିଗର ଥିଲେ, ତାହା ତାଙ୍କ ହାତ ତିଆରି ଅଭିନେତାଙ୍କୁ ଦେଖି ବେଶ୍ ବୁଝା ପଡ଼ୁଥିଲା ।

 

ରାଢ଼ଙ୍ଗ ଦଳରେ ରହି ଅନେକ ଅଞ୍ଚଳକୁ ଯାଇଥିଲି, ଏବେ ବାଳକୃଷ୍ଣ ବାବୁଙ୍କ ନାଟ ଦଳରେ ଯୋଗଦେଇ ଆଉ କେତେଗୁଡ଼ିଏ ନୂଆ ନୂଆ ସ୍ଥାନକୁ ବୁଲି ଦେଖିବାର ସୁଯୋଗ ପାଇଲି । ନାଚିଲି, ନଚେଇଲି । ସେଠାରେ ଥିଲାବେଳେ, ଗୋଟିଏ ଛୋଟ ଧରଣର କୁକୁଡ଼ା ଚୋର ସାଜିଥିଲି ମୁଁ । କାରଣ ଯୁବକ ସୁଲଭ ଚପଳତା ମୋତେ ସମ୍ପୂର୍ଣ୍ଣ ଭାବେ ଅକ୍ତିୟାର କରିଦେଇଥିଲା !

 

ରାତି ହେଲେ ଆଖଡ଼ା ଭାଙ୍ଗିଯିବା ପରେ ଆମେ କେତେଜଣ ପୂରାପୂରି ନିଶାଚର ପାଲଟିଯାଉଥିଲୁ । ପଳଶଧା ଗ୍ରାମକୁ ଲାଗି ସଡ଼କ କଡ଼ରେ ଛୋଟ ହରିଜନ ସାହି । ରାତି ନିଶୂନ୍ ହୋଇଗଲେ କେତେକ ଆମେ ଏକାଠି ମିଶି ଅଭିଯାନ ଆରମ୍ଭ କରୁ । ମୁଁ ନିଏ ନେତୃତ୍ୱ । କୁକୁଡ଼ା ଘରଗୁଡ଼ିକ ପ୍ରାୟ ସମସ୍ତଙ୍କର ଖଞ୍ଜା ବାହାରେ ।

 

ସେ ସମୟରେ ଆମ ଓଡ଼ିଆ ସମାଜରେ କୁକୁଡ଼ା ରଖୁଥିଲେ କେବଳ ହରିଜନ ଶ୍ରେଣୀର ଲୋକେ । ଅଣ୍ଡା ଓ କୁକୁଡ଼ା ମାଂସ, ରକ୍ଷଣଶୀଳ ପରିବାରକୁ ସବୁ ସମୟରେ ପଶିବା ବାରଣ ଥିଲା । ସେମିତି ବିଶେଷ ଦର୍କାର ପଡ଼ୁ ନ ଥିଲେ ଅବା ଡାକ୍ତରଙ୍କ ପରାମର୍ଶ ନ ଥିଲେ, ସେସବୁକୁ ଛୁଇଁବା ମଧ୍ୟ ଏକ ଅପରାଧରେ ଗଣ୍ୟ ହେଉଥିଲା । ଯେ’ କେହି ମୁଷ୍ଟିମେୟ ବ୍ୟକ୍ତି କୁକୁଡ଼ା ଖାଦ୍ୟର ଉପାଦେୟତା ସମ୍ପର୍କରେ ସମ୍ବେଦନଶୀଳ ଥିଲେ, ସେମାନେ ଗୋପନରେ ଭକ୍ଷଣ କରୁଥିଲେ ।

 

ଆଜି କୁକୁଡ଼ା ଆମ ବଡ଼ବଡ଼ୁଆ ଘରେ ପୂଜିତ । ସେତେବେଳେ କିଏ ତାକୁ ପଚାରୁଥୁଲା-? ପ୍ରାୟ ଦଶଦିନ, ପନ୍ଦରଦିନ ଅନ୍ତରରେ ଆମର ଅଭିଯାନ ଆରମ୍ଭ ହୁଏ; ପିଲାଙ୍କୁ ସଡ଼କ ଉପରେ ଠିଆ କରି ଦେଇ, ମୁଁ ଆଗେଇଯାଏ କୁକୁଡ଼ା ଘର ନିକଟକୁ । ଅନ୍ଧାର ରାତି । ଧୀର ଭାବରେ ହାତଟି ଗଳେଇ ଯେତୋଟି ପାରେ ଭିଡ଼ିଆଣେ ବାହାରକୁ । କୁକୁଡ଼ାଗୁଡ଼ା ମୋ ହାତକୁ ସାପ ମନେକରି ଭୟରେ କୁଁ–କାଁ କିଛି ଶବ୍ଦ କରନ୍ତି ନାହିଁ । ବାସ୍, କାମ୍ ଫତେ ।

 

ଏକାଧିକ କୁକୁଡ଼ାଙ୍କୁ ମୋଡ଼ିବାକୁ ମୋତେ ଖୁବ୍ ଭୟ ଲାଗେ । କିନ୍ତୁ ସେହି କୁକୁଡ଼ାଗୁଡ଼ିକୁ ଏକାଠି ହାତରେ ଧରି ବୁଲେଇ ବୁଲେଇ ଗୋଟାଏ ଖଜୁରି ଗଛରେ ପିଟିଦିଏ ଏବଂ ସେଇ ପକ୍ଷୀଗୁଡ଼ାଙ୍କର ଶବ୍ଦରେ ଚମକି ପଡ଼େ ଓ ମୋର ହାତରୁ ସେଗୁଡ଼ା ଖସିପଡ଼ନ୍ତି ମାଟିରେ । ପିଲା ସବୁ ଧାଇଁ ଆସି ଝାମ୍ପିନେଇ ଦଉଡ଼ନ୍ତି ଆଖଡ଼ା ଘରକୁ । ଚାଲେ ରନ୍ଧାବଢ଼ା, ରାତାରାତି କୁକୁଡ଼ାର ଅଦର୍କାରୀ ବସ୍ତୁକୁ ବଡ଼ ପଥର ସହ ଗୋଟିଏ ପୁଟୁଳି ପ୍ରସ୍ତୁତ କରି ନିକଟରେ ଥ‌ିବା ପୋଖରୀ ମଝିକୁ ପକେଇଦଉ ।

 

କେତେ ରାତିରେ ଏମିତି କାହା ଘରୁ କୁକୁଡ଼ା ଚୋରି, କାହା ପୋଖରୀରୁ ମାଛ ଚୋରି ଚାଲିଲା । ଭଲ, ମନ୍ଦ, ପାପ, ପୁଣ୍ୟ ମନକୁ କିଛି ଛୁଉଁ ନ ଥିଲା । ସବୁ କାମରେ ଥିଲା ମନରେ ଉତ୍ସାହ ଓ ନିର୍ଭୟ ଭାବ । ସକାଳ ହେଲେ ଚାଲେ ମହାଭାରତ, ଲଙ୍କାପୋଡ଼ି, ଚୋରଙ୍କର ସପ୍ତ ପୁରୁଷ ନର୍କରେ ପଡ଼ିବା ଲାଗି ଗୃହସ୍ୱାମୀମାନେ ଦିଅଁଙ୍କ ନିକଟରେ କରନ୍ତି ଆକୁଳ ପ୍ରାର୍ଥନା ଏବଂ ଆମେ ସେଇ ଚୋର ଦଳ ରାତିରେ ଅବେଳରେ ଗରିଷ୍ଠ ଆହାର ଖାଇ ନିଜର ସ୍ଵାସ୍ଥ୍ୟହାନିର ଆଶଙ୍କାରେ ଶୁଣ୍ଠି, ଗୋଲମରିଚ ପେଟକୁ ଫୁଙ୍କି ଈଶ୍ଵରଙ୍କୁ ନିବେଦନ ଜଣାଉ ।

 

ପଳାଶୋଳର ଶ୍ରୀଯୁକ୍ତ ମହାନ୍ତିଙ୍କ ନାଟ ଦଳରେ କିଛିଦିନ ମୁଁ ରହିବାପରେ ମୋର ନିଜ ଘରେ ଦେଖାଦେଲା ଅଶାନ୍ତି, ଭାତୃ ବିବାଦ । ଘରର ମୁରବୀ ବଡ଼ ଭାଇ ବିବାଦ ସୃଷ୍ଟି କରି, ପରିବାରରୁ ନିଜେ ଅଲଗା ହେଇଯିବାର ମସୁଧା କଲେ ଏବଂ ମଝିଆଁ ଭାଇଙ୍କର ସଂସାର ସହିତ ମିଳିମିଶି ଚଳିବାକୁ ଅନିଚ୍ଛା ପ୍ରକାଶ କଲେ ।

 

ଆମ ଘରେ କେବଳ ମୋତେ ବାଦ୍ ଦେଇ ଅନ୍ୟାନ୍ୟ ଭାଇ, ଭଉଣୀମାନେ ବିବାହ କରିସାରିଥିଲେ । ପୈତୃକ ଜମି ଆମର ଯେତିକି ଥିଲା, ତା’ ସହିତ ଆଉ କିଛି ଅନ୍ୟର ଭାଗ ଜମି ମିଶେଇ ବଡ଼ ଭାଇ ନିଜ ହାତରେ ଚାଷ କରୁଥିଲେ ଏବଂ ପୁରୀରୁ ନିଜ ଦୋକାନ ଖଣ୍ଡିକ ଉଠେଇଆଣି ଗ୍ରାମରେ ଖୋଲି ନିଜର ଆର୍ଥିକ ମାନ ବଢ଼େଇ ଥିଲେ ।

 

ମଝିଆଁ ଭାଇ ଥିଲେ ଖୁବ୍ ସରଳ ଶାନ୍ତ ପ୍ରକୃତିର । ବିଦେଶରେ ଚାକିରି କରି ଯାହା ରୋଜଗାର କରୁଥିଲେ, ସେଥ‌ିରେ ନିଜର ସଂସାର ଚଳେଇବା କଷ୍ଟକର ଥିଲା । ମୋର ବିବାହ କରିବାର ସମୟ ତ ହୋଇନଥିଲା । ତା’ଛଡ଼ା ମୁଁ ନିଜେ ଯାହା ଉପାର୍ଜନ କରୁଥିଲି, ତାହା ଆପଣା ପେଟ ଚଳିବା ବିଡ଼ମ୍ବନା । ଯାହାଙ୍କୁ ଆଶ୍ରାକରି, ଯାହାଙ୍କୁ ବିଶ୍ୱାସ କରି, ଯାହାଙ୍କ ନିକଟରେ ମୁଁ ଯାଇ ମୁଣ୍ଡ ଗୁଞ୍ଜିଥିଲି, ସେ ଭଦ୍ରଲୋକ ମୋତେ ସବୁ ଦିଗରୁ ଶୋଷଣ କରୁଥିଲେ । ଯାହା, ତାହା ପେଟକୁ ଗଣ୍ଡାଏ ମିଳୁଥିଲେ ସୁଦ୍ଧା ପ୍ରତ୍ୟେକ ସ୍ଥାନରେ ମୁଁ ଥିଲି ଶୋଷିତ ।

 

ଏଇସବୁ ସୁବିଧାସୁଯୋଗ ଉଣ୍ଡି ସମ୍ଭବତଃ ମୋର ବଡ଼ ଭାଇ ଭିନ୍ନେ ହେବାର ପନ୍ଥା ବାଛିନେଇଥିଲେ । ସେ ଯାହାହେଉ, ଏଇଭଳି ପରିସ୍ଥିତିକୁ ସମ୍ଭାଳି ନ ପାରି ବୋଉ (ଗର୍ଭଧାରିଣୀ) ପଳାଶୋଳକୁ ମୋ ନିକଟକୁ ଲୋକ ପଠେଇଲେ । ମୋ ପାଖରେ ସାଇକେଲରେ ଯାଇ ପହଞ୍ଚିଲେ ମୋର ବାଲ୍ୟବନ୍ଧୁ ଶ୍ରୀ ସାଧୁଚରଣ ଦାସ । ଅସମୟରେ ତାଙ୍କୁ ଦେଖି ହଠାତ୍ ଚମକିପଡ଼ିଲି ମୁଁ ।

 

‘ସାଧୁ’ ଖବର ଦେଲେ–‘ମଝିଆଁ ଭାଇ କଲିକତାରୁ ଫେରିଛନ୍ତି । ଘରେ ଦୁଇଦିନ ହେବ ଚୁଲି ଜଳିବାକୁ ନାହିଁ, ତୁମକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି । ତୁମେ ଶୀଘ୍ର ଗଲେ ଶେଷ ନିଷ୍ପତ୍ତି ହେବ ।’’

 

ଦୁଃଖରେ ଛାତି ଭିତରଟା ମୋର ଖାଲି ହୋଇଗଲା । ଯୋଉ ବଡ଼ ଭାଇଙ୍କୁ ଆମେ ଆମର ପିତୃତୁଲ୍ୟ ଭକ୍ତି, ଶ୍ରଦ୍ଧା କରିଆସିଥିଲୁ, ଶେଷରେ ସେଇ ଆମକୁ ଏପରି ନିଷ୍ଠୁର ଆଘାତ ଦେଇପାରିବେ, ତାହା ମୋର କଳ୍ପନାତୀତ ଥିଲା । ମନେ ମନେ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣେଇ, ପ୍ରଶ୍ନ କଲି–ଏହା କ’ଣ ତୁମ ଇଚ୍ଛା ପ୍ରଭୋ ?

 

ଅନେକ ପୂର୍ବରୁ ଅବଶ୍ୟ ବଡ଼ ଭାଇଙ୍କ ଚାଲିଚଳନରେ କିଛିଟା ଆଭାସ ମୁଁ ଲକ୍ଷ୍ୟ କରିଥିଲି । ବଡ଼ ଭାଇ ଯେମିତି ମନେକରୁଥିଲେ–ତାଙ୍କ ତଳର ଦୁଇଟା ଭାଇ ଆମେ ତାଙ୍କ ଉପରେ ଗୋଟାଏ ଗୋଟାଏ ବୋଝ ହୋଇ ରହିଛୁ । ଯେତେ ଶୀଘ୍ର ସେଇ ବୋଝକୁ ସେ ଖାଲି କରିବାକୁ ଚାହୁଁଥିଲେ । ବହୁବାର ମୁଁ ଦେଖୁଛି, କେବେ କେବେ ମୁଁ ଘରକୁ ଯାଉଥିଲେ, ଯେତିକି ଦିନ ଘରେ ରହୁଥିଲି, ସେଇ ସମୟ ଭିତରେ ଥରେ ଥରେ ସାମାନ୍ୟ କାରଣ ନେଇ ବୋଉ ଏବଂ ଭାଇଙ୍କ ଭିତରେ ମନାନ୍ତର ଓ ମତାନ୍ତର ଘଟି ଚୁଲି ଜଳୁ ନ ଥିଲା ଏବଂ ଆମେମାନେ ଉପବାସ ରହୁଥିଲୁ । ସମ୍ଭବତଃ ‘ବୋଉ’ ତାଙ୍କର ଦୁର୍ବଳ ଛୋଟ ପୁଅ ଦୁଇଟିଙ୍କ ସପକ୍ଷରେ ଲଢ଼ୁଥିଲେ ଏବଂ ଘଣ୍ଟ ଘୋଡ଼ଉଥିଲେ, ଯାହା ଫଳରେ ବିବାଦ ଘନଉଥିଲା ।

 

‘ସାଧୁ’ଙ୍କୁ ବସାକୁ ଡାକିନେଇ, ମନକୁ ସାନ୍ତ୍ୱାନା ଦେଲି । ଯାହା ହେବାର ଥିବ ହେବ, ମଣିଷ ଅବସ୍ଥାର ଦାସ ।

 

ସେଦିନ ରାତିରେ ବନ୍ଧୁଙ୍କ ପରିଚର୍ଯ୍ୟା ଲାଗି ଆଖଡ଼ା ଘରେ କିଛି ନ ଥିଲା । ବୁଲା ଫକୀର ପୁଅ ମୁଁ, ଫକଡ଼ରାମ ଗିରିଧାରୀ । କ’ଣ ମୋର ଅତିଥିଙ୍କୁ ଖାଇବାକୁ ଦେଇ ସନ୍ତୁଷ୍ଟ କରିବି, ସେଇ କଥା ଭାବି ବସିଲି । ରାତି ପାହିଲେ ରାମ ବନବାସୀ ହେବେ । ଅର୍ଥାତ୍ ଆମେ ଦୁହେଁ ଗ୍ରାମକୁ ଯାତ୍ରା କରିବୁ । ଖବରଟି ବାଳକୃଷ୍ଣ ବାବୁଙ୍କ କାନରେ ପକେଇ ଦେଲି ।

 

‘ନଟ’ ରୋଷେଇ ବସେଇଲା । ଡାଲି, ତରକାରୀ କିଛି ନ ଥିଲା । ଆଖଡ଼ା ସେଦିନ ବେଶି ସମୟ ହେଲା ନାହିଁ । କେତେ ପିଲା ନିଜ ନିଜ ଘରକୁ ଫେରିଗଲେ । ବାକି କେଇଟି ଆମ ପାଖରେ ରହିଲେ । ରାତି ଟିକିଏ ଘନେଇ ଆସିବାପରେ ମୁଁ ଓ କେତେକ ପିଲା ଲୁଗା ଖଣ୍ଡେ ଧରି ବାହାରିଲୁ ତରକାରୀ ସନ୍ଧାନରେ ।

 

ଶ୍ରୀ ପ୍ରାଣକୃଷ୍ଣ ସ୍ଵାଇଁଙ୍କ ଘର ପାଖକୁ ପଳଶଧା ବ୍ରାହ୍ମଣ ସାହି । ସେଇ ସାହି ପଛପଟେ ଛୋଟ ତୋଟାଟିଏ । ସେଇ ତୋଟା ମଝିରେ ଜଣଙ୍କର ଟୁବୁରି ଛୋଟ ପୋଖରୀ ଖଣ୍ଡେ । ଆମର ଆଖି ଥିଲା ସେଇ ଟୁବୁରି ଉପରେ । ସେଇ ଟୁବୁରି ବା ଛୋଟ ପୋଖରୀଟିରେ ପାଣି ଯେତିକି ଥିଲା, ତା’ଠାରୁ ଅଧିକ ଥିଲେ ମାଛ ।

 

ଧୀରେ ଧୀରେ ଚୁଆରେ ପଶି କେଇ ଖଣ୍ଡି ବାଉଁଶ ଝାଟି କାଢ଼ି, ଥରେ ଖଣ୍ଡେ ଆମେ ଖିଅ ପକେଇ ଦେଖୁଲୁ, ମାଛ ଓଜନରେ ଆଉ ଲୁଗା ଖିଅଟି ଟାଣି ହେଲା ନାହିଁ । ଏତେ ମାଛ ଆମେ ଆଣି ରାତି ଅଧରେ କ’ଣ କରିବୁ, ଏକଥା ଭାବି ସମସ୍ତେ ଭୟ କରିଗଲୁ ।

 

ଗୋଟିଏ, ଦୋ’ଟି ମାଛ ଆଣି ପୂର୍ବପରି ପୋଖରୀର ବାଉଁଶ ରଞ୍ଜା ସେଇ ପୋଖରୀରେ ଫୋପାଡ଼ି ଧାଇଁଲୁ ଆଖଡ଼ା ଘରକୁ ।

 

ରନ୍ଧାବଢ଼ା ସରିଲା । ଖୁଆପିଆ ଶେଷ କରି, ମାଛର କାତି, ପୁଟି, ଗାଲି ସବୁକୁ ସେଇ ଆଖଡ଼ା ଘର ପାଖରେ ଗାତ କରି ପୋତିଲୁ ଏବଂ ଅଳ୍ପ ସମୟ ପାଇଁ ଟିକିଏ ଗଡ଼ପଡ଼ ହୋଇ ରାତି ପାହିବା ଆଗରୁ ମୁଁ ଏବଂ ମୋଉ ବନ୍ଧୁ ବାଟ କାଟିଲୁ ଗାଁକୁ ।

 

ଗାଁରେ ପହଞ୍ଚି ଅବସ୍ଥା ଯାହା ଦେଖିଲି, ସେଥିରେ ଆମେ ଦୁଇ ଭାଇ ଯେ ଘରେ ଆମର କେହି ନୋହୁଁ ଏକଥା ବେଶ୍ ଉପଲବ୍ଧି କରିହେଲା । ଧାନ, ଚାଉଳ କୋଉଠି କେତେ, କାହା ପାଖରେ ଥିଲା ତାହାର ପତ୍ତା ସୁଦ୍ଧା ମିଳିବା କଷ୍ଟକର । ଆମର ଧାନ ଜମି କେତେ ଏବଂ କୋଉଠି କୋଉଠି, ସେ ବିଷୟରେ ଆମ ଦୁଇ ଭାଇଙ୍କର ଧାରଣା ନଥିଲା । ଏଣୁ ଆମକୁ ଠକିବାକୁ ଭାଇଙ୍କର ଖୁବ୍ ସୁବିଧା ହେଲା ।

 

ମଝିଆଁ ଭାଇଙ୍କ ପାଇଁ ମୁଁ ଭାବୁଥିଲି, ମାତ୍ର ସେ ଏସବୁ କାମ ପାଇଁ ତାଙ୍କ ଆଡ଼ୁ କିଛି ହେଲେ ଚେଷ୍ଟା କରୁ ନ ଥିଲେ । ଶେଷରେ ମୁଁ ବଡ଼ ଭାଇଙ୍କ ପାଖରେ ଚିହ୍ନାପଡ଼ି, ମୋ ତରଫରୁ ଗ୍ରାମର ଜାଣିବା ଶୁଣିବା ଲୋକଙ୍କୁ ପଚାରି ସେଇମାନଙ୍କ ସହଯୋଗରେ ବଡ଼ ଭାଇଙ୍କଠାରୁ ଅଲଗା ହୋଇଯିବା ସମସ୍ତ ଆୟୋଜନ କଲି ।

 

ନିଜର ଘରେ, ବାହାରେ ମୋର ଯେ କୌଣସି ସ୍ଥିତି ନ ଥିଲା, ତାହା ମୁଁ ଭଲକରି ଜାଣୁଥିଲି । ତଥାପି, ବଡ଼ ଭାଇ ଓ ତାଙ୍କର ସ୍ତ୍ରୀଙ୍କ ଚକ୍ରାନ୍ତରେ ମଝିଆଁ ଭାଇଙ୍କର ଛୋଟ ସଂସାରଟି ଯେ ଅସ୍ତିତ୍ଵ ହରେଇବ, ଏକଥା ମୁଁ ବୁଝିପାରୁଥିଲି ।

 

ସେଇ ପୁରୁଣା କଥାର ପୁନରାବୃତ୍ତି ଘଟିଲା । ଦାଣ୍ଡ ଲୋକଙ୍କ ସମ୍ମୁଖରେ ଚାଷଜମିକୁ ଛାଡ଼ି ଆମେ ତିନିଭାଇ ଭିନେ ହେଇଗଲୁ । କଂସାବାସନ, ଘର, ବଳଦ, ଯାହା କିଛି ଥିଲା ସେସବୁ ବଣ୍ଟରା ହୋଇ ଧର୍ମଗୁଳା ପଡ଼ିଲା । ଯାହା ଭାଗରେ ଯାହା ପଡ଼ିଲା, ସେ ତାହାକୁ ଆଦରି ନେଲା ।

 

ମଝିଆଁ ଭାଇ ଓ ମୁଁ ଏକାଠି ରହିଲୁ । କିଛି ତ ଆମର ନ ଥିଲା । ତେବେ ବିଭିନ୍ନ ଅଶାନ୍ତିରୁ ଆମେ କେମିତି ତ୍ରାହି ପାଇବୁ, ସେଇଆ ଥିଲା ଆମର ଲକ୍ଷ୍ୟ । ଆମେ ଦୁଇ ଭାଇ ଥିଲୁ ଚିର ବିଦେଶୀ I ମୋ ନିଜର ବର୍ତ୍ତମାନ ନ ଥିଲା କି ଭବିଷ୍ୟତ ନ ଥିଲା । ମା’ଙ୍କୁ ପୋଷିବାର ଭାର ତିନି ପୁଅଙ୍କ ଉପରେ ଚାରି ଚାରି ମାସ ପାଇଁ ଦାୟିତ୍ୱ ଦିଆଗଲା ।

 

ଫେରି ଆସିଲି ପୁଣି ପଳାଶୋଳ ଯାତ୍ରା ଦଳକୁ । ପଳାଶୋଳରେ ପହଞ୍ଚି ଦେଖିଲି–ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି । ବ୍ରାହ୍ମଣସାହି ପୋଖରୀରୁ ମାଛ ଚୋରି ଯୋଗୁଁ ଶ୍ରୀ ପ୍ରାଣକୃଷ୍ଣ ସ୍ଵାଇଁଙ୍କୁ ବାଛନ୍ଦ ହୋଇଛି । ଶ୍ରୀ ସ୍ଵାଇଁଙ୍କ ଘର ଲୋକେ ବ୍ରାହ୍ମଣସାହି କୂଅରୁ ପାଣି ନେଇପାରିବେ ନାହିଁ । ଫଳରେ ପ୍ରାଣ ବାବୁଙ୍କ ବାରିରେ ଚାଲିଛି ନୂଆ କୂଅଖୋଳା ।

 

ସେ ସମସ୍ୟା ପ୍ରତି ଆଖି ପକେଇ ଆନନ୍ଦ ଏବଂ ଅନୁଶୋଚନାର ସୀମା ରହିଲା ନାହିଁ । ପଚାରି ବୁଝିଲି, ପ୍ରାଣ ବାବୁ କହିଲେ–“ଭାଇ, ତୁମେ ଗଲାଦିନଠାରୁ ଏଠାରେ ଯେଉଁ ପାଲା ଲାଗିଛି, ତାହା ଆଉ ବନ୍ଦ ହେବାର ଆଶା ନାହିଁ । ଏଠା ଲୋକଙ୍କର ଆମରି ଉପରେ ସନ୍ଦେହ । କାରଣ–ବିଲେଇ ଗୁଡ଼ାଏ ମାଛ କାତି ଓ ତା’ର ପୁଟିକୁ ସେଦିନ ସକାଳୁ ପଦାକୁ କାଢ଼ି ପ୍ରମାଣିତ କରିଦେଇଛି ଯେ, ଆଖଡ଼ା ଘରର ଲୋକମାନେ ହିଁ ମାଛ ଚୋରି କରିଛନ୍ତି ।”

 

ଛାତିଟା ମୋର କିଏ ଯେମିତି ଚିପି ଧରିଲା । ଆଖଡ଼ା ଘରକୁ ଯାଇ ବିଶ୍ରାମ ନେଲି । ଯେତିକି ଦୁଃଖ ଲାଗିଲା, ସେତିକି ହସ ଲାଗିଲା ମଧ୍ୟ । ମନେ ମନେ ଭାବିଲି, ମାଛ ଚୋରି ନ ହେଇଥିଲେ, ଶ୍ରୀଯୁକ୍ତ ସ୍ଵାଇଁ ନିଜର ଖଣ୍ଡେ କୂଅ ଖୋଳି ପାରିନଥାନ୍ତେ । ପୁଣି ଗୋଟିଏ ଭାବନା ମନକୁ ଗ୍ରାସ କଲା–ବିଦେଶୀ ମୁଁ, ମୋର ଅନ୍ତତଃ ଏସବୁ କାମରେ ନ ପଶିବା ଉଚିତ୍ ଥିଲା । କେହି ଯଦି ମୋ ଉପରେ ସନ୍ଦେହ କରିବସେ ଯେ ସେସବୁ ଝଡ଼ଝଞ୍ଜାର ମୁଁ ହେଉଛି ପ୍ରକୃତ ଆବାହକ, ତା’ହେଲେ ମୋ ଅବସ୍ଥା କ’ଣ ହବ ?

 

ସୁଖର କଥା, କିନ୍ତୁ କେହି ମୋତେ ସନ୍ଦେହ କଲେ ନାହିଁ । ବରଂ ଅନୁଭବ କଲି ପୂର୍ବଠାରୁ ମୋତେ ଅଧିକ ଆଦର ଯତ୍ନ କଲେ ସମସ୍ତେ । ସନ୍ଦେହଟା ମୋ ଉପରୁ ଚାଲିଯାଇ ସେଇ ସ୍ଥାନୀୟ ଲୋକମାନଙ୍କ ଉପରେ ଠୁଳ ହେଇଗଲା । କହିଛି ତ, ବିପଦ ଯେତେବେଳେ ମୋ ମୁଣ୍ଡ ଉପରକୁ ଆସୁଥୁଲା, ତାହା ଏପରି ଭାବରେ ଖସିଯାଉଥିଲା ଯେ, ତାଦ୍ଵାରା ମୋର କିଛି ଅନିଷ୍ଟ ହେଉ ନ ଥିଲା ।

 

ଶ୍ରୀ ବାଳକୃଷ୍ଣ ମହାନ୍ତିଙ୍କ ନାଟ ଦଳରେ ଏମିତି ଚାଲିଲା କେତେଗୁଡ଼ିଏ ଦିନ । ଶ୍ରୀ ମହାନ୍ତିଙ୍କର ଜୟଦୁର୍ଗା ନାଟ୍ୟମଣ୍ଡଳୀ ଭାଙ୍ଗିଯାଇଥିଲା ସତ; ମାତ୍ର ପିଲାଙ୍କୁ ନେଇ ଏଇ ଯୋଉ ନୂଆ ଦଳଟି ଗଢ଼ାଯାଇଥିଲା, ବାସ୍ତବରେ ସେ ଦଳ ପୁରୁଣା ଦଳଠାରୁ କେଉଁ ଗୁଣରେ ନ୍ୟୁନ ନଥିଲା । ପ୍ରତିଭା ନିକଟରେ ଛୋଟ, ବଡ଼ କିଛି ନାହିଁ । ପ୍ରତିଭା–କମ୍ ବେଶି ବୟସର ଗଣ୍ଠିକୁ ଅସ୍ଵୀକାର କରେ ।

 

ମୁଁ ସେହି ପିଲାଙ୍କ ଦଳରେ ଯୋଗ ଦେବା ପୂର୍ବରୁ ବାଳକୃଷ୍ଣ ବାବୁ ସେମାନଙ୍କୁ ତାଲିମ ଦେବା କାମଟି ବନ୍ଦ କରିଦେଇଥିଲେ । ଦର୍କାର ପଡ଼ିଲେ ପ୍ରାଣ ବାବୁ ପିଲାଙ୍କୁ ଶିକ୍ଷା ଦେଉଥିଲେ । ବେଳେବେଳେ ପିଲାଙ୍କର ପରମ ଗୁରୁ ଅବଶ୍ୟ ଆଖଡ଼ା ଘରକୁ ଆସି ପିଲାଙ୍କୁ ପରାମର୍ଶ ଦେଉଥିଲେ । ମୁଁ ଲକ୍ଷ୍ୟ କରୁଥିଲି ଶ୍ରୀଯୁକ୍ତ ମହାନ୍ତିଙ୍କର ପରଶମଣି ପରି କିଛି ଏକ ଶକ୍ତି ଥିଲା, ତାଙ୍କର ସେଇ ସାମନ୍ୟତମ ପରଶରେ ସେଇ ପିଲାଗୁଡ଼ିକ ଆଶ୍ଚର୍ଯ୍ୟ ଭାବରେ ଗୋଟିଏ ଗୋଟିଏ ମଣିରେ ପରିଣତ ହେଇଯାଉଥିଲେ । ଧନ୍ୟ କଳାକାର, ଧନ୍ୟ ତୁମର ସାଧନା ।

 

ୟା’ ଭିତରେ କଟକରେ ମୁଣ୍ଡ ଟେକିଥାଏ କାଳି ବାବୁଙ୍କ ବିଖ୍ୟାତ ‘ଓଡ଼ିଶା ଥିଏଟର୍ସ’ । ଖବର ପାଇଲି ଅନେକ ନୂଆ ଓ ପୁରୁଣା ଅଭିନେତା, ଅଭିନେତ୍ରୀମାନଙ୍କୁ ନେଇ ଶ୍ରୀରାମଚନ୍ଦ୍ର ଭବନରେ ‘ଗାର୍ଲ ସ୍କୁଲ’, ‘ଚକ୍ରୀ’, ପରିବର୍ତ୍ତନ’ ନାଟକମାନ ଅଭିନୟ କରାଯାଉଛି । ସମ୍ବାଦ ଶୁଣି ମନଟା ମୋର କାହିଁକି କେଜାଣି ବ୍ୟାକୁଳ ହୋଇଉଠିଲା । ମନେ ହେଲା ସେହି ଓଡ଼ିଶା ଥିଏଟର୍ସ ଯେପରି ଆମରିମାନଙ୍କ ରାସ ଅନୁଷ୍ଠାନର ଭଙ୍ଗା ମୂଳଦୁଆ ଉପରେ ଏକ ନୂତନ ଆଧୁନିକ ରଙ୍ଗମଖା, ରୁଚିପୂର୍ଣ୍ଣ ମହଲ । ମନେହେଲା ଓଡ଼ିଶା ଥିଏଟର୍ସ ଯେମିତି ଆମରିମାନଙ୍କ ରକ୍ତରେ ଗଢ଼ା, ଆମରିମାନଙ୍କ ସାଧ୍ୟସାଧନାର ପ୍ରାଣବନ୍ତ ରୂପ ।

 

ଓଡ଼ିଶା ଥିଏଟର୍ସ ଗଢ଼ାହେଲାବେଳକୁ ମୁଁ ଥିଲି ଯାତ୍ରା ଦଳରେ । ମୋର ତଥା ମୋ ଭଳି ରାସଦଳର ଅନ୍ୟ ପିଲାମାନଙ୍କର କାହାର କିଛି ଓଡ଼ିଶା ଥିଏଟର୍ସ ଗଢ଼ାହେଲା ମୂଳରେ ଅବଦାନ ନ ଥାଇପାରେ । କିନ୍ତୁ ଆମରିମାନଙ୍କ ଝାଳବୁହା ଧନରେ ଯେ ଓଡ଼ିଶା ଥିଏଟର୍ସର ସୁଦୃଢ଼ କାନ୍ଥ ଉଠିଲା ଓ ତା’ଉପରେ ପଡ଼ିଲା ଛାତ ।

 

କାହିଁ କଟକ ସହର, କାହିଁ ପଳାଶୋଳ–ବହୁ ଦୂରର ବ୍ୟବଧାନ ଥିଲେ ସୁଦ୍ଧା ମୋର ଯେମିତି ମନେହେଲା ସେ ଦୂରତ୍ଵ ମୋ ନିକଟରେ ଉଭେଇଯାଇଛି । ସତେ ଅବା ମୁଁ ସେଇ ଓଡ଼ିଶା ଥିଏଟର୍ସରେ ରହିଲା ପରି ଅନୁଭବ କଲି । କାଳି ବାବୁଙ୍କ ନିକଟରେ ଅତୀତର ସେହି ଦୁଃଖ, କଷ୍ଟ, ଗ୍ଳାନି ସବୁକୁ ପାସୋରି ପକେଇଲି । ଲେଖିଲି ଚିଠି, ଗଦ୍ୟରେ ନୁହେଁ, କବିତାରେ ।

 

ସମ୍ଭବତଃ ଗୁରୁଦେବ ମୋର ଖବର ଅନ୍ତର ପାଇବାପାଇଁ ଉତ୍ସୁକ ଥିଲେ । ସାଙ୍ଗେ ସାଙ୍ଗେ ଜବାବ ଦେଲେ, ‘ପ୍ରସ୍ତୁତ ହୋଇ ରହ, ଟଙ୍କା ପଠେଇଲେ ଆସିବୁ ।”

 

ମନକୁ ଆସିଲା, କ’ଣ କଲି ମୁଁ ? ପୁଣି ସେଇ ଗାରଦ ଭିତରକୁ ପଶିବାକୁ ମନ ବଳଉଛି କାହିଁକି ? ଶୋଷଣ ଖାତ ଭିତରକୁ ମୋର ଗୋଡ଼ ଦୁଇଟା ଖସିଗଲା ପରି ଲାଗୁଥାଏ । ଛାତି ଭିତରେ ଦ୍ଵନ୍ଦ୍ଵ ଜାତ ହେଲା । ନିଜକୁ ନିଜେ ଘନ ଘନ ପ୍ରଶ୍ନ କଲି–କାହିଁକି ଲେଖିଲି ମୁଁ ଚିଠି ?

 

କାଳି ବାବୁଙ୍କ ଚିଠିଟି ମୁଁ ପାଇବା ପୂର୍ବରୁ, ପାଇଥିଲେ ବାଳକୃଷ୍ଣ ବାବୁ । ପାଠ କରି ମନ ତାଙ୍କର କ୍ଷୁଣ୍ଣ ହୋଇଥିଲା । ମୁଁ ସେକଥା ଜାଣି ନ ଥିଲି । ମୁଁ ଯେତେବେଳେ ତାଙ୍କ ଦଳ ଛାଡ଼ିବାକୁ ତାଙ୍କର ସମ୍ମତି ଲୋଡ଼ିଲି, ସେତେବେଳେ ସେ ଅଭିମାନ ମିଶା କଣ୍ଠରେ କହିଥିଲେ–“ହଁ, ପ୍ରସ୍ତୁତ ହେବାକୁ ଖବର ଆସିଛି, ପ୍ରସ୍ତୁତ ହୋଇ ରୁହନ୍ତୁ, ଦିନେ ସୁବିଧା ଦେଖି ଏଠାରୁ ଅନୁକୂଳ କରିବେ ।”.

 

ବାଳକୃଷ୍ଣ ବାବୁ ଥିଲେ ବଡ଼ ଅଭିମାନୀ, କିନ୍ତୁ ଆତ୍ମ–ଅଭିମାନୀ ନ ଥିଲେ । ନିଜର ଯୁକ୍ତିକୁ କାହାରି ଉପରେ ଲଦିଦେବାକୁ ସେ କେବେ ଚାହୁଁ ନ ଥିଲେ । ଯେତିକି ଦିନ ମୁଁ ତାଙ୍କ ପାଖରେ ଥିଲି, ଭଲଭାବେ ବୁଝିଥିଲି, ସେ ଥିଲେ ଏକାଧାରରେ ଗୋଟିଏ ଅନୁଷ୍ଠାନ–ଗାୟକ, ବାଦକ, ଅଭିନେତା, ପରିଚାଳକ, ସୁଲେଖକ । ବାହାରେ, ଘରେ ଯେଉଁଠାରେ ସେ ଯେତେ ସମୟ ପାଇଁ ଚଳୁଥିଲେ, ସବୁଠାରେ ସେ ନିଜକୁ ନିର୍ବିକାର, ନିର୍ଲିପ୍ତ ଭାବରେ ଚଳଉଥିଲେ । ହୃଦୟରେ ତାଙ୍କର ସର୍ବଦା ଥିଲା ଧର୍ମ ପ୍ରତି ସମ୍ବେଦନଶୀଳତା ।

 

ବାଳକୃଷ୍ଣ ବାବୁଙ୍କର ଦୁଇଟି ସନ୍ତାନ । ଝିଅ ଓ ପୁଅ । ଉଭୟେ ସେତେବେଳେ କିଶୋର, କିଶୋରୀ । ପୁଅ ବିଷ୍ଣୁଚରଣ, ଝିଅ ତାରିଆ । ଉଭୟଙ୍କର ବିଦ୍ୟା ପ୍ରତି ଅନୁରାଗ ନଥିଲା-। କଳା ପ୍ରତି ଯେ ସେମାନଙ୍କର ବିଶେଷ ଆଗ୍ରହ ଥିଲା, ତାହା ମୁଁ ଦେଖୁ ନ ଥିଲି ।

 

ଗୋଟିଏ ଶୁଭ ମୁହୂର୍ତ୍ତରେ ମୁଁ ଅନୁକୂଳ ଆରମ୍ଭ କଲି । ପଳାଶୋଳ ଓ ରାଢ଼ଙ୍ଗ ତଥା ଉତ୍କଳ ଯାତ୍ରା କଳାର ପ୍ରଧାନ ତୀର୍ଥକ୍ଷେତ୍ର ଜଗତ୍‌ସିଂହପୁର ଅଞ୍ଚଳକୁ ଜଣାଇଲି ମୋର ସଶ୍ରଦ୍ଧ ବିନମ୍ର ପ୍ରଣତି । ପଛରେ ପଡ଼ି ରହିଲେ ମୋର ସେଇସବୁ ଯାତ୍ରା ଦଳର ପ୍ରିୟ ସାଥୀ ଓ ବନ୍ଧୁଗଣ । ସେମାନଙ୍କ ସାଙ୍ଗରେ ମିଶି ଯେତିକି ଦିନ ପାଇଁ ମୁଁ ଅଭିନୟ କରିଥିଲି, ସେଇ ମୁକ୍ତ ଅଭିନୟରୁ ମୁଁ ଯେଉଁ ଶିକ୍ଷା ଓ ଅନୁଭୂତି ଅର୍ଜନ କରିଥିଲି, ତାହା ମୋର ପରବର୍ତ୍ତୀ ମଞ୍ଚ ଅଭିନୟରେ ଅନେକ ସାହାଯ୍ୟ କରିଥିଲା ।

 

ସତ କହିବାକୁ ଗଲେ ମୋ ପିଲା ସମୟରେ ଅର୍ଥାତ୍, ୧୯୨୨–୨୩ ମସିହାରେ ମୁଁ ସେତେବେଳକୁ ମଞ୍ଚ କଳାକୁ ଆସି ନ ଥିଲି, କି ମଞ୍ଚ ଅଭିନୟ କ’ଣ ଜାଣି ନ ଥିଲି । ସେ ବେଳରେ ଯୋଉ ଯାତ୍ରାଭିନୟ ହେଉଥିଲା ସେ ଯାତ୍ରାରେ ଶୃଙ୍ଖଳା ନ ଥିଲା ଓ ଅଭିନୟର ମାନ ଅତ୍ୟନ୍ତ ନିମ୍ନ ଧରଣର ଥିଲା । ତା’ପରେ ୧୯୪୧ରେ ମୁଁ ମଞ୍ଚରୁ ଯେତେବେଳେ ସ୍ଵଳ୍ପ ସମୟ ପାଇଁ ଯାତ୍ରା ଅଭିନୟ ଲାଗି ସୁଯୋଗ ପାଇଲି, ଏ ବେଳର ଯାତ୍ରା ଅଭିନୟ ବେଶ୍ ଉଚ୍ଚସ୍ତରକୁ ଉଠି ପାରିଥିଲା ।

 

ଆମେମାନେ ଅନେକ ସମୟରେ ଆମର ନିଜ ନିଜର ସ୍ଵତନ୍ତ୍ରତା ହରେଇ ବସୁଛୁ । ଯାତ୍ରା ବା ଅପେରାରେ ଥିଏଟର ଢଙ୍ଗ, ଥିଏଟରରେ ଚଳଚ୍ଚିତ୍ର ଢଙ୍ଗ ଚଳେଇବା ଫଳରେ କାହାରି ମୌଳିକତା ବଜାୟ ରଖିପାରୁ ନାହୁଁ । ଏକଥା ସତେ ଯେ, ପ୍ରତ୍ୟେକ ଅଭିନୟ ବା କଳାପାଇଁ ଅଲଗା ଅଲଗା ଦର୍ଶକ ଅଛନ୍ତି । ଏଇ କାରଣରୁ କଳାରେ ଶ୍ରେଣୀ ବିଭାଗ ଠିକ୍ ରଖିପାରିଲେ ମୋ ମତରେ ପ୍ରତ୍ୟେକ କଳା ଅନୁଷ୍ଠାନ ତା’ର ସ୍ଥିତିର ଭାରସାମ୍ୟ ରଖିବାରେ ସମର୍ଥ ହୋଇପାରନ୍ତା ।

 

କଟକର ସେଇ ଜଗନ୍ନାଥ ବଲ୍ଲଭ, ସେଇ ପୁରୁଣା ବସାରେ ପହଞ୍ଚିଲି ମୁଁ । ଆଖିରେ ପଇଲେ କେତେକ ପୁରୁଣା ଭିତରେ ମାତ୍ରାଧିକ ନୂଆ ମଣିଷ । ଠାଣି, ଛଇରେ ସେମାନେ ଏକୁ ଆରେକ ବଳି । ସମସ୍ତେ ସମସ୍ତଙ୍କୁ ଯେପରି ଟପିଗଲା ପରି ତାଙ୍କମାନଙ୍କର ଢଙ୍ଗଢ଼ାଙ୍ଗରୁ ଜଣା ପଡ଼ୁଥିଲା ।

 

ମୁଁ ସେମାନଙ୍କ ଭିତରେ ପ୍ରବେଶ କରିବା ପରଠାରୁ ଲକ୍ଷ୍ୟ କଲି, ସେମାନେ ସମସ୍ତେ ଯେପରି ମୋତେ କାହିଁକି କେଜାଣି ଟିକିଏ ସନ୍ଦେହ ଆଖିରେ ଦେଖିବାକୁ ଚେଷ୍ଟା କରୁଛନ୍ତି । ତା’ର କାରଣ ଥିଲା, ସମ୍ଭବତଃ ସେମାନେ ମୋତେ ଚିହ୍ନି ନ ଥିଲେ ଏବଂ ମୋର ପ୍ରତିଭା ବିଷୟରେ କୌଣସି ଆଭାସ ପାଇ ନ ଥିଲେ । ସେ ଯାହାହେଉ, ମୋର ନିଜର ଯେତେବେଳେ ସମସ୍ତଙ୍କ ସହିତ ଖାପ ଖୁଆଇ ଚଳିବା ଅଭ୍ୟାସ, ସେତେବେଳେ ଏଠାରେ ବା କାହିଁକି ସେ ଚଳଣିରୁ ବିରତ ରୁହନ୍ତି ? ଅଳ୍ପ କେଇଦିନ ପରେ ଓଡ଼ିଶା ଥିଏଟର୍ସର ସବୁ ଶିଳ୍ପୀମାନଙ୍କ ସାଙ୍ଗରେ ବେଶ୍ ହସଖୁସିରେ ନିଜକୁ ଚଳେଇନେଲି ।

 

ପୁରୁଣା ଲୋକ ହିସାବରେ ସେତେବେଳେ ଥିଲେ ଦୁଲ୍ଲଭ ଚନ୍ଦ୍ର ସିଂ, ହରିହର ରାଉତ ଏବଂ ଅଭିନେତ୍ରୀ ହିସାବରେ ଯୋଗ ଦେଇଥିଲେ ପୂର୍ବ ପରିଚିତା ଲକ୍ଷ୍ମୀପ୍ରିୟା ଦେବୀ । ନୂଆ ଭାବରେ ଦେଖା ଦେଇଥିଲେ ସାମୁଏଲ ସାହୁ, ପ୍ରିୟନାଥ ମିଶ୍ର, ବିମ୍ବାଧର ମହାପାତ୍ର, ବୀରକିଶୋର ମିଶ୍ର, ବଳରାମ ଚୌଧୁରୀ, ରାଧାଶ୍ୟାମ ମହାନ୍ତି, ସୁମତୀ ଦେବୀ, ମାନଦା ସୁନ୍ଦରୀ ଓ ଆଉ ଅନେକ ନବାଗତ, ନବାଗତା ।

 

ଶ୍ରୀରାମଚନ୍ଦ୍ର ଭବନରୁ ବିଦାୟ ନେଇ, ଓଡ଼ିଶା ଥିଏଟର୍ସ ତା’ର ଅଭିନୟ କିଛିଦିନ ପାଇଁ ବନ୍ଦ ରଖି, ବାଙ୍କା ବଜାରରେ ନୂତନ ମଞ୍ଚ ପ୍ରତିଷ୍ଠାର କାମ ଆରମ୍ଭ କରିଥାଏ । ନୂଆ ବହି ‘ଚୁମ୍ବନ’ର ରିହାର୍‌ସାଲ ପାଇଁ ସମସ୍ତେ ବ୍ୟସ୍ତ ଥା’ନ୍ତି । ପ୍ରତ୍ୟେକ ପ୍ରାୟ କାର୍ଯ୍ୟବ୍ୟସ୍ତ । ଆମର ରାସ ଦଳ ଥିଲାବେଳେ ସେଇ ଦୁଇଖଞ୍ଜା ବିଶିଷ୍ଟ ବସା ଘରଟି ଯେପରି ନିରସ, ଶୁଷ୍କ ବାତାବରଣ ଭିତରେ ସେ ସମୟରେ ଶୂନ୍ୟଶୂନ୍ୟ ବୋଧ ହେଉଥିଲା ବର୍ତ୍ତମାନ ସେଇ ଶୂନ୍ୟତାକୁ ସମ୍ପୂର୍ଣ୍ଣ ଲୋପ୍ କରିଦେଇ, ଓଡ଼ିଶା ଥିଏଟର୍ସର କୋଳାହଳ ସତେ ଯେମିତି ମଣିଷକୁ ଏତେ ଟିକିଏ ବିଶ୍ରାମ ସୁଦ୍ଧା ଦେବାକୁ ନାରାଜ ଥିଲା ।

 

ଦିନ, ରାତି ଚାଲୁଥୁଲା ପ୍ରସ୍ତୁତି ପର୍ବ । ନାଚ, ଗୀତ, ସଂଳାପର ଅଭ୍ୟାସ, ବ୍ୟକ୍ତିଗତ ଭାବେ । ଦଳଗତ ଭାବେ ସୃଷ୍ଟି କରୁଥିଲା ଏକ ଅସ୍ଵାଭାବିକ ଗୁଞ୍ଜରଣ । ଗୋଟିଏ ପାଗଳଖାନା ପରି କିଏ ଗାଇଯାଉଥିଲା, କିଏ ସଂଳାପ ଉଚ୍ଚାରଣ କରି ହସିଉଠୁଥିଲା ତ ପୁଣି କିଏ କାନ୍ଦି କାନ୍ଦି ଆଖିପତା ଓଦା କରି ଦଉଥିଲା ।

 

ଶୁଣିଲି ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ ଆସୁଥିଲେ, ଅଭିନୟ କରୁଥିଲେ । ମାତ୍ର ଏବେ ସେ ଆସୁ ନାହାନ୍ତି । ଗାର୍ଲ ସ୍କୁଲ ନାଟକରେ ଚପରାସି କରୁଥିଲେ; ତାଙ୍କ ଅନୁପସ୍ଥିତିରେ ମୋତେ ସେହି ଚରିତ୍ର ଦିଆଗଲା । ଚୁମ୍ବନ ନୂଆ ବହିରେ ଦିଆଗଲା ମୋତେ ‘ବଟିଆ ନା’ ଚରିତ୍ର ।

 

ସଙ୍ଗୀତ ଓ ନୃତ୍ୟର ଦାୟିତ୍ୱ ନେଇଥିଲେ ଶ୍ରୀ ଦୁଲ୍ଲଭ ଚନ୍ଦ୍ର ସିଂ । ନାଟକ ପରିଚାଳନାର ଗୁରୁ ଦାୟିତ୍ୱ ବହନ କରିଥିଲେ କାଳି ବାବୁ ନିଜେ ।

 

ବାଙ୍କା ବଜାରର ନୂଆ ରଙ୍ଗମଞ୍ଚ ଉଦ୍‌ଘାଟନ କରାଗଲା ଏବଂ ସେହି ମଞ୍ଚରେ ପ୍ରଥମେ ନୂତନ ନାଟକ କରା ନ ଯାଇ ପୁରୁଣା ବହି ଗାର୍ଲ ସ୍କୁଲ, ପରିବର୍ତ୍ତନ, ଆହୂତି, ଚକ୍ରୀ ଇତ୍ୟାଦି କରାଗଲା । କ୍ରମେ କ୍ରମେ ଦର୍ଶକମାନଙ୍କର ଆଗ୍ରହ ଓଡ଼ିଶା ଥିଏଟର୍ସ କଳା ପରିବେଷଣ ପ୍ରତି ଯେ ବଢ଼ି ଉଠୁଥିଲା ସେକଥା ସେତେବେଳର ଯେକୌଣସି ଲୋକ, ଥରକ ଲାଗି ପ୍ରେକ୍ଷାଳୟ ଭିତରକୁ ପ୍ରବେଶ କରୁଥିଲେ, ସହଜରେ ଜାଣି ନଉଥିଲେ ।

 

ପ୍ରେକ୍ଷାଳୟଟି ଥିଲା ଛଣ ଛପର ଘର । ତା’ର କାନ୍ଥ ଥିଲା ବାଉଁଶ ବତାରେ ତିଆରି ଏବଂ ତା’ଉପରେ ଗୋବର ଓ ମାଟି ଲେସି ଚୂନ ଧଉଳା ଯାଇଥିଲା । ଦର୍ଶକମାନଙ୍କ ଲାଗି ଯେଉଁ ଆସନର ବ୍ୟବସ୍ଥା କରାଯାଇଥିଲା, ତାହା ଥିଲା ଅତ୍ୟନ୍ତ ରୁଚିଶୂନ୍ୟ ଓ ସଂକୀର୍ଣ୍ଣ । ଧୂଳି ବାଲିପୂର୍ଣ୍ଣ ଖାତ (ପିଟ୍) ଭିତରେ ଛୋଟ ଛୋଟ ଚୌକି ଓ ବେଞ୍ଚଗୁଡ଼ିକ ଏଭଳି ଅବସ୍ଥାରେ ଲଗାଲଗି ହେଇ ରହିଥିଲା, ସେଥିରେ ବସି ତିନି ଘଣ୍ଟା କାଳ ଅଭିନୟ ଉପଭୋଗ କରିବା ଦେଖେଣାହାରୀଙ୍କ ପକ୍ଷରେ ଥିଲା ଯନ୍ତ୍ରଣାଦାୟକ ।

 

ମଜାର କଥା, ଆମେମାନେ ଲକ୍ଷ୍ୟ କରୁଥିଲୁ, ଏତେ ଅସୁବିଧା ଭୋଗ କରି ମଧ୍ୟ କଟକର କଳାପ୍ରେମୀ ପାଗଳ ଜନତା କୌଣସି ଆପତ୍ତି, ଅଭିଯୋଗ ବାଢ଼ିବାକୁ ମନରେ ସ୍ଥାନ ଦେଉନଥିଲେ । ଅଭିନୟରେ ମଜ୍‌ଗୁଲ ହୋଇ, ଅଭିନେତାର ଦୁଃଖରେ ଦୁଃଖୀ ହୋଇ, ସୁଖରେ ସୁଖୀ ହୋଇ ନିଜର ସ୍ଥିତି ଓ ନିଜର ପାରିପାର୍ଶ୍ୱିକ ଅବସ୍ଥା ପ୍ରତି ଧ୍ୟାନ ଦେଉ ନ ଥିଲେ । ସେମାନେ ମଞ୍ଚର ପରିପାଟୀ ଅବା ଆଡ଼ମ୍ବରପୂର୍ଣ୍ଣ ସାଜସଜ୍ଜା ଉପରେ ଗୁରୁତ୍ୱ ନ ଦେଇ କେବଳ ଚାହୁଁଥିଲେ ଯେମିତି ରସପୂର୍ଣ୍ଣ ଅଭିନୟରେ ନିଜକୁ ହଜେଇ ଦେବାପାଇଁ ।

 

ସେମାନଙ୍କର ଆଶା ପୂର୍ଣ୍ଣ ହେଉଥିଲା । ପ୍ରତ୍ୟେକ ଅଭିନେତା, ଅଭିନେତ୍ରୀ ନିଜ ନିଜର କଳା ପରିବେଷଣରେ ଏପରି ଧୂରନ୍ଧର ଥିଲେ ଯେ, କାହାରି ଦୋଷଗୁଣ ବାରିବାର ଟିକିଏ ହେଲେ ଜୁ ନଥିଲା । ପ୍ରତ୍ୟେକ ଚରିତ୍ର ପାଇଁ ପ୍ରତ୍ୟେକେ ଥିଲେ ଜଣେ ଜଣେ ପ୍ରତିଷ୍ଠିତ ।

 

କାଳି ବାବୁ କିନ୍ତୁ ଓଡ଼ିଶା ଥିଏଟର୍ସର ସେଇସବୁ ସଫଳତାକୁ ନିଜର ବ୍ୟକ୍ତିଗତ ସଫଳତା ବୋଲି ଆପଣା ବନ୍ଧୁ ମହଲରେ ଏକମତ ହେବାକୁ ପ୍ରଭାବ ପକଉଥିଲେ । କଳାପାଇଁ କଳାକାରକୁ ତା’ର ନିଜର ସ୍ଵୀକୃତି ଦେବାକୁ ସେ କେବେହେଲେ ଇଚ୍ଛାପ୍ରକାଶ କରିନଥିଲେ କି ସେତେବେଳେ ମଧ୍ୟ କରୁ ନ ଥିଲେ ଓ ହାତରେ ପଇସା ଥିଲେ ମଧ୍ୟ ଦର୍ଶକମାନଙ୍କର ସୁଖସୁବିଧା ପ୍ରତି ଆଖି ବୁଜିଦେଇ ଚାହୁଁଥିଲେ କେବଳ ପଇସା ଆଉ ପଇସା ।

 

ଆରମ୍ଭ ହେଲା ଚୁମ୍ବନ ନାଟକ । ଦେଖାଦେଲା ଉତ୍କଳ ମଞ୍ଚ ଅଭିନୟ କ୍ଷେତ୍ରରେ ଏକ ନୂତନ ବିପ୍ଳବ । ଶ୍ରୀ ବନମାଳୀ ପତିଙ୍କର ରାଧାକୃଷ୍ଣ ଥିଏଟର, ଆର୍ଟ ଥିଏଟର, ଉଷା ଥିଏଟର, ଗଞ୍ଜାମର ପିତ୍ତଳ ଥିଏଟର, ଅନ୍ନପୂର୍ଣ୍ଣା ଥିଏଟର ଏବଂ ଓଡ଼ିଶାର ଅନେକ ସ୍ଥାନରେ ମୁଣ୍ଡ ଟେକୁଥ‌ିବା କ୍ଷଣସ୍ଥାୟୀ ସୌଖୀନ ନାଟ୍ୟସଂସ୍ଥାମାନଙ୍କର ସେଇ ଏକ ଘାଇୟା ଟଣା ଟଣା ବଚନିକା ପରିବର୍ତ୍ତେ ଆରମ୍ଭ ହେଲା ନୂତନ ବାସ୍ତବଧର୍ମୀ ଛନ୍ଦ ମଧୁର କଥିତ ପାରିବାରିକ କଥା ଓ ସାବଲୀଳ ପ୍ରାଣବନ୍ତ ଅଭିନୟ ।

 

ଆଗରୁ ସୂଚେଇଛି ଯେ, କାଳି ବାବୁଙ୍କ ରାସ ଅନୁଷ୍ଠାନକୁ ବାଦ୍‌ଦେଲେ, ଓଡ଼ିଶା ଥିଏଟର୍ସ ପୂର୍ବରୁ ଯେତେ ଯୋଉଠି ନାଟକ ଅଭିନୟ ଓଡ଼ିଶାର ବିଭିନ୍ନ ନାଟ୍ୟସଂସ୍ଥା ପ୍ରଦର୍ଶନ କରୁଥିଲେ, ସେଥିରେ ସାମାଜିକ ନାଟକ ନଥିଲା । ଅଧିକାଂଶ ବହି ହେଉଥିଲା ଐତିହାସିକ, ପୌରାଣିକ ଓ କାଳ୍ପନିକ । ଅଭିନେତାଙ୍କର କଥା କହିବାର ଢଙ୍ଗ ପ୍ରାୟ ଗୋଟିଏ ରକମର ଥିଲା । କଥା କହିଲେ, ଗୀତ ଗାଇଲେ, ଚଲାବୁଲାରେ କୃତ୍ରିମତା ପରିଲକ୍ଷିତ ହେଉଥିଲା । ପ୍ରତ୍ୟେକ ସଂଳାପ ଉଚ୍ଚାରଣ କଲାବେଳେ ଅଭିନେତାମାନେ ସଙ୍ଗୀତର ସ୍ଵର ସେଥିରେ ରଖିଦେଉଥିଲେ ।

 

ଓଡ଼ିଶା ଥିଏଟର୍ସ କିନ୍ତୁ ସେସମସ୍ତ ଗତାନୁଗତିକ ପନ୍ଥାକୁ ବଦଳେଇ ଦେଇ ଅଭିନୟରେ ଆଣିଲେ ଆଧୁନିକତାର ସ୍ପର୍ଶ । ଗୀତ, କଥା, ନୃତ୍ୟ, ରଙ୍ଗ, ଢଙ୍ଗ, ଚଲା, ବୁଲାରେ ଏଇ ସଂସ୍ଥା ସୃଷ୍ଟି କଲେ ସମାଜର ନିଖୁଣ ପ୍ରତିଛବି, ଜୀବନର ବାସ୍ତବ ରୂପରେଖ । ଏହା ମୋର ବାସ୍ତବ ଏବଂ ସତ୍ୟର ଅନୁଭୂତି । ଦର୍ଶକମାନଙ୍କ ଆଖି ଆଗରେ ଓଡ଼ିଶା ଥିଏଟର୍ସର ଶିଳ୍ପୀଗଣ ଅଭିନୟ କରୁ ନ ଥିଲେ, ମଣିଷ ସମାଜ ଭିତରେ ଦୈନନ୍ଦିନ ଘଟିଯାଉଥ‌ିବା ବିଭିନ୍ନ ଘଟଣାବଳୀରୁ ଗୋଟିଏ ଗୋଟିଏ ଘଟଣାକୁ ଏପରି ଭାବରେ ଜୀବନ୍ୟାସ ଦେଇ ଜୀବନ୍ତ କରି ଉପସ୍ଥାପିତ କରିପାରୁଥିଲେ, ଯାହାକୁ ଦର୍ଶକ ସେଇ ଘଟଣାରେ ନିଜକୁ ଜଡ଼ିତ କରି ବସି ରହୁଥିଲେ ମନ୍ତ୍ରମୁଗ୍ଧ ହୋଇ !

 

‘ଚୁମ୍ବନ’ ନାଟକ ଚରମ ସଫଳତା ନେଇ ଆଗେଇ ଚାଲିଲା ଦିନ ପରେ ଦିନ ଅତିକ୍ରମ କରି । ସନ୍ଧ୍ୟା ହେଲେ ବାଙ୍କା ବଜାରର ସେହି ଯବନ ଅଧ୍ୟୁଷିତ ସଂକୀର୍ଣ୍ଣ ଗଳିପଥ ଜନଗହଳିରେ ଭରପୂର ହୋଇଉଠେ । ଓଡ଼ିଶା ଥିଏଟର୍ସର ପ୍ରେକ୍ଷାଳୟ ସମ୍ମୁଖ ଏକ କୋଳହଳପୂର୍ଣ୍ଣ ମେଳାରେ ପରିଣତ ହୁଏ, ନାଚିବା ଲୋକଙ୍କଠାରୁ ନଚେଇବା ଲୋକଙ୍କର ଉତ୍ସାହ ହୁଏ ଦୁଇଗୁଣ ।

 

ଅଯଥାରେ ଗୁଡ଼ାଏ ଆଲୁଅ ଜାଳି, ବାଜା ବଜେଇ ଦର୍ଶକମାନଙ୍କୁ ଅପେକ୍ଷା କରିବାକୁ ପଡ଼େ ନାହିଁ । ଅଭିନୟ ଲାଗି ଯେଉଁ ସମୟ ଆଗରୁ ସ୍ଥିର କରାଯାଇଥାଏ, ଠିକ୍ ସେଇ ବେଳ ହେଲେ ପ୍ରଥମ ଘଣ୍ଟା ବାଜେ, ଦ୍ଵିତୀୟ ଘଣ୍ଟା ବାଜେ ଏବଂ ତୃତୀୟ ଘଣ୍ଟାରେ ମୁଖ୍ୟ ପରଦା ଉଠେ ।

 

ଓଡ଼ିଶା ଥିଏଟର୍ସ, ଆଉ ଗୋଟିଏ ନୂଆ ପରମ୍ପରା ସୃଷ୍ଟି କଲା । ତାହା ହେଉଛି, ଗୋଟିଏ ନାଟକକୁ ଏକାଧିକବାର ଅଭିନୟ କରିବା । ଏହା ଯେ କେବଳ ଟାଳଟୁଳ ନୀତିରେ ହେଉଥିଲା ତା’ ନୁହେଁ, ଓଡ଼ିଶା ଥିଏଟର୍ସର ନାଟକ ଧାରାବାହିକ ଭାବରେ ବହୁଦିନ ଧରି ଚାଲିଲା ଏବଂ ପ୍ରତ୍ୟେକ ଦିନ ଅଧ‌ିକ ସୁନାମ ସହ ଅଧିକ ଅର୍ଥ ମଧ୍ୟ ଟାଣିଲା । ଲକ୍ଷ୍ୟ କରାଗଲା ଜଣେ ଜଣେ ଲୋକ ଅଣ୍ଟାର ଧନ ଖର୍ଚ୍ଚ କରି, ସେଇ ଗୋଟିଏ ବହିକୁ ଦିନ ପରେ ଦିନ ଆସି ଦେଖିବାକୁ ଲାଗିଲେ ।

 

କଟକ ହେଉ ଅବା ଓଡ଼ିଶାର ଅନ୍ୟାନ୍ୟ ସହର ହେଉ, ଆଗରୁ ଦେଖାଯାଉଥିଲା–ଯେକୌଣସି ନାଟ୍ୟସଂସ୍ଥା ଅଭିନୟ କରୁଥିଲେ, ସେମାନେ ବେଶି ହେଲେ ଗୋଟିଏ ନାଟକକୁ ଗୋଟିଏ ସପ୍ତାହ ପୂର୍ଣ୍ଣ ପ୍ରେକ୍ଷାଳୟରେ ଚଳେଇବା ଖୁବ୍ କଷ୍ଟକର ବ୍ୟାପାର ଥିଲା । ମାତ୍ର ଓଡ଼ିଶା ଥିଏଟର୍ସ ଗୋଟିଏ ନାଟକକୁ ମାସକରୁ ବେଶି ଦିନ ଚଳେଇବାର ଗୌରବ ଅର୍ଜନ କଲେ । ଏହା କମ୍ ସଫଳତା ନୁହେଁ ।

 

ଓଡ଼ିଶା ଥିଏଟର୍ସରେ ମୁଁ ଗୋଟାଏ ନୂଆ ଅନୁଭୂତିର ସମ୍ମୁଖୀନ ହେଲି । ଆଗରୁ ମୋର କୌଣସି ନାଟ୍ୟସଂସ୍ଥାରେ ଝିଅ, ପୁଅ ଏକାଠି ରହି ଅଭିନୟ କରିବାର ପରିସ୍ଥିତି ସମ୍ପର୍କରେ ବିଶେଷ ଅଭିଜ୍ଞତା ନ ଥିଲା । ଅନ୍ନପୂର୍ଣ୍ଣା ଥିଏଟର୍, ଗଞ୍ଜାମର ପିତ୍ତଳ ଥିଏଟର୍ ଯଦିଚ ଏଥି ପୂର୍ବରୁ ଝିଅ, ପୁଅଙ୍କୁ ନେଇ ଅଭିନୟ କରୁଥିଲେ, ତଥାପି ମୁଁ ଆଉ ବେଶି ସେ ବିଷୟରେ ଜାଣିବାର ସୁବିଧା ପାଇ ନ ଥିଲି ।

 

କିନ୍ତୁ ଓଡ଼ିଶା ଥିଏଟର୍ସ ମୋତେ ପ୍ରଥମ କରି ସେଇ ଅଭିଜ୍ଞତା ଅର୍ଜନର ସୁବିଧା ସୁଯୋଗ ଦେଲା । ଦେଖିଲି, ଅଭିନେତା–ଅଭିନେତ୍ରୀମାନଙ୍କ ଭିତରେ କଳାପ୍ରତି ଯେତେଟା ଅନୁରାଗ ନ ଥିଲା, ତା’ଠାରୁ ପରସ୍ପର ଭିତରେ ପ୍ରଣୟର ଅନୁରାଗ ଥିଲା ଅଧିକ । ଆଉ ସେହି ପ୍ରଣୟର ସୂତ୍ରପାତ କରୁଥିଲେ କଳା ସଂସ୍ଥାର ମୁଖ୍ୟ ନାୟକ, ନାୟିକାମାନେ ।

 

ଓଡ଼ିଶା ଥିଏଟର୍ସର ସତ୍ତ୍ଵାଧିକାରୀ, ପରିଚାଳକ କାଳି ବାବୁ ଏପରି ପରିସ୍ଥିତିକୁ ରୋକିବାର କ୍ଷମତା ହରେଇଥିଲେ । କାରଣ ସେହି କଳାମେଧ ଯଜ୍ଞର ପ୍ରଧାନ ପୁରୋଧା ସେ ନିଜେ ।

 

ତେବେ ସୁଖର କଥା ଥିଲା ଅଭିନୟ ପାଇଁ ପ୍ରତ୍ୟେକ ଜୀବନ ଦେଇ କାମ କରୁଥିଲେ । ସେଇ କାରଣରୁ ଅଭିନୟ ଉଚ୍ଚମାନର ହେଉଥିଲା ଓ ଭିତରେ କ’ଣ ଘଟୁଥିଲା ମଞ୍ଚପ୍ରିୟ ଦର୍ଶକ ତାହା ଜାଣିପାରୁନଥିଲେ । ମୁଁ କିନ୍ତୁ ଦୁଃଖ କରୁଥିଲି, କ୍ରୋଧ କରୁଥିଲି, କାରଣ ମୋର ହିତ, ଅହିତ କଥାକୁ ବିଚାର କରିବାର କ୍ଷମତା ଆସିଥିଲା । ସବୁ କଥାରେ ମୁଁ ସବୁବେଳେ କାଳି ବାବୁଙ୍କୁ ଦାୟୀ କରୁଥିଲି ମନେ ମନେ । ପ୍ରକାଶ କରିବାର ସାହସ ନଥିଲା, କାରଣ ରାସ ଦଳର ପରିସ୍ଥିତି ଆଉ ଓଡ଼ିଶା ଥିଏଟର୍ସର ପରିସ୍ଥିତି ଭିତରେ ଅନେକ ଅମେଳ ଥିଲା ।

 

ଦିନ ବଢ଼ି ଚାଲିଥାଏ । ଭାରତୀୟ ଆକାଶରେ ଦେଖା ଦେଇଥାଏ ଯୁଦ୍ଧର ଘନଘଟା, ବ୍ରିଟିଶ ସାମ୍ରାଜ୍ୟ ସେତେବେଳେ ଥରହର । ତା’ର କୁ–ପ୍ରଭାବ ପଡ଼ିଥାଏ ଆମ ଦେଶ ଭାରତ ଉପରେ । ଏଣେ ପୁଣି ମହାତ୍ମାଙ୍କର ସ୍ଵାଧୀନତା ଆନ୍ଦୋଳନ ତେଜି ଉଠିଥାଏ । ଦେଶବାସୀ ପ୍ରତ୍ୟେକଙ୍କ ମନରେ କେମିତି ସେଇ ସ୍ଵାଧୀନତା ନିଶା ଖେଳିଯିବ, ତା’ଲାଗି ସବୁ ସ୍ଥାନରେ ପ୍ରାୟ ସଭା, ସମିତି ବସି ସେଥ‌ିରେ ସ୍ଵାଧୀନତା ସଂଗ୍ରାମୀମାନଙ୍କର ସାରଗର୍ଭକ ଭାଷଣରେ ଦିଗନ୍ତ ବିସ୍ତାରୀ ପ୍ରତିଧ୍ଵନି ସୃଷ୍ଟି ହେଉଥାଏ । ବନ୍ଦୀଶାଳାଗୁଡ଼ିକ ରାଜନୈତିକ ବନ୍ଦୀରେ ଭରପୂର । ପୁଲିସର ଅତ୍ୟାଚାରରେ ସାଧାରଣ ଜନତା ହୋଇଥା’ନ୍ତି ଅତିଷ୍ଠ । ନିଘଞ୍ଚ ବଣ, ପାହାଡ଼ ଘେରା ଶ୍ଵାପଦ ସଙ୍କୁଳ ସ୍ଥାନମାନଙ୍କରେ ଚାଲିଥାଏ ସମର ପ୍ରସ୍ତୁତି । ବନ୍ଦେ ମାତରମ୍, ମହାତ୍ମା ଗାନ୍ଧୀ କି ଜୟ ଜୟ କାରରେ ଚତୁର୍ଦ୍ଦିଗ ହେଉଥାଏ ପ୍ରକମ୍ପିତ ।

 

ଚୌଦ୍ଵାର ସେନାଛାଉଣିରୁ ପ୍ରତି ମାସରେ ଆସେ ଆମକୁ ନିମନ୍ତ୍ରଣ । ଆମେରିକା ସୈନ୍ୟମାନେ ଡେରା ପକେଇଥା’ନ୍ତି ଚୌଦ୍ଵାରରେ । ସେମାନଙ୍କର ମନୋରଞ୍ଜନ ଲାଗି ଉଚ୍ଚପଦସ୍ଥ କର୍ମକର୍ତ୍ତାଗଣ ଓଡ଼ିଶା ଥିଏଟର୍ସ ସତ୍ତ୍ଵାଧିକାରୀଙ୍କ ସହିତ ଚୁକ୍ତି କରିଥା’ନ୍ତି ସବୁ ମାସରେ ଗୋଟିଏ ରବିବାର ଦିନ ସେଠାରେ ଥ‌ିବା ଶ୍ରୀ ଚକ୍ରଧର ମିଶ୍ରଙ୍କ ‘କଥାଚିତ୍ର’ ସିନେମା ଗୃହରେ କେତେକ ଘଣ୍ଟା ନାଚ ଗୀତର ବ୍ୟବସ୍ଥା କରିବାକୁ ।

 

ଓଡ଼ିଶା ଥିଏଟର୍ସରେ ସେତେବେଳେ ‘ଉମା’ ଯୋଗ ଦେଇଥାଏ । (ପରେ ଶ୍ରୀ ସାମୁଏଲ ସାହୁଙ୍କୁ ବିବାହ କଲେ) ସୁନ୍ଦର ରୂପ, ନାଚୁଥିଲା ଭଲ । ବୁଢ଼ା ଚୌଧୁରୀ (ଚୌଧୁରୀ ଶ୍ରୀ ବଳରାମ ମିଶ୍ର)ଙ୍କ ସହିତ କେତୋଟି ହିନ୍ଦୀ ଗୀତ ସହ ନାଚ ଶିଖିଥିଲେ । ସେଇ ନାଚ ସବୁ ସେଠାରେ ମିଲିଟାରୀ କ୍ୟାମ୍ପ୍‌ରେ ଖୁବ୍‌ ଆଦର ପାଉଥିଲା । ତା’ଛଡ଼ା ଓଡ଼ିଆ ନାଚ, ଗୀତ ମଧ୍ୟ ଆମେରିକାନମାନେ ପସନ୍ଦ କରୁଥିଲେ । ତେବେ ସେ ଯାହାହେଉ–ହାସ୍ୟରସ, ନାଚ, ଗୀତ ମିଶି ଅଧଘଣ୍ଟାକର କାର୍ଯ୍ୟକ୍ରମ ଲାଗି ବରାଦ ଆମକୁ ସେମାନେ ଦେଉଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ତାଙ୍କର ଗାଡ଼ି ଆଣି ଆମକୁ କଟକରେ ଛାଡ଼ିଦେଇ ଯାଉଥିଲା ।

 

ମୁଁ ଦେଖୁଥିଲି ବିଭିନ୍ନ ବିଦେଶୀ ମଦର ବୋତଲ ଆମ ଗାଡ଼ିରେ ରହୁଥିଲା । ମୂଲ୍ୟବାନ କେକ୍, ବିସ୍କୁଟ ପାକେଟ ଆମ ଭିତରୁ ବଡ଼ ବଡ଼ କଳାକାର, କାଳି ବାବୁ ନିଜେ ରଖୁଥିଲେ । ଅବଶ୍ୟ ପ୍ରତି ମାସରେ ଏଭଳି କାର୍ଯ୍ୟକ୍ରମ ଲାଗି କେତେ ପରିମାଣର ଅର୍ଥ ତାଙ୍କଠାରୁ କାଳି ବାବୁ ପାଉଥିଲେ ସେକଥା ସମ୍ଭବ କେହି ଜାଣି ପାରୁ ନ ଥିଲେ ।

 

‘ଚୁମ୍ବନ’ ନାଟକ ଅନେକ ଦିନ ଧରି ଚାଲିଲାପରେ ଆରମ୍ଭ ହେଲା ‘ଜୟଦେବ’ ନାଟକ । ଉଦ୍‌ଘାଟନ ଉତ୍ସବ ଦିନ ଯୋଉ ଲୋକଭିଡ଼, ସେ ଅବସ୍ଥା ଥରେ ଯେ ଦେଖିଛି ସେ ତା’ର ଜୀବନରେ କେବେ ଭୁଲିପାରିବ ନାହିଁ । ଜୟଦେବ ନାଟକରେ ପ୍ରମାଣିତ କରାଯାଇଥିଲା–ଶ୍ରୀ ଜୟଦେବ ଗୋସେଇଁ ଆମ ଓଡ଼ିଶା ମାଟିର ବୋଲି । ଏଥି ପୂର୍ବରୁ ବଙ୍ଗୀୟମାନେ ଚଳଚ୍ଚିତ୍ର ଓ ବିଭିନ୍ନ ଲେଖା ମାଧ୍ୟମରେ ଶ୍ରୀ ଜୟଦେବଙ୍କୁ ନିଜର କରିନେବାକୁ ପ୍ରବଳ ପ୍ରଚାର ଚଳେଇଥା’ନ୍ତି । ଆମର ଏଇ ଓଡ଼ିଶା ମାଟିର ଜାତିଦ୍ରୋହୀ କେତେକ ମୁଷ୍ଟିମେୟ ଓଡ଼ିଆ ମଧ୍ୟ ସେଇ ବଙ୍ଗୀୟମାନଙ୍କ ମତରେ ଏକମତ ହୋଇ କାଳି ବାବୁଙ୍କ ବିରୁଦ୍ଧରେ ଅଣ୍ଟା ଭିଡ଼ୁଥା’ନ୍ତି ।

 

ସେଇ ଘଡ଼ିସନ୍ଧି ମୁହୂର୍ତ୍ତରେ ମଞ୍ଚସ୍ଥ ହେଲା–ଓଡ଼ିଶା ଥିଏଟର୍ସରେ କାଳି ବାବୁଙ୍କ ଜୟଦେବ ନାଟକ । ଛୁଟିଲେ ଶିକ୍ଷିତ ଦର୍ଶକ ବହୁ ସଂଖ୍ୟାରେ । ବିଭିନ୍ନ ପତ୍ର, ପତ୍ରିକାରେ ପ୍ରକାଶ ପାଇଲା ଆଲୋଚନା, ସମାଲୋଚନା, ଭିନ୍ନ ଭିନ୍ନ ମୁନିଙ୍କର ଭିନ୍ନ ଭିନ୍ନ ଟିପ୍‌ପଣୀ । ଫଳରେ ଜୟଦେବ ଗୋସେଇଁ ଯାହାର ହୁଅନ୍ତୁ ପଛେ, ଓଡ଼ିଶା ଥିଏଟର୍ସ ମାଇଲା ଅଧିକ ଫାଇଦା । ଯୋଉମାନେ କାଳି ବାବୁଙ୍କ ବିପକ୍ଷବାଦୀ, ସେମାନେ ନାଟକ ଦେଖିବାକୁ ଧାଇଁଲେ, ଯୋଉମାନେ ସପକ୍ଷବାଦୀ ସେମାନେ ମଧ୍ୟ ଧାଇଁଲେ । ଓଡ଼ିଶା ଥିଏଟର୍ସର ବୁକିଙ୍ଗ୍ ଅଫିସ୍‌ର ଶ୍ରୀ ଭ୍ରମରବର ବେହେରା ଟଙ୍କା ବାକ୍ସ ଉଠେଇବାକୁ ଅକ୍ଷମ ପ୍ରକାଶ କଲେ ।

 

ଆମ ଓଡ଼ିଶାରେ ମୋର ହେତୁ ପାଇଲା ଦିନୁ ଗୋଟିଏ ଅବସ୍ଥା ପ୍ରତି ମୁଁ ଲକ୍ଷ୍ୟ କରିଆସିଛି, ତାହା ହେଲା ଏକ ସଂକ୍ରାମକ ବ୍ୟାଧି ଯୋଉ ବ୍ୟାଧି ପ୍ରତ୍ୟେକ ଓଡ଼ିଆଙ୍କୁ କରିଛି ଦୁର୍ବଳ, ଅଙ୍ଗହୀନ । କେହି କାହାରି ସୁଖଶିରୀ ଦେଖିପାରନ୍ତି ନାହିଁ । ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସ୍ଵୟଂସମ୍ପୂର୍ଣ ବୋଲି ମନେ କରନ୍ତି, ପରସ୍ପର ଭିତରୁ ଏକତା ଦୂରେଇଯାଏ, ଜାତୀୟତା ନଷ୍ଟ ହୁଏ । କୌଣସି ସଙ୍ଗଠନକୁ ସ୍ୱୀକୃତି ଦେବାକୁ ପ୍ରବୃତ୍ତି ଜାଗେ ନା । କୋଉଠି ଯେବେ ଗୋଟିଏ ଅନୁଷ୍ଠାନ କିମ୍ବା ପ୍ରତିଷ୍ଠାନ ସଫଳତା ନେଇ ମଥା ଟେକିଲା, ତେବେ ତାକୁ ସମର୍ଥନ ନ ଜଣେଇ ଆମେ ଈର୍ଷାର ବଶବର୍ତ୍ତୀ ହୋଇ ତରତର ଭାବେ ମୂଳଦୁଆ ଖଇଚା କରି ଗଢ଼ିତୋଳୁ ଆଉ ଗୋଟିଏ ଅନୁଷ୍ଠାନ । ଫଳରେ ପୁରୁଣା ଭାଙ୍ଗେ ଏବଂ ନୂଆଟିବି ଭାଙ୍ଗିଯାଏ;–ଆମେ ଗର୍ବରେ ମଥାଟେକି କହୁ, ଦୁନିଆଁ ତ ଭଙ୍ଗପ୍ରବଣ । କିଛି ରହିବ ନାହିଁ ।

 

ଓଡ଼ିଶା ଥିଏଟର୍ସର ସଫଳତାକୁ ଦେଖି ସହି ନ ପାରି କେତେକ ନବ ଯୁବକ ମାଣିକ ଘୋଷ ବଜାରରେ ଆରମ୍ଭ କଲେ ‘ଭାରତୀ ଥିଏଟର୍ସ’ । ପ୍ରଧାନ ଉଦ୍ୟକ୍ତା ଥିଲେ ଶ୍ରୀଯୁକ୍ତ ରାମଚନ୍ଦ୍ର ମିଶ୍ର, ଶ୍ରୀଯୁକ୍ତ ନନ୍ଦ ଦାସ ଓ ଆଉ ଅନେକ ।

 

ମାତ୍ର ଦେଖାଗଲା–ଓଡ଼ିଶା ଥିଏଟର୍ସର ଉଚ୍ଚଗ୍ରହ ପ୍ରଭାବରେ ଭାରତୀ ଥିଏଟର୍ସ ଭାଙ୍ଗିପଡ଼ିଲା । ଦୁଇଟି ଦଳ ଭିତରେ ଚାଲିଥିବା ପ୍ରତିଦ୍ଵନ୍ଦ୍ୱିତାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । କଟକ ସହରର ଆବାଳବୃଦ୍ଧବନିତା ସନ୍ଧ୍ୟା ହେଲେ ଆସିଲେ ବାଙ୍କା ବଜାର ରଙ୍ଗାଳୟକୁ । ସମସ୍ତଙ୍କ ମୁହଁରେ ଜୟଦେବ ନାଟକର ପ୍ରଶଂସା । ଆମେମାନେ ଅନୁଭବ କଲୁ, ଚୁମ୍ବନ ନାଟକର ସଫଳତାଠାରୁ ଜୟଦେବ ନାଟକର ସଫଳତା ଦୁଇ ଗୁଣ ବଢ଼ିଗଲା । କେବଳ ଲୋକଙ୍କ ମୁଖର କଥା ନୁହେଁ, ପ୍ରତ୍ୟେକ ଅଭିନେତା, ଅଭିନେତ୍ରୀ ଆମେ ଅନୁଭବ କଲୁ ଅଭିନୟ ସମୟରେ ମଞ୍ଚରେ ପାଦ ପକେଇଲେ ଅନ୍ତର ଭିତରେ କିଏ ’ଯେପରି ରହି ଆମକୁ ଅମୃତମୟ କରିଦେଇ ଟାଣିନେଉଛି ଏକ ସଦାନନ୍ଦପୂର୍ଣ୍ଣ ପବିତ୍ର କଳାକ୍ଷେତ୍ରକୁ I କ'ଣ ସେ ଅଭିନୟ ? କି ଆନନ୍ଦ ଥିଲା ସେ ଅଭିନୟରେ ? ସେ ଅଭିନୟ ଆମକୁ କେହି ଶିକ୍ଷା ଦେଇ ନ ଥିଲେ । ମୋର ଯେତେଦୂର ମନେପଡ଼େ–ଗୋଟିଏ ନାଟକରେ ମଧ୍ୟ ଦର୍ଶକ ଆଜି ଯାହା ଦେଖୁଥିଲେ, ଆସନ୍ତା କାଲିର ଅଭିନୟରେ ଆଉ କିଛି ନୂତନତ୍ୱ ଦେଖୁଥିଲେ ।

 

ଏଇ କାରଣରୁ ସମ୍ଭବତଃ ଜଣେ ଜଣେ ଦର୍ଶକ ନାଟ୍ୟ ରସିକ ଗୋଟିଏ ନାଟକକୁ ଅଶି, ନବେ ଦିନ ପ୍ରତ୍ୟେକ ଦିନ ଦେଖିବାକୁ ଆସୁଥିଲେ ।

 

ଏଇଭଳି ଭାବରେ ଓଡ଼ିଶା ଥିଏଟର୍ସ ତା’ର କୃତି କଳାକାରମାନଙ୍କ ସୃଜନଶୀଳ କଳା ପରିବେଷଣରେ ଜନମନ ରଞ୍ଜନ କରି ବିକାଶ ପଥରେ ଆଗେଇ ଚାଲିଲା ।

 

୧୯୪୪ରେ ଓଡ଼ିଶା ଥିଏଟର୍ସ ଯାତ୍ରା କଲା ବରହମ୍‌ପୁର ସହରକୁ । ଶ୍ରୀ ବିଜୟ କେତନ ମଙ୍ଗରାଜ ଓ ଅନ୍ୟ କେତେକ କଳାପ୍ରେମୀ ଯୁବକମାନଙ୍କ ଉଦ୍ୟମ ଫଳରେ ବରହମ୍‌ପୁର ଟାଉନ୍ ହଲରେ ଆରମ୍ଭ ହେଲା ଅଭିନୟ । ଏଇ ବରହମ୍‌ପୁର କ୍ୟାମ୍ପରେ ଓଡ଼ିଶା ଥିଏଟର୍ସ ଥିଲାବେଳେ ଯୋଗଦେଲେ ଶ୍ରୀ କୃଷ୍ଣ ରଥ, ଏକ ନୂତନ ପ୍ରତିଭା ।

 

ସାକ୍ଷୀଗୋପାଳ ଅଞ୍ଚଳର ଶ୍ରୀ ବଂଶୀଧର ପୃଷ୍ଟି ଗଞ୍ଜାମରେ ଗଢ଼ିଥିଲେ ତାଙ୍କର ଶ୍ରୀରାଧାମାଧବ ରାସ ମଣ୍ଡଳୀ । ସେଇ ରାସ ଦଳର ଅଭିନେତା ଥିଲେ କୃଷ୍ଣ ରଥ । ଓଡ଼ିଶା ଥିଏଟର୍ସ ବରହମ୍‌ପୁର କ୍ୟାମ୍ପ କଲାବେଳକୁ ଶ୍ରୀ ପୃଷ୍ଟି ମହାଶୟଙ୍କ ରାସ ଦଳ ବନ୍ଦ ହେଇ ଯାଇଥିଲା-। ଫଳରେ କୃଷ୍ଣ ରଥ ଆସି ଯୋଗଦେଲେ ଆମ ସହିତ । ‘କୃଷ୍ଣ’ ଯେ କେବଳ ଜଣେ ଅଭିନେତା ଥିଲେ ସେକଥା ନୁହେଁ, ଛବି ଆଙ୍କିବା, ରଙ୍ଗମଞ୍ଚର ସିନ୍ ପେଣ୍ଟ କରିବା, ସାଇନବୋର୍ଡ଼ ଲେଖିବାରେ ମଧ୍ୟ ତାଙ୍କର ଅସାଧାରଣ ପ୍ରତିଭା ଥିଲା । ଅତି ଅଳ୍ପ ବୟସରେ ସେ ଯେ ଅନେକଗୁଡ଼ିଏ କାମକୁ ହାତପଇଠ କରିଥିଲେ, ତାହା ତାଙ୍କର ଆମ ନିକଟକୁ ଆସିବା ପରେ ଜଣା ପଡ଼ିଥିଲା ।

 

କୃଷ୍ଣ ରଥଙ୍କ ଭଳି ଆଉ ଜଣେ କଳାକାର ଶ୍ରୀ ଦେବପ୍ରସାଦ ଦାସ ମଧ୍ୟ ସେଇ ବରହମ୍‌ପୁରରେ ଆମ ଓଡ଼ିଶା ଥିଏଟର୍ସରେ ରହିବାପାଇଁ ଦେଖା ଦେଇଥିଲେ । ମାତ୍ର ଦେଖାଗଲା, ଶ୍ରୀ ଦାସ ଆଉ ବିଶେଷ ଆଗକୁ ନ ବଢ଼ି ଆମେମାନେ କ୍ୟାମ୍ପ ଛାଡ଼ିବା ପୂର୍ବରୁ ଅନ୍ତର୍ଦ୍ଧାନ ହୋଇଗଲେ । ଶ୍ରୀ ଦେବପ୍ରସାଦ, ଆମମାନଙ୍କଠାରୁ ଯଥେଷ୍ଟ କନିଷ୍ଠ ଥିଲେ ମଧ୍ୟ ତାଙ୍କଠାରେ ଯେ ଅସାଧାରଣ ପ୍ରତିଭା ଲୁକ୍‌କାୟିତ ଅବସ୍ଥାରେ ଆତ୍ମଗୋପନ କରି ରହିଥିଲା, ତାହା ତାଙ୍କୁ ଦେଖ‌ିଲେ ହିଁ ଜଣାଯାଉଥିଲା ।

 

ଖଲ୍ଲିକୋଟ କଲେଜ ସେତେବେଳେ ବଡ଼ ଆକାରର ନଥିଲା । ଯେଉଁ ଉଦ୍ୟକ୍ତାଗଣ ଆମକୁ ସେଠାକୁ ଚୁକ୍ତି କରି ନେଇଥିଲେ, ସେମାନେ ସେଇ କଲେଜରେ ଆମକୁ ରହିବାକୁ ସ୍ଥାନ ଦେଇଥିଲେ । ଗ୍ରୀଷ୍ମବିକାଶରେ କଲେଜ ବନ୍ଦ ଥିଲା । ବରହମ୍‌ପୁର ସହରରେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ଅଧିକ ଓ ଅଧିକ ପ୍ରଭାବ ଥିଲେ ମଧ୍ୟ ଓଡ଼ିଶା ଥିଏଟର୍ସ ତା’ର ପୂର୍ବ ଗୌରବରେ ଟିକିଏ ସୁଦ୍ଧା ଆଞ୍ଚ ଆଣି ନ ଥିଲା ।

 

କିଛିଦିନ ପରେ ବରହମ୍‌ପୁର ଟାଉନର ଜନସାଧାରଣଙ୍କର ଅକୁଣ୍ଠ ସାହାଯ୍ୟ ସହାନୁଭୂତି ପାଇ ଆମେ ପୁଣି ଫେରିଆସିଲୁ କଟକ । ଅଭିନୟ ଆରମ୍ଭ ହେଲା । ପୂର୍ବପରି ଛୁଟିଲେ ଦର୍ଶକ ଅଧିକ ସଂଖ୍ୟାରେ ।

 

ପଶ୍ଚିମ ଦିଗନ୍ତରେ ଯୁଦ୍ଧର ରକ୍ତଛିଟା ଲାଗି ତା’ର ରକ୍ତିମ ଆଭା ପୃଥ‌ିବୀକୁ କରୁଥାଏ ଭୟଭୀତ । ବିଲାତ ସରକାର ଭାରତର କାନ୍ଥରେ, ପ୍ରାଚୀରରେ, ଗଛରେ, ପ୍ରାୟ ପ୍ରତ୍ୟେକ ସ୍ଥାନରେ 'V' ଅକ୍ଷରଟିଏ ଲେଖିଦେଇ ପ୍ରଚାର ଚଳେଇଥା’ନ୍ତି ଦୁର୍ମଦ ଜର୍ମାନ ଜାତି ବିରୁଦ୍ଧରେ । ହିଟ୍‍ଲରଙ୍କର ସର୍ବଗ୍ରାସୀ ନୀତି ଉପରେ ଆଧାରିତ ବିଭିନ୍ନ ଗୀତ, ନାଟିକା, ଚଳଚ୍ଚିତ୍ର, ଥିଏଟର ଆଦିରେ ବାଧ୍ୟତାମୂଳକ ଭାବେ ପ୍ରଚାର ଚଳେଇ ଜନ ସମର୍ଥନ ସଂଗ୍ରହ କରୁଥା’ନ୍ତି ।

 

କେବଳ ଏତିକି ନୁହେଁ, ଜାପାନ, ଜର୍ମାନ ନୀତି ବିରୁଦ୍ଧରେ ପ୍ରଚାର ହେବା ସଙ୍ଗେ ସଙ୍ଗେ ସମାନ୍ତରାଳ ଭାବେ ଆଉ ଗୋଟିଏ ପ୍ରଚାର ମଧ୍ୟ ଚାଲିଥାଏ । ‘ଗ୍ରୋ ମୋର ଫୁଡ୍'–ଅଧିକ ଖାଦ୍ୟ ଉତ୍ପାଦନ କର । ଏଇ ମର୍ମରେ ଭିନ୍ନ ଭିନ୍ନ ଟିପା–ଟିପ୍ପଣୀ ପ୍ରକାଶ ପାଉଥାଏ ପତ୍ରପତ୍ରିକା ମାଧ୍ୟମରେ । ସିନେମା, ଥିଏଟର, ନାଟ ତାମସା ଜରିଆରେ, ନାଟକ, ରୂପକ, ଏକାଙ୍କିକାମାନ ସେଇସବୁ ବିଷୟବସ୍ତୁକୁ କେନ୍ଦ୍ରକରି ପ୍ରଚାର ହେଉଥାଏ । ବିଭିନ୍ନ ନାଟ୍ୟାନୁଷ୍ଠାନ କାଳେ କିଏ କେତେବେଳେ ସେଇସବୁ ସରକାରୀ ପ୍ରଚାର ଭିତରେ ସରକାରୀ କଳ ବିପକ୍ଷରେ ପ୍ରଚାର ଚଳେଇଦେବ, ସେଥିଲାଗି ଖୁବ୍ କଟକଣା ଜାରି କରାଯାଇଥାଏ । ପ୍ରଚାର ପୂର୍ବରୁ ସେସବୁ ବିଷୟବସ୍ତୁକୁ ଉଚ୍ଚକ୍ଷମତାସମ୍ପନ୍ନ ବ୍ୟକ୍ତି ଯାଞ୍ଚ କରୁଥା’ନ୍ତି । ଏଥ‌ିପାଇଁ ସରକାରଙ୍କ ରାଜକୋଷରୁ ଅଜସ୍ର ଅର୍ଥ ବ୍ୟୟ ହେଉଥାଏ ।

 

ଏଇ ସୁଯୋଗରେ ଭାରତୀୟ ନେତାଗଣ ତାଙ୍କର ବିଚକ୍ଷଣ–ବୁଦ୍ଧି ଖଟେଇ ସରକାରୀ ପ୍ରଚାର ନାମରେ, ଗାନ୍ଧିଜୀଙ୍କ ସ୍ଵାଧୀନତା ଆନ୍ଦୋଳନକୁ ଆଖି ଆଗରେ ରଖି କୋଟି କୋଟି ସରଳ ଲୋକଙ୍କ ହୃଦୟରେ ଭରିଦେଲେ ଦେଶାତ୍ମବୋଧକ ନବଚେତନା । ଚଳଚ୍ଚିତ୍ରରେ ‘ରୁଟି’, ‘ଅପ୍‌ନା ଘର୍’ ଆଦି ଛବି ଆତ୍ମପ୍ରକାଶ କଲା ।

 

ଠିକ୍ ଏତିକିବେଳେ ମୋର ଏକ ଭାବାନ୍ତର ସୃଷ୍ଟି ହେଲା । ବୁଝିପାରିଲି ନାହିଁ ସେ ଭାବାନ୍ତରର କାରଣ କ’ଣ ? ଓଡ଼ିଶା ଥିଏଟର୍ସରେ ଥିଲାବେଳେ ମୁଁ ରହୁଥିଲି ସେହି କାଳି ବାବୁଙ୍କ ପୁରୁଣା ବସାର ଗୋଟିଏ ଛୋଟ ଘରେ । ପ୍ରତିଦିନ ସକାଳ ଆଠଟା ‘ନ’ଟାବେଳକୁ ଯାଉଥିଲି–ବାଙ୍କା ବଜାର ପେଣ୍ଡାଲକୁ ରିହାର୍‌ସାଲରେ ଯୋଗଦେବାକୁ, ଫେରୁଥୁଲି ବାରଟା ଗୋଟାକ ସମୟକୁ । ମେସ୍‌ରେ ଖାଇପିଇ ବିଶ୍ରାମ ନଉଥିଲି ।

 

ରାତି ଭୋର ହେଇଥିଲା ନା କ’ଣ ? ଶୋଇଥିଲି ମୁଁ । ଦେଖିଲି ମୋର ଆଖି ଆଗରେ ଏକ ବିରାଟ ଦୀପ । ସେହି ଦୀପର ଆକୃତି କେତେ ବଡ଼ ଥିଲା ତାକୁ ନିର୍ଣ୍ଣୟ କରିବାକୁ ମୋର ଦୃଷ୍ଟି ପାଉ ନ ଥିଲା । ମାତ୍ର ପ୍ରଜ୍ୱଳିତ ଶିଖା ତା’ର ଥିଲା ଆକାଶବ୍ୟାପୀ । ଶିଖାର ଜ୍ୟୋତି ତା’ର ଚତୁର୍ଦ୍ଦିଗକୁ ଉଦ୍‌ଭାସିତ କରୁଥିଲା । ହଠାତ୍ ଦୀପଶିଖା ମୋ ନିକଟରୁ ଟିକିଏ ଦୂରେଇଗଲା ଏବଂ ମୁଁ ସେହି ଜ୍ୟୋତିର ଯେମିତି ଏକ ଆକର୍ଷଣ ଶକ୍ତି ଥିଲାପରି ଅନୁଭବ କଲି ।

 

ଯେତିକି ଯେତିକି ଦୂରକୁ ମୋ ନିକଟରୁ ଜ୍ୟୋତିଶିଖାଟି ଆଗେଇ ଯାଉଥାଏ, ମୁଁ ମଧ୍ୟ କ୍ରମେ କ୍ରମେ ସେତିକି ସେତିକି ସେଇ ଶିଖାର ନିକଟ ହେଉଥାଏ । ମୋର ପକ୍ଷ ନ ଥିଲେ ବି ମୁଁ ଶୂନ୍ୟରେ ଉଡ଼ି ବୁଲୁଥାଏ । ଜ୍ୟୋତିକୁ ଅନୁସରଣ କରି ଅନେକ ଦୂର ମୁଁ ଚାଲିଗଲି । ସେ ସମୟର ଯେଉଁ ଆନନ୍ଦ, ଶାନ୍ତି ଆଜି ମୋର ବୁଢ଼ା ବୟସରେ ମନେପଡ଼ିଲେ ଛାତି ଭିତରଟା କେମିତି ଖାଲି ଖାଲି ଜଣାପଡ଼େ ।

 

ଏ କ’ଣ ହେଲା ? ଦେଖିଲି ଜ୍ୟୋତି ଆଉ ଦୂରକୁ ଯାଉ ନାହିଁ । ମୁଁ ତା’ର ନିକଟ ହେଲି, ଖୁବ ନିକଟ । ସାଙ୍ଗେ ସାଙ୍ଗେ ଜ୍ୟୋତିଶିଖା ତା’ର ଆକାଶବ୍ୟାପୀ ରୂପକୁ ସଙ୍କୁଚିତ କରିଦେଇ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଲା । ଏବେ ମୁଁ ଅନୁଭବ କଲି ମୋତେ ସେ ଟାଣୁଥିଲା, ଏବେ ମୁଁ ତାକୁ ଟାଣିଲି । ମୁହୂର୍ତ୍ତକ ଭିତରେ ଜ୍ୟୋତିଶିଖା ମୋର ହୃଦୟରେ ପଶି ଅନ୍ତର ସ୍ଥଳକୁ ଆଲୋକିତ କରିଦେଲା ।

 

ନିଦ ଭାଙ୍ଗିଗଲା । ଉଠି ବସିଲି । ଦୁଇ ଆଖିରେ ଆଖିଏ ଆଖି ଲୁହ । ସବୁ ଯେମିତି ମୋତେ କ୍ଷଣକରେ ଝାପ୍‌ସା ଦିଶିଲା । କେଇ ଘଣ୍ଟା ଭିତରେ ଦୁନିଆଟା ମୋ ନିକଟରେ ଓଲଟପାଲଟ ହୋଇଗଲା । ମନ ଭିତରେ ପ୍ରବଳ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଅତି ଆପଣାର ପ୍ରିୟବସ୍ତୁଗୁଡ଼ିକ ଖୁବ ଅଳିକ, ଖୁବ୍ କ୍ଷଣିକ ପରି ଜଣାଗଲା । ଯାହା ମୋର ନିଜର, ଆପଣାର ସମସ୍ତେ କେମିତି ଯେମିତି ମୋତେ ଉପହାସ କରି ବହୁ ଦୂରକୁ, ଦୂରକୁ ଘୁଞ୍ଚିଗଲେ । ମୁଁ ଆଉ ମୋର ହୋଇ ନ ଥିଲି । ଆଖି ଲୁହ ବାଧା ମାନୁ ନ ଥାଏ । ବେଳେବେଳେ ଚେତନା ଆସୁଥାଏ, କ’ଣ ହଉଛି ମୋର, କ’ଣ କରୁଛି ମୁଁ ।

 

ରିହାର୍‌ସାଲର ବେଳ ହେଇଗଲା । ଗୋଟି ଗୋଟି ହୋଇ ମୋର ବନ୍ଧୁ, ସାଥୀମାନେ ନିଜ ନିଜର ଜଞ୍ଜାଳ ତୁଟେଇ ମୋରି ଆଗରେ ଚାଲିଲେ ବାଙ୍କା ବଜାର ପେଣ୍ଡାଲକୁ । ସେମାନଙ୍କ ଦେଖାଦେଖି ମୁଁ ଚାଲିଲି ପେଣ୍ଡାଲକୁ । ମୋର ଜାଗ୍ରତ ଅବସ୍ଥାରେ ମଧ୍ୟ ସେଇ ଜ୍ୟୋତି ସମୟେ ସମୟେ ଆଖିରେ ନାଚି ଯାଉଥାଏ । ପ୍ରତ୍ୟେକ ଦ୍ରବ୍ୟରେ ଆସୁଥାଏ ଅନାସକ୍ତ ଭାବ ।

 

ଦିନ ପ୍ରାୟ ଗୋଟାଏ ସମୟ ହେବ । ବାଙ୍କା ବଜାରରୁ କର୍ତ୍ତବ୍ୟ ଶେଷ କରି ଫେରୁଥାଏ ମୁଁ । ରୁମ ଟାଙ୍କୁରି ଉଠିଥାଏ । ଅନୁଭବ କରୁଥାଏ ମୋ ଭିତରେ କିଏ ଯେମିତି ଏକ ଅଦୃଶ୍ୟ ଶକ୍ତି ରହି କ’ଣ କରିଚାଲିଛି । ମୁଁ ଯେପରି ସେଇ ଅଦେଖା ଶକ୍ତିର ଇଙ୍ଗିତରେ ପରିଚାଳିତ । ଆଖରେ ସେହିପରି ଛୁଟୁଥାଏ, ଅବାରିତ ଲୁହଧାର । ଆଲାମ୍‌ଚାନ୍ଦ ବଜାର ଛକ ପାର ହୋଇ ମୁଁ ଚାଲୁଥିଲି ଜଗନ୍ନାଥବଲ୍ଲଭ ମଠ ଦିଗକୁ । ଦେଖାହେଲା ଜଣେ ବୃଦ୍ଧଙ୍କ ସହିତ । ତାଙ୍କର ପରିଧାନ ଥିଲା ଖଣ୍ଡେ ଗେରୁଆ ଆଲଖାଲ । ପାଦରେ କଠଉ, ହାତରେ ଖଣ୍ଡେ ସିଲଟ ଓ ଖଡ଼ି । ଠିକ୍ କ୍ଷେତ୍ରପାଳ ଶିବ ମନ୍ଦିର ନିକଟରେ ।

 

ମୌନବ୍ରତ ଗ୍ରହଣ କରିଥିଲେ ସେ । ସନ୍ନ୍ୟାସୀ, ସେଇ ଶିବ ମନ୍ଦିରରେ ଆସ୍ଥାନ ଥିଲା ତାଙ୍କର । ମୋତେ ବାଟରୁ ଡାକିନେଲେ ମନ୍ଦିର ଭିତରକୁ । ମୋର ନାଁ, ଗାଁ, ଘର, ସ୍ଥିତି ବିଷୟରେ ବୁଝିନେଲେ ମୋଠାରୁ । ଯାହା ଯାହା ମୋତେ ପଚାରିବା କଥା ସବୁ ସେ ତାଙ୍କର ସିଲଟରେ ଲେଖିଦଉଥାନ୍ତି ଏବଂ ମୁଁ ସେସବୁକୁ ପଢ଼ି ଉତ୍ତର ଦେଉଥାଏ । ତା’ପର କିଛି ସମୟ ବସିଲା ପରେ ମୋ ମଥାରେ ସେ ଶିବଙ୍କ ମନ୍ତ୍ରଜଳ ଆଣି ସିଞ୍ଚିଦେଲେ ।

 

ସପ୍ତ ପୁରୁଷ ମୋର ମୁକ୍ତି ପାଇଲେ । ଯେତିକି ପରିମାଣର ଅମୃତ ମୋତେ ମିଳିଥିଲା, ସେଇ ମନ୍ତ୍ରଜଳ ସିଞ୍ଚନରେ ଆହୁରି ଅଧିକ ଭାବରେ ମିଳିଲା ଅମୃତ । ସେ ଶାନ୍ତି ବିଷୟରେ କହିବାକୁ ଭାଷା ନାହିଁ ମୋର । ସେ ଅନୁଭବକୁ କଥାରେ ବୁଝେଇବା ସାଧ୍ୟାତୀତ ।

 

ତା’ପରେ ଯନ୍ତ୍ରଚାଳିତ ପରି ମୁଁ ଫେରିଗଲି ସେଇ ପରିଚିତ ଓଡ଼ିଶା ଥିଏଟର୍ସ ବସାକୁ । ସେଠାରେ ପହଞ୍ଚି ଲୁଗା ଓ ଚାଦର ଗେରୁଆ ରଙ୍ଗ କରି, ଯାହା ଅଦର୍କାରୀ ସେସମସ୍ତ ଜିନିଷପତ୍ର ପିଲାଙ୍କୁ ବାଣ୍ଟିଦେଲି । ମୋ ନିକଟରେ ଚଳୁଥିବା ଛୋଟ ଛୋଟ ପିଲା–ଗୋପୀ (ଗୋପୀନାଥ ବେହେରା), ମାୟା (ମାୟାଧର ରାଉତ) ଧଡ଼ିଆ ଏମାନେ ମୋର ପରିବର୍ତ୍ତନରେ ଆଶ୍ଚର୍ଯ୍ୟ ହେଉଥିଲେ । ସେମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ମୋର ବଢ଼ି ଯାଇଥିଲା । ପାଖରେ ଥ‌ିବା ଭଗବତ୍ ଗୀତା, ସପ୍ତସତୀ ଚଣ୍ଡୀ, ମୋହ ମୁଦ୍‌ଗର ଏବଂ ପୃଥ‌ିବୀ ବିଖ୍ୟାତ ଥିଓସଫିଷ୍ଟ ମ୍ୟାଡ଼ାମ୍ ବ୍ଲାଭାସ୍କିଙ୍କର ରଚିତ ଖଣ୍ଡିଏ ବହିର ଓଡ଼ିଆ ଅନୁବାଦ “ନୀରବ ବାଣୀ” ଓ ଜଗନ୍ନାଥ ଦାଶଙ୍କ ଏକାଦଶ ସ୍କନ୍ଧ ଭାଗବତ । ଏଇ କେଇ ଖଣ୍ଡି ବହିକୁ ଗୋଟିଏ ବସ୍ତାନୀ କରି, ସ୍ଥିର କଲି ଓଡ଼ିଶା ଥିଏଟର୍ସ ତ୍ୟାଗକରି ଚାଲିଯିବି ନର୍ମଦା ।

 

ନୂତନ ଆସ୍ଵାଦନ ଆଶାରେ ଆଉ ସେ ପୁରୁଣା ପରିବେଶ ଭଲ ଲାଗିଲା ନାହିଁ । ଗୁରୁଦେବ ଶ୍ରୀ କାଳିଚରଣଙ୍କଠାରୁ ଆଶୀର୍ବାଦ ଓ ଅନୁମତି ଭିକ୍ଷା କରି ବାହାରିପଡ଼ିଲି ଦୁନିଆର ଚିର ଶାଶ୍ଵତ ସେଇ ବାଞ୍ଛିତ ବନ୍ଧୁର ପଥକୁ, ଯାହା ମୋତେ ସେତେବେଳେ ଲାଗୁଥିଲା ସହଜ, ସରଳ ଓ ପବିତ୍ରରୁ ଆହୁରି ପବିତ୍ରତର ।

 

ନିରାଡ଼ମ୍ବର ଭାବରେ କ୍ଷେତ୍ରପାଳଙ୍କୁ ସାକ୍ଷୀରଖି ଦିକ୍ଷାଗୁରୁ ଶ୍ରୀ ଶ୍ରୀ ଶୀଳାଚାରୀ ବ୍ରହ୍ମାନନ୍ଦଙ୍କଠାରୁ ମନ୍ତ୍ରଦୀକ୍ଷା ନେଇ ଯାତ୍ରା କଲି ଜନ୍ମମାଟିକୁ । ଗର୍ଭଧାରିଣୀଙ୍କଠାରୁ ଅନୁମତି ନେଇଯାତ୍ରା କରିବି ପବିତ୍ର ନର୍ମଦା ତୀରକୁ I

 

ଗାଁରେ ପହଞ୍ଚି ଘରକୁ ନ ଯାଇ ରହିଲି ପଡ଼ୋଶୀ ଶ୍ରୀ ଲକ୍ଷ୍ମୀଧର ଦାସଙ୍କ ଘରେ । ମା’ଙ୍କର କଲ୍ୟାଣ ଗ୍ରହଣ କରି ଶ୍ରୀଗୁଣ୍ଡିଚାର ଅବ୍ୟବହିତ ପୂର୍ବଦିନ ନେତ୍ର ଉତ୍ସବରେ ଯାତ୍ରା କଲି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର । ବଡ଼ ଭାଇ ଓ ମା’ ମୋତେ ବିଦାୟ ଦେଲେ ଗାଁମୁଣ୍ଡ କଳାମାଟି ମେଳନ ପଡ଼ିଆ ନିକଟରେ । ପୁରୀରୁ ରଥଯାତ୍ରା ପରଦିନ ଅନୁକୂଳ କଲି ନର୍ମଦା ଅଭିମୁଖେ । ଖୋର୍ଦ୍ଧାରୋଡ଼ରେ ପହଞ୍ଚି ଦେଖିଲି ମାନ୍ଦ୍ରାଜ ଯିବାଲାଗି ଗାଡ଼ି ଠିଆ ହୋଇଛି । ଦେଶରେ ଯୁଦ୍ଧର ଜରୁରୀକାଳୀନ ପରିସ୍ଥିତି । ପ୍ରତ୍ୟେକ ବଡ଼ ବଡ଼ ସହର, ବଡ଼ ବଡ଼ ରେଳ ଷ୍ଟେସନରେ ବ୍ଲାକାଉଟ୍ ବ୍ୟବସ୍ଥା । ଆକାଶ ପଥରୁ ଶତ୍ରୁସେନା ଜାହାଜ ଉପରୁ ଯେପରି ଗୁରୁତ୍ଵପୂର୍ଣ ଘାଟି ସ୍ଥାନମାନ ନିରୂପଣ କରି ନ ପାରିବେ ସେଥିଲାଗି ଏଇ ଅନ୍ଧକାର ବ୍ୟବସ୍ଥା । ରେଳ ପଥରେ ଘନ ଘନ ସୈନ୍ୟ ବୋଝେଇ ରେଳଗାଡ଼ି ଦେଶର ବିଭିନ୍ନ ଅଞ୍ଚଳକୁ ପଇଁତରା ମାରୁଥାଏ ।

 

ମୋର ଭ୍ରମଧାରଣା ଥିଲା ନର୍ମଦାକୁ ଯିବାକୁ ହେଲେ ଦକ୍ଷିଣାଞ୍ଚଳ ଦେଇ ଯିବା ସୁବିଧା ହେବ । ତେଣୁ ମାନ୍ଦ୍ରାଜ ଯିବାକୁ ଅପେକ୍ଷା କରି ଠିଆ ହୋଇଥିବା ସେଇ ରେଳ ଗାଡ଼ିଟିରେ ଉଠିବାକୁ ଚେଷ୍ଟା କଲି । ଏ କ’ଣ ? ଯୋଉ ଡବାକୁ ଗଲି ଦେଖିଲି ପ୍ରତ୍ୟେକ ବଗିରେ ମିଲିଟାରୀ ପୁଲିସ । ମୋତେ ଓ ମୋର ଗେରୁଆ ରୂପ ଦେଖି ବନ୍ଧୁକ ଦେଖେଇଲେ । କେହି କେହି ମୋର ବେକଷଣ୍ଡାରେ ହାତଦେଇ ପ୍ଲାଟଫର୍ମକୁ ବିଦା କରିଦେଲେ । ପ୍ରାୟ ସବୁ ଡବାରେ ମୋତେ ଏକାଭଳି ସମ୍ବର୍ଦ୍ଧନା ମିଳିଲା ।

 

ନିରାଶ ହୋଇ ସେଇ ଅନ୍ଧାରୁଆ ଜଟଣୀ ଜକ୍‌ସନର ଦୀର୍ଘ ପ୍ଲାଟ୍‌ଫର୍ମରେ ଚତୁର୍ଦ୍ଦିଗ କିଛି ସମୟ ଘୁରିବାକୁ ଲାଗିଲି । ମନେ ମନେ ଚିନ୍ତାକଲି, ଈଶ୍ଵର ଉପାସନାର ଅୟମାରମ୍ଭରେ ପହିଲି ଠୋକର କଥା । ସ୍ଥିର କଲି ଚାଲି ଚାଲି ଯିବି, ଯେତେ କଷ୍ଟ ପଡ଼ୁ ପଛେ । ମୋରି ଆଗରେ ସେଇ ଗାଡ଼ିଟା ମୋତେ ପରିହାସ କରି, ସିଟି ବଜେଇ, ଧୂଆଁର ପଟଳ ଆକାଶକୁ ଛାଡ଼ି ଚାଲିଗଲା ଆଗକୁ ଆଗକୁ ।

 

ମାନ୍ଦ୍ରାଜକୁ ଆଉ ଅନ୍ୟ ଗାଡ଼ି ଥିଲେ ମଧ୍ୟ କୌଣସିଥିରେ ଯିବାକୁ ଇଚ୍ଛା କଲି ନାହିଁ । ରାତିଟା ସେଠାରେ କଟେଇ ଦିନ ହେବା ବହୁ ପୂର୍ବରୁ ଚାଲିବାକୁ ଆରମ୍ଭ କଲି––ଲମ୍ବା ରେଳଧାରଣାର ପାଖେ ପାଖେ । ଚଲାବାଟ ମୋର ଅଜଣା ଥିଲେ ମଧ୍ୟ ନିର୍ଭୟ ମନବଳ ନେଇ ଚାଲିଲି ।

 

ରାତି ସାରା ଉପାସରେ ଥିଲି, ଦିନ ପ୍ରାୟ ବାରଟା ବାଜିଥିଲା । ମେଘ ନ ଥିଲା, ଖରା ବେଶ୍ ଟାଣ ଥିଲା । ଠିକ୍ ବାମ ପଟକୁ ପଡ଼ିଲା ନିରାକାରପୁର ଗାଁ । ଭୋକ ଲାଗୁଥିଲା । ଗାଁ ଭିତରକୁ ଯାଇ ଜଣେ ଗୃହସ୍ଥଙ୍କ ନିକଟରେ କିଛି ଖାଦ୍ୟ ଲାଗି ଅନୁରୋଧ ଜଣେଇଲି । କିନ୍ତୁ ପ୍ରଥମେ ସେ ନାସ୍ତିବାଣୀ ଶୁଣେଇ ଦୁଃଖ ପ୍ରକାଶ କଲେ । କାରଣ ପରିବାରରେ ଖିଆପିଆ ଧନ୍ଦା ତାଙ୍କର ତ୍ରୁଟିଯାଇଥିଲା । ତଥାପି ମନେ ମନେ କ'ଣ ବିଚାର କରି ମୋତେ ପ୍ରଶ୍ନ କଲେ–“ପଖାଳ ଖାଇବ ?’’

ମୁଁ ସମ୍ମତି ଜଣେଇବା ପରେ, ଗୃହସ୍ଥ ଖଣ୍ଡିଏ କଦଳିପତ୍ରରେ କିଛି ଚୁପୁଡ଼ା ପଖାଳ ଭାତ ଓ କିଛି ଲୁଣ ଲଙ୍କା ଆଣି ଦାଣ୍ଡପିଣ୍ଢାରେ ଖାଇବାକୁ ଦେଲେ ମୋତେ । ଭୋକାତୁର ଥିଲି; ସେଇ ପଖାଳ, ଲୁଣ, ଲଙ୍କା ଏତେ ମଧୁର ଲାଗିଲା ତାହା ବୁଝେଇ କହିବା କଷ୍ଟକର । ଅନୁଭବ କଲି, ଶ୍ରାନ୍ତ କ୍ଳାନ୍ତ ଭୋକାତୁର ମଣିଷ ନିକଟରେ ଖାଦ୍ୟ ସୁଆଦ ହେଇ ନ ପାରେ–ଭୋକ ସୁଆଦ ।

ଈଶ୍ଵରଙ୍କ ନିକଟରେ ଗୃହସ୍ଥଙ୍କ ମଙ୍ଗଳ କାମନା କରି ସେଇ ଖରାରେ ଖରାରେ ବାହାରି ପଡ଼ିଲି ଚଲା ପଥରେ । ଲକ୍ଷ୍ୟ ପଥ ଥିଲା ଗୋଟିଏ, ନର୍ମଦା ତୀର । ମାତ୍ର ନର୍ମଦା ତୀର ଯେ ସେଇ ପଥରେ ଗଲେ ପଡ଼ିବ ସେ ଧାରଣା ମୋର ସେତେବେଳେ ଭୁଲ ଥିଲା । ସେ ଯାହାହେଉ, ଗୋଟିଏ ଲକ୍ଷ୍ୟ ଉପରେ ମୁଁ ସ୍ଥିର ଥ‌ିବାରୁ ବାଟରେ କୌଣସି ଯାତ୍ରାକାଳୀନ ଘଟଣା ବା ଦୁର୍ଘଟଣା ଉପରେ ମୋର ଗୁରୁତ୍ଵ ରହୁ ନ ଥିଲା । ଉଦ୍‌ବେଳିତ ମନ ମୋର ସେଇ ଅଦୃଶ୍ୟ ଶକ୍ତିଙ୍କ ଚିନ୍ତାରେ ବ୍ୟାକୁଳ ହୋଇ, ପାଦ ଦୁଇଟାର ଗତିକୁ ବଢ଼େଇ ଦଉଥିଲା ଆଗକୁ ଆଗକୁ I ସବୁ ମମତା, ସବୁ ସ୍ନେହ ମାୟା ବନ୍ଧନ ପଡ଼ି ରହୁଥିଲା ପଛକୁ ପଛକୁ । କୌଣସି କାରଣରୁ ଆଖି ଯେବେ ମୁଦି ହେଇଯାଉଥିଲା ତ ଦେଖା ଯାଉଥିଲା ସେହି ବିରାଟ ଜ୍ୟୋତି ।

ଅସ୍ତଗାମୀ ସୂର୍ଯ୍ୟ ଦିଗ୍‌ବଳୟରେ ମୁହଁଛପା ଦେଲେ । ସନ୍ଧ୍ୟା ହେଲା ଗୋଟିଏ ଛୋଟ ଗାଁ ନିକଟରେ । ଗାଁ’ଟିର ନାଁ ମନେ ନାହିଁ । ଗାଁ ମୁଣ୍ଡରେ ଗହଳିଆ ତୋଟାଟିଏ । ରାତି ବିଶ୍ରାମ ପାଇଁ ରେଳ ଧାରଣା ଛାଡ଼ି ଗାଁ ଭିତରକୁ ପଶିଲି । ପ୍ରଥମ ଘରଟିର ଗୃହସ୍ୱାମୀଙ୍କୁ ଅନୁରୋଧ ଜଣେଇଲି ତାଙ୍କର ଦାଣ୍ଡ ବାରଣ୍ଡାରେ ରାତିଟା କଟେଇବାକୁ । ଗୃହକର୍ତ୍ତା ହସି ହସି ମୋର ଅନୁରୋଧ ରକ୍ଷା କଲେ । ବିଶ୍ରାମ ପାଇଁ ଦେଲେ ମଶିଣା ଖଣ୍ଡିଏ । ମୋର ଭୋକ ନ ଥିଲେ ମଧ୍ୟ ଗୃହସ୍ଵାମୀଙ୍କ ରାତି ଭୋଜନ ଲାଗି ଆମନ୍ତ୍ରଣକୁ ରକ୍ଷାକଲି ।

ରାତି ପାହି ନ ଥିଲା । କାଉର ପହିଲି କା’ ଶବ୍ଦରେ ଉଠିପଡ଼ିଲି । ମଶିଣା ଖଣ୍ଡିକ ଗୁଡ଼େଇ ରଖି, ଗୃହସ୍ଥଙ୍କ ଉଦ୍ଦେଶ୍ୟରେ ମୋର ବିନମ୍ର ଶ୍ରଦ୍ଧା ଜଣେଇ, ବସ୍ତାନୀ ଖଣ୍ଡିକ ହାତରେ ଧରି ବାହାରିପଡ଼ିଲି ଦାଣ୍ଡକୁ I ଧରିଲି ପୁଣି ସେଇ ରେଳଧାରଣା ପଥ । ସୁଖର କଥା–ଏଭଳି ପାଦ ଚଲା ଯାତ୍ରାରେ ମେଘ, ପବନ ମୋର ପ୍ରତିବନ୍ଧକ ଭାବେ କେତେବେଳେ ଦେଖାଦେଇ ନ ଥିଲେ ।

ତା’ପରେ ବାଟ ଚାଲି ଚାଲି ଠିକ୍ ଦୁଇ ପ୍ରହର ବେଳକୁ ପହଞ୍ଚିଲି ଗୋଟିଏ ଗୋଖା ଗାଁରେ । ଗାଁ'ଟିର ପ୍ରତ୍ୟେକ ପରିବାର ପ୍ରାୟ ଶ୍ରମଜୀବୀ । କ୍ଷୁଧାତୁର ମୁଁ, ପୁଣି ଗୃହଛଡ଼ା, ସଂସାରଛଡ଼ା, ଜାତି, ଅଜାତି ବିଚାର କରିବାର ବା ଅବକାଶ କାହିଁ ? ଧନୀ, ଗରିବ, ଉଚ୍ଚ, ନୀଚ, ଛୁଆଁ, ଅଛୁଆଁ କିଛି ମୋର ମନରେ ନ ଥିଲା । ସମଗ୍ର ମଣିଷ ସମାଜରେ କେବଳ ଦୁଇଟି ଶ୍ରେଣୀ ମୁଁ ସ୍ଵୀକାର କରୁଥିଲି–ପୁରୁଷ ଏବଂ ସ୍ତ୍ରୀ ।

ବିକାର ନ ଥିଲା, ଲଜ୍ଜା ନ ଥିଲା, ମାନ, ଅପମାନ କିଛି ମୁଁ ବୁଝୁ ନ ଥିଲି । ଗାଁ ଭିତରକୁ ଚାଲି ଚାଲି ଯାଇ ଜଣଙ୍କ ଘରେ ଜଣେଇଲି ଅନ୍ନଭିକ୍ଷା ପାଇଁ । ମିଳିଗଲା ଗୋଟିଏ ରସବେଲାରେ ବେଲାଏ ପଖାଳ । ଆନନ୍ଦରେ ଶିବଙ୍କୁ ସମର୍ପଣ କରି ଖାଇଦେଲି ।

 

ପୁଣି ଚାଲିଲି ବାଟ । ସେଇ ଗାଁଟି ଛାଡ଼ିବା ପରେ ରେଳଧାରଣା ପଥ ତ୍ୟାଗ କରି ଧରିଲି ମାନ୍ଦ୍ରାଜ ଟ୍ରଙ୍କରୋଡ଼ । ଆସିଲା ସୁନାଖଳା ଗାଁ । ଶ୍ରୀ ଲୋକନାଥ ମଙ୍ଗରାଜଙ୍କ ଘର । ଗାଁର ଜମିଦାର ସେ । ଘର ଆଗରେ ଛୋଟ ବିଷ୍ଣୁ ମନ୍ଦିରଟିଏ । ଅତିଥ୍ୟ ଅଭ୍ୟାଗତଙ୍କ ଲାଗି ପ୍ରସାଦ ପାଇବାର ବ୍ୟବସ୍ଥା ଥିଲା । ସେଦିନ ରାତିର ରହଣିର ସ୍ଥାନ ହେଲା ସୁନାଖଳାର ସେଇ ମନ୍ଦିରଟି ।

 

ମୋର ଗୁରୁଙ୍କର ନିର୍ଦେଶ ଥିଲା–କେବେହେଲେ କୌଣସି ଧର୍ମକୁ ଛୋଟ, ବଡ଼ ମଣିବ ନାହିଁ । ସବୁ ଧର୍ମକୁ, ସବୁ ଧର୍ମ ସମ୍ପ୍ରଦାୟକୁ ସମ୍ମାନ ଓ ଭକ୍ତି କରିବ । ରାମାନୁଜ ଗୋଷ୍ଠୀ, ଗୌଡ଼ୀୟ ଗୋଷ୍ଠୀ, ଶାକ୍ତ ଗୋଷ୍ଠୀ ଅବା ଅଲେଖ ଗୋଷ୍ଠୀମାନଙ୍କ ଭିତରେ ବେଳେବେଳେ ଯେପରି ବିବାଦ ଦେଖାଦିଏ, ତାହା ଅନୁଚିତ । ସବୁ ଧର୍ମ ଏକ, ସବୁ ସମ୍ପ୍ରଦାୟଙ୍କ ଲକ୍ଷ୍ୟ ଏକ । ପ୍ରତ୍ୟେକ ଧର୍ମକୁ ସମ୍ମାନ କର ।

 

ଅନେକ ବୈଷ୍ଣବମାନଙ୍କର ବାରଣ ରହିଛି ସେମାନେ ଶିବ ପ୍ରସାଦ ଆହାର ନ କରିବାକୁ । ସେମିତି ହୁଏତ ଶିବ ଉପାସକମାନଙ୍କ ଭିତରେ କିଛି ବାରଣ ଥାଇପାରେ । ମାତ୍ର ମୋ ଦୀକ୍ଷାଗୁରୁ କହିଥିଲେ–ପ୍ରତ୍ୟେକ ଦେବାଦେବୀଙ୍କର ପ୍ରସାଦ ଗ୍ରହଣ କରିବାରେ ଆପତ୍ତି କରିବାର କିଛି ନାହିଁ ।

 

ଏହିପରି ରାତି ହେଲେ, ଗୋଟିଏ ସ୍ଥାନରେ ବିଶ୍ରାମ ନେଇ ସେଇ ରାତି ନ ପାହୁଣୁ ସେଠାରୁ ଯାତ୍ରା ମୋର ଆରମ୍ଭ କରେ । ଯୋଉଠି ସୂର୍ଯ୍ୟ ମଥା ଉପରକୁ ଆସନ୍ତି, ସେଇଠାରେ ଯଦି ଗାଁ ଗଣ୍ଡା କିଛି ପାଏ ତ ସେଠାକୁ ଯାଇ କାହା ଦୁଆରେ ଅନ୍ନଭିକ୍ଷା ପାଇଁ ଗୃହସ୍ଵାମୀଙ୍କୁ ଜଣାଏ, ନଚେତ ବାଟ ଚାଲେ । ସନ୍ଧ୍ୟା ଖୁବ୍ ପାଖେଇ ଆସିଲେ ଗାଁଟିଏ ଦେଖିଲେ ଅଟକିଯାଏ । ଗୁରୁଙ୍କର ଆଦେଶ ଥିଲା କିନ୍ତୁ ରାତି ଭୋଜନ ନ କରିବାକୁ । ମୁଁ ସେ ଆଦେଶକୁ ରକ୍ଷା କରିପାରୁ ନ ଥିଲି । ମିଳିଲେ ଖାଇ ନଉଥିଲି ।

 

ପହଞ୍ଚିଲି କେଶପୁରଠାରେ । ଖଲ୍ଲିକୋଟ ରେଳ ଷ୍ଟେସନ l ମାନ୍ଦ୍ରାଜ ଟ୍ରକ୍‌ରୋଡ଼ ସିଧା ଗୋଟିଏ ଛୋଟ ଘାଟୀ ଦେଇ ରମ୍ଭା, ଛତ୍ରପୁରକୁ ଯାଇଥିଲେ ମଧ୍ୟ ମୁଁ ଖଲ୍ଲିକୋଟ ଗଡ଼ ବାଟେ ଯିବାକୁ ସ୍ଥିର କଲି, କାରଣ ଦିନ ପ୍ରାୟ ସରି ଆସିଥାଏ । ବେଳ ବୁଡ଼ିବାକୁ ଅଳ୍ପ ସମୟ ବାକି ଥାଏ । କେଶପୁରଠାରୁ ଖଲ୍ଲିକୋଟ ରାସ୍ତା ମୋର ଜଣାଶୁଣା ରାସ୍ତା ଥିଲା । ଏଣୁ ରାତିରେ ଖଲ୍ଲିକୋଟ ଗଡ଼ରେ ରହିବାକୁ ମନ ଚାହିଁଲା ।

 

ଶ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଘରେ ଅତିଥି ହେଲି ସେଦିନ । ସେମିତି ରାତି ପାହିବା ଆଗରୁ ବିଛଣା ପାଇଁ ଦେଇଥିବା ସପ ଖଣ୍ଡିକ ଗୁଡ଼େଇ ଯଥା ସ୍ଥାନରେ ରଖିଦେଇ ଚାଲିଲି ମୋର ଗନ୍ତବ୍ୟ ପଥରେ । ଅତୀତର ସ୍ମୃତି ସମ୍ବଳିତ ପ୍ରାକୃତିକ ସ୍ଥାନ ନିର୍ମଳ ଝର ନିକଟରେ ମୁଁ ପହଞ୍ଚିଲାବେଳକୁ ଅନ୍ଧାରୁଆ ଅବସ୍ଥା ଥିଲା । ତା’ର ଦର୍ଶନ ପାଇଁ ମନ ନ ବଳେଇ ନିର୍ମଳ ଝର ନିର୍ଗତ ହୋଇଥିବା ସେହି ବିଶାଳ ପର୍ବତଟିକୁ ପ୍ରଦକ୍ଷିଣ କରି ରମ୍ଭା ସଡ଼କରେ ଆଗେଇ ଗଲି ଆଗକୁ ।

 

ରମ୍ଭା ଅତିକ୍ରମ କରି ଗଲାପରେ ଖରା ଖୁବ୍ ପ୍ରବଳ ଅନୁଭବ କଲି । ଆଗରେ ପଡ଼ିଲା ଗାଁଟିଏ । ସେଇ ଗାଁ ନିକଟରୁ ଲମ୍ବିଯାଇଛି, ଅନେକ ଦୂର ପର୍ଯ୍ୟନ୍ତ ଲୁଣ କ୍ଷେତ । ଲୁଣ ଆମଦାନୀର ପ୍ରଧାନ ପେଣ୍ଠ । ଗଛବୃଛ କିଛି ନ ଥାଏ । କେବଳ ଛୋଟ ଛୋଟ ଲୁଣ ପଟାଳି ଟ୍ରଙ୍କ୍ ରୋଡ଼କୁ ଲାଗି, ସେଇ ଗାଁଟିରେ ଜଣେ ସାହୁକାରଙ୍କ ଘରେ ସେଦିନ ଖରାବେଳେ ଖାଇବାକୁ ପାଇଲି–ଗରମ ଭାତ, ଡାଲି ଆଉ ଛେଳି ଘିଅ । କୁମୁଟି ଥିଲେ ଗୃହସ୍ଥ । ସାଧୁ, ଅତିଥିମାନଙ୍କୁ ଦେଖ‌ିଲେ ବେଶ୍ ଆଦର, ସମ୍ମାନ କରିବାରେ ଅଭ୍ୟସ୍ତ ଥିଲା ପରି ମୋର ମନେହେଲା ।

 

ଏଇଭଳି ବାଟ ଚାଲିବା ପରେ ମୋର ଛ’, ସାତ ଦିନ ଗତ ହେଇଯାଇଥିଲା । ସେଦିନ ଦିନ ପ୍ରାୟ ରତ ରତ । ଚାଲୁଥାଏ ମୁଁ । ଆଗରେ ପଡ଼ିଲା ଗଞ୍ଜା ରେଳ ଷ୍ଟେସନ । ଦେଖିଲି–ପାସେଞ୍ଜର ଗାଡ଼ିଟିଏ ପ୍ଲାଟଫର୍ମରେ ଠିଆ ହୋଇଛି । ଛୋଟ ଷ୍ଟେସନ, ଗାଡ଼ି ପ୍ରାୟ ଛାଡ଼ିବା ଉପରେ । କାହିଁକି କେଜାଣି ଅତୀତର ପ୍ରତିଜ୍ଞା ପାସୋରି ପକେଇଲି ମୁଁ । ବିଳମ୍ବ ନ କରି ଗୋଟିଏ ଡବାରେ ଉଠିଯାଇ ଗୋଟିଏ ବେଞ୍ଚତଳେ ଶୋଇପଡ଼ିଲି । ମୋର ମନରେ ଭୟ ଥିଲା କାଳେ କିଏ ମୋତେ ବିନା ଟିକଟରେ ଯାଉଥ‌ିବା ଜାଣି ଗାଡ଼ିରୁ ବାହାର କରିଦେବ । ଯାହାହେଉ, କେହି କିନ୍ତୁ ମୋ ଉପରେ ବିଶେଷ ଦୃଷ୍ଟି ଦେଇ ନ ଥିଲେ ଏବଂ ବେଶ୍ ସୁବିଧାରେ ବେଞ୍ଚତଳେ ଗୀତା ଓ ଭାଗବତ ବସ୍ତାନୀ ମୁଣ୍ଡତଳେ ଦେଇ ଗଡ଼ିପଡ଼ିଲି ଯାତ୍ରୀମାନଙ୍କ ପାଦତଳେ ।

 

ବାଟ ଚାଲି ଥକିପଡ଼ିଥିଲି । ଗାଡ଼ି ଚାଲିବା ସଙ୍ଗେ ସଙ୍ଗେ ଆଖି ମାଡ଼ି ପଡ଼ିଲା, ନିଶ୍ଚିନ୍ତ ନିଦରେ ଶୋଇପଡ଼ିଲି । ନିଦ ଯେତେବେଳେ ଭାଙ୍ଗିଲା, ସେତେବେଳକୁ ଅନେକ ବାଟ ଆଗେଇ ଯାଇଥିଲି । କ୍ଷୁଧାରେ ପେଟ, ପିଠି ଲାଗି ଯାଇଥିଲା । ମୁହଁ ଗନ୍ଧଉଥିଲା । ଦେହରେ ବଳ ନ ଥିଲା, ଉଠିବାକୁ ଶକ୍ତି ନ ଥିଲା । ପୁଣି ଶୋଇପଡ଼ିଲି । ଏଥର ନିଦ ଭାଙ୍ଗିଲାବେଳକୁ ଟୁନୀ ରେଳ ଷ୍ଟେସନ-

 

ଭାଗ୍ୟରେ ଖରାପ ଯୋଗ ପଡ଼ିଲା । ବେଞ୍ଚ ତଳୁ ବାହାରିଲି । ପାଦ ଖାଲି ଏପେଟ ସେପଟ ପଡ଼ୁଥାଏ । ଦେଖିଲି ଖୁବ୍ ବଡ଼ ଷ୍ଟେସନଟାଏ । ଗାଡ଼ିଟା ଅନେକ ସମୟ ସେଠାରେ ପଡ଼ି ରହିଲା । ସେଇ ରେଳଡ଼ବାର ଦୁଆର ମୁହଁରେ ମୁଁ ଟିକିଏ ଠିଆ ହୋଇ ବାହାରକୁ ଅନେଇଛି, ଯାହା ଆଖିରେ ପଡ଼ିଲା, ସେଥିରେ ମୋର ଉପାସିଆ ଦେହଟା ଚମକି ପଡ଼ିଲା । ପ୍ଲାଟଫର୍ମରେ ବିନା ଟିକଟ ଯାତ୍ରୀଙ୍କ ଉପରେ ଚାଲିଛି ପୁଲିସଙ୍କର ଅତ୍ୟାଚାର । ଠିକ୍ ଏହି ସମୟରେ ମୋ ଉପରେ ପଡ଼ିଲା ପୁଲିସର ନଜର । ଜଣେ ଜି.ଆର.ପି. ପୁଲିସ ଦଉଡ଼ି ଆସି ସେଇ ଡବାର ଦୁଆର ମୁହଁରୁ ଘୋଷାରି ନେଲା ମୋତେ I ଯୋଉ ଲୋକଗୁଡ଼ିକ ଆଗରୁ ଧରାଯାଇଥିଲେ ସେମାନଙ୍କ ଭିତରେ କେବଳ ଏକା ମୁଁ ଗେରୁଆ ପୋଷାକଧାରୀ ।

 

ସେଇ ପୁରୁଣା ଦଳଟି ସହିତ ମୋତେ ନେଇ ସାମିଲ କରିଦିଆଗଲା । ମୋ ଦେହରେ ପ୍ରାଣ ନଥିଲା ପରି ମୁଁ ଅନୁଭବ କରୁଥାଏ । ପ୍ଲାଟଫର୍ମରେ ଥ‌ିବା ଜି.ଆର.ପି.ପୁଲିସ ଅଫିସରେ, ଆମ ସମସ୍ତଙ୍କୁ ଜଣେ ସିପାହୀ ଖଣ୍ଡିଏ ବେତଧରି ପଶୁମାନଙ୍କୁ ଅଡ଼େଇ ନେଲାଭଳି ଅଡ଼େଇ ନେଇ ସେଇ ଅଫିସ ଘରେ ପୂରେଇଦେଲା ।

 

ଆମେମାନେ ସଂଖ୍ୟାରେ ଥିଲୁ ଅନେକ ବେଶି । ମୋତେ ଛାଡ଼ି ଅନ୍ୟ ଯୋଉମାନେ ବିନା ଟିକଟ ଯାତ୍ରୀ ହିସାବରେ ଧରା ପଡ଼ିଥିଲେ, ସେମାନେ ପ୍ରାୟ ସମସ୍ତେ ଥିଲେ ପଚିଶରୁ ତିରିଶ ବର୍ଷ ବୟସର ଲୋକ । ପ୍ରତ୍ୟେକଙ୍କ ଚେହେରାରେ କେମିତି ଗୋଟାଏ ଅସଂଯତ ଭାବ ପ୍ରକାଶ ପାଉଥିଲା । ସେମାନଙ୍କ ଦେହର ବଳିଷ୍ଠ ମାଂସପେଶୀ ଦେଖି ମନେହେଉଥିଲା ପୁଲିସଙ୍କ ନିଷ୍ଠୁର ପ୍ରହାରକୁ ସହିଗଲା ଭଳି ଯଥେଷ୍ଟ ଶକ୍ତି ରହିଛି । ସାମାନ୍ୟ ବେତମାଡ଼ ସେମାନଙ୍କ ନିକଟରେ କିଛି ନୁହେଁ । ସେମାନେ କେବଳ ରେଳ ଗାଡ଼ିରେ ବିନା ଟିକଟରେ ଯିବା ଆସିବା କରନ୍ତି ନାହିଁ, ଅସଲ ଲକ୍ଷ୍ୟ ତାଙ୍କର ରେଳବାଇର ସମ୍ପତ୍ତି ଅପହରଣ କରିବା, ଯାତ୍ରୀଙ୍କ ଧନ ସମ୍ପତ୍ତି ଲୁଟିବା ଇତ୍ୟାଦି ଇତ୍ୟାଦି ।

 

ମୁଁ ଲକ୍ଷ୍ୟ କଲି–ସେଇ ଦଳଟି ଭିତରୁ ଅନେକ ପ୍ରାୟ ଏ ଘଟଣାର ବହୁ ପୂର୍ବରୁ ପୁଲିସ କର୍ମଚାରୀମାନଙ୍କ ଭିତରୁ କାହାରି କାହାରି ସହିତ ପରିଚିତ ଥିଲାପରି । ଅପରାଧୀ ଭାବରେ ସେମାନେ ଧରା ହେଇଥିଲେ ମଧ୍ୟ, ସମସ୍ତଙ୍କ ମୁହଁରେ ବେଶ୍ ପ୍ରଫୁଲ୍ଲତା ଥିଲା । ମୁଁ କେବଳ ଏକା ସେଇ ଦଳଟି ଭିତରେ ଥିଲି ଅନ୍ୟ ଗୋଷ୍ଠୀର । ତା’ ନହେଲେ ସେମାନେ ସମସ୍ତେ ପ୍ରାୟ ଗୋଟିଏ ଗୋଷ୍ଠୀର ।

 

ସେଇ ପୁଲିସ ଅଫିସ ଘରେ ଗୋଟାଏ ବିରାଟ ମେଜ ଏବଂ ତାର ଚାରିପଟେ କେତେ ଖଣ୍ଡି ଚୌକି । ଗୋଟିଏ ଚୌକିରେ ବସିଥିଲେ ବଡ଼ ବାବୁ । ଭଦ୍ରଲୋକ ଖୁବ୍ ଗମ୍ଭୀର ଦିଶୁଥୁଲେ । ସେଇ ଭଦ୍ରଲୋକ ପ୍ରଥମେ ମୋରି ଉପରୁ ତାଙ୍କର କର୍ତ୍ତବ୍ୟ ଆରମ୍ଭ କଲେ । ମୋର ସେଇ ଗୀତା, ଭାଗବତର ବସ୍ତାନିଟି ଖୋଲିଲେ । ସେଥ‌ିରେ ଥିଲା କେତେ ଖଣ୍ଡି ପୋଷ୍ଟକାର୍ଡ଼, ଖଣ୍ଡିଏ କଲମ, ଗୋଟିଏ ରୁଦ୍ରାକ୍ଷ ମାଳି, ଆଉ ଗୀତା, ଭାଗବତ, ସପ୍ତସତୀ ଚଣ୍ଡୀ ।

 

ପୁଲିସ ଅଫିସର ହଠାତ୍‌ କ୍ରୋଧରେ ଲାଲ ହେଇଗଲେ । କଲମଟି ହାତରେ ଉପରକୁ ଉଠେଇ କର୍କଶ ସ୍ଵରରେ ପଚାରିଲେ ମୋତେ–

 

‘‘ହେ ସାଧୁକା ବଚ୍ଚା, କଲମ୍ କାହାଁ ସେ ଲାୟା ?”

 

‘‘କଲମ ମେରା ହୈ ବାବା ।”

 

‘‘ଝୁଟ୍ ବୋଲ୍‌ତା ହୈ, ଜରୁର୍ ଚୋରି କିଆ ?”

 

“ନେହିଁ ବାବା, ସଚ୍ଚ୍‌ ବୋଲତା ହୁଁ, କଲମ ମେରା ହୈ ।”

 

ବାସ୍, ଏତିକି କଥାରେ ପୁଲିସ ଅଫିସରଙ୍କ ମୁହଁର ରଙ୍ଗ ବଦଳିଗଲା । ପୁଣି ସେଇ ଗମ୍ଭୀର ସ୍ଵାଭାବିକ ରୂପଧାରଣ କଲେ ସେ । ମୁଁ ବୁଝିପାରିଲି ସେଇ ଅଫିସରଙ୍କ ହୃଦୟରେ ଥିଲା ଦୟା ଓ କ୍ଷମା ଗୁଣର ଏକ ସୁଶୀତଳ ନିର୍ଝର । ପ୍ରକୃତ ସାଧୁ କିଏ ଏବଂ ଅସାଧୁ କିଏ, ଏଇ ଗୁଣକୁ ଚିହ୍ନିବାର ଯେଉଁ ସ୍ଵତନ୍ତ୍ର ଗୁଣ, ବିଶେଷକରି ପୁଲିସ ଅଫିସରମାନଙ୍କର ରହିବା ଉଚିତ୍ । ସେଇ ସ୍ୱତନ୍ତ୍ରତାର ସେ ଥିଲେ ପ୍ରତୀକ ଯାହା ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କ ନିକଟରେ ଖୋଜିବା ବିଡ଼ମ୍ବନା ।

 

ପୁଲିସ ଅଫିସରଙ୍କ ଆଦେଶରେ ମୋତେ ମୋର ବସ୍ତାନୀ ଖଣ୍ଡିକ ଫେରେଇ ଦେଇ ମୁକ୍ତ କରିଦିଆଗଲା । ସମୟ ପ୍ରାୟ ଦିନ ଦଶଟା କିମ୍ବା ଏଗାରଟା ହେବ । ସର୍ବଗ୍ରାସୀ କ୍ଷୁଧା, ସେତେବେଳେକୁ ମୋର ଅନ୍ତର ଦହନରେ ବ୍ୟସ୍ତ ଥିଲା । ମୁଁ ଭୋକରେ ଅଧୀର ହୋଇ ଟୁନି ଷ୍ଟେସନର ପ୍ଲାଟ୍‌ଫର୍ମ ଛାଡ଼ି ସହର ଭିତରକୁ ପଶିଲି ଅନ୍ନ ଯୋଗାଡ଼ରେ । ମାତ୍ର କେହି ଜଣେ ହେଲେ ମୋ ପ୍ରତି ସଦୟ ହେଲେ ନାହିଁ । ବିଶେଷ ବଡ଼ ସହର ନ ହେଲେ ମଧ୍ୟ ତାକୁ ଛୋଟ ବୋଲି କୁହାଯାଇ ନ ପାରେ । କେବଳ ଭୋକ ପେଟରେ ବାଟଗୁଡ଼ାଏ ଚାଲିବାହିଁ ସାର ହେଲା । ଅନେକ ଗୃହସ୍ଥଙ୍କୁ ମୋର ଅନୁରୋଧ ଜଣେଇ ଅନ୍ନଭିକ୍ଷା ମାଗିଲି । କାହାରି ଦୟା ପାଇଲି ନାହିଁ । ଶେଷରେ ନିରାଶରେ ସହରରୁ ଫେରି ଆସି ପୁଣି ସେଇ ଟୁନି ଷ୍ଟେସନ ପ୍ଲାଟ୍‌ଫର୍ମର ମୁଷାଫିରଖାନାର ଖଣ୍ଡିଏ କାଠ ବେଞ୍ଚରେ ବସିପଡ଼ିଲି ।

 

ଭୋକେ ଓଡ଼ିଆ ନିଦ ଯାଏ । ମୁଁ ଏବେ ଯୋଉ ଅବସ୍ଥାରେ ଥାଏନା କାହିଁକି, ମୁଁ ସେଇ ଓଡ଼ିଆ । ଭୋକ ବାଧାରେ ଆଖୁ ମୋର ମୁଦି ହେଇଗଲା । ଏ କ’ଣ ? ପୁଣି ସେଇ ଜ୍ୟୋତି ? ସେଇ ବିରାଟ ଦୀପ ଶିଖା ମୋର ଚାରିପାଖରେ ଘୁରିବାକୁ ଲାଗିଲା । ଆଶ୍ଚର୍ଯ୍ୟ କଥା, ଦୀପଶିଖାର ସେଇ ଜ୍ୟୋତିଟି ମୋର ଦେହକୁ ଛୁଇଁଲା ପରି ମୋର ଚତୁର୍ଦ୍ଦିଗରେ ଘୁରୁଥିଲେ ମଧ୍ୟ ମୁଁ ତାର କୌଣସି ଉତ୍ତାପ ଅନୁଭବ କରୁ ନ ଥିଲି, ଅନୁଭବ କରୁଥିଲି ଏକ ଶାନ୍ତ–ସ୍ନିଗ୍ଧ–ଶୀତଳତା ।

 

ଆଖି ଖୋଲି ହୋଇଗଲା । ଦେଖିଲି, ମୋର ବସିଥିବା ବେଞ୍ଚ ପାଖରେ ଗୋଟିଏ ବୃଦ୍ଧ ଫେରିବାଲା ତା’ର ଡାଲାପୂର୍ଣ୍ଣ କଦଳୀ, କମଳା, ପିଜୁଳି, ଅଙ୍ଗୁର ଧରି ଠିଆ ହୋଇଛି । ମୁଁ ତାକୁ ଚାହିଁବାରୁ ପଚାରିଲେ ସେ ।

 

“ସାଧୁ ବାବା, କାହାଁ ସେ ଆୟା ?”

 

“କାହାଁ ଯାନା ହୈ ?”

 

“ରାମେଶ୍ୱରମ୍ ।”

 

“କୁଛ୍‍ ଖାନେ କୋ ମିଲା ?”

 

“ନୈହିଁ ବାବା, ମେଁ ଭୂଖା ହୁଁ ।”

 

ଆଉ ବିଳମ୍ବ ହେଲା ନାହିଁ । ଦୁନିଆର ମାଲିକ ସେଇ ବୃଦ୍ଧ ଅନ୍ତରରେ ରହି ମୋର ଦୁଃଖ ଦୂର କଲେ । ବୃଦ୍ଧ ଲୋଭ ତ୍ୟାଗ କରି ଚାରିଟା କଦଳୀ, ପିଜୁଳି, କିଛି ଅଙ୍ଗୁର ଖଣ୍ଡେ କାଗଜରେ ରଖି ମୋ ପାଖରେ ଥୋଇଦେଲେ । ପାଖରେ ବସିଲେ ଏବଂ ଅନୁରୋଧ କଲେ ଖାଇବାକୁ । ମୋର ମନେହେଲା ଜଗତ ପିତା ମୋ ନିକଟରେ ବସି, ମୋତେ ଯେମିତି ନିର୍ଭୟ ବାଣୀ ଶୁଣଉଛନ୍ତି–“ଭୟ ନାହିଁ, ନିର୍ଭୟରେ ଖାଇ ଦେ ।”

 

ସେହି ମୁହୂର୍ତ୍ତରୁ ସେଠାରେ ମୋର ସବୁ ଦୁଃଖ ଉଭେଇଗଲା । ସେଇ ବୃଦ୍ଧ ମୋତେ ବତେଇଦେଲେ, ରାତି ଗାଡ଼ିରେ ତୁମେ ଚାଲିଯିବ ଅସୁବିଧା ହେବ ନାହିଁ ।

 

ସେଦିନ ସେଇ ଟୁନି ପ୍ଲାଟ୍‌ଫର୍ମରେ ଦିନଟି କଟିଥିଲା ଓ ତା’ପର ଠିକ୍ ସନ୍ଧ୍ୟା ପାଖେଇ ଆସିଲା ପରେ ପୁଣି ଗୋଟିଏ ଗାଡ଼ିରେ ଉଠିଥିଲି ଏବଂ ଗୋଦାବରୀ ନିକଟରେ ଗୋଟିଏ ଷ୍ଟେସନରେ ଗାଡ଼ିରୁ ଓହ୍ଲେଇଥିଲି । ଗୋଦାବରୀ ନଦୀ ଆମ ଓଡ଼ିଶାର ମହାନଦୀଠାରୁ ଖୁବ୍ ବଡ଼ ଏବଂ ଗଭୀର ଥିଲାପରି ମନେହେଲା । ଗୋଳିଆ ପାଣି ତାର ଦୁଇ କୂଳ ଲଂଘୁଥାଏ । ଏଠାରେ ମୋତେ ଆଉ କେହି ପୁଲିସ ଧରି ନ ଥିଲେ । ପ୍ଲାଟ୍‌ଫର୍ମ ଛାଡ଼ି ସହର ଭିତରକୁ ଗଲି । ସହରରେ ଗୋଟିଏ ଦୁଇଟି ସ୍ଥାନରେ ସାଧୁମାନଙ୍କୁ ଖାଦ୍ୟ ଦେବାର ବ୍ୟବସ୍ଥା ଥିଲା ।

 

ଗୋଦାବରୀରେ ମୁଁ ଦୁଇ ତିନିଦିନ ରହିଗଲି ଏବଂ ସେଠାକାର ଜଳବାୟୁ ମୋତେ ଅସୁସ୍ଥ କରିପକେଇଲା । ନଦୀର ନୂଆପାଣିରେ ଗାଧୁଆ ଓ ଅରୁଆ ଭାତ ସାଙ୍ଗକୁ ଅତ୍ୟଧିକ ରାଗ ତରକାରୀ ଖାଇବା ଫଳରେ ନାଳ ରକ୍ତ ମିଶା ଝାଡ଼ା ଆରମ୍ଭ ହେଲା । ଆଗକୁ ବଢ଼ିବାର ସାହସ ହେଲା ନାହିଁ । ତେବେ ସେଠାରେ ଅନେକ ସାଧୁ ସନ୍ଥଙ୍କ ଦେଖା ମିଳିଥିଲା, ଯାହା ଯୋଗୁଁ ମୁଁ ନିଜକୁ ସେତେଟା ଏକୁଟିଆ ବୋଲି ମନେକରିପାରୁ ନ ଥିଲି । ବିଭିନ୍ନ ଅଞ୍ଚଳର ସାଧୁମାନଙ୍କ ସାନ୍ନିଧ୍ୟ ସେଠାରେ ମିଳିବା ଯୋଗୁଁ, ଗୋଦାବରୀ ସହରର ବିଭିନ୍ନ ମନ୍ଦିର ଓ ତା’ର ସଦାବ୍ରତ ବିଷୟରେ ଅନୁସନ୍ଧାନ କରିବାକୁ ପଡ଼ୁ ନ ଥିଲା ।

 

ମୁଁ ସୁସ୍ଥ ସବଳ ହୋଇଗଲି । ଗୋଦାବରୀ ନଦୀର ପବିତ୍ର ଜଳ ମଥାରେ ସିଞ୍ଚି, ଦିନେ ଗୋଟିଏ ରେଳଗାଡ଼ିରେ ଯାତ୍ରାକଲି ମାନ୍ଦ୍ରାଜ ଅଭିମୁଖେ । ଗୋଦାବରୀଠାରୁ ମାନ୍ଦ୍ରାଜ ସହର ଦୀର୍ଘ ପଥ । ବାଟରେ ଆଉ କୋଉଠି ଗାଡ଼ିରୁ ଓହ୍ଲେଇନଥିଲି ।

 

ଗାଡ଼ି ଚାଲିଥାଏ । ମୁଁ ବସିଥାଏ ଗୋଟିଏ ଥାର୍ଡ଼କ୍ଲାସ୍ ଡବାରେ । ମୋର ଦୁଇ କଡ଼ରେ ଅନ୍ୟାନ୍ୟ ଯାତ୍ରୀମାନେ ବସିଥା’ନ୍ତି । ପୁଣି ପଡ଼ିଥାଏ ମୋର ଲମ୍ବା ଉପବାସର ଯୋଗ । ଆଗରେ ପଡ଼ିବ ମାନ୍ଦ୍ରାଜ ସହରର ବିଶାଳ ରେଳବାଇ ପ୍ଲାଟ୍‌ଫର୍ମ । ମୋର ସାମନା ବେଞ୍ଚରେ ବସିଥିଲେ ଜଣେ ବପୁବନ୍ତ ବ୍ୟକ୍ତି, ମୁହଁରେ ଲମ୍ବାଦାଢ଼ି, ପରିଧାନ ଥିଲା ଗୈରିକ କପଡ଼ା ଓ ଲମ୍ବା ପଞ୍ଜାବୀ । ବର୍ଷ ଥିଲା... ହରିଦ୍ରା ସହିତ କୁଙ୍କୁମ ମିଶ୍ରିତ ପରି । ଅର୍ଥାତ୍ ତମ୍ବା ରଙ୍ଗ । ଭଦ୍ରଲୋକ ସନ୍ନ୍ୟାସୀ ନ ଥିଲେ, ଥିଲେ ଗୃହୀ ।

 

ମୁଁ ଲକ୍ଷ୍ୟ କରୁଥିଲି–ଭଦ୍ରଲୋକ ତାଙ୍କ ନିକଟରେ ବସିଥିବା ଜଣେ ବନ୍ଧୁଙ୍କ ସହିତ ମୋତେ କେନ୍ଦ୍ର କରି କ’ଣ କଥାବାର୍ତ୍ତା କରୁଥିଲେ ଆରୁଆ ଭାଷାରେ, ମୋର ବୁଝିବାର ‘ଜୁ’ ନ ଥିଲା-

 

ହଠାତ୍ ମୋତେ ଚାହିଁ ପ୍ରଶ୍ନ କଲେ–

 

“କାହାଁ ଯାଏ ଗା ?”

 

“ମାଡ୍ରାସ ।”

 

“ଟିକଟ କିଆ ହୈ ?”

 

“ନେହିଁ” ?

 

“ଇତନା କମତି ଉମର ମେ ସାଧୁ ହୋନେ କା କ୍ୟୁଉଁ କୋସିସ୍ କିଆ ?”

 

“ଈଶ୍ଵର କା ନାମ ଲେନେ କେ ଲିଏ ଉମର୍‌କା ସୱାଲ କାହାଁ ?

 

ଭଦ୍ରଲୋକ ମୋ ଉତ୍ତରର ଅର୍ଥ କ’ଣ ବୁଝିଲେ କେଜାଣି, ସାଙ୍ଗେ ସାଙ୍ଗେ ଦୁଇଟି ତମ୍ବା ପଇସା ମୋ ହାତରେ ଦେଇ କହିଲେ, “ଆନେବାଲା ଷ୍ଟେସନ ମାଡ୍ରାସ କା ହୈ ।”

 

ମାଡ୍ରାସ ସହରର ବିରାଟ ରେଳବାଇ ପ୍ଲାଟଫର୍ମ ଭିତରେ ପଶି ଅନୁଭବ କଲି, ମାନ୍ଦ୍ରାଜ ଟାଉନର ବିଶାଳତା ସମ୍ପର୍କରେ । ମୋ’ପରି ଏକ ଅତି କ୍ଷୁଦ୍ର ବିନାଟିକଟ ଯାତ୍ରୀ ସେଇ ବିଶାଳତା ମଧ୍ୟରେ କୁଆଡ଼େ ଯେ ହଜିଗଲା, ଯାହାକୁ ଖୋଜି ପାଇବା ରେଳବାଇ କର୍ମଚାରୀଙ୍କ ପକ୍ଷେ ଥିଲା ଅତି କଠିନ ବ୍ୟାପାର ।

 

ପ୍ଲାଟ୍‌ଫର୍ମ ବାହାରକୁ ଆସି ଦେଖିଲି, ଦକ୍ଷିଣ ଭାରତର ବିଖ୍ୟାତ କର୍ମମୁଖର ମାଡ୍ରାସ ନଗରର ସନ୍ଧ୍ୟାକାଳୀନ ଶୋଭା । ସନ୍ଧାନ ନେଲି ସହରରେ ସାଧୁ, ସନ୍ନ୍ୟାସୀମାନଙ୍କର ଆଶ୍ରୟସ୍ଥଳୀ କେଉଁଠି । ବିଳମ୍ବ ହେଲା ନାହିଁ । ବିଖ୍ୟାତ ସାହୁକାର ପେଟମ୍‌ର ଖବର ପାଇ ଚାଲିଲି ଆଗକୁ । ମାନ୍ଦ୍ରାଜ ଟାଉନ୍‌ରେ ମାରୁଆଡ଼ିପଟି, ଅନ୍ୟାନ୍ୟ ସହରର ମାରୁଆଡ଼ିପଟି ପରି ପ୍ରାୟ ସମାନ । ଏ ଜାତି ପ୍ରାୟ ଭାରତର ସବୁ ସ୍ଥାନରେ ନିଜର ଆଧିପତ୍ୟ ବିସ୍ତାର କରିଚାଲିଛି । ଏମାନଙ୍କ ନିକଟରେ ଚିରଚଞ୍ଚଳା ଲକ୍ଷ୍ମୀ ଠାକୁରାଣୀ, ବନ୍ଦିନୀପ୍ରାୟ । ବ୍ୟବସାୟରେ ଏମାନେ ନିଜର ବାପାଙ୍କୁ ମଧ୍ୟ ପାହିଟିଏ ଛାଡ଼ିବାକୁ ବିମୁଖ; କିନ୍ତୁ ଧର୍ମ ଚେତନା ଭାରତୀୟ ଯେ କୌଣସି ଜାତିଠାରୁ ଖୁବ୍ ପ୍ରଖର ।

 

ସେଠାରେ ଅନ୍ୟାନ୍ୟ ଅଞ୍ଚଳର ସାଧୁଙ୍କ ସହିତ ମୋର ଦେଖାସାକ୍ଷାତ୍ ହେଲା । ପଚାରି ବୁଝିଲି, ଅଭ୍ୟାଗତ ହିସାବରେ ଜଣେ ସେଠ୍ ପ୍ରତିଦିନ ନୂଆ ସାଧୁ ଦେଖିଲେ ଟିଣ ପା’ରେ ପାଏକରି ଭଜାବୁଟ ଦାନ କରନ୍ତି । ଆଉ ଜଣେ ସେଠ୍‌ଜୀ ସାତଦିନ ପର୍ଯ୍ୟନ୍ତ ଜଣେ ସାଧୁଙ୍କୁ ତାଙ୍କ ଧର୍ମଶାଳାରେ ଆଶ୍ରୟ ଦେଇ, ନିଜ ବାସଭବନରେ ନିଜେ ରାନ୍ଧି ପରଟା ଏବଂ ଆଳୁ ତରକାରୀ ଖାଇବାକୁ ଦିଅନ୍ତି । ଯୋଉ ସାଧୁ ଚାରିଖଣ୍ଡରୁ ଅଧ‌ିକ ପରଟା ଖାଇବେ, ସେ ସାଧୁଙ୍କୁ ଦୁଇ ଟଙ୍କା ଦକ୍ଷିଣା ଓ ଖଣ୍ଡେ ଲୁଗା ମିଳିବ ।

 

ମୋ’ପରି ଜଣେ କ୍ଷୁଦ୍ରକାୟ ଅଳ୍ପାହାରୀ ସେ ବ୍ୟବସ୍ଥା ଦ୍ୱାରା ବିଶେଷ ଲାଭବାନ ହୋଇନଥିଲା । ଜଣେ ଜଣେ ନାଗା ସାଧୁ ଆଠଖଣ୍ଡ ପରଟା ଖାଇ ଉତ୍ତମ ଦକ୍ଷିଣା ସହ ଆଶୀର୍ବାଦ କରି ସେଠାରୁ ଫେରୁଥିଲେ ।

 

ଆଉ ଜଣେ ସାଧୁପ୍ରିୟ ସେଠ୍‌ଜୀ ବ୍ୟବସ୍ଥା କରିଥିଲେ, ତାଙ୍କ ଧର୍ମଶାଳାରେ ଜଣେ ସାଧୁଙ୍କୁ ତିନିଦିନ ରଖି ପ୍ରତିଦିନ ଅଟା, ଘିଅ, ଚିନି, ସବ୍‌ଜି ଯୋଗେଇଦବାକୁ ।

 

ଏସବୁ ବ୍ୟବସ୍ଥା କଥା ଶୁଣି ମାନ୍ଦ୍ରାଜ ସହରରେ ସେଦିନ ପ୍ରଥମ ରାତିଟିଏ ପାଏ । ଭଜାବୁଟରେ ଆହାର କାମ ଶେଷକରି ଗୋଟିଏ ମନ୍ଦିର ବାରଣ୍ଡାରେ ଆଶ୍ରୟ ନେଲି । ସକାଳ ହେଲା । ରାତିର ଅଧା ଅନ୍ଧାର, ଅଧା ଆଲୁଅ ଭିତରେ ସେହି ସଭ୍ୟ ନଗରୀର ସମ୍ପୂର୍ଣ୍ଣ ରୂପ ଦେଖିବାର ସୌଭାଗ୍ୟ ମୋର ହୋଇନଥିଲା । ସକାଳ ସୂର୍ଯ୍ୟର ପ୍ରଥମ କିରଣରେ ଆଖି ଦୂରେଇ ଦେଖିବାର ସୁଯୋଗ ପାଇଲି ।

 

Unknown

ସାଧୁ ବା ଫକୀର ଏମାନେ ପ୍ରତ୍ୟେକ, ଗୋଟିଏ ଗୋଷ୍ଠୀର ବୋଲି ବୁଝିବାକୁ ହେବ । ଧର୍ମ ଏମାନଙ୍କର ଅଲଗା ଅଲଗା ହେଇପାରେ; ମାତ୍ର ମାର୍ଗ ଏକ । ସମାଜର ଆବିଳତାଠାରୁ, ବହୁ ଦୂରରେ ଏମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ସମାଜ ସଂସ୍କାରକ ବୋଲି ଧରିନେବାକୁ ହେବ । ନିର୍ମଳ ବିଚାରଧାରା ଏମାନଙ୍କର ପ୍ରଧାନ ଚିନ୍ତାର ବିଷୟ I ଏମାନଙ୍କର ତ୍ୟାଗର ଗୁଣ ମୁଖ୍ୟ ଗୁଣ ହେବା ଉଚିତ୍ । ଏଣୁ ପ୍ରକୃତ ସାଧୁ ବା ଫକୀର ସର୍ବଦା ଲୋକାଳୟକୁ ପସନ୍ଦ ନ କରି ଘନ ବନର ନିର୍ଜନ ସ୍ଥାନକୁ ପସନ୍ଦ କରନ୍ତି । ଯେଉଁଠି ମିଳିବାର ସମ୍ଭାବନା ଯେତିକି, ସେଠାରେ ଆହୁରି ଅଧିକ ମିଳିବାର ଆଶା ମଧ୍ୟ ସେତିକି । କାହାର, କେଉଁଠି, କେତେବେଳେ, କେଉଁ ଯୁଗରେ ଆଶା ପୂର୍ଣ୍ଣ ହୋଇ ନାହିଁ । ଯାହାର, ଯେଉଁଠି, ଯେତିକି ଆଶା ଯେତେବେଳେ ପୂର୍ଣ୍ଣ ହୋଇଛି, ତାହାର ମନରେ ପୁଣି ସେତିକି ନୂଆ ନୂଆ ଆଶା ଉଁକି ମାରିଛି ।

 

ମୁଁ ମଧ୍ୟ ଥିଲି ସେହି ସାଧୁ ବା ଫକୀର ଗୋଷ୍ଠୀର ଗୋଟିଏ ସଭ୍ୟ । ମୋ ମନରେ ମଧ୍ୟ ଏଇସବୁ ବିଚାରଧାରା ଛୁଟୁଥିଲା ନଦୀର ବନ୍ୟାଜଳ ପରି । ମନକୁ ଆସିଲା–ଯୋଉ ଶକ୍ତିର ପ୍ରେରଣା ପାଇ ଘର ଛାଡ଼ିଲି, ମାୟା, ମମତା ଛାଡ଼ିଲି, ଏବେ ପୁଣି କାହିଁକି ସେ ମୋହ ? ମିଳୁଛି ବୋଲି ଏଠାରେ ପୁଣି କାହିଁକି ସେ ଆସକ୍ତି ? ଦାତା ତାର ନିର୍ଲୋଭ ମନରେ ଦାନ ଦେଉଛି ବୋଲି ଯେ ଗ୍ରହୀତା ନିଜର ହାତ ଉପରେ ହାତ ଥୋଇ ଗ୍ରହଣକରି ଚାଲିଥିବ, ଏ କେମିତି କଥା ? ଗ୍ରହୀତା ତାର ଗ୍ରହଣ କରିବାରେ ସଂଯମତା ରକ୍ଷାକରିବା ଉଚିତ୍ । ଦାତା ନିଜର ଦାନର ପରିମାଣ ସମାପ୍ତି ଘୋଷଣା କଲେ ?

 

ସେହି ମାନ୍ଦ୍ରାଜ ସହରରେ ମୋର ନର୍ମଦା ଯାତ୍ରା ବିଷୟରେ ଭ୍ରମଧାରଣା ଦୂର ହୋଇଥିଲା ।

 

ସେହି ଦିନ, ଯୋଉ ଦିନ ଦାତାର ଅନ୍ନଦାନ ଗ୍ରହଣକରି ଧର୍ମଶାଳାରେ ବିଶ୍ରାମ ନେଇଥାଏ ଦିନ ଦ୍ଵିତୀୟ ପ୍ରହର । ଦିନରେ ଶୋଇବା ଯଦିଚ ନୀତିବିରୁଦ୍ଧ ତଥାପି ଟିକିଏ ସିମେଣ୍ଟ ଉପରେ ଗଡ଼ୁ ଗଡ଼ୁ ନିଦ ଆସିଯାଇଥିଲା । କିଏ ହଠାତ୍ ଉଠେଇ ଦେଲା ମୋତେ, ଉଠି ବସିଲି । ଦେଖିଲି, ମୋର ଶୋଇଥିବା ଟିକିଏ ଦୂରରେ ଦୁଇ ଜଣ ସାଧୁ । ଜଣେ ବୃଦ୍ଧ, ଜଣେ ଯୁବକ । ପରସ୍ପର ଭିତରେ ଆଲୋଚନା କରୁଛନ୍ତି । ହିନ୍ଦୀ ଭାଷାରେ ଆଲୋଚନା । ବେଶ୍ ସ୍ପଷ୍ଟଭାବରେ ଆଲୋଚନାକୁ ମୁଁ ଶୁଣିପାରୁଥିଲି । ଆଲୋଚନାଟି ମୋର ପରିଧାନକୁ କେନ୍ଦ୍ରକରି ଚାଲିଥିଲା ।

 

ଖୁବ୍ ଉତ୍‌କଣ୍ଠାର ସହ ସେ ଆଲୋଚନାକୁ ମୁଁ ବସି ବସି ଶୁଣୁଥାଏ ।

 

କୁଆଡ଼େ ସନ୍ନ୍ୟାସୀମାନଙ୍କର ବହିର୍ବାସ ଏବଂ ଅନ୍ତର୍ବାସ ମଧ୍ୟରେ ନୀତିଗତ ପାର୍ଥକ୍ୟ ରହିବା ଉଚିତ୍ । ବହିର୍ବାସ ଗୈରିକ ହୋଇପାରେ, ମାତ୍ର ଅନ୍ତର୍ବାସ (କୌପିନ) ଗୈରିକ ହେବା ସମ୍ପୂର୍ଣ୍ଣ ନୀତିବିରୁଦ୍ଧ ।

 

ମୁଁ ଯେଉଁ ବହିର୍ବାସ ଏବଂ ଅନ୍ତର୍ବାସ ଗ୍ରହଣ କରିଥିଲି, ସେ ଉଭୟ ଥିଲା ଗୈରିକ ରଙ୍ଗରେ ରଞ୍ଜିତ ଏବଂ ସେଇ କାରଣରୁ ମୋର ପୂର୍ବକଥିତ ଦୁଇଟି ସନ୍ୟାସୀଙ୍କ ନିକଟରେ ମୁଁ ସମାଲୋଚନାର ଶିକାର ହୋଇଥିଲି ।

 

ହଠାତ୍ ସେମାନଙ୍କ ତରଫରୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ମୋ ଉପରେ ଅଜାଡ଼ି ହୋଇପଡ଼ିଲା । ସେମାନେ ଉଭୟେ ଥିଲେ ଜ୍ୟୋତିବାନ୍ ବ୍ରହ୍ମଚାରୀ । ବୃଦ୍ଧ ସନ୍ୟାସୀ ଅବିକଳ ଆମର ପୁରାଣ ବର୍ଣ୍ଣିତ ବଶିଷ୍ଠ ମହର୍ଷିଙ୍କ ପରି । ସେମାନଙ୍କ ଶରୀରରୁ ନିର୍ଗତ ହେଉଥିଲା ଅପୂର୍ବ ପ୍ରଭା । ସେଇ ପ୍ରଭା ନିକଟରେ ମୁଁ ମୋର ସମସ୍ତ ଶକ୍ତି ହରେଇ ଦେଇଥିଲି । ପ୍ରଶ୍ନ ଶୁଣି ଖୁବ୍ ଭୟ କରିଗଲି; ମାତ୍ର ମୋର ଅନ୍ତର ଭିତରେ ମୋତେ କିଏ ଯେପରି ଧୈର୍ଯ୍ୟ ଯୋଗେଇଲା ।

 

‘‘କୌନ୍ ତୁମ୍ଭାର ଗୁରୁ ?”

 

“ଶୀଳାଚାରୀ ବ୍ରହ୍ମାନନ୍ଦ ।”

 

“କାହାଁ ଯାନା ହୈ ?”

 

“ନର୍ମଦା ।”

 

“ମାର୍ଗ୍‌ ଛୋଡ଼ ଦିଆ ।”

 

“ଅଭି ରାମେଶ୍ଵରମ୍ କା ମାର୍ଗମେ ହୈ ?”

 

ଉକ୍ତ ଘଟଣା ଘଟିବାର ସମୟ ପରେ, ମୁଁ ଅଧ‌ିକ ଆଉ ଦୁଇଦିନ ମାଡ୍ରାସ ସହରରେ ରହିଯାଇଥିଲି । ଅଥଚ ଅନ୍ୟାନ୍ୟ ସାଧୁଙ୍କ ସାହାଚର୍ଯ୍ୟ ପାଇଥିଲେ ମଧ୍ୟ ସେ ଦୁଇଜଣ ସାଧୁଙ୍କୁ ଦେଖିବାକୁ ସୁଯୋଗ ପାଇ ନ ଥିଲି । ସେମାନଙ୍କ ନିକଟରୁ କିଛି ଉପଦେଶ ପାଇବାକୁ ମୋର ପ୍ରବଳ ବାସନା ଥିଲେ ମଧ୍ୟ ବାସନା ଆଉ ପୂର୍ଣ୍ଣ ହୋଇନଥିଲା ।

 

ମାନ୍ଦ୍ରାଜ ସହର ଛାଡ଼ିଲି I ଚାଲିଲି ଏଗ୍‌ମୋର୍ ରେଳ ଷ୍ଟେସନ । ସହରଠାରୁ ପ୍ରାୟ ତିନି ମାଇଲି ଦୂର । ଇଲେକ୍‌ଟ୍ରିକ୍ ଟ୍ରେନରେ ଯିବାକୁ ପଡ଼େ । ଏଗ୍‌ମୋର୍ ଷ୍ଟେସନଠାରୁ ଦକ୍ଷିଣ ଭାରତୀୟ ରେଳବାଇ ଆରମ୍ଭ । ଇଲେକ୍‌ଟ୍ରିକ୍‌ ଟ୍ରେନ୍‌ରେ ବିନା ଟିକଟରେ ଯାତ୍ରା କରିବା କଷ୍ଟକର ଦେଖି ଶେଷରେ ପାଦରେ ଚାଲିଚାଲି ଏଗ୍‌ମୋର୍‌କୁ ଯାଇଥିଲି ।

 

ଏଗ୍‌ମୋର୍ ରେଳ ଷ୍ଟେସନରେ ଲକ୍ଷ୍ୟ କଲି ଖୁବ୍ କଡ଼ା କଟକଣା । ମାଛି ପଶିବାକୁ ବାଟ ନାହିଁ । କ’ଣ କରିବି, କିଛି ଉପାୟ ନପାଇ ଷ୍ଟେସନର ଗେଟ୍ ନିକଟରେ ଗୋଟିଏ ସିମେଣ୍ଟ ଚଟାଣ ଉପରେ ବସିପଡ଼ିଲି । ମଥା ଉପରେ ପ୍ରବଳ ଖରାତାତି । ସମୟ ଦୁଇ ପ୍ରହର ହେବ । ପେଟରେ ଖାଦ୍ୟ କିଛି ନଥିଲା । କିପରି ସେଇ ଦୁର୍ଭେଦ୍ୟ କଠୋର କଟକଣାକୁ ଭେଦକରି ରାମେଶ୍ୱରମ୍ ଯାତ୍ରା କରିବି ସେଇ ଚିନ୍ତାରେ ସମ୍ପୂର୍ଣ୍ଣ ଅନ୍ୟମନସ୍କ ହୋଇପଡ଼ିଥାଏ । ମୁଣ୍ଡରେ ଖରାତାପ, ପେଟରେ ଭୋକ ତାପ, କୌଣସି ଯନ୍ତ୍ରଣା ମୋତେ ଅକ୍ତିଆର କରିପାରୁ ନଥିଲା ।

 

ଏଇ ସମୟରେ ମୋର ନିକଟରେ ଆସି ବସିଲା ରେଳବାଇ ସଂସ୍ଥାର ଜଣେ ଝାଡ଼ୁଦାର-। ପ୍ରଥମେ ମୁଁ ଭାବିଥିଲି ବୁଦ୍ଧଜଣକ ନିଶ୍ଚୟ ମାନ୍ଦ୍ରାଜ ସହର ମ୍ୟୁନିସ୍‌ପାଲ୍ ଝାଡୁଦାର ବୋଲି, କାରଣ ସେଇ ଲୋକଟିର ରେଳବାଇ ଇଉନିଫର୍ମ ନଥିଲା ।

 

କିଛି ସମୟ ପରେ ବୃଦ୍ଧ ଜଣକ ଦେହରୁ ଝାଳ ପୋଛି, ପିକାରେ ନିଆଁ ଧରେଇଲା ଏବଂ ଗୁଣୁଗୁଣୁ କରି ଗୋଟିଏ ଗୀତ ଗାଇବାକୁ ଲାଗିଲା ।

 

ଗୀତଟି ଥିଲା ଆଶାବରୀ ରାଗର । ଆଶାବରୀ ରାଗ ସହିତ ମୁଁ ସମ୍ପୂର୍ଣ୍ଣ ପରିଚିତ ଥିଲି । ମୋତେ ସୁଯୋଗ ମିଳିଲା । ମୁଁ ମଧ୍ୟ ଚିନ୍ତାରୁ ମୋଡ଼ ବୁଲେଇଲି । ସେଇ ବୃଦ୍ଧର ସ୍ଵର ସହିତ ସ୍ଵର ମିଳେଇ ଆବୃତ୍ତି କଲି–ରେ–ମା–ପା–ଧା–ପାର୍ସାନି ଧାପା–ମାପା–ଧାପା–ମାପା–ଗାମା–ଗାରେ ସା-। ମାପା–ନିଧା–ର୍ସା–ର୍ସା ର୍ସାରେ ର୍ସାରେଗା ରେସା–ନିଧାପା । ସାଗା–ରେର୍ସା–ନିଧା–ପାମା–ଗାରେସା । ରେମା–ପାଧା...

 

ବୃଦ୍ଧଙ୍କର ଧ୍ୟାନ ଭଙ୍ଗ ହେଲା । ଅଳ୍ପ ହସିଦେଇ ମୋ ଆଡ଼କୁ ଚାହିଁଲେ । ଆଉ ଟିକିଏ ନିକଟକୁ ଘୁଞ୍ଚିଆସି ଖୁବ୍ ନମ୍ରତା ସହକାରେ ପ୍ରଶ୍ନ କଲେ–

 

“ୟେ–କ୍ୟା ରାଗ୍ ହୈ ବାବା ?”

 

“ଆଶାବରୀ”

 

“ଇସ୍‌ମେ କୌନ୍ କୋମଲ୍ ସ୍ଵର ଲଗ୍‌ତା ହୈ ?”

 

“ଚି–ଗା–ଧା–ନି ।”

 

“ବାଦୀ ଔର ସଂମ୍ବାଦୀ ?”

 

‘‘ଧା, ଗା ।’’

 

“ଜାତ କ୍ୟା ହୈ ?”

 

“ଓଡ଼ବ ସମ୍ପୂର୍ଣ୍ଣ ।’’ ସାରେ ଆରୋହଣ ମାପା ଧାସା, ସାନି ଅବରୋହଣ ଧାପା ମାଗାରେସା ।

 

ବୃଦ୍ଧ ଆହୁରି ନିକଟକୁ ମୋର ଘୁଞ୍ଚି ଆସି ମୋ ସହିତ ଆଳାପ ଜମେଇବାକୁ ଲାଗିଲେ । ଆମ ପରସ୍ପର ଭିତରେ ଚାଲିଲା କେତୋଟି ରାଗ–ରାଗିଣୀ ଉପରେ ଆଲୋଚନା । ବୃଦ୍ଧ, ଏହାପରେ ଗାଇଲେ କେତୋଟି ତାମିଲି ଭାଷାରେ ଗୀତ । ସେସବୁ ଗୀତ ଥିଲା କର୍ଣାଟକୀ ଏବଂ ଭାତ୍‌ଖଣ୍ଡେଙ୍କ ନିର୍ଦ୍ଧାରିତ ରାଗ ଓ ରାଗିଣୀ । ଅନୁଭବ କଲି, ହିନ୍ଦୁସ୍ଥାନ ପଦ୍ଧତି ଏବଂ କର୍ଣ୍ଣାଟକୀ ପଦ୍ଧତି ଭିତରେ ବିଶେଷ କିଛି ପ୍ରଭେଦ ନାହିଁ । କେବଳ ଗୋଟିକର ହେଲା ସହଜ ସରଳ ଗତି ଓ ଅନ୍ୟଟିର ହେଲା ବକ୍ରଗତି । ହିନ୍ଦୁସ୍ଥାନ ସଂଗୀତରେ ଯେପରି କେତେକ ସଂଗୀତ ବି ତାଙ୍କର ସ୍ୱତନ୍ତ୍ର ରାଗ ସୃଷ୍ଟି କରିଛନ୍ତି, ସେହିପରି କର୍ଣ୍ଣାଟକୀ ସଙ୍ଗୀତରେ ମଧ୍ୟ କେତେକ ସଙ୍ଗୀତ ସ୍ରଷ୍ଟା ତାଙ୍କ ନିଜର ସ୍ୱତନ୍ତ୍ରତା ବଜାୟ ରଖିବାକୁ ଯାଇ ଅନେକ ନୂତନ ରାଗିଣୀ ଉଦ୍‌ଭାବନ କରି କର୍ଣ୍ଣାଟକ ସଂଗୀତକୁ କରିଛନ୍ତି ରୁଦ୍ଧିମନ୍ତ ।

 

ବୃଦ୍ଧଙ୍କଠାରୁ ତାଙ୍କର ପରିଚୟ ପାଇଲି । ସେ ଜଣେ ରେଳବାଇ କର୍ମଚାରୀ । ମୋର ଦୁଃଖ ଦୂର ହେଲା । ସାଙ୍ଗେ ସାଙ୍ଗେ ମୋ ଲାଗି ଆସିଲା ଖାଦ୍ୟ ହିସାବରେ ସେଓଭଜା ଓ ତା’ ସହିତ ମାନ୍ଦ୍ରାଜ ସହରର କେତେକ ସ୍ୱତନ୍ତ୍ର ମିଠେଇ । ବୃଦ୍ଧଙ୍କର ମୋ ପ୍ରତି ସସ୍ନେହ ବ୍ୟବହାର ଦେଖି ମନେ ମନେ ଈଶ୍ଵରଙ୍କୁ ଅଶେଷ ଧନ୍ୟବାଦ ଦେଲି । କେବଳ ଯେ ମୋ ପ୍ରତି ବୃଦ୍ଧ ଭଲ ବ୍ୟବହାର କଲେ ତା’ ନୁହେଁ, ତାଙ୍କରି ଯତ୍ନ ଫଳରେ ସେହି ଦୁର୍ଭେଦ୍ୟ ଦକ୍ଷିଣ ଭାରତର ରେଳବାଇ ପ୍ରଥମ ଦ୍ଵାର ମୋ ପାଇଁ ସାହାଣମେଲା ହୋଇଗଲା । ସଯତ୍ନରେ ବୃଦ୍ଧ ମୋତେ ତାଙ୍କ ସାଙ୍ଗରେ ନେଇ ଏପରି ଗୋଟିଏ ଡବାରେ ବସେଇଦେଲେ, ଯୋଉଠି ବସି ମୁଁ ସେଇ ପିତୃତୁଲ୍ୟ ଉପକାରୀ ବୃଦ୍ଧଙ୍କର ପ୍ରଶସ୍ତି ଗାଇବାକୁ ଲାଗିଲି । ଡବାଟି ଥିଲା ଖୁବ୍ ନିର୍ଜନ, ଯୋଉ ସ୍ଥାନକୁ ମୁଁ ସବୁଠାରୁ ପସନ୍ଦ କରେ ।

 

ଗାଡ଼ି ବେଳ ହେଲା, ଗାଡ଼ି ଚାଲିଲା । କିଛି ସମୟ ପରେ ଆଖି ମୋର ଲାଗି ଯାଇଥିଲା-। ଆଖ୍ ଖୋଲିଲାବେଳକୁ ସୂର୍ଯ୍ୟ ପ୍ରାୟ ଅସ୍ତ ହେବାକୁ ଆଉ ଅଳ୍ପ ସମୟ ବାକି । ମୋର ନିକଟରେ ଦେଖିଲି, ସାମନା ବେଞ୍ଚରେ ବସିଛନ୍ତି ଶିଶୁସହ ଗୋଟିଏ ନବ–ଦମ୍ପତ୍ତି । ଦାମ୍ପତ୍ୟ ଜୀବନର ଖଟା, ମିଠା କେତେଦୂର ମୁଁ ଜାଣିନଥିଲେ ମଧ୍ୟ ସେଇ ଛୋଟ ପରିବାରଟିକୁ ଦେଖି ସେତେବେଳେ ଖୁସି ଲାଗିଥିଲା ।

 

କ୍ଷୁଧାରେ ମୁଁ ଟିକିଏ ଯନ୍ତ୍ରଣା ଅନୁଭବ କରୁଥିଲି । ଗାଡ଼ି ଚାଲିଥାଏ । ମନରେ ଅବିରତ ଚାଲିଥାଏ ଗୁରୁଦତ୍ତ ମନ୍ତ୍ର । ପାଖ ବେଞ୍ଚକୁ ଲକ୍ଷ୍ୟ କଲି–ଭଦ୍ର ମହିଳା ତିନୋଟି ପତ୍ର ପକେଇ ସେଥ‌ିରେ ଖାଦ୍ୟ ପରଶିଲେ । ଖାଦ୍ୟ ଥିଲା ଦକ୍ଷିଣ ଭାରତର ଲୋକପ୍ରିୟ ଦହି ଭାତ ଏବଂ ତା’ସହିତ ଚଟଣୀ ଓ ପିଠା । ସେମାନଙ୍କ ନିକଟରୁ ପଛକୁ ଘୁଞ୍ଚିଯିବାକୁ ଚିନ୍ତା କରୁଛି, ଠିକ୍ ଏତିକିବେଳେ ଭଦ୍ରଲୋକ ହଠାତ୍ ଗୋଟିଏ ଖାଦ୍ୟ–ପତ୍ର ଆଣି ମୋ ନିକଟରେ ରଖିଲେ ।

 

ସ୍ଥାନ ଛାଡ଼ିବାକୁ ଅବସର ପାଇଲି ନାହିଁ । ସେହି ଦମ୍ପତ୍ତିଙ୍କର ଭାଷା ବୁଝିବାର କ୍ଷମତା ମୋର ନ ଥିଲେ ମଧ୍ୟ, ବୁଝୁଥିଲି ସେମାନଙ୍କର ଆନ୍ତରିକତା, ମାନବିକତା, ହୃଦୟ ପ୍ରତି ଅନ୍ୟ ହୃଦୟର ସ୍ନେହମିଶା ଆବେଦନପୂର୍ଣ୍ଣ ଆହ୍ଵାନ । କୌଣସି କୁଣ୍ଠା ପ୍ରକାଶ ନ କରି ଖାଦ୍ୟ ଗ୍ରହଣ କରିଥିଲି । ତା’ପରେ ?

 

ତା’ପରେ, ଗାଡ଼ି ତା’ର ଦ୍ରୁତଗତିରେ ଆଗେଇ ଚାଲିଥାଏ । ଉଦର ପୂର୍ଣ୍ଣ ପରେ ପୁଣି ମୁଁ ତନ୍ଦ୍ରାର କବଳରେ ପଡ଼ିଗଲି । ଆଖି ମୋର ପୁଣି କେତେବେଳେ ମୁଦି ହେଇଗଲା, ମୁଁ ଜାଣିପାରିଲି ନାହିଁ । ରାତି ହେଇଯାଇଥିଲା । ୟା’ ଭିତରେ କେତେ ଷ୍ଟେସନ ପାର ହୋଇ ସେଇ ରେଳଗାଡ଼ିଟା କୋଉଠି ଯାଇ ପହଞ୍ଚିଲାଣି, ସେ ଧାରଣା ମୋର ନ ଥାଏ । ହଠାତ୍ ନିଦଟା ଭାଙ୍ଗିଗଲା, ଉଠି ବସିଲି । ସେଇ ଡବାରେ ଦେଖିଲି ଏତେ ଲୋକ ପଶିଯାଇଛନ୍ତି ଯେ, ପାଦ ପକେଇବାକୁ ସ୍ଥାନ ନାହିଁ । ଶୁଣିଲି, ସମସ୍ତେ ପାଟି କରିବାରେ ବ୍ୟସ୍ତ, ସମସ୍ତେ ହାଉ ହାଉ ।

 

ପ୍ରଥମେ ନିଦ ଭଲଭାବେ ଛାଡ଼ି ନ ଥିଲା । ଲୋକଙ୍କର ଗୋଳମାଳ କରିବାର କାରଣ କିଛି ବୁଝିପାରି ନ ଥିଲି । ଧୀରେ ଧୀରେ ପ୍ରକୃତିସ୍ଥ ହୋଇ ବୁଝିଲି ଯେ, ସେଇ ଡବାରେ କାହାର ଗୋଟାଏ କଲମ କିଏ ଚୋରି କରିଛି । କଥାଟା ଶୁଣି କାହିଁକି କେଜାଣି ଛାତି ଭିତରଟା ମୋର ଖାଲି ଖାଲି ହେଇଗଲା । କିଛି ସମୟ ଯାଇଛି, ସମସ୍ତଙ୍କ ନଜର ଆସି ଠୁଳ ହେଲା ମୋରି ଉପରେ-। ପ୍ରତ୍ୟେକ ଲୋକ ମୋତେ କେମିତି ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗିଲେ । ଶେଷରେ ମୋତେ ସେହି କଲମ ଚୋରରେ ପରିଣତ କରି ସମସ୍ତ ଲୋକେ ମୋର ଚାରିକଡ଼ରେ ଘେରିଯାଇ ମୋର ଅଣ୍ଟା, ବସ୍ତାନି, ଲୁଗା ସବୁକୁ ଖେଳେଇ ପକେଇ ଗାଳିଫଜିତ ବରଷିବାକୁ ଲାଗିଲେ ।

 

ଈଶ୍ଵରଙ୍କୁ ମନେ ମନେ ଡାକୁଥାଏ । ମୋର ସେ ଅବସ୍ଥାରେ ସାହା ଭରସା ହେବାକୁ ସେତେବେଳେ ଏକା ତାଙ୍କ ବ୍ୟତୀତ କେହି ନ ଥିଲେ I ଜନତା ଭିତରୁ କେହି କେହି ମୋର ପିଠିରେ, ମୁଣ୍ଡରେ ମଧ୍ୟ ଗୋଟା କେତେ ସରୁ ଚାପୁଡ଼ା ବସେଇ ଦଉଥା’ନ୍ତି । ହଠାତ୍ ମୋର ସେହି ଶ୍ଵାନ୍ କଲମଟି ସେମାନଙ୍କ ହାତରେ ପଡ଼ିଲା । କେହି କେହି ଚିତ୍କାର କରି ଉଠିଲେ, ଜଣେ ଅଧେ ଚୋର ଚୋର କହି ପିଠିରେ ମୋର ବିଧା ବସେଇଦେଲେ ।

 

ଏତିକିବେଳେ ଭାଗ୍ୟଲକ୍ଷ୍ମୀ ମୋ ପ୍ରତି ପ୍ରସନ୍ନମନା ହୋଇଉଠିଲେ । ମୋ ପାଇଁ ସେହି ଦୁର୍ଘଟଣା ଆଉ ବେଶି ଦୂରକୁ ବଢ଼ିଲା ନାହିଁ । ଯାହାଙ୍କର କଲମ ଚୋରି ଯାଇଥିଲା, ସେ ଭଦ୍ରଲୋକ ମୋର ଶ୍ଵାନ୍ କଲମ ଦେଖି ତାଙ୍କ କଲମ ତାହା ନୁହେଁ ବୋଲି ମନା କରିଦେଇଥିଲେ ଏବଂ ପ୍ରକୃତ କଲମ ଚୋର ଧରାପଡ଼ିଥିଲା । କାଳବିଳମ୍ବ ନ କରି ସମସ୍ତ ଲୋକେ ମୋ ନିକଟରୁ ଘୁଞ୍ଚିଯାଇ ସେହି ଚୋର ନିକଟରେ ରୁଣ୍ଡ ହୋଇଯାଇଥିଲେ ।

 

ରେଳଗାଡ଼ିଟା ସେତେବେଳକୁ ଆଗରେ ତା’ର ଗୋଟାଏ ଷ୍ଟେସନ ନିକଟ ହେଇ ଆସିବାର ସଂକେତ ପାଇ ଗତିକୁ ମନ୍ଥର କରିଦେଇଥାଏ । ମୋ ମଥାରୁ ବିପଦର ବୋଝ ଖସିଯିବା ସାଙ୍ଗେ ସାଙ୍ଗେ ମୁଁ ମୋର ଭାବି ଚାଲିଥାଏ, କିପରି ଏଇ ରେଳଡ଼ବାରୁ ଦୂରେଇଯିବି । ମନେପଡ଼ିଲା ମଦୁରାଇ ସହର କଥା । ଆଗରୁ ଶୁଣିଥୁଲି ଭାରତ ବିଖ୍ୟାତ ମୀନାକ୍ଷୀ ଦେବୀଙ୍କ ମନ୍ଦିର କଥା । ମଦୁରାଇ ସହରରେ ସେହି କାରୁକଳାପୂର୍ଣ୍ଣ ପ୍ରସିଦ୍ଧ ଦେବୀ ମନ୍ଦିର, ବିଭିନ୍ନ ସାଧୁସନ୍ଥମାନଙ୍କ ପାଇଁ ପବିତ୍ର ପୀଠ ସେ ।

 

ଗାଡ଼ିଟା କିଛି ସମୟ ପାଇଁ ଠିଆ ହେଲା ଷ୍ଟେସନରେ । ମୁଁ ମଧ୍ୟ ଉଠି ଠିଆ ହେଲି । ଆକାଶରେ ଜହ୍ନ ଉଠିଥିଲା ସତ, ମାତ୍ର ରାତି ପ୍ରାୟ ଅନେକ ହେଇଯାଇଥିଲା ପରି ମନେ ହେଲା । ମୋ ପାଖରେ ବସିଥିବା ଜଣେ ଯାତ୍ରୀଙ୍କୁ ପଚାରିଲି, ‘ଭୟାଜୀ, ଆପ୍ ମଦୁରାଇକା ଠିକାନା ଜାନ୍‌ତେ ହୈ ? “ହାଁ, ହାଁ ଜରୁର । ଏହିତୋ ମଦୁରାଇ କା ଷ୍ଟେସନ ହୈ ?”

 

ମନରୁ ମୋର ସବୁ ଦୁଃଖ ହଟିଗଲା । ଆଉ ଉଛୁର ନ କରି ଗାଡ଼ିରୁ ଓହ୍ଲେଇ ପଡ଼ିଲି । ବ୍ଲାକାଉଟ୍ ଯୁଗ, ଚାରି ଦିଗ କେବଳ ଅନ୍ଧାର, ଆଉ ଘନ ଅନ୍ଧାର । ଆମ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ ପରି ଛୋଟ ଷ୍ଟେସନଟି । ଫ୍ଲାଟ୍‌ଫର୍ମରେ ଖୁବ୍ ବ୍ୟବଧାନରେ ଗୋଟିଏ ଦୋ’ଟି ବତୀଖୁଣ୍ଟିରେ ମିଞ୍ଜି ମିଞ୍ଜି ଜୁଳୁଜୁଳିଆ ପୋକର ଆଲୋକ ଶିଖା । ମୋ’ଛଡ଼ା ଅନ୍ୟ କୌଣସି ଯାତ୍ରୀ ସେଠାରେ ଓହ୍ଲେଇ ନଥିଲେ । ଅବସ୍ଥା ଦେଖି ଖୁବ୍‌ ଆଶ୍ଚର୍ଯ୍ୟ ହେଲି, ଭୂଇଁରେ ପାଦ ଦଉ ଦଉ ଗାଡ଼ିଟା ତା’ର କାନଫଟା ସିଟି ମାରିଦେଇ ଗତି ବଢ଼େଇଦେଲା ।

 

ସାମନାରେ ‘ପୟେଣ୍ଟ୍‌ସମ୍ୟାନ’ ଯାଉଥିଲା–ଧାଇଁ ଯାଇ ପଚାରିଲି ତାକୁ, ମଦୁରାଇ ସହର ବିଷୟରେ । ମାତ୍ର ସେ ମୋତେ ଯେଉଁ ଉତ୍ତର ଦେଲା ସେଥ‌ିରେ ମୋର ଅକଲ ଗୁଡ଼ୁମ୍ । ସେହି ଷ୍ଟେସନଟି ଥିଲା କିଲ୍ ମାଦୁରା । ମୁଖ୍ୟ ମଦୁରାଇ ଷ୍ଟେସନ ସେଠାରୁ ତେର, ଚଉଦ ମାଇଲି ଦୂରରେ । କ’ଣ କରିବି ? ଉପାୟ ବା କ’ଣ ମୋର ଥିଲା ? ଛାଡ଼ିଲି ସକଳ ଆଶା, ଏକା ମୋ ଗୋବିନ୍ଦ ଭରସା । ଅନ୍ୟ ବାଟ ନ ଖୋଜି ସେହି ରେଳ ଧାରଣା ଉପର ଦେଇ ମଦୁରାଇ ଚାଲି ଚାଲିଯିବାକୁ ସ୍ଥିର କଲି ।

 

ନିର୍ଭୟ ମନ । ହୃଦୟରେ ଅମାପ ସାହସ । ପାଦର ବଳ ମୋତେ ଆଗେଇନେଲା ସେହି ରେଳଧାରଣା ସଂକୀର୍ଣ୍ଣ ପଥରେ । ଉପରେ ନୀଳ ଆକାଶ, ଦୁଇ କଡ଼ରେ ନିଘଞ୍ଚ ଗୁଳ୍ମ ରାଜି ଏବଂ ସ୍ଥାନେ ସ୍ଥାନେ ମେଘଛୁଆଁ ଅତ୍ୟୁଚ୍ଚ ତାଳବତୀ ମୋର ଥିଲେ, ସେ ଯାତ୍ରାର ସାଥୀ ସହଚର । ବିରାମବିହୀନ ଗତିରେ ଚାଲିଲି ମୁଁ ।

 

କୁଆଁତାରା ଉଇଁଲା ବେଳକୁ ଅନେକ ଦୂରରୁ ଆଖିରେ ପଡ଼ିଲା ଏକ ଉଜ୍ଜ୍ଵଳ ଆଲୋକ ରେଖା । ଧୀରେ ଧୀରେ ପାଖେଇଗଲି ମୁଁ । ମଦୁରାଇ ସହରର ଉପକଣ୍ଠ । ପଡ଼ିଲା ମଦୁରାଇର ବିରାଟ କଟନ୍ ମିଲ୍ । ଆଲୋକ ନିକଟରେ ଚାଲିଥିଲା ଦକ୍ଷିଣ ଭାରତର ଲୋକପ୍ରିୟ ପଦ୍ୟାଲୁ ପ୍ରତିଯୋଗିତା ।

 

ଜନ ସମୁଦ୍ର ଠେଲି ଅଳ୍ପ କ୍ଷଣପାଇଁ ପଦ୍ୟାଲୁ ଶୁଣି ସହର ଭିତରକୁ ଆଗେଇଲି । ମଦୁରାଇ ସହର ଦକ୍ଷିଣ ଭାରତର ଏକ ଆଧୁନିକ ରୁଚିପୂର୍ଣ୍ଣ ସହର ହିସାବରେ ଗଣ୍ୟ । ଆଲୋକସଜ୍ଜା, ବଜାରବିପଣୀ, ରାସ୍ତାଘାଟ, ପରିଷ୍କାର ପରିଚ୍ଛନ୍ନତା ପ୍ରତ୍ୟେକ ଯେପରି ମାର୍ଜିତ, ଶୃଙ୍ଖଳିତ । ଅତି ବୃହତ୍ ନ ହେଲେ ମଧ୍ୟ କ୍ଷୁଦ୍ର ସହରଟିରେ ସମସ୍ତ ବ୍ୟବସ୍ଥା ଦେଖ‌ିଲେ ଆମ ଉତ୍କଳର କଟକ ନଗରର ହତଶ୍ରୀ ଅବସ୍ଥା ଲାଗି ମନରେ ଅନୁଶୋଚନାର ସୀମା ରୁହେ ନାହିଁ । ଲକ୍ଷ୍ୟ କଲି–ମଦୁରାଇର ଜନସାଧାରଣ ମଧ୍ୟ ସହରଟିର ଶୋଭାବର୍ଦ୍ଧନ ଦିଗରେ ସାହାଯ୍ୟ କରନ୍ତି ।

 

ମଦୁରାଇ ଟାଉନ୍‌ର କେନ୍ଦ୍ରସ୍ଥଳରେ କେନ୍ଦ୍ରବିନ୍ଦୁ ପରି ମୀନାକ୍ଷୀ ଦେବୀଙ୍କ ମନ୍ଦିର ଅବସ୍ଥିତ-। ଚାରିଦିଗରେ ଚାରୋଟି ପ୍ରବେଶ ପଥ ଏବଂ ମଧ୍ୟସ୍ଥଳରେ ମୁଖ୍ୟ ମନ୍ଦିର । ଦକ୍ଷିଣ ଭାରତର ପ୍ରାୟ ପ୍ରତ୍ୟେକ ମନ୍ଦିର ଗୋଟିଏ ଢାଞ୍ଚାରେ ପ୍ରସ୍ତୁତ । ଆମ ଉତ୍କଳୀୟ ଶିଳ୍ପୀ ମନ୍ଦିର ଦେହରେ ଖୋଳା କାମ ପାଇଁ ପ୍ରସିଦ୍ଧି ଲାଭ କରିଛନ୍ତି । କିନ୍ତୁ ଦକ୍ଷିଣ ଭାରତର କାରିଗର ମନ୍ଦିର ଦେହରେ ଖଞ୍ଜାକାମ ଲାଗି ସୁଖ୍ୟାତି ଅର୍ଜନ କରିଛନ୍ତି । ସ୍ଥାପତ୍ୟ କଳାରେ ଉଭୟେ ବିଚକ୍ଷଣ ।

 

ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ନିଜର ନିତ୍ୟକର୍ମ ଶେଷ କରିଦେଇଥିଲି । ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣେଇ, ପବିତ୍ର ମାଟିକୁ ମଥାରେ ଲଗେଇ, ଦେଉଳ ଭିତରକୁ ପଶିଲି । ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳର ସାଧୁ, ସନ୍ନ୍ୟାସୀ ସେଠାରେ ଦେଖ‌ିବାକୁ ମିଳିଲେ । ଆଖି ପୂରେଇ ପ୍ରଥମେ ମନ୍ଦିରର ଶିଳ୍ପ ଭାସ୍କର୍ଯ୍ୟ ଉପରେ ଆଖି ବୁଲେଇନେଲି । ଅପୂର୍ବ କଳାକୌଶଳ । ପ୍ରତ୍ୟେକ ମୂର୍ତ୍ତି ଅକ୍ଷତ ଓ ଜୀବନ୍ତ । ଆଶ୍ଚର୍ଯ୍ୟର ବିଷୟ, ମନ୍ଦିରର ପ୍ରଶସ୍ତ ବେଢ଼ା ଭିତରେ ଗୋଟିଏ ଗୋଟିଏ ଛୋଟ ଧରଣର ମନ୍ଦିର ଦେଖିବାକୁ ମିଳିଲା ଯୋଉଗୁଡ଼ିକ ବିଭିନ୍ନ ସାଧୁମାନଙ୍କ ପାଇଁ ନିର୍ମିତ ପରି ମନେହେଲା । ସେଇସବୁ ମନ୍ଦିରର ଖୁଣ୍ଟିଗୁଡ଼ିକ ପ୍ରସ୍ତର ହୋଇଥିଲେ ହେଁ ସେଥ‌ିରେ ଆଘାତ କଲେ ସା–ପା–ସା ସ୍ଵର ସେଥିରୁ ବାହାରୁଥିଲା । ଶିଳ୍ପୀର ଚରମ ସଫଳତା ପ୍ରତି ବିନମ୍ର ଶ୍ରଦ୍ଧା ଓ ପ୍ରଣତି ଜଣେଇଲି ।

 

ସେହି ବେଢ଼ା ଭିତରେ ମିନାକ୍ଷୀ ଦେବୀଙ୍କ ମୁଖ୍ୟ ଦେଉଳ ଆଗରେ କ୍ଷୁଦ୍ର ପୁଷ୍କରିଣୀଟିଏ-। ଜଳ ତା’ର ଅତ୍ୟନ୍ତ ଅପରିଷ୍କାର ଏବଂ ଦୂଷିତ । ଦେଖ‌ିଲେ ମନେ ହେଉଥିଲା, ତାହା ଯେପରି ଯୁଗ ଯୁଗ ଧରି ଅବହେଳିତ । ଲକ୍ଷ୍ୟ କଲି ପ୍ରାୟ ପ୍ରତ୍ୟେକ ଦେବାଦେବୀ ମନ୍ଦିରରେ ଯେପରି ପୂଜକ ଗୋଷ୍ଠୀ ଭିତରେ ସ୍ଵାର୍ଥସିଦ୍ଧି ପାଇଁ ଦଳାଦଳି ଚାଲିଛି, ଏଠାରେ ମଧ୍ୟ ତା’ର ପୁନରାବୃତ୍ତି ଚାଲିଛି । ଦେବତାଙ୍କୁ ଆଳକରି ସମସ୍ତେ ନିଜ ନିଜର ସ୍ଵାର୍ଥ ପୂରଣ ଲାଗି ବ୍ୟାକୁଳ ।

 

ମଦୁରାଇ ମିନାକ୍ଷୀ ଦେବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଆଉ ଗୋଟିଏ ବିଚିତ୍ର ଭାସ୍କର୍ଯ୍ୟ ମୋର ଦୃଷ୍ଟିକୁ ବିଶେଷଭାବେ ଆକର୍ଷଣ କରିପାରିଥିଲା । ତାହା ଥିଲା ଏକ ଚିକ୍କଣ କଳା ମୁଗୁନି ପଥରର ମଣ୍ଡପ । ଠିକ୍ ଆମ ଶ୍ରୀମନ୍ଦିରର ମୁକ୍ତିମଣ୍ଡପ ପରି । କିନ୍ତୁ ଆମ ମୁକ୍ତିମଣ୍ଡପଠାରୁ ମିନାକ୍ଷୀ ଦେବୀଙ୍କ ସେହି ମଣ୍ଡପ ଥିଲା ଏକ ସ୍ଵତନ୍ତ୍ର ଶୈଳୀରେ ଗଠିତ । ମଣ୍ଡପଟିର ଭାରି ଛାତକୁ ବିଭିନ୍ନ ନୃତ୍ୟଭଙ୍ଗୀରେ ତୋଳି ଧରିଥିଲେ କେତେଗୁଡ଼ିଏ ନାରୀମୂର୍ତ୍ତି I ମୂର୍ତ୍ତିଗୁଡ଼ିକ ନିଖୁଣ ଅବସ୍ଥାରେ ଏପରି ଛନ୍ଦ ସୃଷ୍ଟି କରୁଥିଲେ, ଯାହା ଦର୍ଶକ ଆଖିରେ ଭ୍ରମଜାତ କରୁଥିଲା ।

 

ବାସ୍ତବରେ ମିନାକ୍ଷୀ ଦେବୀଙ୍କର ସେହି ସୁନ୍ଦର କାରୁକଳାପୂର୍ଣ୍ଣ ମନ୍ଦିରକୁ ଦେଖୁ ଦେଖୁ ଏତେଦୂର ମୁଗ୍ଧ ହୋଇପଡ଼ିଥିଲି ଯେ, ପ୍ରକୃତ ସମୟ ଏବଂ ମୋର ସ୍ଥିତି ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ଧାରଣା ହରେଇବସିଥିଲି । ପେଟରେ ଖାଦ୍ୟ ନ ଥିଲା, କାରଣ ପୂର୍ବଦିନ ଯାହା ସେହି ରେଳରେ ଦହି ଭାତ ଖାଇବାକୁ ପାଇଥିଲି, ସେତିକି । ମଥା ଉପରକୁ ସୂର୍ଯ୍ୟ ଉଠିଯାଇଥିଲେ । ଉଦର ଜ୍ଵାଳାରେ ମୋର ଧ୍ୟାନଭଙ୍ଗ ହେଲା । ଦେଖିଲି–ବିଭିନ୍ନ ସାଧୁ ଗୋଷ୍ଠୀ ହାତରେ ଖଣ୍ଡେ ଖଣ୍ଡେ କାଗଜ ଟୁକୁରା ଧରି ଏପଟ, ସେପଟ ହେଉଛନ୍ତି ।

 

ପଚାରି ବୁଝିଲି, ମିନାକ୍ଷୀ ମନ୍ଦିରରେ ବିଭିନ୍ନ ସାଧୁସନ୍ଥମାନଙ୍କ ଲାଗି ସଦାବ୍ରତର ବ୍ୟବସ୍ଥା ରହିଛି । ମାତ୍ର ସେଥିଲାଗି ମନ୍ଦିର କର୍ମକର୍ତ୍ତାଙ୍କ ନିକଟରେ ନିଜର ପରିଚୟ ଦେଇ ଖଣ୍ଡେ ଟିକଟ ସଂଗ୍ରହ କରିବାକୁ ପଡ଼େ । ତା’ ନହେଲେ ସେ ଯେତେ ବଡ଼ ସାଧୁ ଯୋଉଠୁ ଆସିଥାଆନ୍ତୁ ନା କାହିଁକି ଦେବୀଙ୍କ ପ୍ରସାଦ ପାଇବାରୁ ବଞ୍ଚିତ ହୁଅନ୍ତି । ଏ ଖବର ପାଇଁ ମୁଁ ଆଉ କାଳବିଳମ୍ବ ନ କରି ଟିକଟ ସଂଗ୍ରହରେ ଲାଗିପଡ଼ିଲି ଏବଂ ପ୍ରସାଦ ପାଇଲି ।

 

ଦୁଇ ତିନିଦିନ ମଦୁରାଇରେ କଟେଇଲି । ଖାଦ୍ୟ ଥିଲା ଦେବୀଙ୍କ ପ୍ରସାଦ ଏବଂ ବିଶ୍ରାମ ଲାଗି ଥିଲା ମନ୍ଦିର ବେଢ଼ା ଭିତରେ ଗୋଟିଏ ନିର୍ଜନ ସ୍ଥାନ । କେହି ମୋତେ ଦେଖୁ ପାରୁ ନ ଥିଲେ । ରାତିରେ ମନ୍ଦିର ଶୋଧ କରାଯାଏ, ତଥାପି ମୁଁ ସେଇ ବେଢ଼ା ଭିତରେ ଆତ୍ମଗୋପନ କରି ରହିଯାଏ । ସନ୍ଧ୍ୟା ହେଲେ ସାଧୁମାନଙ୍କର ଖାଦ୍ୟ ଅନୁସନ୍ଧାନ କରିବା ନିଷିଦ୍ଧ । କେବଳ ଦିନବେଳା ଥରେ ଆହାର । ଏଣୁ ରାତିରେ ମୋର ଖାଦ୍ୟର ଚିନ୍ତା ନ ଥାଏ, ବିଶ୍ରାମ ଲାଗି ମନ୍ଦିର ଭିତରେ ଗୋଟିଏ ନିକାଞ୍ଚନ ସ୍ଥାନ ବାଛିନିଏ ମୁଁ । ଭକ୍ତ ବତ୍ସଳା ଜଗତ ଜନନୀ ମଧ୍ୟ ଭକ୍ତକୁ ତାଙ୍କର ବାହୁଛାୟାତଳେ ଏଭଳି ସ୍ଥାନଟିଏ ଦିଅନ୍ତି, ଯାହା ମାନବର ଦୃଷ୍ଟିଗୋଚର ହୁଏ ନାହିଁ ।

 

ଦିନକର କଥା । ରାତିରେ ମନ୍ଦିର ବେଢ଼ାରେ ବିଶ୍ରାମ ନେଇଛି, ହଠାତ୍ ପେଟ ଗଣ୍ଡଗୋଳ ଯୋଗୁଁ ଝାଡ଼ା ଲାଗିଲା । କ’ଣ କରିବି, ଉପାୟ କିଛି ନ ପାଇ ସେହି ବେଢ଼ା ଭିତରେ ଗୋଟିଏ ଅବହେଳିତ ସ୍ଥାନରେ ମଳତ୍ୟାଗ କରି, ଦେବୀଙ୍କ ମନ୍ଦିର ପୁଷ୍କରିଣୀରେ ଶୌଚକର୍ମ କରିବାକୁ ବାଧ୍ୟ ହେଲି । ଏଭଳି କର୍ମ ଲାଗି ମୁଁ ସେତେବେଳେ ମୋତେ ପାପୀ ହିସାବରେ ଗଣି ନ ଥିଲି, ଏବେ ମଧ୍ୟ ଗଣୁ ନାହିଁ । ପାପ କ’ଣ ? ପୂଣ୍ୟ ବା କ’ଣ ? ସେ ସବୁକୁ ମୁଁ କେବେହେଲେ ମନରେ ସ୍ଥାନ ଦେଉ ନ ଥିଲି । ଆଜି ମଧ୍ୟ ମୋର ମନର ବିଚାର ସେହିଭଳି ।

 

ଯାହାହେଉ ଏଇଭଳି ଅବସ୍ଥାରେ ମୁଁ ମଦୁରାଇ ମନ୍ଦିରରେ ଦୁଇ ତିନିଦିନ ଅତିବାହିତ କରି, ଦିନେ ସକାଳ ପ୍ରାୟ ଆଠ ନ’ଟାବେଳେ ରାମେଶ୍ଵରମ୍ ଯାତ୍ରା ଲାଗି ରେଳରେ ବସିଲି ।

 

ଆସିଲା ରାମେଶ୍ଵରମ୍ ଷ୍ଟେସନ । ଅତି କ୍ଷୁଦ୍ର ଷ୍ଟେସନଟି । ସମ୍ମୁଖରେ ଦିଗନ୍ତବ୍ୟାପୀ ବାଲିବନ୍ତ । ମନକୁ ଆସିଲା ସତେ ଯେମିତି ରାଜସ୍ଥାନର ମରୁଭୂମି । ମଝିରେ ମଝିରେ କୋଉଠି କେମିତି ତାଳ ଓ ନାରିକେଳ ବୃକ୍ଷ ଏବଂ ଛୋଟ ଛୋଟ ବାଲିପାହାଡ଼ ଉପରେ ଅନାବନା ଗୁଳ୍ମ ।

 

ମନରେ ଭୟ ଥିଲା କାଳେ କୌଣସି ଟି.ଟି.ଆଇ.ଙ୍କ ସୁ–ନଜରରେ ପଡ଼ିଯିବି । ମାତ୍ର ମହାଶକ୍ତିବାନ୍ ରାମେଶ୍ଵର ସେ ବିପଦରୁ ମୋତେ ରକ୍ଷା କଲେ । ଗାଡ଼ିରୁ ଓହ୍ଲେଇ ଛୋଟ ପ୍ଲାଟଫର୍ମରେ ବୁଲୁବୁଲୁ ସାକ୍ଷାତ୍‌ ପାଇଲି ନଦିୟା ନବଦୀପର ଜଣେ ଗୌଡ଼ୀୟ ଯୁବ ବୈଷ୍ଣବଙ୍କର । ଶାନ୍ତ, ସୁନ୍ଦର । ଆଳାପ ଆଲୋଚନାରୁ ମନେହେଲା ବୈଷ୍ଣବ ଜଣକ ବେଶ୍ ଶିକ୍ଷିତ ପରି । ବୈଷ୍ଣବ ସନ୍ନ୍ୟାସୀମାନଙ୍କର ଜାତି ଓ ବୟସ ପଚାରିବା ନିଷିଦ୍ଧ ।

 

ଅପରିଚିତ ସ୍ଥାନରେ ସାଥୀ ମିଳିଯିବାରୁ ମନେ ମନେ ଆନନ୍ଦିତ ହେଲି । ଦୁହେଁ ଆଉ ବିଳମ୍ବ ନ କରି ଚାଲିଲୁ ରାମେଶ୍ଵରମ୍ ସହର ଆଡ଼େ । ନିର୍ଦ୍ଦିଷ୍ଟ ପଥ ନ ଥିଲା, ଯାହାକୁ ଅନୁସରଣ କରି ବାଟ ଚାଲିବୁ । ଚାରିପାଖରେ କେବଳ ବାଲିପ୍ରାନ୍ତର । ସମୁଦ୍ର କୂଳିଆ ପବନ ଆଘାତରେ ପଥଚାରୀ ପଥକର ପଦଚିହ୍ନ ପ୍ରତି ମୁହୂର୍ତ୍ତରେ ନିଶ୍ଚିହ୍ନ ହୋଇ ଯାଉଥିଲା ।

 

ବୈଷ୍ଣବ ନିତ୍ୟାନନ୍ଦ ଓ ମୁଁ କୃଷ୍ଣାନନ୍ଦ ଦୁହେଁ ମିଶି ଚାଲିଲୁ ସେହି ଅପନ୍ତରା ବାଲିକୁଦ ଅତିକ୍ରମ କରି । ଆମ ସାଙ୍ଗରେ ସେଠାକାର ସ୍ଥାନୀୟ କେହି ନ ଥିଲେ । ଏଣୁ ସହରକୁ ପଥ ନିର୍ଣ୍ଣୟ କରି ଚାଲିବାକୁ ଖୁବ୍ ସମୟ ଲାଗିଥିଲା ।

 

ରାମେଶ୍ଵର ସହର ଖୁବ୍ ବଡ଼ ନ ଥିଲା । ସମୁଦ୍ର ଉପକୂଳରେ ଅବସ୍ଥିତ । ଅନ୍ୟାନ୍ୟ ବୃକ୍ଷଲତା ଭିତରେ ନଡ଼ିଆ ଗଛ ଅତ୍ୟଧିକ । ଭୋକରେ ବ୍ୟାକୁଳ ହୋଇ ଗୋଟିଏ ଅଣିଧରି ଦୋକାନକୁ ଯାଇ ମୁଢ଼ି ମାଗିଲି । ମାତ୍ର ଦୋକାନୀ ଯେତିକି ମୁଢ଼ି ମୋତେ ଦେଲା, ତାକୁ ଗଣିଲେ ତିନି ଗଣ୍ଡାରୁ ବେଶି ହେବ ନାହିଁ । ମନ ମୋର ମରିଗଲା । ଅଥଚ ଦୁଇଟି ପଇସା ଦେଇ ଗୋଟିଏ ବେଶ୍‌, ବଡ଼ ନଡ଼ିଆ ପାଇଗଲି ।

 

ଦେଖିଲୁ–ରାମେଶ୍ୱର ସହରରେ ଦୁଇଟି ଧର୍ମଶାଳାରେ ସାଧୁମାନଙ୍କ ପାଇଁ ଚାଉଳ, ଅଟା ଯୋଗେଇଦେବାର ବ୍ୟବସ୍ଥା ରହିଛି । ଆମେ ଦୁଇଜଣ ମିଳିମିଶି ବେଶ୍ ଆନନ୍ଦରେ ଦୁଇଦିନ ସେଠାରେ ରାନ୍ଧି ଖାଇଲୁ । ମୋ ସାଙ୍ଗରେ ବୈଷ୍ଣବ ଜଣଙ୍କ ଥିବାରୁ କୌଣସି ଅସୁବିଧା ହେଲାନାହିଁ-। ଆମ ଉଭୟଙ୍କ ଭିତରେ ନୀତିଗତ ପାର୍ଥକ୍ୟ ବିଶେଷ ନ ଥ‌ିବାରୁ ପରସ୍ପର ମିଳିମିଶି ଚଳିବାରେ କୌଣସି ସମସ୍ୟା ନ ଥିଲା । ଯୁବ ବୈଷ୍ଣବ ଜଣକ ଥିଲେ ଅତ୍ୟନ୍ତ ଶିଷ୍ଟ ଓ ଭଦ୍ର ।

 

ଦକ୍ଷିଣ ଭାରତର ସେହି ରାମେଶ୍ଵରଙ୍କ ମନ୍ଦିର ଭାରତ ବିଖ୍ୟାତ । ବିଶେଷକରି ମୁଖ୍ୟ ମନ୍ଦିରକୁ ମଧ୍ୟସ୍ଥଳରେ ରଖି ତା’ର ଚତୁଃପାର୍ଶ୍ଵରେ ଯେଉଁ ଶୂନ୍‌ଛାତର ଦୀର୍ଘ ବାରଣ୍ଡା ପ୍ରସ୍ତୁତ କରାଯାଇଛି, ସେସବୁର ଗଠନ ପ୍ରଣାଳୀ ଦେଖ‌ିଲେ ବିସ୍ମିତ ହେବାକୁ ପଡ଼େ । ପ୍ରତ୍ୟେକ ସ୍ଥାନରେ ସୂକ୍ଷ୍ମ କାରୁକଳାର ଆତ୍ମପ୍ରକାଶ । ତେବେ ଦକ୍ଷିଣ ଭାରତର ପ୍ରାୟ ପ୍ରତ୍ୟେକ ଶିବ ମନ୍ଦିରରେ, ଶିବଙ୍କ ସମ୍ମୁଖରେ ବୃଷଭ ମୂର୍ତ୍ତି ଯେପରି ବିଶାଳ, ସେପରି ଆକର୍ଷଣୀୟ ମଧ୍ୟ । ରାମେଶ୍ଵରଙ୍କ ମନ୍ଦିରରେ ସେହି ବିରାଟ ବପୁବନ୍ତ ବୃଷଭକୁ ଦେଖିଲେ ଦର୍ଶକ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେବ ।

 

ରାମେଶ୍ଵରଙ୍କ ମନ୍ଦିର ପ୍ରବେଶ ପଥରେ ସୀତାକୁଣ୍ଡ, ରାମକୁଣ୍ଡ ଏବଂ ସମୁଦ୍ର ପଟକୁ ସ୍ଥାନୀୟ ଲୋକମୁଖରେ କଥିତ ସୁବଳୟା ପର୍ବତ । ସ୍ଥାନୀୟ ଅଧ‌ିବାସୀ ସମସ୍ତେ ପ୍ରାୟ ସୁବର୍ଣ୍ଣପ୍ରିୟ-। ସାଧାରଣ ମହିଳା ମଧ୍ୟ ନିଜ ନିଜ ଦେହରୁ ଆଠ ଦଶଭରି ସୁନା ଅଳଙ୍କାର ବାହାର କରିପାରିବେ-। ଆଶ୍ଚର୍ଯ୍ୟର ବିଷୟ, ସ୍ଥାନୀୟ ସ୍ତ୍ରୀଲୋକମାନେ କର୍ଣ୍ଣଭୂଷଣ ହିସାବରେ ଏକପ୍ରକାର ଅଳଙ୍କାର ବ୍ୟବହାର କରନ୍ତି, ଯାହାର ଓଜନଭାରରେ କାନଟି କଟିଯାଇ ମୁଖର ସୌନ୍ଦର୍ଯ୍ୟ ନଷ୍ଟ କରିପକାଏ-। କାହାର କାହାର କାନର ମାଂସପେଶି ଲମ୍ବିଯାଇ କାନକୁ ବିକୃତ କରିଦିଏ ।

 

ରାମେଶ୍ଵରମ୍‌ରେ ଥିଲାବେଳେ ସେତୁବନ୍ଧ ଦର୍ଶନ ଲାଗି ମନ ଆମର ବ୍ୟାକୁଳ ହୋଇଉଠିଲା । ଉଭୟେ ସେଠାରୁ ବିଦାୟ ନେଇ ଫେରିଲୁ ରାମେଶ୍ଵର ଷ୍ଟେସନକୁ । ଏଠାରୁ ଧନୁସ୍କୋଡ଼ି ସ୍ଥାନ, ଶୁଣିଲୁ ରେଳପଥରେ ଅଠର ମାଇଲି । ସେହି ଧନୁସ୍କୋଡ଼ି ସ୍ଥାନରୁ ହିଁ ଶ୍ରୀଲଙ୍କାକୁ ଯିବାର ଜଳପଥ ଆରମ୍ଭ । ଜାହାଜରେ ବସି ଯିବାକୁ ପଡ଼େ । ବିନା ରଥରେ ମଥୁରାଗମନ ଅସମ୍ଭବ-

 

ରେଳପଥରେ ଆଉ କିଛି ଦୂରଗଲେ ଭାରତର ଶେଷ ସ୍ଥଳଭାଗ କନ୍ୟାକୁମାରୀ ପଡ଼େ ଏବଂ ଦକ୍ଷିଣ ଭାରତୀୟ ରେଳବାଇ ସେଇ କନ୍ୟାକୁମାରୀ ଦେଇ ବୁଲିଯାଇଛି ବମ୍ବେ ମହାନଗରୀ ଅଭିମୁଖେ ।

 

ଆମର ଧନୁସ୍କୋଡ଼ି ଯାତ୍ରା ଆରମ୍ଭ କଲୁ । ମନରେ ସେତୁବନ୍ଧ ଦର୍ଶନର ପ୍ରବଳ ଇଚ୍ଛା । ସେତୁବନ୍ଧ କାହିଁ ? ଦେଖୁଲୁ, ରାମେଶ୍ଵରମ୍‍ଠାରୁ ଧନୁସ୍କୋଡ଼ି ଯିବା ପଥରେ ଅନେକ ସ୍ଥାନରେ ଦକ୍ଷିଣ ଭାରତ ରେଳବାଇ ସମୁଦ୍ର ଉପରେ ପୋଲ ନିର୍ମାଣ କରିଛି ଏବଂ ସେଇ ପୋଲ ଉପରେ ଦେଇ ରେଳ ଚାଲୁଛି । ଅବଶ୍ୟ ସେହି ପୋଲ ସବୁ ବିଶେଷ ବଡ଼ ଆକାରର ନୁହେଁ । ମୋର ମନେହେଲା ସମ୍ଭବତଃ ସେତୁବନ୍ଧ କାଳକ୍ରମେ ନଷ୍ଟହୋଇ ଯିବାଫଳରେ ତାକୁ ସମ୍ବଳ କରି ଭାରତୀୟ ରେଳବାଇ ତା’ଉପରେ ପୋଲ ନିର୍ମାଣ ଲାଗି ସୁବିଧା ପାଇଛି ।

 

ଧନୁସ୍କୋଡ଼ି ସ୍ଥାନଟି ବିଶେଷ ବଡ଼ ସହର ନୁହେଁ । କ୍ଷୁଦ୍ର ରେଳ ଜଙ୍କ୍‍ସନ୍ । କୋଠା, ଖପରୁଲି ଘର କେତେକ ଥିଲେ ମଧ୍ୟ ବେଶି ଭାଗ ଘର ତାଳବରଡ଼ା ଛପର । ଗୋଟାଏ ବାଲିପଡ଼ିଆ ଉପରେ ଜନବସତି ଗଢ଼ିଉଠିଛି । ଧନୁସ୍କୋଡ଼ିରେ ଆରବ ସାଗର ଏବଂ ବଙ୍ଗୋପସାଗରର ମିଳନ କ୍ଷେତ୍ର । ସେଠାରେ ଏକ ବଡ଼ ଧରଣର ମେଳା ଅନୁଷ୍ଠିତ ହୁଏ ଏବଂ ମେଳାରେ ଦେଶର ବିଭିନ୍ନ ଅଞ୍ଚଳରୁ ପୂଣ୍ୟକାମୀ ନର ନାରୀ ଆସି ସାଗରର ସଙ୍ଗମ ସ୍ଥଳରେ ବୁଡ଼ ପକାନ୍ତି । ସ୍ଥାନଟି ସନ୍ଧ୍ୟା ଓ ପ୍ରଭାତରେ ଅତ୍ୟନ୍ତ ମନୋରମ ହୋଇଉଠେ । ସୂର୍ଯ୍ୟୋଦୟ ଆମ କୋଣାର୍କ ପରି ବେଶ୍ ଚିତ୍ତାକର୍ଷକ ।

 

ଧନୁସ୍କୋଡ଼ିରେ ଦୁଇଟି ସ୍ଥାନରେ ସାଧୁମାନଙ୍କୁ ଅନ୍ନଦାନ ମିଳିବାର ବ୍ୟବସ୍ଥା ଯଦିଚ ଥିଲା, ମାତ୍ର ଆମେ ଯୋଉଦିନ ସେଠାରେ ପହଞ୍ଚିଲୁ କୌଣସି କାରଣରୁ ଗୋଟିଏ କେନ୍ଦ୍ର ବନ୍ଦ ରହିଥିଲା । ଆମେ ଦୁଇ ଜଣ ଖୋଲାଥ‌ିବା କେନ୍ଦ୍ରଟିର ଅନୁସନ୍ଧାନ କରି ଅନ୍ନଭିକ୍ଷା କରି ସେଦିନଟି କଟେଇଲୁ । କେନ୍ଦ୍ରଟି ଥିଲା ଠିକ୍ ସଙ୍ଗମସ୍ଥଳ ନିକଟରେ । ନିର୍ଦ୍ଦିଷ୍ଟ ସମୟରେ ଅଭ୍ୟାଗତ୍ ପହଞ୍ଚିଲେ ଲୁଗାକାନିରେ ଭାତ ଓ ଡାଲି ଢାଳି ଦିଆଯାଏ ।

 

ଇଚ୍ଛା ଥିଲା ଧନୁସ୍କୋଡ଼ିରୁ କନ୍ୟାକୁମାରୀ ଯିବାଲାଗି । କିନ୍ତୁ ତା’ପରଦିନ ଯେତେବେଳେ ଗାଡ଼ି ଧରିବା କଥା, ସେତେବେଳେ ଆମେ ଉଭୟେ ଅଲଗା ଅଲଗା ଭାବରେ ଯାଇ ଗାଡ଼ିରେ ବସିଲୁ । କାରଣ, ଏକାଠି ଗଲେ କାଳେ ରେଳ କର୍ମଚାରୀଙ୍କ ଦୃଷ୍ଟିରେ ପଡ଼ିବୁ, ଏଥ‌ିପାଇଁ । କିନ୍ତୁ ଫଳ ହେଲା ବିପରୀତ । କୋଉ ଗାଡ଼ିରେ କିଏ ବସିଲା ଜଣାଗଲା ନାହିଁ । ଗାଡ଼ି ଚାଲିବାର କିଛି ସମୟପରେ ମୁଁ ବୁଝିପାରିଲି ଯେ, ପଛକୁ ଫେରୁଛି । ଆଉ ଉପାୟ ନ ଥିଲା । ତେଣୁ ଦୀର୍ଘନିଃଶ୍ୱାସ ପକେଇ ଗୋଟିଏ ଅବହେଳିତ ସ୍ଥାନ ଦେଖି, ବସ୍ତାନିଟି ମଥା ତଳେ ଦେଇ ଘୁମେଇ ପଡ଼ିଲି ।

 

ନିଦ ଭାଙ୍ଗିଥିଲା ଗୋଟିଏ ଅପରିଚିତ ଷ୍ଟେସନରେ । ବୁଝିଲି ଯେ, ଗାଡ଼ିଟି ସେତେବେଳକୁ ମଦୁରାଇ ଟାଉନ୍ ଅତିକ୍ରମ କରିସାରିଲାଣି । ଇଚ୍ଛା ଥିଲା ଆଉଥରେ ଫେରିଲାବେଳକୁ ମିନାକ୍ଷୀ ଦେବୀଙ୍କୁ ଦର୍ଶନ କରିବି, ମନ ଭରି ପୁଣି ଥରେ ଦେଖିବି ଭାରତର ଅଦ୍ଵିତୀୟ କାରୁକଳାପୂର୍ଣ୍ଣ ଅକ୍ଷତ ମିନାକ୍ଷୀ ମନ୍ଦିର । ମାତ୍ର ସେ ଇଚ୍ଛା ମୋର ଆଉ ପୂରଣ ହେଲା ନାହିଁ । ଭୋକ ବିକଳରେ ଉପାୟ ନ ପାଇ ପ୍ଲାଟଫର୍ମକୁ ଓହ୍ଲେଇ ଯାଇ ପାଣି ପିଇଲି ଓ ପୁଣି ଗାଡ଼ିକୁ ଉଠି ବସିଲି ନିଜ ସ୍ଥାନରେ ।

 

ରେଳରେ ଯାତ୍ରା କଲାବେଳେ ମୁଁ ବିନା ଟିକଟରେ ଯାତ୍ରା କରୁଥିବା ହେତୁ ବିଭିନ୍ନ ରେଳ କର୍ମଚାରୀ ତଥା ଟି.ଟି.ଆଇ. ଓ ଟି.ଟି.ସି.ମାନଙ୍କ ପ୍ରତି ସତର୍କତ ରହିଥିଲି; ତା’ଛଡ଼ା ମୁଁ ମୋ ପାଇଁ ଏପରି ଗୋଟିଏ ସ୍ଥାନ ବାଛୁଥିଲି, ଯାହାଦ୍ଵାରା ଅନ୍ୟ କୌଣସି ଯାତ୍ରୀଙ୍କର ଅସୁବିଧା ସୃଷ୍ଟି ହେଉ ନ ଥିଲା । ସବୁବେଳେ ମୋର ଗୋଟିଏ କଥା ମନକୁ ଆସୁଥିଲା, କଥାଟି ହେଲା–ଏପରି କଥା କୁହ ଯାହାକୁ କେହି ନ କହିବେ ଝୁଟ୍, ଏଭଳି ସ୍ଥାନରେ ବସ ତୁମକୁ କେହି ନ କହିବେ ଉଠ୍ ।

 

ମାଡ୍ରାସ ଫେରିବା ବାଟରେ ନୂଆ ନୂଆ ସହରରେ ଦିନେ ଦୁଇଦିନ କଟେଇ ଫେରିଥିଲି-। ସେସବୁ ସ୍ଥାନଗୁଡ଼ିକ ଥିଲା ତିରୁଚିରାପଲ୍ଲୀ, ତାଞ୍ଜୋର, କୋଡ୍ଡାଲେର, ପଣ୍ଡିଚେରୀ, ଚିଙ୍ଗ୍‌ଲିଫୁଟ-। ପ୍ରତ୍ୟେକ ସହରଗୁଡ଼ିକ ଥିଲା ମୋ ନିକଟରେ ସୁନ୍ଦର, ରୁଚିପୂର୍ଣ୍ଣ । ଆମ ଓଡ଼ିଶାର ପ୍ରତ୍ୟେକ ସହରଠାରୁ ପରିଷ୍କାର ପରିଚ୍ଛନ୍ନ । ତାଞ୍ଜୋର ସହର ଭିତରେ ରାନ୍ଧି ଖାଇବାକୁ ଗୋଟିଏ ମାଟିହାଣ୍ଡି ଖୋଜିବାକୁ ମୋତେ ବେଶ୍ ଦୀର୍ଘ ସମୟ ଲାଗିଥିଲା ଏବଂ ଶେଷରେ ମୋର ଢାଳରେ ଡାଲି ଓ ଚାଉଳ ପକେଇ ରାନ୍ଧି ଖାଇଥିଲି ।

 

ପହଞ୍ଚିଲି ସେହି ପୁରୁଣା, ଏଗାମୋର୍ ଷ୍ଟେସନରେ । କିନ୍ତୁ ଦେଖାହେଲା ନାହିଁ ପୂର୍ବ ପରିଚିତ ଉପକାରୀ ବୃଦ୍ଧଙ୍କ ସହିତ । ମୋର ଅନୁଶୋଚନାର ସୀମା ରହିଲା ନାହିଁ । ଦେହରେ ଶକ୍ତି ନ ଥିଲା ପରି ଅନୁଭବ କରୁଥିଲି, କାରଣ ରେଳରେ ଦୀର୍ଘ ସମୟ ଧରି ଯାତ୍ରା ଫଳରେ ପେଟକୁ ଖାଦ୍ୟ ଯୋଗେଇବା ସମ୍ଭବ ହୋଇ ନ ଥିଲା । ଚାଲିଲି ସହର ଭିତରକୁ ।

 

ଏଥର ମାଡ୍ରାସରେ ଆଉ ଦୁଇଦିନ ରହିଲି ଏବଂ ଏତିକିବେଳେ ସହରରେ ଦୁଇଟି ଉତ୍ସବରେ ବିଖ୍ୟାତ ଭାରତନାଟ୍ୟମ୍ ଓ କଥ୍‌କଲି ନୃତ୍ୟ ଦେଖିବାର ସୁଯୋଗ ପାଇଥିଲି । ଭରତନାଟ୍ୟମ୍ ନୃତ୍ୟରେ ମୁଁ ବିଶେଷ ବିସ୍ମିତ ହୋଇନଥିଲେ ହେଁ ରୋମାଞ୍ଚକର କଥ୍‌କଲି ନୃତ୍ୟର ବିଚିତ୍ର ବେଶ ପରିପାଟୀ ଦେଖି ମନେ ମନେ ପ୍ରଶଂସା ନ କରି ରହିପାରି ନଥିଲି ।

 

ତା’ପର ଖବର ବୁଝି ସେଦିନ ଗୋଟିଏ ମେଲ୍ ଗାଡ଼ିର ଆଶ୍ରୟ ନେଇ ମାଡ୍ରାସ ପ୍ଲାଟଫର୍ମ ଛାଡ଼ିଲି । ମନରେ ଅନ୍ୟ କୌଣସି ଭାବନା ସେତେବେଳେ ଆସି ନ ଥିଲା । ବରଂ ମନରେ ଦୃଢ଼ ଧାରଣା ଆସିଥିଲା ଯେ, ଯାହା ମନୁଷ୍ୟ ସ୍ଥିର କରେ, ତାହା ହୁଏ ନାହିଁ, ଯାହା ହବାର ଥାଏ, ସେକଥା ହୁଏ । ମୁଁ ଦିନେ ନର୍ମଦା ତୀରକୁ ପାଇବା ପାଇଁ ଧାଇଁ ଆସି, ପାଇଲି ରମେଶ୍ଵରଙ୍କ ଦର୍ଶନ । ପାଇଲି ଭାରତୀୟ ଶିଳ୍ପ ଭାସ୍କର୍ଯ୍ୟର ଗରିମାମୟ ସ୍ମୃତିଚିହ୍ନ । ଏଥ‌ିରେ ଯେ ମୋର ଲୋକସାନ ଥିଲା ତା’ ନୁହେଁ, ଲାଭ ଥିଲା ଅନେକ । ଯାହା ଘଟିବାର ଅଛି, ତାକୁ କୌଣସି ରକମର ଗ୍ରହପୂଜାର ଆଶ୍ରୟ ନେଇ, ଭୋଗ ନୈବେଦ୍ୟ ଦେଇ ପ୍ରତିରୋଧ କରିବା ମତକୁ ଅସ୍ଵୀକାର କରିବା ସିଦ୍ଧାନ୍ତରେ ପହଞ୍ଚିଲି ।

 

ଅନୁଭବ କଲି ମନୁଷ୍ୟର ଜୀବନକାଳ ଭିତରେ ଯାହାସବୁ ଘଟିଯାଉଛି, ତାହା ଯେପରି ଆଗରୁ କିଏ ଯୋଜନାବଦ୍ଧଭାବେ ସ୍ଥିର କରି ରଖିସାରିଛି । ମନୁଷ୍ୟର କୌଣସି କଳ୍ପନା ଜଳ୍ପନା ସେଥିପ୍ରତି ଲାଗୁ ହୋଇପାରେନା, ହେବା ସମ୍ଭବ ମଧ୍ୟ ନୁହେଁ । ମଣିଷ ଯଦି ଗୋଟିଏ ଭଲ ମଣିଷ ହୋଇପାରିବ, ତେବେ ତା’ର ଆଉ କିଛି ଲୋଡ଼ା ନାହିଁ । ସେଇଠାରେ ହିଁ ତା’ର ଦେବତା ଦର୍ଶନ ବା ସତ୍ୟ ଦର୍ଶନ ହେଲା ବୋଲି ବୁଝିବାକୁ ହେବ । ଭିକ୍ଷା ଦେବାପାଇଁ ମଣିଷ ନିଜକୁ ପ୍ରସ୍ତୁତ ନ କରି, ଭିକ୍ଷା ଗ୍ରହଣ କରିବା ମନବୃତ୍ତି ପୋଷଣ କରିବା ଅତ୍ୟନ୍ତ ନିନ୍ଦନୀୟ ।

 

ମନକୁ ଆସିଲା–ଜଣେ ଭଲ ମଣିଷର ଆସନ ବିଭିନ୍ନ ସାଧୁ, ସନ୍ନ୍ୟାସୀଙ୍କ ଆସନଠାରୁ ବହୁ ଊର୍ଦ୍ଧ୍ଵରେ । ମହିମାମୟୀ ମୀରାବାଇଙ୍କ କଥା ମନେପଡ଼ିଲା; ମନେପଡ଼ିଲା ତାଙ୍କର ସେଇ ଅମରବାଣୀ, ଯଥାର୍ଥରେ ସେ କହିଛନ୍ତି–

 

“ନିତ୍ ନାହାନେସେ ହରି ମିଲେ ତୋ

ଜଲ୍, ଯନ୍ତୁ ହୋଇ

ଫଲ୍, ମୂଲ ଖା’କେ ହରି ମିଲେ ତୋ

ବାଦୁର୍, ବାନ୍‌ରାଇ

ତିରନ୍ ଭକ୍ଷନସେ ହରି ମିଲେ ତୋ

ବହତ୍ ମ୍ରିଗୟା ଯା

ସ୍ତ୍ରୀ ଛୋଡ୍‌ କେ ହରି ମିଲେ ତୋ

ବହୁତ୍ ରହେ ଖୋଜା

ଦୁଧ ପିକେ ହରି ମିଲେ ତୋ

ବହତ୍ ବତ୍ସବାଲା

ମିରା କହେ ବିନା ପ୍ରେମ୍‌ସେ

ନାମିଲେ ନନ୍ଦଲାଲା ।’’

 

ଆମେ ଯେବେ ଦୃଢ଼ ରହି ମନକୁ ନିର୍ମଳ ରଖିରିବା ତେବେ ସେହିଠାରେ ହିଁ ଈଶ୍ଵର–ଶକ୍ତିର ଅନୁଭବ ଲାଗି ବାଟ ଫିଟିଯିବ ଏବଂ ସତ୍ୟକୁ ଉପଲବ୍ଧି କରିବାର ସୁବିଧା ମିଳିପାରିବ । ଯୋଉ ମଣିଷ ନିଜର ସାଂସାରିକ କର୍ତ୍ତବ୍ୟ ସମ୍ପାଦନା କରି ସତ୍ୟକୁ ଚିହ୍ନିପାରିଲା, ତା’ର ଆଉ ବାବାଜି ସାଜି ଏତେ ଦ୍ଵାର ଦ୍ଵାର ବୁଲି ଭିକ୍ଷା ଆହରଣ କରିବା କ’ଣ ବା ଦର୍କାର । କଳ୍ପନାଠାରୁ କର୍ଭବ୍ୟ ଯେ ଖୁବ୍ ବଡ଼, ଏକଥା ସେହିଦିନ ସେହି ଚଳନ୍ତା ରେଳଗାଡ଼ିରେ ଥିଲାବେଳେ ମୋର ମନକୁ ଛୁଇଁଥିଲା ।

 

ଏଇଭଳି ଭାବେ କିଛି ଦିନପରେ ମୁଁ ଫେରିଆସିଲି ମୋର ପରିଚିତ ପୁରୁଣା କଟକ ସହରକୁ । ଆଶ୍ରୟ ନେଲି ଦୀକ୍ଷାଗୁରୁ ଶିଳାଚାରୀ ବ୍ରହ୍ମାନନ୍ଦଙ୍କ ନିକଟରେ । ପରିବେଶ ଥିଲା କାଜୀ ବଜାରର ଗୋଟିଏ ଶିବ ମନ୍ଦିର । ପ୍ରତିଦିନ ଦେବତା ସେବାପୂଜା ଶେଷ କରି ଅନ୍ନଭିକ୍ଷା ପାଇଁ ସହର ପରିକ୍ରମା କରିବାକୁ ପଡ଼େ ।

 

ଯୋଉ ପରିବାରରେ ଅନ୍ନଭିକ୍ଷା ଗ୍ରହଣ କରୁ, ସେ ପରିବାରରେ ଦିନକ ଆଗରୁ ପରିବାର କର୍ତ୍ତାଙ୍କର ସମ୍ମତି ନେବାକୁ ପଡ଼ିଥାଏ । ଏଣୁ ଅନ୍ନଭିକ୍ଷାବେଳେ ସେପରି କେବେ ହତାଶ ହେବାକୁ ପଡ଼େ ନାହିଁ । ଯୋଉ ପରିବାର ତାର ସମ୍ବଳକୁ ଚାହିଁ ଯାହା ଆମକୁ ଦେଲା ସେଥ‌ିରେ ଆମର ଅଶାନ୍ତି ଉପୁଜିବାର କୌଣସି ପ୍ରଶ୍ନ ଉଠୁନଥିଲା ।

 

ଏଇ ସମୟ ଭିତରେ ମୋର ମା (ବୋଉ) ମୁଁ କଟକ ଫେରିବା ଖବର ପାଇ ଆସିଥିଲେ ସେଇ ଶିବ ମନ୍ଦିରକୁ । ତାଙ୍କର ଅତି ଅଲିଅଳ ସନ୍ତାନ ପାଇଁ ଆଣିଥିଲେ ହାତ ତିଆରି ପିଠା ବଡ଼ି ।

 

ହଠାତ୍ ଦିନେ ଭିକ୍ଷାକରି ଯିବା ବାଟରେ ଦେଖାହେଲା ମୋ ଗାଁ’ର ଜୟୀ ଭାଇ, କାଳିଆ ଭାଇଙ୍କ ସହିତ । ତାଙ୍କ ସାଙ୍ଗରେ ଥିଲେ ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି, ଓଡ଼ିଶାର କଣ୍ଠଶିଳ୍ପୀ ଶ୍ରୀ ଅକ୍ଷୟ କୁମାରଙ୍କ ବାପା । ସମସ୍ତେ ମୋର ଥିଲେ ଅତି ପରିଚିତ, ଗୁରୁଜନ ପରି । ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି କଟକରେ ନାଜର ଥିଲାବେଳୁ ମୁଁ ତାଙ୍କୁ ଭଲଭାବେ ଜାଣିଥିଲି । କଳା ଓ କଳାକାର ଯୋଉଠି ସେ ପ୍ରାୟ ସେ ସ୍ଥାନକୁ ସମୟ ପାଇଲେ ବୁଲି ଆସିବାକୁ ଭୁଲୁ ନ ଥିଲେ । ଶ୍ରୀମତୀ ସୁଲକ୍ଷଣା ପଟ୍ଟନାୟକ ଓ ଶ୍ରୀ ଅକ୍ଷୟ ମହାନ୍ତି ଉଭୟ ଥିଲେ ସେତେବେଳେ ଖୁବ ଛୋଟ ।

 

ସେହି ତ୍ରିନାଥ ଗୋସେଇଁ ମୋତେ ଭିଡ଼ିନେଲେ କଟକ ଭିକ୍ଟୋରିଆ ସ୍କୁଲ ନିକଟରେ ଚମାର ସାହିରେ ଥ‌ିବା ଗୋଟିଏ ବସା ଘରକୁ । ବସା ଘରଟି ଥିଲା କାଳିଆ ଭାଇଙ୍କର । ଅନେକ ସମୟ ପର୍ଯ୍ୟନ୍ତ ମୋତେ ବୁଝେଇବାକୁ ପଡ଼ିଲା ତାଙ୍କୁ । ସେମାନଙ୍କର ନିର୍ଦ୍ଦେଶ ଥିଲା, ମୁଁ ପୁଣି ବାବାଜି ଗୋଷ୍ଠୀରୁ ଫେରିଯାଇ ଯୋଗ ଦେବି କାଳି ବାବୁଙ୍କର ଓଡ଼ିଶୀ ଥିଏଟର୍ସରେ । ମୂଷାରୁ ବିଲେଇ, ବିଲେଇରୁ ବାଘ, ବାଘରୁ ପୁନର୍ବାର ମୂଷା ହେବାକୁ ମୋର ସମ୍ପୂର୍ଣ ଇଚ୍ଛା ନ ଥିଲେ ମଧ୍ୟ, ସେହି ଅଦୃଶ୍ୟ ଶକ୍ତିଙ୍କର ଯେ ଇଚ୍ଛା ଥିଲା ।

 

ଏଇ କାରଣରୁ ମୁଁ ସବୁବେଳେ ଗୁରୁତ୍ଵ ଦେଲି–ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ କଥାଟି ଉପରେ ।

 

ଏଇ ରଙ୍ଗମଞ୍ଚ, ପୁଣି ଅଭିନୟ, ପୁଣି ସେହି ଚାରିକାନ୍ଥ ଘେରା ପରିବେଶ ମୋତେ ଜାବୁଡ଼ି ଧରିଲା । କିନ୍ତୁ ଗେରୁଆବସନ, ଭଷ୍ମ ଲେପନ, ଏସବୁ ଯେମିତି ଆଗରୁ ଥିଲା ସେ ସବୁକୁ ହଠାତ୍ ଛାଡ଼ିପାରିଲି ନାହିଁ । ଗୋଟିଏ ଅଲଗା ଘରେ ଅର୍ଥାତ୍ ଯୋଉ ଘରଟିରେ ଆଗରୁ ରହୁଥିଲି ସେହି ଘରେ ରହିଲି ଏବଂ ଯେମିତି ଆଗରୁ ସମସ୍ତଙ୍କ ସାଙ୍ଗରେ ରିହାର୍‌ସାଲକୁ ଯାଉଥିଲି ସେମିତି ଗଲି । ସେଇ ପୁରୁଣା କଥା, ସେଇ ପୁରୁଣା ଅଭ୍ୟାସରେ ମୋତେ ପୁଣି ଥରେ ମୁଁ ଛନ୍ଦିପକେଇ ଈଶ୍ୱରଙ୍କୁ ଡାକିଲି, ହେ ପରମେଶ୍ଵର ତୁମ ଇଚ୍ଛା ପୂର୍ଣ୍ଣ ହେଉ ।

 

ଓଡ଼ିଶା ଥିଏଟର୍ସରେ ବନମାଳୀ ନାଟକ ଅଭିନୟ ଚାଲିଥାଏ । ନୂଆ ଭାବରେ ଯୋଗ ଦେଇଥାଏ କେଳୁ(ଶ୍ରୀ କେଳୁଚରଣ ମହାପାତ୍ର) । ପୁଞ୍ଜିଭୂତ ପ୍ରତିଭାର ମୂର୍ତ୍ତିମନ୍ତ ଆଧାର ସେ । ସରଳ, ଶାନ୍ତ, ବିନୟ ଗୁଣରେ ସେ ଥିଲା ଅଦ୍ଵିତୀୟ I ଆଗରୁ ଶ୍ରୀ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦଳରେ ଥିଲା, ଏବେ ନୂଆକରି ଓଡ଼ିଶା ଥିଟର୍ସରେ ଦେଖିଲି । ବନମାଳୀ ନାଟକରେ ଗୋଟିଏ ଛୋଟ ଭୂମିକାରେ ଅଭିନୟ କରୁଥିଲା ସେ । ଭୂମିକାଟି ଛୋଟ ହେଲେ ମଧ୍ୟ କଳାକାରର ସୂକ୍ଷ୍ମ କଳା ପ୍ରଦର୍ଶନ ଲାଗି ସୁଯୋଗ ଥିଲା ସେଥ‌ିରେ ବେଶି । ଭୂମିକାଟି ଥିଲା ପରିବାରର ଚାକର । କେଳୁଚରଣ ମଧ୍ୟ ଦକ୍ଷତା ସହକାରେ ଭୂମିକାଟିକୁ ରୂପଦେଇ ପାରୁଥିଲା ।

 

ମୋର ଉପସ୍ଥିତି ଉପଲବ୍ଧି କରି କାଳି ବାବୁ ମୋତେ ସେ ଚରିତ୍ରଟିକୁ ଅଭିନୟ କରିବାକୁ ସୁଯୋଗ ଦେଲେ । ଠିକ୍ ଏତିକିବେଳେ ଦେଶରେ ଯୁଦ୍ଧକାଳୀନ ପରିସ୍ଥିତି ଯୋଗୁଁ ଅନ୍ୟାନ୍ୟ ସମସ୍ୟା ଭିତରେ ମଥା ଟେକିଲା ଭାରତୀୟଙ୍କର ଭାତ ଆଉ ରୁଟିର ସମସ୍ୟା । ପ୍ରାୟ ପ୍ରତ୍ୟେକ କବି, ସାହିତ୍ୟିକ ତାଙ୍କର ଲେଖନୀ ଚଳେଇ ଭାତ ଆଉ ରୁଟିକୁ କେନ୍ଦ୍ରକରି ସୃଷ୍ଟି କଲେ ନୂଆ ନୂଆ ବାସ୍ତବ ବିଷୟବସ୍ତୁ ।

 

କୃତି କଳାକାରମାନଙ୍କ ସହଯୋଗରେ ଓଡ଼ିଶା ଥିଏଟର୍ସ ତା’ର ଭାତ ନାଟକ ପରିବେଷଣ କଲା ଜନତା ସମ୍ମୁଖରେ । ଦିନେ ନୁହେଁ, ଦୁଇ ଦିନ ନୁହେଁ, ମାସ ମାସ ଧରି ଅଭିନୀତ ହେଲା ଭାତ ନାଟକ । କୁହୁକ ପରି ସେଇ ଭାତ ନାଟକ ଦର୍ଶକ ମନକୁ କଲା ଚଞ୍ଚଳ । ଚମକିତ, ପାଗଳ ଦର୍ଶକ ଛୁଟିଲେ ଦିନ ଦିନ ଧରି ସେଇ ଅଭିନୟ ଦର୍ଶନ ଲାଗି । ବିଷୟବସ୍ତୁ ଥିଲା ମୁଠାଏ ଭାତପାଇଁ ଜମିଦାର ଓ ପ୍ରଜା ଭିତରେ ସଂଘର୍ଷ । ଅଭିନୟ ଥିଲା ଅତି ବାସ୍ତବ, ଜୀବନ୍ତ । ଅଭିନୟ ଚାଲିଥିଲା ଏକାଦିକ୍ରମେ ଶହେ ସାତ ରାତି । ଆଶ୍ଚର୍ଯ୍ୟ ବିଷୟ, କୌଣସି ଗୋଟିଏ ଦିନ ହେଲେ ପ୍ରେକ୍ଷାଳୟ ଖାଲି ପଡ଼ିବାର ଦେଖି ନ ଥିଲୁ । ସବୁଦିନ ପୂର୍ଣ୍ଣ ପ୍ରେକ୍ଷାଳୟ । ନାଟକଟିର ଉଦ୍‌ଯାପନ ଦିନ ବୁଝିବାକୁ ପାଇଲୁ ଜଣେ ଜଣେ ଦର୍ଶକ ଶହେ ସାତ ରାତି ଯାକ ଅଭିନୟ ଦେଖିବାକୁ ଭୁଲିନାହାନ୍ତି ।

 

ମୋର ବ୍ୟକ୍ତିଗତ ମତ ଯେ, ଏଭଳି ଅଭିନୟର ସଫଳତା ଲାଗି ଲେଖକଙ୍କର ଅବଦାନ ଯେତିକି ଥିଲା, ତା’ଠାରୁ ସମସ୍ତ ଶିଳ୍ପୀମାନଙ୍କର ବୁଝାମଣା ରଖି କଳା ପରିବେଷଣର ଅବଦାନ ଥିଲା ବେଶି । କିନ୍ତୁ ଦୁଃଖର ବିଷୟ ଭାତ ବହିର ସେ ସଫଳତା ଲାଗି ଶିଳ୍ପୀମାନଙ୍କୁ କେହି ଧନ୍ୟବାଦ ପଦେ ନଦେଇ ସମସ୍ତ ଧନ୍ୟବାଦର ବୋଝ ଅଜାଡ଼ୁଥିଲେ କାଳି ବାବୁଙ୍କ ମୁଣ୍ଡରେ । ବିଶେଷକରି ଯେଉଁମାନେ ଆଶୀର୍ବାଦକ ଦଳ ସେହିମାନେ ଆସି କାଳି ବାବୁଙ୍କ ପ୍ରଶଂସାରେ ଶତମୁଖ ହୋଇଉଠୁଥିଲେ । ଏଇଠି ମୋର ପଦେ କହିବାର କଥା ଯେ, କାଳି ବାବୁ ତ ମୋର ଦେଖିବା କାଳ ଭିତରେ କାହାକୁ ନିଜ ପ୍ରତିଭା ନିକଟରେ ବଡ଼ ବୋଲି ଗଣୁ ନଥିଲେ; ତା’ ସାଙ୍ଗରେ ତୋଷାମଦକାରୀଙ୍କ ବୃଥା ପ୍ରଶଂସା ମିଶିବା ଫଳରେ ଗର୍ବ ତାଙ୍କର ଦୁଇଗୁଣ ବଢ଼ିଗଲା I

 

ଏଇ ସମୟରେ ଭାତ ନାଟକ ଶେଷ ହେଲାବେଳକୁ ଓଡ଼ିଶା ଥିଏଟର୍ସର ସମସ୍ତ ଶିଳ୍ପୀ (କେବଳ ମୁଁ, ଦୁର୍ଲ୍ଲଭ ଚନ୍ଦ୍ର ସିଂ ଓ ଆଉ କେତେଜଣଙ୍କୁ ବାଦ୍‌ଦେଇ)ମାନେ ଏକାଠି ମିଳି କାଳି ବାବୁଙ୍କ ନିକଟରେ ପ୍ରାର୍ଥନା କଲେ ସେମାନଙ୍କର ଦରମା ଟଙ୍କାକେ ଚାରଣା ବୃଦ୍ଧି କରିବାକୁ । ଏଥୁରେ କାଳି ବାବୁ ରାଜି ହେଲେ ନାହିଁ । ତାଙ୍କର ସେଇ ଜିଦ୍‌ଖୋର ଅନଳକୁ ବେଶିମାତ୍ରାରେ ବଢ଼େଇଦେଲେ ଆଡ଼ଭୋକେଟ୍ ଦିବ୍ୟସିଂହ ଦାସ ଓ ଅନ୍ୟ କେତେ ଜଣ ଇନ୍ଧନ ଯୋଗେଇ ।

 

ଓଡ଼ିଶା ଥିଏଟର୍ସରେ ସେ ସମୟରେ ଶିଳ୍ପୀମାନେ ଦରମା ପାଉଥିଲେ ସମ୍ଭବତ ଅତି ଅଳ୍ପ, ୧୦ ଟଙ୍କା, ୧୫ ଟଙ୍କା । କାଳି ବାବୁ କାହାକୁ କେତେ ଦରମା ଦେଉଥିଲେ ସେକଥା କେହି ଜାଣିପାରୁ ନଥିଲେ । ଦରମା ଖାତାଟି ତାଙ୍କର ନିଜ ପାଖରେ ରହୁଥିଲା ମୁଁ ପାଉଥିଲି ମାସକୁ ୫ ଟଙ୍କା । ଅଶାନ୍ତିର ନିଆଁ ଏଥି ପୂର୍ବରୁ ଶିଳ୍ପୀମାନଙ୍କ ମନରେ କୁହୁଳୁଥିଲା । ଭାତ ବହି ଶେଷରେ ସେ ନିଆଁ ଖୁବ୍ ବିରାଟ ରୂପ ଧାରଣ କଲା । ସମସ୍ତେ ଏକାଠି ବସିଲେ । ଶିଳ୍ପୀମାନଙ୍କର ହଁ ଏବଂ କାଳି ବାବୁଙ୍କର ନା । ଶେଷରେ ଉଭୟ ଦଳଙ୍କ ଭିତରେ ମନ ଫାଟିଗଲା । କେହି କାହା କଥା ଶୁଣିଲେ ନାହିଁ । ଶିଳ୍ପୀମାନଙ୍କ ପକ୍ଷରୁ ଯୋଉ କେତେ ଜଣ ନେତୃତ୍ୱ ନେଉଥିଲେ, ଯଥା ବାବି, ପିର, କୃଷ୍ଣ ପାଣ୍ଡେ, ମେନା (ମାନଦା), ଉମାଶଶୀ, ମଧୁଦତ୍ତ, ବିପିନ୍ ପଟ୍ଟନାୟକ ଆଦି ଦଳ ତ୍ୟାଗ କଲେ ।

 

ବାବି (ସାମୁୟେଲ)ଙ୍କ ଉପରେ କାଳି ବାବୁ ଅସନ୍ତୁଷ୍ଟ ବେଶି ଥିଲେ । କାରଣ, ତାଙ୍କ ମତରେ ବାବି ବାବୁ ଦଳ ଭିତରେ ଶୃଙ୍ଖଳା ଭଙ୍ଗ କରିଥିଲେ । ନର୍ତ୍ତକୀ ଉମାଶଶୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଅନୁଷ୍ଠାନରୁ କାଢ଼ି ନେଇଥିଲେ ।

 

କିନ୍ତୁ ମୋ ମତରେ କାଳି ବାବୁ ଥିଲେ ଶୃଙ୍ଖଳାଭଙ୍ଗର ମୂଳ କାରଣ । ସର୍ବପ୍ରଥମେ ସେ ଶ୍ରୀମତୀ ସୁମତୀ ଦେବୀଙ୍କୁ ନିଜର ବ୍ୟକ୍ତିଗତ କାମରେ ସମସ୍ତଙ୍କ ସାମ୍‌ନାରେ ଖଟଉଥିଲେ । ସେମାନଙ୍କ ସମ୍ପର୍କରେ କେତେଦୂର ପବିତ୍ରତା ଥିଲା, ସେକଥା ବାହାରକୁ ଦେଖା ନ ଯାଇ ବରଂ ଦେଖାଯାଉଥିଲା ଅସୁନ୍ଦର ।

 

ଓଡ଼ିଶା ଥିଏଟର୍ସର ପ୍ରଧାନ କର୍ମକର୍ତ୍ତାଙ୍କୁ ମଧ୍ୟ ଅନୁକରଣ କରୁଥିଲେ ଶ୍ରୀ ଦୁର୍ଲ୍ଲଭ ଚନ୍ଦ୍ର ସିଂ ଏବଂ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦେବୀ । ଏମାନେ ବି, କାଳି ବାବୁ ଓ ସୁମତୀ ଦେବୀଙ୍କ ପରି ଅନୁଷ୍ଠାନ ଭିତରେ ଚଳୁଥିଲେ । ତେବେ ବାବି ବାବୁଙ୍କୁ ଦୋଷ ଦେବାର କ’ଣ ଥିଲା ?

 

ତେଣେ ଅନ୍ନପୂର୍ଣ୍ଣା ଥିଏଟର୍‌ରେ ସତ୍ତ୍ଵାଧିକାରୀ ଶ୍ରୀ ସୋମନାଥ ଦାଶ ଏବଂ ଶ୍ରୀ ଲିଙ୍ଗରାଜ ନନ୍ଦଙ୍କ ମଧ୍ୟରେ ଟଣାଓଟରା ଲାଗି, ନନ୍ଦ ମହାଶୟ ଖୋଜୁଥାନ୍ତି ଅନ୍ୟ ଦଳ ଗଢ଼ିବାର ସୁଯୋଗ । ଅନ୍ନପୂର୍ଣ୍ଣା ଥିଏଟର ଦଳ ମଧ୍ୟ କଟକରେ କାଳି ବାବୁଙ୍କ ଓଡ଼ିଶା ଥିଏଟର୍ସ ଚାଲିଥିଲାବେଳେ କିଛିଦିନ ପାଇଁ କଟକ ଆସି କ୍ୟାପିଟାଲ୍ ସିନେମା ହଲରେ ଅଭିନୟ କରି ଯାଇଥା’ନ୍ତି । ତାପରେ ସେଇ ସମୟରେ କିଛି ଦିନ ପରେ ମୁଣ୍ଡଟେକିଲା, ପ୍ରଭାତ ସିନେମା ହଲ ଓ କ୍ୟାପିଟାଲ୍ ସିନେମା ହଲ ମଝିରେ ପ୍ରକାଶ ନାମରେ ଗୋଟିଏ ନୂଆ ସ୍ଥାୟୀ ହଲ । ଏଇ ନୂଆ ହଲଟିରେ ମଧ୍ୟ ଅନ୍ନପୂର୍ଣ୍ଣା ଥିଏଟର ଦଳ ଅଭିନୟ କରିବାର ପ୍ରଥମ ସୁଯୋଗ ଲାଭ କରିଥିଲେ ଓ ସେହି ସୁଯୋଗ ବଳରେ ନୂଆ ହଲ୍‌ଟି ଯେପରି ହାତଛଡ଼ା ନ ହୋଇଯାଏ, ସେଥିଲାଗି ଅନ୍ନପୂର୍ଣ୍ଣା ଦଳର ବୁଦ୍ଧିମାନ ଶ୍ରୀ ବାଉରିବନ୍ଧୁ ମହାନ୍ତି, ହଲ୍ ମାଲିକ କଟକ ନୟାସଡ଼କ ବାସୀ ମାରୁୱାଡ଼ି ଭଦ୍ରଲୋକଙ୍କଠାରୁ କୌଶଳକ୍ରମେ ଲିଜ୍ ନେଇଥା’ନ୍ତି ।

 

ଅନ୍ନପୂର୍ଣ୍ଣା ଥିଏଟର ଦଳ ବର୍ଷର ସବୁ ସମୟ ଗୋଟିଏ ସ୍ଥାନରେ କଟଉ ନ ଥିଲେ । ବର୍ଷା ଚାରି ମାସକୁ ଛାଡ଼ି ଅନ୍ୟ ସମୟତକ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅଭିନୟ ପ୍ରଦର୍ଶନ କରୁଥିଲେ । ବର୍ଷା ଚାରି ମାସରେ ନିଜର ରହଣି ପାଇଁ ସେମାନେ ପୁରୀ ଓ କଟକରେ ସ୍ଥାୟୀ ପେଣ୍ଡାଲ ଖୋଜୁଥିଲେ । ଭାଗ୍ୟକୁ କଟକର ନୂଆ ହଲ୍‌ ମିଳିଯାଇଥିଲା ।

 

ଶ୍ରୀ ଲିଙ୍ଗରାଜ ନନ୍ଦ, ଓଡ଼ିଶା ଥିଏଟର୍ସର ଦୂରବସ୍ଥା ସମୟରେ କଟକଠାରେ ଥିଲେ । ସମ୍ଭବତଃ ଖବର ପାଇ ତାଙ୍କର ସେହି ଖାଲି ପଡ଼ିଥିବା ହଲଟିରେ ଆସି ଶୁଭକ୍ଷଣକୁ ଅପେକ୍ଷା କରି ବସିଥିଲେ । ଆସିଲା ସେ ଶୁଭକ୍ଷଣ । ଓଡ଼ିଶା ଥିଏଟର୍ସ ଭାଗ ଭାଗ ହୋଇଗଲା । ନନ୍ଦ ମହାଶୟ ଶୁଖିଲାରେ ବାଳିଆ ବାଡ଼େଇ ଚଞ୍ଚଳ ହୋଇଉଠିଲେ । ଶ୍ରୀ ସୋମନାଥ ଦାଶଙ୍କୁ ପ୍ରଲୋଭନ ଦେଖେଇ କିଛି ଅର୍ଥ ସଂଗ୍ରହ କରି ଗଢ଼ିଲେ ଅନ୍ନପୂର୍ଣ୍ଣା ଥିଏଟର୍ସ ବି’ ଗ୍ରୁପ୍ । ଫଳରେ ଅନ୍ନପୂର୍ଣ୍ଣା ଥିଏଟର ପ୍ରଥମ ଦଳଟି ହେଲା ଏ’ଗ୍ରୁପ୍ ଏବଂ ଦ୍ଵିତୀୟ ଦଳଟି ହେଲା ବି’ଗ୍ରୁପ୍ । ଉଭୟ ଅନୁଷ୍ଠାନର ସେଇ ଗୋଟିଏ ନାମ କିନ୍ତୁ ରହିଲା । ଏଥ‌ିରେ ମୂଳ ଅନୁଷ୍ଠାନର ପ୍ରତ୍ୟେକ ଶିଳ୍ପୀ ଓ କର୍ମଚାରୀ କିନ୍ତୁ ବେଶି ଭାବରେ ଆତ୍ମସନ୍ତୋଷ ଲାଭ କଲେ ।

 

ଶ୍ରୀଯୁକ୍ତ ନନ୍ଦଙ୍କୁ ବେଶି କିଛି କଷ୍ଟ କରିବାକୁ ପଡ଼ିଲା ନାହିଁ । ସବୁ ରେଡ଼ିମେଡ଼୍‌ ମିଳିଗଲା ତାଙ୍କୁ । ହାତରେ ସୁନ୍ଦର କୋଠା ହଲ୍ ଥିଲା, ଓଡ଼ିଶା ଥିଏଟର୍ସରୁ ଦକ୍ଷ ଶିଳ୍ପୀ ସବୁ ଆସିଗଲେ, ଆଉ କ’ଣ ? କଟକ ମାଣିକ ଘୋଷ ଗଳିରେ ମୁଣ୍ଡ ଟେକିଥିବା ଭାରତୀ ଥିଏଟର ଭାଙ୍ଗିଯାଇଥିଲା । ଶ୍ରୀ ରାମଚନ୍ଦ୍ର ମିଶ୍ର ମଞ୍ଚ ନାଟକ ଲେଖିବାରେ ଖଣ୍ଡିଉଡ଼ା ଦଉଥିଲେ । ବି’ଗ୍ରୁପ୍ ଗଢ଼ାହେବାବେଳେ ଲେଖକ ହିସାବରେ ଶ୍ରୀଯୁକ୍ତ ମିଶ୍ର ସୁଯୋଗ ପାଇ ‘ମ୍ୟାନେଜର’ ନାମରେ ଗୋଟିଏ ନାଟକ ଲେଖିଲେ । ମାଧବ, କେଶବ, ଶ୍ରୀ ମଧୁସୂଦନ ପଲାଇ, ଉମାନାଥ ମିଶ୍ର ଏବଂ ଅଭିନେତ୍ରୀ ହିସାବରେ କାକଟପୁରର ମାଳ, ସାର,ସୌଦାମିନୀ, ଆଶା, ଚାରୁ, ଇନ୍ଦୁ, ମଣିମାଳା, ଲକ୍ଷ୍ମୀ (ବିଲି) ଇତ୍ୟାଦି । ଏମାନଙ୍କ ସହିତ ବିଷ୍ଣୁ, ରଘୁ, ଯଦୁନାଥ, ମନ୍ମଥ, ବିପିନ ପଟ୍ଟନାୟକ, ବିପିନ ମହାନ୍ତି, ପଞ୍ଚୁ, ଗଣେଶ, ମୋଚି, ପଙ୍କଜ, ବୈଷ୍ଣବ, କେଳୁ, ଦେବ ଓ ଆହୁରି ଅନେକ ଯୋଗଦେଲେ । ଚାଲିଲା ପ୍ରସ୍ତୁତି ପର୍ବ ।

 

ଓଡ଼ିଶା ଥିଏଟର୍ସର ବିକଳାଙ୍ଗ ଅବସ୍ଥା ଦେଖି ସୁଦ୍ଧା କାଳି ବାବୁଙ୍କ ଚେତନା ଫେରିଲା ନାହିଁ । ଅବଶ୍ୟ ଓଡ଼ିଶା ରଙ୍ଗମଞ୍ଚର ଚରମ ସଫଳତା ଲାଗି ନୂଆ ନୂଆ ଲୋକ ଅଭିନୟ କଳା ପ୍ରତି ଆକୃଷ୍ଟ ହୋଇ ଆସୁଥିଲେ । ପୁରୁଣା କଳାକାର କେବଳ ଥିଲେ ଦୁଲ୍ଲଭ, ହରି, ଗୋପି, ମାୟା, ବୁଢ଼ା (ବଳରାମ), ବୀର, କୃଷ୍ଣ, ଦୟାନିଧି, ଟିମା, ଲକ୍ଷ୍ମୀ, ସୁମତି, ଅଧର, ଖୁକି ।

 

ଭୋଳାନାଥ ଦାସ ନୂଆକରି ଯୋଗଦେଲେ ଏବଂ ଅନ୍ୟ କେତେକ ନୂଆ ଶିଳ୍ପୀଙ୍କ ସହିତ କୃଷ୍ଣଚରଣ ବାରିକ, ରାଧାନାଥ ଶତପଥୀ, ବାରିପଦାର କେତେକ ନାରୀ ଶିଳ୍ପୀ, ଯଥା–ସରସ୍ଵତୀ, ଫୁଲ କୁମାରୀ ଆଦି ମଧ୍ୟ ଆସିଲେ । ପୁଣି ରାମ ମୂର୍ତ୍ତି, ରାଜକିଶୋର ମହାନ୍ତି ଯୋଗ ଦେଲେ । ‘ଭାତ’ ନାଟକଟି ବନ୍ଦ ହେବାପରେ କାଳି ବାବୁ ନୂଆ ନାଟକ ‘ଜଗନ୍ନାଥ ଦାଶ’ ଲେଖା ଆରମ୍ଭ କଲେ ।

 

କଟକ ସହରରେ ଏଇ ଦୁଇଟି ରଙ୍ଗମଞ୍ଚ ନିଜ ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କଲେ । ବାଙ୍କା ବଜାରରେ କାଳି ବାବୁଙ୍କର ‘ଅତିବଡ଼ି ଜଗନ୍ନାଥ ଦାଶ’, ବକ୍ସି ବଜାରରେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ‘ମ୍ୟାନେଜର’ ନାଟକ ମଞ୍ଚସ୍ଥ ହେଲା ।

 

କାଳି ବାବୁଙ୍କ ସର୍ବଗ୍ରାସୀ ନୀତି ପାଇଁ ମୁଁ ଅନେକ ଆଗରୁ ମର୍ମ ବେଦନା ଅନୁଭବ କରୁଥିଲେ ମଧ୍ୟ ନିଜକୁ କିପରି ଜଣେ ଦକ୍ଷ ଅଭିନେତା କରି ଗଢ଼ିପାରିବି ସେଇ ଆଶା ପୋଷଣ କରି ଅନୁଷ୍ଠାନ ଭିତରେ ସମସ୍ତ ଘାତପ୍ରତିଘାତକୁ ଖାତିରି ନକରି ପଡ଼ି ରହିଥିଲି । କାହା କଥାରେ ଭାସିଯାଇ ମେଣ୍ଟ ବାନ୍ଧିବା, ଅଭିନୟରେ ଅସହଯୋଗ କରିବା ମୋର ଜନ୍ମ ଜାତକରେ ନଥିଲା । ମୁଁ ଚାହୁଥିଲି ସବୁ ଦୁଃଖକୁ ପଛକୁ ପକେଇ ନିଜର ଅଭିନୟରେ ନିଜକୁ ହଜେଇଦବା । ଏକା ଏକା ମଞ୍ଚକୁ ଆସୁଥିଲି, ଏକା ଏକା ମଞ୍ଚରୁ ବସାକୁ ଫେରୁଥିଲି । ଗେରୁଆ ପିନ୍ଧୁଥିଲି, ଅଲଗା ନିଜେ ରାନ୍ଧି ଖାଉଥିଲି । ଏଥିଲାଗି ବେଳେବେଳେ ଅନେକ ଲୋକ ମୋତେ ସମାଲୋଚନା ନ କରି ଛାଡ଼ୁ ନ ଥିଲେ ।

 

ଓଡ଼ିଶାର ପ୍ରସିଦ୍ଧ ହାସ୍ୟରସ ପରିବେଷଣକାରୀ ଶ୍ରୀ ଉଦୟନାଥ ଦାଶ (ଉଦିଆ’ନା) ଦୁନିଆରେ ନଥିଲେ ମଧ୍ୟ ତାଙ୍କର ସ୍ନେହପୂର୍ଣ୍ଣ ସମାଲୋଚନା ମୋର ସବୁବେଳେ ମନେପଡ଼େ । ମୋର ବାବାଜି ବେଶକୁ ସେ ଖୁବ୍ ନିଷ୍ଠୁର ଆକ୍ଷେପ କରୁଥିଲେ । ମୋତେ କିନ୍ତୁ ତାଙ୍କ କଥା ଭଲ ଲାଗୁଥିଲା । କାରଣ, ମୁଁ ଭଲଭାବେ ବୁଝି ନେଇଥିଲି ଯାହା ହେବାର ଥିବ ତାହା ନିଶ୍ଚିତ ଭାବରେ ହେବ ।

 

ହଠାତ୍ ସେଦିନ ମୋର ଦେଖାହେଲା ଜଣେ ଯୁବକଙ୍କ ସହିତ । ଓଡ଼ିଶା ଥିଏଟର୍ସ ରଙ୍ଗମଞ୍ଚ ନିକଟରେ । ଯୁବକ ଜଣକ ଥିଲେ ଦକ୍ଷିଣ ଭାରତର ଲୋକ । ସମୟ ପ୍ରାୟ ସନ୍ଧ୍ୟା ହେବାକୁ କିଛି ବାକି ଥିଲା । ରଙ୍ଗମଞ୍ଚର ପାଖାପାଖି କେତେକ ଦୋକାନ ଥିଲା । ଦେଖିଲି, ଖଣ୍ଡିଏ ବେଞ୍ଚଉପରେ ସେହି ଭଦ୍ରଲୋକଙ୍କୁ ଘେରିଯାଇ ନିଜ ନିଜର ହାତ ଦେଖେଇବାରେ ବ୍ୟସ୍ତ । ପଚାରି ବୁଝିଲି, ଯୁବକ ଜଣେ ପାମିଷ୍ଟ ।

 

ମନରେ କୌତୂହଳ ସୃଷ୍ଟି ହେଲା । ଯାହା ମୋର ନୀତି ବିରୁଦ୍ଧ, ଶେଷରେ ସେଇୟା’ କରିପକେଇଲି । ମୋ ବିଷୟରେ ମୁଁ ଜାଣିବା ପାଇଁ, ଭଦ୍ରଲୋକଙ୍କୁ ଦେଖେଇଲି ହାତ । କିନ୍ତୁ ଆଶ୍ଚର୍ଯ୍ୟ କଥା, ଥରକ ପାଇଁ ମୋ ହାତ ଉପରେ ଯୁବକ ତାଙ୍କର ଆଖି ବୁଲେଇ ନେଇ ହିନ୍ଦୀରେ ପଦେମାତ୍ର କଥା କହି ନୀରବ ରହିଲେ । ମାତ୍ର ତାଙ୍କର ସେଇ କଥା ପଦକରେ ମଥା ମୋର ବୁଲେଇଦେଲା । ମୁଁ ଆତ୍ମହତ୍ୟା କରିବି ?

 

ନାଟକ ଆରମ୍ଭ ହେବାର ସମୟ ନିକଟ ହୋଇ ଆସୁଥ‌ିବାର ଦେଖି ମେକାପ୍ ନେବାପାଇଁ ପଳେଇ ଆସିଥିଲି ତାଙ୍କ ପାଖରୁ I ଗ୍ରିନ୍ ରୁମ୍‌ରେ ଏକୁଟିଆ ବସି ବସି କେତେ କ’ଣ ଭାବି ଚାଲିଥିଲି । ମୁଁ ବାବାଜି ହେଲି, ସଂସାର ଛାଡ଼ିଲି, ପୁଣି ସଂସାରକୁ ଫେରିଲି । ଏବେ ଆତ୍ମହତ୍ୟା କରିବି କାହିଁକି ? କାହା ପାଇଁ ?

 

ତା’ପରେ ନାଟକ ଅଭିନୟ ସ୍ରୋତରେ ଭାସିଗଲି । ସେଇ ଆଷ୍ଟ୍ରୋଲଜରଙ୍କ କଥା ଯେ ସମ୍ପୂର୍ଣ୍ଣ ପାସୋରି ପକେଇଥିଲି ତା’ ନୁହେଁ । ସେଇ ଯୁବକଙ୍କୁ ଆଉ ଦେଖିବାର ସୁଯୋଗ ପାଇନଥିଲେ ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ମୁଣ୍ଡ ଭିତରେ ମୋର ତାଙ୍କର ସେଇ ଆତ୍ମହତ୍ୟା କଥାଟା ଘନ ଘନ ହାତୁଡ଼ିମାଡ଼ କରିଥିଲା । ତା’ପରେ ସେକଥା ପାସୋରି ପକେଇଥିଲି ।

 

ଅତିବଡ଼ି ଜଗନ୍ନାଥ ଦାଶ ନାଟକଟି ଦିନ ପରେ ଦିନ ଧରି ମଞ୍ଚସ୍ଥ ହୋଇ ଚାଲିଥାଏ । ମାତ୍ର ସେ ଅଭିନୟରେ ମୋତେ କାହିଁକି କେଜାଣି ପୂର୍ଣ୍ଣତା ଥିଲାପରି ମନେ ହେଉନଥିଲା । ତାର କାରଣ ଅଭିନୟ ଲାଗି ଯୋଉ ଟିମ୍ ଦରକାର ଅବା ବୁଝାମଣା ଦରକାର ସେ ଟିମ୍ ବା ସେ ବୁଝାମଣା ନଥିଲା । ଅଭିନୟକୁ ସରସ, ସୁନ୍ଦର, ଜୀବନ୍ତ କରିବାଲାଗି ପ୍ରଥମରୁ ଯୋଉ ଟିମ୍‌କୁ କଷ୍ଟକରି ଗଢ଼ିବାକୁ ପଡ଼ିଥାଏ, ସେ ଟିମ୍‌ଟି କୌଣସି କାରଣରୁ ଯଦି ବିକଳାଙ୍ଗ ହୋଇଯାଏ; ତା’ ହେଲେ ପୁନର୍ବାର ଆଉ ସେ ସଂସ୍ଥାର ଅଭିନୟରେ ପୂର୍ଣ୍ଣତା ଆସିବା କଷ୍ଟକର ବ୍ୟାପାର । ଅତିବଡ଼ି ଜଗନ୍ନାଥ ଦାଶ ଅଭିନୟ ବେଳେ ଓଡ଼ିଶା ଥିଏଟର୍ସର ଅବସ୍ଥା ଏଇୟା ଥିଲା ।

 

ମଝିରେ ମଝିରେ ପୁରୁଣା ଲୋକରୁ ଗୋଟିଏ ଗୋଟିଏ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌କୁ ଚମ୍ପଟ ଦେଉଥିଲେ ।

 

ଏତିକିବେଳେ ଦେଖାଦେଲା ମୋ ଆଗରେ ଗୋଟାଏ ନୂଆ ଝଡ଼ । ମୋର ସାମନାରେ ସୁମତୀ ଦେବୀ ସାମାନ୍ୟ ଅପରାଧରେ ଫୁଲକୁମାରୀକୁ ଗୋଟାଏ ଚାପୁଡ଼ା ମାରିଲେ ଏବଂ ସେ ଅନ୍ୟାୟ ବିରୁଦ୍ଧରେ ମୁଁ ସ୍ୱର ତୋଳିବାକୁ ବାଧ୍ୟ ହେଲି । ଫଳ ହେଲା ବିପରୀତ । ସୁମତି ଦେବୀ ଦବି ନ ଯାଇ ଅଧିକ କ୍ରୋଧ ସହ; ଫୁଲକୁମାରୀକୁ ଛାଡ଼ି ମୋ ଉପରେ ଆକ୍ରମଣ କରିବାକୁ ଧାଇଁ ଆସିଲେ । ମୁଁ ପ୍ରଥମେ ନିଜ ତରଫରୁ କୌଣସି ପଥଭ୍ରଷ୍ଟ ହେବାକୁ ଚାହୁନଥିଲି । ମାତ୍ର ସୁମତୀ ଦେବୀଙ୍କର ମୋ ପ୍ରତି ଆକ୍ରମଣକୁ ମୁଁ ପ୍ରଶ୍ରୟ ଦେଲି ନାହିଁ । ମୁଁ ନିଜେ ତାଙ୍କ ଗାଲରେ ଗୋଟାଏ ଚାପୁଡ଼ା ବସେଇଦେଲି ।

 

ସୁମତୀ ଦେବୀ କାଳି ବାବୁଙ୍କ ସାହସ ପାଇ, ଦଳରେ ଅନ୍ୟାନ୍ୟ ଶିଳ୍ପୀମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁ ନଥିଲେ । ସୁମତୀ ଦେବୀଙ୍କ ନିକଟରେ କୁମାରୀ ଫୁଲ ଥିଲା ଅତ୍ୟନ୍ତ ଶିଶୁ କଳାକାର । ତଥାପି ସେ (ଫୁଲ) ଥିଲା ପରିଣତ ବୟସ୍କା । ନିଜର ଆତ୍ମସମ୍ମାନ କ'ଣ ସେ ଭଲଭାବେ ବୁଝୁଥିଲା । ସୁମତୀ ଦେବୀ ଜଣେ ଅଭିଜ୍ଞା ଶିଳ୍ପୀ ଭାବରେ ଫୁଲ କୁମାରୀ ଆଖିରେ ଯେତେ ବଡ଼ ହୋଇ ଦେଖାଯାଉଥିଲେ ମଧ୍ୟ ତାଙ୍କର (ସୁମତୀ ଦେବୀଙ୍କର) ବହୁଧରଣର ଦୁର୍ବଳତା ଯେ ଫୁଲକୁମାରୀ ଆଖିରେ ତାଙ୍କୁ ଅତି ଛୋଟ କରିଦଉଥିଲା ଏକଥା ଖୁବ୍ ଜଣାଶୁଣା ଥିଲା ।

 

ମୋର କହିବାର କଥା, ଗୋଟିଏ କଳା ଅନୁଷ୍ଠାନରେ ଜଣେ ଅଭିଜ୍ଞ ପୁରୁଣା ଶିଳ୍ପୀ ଯେବେ ଆଇନଗତ, ଶୃଙ୍ଖଳାଗତ ଆଦର୍ଶରୁ ଓହରିଯାଇ ନାନା ବିଶୃଙ୍ଖଳାରେ ନିଜକୁ ସାମିଲ କରିପକାନ୍ତି, ତେବେ ତାହା ଅନ୍ୟ ନୂଆ କଳାକାରଙ୍କ ଉପରେ ଖରାପ ପ୍ରଭାବ ପକେଇବ ନାହିଁ କି-?

 

ଏଇ କଥାକୁ ବିଚାର କରି, ମୁଁ ସେଦିନ ସୁମତୀ ଦେବୀଙ୍କୁ ତାଙ୍କର ଅପରାଧ କଥାକୁ ତାଙ୍କୁ ଚେତେଇ ଦବାକୁ ଯାଇ ରୂଢ଼ ଆଘାତ ପାଇଲି ଏବଂ ତାର ଉପଯୁକ୍ତ ପ୍ରତିରୋଧ କଲି । ମୋର ସେ ପ୍ରତିରୋଧ ତାଙ୍କ ପ୍ରତି ଠିକ୍ ଥିଲା କି ଭୁଲ ଥିଲା, ସେକଥା ବିଚାର କରିବା ପାଇଁ ମୁଁ ଆପଣଙ୍କ ଉପରେ ଛାଡ଼ିଦେଉଛି, ଆପଣ କରନ୍ତୁ ।

 

ତା’ପରେ ସେଦିନର ସେଇ ଘଟଣା ଅତି ଗୁରୁତର ଆକାର ଧାରଣ କରିଥିଲା । ମାନ, ଅଭିମାନ, ଅସ୍ତ୍ରସଜାଡ଼ି ସୁମତୀ ଦେବୀ କାଳି ବାବୁଙ୍କ କାନପାଖରେ ଘଟଣାଟିକୁ ଏଭଳି ବନେଇ ଚୁନେଇ ପରିବେଷଣ କରିଥିଲେ ଯାହା ଫଳରେ କାଳି ବାବୁ ନିଜେ କ୍ରୋଧରେ ଅନ୍ଧ ହୋଇ ତାଙ୍କର ପଟେ ଯୋତା ମୋ ହାତରେ ଦେଇ କହିଥିଲେ ସେହି ସରଳା ଗାଉଁଲୀ ଝିଅ ଫୁଲ କୁମାରୀକୁ ମାରିବା ପାଇଁ । ମୁଁ ମନେ ମନେ ହସିଉଠି କାଳି ବାବୁଙ୍କ ଆଦେଶକୁ ଅମାନ୍ୟ କରିଥିଲି ଏବଂ ତାର ପରିଣାମରେ ମୋର ଦୁଇ ଗାଲ ଓ ପିଠିରେ ବସିଥିଲା କାଳି ବାବୁଙ୍କ ନିଷ୍ଠୁର ଯୋତା ଆଘାତ ।

 

ସେ ଅତ୍ୟାଚାର ବିରୁଦ୍ଧରେ ତଥାପି ମୁଁ ପ୍ରତିବାଦ ନ କରି ରହିନଥିଲି । କିନ୍ତୁ ଭାଙ୍ଗିପଡ଼ିଥିଲା ମନ ଓ ତା’ର ଆଶାର ସୌଧ । ଶୁଣିବାକୁ କେହି ନଥିଲେ, ଅନ୍ୟାୟ ବିରୁଦ୍ଧରେ ପାଟିଖୋଲି ପଦେ ସତ କଥା କହିବାକୁ ମୁଁ କାହାରିକୁ ସେତେବେଳେ ଦେଖି ନଥିଲି । ବଡ଼ବଡ଼ିଆ ପ୍ରତ୍ୟେକ କଳାକାର କଳାକୁ କଳାରେ ରଖି ଗୁରୁଦେବଙ୍କ ପଦାଙ୍କ ଅନୁସରଣ କରୁଥିଲେ । ସବୁତ ଚୋର, ଧନ ସମ୍ଭାଳିବ କିଏ ? ଗୋଟାଏ କଥା ମୋତେ ଦୋହଲେଇଦେଲା–ମୁଁ କୁଆଡ଼େ ଫୁଲ କୁମାରୀ ପ୍ରେମରେ ପଡ଼ିଯାଇ ଜଣେ ପ୍ରଖ୍ୟାତ ନାମୀ ଶିଳ୍ପୀଙ୍କ ପ୍ରତି ଅବିଚାର କରିଛି ।

 

ଅନେକାଂଶରେ ଏହା ସତ୍ୟ ଯେ, ମୁଁ ସମସ୍ତଙ୍କୁ ପ୍ରେମ କରୁଥିଲି । ପୁରୁଷ, ସ୍ତ୍ରୀ ନିର୍ବିଶେଷରେ ସମସ୍ତଙ୍କୁ ମୁଁ ସ୍ନେହ, ପ୍ରେମ ଦେଇ ମନେ ମନେ ଆପଣାର କରୁଥିଲି । ଅନୁଷ୍ଠାନର ସବୁ କଳାକାରଙ୍କୁ ମୁଁ ମନ ଭିତରେ ଗୋଟିଏ ଆସନ ଦଉଥିଲି । ଯୋଉମାନେ ମୋତେ ପ୍ରେମିକର ଆଖ୍ୟା ଦେଇ ମୋ ଅନ୍ତରାଳରେ ପଦେ ପଦେ କହିପକଉଥିଲେ, ସେମାନେ କିନ୍ତୁ ପ୍ରେମକୁ ଅତି ଗୌଣ ମନେକରି କାମ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ । ସେଇଟା ଥିଲା ମୋ ନିକଟରେ ବେଶି ଦୁଃଖଦାୟକ । ଦୈହିକ ମିଳନର ମୁଁ ଯେ ପକ୍ଷପାତି ନ ଥିଲି ତା’ ନୁହେଁ; ମାତ୍ର କଳା ଅନୁଷ୍ଠାନ ତା’ ଲାଗି ପ୍ରକୃଷ୍ଟ କ୍ଷେତ୍ର ନ ଥିଲା ।

 

ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ମୋ ପାଇଁ ସେଇ ପରିସ୍ଥିତି ଏକ ସମସ୍ୟା ସୃଷ୍ଟି କଲା । ମୁଣ୍ଡ ଭିତରେ ଚାଲିଲା ତୁମୁଳ ଆଲୋଡ଼ନ । ଆଖି ଆଗରୁ ହଠାତ୍ ଦୁନିଆର ସମସ୍ତ ମାୟା, ମମତାର ପରଦା କୁଆଡ଼େ ଯେମିତି ଉଭେଇଗଲା । ଆତ୍ମହତ୍ୟାର ସହଜ ପଥଟି ଦେଖାଦେଲା ସରଳ ରୂପରେ ।

 

ଅଫିମ ଭରି ଥିଲା ସେ ସମୟରେ ତିନି ଟଙ୍କା । ତିନୋଟି ଟଙ୍କା ଦେଇ ମହମଦିଆ ବଜାରରୁ କିଣି ଆଣିଲି ଏକ ଭରି ଅଫିମ । ତାକୁ ଗୋଟିଏ ଭଙ୍ଗା କାଚ ଗ୍ଲାସରେ ଗୋଳି ରଖିଲି । ମୋର ରହୁଥିବା ଘରଟିରେ ବିଶେଷ ଗହଳି ଚହଳି ନଥିଲା । ଏଣୁ ଗୋଳା ଅଫିମକୁ ଅନ୍ୟମାନେ କେହି ଦେଖିବାର ଅବକାଶ ନଥିଲା । ସନ୍ଧ୍ୟା ସମୟରେ ତାକୁ ମୁଁ ଖାଇବାକୁ ଉଦ୍ୟମ କଲାବେଳେ, କାହାର ନଜର ପଡ଼ିଲା କି କ’ଣ, କାଳି ବାବୁ ଜାଣିପାରିଲେ ଏବଂ ମୁଁ ଅଫିମ ଖାଇବା ପୂର୍ବରୁ ଭଟ୍ଟ ବାବୁ (ଶ୍ରୀ ନରେନ୍ ଭଟ୍ଟ) ପହଞ୍ଚିଲେ ପାଖରେ ।

 

ଉଦ୍ୟମ ମୋର ବିଫଳ ହେଲା । ଭଟ୍ଟ ବାବୁଙ୍କ ହସ୍ତକ୍ଷେପ ଫଳରେ ଅଫିମତକ ନଳାରେ ଢାଳିବାକୁ ପଡ଼ିଲା । ଏଇ ଘଟଣା ଘଟିବାର ପରଠାରୁ କିଛି ଦିନ ପାଇଁ ଲକ୍ଷ୍ୟ କରିଥିଲି ମୋ ପ୍ରତି କାହିଁକି କେଜାଣି କାଳି ବାବୁଙ୍କର ଅଳ୍ପ ଧରଣର ସୁ–ନଜର ପଡ଼ି ପାରିଥିଲା ।

 

ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ନୂଆ ନାଟକ ‘ମ୍ୟାନେଜର’ ଚାଲିଥାଏ ଏବଂ ଓଡ଼ିଶା ଥିଏଟର୍ସରେ ‘ଜଗନ୍ନାଥ ଦାଶ’ ନାଟକ ଚାଲିଥାଏ । ଦିନେ ମୋ ନିକଟରେ ଦେଖାଦେଲେ ଶ୍ରୀ ପ୍ରିୟନାଥ ମିଶ୍ର (ପିର) । ଅନୁରୋଧ କଲେ ସେ ବି’ଗ୍ରୁପ୍‌ରେ ଯୋଗଦେବାକୁ । ମୁଁ ମୋର ମନେ ମନେ ସେ ସୁଯୋଗକୁ ସ୍ଵାଗତ କଲି । ପିର ବାବୁଙ୍କୁ ଜବାବ ଦେଲି, ଦରକାର ପଡ଼ିଲେ ମୁଁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ଯୋଗ ଦେଇପାରେ । ପିର ବାବୁ ଫେରିଗଲେ । ସେହିଦିନଠାରୁ ମୁଁ ଚିନ୍ତା କଲି–ସେମାନେ ସିନା ନିଜ ଦଳ ଛାଡ଼ି ଅନ୍ୟ ଦଳ ଗଢ଼ିଲେ, ହେଲେ ମୁଁ ଏବେ କେମିତି ଏତେବଡ଼ ମାୟା, ମମତାକୁ କାଟି ଛିଣ୍ଡେଇ ଦେଇ ଯିବି ? ସତ କଥା କହିବାକୁ ଗଲେ, ମଣିଷ ତାର ନିଜ ଶ୍ରମ ଦେଇ ଯୋଉ ଘରଖଣ୍ଡିକ ତୋଳିଥାଏ, ସେଥ‌ିରେ ସେ ଯେତେ ଝଡ଼, ଝଞ୍ଜା, ବିପଦ, ଆପଦ ଭେଟିଲେ ମଧ୍ୟ ତାର ଅସ୍ତିତ୍ୱକୁ ପାଦରେ ଆଡ଼େଇ ଯିବ ବା କେମିତି ?

 

କ୍ରମେ କ୍ରମେ ଜଗନ୍ନାଥ ବଲ୍ଲଭରେ ଥିବା ସେଇ ଓଡ଼ିଶା ଥିଏଟର୍ସର ବସା ଘରଟି ଏକ ବୃନ୍ଦାବନରେ ପରିଣତ ହେବାକୁ ଲାଗିଲା । ବଡ଼ ଦୃଷ୍ଟିକଟୁ ସେ ଦୃଶ୍ୟ । କାଳି ବାବୁ ନିଜେ ଠିକ୍ ନଥିଲେ, ତେଣୁ ଅନ୍ୟକୁ କହିବାକୁ ଆଉ ସାହସ କଲେ ନାହିଁ । ଅନୁଷ୍ଠାନରେ ବେଶି ଭାବରେ ଶୃଙ୍ଖଳା ନଷ୍ଟ କରୁଥିଲେ ଶ୍ରୀମତୀ ସୁମତୀ ଦେବୀ । ଓଡ଼ିଶା ଥିଏଟର୍ସ ଭାଙ୍ଗିବା ମୂଳରେ କାଳି ବାବୁଙ୍କର ଅବିଚାର ଥିଲା ଯେତିକି ଦାୟୀ, ତା’ଠାରୁ ସୁମତୀ ଦେବୀଙ୍କର ବିଶୃଙ୍ଖଳା ଆଚରଣ ଥିଲା ବେଶି ପରିମାଣରେ ଦାୟୀ ।

 

ନିର୍ଜନ ରାଜପଥ । ନିଶାର୍ଦ୍ଧରେ ବାଙ୍କା ବଜାରରୁ ଚାଲି ଚାଲି ଆସୁଥିଲେ ଭୋଳାନାଥ । ହରି, ହରଙ୍କର ଭେଟ ହେଉଥିଲା ସେଇ କାଳାକୁଟୀର ନିକଟରେ । ହରି ସାହାଯ୍ୟ କରୁଥିଲେ ଭୋଳାନାଥଙ୍କ ପ୍ରଜ୍ଜ୍ୱଳିତ କାମାଗ୍ନିର ଉପଶମ ପାଇଁ । ପାଚେରି ଡେଇଁ ପ୍ରବେଶ କରୁଥିଲେ ଭୋଳାନାଥ କୁଟୀର ମଧ୍ୟରେ । କେବଳ ଭୋଳାନାଥ ନୁହନ୍ତି ଆଉ ଅନେକ ମଧ୍ୟ ସେ ପଥରେ ଥିଲେ ପଥିକ ।

 

ମୋର ଓଡ଼ିଶା ଥିଏଟର୍ସ ଛାଡ଼ିବା ବିଷୟ କାଳି ବାବୁ କାହାଠାରୁ ଶୁଣିଥିଲେ ନା କ’ଣ ? ହଠାତ୍ ସେଦିନ ସନ୍ଧ୍ୟା ସମୟରେ ନାଟକ ଆରମ୍ଭ ହେବାକୁ ଅଳ୍ପ ସମୟ ବାକି ଥାଏ, ମୁଁ ମେକାପ୍ ନେବାକୁ ପ୍ରସ୍ତୁତ ହେଉଥାଏ; ଘୋଡ଼ା–ଗାଡ଼ିଚାଳକ ବାବାଜି ଖବର ଦେଲା–କାଳି ବାବୁ ଗାଡ଼ିରେ ବସି ଡାକୁଛନ୍ତି ।

 

ଗଲି ମୁଁ । ଦେଖିଲି ସତକୁସତ ରଙ୍ଗମଞ୍ଚର ଟିଣ ଫାଟକ ନିକଟରେ କାଳି ବାବୁ ବସିଥିବା ତାଙ୍କର ଘୋଡ଼ା ଗାଡ଼ିଟି ଠିଆ ହୋଇଛି । ମୋତେ ସେଇ ଗାଡ଼ିରେ ବସିବାକୁ କୁହାଗଲା-। ବାବାଜି ଗାଡ଼ି ଚଳେଇଲା କାଠଯୋଡ଼ି ନଦୀ ଘାଟକୁ । ପ୍ରଥମେ ମୁଁ କିଛି ବୁଝିପାରିନଥିଲି ।

 

ଗାଡ଼ି ଯାଇ ଠିଆହେଲା ନଦୀକୂଳ ଗଣେଶଘାଟ ପାଖରେ । କାଳି ବାବୁ ଗାଡ଼ିରୁ ଓହ୍ଲେଇଗଲେ ବନ୍ଧ ଉପରକୁ । ମୁଁ ମଧ୍ୟ ଗଲି । ବାବାଜି ସେଇ ଗାଡ଼ିରେ ବସିଥାଏ । ବନ୍ଧ ଉପରଟା ସେତେବେଳେ ଜନଶୂନ୍ୟ । ହଠାତ୍ କାଳି ବାବୁ ମୋର ଦୁଇ ହାତକୁ ତାଙ୍କ ଦୁଇ ହାତରେ ଚାପିଧରି କାନ୍ଦିପକେଇଲେ ଏବଂ ବାଷ୍ପ ଗଦ୍ ଗଦ୍ କଣ୍ଠରେ କହି ପକେଇଲେ–

 

–“ମୋତେ କ୍ଷମା ଦବୁ ନାହିଁ ?”

 

–“କାହିଁକି ଏତେ ବଡ଼ କଥା କହୁଛନ୍ତି ?”

 

“ମୁଁ ଶୁଣୁଛି, ମୋତେ ଛାଡ଼ି ତୁ ଅନ୍ନପୂର୍ଣ୍ଣା ଯିବୁ ?”

 

“ହଁ, ମୁଁ ଯିବି ।”

 

“ୟା ଦ୍ଵାରା ତୁ କ’ଣ ଠିକ୍ କରୁଛୁ ?”

 

“ଠିକ୍, ଭୁଲ ବିଚାର କରିବାର ଅବସ୍ଥାରେ ଆଉ ନାହିଁ ମୁଁ ।”

 

ମୁଁ ଧୈର୍ଯ୍ୟ ହରେଇ ପକେଇଥିଲି । ମୋର ଆଉ କଥା କହିବାର କ୍ଷମତା ନଥିଲା । ଆଖିରୁ ଛୁଟୁଥିଲା ଗରମ ଲୁହଧାର । ଅଭିନୟର ସମୟ ପାଖେଇ ଆସୁଥିଲା । ବାଙ୍କା ବଜାର ଯିବାକୁ କିଛିଟା ବେଳ ଲାଗିବ ପୁଣି ମେକପ ନେବାକୁ ପଡ଼ିବ । ନାଟକର ଦ୍ୱିତୀୟ ଦୃଶ୍ୟରେ ମୋର ଅଭିନୟ ।

 

ଗାଡ଼ିରେ ବସିଲି । ମୋ ପଛେ ପଛେ କାଳି ବାବୁ ଆସି ବସିଲେ । ଗାଡ଼ି ଚାଲିଲା । ନାଟକ ସେଦିନ ଆରମ୍ଭ ହେବାକୁ ଅଳ୍ପ ବିଳମ୍ବ ହେଇଥିଲା । ବିଳମ୍ବଜନିତ ଅପରାଧ ଲାଗି ପ୍ରେକ୍ଷାଳୟରୁ ଦର୍ଶକମାନଙ୍କର ଘନଘନ କରତାଳି ଧ୍ଵନୀ ଉଠୁଥିଲା । ଅବଶ୍ୟ ତା’ର ଅସଲ କାରଣ ଜାଣିବାକୁ କେହି ଚେଷ୍ଟା କରିନଥିଲେ । ଅନୁଷ୍ଠାନରେ କେବଳ ମୁଁ ଓ ବାବାଜି ଆଉ କାଳି ବାବୁଙ୍କ ବ୍ୟତୀତ ଅନ୍ୟ କେହି ସେକଥା ଜାଣିନଥିଲେ ।

 

ସେଇଦିନଠୁଁ ଯେତେ ଦିନ କାଳି ବାବୁଙ୍କ ଓଡ଼ିଶା ଥିଏଟର୍ସରେ ରହିଥିଲି, ସବୁ ସମୟରେ ପ୍ରାୟ ବାବୁଙ୍କ ସାମନାକୁ ଯିବାକୁ ଇଚ୍ଛା ହେଉନଥିଲା । ସକାଳ ବେଳା ନୂଆ ନାଟକ ‘ହା–ଅନ୍ନ’ ରିହାର୍‌ସାଲ ଚାଲିଥାଏ । ଗାଳ୍ପିକ ଶ୍ରୀଯୁକ୍ତ କାହ୍ନୁ ଚରଣ ମହାନ୍ତିଙ୍କ ଉପନ୍ୟାସକୁ ମଞ୍ଚ ନାଟକରେ ପରିଣତ କରିଥିଲେ ଶ୍ରୀ ନବ କୁମାର ଦାଶ । ଲକ୍ଷ୍ୟ କରୁଥିଲି ସଫଳ ଅଭିନୟ ପାଇଁ ନାଟକଟି ଉପଯୁକ୍ତ ନ ଥିଲା ।

 

ଦିନେ ସୁବିଧା ଉଣ୍ଡି ପରିଚିତ ସେଇ ଜଗନ୍ନାଥ ବଲ୍ଲଭ ବସାରୁ ମୋର ବାକ୍ସ ଖଣ୍ଡିକ ଧରି ଚାଲିଲି ବକ୍ସି ବଜାରରେ ଥ‌ିବା ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌କୁ । ମୋର ଉପସ୍ଥିତିରେ ସେଠାକାର ଶିଳ୍ପୀ, ସଂଗଠକ, ଅନ୍ୟାନ୍ୟ ଛୋଟ ବଡ଼ କର୍ମଚାରୀ ଖୁବ୍ ଖୁସିହେଲେ । ସେଠାକାର ପରିବେଶ ମୋତେ ଖୁବ୍ ନୂଆନୂଆ ଲାଗିଲା । ଦେଖ୍ ଖୁସି ହେଲି, ଚାରିଆଡ଼େ ବେଶ କର୍ମତତ୍‌ପରତା । ମେସ୍‌ରେ ସମସ୍ତଙ୍କ ଲାଗି ଯେଉଁ ଖାଦ୍ୟ ଦିଆଯାଉଥିଲା, ତାହା ଓଡ଼ିଶା ଥିଏଟର୍ସଠାରୁ ଥିଲା ଯଥେଷ୍ଟ ଉନ୍ନତ । ଶୋଇବା ପାଇଁ ପ୍ରାୟ ପ୍ରତ୍ୟେକଙ୍କୁ ଦିଆଯାଇଥିଲା ଖଣ୍ଡେ ଖଣ୍ଡେ ଖଟ ।

 

ରଙ୍ଗମଞ୍ଚର ପଛପଟକୁ ଦୁଇଧାଡ଼ି ଅସ୍ଥାୟୀ ଚାଳ ଘର । ଗୋଟିଏ ପଟେ ଅଭିନେତା ଓ ଅନ୍ୟ ପଟେ ଅଭିନେତ୍ରୀମାନଙ୍କ ଆଶ୍ରୟସ୍ଥଳୀ । ରାତିରେ ନେପାଳିଗୋର୍ଖା ଜଗୁଆଳିର ବ୍ୟବସ୍ଥା । କିନ୍ତୁ ଦୁଃଖର କଥା, ସେଭଳି କଡ଼ା କଟକଣା ଭିତରେ ମଧ୍ୟ ଅନ୍ତରାଳରେ ଚଳୁଥିଲା କୁତ୍ସିତ ନାରକୀୟ ଲୀଳା । ଏଠାରେ ମଧ୍ୟ ନିଜେ ସ୍ଵୟଂ ଶ୍ରୀଯୁକ୍ତ ନନ୍ଦ ମହାଶୟ ଥିଲେ ବିଭିନ୍ନ ପୁଷ୍ପରସିକ ଭ୍ରମର ।

 

ବହୁ ଲୋକଙ୍କ ସହିତ ମିଶି, ବହୁ ଅଞ୍ଚଳ ବୁଲି ବୁଲି ଏବଂ ବହୁ ପ୍ରକୃତିର ଚରିତ୍ର ସଂସ୍ପର୍ଶରେ ଆସି, ମଣିଷ ଚିହ୍ନିବାର କଳା ମୁଁ କିଛିଟା ପରିମାଣରେ ହାସଲ କରିଥିଲି । ତେଣୁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ପହଞ୍ଚି ଯାହା ଦେଖିଲି, ସେଥିରୁ ଜାଣିପାରିଲି କଳାକୁ ଆଜି ସମସ୍ତେ ବଦନାମ ଦେବାକୁ ଆଗଭର । ଆଗରୁ ବୁଝିଥିଲି, ଅନ୍ନପୂର୍ଣ୍ଣା ଏ’ଗ୍ରୁପ୍‌ରେ ଯେପରି କ୍ଷୁଦ୍ର କ୍ଷୁଦ୍ର ଶିଳ୍ପୀ ପରିବାର ମଥାଟେକି, କଳା ସାଧନରେ ଅନୁଷ୍ଠାନକୁ ଆଗେଇ ନିଆଯାଉଛି, ସେହିପରି ସେଇ ଲାଭର ମଞ୍ଜି ଶ୍ରୀଯୁକ୍ତ ନନ୍ଦ । ନୂତନ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ମଧ୍ୟ ସେଇ ପୁରୁଣା ଢାଞ୍ଚାରେ କାମ କରିବାକୁ ପ୍ରତିଜ୍ଞାବଦ୍ଧ ।

 

ଅଭିନୟ ପାଇଁ ମୁଁ ଥିଲି ଯେତିକି ଆଗୁଆ, ଅନୁଷ୍ଠାନରେ ଅନ୍ୟାନ୍ୟ କାମ ପାଇଁ ମୁଁ ଥିଲି ସେତିକି ପଛୁଆ । ନୀରବ ଦ୍ରଷ୍ଟା ହିସାବରେ ସବୁ ଦେଖୁଥିଲି, କିନ୍ତୁ ଚଳୁଥିଲି ଏକ ଆତ୍ମଗୋପନକାରୀ ଭାବରେ । ଅଭିନୟ କରିବାପାଇଁ ମନ ମୋର ଯେତିକି ଯେତିକି ଆଗେଇ ଯାଉଥିଲା ବି’ଗ୍ରୁପ୍‌ର ପରିଚାଳନା କ୍ଷେତ୍ରରେ ପ୍ରମାଦପୂର୍ଣ୍ଣ ବ୍ୟବସ୍ଥା ଦେଖି ସେତିକି ସେତିକି ପଛେଇ ଯାଉଥିଲା ।

 

ରାତି ପାହିଲେ ସମସ୍ତଙ୍କୁ ଚାରିଅଣା ପାଇସା ଜଳଖିଆ ପାଇଁ ଦିଆଯାଉଥିଲା । ଶିଳ୍ପୀ ତାର ଲୁଗା, ଜାମା ମଧ୍ୟ ଅନୁଷ୍ଠାନ ପଇସାରେ ସଫା କରିବାର ସୁବିଧା ଥିଲା । ୟା ଛଡ଼ା ମଝିରେ ମଝିରେ ଅଭିନୟ ବନ୍ଦ ହେଲେ ଶ୍ରୀଯୁକ୍ତ ନନ୍ଦେ ମହିଳା ଶିଳ୍ପୀମାନଙ୍କୁ ସିନେମା ଦେଖିବାର ସୁଯୋଗ ମଧ୍ୟ ଦେଉଥିଲେ ।

 

ସମ୍ପୂର୍ଣ୍ଣ ଭାବରେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ମୁଁ ସାମିଲ୍ ହୋଇଗଲି । ମ୍ୟାନେଜର ନାଟକ ଚାଲିଥାଏ । ମୁଁ ଦଳରେ ଯୋଗ ଦେବା ସଙ୍ଗେ ସଙ୍ଗେ ମୋତେ ଉକ୍ତ ନାଟକରେ ‘ବାସୁଆ’ ଚରିତ୍ରଟି ଦିଆଗଲା ।

 

ଅଳ୍ପ କିଛି ଦିନ ପରେ ଶ୍ରୀ ରାମଚନ୍ଦ୍ର ମିଶ୍ର ଲେଖିଲେ ନୂଆ ନାଟକ ‘ମୂଲିଆ’ । ଚାଲିଲା ପ୍ରସ୍ତୁତି ପର୍ବ । ନୂଆ ପୁରୁଣା ଅଭିନେତା, ଅଭିନେତ୍ରୀ, ନୂଆ ଅନୁଷ୍ଠାନ, ନୂଆ ବହି, ନୂଆ ଉଦ୍ୟମ । ସବୁ କିଛି ନୂଆ ଭିତରେ କିନ୍ତୁ ଥିଲା ଏକ ପୁରାତନର ବଳିଷ୍ଠ ଚିନ୍ତାଧାରା ଆଉ ସୁଫଳ ଲାଗି ପ୍ରତ୍ୟେକଙ୍କର ସମ୍ମିଳିତ ପ୍ରଚେଷ୍ଟା ।

 

ମୂଲିଆ ବହିର ସଫଳତା ବିଷୟରେ ସମ୍ବାଦପତ୍ର ନିଜର ମତ ପ୍ରକାଶ କଲେ–‘‘କେଶ, ବସନ ଅସମ୍ଭାଳ, ମୂଲିଆ ପ୍ରେମ ହେଲା କାଳ ।’’ ଆଶାତୀତ ସଫଳତା । ସନ୍ଧ୍ୟା ଆଗରୁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ବିରାଟ ଫାଟକ ଭେଦକରି, ଘଣ୍ଟି, ଘାଗୁଡ଼ି ଶବ୍ଦରେ ପ୍ରକମ୍ପିତ କରି, ମଞ୍ଚ ଆଗରେ ଦେଖାଦେଲେ ଗାଉଁଲୀ ଦର୍ଶକ ବହନ କରି ବଳଦ ଗାଡ଼ି । ଦର୍ଶକ ଆଉ ଦର୍ଶକ । ଦିନେ ଦୁଇ ଦିନ ନୁହେଁ, ଧାରାବାହିକ ଭାବେ ଚାଲିଲା ଜନଗହଳି । ଭାତ ନାଟକରେ ଯୋଉ ଦୃଶ୍ୟ ଆଖି ଦେଖିଥିଲ ପୁଣି ସେଇ ଦୃଶ୍ୟର ପୁନରାବୃତ୍ତି ହେଲା । ଭାତରେ ଥିଲା ସବୁ କିଛି; କିନ୍ତୁ ମୂଲିଆରେ କେବଳ ଅଭିନୟ ଥିଲା । ଅଥଚ ଆର୍ଥିକ ଦୃଷ୍ଟିକୋଣରୁ ବିଚାର କଲେ ଉଭୟ ନାଟକ ଅନୁକୂଳ ଅବସ୍ଥା ସୃଷ୍ଟି କରିଥିଲେ ।

 

କାଳି ବାବୁ ଥରେ କହିଥିଲେ, ‘‘ମୋ’ ଲେଖା ନାଟକ ନିକଟରେ ଅଭିନେତା, ଅଭିନେତ୍ରୀ ହେଲେ ନିତାନ୍ତ ଗୌଣ ।” ତାର ପ୍ରକୃତ ଅର୍ଥ ହେଲା–ତାଙ୍କ ଲେଖା ଥିଲା ଅସଲ କିଛି, ଅଭିନେତାର ଅଭିନୟ ତାଙ୍କ ଆଖିରେ ବିଶେଷ କିଛି ନୁହେଁ ବୋଲି ସେ ବିଚାର କରନ୍ତି । ତେବେ ସେ ଯାହାହେଉ, ବାସ୍ତବକ୍ଷେତ୍ରରେ କିନ୍ତୁ ଦେଖାଦେଲା ବିପରୀତ ଘଟଣା । ‘ମୂଲିଆ’ ନାଟକ ଚାଲିଥିବାବେଳେ କାଳି ବାବୁଙ୍କର ‘ବେକାର’ ନାଟକ ଭଲ ଚାଲିଲା ନାହିଁ, ପଇସା ମଧ୍ୟ ବେଶି ଦେଲା ନାହିଁ । ଏଣେ କିନ୍ତୁ ‘ମୂଲିଆ’ ଆଶାତୀତ ଅର୍ଥ ଉପାର୍ଜନ କରି ଚାଲିଲା ।

 

ମୂଲିଆ ନାଟକ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌କୁ ବାସ୍ତବରେ ମଜବୁତ କରି ତୋଳିବାକୁ ଯଥେଷ୍ଟ ଅର୍ଥ ଯୋଗେଇ ପାରିଥିଲା ।

 

ଶ୍ରୀ ରାମଚନ୍ଦ୍ର ମିଶ୍ରଙ୍କ ପଛକୁ ଆଉ ଜଣେ ନୂତନ ଲେଖକ ମୁଣ୍ଡ ଟେକିଲେ, ଶ୍ରୀ ଭଞ୍ଜକିଶୋର ପଟ୍ଟନାୟକ । ଭଞ୍ଜ ବାବୁଙ୍କର ‘ଦେବୀ’ ନାଟକ ରିହାର୍‌ସାଲ ଚାଲିଲା ଏବଂ ମୂଲିଆ ନାଟକ ପରେ ପରେ ମଞ୍ଚସ୍ଥ ହେଲା ଦେବୀ ନାଟକ । ‘ଦେବୀ’ ନାଟକ କିଛି ଦିନ ଚାଲିଲା ପରେ, ତା’ ପଛକୁ ଭଞ୍ଜ ବାବୁ ‘ବେନାମି’ ନାଟକ ଯୋଗେଇଲେ ।

 

ବି’ଗ୍ରୁପ୍‌ର ପ୍ରତ୍ୟେକ କର୍ମଚାରୀ ଖୁସି ହେଲେ ଏବଂ ଶାନ୍ତିରେ ନିଶ୍ଵାସ ମାରିଲେ । କାମ କରିବାର ଅଦମ୍ୟ ଉତ୍ସାହ, ବିଶ୍ରାମବିହୀନ ଶ୍ରମଦାନ ତାଙ୍କର ଆଗେଇ ନେଲା ଅନ୍ନପୂର୍ଣ୍ଣା ଅନୁଷ୍ଠାନକୁ ଏକ ସୁଦୃଢ଼ ସ୍ଵୟଂସମ୍ପୂର୍ଣ୍ଣ ସଂଗଠନ ଭାବରେ । ଆମେ ସମସ୍ତେ ବିଚାର କଲୁ, ମଞ୍ଚପାଇଁ ନାଟକର ଅଭାବ ଯେ ଗୋଟାଏ ସମସ୍ୟା ସୃଷ୍ଟି କରୁଛି ସେ ସମସ୍ୟା ଆଉ ରହିବ ନାହିଁ, କାରଣ ଭଞ୍ଜ ବାବୁଙ୍କ ଭଳି ଆଉ ଅନେକ ନୂତନ ନାଟ୍ୟକାର ରଙ୍ଗମଞ୍ଚ ପାଇଁ ନୂଆ ଧରଣର ନାଟକ ଲେଖିବାକୁ ନିଶ୍ଚିତ ଭାବରେ ଆଗେଇ ଆସିବେ ।

 

ୟା’ ପୂର୍ବରୁ ସାମାଜିକ ନାଟକ ହିସାବରେ କାଳି ବାବୁଙ୍କ ନାଟକ ଥିଲା ଓଡ଼ିଶାରେ ସର୍ବଶ୍ରେଷ୍ଠ ନାଟକ ।

 

ସତକୁସତ ‘ଦେବୀ’, ‘ବେନାମି’ ନାଟକ ପରେ ଭଞ୍ଜ ବାବୁ ଦେଲେ ନୂଆ ନାଟକ ‘ଜହର’ । ଉକ୍ତ ‘ଜହର’ ନାଟକଟି ରାଜନୈତିକ ବିଷୟବସ୍ତୁ ଉପରେ ଆଧାରିତ ଥିଲା ଏବଂ ସେ ସମୟର ଭାରତୀୟ ଜନଗଣଙ୍କର ମନ ଭିତରେ ଯେଉଁ ସ୍ଵାଧୀନତାର ନବୀନ ସୂର୍ଯ୍ୟ ପ୍ରତିଫଳିତ ହୋଇଥିଲା, ତାକୁ ହିଁ କେନ୍ଦ୍ରକରି ନାଟକର ପ୍ରତି ଦୃଶ୍ୟରେ ଏକ ବିପ୍ଳବର ଅଗ୍ନି–ଶିଖାକୁ ରୂପାୟିତ କରାଯାଇଥିଲା । ଏଭଳି ଭିନ୍ନ ସ୍ଵାଦର ମଞ୍ଚନାଟକ ଜହର, ପ୍ରଥମ ବାର୍ତ୍ତାବହ ଭାବରେ ଦେଖା ଦେଇଥିଲା ଓଡ଼ିଶା ରଙ୍ଗମଞ୍ଚରେ । ‘ଦେବୀ’ ଓ ‘ବେନାମି’ ଠାରୁ ଶ୍ରୀଯୁକ୍ତ ଭଞ୍ଜ କିଶୋର ପଟ୍ଟନାୟକଙ୍କର ଏହି ‘ଜହର’ ନାଟକଟି ଥିଲା ସମ୍ପୂର୍ଣ୍ଣ ଅଲଗା ଢାଞ୍ଚାର । ଉକ୍ତ ନାଟକର ଚରିତ୍ର, ସଂଳାପ, ଦୃଶ୍ୟସଜ୍ଜା, ନାଟକୀୟ ଉତ୍କଣ୍ଠା ପ୍ରାୟ ପ୍ରତ୍ୟେକ ବିଷୟ ଉପରେ ଲେଖକ ସୁନଜର ଦେଇଥିଲେ ।

 

‘ଜହର’ ନାଟକ ମଞ୍ଚସ୍ଥ ହେଲା ଏକ ଆଡ଼ମ୍ବରପୂର୍ଣ୍ଣ ପରିବେଶ ଭିତରେ । ନାଟକର ସଫଳ ପରିବେଷଣ ପାଇଁ ବି’ଗ୍ରୁପ୍‌ର କଳାକାର ଗୋଷ୍ଠୀ ନିଜନିଜର ଅଭିନୟ କ୍ଷେତ୍ରରେ ସ୍ଵର୍ଣ୍ଣାକ୍ଷର ଇତିହାସ ସୃଷ୍ଟି କଲେ । କଳାପ୍ରେମୀ ଦର୍ଶକବୃନ୍ଦ କଳାପୀଠ ଅନ୍ନପୂର୍ଣ୍ଣା ପ୍ରେକ୍ଷାଳୟକୁ କଲେ ପବିତ୍ର, ସେମାନଙ୍କର ଅକୁଣ୍ଠ ସମର୍ଥନ ଜଣେଇ । ମୋର ‘ଦେବକୁମାର’ ଚରିତ୍ର ଦେଖି ଚିକାଗୋର ସାଉଣ୍ଡ୍ ଇଞ୍ଜିନିୟର ମୋତେ ଦାନ କରିଗଲେ ଏକ ବିରାଟ ରୂପାର କପ୍ ।

 

ଶ୍ରୀଯୁକ୍ତ ଭଞ୍ଜକିଶୋର ପଟ୍ଟନାୟକଙ୍କ ପରେ, ଓଡ଼ିଶା ରଙ୍ଗମଞ୍ଚ ଗଗନରେ ଦେଖା ଦେଲେ ଜଣେ ପ୍ରତିଭାବାନ ଉଜ୍ଜ୍ୱଳ ଜ୍ୟୋତିଷ ଶ୍ରୀ ଗୋପାଳ ଛୋଟରାୟ । ଏଇ ମହାଶୟଙ୍କ ବଳିଷ୍ଠ ରଚନା ‘ଫେରିଆ’ ନାଟକ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ହାତପଇଠ ହେଲା । ‘ଫେରିଆ’ ନାଟକ ମଧ୍ୟ ସ୍ଵାଧୀନତା ସଂଗ୍ରାମକୁ କେନ୍ଦ୍ରକରି ରଚିତ । ଗୋପାଳ ବାବୁଙ୍କର ନାଟକ ରଚନାର ଆଶ୍ଚର୍ଯ୍ୟ ଧରଣର ଶୈଳୀ ଦେଖି ସମସ୍ତେ ବିସ୍ମିତ ହେଲୁ । କାଳି ବାବୁଙ୍କଠାରୁ ପ୍ରକୃତ ସାମାଜିକ ନାଟକ ଆରମ୍ଭ ହୋଇଥିଲେ ହେଁ, ଗୋପାଳ ବାବୁ ଯେ ସେଇ ସାମାଜିକ ନାଟକକୁ ନେଇ ଚରମ ସୀମାରେ ପହଞ୍ଚେଇ ପାରିବେ, ସେକଥା ଆମେମାନେ କଳ୍ପନାରେ ସୁଦ୍ଧା ଆଣିପାରି ନଥିଲୁ । ମଞ୍ଚ ନାଟକ କ୍ଷେତ୍ରରେ ଶ୍ରୀଯୁକ୍ତ ଛୋଟରାୟ ସମସ୍ତଙ୍କଠାରୁ ଆହୁରି ପଚିଶ୍ ପାଦ ଆଗେଇ ଗଲା ପରି ଜଣାପଡ଼ିଲେ । ଚାଲିଲା ‘ଫେରିଆ’ ନାଟକର ଅଭ୍ୟାସ ।

 

ଗୋଟିଏ ନାଟକ ମଞ୍ଚସ୍ଥ କରିବାପାଇଁ ଅନୁଷ୍ଠାନକୁ ପ୍ରାଣମୂର୍ଚ୍ଛା ପରିଶ୍ରମ କରିବାକୁ ପଡ଼େ-। ତା’ ହେଲେ ସୁଫଳ ଫଳିବାର ସମ୍ଭାବନା ଥାଏ ଅଧିକ । ତେବେ ବଡ଼ କଥା ହେଲା, ଅନୁଷ୍ଠାନର ସମୂହ ଉଦ୍ୟମ ଫଳରେ ଗୋଟିଏ ନାଟକ ମଞ୍ଚସ୍ଥ ହୁଏ ସତ, ମାତ୍ର ସେଇ ନାଟକର ସଫଳତା ଲାଗି ଅଭିନେତା, ଅଭିନେତ୍ରୀଙ୍କର ନିଷ୍ଠା ଓ ଅଧ୍ୟବସାୟ ଏକାନ୍ତ ଦରକାର ।

 

ମୋର ମନେପଡ଼େ, ‘ଫେରିଆ’ ନାଟକ ମଞ୍ଚସ୍ଥ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଶିଳ୍ପୀ ଜୀବନ ଦେଇ ଖଟିଥିଲେ । ସେ ଖଟଣିପାଇଁ କେହି କାହାକୁ ବାଧ୍ୟବାଧକତା କରି ନଥିଲେ । ସମସ୍ତେ ଯେମତି ନିଜର କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେଇ ନିଜ ନିଜ ଚରିତ୍ରଗୁଡ଼ିକ ଫୁଟେଇବାକୁ ଚେଷ୍ଟା ଓ ଯତ୍ନ କରିଥିଲେ ।

 

କାହିଁକି କେଜାଣି ‘ଫେରିଆ’ ନାଟକଟି ମୋତେ ଏତେଦୂର ଭଲ ଲାଗୁଥିଲା, ତାହା ନିକଟରେ ମୁଁ ଏଥ‌ିପୂର୍ବରୁ ଯେତେଗୁଡ଼ିଏ ସାମାଜିକ ନାଟକରେ ଅଂଶ ନେଇଥିଲି ସେ ସବୁ ପ୍ରାୟ ମଳିନ ଦିଶୁଥିଲା । ମୋର ସେଇ ରଙ୍ଗାଧର ଚରିତ୍ରଟିରେ ମୁଁ ଅଭିନୟ କଲାବେଳେ ଏତେଦୂର ମଜ୍ଜିଯାଉଥିଲି ଯେ, ସେ ମୁହୂର୍ତ୍ତରେ ମୁଁ ଗୋଟିଏ ଖାଣ୍ଟି କମ୍ୟୁନିଷ୍ଟ ପାଲଟି ଯାଉଥିଲି । ବାବି ବାବୁଙ୍କର ମିଷ୍ଟର ଦାସ ଚରତ୍ର । ବିପିନି ବାବୁଙ୍କର ଅବିନାଶ ଚରିତ୍ର, ଉମାନାଥ ମିଶ୍ରଙ୍କର କମ୍ରେଡ଼୍ ବିଶ୍ଵନାଥ ଚରିତ୍ର, ପଙ୍କଜ ଦାସଙ୍କର କମ୍ରେଡ୍ କାଳିଚରଣ ଚରିତ୍ର, ଲକ୍ଷ୍ମୀପ୍ରିୟା ଦେବୀ, କୁମୁଦିନୀ ଦେବୀ, କୁଷ୍ଣଚନ୍ଦ୍ର ପାଣ୍ଡେ ଇତ୍ୟାଦି ପ୍ରତ୍ୟେକ ଶିଳ୍ପୀ ନିଜ ନିଜ ଚରିତ୍ରକୁ ଜୀବନ୍ୟାସ ଦେବାରେ ଜଣେ ଜଣେ ଥିଲେ କଳା ସ୍ରଷ୍ଟା ।

 

ଏଇ ‘ଫେରିଆ’ ନାଟକ ଜାତି, ବିଜାତି ମଞ୍ଚ ଦର୍ଶକଙ୍କୁ ଜଣେଇ ଦେଲା ଯେ–କାଳି ବାବୁଙ୍କ ବ୍ୟତୀତ ଅନେକ ଆଧୁନିକ ମଞ୍ଚ ନାଟକ ଲେଖକଙ୍କୁ ଉତ୍କଳ ଜନନୀ ତାର କୋଳରେ ବଢ଼େଇ ରଖୁଛି । ବହୁ ପଡ଼ୋଶୀ ନାଟକ ଦେଖି ସ୍ଵୀକାର କଲେ ଯେ, ଓଡ଼ିଆର ନାଟକ ବୋଲି କିଛି ନିଜସ୍ଵ ରହିଛି ।

 

ଶ୍ରୀଯୁକ୍ତ ଛୋଟରାୟ ଓଡ଼ିଶା ରଙ୍ଗମଞ୍ଚ ଲାଗି ଯୋଉ କେତେ ଖଣ୍ଡି ନାଟକ ଲେଖିଛନ୍ତି ସେଥିଭିତରେ ‘ଫେରିଆ’, ‘ଭରସା’, ‘ପରକଲମ’ ସର୍ବଶ୍ରେଷ୍ଠ ନାଟକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ସେ ସମୟରେ ଗୋଟାଏ କଥା ଲକ୍ଷ୍ୟ କରାଯାଉଥିଲା, ତା ହେଉଛି–ଅଭିନୟ କ୍ଷେତ୍ରରେ ଥିଲା ପ୍ରତିଯୋଗିତା ମନୋଭାବ । ଅଭିନେତା, ଅଭିନେତ୍ରୀମାନେ ଯେମିତି ଅଭିନୟ କଳାରେ ପରସ୍ପରକୁ ଟପିଯିବାକୁ ଅଭିନୟ କରୁଥିଲେ । ସେମିତି ମଞ୍ଚ ନାଟକ ଲେଖିବାକୁ ଏବଂ ତାକୁ ଆହୁରି ସରସ ସୁନ୍ଦର କରିବାକୁ ଲେଖକମାନଙ୍କ ଭିତରେ ମଧ୍ୟ ପ୍ରତିଦ୍ଵନ୍ଦ୍ୱିତା ଚାଲୁଥିଲା । ବାସ୍ତବରେ ଓଡ଼ିଶା ମଞ୍ଚପାଇଁ ସେ ସମୟ ଥିଲା ଏକ ସୁବର୍ଣ୍ଣ ଯୁଗ ।

 

ୟା’ ପରେ ପାଳି ପଡ଼ିଲା ଶ୍ରୀଯୁକ୍ତ ରାମଚନ୍ଦ୍ର ମିଶ୍ରଙ୍କର । ଫେରିଆ ନାଟକର ସାଫଲ୍ୟକୁ ଆଖି ଆଗରେ ରଖି ସେ ଖୁବ୍ ଅଡ଼ୁଆରେ ପଡ଼ିଲେ । କେମିତି ଗୋଟିଏ ବିଷୟବସ୍ତୁ ବାଛିବେ, ଯାହାକୁ ମୂଳକରି ନାଟକଟି ଲେଖାଯିବ ଏବଂ ସେ ନାଟକ ଦର୍ଶକମାନଙ୍କ ମନରେ ପୂର୍ବ ଗୌରବକୁ ଫେରେଇ ଆଣିବ । ସମ୍ଭବତଃ ଶ୍ରୀଯୁକ୍ତ ଛୋଟରାୟଙ୍କ ଲେଖନୀ ଶ୍ରୀ ମିଶ୍ରଙ୍କ ମନରେ ଗୋଟାଏ ଆତଙ୍କ ସୃଷ୍ଟି କରିଦେଇଥିଲା ।

 

‘ଘର ସଂସାର’ ନାଟକ ଆସିବା ପୂର୍ବରୁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌କୁ ଆସିଲେ ଶ୍ରୀ ଦୁର୍ଲ୍ଲଭଚନ୍ଦ୍ର ସିଂ ଏବଂ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦେବୀ । ଉଭୟ ଶିଳ୍ପୀ ଓଡ଼ିଶା ରଙ୍ଗମଞ୍ଚର ପ୍ରଖ୍ୟାତ ଏବଂ ପ୍ରତିଷ୍ଠିତ ଶିଳ୍ପୀ । ଏମାନଙ୍କୁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ପାଇ ଧନ୍ୟ ହେଲା । ରାମ ବାବୁଙ୍କର ନୂଆ ନାଟକ ‘ଘର ସଂସାର’ର ପରିଚାଳନା ଦାୟିତ୍ଵ ଦିଆଗଲା ଶ୍ରୀ ଦୁର୍ଲ୍ଲଭ ସିଂହକୁ ।

 

ଠିକ୍ ଏତିକିବେଳେ ଅର୍ଥାତ୍ ‘ଘର ସଂସାର’ ନାଟକଟି ଲେଖା ହେବାର ଅନେକ ଦିନ ଆଗରୁ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସିଂ ଓଡ଼ିଶା ଥିଏଟର୍ସ ଛାଡ଼ି ଯୋଗ ଦେଇଥିଲେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ । ଶ୍ରୀ ପୂର୍ଣ୍ଣ ସିଂ ପ୍ରଥମ କରି କାଳି ବାବୁଙ୍କ ଦଳରେ ଦୀର୍ଘ ଦିନ ରହିଥିଲେ ମଧ୍ୟ ଅଭିନୟ କ୍ଷେତ୍ରରେ ପ୍ରବେଶ କରିବାର ବିଶେଷ ସୁବିଧା ସୁଯୋଗ ପାଇନଥିଲେ । ଘର ସଂସାର ନାଟକରେ ହିଁ ସେ ପ୍ରଥମ କରି ଅଭିନେତା ତାଲିକାଭୁକ୍ତ ହେଲେ । ଶ୍ରୀ ପୂର୍ଣ୍ଣ ସିଂ ଭୋଦର ଗ୍ରାମ ନିବାସୀ ଶ୍ରୀଯୁକ୍ତ ଦୁର୍ଲ୍ଲଭ ସିଂଙ୍କର ଏକା କୁଟୁମ୍ବ ଭାଇ ।

 

ଯାହାହେଉ, ଘର ସଂସାର ରିହାର୍‌ସାଲ କାମ ଆଗେଇ ଚାଲିଲା । ବି’ଗ୍ରୁପ୍‌ର ପ୍ରତ୍ୟେକଟି ଶିଳ୍ପୀ ବା କର୍ମଚାରୀ ପ୍ରାଣ ଦେଇ ଲାଗିପଡ଼ିଲେ, ଯେପରି ଉକ୍ତ ନାଟକଟି ସର୍ବାଙ୍ଗସୁନ୍ଦର ହୋଇପାରେ । ରୂପାୟନରେ ଯୋଉ ଶିଳ୍ପୀମାନେ ଭାଗନେଲେ ସେମାନେ ସମସ୍ତେ ପ୍ରାୟ ସେତେବେଳକୁ ନିଜନିଜକୁ ମଞ୍ଚକଳାରେ ବେଶ୍ ସୁପ୍ରତିଷ୍ଠିତ କରିପାରିଥିଲେ । ଏଣୁ ସେ ବିଷୟରେ କାହାରି ସନ୍ଦେହ ନଥିଲେ ମଧ୍ୟ କେବଳ ସନ୍ଦେହ ଥିଲା ପ୍ରଥମ ରଜନୀର ଫଳାଫଳ ଉପରେ ।

 

ଏଥର ଆଉ ଜଣେ ଶିଳ୍ପୀଙ୍କର ପରିଚୟ ଦିଏ । ଶ୍ରୀ ନିରଞ୍ଜନ ଶତପଥୀ, ଦେଶରକ୍ଷା ବିଭାଗରୁ ଚାଲିଆସି, କେବେ ଅବଶ୍ୟ ଅନ୍ନପୂର୍ଣ୍ଣା ଏ’ଗ୍ରୁପ୍‌ରେ ଯୋଗ ଦେଇଥିଲେ ସେକଥା ଯଦିଚ ମୁଁ ଭଲଭାବେ ଜାଣେନା, ତଥାପି ସେ ଯେ, ଜଣେ ଭବିଷ୍ୟତରେ ଉଚ୍ଚକୋଟୀର କଳାକାର ହେବେ, ସେ ଆଭାସ ତାଙ୍କଠାରେ ପାଇଥିଲି । କୌଣସି କାରଣରୁ ଏଇ ଶିଳ୍ପୀ ଅନ୍ନପୂର୍ଣ୍ଣା ଏ’ଗ୍ରୁପ୍‌ର ଜଳବାୟୁରେ ହୁଏତ ଚଳେଇ ନେବାରେ ନିଜକୁ ସକ୍ଷମ ନ କରିପାରି, ନବଗଠିତ ବି’ଗ୍ରୁପ୍‌କୁ ଆପଣାର କଳାକ୍ଷେତ୍ର ରୂପେ ବାଛି ନେଇଥିଲେ ଏବଂ ‘ଘର ସଂସାର’ ନାଟକରେ ମିଷ୍ଟର ବର୍ମା ଭୂମିକା ଗ୍ରହଣ କରିଥିଲେ ।

 

ସମ୍ଭବତଃ ନିରଞ୍ଜନ ଶତପଥୀ ମହାଶୟଙ୍କୁ ‘ଘର ସଂସାର’ ନାଟକରେ ମିଷ୍ଟର ବର୍ମା ଚରିତ୍ର ମିଳିପାରି ନଥାନ୍ତା କିମ୍ବା ଦୁର୍ଲ୍ଲଭ ବାବୁଙ୍କୁ ନାଟକଟିର ପରିଚାଳନା ଭାର ଦିଆଯାଇ ପାରିନଥାନ୍ତା ଯଦି ବାବି ବାବୁ (ସାମୁଏଲ ସାହୁ) ଅନୁଷ୍ଠାନରେ ସେତେବେଳେ ରହିଥାନ୍ତେ । ୟା’ର କାରଣ ସମ୍ପର୍କରେ କହିବାକୁ ଗଲେ, ବାହାରକୁ ଦର୍ଶକମାନଙ୍କ ଆଖ୍ୟାରେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ଯେପରି ଅଭିନୟ ପରିବେଷଣରେ ଦିନକୁଦିନ ପାଦେ ପାଦେ ଆଗେଇ ଯାଉଥାଏ, ସେମିତି ଭିତରେ ଅନୁଷ୍ଠାନର ମୁଖ୍ୟ ପରିଚାଳକ ଓ ବାବି ବାବୁଙ୍କ ମଧ୍ୟରେ ଅଶାନ୍ତିର ଅଦେଖା ନିଆଁ କୁହୁଳି କୁହୁଳି ଉଠୁଥୁଲା ପରି ମନେହେଉଥାଏ । ତାର ମୂଳରେ ଥାଏ ଅର୍ଥ ଆଉ କ୍ଷମତାର ଲାଳସା ।

 

ମୋ ଜାଣିବାରେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ପରି ଏକ ବିରାଟ କଳା ଅନୁଷ୍ଠାନକୁ ନିଜର ଦକ୍ଷତା ବଳରେ ନିୟନ୍ତ୍ରଣ କରି ଶୃଙ୍ଖଳିତ ଭାବରେ ଚଳେଇବା କ୍ଷମତା ଶ୍ରୀଯୁକ୍ତ ଲିଙ୍ଗରାଜ ନନ୍ଦଙ୍କର ନଥିଲା-। ଲକ୍ଷ୍ୟ କରୁଥିଲି, ସେ ସାମାନ୍ୟ ଘଟଣାରେ ବିଚଳିତ ହୋଇ ଅନ୍ୟର ପରାମର୍ଶ ଲୋଡ଼ୁଥିଲେ ଏବଂ ସେଇ ପରାମର୍ଶ ଅନୁଯାୟୀ ନିଜକୁ ପରିଚାଳିତ କରୁଥିଲେ । କାଳି ବାବୁ ନିଜେ ଜଣେ କଳା କ୍ଷେତ୍ରରେ ସ୍ଵୟଂସମ୍ପୂର୍ଣ୍ଣ ବ୍ୟକ୍ତି ହୋଇ ମଧ୍ୟ ଗୋଟାଏ ଜିଦ୍‌ଖୋର ମନୋଭାବ ଓ ନିଜର ତୁଚ୍ଛ ସ୍ଵାର୍ଥସିଦ୍ଧି ଲାଗି ଯେମିତି ଓଡ଼ିଶା ଥିଏଟର୍ସ ପରି କଳାସଂସ୍ଥାକୁ ଧ୍ଵଂସସ୍ତୂପରେ ପରିଣତ କରିଦେଲେ, ସେମିତି ଲିଙ୍ଗରାଜ ବାବୁ ନିଜର ନିଜତ୍ୱ ନଥାଇ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌କୁ ତଳିତଳାନ୍ତ କରିବାକୁ ବସିଛନ୍ତି-

 

‘ଫେରିଆ’ ନାଟକର ସମାପ୍ତି ପରେ ପରେ ବାବି ବାବୁ କିଛିଦିନ ପାଇଁ ବି’ଗ୍ରୁପ୍ ଛାଡ଼ିଦେଲେ, । ‘ଘରସଂସାର’ ନାଟକର ପ୍ରସ୍ତୁତି କାମ କିନ୍ତୁ ଧିମେଇ ନଯାଇ ଆଗେଇ ଚାଲିଲା । ଦଳରେ ଦେଖା ଦେଲେ ଜଣେ ନର୍ତ୍ତକ ଶ୍ରୀ ଦୟାଲ ଶରଣ, ଉତ୍ତର ଭାରତର ଲୋକ । ସମ୍ଭବତଃ ଭାରତର କୌଣସି ବିଶିଷ୍ଟ ନୃତ୍ୟଗୁରୁଙ୍କ ସମ୍ପର୍କରେ ଆସିଥିଲେ ନା କ'ଣ, ନୃତ୍ୟ ବିଷୟରେ ବେଶ୍ କିଛି ଦକ୍ଷତା ଥିଲା । ଅବସ୍ଥା ତାଙ୍କର ଥିଲା ଅତ୍ୟନ୍ତ ଦୈନ୍ୟ । ସାମାନ୍ୟତମ ଦରମାକୁ ସମୂହ କରି କିଛିଦିନ ପାଇଁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ଅଟକିଗଲେ । ଶ୍ରୀଯୁକ୍ତ ଦୟାଲ ଶରଣ ଥିଲେ ଅତି ସରଳ ପ୍ରକୃତିର ଲୋକ, ନିଜର ନୃତ୍ୟ ପ୍ରତିଭାକୁ ଅନ୍ୟକୁ ବିତରଣ କରିବାରେ ଥିଲେ ଖୁବ୍ ଆଗ୍ରହୀ ।

 

Unknown

ବି’ଗ୍ରୁପ୍‌ରେ ଏତେବେଳକୁ ଶ୍ରୀ ପଙ୍କଜ ଚରଣ ଦାସ ବିଭିନ୍ନ ନୃତ୍ୟ ଶିକ୍ଷା ଦାନରେ ସାହାଯ୍ୟ କରୁଥିଲେ ଏବଂ ତାଙ୍କ ସହିତ ସହଯୋଗ କରୁଥିଲେ ଶ୍ରୀ କେଳୁ ଚରଣ ମହାପାତ୍ର । ଶ୍ରୀ ଦୟାଲ ଶରଣଙ୍କ ଉପସ୍ଥିତି ଯୋଗୁଁ ଏମାନଙ୍କୁ ଅନେକ ତଥ୍ୟ ମିଳିଲା । କିଛି ଦିନ ପାଇଁ ଶ୍ରୀଯୁକ୍ତ ଦୟାଲ ଶରଣ ପ୍ରତିଦିନ ସକାଳେ କିଛି ସମୟ ପାଇଁ ଗୋଟିଏ ନୃତ୍ୟ ଶିକ୍ଷା ଶ୍ରେଣୀ ଖୋଲିଲେ ।

 

ଆଜିର ନୃତ୍ୟଗୁରୁ ଯଥା–ଶ୍ରୀ ପଙ୍କଜ ଦାସ, ଶ୍ରୀ କେଳୁ ମହାପାତ୍ର, ଶ୍ରୀ ଦେବପ୍ରସାଦ ଦାସ, ଶ୍ରୀ ବଟକୃଷ୍ଣ ଶେଣ (ମୋଚି) ଆଦି ନୃତ୍ୟ ଶ୍ରେଣୀରେ ଯୋଗଦେଇ ନୃତ୍ୟର ଅଙ୍ଗଚାଳନା, ବିଭିନ୍ନ ମୁଦ୍ରାମାନଙ୍କର ଅଭ୍ୟାସ କଲେ । ଅବଶ୍ୟ କେଳୁ ଓ ପଙ୍କଜ ଉଭୟଙ୍କର ଘର ପୁରୀ ହୋଇଥିବାରୁ ଏମାନେ ଓଡ଼ିଶୀ ବା ଗୋଟିପୁଅ ନାଚ ବିଷୟରେ କିଛି କିଛି ଧାରଣା ରଖିଥିଲେ । କେଳୁଚରଣ ଥିଲେ ଚିତ୍ରକାର ବଂଶର ଦାୟାଦ ଏବଂ ପଙ୍କଜ ଚରଣ ଥିଲେ ବିଖ୍ୟାତ ମାହାରୀ ବଂଶର ଦାୟାଦ । ମୋ ଦେଖିବାରେ ଏଇ ଦୁଇଟି ଆମ ଉତ୍କଳର ଅମୂଲ୍ୟ ମୋତି । ଏମାନଙ୍କର ଅଧ୍ୟବସାୟ ବାସ୍ତବିକ୍ ଯେ ଏମାନଙ୍କୁ ନିକଟ ଭବିଷ୍ୟତରେ ଉପଯୁକ୍ତ ଆସନ ଦେବ, ଏକଥା ମୁଁ ପରିଷ୍କାର ଦେଖିପାରିଥିଲି ।

 

ଶ୍ରୀ ପଙ୍କଜ ଦାସ ଓ ଶ୍ରୀ କେଳୁଚରଣ ମୋଠାରୁ ଥିଲେ ବୟସରେ ଖୁବ୍ ଛୋଟ । ତଥାପି ମୁଁ ଯାହା ଲକ୍ଷ୍ୟ କରିଛି, ଏମାନେ ଅଭିନୟ କ୍ଷେତ୍ରରେ ଯେପରି ସଫଳ ଅଭିନେତା, ନୃତ୍ୟ କ୍ଷେତ୍ରରେ ମଧ୍ୟ ସେପରି ଗୋଟିଏ ଗୋଟିଏ ଉଜ୍ଜ୍ଵଳ ଜ୍ୟୋତିଷ୍କ । ଏମାନେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ନୃତ୍ୟ ଓ ଅଭିନୟ ତ କରୁଥିଲେ, ୟା’ଛଡ଼ା ଅବସର ସମୟରେ କଟକରେ ବିଭିନ୍ନ ପରିବାରରେ ନୃତ୍ୟ ଶିକ୍ଷା ମଧ୍ୟ ଦେଉଥିଲେ । ମୁଁ ଯେତେଦୂର ଜାଣେ ଶ୍ରୀ କେଳୁଚରଣଙ୍କର ନୃତ୍ୟ ପ୍ରତିଭାକୁ ବିକଶିତ କରିବାରେ ଶ୍ରୀଯୁକ୍ତ ଅଭିରାମ ମିଶ୍ର ଅନେକାଂଶରେ ଦାୟୀ । କାରଣ କୁମାରୀ ସଂଯୁକ୍ତା ମିଶ୍ର ହେଲେ ଶ୍ରୀଯୁକ୍ତ ମହାପାତ୍ରଙ୍କର ପ୍ରଥମା ଶିଷ୍ୟା, ଯାହାଙ୍କର ଓଡ଼ିଶୀ ନୃତ୍ୟ ପରିବେଷଣ ଅତି ଶିଶୁ ଅବସ୍ଥାରେ ବି ଉତ୍କଳବାସୀଙ୍କ ମନରେ ଆଶାର ସଞ୍ଚାର କରିପାରିଥିଲା । ଏଥି ସହିତ ଶ୍ରୀଯୁକ୍ତ ମାଧବ ନନ୍ଦଙ୍କ ଅଲିଅଳି ସୁକୁମାରୀ ଶିଶୁକନ୍ୟା କୁମାରୀ ମିନାକ୍ଷୀ ମଧ୍ୟ କୁମାରୀ ସଂଯୁକ୍ତାଙ୍କ ପଛକୁ ଓଡ଼ିଶୀ ନୃତ୍ୟ ପରିବେଷଣ ଲାଗି ଆଗେଇ ଆସିଥିଲେ ।

 

ମୋର କ୍ଷୁଦ୍ର ମତରେ ଶ୍ରୀ ଦାସ ଥିଲେ ଶ୍ରୀ ମହାପାତ୍ରଙ୍କଠାରୁ ନୃତ୍ୟ ବିଷୟରେ ଅଧିକ ଜାଣିବାର । ଅନେକ ସମୟରେ ଦେଖିଛି ଶ୍ରୀ କେଳୁଚରଣ ଶ୍ରୀ ପଙ୍କଜ ଦାସଙ୍କଠାରୁ ନୃତ୍ୟ ସମ୍ପର୍କୀୟ ତଥ୍ୟର ସନ୍ଧାନ ଲୋଡ଼ନ୍ତି ।

 

ଏତେବେଳକୁ ଓଡ଼ିଶାର ବାୟୁମଣ୍ଡଳ ଅଲଗା ରୂପ ଧାରଣ କଲାଣି । ଚାରିଆଡ଼େ ସଂଗୀତ, ନୃତ୍ୟ, ନାଟକର ଆଦର ଧୀରେ ଧୀରେ ବଢ଼ିଚାଲିଲାଣି । ୧୯୪୬ ମସିହା କଥା, ୧୯୨୫ ମସିହାର ସମୟରେ ଯୋଉ ଏଥପ୍ରତି ଘୃଣାଭାବ ଲୋକଙ୍କର ଥିଲା, ତାହା ପ୍ରାୟ କିଛି ଅଂଶରେ ଘୁଞ୍ଚି ଘୁଞ୍ଚି ଗଲାଣି । ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ‘ଘର ସଂସାର’ ନାଟକର ପ୍ରସ୍ତୁତିପର୍ବ ଶେଷ ହେଲା । ପ୍ରଥମ ରଜନୀ ପାଇଁ ପାଞ୍ଜି ଖୋଲି ଶୁଭବେଳା ଠିକ୍ କରାଗଲା । ସମସ୍ତଙ୍କ ମନରେ ଉଦ୍‌ବେଗ । ନାଟକଟି ଦର୍ଶକମାନଙ୍କୁ କେମିତି ଲାଗିବ, କି ପ୍ରଭାବ ପକେଇବ ଇତ୍ୟାଦି ଇତ୍ୟାଦି ।

 

ନାଟକ ଆରମ୍ଭ ହେଲା । ଆଶାତୀତ ସଫଳତା । ରାମ ବାବୁଙ୍କ ମନରେ ଯୋଉ ଆଶଙ୍କା ଓ ଭୟର ଘନ କୁହୁଡ଼ି ଜମାଟ ବାନ୍ଧିଥିଲା ତାହା କୁଆଡ଼େ ଉଭେଇଗଲା । ପ୍ରତ୍ୟେକେ ହେଲେ ଖୁସି । ଦିନ ପରେ ଦିନ ଧରି ଛୁଟିଲା ପଇସାର ସୁଅ । ପରାଙ୍ଗଭୋଗୀ ନିର୍ମୂଳୀଲତା ପରି ସେହି ଅନୁଷ୍ଠାନର କେତେକ ଛୋଟବଡ଼ କର୍ମଚାରୀ ବାଟମାରଣା ନୀତି ଧରିଲେ । ସୁବିଧା ଉଣ୍ଡି ବିକ୍ରି ହୋଇଥିବା ଟିକଟକୁ ଅଧେ ଚିରି ଅଧ‌ିକ ଦର୍ଶକଙ୍କୁ ନଦେଇ ସେଇ ଟିକଟସବୁକୁ ବାହାରେ ବିକ୍ରିକରି ପଇସା ପକେଟରେ ପକେଇଲେ । ଅବଶ୍ୟ ଏଭଳି ଚୋରିକୁ ଅନ୍ୟ କେହି ଧରିବାର ଉପାୟ ନଥିଲା । ଯୋଉମାନେ ସେସବୁ ଚୋରିକୁ ଦମନ କରିବାର କ୍ଷମତାରେ ଥିଲେ ସେଇମାନେ ହିଁ ଥିଲେ ସେ ଦୁର୍ନୀତିର ସ୍ରଷ୍ଟା ।

 

ଏପରି ମହାବ୍ୟାଧି ଏଥିପୂର୍ବରୁ ମୁଁ କୌଣସି ପେଷାଦାର ପ୍ରେକ୍ଷାଳୟରେ ଦେଖି ନଥିଲି-। କେବଳ ଏତିକି ଯଥେଷ୍ଟ ନଥିଲା । ଅଭିନୟ ସମୟ ପୂର୍ବରୁ ପ୍ରତି ଶ୍ରେଣୀ ଦ୍ଵାର ମୁହଁରେ ଟିକଟ ଚୋରି ତ ଚାଲିଥିଲା, ପୁଣି ଚାଲିଥିଲା ଦରମା ଖାତାରେ ଧପ୍ପାବାଜି କାରବାର,–ସରଳ, ଅଭିମାନୀ, ଭାବପ୍ରବଣ ଅଭିନେତା, ଅଭିନେତ୍ରୀଙ୍କୁ ଦଶ ଦେଇ ଏଗାର ଲେଖିବା, ପୁଣି କିଛି ନ ଦେଇ କିଛି କିଛି ଲେଖିବା । ୟା’ ସଙ୍ଗେ ସଙ୍ଗେ ଆଉ ଗୋଟିଏ ନୂଆ ଧନ୍ଦା ଚାଲିଥିଲା ସେଇଟି ହେଲା–ସରକାରଙ୍କ ତରଫରୁ ଯେଉଁ ପ୍ରମୋଦକର ବାବତକୁ ବିଭିନ୍ନ ମୂଲ୍ୟର ଷ୍ଟାମ୍ପ ବିକ୍ରି କରାଯାଉଥିଲା, ସେଥିରେ ଚାଲୁଥିଲା ସମ୍ପୂର୍ଣ୍ଣ ଠକେଇ । ଯେଉଁ ପ୍ରମୋଦ କର ଷ୍ଟାମ୍ପ୍‌ଗୁଡ଼ିକ ଟିକଟ ଉପରେ ଅଠାରେ ମରାଯାଉଥିଲା; ସେସବୁକୁ ଟିକଟ ସହିତ ନଷ୍ଟକରା ନ ଯାଇ, ତାକୁ ପାଣିରେ ଭିଜେଇ କାଢ଼ିନିଆଯାଇ ପୁଣି ଥରେ ଥରେ ବ୍ୟବହାର କରାଯାଉଥିଲା ।

 

ଏସବୁ କାରସାଦି ଯେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ପ୍ରଧାନ କର୍ତ୍ତା ଶ୍ରୀଯୁକ୍ତ ନନ୍ଦ ଜାଣୁ ନଥିଲେ ତାହା ନୁହେଁ, ବରଂ ଏଥିରେ ସେ ଅଧିକ ଉତ୍ସାହିତ ହେଉଥିଲେ । ଅଥଚ ଏତେ ସବୁ ଲାଭରୁ ଅନୁଷ୍ଠାନ କିନ୍ତୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଥିଲା । ଅନୁଷ୍ଠାନରେ ଏତେ ଧରଣର ଚୋରିଅର୍ଥ କେବଳ କେତେଜଣଙ୍କର ବ୍ୟକ୍ତିଗତ ସ୍ଵାର୍ଥରେ ଲାଗୁଥିଲା ।

 

ଅନ୍ନପୂର୍ଣ୍ଣ ବି’ଗ୍ରୁପ୍‌ର ମାର୍ଜିତ କଳା–ପରିବେଷଣ ଅନ୍ତରାଳରେ ଲୁଚି ରହିଥିଲା ଏହିପରି କେତେଗୁଡ଼ିଏ ନୀତିହୀନ କାର୍ଯ୍ୟକଳାପ । ଆଉ ସେହି କାର୍ଯ୍ୟକଳାପରେ ଯୋଉମାନେ ସମ୍ପୃକ୍ତ ଥିଲେ ସେମାନେ ହେଲେ ଶ୍ରୀଯୁକ୍ତ ନନ୍ଦ, ଶ୍ରୀ ପ୍ରିୟନାଥ ମିଶ୍ର, ଶ୍ରୀ ରାଜକିଶୋର ମହାନ୍ତି, ଶ୍ରୀ ମାଧବାନନ୍ଦ କର, ଶ୍ରୀ ପଞ୍ଚାନନ ଏବଂ ଶ୍ରୀ ଗଣେଶ ବାରିକ । ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌କୁ ଆଗେଇ ନେବାରେ ଏମାନଙ୍କର ଅବଦାନ ଯେତିକି, ଅନୁଷ୍ଠାନକୁ ସର୍ବନାଶ ଆଡ଼କୁ ଟାଣିନେବାରେ ଏମାନଙ୍କର କାର୍ଯ୍ୟକଳାପ ବରଂ ତା’ଠାରୁ ଆହୁରି ଅଧିକ ।

 

ସବୁବେଳେ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ବିଭିନ୍ନ କଳା ଅନୁଷ୍ଠାନ ଦୀର୍ଘ ଦିନ ତିଷ୍ଠି ନ ରହିବାର କାରଣ କ’ଣ ? ଅନେକ ମଧ୍ୟ ଏ ପ୍ରଶ୍ନର ଉତ୍ତର ଦିଅନ୍ତି ଯେ, ଏଥିଲାଗି ବିଭିନ୍ନ କଳାକାର ଗୋଷ୍ଠୀ ଦାୟୀ । ଏହା ସମ୍ପୂର୍ଣ୍ଣ ଭ୍ରମ ଧାରଣା । ଏଥିରେ କଳାକାରମାନଙ୍କର କୌଣସି ଅପରାଧ ନଥିଲା । ପରିଚାଳନାଗତ ତ୍ରୁଟି ଯୋଗୁ ହିଁ ନାନା ବିଭ୍ରାଟ ସୃଷ୍ଟି ହେଉଥିଲା । ଅବଶ୍ୟ ଯୋଉ ଶିଳ୍ପୀ କେତେକ ବାଧ୍ୟରେ ପଡ଼ି ପରିଚାଳନା କ୍ଷେତ୍ରକୁ ଟାଣିହୋଇ ଯାଉଥିଲେ, ସେମାନଙ୍କ କଥା ଅଲଗା । ସେମାନେ ଯେ ପରିଚାଳନା ବିଷୟରେ ମୁଣ୍ଡ ପୂରେଇ ନିଜର ତଥା ଅନ୍ୟ କଳାକାରମାନଙ୍କର କ୍ଷତି ଘଟଉଛନ୍ତି ସେ କଥା ବୁଝିପାରୁ ନଥିଲେ ।

 

ମୋ ମତରେ କଳାର ପ୍ରସାର ପାଇଁ କଳାକାର ଚିନ୍ତା କରୁ ଏବଂ ଅନୁଷ୍ଠାନର ସୁପରିଚାଳନା ଲାଗି ଏକ ପରିଚାଳନା ବୋର୍ଡ଼ ଚିନ୍ତା କରୁ ଏବଂ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପରିଚାଳନା ବୋର୍ଡ ଚିନ୍ତା କରୁ ଏବଂ ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ସୁ-ସମ୍ପର୍କ ରହୁ । ଯେଉଁଠାରେ କିଛି ଦୁଷ୍ଟବ୍ରଣ ମଥା ଟେକୁଛି, ତାକୁ ଦୃଢ଼ତାର ସହିତ ସମୂଳେ ଉତ୍ପାଟିତ କରାଯାଉ । ସବୁ ସମସ୍ୟାର ସମାଧାନ ହୋଇଯିବ ।

 

ଅନେକ ବାଧା, ପ୍ରତିବନ୍ଧକ, ଘାତ, ପ୍ରତିଘାତ ଭିତର ଦେଇ ‘ଘର ସଂସାର’ ନାଟକ ଆଗେଇ ଚାଲିଥାଏ । ପ୍ରତି ଦର୍ଶକଙ୍କ ମୁଖରେ ନାଟକଟିର କେତେକ ସଫଳ ଚରିତ୍ର ‘ମଙ୍ଗୁ ମହାନ୍ତି’, ‘ମିଷ୍ଟର ବର୍ମା’, ‘ଅନାଦି ଦାସ’ ଆଦି ହୋଇଥାନ୍ତି ଆଲୋଚନାର ପାତ୍ର । ଆସିଲା ଶ୍ରୀ ଭଞ୍ଜକିଶୋର ପଟ୍ଟନାୟକଙ୍କ ଲେଖା ‘ମାଣିକଯୋଡ଼ି’ ନାଟକ । ବାବି ବାବୁଙ୍କୁ ପୁଣି ଫେରେଇ ଅଣାହେଲା ଅନୁଷ୍ଠାନକୁ । ଧୁମ୍‌ଧାମ୍ ଆୟୋଜନ ଭିତରେ ‘ମାଣିକଯୋଡ଼ି’ ରୂପ ନେଲା ରଙ୍ଗମଞ୍ଚରେ । ନୂଆ ଧରଣର ଚାକଚକ୍ୟ ସହ ନାଟକଟି ଦର୍ଶକମାନଙ୍କ ସମର୍ଥନ ଲାଭ କଲା । ପୂର୍ଣ୍ଣ ପ୍ରେକ୍ଷାଳୟରେ ଅନେକ ଦିନ ଧରି ବହିଟି ଅଭିନୀତ ହେଲା ।

 

ଅନ୍ନପୂର୍ଣ୍ଣା ଏ’ଗ୍ରୁପ୍‌ର ସତ୍ତ୍ଵାଧିକାରୀ ଶ୍ରୀ ସୋମନାଥ ଦାଶ ମହାଶୟ ମଝିରେ ମଝିରେ କଟକ ଆସୁଥାନ୍ତି । ସାମୟିକ ଆଦାନପ୍ରଦାନ ଉଭୟ ଅନୁଷ୍ଠାନ ମଧ୍ୟରେ ଚାଲୁଥାଏ । ଶ୍ରୀଯୁକ୍ତ ବାଉରୀବନ୍ଧୁ ମହାନ୍ତି, ପୁରୀର ଉତ୍ତରପାର୍ଶ୍ଵ ମଠର ମହନ୍ତଙ୍କଠାରୁ ବଡ଼ଦାଣ୍ଡରେ ଥ‌ିବା ତାଙ୍କର ନରସିଂକୋଟ କୋଠାଘର ନେଇ ଅନୁଷ୍ଠାନକୁ ରଖିଥାନ୍ତି ଏବଂ ସେଇ ନରସିଂକୋଟ ହତାରେ ପେଣ୍ଡାଲ ତିଆରି କରି ଅଭିନୟ କରୁଥାନ୍ତି । ବର୍ଷର ବର୍ଷା ଚାରି ମାସ କେବଳ ଅନ୍ନପୂର୍ଣ୍ଣା ଏ’ଗ୍ରୁପ୍ ସେଠାରେ ରହୁଥିଲେ ଓ ବାକି ସମୟତକ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଅଭିନୟ ପ୍ରଦର୍ଶନ ପାଇଁ ଯାଉଥିଲେ ।

 

ପୁରୀରେ ଅନ୍ନପୂର୍ଣ୍ଣା ଏ’ଗ୍ରୁପ୍‌ର ଅନୁପସ୍ଥିତି ଲକ୍ଷ୍ୟ କରି ଆମ ଦଳକୁ କିଛି ଦିନ ପାଇଁ ପୁରୀକୁ ନେବାକୁ ବ୍ୟବସ୍ଥା ଚାଲିଲା । ଦିନ ସ୍ଥିର ହୋଇ ଲୋକ ଚାଲିଲେ ପୁରୀରେ ପ୍ରଚାର ଓ ରଙ୍ଗମଞ୍ଚ ପ୍ରସ୍ତୁତି ଲାଗି । ସେ କାମ ଶେଷ ହେଲା ପରେ ପ୍ରଥମ ବ୍ୟାଚରେ ଆମେ କେତେଜଣ ଆଗ ଗଲୁ । ଆମମାନଙ୍କ ଖାଦ୍ୟର ବ୍ୟବସ୍ଥା କରାଗଲା ହୋଟେଲରେ ।

 

ସମ୍ପୂର୍ଣ୍ଣ ଅନୁଷ୍ଠାନଟି ଯାଇନଥାଏ । ଏଣୁ ସେଦିନ ସନ୍ଧ୍ୟାବେଳେ ଆମମାନଙ୍କର କିଛି କାମ ନଥିବା ହେତୁ ଟିକିଏ କେମିତି ଖାଲି ଖାଲି ଲାଗୁଥାଏ । ଶ୍ରୀ ବିପିନବିହାରୀ ପଟ୍ଟନାୟକ ଏବଂ ମୋ ଭିତରେ ‘ସଙ୍ଗାତ’ ସମ୍ପର୍କ ସ୍ଥାପନ ହୋଇଥାଏ । ଓଡ଼ିଶାରେ ସେତେବେଳକୁ ବିଭିନ୍ନ ସହରରୁ ବେଶ୍ୟାବୃତ୍ତି ଉଠେଇଦେବାକୁ ଯଦିଚ ଖୁବ୍ ଜନମତ ସୃଷ୍ଟି ହେଉଥାଏ ତଥାପି ଅଳ୍ପ ମାତ୍ରାରେ ଧିମେଇଯାଇଥିଲେ ମଧ୍ୟ ଭିତରେ ଭିତରେ ସେଇ ବ୍ୟବସାୟ ସେମିତି ପ୍ରାୟ ଚାଲିଥାଏ । ସଙ୍ଗାତ ଆସି ହସ ହସ ମୁହଁରେ ଆମନ୍ତ୍ରଣ କଲେ ପୁରୀର ଗୋଟିଏ ଅନ୍ଧାରୁଆ ପଥରେ ପଥିକ ହେବାପାଇଁ-। ମନେ ମନେ ହସି ପଚାରିଲି–

 

“ମୋ ନିକଟରେ ସର୍ବମୋଟ ଦୁଇଟି ମୁଦ୍ରା ।”

 

“ମୋ ନିକଟରେ ମଧ୍ୟ ସେଇ ସମାନ ପରିମାଣର ଅର୍ଥ ।”

 

“ଦର୍ଶନୀ ଲାଗି ଯଥେଷ୍ଟ ହେବ କି ?”

 

“ସେଇ ଏକା ମାନର ପ୍ରାର୍ଥୀ ବାଛିବା ।”

 

“ଯଦି ନ ମିଳନ୍ତି ?”

 

“ଦେଖାଯିବ ।”

 

ଦେହରେ ଆମର ଯୌବନର ରଙ୍ଗ, ଆଖ‌ିରେ ଶୁଷ୍କ ପ୍ରାନ୍ତର ମଧ୍ୟ କୁସୁମିତ ଉଦ୍ୟାନର ରୂପ ନେଉଥିଲା । ଚାଲିଲୁ ବଡ଼ ଦାଣ୍ଡ ପାର ହୋଇ; ପ୍ରତ୍ୟେକ ମଣିଷ ମନେ ମନେ ସର୍ବଦା ନୂତନ ସ୍ଵାଦର ଅନୁସନ୍ଧାନରେ ବ୍ୟସ୍ତ–ଆମେ ?

 

ଗଳିମୁଣ୍ଡରେ ପହଞ୍ଚିଲାପରେ ମୋର ପାଦ ଦୁଇଟା କେଜାଣି କାହିଁକି ଛନ୍ଦିହେବାକୁ ଲାଗିଲା । ଛାତିର ସ୍ପନ୍ଦନମାତ୍ରା ବଢ଼ିଉଠିଲା । ସଙ୍ଗାତଙ୍କ ହାତ ଦୁଇଟି ଧରିପକେଇଲି, କହିଲି–ମୋ ଦେହ ଭିତରେ କ’ଣ ଯେପରି ହୋଇଯାଉଛି, ତୁମେ ଏକା ଯାଅ । ଅନୁଭବ କଲି, ଯୋଉ ଭିଡ଼ରେ ବସାରୁ ବାହାରି ଆସିଥିଲି ସେ ଭିଡ଼ ମୋର ଯେମିତି କିଏ ହରଣ କରିନେଇଛି । ଆଉ ପାଦେ ଆଗକୁ ଆଗେଇବାକୁ ପାଦରେ ଯେମିତି ଶକ୍ତି ନାହିଁ ।

 

ଅଧା ଆଲୁଅ, ଅଧା ଅନ୍ଧାରରେ ଠିଆ ହୋଇ ମୋ ମୁହଁକୁ ଚାହିଁ ସଙ୍ଗାତ ଖୁବ୍ ହସିଲେ ଓ ମୋର ହାତ ଦୁଇଟାକୁ ଧରି ଭିଡ଼ିନେଲେ ଗଳି ଭିତରକୁ । ସାମ୍ନାରେ ପଡ଼ିଲା ଗଳିର ମୋଡ଼ । ଉଭୟେ ଠିଆ ହେଲୁ ସେଠାରେ । ସେଇଠାରୁ ଲମ୍ବିଯାଇଛି ସଡ଼କର ଦୁଇଧାରରେ ଦୁଇଧାଡ଼ି ଲମ୍ବା ଚାଳ ଘର । ପ୍ରତ୍ୟେକ ଦୁଆର ମୁହଁରେ ଜଳୁଥାଏ ଖଣ୍ଡିଏ ଖଣ୍ଡିଏ ଅଧାଜଳା ଲଣ୍ଠନ ଏବଂ ପାଖରେ ତାର ବସିଥାନ୍ତି ଜଣେ ଜଣେ ପୌଢ଼ା ଓ ବୃଦ୍ଧା I

 

ସେମାନେ ଦେଖାଯାଉଥିଲେ ଅଳ୍ପ ଆଲୁଅ ଓ ଅଧିକ ଅନ୍ଧାର ଭିତରେ ଏକ ଏକ ମାଟିପିତୁଳା ପରି । ମୋତେ ସେଇ ମୋଡ଼ ଉପରେ ଠିଆ କରିଦେଇ ସଙ୍ଗୀତ ଆମର ବାଁପଟେ ଥ‌ିବା ଗୋଟିଏ ଘର ନିକଟକୁ ଯାଇ, ସେଠାରେ ବସିଥିବା ସ୍ତ୍ରୀ ଲୋକ ସାଙ୍ଗରେ କ’ଣ କଥାବାର୍ତ୍ତା କରି ଫେରିଆସିଲେ ମୋ ପାଖକୁ ଏବଂ ମୋତେ ଡାକିନେଲେ ସେଇ ଘରକୁ । ଘର ଭିତରେ ଛୋଟ ଖଟ ଖଣ୍ଡିଏ । ଉପରେ ତାର ସାଧାରଣ ବିଛଣା ପଡ଼ିଥାଏ । ଗୋଟିଏ ବଇଠା ଉପରେ ଜଳୁଥାଏ ଲ୍ୟାମ୍ପଟିଏ । ଘର ଭିତରର ଅବସ୍ଥା ଦେଖି ମନେ ହେଉଥାଏ, ସବୁଠାରେ ଉତ୍କଟ ଦାରିଦ୍ର୍ୟର ନିଷ୍ଠୁର ଆଘାତ । ମନେ ମନେ କେତେ ଭାବିଗଲି । ଲୋକେ କହନ୍ତି, ଏମାନେ ସହସ୍ର ଶଯ୍ୟାର ନାୟିକା । ହୁଏତ ବେଳ ଥିଲା–ସେ ସମୟରେ ଏମାନେ ନିମନ୍ତ୍ରିତ ହୋଇ ସହସ୍ର ଶଯ୍ୟାକୁ ଯାଉଥିଲେ; କିନ୍ତୁ ବର୍ତ୍ତମାନ ଯୁଗରେ ଏମାନଙ୍କର ଏଇ ଗୋଟିଏ ଶଯ୍ୟାକୁ ସହସ୍ର ନାୟକ ବିନା ନିମନ୍ତ୍ରଣରେ ଧାଡ଼ିବାନ୍ଧି ଆସୁଛନ୍ତି । ଅଥଚ ସେ ସମୟରେ ଏମାନଙ୍କର ସମାଜରେ ଗୋଟାଏ ଆସନ ଥିଲା, ସମ୍ମାନ ଥିଲା, ଆଜି କିନ୍ତୁ ଏମାନେ କାହିଁ ତଳେ ।

 

ଖଟ ଖଣ୍ଡିକରେ ବସିବାକୁ ଇଚ୍ଛା ହଉ ନଥାଏ । ଘୃଣା ନୁହେଁ, କେମିତି ଗୋଟାଏ ଭୟ ଓ ଆଶଙ୍କା ଘୋଟିଯାଇଥିଲା ମନ ଭିତରେ । ସଙ୍ଗାତ ଯାଇ ବସିପଡ଼ିଲେ । ତାଙ୍କ ଦେଖାଦେଖି ଖୁବ୍ ଶଙ୍କିତ ଭାବରେ ମୁଁ ଯାଇ ବସିଲି । ଆମେ ଯୋଉ ଘରେ ବସିଲୁ ସେଇ ଘର ଖଣ୍ଡିକ ଥିଲା ଦାଣ୍ଡ ଘର, ଶୋଇବା ଘର ସବୁକିଛି । ତେବେ ସେଇ ଘର ବଖରାକୁ ଲାଗି ଆଉ ଗୋଟିଏ ଛୋଟ ବଖରା ଥାଏ । ଦୁଇ ଘର ମଝିରେ ଅଳ୍ପ ଓସାର କବାଟ । ଚୌକାଠ ଖଟରେ ବସି ଦାଣ୍ଡକୁ ଚାହିଁଲି, କାଳେ ଆଉ କିଏ ଆସିବ ଏଇ ଭୟରେ । କେହି ନାହିଁ, କେବଳ ଦାଣ୍ଡଦୁଆର ମୁହଁରେ ବସିଛି ନିଶ୍ଚଳ ପ୍ରତିମା ଭଳି ମାଇପିଟିଏ ।

 

ମୁହୂର୍ତ୍ତକ ଭିତରେ ଆମ ମୁଣ୍ଡରେ ଯେମିତି ଆକାଶ ଛିଡ଼ିପଡ଼ିଲା । କାନରେ ବାଜିଲା କାହାର ଏକ ଅସ୍ପଷ୍ଟ ଯନ୍ତ୍ରଣାର୍ଜଜରିତ କୁନ୍ଥନ ଶବ୍ଦ । କୋଉଠୁ ସେ ଶବ୍ଦ ଆସୁଛି ? କାହାର ସେ ଶବ୍ଦ, କିଏ ସେହି ମର୍ମବେଦନା ପ୍ରକାଶ କରୁଛି, କ’ଣ ସେ ବେଦନା ? ହଠାତ୍ ଛାତିର ସ୍ପନ୍ଦନ ଦୁଇଗୁଣ ବଢ଼ିଉଠିଲା । ଆମେ ପରସ୍ପରକୁ ଚାହିଁ ରହିଲୁ । ମୁହଁରେ ଭାଷା ନଥିଲା । ଆମର ଧ୍ୟାନ ଭାଙ୍ଗି ଗୋଟିଏ ତରୁଣୀ ଆସି ସେଇ ଛୋଟ ଘରଟିରୁ ବାହାରି କବାଟ ପାଖରେ ଚୌକାଠକୁ ଧରି ଠିଆ ହେଲା । ମୁହଁରେ ତାର ଯନ୍ତ୍ରଣାମିଶ୍ରିତ ପୂର୍ବ କୁନ୍ଥନ ଶବ୍ଦ । ବେଦନାଭରା କଣ୍ଠରେ ଆହ୍ଵାନ ଜଣେଇଲା ସେ–

 

“କିଏ ଆସିବ ଆଗ ଆସୁନା ?”

 

ଦୁଇ ସଙ୍ଗାତ ଏକାସଙ୍ଗରେ ଠିଆ ହୋଇଗଲୁ । ମାତ୍ର ଗୋଟାଏ ମୁହୂର୍ତ୍ତ ବିଳମ୍ବ ନକରି ସଙ୍ଗାତ ଆଗେଇ ଗଲେ ତରୁଣୀର ନିକଟକୁ । ଦୁହେଁ ମୋ ଆଖି ଆଗରୁ ଅଦୃଶ୍ୟ ହୋଇଗଲେ । ମୁଁ ସେମିତି ଠିଆହୋଇ ରହିଲି । ମୋର ଦେହରେ ଜୀବନ ନଥିଲା ପରି ମନେହେଲା । କ’ଣ ଘଟୁଛି, କଣ ଘଟିଗଲା, କିଛି ମୁଣ୍ଡରେ ସେତେବେଳେ ନଥିଲା । କେବଳ ଝାଳରେ ଦେହ, ମୁହଁ ଓଦା ହୋଇଯାଉଥାଏ । ସମ୍ଭବତଃ ଚାରି, ପାଞ୍ଚ ମିନିଟ୍ ହୋଇଛି କି ନାହିଁ ସଙ୍ଗାତ ଫେରିଲେ ଧଇଁ ସଇଁ ଅବସ୍ଥାରେ ।

 

ତାଙ୍କୁ ଦେଖିବା ମାତ୍ରେ ମୁଁ ଗୋଟାଏ କୁଦାରେ ଦାଣ୍ଡ ଦୁଆରେ ବସିଥିବା ସ୍ତ୍ରୀ ଲୋକଟାକୁ ଡେଇଁ ସଡ଼କରେ ଠିଆହେଲି । ଆଗକୁ ପଛକୁ ଚାହିଁଦେଇ ମାଇଲି ଡିଆଁ ବଡ଼ ଦାଣ୍ଡକୁ । ଟିକିଏ ସମୟପରେ ପହଞ୍ଚିଲେ ସଙ୍ଗାତ । ମୁଁ ତାଙ୍କୁ କିଛି ପଚାରିବା ପୂର୍ବରୁ ସେ (ସଙ୍ଗାତ) ମୋର ହାତ ଦୁଇଟାକୁ ଧରିପକେଇ ଅତି ଦୁଃଖରେ କହିଲେ–‘‘ଖୁବ୍ ଭଲକରିଛ ସଂଗାତ, ତୁମେ ନଯାଇ । ସେଇ ସ୍ତ୍ରୀ ଲୋକର କାଖରେ ଏକ ବିରାଟ କାଖଗୁଲି ।”

 

ସେଦିନ ସେହି ତିକ୍ତ ଅନୁଭୂତିକୁ ସମ୍ବଳ କରି ରାତିରେ ନିଜ ନିଜ ବିଛଣାରେ ଆଶ୍ରୟ ନେଲୁ । ମନରେ ଯୋଉ, ମୁହଁରେ ଅବାଞ୍ଛିତ ହସ ଅନେକ ସମୟଧରି ନିଦ ଆଣିବାରେ ବ୍ୟାଘାତ ସୃଷ୍ଟି କଲା ।

 

ତା’ ପରଦିନ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ତାର ଦଳବଳ ନେଇ ପହଞ୍ଚିଲା ପୁରୀରେ । ଆରମ୍ଭ ହେଲା ଅଭିନୟ । ଅଭିନୟ କ୍ଷେତ୍ରରେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ଏତେବେଳକୁ ଖୁବ୍ ସୁନାମ ବଢ଼ିଯାଇଥାଏ । ପୁରୀର କଳାପ୍ରିୟ ଜନସାଧାରଣ ଉତ୍କଣ୍ଠିତ ଚିତ୍ତରେ ଅପେକ୍ଷା କରିଥାନ୍ତି ବି’ଗ୍ରୁପ୍‌ର ନାଟକ ଦେଖ‌ିବାକୁ । ଫଳରେ ପ୍ରତ୍ୟେକ ଅଭିନୟ ଦିନ ପ୍ରବଳ ଦର୍ଶକ ଭିଡ଼ ଦେଖାଦେଲା ।

 

ଗୋଟି ଗୋଟି କରି ସମସ୍ତ ନାଟକ ଆମର ମଞ୍ଚସ୍ଥ କଲୁ । ଅର୍ଥ ଉପାର୍ଜନ ଅନୁଷ୍ଠାନର ବଢ଼ିବା ସଙ୍ଗେ ସଙ୍ଗେ ଗେଟ୍ ଚୋରି ମଧ୍ୟ ବଢ଼ିବାକୁ ଲାଗିଲା । ମେସ୍ ବୁଝିବାର ଦାୟିତ୍ଵ ଯାହାଙ୍କ ଉପରେ ରହିଲା, ସେ କଲେ ଚୋରି । ଗେଟ୍‌ରେ ଯୋଉମାନେ ରହିଲେ ସେ କଲେ ଚୋରି । ତହବିଲ ଯାହାଙ୍କ ଜିମାରେ ରହିଲା ସେ କଲେ ଚୋରି ।

 

ଶ୍ରୀଯୁକ୍ତ ନନ୍ଦ ଏ ଦିଗ ପ୍ରତି ମୋଟେ ନଜର ଦେଲେ ନାହିଁ । କାରଣ ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ଅଲଗା ଧରଣର । ସେ କେବଳ କିପରି ନିଜର ସ୍ୱାର୍ଥ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ, ଅନୁଷ୍ଠାନଟି ସମ୍ପୂର୍ଣ୍ଣ ଭାବରେ ତାଙ୍କର ନିଜର ହୋଇ ରହିପାରିବ ଏଇ କଥା ଉପରେ ଧ୍ୟାନ ଦେଲେ-। ସେତେବେଳେ ସେ ଯଦି ଏଥିଲାଗି ଅଳ୍ପଟିକିଏ ଯତ୍ନଶୀଳ ହୋଇପାରିଥାନ୍ତେ, ତେବେ ଅନ୍ତତଃ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ତାର ଅର୍ଥନୈତିକ ମୂଳଦୁଆକୁ ବେଶ୍ ସୁଦୃଢ଼ କରିପାରିଥାନ୍ତା ।

 

ସମୟ କାହାକୁ ଅପେକ୍ଷା କରେ ନା । ତା’ଛଡ଼ା ଭଲ ସମୟ କାହା ଜୀବନରେ ବାରମ୍ବାର ଆସେ ନା । ଶ୍ରୀଯୁକ୍ତ ନନ୍ଦ ଥିଲେ ତୋଷାମଦପ୍ରିୟ । ଅନୁଷ୍ଠାନର କ୍ଷତି ଘଟେଇ ଯଦି କେହି ତାଙ୍କ ମୁହଁରେ ଦୁଇପଦ ପ୍ରଶଂସା କରିଦେଲା ତ ସେଥିରେ ସେ ଭୁଲିଯାଇ ସେଇ ଲୋକପ୍ରତି ଶାସ୍ତି ବିଧାନ ନକରି ବରଂ ପାରିତୋଷିକ ଦେବାର ବ୍ୟବସ୍ଥା କରନ୍ତି । ଏହା ଯେ ତାଙ୍କର ଦୁର୍ବଳତାର ଲକ୍ଷଣ, ସେକଥା ସେ ବୁଝିପାରନ୍ତି ନାହିଁ । ଗୋଟାଏ ଅନୁଷ୍ଠାନର ସମୂହ ସ୍ଵାର୍ଥରକ୍ଷା ଦୃଷ୍ଟିରୁ ସର୍ବଦା ବ୍ୟକ୍ତିବିଶେଷଙ୍କର ସ୍ଵାର୍ଥତ୍ୟାଗ ଯେ ଏକାନ୍ତ ବାଞ୍ଛନୀୟ ସେକଥା ଭାବିଲା ଭଳି ଶକ୍ତି ସମ୍ଭବତଃ ନନ୍ଦ ମହାଶୟଙ୍କର ନଥିଲା I

 

ଏଇଭଳି କେତେକ କାରଣ ଯୋଗୁଁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ଆର୍ଥିକ ମାନ ଏବଂ ପ୍ରତିଭାର ମାନ ଅତି ଊର୍ଦ୍ଧ୍ଵକୁ ଉଠିପାରିଥିଲେ ମଧ୍ୟ ତାର ଆଭ୍ୟନ୍ତରୀଣ ପରିସ୍ଥିତି ଦିନକୁଦିନ ତିକ୍ତ ହୋଇ ଉଠୁଥିଲା । ସେଇ ତିକ୍ତତାର କୁଫଳ ଯେ ନନ୍ଦ ମହାଶୟଙ୍କ ଉପରେ ଖରାପ ପ୍ରଭାବ ପକଉନଥିଲା ତା’ ନୁହେଁ । ବେଳେବେଳେ ସେଇ ଖରାପ ପ୍ରଭାବରୁ ନିଜକୁ ବଞ୍ଚେଇବାକୁ ଚେଷ୍ଟାକରି ସେ କାହାକୁ ନିଜର କରିପକଉଥିଲେ ବା କାହାକୁ ପର କରି ପକଉଥିଲେ ।

 

କେତେକ ମାସ ପରେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ବେଶ୍ ସଫଳତା ଅର୍ଜନ କରି ପୁରୀରୁ କଟକ ଫେରିଲା । ଗୋଟିଏ ପେଷାଦାର ଅଭିନୟ ସଂସ୍ଥା ତାର ମୁଖ୍ୟ କାର୍ଯ୍ୟାଳୟ ଛାଡ଼ି ବାହାରକୁ ଯିବାରେ ଯେଉଁ ଭଲ ମନ୍ଦ ଅଭିଜ୍ଞତା ଦରକାର, ସେ ଅଭିଜ୍ଞତା ଅନୁଷ୍ଠାନ ଆମର ହାସଲ କଲା । ନନ୍ଦ ମହାଶୟ ଚିନ୍ତା କଲେ, ଅନୁଷ୍ଠାନକୁ କିଛି ଦିନ ପାଇଁ କଟକ ବାହାରକୁ ନେଇ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରିବାକୁ ।

 

ଯୋଜନା କାର୍ଯ୍ୟକାରୀ ହେଲା । ଯୋଉମାନେ ଅନୁଷ୍ଠାନର ପରିଚାଳନା ଦାୟିତ୍ୱରେ ଥିଲେ ସେମାନଙ୍କର 'ନେଡ଼ି କୁଣ୍ଡେଇ ହେଲା । ଅଧିକ କଞ୍ଚାପଇସା କମେଇବାର ସ୍ଵପ୍ନ ଦେଖିଲେ । ଅନ୍ନପୂର୍ଣ୍ଣା ପରି ଏକ ବଡ଼ ଅନୁଷ୍ଠାନକୁ ବିଭିନ୍ନ ସ୍ଥାନକୁ ନେବାକୁ ହେଲେ କେତେକ ବଡ଼ଧରଣର ଉପକରଣ ଯେ ଦରକାର ସେଥିଲାଗି କାମ ଚାଲିଲା । ଲୋକ ବଳ, ଅର୍ଥ ବଳ ସବୁକିଛି ଦରକାର-। ସେସବୁର ଯୋଗାଡ଼ ଚାଲିଲା । ଗୋଟିଏ ଶୁଭ ମୁହୂର୍ତ୍ତ ଦେଖି ଅନୁଷ୍ଠାନ ଅନୁକୂଳ କଲା ଯାତ୍ରା ।

ନୂଆ ଅନୁଭୂତି ପାଇଁ, ନୂଆ ଦର୍ଶକମାନଙ୍କର ସମର୍ଥନ ପାଇଁ ନୂଆ ରୂପରେ ଦେଖାଦେଲୁ ଆମ ଓଡ଼ିଶାର ବିଭିନ୍ନ ପ୍ରଧାନ ସହରମାନଙ୍କରେ ।

 

କହିଛି ତ, ଅନୁଷ୍ଠାନର ପରିବେଶ ଦିନକୁଦିନ ଖରାପ ଆଡ଼କୁ ଗତି କରିବାରେ ଲାଗିଥାଏ । ସେସବୁର ଆଶୁ ପ୍ରତିକାର ପାଇଁ ସତ୍ତ୍ଵାଧିକାରୀଙ୍କର କିଛି କରିବାର ନଥିଲା । କାରଣ ଶ୍ରୀ ସୋମନାଥ ଦାଶ ଓ ଶ୍ରୀ ଲିଙ୍ଗରାଜ ନନ୍ଦଙ୍କ ପରସ୍ପର ଭିତରେ ଅର୍ଥ ଏବଂ କ୍ଷମତାର ଲାଳସା ବଢ଼ି ବଢ଼ି ଉଠୁଥାଏ । ଉଭୟଙ୍କ ଭିତରେ ବିରୋଧଭାବ କୁହୁଳି କୁହୁଳି ଉଠୁଥାଏ । ପରସ୍ପର ମନ ଭିତରେ ଗୋଟାଏ ଚିନ୍ତା ଗ୍ରାସ କରିଥାଏ, କେମିତି କିଏ ଅନୁଷ୍ଠାନକୁ ନିଜର କରିପାରିବ ।

 

ଏପରି ଅବସ୍ଥାରେ ଶ୍ରୀଯୁକ୍ତ ଲିଙ୍ଗରାଜ ନନ୍ଦଙ୍କର ଗୋଟାଏ ବଡ଼ ବଳ ଥାଏ, ଆଡ଼ଭୋକେଟ ଶ୍ରୀଯୁକ୍ତ ରାଜକିଶୋର ଦାସ । ସଂପୂର୍ଣ୍ଣ ରୂପରେ ଆଇନିକାନୁନ୍ ଦିଗରେ ଶ୍ରୀ ନନ୍ଦଙ୍କୁ ସାହାଯ୍ୟ କରୁଥାନ୍ତି । ଯେକୌଣସି ବିପଦ ବେଳେ ଅନୁଷ୍ଠାନ ପାଇଁ ପରାମର୍ଶ ଚାହିଲେ, ଶ୍ରୀଯୁକ୍ତ ଦାସ ଅକୁଣ୍ଠିତ ଚିତ୍ତରେ ଆଗେଇ ଆସୁଥାନ୍ତି ।

 

ଆମେ ଯୋଉମାନେ ଓଡ଼ିଶା ଥିଏଟର୍ସରୁ ଆସି ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ସୃଷ୍ଟି କରିଥିଲୁ, ଅନ୍ୟମାନେ କଣ କେତେ ମୋ’ ଠାରୁ ଅଧିକ ଦରମା ପାଉଥିଲେ ସେକଥା ମୁଁ ଜାଣୁନଥିଲି । ତେବେ ମୁଁ ପାଉଥିଲି ତିରିଶି ଚାଳିଶି ଟଙ୍କା । ସେହି ଦରମାକୁ ମୁଁ ଖୁବ୍ ବଡ଼ ମନେକରୁଥିଲି । କାରଣ ଓଡ଼ିଶା ଥିଏଟର୍ସରେ ସାତଟଙ୍କା ଦରମାରୁ ଅଧିକ ଉପରକୁ ଉଠିପାରି ନଥିଲି । ତେବେ ହଁ, ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ଯୋଉ ଦରମା ମିଳୁଥିଲା ସେଥିରୁ ତହବିଲ୍ ରକ୍ଷକ ପାଞ୍ଚ ଟଙ୍କା ଦେଇ ଦଶ ଟଙ୍କା ବେଳେବେଳେ ଖାତାରେ ଲେଖିବା ଫଳରେ ମାସ ଶେଷରେ ମୋର ଅର୍ଥ କିଛି କିଛି କମି କମି ଯାଉଥିଲା ।

 

ମଜା କଥା–ମାସକୁ ମାସ କେହି ନିୟମ ଅନୁସାରେ ଦରମା ପାଉନଥିଲେ । ସମସ୍ତଙ୍କର ପ୍ରାୟ ଦୁଇ ତିନି ମାସରେ ଦରମା ହିସାବ ହେଉଥିଲା । ଫଳରେ ସମସ୍ତଙ୍କ ଦରମାରୁ ତହବିଲ ରକ୍ଷକ ଏପଟ ସେପଟ କରି ବେଶ୍ ଦୁଇ ପଇସା ନିଜ ଆଡ଼କୁ କାଟିନେଉଥିଲେ । ଏ ଦିଗରେ ମାଧବାନନ୍ଦ କର ଥିଲେ ଖୁବ୍ ପାରଙ୍ଗମ, ଆମମାନଙ୍କର ନମସ୍ୟ ।

 

ଆମ ଶିଳ୍ପୀମାନଙ୍କ ଭିତରେ ପ୍ରିୟନାଥ ମିଶ୍ର (ପିର) ଏବଂ ସାମୁଏଲ ସାହୁ (ବାବି) ଥିଲେ ଖୁବ୍ ଚତୁର । ଏ ଦୁହେଁ ଥିଲେ ପ୍ରାୟ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ପ୍ରତ୍ୟେକ ନାଟକର ପରିଚାଳକ । ଏଣୁ ଏମାନଙ୍କୁ ସବୁ ଶିଳ୍ପୀ ଖାତିର କରୁଥିଲେ କେବଳ ଉପର ମନରେ, ଭିତର ମନରେ ନୁହେଁ । କାରଣ, ଏମାନେ ନିଜର ଚତୁରପଣିଆ ଯୋଗୁଁ ଅନୁଷ୍ଠାନର ମାଲିକଙ୍କଠାରୁ ଆପଣାର ପ୍ରାପ୍ୟଗଣ୍ଡାକ କଡ଼ାଗଣ୍ଡା ଆକାରରେ ଅସୁଲ୍ କରି ନେଉଥିଲେ । ନନ୍ଦ ମହାଶୟ ମଧ୍ୟ ମନେମନେ ଏ ଦୁହିଁଙ୍କୁ ବେଶି ଭୟ କରୁଥିଲେ । ଅନ୍ନପୂର୍ଣ ବି’ଗ୍ରୁପ୍‌ର ସମସ୍ତ କର୍ମଚାରୀ ଏମାନଙ୍କୁ ଭୂଇଁଫୁଟା କର୍ମୀ ବୋଲି ଆଖ୍ୟା ଦେଉଥିଲେ । କାରଣ ଏମାନେ ଯେତେବେଳେ ଅନୁଷ୍ଠାନକୁ ଗଢ଼ିଛନ୍ତି, ଅନ୍ୟମାନେ କିଛି ପାଇଲେ ପାଆନ୍ତୁ ନପାଇଲେ ନାହିଁ । ଏମାନେ ନିଜର ଯାହା କିଛି ପାଇବାକୁ ତ ହକ୍‌ଦାର ।

 

ବାବି ବାବୁ ରହୁଥିଲେ ଅନୁଷ୍ଠାନ ବାହାରେ ତାଙ୍କ ନିଜ ଘରେ । କିନ୍ତୁ ପିର ବାବୁ ବାହାରେ ଭିତରେ ଉଭୟ ଆଡ଼େ ରହୁଥିଲେ । ଭିତରେ ମାନଦା ସୁନ୍ଦରୀ, ବାହାରେ ନିର୍ମଳା ସୁନ୍ଦରୀ-। ଆଜି ଏଠାରେ ତ କାଲି ସେଠାରେ । କଟକ ନଗରର ଜଣେ ବିଖ୍ୟାତ ଡାକ୍ତର ମହାଶୟଙ୍କ ସୁଯୋଗ୍ୟ ଶାଳକ । ମୋ ମତରେ ନାଟକ ପରିଚାଳନା କ୍ଷେତ୍ରରେ ପିର ବାବୁ, ବାବି ବାବୁଙ୍କ ଅପେକ୍ଷା ଅଧିକ ଖଟୁଥିଲେ । କିନ୍ତୁ ଶ୍ରୀ ଦୁର୍ଲ୍ଲଭ ଚନ୍ଦ୍ର ସିଂ ଏମାନଙ୍କ ଠାରୁ ଥିଲେ ଉଚ୍ଚଧରଣର ପରିଚାଳକ । ଗୋଟିଏ ନାଟ୍ୟାନୁଷ୍ଠାନକୁ ସ୍ଵୟଂସମ୍ପୂର୍ଣ୍ଣ ଭାବରେ ଅଭିନୟ କ୍ଷେତ୍ରରେ ଗଢ଼ିତୋଳିବା ପାଇଁ ଦୁର୍ଲ୍ଲଭ ବାବୁଙ୍କର ଯେତୋଟି ଗୁଣ ଥିଲା, ପିର ବାବୁ ଓ ବାବି ବାବୁଙ୍କର ସେତେ ଗୁଣ ନଥିଲା-

 

ଏହି ସମୟରେ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାସକୁ ମ୍ୟାନେଜିଂ ଡିରେକ୍ଟର କରି ଗଢ଼ିଉଠିଲା ‘ରୂପ ଭାରତୀ’ ଚଳଚ୍ଚିତ୍ର ଅନୁଷ୍ଠାନ । ଓଡ଼ିଆ ବଜାର କଟକ ବ୍ରାହ୍ମ ମନ୍ଦିର ନିକଟରେ ଗୋଟିଏ ଦୁଇତାଲା କୋଠା ଘରେ ଅନୁଷ୍ଠାନର ଅଫିସ କାମ ଚାଲିଲା । ଓଡ଼ିଶାର ବଛାବଛା ଶିଳ୍ପୀ ପେଷାଦାର, ସୌଖୀନ୍ କଳାକାର ନିର୍ବିଶେଷରେ ଅଧିକାଂଶ ଏଇ ରୂପ–ଭାରତୀ କଳା ଅନୁଷ୍ଠାନରେ ଯୋଗଦେଲେ । ସିଆର ମନି (share money) ପାଇଁ ବିଭିନ୍ନ ସ୍ଥାନକୁ ଲୋକ ଧାଇଁଲେ । ମୋହନ ସୁନ୍ଦର ଦେବ ଗୋସ୍ଵାମୀଙ୍କ ସୀତା ବିବାହ ଚଳଚ୍ଚିତ୍ର ପରେ, ଓଡ଼ିଆମାନଙ୍କର ଏଥ‌ିପାଇଁ ଖୁବ୍ ଉଦ୍ୟମ ପ୍ରକାଶ ପାଇଥାଏ ।

 

ସୀତା ବିବାହ ଚଳଚ୍ଚିତ୍ରର ଅସଫଳତା ପ୍ରତ୍ୟେକ ମାର୍ଜିତ ଓଡ଼ିଆଙ୍କ ମନରେ ଯେଉଁ ନୈରାଶ୍ୟର ଭାବ ଖେଳେଇ ଦେଇଥାଏ, ସେଇ ଦୈନ୍ୟତାକୁ ଦୂରେଇବା ଆଶାରେ ରୂପ–ଭାରତୀ ପ୍ରଥମ ଅବସ୍ଥାରେ ଯୋଉଭଳି କାମ କରୁଥାଏ ସେଥିରୁ ଓଡ଼ିଶା ଜନସାଧାରଣ କିଛି ଅନ୍ତତଃ ବିଶ୍ଵାସ କରୁଥିଲେ ଯେ, ଭବିଷ୍ୟତରେ ନିଶ୍ଚୟ ଏଇ ଅନୁଷ୍ଠାନ କିଛି କାମ କରିପାରିବ ।

 

ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ସୀତା–ବିବାହଠାରୁ ରୂପ–ଭାରତୀର ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ପର୍ଯ୍ୟନ୍ତ ଯେଉଁ ବିରାଟ ବ୍ୟବଧାନ ପଡ଼ିଗଲା, ସେଇ ବ୍ୟବଧାନ ଭିତରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଓଡ଼ିଶାରେ ଉଦ୍ୟମ ଯେ ସମ୍ପୂର୍ଣ୍ଣ ଭାବରେ ହୋଇନଥିଲା ସେକଥା କୁହାଯାଇପାରିବ ନାହିଁ । ସେଇ ବ୍ୟବଧାନ ଭିତରେ ଦୁଇଟି ଛବିର କାମ କରାଯାଇଥିଲା । ସେଥିରୁ ଗୋଟିଏ ହେଲା ‘ସପ୍ତଶଯ୍ୟା’ ଛବି ଏବଂ ଅନ୍ୟଟି ହେଲା ‘ରୁମ୍ ନଂ ୨୮’ । ଏହି ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ ଭାବରେ ଲୋକଲୋଚନକୁ ଆସିପାରିଲେ ନାହିଁ । ଏଣୁ ମୋ ମତରେ ଏମାନଙ୍କ ପ୍ରସଙ୍ଗ ନ ଆଣିବା ହିଁ ଭଲ ।

 

ରୂପ–ଭାରତୀର ଛବି ନିର୍ମାଣ କାମ ଖୁବ୍ ସତର୍କତା ସହ ଆଗଉଥାଏ । ବିଭିନ୍ନ ଅଞ୍ଚଳରୁ କମ୍ପାନୀର ଅଂଶଧନ କିଣିବାକୁ ଲୋକମାନେ ଆଗ୍ରହ ପ୍ରକାଶ କରି ଆଗେଇ ଆସୁଥା’ନ୍ତି । ଶ୍ରୀଜଗନ୍ନାଥ ଛବିର ସୁଟିଂ ଆରମ୍ଭ ହେଲା । ଯୋଉ ବଙ୍ଗୀୟମାନେ ଆମର ସଂସ୍କୃତି, ଅର୍ଥନୀତି ଓ କଳାକୁ ବିଲୁପ୍ତ କରିବାକୁ ଶପଥ ଗ୍ରହଣ କରୁଥିଲେ, ଶେଷରେ ସେଇ ଓଡ଼ିଆ ଜାତିର ବିଲୁପ୍ତି ସାଧନକାରୀ ବଙ୍ଗୀୟମାନଙ୍କର ବାହୁଛାୟା ତଳକୁ ଆମର ଏଠାରେ ଥ‌ିବା ଅର୍ଦ୍ଧ–ବଙ୍ଗୀୟମାନେ ସୁଯୋଗ ପାଇ ଟଙ୍କା ସବୁ ନିଜ ପକେଟରେ ପକେଇଲେ । ରୂପ–ଭାରତୀ ତାର ଦ୍ଵିତୀୟ ଅବଦାନ ଉପସ୍ଥାପନ ପାଇଁ ସକ୍ଷମ ହେଲା ନାହିଁ ।

 

ଆମର ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ଓଡ଼ିଶାର ବିଭିନ୍ନ ମୁଖ୍ୟ ମୁଖ୍ୟ ସହରମାନଙ୍କରେ କ୍ୟାମ୍ପ୍ କରିଚାଲିଥାଏ । ଲକ୍ଷ୍ୟ କରୁଥାଏ, ପୂର୍ବ ଅପେକ୍ଷା ଓଡ଼ିଶାର ଜନସାଧାରଣ ମଞ୍ଚକଳା ପ୍ରତି ଧୀରେ ଧୀରେ ତାଙ୍କର ଆଗ୍ରହ ବଢ଼ଉଥା’ନ୍ତି । କାରଣ ଦେଖାଯାଉଥାଏ, ଆମର ବିଭିନ୍ନ ପତ୍ରପତ୍ରିକାରେ ଓଡ଼ିଶାର ମଞ୍ଚକଳା ଉପରେ ଅନେକ ସନ୍ଦର୍ଭ ଲେଖାମାନ ପ୍ରକାଶ ପାଉଥାଏ ଏବଂ କ୍ରମେ କ୍ରମେ ମଞ୍ଚ ଅଭିନୟର ମାର୍ଜିତ ସମର୍ଥନ ଗୋଷ୍ଠୀଙ୍କ ସଂଖ୍ୟା ବଢ଼ି ଉଠୁଥାଏ ।

 

ମୋ କଥା କହିବାକୁ ଗଲେ ଏତେବେଳକୁ ପ୍ରାୟ ମୁଁ ମଞ୍ଚ ଅଭିନୟରେ ଜଣେ ହାସ୍ୟରସ ପରିବେଷଣକାରୀ ଦକ୍ଷ ଅଭିନେତା ବୋଲି ଜନ–ସ୍ଵୀକୃତି ପାଇସାରିଥିଲି । ୟା’ଫଳରେ ମୋର ଆତ୍ମାଭିମାନ ବଢ଼ି ଉଠିବା ସ୍ଵାଭାବିକ କଥା । କିନ୍ତୁ ଦୁଃଖର ବିଷୟ–ଅଭିନୟ କ୍ଷେତ୍ରରେ ମୁଁ ଯେତିକି ଜୀବନ ଦେଇ ଖଟୁଥିଲି, ମୋର ସାଥୀ କଳାକାରମାନେ ସେତିକି ଖଟୁଥିଲେ କି ନାହିଁ ସନ୍ଦେହ । ଅଥଚ ସେଇ ସାଥୀ କଳାକାରମାନେ ମୋଠାରୁ ଦରମା ପାଉଥିଲେ ବେଶି, ସମ୍ମାନ ପାଉଥିଲେ ଅନୁଷ୍ଠାନରେ ବେଶି । ଅବଶ୍ୟ ଦର୍ଶକମାନଙ୍କର ସମର୍ଥନ ମୁଁ ପାଉଥିଲି ଅଧିକ । ସମର୍ଥନ ହିଁ ମୋତେ ନାଟ୍ୟ ଅନୁଷ୍ଠାନରେ ମନବଳ ଯୋଗାଉଥିଲା ।

 

ଅନୁଷ୍ଠାନରେ ମୋତେ କେହି ମୋର ସମ୍ମାନ ଦଉ ନ ଥିଲେ । ତା’ର କାରଣ କ’ଣ ବୋଲି ମୁଁ ଅବଶ୍ୟ ଅନେକବାର ମନେ ମନେ ଅନୁସନ୍ଧାନ କରିଛି, ମାତ୍ର କିଛି ସନ୍ଧାନ ପାଇନାହିଁ । ତେବେ ମୋର ଅନୁମାନକୁ ଆସିଛି, ହୁଏତ ମୋର ସଫଳ ଅଭିନୟର ପ୍ରଶଂସାକୁ ସେମାନେ ସହିପାରନ୍ତି ନାହିଁ । ଏଭଳି ମନ୍ଦ ଗୁଣ କୌଣସି ଅଭିନେତା, ଅଭିନେତ୍ରୀ ତାଙ୍କ ମନରେ ସ୍ଥାନ ଦେବା ଉଚିତ୍ ନୁହେଁ । ଛୋଟ, ବଡ଼ ପ୍ରତ୍ୟେକ ଶିଳ୍ପୀ ଯେ ସମାନ ଏବଂ ପ୍ରତ୍ୟେକଙ୍କର ଆତ୍ମମର୍ଯ୍ୟାଦା ରହିଛି ଏକଥା ଭୁଲିଗଲେ ଚଳିବ ନାହିଁ । ସବୁ ଶିଳ୍ପୀ ଯେ ସେହି ଶିଳ୍ପୀଗୁରୁ ନଟରାଜଙ୍କ ଅଂଶବିଶେଷ ଏକଥା ଅସ୍ଵୀକାର କରିହେବ ନାହିଁ ।

 

ଅନେକ ନାଟ୍ୟମଣ୍ଡଳୀରେ ମୁଁ ରହିଛି ଏବଂ ଅନୁଭବ କରିଛି ଯେ, ଜଣେ ଶିଳ୍ପୀ ଅନ୍ୟ ଜଣେ ଶିଳ୍ପୀଙ୍କୁ ସମ୍ମାନ ଦେବାକୁ କୁଣ୍ଠାପ୍ରକାଶ କରେ । ନିଜଠାରୁ ଛୋଟ ମନେ କରେ । କିନ୍ତୁ କାହିଁକି ଏପରି ଘୃଣ୍ୟ ବିକାର ? ହୁଏତ ଉକ୍ତ ଖରାପ ଗୁଣଟି ଯୋଗୁଁ ଶିଳ୍ପୀ ସଂଗଠିତ ହେବାରେ ପ୍ରତିବନ୍ଧକ ସୃଷ୍ଟି ହୁଏ । ତେବେ ସେ ଯାହାହେଉ ଅଭିନୟ ପାଇଁ ମୁଁ ସବୁ ସ୍ଥାନରେ ମୁଖ୍ୟ ଭୂମିକା ଗ୍ରହଣ କଲେ ମଧ୍ୟ ମୋର ଭାଗ୍ୟ ମୋତେ ପ୍ରାୟ ସବୁ ଅନୁଷ୍ଠାନରେ ମୋର ସ୍ଥିତିକୁ ଅତି ଗୌଣ କରି ରଖିଥିଲା ।

 

ବେଳେବେଳେ ମନରେ ଅନୁଶୋଚନା ଆସେ, ଅନୁତାପ ଆସେ । କଳାର ପୂଜାରୀ ଆମେ, କାହିଁକି ଆମର ଏ ସଂକୀର୍ଣ୍ଣ ଚିନ୍ତାଧାରା ? ଯେପର୍ଯ୍ୟନ୍ତ ଆମେ ଆମକୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନରେ ପଛେଇ ଯାଉଥିବା, ସେପର୍ଯ୍ୟନ୍ତ ଅନ୍ୟ ଅଣଶିଳ୍ପୀଙ୍କଠାରୁ ସମ୍ମାନ ଆଶା କରିବା ବା କେମିତି ? ଏଇଟା ଅବଶ୍ୟ ମୋର ବ୍ୟକ୍ତିଗତ ମତ ।

 

ପ୍ରଥମ ବର୍ଷ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ଭ୍ରମଣରେ ବାହାରି କଟକ ବାହାରକୁ ଯାଇ ଯେତେ ସ୍ଥାନରେ କ୍ୟାମ୍ପ୍ କଲେ, ମୋ ଜାଣିବାରେ ପ୍ରାୟ ପ୍ରତ୍ୟେକ ସ୍ଥାନଗୁଡ଼ିକ ଅନୁଷ୍ଠାନ ପାଇଁ ହେଲା ଅତି ଲାଭଦାୟକ । ଅର୍ଥ ଓ ପ୍ରଶଂସା ଉଭୟ ମିଳିଲା ପ୍ରଚୁର । କିନ୍ତୁ କର୍ମକର୍ତ୍ତା ସତର୍କ ନ ରହି ଚିନ୍ତା କଲେ ହୁଏତ ଏଇଭଳି ଅର୍ଥ ଓ ପ୍ରଶଂସା ସବୁଦିନେ ଆସୁଥିବ । ଫଳରେ ଯାହା ଆସିଲା, ତାହା କେତେକ ବ୍ୟକ୍ତିବିଶେଷଙ୍କ ସ୍ଵାର୍ଥରକ୍ଷାରେ ଖର୍ଚ୍ଚ ହେଲା । ଅନୁଷ୍ଠାନର ଭବିଷ୍ୟତ କଥା ଆଖି ଆଗରେ ରଖି ସେ ଦିଗରେ ସଞ୍ଚୟ ତ କିଛି ନ ଥିଲା ବରଂ ଅନୁଷ୍ଠାନ ଲାଗି ଯାହାସବୁ ଉପକରଣ ପ୍ରସ୍ତୁତ ହେଉଥିଲା, ତା’ଭିତରେ ମଧ୍ୟ ଚାଲିଥିଲା ଅନେକ ତୋଷାରପାତ ।

 

ଅନୁଷ୍ଠାନଟି ତା’ର ଗସ୍ତ କାର୍ଯ୍ୟକ୍ରମ ସମାପ୍ତ କରି ଫେରିଆସିଲା ମୁଖ୍ୟ କାର୍ଯ୍ୟାଳୟ କଟକକୁ । ଏଥର ଅର୍ଥ ଉପାର୍ଜନ ଖୁବ୍ ଭଲ ହେଇଥିଲା । ଟିକଟ ଚୋରି, ତହବିଲ ଚୋରିର ମାତ୍ରା ବଢ଼ିଥିଲେ ମଧ୍ୟ ଗୋଟିଏ ଗୋଟିଏ କ୍ୟାମ୍ପ୍‌ରୁ ଯୋଉ ଉପାର୍ଜନ ହୋଇଥିଲା, ତାହା ଖୁବ୍ ଆଶାତୀତ-। ମାତ୍ର ଦୁର୍ନୀତି ଅନୁଷ୍ଠାନର ମେରୁହାଡ଼କୁ ଦୋହଲେଇ ଦେଇଥଲା । ଦୁର୍ନୀତି ସାଙ୍ଗକୁ ଆଉ ଗୋଟିଏ ମହାବ୍ୟାଧି ଅନୁଷ୍ଠାନରେ ପ୍ରବଳ ଆକାର ଧାରଣ କରିଥିଲା, ତାହା ଥିଲା–ଅବାଧ ଗୋପନ ପ୍ରଣୟ ।

 

କେବଳ ମୋତେ ଛାଡ଼ି ପ୍ରାୟ ଅଧିକାଂଶ ବଡ଼ଠାରୁ ଛୋଟ ପର୍ଯ୍ୟନ୍ତ ବିଲେଇ ଆଖିବୁଜି ଦୁଧ ପିଇଲା ଭଳି ସୁବିଧା ଉଣ୍ଡି ନିଶାଚର ପାଲଟିଗଲେ । ଓଡ଼ିଶା ଥିଏଟର୍ସରେ କାଳିବାବୁଙ୍କର ଏ ଦିଗରେ ବହୁ ଦୁର୍ବଳତା ଥିଲେ ମଧ୍ୟ ତାଙ୍କୁ ଅନେକ ସେଠାରେ ଭୟ କରୁଥିଲେ । କିନ୍ତୁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ସେ ଭୟ କାହାରି କାହା ଉପରେ ରହିଲା ନାହିଁ । ମୁଁ ନିଜେ ଯେ ସଂଯତ ପୁରୁଷ ଥିଲି ସେକଥା କହୁ ନାହିଁ । ମୋର ଦୁର୍ବଳତା ମୁଁ ପ୍ରକାଶ କରୁଥିଲି ଅନୁଷ୍ଠାନର ବାହାରେ । ଏଥିଲାଗି ଆମେ ଅଭିନୟ ଲାଗି ବାହାରକୁ ଗଲେ, ମୁଁ କେବେହେଲେ ଅନୁଷ୍ଠାନ ଭିତରେ ଅର୍ଥାତ୍ ମେସ୍‌ରେ ଅଭିନେତ୍ରୀମାନଙ୍କ ନିକଟରେ ରହୁ ନ ଥିଲି । ମେସ୍‌ଠାରୁ ଦୂରରେ ବସାଘର ନେଇ ରହୁଥିଲି । ଅବଶ୍ୟ ସେଥିଲାଗି ଘରଭଡ଼ା ଅନୁଷ୍ଠାନ ଦେଉଥିଲା ।

 

ମୋ ସାଙ୍ଗରେ ରହୁଥିଲେ ଶ୍ରୀ ଦୟାନିଧ‌ି ତ୍ରିପାଠୀ, ଶ୍ରୀ ମଧୁସୂଦନ ପଲେଇ, ଶ୍ରୀ ହରିହର ରାଉତ, ଶ୍ରୀ ନବଘନ ମିଶ୍ର । ଆମେ ପାଞ୍ଚ ଜଣ ପ୍ରାୟ ଗୋଟିଏ ନାଆର ଯାତ୍ରୀ ଥିଲୁ ।

 

ମଣିଷ କିପରି କାମାନ୍ଧ ହୋଇ ସତ୍ ମାର୍ଗରୁ ଖସି ଆସି ଅସତ୍ ମାର୍ଗରେ ପାଦଦେଇ ନିଜକୁ ତଳିତଳାନ୍ତ କରେ ତା’ର ପ୍ରତ୍ୟକ୍ଷ ଅନୁଭୂତି ମୋ ଜୀବନରେ ଏକାଧିକ ବାର ଆସିଛି ଏବଂ ସେଇ ଭୁଲକୁ ସୁଧାରିବାକୁ ଚେଷ୍ଟା କରି ମଧ୍ୟ ଉକ୍ତ ବିପଦକୁ ଏଡ଼େଇପାରି ନାହିଁ । ଏଇ କାରଣରୁ ହିଁ ମୁଁ ଅନେକ ବାର କହିଛି ଯେ, ଯାହା ହେବାର ଥିବ, ତାହା ନିଶ୍ଚିତ ଭାବରେ ହେବ ।

 

ଆମେ ଗୋଟିଏ ଉନ୍ନତ ସହରରେ (ଓଡ଼ିଶା ଭିତରେ) ଅଭିନୟ ପ୍ରଦର୍ଶନ କରୁଥାଉ । ମୁଁ ମୋର ସାଥୀମାନଙ୍କ ସହ ଅନୁଷ୍ଠାନଠାରୁ ଅଳ୍ପ ଦୂରରେ ଆଉ ଗୋଟିଏ ଭଡ଼ାଘର ନେଇ ରହୁଥାଏ । ଘରଟି ସମ୍ପୂର୍ଣ୍ଣ ନୂତନ ଥିଲା । ନିକଟରେ ତା’ର ଅତି ଉଚ୍ଚ ଶ୍ୟାମଳ ପର୍ବତଶ୍ରେଣୀ । ବେଶ୍ ପ୍ରାକୃତିକ ପରିବେଶ । ଘରଟି ସହରଠାରୁ କିଛି ଦୂର । ମୋଟ କଥାରେ କହିବାକୁ ଗଲେ ସ୍ଥାନଟି ଖୁବ୍ ନିକାଞ୍ଚନ । ବିଶ୍ରାମ ସମୟତକ ଆମର ସେଠାରେ କଟେ ଏବଂ ଖାଇବାବେଳ ହେଲେ, ସେଠାରୁ ଆସି ମେସ୍‌ରେ ଖାଇଦେଇ ଯାଉ । ପିଇବା ପାଣିର ଅସୁବିଧା ନେଇ ସେଠାକାର ସ୍ଥାନୀୟା ଜଣେ ବୁଢ଼ୀକୁ କହିଥାଉ ପ୍ରତିଦିନ ଆମକୁ ଗୋଟିଏ ମାଠିଆ ପାଣି ଦେଇଯିବାକୁ । ବୁଢ଼ୀଟି ଆମମାନଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ହୋଇଥିବାରୁ ଆମେମାନେ ତାକୁ ‘ଆଈ’ ବୋଲି ସମ୍ବୋଧନ କରୁଥିଲୁ ।

 

ଧୀରେ ଧୀରେ ‘ଆଈ’ ସହିତ ଆମମାନଙ୍କର ସମ୍ପର୍କ ବଢ଼ିଲା । ଆମମାନଙ୍କର ସରଳତାର ସୁଯୋଗ ନେଇ ଆଈ ମଧ୍ୟ ଅନେକବାର ବିନା ଟିକଟରେ ଥିଏଟର୍ ଦେଖିବାକୁ ଲାଗିଲା । ସେ ଏକା ନୁହେଁ, ବେଳେବେଳେ ତା’ସହିତ ଦଳ ବଳ ଆଣିବାକୁ ବି ଭୁଲିଲା ନାହିଁ । ଅବଶ୍ୟ ଆମକୁ ପାଣି ଯୋଗେଇବାକୁ ଆମେ ଆମର ଜଳଖିଆ ପଇସାରୁ ଚାନ୍ଦା କରି କିଛି କିଛି ତାକୁ ଦଉଥିଲୁ । କିନ୍ତୁ ବୁଢ଼ୀ ଥିଲା ଅତ୍ୟନ୍ତ ଚତୁରୀ । ଫଳରେ ଆମମାନଙ୍କର ଚତୁରପଣିଆ ତା’ ନିକଟରେ କାଟୁ କରୁ ନ ଥିଲା ।

 

ଯୁବକ–ସୁଲଭ–ଚପଳତା ସାଙ୍ଗକୁ ନିଛାଟିଆ ପ୍ରାକୃତିକ ପରିବେଶଟି ଆମମାନଙ୍କୁ ବେଳେବେଳେ ଅଥୟ କରୁଥିଲା । କନ୍ଦର୍ପର ଶାଣିତ ପଞ୍ଚଶର ଆମମାନଙ୍କର ପଞ୍ଚପ୍ରାଣକୁ ଜର୍ଜରିତ କରୁଥିଲା । ଆଈ ସହିତ ଆମେମାନେ ସମୟେ ସମୟେ ନାନା ପରିହାସ ଛଳରେ ବିଭିନ୍ନ ପ୍ରଣୟ ସମ୍ପର୍କରେ କେତେକ ପ୍ରସଙ୍ଗ ବାଢ଼ୁଥିଲୁ । ପ୍ରସଙ୍ଗ ମଧ୍ୟ କେବେ କେବେ ଖୁବ୍ ସରସ ହୋଇଉଠୁଥିଲା । ଆମମାନଙ୍କ ସହ ଆଳାପ ଆଲୋଚନା ଲାଗି ଆଈର ଯେ ଆନ୍ତରିକତା ଥିଲା, ତାହା ବେଶ୍ ଆମେ ବୁଝି ପାରୁଥିଲୁ ।

 

ହଠାତ୍ ଦିନେ ଆଈର ଅନୁପସ୍ଥିତିରେ ଆମମାନଙ୍କ ଭିତରେ କଥା ପଡ଼ିଲା ଗୋଟିଏ ଷୋଡ଼ଶୀ ସୁଶ୍ରୀ ତରୁଣୀର ସାନ୍ନିଧ୍ୟ ବିଷୟରେ । ସମସ୍ତେ ମୋତେ ଦଳପତି କରି, ମୋରି ଜରିଆରେ ଆଈକୁ ଆମର ଆଶାପୂର୍ଣ୍ଣ ସକାଶେ ଗୁହାରୀ କରିବାକୁ ଦାୟିତ୍ଵ ଦେଲେ । ମୁଁ ମୋର ସମ୍ମତି ଜଣେଇଲି । ଏପରି ଏକ ଗୁରୁଦାୟିତ୍ଵ ବହନ କରିବାର ସୁଯୋଗକୁ ହାତଛଡ଼ା କରିବାକୁ ମନ ବଳିଲା ନାହିଁ । କାରଣ ଯୋଉ ବୟସରେ ମଣିଷ ଯେକୌଣସି ବିଷୟରେ ନେତାଗିରି କରିବାର ସୁବିଧା, ସୁଯୋଗ ପାଏ ତାହା ଭଲ ହେଉ କି ଖରାପ ହେଉ, ସେ କଥା ମୁଣ୍ଡକୁ ନ ନେଇ ତା’ର ଖିଆଲି ମନ ନେଇ ସେ କାମଟି କରିଦେଇ ବସେ । ମୁଁ ଠିକ୍ ସେତେବେଳେ ସେଇ ବୟସର ଥିଲି । ଆଗ, ପଛ କଥାକୁ ମୁଁ ସେ ସମୟରେ ମୋଟେ ତଉଲି ପାରୁ ନ ଥିଲି । ତେଣୁ ବିଦେଶରେ ଓ ଗୋଟାଏ ଅପରିଚିତ ସ୍ଥାନରେ ଏକ ଭୟାନକ ବ୍ୟାପାରରେ ମୁଣ୍ଡ ପୂରେଇ ନିଜକୁ ସତେ ଯେମିତି ଗାଜି ଆଲମ୍‌ଗିରି ମନେକଲି ।

 

ସତ କଥା କହିବାକୁ ଗଲେ, ମୁଁ ଯେଉଁ କାମକୁ ହାତକୁ ନେଇଥିଲି ସେଥ‌ିରେ ମୋର ବନ୍ଧୁମାନଙ୍କର ସ୍ଵାର୍ଥସିଦ୍ଧିର ସୁଯୋଗ ତ ଥିଲା, ତା’ ସଙ୍ଗେ ସଙ୍ଗେ ମୋ ନିଜର ସ୍ଵାର୍ଥ ଥିଲା ଅଧିକ ।

 

ଦିନେ ଆଈକୁ ନିରୋଳାରେ ଏକୁଟିଆ ପାଇ ତା’ ଆଗରେ ଆମମାନଙ୍କର ଗୁହାରୀ ଜଣେଇଲି । ମନେ ମନେ ପ୍ରଥମେ ଖୁବ୍ ଭୟ ଲାଗିଥିଲା । କାଳେ ଆଈ ସେ କଥାକୁ ଅନ୍ୟମାନଙ୍କ ନିକଟରେ ପ୍ରଘଟ କରିଦେଇ ଆମମାନଙ୍କୁ ଅଡ଼ୁଆରେ ପକେଇବ, କିନ୍ତୁ ସେ କଥା ହେଲା ନାହିଁ । ଆଈ ମୋ କଥାରେ ସମ୍ପୂର୍ଣ୍ଣ ରାଜି ହୋଇଯାଇ ମୋତେ ଏଭଳି ଭାବରେ ଉତ୍ସାହିତ କଲା ଯେ, ମୁଁ ତା’ର ସେ ଅଭୟବାଣୀ ଶୁଣି ବନ୍ଧୁମାନଙ୍କ ଆଗରେ ଆଉ ପଦେ ଦୁଇପଦ ମିଛରେ ଯୋଡ଼ିଦେଇ ଏକ ସ୍ଵପ୍ନର ଜାଲ ସେମାନଙ୍କ ଆଖି ଆଗରେ ବିଛେଇଦେଲି ।

 

ଦିନ ଗଡ଼ି ଚାଲିଥାଏ । ତା’ ସଙ୍ଗେ ସଙ୍ଗେ ଆମର ଅଭିନୟ ପ୍ରତିଦିନ ଚାଲିଥାଏ । ସନ୍ଧ୍ୟା ହେଲେ ଦର୍ଶକ ଭିଡ଼ ଓ ରୋଜଗାର ଖୁବ୍ ଆଖିରେ ଲାଗିଲାଭଳି । ଆମମାନଙ୍କର ମନ ସେତେବେଳେ ଅଭିନୟରେ ନ ଥାଏ, ଥାଏ ଆଈ ପାଖରେ । ଆଈ ତାର ସବୁଦିନ ଆମକୁ ଭରସା ଦେଇ ଚାଲିଥାଏ–ଆଜି ଆଣିବି, କାଲି ଆଣିବି କହି । କ’ଣ କରିବୁ ? ଉପାୟ ନ ଥିଲା । ଆଶା ଆମର ଏତେଦୂର ବଢ଼ିଯାଇଥାଏ ଯେ, ବସିଲେ ଉଠିଲେ କେବଳ ଆଈ ଚିନ୍ତା ଘାରୁଥାଏ । ଏମିତି ବେଳ ଆସି ପହଞ୍ଚିଲା ଆମେ ଆଉ କେହି ଜଳଖିଆ ପେଟକୁ ନ ଖାଇ ସେଇ ପଇସାସବୁକୁ ଆଈକୁ ଦବାକୁ ଲାଗିଲୁ । କେବଳ ଏତିକି ଯଥେଷ୍ଟ ନୁହେଁ, ପ୍ରତିଦିନ ପ୍ରାୟ ଆଈ ତା’ର ଦଳବଳ ନେଇ ମାଗଣାରେ ଅଭିନୟ ଦେଖିବାକୁ ଧସେଇ ପଶିଲା । ତାକୁ ମନା କରିବ କିଏ ? ଆମେ ତ ଦ୍ଵାରପାଳ ?

 

ଆଈ ମାଗଣାରେ ଯୋଉ ସ୍ତ୍ରୀ ଲୋକଙ୍କୁ ଆଣି ନାଟକ ଦେଖଉଥିଲା, ସେମାନଙ୍କ ଭିତରେ ବେଳେବେଳେ ଅନେକ ସୁନ୍ଦରୀ ଷୋଡ଼ଶୀ ରହୁଥିଲେ । ମାତ୍ର ସେଥି ଭିତରୁ କିଏ ଯେ ଆମମାନଙ୍କ ଆଶା ଉଦ୍ୟାନର ଚମ୍ପକ କଢ଼ି, ସେ ବିଷୟରେ ସ୍ଥିର ସିଦ୍ଧାନ୍ତ ନେଇ ପାରୁ ନ ଥିଲୁ । ଆଈକୁ ପଚାରିଲେ, ସେ କେବଳ ହସିଦେଇ ଏବଂ ସମସ୍ତଙ୍କ ଆଡ଼କୁ ଥରେ ଠାରିଦେଇ ସେମାନଙ୍କ ଗହଣରେ ଯାଇ ବସିପଡ଼ୁଥିଲା, ଆଉ ଆମେ ନିରୀହ ଚତୁର୍ମାସ୍ୟା ଟକଳାଙ୍କ ପରି ଆଈକୁ ଚାହିଁ ରହୁଥିଲୁ ।

 

ଏମିତି ଏମିତି କରି ଦଶ, ପନ୍ଦର ଦିନ କଟିଗଲା । ବନ୍ଧୁମାନେ ମୋ କଥାରୁ ବିଶ୍ଵାସ ହରେଇଲେ । ଜଳଖିଆ ପଇସା ଦେବାକୁ କୁନ୍ତୁ କୁନ୍ତୁ ହେଲେ । ସେମାନେ ଭାବିଲେ, ମୁଁ ହୁଏତ ବାଟମାରଣା ଢଙ୍ଗକରି ସେମାନଙ୍କୁ ମିଛ ପ୍ରଲୋଭନ ଦେଇଛି । ଯାହାହେଉ ମୁଁ ମୋର ବନ୍ଧୁଗଣଙ୍କୁ ବୁଝେଇଦେଲି ଯେ, ଆଈ ଆମକୁ କଦାପି ଠକିବ ନାହିଁ । ତା’ର ପ୍ରତିଶ୍ରୁତି ସେ ନିଶ୍ଚିତ ଭାବରେ ରକ୍ଷାକରିବ ।

 

ସତକୁ ସତ ଆଈ ଦିନେ ଦିନ ବାରଟାରେ ଆସି ଆମ ବସାରେ ପିଇବା ପାଣି ରଖିଦେଇ ଖବର ଦେଲା ଯେ, ଆଜି ରାତିରେ ଆଣିବ । ଆଈ ଚାଲିଗଲା ପରେ ଆମମାନଙ୍କ ଆନନ୍ଦ ଦେଖେ କିଏ ? ସାଙ୍ଗେ ସାଙ୍ଗେ ନିଷ୍ପତ୍ତି କରିଦେଲୁ ଯେ, ଆମେ କେହି ଆଜି ରାତିରେ ନାଟକ ପରେ ମେସ୍‌ରେ ନ ଖାଇ, ଜଳଖିଆ ଧରି ବସାକୁ ଚାଲିଆସିବୁ । ଏ ସିଦ୍ଧାନ୍ତ ନେବାର ଉଦ୍ଦେଶ୍ୟ ଥିଲା, ସମସ୍ତଙ୍କ ଆହାରରୁ ବଳକା ଆହାର ଭାବି ପ୍ରଣୟିନୀ ଲାଗି ଯଥେଷ୍ଟ ବଳିପଡ଼ିବ ।

 

ପୁଣି ସେଦିନ ଆଈ ବୁଢ଼ୀ ତା’ର ଦଳବଳଙ୍କୁ ସାଙ୍ଗରେ ଧରି ମାଗଣା ଅଭିନୟ ଦର୍ଶନ ଲାଗି ବେଶ୍ ଜାକଜମକରେ ଅଭିଯାନ ଚଳେଇଦେଲା । ଅବଶ୍ୟ ଆଈ ବୁଢ଼ୀର ସେଇ ବିରାଟ ଶୋଭାଯାତ୍ରା ଦେଖି ଆମ ଛାତି ଭିତରେ ଶେଲ ବିନ୍ଧିଲାପରି ଲାଗୁଥିଲା । ମାତ୍ର ଆଈକୁ ସେ ବିଷୟରେ କିଛି ତାଗିଦ୍ କରିବାକୁ ଆମର ମନବଳ ନ ଥିଲା ।

 

ଅଭିନୟ ଶେଷ ହେଲା ଦର୍ଶକମାନେ ଯେ’ ଯୁଆଡ଼େ ବାଟ କାଟିଲେ । ଆମେ ଯୋଉମାନେ ସେଦିନ ଚେଇଁରହି ସ୍ଵପ୍ନ ଦେଖୁଥିଲୁ, ସାଙ୍ଗେ ସାଙ୍ଗେ ନିଜ ନିଜର କାମ ତୁଟେଇ, ରୁଟି, ତରକାରୀ ଧରି ବାହାରିପଡ଼ିଲୁ ସେଇ ପାହାଡ଼ତଳି ନୂଆକୋଠା ବସାଘରକୁ । ମନ ଭିତରେ ଆନନ୍ଦ ଯେତିକି ଭୟ ମଧ୍ୟ ସେତିକି । ମଦୁଆଙ୍କ ପରି ପାଦ ଏପଟ ସେପଟ ପଡ଼ୁଥାଏ ।

 

ରାତି ବଢ଼ି ବଢ଼ି ଚାଲିଲା । ଆଖରେ ନିଦ ନାହିଁ । ଆମେ ପ୍ରତ୍ୟେକେ କଠିନ ପରିଶ୍ରମ ପରେ ବି, ନିଜ ନିଜର ବିଛଣାପତ୍ରକୁ ସଜେଇ ଚେଙ୍ଗା ହୋଇ ବସି ରହିଥାଉ । ମଝିରେ ମଝିରେ ଉଠୁଥାଏ ଗୋଟାଏ ଗୋଟାଏ ଅନ୍ତରଫଟା ଦୀର୍ଘନିଶ୍ଵାସ । କାହିଁ ସେ ଦୁଷ୍ଟା ଆଈ ? କାହିଁ ସେ ଅଭିସାରିକା ? ?

 

ନିକଟରେ ଜେଲଖାନା । ଠଣ୍ ଠଣ୍ କରି ଦୁଇଟା ବାଜିଲା ପିଟା ଘଣ୍ଟାରେ । ଆମେମାନେ ଚେଙ୍ଗା ହୋଇଉଠିଲୁ । ବନ୍ଧୁମାନଙ୍କ ଭିତରୁ କେହି ଜଣେ କହିପକେଇଲେ, ଟିକିଏ ସଡ଼କକୁ ଯାଇ ଦେଖ, କାଳେ ଆଈ ସାଙ୍ଗରେ କାହାରିକୁ ଧରି ଆସୁଥ‌ିବ ।

 

ନେତା ମୁଁ । ବାସ୍ତବରେ ବନ୍ଧୁମାନଙ୍କର ଅଧୈର୍ଯ୍ୟର ସୀମା ଟପିବା ଦେଖି ନୀରବ ହୋଇ ବସିପାରିଲି ନାହିଁ । ବଡ଼ ଅନିଚ୍ଛାରେ ଉଠିଲି ବିଛଣା ଛାଡ଼ି । ବାହାରକୁ ଗଲି । ଆକାଶରେ ଚନ୍ଦ୍ରାଲୋକ । ଚାରିଆଡ଼େ ନିସ୍ତବ୍ଧତାର ପୂର୍ବ ରାଜୁତି । କେବଳ ବେଳେବେଳେ ସେଇ ନିର୍ଜନତାକୁ ଭଙ୍ଗକରି, ପର୍ବତ ଉହାଡ଼ର କେଉଁ ଏକ ସବୁଜ ଗୁଳ୍ମଭରା ଦନପ୍ରାନ୍ତରରୁ ସାଥୀହରା କୁଟୁରା ତା’ର ସାଥୀମାନଙ୍କୁ ନିଜର ସ୍ଥିତି ସମ୍ପର୍କରେ ଶବ୍ଦ ସଂକେତ ଦେଉଥାଏ । ଭସା ବାଦଲ ପବନ ଆଘାତରେ ବରଫ ଖଣ୍ଡପରି ଭାସିଯାଉଥା’ନ୍ତି ଦୂର ଚକ୍ରବାଳକୁ । ମଝିରେ, ମଝିରେ ଚନ୍ଦ୍ର ତାଙ୍କର ମୁହଁ ଛପେଇ ସତେ ଯେମିତି ଲୁଚକାଳି ଖେଳ ଖେଳୁଥା'ନ୍ତି ।

 

ସ୍ଥାନଟିରେ ସଭ୍ୟତାର କାଉଁରୀ ପରଶ ଯେତିକି ସ୍ପର୍ଶ କରିଥିଲା, ତା’ଠାରୁ ଅଧିକ ଜମାଟବନ୍ଧା ବନ୍ୟତା ଏତେ ପରିମାଣରେ ରହିଥିଲା ଯେ, ତାକୁ ଘୁଞ୍ଚେଇବାକୁ କାହିଁ କେତେ ଯୁଗ ଲାଗିପାରେ ବୋଲି ମନେହେଉଥିଲା । ସନ୍ଧ୍ୟା ହେଲେ ସେ ପଥରେ କେବେ କେବେ ବେଳ ଉଣ୍ଡି ବିଭିନ୍ନ ହିଂସ୍ର, ଚତୁଷ୍ପଦ ପ୍ରାଣୀ ମଧ୍ୟ ଦେଖା ଦଉଥିଲେ; ନିଶାର୍ଦ୍ଧ ତ ଅନେକ ଦୂରର କଥା । ତଥାପି ସେ ସ୍ଥାନଟିକୁ ନଗର ବା ସହର ନ କହିଲେ ମଣିଷ ମନରେ କିପରି ଗୋଟାଏ ଅଶାନ୍ତି ସୃଷ୍ଟି ହେଉଥିଲା ।

 

ହଠାତ୍ ଦୂରରୁ ଆଖିରେ ପଡ଼ିଲା ଦୁଇଟି ଅସ୍ପଷ୍ଟ ଛାୟାମୂର୍ତ୍ତି । କ୍ରମେ କ୍ରମେ ନିକଟ ହୋଇଆସିଲା ମୂର୍ତ୍ତି ଦୁଇଟି । ଆଖି ମୋର ଭଲ କରି ଠଉରି ନେଲା ଆଈର ଡଗ ଡଗ ଚାଲିକୁ । ଆଉ ତା’ର ପଛରେ ଆଉ ଜଣେ କିଏ ସ୍ତ୍ରୀଲୋକ । ମନ ମୋର ଆନନ୍ଦରେ ନାଚି ଉଠିଲା । ଧାଇଁ ଆସିଲି ବନ୍ଧୁମାନଙ୍କ ନିକଟକୁ । ସେମାନଙ୍କୁ ଖବର ଦେବାକୁ ଭାଷା କିଛି ନ ଥିଲା । ପୁଣି ଧାଇଁଗଲି ରାସ୍ତା ପାଖକୁ ।

 

ମୋର ହାବଭାବ ଦେଖି ବନ୍ଧୁଗଣ ମୋ ପଛେ ପଛେ ଉଠିଗଲେ ଅବସ୍ଥା ନିରୀକ୍ଷଣ କରିବାକୁ । ସେତେବେଳକୁ ଆଈ ଓ ଅନ୍ୟ ସ୍ତ୍ରୀଲୋକ ଜଣକ ଖୁବ୍ ନିକଟକୁ ଆସି ଯାଇଥିଲେ । ଆମେ ଆଗ୍ରହର ସହିତ ଚାହିଁ ଦେଖିଲୁ; ଆଈ ପଛରେ ଆସୁଥ‌ିବା ଷୋଡ଼ଶୀ ନବାଗତା ତରୁଣୀର କାଖରେ ଗୋଟାଏ ତେର, ଚଉଦ ବର୍ଷର ପୁଅ, ସମ୍ପୂର୍ଣ୍ଣ ଲଙ୍ଗଳା । ସେ ଦୃଶ୍ୟ ଦର୍ଶନରେ ଆଖି ଆମର ଆପେ ଆପେ ବନ୍ଦ ହେଇଗଲା, ଦିହ ଭିତରେ ଫୁଟୁଥ‌ିବା କନ୍ଦର୍ପ ଜ୍ଵର ସଙ୍ଗେ ସଙ୍ଗେ ତଳକୁ ଖସିଯାଇ ସର୍ବାଙ୍ଗଯାକ କାଲୁଆ ମାରିଗଲା । ଯେତେ ଚଞ୍ଚଳ ପାରୁ ସେତେ ଚଞ୍ଚଳ ରାସ୍ତାରୁ ସମସ୍ତେ ପଳେଇ ଆସି ଘର ଭିତରେ ପଶି କବାଟ, ଝରକା ଧଡ଼୍‌ଧାଡ଼୍ ବନ୍ଦ କରିଦେଇ ଗାଲେଇ ଶୋଇପଡ଼ିଲୁ ନିଜ ନିଜ ବିଛଣାରେ ।

 

ସେମିତି ଆଉ ଗୋଟିଏ ସ୍ଥାନର ଘଟଣା । ଶାଳନ୍ଦୀ ନଦୀ କୂଳକୁ ଲାଗି ଆମର ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ର ରଙ୍ଗମଞ୍ଚ ପଡ଼ିଥାଏ । ଠିକ୍ ପେଣ୍ଡାଲ ପାଖକୁ ଲାଗି ଏକ ବିରାଟ ବଙ୍ଗଳାରେ ଅନୁଷ୍ଠାନ ତା’ର ରହଣି ସ୍ଥାନ ବାଛିଥାଏ । ଆମେ କେଇଜଣ ସେହିପରି ଗୋଠଛଡ଼ା ଦଳ ସାଜି ରହୁଥାଉ ଅଳ୍ପ ଦୂରରେ ଆଉ ଗୋଟିଏ ସ୍ଥାନରେ ଅଲଗା ଘରଭଡ଼ା ନେଇ । ଏଠାରେ ମଧ୍ୟ ଅଭିନୟ ଖୁବ୍ ଜାକଜମକରେ ଚାଲିଥାଏ । ସହରୀ ଦର୍ଶକମାନଙ୍କ ବ୍ୟତୀତ ଗାଁ ଗଣ୍ଡାରୁ ଛୁଟୁଥା’ନ୍ତି ଦେଖେଣାହାରି ଅଧିକ ମାତ୍ରାରେ ।

 

ଦ୍ୱିତୀୟ ଶ୍ରେଣୀ ମହିଳା ଯିବା ଦ୍ଵାରରେ ମୁଁ ରହୁଥାଏ ଦ୍ଵାରପାଳ ଭାବରେ । ପ୍ରଥମ ଘଣ୍ଟି ପରେ ଦ୍ଵିତୀୟ ଘଣ୍ଟି ବାଜିଲେ ଶ୍ରେଣୀ ଛାଡ଼ି ପଳାଏ ରଙ୍ଗମଞ୍ଚକୁ ନିଜର ଅଭିନୟ ଲାଗି ମେକାପ୍ ହେବାକୁ । ଗେଟ୍‌ମାନଙ୍କରେ ଅନ୍ୟ ଲୋକମାନେ ଖୁବ୍ ଚୋରି କରିବାରୁ ଶେଷରେ ଆମେ ଅଭିନେତାମାନେ ନାଟକ ଆରମ୍ଭ ପର୍ଯ୍ୟନ୍ତ ଏହିପରି ଦ୍ଵାରପାଳ କାମ କରୁଥିଲୁ ।

 

ଯାହାହେଉ, ଏଇଭଳି ଧରାବନ୍ଧା ନୀତିରେ ଅଭିନୟ ସାଙ୍ଗେ ସାଙ୍ଗେ କାମ ମଧ୍ୟ ଚାଲିଥାଏ । ଏଠାରେ ଲକ୍ଷ୍ୟ କରୁଥାଉ, ପୁରୁଷମାନଙ୍କ ସହିତ ତାଳଦେଇ ମହିଳାମାନେ ଆସୁଥା’ନ୍ତି ନାଟକ ଦେଖିବାପାଇଁ । ଖୁବ୍ ଆଗ୍ରହ, ଖୁବ୍ ଭିଡ଼ ଏମାନଙ୍କର ସନ୍ଧ୍ୟା ହେଲେ, ମଞ୍ଚ ଆଗରେ ଆଲୋକ ଜଳି ବାଜା ବାଜିଲେ । ଧାଡ଼ି ଧାଡ଼ି ନାଲି, ନେଳି, ବାଇଗେଣି ରଙ୍ଗ କସ୍ତା ଅବା ପାଟ, ପୁଣି ହଳଦୀ ବର୍ଣ୍ଣର କୁମ୍ଭପକା ସମ୍ବଲପୁରୀ ଶାଢ଼ୀ ସାଙ୍ଗକୁ ବନାରସୀ ଜରିବୁଟିଶା ଦିଆ ରେଶମୀ ଶାଢ଼ିର ଅପୂର୍ବ ମିଳନ ଆଖିରେ ଇନ୍ଦ୍ରଧନୁ ସୃଷ୍ଟି କରେ ।

 

ପ୍ରତ୍ୟେକଙ୍କ ହାତରୁ ଟିକଟ ଖଣ୍ଡିକ ନେଇ, ଠାରି ଦେଖେଇଦିଏ ସେମାନଙ୍କର ଥ‌ିବା ନିର୍ଦ୍ଦିଷ୍ଟ ଆସନକୁ । ନାକରେ ଲାଗେ ହୀନା ଗନ୍ଧ, ବେଣାଚେର ଗନ୍ଧ, ମଲ୍ଲୀ, ଚମ୍ପା, ଅନେକ ଫୁଲର ଅତର ଗନ୍ଧ ।

 

ସେଦିନ ରବିବାର ଥାଏ, ନାଟକଟି ହେଉଥାଏ ‘ଜହର’ । ଦର୍ଶକ ଗହଳି ଖୁବ୍ ଶୀଘ୍ର ବଢ଼ି ଉଠିଲା । ଅନେକ ଦୂରରୁ ଲୋକମାନେ ପିଲାଛୁଆ ଶଗଡ଼ ଗାଡ଼ିରେ ବୋଝେଇ କରି ଦିନ ଥାଉ ପେଣ୍ଡାଲ୍ ଚାରିପାଖରେ ରୁଣ୍ଡ ହେଇ ଯାଇଥା’ଛି । ବାଜା ବାଜିବା କ୍ଷଣି ଟିକଟ କାଟି ପଶିଲେ ଦର୍ଶକ ଗୃହରେ । ମହିଳାମାନଙ୍କ ପାଇଁ ପ୍ରଥମ ଶ୍ରେଣୀ ଦ୍ଵାରରେ ପିର ଭାଇନା (ପ୍ରିୟନାଥ ମିଶ୍ର) ରହୁଥାନ୍ତି ଏବଂ ଦ୍ୱିତୀୟ ଶ୍ରେଣୀ ଦ୍ଵାରରେ ରହୁଥାଏ ମୁଁ । ଭିଡ଼ ସମ୍ଭାଳିପାରିବୁ ନାହିଁ ବୋଲି ଆମମାନଙ୍କୁ ସାହାଯ୍ୟ କରିବାକୁ ଆମ ପାଖରେ ରହୁଥାଏ ପଦ୍ମା ମା’, ଆମମାନଙ୍କର ସମୟ ହୋଇଆସିଲେ ପଦ୍ମା ମା’କୁ ଜଗେଇ ଦେଇ ଚାଲି ଯାଉଥିଲୁ ସାଜ ଘରକୁ ।

 

ମୁଁ ଟିକଟ ଯାଞ୍ଚ୍ କରି ମହିଳାମାନଙ୍କୁ ଗୋଟି ଗୋଟି କରି ଦର୍ଶକ ଗୃହକୁ ଛାଡ଼ୁଥିଲାବେଳେ ହଠାତ୍ ଦେଖିଲି ଦୁଇଜଣ ସ୍ତ୍ରୀଲୋକ ମୋତେ ଠେଲି ଦେଇ ଭିତରକୁ ପଶିଗଲେ-। ମୁଁ କିଛି ପ୍ରଥମେ ବୁଝିପାରିଲି ନାହିଁ । କୋଉଠି ସେ ଦୁହେଁ କେତେ ଚଞ୍ଚଳ ଯାଇ ଅନ୍ୟମାନଙ୍କ ସାଙ୍ଗରେ ବସିପଡ଼ିଲେ, କିଛି ଜାଣିପାରିଲି ନାହିଁ । ମନକୁ ସାନ୍ତ୍ୱନା ଦେଇ ନିଜ କର୍ତ୍ତବ୍ୟ କରିବାରେ ଲାଗିଲି । କେବଳ ଛାତିରେ କେମିତି ଏକ ଯନ୍ତ୍ରଣା ଅନୁଭବ କରୁଥିଲି । କାରଣଟି ହେଲା–ସ୍ତ୍ରୀ ଲୋକ ଦୁଇଟି ମୋତେ ଠେଲି ପଶିଲାବେଳେ ସେଥି ଭିତରୁ କିଏ ଜଣେ ମୋର ଛାତିଟାକୁ ବେଶ୍ ଦଳିଦେଇ ଯାଇଥିଲା ।

 

ସେଦିନର ସେଇ ଅର୍ଥହାନି, ଶରୀରପୀଡ଼ାକୁ ଭୁଲି ନ ଯାଇ ଆଗାମୀ ସମୟ ପାଇଁ କିନ୍ତୁ ସତର୍କ ରହିଲି । ଏ ଘଟଣା ଯେ ସେଠାରେ ଗୋଟିଏ ଦିନପାଇଁ ଘଟିଲା ସେକଥା ନୁହେଁ । ପ୍ରାୟ ଲାଗେ ଲାଗେ ଅନେକ ଦିନ ଘଟିଲା ପରେ ମୁଁ ସେହି ମହିଳା ଦୁଇଜଣଙ୍କୁ ଆବିଷ୍କାର କରିବାକୁ ସକ୍ଷମ ହେଲି । ହଠାତ୍ ଦିନେ ସେ ଦୁହେଁ ମୋତେ ପେଲିଦେଇ ଭିତରକୁ ପଶିଗଲା ବେଳକୁ ମୁଁ ନିଜେ ମଧ୍ୟ ସେମାନଙ୍କ ଠେଲାର ପ୍ରତିରୋଧ ନ କରି ତାଙ୍କରି ସାଙ୍ଗରେ ମିଶି ଶ୍ରେଣୀ ଦ୍ଵାର ଛାଡ଼ି ଭିତରକୁ ପଶିଯାଇ ଧରିଲି ଦୁହିଁଙ୍କୁ । ଆଉ ମୋ ଆଖିକୁ ଫାଙ୍କି ଦେଇ ସେମାନେ ପଳେଇଯିବାର ଉପାୟ ନ ଥିଲା । ତା’ପରେ ସେମାନଙ୍କୁ ଟିକଟ ମାଗିବାରୁ, ଅତି ଅସୁବିଧା ଅନୁଭବ କରି ନୀରବରେ ଠିଆ ହୋଇ ରହିଲେ ଦୁହେଁ I ଲକ୍ଷ୍ୟ କଲି, ଆଖିରେ ତାଙ୍କର ଥିଲା ଯେମିତି ଦୁନିଆଯାକର ଦୈନ୍ୟତା ।

 

ସେମାନେ ଥିଲେ–ଗୋଟିଏ ଡାଳର ଦୁଇଟି ଫୁଲପରି । ଗୋଟିଏ ସେଥିରୁ ଯୌବନ–ରଙ୍ଗ ହଜେଇ ଅର୍ଦ୍ଧ ମଉଳା ଓ ଆଉ ଗୋଟିଏ ମୁକୁଳିତ ଯୌବନ–ରଙ୍ଗର ଅଧିକାରିଣୀ–ଜଗତର ସମସ୍ତ ଶୋଭା ସମ୍ପଦର କେନ୍ଦ୍ରବିନ୍ଦୁ । ମାତ୍ର ସେହି ଶୋଭା ସମ୍ପଦରେ ଆକୃଷ୍ଟ ହୋଇ କେହି ଉଦ୍‌ଭ୍ରାନ୍ତ ଅଳି ଯେପରି ତା’ର ସ୍ପର୍ଶର ସ୍ମାରକୀ ରଖିଗଲା ପରି ମନେ ହେଉଥିଲା ।

 

ମୋର କଠୋରତା ସେମାନଙ୍କ ନିକଟରେ ସେଦିନ ହାର୍ ମାନିଲା । ମୁଁ ଶେଷରେ ନିଜେ ଚୋର ସାଜି ସେମାନଙ୍କୁ ଆସନରେ ବସେଇଦେଲି । ମୋର ସେ ଅପରାଧ ପାଇଁ ମୁଁ ନିଜେ ଦାୟୀ ରହି କେବଳ ଗୋଟିଏ ଦୀର୍ଘନିଶ୍ଵାସ ମାରିଲି । ତା’ପରେ ? ତା’ପରେ ଖବର ପାଇଲି ସେମାନେ ରୂପଜୀବୀ । ଘର ତାଙ୍କର ସେଇ ନିକଟରେ । ଝିଅଟି ନାଁ ଥିଲା–“ହାଉଡ଼ି”। ଆଉ ସାଙ୍ଗରେ ଥିବା ପୌଢ଼ାଜଣକ ଝିଅର ଆଈ । ସେଇ ଆଈର ନିର୍ଦ୍ଦେଶରେ ନାତୁଣୀକୁ ଓହ୍ଲେଇ ଯିବାକୁ ପଡ଼ିଛି ତଳକୁ, ଅତି ତଳକୁ ।

 

ଏଥର କାହିଁକି କେଜାଣି ‘ହାଉଡ଼ି’ ଓ ତା’ର ଆଈକୁ ମଞ୍ଚ ଗେଟ୍ ନିକଟରୁ ଅନେକ ଦୂରରୁ ଦେଖି ମଧ୍ୟ ମୁଁ ସେମାନଙ୍କର ଆସିବା ବାଟକୁ ସଫା କରିଦେଲି । ମାଗଣାରେ ଅଭିନୟ ଦେଖା ସାଙ୍ଗକୁ କିଛି ଚା’ ଜଳଖିଆ ମୋ ନିକଟରୁ ଝଡ଼େଇବା ଲାଗି ଆଉ ତାଙ୍କୁ କଷ୍ଟ କରିବାକୁ ପଡ଼ିଲା ନାହିଁ । ମୁଁ ମଧ୍ୟ ସେଥ‌ିରେ ନିଜକୁ ଧନ୍ୟ ମନେକଲି ।

 

କେବଳ ମଦ ନିଶା ଯେ ମଣିଷକୁ ପଶୁ କରିଦିଏ, ସେକଥା ଯେତିକି ସତ୍ୟ, ତା’ଠାରୁ ଆହୁରି ସତ୍ୟ, ଏଇ ତରୁଣୀ ନିଶା । ମଣିଷକୁ ସମ୍ପୂର୍ଣ୍ଣ ଜୀବନ ଥାଉ ଥାଉ ଭୂତ କରି ଛାଡ଼େ । ମୁଁ ରାତି ଦିନ ‘ହାଉଡ଼ି’ ଚିନ୍ତାରେ ପାଗଳ ହେଲି । ଦିନେ ହଠାତ୍ ପଇସାପତ୍ର ପକେଟ୍‌ରେ ପୂରେଇ ରାତି ଅଧରେ ‘ପ୍ଲେ’ ଭାଙ୍ଗିଯିବାର କେତେ ଘଣ୍ଟା ଛାଡ଼ି, ‘ହାଉଡ଼ି’ ଘର ଦାଣ୍ଡ କବାଟରେ ଠକ୍ ଠକ୍ କଲି । ଦୁଆର ଖୋଲିଲା; ଦେଖିଲି ‘ହାଉଡ଼ି’ ଆଈ ହାତରେ ଗୋଟିଏ ଲଣ୍ଠନ ଧରି ମୋ ଆଗରେ ଠିଆ । ମୋ ମନରେ ସିଂହର ବଳ ମାଡ଼ି ଆସିଲା । ଯେମିତି ଅତି ଆପଣାର ମନର ମଣିଷ ପାଇଗଲି । ଆଈ କିନ୍ତୁ ମୋତେ ଦେଖି ନ ଚିହ୍ନିଲା ପରି ଭାବ ଦେଖେଇଲା । ଅବଶ୍ୟ ସେଥ‌ିରେ ମୋର ଆଶ୍ଚର୍ଯ୍ୟ ହେବାର ଅବସର ନ ଥିଲା । ସାଙ୍ଗେ ସାଙ୍ଗେ ଖୁବ୍ ତରତର ହୋଇ କହିପକେଇଲି–

 

“ଆଜି ରାତିଟା ଏଇଠି ରହିବି ।”

 

“ନା, ରାତି ସାରା ରହିଲେ ପୁଲିସ ଜାଣିବ ।”

 

“ତେବେ କେତେ ଘଣ୍ଟାପାଇଁ ?”

 

“ସାଢ଼େ ତିନିଟାରୁ ଚାଲିଯିବାକୁ ପଡ଼ିବ ।”

 

“କେତେ ଦେବାକୁ ହେବ ?”

 

“ଦଶ ଟଙ୍କା ।”

 

“ସାତ ଟଙ୍କା ।”

 

“ହଉ ଆସ, କବାଟ ବନ୍ଦ କରିବି ।”

 

ଟିକିଏ ସୁଦ୍ଧା ପୁରୀର ଦୁର୍ଘଟଣା କଥା ମନକୁ ଛୁଇଁଲା ନାହିଁ । ନିର୍ବିକାର ଚିତ୍ତରେ ଆଈ ପଛେ ପଛେ ତାଙ୍କ ଘରକୁ ପଶିଲି । ବେଡ୍‌ରୁମ୍ (ଶୟନକକ୍ଷ) ସୁନ୍ଦର । ପରିବେଶ ନିର୍ମଳ । ଅଧିକ ଚାକଚକ୍ୟ ନ ଥିଲେ ହେଁ ବେଶ୍ ରୁଚିପୂର୍ଣ୍ଣ । ଖଟ ଉପରେ ଧଳା ବିଛଣା, ପାଖରେ ପିକଦାନୀ, ହାତ, ମୁହଁ ଧୋଇବାକୁ ପିତ୍ତଳ କୁଣ୍ଡ । ଝାଲେରି ଲଗା ରଙ୍ଗୀନ ତାଳପତ୍ର ପଙ୍ଖା, କାଚ ଥାଳିଆରେ ଭଙ୍ଗାପାନ, ତକିଆ ଉପରେ ସୁନ୍ଦର ତଉଲିଆ, ଆଉ କ'ଣ ?

 

ଶୋଇବା ଘରଟି ଦେଖେଇ ଦେଇ ‘ଆଈ’ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା । ମୁଁ ଠିକ୍ ଖଟ ଉପରେ ବସିବାକୁ ଯାଉଛି, ପଛରୁ କାହାର କଣ୍ଠସ୍ଵର ଶୁଣିବାକୁ ପାଇ ଚମକି ଠିଆ ହେଲି । ବୁଲିପଡ଼ି ଚାହିଁଲି, ହାଉଡ଼ି ମୋତେ ସମ୍ବୋଧନ କରି କହୁଛି–କ’ଣ ଖାଇବେ ?”

 

ମୁଁ ମୋର ଅନିଚ୍ଛା ପ୍ରକାଶ କରି ଖଟ ଉପରେ ବସିପଡ଼ିଲି । ହାଉଡ଼ି ମୋ ନିକଟରୁ ବିଦାୟ ନେଲା । ମନେ ମନେ କେତେ କଥା ଭାବିଗଲି । ଦ୍ୱିତୀୟ ଥରପାଇଁ ମୁଁ ରୂପଜୀବୀ ଘରେ ଅତିଥି ହୋଇଥିଲେ ବି, ଏଥର କାହିଁକି ମୋତେ ପ୍ରଥମ ଥର ଭଳି ଭୟ ଲାଗୁ ନଥିଲା । ତେବେ ମନଟା ଯେ ଖୁବ୍ ଚଞ୍ଚଳ ଥିଲା ଏକଥା ନିରାଟ ସତ୍ୟ ।

 

କିଛି ସମୟ ପରେ ହାଉଡ଼ି ତା’ର ହାତରେ ପାଣି ଢାଳେ ଧରି ଘରକୁ ପ୍ରବେଶ କଲା ଏବଂ ଆମ ଶୋଇବା ଘରର କବାଟ ବନ୍ଦ କଲା । ଠିକ୍ କବାଟଟା ଯେତିକି ଜୋରରେ ବନ୍ଦ ହେଲା ଠିକ୍ ସେତିକି ଜୋରରେ ମୋର ଛାତି ଭିତରଟା କାହିଁକି ଦମ୍‌ଦମ୍ କରି ଉଠିଲା । ଅନୁଭବ କଲି ଦେହରେ ଉତ୍ତାପଟା ହଠାତ୍ କେମିତି ବଢ଼ିଉଠିଲା ଭଳି । ଟିକିଏ ପୂର୍ବରୁ ଏସବୁ ଲକ୍ଷଣ ମୋର କିଛି ନ ଥିଲା । ହାଉଡ଼ି ପାଦ ପୋଛି ଖଟ ଉପରକୁ ଉଠିଲା ଏବଂ ମୋତେ ବିଛଣା ଉପରେ ଗଡ଼େଇଦେଇ ନିଜେ ଶୋଇପଡ଼ିଲା ।

 

ଇସ୍, କ’ଣ କହିବି ସେ ଅନୁଭୂତି କଥା । ମୋର ସମସ୍ତ ଦେହସାରା ଯେମିତି ବୈଦ୍ୟୁତିକ ଶକ୍ତି ଖେଳିଗଲା ପରି ମନେହେଲା । ମୁଁ ଉଠି ବସିଲି । ସମସ୍ତ ଉତ୍ସାହ କୁଆଡ଼େ ଉଭେଇଗଲା । ବାର ବାର ମନ ଭିତରେ କିଏ ଯେମିତି କହିଉଠିଲା–ଗୋଟାଏ ଉଦ୍ଦିଷ୍ଟ ଯୌବନ ପ୍ରତି ତୋର ଏ ଅନୁରାଗ କାହିଁକି ? ଥରେ ଗୋଟାଏ ରୂପଜୀବୀ ନିକଟରୁ ପରାସ୍ତ ହୋଇ କାହିଁକି ପୁଣି ଏ ତୁଚ୍ଛ ଲାଳସା ?

 

ଲଣ୍ଡନର କ୍ଷୀଣ ଆଲୋକରେ “ହାଉଡ଼ି’ର ନଗ୍ନ ଦେହଟା ଆଖିରେ ମୋର ଏକ କଙ୍କାଳର ରୂପ ନେଲା । ବୁଝିପାରିଲି ନାହିଁ ଏ ଘଟଣା ପୂର୍ବରୁ ସେଇ ତରୁଣୀଟି ପ୍ରତି ଏତେ ଆକୃଷ୍ଟ ହେବାର ଅସଲ କାରଣଟା କେଉଁଠି ? କାହାର ଆକର୍ଷଣରେ ମୁଁ ଆକର୍ଷିତ ? ମୋର ଧ୍ୟାନ ଭାଙ୍ଗିଦେଇ ‘ହାଉଡ଼ି’ ମୋତେ ଝିଙ୍କି ତା’ ଉପରକୁ ଟାଣିନେଲା । ଅନୁଭବ କଲି ବକ୍ଷରେ ତା’ର ଦଳିତ ଶତଦଳ ନିଜର ଦାମ୍ଭିକତା ହରେଇ ରୁଗ୍‌ଣ, ଶିଥିଳ; ତୁଳନା କଲି ମନେ ମନେ ପୁରୀର ସେହି ପୀଡ଼ିତା ରୂପଜୀବୀ ସହିତ ବର୍ତ୍ତମାନର ରୂପଜୀବୀ ‘ହାଉଡ଼ି’କୁ । ଉଭୟେ ଗୋଟିଏ ପଥର ଯାତ୍ରୀ, ଦୁହିଁଙ୍କର ସମାନ ଦଶା । ଅନ୍ୟର ଅକାଳ ଆକ୍ରମଣରେ ଦୁହେଁ ଲାଞ୍ଛିତା, ଲୁଣ୍ଠିତା ।

 

ବ୍ୟର୍ଥ ପ୍ରୟାସ । ସେ ଅଗ୍ନି ପରୀକ୍ଷାରେ ମୋର ଦେହ ଓ ମନ ସମ୍ପୂର୍ଣ୍ଣ ଧ୍ଵଂସ ପାଇଗଲା ଭଳି ଜଣାଗଲା । ପ୍ରଣୟର ମଧୁ ମାଦକତା ଏତେ ଟିକିଏ ସୁଦ୍ଧା ମୋର ଅନ୍ତରକୁ ସ୍ପର୍ଶ କରିପାରିଲା ନାହିଁ । ପୁଣି ‘ହାଉଡ଼ି’ ଦେହରେ ଭାରା ଦେଇ ଉଠି ବସିଲି । ବାହାରେ କିମ୍ବା ଘରେ ସେତେ ଗରମ ନଥିଲେ ମଧ୍ୟ ଦେହର ଲୁଗାପଟା ଝାଳରେ ଓଦା ହବାକୁ ଲାଗିଲା । ‘ହାଉଡ଼ି’ ମଧ୍ୟ ମୋର ଅବସ୍ଥାକୁ ଲକ୍ଷ୍ୟ କରି ଶୋଇପାରିଲା ନାହିଁ, ଉଠି ବସିଲା ସେ । କ’ଣ ମୋର ହେଇଛି, କ’ଣ ମୁଁ ଚାହୁଁଛି, ତା’ର ଅନୁସନ୍ଧାନ ଲାଗି କୋଳରେ ମୋର ତା’ର ମୁଣ୍ଡ ରଖୁ ଶୋଇପଡ଼ି ଚାହିଁଲା ମୋ ମୁହଁକୁ ।

 

ସମୟ ସହିଲା ନାହିଁ । ଆମ କବାଟରେ ଲାଗିଲା ଠକ୍ ଠକ୍ ଶବ୍ଦ । ମୋତେ ଜଣେଇ ଦିଆଗଲା, ମୋର ଚୁକ୍ତିର ସମୟ ହୋଇଯାଇଛି, ଏ ଘର ଛାଡ଼ିବାକୁ ପଡ଼ିବ । ମନକୁ ଆଉ ଏକ ଚିନ୍ତା ଗ୍ରାସ କଲା । ରୂପଜୀବୀ ଘରକୁ ପ୍ରବେଶ କରିବାଟା ଯେତିକି ସୁବିଧା, ରୂପଜୀବୀ ଘରୁ ପ୍ରସ୍ଥାନ କରିବାଟା କିନ୍ତୁ ସେତିକି ସୁବିଧା ନୁହେଁ ବୋଲି ମୋର ଧାରଣା ହେଲା । ପରନ୍ତୁ ଆସିବା ଓ ଯିବା ସେଇ ଦୁଇଟି ମୁହୂର୍ତ୍ତକୁ ବାଦ୍ ଦେଲେ, ରୂପଜୀବୀ ଘରେ ରହିବା ମୁହୂର୍ତ୍ତ ହେଲା ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଅବସ୍ଥା; ବଡ଼ ଯନ୍ତ୍ରଣାଦାୟକ କିନ୍ତୁ ।

 

ଉଠି ଠିଆ ହେଲି । ଲକ୍ଷ୍ୟ କଲି–‘ହାଉଡ଼ି’ ଯେମିତି ଖୁବ୍ ଭଙ୍ଗା ମନ ନେଇ ଯାଇ ଦୁଆରଟି ଖୋଲିଲା । ମୁହଁଟି ତା’ର ଶୁଖିଯାଇଥିଲା ପରି ଦେଖାଯାଉଥିଲା । ପକେଟରୁ ସାତୋଟି ଟଙ୍କା ବାହାର କରି ‘ହାଉଡ଼ି’ ହାତରେ ଧରେଇ ଦେଇ ବାହାରି ଆସିଲି ଦାଣ୍ଡକୁ ।

 

ଏତିକିରେ ମୋର ମନର ଖିଆଲ ତୁଟି ନ ଥିଲା । ଲାଗେ ଲାଗେ ତିନିଦିନ ଠିକ୍ ସେଇ ସମୟରେ ଯାଇଥିଲି–ଏବଂ ଦେବୀ ଦର୍ଶନ କରି ସାତ ଟଙ୍କା କରି ଦକ୍ଷିଣା ଦେଇ ଘରକୁ ଫେରିଥିଲି-। ଏପର୍ଯ୍ୟନ୍ତ ଆଉ ସେପରି କୌଣସି ରୂପଜୀବୀ ଘରକୁ ଯିବାର ଦୁଃସାହସ କରିପାରି ନାହିଁ-। ଅବଶ୍ୟ ସୁବିଧାସୁଯୋଗ ଯେ ମିଳି ନ ଥିଲା ସେକଥା ନୁହେଁ, ମାତ୍ର ଆଉ ସେ ଯାତ୍ରାର ପୁନରାବୃତ୍ତି କରିବାକୁ ବିବେକ ନିଷ୍ଠୁର ଇଙ୍ଗିତ ଦେଲା ।

 

ମୋତେ ଯେ ପ୍ରତ୍ୟେକ ସ୍ଥାନରେ ଜନସାଧାରଣଙ୍କ ତରଫରୁ ବହୁ ପ୍ରଶଂସା ମିଳୁଥିଲା ଏକଥା ମୁଁ ଅନେକ ବାର ଆପଣଙ୍କୁ କହିଆସିଛି ଏବଂ ସେଥିଲାଗି ସବୁବେଳେ ମୁଁ ଯେ ମୋର ପୃଷ୍ଠପୋଷକମାନଙ୍କ ନିକଟରେ ଚିର କୃତଜ୍ଞ ଏହା ନିରାଟ ସତ୍ୟ । କାଳେ କେତେବେଳେ କୌଣସି ବ୍ୟକ୍ତିବିଶେଷଙ୍କର ମୁଁ ଯେମିତି ଘୃଣାର ପାତ୍ର ନ ହୋଇଯାଏ, ତା’ପାଇଁ ସର୍ବଦା ସତର୍କ ଥାଏ ମୁଁ । ଯୋଉଠିକୁ ଆମ ଦଳ ଅଭିନୟ ପାଇଁ ଯାଉଥାଏ, ସେଠାରେ ମୁଁ ଅନୁଷ୍ଠାନକୁ ଛାଡ଼ି ଅଲଗା ରହୁଥିଲେ ମଧ୍ୟ ନିଜ ଚରିତ୍ର ପ୍ରତି ନିଜେ ଅତି ତୀକ୍ଷ୍ଣ ନଜର ରଖିବାକୁ ପଡ଼ୁଥିଲା । ତଥାପି ଗୋଟିଏ ସ୍ଥାନରେ ଏକ ପ୍ରକାଣ୍ଡ ଭୁଲ କରିଦେଇ ବସିଲି ।

 

ଯାହା ଅନ୍ୟାୟ, ଯାହାକୁ କି ଅସାମାଜିକ କାର୍ଯ୍ୟ ବୋଲି ଗଣ୍ୟ କରାଯାଇପାରେ ସେହିଭଳି ଏକ କାମକୁ ମୁଁ ନିଃସଂକୋଚ ଭାବରେ କରିବସିଲି । ଆମର ଅଭିନୟ ଲାଗି ଯୋଉଠି ପେଣ୍ଡାଲଟି ତିଆରି ହେଇଥିଲା, ଠିକ୍ ତା’ର ପାଖକୁ ଗୋଟିଏ ପୋଖରୀ ଉପରେ ଥ‌ିବା ଖଣ୍ଡେ ଏକତାଲା କୋଠା ଘରେ ମୁଁ ମୋର ପୂର୍ବ ବନ୍ଧୁ କେଇଜଣଙ୍କୁ ନେଇ ରହୁଥାଏ । ସେଇ ବସାକୁ ଲାଗି ଗୋଟିଏ ଚିତ୍ରଶିଳ୍ପୀଙ୍କ ଘର । ଶିଳ୍ପୀଙ୍କ ନାଁ'ଟି ପାସୋରି ପକେଇଛି; ମାତ୍ର ତାଙ୍କର ସ୍ନେହପୂର୍ଣ୍ଣ ବ୍ୟବହାର ଏପର୍ଯ୍ୟନ୍ତ ଭୁଲିପାରି ନାହିଁ । ଆମର ମେସ୍ କିନ୍ତୁ ପେଣ୍ଡାଲଠାରୁ ଅନେକ ଦୂରରେ ଥିଲା-। ଯେତେ ଅସୁବିଧା ହେଲେ ମଧ୍ୟ ଆମେମାନେ ସେଠାକୁ ଯାଇ ଖାଇ ଆସିବାକୁ ବାଧ୍ୟ ହେଉଥିଲୁ-I ମହିଳା ଶିଳ୍ପୀମାନେ ସେଇ ମେସ୍‌ରେ ରହୁଥିଲେ ।

 

ଯୋଉ କେତେକ ସମୟ ପାଇଁ ମୁଁ ସେଠାକୁ ଯେତେବେଳେ ଯାଉଥିଲି, ମୋ ଆଖରେ ପଡ଼ୁଥିଲା ଏକ ଅବଗୁଣ୍ଠିତା ପ୍ରତିଭାମୟୀ ନାରୀର ରୂପ । ଅଙ୍ଗେ ଅଙ୍ଗେ ତା’ର ଲାବଣ୍ୟର ଢେଉ । ବିବାହିତା ସେ । ଉଜ୍ଜ୍ୱଳ କପାଳରେ ସିନ୍ଦୂର–ବିନ୍ଦୁ ଦେଖୁ ମଥା ମୋର ନଇଁ ଯାଉଥିଲା । କିନ୍ତୁ ଆଶ୍ଚର୍ଯ୍ୟ, ମୋ ଉପରେ ତା’ର ଦୃଷ୍ଟି ପଡ଼ିବା କ୍ଷଣି ଦୃଷ୍ଟି ତା’ର ଫେରେଇ ନଉନଥିଲା ସେ । ତା’ର ଦୃଷ୍ଟିରେ ଥିଲା କ’ଣ ଗୋଟାଏ ଖୋଜିଲା ଖୋଜିଲା ଭାବ । ପ୍ରଥମ ଦେଖାରେ କିନ୍ତୁ ତା’ର ଦୃଷ୍ଟି ସମ୍ବନ୍ଧରେ ମୁଁ ଏକଥା ମନକୁ ଆଣି ନ ଥିଲି । କିଛିଦିନ ଦେଖାସାକ୍ଷାତ ପରେ ବୁଝିଥିଲି, ସେ କେବଳ ମୋରି ଅନୁସନ୍ଧାନରେ ଆମ ମେସ୍‌କୁ ଆସୁଛି । ଅବଶ୍ୟ ପୁରୁଷମାନଙ୍କ ଅପେକ୍ଷା ବାନ୍ଧବୀ ସଂଗ୍ରହ କରିବାରେ ନିଶ୍ଚିତ ଭାବରେ ନାରୀ ଆଗୁସାର ।

 

ଦିନେ ମେସ୍‌କୁ ଖାଇବାକୁ ଯାଉଛି, ଠିକ୍ ମେସ୍ ଫାଟକ ନିକଟରେ ଥିବା ପକ୍କା କୂଅରୁ ବୋହୂଟି ପାଣି ନଉଥ‌ିବାର ଦେଖିଲି । ସାଙ୍ଗରେ ତା’ର ଆମ ଅନୁଷ୍ଠାନର ଛୋଟ ଝିଅ ପଦ୍ମାର ସାନ ଭଉଣୀ । ସ୍ଥାନଟି ବେଶ୍ ନିଛାଟିଆ ଥିଲା ମୋ ଭାଗ୍ୟକୁ । ପିଲାଟିକୁ ପଛରୁ ଡାକିଲି । ମୋର ଡାକରେ ସେ ବୋହୂଟି ମଧ୍ୟ ଫେରି ଚାହିଁଲା ଓ ତା’ର ତୀକ୍ଷଣ କଟାକ୍ଷରେ ଲାଜଭିଜା ଅନେକ ଶବ୍ଦହୀନ ଭାଷା ପ୍ରୟୋଗ କରି, ଅତି ଚଞ୍ଚଳ ଗତିରେ ଅନ୍ତର୍ଦ୍ଧାନ ହୋଇଗଲା ।

 

ଝିଅଟିକୁ ପଚାରି ବୁଝିଲି, ନାଁ ତା’ର ‘ରାଧା’ । ମେସ୍‌କୁ ଲାଗି ରାଧାର ଘର । ସ୍ଵାମୀ ତା’ର ସତୁରି ବର୍ଷର ବୃଦ୍ଧ । ରୁଗ୍‌ଣା ଅନ୍ଧୁଣୀ ଶାଶୁ । କ୍ଷୁଦ୍ର ଦୁର୍ବଳ ସଂସାର । ଅନ୍ନ ଚିନ୍ତାପାଇଁ ବୃଦ୍ଧ ଗୋଟିଏ ସିନେମା ଗୃହରେ ଚାକିରି କରେ । ସବର୍ଣ୍ଣ ସେମାନେ । ନିଃସନ୍ତାନ ଯୋଗୁଁ ବୃଦ୍ଧ, ପ୍ରଥମାଙ୍କ ମୃତ୍ୟୁ ପରେ ଦ୍ୱିତୀୟାଙ୍କୁ ଗ୍ରହଣ କରିଛନ୍ତି । ରାଧା ଆମର ଅଭିନେତ୍ରୀମାନଙ୍କ ସମ୍ପର୍କରେ ଆସି ପ୍ରତିଦିନ ମାଗଣାରେ ଅଭିନୟ ଦେଖିବାର ସୁଯୋଗ ପାଏ । କଳା ଅନୁରାଗିଣୀ ସେ, ବୁଦ୍ଧିମତୀ । ଅଭିନୟରେ ଏତେଦୂର ମୁଗ୍ଧା ସେ, ସେଥିଲାଗି ମୋତେ ସେ ଅଭିନନ୍ଦନ ଜଣେଇବାକୁ ସୁଯୋଗରେ ଥିଲା । ମାତ୍ର କୂଳ ଭୂଆଷୁଣୀ ସେ, ତା’ ପାଇଁ ଥିଲା ସାମାଜିକ ପ୍ରତିବନ୍ଧନ ।

 

ରାଧା ଯେ ଅଧିକାଂଶ ସମୟ ଆମ ମେସ୍‌କୁ ଆସୁଥିଲା, କେବଳ ମୋତେ ଖୋଜିବାକୁ-। ମୋତେ ରଙ୍ଗମଞ୍ଚରେ ଦେଖି ତା’ର ଅତୃପ୍ତ ଆତ୍ମା ଯେପରି ଶାନ୍ତି ପାଇପାରୁ ନ ଥିଲା । ଅନ୍ଧୁଣୀ ଶାଶୁଙ୍କୁ ବାହାନା ଦେଖେଇ ଅଭିନେତ୍ରୀମାନଙ୍କ ମେଳରେ ଆଳାପ ଜମଉଥିଲା I ଆମମାନଙ୍କର ଖାଇବା ବେଳକୁ ସେ ଯେମିତି ଠିକ୍ ଠିକ୍ ଭାବରେ ତା’ର ହୃଦୟର ଘଣ୍ଟାକଣ୍ଟାରେ ପୂରାପୂରି ପରଖ୍ ନେଇଥିଲା । ନିର୍ଭୁଲ ଗଣନା ।

 

ମୁଁ କ’ଣ କରିବି ? କଳାକାର ଜୀବନଟା ଯେତିକି ପବିତ୍ର ସେତିକି ଯେ କଳୁଷିତ ସେକଥା ମୁଁ ମର୍ମେ ମର୍ମେ ଅନୁଭବ କଲି । ସତ କହିବାକୁ ଗଲେ, ଖାଲି ‘ରାଧା’ ନୁହନ୍ତି, ତାଙ୍କ ପରି ଅନେକ ‘ଅନୁରାଧା’, ‘ଲତିକା’, ‘ମାଳତୀ’ ମୋର କଳାନଳରେ ପତଙ୍ଗ ପରି ଝାସ ଦେବାକୁ ନୀରବ ଆହ୍ଵାନ ଜଣେଇଛନ୍ତି ଏବଂ ମୋର କଳାସେବାର ପବିତ୍ରତାକୁ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । ତାହା ପ୍ରକାଶ କରି ଲାଭ ନାହିଁ । ଆଉ ଏକଥା ମଧ୍ୟ ନିରାଟ ସତ୍ୟ ଯେ, ଆମମାନଙ୍କର ଯାଯାବର ପରି ଅବସ୍ଥା ସେସବୁ ପରିସ୍ଥିତିରେ ବେଶ୍ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଛି । ଘଟଣାଟି ପାକଳ ହେଲାବେଳକୁ କ୍ୟାମ୍ପ୍ ବଦଳିର ଘଣ୍ଟି ବାଜି ଉଠିଛି ।

 

ଝିଅଟି ନିକଟରୁ ସମସ୍ତ ତଥ୍ୟ ସଂଗ୍ରହ କରୁଛି, ଆମରି ସାମନା ଦେଇ ରାଧା ତା’ର ଓଢ଼ଣା ଟାଣି ମେସ୍ ଭିତରକୁ ଚାଲିଗଲା । ଝିଅଟିକୁ ସାଙ୍ଗରେ ଧରି ମୁଁ ମଧ୍ୟ ମେସ୍‌କୁ ଗଲି । ବିରାଟ ଦୋତାଲା କୋଠା । ଅଭିନେତ୍ରୀମାନେ ରହୁଥା’ନ୍ତି ଉପରତାଲାରେ । କେତେ ଚଞ୍ଚଳ ସେଇ ପ୍ରକାଣ୍ଡ ଘରଟାରେ ରାଧା ନିଜକୁ ହଜେଇଦେଲା, ମୁଁ ତା’ର ସତ୍ତା ସୁଦ୍ଧା ପାଇଲି ନାହିଁ ।

 

ସେଦିନ ସେମିତି ଗଲା । କିଛି ଦିନ ଭିତରେ, ଚୋରା ଚୋରା ଚାହାଣୀ ମାଧ୍ୟମରେ ରାଧା ଆଉ ମୋର ସମ୍ପର୍କ କ୍ରମେ କ୍ରମେ ବଢ଼ିଉଠିଲା । ଅବଶ୍ୟ ସେ ସମ୍ପର୍କ ଦୂରରୁ ଦୂରରୁ ଥିଲା I ସେପର୍ଯ୍ୟନ୍ତ ଆମେ ଦୁହେଁ ଅତି ନିକଟରେ କେବେ ହେଇନଥିଲୁ । ମୋ ବିଚାର ଥିଲା ତୁଚ୍ଛ କାମଠାରୁ ଦୂରେଇ ରହି ପ୍ରଣୟର ନିକଟବର୍ତ୍ତୀ ହେବା । ଏଇ ଦୃଷ୍ଟିରୁ ରାଧାକୁ ଦୂରରୁ ଦେଖି ବେଶ୍ ଶାନ୍ତିରେ ରହୁଥିଲି । କିନ୍ତୁ ହଠାତ୍‌ ଦିନେ ସେ ଶାନ୍ତିରେ ବ୍ୟାଘାତ ଜନ୍ମିଲା । ଅସମୟରେ ଠିକ୍ ସନ୍ଧ୍ୟାବେଳରେ ନିମନ୍ତ୍ରଣ ପାଇଲି ରାଧା ନିକଟରୁ ଅପ୍ରତ୍ୟାଶିତ ଭାବରେ । ବାର୍ତ୍ତା ଦେଲା ସେଇ ଛୋଟ ଝିଅଟି ।

 

ଅଭିନୟ ଆରମ୍ଭ ହେବାକୁ ବେଶ୍ କିଛି ବେଳ ବାକିଥାଏ । ଯୋଉ ନାଟକଟି ହେବାର ଥାଏ, ସେଥିରେ ମୋର କିଛି ଅଂଶ ନ ଥାଏ । ମାତ୍ର ଦ୍ଵାରପାଳ କାମ କରୁଥାଏ । ପଦ୍ମା ମା’ଙ୍କୁ ଗେଟ୍‌ରେ ଜଗେଇ ଦେଇ, ଅନ୍ୟମାନଙ୍କୁ ଛପି ଧାଇଁଲି ମେସ୍ ନିକଟରେ ଥିବା ରାଧା ଘରକୁ । ସାଙ୍ଗରେ ଥିଲା ସେଇ ଝିଅଟି । ମେସ୍‌ରେ କେବଳ ପୂଜାରୀ, ଚାକର ଛଡ଼ା ଅନ୍ୟ କେହି ସଞ୍ଜ ବୁଡ଼ିଲେ ରହୁନଥିଲେ ।

 

ଠିକ୍ ପ୍ରଧାନ ସଡ଼କକୁ ଲାଗି ରାଧାର ଘର । ସଡ଼କରେ ବିଜୁଳିବତି ଆଲୁଅର ବ୍ୟବସ୍ଥା ଥିଲେ ମଧ୍ୟ ରାଧା ଘର ପାଖଟା ସବୁବେଳେ ଅନ୍ଧାରୁଆ । ବୁଝିଲି ରାଧାର ବୃଦ୍ଧ ସ୍ଵାମୀ ଦିନ ଥାଉଁ ଥାଉଁ ସିନେମା ଗୃହକୁ ଚାଲିଯାଏ । ଘରେ କେବଳ ଅନ୍ଧୁଣୀ ଶାଶୁ । ରାଧାର ନିର୍ଦ୍ଦେଶରେ ଝିଅଟି ମୋତେ ତାଙ୍କର ବାରିପଟ ବାରଣ୍ଡାକୁ ନେଇଗଲା ଏବଂ ରାଧା ପାଣିଢ଼ାଳ ଧରି ପାଇଖାନାର ବାହାନା କରି ଅନ୍ୟ ବାଟେ ଆସିଲା । ହେଲା ଅତି ନିକଟରେ ଆମ ଉଭୟଙ୍କର ମୁହାଁମୁହିଁ ସାକ୍ଷାତ୍‌-

 

ଗୋରା ତକତକ ସୁନ୍ଦର ମୁହଁଟି, ସବୁ ଯେମିତି ସଦ୍ୟ, ଅମଳିନ । ଖୁବ୍ ସତର୍କ ରହି ଗୋଟିଏ ଦୁଇଟି କଥା ପଚାରିଲି, ମାତ୍ର ଉତ୍ତର ପାଇଲି ନାହିଁ । ନୀରବ ପରିବେଶ ଭିତରେ ଦୁଇଟା ପ୍ରାଣ ଗୋଟାଏ ହୋଇଗଲା । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଉଦ୍‌ଭ୍ରାନ୍ତ ହୃଦୟ ଦୁଇଟା ପରସ୍ପରକୁ ଅତି ନିବିଡ଼ ଭାବରେ କୁଣ୍ଢେଇ ଧରିଲା । ଏଠାରେ ନଥିଲା ମୋର ବିଫଳତା, ଭୟ ବା ଉତ୍ତେଜନା-। ଅବସ୍ଥା ଥିଲା ଖୁବ୍ ସ୍ୱାଭାବିକ । କିନ୍ତୁ ସେଇ ଅଧା ଆଲୁଅ, ଅଧା ଅନ୍ଧାର ଭିତରେ ରାଧା ଆଖିରୁ ଧାରାଶ୍ରାବଣ ଛୁଟୁଥିବାର ଦେଖିଲି । କାହିଁକି ତାର ସେ ମର୍ମଫଟା କ୍ରନ୍ଦନ ? କିଏ ଦେବ ତାର ଉତ୍ତର ?

 

କିଛି ସମୟ ପରେ, ବହୁ କଷ୍ଟରେ ରାଧାର ବାହୁ ଫାଶରୁ ନିଜକୁ ମୁକ୍ତ କଲି । ରାଧା ଯେପରି ନିଜକୁ ହଜେଇ ଦେଇଥିଲା, କାରଣ ତାର ବାହୁବନ୍ଧନର କଠିନତା, ବେଶ୍ ଭଲ ଭାବରେ ମୋତେ ସୂଚେଇ ଦଉଥିଲା । ଅନୁଭବ କରୁଥିଲି, ଏ ଅନୁଭୂତି ଯେପରି ମୋର ସର୍ବପ୍ରଥମ ଏବଂ ସର୍ବଶେଷ । ଅନ୍ଧୁଣୀ ଶାଶୁ ଏତିକିବେଳେ ଘରେ କ’ଣ ଗୋଟାଏ ଫୋପାଡ଼ି ଦେଇ ବସିଲା । ଆମେମାନେ ସେଇ ଶବ୍ଦରେ ନିଜର ଚେତନା ଫେରିପାଇଲୁ । ନିଜକୁ ସଂଯତ କରି ଯୋଉ ବାଟଦେଇ ଯାଇଥିଲି, ସେଇ ବାଟ ଦେଇ ସଡ଼କ ଉପରକୁ ଉଠିଆସିଲି । ଏତେବେଳେ କିନ୍ତୁ କାହିଁକି କେଜାଣି ଭୟ ଆଉ ଆଶଙ୍କା, ଉତ୍ତେଜନା ଦଳବଦ୍ଧ ଭାବରେ କୁଆଡ଼ୁ ଆସି ମନକୁ ମୋର ଆକ୍ରମଣ କରିବସିଲେ ? ଅସଲ ମୁହୂର୍ତ୍ତରେ ଏସବୁ କେହି ତ ନଥିଲେ ?

 

ଝିଅଟି ଆସି ସାଙ୍ଗରେ ମିଶିଲା । ଏକା ନିଶ୍ଵାସରେ ପାଦ ପକେଇଲୁ ଆଗକୁ ଆଗକୁ, ନିଜର ଲକ୍ଷ୍ୟସ୍ଥଳକୁ ।

 

ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ପ୍ରଥମଥର ପାଇଁ ଯେତେଗୁଡ଼ିଏ ସ୍ଥାନକୁ ଗଲା, ସବୁଠାରେ ପାଇଲା ଅର୍ଥ ଏବଂ ଖ୍ୟାତି । ଶ୍ରୀ ସୋମନାଥ ଦାସ ଓ ଶ୍ରୀ ଲିଙ୍ଗରାଜ ନନ୍ଦଙ୍କ ଭିତରେ ବଢ଼ି ଉଠୁଥାଏ ତିକ୍ତତା-। ଉଭୟ ଥାନ୍ତି ଛକାପଞ୍ଝାରେ । ଏଇ ଭ୍ରମଣକାଳ ଭିତରେ ଆମେ ଦେଖିବାର ସୁଯୋଗ ପାଇଥିଲୁ ଶିଳ୍ପ ନଗରୀ ଜାମସେଦ୍‌ପୁର ଏବଂ ବାରିପଦାର ବିଖ୍ୟାତ ଛଉ ନୃତ୍ୟଦଳ ।

 

ଛଉ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ ସେତେବେଳର ମୟୂରଭଞ୍ଜ ରାଜ୍ୟର ମହାରାଜା ଏବଂ ମହାରାଣୀ । ଚୈତ୍ର ମାସରେ ଏହି ନୃତ୍ୟ ରାଜନଅରରେ ଅନୁଷ୍ଠିତ ହେଉଥିଲା । ଗୋଟିଏ ଦିଗରେ ମହାରାଜାଙ୍କ ଦଳ ଓ ଅନ୍ୟ ଗୋଟିଏ ଦିଗରେ ମହାରାଣୀଙ୍କ ଦଳ । ଉଭୟ ଦଳ ପରସ୍ପର ଭିତରେ ପ୍ରତିଦ୍ଵନ୍ଦ୍ୱିତା ମନୋଭାବ ରଖି ନୃତ୍ୟ ମଣ୍ଡପରେ ଅବତୀର୍ଣ୍ଣ ହେଉଥିଲେ । କି ସୁନ୍ଦର ସେ ଦୃଶ୍ୟ ! ଦର୍ଶକର ମନ, ପ୍ରାଣ ନୃତ୍ୟର ଶେଷ ପର୍ଯ୍ୟନ୍ତ ବନ୍ଦ ହୋଇ ରହୁଥିଲା I ନର୍ତ୍ତକ, ନର୍ତ୍ତକୀମାନଙ୍କର ଭଙ୍ଗୀ ସହିତ ଅପୂର୍ବ ପଦଚାଳନା ଦେଖି ନୟନ ବିସ୍ମିତ ହୋଇଯାଉଥିଲା । ବାଦ୍ୟକାରମାନଙ୍କର ବାଦ୍ୟଝଙ୍କାର ହୃଦୟରେ ଆଲୋଡ଼ନ ସୃଷ୍ଟି କରୁଥିଲା ।

 

ଛଉ ନୃତ୍ୟ ଯେ ଉତ୍କଳର ଶ୍ରେଷ୍ଠ ନୃତ୍ୟ, ଏକଥା ମୋ ମତରେ ନିଃସନ୍ଦେହ । ନଟରାଜ ନୃତ୍ୟ, କୀରାତ ନୃତ୍ୟ, କାଳିଦଳନ ନୃତ୍ୟ ପ୍ରତ୍ୟେକଟିରେ ରହିଛି ମଧୁର ଛନ୍ଦ, ଯାହା ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ନୃତ୍ୟରେ ଦେଖିବା ବିରଳ । ଛଉର ବିଶେଷତଃ ହେଲା ଅଙ୍ଗଚାଳନା ଓ ମୁଦ୍ରାସର୍ବସ୍ଵ । ଏକକ ନୃତ୍ୟଠାରୁ ଦଳଗତ ନୃତ୍ୟ ବିଶେଷ ଦ୍ରଷ୍ଟବ୍ୟ । କାରଣ ନର୍ତ୍ତକ ଏବଂ ନର୍ତ୍ତକୀମାନଙ୍କର ଦେହ, ହସ୍ତ, ପଦ ଏତେଦୂର ଶୃଙ୍ଖଳିତ ଯେ ତାହା ଯେମିତି ଗୋଟିଏ ଲୋକର ନୃତ୍ୟପରି ମନେହୁଏ । ଛଉ ନୃତ୍ୟରେ ଏହି ମେଳ ଯୋଗୁଁ, ନୃତ୍ୟକୁ ଏତେ ସଫଳତା ମିଳିବାରେ ସାହାଯ୍ୟ କରିଥାଏ ।

 

ଛଉ ନୃତ୍ୟର ଷ୍ଟେପିଙ୍ଗ୍ ଏକ ସ୍ୱତନ୍ତ୍ର ଧରଣର । ତାହା ଏପରି ସଂଯତ ଓ ନିର୍ଭୁଲ ଯେ, ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଆଉ ମଧ୍ୟ ଛଉ ନୃତ୍ୟ ଏଭଳି କଷ୍ଟସାଧ୍ୟ ଯେ, ତାହାକୁ ଆୟତ୍ତ କରିବାପାଇଁ ଯେ’ ସେ ନୃତ୍ୟକାରୀଙ୍କ ପକ୍ଷରେ କେବେହେଲେ ସମ୍ଭବ ନୁହେଁ । କାରଣ ଛଉ ନୃତ୍ୟ ଲାଗି ନର୍ତ୍ତକ ଶିଶୁ ଅବସ୍ଥାରୁ ବିଭିନ୍ନ ଅଙ୍ଗଭଙ୍ଗୀ ଓ ମୁଦ୍ରାର ତାଲିମ ପାଇବାକୁ ହୁଏ । ଅବଶ୍ୟ ପ୍ରତ୍ୟେକ ନୃତ୍ୟ ଲାଗି ଯେ ତାଲିମ ନେବାକୁ ପଡ଼େ ଏକଥା ନିରାଟ ସତ୍ୟ । ତଥାପି ମୁଁ ଯେତିକି ଦେଖିଛି ଓ ଜାଣିଛି ସେଥିରୁ ମୋର ଧାରଣା, ଛଉ ନୃତ୍ୟପାଇଁ ଏକ କଠିନ ତାଲିମର ବ୍ୟବସ୍ଥା ଥିଲା-। ଦକ୍ଷ ନୃତ୍ୟଗୁରୁଙ୍କ ଦ୍ଵାରା ସେଇ ତାଲିମ ମଧ୍ୟ ଦିଆଯାଉଥିଲା । ଆଉ ମଧ୍ୟ ଛଉ ନୃତ୍ୟ ଏକ ବ୍ୟୟବହୁଳ ନୃତ୍ୟ–ଏ ନୃତ୍ୟରେ ରୀତିମତ ବ୍ୟାୟାମ ଦରକାର, ଏଣୁ ଗୁଡ଼ିଏ ପିଲାଙ୍କୁ ଏକ ସଙ୍ଗରେ ତାଲିମ ଦେବାବେଳେ ସେମାନଙ୍କର ଅଙ୍ଗରେ ମାଲିସ୍ ପାଇଁ ଯେତିକି ପରିମାଣର ଖାଣ୍ଟି ସୋରିଷତେଲ ଦରକାର, ସେତିକି ପରିମାଣର ବିଶୁଦ୍ଧ ପୁଷ୍ଟିକର ଖାଦ୍ୟ ଦରକାର ।

 

ମୟୂରଭଞ୍ଜ ମହାରାଜାଙ୍କ ପାଲେସ୍ ଭିତରେ ବହୁ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ବସିରହି ମୁଁ ନୃତ୍ୟ ଉପଭୋଗ କରୁଥିଲି ଏବଂ ଭାବୁଥିଲି ଏପରି ଏକ କଳାକୁ ରାଜା ମହାରାଜାଙ୍କ ପରେ ବଞ୍ଚେଇ ରଖିବ କିଏ ? କାରଣ ସେ ସମୟକୁ ଦେଶର ଯୋଉ ପରସ୍ଥିତି ଉପୁଜିଥିଲା, ସେଥ‌ିରେ ଦିନେ ନା ଦିନେ ଯେ ଏଇସବୁ କଳାର ପୃଷ୍ଠପୋଷକ ରାଜା, ଜମିଦାରମାନେ ସେମାନଙ୍କର ସମସ୍ତ ପ୍ରତିପତ୍ତି ହରେଇ ଅନ୍ୟ ସାଧାରଣଙ୍କ ଭିତରେ ଜଣେ ହେବେ, ଏକଥା ମୋତେ ଜଳଜଳ ଦିଶୁଥିଲା ।

 

ବାରିପଦା ଛଉ ନୃତ୍ୟ ଦେଖିବା ପୂର୍ବରୁ, ଥରେ କଲିକତାଠାରେ ଷଢ଼େଇକଳା ଯୁବରାଜ ଯାହାଙ୍କର ଖୁବ୍ ଅଳ୍ପ ବୟସରେ ସଲିଳ ସମାଧି ଘଟିଥିଲା, ତାଙ୍କର ବିଖ୍ୟାତ ମୟୂର ନୃତ୍ୟ ଦେଖିଥିଲି । ତଥାପି ମୁଁ କାହିଁକି ବାରିପଦା ଛଉ ନୃତ୍ୟକୁ ଉଚ୍ଚକୋଟିର ବୋଲି ମନେକରେ । ତା’ର ପ୍ରଧାନ କାରଣ ଥିଲା, ନୃତ୍ୟପାଇଁ ନର୍ତ୍ତକର ଯୋଉ ଅଙ୍ଗଟି ପ୍ରଧାନ ଏବଂ ଯାହା ଜରିଆରେ ନର୍ତ୍ତକ–ନର୍ତ୍ତକୀ ତାଙ୍କର ଭାବପ୍ରକାଶ କରନ୍ତି, ସେହି ଶ୍ରୀମୁଖକୁ ଷଢ଼େଇକଳା ନୃତ୍ୟରେ ‘ମୁଖା’ ଦେଇ ଢାଙ୍କିଦିଆଯାଏ । କେବଳ ଏଇ ଦୃଷ୍ଟିରୁ ମୋ ଆଖିରେ ମୟୂରଭଞ୍ଜ ଛଉ ନାଟ ବଡ଼ । ତା’ ନହେଲେ ଉଭୟ ଛଉ ପ୍ରାୟ ଏକାଭଳି ।

 

ଉତ୍ତର ଓଡ଼ିଶାର ଯେତେଗୁଡ଼ିଏ ସହରକୁ ଆମେମାନେ ନାଟକ ଅଭିନୟ କରିବାକୁ ଯାଇଥିଲୁ, ସେସବୁ ସ୍ଥାନ ଭିତରେ ଗୋଟିଏ ଖୁବ୍ କ୍ଷୁଦ୍ର ସ୍ଥାନ ରାଇରଙ୍ଗପୁର ଆମ କପାଳରେ ପିନ୍ଧେଇଦେଇଥିଲା ତାର ଅନ୍ତରର ଉଲ୍ଲାସପୂର୍ଣ୍ଣ ମଧୁମୟ ଲଗ୍ନରେ ବିଜୟର ଟୀକା । ସେହି ବିଜୟର ଟୀକା ବହନ କରି ଆମେ ହୋଇଥିଲୁ ଯେତିକି ଗର୍ବିତ, ସେତିକି ମାତ୍ରାରେ ବିସ୍ମିତ ମଧ୍ୟ । ପ୍ରଥମ କରି ଆମ ଅନୁଷ୍ଠାନ ଯେତେବେଳେ ସେଠାରେ ଡେରାପକେଇବା ଆରମ୍ଭ କଲା, ସେତେବେଳେ ସମସ୍ତେ ଆମେ ଅବସ୍ଥା ଦେଖି ଅନୁଭବ କଲୁ ସତେ ଯେମିତି ଏହି ସ୍ଥାନରେ ହିଁ ବି’ଗ୍ରୁପ୍‌ର ଲାଲବତୀ ଜଳିବ ।

 

ରାଇରଙ୍ଗପୁର, ମୟୂରଭଞ୍ଜ ରାଜ୍ୟର ଗୋଟିଏ ଆଦିବାସୀବହୁଳ ଅଞ୍ଚଳ ଥିଲା । ନିକଟରେ ସୁବର୍ଣ୍ଣରେଖା ନଦୀ । ବଜାର ବୋଇଲେ ସେମିତି ବଡ଼ଧରଣର କିଛି ନଥିଲା । କେବଳ କେତେଗୁଡ଼ିଏ ଅଣଓଡ଼ିଆଙ୍କର ବେପାର ବଣିଜ ପାଇଁ କୋଠା ଘର ଓ ତାର ପାଖାପାଖି କେତେକ ପାନ, ବିଡ଼ି ଆଉ ଡାଲି, ଚାଉଳ ଦୋକାନ । ବିଶେଷକରି ଜଙ୍ଗଲଜାତ ଦ୍ରବ୍ୟସବୁ ଆଦିବାସୀମାନଙ୍କଠାରୁ ଅଳ୍ପ ମୂଲ୍ୟରେ ସଂଗ୍ରହକରି, ସେଇ ଦ୍ରବ୍ୟକୁ ଚଢ଼ା ମୂଲ୍ୟରେ ରପ୍ତାନି କରି, ଅଣଓଡ଼ିଆ ବ୍ୟବସାୟୀମାନେ ଖୁବ୍ ଶୋଷଣର ଜାଲ ମେଲି ଦେଇଥିଲେ । ତେବେ ରାଇରଙ୍ଗପୁରର ଅଳ୍ପ ଦୂରରେ ଗୋରୁମହିଷାଣି ଓ ବାଦାମ ପାହାଡ଼, ଲୁହାପଥର ଖଣିଅଞ୍ଚଳ ।

 

ରାତି ପାହିଲେ ଏଠାରେ ଆକାଶରେ ଅନେକ କାଉ ଉଡ଼ନ୍ତି । ୟା’ଛଡ଼ା ସୁବର୍ଣ୍ଣରେଖା ନଦୀ ଧାରରେ କୋଉଠି କେମିତି ଜଣେ ଅଧେ ଦେଖାଯାନ୍ତି ଆଦିବାସୀ ମହିଳା । ଏପରି ଅବସ୍ଥାକୁ, ଆମ ଦଳ ସହିତ ବିବାଦ ମନୋବୃତ୍ତି ଧରି ବାରିପଦାର କ୍ଷେତ୍ରମୋହନ ଟକିଜ, ତାର ଗୋଟାଏ ଟୁରିଙ୍ଗ୍ ସଂସ୍ଥାକୁ ପଠେଇ ଦେଇଥାଏ ବ୍ୟବସାୟରେ ଆମ ସହିତ ପ୍ରତିଯୋଗିତା କରିବାକୁ । ସବୁରି ମନ ଆମ୍ବିଳା ପଡ଼ିଯାଇଥାଏ । କ’ଣ ବା କରିବୁ ?

 

ସନ୍ଧ୍ୟା ଧୀରେ ଧୀରେ ନଇଁ ଆସିଲା । ରାଇରଙ୍ଗପୁରରେ ଆମର ପ୍ରଥମ ଅଭିନୟର ପ୍ରଥମ ସନ୍ଧ୍ୟା । ଆଲୋକ ଜଳିବା ସଙ୍ଗେ ସଙ୍ଗେ ଚତୁର୍ଦ୍ଦିଗରୁ ଶଗଡ଼, ମଟର, ଟ୍ରକ–ଦର୍ଶକ ବୋଝେଇକରି ଛୁଟି ଆସିଲେ ଆଖିସାମନାକୁ, ଠିକ୍ ଯେମିତି କୁହୁକୀ ତାର କୁହୁକ ପେଡ଼ିରୁ ଗୋଟାଏ ପରେ ଗୋଟାଏ ନାନାବର୍ଣ୍ଣର ବିଚିତ୍ର ବସ୍ତୁ ଆଖି ପଲକମାତ୍ରକେ ବାହାର କରିଦିଏ । ଚାହୁଁ ଚାହୁଁ ଜନଶୂନ୍ୟ ସ୍ଥାନଟା ଦଣ୍ଡକ ଭିତରେ ଜନଗହଳିରେ ପୂର୍ଣ୍ଣ ହୋଇଉଠିଲା । ଆମେ କେବେହେଲେ କଳ୍ପନା କରିନଥିଲୁ ଏତେ ଅଧ‌ିକ ପରିମାଣର ଜନସମାଗମ ହେବ ବୋଲି ।

 

ଗୋଟିଏ ପେଷାଦାର ଅଭିନୟ ସଂସ୍ଥାଲାଗି, ରାଇରଙ୍ଗପୁର ଏକ ଆଶା ଓ ଆଶ୍ୱାସନା କେନ୍ଦ୍ର ବୋଲି ଆମେମାନେ ବୁଝିଥିଲୁ । ଯେତେ ଦିନ ସେଠାରେ ଥିଲୁ ପ୍ରତ୍ୟେକ ଦିନ ଏକା ଅବସ୍ଥା, ପୂର୍ଣ୍ଣଗ୍ରାସ ଭୋଜନ । କିନ୍ତୁ ବିଚରା କ୍ଷେତ୍ରମୋହନ ଟକି ପ୍ରତିଦିନ ଅଧାପେଟ ଖାଇ, ଚାରି, ପାଞ୍ଚଦିନ ଆଲୁଅ ଜାଳି, ସ୍ପିକର ବଜେଇ ସେଠାରୁ ପ୍ରାଣଘେନି ପଳାୟନ କରିଥିଲା ।

 

ତା’ପର କିଛି ଦିନ ପରେ ପହଞ୍ଚିଥିଲୁ ଟାଟା ନଗରରେ, ଭାରତର ବିଖ୍ୟାତ ଇସ୍ପାତ ନଗର । ସୁନ୍ଦର ସୁସଜ୍ଜିତ ସହର । ଏହା ଓଡ଼ିଶାର ମାଟି ହେଲେ ହେଁ ଦୁର୍ବଳ ଭାତ–ଶକ୍ତିକୁ ପରାହତ କରି, ଛତୁ–ଶକ୍ତି ତାର ବାହୁବଳରେ ନିଜର କରି ବିଜୟ ଡିଣ୍ଡିମ ବଜେଇସାରିଛି । ଏଠାରେ ହଜାର ହଜାର ଓଡ଼ିଆ, ବିଦେଶୀ ଶ୍ରମିକ ରୂପରେ ପରିଗଣିତ । ଶ୍ରମିକନେତା ଶ୍ରୀଯୁକ୍ତ ବରୀ ଏଠାରେ ଅତି ଲୋକପ୍ରିୟ ।

 

ତପ୍ତି ରୋଡ଼ରେ ବିରାଟ ଅଟ୍ଟାଳିକା–ଉତ୍କଳ ଆସୋସିଏସନ୍ । ଚାରିପାଖରେ ତାର ବିସ୍ତୀର୍ଣ୍ଣ ପଡ଼ିଆ । ସେଇ ସ୍ଥାନଟି ରଙ୍ଗମଞ୍ଚ ଲାଗି ଆଗରୁ ମନୋନୀତ ହୋଇଥିଲା । ଆମର କ୍ୟାମ୍ପ୍ ପଡ଼ିଲା ସେହି ସ୍ଥାନରେ । ହଜାର ହଜାର ଓଡ଼ିଆଙ୍କ ଅକୁଣ୍ଠ ସାହାଯ୍ୟ ସହାନୁଭୂତି ଆମକୁ ଟାଣି ନେଇଥିଲା, ଏତେ ବଡ଼ ଶ୍ରମିକ ସହର ଜାମସେଦ୍‍ପୁରକୁ । ଆମେମାନେ ଭୁଲିଯାଇଥିଲୁ ଏଠାରେ ରାତି ପାହିଲେ ବେଳେବେଳେ ଶ୍ରମିକ ଅଶାନ୍ତିର ଯେଉଁ ବିସ୍ଫୋରଣ ଘଟେ । ଅଧିକନ୍ତୁ ଓଡ଼ିଆମାନଙ୍କ ଭିତରେ ଦଳାଦଳି ମନୋଭାବ ବେଶି ଥିଲାପରି ମନେ ହେଉଥିଲା । ଖଣ୍ଡାୟତ ଗୋଷ୍ଠୀ ଚାହୁଥିଲେ, କରଣ ଗୋଷ୍ଠୀର ପ୍ରତିପତ୍ତି ନଷ୍ଟ କରିବାକୁ । ସେହିପରି କରଣ ଗୋଷ୍ଠୀ ମଧ୍ୟ ନିଜର ସର୍ବଗ୍ରାସୀ ନୀତିବଳରେ ଚାହୁଥିଲେ ଖଣ୍ଡାୟତ ଗୋଷ୍ଠୀଙ୍କୁ ନିର୍ମୂଳ କରିବାକୁ । ବାକି ଯୋଉ ବ୍ରାହ୍ମଣ ସମ୍ପ୍ରଦାୟ ରହିଲେ, ସେମାନେ ତ ହେଲେ କୌଟିଲ୍ୟଙ୍କ ବଂଶଧର । ସେମାନେ ନୀରବ ରହି ମଜା ଦେଖୁଥିଲେ । ଏସବୁ ଦଳାଦଳି ଥାଇ ମଧ୍ୟ କେତେକ ଉଚ୍ଚମନା, ଜାତୀୟତା ପ୍ରେମୀ, ନିଃସ୍ଵାର୍ଥପର ଓଡ଼ିଆଙ୍କ ସାଙ୍ଗଠନିକ ଉଦ୍ୟମ ଫଳରେ ଓଡ଼ିଆଙ୍କ ଭିତରେ ଅନେକ ପରିମାଣରେ ଏକତା ରକ୍ଷାକରା ଯାଇ ପାରିଥିଲା ଏବଂ ଗୋଟିଏ ଶ୍ରମିକ–ସମସ୍ୟାବହୁଳ ଶିଳ୍ପ ନଗରୀରେ ଉତ୍କଳ ଆସୋସିଏସନ୍ ଭଳି ଏକ ବିରାଟ କିର୍ତ୍ତୀସ୍ତମ୍ଭ ମଥାଟେକି ପାରିଥିଲା । ଯେତେ ଯାହା ହେଉ ନା କାହିଁକି, ସମସ୍ତଙ୍କର କିନ୍ତୁ ଆମ ଦଳ ପ୍ରତି ରହିଥିଲା ସହାନୁଭୂତି, ସ୍ନେହ, ସର୍ବୋପରି ବନ୍ଧୁ ସଙ୍ଖୋଳାର ମନଭାବ । ଆମେ ମଧ୍ୟ ସେମାନଙ୍କୁ ଆମର ଜଣେ ଜଣେ ପୃଷ୍ଠପୋଷକ ବୋଲି ଗ୍ରହଣ କରି ନେଇଥିଲୁ ।

 

ସେ ସମୟରେ ଉତ୍କଳ ଆସୋସିଏସନ୍‌ର ରଙ୍ଗମଞ୍ଚ ଛଡ଼ା ଦର୍ଶକମାନଙ୍କ ଗୃହ ପ୍ରସ୍ତୁତ ହୋଇନଥିଲା । ଆମେ ଆମର ତମ୍ବୁ ଘେରେଇ ଅଭିନୟ ଆରମ୍ଭ କଲୁ । ସମସ୍ତ ବାଧା, ବିଘ୍ନକୁ ଅତିକ୍ରମ କରି ଗୋଟିଏ ପରେ ଗୋଟିଏ ନାଟକ ମଞ୍ଚସ୍ଥ କଲୁ । ଦର୍ଶକମାନଙ୍କ ଭିତରେ ଓଡ଼ିଆ, ଅଣଓଡ଼ିଆ ପ୍ରାୟ ପ୍ରତ୍ୟେକ ସମ୍ପ୍ରଦାୟର ଲୋକ ଆସୁଥିଲେ ଅଭିନୟ ଦେଖିବାକୁ । ଠିକ୍ ରଙ୍ଗମଞ୍ଚକୁ ଲାଗି ଷ୍ଟିଲ୍‌ କମ୍ପାନୀର ପ୍ରହରୀମାନଙ୍କର ଖୋଲୀ । ସେମାନେ ମଧ୍ୟ ବେଳେବେଳେ ଦଳବଦ୍ଧ ହୋଇ ଆସୁଥିଲେ ଓଡ଼ିଆ ନାଟକ ଦେଖିବାକୁ । ପ୍ରଚୁର ଅର୍ଥ ଆସୁଥାଏ ହାତକୁ । ଏତିକିବେଳେ ଝଡ଼ପରି ଦେଖାଦେଲେ ଅନୁଷ୍ଠାନର ମାଲିକ ଶ୍ରୀ ସୋମନାଥ ଦାଶ । ସମ୍ଭବତଃ ଅନୁଷ୍ଠାନର ଦୁର୍ନୀତି ସମ୍ପର୍କରେ ଶ୍ରୀଯୁକ୍ତ ଦାଶ ଆଗରୁ କିଛି ଖବର ପାଇଥିଲେ ।

 

ବାସ୍ତବ କ୍ଷେତ୍ରରେ ଅନୁଷ୍ଠାନରେ ସତକୁସତ ଦେଖାଦେଇଥିଲା ନାନା ବିଶୃଙ୍ଖଳା । ଅର୍ଥ ଉପାର୍ଜନ ହେଉଥିଲା ଭଲ, ମାତ୍ର କେତେକ ସ୍ଵାର୍ଥଲୋଭୀ ସେମାନଙ୍କ ସ୍ଵାର୍ଥ ଦିଗରେ ସେସବୁ ଅର୍ଥକୁ ଖଟଉଥିଲେ । ଆମେ ଅନ୍ୟାନ୍ୟ ଶିଳ୍ପୀ ସବୁ ତାର ପତ୍ତା ସୁଦ୍ଧା ପାଉନଥିଲୁ । ଆମେମାନେ କେବଳ ଗଣ୍ଡାଏ ଖାଇବା ଓ ଚାରଣା ଜଳଖିଆ ପଇସା ପାଉଥିବାବେଳେ, କର୍ଣ୍ଣଧାର ବାବୁମାନେ ନିଜନିଜର ମୂଲ୍ୟବାନ ଜାମା, ପେଣ୍ଟ, ନିଜ ଦାୟିତ୍ୱ ଅନ୍ୟମଥାରେ ଲଦି ସିନେମା ଦର୍ଶନ ଦିଗରେ ବେଶ ଖର୍ଚ୍ଚକରି ଚାଲୁଥିଲେ । କହିବ ତାଙ୍କୁ କିଏ ? ଅନୁଷ୍ଠାନକୁ ପରିଚାଳନା କରିବାର ଗୌରବ ଟୀକା କେବଳ ଯେ ସେଇମାନଙ୍କ ମଥାରେ ବିଧାତା ପିନ୍ଧେଇ ଦେଇଥିଲା ।

 

ଅତୀତରେ ମୁଁ ଲକ୍ଷ୍ୟ କରିଥିଲି କେବଳ ଜଣେ ବ୍ୟକ୍ତି ଅନ୍ୟମାନଙ୍କୁ ଶୋଷଣ କରୁଥିଲେ-। ମାତ୍ର ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌କୁ ଆସି ଲକ୍ଷ୍ୟକଲି ଏଠାରେ ବହୁ ଶୋଷଣକାରୀ ମୁଣ୍ଡ ଟେକିଛନ୍ତି-। ଏହା ଯେ ଆମ ପେଷାଦାର ରଙ୍ଗମଞ୍ଚ ପାଇଁ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି କହିବା ବାହୁଲ୍ୟମାତ୍ର । ଏହାର ଆଶୁ ପ୍ରତିକାର ଲାଗି କ'ଣ ଯେ କରାଯାଇପାରେ, ସେ ବିଷୟରେ ଚିନ୍ତାକରି ନିଜର ମଥା ବିଗାଡ଼ିବା ଛଡ଼ା ଅନ୍ୟ ପନ୍ଥା କିଛି ଖୋଜି ପାଇନାହିଁ ।

 

‘ବି’ଗ୍ରୁପ୍‌ରେ ଏଇସବୁ ଲୁଣ୍ଠନ–ବ୍ୟବସାୟ ସାଙ୍ଗକୁ ଚାଲିଥିଲା ନାରୀଧର୍ଷଣର ଘୋଡ଼ାଦୌଡ଼ ଏବଂ ସେଥ‌ିରେ ଜୟଯୁକ୍ତ ହେଉଥିଲେ ସେହି ଲୁଣ୍ଠନକାରୀ ଦଳ । କାରଣ ସେଇମାନଙ୍କ ନିକଟରେ ଥିଲା କଳାପଇସା । କୁହନ୍ତୁ ତ, ଗୋଟିଏ ପେନ୍ଥାରେ ପାଞ୍ଚୋଟି ଫୁଲ ଭିତରୁ ଯେବେ ତିନୋଟି ଫୁଲକୁ ରୋଗ ଗ୍ରାସ କରେ ତେବେ ଅନ୍ୟ ଫୁଲ ଦୁଇଟି କିପରି ସୁସ୍ଥ ରହିବେ ? ଜଣେ ଅଭିନେତା ଜଣେ ରାଜନୀତିଜ୍ଞ ହୋଇନପାରେ । ହେବା ଉଚିତ୍ ମଧ୍ୟ ନୁହେଁ । ମୋ ମତରେ ଯେ ଯୋଉ କାମକୁ ଜୀବନରେ ନିଜର କରି ବାଛିନେଇଛି ସେ ଠିକ୍ ସେଇ କାମରେ ତାର ସ୍ଥିରତା ରଖିବା ଦରକାର । ତା’ ହେଲେ ଦେଶରେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ଏବଂ ତା’ ନହେଲେ ମୁଁ ଡାକ୍ତର ହେବି, ଅନ୍ୟର ସେବା କରିବି ପୁଣି ଦରକାର ପଡ଼ିଲେ ନେତା ସାଜି ଅନ୍ୟକୁ ଶୋଷଣ କରିବି । ଏ କୋଉ ବିଚାର ? ଡାଆଣୀ ରୂପରେ ଅନ୍ୟକୁ ଗ୍ରାସ କରି ପୁଣି ଗୁଣିଆ ରୂପରେ ଅନ୍ୟଠାରୁ ତାକୁ ଝଡ଼େଇବା, କେବେହେଲେ ଦେଶପାଇଁ ତାହା ଅନୁକୂଳ ହେବ କି ? ଏଇ ନିଗୂଢ଼ତତ୍ତ୍ଵ ଟିକକ ଆମେ ବୈଦେଶିକ ଜାତି ନିକଟରୁ ଶିକ୍ଷାକରି ପାରିଲୁ ନାହିଁ ।

 

ଏଇସବୁ କାରଣରୁ ମୁଁ ଜଣେ ଅଭିନେତା ହୋଇ ଅନ୍ୟ ଚିନ୍ତା ମଥାରେ ପୂରେଇ ପାରୁନଥିଲି । ବାରକଥା ଶୁଣି, ବାରକଥା ଦେଖି ଯେତେବେଳେ ମୁଣ୍ଡକୁ ଅନ୍ୟ ଚିନ୍ତା ପଶୁଥିଲା, ସେତେବେଳେ ମୁଣ୍ଡ ମୋର ମୁଣ୍ଡ ହୋଇ ରହୁନଥିଲା । ସମୟେ ସମୟେ ହୋଇ ଉଠୁଥିଲି ଦୁର୍ମୁଖ-। ସେଇସବୁ ଦୁର୍ନୀତିଗ୍ରସ୍ତ ତଥାକଥିତ ପରିଚାଳକବର୍ଗଙ୍କୁ ସତ୍ୟ ସମାଲୋଚନା କରୁଥିଲି । ଏଇ ସମାଲୋଚନା ଦୃଷ୍ଟିରୁ କର୍ମକର୍ତ୍ତାଗଣ ମୋ ପ୍ରତି ବେଶ୍ ରୁକ୍ଷ ହୋଇ ଉଠୁଥିଲେ-। ଶ୍ରୀ ସୋମନାଥ ଦାଶଙ୍କ ଆଗମନ ଫଳରେ ତାଙ୍କ ନିକଟରେ ମୋ ବିରୁଦ୍ଧରେ ମଧ୍ୟ ଅନେକଗୁଡ଼ିଏ ମିଥ୍ୟା ଅଭିଯୋଗ ବାଢ଼ିଥିଲେ ।

 

ଦିନେ ସେଇ ଟାଟାରେ ଶ୍ରୀ ସୋମନାଥ ଦାଶ ଅନୁଷ୍ଠାନର କଳାକାରମାନଙ୍କ ସୁବିଧା, ଅସୁବିଧା ବିଷୟ ଜାଣିବା ପାଇଁ ଗୋଟିଏ ବୈଠକ ଡାକିଲେ । ରଙ୍ଗମଞ୍ଚ ଉପରେ ସମସ୍ତେ ବସିଲୁ । ସେଠାରେ କିନ୍ତୁ ସତ୍ୟର ଅଭିଯୋଗ କରିବା ଲୋକ କେବଳ ଜଣେ ଦୁଇ ଜଣ ଥିଲେ । ଅନ୍ୟମାନେ ସମସ୍ତେ ପ୍ରାୟ ସେହି ଦୁର୍ନୀତିଗ୍ରସ୍ତ ଦଳର ଥିଲେ । ହଠାତ୍ ମୋତେ ପ୍ରଶ୍ନ ହେଲା, ମୁଁ କୁଆଡ଼େ ଅନୁଷ୍ଠାନ ଛାଡ଼ିବାକୁ ସ୍ଥିର କରିଛି ।

 

ଏଭଳି ପ୍ରଶ୍ନ ମୋତେ ଆଶ୍ଚର୍ଯ୍ୟ କଲା । କାରଣ ମୁଁ ଦଳ ଛାଡ଼ିବାକୁ ସିଦ୍ଧାନ୍ତ ନେଇନଥିଲି-। ତେବେ ନୀରବ ହୋଇ ବସିନଯାଇ ଦୃଢ଼ତାର ସହିତ ଉତ୍ତର ଦେଲି–ହଁ, ମୁଁ ଛାଡ଼ିବାକୁ ଚାହେ, ଏପରି ଅବ୍ୟବସ୍ଥା ଭିତରେ ରହିବାକୁ ଇଚ୍ଛାକରେ ନା ।

 

ମୋର ଏପରି ଉତ୍ତର ପାଇବାକୁ ସମ୍ଭବତଃ ଶ୍ରୀଯୁକ୍ତ ଦାଶ କେବେହେଲେ ଆଶାକରି ନଥିଲେ । ଅଳ୍ପକ୍ଷଣ ଚୁପ୍ ରହିଯାଇ କହିଉଠିଲେ–ଏଥର କିଛି ଦରମା ତୁମର ବଢ଼େଇ ଦେବାକୁ ମୁଁ ବ୍ୟବସ୍ଥା କରିଛି, ଯାଅ ମନ କଷ୍ଟ କର ନାହିଁ ।

 

ବୈଠକରୁ ଉଠି ଆସିଲି, ମନେ ମନେ ଖୁବ୍ ହସ ଲାଗିଲା । ଭାବିଲି ଏପରି ପ୍ରତିଶ୍ରୁତି ତ ବହୁବାର ଶୁଣିଛି ଏବଂ ଏପର୍ଯ୍ୟନ୍ତ ବି ଦରମା ପଇଁଚାଳିଶ ଟଙ୍କାରୁ ଅଧିକ ବଢ଼ିପାରି ନାହିଁ । ଏକକାଳୀନ କେବେହେଲେ ଶହେ ଟଙ୍କା ହାତରେ ଧରିପାରି ନାହିଁ । ଆଜି ପୁଣି ମାଲିକ ଦରମା ବଢ଼େଇବାର ଘୋଷଣା କରୁଛନ୍ତି । ଏ ଘଟଣା ଥିଲା ଅନ୍ନପୂର୍ଣ୍ଣା ଥିଏଟରରେ ଆମମାନଙ୍କ ପକ୍ଷରେ ଏକ ହାସ୍ୟାସ୍ପଦ ଘଟଣା ।

 

ଜାମସେଦ୍‌ପୁରରେ ରହୁଥିଲେ ଆମ ଗ୍ରାମର ଗୋପନା ଭାଇ, ବୈକୁଣ୍ଠ ଦାଦି ଏବଂ ମୋର ବଡ଼ଭାଇଙ୍କ ସଢ଼ୁ ଶ୍ରୀ କାଶିନାଥ ମହାନ୍ତି । ଏମାନଙ୍କ ବ୍ୟତୀତ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ସେଠାକୁ ଯିବା ଫଳରେ ବନ୍ଧୁସଂଖ୍ୟା ବହୁ ପରିମାଣରେ ବଢ଼ିଯାଇଥିଲା । ସମସ୍ତେ ମୋର ସୁଖ ଦୁଃଖ ବୁଝୁଥିଲେ, ଭଲ ମନ୍ଦ ପଚାରୁଥିଲେ । ଅନୁଭବ କରୁଥିଲି ସେଠାକାର ପ୍ରତ୍ୟେକ ଓଡ଼ିଆଙ୍କର ମୋ ପ୍ରତି ଶୁଭେଚ୍ଛା ରହିଛି, ସ୍ନେହ ରହିଛି । ଉତ୍କଳ ଆସୋସିଏସନର ଶହ ଶହ ସଭ୍ୟମାନଙ୍କ ଭିତରେ ଥିଲେ ବହୁ ପ୍ରତିଭାଶାଳୀ କଳାକାର । ଏମାନେ ବିଦେଶରେ ନିଜର ଉଦର–ପୋଷଣ ଲାଗି କର୍ମ ବାଛିଥିଲେ ହେଁ କଳାପ୍ରତି ଯଥେଷ୍ଟ ଆଗ୍ରହ, ଉତ୍ସାହ ପ୍ରକାଶ କରୁଥିଲେ ।

 

ଦଶହରା, ଉତ୍କଳ ଆସୋସିଏସନର ମୁଖ୍ୟ ଉତ୍ସବ । ମଝିରେ ମଝିରେ କଳାକୁଞ୍ଜ, ପ୍ରଦର୍ଶନୀ ଇତ୍ୟାଦି କରାଯାଏ । ପୁଣି ପ୍ରତିବର୍ଷ ପ୍ରାୟ ବିଭିନ୍ନ ଓଡ଼ିଆ ନାଟକ ମଞ୍ଚସ୍ଥ ହୋଇଥାଏ । ଏମାନଙ୍କ ଭିତରେ ଥିଲେ ନୃତ୍ୟ ଶିଳ୍ପୀ, କଣ୍ଠ ଶିଳ୍ପୀ; ଅଭିନୟ ଶିଳ୍ପୀ ଗୋଟିଏ ନାଟକ ପାଇଁ ଯାହା ଯାହା ଦରକାର ସବୁ ପ୍ରାୟ ଥିଲା ସେଠାରେ ଏବଂ ନାଟକର ପ୍ରତ୍ୟେକ ବିଭାଗର ଦକ୍ଷ ଲୋକ ଥିଲେ ଶୁଣାଯାଏ । ଏଇସବୁ ସୁବିଧା ଥ‌ିବା ଯୋଗୁଁ, ଜାମସେଦ୍‍ପୁରରେ ଉତ୍କଳ ଆସୋସିଏସନର ଅବଦାନ ହୁଏ ସର୍ବଶ୍ରେଷ୍ଠ ଅବଦାନ । ଏପରିକି ମିଲନୀ କ୍ଲବ ମଧ୍ୟ ଏମାନଙ୍କ ସହିତ ଟକ୍କର ଦେଇପାରେନା ।

 

ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ଓ ମୋ ଭିତରେ ଥ‌ିବା ସମ୍ପର୍କ ଯେ ଦିନକୁଦିନ ଖରାପ ଆଡ଼କୁ ଗତି କରୁଥିଲା ଏ କଥାକୁ ଟାଟାର କେତେକ ବନ୍ଧୁ ବେଶ୍ ଭଲଭାବରେ ଉପଲବ୍ଧି କରୁଥିଲେ ଏବଂ ସେଇ ସାହସରେ ମୁଁ କେତେକଙ୍କୁ ଅନୁରୋଧ କରୁଥିଲି ମୋ ଲାଗି ସେଠାରେ ଖଣ୍ଡିଏ ଛୋଟ ଚାକିରି ବୁଝିଦେବାପାଇଁ । କେତେକ ମୋର ଅନୁରୋଧରେ ଆଶ୍ୱାସନା ଦେଇ ସମ୍ମତି ଜଣାନ୍ତି ଏବଂ ଆଉ କେତେକ ବୁଝେଇଦିଅନ୍ତି ଯେ ବର୍ତ୍ତମାନ ଅବସ୍ଥାରେ ଦଳ ତ୍ୟାଗ କରନ୍ତୁ ନାହିଁ କାରଣ ତା’ହେଲେ ଏଠାରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ନିନ୍ଦା ଲାଗିବ; ପରେ ସୁବିଧା ହେଲେ ଦଳ ଛାଡ଼ିବେ ।

 

ଦିନେ ଦୁଇ ଦିନ ରହିବାପରେ ପ୍ରୋପ୍ରାଇଟର ଶ୍ରୀଯୁକ୍ତ ଦାଶ ଆମ ନିକଟରୁ ବିଦାୟ ନେଲେ । ମୁଁ ମଧ୍ୟ ଯଥାରୀତିରେ ଆଗରୁ ଯେମିତି ଚଳୁଥିଲି, ସେମିତି ଚଳିଲି । ତେବେ ମୁଁ ଗୋଟାଏ କଥାକୁ ଲକ୍ଷ୍ୟକଲି; ଆଗରୁ ଯେପରି ମୋ ଉପରେ ଦଳର ଅନ୍ୟାନ୍ୟ ସହକର୍ମୀମାନେ ଗୋଟାଏ ତାଚ୍ଛଲ୍ୟ ଭାବ ପୋଷଣ କରୁଥିଲେ; ସେ ଭାବଟା ଅନେକାଂଶରେ ଯେମିତି କଟିଯାଇଛି, ଆଉ ତା’ ପରିବର୍ତ୍ତେ ଦେଖାଦେଇଛି ନୂଆ କଥା, ନୂଆ ଆଦର ସ୍ନେହ ।

 

ସେ ଭାବ ସେମାନଙ୍କର ମୋ ପ୍ରତି ଅନୁକୂଳ ଥିଲା କି ପ୍ରତିକୂଳ ଥିଲା, ସେ କଥା ମୁଁ ପ୍ରଥମେ ବୁଝି ପାରିନଥିଲି । ତେଣୁ ମୋର ସେଇ ପୁରୁଣା ସହଜ ସରଳ ଭାବରେ ଆଉ ଟିକିଏ ନିକଟ ହୋଇ ତାଙ୍କୁ ମୁଁ ଧରାଦେଇଥିଲି । କିନ୍ତୁ ମାଲିକଙ୍କ ନିର୍ଭରବାଣୀ ମୋ ପାଇଁ ଯାହାଥିଲା ତାହା ଟିକକ ଲାଗି ସୁଦ୍ଧା କାର୍ଯ୍ୟକାରୀ ହୋଇନଥିଲା । ଦରମା ମୋର ବଢ଼ି ନଥିଲା, କେବଳ ମନ ଭିତରେ ବେଳେବେଳେ କିଏ ମୋତେ ସାନ୍ତ୍ୱନା ଦଉଥିଲା–ହଁ, ଆଜି ଦରମା ନ ବଢ଼ିଲେ, କାଲି ତ ବଢ଼ିବ, ଦୁଃଖ କାହିଁକି ?

 

ଦିନ ଗଡ଼ିଯାଉଥାଏ । ଟାଟାରୁ ବିଦାୟ ନେଇ ଆସିଲୁ । ଆସିଲାବେଳେ ଆଉ କାହାକୁ କେତେ ଦୁଃଖ ଲାଗିଥିଲା କି ନଥିଲା ମୁଁ ଜାଣେ ନା, ମାତ୍ର ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି । ସେଠାରୁ ଆସିବାକୁ ଇଚ୍ଛା ମୋର ନଥିଲା । ସେଠାକୁ ଯିବା ଦ୍ଵାରା ଆମ ଅନୁଷ୍ଠାନର କିମ୍ବା ଅନୁଷ୍ଠାନରେ ଥ‌ିବା ବ୍ୟକ୍ତିବିଶେଷଙ୍କର ଯେତେଟା ଲାଭ ହୋଇନଥିଲା, ତା’ଠାରୁ ବେଶି ଲାଭ ହୋଇଥିଲା ମୋର । ଅନେକ ଅଜଣା ଅଶୁଣା ଲୋକଙ୍କ ସହିତ ପରିଚୟ ଘଟିଥିଲା, ବନ୍ଧୁତା ବଢ଼ିଥିଲା । ବହୁ ବନ୍ଧୁ ମୋତେ ନିଜର କରିପାରିଥିଲେ ଆଉ ମୁଁ ମଧ୍ୟ ଅନେକ ବନ୍ଧୁଙ୍କୁ ନିଜର କରିପାରିଥିଲି । ସେଠାରେ ମୁଁ ରହିଯାଇଥିଲେ ନିଶ୍ଚିତ ରୂପରେ ମୋର ଯେ ଦରିଦ୍ରତା ଦୂରହୋଇ ଆର୍ଥିକ ସ୍ଵଚ୍ଛଳତା ବୃଦ୍ଧି ପାଇଥାନ୍ତା, ଏହା ମୋର ସମ୍ପୂର୍ଣ୍ଣ ଧାରଣା ଜନ୍ମିଥିଲା । ଟାଟାର ପ୍ରାୟ ପ୍ରତ୍ୟେକ ଓଡ଼ିଆଙ୍କର ମୋ ପ୍ରତି ସହାନୁଭୂତି ରହିଥିଲା ।

 

ମୋ ଜୀବନରେ ପୁଣି ଦେଖାଦେଲା ଦ୍ୱିତୀୟ ଥର ପାଇଁ ସେଇ ଦାରୁଣ ବିପର୍ଯ୍ୟୟ । ଯୋଉଠି ବାଘର ଭୟ, ଠିକ୍ ସେଇଠାରେ ହିଁ ବୁଡ଼ିଲା ସଞ୍ଜ । ନିଜକୁ ସେ ବିପଦରୁ ବଞ୍ଚେଇବାକୁ ମୋର ଆଉ ଉପାୟ ନଥିଲା । ଅଗ୍ନିରେ ଝାସଦେବାକୁ ମୋର ମନ–ପତଙ୍ଗ ବ୍ୟାକୁଳ ହୋଇଉଠିଲା ।

 

ଯାହା କହିବାକୁ ଯାଉଛି ତାହା ଥିଲା ମୋ ପାଇଁ ଅତି ଅସ୍ଵାଭାବିକ, ଅପ୍ରତ୍ୟାଶିତ ବା ଆକସ୍ମିକ ଘଟଣା । ମୁଁ ଗୋଟାଏ ଚୋରାବାଲିରେ ଅଜାଣତରେ ପଡ଼ିଗଲି । ଆଉ ସେଇ ଚୋରାବାଲିକୁ, କେହି ଦୁର୍ବୃତ୍ତ ଯେପରି ତାର ଚକ୍ରାନ୍ତ ଜାଲରେ ଛନ୍ଦିପକେଇ ମୋତେ ଟାଣିନେଇଥିଲା । ଏହା, କାହାର ଇଚ୍ଛାକୃତ ଯୋଜନା ଥିଲା ବୋଲି ମୁଁ ନ ବୁଝିପାରି ସତର୍କ ରହିପାରି ନଥିଲି ।

 

ଅନ୍ନପୂର୍ଣ୍ଣାରେ ଯୋଉମାନେ ଅଭିନେତ୍ରୀ ହିସାବରେ ଅଭିନୟ କରୁଥିଲେ ସେମାନେ ସମସ୍ତେ ପ୍ରାୟ ଥିଲେ ଶରବିଦ୍ଧା ଆହତ ମୃଗୁଣୀଦଳ । ବୃନ୍ତଚ୍ୟୁତା । ସମାଜରେ ନିଜର ପ୍ରତିଷ୍ଠା ଲାଗି ବାଛିନେଇଥିଲେ ସେମାନେ ଉକ୍ତ ନାଟ୍ୟାନୁଷ୍ଠାନରେ ଅଧମ ଉଦ୍ଧାରଣ ପନ୍ଥାଟି । ଇଚ୍ଛା ଥାଉ ବା ନଥାଉ ଉପାୟହୀନା ହୋଇ, ଗଣ୍ଡିଏ ଖାଇ ଖଣ୍ଡିଏ ପିନ୍ଧି ଅଭିନେତ୍ରୀର ଆସନକୁ ଅଳଙ୍କୃତ କରୁଥିଲେ । ଦରମା ଯାହା ପାଉଥିଲେ ତାହା କିଛି ନୁହଁ, ମାତ୍ର ଉପରି ଯାହା ଅନ୍ୟମାନଙ୍କଠାରୁ ପାଉଥିଲେ ସେ ଥିଲା ବେଶ୍ ଉତ୍ତମ ଧରଣର । ଅବଶ୍ୟ ସେଇ ଉପରି ଅର୍ଥ ସେମାନଙ୍କ ନିକଟକୁ କେତେବେଳେ କେଉଁବାଟରେ ଆସୁଥିଲା ସେକଥା ବୁଝିବା ଆମ ପକ୍ଷରେ କଷ୍ଟକର ।

 

ଅଭିନେତ୍ରୀମାନଙ୍କ ଭିତରେ ଅନେକ ଥିଲେ ଚତୁରୀ, ଯୋଉମାନେ କି କଳାରେ ପ୍ରତିଷ୍ଠା ଲାଭପାଇଁ ଉଦ୍ୟମ ଚଳେଇବା ସଙ୍ଗେ ସଙ୍ଗେ ଜଣେ ଜଣେ ପୋଖତ କଳାକାରଙ୍କୁ ମୁଣ୍ଡଧାରଣା କରି ଅନୁଷ୍ଠାନରେ ସାମ୍ରାଜ୍ଞୀ ସାଜିଥିଲେ ଓ ଆଉ କେତେକ ପଳାଶଫୁଲ ପରି ଚହଟରଙ୍ଗ ଦେଖେଇ, ଅଭିନୟ କଳାରେ ଅଯୋଗ୍ୟା ସାଜି କେବଳ ୟା’ ତା’ ନିକଟରୁ ଅର୍ଥ ଶୋଷଣ କରୁଥିଲେ ।

 

ମୁଁ କିନ୍ତୁ ଉଭୟ ଗୋଷ୍ଠୀଙ୍କୁ ଘୃଣା କରୁଥିଲି । ମୋ ଉପରେ ବେଳେବେଳେ ଯେ ସେମାନଙ୍କର କଟାକ୍ଷପାତ ହୋଇନଥିଲା, ତା’ ନୁହେଁ । ମୁଁ ଏଥିଲାଗି ସତର୍କ ରହୁଥିଲି । ମୋର ବ୍ରତ ଥିଲା, କେବେ ଯେମିତି ଏମାନଙ୍କର ପାଲରେ ପଡ଼ି ନଯାଏ । ହୁଏତ ମୋର ଏଇ ଅଟଳପଣ ଯୋଗୁଁ ଦଳର ଅନ୍ୟାନ୍ୟ ସହକର୍ମୀମାନେ ମୋଟେ ବରଦାସ୍ତ କରୁନଥିଲେ । ସେଥିଲାଗି ସମ୍ଭବତଃ ସେଇ ଟାଟା କ୍ୟାମ୍ପରୁ ତାଙ୍କ ନିଜ ଗୋଷ୍ଠୀ ଭିତରେ ମୋତେ ସାମିଲ କରିବାପାଇଁ ଚକ୍ରାନ୍ତ ଚଳେଇଥିଲେ । ସମସ୍ତେ ତ ଅନୁଷ୍ଠାନରେ ଗୋଟିଏ ଗୋଟିଏ ନୀଳମଖା ଶୃଗାଳ ହୋଇଯାଇଥିଲେ-। ବାକି ମୁଁ ଏକା କାହିଁକି ଏଥିରୁ ବାଦ୍ ପଡ଼ିଯିବି, ଏଇ କାରଣରୁ ।

 

ଖୋର୍ଦ୍ଧାରେ କ୍ୟାମ୍ପ୍ ଚାଲିଥାଏ । ଆମେମାନେ ସମସ୍ତେ ପେଣ୍ଡାଲ୍‍ଠାରୁ ଅନେକ ଦୂରରେ ରହୁଥାଉ । ବେଶ୍ କିଛି ଦୂର । ପେଣ୍ଡାଲ୍‍କୁ ଯିବା ଆସିବା ପାଇଁ ଅନେକ ସମୟ ଲାଗିଯାଉଥିଲା । ବସା ଘରଟି ଥିଲା କୋଠାଘର । ରିହାର୍‌ସାଲ କିନ୍ତୁ ହେଉଥିଲା ପେଣ୍ଡାଲରେ । ନୂଆକରି ଶ୍ରୀ ଅଶ୍ଵିନୀ କୁମାର ଘୋଷଙ୍କର ଖଣ୍ଡିଏ ବହି ‘ଅଭିଷେକ’ ନାଟକ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ହାତକୁ ନେଇଥାଏ-। ସେଇ ନାଟକଟି କଟକ ଫେରିଗଲେ ସେଠାରେ ମଞ୍ଚସ୍ଥ ହେବାର ଅଭିପ୍ରାୟ ରଖି ବହିଟିର ପ୍ରସ୍ତୁତିରେ ସମସ୍ତେ ଲାଗିପଡ଼ିଥାନ୍ତି । ‘ଅଭିଷେକ’ ନାଟକରେ ମୋତେ କରାଯାଇଥାଏ ବୟକଟ୍-। ସେ ବୟକଟ୍‌ର ଉଦ୍ଦେଶ୍ୟ କ’ଣ ଥିଲା ସେକଥା କହିବା ମୋ ପକ୍ଷରେ କଷ୍ଟକର । ଅଭିଷେକ ନାଟକ ପୂର୍ବରୁ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍‌ରେ ଯେତେ ନାଟକ କରାଯାଇଥିଲା ସେଥ‌ିରେ ମୁଁ ହାସ୍ୟରସ ପରିବେଷଣକାରୀ ଅଭିନେତା ହିସାବରେ ଯଥେଷ୍ଟ ମୁଖ୍ୟ ସ୍ଥାନ ଅଧିକାର କରିଥିବା ସ୍ଥଳେ, କାହିଁକି କେଜାଣି ଅନୁଷ୍ଠାନର କର୍ମକର୍ତ୍ତାଗଣ ମୋତେ ଅଭିଷେକ ନାଟକରୁ ବାଦ୍‌ଦେଲେ, ତାହା ବୁଝିବା ପାଇଁ ବି ଚେଷ୍ଟା ସୁଦ୍ଧା କରିନଥିଲି ।

 

ସମସ୍ତେ ଚାଲିଯାନ୍ତି ପେଣ୍ଡାଲ୍‍କୁ । ମୁଁ କିନ୍ତୁ ସେହି ବସା ଘରେ ଦିନଯାକ ପଡ଼ିରହେ । କେବଳ ରାତିରେ ଅଭିନୟ କରିବାକୁ ଯାଉଥାଏ । ଏମିତି ସେଠାରେ କିଛିଦିନ ଯିବା ପରେ ହଠାତ୍ ଦିନେ ଦିନବେଳା ମୋର ବିଛଣାଟିରେ ମୁଁ ଗଡ଼ପଡ଼ ହେଉ ହେଉ ନିଦ ଲାଗିଯାଇଥାଏ । ନିଦ ଭାଙ୍ଗିଗଲା । ଚାହିଁଲି ସେପର୍ଯ୍ୟନ୍ତ କେହି ଶିଳ୍ପୀ ପେଣ୍ଡାଲ୍‍ରୁ ଫେରି ନାହାନ୍ତି ବସାକୁ । ବାରଟା ବାଜିଯାଇଥିଲା । ରନ୍ଧା ପ୍ରସ୍ତୁତି ସରିଥିଲା । କ’ଣ ଗୋଟାଏ ମହକ ମୋର ନାକରେ ଲାଗିଲା । ଆଶ୍ଚର୍ଯ୍ୟ, ଉଠି ବସିଲି । ଖୁବ୍ ଜୋରରେ, ଅତି ନିକଟରେ ସେ ମହକଟା ମୋତେ ମୁଗ୍ଧ କରିଦେଲା-। ଘରେ କେହି ନଥିଲେ । ରୋଷେଇ ଘରେ କେବଳ ପୂଜାରୀ ଚାକର । ଏତିକିବେଳେ ମୋର ଦୁଇ ଗାଲ ଉପରକୁ କିଛି ତିଳକ ପଦାର୍ଥ ବୋହିଆସିଲା ପରି ଅନୁଭବ କଲି । ହାତରେ ପୋଛି ଆଣିଲି ଏବଂ ବୁଝିଲି, ତାହା ଥିଲା ବେଣାଚେର ଅତର । ତୁଳାରେ ବୁଡ଼େଇ କିଏ ଖୋସି ଦେଇଥିଲା ମୋର ଦୁଇ କାନରେ । କିନ୍ତୁ–କିଏ ସେ ?

 

ଥର ଥର କରି ଅନେକଥର ଏ ଘଟଣା ସେଠାରେ ଘଟିଗଲା, ଅଥଚ ସେ ଚୋରକୁ ମୁଁ ଧରିପାରିଲି ନାହିଁ । ସେତେବେଳକୁ କାହାକୁ ପଚାରିବାର ଅବସ୍ଥାରେ ନଥିଲି ମୁଁ ।

 

ଆଉ ଦିନେ ଉପାୟ ମନକୁ ଆସିଲା । ଗାଲେଇ ଶୋଇଲି । ମୁଁ ମୋର ସୁଟ୍‌କେସ ଓ ବିଛଣା ଆଦି ରଖୁଥିଲି ଅନ୍ୟାନ୍ୟ ଶିଳ୍ପୀମାନଙ୍କଠାରୁ ଶେଷମୁଣ୍ଡରେ । ଦିନବେଳା ମଧ୍ୟ ସେ ଅଂଶଟା ଥିଲା ଅଳ୍ପ ଅନ୍ଧାରୁଆ । ସମୟ ଦଶ ବାଜିଲାରୁ ଜଣ ଜଣ ହୋଇ ପୁରୁଷ, ସ୍ତ୍ରୀ ପେଣ୍ଡାଲ୍‍କୁ ଚାଲିଲେ-। ମୁଁ ଆଖିବୁଜି ପଡ଼ିଥାଏ । କିଛି ସମୟ ଯାଇଛି ଠିକ୍ କାନପାଖରେ ମୋର କାହା ହାତର କାଚ ଶବ୍ଦ ଶୁଣିପାରିଲି ଓ କାନ ସନ୍ଧିରେ ମୋର ସେଇ ହାତର ନରମ ଆଙ୍ଗୁଳି ଦୁଇଟି କଣ ଖୋସିଦେଲା ପରି ଅନୁଭବ କଲି । ସାଙ୍ଗେ ସାଙ୍ଗେ ସେ ହାତଟିକୁ ଧରିବାକୁ ମନ କରୁ କରୁ... ବାସ୍‌, ଚମ୍ପଟ୍-। ଆଖି ମେଲି ଅନେଇଲି, ତରୁଣୀ ଅଭିନେତ୍ରୀଟି ଆଖି ପିଛୁଳାକେ ଧାଇଁ ପଳେଇଗଲା । ସମସ୍ତେ ସେତେବେଳକୁ ବସାରୁ ବାହାରିଯାଇଥିଲେ ।

 

ଯାହାହେଉ, ମୁଁ ସେହି ଚତୁରୀ ଅଭିନେତ୍ରୀଙ୍କୁ ଏତେ ଦିନପରେ ଚିହ୍ନି ନେଇଥିଲି ଏବଂ ମୋ ପ୍ରତି ତାଙ୍କର ଦୁର୍ବଳତା ଧରା ପଡ଼ିଯାଇଥିଲା । ସେଇ ଘଟଣା ପରଠାରୁ ବେଳେବେଳେ ତାଙ୍କର ମୋର ମୁହାଁମୁହିଁ ହୋଇଗଲେ ହଠାତ୍ ସେ ମୁହଁକୁ ତଳକୁ କରି ଦେଇ ମୋ ଆଗରୁ ଦୂରେଇ ଯାଉଥିଲେ । ଏ ଘଟଣାକୁ ଅନୁଷ୍ଠାନରେ ଅନ୍ୟ କେହି ଜାଣିଥିଲେ କି ନା ସେ ବିଷୟରେ ମୁଁ କିଛି ସନ୍ଧାନ ନେଉନଥିଲି । ମୋ ଉପରକୁ ଆଉ ଏକ ବିପଦ ଘନେଇ ଆସିଲା । ତରୁଣୀ ଅଭିନେତ୍ରୀଙ୍କ ଅପରିଣାମଦର୍ଶୀ କର୍ମ ଯୋଗୁଁ ଅନୁଷ୍ଠାନଟି ଭିତରେ ସେ ନିଜେ ନିଜକୁ ଚିହ୍ନା ନ ଦେଇ ମୋତେ କିନ୍ତୁ ଚିହ୍ନାଇଦେଲେ–ମୁଁ ହେଉଛି ସେ ପ୍ରେମଜନିତ ଅପରାଧର ଅସଲ ଅପରାଧୀ ।

 

ଆଗରୁ କହିଛି, ତରୁଣୀଟି ମୋର ଅଜାଣତରେ ମୋ କାନରେ ଯେଉଁ ବେଣାଚେର ଅତର ଖୋସିଦେଇ ଯାଉଥିଲେ, ସେଇ ଅତର ଗନ୍ଧ ମୁଁ ଯୁଆଡ଼େ ଯାଉଥିଲି ମୋ ସାଙ୍ଗେ ସାଙ୍ଗେ ଯାଇ ଦଳର ଅନ୍ୟାନ୍ୟଙ୍କ ମନରେ ଏକ କୌତୂହଳ ସୃଷ୍ଟି କରୁଥିଲା । କେତେ ଅସ୍ପଷ୍ଟ ଗୁଞ୍ଜରଣ, କେତେ ତାତ୍ସଲ୍ୟ ଆଖିଠାରୁ ସୃଷ୍ଟି କରୁଥିଲା । କେହି କେହି କହି ମଧ୍ୟ ଦଉଥିଲେ,‘ଧରିଛି, ଏଥର ପ୍ରେମର ନିଶା ଧରିଛି । ଏ ନିଶା ଆଉ ନଛାଡ଼େ ।’

 

ସବୁ ଦେଖେ, ସବୁ ଶୁଣେ ଅଥଚ ମନଭିତରେ ସୁନ୍ଦରୀ ତରୁଣୀ ଅଭିନେତ୍ରୀଟି ପ୍ରତି ଆକୃଷ୍ଟ ହେବାକୁ ଲାଗୁଥାଏ । ମୋର ସେ ପୂର୍ବର ଅଚଳ ଅଟଳ ନୀତି କୁଆଡ଼େ ଗଲା କେଜାଣି ? ଏଥର ସମୟେ ସମୟେ ଗୋପନରେ ଖଣ୍ଡେ ଦୁଇ ଖଣ୍ଡ ଭଙ୍ଗାପାନ ଆଣି ତାଙ୍କ ହାତରେ ଗୁଞ୍ଜି ଦେବାକୁ ଭୁଲିଲି ନାହିଁ । ଆମ ଦୁହିଁଙ୍କ ଭିତରେ ଅନୁଷ୍ଠାନ ଗୋଟାଏ ବିରାଟ ମେଘନାଦ ପ୍ରାଚୀର ପରି ଠିଆ ହୋଇଥିଲେ ମଧ୍ୟ ଉଭୟଙ୍କ ଆଖିରେ ଓ ମନରେ ଆମେ ପରସ୍ପର ଭିତରେ ଭଲପାଇବାର ଚରମ ସୀମାକୁ ଉଠିଗଲୁ ।

 

ମୋ ନିକଟରେ ସେ ବଳେବଳେ ଧରା ଦେଇଥିଲେ । ଏବେ ମୁଁ କିନ୍ତୁ ତାଙ୍କ ନିକଟରେ ଧରା ଦେଲି । ତେବେ ମୋ ନିକଟରେ ଧରା ଦେବାକୁ ତାଙ୍କୁ ଯେତେ କଷ୍ଟ ସ୍ଵୀକାର କରିବାକୁ ପଡ଼ିନଥିବ, ମୁଁ କିନ୍ତୁ ତାଙ୍କ ନିକଟରେ ଧରା ଦେବାକୁ ସେତେ କଷ୍ଟ ଅନୁଭବ କଲି । ସେ କଷ୍ଟ ନିବାରଣର ଔଷଧ ଏପର୍ଯ୍ୟନ୍ତ ଦୁନିଆରେ ଉଦ୍‌ଭାବନ ହୋଇପାରି ନାହିଁ । ମୁଁ ତାଙ୍କୁ ଯେତିକି ଯେତିକି ଧରିବାକୁ ଆଗେଇ ଯାଉଥିଲି, ସେ କିନ୍ତୁ ସେତିକି ସେତିକି ମୋଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଥିଲେ ।

 

ଅନଳର ଦହନଶକ୍ତି ପ୍ରଖର ହେଲେ ମଧ୍ୟ ତାର ରୂପ ଅଛି; ମାତ୍ର ପ୍ରୀତିର ଦହନ ଶକ୍ତି ଅତି ପ୍ରଖର, କିନ୍ତୁ ରୂପ ନାହିଁ । ତାର ଆଖି ପଲକରେ କେତେ ଚଞ୍ଚଳ ଧ୍ଵଂସର ତାଣ୍ଡବଲୀଳା ସୃଷ୍ଟି କରିଦିଏ, ତାହା ଦେଖିବା ବା ବୁଝିବା ସମ୍ଭବ ନୁହେଁ ।

 

ସମୟର ସ୍ରୋତ ଗତିଶୀଳ । ବହିଚାଲେ ସେ ଲକ୍ଷ୍ୟହୀନ ପଥରେ । ବାଧାବନ୍ଧନ ମାନେନା । ଅପରାହତ ଶକ୍ତି ତାର । ଅଗଣିତ ସୃଷ୍ଟି । ତାର ଗତି ସହିତ ତାଳଦେଇ ଚାଲିବାକୁ ଚେଷ୍ଟା କରିଛି; ମାତ୍ର ପାରି ନାହିଁ, ହାରିଯାଇଛି । ବିଫଳ ମନୋରଥ ପୋଷଣ କରିଛି । ପ୍ରତିଟି ଜୀବନ, ପ୍ରତ୍ୟେକ ସୃଷ୍ଟି, ସେହି ସମୟ କୋଳରେ ଜନ୍ମନେଇ ପୁଣି ସମୟକୁ ଅତିକ୍ରମ କରିବାର ଦୁଃସାହସ କରି, ଶେଷରେ ନିଜକୁ ହଜେଇ ଦେଇଛନ୍ତି ସମୟର ଅନନ୍ତ ଗର୍ଭରେ ।

 

ସମୟ ବା କାଳ କାହାରିକୁ ଅପେକ୍ଷା କରି ବସେନା । ଆମେ କିନ୍ତୁ ବେଳ ଓ ମୁହୂର୍ତ୍ତକୁ ଅନେଇଁ ବସୁ । ଅଥଚ ବେଳ ବା ସମୟ ଆସିଲେ ତାର ମୂଲ୍ୟ ନବୁଝି ତାକୁ ଅବାଧ୍ୟ କରୁ, ହଁ ପୁଣି ଦେଖିବା ଆରଥରକୁ । କେବଳ ନିଜର ବୋକାମି ଯୋଗୁଁ, ଆମେ ଭାବୁ ସମୟ ଆମକୁ ଚିହ୍ନି ପାରିନାହିଁ । କିନ୍ତୁ ପ୍ରକୃତରେ ସମୟ ଯେ ଆମମାନଙ୍କୁ ଚିହ୍ନି ସାରିଥାଏ, ଜାଣି ପାରିଥାଏ–ସେକଥା ମୋଟେ ବୁଝି ହୁଏନା । ଏଣୁ ସେତେବେଳେ ମୁଁ କେମିତି ଚଳୁଥିଲି, କେମିତି ଅବସ୍ଥାରେ ଥିଲି, କାହାପ୍ରତି କିଭଳି ବ୍ୟବହାର ଦେଖାଉଥିଲି, କିଏ ମୋ ପ୍ରତି କି ବ୍ୟବହାର କରୁଥିଲା, ସେସବୁ କଥା ବୁଝିବା ମୋ ପକ୍ଷରେ ମୋଟେ ସମ୍ଭବ ନଥିଲା । ଜାଣିବାକୁ କେବେ ଚେଷ୍ଟା ମଧ୍ୟ କରୁନଥିଲି । ସମୟ ଦେଖିଚି, ସମୟ କେବଳ ତା’ର ସାକ୍ଷୀ ।

 

ୟା’ର ଅଳ୍ପ କେଇଦିନ ପରେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ଖୋର୍ଦ୍ଧାରେ ଅଭିନୟ ଶେଷକରି ଫେରିଆସିଲା କଟକ, ନିଜର ସ୍ଥାୟୀ ରଙ୍ଗମଞ୍ଚକୁ । ନୂଆ ବହି “ଅଭିଷେକ’’ ମଞ୍ଚସ୍ଥ ହେବାଲାଗି ପ୍ରତିଦିନ ଚାଲିଥାଏ ଅଭ୍ୟାସ । ସକାଳ ଆଠ ଘଣ୍ଟାରୁ ବାର ଘଣ୍ଟା ପର୍ଯ୍ୟନ୍ତ । ଅନୁଷ୍ଠାନ ଭିତରେ ସୃଷ୍ଟି ହୋଇଥାଏ ଅତ୍ୟନ୍ତ କର୍ମଚଞ୍ଚଳତା । କାରଣ କଟକର ଦର୍ଶକମାନଙ୍କ ଲାଗି ସେଇ ‘ଅଭିଷେକ’’ ନାଟକଟି ଥାଏ ନୂଆ । ନାଟକର ସଫଳ ପ୍ରଦର୍ଶନ ଉପରେ ନିର୍ଭର କରୁଥିଲା ଅନୁଷ୍ଠାନର ଆର୍ଥିକ ସ୍ୱଚ୍ଛଳତା । ଅବଶ୍ୟ କଟକ ବାହାରେ ଯେ ଅନ୍ନପୂର୍ଣ୍ଣା ବି’ଗ୍ରୁପ୍ ଅର୍ଥ ପାଇନଥିଲା ତା’ ନୁହେଁ । ଆମେ ନିଜେ ଦେଖିଛୁ ଗୋଟିଏ ଗୋଟିଏ ସ୍ଥାନରେ ପ୍ରତ୍ୟେକ ଦିନ ପ୍ରେକ୍ଷାଳୟ ପୂର୍ଣ୍ଣ ହୋଇଯାଏ । ଆଶ୍ଚର୍ଯ୍ୟ ଲାଗେ, ଗୋଟିଏ ଗୋଟିଏ ଶ୍ରେଣୀରେ ଯାହା ଗେଟ୍ ସେଲ୍ ହୁଏ, ସେସବୁ ଅର୍ଥ ଯଦି ଅନୁଷ୍ଠାନର ତହବିଲ୍‌କୁ ଆସୁଥାନ୍ତା, ତେବେ ସେଇ ଅର୍ଥରେ ଅନୁଷ୍ଠାନ ଅନେକ କିଛି ନୂଆକାମ କରିପାରୁଥାନ୍ତା । କିନ୍ତୁ ହାୟ ! ସେକଥା କେବେହେଲେ ଘଟୁନଥିଲା । ସେସବୁ ପଇସା ମ୍ୟାନେଜରଙ୍କର ବୋଲକରା ଗେଟ୍–କିପରି ଦର୍ଶକମାନଙ୍କଠାରୁ ଅସୁଲ୍ କରି, ରାଧେ ରାଧେ ତୋର ଅଧକୁ ମୋର ଅଧେ କରୁଥିଲେ ।

 

କଟକରେ ପହଞ୍ଚି ମୁଁ କିନ୍ତୁ ହୋଇଥିଲି ଅର୍ଦ୍ଧପାଗଳ । କେବଳ ପାଗଳ ନୁହେଁ, ଯାହାକୁ କହନ୍ତି ପ୍ରେମପାଗଳ । ଖାଇବା, ଶୋଇବା, ବସିବା, ଉଠିବା, ସବୁଥିରେ ଯେମିତି ଅସଂଯତଭାବ ପ୍ରକାଶ ପାଉଥିଲା । କେହି ଶୋଇରହି ସିନା ସ୍ଵପ୍ନ ଦେଖନ୍ତି, ମୁଁ କିନ୍ତୁ ଚେଇଁରହି ସ୍ଵପ୍ନ ଦେଖୁଥିଲି । କଟକର ରଙ୍ଗମଞ୍ଚ ପଛପଟେ ଯୋଉ ନୁଆଣିଆ ଧାଡ଼ିମରା ଚାଳଘର ଥିଲା, ସେଇ ଘରେ ଖଣ୍ଡିଏ ଖଟଉପରେ ବସି, ଚିନ୍ତା କରୁଥିଲି ସମ୍ରାଟ ମୋଗଲ କୁଳତିଳକ ସା’ଜାହାନ୍ ଓ ବେଗମ୍ ମମତାଜ୍‍ଙ୍କ ପ୍ରଣୟ ବିଷୟରେ । ମାତ୍ର ମୋ ପ୍ରଣୟିନୀ ? କଟକରେ ପହଞ୍ଚି ପ୍ରମାଦ ଭୟରେ ସମସ୍ତ ଗୋପନ ପ୍ରଣୟରଙ୍ଗକୁ ଧୋଇଥାଇ ନିର୍ମଳ ହୋଇ ବସିଯାଇଥିଲେ । କେବେ କେମିତି ହଠାତ୍ ଥରେ ଅଧେ ମୁହାଁମୁହିଁ ତାଙ୍କର ମୋର ହୋଇଗଲେ, କିଛି ନ ଜାଣିଲାପରି ବାଟ ଆଡ଼େଇ ଚାଲିଯାଉଥିଲେ । ସମ୍ଭବତଃ ତାଙ୍କର ସେ ବେଣାଚେର ଅତର ଆଉ ପାଖରେ ନଥିଲା କିମ୍ବା ପ୍ରେମର ବଦ୍‌ନାମପୂର୍ଣ୍ଣ ପଙ୍କିଳ ପରିବେଶକୁ ନିଜେ ଆଗତୁରା ଡେଇଁପଡ଼ି, ଅନ୍ୟ ଜଣେ ନିରୀହ ସରଳ ଅଭିନେତାକୁ ଆପଣା ନିକଟକୁ ଟାଣିନବାକୁ ଆଗ୍ରହ ସମ୍ଭବତଃ ତାଙ୍କର ଆଉ ନଥିଲା । ପ୍ରେମଜନିତ ଯନ୍ତ୍ରଣା ତାଙ୍କର ଯେମିତି ନଥିଲା ପରି ମୋର ମନେହେଲା । ଏଭଳି ବ୍ୟବହାର କରିବାରେ ସେ ବୋଧେ ଆଗରୁ ବେଶ୍ ସିଦ୍ଧହସ୍ତା ଥିଲେ ।

 

ମୁଁ କିନ୍ତୁ ଉବୁଟୁବୁ ହେଉଥିଲି ପ୍ରେମ–ସମୁଦ୍ରରେ । ଆଖିରେ ଲୁହ ଛଳଛଳ, ଘଡ଼ିଘଡ଼ିକେ ଦୀର୍ଘ ନିଃଶ୍ଵାସ । ଦୁନିଆଟା ଯେମିତି ଶୂନ୍ୟ, ମହାଶୂନ୍ୟ ପରି ମନେହେଉଥିଲା । ସେଇ ପ୍ରେମ–ସିନ୍ଧୁର ଗୋଟାଏ ଗୋଟାଏ ଭୟଙ୍କର ଲହଡ଼ି ଆଘାତରେ ବାଲିମିଶା ପାଣି ପି’ ଶ୍ଵାସରୁଦ୍ଧ ହେଉଥିଲେ ମଧ୍ୟ, ତଥାପି ମୁଁ ମୋର ଅଜାଣତରେ ସେଇ ପ୍ରେମ–ଜଳରେ ଧୀରେ କାହିଁ କେତେଦୂର ଯେ ଭାସିଯାଇଥିଲି, ସେସବୁକୁ ବିଚାର କରିବାର ବେଳ ସେତେବେଳେ ମୋର ନଥିଲା ।

 

ମୁଁ ଜଣେ ହାସ୍ୟରସ ପରିବେଷଣକାରୀ ଅଭିନେତା । କୌଣସି ବିଷୟକୁ ହାଲୁକା ମନରେ ବିଚାର କରିବା ମୋର ସ୍ଵଭାବବିରୁଦ୍ଧ ଥିଲା । ପ୍ରତ୍ୟେକ କଥାକୁ ଗଭୀର ଭାବରେ ଚିନ୍ତା କରିବା ବା ନିରେଖି ଦେଖିବା ଥିଲା ମୋର ରକ୍ତଗତ ଅଭ୍ୟାସ, ଏଣୁ ଅନ୍ୟ ଆଖିରେ ଖୁବ୍ ଛୋଟ କଥାଟିଏ ହେଲେ ମଧ୍ୟ, ମୋ ଆଖରେ ସେ ବେଶ୍ ବଡ଼ ହୋଇ ଦିଶୁଥିଲା ।

 

କଳାକାରର ଜୀବନ ଭିନ୍ନ ଧରଣର ଜୀବନ । ସାରା ଜୀବନ ବଞ୍ଚିତ ଓ ପ୍ରବଞ୍ଚିତ ହୋଇ ସୁଦ୍ଧା ଅନ୍ତରରେ କାନ୍ଦି ଅଧରରେ ହସ ଫୁଟାଇବାରେ କେବେ କାର୍ପଣ୍ୟ କରେନା କଳାକାର । ମୋ ଜୀବନ ହେଉଛି ପ୍ରକୃତରେ ଏଇଭଳି ଏକ କଳାକାରର କାହାଣୀ ! କାହାଣୀ ତ ନୁହେଁ, ଗୋଟାଏ ଖୋଲା ଜୀବନର ମେଲା ଡାଏରି !

Image